ପାଠ ୧୫
ପ୍ରାଚୀନମାନେ କିପରି ମଣ୍ଡଳୀର ସେବା କରନ୍ତି ?
ଫିନ୍ଲ୍ୟାଣ୍ଡ
ଶିଖାଇବା
ଉତ୍ସାହ ବଢ଼ାଇବା
ସାକ୍ଷ୍ୟ ଦେବା
ଆମ ସଂଗଠନରେ ପାଦ୍ରିମାନେ ନ ଥାʼନ୍ତି, ଯେଉଁମାନଙ୍କୁ ମଣ୍ଡଳୀକୁ ସମ୍ଭାଳିବା ପାଇଁ ଦରମା ଦିଆଯାଏ । ଏହା ପରିବର୍ତ୍ତେ, ଠିକ୍ ଯେପରି ଖ୍ରୀଷ୍ଟିୟାନ ମଣ୍ଡଳୀର ଆରମ୍ଭରେ କରାଯାଉଥିଲା, ଆଜି ମଧ୍ୟ ମଣ୍ଡଳୀରେ ଯୋଗ୍ୟ ଭାଇମାନଙ୍କୁ ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଏ, ଯେଉଁମାନେ ‘ଈଶ୍ୱରଙ୍କ ମଣ୍ଡଳୀକୁ ପ୍ରତିପାଳନ କରନ୍ତି ।’ (ପ୍ରେରିତ ୨୦:୨୮) ଈଶ୍ୱରଙ୍କ ସ୍ତର ଅନୁସାରେ ଯୋଗ୍ୟତା ରଖୁଥିବା ଏହି ଅଧ୍ୟକ୍ଷ କିମ୍ବା ପ୍ରାଚୀନମାନେ ମଣ୍ଡଳୀକୁ ପରିଚାଳନା କରନ୍ତି । ସେମାନେ ଏହି କାମ ‘ବାଧ୍ୟ ହୋଇ ନୁହେଁ, ମାତ୍ର ଈଶ୍ୱରଙ୍କ ଇଚ୍ଛାନୁଯାୟୀ ସ୍ୱଚ୍ଛନ୍ଦ ମନରେ, କୁତ୍ସିତ ଲାଭ ନିମନ୍ତେ ନୁହେଁ, କିନ୍ତୁ ଆଗ୍ରହ ସହକାରେ କରନ୍ତି ।’ (୧ ପିତର ୫:୧-୩) ସେମାନେ ଆମ ପାଇଁ କʼଣ କରନ୍ତି ?
ସେମାନେ ଆମ ବିଷୟରେ ଚିନ୍ତା କରନ୍ତି ଏବଂ ଆମକୁ ସୁରକ୍ଷା ଦିଅନ୍ତି । ପ୍ରାଚୀନମାନେ ମଣ୍ଡଳୀର ଭାଇଭଉଣୀଙ୍କୁ ବାଇବଲରୁ ନିର୍ଦ୍ଦେଶ ଦିଅନ୍ତି ଏବଂ ଯେଉଁ ବିପଦଗୁଡ଼ିକ ସେମାନଙ୍କୁ ଯିହୋବାଙ୍କଠାରୁ ଦୂରକୁ ନେଇଯାଏ, ସେଗୁଡ଼ିକରୁ ରକ୍ଷା କରନ୍ତି । ସେମାନେ ଜାଣନ୍ତି ଯେ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଯିହୋବା ସେମାନଙ୍କୁ ଦେଇଛନ୍ତି । ତେଣୁ ସେମାନେ ଯିହୋବାଙ୍କ ଲୋକମାନଙ୍କ ଉପରେ ଶାସନ କରନ୍ତି ନାହିଁ, ତାʼ ପରିବର୍ତ୍ତେ ସେମାନଙ୍କ ହିତ ଓ ଖୁସି ପାଇଁ ପରିଶ୍ରମ କରନ୍ତି । (୨ କରିନ୍ଥୀୟ ୧:୨୪) ଠିକ୍ ଯେପରି ଜଣେ ମେଷପାଳକ ନିଜ ପ୍ରତ୍ୟେକ ମେଷକୁ ଭଲ ଭାବେ ଜାଣେ ଏବଂ ତାʼର ଯତ୍ନ ନିଏ, ସେହିପରି ପ୍ରାଚୀନମାନେ ମଣ୍ଡଳୀର ପ୍ରତ୍ୟେକ ସଦସ୍ୟଙ୍କୁ ବ୍ୟକ୍ତିଗତ ଭାବେ ଜାଣିବାକୁ ଚେଷ୍ଟା କରିଥାʼନ୍ତି ।—ହିତୋପଦେଶ ୨୭:୨୩.
