ପାଠ ୨୨
ଲୋହିତ ସାଗର ପାଖରେ ଚମତ୍କାର
ଯେବେ ଫାରୋ ଶୁଣିଲେ ଯେ ଇସ୍ରାଏଲୀୟମାନେ ମିଶର ଛାଡ଼ି ଚାଲି ଯାଇଛନ୍ତି, ତେବେ ତାଙ୍କୁ ଅବଶୋଷ ହେଲା ଯେ ସେ ସେମାନଙ୍କୁ କାହିଁକି ଯିବାକୁ ଦେଲେ । ସେ ନିଜ ସୈନିକମାନଙ୍କୁ ଆଦେଶ ଦେଲେ, ‘ସମସ୍ତ ଯୁଦ୍ଧ ରଥ ପ୍ରସ୍ତୁତ କର । ଆମେ ସେମାନଙ୍କ ପଛରେ ଗୋଡ଼ାଇବା ।’ ତାʼପରେ ସେ ଆଉ ତାଙ୍କ ଲୋକମାନେ ଇସ୍ରାଏଲୀୟମାନଙ୍କୁ ପିଛା କରିବାକୁ ଲାଗିଲେ ।
ଯିହୋବା ନିଜ ଲୋକମାନଙ୍କୁ ରାସ୍ତା ଦେଖାଇ ଆଗକୁ ନେଇ ଯାଉଥିଲେ । ସେ ସେମାନଙ୍କୁ ଦିନରେ ମେଘରୁ ଏବଂ ରାତିରେ ନିଆଁରୁ ରାସ୍ତା ଦେଖାଉଥିଲେ । ଆଉ ସେମାନଙ୍କୁ ଲୋହିତ ସାଗର (ସୂଫ ସମୁଦ୍ର) ପାଖକୁ ନେଇଗଲେ ଏବଂ ସେଠାରେ ସେମାନଙ୍କୁ ତମ୍ବୁ ଲଗାଇବାକୁ କହିଲେ ।
ତାʼପରେ ଇସ୍ରାଏଲୀୟମାନେ ଦେଖିଲେ ଯେ ଫାରୋ ନିଜ ସେନା ନେଇ ସେମାନଙ୍କ ପଛେ ଆସୁଛନ୍ତି । ସେମାନେ ଫସିଗଲେ କାରଣ ଆଗ ପଟେ ସାଗର ଥିଲା ଏବଂ ପଛ ପଟେ ମିଶରୀୟ ସେନା । ସେମାନେ ଚିତ୍କାର କରି ମୋଶାଙ୍କୁ କହିବାକୁ ଲାଗିଲେ, ‘ତମେ ଆମକୁ ମିଶରରୁ କାହିଁକି ଆଣିଲ ? ଏବେ ଦେଖ ଆମେ ସମସ୍ତେ ମରିଯିବା !’ କିନ୍ତୁ ମୋଶା କହିଲେ, ‘ଡର ନାହିଁ । ଦେଖ ଯେ ଯିହୋବା ଆମକୁ କିପରି ରକ୍ଷା କରିବେ ।’ ସତରେ, ମୋଶାଙ୍କୁ ଯିହୋବାଙ୍କ ଉପରେ କେତେ ଭରସା ଥିଲା !
