ପାଠ ୧୩
ଦୁନିଆର ଧର୍ମଗୁଡ଼ିକର କʼଣ ହେବ?
୧. ସବୁ ଧର୍ମ କʼଣ ଭଲ?
ସବୁ ଧର୍ମରେ ନମ୍ର ଲୋକ ଥାଆନ୍ତି। ପରମେଶ୍ୱର ତାଙ୍କ ପ୍ରତି ଧ୍ୟାନ ଦିଅନ୍ତି ଏବଂ ତାଙ୍କ ପାଇଁ ଚିନ୍ତା କରନ୍ତି। କିନ୍ତୁ ଏହା ଦୁଃଖର କଥା ଯେ ଧର୍ମ ନାମରେ ଅନେକ ଖରାପ କାମ କରାଯାଏ। (୨ କରିନ୍ଥୀୟ ୪:୩, ୪; ୧୧:୧୩-୧୫) ଦୁନିଆର ଖବରଗୁଡ଼ିକରୁ ଆମେ ଜାଣୁ ଯେ ଅନେକ ଧର୍ମ ଆତଙ୍କବାଦ, ଦଙ୍ଗା ଓ ଯୁଦ୍ଧରେ ଭାଗ ନିଅନ୍ତି। ଅଧିକାଂଶ ଧର୍ମରେ ଛୋଟ ପିଲାଙ୍କ ସହିତ ମଧ୍ୟ ଖରାପ ବ୍ୟବହାର କରାଯାଏ। ପରମେଶ୍ୱରଙ୍କୁ ହୃଦୟର ସହିତ ବିଶ୍ୱାସ କରୁଥିବା ଲୋକମାନେ ଏହା ଜାଣି କେତେ ଦୁଃଖିତ ହୁଅନ୍ତି!—ମାଥିଉ ୨୪:୩-୫, ୧୧, ୧୨ ପଢ଼ନ୍ତୁ।
ସତ୍ୟ ଧର୍ମର ଶିକ୍ଷା ଦ୍ୱାରା ପରମେଶ୍ୱରଙ୍କ ମହିମା ହୁଏ। ଅନ୍ୟ ପକ୍ଷରେ, ମିଥ୍ୟା ଧର୍ମର ଶିକ୍ଷାଗୁଡ଼ିକ ବାଇବଲ ଉପରେ ଆଧାରିତ ନ ଥାଏ ଏବଂ ପରମେଶ୍ୱରଙ୍କୁ ବଦ୍ନାମ୍ କରେ। ଉଦାହରଣସ୍ୱରୂପ, ମିଥ୍ୟା ଧର୍ମ ପରମେଶ୍ୱରଙ୍କ ବିଷୟରେ ଏବଂ ମରିଯାଇଥିବା ଲୋକଙ୍କ ଅବସ୍ଥା ବିଷୟରେ ଭୁଲ ଶିକ୍ଷା ଦିଏ। କିନ୍ତୁ ଯିହୋବା ଚାହାନ୍ତି ଯେ ଲୋକେ ତାଙ୍କ ବିଷୟରେ ସତ୍ୟ ଜାଣନ୍ତୁ।—ଯିହିଜିକଲ ୧୮:୪; ୧ ତୀମଥି ୨:୩-୫ ପଢ଼ନ୍ତୁ।
୨. ଧର୍ମଗୁଡ଼ିକର ଖୁବ୍ ଶୀଘ୍ର କʼଣ ହେବ?
ଯେଉଁ ଧର୍ମରେ ଲୋକେ ପରମେଶ୍ୱରଙ୍କୁ ପ୍ରେମ କରିବାର ଦାବି କରନ୍ତି କିନ୍ତୁ ପ୍ରକୃତରେ ଶୟତାନର ଦୁନିଆକୁ ଭଲ ପାଆନ୍ତି, ସେହି ଧର୍ମର ଠକାମିରେ ପରମେଶ୍ୱର କେବେ ବି ପଡ଼ନ୍ତି ନାହିଁ। (ଯାକୁବ ୪:୪) ପ୍ରାଚୀନ ଇତିହାସରେ ବାବିଲ ନାମକ ଗୋଟିଏ ସହର ଥିଲା, ଯେଉଁଠାରେ ନୋହଙ୍କ ସମୟରେ ଆସିଥିବା ଜଳପ୍ରଳୟ ପରେ ମିଥ୍ୟା ଧର୍ମର ଆରମ୍ଭ ହୋଇଥିଲା। ଏହି ସହର ନାମରେ ଆଜିର ସବୁ ମିଥ୍ୟା ଧର୍ମଗୁଡ଼ିକୁ ବାଇବଲରେ “ମହାନଗରୀ ବାବିଲ” କୁହାଯାଇଛି। ଖୁବ୍ ଶୀଘ୍ର ପରମେଶ୍ୱର ଏମିତି ଧର୍ମଗୁଡ଼ିକୁ ବିନାଶ କରିବେ, ଯେଉଁଗୁଡ଼ିକ ଲୋକମାନଙ୍କୁ ଠକନ୍ତି ଓ ଦୁଃଖକଷ୍ଟ ଦିଅନ୍ତି।—ପ୍ରକାଶିତ ବାକ୍ୟ ୧୭:୧, ୨, ୫, ୧୬, ୧୭; ୧୮:୮ ପଢ଼ନ୍ତୁ।
କିନ୍ତୁ ଯିହୋବା ସେହି ନମ୍ର ଲୋକମାନଙ୍କୁ ଭୁଲି ନାହାନ୍ତି, ଯେଉଁମାନେ ଆଜି ମିଥ୍ୟା ଧର୍ମର ଫାନ୍ଦରେ ପଡ଼ି ଯାଇଛନ୍ତି। ସେ ସାରା ପୃଥିବୀରୁ ଏପରି ଲୋକଙ୍କୁ ଏକତ୍ରିତ କରୁଛନ୍ତି ଏବଂ ସେମାନଙ୍କୁ ସତ୍ୟର ପଥରେ ଚାଲିବାକୁ ଶିଖାଉଛନ୍ତି।—ମୀଖା ୪:୨, ୫ ପଢ଼ନ୍ତୁ।
୩. ନମ୍ର ଲୋକମାନେ କʼଣ କରିବା ଉଚିତ୍?
