ପାଠ ୧୭
ମୋଶା ଯିହୋବାଙ୍କ ଉପାସନା କରିବାର ନିଷ୍ପତ୍ତି ନେଲେ
ମିଶରରେ ଯାକୁବଙ୍କ ପରିବାରକୁ ଇସ୍ରାଏଲୀୟ କୁହାଯାଉଥିଲା । ଯାକୁବ ଓ ଯୋଷେଫଙ୍କ ମୃତ୍ୟୁ ପରେ ଜଣେ ନୂଆ ଫାରୋ ଶାସନ କରିବାକୁ ଲାଗିଲେ । ତାଙ୍କୁ ଡର ଥିଲା ଯେ ଇସ୍ରାଏଲୀୟମାନେ ମିଶରର ଲୋକମାନଙ୍କଠୁ ଅଧିକ ଶକ୍ତିଶାଳୀ ହୋଇଯିବେ । ତେଣୁ ସେ ସେମାନଙ୍କୁ ଦାସ କରିନେଲେ । ସେ ସେମାନଙ୍କଠାରୁ ଜବରଦସ୍ତି ଇଟା ତିଆରି କରିବା ପାଇଁ କହୁଥିଲେ ଏବଂ କ୍ଷେତଗୁଡ଼ିକରେ ବହୁତ ପରିଶ୍ରମ କରାଉଥିଲେ । ମିଶରୀୟମାନେ ଇସ୍ରାଏଲୀୟମାନଙ୍କୁ ବହୁତ ହଇରାଣ କଲେ, ତଥାପି ଇସ୍ରାଏଲୀୟମାନଙ୍କ ସଂଖ୍ୟା ବଢ଼ିବାକୁ ଲାଗିଲା । ଫାରୋଙ୍କୁ ଏହା ଭଲ ଲାଗିଲା ନାହିଁ, ତେଣୁ ସେ ଆଜ୍ଞା ଦେଲେ ଯେ ଏବେଠୁ ଇସ୍ରାଏଲୀୟମାନଙ୍କ ଯେତେ ବି ପୁଅ ପିଲା ଜନ୍ମ ହେବେ ସେମାନଙ୍କୁ ମାରି ଦିଆଯାଉ । କʼଣ ଆପଣ ଭାବିପାରିବେ, ଏହା ଶୁଣି ଇସ୍ରାଏଲୀୟମାନେ କେତେ ଡରି ଯାଇଥିବେ ?
ଯୋକେବଦ ନାମକ ଜଣେ ଇସ୍ରାଏଲୀୟ ସ୍ତ୍ରୀ ଜଣେ ପୁଅକୁ ଜନ୍ମ ଦେଲେ ଯିଏ ବହୁତ ସୁନ୍ଦର ଥିଲା । ସେ ଛୁଆକୁ ରକ୍ଷା କରିବା ପାଇଁ ତାକୁ ଗୋଟିଏ ଟୋକେଇରେ ରଖି ନୀଳ ନଦୀର ନଳବନ ଅର୍ଥାତ୍ ଲମ୍ବା ଲମ୍ବା ଘାସ ମଝିରେ ଲୁଚାଇ ଦେଲେ । ଛୁଆର ଭଉଣୀ ମରୀୟମ, ଏହା ଦେଖିବା ପାଇଁ ପାଖରେ ଛିଡ଼ା ହୋଇଥିଲେ, ଯେ ଛୁଆ ସହିତ କʼଣ ହେବ ।
ଫାରୋଙ୍କ ଝିଅ ନଦୀରେ ଗାଧୋଇବା ପାଇଁ ଆସିଲେ ଏବଂ ସେ ଟୋକେଇରେ ଛୁଆକୁ କାନ୍ଦିବାର ଦେଖିଲେ । ତାଙ୍କୁ ସେହି ଛୁଆ ଉପରେ ଦୟା ଆସିଲା । ମରୀୟମ ତାଙ୍କୁ ପଚାରିଲେ, ‘କʼଣ ମୁଁ ଯାଇ କୌଣସି ସ୍ତ୍ରୀକୁ ଡାକି ଆଣିବି ଯିଏ ଏହି ବାଳକକୁ ସ୍ତନ୍ୟପାନ କରାଇବ ଏବଂ ତାʼର ଦେଖାଶୁଣା କରିବ ?’ ଫାରୋଙ୍କ ଝିଅ ‘ହଁ’ କହିଲେ ଏବଂ ମରୀୟମ ଯାଇ ନିଜ ମାଆ ଯୋକେବଦଙ୍କୁ ଡାକି ଆଣିଲେ । ଫାରୋଙ୍କ ଝିଅ ଯୋକେବଦଙ୍କୁ କହିଲେ, ‘ଏହି ଛୁଆକୁ ନେଇଯାଅ ଏବଂ ସ୍ତନ୍ୟପାନ କରାଅ ଆଉ ତାʼର ଯତ୍ନ ନିଅ । ମୁଁ ତମକୁ ଏହାର ମଜୁରୀ ଦେବି ।’
ଛୁଆ ବଡ଼ ହେଲା ପରେ ଯୋକେବଦ ତାଙ୍କୁ ଫାରୋଙ୍କ ଝିଅଙ୍କ ପାଖକୁ ନେଇ ଆସିଲେ । ଫାରୋଙ୍କ ଝିଅ ତାଙ୍କ ନାମ ମୋଶା ରଖିଲେ ଏବଂ ତାଙ୍କୁ ନିଜ ପୁଅ ଭଳି ଲାଳନପାଳନ କଲେ । ମୋଶା ରାଜାଙ୍କ ପୁଅ ଭାବେ ବଡ଼ ହେଲେ ଏବଂ ଯାହା ଚାହୁଁଥିଲେ ତାହା ପାଇଲେ । କିନ୍ତୁ ସେ ଯିହୋବାଙ୍କୁ କେବେ ବି ଭୁଲିଲେ ନାହିଁ । ସେ ଜାଣିଥିଲେ ଯେ ସେ ଜଣେ ମିଶରୀୟ ନୁହନ୍ତି ବରଂ ଜଣେ ଇସ୍ରାଏଲୀୟ ଅଟନ୍ତି । ସେ ଯିହୋବାଙ୍କ ସେବା କରିବାର ନିଷ୍ପତ୍ତି ନେଲେ ।
ଯେବେ ମୋଶା ୪୦ ବର୍ଷର ହେଲେ ତେବେ ସେ ଭାବିଲେ ଯେ ସେ ନିଜ ଲୋକମାନଙ୍କ ସାହାଯ୍ୟ କରିବେ । ଯେବେ ସେ ଦେଖିଲେ ଯେ ଜଣେ ମିଶରୀୟ ବ୍ୟକ୍ତି ଜଣେ ଇସ୍ରାଏଲୀୟ ଦାସକୁ ମାରୁଛି, ତେବେ ସେ ସେହି ମିଶରୀୟ ବ୍ୟକ୍ତିକୁ ଏତେ ଜୋରରେ ମାରିଲେ ଯେ ସେ ମରିଗଲା । ମୋଶା ତାʼର ଶବକୁ ଲୁଚାଇବା ପାଇଁ ବାଲିରେ ପୋତିଦେଲେ । ଯେବେ ଫାରୋଙ୍କୁ ଜଣାପଡ଼ିଲା ତେବେ ସେ ମୋଶାଙ୍କୁ ମାରିଦେବା ପାଇଁ ଚେଷ୍ଟା କଲେ । କିନ୍ତୁ ମୋଶା ପଳାଇ ମିଦୀୟନ ଦେଶକୁ ଗଲେ । ସେଠାରେ ଯିହୋବା ତାଙ୍କ ଦେଖାଶୁଣା କଲେ ।
‘ବିଶ୍ୱାସ ଦ୍ୱାରା ମୋଶା ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ମନା କଲେ ଏବଂ ଈଶ୍ୱରଙ୍କ ଲୋକମାନଙ୍କ ସହିତ ଦୁଃଖଭୋଗ କରିବାକୁ ସେ ପସନ୍ଦ କଲେ ।’—ଏବ୍ରୀ ୧୧:୨୪, ୨୫