ପାଠ ୨୮
ବିଲୀୟମଙ୍କ ଗଧ କଥା କହିଲା
ଇସ୍ରାଏଲୀୟମାନଙ୍କୁ ପ୍ରାନ୍ତରରେ ରହି ପ୍ରାୟ ୪୦ ବର୍ଷ ହୋଇଗଲା । ସେମାନେ ଅନେକ ଶକ୍ତିଶାଳୀ ସହରଗୁଡ଼ିକୁ ଜୟ କଲେ । ଏବେ ସେମାନେ ଯର୍ଦ୍ଦନ ନଦୀର ପୂର୍ବରେ ମୋୟାବର ପଡ଼ିଆରେ ତମ୍ବୁ ପକାଇଲେ । କିଛି ସମୟ ଭିତରେ ସେମାନେ ପ୍ରତିଜ୍ଞାତ ଦେଶରେ ଯାʼନ୍ତେ । ମୋୟାବର ରାଜା ବାଲାକକୁ ଡର ଥିଲା ଯେ ଇସ୍ରାଏଲୀୟମାନେ ତାଙ୍କ ଦେଶ ଉପରେ କବ୍ଜା କରି ନେବେ । ତେଣୁ ସେ ବିଲୀୟମ ନାମକ ବ୍ୟକ୍ତିଙ୍କୁ ମୋୟାବରୁ ଡକାଇଲେ ଯେ ସେ ଇସ୍ରାଏଲୀୟମାନଙ୍କୁ ଶାପ ଦେବେ ।
କିନ୍ତୁ ଯିହୋବା ବିଲୀୟମଙ୍କୁ କହିଲେ, ‘ତମେ ଇସ୍ରାଏଲୀୟମାନଙ୍କୁ ଶାପ ଦେବ ନାହିଁ ।’ ତେଣୁ ବିଲୀୟମ ମୋୟାବ ଯିବା ପାଇଁ ମନା କରିଦେଲେ । ରାଜା ବାଲାକ ଆଉଥରେ ବିଲୀୟମଙ୍କୁ ଡାକି ପ୍ରତିଜ୍ଞା କଲା ଯେ ସେ ଯାହା ମାଗିବେ ସେ ତାଙ୍କୁ ଦେବ, ତଥାପି ବିଲୀୟମ ମନା କରିଦେଲେ । ତେବେ ଈଶ୍ୱର ବିଲୀୟମଙ୍କୁ କହିଲେ, ‘ତମେ ମୋୟାବକୁ ଯାଇପାର, କିନ୍ତୁ ତମେ ତାହା ହିଁ କହିବ ଯାହା ମୁଁ ତମକୁ କହିବି ।’
ବିଲୀୟମ ନିଜ ଗଧରେ ବସି ଦକ୍ଷିଣ ଆଡ଼କୁ ମୋୟାବକୁ ଗଲେ । ସେ ଇସ୍ରାଏଲୀୟମାନଙ୍କୁ ଶାପ ଦେବା ବିଷୟରେ ଭାବିଲେ, କିନ୍ତୁ ଯିହୋବା ତାଙ୍କୁ ଏପରି କରିବା ପାଇଁ ମନା କରିଥିଲେ । ସେସମୟରେ ତିନି ଥର ଯିହୋବାଙ୍କ ସ୍ୱର୍ଗଦୂତ ତାଙ୍କୁ ରୋକିବା ପାଇଁ ରାସ୍ତାରେ ଛିଡ଼ା ହୋଇଗଲେ । ବିଲୀୟମ ତାଙ୍କୁ ଦେଖିପାରିଲେନି, କିନ୍ତୁ ତାଙ୍କ ଗଧ ଦେଖିପାରିଲା । ପ୍ରଥମ ଥର ଯେବେ ଗଧ ସ୍ୱର୍ଗଦୂତଙ୍କୁ ଦେଖିଲା ସେ ରାସ୍ତା ଛାଡ଼ି କ୍ଷେତ ଆଡ଼କୁ ଚାଲିଗଲା । ଦ୍ୱିତୀୟ ଥର ସେ ଗୋଟିଏ ପଥର କାନ୍ଥରେ ଠେଲି ହୋଇଯିବାରୁ ବିଲୀୟମଙ୍କ ଗୋଡ଼ କାନ୍ଥରେ ଘସି ହୋଇଗଲା । ତୃତୀୟ ଥର ସେ ରାସ୍ତା ମଝିରେ ବସିଗଲା । ସେ ତିନି ଥର ଯାକ ଗଧକୁ ବାଡ଼ିରେ ପିଟିଲେ ।
