ଦରଦାମ୍ ବଢ଼ି ଚାଲିଛି
ଉଦାର ହୁଅନ୍ତୁ
ଆପଣ ହୁଏତ ଭାବନ୍ତି, ‘ମହଙ୍ଗା ଦୁନିଆରେ ଉଦାର ହେବା ପ୍ରଶ୍ନ ହିଁ ଉଠେ ନାହିଁ ।’ କିନ୍ତୁ, ସତ ଏହା ଯେ ଯଦି ଆପଣ ଅନ୍ୟମାନଙ୍କୁ ହୃଦୟ ଖୋଲି ଦେବେ, ତେବେ ଆପଣ ଦରଦାମ୍ ବୃଦ୍ଧି ହେଲେ ବି ତାʼର ସାମନା କରିପାରିବେ । ଆପଣ ଉଭୟ ଜିନିଷ କରିପାରିବେ: ପଇସା ମଧ୍ୟ ସଞ୍ଚୟ କରିପାରିବେ ଏବଂ ଉଦାର ମଧ୍ୟ ହୋଇପାରିବେ ।
ଏପରି କରିବା କାହିଁକି ଜରୁରୀ ?
ଯେବେ ଆମେ ଛୋଟ ଛୋଟ ମାମଲାଗୁଡ଼ିକରେ ମଧ୍ୟ ଉଦାରତା ଦେଖାଉ, ତେବେ ଆମକୁ ଖୁସି ମିଳେ ଆଉ ଆମେ ନିଜ ବିଷୟରେ ଭଲ ଅନୁଭବ କରୁ । କିଛି ଡାକ୍ତର କହନ୍ତି ଯେ ଅନ୍ୟମାନଙ୍କୁ ଦେବା ଆମ ସ୍ୱାସ୍ଥ୍ୟ ପାଇଁ ଭଲ ଅଟେ । ଏଥିରୁ ଆମ ଚିନ୍ତାଗୁଡ଼ିକ, ଚାପ, ଯନ୍ତ୍ରଣା ଓ ବ୍ଲଡ୍ ପ୍ରେସର କମ୍ ହୋଇପାରେ । ଏପରିକି ଆମକୁ ରାତିରେ ଭଲ ନିଦ ମଧ୍ୟ ହୋଇପାରେ ।
ଯେବେ ଆମେ ଅନ୍ୟମାନଙ୍କୁ ପଇସା ଦ୍ୱାରା କିମ୍ବା ଅନ୍ୟ କୌଣସି ଉପାୟରେ ସାହାଯ୍ୟ କରୁ, ତେବେ ଆବଶ୍ୟକ ସମୟରେ ଆମେ ଅନ୍ୟମାନଙ୍କଠାରୁ ସାହାଯ୍ୟ ମାଗିବା ପାଇଁ ସଙ୍କୋଚ କରିବା ନାହିଁ । ଇଂଲଣ୍ଡରେ ରହୁଥିବା ହବର୍ଟ କହନ୍ତି, “ମୁଁ ଓ ମୋ ସ୍ତ୍ରୀ ଅନ୍ୟମାନଙ୍କୁ ଉଦାରତା ଦେଖାଇବା ଏବଂ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଅଲଗା ଅଲଗା ଉପାୟ ଖୋଜୁ । ତେଣୁ ଯେବେ ଆମକୁ ସାହାଯ୍ୟ ଦରକାର ପଡ଼େ, ତେବେ ଆମକୁ ଏପରି ଲାଗେନି ଯେ ଆମେ ଅନ୍ୟମାନଙ୍କ ପାଇଁ ବୋଝ ।” ଏହା ସତ ଯେ ଉଦାର ଲୋକମାନେ କିଛି ପାଇବା ଉଦ୍ଦେଶ୍ୟରେ ହିଁ ଅନ୍ୟମାନଙ୍କୁ ଦିଅନ୍ତି ନାହିଁ । କିନ୍ତୁ ଯେବେ ସେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି, ତେବେ ସେମାନଙ୍କୁ ପ୍ରକୃତ ସାଙ୍ଗ ମିଳିପାରନ୍ତି । ଏପରି ସାଙ୍ଗମାନେ ଆବଶ୍ୟକ ସମୟରେ ତାଙ୍କ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାʼନ୍ତି ।
ଆପଣ ଏହା କିପରି କରିପାରିବେ ?
