ପାଠ ୪୩
ରାଜା ଦାଉଦଙ୍କର ପାପ
ଶାଉଲଙ୍କ ମୃତ୍ୟୁ ପରେ ଦାଉଦ ରାଜା ହେଲେ । ସେସମୟରେ ସେ ୩୦ ବର୍ଷ ବୟସର ଥିଲେ । ରାଜା ହେବାର କିଛି ବର୍ଷ ପରେ, ଥରେ ରାତିରେ ସେ ନିଜ ମହଲର ଛାତରୁ ଜଣେ ସୁନ୍ଦର ସ୍ତ୍ରୀକୁ ଦେଖିଲେ । ଯେବେ ସେହି ସ୍ତ୍ରୀଙ୍କ ବିଷୟରେ ସେ ପଚାରିଲେ ତେବେ ତାଙ୍କୁ ଜଣାପଡ଼ିଲା ଯେ ତାଙ୍କ ନାମ ହେଉଛି ବତ୍ଶେବା ଆଉ ସେ ଊରୀୟ ନାମକ ସୈନିକଙ୍କ ସ୍ତ୍ରୀ ଅଟନ୍ତି । ଦାଉଦ ବତ୍ଶେବାଙ୍କୁ ନିଜ ମହଲକୁ ଡକାଇଲେ । ସେମାନେ ଯୌନ ସମ୍ପର୍କ ରଖିଲେ ଏବଂ ବତ୍ଶେବା ଗର୍ଭବତୀ ହୋଇଗଲେ । ଦାଉଦ ନିଜ ପାପକୁ ଲୁଚାଇବା ପାଇଁ ଚେଷ୍ଟା କଲେ । ସେ ନିଜ ସେନାପତିଙ୍କୁ କହିଲେ ଯେ ସେ ଊରୀୟଙ୍କୁ ଯୁଦ୍ଧରେ ସବୁଠୁ ଆଗରେ ଛିଡ଼ା କରନ୍ତୁ ଏବଂ ବାକି ସୈନିକମାନେ ପଛକୁ ଚାଲିଯାʼନ୍ତୁ । ଯୁଦ୍ଧରେ ଊରୀୟଙ୍କ ମୃତ୍ୟୁ ହୋଇଗଲା । ଏହାପରେ ଦାଉଦ ବତ୍ଶେବାଙ୍କୁ ବିବାହ କଲେ ।
ଯିହୋବା ଏସବୁ ଖରାପ କାମକୁ ଦେଖୁଥିଲେ । ସେ କʼଣ କଲେ ? ସେ ନିଜ ଭବିଷ୍ୟଦ୍ବକ୍ତା ନାଥନଙ୍କୁ ଦାଉଦଙ୍କ ପାଖକୁ ପଠାଇଲେ । ନାଥନ ଦାଉଦଙ୍କୁ କହିଲେ, ‘ଜଣେ ଧନୀ ଲୋକ ପାଖରେ ଅନେକ ମେଣ୍ଢା ଥିଲା, କିନ୍ତୁ ଜଣେ ଗରିବ ଲୋକ ପାଖରେ କେବଳ ଗୋଟିଏ ମେଣ୍ଢାର ଛୁଆ ଥିଲା ଯାହାକୁ ସେ ବହୁତ ଭଲ ପାଉଥିଲା । କିନ୍ତୁ ସେହି ଧନୀ ଲୋକ, ଗରିବ ଲୋକ ପାଖରୁ ସେହି ମେଣ୍ଢାର ଛୁଆକୁ ନେଇଗଲା ।’ ଏହା ଶୁଣି ଦାଉଦ ବହୁତ ରାଗିଗଲେ । ସେ କହିଲେ, ‘ସେହି ଧନୀ ଲୋକକୁ ଜୀବନରୁ ମାରିଦେବା ଉଚିତ୍ !’ ନାଥନ ଦାଉଦଙ୍କୁ କହିଲେ, ‘ତମେ ହିଁ ସେହି ଧନୀ ଲୋକ ଅଟ !’ ଦାଉଦ ବହୁତ ଦୁଃଖି ହୋଇଗଲେ ଏବଂ ସେ ତାଙ୍କୁ କହିଲେ, ‘ମୁଁ ଯିହୋବାଙ୍କ ବିରୁଦ୍ଧରେ ପାପ କରିଛି ।’ ଏହି ପାପ ଯୋଗୁଁ ଦାଉଦ ଓ ତାଙ୍କ ପରିବାର ଉପରେ ଅନେକ ସମସ୍ୟା ଆସିଲା । ଯିହୋବା ଦାଉଦଙ୍କୁ ଦଣ୍ଡ ଦେଲେ, କିନ୍ତୁ ତାଙ୍କୁ ଜୀବନରୁ ମାରିଲେ ନାହିଁ କାରଣ ସେ ଜଣେ ସଚ୍ଚୋଟ ଓ ନମ୍ର ଲୋକ ଥିଲେ ।
ଦାଉଦ, ଯିହୋବାଙ୍କ ପାଇଁ ଗୋଟିଏ ମନ୍ଦିର ତିଆରି କରିବା ପାଇଁ ଚାହୁଁଥିଲେ । କିନ୍ତୁ ଯିହୋବା ମନ୍ଦିର ତିଆରି କରିବା ପାଇଁ ତାଙ୍କ ପୁଅ ଶଲୋମନଙ୍କୁ ବାଛିଲେ । ଦାଉଦ କହିଲେ, ‘ଯିହୋବାଙ୍କ ମନ୍ଦିର ବହୁତ ସୁନ୍ଦର ହେବା ଉଚିତ୍ । ଶଲୋମନ ଏବେ ଛୋଟ ଅଛି, ତେଣୁ ମୁଁ ତାକୁ ସାହାଯ୍ୟ କରିବି । ମୁଁ ଏହାର ସବୁ ପ୍ରସ୍ତୁତି କରିବି ।’ ସେ ମନ୍ଦିର ତିଆରି କରିବା ପାଇଁ ନିଜର ବହୁତ ପଇସା ଦାନ କଲେ । ସେ ଦକ୍ଷ କାରିଗରମାନଙ୍କୁ ଖୋଜିଲେ । ସେ ସୁନା ଓ ରୂପା ଜମା କଲେ, ତାʼସହ ସୋର ଏବଂ ସୀଦୋନ ନାମକ ଜାଗାରୁ ଦେବଦାରୁ କାଠ ମଗାଇଲେ । ଯେବେ ଦାଉଦଙ୍କ ମୃତ୍ୟୁ ପାଖେଇ ଆସିଲା ତେବେ ସେ ଶଲୋମନଙ୍କୁ ମନ୍ଦିରର ନକ୍ସା ଦେଲେ । ସେ ତାଙ୍କୁ କହିଲେ, ‘ଯିହୋବା ମୋତେ ଏ ସବୁ ତମ ପାଇଁ ଲେଖିବାକୁ କହିଲେ । ଯିହୋବା ତମ ସାହାଯ୍ୟ କରିବେ । ତେଣୁ ତମେ ଡର ନାହିଁ, ବରଂ ସାହସର ସହ କାମ କରିବ ।’
“ଯେ ଆପଣା ଅଧର୍ମ ଆଚ୍ଛାଦନ କରେ, ସେ ମଙ୍ଗଳ ପାଏ ନାହିଁ; ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ, ସେ ଦୟା ପାଇବ ।”—ହିତୋପଦେଶ ୨୮:୧୩