ତୃତୀୟ ଥର ସେ ଗଧକୁ ପିଟିବା ସମୟରେ ଯିହୋବା ଏପରି କିଛି କଲେ ଯେଉଁଥିରୁ ଗଧ କଥା କହିବାକୁ ଲାଗିଲା । ଗଧ ବିଲୀୟମଙ୍କୁ ପଚାରିଲା, ‘ତମେ ମୋତେ କାହିଁକି ପିଟୁଛ ?’ ବିଲୀୟମ କହିଲେ, ‘ତୁ ମୋର ପରିହାସ କରିଛୁ । ଯଦି ମୋ ପାଖରେ ଖଣ୍ଡା ଥାʼନ୍ତା ହେଲେ ମୁଁ ତତେ ମାରି ଦେଇଥାʼନ୍ତି ।’ ଗଧ କହିଲା, ‘ତମେ କେତେ ବର୍ଷରୁ ମୋ ପିଠିରେ ବସି ଯିବା ଆସିବା କରିଛ । କʼଣ ମୁଁ ପୂର୍ବେ ଏପରି କିଛି କରିଥିଲି ?’
ସେସମୟରେ ଯିହୋବା ଏପରି କିଛି କଲେ ଯେ ବିଲୀୟମ ସ୍ୱର୍ଗଦୂତଙ୍କୁ ଦେଖିଲେ । ସ୍ୱର୍ଗଦୂତ ତାଙ୍କୁ କହିଲେ, ‘ଯିହୋବା ତମକୁ କହିଥିଲେ ଯେ ତମେ ଇସ୍ରାଏଲକୁ ଶାପ ଦେବ ନାହିଁ ।’ ବିଲୀୟମ କହିଲେ, ‘ମୋ ଦ୍ୱାରା ଭୁଲ ହୋଇଗଲା । ମୁଁ ଘରକୁ ଫେରିଯିବି ।’ କିନ୍ତୁ ସ୍ୱର୍ଗଦୂତ କହିଲେ, ‘ତମେ ମୋୟାବ ଯାଇପାର, କିନ୍ତୁ ତାହା ହିଁ କହିବ ଯାହା ଯିହୋବା ତମକୁ କହିବେ ।’
କʼଣ ବିଲୀୟମ ନିଜକୁ ସୁଧାରିଲେ ? ନାହିଁ । ଏହାପରେ ବି ସେ ତିନି ଥର ଇସ୍ରାଏଲକୁ ଶାପ ଦେବା ପାଇଁ ଚେଷ୍ଟା କଲେ । କିନ୍ତୁ ତିନି ଥର ଯାକ ଯିହୋବା ତାଙ୍କ ଦ୍ୱାରା ଇସ୍ରାଏଲୀୟମାନଙ୍କୁ ଆର୍ଶୀବାଦ ଦେଲେ । ଶେଷରେ ଇସ୍ରାଏଲୀୟମାନେ ମୋୟାବ ଉପରେ ଆକ୍ରମଣ କଲେ ଏବଂ ବିଲୀୟମଙ୍କୁ ମାରି ଦିଆଗଲା । ଯଦି ବିଲୀୟମ ପୂର୍ବରୁ ହିଁ ଯିହୋବାଙ୍କ କଥା ମାନିଥାʼନ୍ତେ, ତାହେଲେ କʼଣ ତାଙ୍କ ସହ ଏପରି ହୋଇଥାʼନ୍ତା ?
“ସମସ୍ତ ପ୍ରକାର ଲୋଭରୁ ଆପଣା ଆପଣାକୁ ଦୂରରେ ରଖ, କାରଣ ଜଣେ ଲୋକର ଜୀବନ ତାହାର ସମ୍ପତ୍ତିର ପ୍ରାଚୁର୍ଯ୍ୟ ଉପରେ ନିର୍ଭର କରେ ନାହିଁ ।”—ଲୂକ ୧୨:୧୫