ଆପଣଙ୍କ ପାଖରେ ଯାହା ଅଛି ତାହା ଅନ୍ୟମାନଙ୍କୁ ବି ଦିଅନ୍ତୁ । ହୋଇପାରେ ଆପଣଙ୍କ ପାଖରେ ବେଶୀ କିଛି ନ ଥିବ, ତଥାପି ଆପଣ ଅନ୍ୟମାନଙ୍କୁ କିଛି ଦେଇପାରିବେ । ଯେପରି, ଯଦି ଆପଣ କାହାରିକୁ ନିଜ ଘରେ ଖାଇବା ପାଇଁ ଡାକିଛନ୍ତି, ତାହେଲେ ଆପଣ ସାଦା ଖାଦ୍ୟ ମଧ୍ୟ ଦେଇପାରିବେ । ଆଫ୍ରିକାର ଗୋଟିଏ ଦେଶ ଉଗାଣ୍ଡାରେ ରହୁଥିବା ଡଙ୍କନ ଓ ତାଙ୍କ ପରିବାର ଗରିବ ଅଟେ । ତଥାପି ସେମାନେ ବହୁତ ଉଦାର ଅଟନ୍ତି । ଡଙ୍କନ କହନ୍ତି, “ପ୍ରତି ରବିବାର ମୁଁ ଓ ମୋ ସ୍ତ୍ରୀ କାହାକୁ ନା କାହାକୁ ନିଜ ଘରେ ସାଦା ଖାଦ୍ୟ ଖାଇବା ପାଇଁ ଡାକୁ । ଆମକୁ ଅନ୍ୟମାନଙ୍କ ସହ ସମୟ ବିତାଇବା ବହୁତ ଭଲ ଲାଗେ ।”
କିନ୍ତୁ ଧ୍ୟାନ ରଖନ୍ତୁ ଯେ ଆପଣ ଅନ୍ୟମାନଙ୍କୁ ଏତେ ବି ଦିଅନ୍ତୁ ନାହିଁ ଯେ ଆପଣଙ୍କ ପରିବାର ପାଇଁ ଆବଶ୍ୟକ ଜିନିଷ କମ୍ ପଡ଼ିଯାଉ ।—ଆୟୁବ ୧୭:୫.
ଏହା ଲାଗୁ କରି ଦେଖନ୍ତୁ: କାହାରିକୁ ସାଦା ଖାଦ୍ୟ କିମ୍ବା କେବଳ ଚାʼ ଜଳଖିଆ ପାଇଁ ଡାକନ୍ତୁ । ଯଦି ଆପଣଙ୍କ ପାଖରେ କିଛି ଏପରି ଜିନିଷ ଅଛି ଯାହା ଏବେ ଆପଣଙ୍କୁ ଆବଶ୍ୟକ ନାହିଁ, ତାହେଲେ ଆପଣ କʼଣ ତାହା ନିଜ ସାଙ୍ଗମାନଙ୍କୁ କିମ୍ବା ପଡ଼ୋଶୀମାନଙ୍କୁ ଦେଇପାରିବେ, ଯାହା ତାଙ୍କ କାମରେ ଆସିପାରିବ ?
ଅନ୍ୟ ଉପାୟରେ ମଧ୍ୟ ଦିଅନ୍ତୁ । କିଛି ଉପହାର ଏପରି ହୋଇଥାଏ ଯାହା ପାଇଁ କୌଣସି ପଇସା ଲାଗେ ନାହିଁ । ଯେପରି, ଆମ ସମୟ ଓ ପ୍ରେମ । ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସମୟ ବାହାର କରିବା ଏବଂ ଦେଖାଇପାରିବା ଯେ ଆମେ ତାଙ୍କର କେତେ ଚିନ୍ତା କରୁ । ଆମ ପ୍ରେମଭରା ଶବ୍ଦ ମଧ୍ୟ ଗୋଟିଏ ଉପହାର । ତେଣୁ ସଙ୍କୋଚ ନ କରି ଅନ୍ୟମାନଙ୍କୁ କୁହନ୍ତୁ ଯେ ଆପଣ ତାଙ୍କୁ କେତେ ପ୍ରେମ କରନ୍ତି, ତାଙ୍କୁ କେତେ ଆଦର କରନ୍ତି ।
ଏହା ଲାଗୁ କରି ଦେଖନ୍ତୁ: ଘରର କିଛି କାମ, କିଛି ମରାମତି କରାଇବା କିମ୍ବା କିଛି କିଣାକିଣି କରିବା ପାଇଁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ । କୌଣସି ସାଙ୍ଗକୁ ଗୋଟିଏ କାର୍ଡ ଲେଖି କିମ୍ବା ମେସେଜ ପଠାଇ ତାଙ୍କ ବିଷୟରେ ପଚାରନ୍ତୁ ।
ଯେବେ ଆପଣ ହୃଦୟ ଖୋଲି ଅନ୍ୟମାନଙ୍କୁ ଦେବେ, ତେବେ ଆପଣଙ୍କୁ କମ୍ ହେବ ନାହିଁ ବରଂ ଆପଣଙ୍କ ଖୁସି ବଢ଼ିବ ।