ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • bhs ଅଧ୍ୟା ୧୭ ପୃଷ୍ଠା ୧୭୪-୧୮୪
  • ପ୍ରାର୍ଥନା—ଏକ ବଡ଼ ସମ୍ମାନ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ପ୍ରାର୍ଥନା—ଏକ ବଡ଼ ସମ୍ମାନ
  • ବାଇବଲ ଆମକୁ କʼଣ ଶିଖାଏ?
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଯିହୋବାଙ୍କୁ ପ୍ରାର୍ଥନା କାହିଁକି କରିବା ?
  • ଆମକୁ କʼଣ କରିବାକୁ ହେବ, ଯାହାଫଳରେ ଈଶ୍ୱର ଆମ ପ୍ରାର୍ଥନା ଶୁଣିବେ ?
  • ପ୍ରାର୍ଥନା ବିଷୟରେ କିଛି ପ୍ରଶ୍ନ
  • ଈଶ୍ୱର ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର କିପରି ଦିଅନ୍ତି ?
  • ପ୍ରାର୍ଥନା ଦ୍ୱାରା ଯିହୋବାଙ୍କ ନିକଟକୁ ଆସନ୍ତୁ
    ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ !—ଈଶ୍ୱରଙ୍କଠାରୁ ଶିଖନ୍ତୁ
  • ପ୍ରାର୍ଥନା ଦ୍ୱାରା ପରମେଶ୍ୱରଙ୍କ ନିକଟବର୍ତ୍ତୀ ହେବା
    ଈଶ୍ୱର ଆମମାନଙ୍କଠାରୁ କʼଣ ଚାହାନ୍ତି ?
  • ପ୍ରାର୍ଥନା ଗୋଟିଏ ନିଆରା ଆଶିଷ, ତାʼ ପାଇଁ କୃତଜ୍ଞ ହୁଅନ୍ତୁ !
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଭାଗ ୧୧
    ଈଶ୍ୱରଙ୍କ ବାଣୀ ଶୁଣ
ଆହୁରି ଦେଖନ୍ତୁ
ବାଇବଲ ଆମକୁ କʼଣ ଶିଖାଏ?
bhs ଅଧ୍ୟା ୧୭ ପୃଷ୍ଠା ୧୭୪-୧୮୪

ସତର ଅଧ୍ୟାୟ

ପ୍ରାର୍ଥନା—ଏକ ବଡ଼ ସମ୍ମାନ

ଜଣେ ମହିଳା ତାରାରେ ପରିପୂର୍ଣ୍ଣ ଆକାଶ ତଳେ ର୍ଥନା କରୁଛନ୍ତି

“ସ୍ୱର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା” ଆମର ପ୍ରାର୍ଥନା ଶୁଣିବାକୁ ଚାହାନ୍ତି ।— ଗୀତସଂହିତା ୧୧୫:୧୫

୧, ୨. (କ) ପ୍ରାର୍ଥନା ଏକ ବିଶେଷ ଉପହାର ଅଟେ ବୋଲି ଆପଣ କାହିଁକି ଭାବନ୍ତି ? (ଖ) ବାଇବଲରେ ପ୍ରାର୍ଥନା ବିଷୟରେ ଯାହା କୁହାଯାଇଛି, ତାହା ଆମକୁ କାହିଁକି ଜାଣିବାକୁ ହେବ ?

ଈଶ୍ୱରଙ୍କ ବିଶାଳ ସୃଷ୍ଟିରେ ଆମ ପୃଥିବୀ କେତେ ଛୋଟ ଅଟେ ! ଯେତେବେଳେ ଯିହୋବା ସ୍ୱର୍ଗରୁ ପୃଥିବୀକୁ ଦେଖନ୍ତି, ସମସ୍ତ ରାଷ୍ଟ୍ରର ଲୋକମାନେ ତାହାଙ୍କ ପାଇଁ ସତେ ଯେପରି ଏକ ଜଳବିନ୍ଦୁ ଭଳି ଅଟନ୍ତି । (ଗୀତସଂହିତା ୧୧୫:୧୫; ଯିଶାଇୟ ୪୦:୧୫) ଯଦିଓ ଆମେ ସମଗ୍ର ବିଶ୍ୱର ତୁଳନାରେ ଅତି ଛୋଟ ଅଟୁ, ତଥାପି ଗୀତସଂହିତା ୧୪୫:୧୮, ୧୯ ପଦ କହେ: ‘ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି । ସେ ଆପଣା ଅନୁସରଣକାରୀମାନଙ୍କ ଇଚ୍ଛା ପୂରଣ କରନ୍ତି । ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି ।’ (ଇଜି-ଟୁ-ରିଡ୍‌ ଭର୍ସନ) ଏହା ଆମ ପାଇଁ କେତେ ବଡ଼ ସମ୍ମାନର ବିଷୟ ଅଟେ ! ଆମ ମହାନ ସୃଷ୍ଟିକର୍ତ୍ତା ଓ ସର୍ବଶକ୍ତିମାନ ଈଶ୍ୱର ଯିହୋବା ଆମ ନିକଟବର୍ତ୍ତୀ ହେବାକୁ ଚାହାନ୍ତି ଏବଂ ଆମ ପ୍ରାର୍ଥନା ଶୁଣିବାକୁ ଚାହାନ୍ତି । ହଁ, ପ୍ରାର୍ଥନା ପ୍ରକୃତରେ ଏକ ବଡ଼ ସମ୍ମାନ ଏବଂ ଏକ ବିଶେଷ ଉପହାର ଅଟେ, ଯାହା ଯିହୋବା ଆମ ପ୍ରତ୍ୟେକଙ୍କୁ ଦେଇଛନ୍ତି ।

୨ କିନ୍ତୁ ଯିହୋବା ଆମର ପ୍ରାର୍ଥନା ତେବେ ଯାଇ ଶୁଣିବେ, ଯେତେବେଳେ ଆମେ ଏପରି ପଦ୍ଧତିରେ ପ୍ରାର୍ଥନା କରିବା ଯେପରି ସେ ଚାହାନ୍ତି । ଏହା ଆମେ କିପରି କରିପାରିବା ? ଆସନ୍ତୁ ଦେଖିବା ଯେ ପ୍ରାର୍ଥନା ବିଷୟରେ ବାଇବଲ କʼଣ କହେ ।

ଯିହୋବାଙ୍କୁ ପ୍ରାର୍ଥନା କାହିଁକି କରିବା ?

୩. ଆପଣ ଯିହୋବାଙ୍କୁ କାହିଁକି ପ୍ରାର୍ଥନା କରିବା ଉଚିତ୍‌ ?

