ପାଠ ୩୮
ଯିହୋବା ଶାମ୍ଶୋନ୍ଙ୍କୁ ଶକ୍ତିଶାଳୀ କଲେ
ଅନେକ ଇସ୍ରାଏଲୀୟ ପୁଣି ମୂର୍ତ୍ତିପୂଜା କରିବାକୁ ଲାଗିଥିଲେ, ତେଣୁ ଯିହୋବା ପଲେଷ୍ଟୀୟମାନଙ୍କୁ ତାଙ୍କ ଦେଶ କବ୍ଜା କରିବା ପାଇଁ ଦେଲେ । କିନ୍ତୁ କିଛି ଇସ୍ରାଏଲୀୟ ଏପରି ମଧ୍ୟ ଥିଲେ ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁଥିଲେ । ଏପରି ହିଁ ଜଣେ ବ୍ୟକ୍ତି ଥିଲେ ମାନୋହ । ସେ ବିବାହ କରିଥିଲେ, କିନ୍ତୁ ତାଙ୍କ କୌଣସି ସନ୍ତାନ ନ ଥିଲା । ଦିନେ ଯିହୋବା ତାଙ୍କ ସ୍ତ୍ରୀଙ୍କ ପାଖକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ । ସ୍ୱର୍ଗଦୂତ ତାଙ୍କୁ କହିଲେ, ‘ତମର ଗୋଟିଏ ପୁଅ ହେବ । ସେ ଇସ୍ରାଏଲକୁ ପଲେଷ୍ଟୀୟମାନଙ୍କ ହାତରୁ ଉଦ୍ଧାର କରିବ । ସେ ଜଣେ ନାସରୀୟ ହେବ ।’ କʼଣ ଆପଣ ଜାଣନ୍ତି, ନାସରୀୟ କେଉଁମାନେ ଥିଲେ ? ସେମାନେ ଯିହୋବାଙ୍କ ବିଶେଷ ସେବକ ଥିଲେ । ସେମାନଙ୍କୁ ନିଜ ଚୁଟି କାଟିବା ମନା ଥିଲା ।
କିଛି ସମୟ ପରେ ମାନୋହଙ୍କ ଗୋଟିଏ ପୁଅ ହେଲା ଏବଂ ସେ ତାଙ୍କ ନାମ ଶାମ୍ଶୋନ୍ ରଖିଲେ । ଶାମ୍ଶୋନ୍ ଯେବେ ବଡ଼ ହେଲେ ତେବେ ଯିହୋବା ତାଙ୍କୁ ବହୁତ ଶକ୍ତିଶାଳୀ କଲେ । ସେ ବିନା କୌଣସି ହତିଆରରେ ଗୋଟିଏ ସିଂହକୁ ମାରିଦେଲେ । ଥରେ ସେ ଏକୁଟିଆ ୩୦ ଜଣ ପଲେଷ୍ଟୀୟମାନଙ୍କୁ ମାରିଦେଲେ । ପଲେଷ୍ଟୀୟମାନେ ତାଙ୍କୁ ଘୃଣା କରୁଥିଲେ ଏବଂ କିପରି ତାଙ୍କୁ ମାରିବେ ସେବିଷୟରେ ଭାବୁଥିଲେ । ଦିନେ ରାତି ସମୟରେ ଯେବେ ଶାମ୍ଶୋନ୍ ଘସା ସହରରେ ଶୋଉଥିଲେ, ତେବେ ସେମାନେ ତାଙ୍କୁ ମାରିଦେବା ପାଇଁ ସେହି ସହରର ଫାଟକ ପାଖକୁ ଗଲେ ଏବଂ ସକାଳ ଯାଏ ଅପେକ୍ଷା କରିବାକୁ ଲାଗିଲେ । କିନ୍ତୁ ଅଧରାତିରେ ହିଁ ଶାମ୍ଶୋନ୍ ଉଠିଗଲେ ଏବଂ ସେ ସେଠାକୁ ଯାଇ ସହରର ଫାଟକକୁ ଉପାଡ଼ି ଦେଲେ । ତାʼପରେ ସେ ନିଜ କାନ୍ଧରେ ସେହି ଫାଟକକୁ ଉଠାଇଲେ ଏବଂ ହିବ୍ରୋଣ ପାଖରେ ଗୋଟିଏ ପାହାଡ଼ ଶିଖରକୁ ଚାଲି କି ଗଲେ !
