ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • lfb ପାଠ ୫୪ ପୃଷ୍ଠା ୧୩୦-ପୃଷ୍ଠା ୧୩୧ ଅନୁଚ୍ଛେଦ ୧
  • ଯିହୋବା ଯୂନସଙ୍କ ପ୍ରତି ଧୈର୍ଯ୍ୟ ଦେଖାଇଲେ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଯିହୋବା ଯୂନସଙ୍କ ପ୍ରତି ଧୈର୍ଯ୍ୟ ଦେଖାଇଲେ
  • ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
lfb ପାଠ ୫୪ ପୃଷ୍ଠା ୧୩୦-ପୃଷ୍ଠା ୧୩୧ ଅନୁଚ୍ଛେଦ ୧
ଯୂନସ ସମୁଦ୍ରରେ ବୁଡ଼ି ଯାଉଛନ୍ତି ଏବଂ ପାଖରେ ଗୋଟିଏ ବିଶାଳ ମାଛ ପହଁରୁଛି

ପାଠ ୫୪

ଯିହୋବା ଯୂନସଙ୍କ ପ୍ରତି ଧୈର୍ଯ୍ୟ ଦେଖାଇଲେ

ଅଶୂର ଦେଶର ନୀନିବୀ ସହରର ଲୋକମାନେ ବହୁତ ଦୁଷ୍ଟ ଥିଲେ । ଯିହୋବା ନିଜ ଭବିଷ୍ୟଦ୍‌ବକ୍ତା ଯୂନସଙ୍କୁ କହିଲେ ଯେ ସେ ନୀନିବୀ ଯାଇ ଲୋକମାନଙ୍କୁ କୁହନ୍ତୁ ଯେ ସେମାନେ ଖରାପ କାମ କରିବା ଛାଡ଼ି ଦିଅନ୍ତୁ । କିନ୍ତୁ ଯୂନସ ସେଠାକୁ ନ ଯାଇ ବିପରୀତ ଦିଗକୁ ପଳାଇଗଲେ । ସେ ତର୍ଶୀଶ ଯାଉଥିବା ଜାହାଜରେ ଚଢ଼ିଗଲେ ।

ଜାହାଜ ସମୁଦ୍ରରେ ଥିବା ସମୟରେ ଗୋଟିଏ ବଡ଼ ଝଡ଼ ତୋଫାନ ଆସିଲା ଏବଂ ଜାହାଜ ଚଲାଉଥିବା ସମସ୍ତ ନାବିକ ଡରିଗଲେ । ସେମାନେ ନିଜ ନିଜ ଦେବତାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ ଏବଂ ପଚାରିଲେ, ‘ଏହି ଝଡ଼ ତୋଫାନ କାହିଁକି ଆସିଛି ?’ ଶେଷରେ ଯୂନସ ସେମାନଙ୍କୁ କହିଲେ, ‘ଏ ସବୁ ମୋ ଯୋଗୁଁ ହେଉଛି । ଯିହୋବା ମୋତେ ଯେଉଁ କାମ ଦେଇଥିଲେ ମୁଁ ତାହା ନ କରି ପଳାଉଛି । ମୋତେ ସମୁଦ୍ରରେ ଫିଙ୍ଗି ଦିଅ, ତାʼପରେ ଏହି ଝଡ଼ ତୋଫାନ ଶାନ୍ତ ହେଇଯିବ ।’ ସେମାନେ ଯୂନସଙ୍କୁ ସମୁଦ୍ରରେ ଫିଙ୍ଗିବା ପାଇଁ ଚାହୁଁ ନ ଥିଲେ, କିନ୍ତୁ ସେ ବାରମ୍ବାର କହିବାରୁ ସେମାନେ ତାଙ୍କୁ ଫିଙ୍ଗି ଦେଲେ । ଯେବେ ସେମାନେ ଯୂନସଙ୍କୁ ସମୁଦ୍ରରେ ଫିଙ୍ଗିଲେ ତେବେ ଝଡ଼ ତୋଫାନ ଶାନ୍ତ ହୋଇଗଲା ।

ଯୂନସ ଭାବିଲେ ଯେ ସେ ଏବେ ମରିଯିବେ । ଯେବେ ସେ ସମୁଦ୍ରର ଗଭୀରରେ ବୁଡ଼ି ଯାଉଥିଲେ ତେବେ ସେ ଯିହୋବାଙ୍କୁ ପ୍ରାର୍ଥନା କଲେ । ଯିହୋବା ଗୋଟିଏ ବଡ଼ ମାଛ ପଠାଇଲେ ଯିଏ ଯୂନସଙ୍କୁ ଗିଳିଦେଲା, ତଥାପି ସେ ମରିଲେ ନାହିଁ । ମାଛ ପେଟରେ ଯୂନସ ପ୍ରାର୍ଥନା କଲେ, ‘ମୁଁ ପ୍ରତିଜ୍ଞା କରୁଛି ମୁଁ ସବୁବେଳେ ଆପଣଙ୍କ କଥା ମାନିବି ।’ ଯିହୋବା ଯୂନସଙ୍କୁ ମାଛ ପେଟରେ ତିନି ଦିନ ଯାଏ ରକ୍ଷା କଲେ । ତାʼପରେ ଏପରି ହେଲା ଯେ ମାଛ ଯୂନସଙ୍କୁ ଶୁଖିଲା ଜମିରେ ବାନ୍ତି କରିଦେଲା ।