୩ ଯିହୋବା ଚାହାନ୍ତି ଯେ ଆପଣ ତାହାଙ୍କୁ ପ୍ରାର୍ଥନା କରନ୍ତୁ, ତାହାଙ୍କ ସହିତ କଥା ହୁଅନ୍ତୁ । ଏହା ଆମେ କିପରି ଜାଣୁ ? ଫିଲିପ୍‌ପୀୟ ୪:୬, ୭ ପଢ଼ନ୍ତୁ । ଟିକିଏ ଭାବି ଦେଖନ୍ତୁ, ଏହା କେତେ ପ୍ରେମଭରା ଆମନ୍ତ୍ରଣ ଅଟେ ! ସମଗ୍ର ବିଶ୍ୱର ଶାସନକର୍ତ୍ତା ଆପଣଙ୍କ ପ୍ରତି ଗଭୀର ଆଗ୍ରହ ଦେଖାନ୍ତି । ସେ ଚାହାନ୍ତି ଯେ ଆପଣ କିପରି ଅନୁଭବ କରନ୍ତି ଏବଂ କେଉଁ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି, ସେବିଷୟରେ ତାହାଙ୍କୁ କହନ୍ତୁ ।

୪. ଯିହୋବାଙ୍କୁ ପ୍ରତିଦିନ ପ୍ରାର୍ଥନା କରିବା ଦ୍ୱାରା ତାହାଙ୍କ ସହିତ ଆପଣଙ୍କ ମିତ୍ରତା କିପରି ଘନିଷ୍ଠ ହୋଇଥାଏ ?

୪ ପ୍ରାର୍ଥନା ଆମକୁ ଯିହୋବାଙ୍କ ସହିତ ଘନିଷ୍ଠ ମିତ୍ରତା କରିବାରେ ସାହାଯ୍ୟ କରେ । ଯେତେବେଳେ ଦୁଇ ଜଣ ସାଙ୍ଗ ପ୍ରତିଦିନ କଥା ହୁଅନ୍ତି ଏବଂ ପରସ୍ପରକୁ କହନ୍ତି ଯେ ସେମାନେ କିପରି ଭାବନ୍ତି, କିପରି ଅନୁଭବ କରନ୍ତି ଓ ସେମାନଙ୍କ ଚିନ୍ତା କʼଣ ଅଟେ, ସେ ଦୁହିଙ୍କ ମଧ୍ୟରେ ଥିବା ମିତ୍ରତା ଆହୁରି ଘନିଷ୍ଠ ହୋଇଯାଏ । ଯିହୋବାଙ୍କୁ ପ୍ରାର୍ଥନା କରିବା ଦ୍ୱାରା ମଧ୍ୟ ଏପରି ହିଁ ହୋଇଥାଏ । ସେ ବାଇବଲ ମାଧ୍ୟମରେ ଆମକୁ ତାହାଙ୍କ ଚିନ୍ତାଧାରା ଓ ଭାବନାଗୁଡ଼ିକ ଜଣାଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ସେ କʼଣ କରିବାକୁ ଯାଉଛନ୍ତି । ଆପଣ ମଧ୍ୟ ପ୍ରତିଦିନ ପ୍ରାର୍ଥନାରେ ତାହାଙ୍କୁ ନିଜ ଗଭୀର ଭାବନାଗୁଡ଼ିକ ବିଷୟରେ କହିପାରିବେ । ଯେତେବେଳେ ଆପଣ ଧୀରେ ଧୀରେ ଏପରି କରିଚାଲିବେ, ଯିହୋବାଙ୍କ ସହିତ ଆପଣଙ୍କ ମିତ୍ରତା ଆହୁରି ମଜବୁତ୍‌ ହେବାକୁ ଲାଗିବ ।— ଯାକୁବ ୪:୮.

ଆମକୁ କʼଣ କରିବାକୁ ହେବ, ଯାହାଫଳରେ ଈଶ୍ୱର ଆମ ପ୍ରାର୍ଥନା ଶୁଣିବେ ?

୫. ଆମେ କିପରି ଜାଣୁ ଯେ ଯିହୋବା ସବୁ ପ୍ରାର୍ଥନାଗୁଡ଼ିକୁ ଶୁଣନ୍ତି ନାହିଁ ?

୫ କʼଣ ଯିହୋବା ସବୁ ପ୍ରାର୍ଥନାଗୁଡ଼ିକୁ ଶୁଣନ୍ତି ? ଆଦୌ ନୁହଁ । ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କ ସମୟରେ ଯିହୋବା ଇସ୍ରାଏଲୀୟମାନଙ୍କୁ କହିଥିଲେ, “ତୁମ୍ଭେମାନେ ଅନେକ ପ୍ରାର୍ଥନା କଲା ବେଳେ ଆମ୍ଭେ ଶୁଣିବା ନାହିଁ । ତୁମ୍ଭମାନଙ୍କ ହସ୍ତ ରକ୍ତରେ ପରିପୂର୍ଣ୍ଣ ।” (ଯିଶାଇୟ ୧:୧୫) ଯଦି ଆମେ ସାବଧାନ ନ ରହୁ, ତେବେ ଆମେ ଏପରି କିଛି କରିବସିବା, ଯାହା ଯିହୋବା ଘୃଣା କରନ୍ତି । ଆଉ, ଏହି କାରଣରୁ ହୁଏତ ସେ ଆମର ପ୍ରାର୍ଥନା ଶୁଣିବା ବନ୍ଦ କରିଦେଇପାରନ୍ତି ।

୬. ଆମଠାରେ ବିଶ୍ୱାସ ରହିବା କାହିଁକି ଜରୁରୀ ଅଟେ ? ଆପଣ କିପରି ପ୍ରମାଣିତ କରିପାରିବେ ଯେ ଆପଣଙ୍କଠାରେ ବିଶ୍ୱାସ ରହିଛି ?

୬ ଯଦି ଆମେ ଚାହୁଁ ଯେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକୁ ଶୁଣନ୍ତୁ, ତେବେ ଆମେ ତାହାଙ୍କ ଉପରେ ବିଶ୍ୱାସ କରିବା ଜରୁରୀ ଅଟେ । (ମାର୍କ ୧୧:୨୪) ପାଉଲ କହିଥିଲେ, “ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ, କାରଣ ଈଶ୍ୱର ଯେ ଅଛନ୍ତି, ଆଉ ସେ ଯେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା, ଏହା ତାହାଙ୍କ ଛାମୁକୁ ଆସିବା ଲୋକର ବିଶ୍ୱାସ କରିବା ଆବଶ୍ୟକ ।” (ଏବ୍ରୀ ୧୧:୬) କିନ୍ତୁ କେବଳ ଆମଠାରେ ବିଶ୍ୱାସ ଅଛି ବୋଲି କହିବା ଯଥେଷ୍ଟ ନୁହେଁ । ଆମକୁ ପ୍ରତିଦିନ ଯିହୋବାଙ୍କ ଆଜ୍ଞା ପାଳନ କରି ପ୍ରମାଣିତ କରିବାକୁ ହେବ ଯେ ଆମଠାରେ ପ୍ରକୃତରେ ବିଶ୍ୱାସ ରହିଛି ।— ଯାକୁବ ୨:୨୬ ପଢ଼ନ୍ତୁ ।

୭. (କ) ଯିହୋବାଙ୍କୁ ପ୍ରାର୍ଥନା କରିବା ସମୟରେ ଆମେ କାହିଁକି ନମ୍ର ହୋଇ ଏବଂ ତାହାଙ୍କୁ ସମ୍ମାନ ଦେଇ କଥା ହେବା ଉଚିତ୍‌ ? (ଖ) ଆମେ କିପରି ଦେଖାଇପାରିବା ଯେ ଆମେ ହୃଦୟର ସହିତ ଯିହୋବାଙ୍କୁ ପ୍ରାର୍ଥନା କରୁ ?