ସେମାନେ ଆମକୁ ଈଶ୍ୱରଙ୍କ ଇଚ୍ଛା ପୂରଣ କରିବା ଶିଖାନ୍ତି । ପ୍ରାଚୀନ ପ୍ରତି ସପ୍ତାହ ମଣ୍ଡଳୀରେ ସଭା ଚଳାନ୍ତି ଏବଂ ଏପରି ଶିକ୍ଷା ଦିଅନ୍ତି, ଯାହାଦ୍ୱାରା ଆମ ବିଶ୍ୱାସ ମଜବୁତ୍ ହୁଏ । (ପ୍ରେରିତ ୧୫:୩୨) ଈଶ୍ୱରଙ୍କୁ ସମର୍ପିତ ଏହି ଭାଇମାନେ ପ୍ରଚାର କାମରେ ମଧ୍ୟ ନେତୃତ୍ୱ ନିଅନ୍ତି, ଆମ ସହିତ ପ୍ରଚାରରେ ଯାଆନ୍ତି ଏବଂ ପ୍ରଚାର କରିବାର ଅଲଗା ଅଲଗା ଉପାୟ ବିଷୟରେ ତାଲିମ ଦିଅନ୍ତି ।
ସେମାନେ ବ୍ୟକ୍ତିଗତ ଭାବେ ଆମ ଉତ୍ସାହ ବଢ଼ାଇଥାʼନ୍ତି । ପ୍ରାଚୀନମାନେ ଚାହାନ୍ତି ଯେ ଆମେ ପ୍ରତ୍ୟେକେ ଈଶ୍ୱରଙ୍କ ସହିତ ଦୃଢ଼ ସମ୍ପର୍କ ରଖୁ । ଆମକୁ ସାହାଯ୍ୟ କରିବା ପାଇଁ ସେମାନେ ହୁଏତ ଆମ ଘରେ କିମ୍ବା ରାଜ୍ୟଘରେ ଆମ ସହିତ କଥା ହୋଇଥାʼନ୍ତି, ବାଇବଲରୁ ସାନ୍ତ୍ୱନା ଦେଇଥାʼନ୍ତି ଏବଂ ଆମ ଆତ୍ମବିଶ୍ୱାସ ବଢ଼ାଇଥାʼନ୍ତି ।—ଯାକୁବ ୫:୧୪, ୧୫.
ସାଧାରଣତଃ, ପ୍ରାଚୀନମାନଙ୍କ ପାଖରେ ମଣ୍ଡଳୀର କାମ ଛଡ଼ା ଆହୁରି ଅନେକ କାମ ଥାଏ । ସେମାନଙ୍କୁ ନିଜ ଚାକିରୀ ଓ ପରିବାର ପ୍ରତି ମଧ୍ୟ ଧ୍ୟାନ ଦେବାକୁ ଏବଂ ସମୟ ବାହାର କରିବାକୁ ହୁଏ । ଆମକୁ ଏହି ପରିଶ୍ରମୀ ଭାଇମାନଙ୍କୁ ହୃଦୟର ସହିତ ଆଦର କରିବା ଉଚିତ୍ ।—୧ ଥେସଲନୀକୀୟ ୫:୧୨, ୧୩.
ମଣ୍ଡଳୀରେ ପ୍ରାଚୀନମାନଙ୍କ କʼଣ ଭୂମିକା ରହିଥାଏ ?
ପ୍ରାଚୀନମାନେ କେଉଁ କେଉଁ ଉପାୟରେ ଆମ ପ୍ରତି ବ୍ୟକ୍ତିଗତ ଭାବେ ଆଗ୍ରହ ଦେଖାନ୍ତି ?