ସତ୍ୟ ଧର୍ମ ଲୋକଙ୍କୁ ଏକତ୍ରିତ କରୁଛି
ଯିହୋବା ସେମାନଙ୍କ ପାଇଁ ଚିନ୍ତା କରନ୍ତି, ଯେଉଁମାନେ ସତ୍ୟକୁ ପ୍ରେମ କରନ୍ତି ଏବଂ ଭଲ କାମ କରନ୍ତି। ସେ ସେମାନଙ୍କୁ କହନ୍ତି ଯେ ସେମାନେ ଅତି ଶୀଘ୍ର ମିଥ୍ୟା ଧର୍ମରୁ ବାହାରି ଆସନ୍ତୁ। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନେ ତାଙ୍କୁ ଖୁସି କରିବା ପାଇଁ ନିଜ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ ଥାʼନ୍ତି।—ପ୍ରକାଶିତ ବାକ୍ୟ ୧୮:୪ ପଢ଼ନ୍ତୁ।
ପ୍ରଥମ ଶତାବ୍ଦୀରେ ଯେତେବେଳେ ନମ୍ର ଲୋକମାନେ ପ୍ରେରିତମାନଙ୍କଠାରୁ ଖୁସିର ଖବର ଶୁଣିଲେ, ସେମାନେ ଏହାକୁ ଖୁସିର ସହିତ ଗ୍ରହଣ କଲେ। ସେମାନେ ଯିହୋବାଙ୍କଠାରୁ ନିଜ ଜୀବନର ଉଦ୍ଦେଶ୍ୟ ବିଷୟରେ ଜାଣିବାକୁ ପାଇଲେ। ଏହା ସହିତ, ତାଙ୍କୁ ଭବିଷ୍ୟତ ପାଇଁ ଗୋଟିଏ ସୁନ୍ଦର ଆଶା ମଧ୍ୟ ମିଳିଲା। ପ୍ରଥମ ଶତାବ୍ଦୀର ଏହି ଶିଷ୍ୟମାନେ ଆମ ପାଇଁ ଉଦାହରଣ ରଖିଛନ୍ତି କାରଣ ସେମାନେ ନିଜ ଜୀବନରେ ଯିହୋବାଙ୍କୁ ସବୁଠାରୁ ଅଧିକ ଗୁରୁତ୍ୱ ଦେଲେ।—୧ ଥେସଲନୀକୀୟ ୧:୮, ୯; ୨:୧୩ ପଢ଼ନ୍ତୁ।
ଯେଉଁମାନେ ମିଥ୍ୟା ଧର୍ମକୁ ଛାଡ଼ି ଦିଅନ୍ତି, ସେମାନଙ୍କୁ ଯିହୋବା ନିଜ ଉପାସକମାନଙ୍କ ପରିବାରର ସଦସ୍ୟ କରିବାକୁ ଚାହାନ୍ତି। ଯଦି ଆପଣ ତାଙ୍କ ପ୍ରେମପୂର୍ଣ୍ଣ ନିମନ୍ତ୍ରଣକୁ ଗ୍ରହଣ କରନ୍ତି, ତେବେ ତାଙ୍କ ମିତ୍ର ହୋଇପାରିବେ ଏବଂ ଅନନ୍ତ ଜୀବନ ମଧ୍ୟ ପାଇପାରିବେ।—ମାର୍କ ୧୦:୨୯, ୩୦; ୨ କରିନ୍ଥୀୟ ୬:୧୭, ୧୮ ପଢ଼ନ୍ତୁ।
୪. ପରମେଶ୍ୱର ସାରା ପୃଥିବୀର ଲୋକଙ୍କ ପାଇଁ କିପରି ଖୁସି ଆଣିବେ?
ଏହା ପ୍ରକୃତରେ ଏକ ଖୁସିର ଖବର ଯେ ପରମେଶ୍ୱର ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରିବାକୁ ଯାଉଛନ୍ତି। ସାରା ପୃଥିବୀରେ ଲୋକମାନେ ମିଥ୍ୟା ଧର୍ମର କବଳରୁ ମୁକ୍ତି ପାଇବେ। ମିଥ୍ୟା ଧର୍ମ ଆଉ କେବେ ଲୋକମାନଙ୍କୁ ନା ଭୁଲ ବାଟରେ ନେବ ନା କେବେ ସେମାନଙ୍କ ମଧ୍ୟରେ ଶାନ୍ତି ଭଙ୍ଗ କରିବ। ଲୋକମାନଙ୍କ ମଧ୍ୟରେ ପ୍ରକୃତରେ ଏକତା ରହିବ କାରଣ ସେମାନେ ସତ୍ୟ ପରମେଶ୍ୱରଙ୍କ ଉପାସନା କରିବେ।—ପ୍ରକାଶିତ ବାକ୍ୟ ୧୮:୨୦, ୨୧; ୨୧:୩, ୪ ପଢ଼ନ୍ତୁ।