୭ ଯିହୋବାଙ୍କୁ ପ୍ରାର୍ଥନା କରିବା ସମୟରେ ଆମେ ନମ୍ର ହୋଇ ଏବଂ ତାହାଙ୍କୁ ସମ୍ମାନ ଦେଇ କଥା ହେବା ଉଚିତ୍‌ । କାହିଁକି ? ମନେ କରନ୍ତୁ, ଆମକୁ ପ୍ରଧାନମନ୍ତ୍ରୀ କିମ୍ବା କୌଣସି ଉଚ୍ଚ ପଦରେ ଥିବା ଜଣେ ଅଧିକାରୀଙ୍କ ସହିତ କଥା ହେବାକୁ ସୁଯୋଗ ମିଳେ, ତେବେ ଆମେ କʼଣ ତାଙ୍କୁ ସମ୍ମାନ ଦେଇ କଥା ହେବା ନାହିଁ ? ଯିହୋବା ସେମାନଙ୍କଠାରୁ କାହିଁ କେତେ ଅଧିକ ମହାନ ଅଟନ୍ତି ! ସେ ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି । ତେଣୁ ଆମେ ଆହୁରି କେତେ ଅଧିକ ନମ୍ର ହୋଇ ଏବଂ ତାହାଙ୍କୁ ସମ୍ମାନ ଦେଇ କଥା ହେବା ଉଚିତ୍‌ ! (ଆଦି ପୁସ୍ତକ ୧୭:୧; ଗୀତସଂହିତା ୧୩୮:୬) ଏହା ଛଡ଼ା, ଆମେ ହୃଦୟର ସହିତ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ । ଆମେ ଗୋଟିଏ କଥାକୁ ବାରମ୍ବାର ଉଚ୍ଚାରଣ କରିବା ଏବଂ ମୁଖସ୍ତ ପ୍ରାର୍ଥନା କରିବା ଉଚିତ୍‌ ନୁହଁ ।— ମାଥିଉ ୬:୭, ୮.

୮. ପ୍ରାର୍ଥନା କରିବା ସହିତ ଆମକୁ ଆଉ କʼଣ କʼଣ କରିବା ଜରୁରୀ ଅଟେ ?

୮ ଯେତେବେଳେ ଆମେ କୌଣସି ବିଷୟରେ ପ୍ରାର୍ଥନା କରୁ, ତାʼ ଅନୁଯାୟୀ ଆମକୁ କାମ କରିବା ମଧ୍ୟ ଜରୁରୀ ଅଟେ । ଉଦାହରଣସ୍ୱରୂପ, ଆମେ ନିଜ ଖାଇବାପିଇବାର ଆବଶ୍ୟକତାକୁ ପୂରଣ କରିବାରେ ଆମକୁ ସାହାଯ୍ୟ କରିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା । କିନ୍ତୁ ଏହାର ଅର୍ଥ ନୁହଁ ଯେ ଆମେ ଅଳସୁଆ ହୋଇଯିବା । ଯଦି ଆମେ ନିଜେ ପରିଶ୍ରମ କରି ସେସବୁ ପାଇପାରିବା, ତେବେ ଯିହୋବା ଆମକୁ ଆପେ ଆପେ ସବୁକିଛି ଦେଇଦେବେ ବୋଲି ଆଶା କରିବା ଅନୁଚିତ୍‌ । ଆମେ ପରିଶ୍ରମୀ ହେବା ଉଚିତ୍‌ ଏବଂ ଆମକୁ ଯାହା ମଧ୍ୟ କାମ ମିଳେ, ତାହା କରିବା ଉଚିତ୍‌ । (ମାଥିଉ ୬:୧୧; ୨ ଥେସଲନୀକୀୟ ୩:୧୦) କିମ୍ବା ଏପରି ମଧ୍ୟ ହୋଇପାରେ ଯେ ଆମେ କୌଣସି ଭୁଲ୍‌ କାମକୁ ଛାଡ଼ିବାକୁ ଚାହୁଁ ଏବଂ ଏବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କରିଥାଉ । କିନ୍ତୁ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଆମେ ଏଭଳି ପରିସ୍ଥିତିରୁ ମଧ୍ୟ ଦୂରେଇ ରହିବା ଉଚିତ୍‌, ଯେଉଁଗୁଡ଼ିକରେ ଆମେ ସେହି ଭୁଲ୍‌ କାମଗୁଡ଼ିକୁ କରିବା ପାଇଁ ପ୍ରଲୋଭିତ ହୋଇଥାଉ । (କଲସୀୟ ୩:୫) ବର୍ତ୍ତମାନ ଆସନ୍ତୁ ଆମେ ପ୍ରାର୍ଥନା ବିଷୟରେ ଏପରି କିଛି ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରିବା, ଯାହା ସମସ୍ତେ ପଚାରିଥାʼନ୍ତି ।

ପ୍ରାର୍ଥନା ବିଷୟରେ କିଛି ପ୍ରଶ୍ନ

୯. ଆମେ କାହାକୁ ପ୍ରାର୍ଥନା କରିବା ଉଚିତ୍‌ ? ଯୋହନ ୧୪:୬ ପଦ ପ୍ରାର୍ଥନା ବିଷୟରେ ଆମକୁ କʼଣ ଶିଖାଏ ?

୯ ଆମେ କାହାକୁ ପ୍ରାର୍ଥନା କରିବା ଉଚିତ୍‌ ? ଯୀଶୁ ଖ୍ରୀଷ୍ଟ ‘ଆମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କୁ’ ପ୍ରାର୍ଥନା କରିବା ପାଇଁ ନିଜ ଶିଷ୍ୟମାନଙ୍କୁ ଶିଖାଇଥିଲେ । (ମାଥିଉ ୬:୯) ସେ ଏହା ମଧ୍ୟ କହିଥିଲେ, “ମୁଁ ପଥ, ସତ୍ୟ ଓ ଜୀବନ; ମୋʼ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଏ ନାହିଁ ।” (ଯୋହନ ୧୪:୬) ତେଣୁ ଆମେ କେବଳ ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ଏବଂ ଏହା ଯୀଶୁଙ୍କ ମାଧ୍ୟମରେ କରିବା ଉଚିତ୍‌ । ଯୀଶୁଙ୍କ ମାଧ୍ୟମରେ ପ୍ରାର୍ଥନା କରିବାର ଅର୍ଥ କʼଣ ? ଏପରି କରିବା ଦ୍ୱାରା ଆମେ ଯୀଶୁଙ୍କର ସମ୍ମାନ କରିଥାଉ । ଆମେ ତାହାଙ୍କ ସମ୍ମାନ ଏଥିପାଇଁ କରିବା ଉଚିତ୍‌, କାରଣ ଯିହୋବା ତାହାଙ୍କୁ ଏକ ବିଶେଷ କାମ ଦେଇଥିଲେ । ଆମେ ଶିଖିଛୁ ଯେ ଯିହୋବା ଆମକୁ ପାପ ଓ ମୃତ୍ୟୁରୁ ଉଦ୍ଧାର କରିବା ପାଇଁ ଯୀଶୁଙ୍କୁ ପୃଥିବୀକୁ ପଠାଇଥିଲେ । (ଯୋହନ ୩:୧୬; ରୋମୀୟ ୫:୧୨) କେବଳ ସେତିକି ନୁହଁ, ଯିହୋବା ଯୀଶୁଙ୍କୁ ମହାଯାଜକ ରୂପେ ନିଯୁକ୍ତ କରିଛନ୍ତି, ଅର୍ଥାତ୍‌ ଯୀଶୁ ଆମ ପାଇଁ ଆମର ଭୁଲ୍‌ ଓ ପାପଗୁଡ଼ିକର କ୍ଷମା ପାଇବା ସମ୍ଭବ କରାଇଥାʼନ୍ତି । ଏହା ସହିତ, ଯିହୋବା ତାହାଙ୍କୁ ବିଚାରକର୍ତ୍ତା ରୂପେ ମଧ୍ୟ ନିଯୁକ୍ତ କରିଛନ୍ତି ।— ଯୋହନ ୫:୨୨; ଏବ୍ରୀ ୬:୨୦.