ପରେ ପଲେଷ୍ଟୀୟମାନେ ଶାମ୍ଶୋନ୍ଙ୍କ ସାଙ୍ଗ ଦଲୀଲା ପାଖକୁ ଯାଇ କହିଲେ, ‘ଆମେ ଶାମ୍ଶୋନ୍କୁ ଧରି ଜେଲରେ ପୂରାଇବା ପାଇଁ ଚାହୁଁ । ଯଦି ତମେ ଏହା ଜାଣିବା ପାଇଁ ଚେଷ୍ଟା କରିବ ଯେ ସେ କାହିଁକି ଏତେ ଶକ୍ତିଶାଳୀ ତେବେ ଆମେ ତମକୁ ବହୁତ ପଇସା ଦେବା ।’ ଦଲୀଲା ପଇସା ଲୋଭ ଯୋଗୁଁ ସେମାନଙ୍କ କଥା ମାନିଗଲା । ଯେବେ ସେ ଶାମ୍ଶୋନ୍ଙ୍କୁ ତାଙ୍କ ଶକ୍ତିର ରହସ୍ୟ ପଚାରିଲା ତେବେ ଆରମ୍ଭରେ ଶାମ୍ଶୋନ୍ କିଛି କହିଲେ ନାହିଁ । କିନ୍ତୁ ସେ ବାରମ୍ବାର ତାଙ୍କୁ ପଚାରିବା ଯୋଗୁଁ ସେ ହଇରାଣ ହୋଇ ତାଙ୍କ ଶକ୍ତିର ରହସ୍ୟ ତାକୁ କହିଦେଲେ । ସେ କହିଲେ, ‘ଆଜି ଯାଏ ମୋ ଚୁଟି କେବେ ବି କଟା ଯାଇ ନାହିଁ । କାରଣ ମୁଁ ଜଣେ ନାସରୀୟ ଅଟେ, ଯଦି ମୋ ଚୁଟି କାଟି ଦିଆଯିବ ତାହେଲେ ମୋ ଶକ୍ତି ଶେଷ ହୋଇଯିବ ।’ ଶାମ୍ଶୋନ୍ ତାକୁ ଏହି ରହସ୍ୟ କହି ବହୁତ ବଡ଼ ଭୁଲ କରିଦେଲେ !
ଦଲୀଲା ତୁରନ୍ତ ପଲେଷ୍ଟୀୟମାନଙ୍କୁ କହିଲା, ‘ମୁଁ ତାʼର ରହସ୍ୟ ଜାଣିଗଲି !’ ସେ ଶାମ୍ଶୋନ୍କୁ ନିଜ କୋଳରେ ଶୁଆଇ ଦେଲା ଏବଂ କାହାରିକୁ ଡକାଇ ତାଙ୍କ ଚୁଟି କଟାଇ ଦେଲା । ତାʼପରେ ସେ ଜୋର୍ ପାଟି କରି କହିଲା, ‘ଶାମ୍ଶୋନ୍ ! ପଲେଷ୍ଟୀୟ ଆସିଗଲେ !’ ଶାମ୍ଶୋନ୍ ଉଠିଗଲେ ଏବଂ ଦେଖିଲେ ଯେ ତାଙ୍କ ଶକ୍ତି ଆଉ ନାହିଁ । ପଲେଷ୍ଟୀୟମାନେ ତାଙ୍କୁ ଧରି ପକାଇଲେ, ତାଙ୍କୁ ଅନ୍ଧ କରିଦେଲେ ଏବଂ ଜେଲରେ ପୂରାଇଦେଲେ ।
ଦିନେ ହଜାର ହଜାର ପଲେଷ୍ଟୀୟ ଲୋକ ନିଜ ଦେବତା ଦାଗୋନ୍ର ମନ୍ଦିରରେ ଜମା ହେଲେ । ସେମାନେ ଜୋର୍ ପାଟି କରି କହିବାକୁ ଲାଗିଲେ, ‘ଆମମାନଙ୍କ ଦେବତା ଶାମ୍ଶୋନ୍କୁ ଆମ ହାତରେ କରିଦେଇଛନ୍ତି ! ଶାମ୍ଶୋନ୍କୁ ଡାକ, ସେ ଆମମାନଙ୍କ ପାଇଁ କୌତୁକ କରିବ ।’ ସେମାନେ ତାଙ୍କୁ ଆଣି ଦୁଇଟି ସ୍ତମ୍ଭ ମଝିରେ ଛିଡ଼ା କଲେ ଏବଂ ତାଙ୍କ ଥଟ୍ଟା କରିବାକୁ ଲାଗିଲେ । ସେସମୟରେ ଶାମ୍ଶୋନ୍ ଈଶ୍ୱରଙ୍କୁ ଡାକିଲେ, ‘ହେ ଯିହୋବା, କେବଳ ଶେଷ ଥର ମୋତେ ଶକ୍ତି ଦିଅନ୍ତୁ ।’ ଏବେ ଯାଏ ଶାମ୍ଶୋନ୍ଙ୍କ ଚୁଟି ପୁଣି ଥରେ ବଢ଼ି ଯାଇଥିଲା । ସେ ପୂରା ଜୋର୍ ଦେଇ ମନ୍ଦିରର ସ୍ତମ୍ଭଗୁଡ଼ିକୁ ଧକ୍କା ଦେଲେ ଏବଂ ପୂରା ମନ୍ଦିର ଭାଙ୍ଗି ଲୋକମାନଙ୍କ ଉପରେ ପଡ଼ିଗଲା । ସେଠାରେ ଯେତେ ଲୋକ ଥିଲେ ସମସ୍ତେ ମରିଗଲେ । ଶାମ୍ଶୋନ୍ଙ୍କ ମଧ୍ୟ ମୃତ୍ୟୁ ହୋଇଗଲା ।
“ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରିପାରେ ।”—ଫିଲିପ୍ପୀୟ ୪:୧୩