ଯିହୋବା ଇସ୍ରାଏଲୀୟମାନଙ୍କୁ କହିଲେ ଯେ ସେମାନେ ତମ୍ବୁ ଉଠାଇ ଆଗକୁ ବଢ଼ନ୍ତୁ । ସେହି ରାତି ଯିହୋବା ମେଘକୁ ସାମନାରୁ ହଟାଇ ମିଶରୀୟମାନଙ୍କ ଓ ଇସ୍ରାଏଲୀୟମାନଙ୍କ ମଝିରେ ରଖି ଦେଲେ । ଏବେ ମିଶରୀୟମାନଙ୍କ ପଟେ ଅନ୍ଧାର ଥିଲା ଏବଂ ଇସ୍ରାଏଲୀୟମାନଙ୍କ ପଟେ ଆଲୋକ ଥିଲା ।
ଯିହୋବା ମୋଶାଙ୍କୁ କହିଲେ ଯେ ସେ ନିଜ ହାତ ସାଗର ଆଡ଼କୁ ବଢ଼ାନ୍ତୁ । ତାʼପରେ ଯିହୋବା ରାତି ସାରା ଜୋରରେ ପବନ ପ୍ରବାହିତ କଲେ । ଏହା ଯୋଗୁଁ ସାଗର ଦୁଇ ଭାଗରେ ବିଭକ୍ତ ହୋଇଗଲା ଏବଂ ପାଣି ଉଭୟ ପଟେ କାନ୍ଥ ଭଳି ଛିଡ଼ା ହୋଇଗଲା । ମଝିରେ ଗୋଟିଏ ରାସ୍ତା ତିଆରି ହୋଇଗଲା । ଲକ୍ଷ ଲକ୍ଷ ଇସ୍ରାଏଲୀୟ ସେହି ଶୁଖିଲା ଜମି ଦେଇ ସାଗରର ଆରପାରିକୁ ଚାଲିଗଲେ ।
ଫାରୋଙ୍କ ସେନା, ଇସ୍ରାଏଲୀୟମାନଙ୍କ ପଛେ ପଛେ ଶୁଖିଲା ଜମିରେ ଆସିଲେ । ସେସମୟରେ ଯିହୋବା ସେନାକୁ ଅସ୍ତବ୍ୟସ୍ତ କରିଦେଲେ । ସେମାନଙ୍କ ରଥର ଚକ ବାହାରିବାକୁ ଲାଗିଲା । ସୈନିକମାନେ ଚିତ୍କାର କରି ପରସ୍ପରକୁ କହିବାକୁ ଲାଗିଲେ, ‘ପଳାଅ ଏଇଠୁ ! ଯିହୋବା ସେମାନଙ୍କ ତରଫରୁ ଲଢ଼ୁଛନ୍ତି ।’
ଯିହୋବା ମୋଶାଙ୍କୁ କହିଲେ, ‘ନିଜ ହାତ ସାଗର ଆଡ଼କୁ ବଢ଼ାଅ ।’ ଏପରି କରିବା ମାତ୍ରେ ହିଁ ଯେଉଁ ପାଣି କାନ୍ଥ ଭଳି ଛିଡ଼ା ହୋଇଥିଲା ତାହା ମିଶରୀୟ ସେନା ଉପରେ ପଡ଼ିଗଲା । ଫାରୋ ଓ ତାଙ୍କ ସମସ୍ତ ଲୋକ ମରିଗଲେ । ଜଣେ ବି ବଞ୍ଚିଲେ ନାହିଁ !
ସାଗରର ସେପାରିରେ ଲୋକମାନଙ୍କ ବଡ଼ ଭିଡ଼ ଈଶ୍ୱରଙ୍କ ପ୍ରଶଂସାରେ ଗୀତ ଗାଇବାକୁ ଲାଗିଲେ, ‘ଯିହୋବାଙ୍କ ପାଇଁ ଗୀତ ଗାଅ କାରଣ ସେ ଅଦ୍ଭୁତ ଭାବେ ଜୟ ହାସଲ କରିଛନ୍ତି । ଘୋଡ଼ା ସହ ତାʼର ଚାଳକମାନଙ୍କୁ ସେ ସମୁଦ୍ରରେ ଫିଙ୍ଗି ଦେଲେ ।’ ଯେବେ ଲୋକମାନେ ଗୀତ ଗାଉଥିଲେ, ତେବେ ସ୍ତ୍ରୀମାନେ ନାଚିବାକୁ ଲାଗିଲେ ଏବଂ ଖଞ୍ଜଣୀ ବଜାଇବାକୁ ଲାଗିଲେ । ସମସ୍ତେ ବହୁତ ଖୁସି ଥିଲେ ଯେ ଏବେ ସେମାନେ ସତରେ ମୁକ୍ତ ହୋଇଛନ୍ତି ।
‘ଆମ୍ଭେମାନେ ସାହସପୂର୍ବକ କହି ପାରୁ, ‘ଯିହୋବା ମୋହର ସହାୟ, ମୁଁ ଭୟ କରିବି ନାହିଁ; ମନୁଷ୍ୟ ମୋହର କଅଣ କରିବ ?’—ଏବ୍ରୀ ୧୩:୬