ଲୋକମାନେ ଭି ଭି ପରିସ୍ଥିତିରେ ର୍ଥନା କରୁଛନ୍ତି

ଆପଣ ଯେକୌଣସି ସମୟରେ ପ୍ରାର୍ଥନା କରିପାରିବେ

୧୦. କʼଣ ଆମେ କୌଣସି ନିର୍ଦ୍ଦିଷ୍ଟ ଭଙ୍ଗୀରେ ବସି କିମ୍ବା ଠିଆ ହୋଇ ପ୍ରାର୍ଥନା କରିବା ଉଚିତ୍‌ ? ବୁଝାନ୍ତୁ ।

୧୦ କʼଣ ଆମକୁ କୌଣସି ନିର୍ଦ୍ଦିଷ୍ଟ ଭଙ୍ଗୀରେ ବସି କିମ୍ବା ଠିଆ ହୋଇ ପ୍ରାର୍ଥନା କରିବା ଉଚିତ୍‌ ? ନା । ଯିହୋବା ଆମକୁ ଏହା କହନ୍ତି ନାହିଁ ଯେ ଆମେ ଆଣ୍ଠୁମାଡ଼ି, ବସି କିମ୍ବା ଠିଆ ହୋଇ ହିଁ ପ୍ରାର୍ଥନା କରିବା ଉଚିତ୍‌ । ବାଇବଲ ଶିଖାଏ ଯେ ଆମେ ଯେକୌଣସି ଭଙ୍ଗୀରେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା, କିନ୍ତୁ ସେହି ଭଙ୍ଗୀରେ ତାହାଙ୍କ ପ୍ରତି ସମ୍ମାନ ଝଲକିବା ଉଚିତ୍‌ । (୧ ବଂଶାବଳୀ ୧୭:୧୬; ନିହିମୀୟା ୮:୬; ଦାନିୟେଲ ୬:୧୦; ମାର୍କ ୧୧:୨୫) ଆମେ କେଉଁ ଭଙ୍ଗୀରେ ପ୍ରାର୍ଥନା କରୁ, ଯିହୋବା ତାକୁ ଗୁରୁତ୍ୱ ଦିଅନ୍ତି ନାହିଁ, ବରଂ ଆମେ କିପରି ମନୋଭାବ ନେଇ ତାହାଙ୍କୁ ପ୍ରାର୍ଥନା କରୁ, ଏହା ତାହାଙ୍କ ପାଇଁ ଅଧିକ ମହତ୍ତ୍ୱ ରଖିଥାଏ । ଦିନରେ ହେଉ ଅବା ରାତିରେ, ଆମେ ଯେକୌଣସି ସମୟରେ ଏବଂ ଯେକୌଣସି ଜାଗାରେ ତାହାଙ୍କୁ ପ୍ରାର୍ଥନା କରିପାରିବା । ଆମେ ଉଚ୍ଚ ସ୍ୱରରେ କିମ୍ବା ମନେ ମନେ ମଧ୍ୟ ପ୍ରାର୍ଥନା କରିପାରିବା । ଯେତେବେଳେ ଆମେ ମନେ ମନେ ପ୍ରାର୍ଥନା କରୁ, ଯଦିଓ ଏହା ଅନ୍ୟ କେହି ଶୁଣିପାରନ୍ତି ନାହିଁ, ତଥାପି ଆମେ ଭରସା ରଖିପାରିବା ଯେ ଯିହୋବା ଆମର ପ୍ରାର୍ଥନା ନିଶ୍ଚୟ ଶୁଣନ୍ତି ।— ନିହିମୀୟା ୨:୧-୬.

୧୧. ଆମେ କେଉଁ କେଉଁ ବିଷୟରେ ଯିହୋବାଙ୍କ ସହିତ କଥା ହୋଇପାରିବା ?

୧୧ ଆମେ କʼଣ କʼଣ ପାଇଁ ପ୍ରାର୍ଥନା କରିପାରିବା ? ଆମେ ଏପରି ଯେକୌଣସି ବିଷୟରେ ପ୍ରାର୍ଥନା କରିପାରିବା, ଯାହା ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ହୋଇଥିବ । ବାଇବଲ କହେ: “ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି ।” (୧ ଯୋହନ ୫:୧୪) କʼଣ ଆମେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ବିଷୟଗୁଡ଼ିକୁ ନେଇ ପ୍ରାର୍ଥନା କରିପାରିବା ? ହଁ । ଆମେ ଯିହୋବାଙ୍କ ସହିତ ଏପରି କଥା ହେବା ଉଚିତ୍‌, ଯେପରି ଆମେ ନିଜର କୌଣସି ଘନିଷ୍ଠ ମିତ୍ରଙ୍କ ସହିତ କଥା ହେଉ । ଆମେ ତାହାଙ୍କୁ ନିଜ ମନ କଥା କହିପାରିବା । (ଗୀତସଂହିତା ୬୨:୮) ଆମେ ତାହାଙ୍କୁ ପବିତ୍ର ଶକ୍ତି ମାଗିପାରିବା, ଯାହାଫଳରେ ଆମେ ସଠିକ୍‌ କାମ କରିପାରିବା । (ଲୂକ ୧୧:୧୩) ଆମେ ତାହାଙ୍କୁ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ବୁଦ୍ଧି ଏବଂ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହସ ମଧ୍ୟ ମାଗିପାରିବା । (ଯାକୁବ ୧:୫) ଆମେ ଯିହୋବାଙ୍କୁ ନିଜ ପାପର କ୍ଷମା ପାଇଁ ପ୍ରାର୍ଥନା କରିବା ଉଚିତ୍‌ । (ଏଫିସୀୟ ୧:୩, ୭) ଆମେ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବା ଉଚିତ୍‌, ଯେପରି— ଆମ ନିଜ ପରିବାର ସଦସ୍ୟ ଏବଂ ମଣ୍ଡଳୀର ଭାଇଭଉଣୀମାନଙ୍କ ପାଇଁ ।— ପ୍ରେରିତ ୧୨:୫; କଲସୀୟ ୪:୧୨.

୧୨. ଆମ ପ୍ରାର୍ଥନାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ କʼଣ ହେବା ଉଚିତ୍‌ ?

