ଭାଗ ୪
ପଇସାର କିପରି ସଠିକ୍ ବ୍ୟବହାର କରିବେ
“ମନ୍ତ୍ରଣା ଦ୍ୱାରା ପ୍ରତ୍ୟେକ ସଂକଳ୍ପ ସ୍ଥିର ହୁଏ ।”—ହିତୋପଦେଶ ୨୦:୧୮
ପରିବାରର ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ଆମ ସମସ୍ତଙ୍କୁ ପଇସା ଦରକାର ହୁଏ । (ହିତୋପଦେଶ ୩୦:୮) ବାଇବଲ କହେ ଯେ ‘ଧନ ଆଶ୍ରୟ ସ୍ୱରୂପ ଅଟେ ।’ (ଉପଦେଶକ ୭:୧୨) ପଇସା ବିଷୟରେ କଥା ହେବା ହୁଏତ ଆପଣ ଉଭୟ ପତି-ପତ୍ନୀଙ୍କୁ କଠିନ ଲାଗିପାରେ, କିନ୍ତୁ ପଇସାକୁ ଆପଣଙ୍କ ବୈବାହିକ ଜୀବନରେ ସମସ୍ୟାଗୁଡ଼ିକର କାରଣ ହେବାକୁ ଦିଅନ୍ତୁ ନାହିଁ । (ଏଫିସୀୟ ୪:୩୨) ପଇସା କିପରି ଭାବେ ଖର୍ଚ୍ଚ କରାଯିବ, ତାହା ସ୍ଥିର କରିବା ସମୟରେ ପତି-ପତ୍ନୀ ପରସ୍ପର ଉପରେ ଭରସା କରିବା ଉଚିତ୍ ଏବଂ ଦୁହେଁ ମିଶି ନିଷ୍ପତ୍ତି ନେବା ଉଚିତ୍ ।
୧ ଭାବିଚିନ୍ତି ଯୋଜନା ପ୍ରସ୍ତୁତ କରନ୍ତୁ
ବାଇବଲ କʼଣ କହେ: “ତୁମ୍ଭମାନଙ୍କ ମଧ୍ୟରୁ କିଏ ପ୍ରହରୀଗୃହ ନିର୍ମାଣ କରିବାକୁ ଇଚ୍ଛା କରି ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ତାହାର ଅର୍ଥବଳ ଅଛି କି ନାହିଁ, ଏହା ପ୍ରଥମେ ବସି ବ୍ୟୟହିସାବ ଦେଖିବ ନାହିଁ ।” (ଲୂକ ୧୪:୨୮) ଆପଣଙ୍କ ପଇସାକୁ କିପରି ବ୍ୟବହାର କରିବେ, ତାʼ ବିଷୟରେ ଦୁହେଁ ମିଶି ନିଷ୍ପତ୍ତି ନେବା ଅତି ଜରୁରୀ ଅଟେ । (ଆମୋଷ ୩:୩) ଆପଣଙ୍କୁ କʼଣ କିଣିବା ଦରକାର ଏବଂ ଆପଣ ଏଥିପାଇଁ କେତେ ପଇସା ଖର୍ଚ୍ଚ କରିପାରିବେ, ତାହା ସ୍ଥିର କରନ୍ତୁ । (ହିତୋପଦେଶ ୩୧:୧୬) ଯଦି ଆପଣଙ୍କ ପାଖରେ କୌଣସି ଜିନିଷ କିଣିବା ପାଇଁ ପଇସା ଅଛି, ତାʼର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ ସେହି ଜିନିଷଟିକୁ କିଣିବା ଉଚିତ୍ ହେବ । ତାʼ ଛଡ଼ା, ଋଣ ନେବାଠାରୁ ଦୂରେଇ ରହନ୍ତୁ । ଆପଣଙ୍କ ପାଖରେ ଯାହା ପଇସା ଅଛି, ସେଥିରୁ ହିଁ ଖର୍ଚ୍ଚ କରନ୍ତୁ ।—ହିତୋପଦେଶ ୨୧:୫; ୨୨:୭.