ଯିହୋବା ଯୂନସଙ୍କୁ ରକ୍ଷା କରିଥିଲେ, ତ କʼଣ ଏହାର ଅର୍ଥ ଥିଲା ଯେ ତାଙ୍କୁ ପୁଣିଥରେ ନୀନିବୀ ଯିବାକୁ ପଡ଼ିବ ନାହିଁ ? ଏପରି ନୁହେଁ । ଯିହୋବା ପୁଣିଥରେ ଯୂନସଙ୍କୁ କହିଲେ ଯେ ସେ ନୀନିବୀକୁ ଯାʼନ୍ତୁ । ଏଥର ଯୂନସ ତାଙ୍କ କଥା ମାନିଲେ । ସେ ସେଠାକୁ ଯାଇ ଦୁଷ୍ଟ ଲୋକମାନଙ୍କୁ କହିଲେ ଯେ ୪୦ ଦିନ ଭିତରେ ନୀନିବୀ ସହର ବିନାଶ ହୋଇଯିବ । ତାʼପରେ ଏପରି କିଛି ହେଲା ଯାହାର ଆଶା ଯୂନସ କରି ନ ଥିଲେ । ଲୋକମାନେ ତାଙ୍କ କଥା ଶୁଣିଲେ ଏବଂ ଖରାପ କାମ କରିବା ଛାଡ଼ିଦେଲେ । ନୀନିବୀର ରାଜା ଲୋକମାନଙ୍କୁ କହିଲେ, ‘ଈଶ୍ୱରଙ୍କୁ ଡାକ ଏବଂ ପଶ୍ଚାତାପ କର । ତେବେ ହୁଏତ ସେ ଆମକୁ ବିନାଶ କରିବେ ନାହିଁ ।’ ଯେବେ ଯିହୋବା ଦେଖିଲେ ଯେ ଲୋକମାନେ ପଶ୍ଚାତାପ କରୁଛନ୍ତି ତେବେ ସେ ନୀନିବୀ ସହରକୁ ବିନାଶ କଲେ ନାହିଁ ।

ଯୂନସ ନୀନିବୀ ଆଡ଼କୁ ଯାଉଛନ୍ତି

କିନ୍ତୁ ଏହା ଦେଖି ଯୂନସ ବହୁତ ରାଗିଗଲେ । ଟିକେ ଭାବନ୍ତୁ: ଯିହୋବା ଯୂନସଙ୍କ ପ୍ରତି ଧୈର୍ଯ୍ୟ ଦେଖାଇଥିଲେ ଏବଂ ସେ ତାଙ୍କ ଉପରେ ଦୟା କରିଥିଲେ, କିନ୍ତୁ ଯୂନସ ନୀନିବୀର ଲୋକମାନଙ୍କ ଉପରେ ଦୟା କରୁ ନ ଥିଲେ । ସେ ସହରରୁ ବାହାରକୁ ଚାଲିଗଲେ ଏବଂ ରାଗି ଗୋଟିଏ ଲାଉ ଲତାର ଛାଇ ତଳେ ବସିଗଲେ । ତାʼପରେ ସେହି ଲତା ମରିବା ଯୋଗୁଁ ଯୂନସ ରାଗିଗଲେ । ସେସମୟରେ ଯିହୋବା ତାଙ୍କୁ କହିଲେ, ‘ତମେ ନୀନିବୀର ଲୋକମାନଙ୍କଠୁ ଅଧିକ ଏହି ଲତା ପାଇଁ ଚିନ୍ତା କରୁଛ । ମୁଁ ସେମାନଙ୍କ ଉପରେ ଦୟା କଲି, ତେଣୁ ସେମାନେ ରକ୍ଷା ପାଇଲେ ।’ ଯିହୋବା କʼଣ କହିବା ପାଇଁ ଚାହୁଁଥିଲେ ? ଏହା ଯେ ନୀନିବୀର ଲୋକମାନଙ୍କ ଜୀବନ ଯେକୌଣସି ଲତାଠାରୁ ଅଧିକ ମହତ୍ତ୍ୱ ରଖୁଥିଲା ।

‘ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ଯିହୋବା ତୁମ୍ଭମାନଙ୍କ ପ୍ରତି ଦୀର୍ଘସହିଷ୍ଣୁ ଅଟନ୍ତି ।’—୨ ପିତର ୩:୯

ପ୍ରଶ୍ନ: ଯିହୋବା ଯୂନସଙ୍କୁ କେଉଁ କେଉଁ ଶିକ୍ଷା ଶିଖାଇଲେ ? ଯୂନସଙ୍କ ସହିତ ଯାହା ହେଲା ସେଥିରୁ ଆମେ କʼଣ ଶିଖିପାରିବା ?

ଯୂନସ ୧:୧–୪:୧୧

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