୧୨ ଆମ ପ୍ରାର୍ଥନାରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବିଷୟ କʼଣ ହେବା ଉଚିତ୍‌ ? ଯିହୋବା ଏବଂ ତାହାଙ୍କ ଉଦ୍ଦେଶ୍ୟ । ଯିହୋବା ଆମ ନିମନ୍ତେ ଯାହାସବୁ କରିଛନ୍ତି, ସେସବୁ ପାଇଁ ଆମେ ତାହାଙ୍କୁ ହୃଦୟର ସହିତ ଧନ୍ୟବାଦ ଦେବା ଉଚିତ୍‌ । (୧ ବଂଶାବଳୀ ୨୯:୧୦-୧୩) ଯୀଶୁ ଖ୍ରୀଷ୍ଟ ଯେତେବେଳେ ପୃଥିବୀରେ ଥିଲେ, ସେ ନିଜ ଶିଷ୍ୟମାନଙ୍କୁ ଏସବୁ ବିଷୟରେ ପ୍ରାର୍ଥନା କରିବା ପାଇଁ ଶିଖାଇଥିଲେ । (ମାଥିଉ ୬:୯-୧୩ ପଢ଼ନ୍ତୁ ।) ଯେପରି— ଈଶ୍ୱରଙ୍କ ନାମ ପବିତ୍ର ହେଉ, ତାହାଙ୍କ ରାଜ୍ୟ ଆସୁ ଏବଂ ପୃଥିବୀରେ ତାହାଙ୍କ ଇଚ୍ଛା ସଫଳ ହେଉ । ଯୀଶୁ କହିଥିଲେ ଯେ ଏହି ମହତ୍ତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ପାଇଁ ପ୍ରାର୍ଥନା କରିବା ପରେ ହିଁ, ଆମେ ନିଜ ବ୍ୟକ୍ତିଗତ ଆବଶ୍ୟକତାଗୁଡ଼ିକ ବିଷୟରେ ପ୍ରାର୍ଥନା କରିବା ଉଚିତ୍‌ । ଯେତେବେଳେ ଆମେ ଯିହୋବା ଏବଂ ତାହାଙ୍କ ଉଦ୍ଦେଶ୍ୟ ବିଷୟରେ ସର୍ବପ୍ରଥମେ ପ୍ରାର୍ଥନା କରୁ, ଆମେ ଦେଖାଉ ଯେ ଏହି ବିଷୟଗୁଡ଼ିକୁ ଜୀବନରେ ଆମେ ସବୁଠାରୁ ଅଧିକ ମହତ୍ତ୍ୱ ଦେଇଥାଉ ।

୧୩. ଆମ ପ୍ରାର୍ଥନା କେତେ ଲମ୍ବା ହେବା ଉଚିତ୍‌ ?

୧୩ ଆମ ପ୍ରାର୍ଥନା କେତେ ଲମ୍ବା ହେବା ଉଚିତ୍‌ ? ବାଇବଲ ଏବିଷୟରେ କିଛି କହେ ନାହିଁ । ପରିସ୍ଥିତି ଅନୁଯାୟୀ ଆମ ପ୍ରାର୍ଥନା ହୁଏତ ଲମ୍ବା ହୋଇପାରେ କିମ୍ବା ଛୋଟ ହୋଇପାରେ । ଉଦାହରଣସ୍ୱରୂପ, ଖାଇବା ପୂର୍ବରୁ ଆମେ ଏକ ଛୋଟ ପ୍ରାର୍ଥନା କରିପାରିବା । କିନ୍ତୁ ଯେତେବେଳେ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଉ କିମ୍ବା ନିଜ ସମସ୍ୟାଗୁଡ଼ିକ ବିଷୟରେ ତାହାଙ୍କୁ ଜଣାଉ, ସେତେବେଳେ ଆମ ପ୍ରାର୍ଥନା ଲମ୍ବା ହୋଇପାରେ । (୧ ଶାମୁୟେଲ ୧:୧୨, ୧୫) କିନ୍ତୁ ଅନ୍ୟମାନଙ୍କଠାରୁ ପ୍ରଶଂସା ପାଇବା ଉଦ୍ଦେଶ୍ୟରେ ଆମେ ଲମ୍ବା-ଚଉଡ଼ା ପ୍ରାର୍ଥନା କରିବା ଉଚିତ୍‌ ନୁହଁ, ଠିକ୍‌ ଯେପରି ଯୀଶୁଙ୍କ ସମୟରେ କିଛି ଲୋକ କରୁଥିଲେ । (ଲୂକ ୨୦:୪୬, ୪୭) ଯିହୋବା ଏପରି ପ୍ରାର୍ଥନାଗୁଡ଼ିକୁ ପସନ୍ଦ କରନ୍ତି ନାହିଁ । ସେ କେବଳ ଚାହାନ୍ତି ଯେ ଆମେ ତାହାଙ୍କୁ ହୃଦୟର ସହିତ ପ୍ରାର୍ଥନା କରୁ ।

୧୪. ଆମେ କେତେ ଥର ପ୍ରାର୍ଥନା କରିବା ଉଚିତ୍‌ ? ଏଥିରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖୁ ?

୧୪ ଆମେ କେତେ ଥର ପ୍ରାର୍ଥନା କରିବା ଉଚିତ୍‌ ? ଯିହୋବା ନିଜେ ଆମକୁ କହନ୍ତି ଯେ ଆମେ ତାହାଙ୍କ ସହିତ ନିୟମିତ ଭାବେ କଥା ହେବା ଉଚିତ୍‌ । ବାଇବଲ ଏବିଷୟରେ କହେ: “ବାରମ୍ବାର ପ୍ରାର୍ଥନା କର,” “ନିରନ୍ତର ପ୍ରାର୍ଥନା କର” ଏବଂ “ପ୍ରାର୍ଥନାରେ ଏକାଗ୍ର ଭାବରେ ନିବିଷ୍ଟ ଥାଅ ।” (ମାଥିଉ ୨୬:୪୧, NW; ୧ ଥେସଲନୀକୀୟ ୫:୧୭; ରୋମୀୟ ୧୨:୧୨) ଏଥିରୁ ଜଣାପଡ଼େ ଯେ ଯିହୋବା ଆମ ପ୍ରାର୍ଥନା ଶୁଣିବା ପାଇଁ ସର୍ବଦା ପ୍ରସ୍ତୁତ ଥାଆନ୍ତି । ଆମେ ପ୍ରତିଦିନ ତାହାଙ୍କ ପ୍ରେମ ଓ ଉଦାରତା ପାଇଁ ତାହାଙ୍କୁ ଧନ୍ୟବାଦ ଦେଇପାରିବା । ଆମେ ତାହାଙ୍କୁ ମାର୍ଗଦର୍ଶନ, ସାନ୍ତ୍ୱନା ଓ ସାମର୍ଥ୍ୟ ମଧ୍ୟ ମାଗିପାରିବା । ଯଦି ଆମେ ପ୍ରାର୍ଥନାକୁ ପ୍ରକୃତରେ ଏକ ସମ୍ମାନ ବୋଲି ଭାବୁ, ତେବେ ଆମେ ପ୍ରତ୍ୟେକ ସୁଯୋଗକୁ ହାତଛଡ଼ା ନ କରି ଯିହୋବାଙ୍କ ସହିତ କଥା ହେବା ପାଇଁ ଚେଷ୍ଟା କରିବା ।

୧୫. ଆମେ ପ୍ରାର୍ଥନାର ଶେଷରେ କାହିଁକି “ଆମେନ୍‌” କହିବା ଉଚିତ୍‌ ?

