ପାଠ ୧
ଈଶ୍ୱର ଆକାଶ ଓ ପୃଥିବୀ ସୃଷ୍ଟି କଲେ
ଯିହୋବା ଈଶ୍ୱର ଆମ ସୃଷ୍ଟିକର୍ତ୍ତା ଅଟନ୍ତି, ଅର୍ଥାତ୍ ସେ ସବୁକିଛି ସୃଷ୍ଟି କରିଛନ୍ତି । ଆମେ ଯେଉଁ ଜିନିଷଗୁଡ଼ିକୁ ଦେଖିପାରୁ ଆଉ ଯେଉଁ ଜିନିଷଗୁଡ଼ିକୁ ଦେଖିପାରୁ ନାହୁଁ, ସେସବୁକୁ ଯିହୋବା ସୃଷ୍ଟି କରିଛନ୍ତି । ସେ ଆକାଶ ଓ ପୃଥିବୀର ଜିନିଷଗୁଡ଼ିକୁ ସୃଷ୍ଟି କରିବା ପୂର୍ବରୁ ଅନେକ ସ୍ୱର୍ଗଦୂତଙ୍କୁ ସୃଷ୍ଟି କଲେ । କʼଣ ଆପଣ ଜାଣନ୍ତି ସ୍ୱର୍ଗଦୂତମାନେ କିଏ ଅଟନ୍ତି ? ସ୍ୱର୍ଗଦୂତମାନେ ଯିହୋବାଙ୍କ ସେବକ ଅଟନ୍ତି ଏବଂ ଦେଖିବାକୁ ତାଙ୍କ ଭଳି । ଯେପରି ଆମେ ଈଶ୍ୱରଙ୍କୁ ଦେଖିପାରିବା ନାହିଁ, ସେହିପରି ଆମେ ସୂର୍ଗଦୂତମାନଙ୍କୁ ମଧ୍ୟ ଦେଖିପାରିବା ନାହିଁ । ଯିହୋବା ଯେଉଁ ସ୍ୱର୍ଗଦୂତଙ୍କୁ ସବୁଠୁ ପ୍ରଥମେ ସୃଷ୍ଟି କରିଥିଲେ, ସେ ଆକାଶରେ ଥିବା ତାରାଗୁଡ଼ିକ, ଗ୍ରହଗୁଡ଼ିକ ଏବଂ ବାକି ସବୁ ଜିନିଷଗୁଡ଼ିକୁ ସୃଷ୍ଟି କରିବାରେ ଯିହୋବାଙ୍କୁ ସାହାଯ୍ୟ କଲେ । ସେହି ଗ୍ରହଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି, ଏହି ସୁନ୍ଦର ପୃଥିବୀ ଯେଉଁଠି ଆମେ ରହୁ ।
ତାʼପରେ ଯିହୋବା ପୃଥିବୀକୁ ପ୍ରସ୍ତୁତ କରିବାକୁ ଲାଗିଲେ ଯାହାଦ୍ୱାରା ମଣିଷ ଓ ପଶୁମାନେ ଏଠାରେ ରହିପାରିବେ । ସେ ପୃଥିବୀକୁ ସୂର୍ଯ୍ୟର ଆଲୋକରେ ଆଲୋକିତ କଲେ । ସେ ପାହାଡ଼, ସମୁଦ୍ର ଏବଂ ନଦୀଗୁଡ଼ିକୁ ସୃଷ୍ଟି କଲେ ।
ଏହାପରେ କʼଣ ହେଲା ? ଯିହୋବା କହନ୍ତି, ‘ମୁଁ ଘାସ, ଛୋଟ ଛୋଟ ଗଛ ଏବଂ ବଡ଼ ବଡ଼ ବୃକ୍ଷ ସୃଷ୍ଟି କରିବି ।’ ଆଉ ତାʼପରେ ଅଲଗା ଅଲଗା ଫଳ ଏବଂ ପନିପରିବା ହେବାକୁ ଲାଗିଲା ଏବଂ ଫୁଲ ଫୁଟିବାକୁ ଲାଗିଲା । ଯିହୋବା ସବୁ ପ୍ରକାରର ଜୀବଜନ୍ତୁ ସୃଷ୍ଟି କଲେ: ଆକାଶରେ ଉଡ଼ୁଥିବା ପକ୍ଷୀ, ପାଣିରେ ପହଁରୁଥିବା ମାଛ ଏବଂ ସରୀସୃପ ଜୀବଜନ୍ତୁ । ସେ ଠେକୁଆ ଭଳି ଛୋଟ ଛୋଟ ପଶୁମାନଙ୍କଠୁ ନେଇ ହାତୀ ଭଳି ବଡ଼ ବଡ଼ ପଶୁମାନଙ୍କୁ ସୃଷ୍ଟି କଲେ । ଆପଣଙ୍କୁ କେଉଁ ପଶୁ ସବୁଠୁ ବେଶୀ ଭଲ ଲାଗେ ?
ଏହାପରେ ଯିହୋବା ସବୁଠୁ ପ୍ରଥମେ ସୃଷ୍ଟି କରିଥିବା ସ୍ୱର୍ଗଦୂତଙ୍କୁ କହିଲେ, ‘ଆମେ ମନୁଷ୍ୟର ସୃଷ୍ଟି କରିବା ।’ ମନୁଷ୍ୟ ପଶୁମାନଙ୍କଠାରୁ ପୂରା ଅଲଗା ହୁଅନ୍ତେ । ମଣିଷ ନୂଆ ନୂଆ ଜିନିଷ ତିଆରି କରିପାରନ୍ତେ । ସେମାନେ କଥା ହୋଇପାରନ୍ତେ, ହସିପାରନ୍ତେ ଏବଂ ପ୍ରାର୍ଥନା କରିପାରନ୍ତେ । ସେମାନେ ପୃଥିବୀ ଏବଂ ପଶୁମାନଙ୍କର ଦେଖାଶୁଣା କରନ୍ତେ । କʼଣ ଆପଣ ଜାଣନ୍ତି, ଯିହୋବା ଯେଉଁ ପ୍ରଥମ ପୁରୁଷଙ୍କୁ ସୃଷ୍ଟି କଲେ ସେ କିଏ ଥିଲେ ? ଆସନ୍ତୁ ଦେଖିବା ।
“ଆଦ୍ୟରେ ପରମେଶ୍ୱର ସ୍ୱର୍ଗ ଓ ପୃଥିବୀର ସୃଷ୍ଟି କଲେ ।”—ଆଦି ପୁସ୍ତକ ୧:୧