ଆପଣ କʼଣ କରିପାରିବେ:
ଯଦି ମାସ ଶେଷରେ ଆପଣଙ୍କ ପାଖରେ କିଛି ପଇସା ବଳି ଯାଇଛି, ତେବେ ଦୁହେଁ ମିଶି ସ୍ଥିର କରନ୍ତୁ ଯେ ଆପଣ ସେହି ପଇସାରେ କʼଣ କରିବେ
ଯଦି ଆପଣଙ୍କୁ ପଇସା ନିଅଣ୍ଟ ହୁଏ, ତେବେ ଆପଣଙ୍କ ଖର୍ଚ୍ଚ କମ୍ କରିବାକୁ କିଛି ବ୍ୟବହାରିକ ପଦକ୍ଷେପ ନିଅନ୍ତୁ । ଉଦାହରଣସ୍ୱରୂପ, ହୋଟେଲ୍ରେ ଖାଇବା ପରିବର୍ତ୍ତେ ଆପଣ ଘରେ ହିଁ ରୋଷେଇ କରି ଖାଇପାରିବେ
୨ ସଚ୍ଚୋଟ ରହନ୍ତୁ ଏବଂ ଭାବିଚିନ୍ତି ଖର୍ଚ୍ଚ କରନ୍ତୁ
ବାଇବଲ କʼଣ କହେ: ‘କେବଳ ଈଶ୍ୱରଙ୍କ ଦୃଷ୍ଟିରେ ନୁହେଁ, କିନ୍ତୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ମଧ୍ୟ ଯାହାସବୁ ଉତ୍ତମ, ସେହିସବୁ ବିଚାର କର ।’ (୨ କରିନ୍ଥୀୟ ୮:୨୧) ନିଜ ଜୀବନସାଥୀଙ୍କୁ ସଚ୍ଚୋଟତାର ସହିତ କହନ୍ତୁ ଯେ ଆପଣ କେତେ ରୋଜଗାର କରନ୍ତି ଏବଂ କେତେ ଖର୍ଚ୍ଚ କରନ୍ତି ।
ପଇସା ସହ ଜଡ଼ିତ କୌଣସି ବଡ଼ ନିଷ୍ପତ୍ତି ନେବା ସମୟରେ ସର୍ବଦା ନିଜ ଜୀବନସାଥୀଙ୍କ ସହିତ ପରାମର୍ଶ କରନ୍ତୁ । (ହିତୋପଦେଶ ୧୩:୧୦) ପଇସା ବିଷୟରେ ଖୋଲାଖୋଲି କଥା ହେବା ଦ୍ୱାରା ଆପଣ ଦୁହିଙ୍କ ମଧ୍ୟରେ ଶାନ୍ତି ବଜାୟ ରହିବ । ଆପଣ ଯାହା ରୋଜଗାର କରନ୍ତି, ତାହା କେବଳ ଆପଣଙ୍କ ପଇସା ନୁହଁ, ବରଂ ନିଜ ପରିବାରର ପଇସା ବୋଲି ଭାବନ୍ତୁ ।—୧ ତୀମଥି ୫:୮.
ଆପଣ କʼଣ କରିପାରିବେ:
ଦୁହେଁ ମିଶି ଏକ ନିର୍ଦ୍ଦିଷ୍ଟ ପରିମାଣ ସ୍ଥିର କରନ୍ତୁ, ଯେଉଁ ପଇସାକୁ ଆପଣ ପରସ୍ପରକୁ ବିନା ପଚାରି ଖର୍ଚ୍ଚ କରିପାରିବେ
ପଇସା ବିଷୟରେ କଥାବାର୍ତ୍ତା ହେବା ପାଇଁ ସମସ୍ୟା ଦେଖା ଦେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ନାହିଁ