୧୫ ଆମେ ପ୍ରାର୍ଥନାର ଶେଷରେ କାହିଁକି “ଆମେନ୍‌” କହିବା ଉଚିତ୍‌ ? “ଆମେନ୍‌” ଶବ୍ଦର ଅର୍ଥ ହେଉଛି, “ଏହା ହିଁ ହେଉ” କିମ୍ବା “ନିଶ୍ଚୟ ହେଉ ।” ଯେତେବେଳେ ଆମେ ନିଜ ପ୍ରାର୍ଥନାର ଶେଷରେ ଆମେନ୍‌ କହୁ, ଆମେ ଦେଖାଉ ଯେ ପ୍ରାର୍ଥନାରେ ଯାହା ଯାହା କହିଛୁ, ସେସବୁ ଆନ୍ତରିକତାର ସହ କହିଛୁ । (ଗୀତସଂହିତା ୪୧:୧୩) ବାଇବଲ କହେ ଯେ ଯେତେବେଳେ ଜଣେ ବ୍ୟକ୍ତି କୌଣସି ଜାଗାରେ ଉପସ୍ଥିତ ଥିବା ସମସ୍ତଙ୍କ ତରଫରୁ ପ୍ରାର୍ଥନା କରେ, ସେତେବେଳେ ମଧ୍ୟ ଆମେ ପ୍ରାର୍ଥନାର ଶେଷରେ ମନେ ମନେ କିମ୍ବା ଉଚ୍ଚ ସ୍ୱରରେ “ଆମେନ୍‌” କହିବା ଉଚିତ୍‌ । ଏହିପରି ଭାବେ ଆମେ ଦେଖାଉ ଯେ ବ୍ୟକ୍ତି ଜଣକ ଯାହା ଯାହା କହିଛନ୍ତି, ସେସବୁରେ ଆମେ ସମ୍ପୂର୍ଣ୍ଣ ଭାବେ ଏକମତ ଅଟୁ ।— ୧ ବଂଶାବଳୀ ୧୬:୩୬; ୧ କରିନ୍ଥୀୟ ୧୪:୧୬.

ଈଶ୍ୱର ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର କିପରି ଦିଅନ୍ତି ?

୧୬. ଯିହୋବା କʼଣ ପ୍ରକୃତରେ ଆମ ପ୍ରାର୍ଥନାର ଉତ୍ତର ଦିଅନ୍ତି ? ବୁଝାନ୍ତୁ ।

୧୬ ଯିହୋବା କʼଣ ପ୍ରକୃତରେ ଆମ ପ୍ରାର୍ଥନାର ଉତ୍ତର ଦିଅନ୍ତି ? ହଁ ! ବାଇବଲରେ ତାହାଙ୍କୁ “ପ୍ରାର୍ଥନା ଶ୍ରବଣକାରୀ” ବୋଲି କୁହାଯାଇଛି । (ଗୀତସଂହିତା ୬୫:୨) ଲକ୍ଷ ଲକ୍ଷ ଲୋକଙ୍କ ଦ୍ୱାରା ଆନ୍ତରିକତାର ସହ କରାଯାଉଥିବା ପ୍ରାର୍ଥନାଗୁଡ଼ିକୁ ଯିହୋବା ଶୁଣନ୍ତି ଏବଂ ଭିନ୍ନ ଭିନ୍ନ ମାଧ୍ୟମରେ ସେଗୁଡ଼ିକର ଉତ୍ତର ମଧ୍ୟ ଦେଇଥାʼନ୍ତି ।

୧୭. ଯିହୋବା ନିଜ ସ୍ୱର୍ଗଦୂତମାନଙ୍କ ଏବଂ ପୃଥିବୀରେ ନିଜ ସେବକମାନଙ୍କ ମାଧ୍ୟମରେ କିପରି ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦିଅନ୍ତି ?

୧୭ ଯିହୋବା ସ୍ୱର୍ଗଦୂତ ଓ ପୃଥିବୀର ନିଜ ସେବକମାନଙ୍କ ମାଧ୍ୟମରେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଇଥାʼନ୍ତି । (ଏବ୍ରୀ ୧:୧୩, ୧୪) ଏପରି ଅନେକ ଲୋକଙ୍କ ଉଦାହରଣ ରହିଛି, ଯେଉଁମାନେ ଈଶ୍ୱରଙ୍କୁ ପ୍ରାର୍ଥନା କଲେ ଯେ ସେମାନେ ତାହାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି କିମ୍ବା ବାଇବଲକୁ ବୁଝିବାରେ ତାହାଙ୍କ ସାହାଯ୍ୟ ଚାହାନ୍ତି । ଏହାର ଠିକ୍‌ କିଛି ସମୟ ପରେ ଜଣେ ଯିହୋବାଙ୍କ ସାକ୍ଷୀ ସେମାନଙ୍କୁ ସାକ୍ଷାତ କରିଥିଲେ । ଏହି ଅନୁଭୂତିଗୁଡ଼ିକ ପ୍ରମାଣିତ କରେ ଯେ ସ୍ୱର୍ଗଦୂତମାନଙ୍କ ନିର୍ଦ୍ଦେଶରେ ସାରା ପୃଥିବୀରେ “ସୁସମାଚାର” ପ୍ରଚାର କାମ କରାଯାଉଛି । (ପ୍ରକାଶିତ ବାକ୍ୟ ୧୪:୬ ପଢ଼ନ୍ତୁ ।) ଏହା ଛଡ଼ା, ଆମ ମଧ୍ୟରୁ ଅନେକେ ଅନୁଭବ କରିଛୁ ଯେ ଯେତେବେଳେ ଆମେ ଯିହୋବାଙ୍କୁ ନିଜର କୌଣସି ସମସ୍ୟା କିମ୍ବା ଆବଶ୍ୟକତା ବିଷୟରେ ପ୍ରାର୍ଥନା କଲୁ, ଏହାର କିଛି ସମୟ ପରେ ଜଣେ ଖ୍ରୀଷ୍ଟିୟାନ ଭାଇ କିମ୍ବା ଭଉଣୀ ଆମକୁ ସାହାଯ୍ୟ କରିଥିଲେ ।— ହିତୋପଦେଶ ୧୨:୨୫; ଯାକୁବ ୨:୧୬.

ଏକ ଷ୍ଟିୟାନ ଦମ୍ପତି ଜଣେ ଅସମର୍ଥ ବୃଦ୍ଧାଙ୍କୁ ସାହାଯ୍ୟ କରୁଛନ୍ତି

ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ବେଳେ ବେଳେ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କୁ ଆମ ପାଖକୁ ପଠାଇ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଇପାରନ୍ତି

୧୮. ଯିହୋବା ନିଜ ପବିତ୍ର ଶକ୍ତି ଓ ବାଇବଲ ମାଧ୍ୟମରେ କିପରି ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦିଅନ୍ତି ?

