ପାଠ ୩
ବାଇବଲର ସତ୍ୟକୁ କିପରି ପୁଣିଥରେ ଖୋଜାଗଲା ?
ବାଇବଲ ବିଦ୍ୟାର୍ଥୀ, ୧୮୭୦ର ଦଶନ୍ଧୀ
୧୮୭୯ ଖ୍ରୀଷ୍ଟାବ୍ଦ, ପ୍ରହରୀଦୁର୍ଗର ପ୍ରଥମ ସଂସ୍କରଣ
ବର୍ତ୍ତମାନ ସମୟର ପ୍ରହରୀଦୁର୍ଗ ପତ୍ରିକା
ବାଇବଲରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ଯୀଶୁଙ୍କ ମୃତ୍ୟୁ ପରେ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ମିଥ୍ୟା ଶିକ୍ଷକମାନେ ଦେଖା ଦେବେ, ଯେଉଁମାନେ ବାଇବଲର ସତ୍ୟ ପରିବର୍ତ୍ତେ ବିପରୀତ କଥାଗୁଡ଼ିକ ଶିଖାଇବେ । (ପ୍ରେରିତ ୨୦:୨୯, ୩୦) ସମୟକ୍ରମେ ତାହା ହିଁ ହେଲା । ଏହି ଶିକ୍ଷକମାନେ ଯୀଶୁଙ୍କ ଶିକ୍ଷାରେ ମିଥ୍ୟା ଧର୍ମର ଶିକ୍ଷାସବୁ ମିଶାଇବାକୁ ଲାଗିଲେ ଏବଂ ଏକ ମିଥ୍ୟା ଖ୍ରୀଷ୍ଟିୟାନ ଧର୍ମର ଆରମ୍ଭ ହେଲା । (୨ ତୀମଥି ୪:୩, ୪) ତେଣୁ ଆମେ କିପରି ନିଶ୍ଚିତ ହୋଇପାରିବା ଯେ ବାଇବଲ ଆମକୁ ଯାହା ଶିଖାଏ, ତାʼ ବିଷୟରେ ସଠିକ୍ ଜ୍ଞାନ ଆଜି ଆମ ପାଖରେ ଅଛି ?
ସତ୍ୟରେ ଆଲୋକ ଦେବା ପାଇଁ ଯିହୋବାଙ୍କ ସମୟ ଆସିଲା । ଯିହୋବା ପୂର୍ବରୁ କହିଥିଲେ ଯେ ‘ଶେଷ କାଳରେ ଜ୍ଞାନର ବୃଦ୍ଧି ହେବ ।’ (ଦାନିୟେଲ ୧୨:୪) ତାହା ହିଁ ହେଲା । ୧୮୭୦ ମସିହାରେ ସତ୍ୟକୁ ଖୋଜୁଥିବା ଏକ ଛୋଟ ସମୂହ ଜାଣିପାରିଲା ଯେ ଗୀର୍ଜାର ଅନେକ ଶିକ୍ଷାଗୁଡ଼ିକ ବାଇବଲ ଆଧାରିତ ନ ଥିଲା । ତେଣୁ ସେମାନେ ଏହା ଖୋଜିବାକୁ ଲାଗିଲେ ଯେ ବାଇବଲ ପ୍ରକୃତରେ କʼଣ ଶିଖାଏ ଏବଂ ଯିହୋବା ସେମାନଙ୍କୁ ବାଇବଲର ସଠିକ୍ ଜ୍ଞାନ ହାସଲ କରିବା ପାଇଁ ସାହାଯ୍ୟ କଲେ ।
ସଚ୍ଚୋଟ ଲୋକମାନେ ଗଭୀର ଭାବରେ ବାଇବଲ ଅଧ୍ୟୟନ କଲେ । ସେହି ବାଇବଲ ବିଦ୍ୟାର୍ଥୀମାନେ ଆଜି ଯିହୋବାଙ୍କ ସାକ୍ଷୀ ନାମରେ ପରିଚିତ । ସେମାନେ ଅଧ୍ୟୟନର ଏମିତି ଏକ ପଦ୍ଧତି ବ୍ୟବାହାର କଲେ, ଯାହା ଆଜି ମଧ୍ୟ ଆମେ ବ୍ୟବାହାର କରୁଛୁ । ସେମାନେ ଗୋଟିଏ ବିଷୟ ବାଛୁଥିଲେ ଏବଂ ବାଇବଲରୁ ତାହା ଉପରେ ଚର୍ଚ୍ଚା କରୁଥିଲେ । ଯେତେବେଳେ ବାଇବଲର କିଛି ଭାଗ ସେମାନଙ୍କୁ ବୁଝିବା ପାଇଁ କଷ୍ଟ ହେଉଥିଲା, ତାହାକୁ ଠିକ୍ ଭାବରେ ବୁଝିବା ପାଇଁ ଅନ୍ୟ ପଦଗୁଡ଼ିକ ଦେଖୁଥିଲେ । ଯେତେବେଳେ ସେମାନେ କୌଣସି ସିଦ୍ଧାନ୍ତରେ ପହଞ୍ଚୁଥିଲେ, ଯାହା ବାଇବଲର ଅନ୍ୟ ପଦଗୁଡ଼ିକ ସହିତ ମେଳ ଖାଉଥିଲା, ସେମାନେ ତାହା ଲେଖି ରଖୁଥିଲେ । ଏପରି ଭାବରେ ସେମାନେ ବାଇବଲକୁ ଭଲ ଭାବରେ ବୁଝିବା ପାଇଁ ବାଇବଲର ହିଁ ସାହାଯ୍ୟ ନେଉଥିଲେ । ଏପରି କରିବା ଦ୍ୱାରା ସେମାନେ ବାଇବଲର ସତ୍ୟଗୁଡ଼ିକୁ ପୁଣିଥରେ ଖୋଜି ପାଇଲେ, ଯେଉଁଗୁଡ଼ିକ ଅନ୍ଧାରରେ ଲୁଚି ଯାଇଥିଲା । ଯେପରି ସେମାନେ ଈଶ୍ୱରଙ୍କ ନାମ ଓ ତାଙ୍କ ରାଜ୍ୟ, ମଣିଷମାନଙ୍କ ଓ ପୃଥିବୀ ପାଇଁ ତାଙ୍କ ଉଦ୍ଦେଶ୍ୟ, ମରିଯାଇଥିବା ଲୋକଙ୍କ ଅବସ୍ଥା ଏବଂ ସେମାନେ ପୁଣିଥରେ ଜୀବିତ ହେବା ବିଷୟରେ ସତ୍ୟ ବୁଝିପାରିଲେ । ଏହି ଅନୁସନ୍ଧାନରୁ ସେମାନେ ଅନେକ ମିଥ୍ୟା ଶିକ୍ଷା ଏବଂ ମିଥ୍ୟା ରୀତିନୀତିରୁ ମୁକ୍ତ ହୋଇପାରିଲେ ।—ଯୋହନ ୮:୩୧, ୩୨.
୧୮୭୯ ଖ୍ରୀଷ୍ଟାବ୍ଦ ଆସୁ ଆସୁ ବାଇବଲ ବିଦ୍ୟାର୍ଥୀମାନେ ବୁଝିଗଲେ ଯେ ବର୍ତ୍ତମାନ ସାରା ପୃଥିବୀରେ ସତ୍ୟର ପ୍ରଚାର କରାଯିବାର ସମୟ ଆସି ଯାଇଛି । ସେଥିପାଇଁ ସେମାନେ ସେହି ବର୍ଷରୁ ଏକ ପତ୍ରିକା ଛାପିବା ଆରମ୍ଭ କଲେ, ଯାହା ଆଜି ପର୍ଯ୍ୟନ୍ତ ଛପାଯାଉଛି । ଏହା ହେଉଛି, ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ । ଆଜି ଆମେ ୨୪୦ଟି ଦେଶ ଓ ଦ୍ୱୀପଗୁଡ଼ିକରେ ଏବଂ ୭୫୦ରୁ ଅଧିକ ଭାଷାରେ ଲୋକମାନଙ୍କୁ ବାଇବଲର ସତ୍ୟ ପହଞ୍ଚାଇ ପାରୁଛୁ । ପ୍ରକୃତରେ, ସତ୍ୟର ଜ୍ଞାନ ବହୁତ ବଢ଼ିଯାଇଛି !
ଯୀଶୁଙ୍କ ମୃତ୍ୟୁ ପରେ ବାଇବଲରେ ଥିବା ସତ୍ୟର କʼଣ ହେଲା ?
ଆମେ କିପରି ଈଶ୍ୱରଙ୍କ ବାକ୍ୟରେ ଥିବା ସତ୍ୟକୁ ପୁଣିଥରେ ଖୋଜି ପାଇଲୁ ?