ପାଠ ୮୫
ବିଶ୍ରାମବାର ଦିନ ଯୀଶୁଙ୍କ ଚମତ୍କାର
ଫାରୂଶୀମାନେ ଯୀଶୁଙ୍କୁ ଘୃଣା କରୁଥିଲେ ଏବଂ ତାଙ୍କୁ ଗିରଫ କରିବା ପାଇଁ କୌଣସି କାରଣ ଖୋଜୁଥିଲେ । ସେମାନେ କହିଲେ ଯେ ତାଙ୍କୁ ବିଶ୍ରାମବାର ଦିନ ରୋଗୀମାନଙ୍କୁ ଠିକ୍ କରିବା ଉଚିତ୍ ନୁହେଁ । ଥରେ, ବିଶ୍ରାମବାର ଦିନ ଯୀଶୁ ଦେଖିଲେ ଯେ ସଡ଼କରେ ଜଣେ ଅନ୍ଧ ବ୍ୟକ୍ତି ଭିକ ମାଗୁଛି । ସେ ନିଜ ଶିଷ୍ୟମାନଙ୍କୁ କହିଲେ, ‘ଏବେ ତମେ ଦେଖିବ, ଈଶ୍ୱରଙ୍କ ଶକ୍ତି ଦ୍ୱାରା ଏହି ବ୍ୟକ୍ତିକୁ କିପରି ସାହାଯ୍ୟ ମିଳିବ ।’ ଯୀଶୁ ନିଜ ଛେପରେ ମାଟିକୁ ମିଶାଇ ତାʼର ମିଶ୍ରଣ ସେହି ଅନ୍ଧ ବ୍ୟକ୍ତିର ଆଖିରେ ଲଗାଇଲେ । ଯୀଶୁ ତାକୁ କହିଲେ, ‘ଯାଅ ଶିଲୋହ ପୋଖରୀରେ ଧୋଇ ହୁଅ ।’ ଯେବେ ସେହି ବ୍ୟକ୍ତି ଏପରି କଲା ତେବେ ସେ ଜୀବନରେ ପ୍ରଥମ ଥର ଦେଖିବାକୁ ଲାଗିଲା ।
ସେହି ବ୍ୟକ୍ତିକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ କହିବାକୁ ଲାଗିଲେ, ‘କʼଣ ଏ ସେହି ବ୍ୟକ୍ତି ଅଟେ ଯିଏ ପୂର୍ବେ ବସି ଭିକ ମାଗୁଥିଲା ନା ଏହି ବ୍ୟକ୍ତି ଦେଖିବାରେ ସେହି ବ୍ୟକ୍ତି ପରି ?’ ସେ ବ୍ୟକ୍ତି ସେମାନଙ୍କୁ କହିଲା, ‘ମୁଁ ସେହି ବ୍ୟକ୍ତି ଅଟେ ଯିଏ ଜନ୍ମରୁ ଅନ୍ଧ ଥିଲା !’ ଲୋକମାନେ ତାକୁ ପଚାରିଲେ, ‘ତାହେଲେ ତମେ ଏବେ କିପରି ଦେଖିପାରୁଛ ?’ ଯେବେ ସେ କହିଲା ଯେ ସେ କିପରି ଠିକ୍ ହେଲା ତେବେ ସେମାନେ ତାକୁ ଫାରୂଶୀମାନଙ୍କ ପାଖକୁ ନେଇଗଲେ ।
ସେହି ବ୍ୟକ୍ତି ଫାରୂଶୀମାନଙ୍କୁ କହିଲା, ‘ଯୀଶୁ ମୋ ଆଖିରେ ମାଟିର ମିଶ୍ରଣ ଲଗାଇଲେ ଏବଂ ମୋତେ କହିଲେ ଯେ ମୁଁ ଯାଇ ନିଜ ଆଖି ଧୋଇ ନିଏ । ଯେବେ ମୁଁ ଏପରି କଲି ତେବେ ମୁଁ ଦେଖିବାକୁ ଲାଗିଲି ।’ ଫାରୂଶୀମାନେ କହିଲେ, ‘ଯଦି ଯୀଶୁ ବିଶ୍ରାମ ଦିନ ରୋଗୀମାନଙ୍କୁ ଠିକ୍ କରିଛି, ତାହେଲେ ଏହାର ଅର୍ଥ ହେଉଛି ଯେ ଈଶ୍ୱର ତାକୁ ଶକ୍ତି ଦେଇ ନାହାନ୍ତି ।’ କିନ୍ତୁ ଅନ୍ୟମାନେ କହିଲେ, ‘ଯଦି ତାକୁ ଈଶ୍ୱର ଶକ୍ତି ଦେଇ ନାହାନ୍ତି ତାହେଲେ ସେ କାହାରିକୁ ଠିକ୍ କରିପାରିବ ନାହିଁ ।’
ଫାରୂଶୀମାନେ ସେହି ବ୍ୟକ୍ତିର ବାପାମାଆଙ୍କୁ ଡକାଇଲେ ଏବଂ ସେମାନଙ୍କୁ ପଚାରିଲେ, ‘ତମ ପୁଅ ଏବେ କିପରି ଦେଖିପାରୁଛି ?’ ତାʼର ବାପାମାଆ ବହୁତ ଡରି ଯାଇଥିଲେ, କାରଣ ଫାରୂଶୀମାନେ କହିଥିଲେ ଯେ ଯେକେହି ଯୀଶୁଙ୍କ ଉପରେ ବିଶ୍ୱାସ କରିବ ତାକୁ ସଭା ଘରଠୁ ତଡ଼ି ଦିଆଯିବ । ତେଣୁ ସେମାନେ କହିଲେ, ‘ଆମେ ଜାଣି ନାହୁଁ । ତାକୁ ହିଁ ପଚାର ।’ ଏହାପରେ ଫାରୂଶୀମାନେ ସେହି ବ୍ୟକ୍ତିକୁ ଆହୁରି ପ୍ରଶ୍ନ ପଚାରିଲେ । ଶେଷରେ ସେହି ବ୍ୟକ୍ତି କହିଲା, ‘ମୁଁ ଯେତେ ଜାଣିଥିଲି ସବୁ ମୁଁ କହିଦେଲି । ତଥାପି ତମେମାନେ ଏତେ ପ୍ରଶ୍ନ କାହିଁକି ପଚାରୁଛ ?’ ଫାରୂଶୀମାନେ ବହୁତ ରାଗିଗଲେ ଏବଂ ସେମାନେ ତାକୁ ବାହାର କରି ଦେଲେ ।
ଯୀଶୁ ସେହି ବ୍ୟକ୍ତିକୁ ଭେଟିବାକୁ ଗଲେ ଏବଂ ତାକୁ ପଚାରିଲେ, ‘କʼଣ ତମେ ମସୀହ ଉପରେ ବିଶ୍ୱାସ କର ?’ ସେହି ବ୍ୟକ୍ତି କହିଲା, ‘ଯଦି ମୋତେ ଜଣା ଥାʼନ୍ତା ଯେ ସେ କିଏ ଅଟନ୍ତି, ତେବେ ମୁଁ ନିଶ୍ଚୟ ତାଙ୍କ ଉପରେ ବିଶ୍ୱାସ କରନ୍ତି ।’ ଯୀଶୁ ତାକୁ କହିଲେ, ‘ମୁଁ ହିଁ ମସୀହ ଅଟେ ।’ ଦେଖିଲେ ଆପଣ, ଯୀଶୁ କିପରି ସେହି ବ୍ୟକ୍ତିକୁ ସାହାଯ୍ୟ କଲେ ? ସେ ନା କେବଳ ତାʼ ଆଖି ଠିକ୍ କଲେ ବରଂ ତାକୁ ବିଶ୍ୱାସ କରିବା ପାଇଁ ମଧ୍ୟ ସାହାଯ୍ୟ କଲେ ।
“ତୁମ୍ଭେମାନେ ଧର୍ମଶାସ୍ତ୍ର, ପୁଣି ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣି ଭ୍ରାନ୍ତ ହେଉଅଛ ।”—ମାଥିଉ ୨୨:୨୯