୧୮ ଯିହୋବା ନିଜ ପବିତ୍ର ଶକ୍ତି ମାଧ୍ୟମରେ ମଧ୍ୟ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେଇଥାʼନ୍ତି । ଯେତେବେଳେ ଆମେ କୌଣସି ସମସ୍ୟାର ସାମନା କରିବା ପାଇଁ ତାହାଙ୍କୁ ସାହାଯ୍ୟ ମାଗୁ, ସେ ନିଜ ପବିତ୍ର ଶକ୍ତି ମାଧ୍ୟମରେ ଆମକୁ ସଠିକ୍‌ ବାଟ ଦେଖାନ୍ତି ଏବଂ ସେହି ସମସ୍ୟାକୁ ସାମନା କରିବା ପାଇଁ ଆମକୁ ଶକ୍ତି ଦିଅନ୍ତି । (୨ କରିନ୍ଥୀୟ ୪:୭) ଯିହୋବା ବାଇବଲ ମାଧ୍ୟମରେ ମଧ୍ୟ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦିଅନ୍ତି ଏବଂ ଆମକୁ ବୁଦ୍ଧିଭରା ନିଷ୍ପତ୍ତି ନେବାରେ ସାହାଯ୍ୟ କରନ୍ତି । ଯେତେବେଳେ ଆମେ ବାଇବଲ ପଢ଼ୁ, ହୁଏତ ଆମକୁ ଏପରି କିଛି ପଦ ମିଳିଯାଇପାରେ, ଯାହା ଆମକୁ ସାହାଯ୍ୟ କରିପାରିବ । ଏହା ଛଡ଼ା, ସଭାଗୁଡ଼ିକରେ ମଧ୍ୟ ଯିହୋବା କୌଣସି ଭାଇ କିମ୍ବା ଭଉଣୀଙ୍କୁ ଏପରି ଉତ୍ତର ଦେବା ପାଇଁ ପ୍ରେରଣା ଦେଇପାରନ୍ତି, ଯାହା ଆମ ପାଇଁ ଲାଭଦାୟକ ହୋଇପାରେ । କିମ୍ବା ହୁଏତ ମଣ୍ଡଳୀର କୌଣସି ପ୍ରାଚୀନ ଭାଇଙ୍କୁ ବାଇବଲରୁ ଆମକୁ କିଛି ପରାମର୍ଶ ଦେବା ପାଇଁ ସେ ପ୍ରେରଣା ଦେଇପାରନ୍ତି ।— ଗାଲାତୀୟ ୬:୧.

୧୯. ଆମକୁ କାହିଁକି ଲାଗିପାରେ ଯେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଏପର୍ଯ୍ୟନ୍ତ ଦେଇ ନାହାନ୍ତି ?

୧୯ କିନ୍ତୁ ବେଳେ ବେଳେ ଆମକୁ ଲାଗିପାରେ, ‘ଯିହୋବା ମୋର ପ୍ରାର୍ଥନାଗୁଡ଼ିକର ଉତ୍ତର କାହିଁକି ଏପର୍ଯ୍ୟନ୍ତ ଦେଇ ନାହାନ୍ତି ?’ ମନେ ରଖନ୍ତୁ, ଯିହୋବା ଭଲ ଭାବେ ଜାଣନ୍ତି ଯେ ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ସେ କେବେ ଏବଂ କିଭଳି ଭାବେ ଦେବେ । ସେ ଜାଣନ୍ତି ଯେ ଆମର କʼଣ କʼଣ ଆବଶ୍ୟକତା ରହିଛି । ବେଳେ ବେଳେ ଆମକୁ ହୁଏତ କୌଣସି ବିଷୟ ପାଇଁ କିଛି ସମୟ ପର୍ଯ୍ୟନ୍ତ ବାରମ୍ବାର ପ୍ରାର୍ଥନା କରିବାକୁ ପଡ଼ିପାରେ, ଯାହାଦ୍ୱାରା ଆମେ ଦେଖାଇପାରିବା ଯେ ଆମେ ପ୍ରାର୍ଥନାରେ ଯାହା କହୁଛୁ, ତାହା ଆମେ ପ୍ରକୃତରେ ଚାହୁଁ ଏବଂ ଯିହୋବାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖୁ । (ଲୂକ ୧୧:୫-୧୦) ଅନେକ ସମୟରେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଏପରି ଭାବରେ ଦିଅନ୍ତି, ଯାହା ଆମେ କେବେ ଆଶା ମଧ୍ୟ କରି ନ ଥାଉ । ଉଦାହରଣସ୍ୱରୂପ, ଯେତେବେଳେ ଆମେ କୌଣସି ସମସ୍ୟାର ସାମନା କରୁ ଏବଂ ଯିହୋବାଙ୍କୁ ସାହାଯ୍ୟ ମାଗୁ, ସେ ହୁଏତ ଆମ ସମସ୍ୟାକୁ ଦୂର କରିବେ ନାହିଁ, କିନ୍ତୁ ଆମକୁ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ନିଶ୍ଚୟ ଦେବେ ।— ଫିଲିପ୍‌ପୀୟ ୪:୧୩ ପଢ଼ନ୍ତୁ ।

୨୦. ଆମେ ଯିହୋବାଙ୍କୁ କାହିଁକି ବାରମ୍ବାର ପ୍ରାର୍ଥନା କରିବା ଉଚିତ୍‌ ?

୨୦ ଯିହୋବାଙ୍କୁ ପ୍ରାର୍ଥନା କରିବା ଆମ ପାଇଁ କେତେ ବଡ଼ ସମ୍ମାନ ଅଟେ ! ଆମେ ସମ୍ପୂର୍ଣ୍ଣ ଭରସା ରଖିପାରିବା ଯେ ସେ ଆମ ପ୍ରାର୍ଥନା ନିଶ୍ଚୟ ଶୁଣିବେ । (ଗୀତସଂହିତା ୧୪୫:୧୮) ଆମେ ଯିହୋବାଙ୍କୁ ଯେତେ ଅଧିକ ହୃଦୟର ସହିତ ପ୍ରାର୍ଥନା କରିବା, ସେତେ ଅଧିକ ତାହାଙ୍କ ସହିତ ଆମର ମିତ୍ରତା ଘନିଷ୍ଠ ହେବାକୁ ଲାଗିବ ।

ସାରାଂଶ

ସତ୍ୟ-୧: ଯିହୋବା ଆମ ପ୍ରାର୍ଥନା ଶୁଣିବାକୁ ଚାହାନ୍ତି

“ସଦାପ୍ରଭୁ ଆପଣା ନିକଟରେ ପ୍ରାର୍ଥନାକାରୀ, ସତ୍ୟ ଭାବରେ ପ୍ରାର୍ଥନାକାରୀ ସମସ୍ତଙ୍କର ନିକଟବର୍ତ୍ତୀ ଅଟନ୍ତି ।”— ଗୀତସଂହିତା ୧୪୫:୧୮

ଯଦି ଆମେ ଚାହୁଁ ଯେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକୁ ଶୁଣନ୍ତୁ, ତେବେ ଆମେ କʼଣ କରିବା ଉଚିତ୍‌ ?

  • ଏବ୍ରୀ ୧୧:୬

    ଆମଠାରେ ବିଶ୍ୱାସ ରହିବା ଉଚିତ୍‌ ।

  • ଗୀତସଂହିତା ୧୩୮:୬

    ଆମେ ନମ୍ର ହୋଇ ଏବଂ ସମ୍ମାନ ଦେଇ ଯିହୋବାଙ୍କ ସହିତ କଥା ହେବା ଉଚିତ୍‌ ।

  • ଯାକୁବ ୨:୨୬

    ଆମେ ନିଜ ପ୍ରାର୍ଥନା ଅନୁଯାୟୀ କାମ କରିବା ଉଚିତ୍‌ ।

  • ମାଥିଉ ୬:୭, ୮

    ଆମେ ହୃଦୟର ସହିତ ପ୍ରାର୍ଥନା କରିବା ଉଚିତ୍‌ । ଆମେ ଗୋଟିଏ କଥାକୁ ବାରମ୍ବାର ଉଚ୍ଚାରଣ କରିବା ଏବଂ ମୁଖସ୍ତ ପ୍ରାର୍ଥନା କରିବା ଅନୁଚିତ୍‌ ।

  • ଯିଶାଇୟ ୧:୧୫

    ଆମେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ଜୀବନଯାପନ କରିବା ଉଚିତ୍‌ ।

ସତ୍ୟ-୨: ପ୍ରାର୍ଥନା ବିଷୟରେ କିଛି ପ୍ରଶ୍ନ

  • ଆମେ କାହାକୁ ପ୍ରାର୍ଥନା କରିବା ଉଚିତ୍‌ ?

    ମାଥିଉ ୬:୯; ଯୋହନ ୧୪:୬

  • କʼଣ ଆମେ କୌଣସି ନିର୍ଦ୍ଦିଷ୍ଟ ଭଙ୍ଗୀରେ ବସି କିମ୍ବା ଠିଆ ହୋଇ ପ୍ରାର୍ଥନା କରିବା ଉଚିତ୍‌ ?

    ୧ ବଂଶାବଳୀ ୧୭:୧୬; ନିହିମୀୟା ୮:୫, ୬; ଦାନିୟେଲ ୬:୧୦; ମାର୍କ ୧୧:୨୫

  • ଯେତେବେଳେ ଆମେ ମନେ ମନେ ପ୍ରାର୍ଥନା କରୁ, ଯିହୋବା କʼଣ ତାହା ଶୁଣନ୍ତି ?

    ନିହିମୀୟା ୨:୧-୬

  • ଆମ ପ୍ରାର୍ଥନା କେତେ ଲମ୍ବା ହେବା ଉଚିତ୍‌ ?

    ୧ ଶାମୁୟେଲ ୧:୧୨, ୧୫; ଲୂକ ୨୦:୪୬, ୪୭

  • ଆମେ କେତେ ଥର ପ୍ରାର୍ଥନା କରିବା ଉଚିତ୍‌ ?

    ରୋମୀୟ ୧୨:୧୨; ୧ ଥେସଲନୀକୀୟ ୫:୧୭

  • ଆମେ ପ୍ରାର୍ଥନାର ଶେଷରେ କାହିଁକି “ଆମେନ୍‌” କହିବା ଉଚିତ୍‌ ?

    ୧ ବଂଶାବଳୀ ୧୬:୩୬; ୧ କରିନ୍ଥୀୟ ୧୪:୧୬

ସତ୍ୟ-୩: କେଉଁ ବିଷୟରେ ପ୍ରାର୍ଥନା କରିପାରିବା

“ଆମ୍ଭେମାନେ ଯେବେ ତାହାଙ୍କ ଇଚ୍ଛାନୁସାରେ କୌଣସି ପ୍ରାର୍ଥନା କରୁ, ତେବେ ସେ ଆମ୍ଭମାନଙ୍କର ସେହି ପ୍ରାର୍ଥନା ଶୁଣନ୍ତି ।”— ୧ ଯୋହନ ୫:୧୪

ଆମେ କେଉଁ କେଉଁ ବିଷୟରେ ପ୍ରାର୍ଥନା କରିପାରିବା ?

  • ମାଥିଉ ୬:୯, ୧୦

    ଯିହୋବାଙ୍କ ଇଚ୍ଛା ସଫଳ ହେଉ ବୋଲି ପ୍ରାର୍ଥନା କରନ୍ତୁ ।

  • ୧ ବଂଶାବଳୀ ୨୯:୧୦-୧୩

    ଯିହୋବାଙ୍କୁ ଧନ୍ୟବାଦ ଦିଅନ୍ତୁ ।

  • ମାଥିଉ ୬:୧୧-୧୩

    ଆପଣଙ୍କ ଆବଶ୍ୟକତା ଓ ଚିନ୍ତାଗୁଡ଼ିକ ବିଷୟରେ ପ୍ରାର୍ଥନା କରନ୍ତୁ ।

  • ଲୂକ ୧୧:୧୩

    ଈଶ୍ୱରଙ୍କୁ ପବିତ୍ର ଶକ୍ତି ମାଗନ୍ତୁ ।

  • ଯାକୁବ ୧:୫

    ସଠିକ୍‌ ନିଷ୍ପତ୍ତି ନେବା ପାଇଁ ବୁଦ୍ଧି ମାଗନ୍ତୁ ।

  • ଫିଲିପ୍‌ପୀୟ ୪:୧୩

    ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ମାଗନ୍ତୁ ।

  • ଏଫିସୀୟ ୧:୩, ୭

    ନିଜ ପାପଗୁଡ଼ିକର କ୍ଷମା ପାଇଁ ପ୍ରାର୍ଥନା କରନ୍ତୁ ।

  • ପ୍ରେରିତ ୧୨:୫

    ଅନ୍ୟମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ।

ସତ୍ୟ-୪: ଯିହୋବା ଆମ ପ୍ରାର୍ଥନାର ଉତ୍ତର ଦିଅନ୍ତି

“ଆହେ, ପ୍ରାର୍ଥନା ଶ୍ରବଣକାରୀ ଯେ ତୁମ୍ଭେ, ତୁମ୍ଭ ନିକଟକୁ ସକଳ ପ୍ରାଣୀ ଆସିବେ ।”— ଗୀତସଂହିତା ୬୫:୨

ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର କିପରି ଦିଅନ୍ତି ?

  • ହିତୋପଦେଶ ୧୨:୨୫; ପ୍ରକାଶିତ ବାକ୍ୟ ୧୪:୬

    ସେ ସ୍ୱର୍ଗଦୂତ କିମ୍ବା ମଣିଷମାନଙ୍କ ମାଧ୍ୟମରେ ଆମକୁ ସାହାଯ୍ୟ କରନ୍ତି ।

  • ୨ କରିନ୍ଥୀୟ ୪:୭

    ତାହାଙ୍କ ପବିତ୍ର ଶକ୍ତି ଆମକୁ ସାହାଯ୍ୟ କରେ ।

  • ଫିଲିପ୍‌ପୀୟ ୪:୬, ୭, ୧୩

    ସେ ଆମକୁ ଶାନ୍ତି ଓ ଶକ୍ତି ଦିଅନ୍ତି, ଯାହାଫଳରେ ଆମେ ଧୈର୍ଯ୍ୟ ଧରିପାରିବା ।

  • ଗାଲାତୀୟ ୬:୧; ୨ ତୀମଥି ୩:୧୬, ୧୭

    ସେ ବାଇବଲ ଓ ମଣ୍ଡଳୀ ମାଧ୍ୟମରେ ଆମକୁ ବୁଦ୍ଧି ଦିଅନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