ପାଠ ୬୭
ଯିରୂଶାଲମର ପ୍ରାଚୀର
ଆସନ୍ତୁ ଆମେ କିଛି ବର୍ଷ ପୂର୍ବର ଘଟଣାଗୁଡ଼ିକ ଉପରେ ଧ୍ୟାନ ଦେବା । ନିହିମୀୟା ନାମକ ଇସ୍ରାଏଲୀୟ, ରାଜା ଅର୍ତ୍ତକ୍ଷସ୍ତଙ୍କ ସେବକ ଥିଲେ ଏବଂ ପାରସ୍ୟର ଶୂଶନ୍ ନାମକ ସହରରେ ରହୁଥିଲେ । ଦିନେ ତାଙ୍କ ଭାଇ ଯିହୁଦାରୁ ଆସିଲେ ଏବଂ ତାଙ୍କୁ ଏହି ଖରାପ ଖବର ଦେଲେ, ‘ଯେଉଁ ଲୋକମାନେ ଯିରୂଶାଲମକୁ ଫେରି ଯାଇଛନ୍ତି ସେମାନେ ସୁରକ୍ଷିତ ନାହାନ୍ତି । ବାବିଲର ଲୋକମାନେ ସହରର ଯେଉଁ ପ୍ରାଚୀରଗୁଡ଼ିକ ଏବଂ ଫାଟକକୁ ଭାଙ୍ଗି ଦେଇଥିଲେ, ସେଗୁଡ଼ିକ ଏବେ ଯାଏ ତିଆରି କରାଯାଇ ନାହିଁ ।’ ଏହା ଶୁଣି ନିହିମୀୟା ଦୁଃଖି ହୋଇଗଲେ । ସେ ଯିରୂଶାଲମକୁ ଯାଇ ସେମାନଙ୍କ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ । ତେଣୁ ସେ ପ୍ରାର୍ଥନା କଲେ ଯେ ଈଶ୍ୱର କିଛି ଏପରି କରନ୍ତୁ ଯେଉଁଥିରୁ ରାଜା ତାଙ୍କୁ ଯିବା ପାଇଁ ଦେବେ ।
ପରେ ରାଜା ଦେଖିଲେ ଯେ ନିହିମୀୟା ବହୁତ ଦୁଃଖି ଅଛନ୍ତି । ରାଜା ତାଙ୍କୁ କହିଲେ, ‘ମୁଁ ତମକୁ କେବେ ଏତେ ଦୁଃଖି ଦେଖି ନାହିଁ । କʼଣ ହେଲା ?’ ନିହିମୀୟା କହିଲେ, ‘ମୋ ସହର ଯିରୂଶାଲମ ଏବେ ଯାଏ ଭାଙ୍ଗି ପଡ଼ି ରହିଛି, ତେଣୁ ମୁଁ ଦୁଃଖି ଅଛି ।’ ରାଜା ତାଙ୍କୁ ପଚାରିଲେ, ‘କʼଣ ମୁଁ ତମର କିଛି ସାହାଯ୍ୟ କରିପାରିବି ?’ ନିହିମୀୟା ତୁରନ୍ତ ପ୍ରାର୍ଥନା କଲେ ଏବଂ ତାʼପରେ ରାଜାଙ୍କୁ ଅନୁରୋଧ କଲେ, ‘ମୋତେ ଯିରୂଶାଲମକୁ ଯିବା ପାଇଁ ଦିଅନ୍ତୁ ଯେଉଁଥିରୁ ମୁଁ ସେଠାର ପ୍ରାଚୀରଗୁଡ଼ିକ ପୁଣି ତିଆରି କରିପାରିବି ।’ ରାଜା ଅର୍ତ୍ତକ୍ଷସ୍ତ ନିହିମୀୟାଙ୍କୁ କହିଲେ ଯେ ସେ ଯାଇପାରିବେ । ରାଜା ତାଙ୍କ ପାଇଁ ସବୁ ବ୍ୟବସ୍ଥା କଲେ ଯାହାଦ୍ୱାରା ତାଙ୍କୁ ଏହି ଲମ୍ବା ଯାତ୍ରାରେ କୌଣସି ପ୍ରକାର ବିପଦ ନ ରହୁ । ସେ ନିହିମୀୟାଙ୍କୁ ଯିହୁଦାର ରାଜ୍ୟପାଳ ଭାବେ ନିଯୁକ୍ତ କଲେ ଏବଂ ସହରର ଫାଟକ ତିଆରି କରାଇବା ପାଇଁ କାଠଗୁଡ଼ିକ ଦେଲେ ।
ଯେବେ ନିହିମୀୟା ଯିରୂଶାଲମକୁ ପହଞ୍ଚିଲେ ତେବେ ସେ ପ୍ରାଚୀରଗୁଡ଼ିକୁ ଯାଞ୍ଚ କଲେ । ତାʼପରେ ସେ ଯାଜକ ଓ ଅଧିକାରୀମାନଙ୍କୁ ଏକାଠି କଲେ ଏବଂ ସେମାନଙ୍କୁ କହିଲେ, ‘ଅବସ୍ଥା ବହୁତ ଖରାପ ଅଛି । ଆମକୁ ତୁରନ୍ତ କାମ ଆରମ୍ଭ କରିବାକୁ ପଡ଼ିବ ।’ ଲୋକମାନେ ମଧ୍ୟ ସହମତ ହୋଇଗଲେ ଏବଂ ସେମାନେ ପ୍ରାଚୀରଗୁଡ଼ିକୁ ତିଆରି କରିବା ଆରମ୍ଭ କରିଦେଲେ ।
କିନ୍ତୁ ଇସ୍ରାଏଲୀୟମାନଙ୍କ କିଛି ଶତ୍ରୁ ଏହା କହି ସେମାନଙ୍କ ଥଟ୍ଟା କରିବାକୁ ଲାଗିଲେ, ‘ତମେମାନେ ଯେଉଁ ପ୍ରାଚୀରଗୁଡ଼ିକ ତିଆରି କରୁଛ ତାହା ଏତେ ଦୁର୍ବଳ ଅଛି ଯେ ଯଦି ଗୋଟିଏ ବିଲୁଆ ସେଥିରେ ଚଢ଼ିଯିବ ତାହେଲେ ତାହା ଭାଙ୍ଗିଯିବ ।’ ପ୍ରାଚୀର ତିଆରି କରୁଥିବା ଲୋକମାନେ ତାଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦେଲେ ନାହିଁ ଏବଂ ନିଜ କାମରେ ଲାଗି ରହିଲେ । ଧିରେ ଧିରେ ପ୍ରାଚୀରଗୁଡ଼ିକ ଉଚ୍ଚ ଓ ମଜବୁତ୍ ତିଆରି ହେବାକୁ ଲାଗିଲା ।
ଏବେ ଶତ୍ରୁମାନେ ନିଷ୍ପତ୍ତି ନେଲେ ଯେ ସେମାନେ ଅଲଗା ଅଲଗା ଦିଗରୁ ଆସିବେ ଏବଂ ହଠାତ୍ ଯିରୂଶାଲମ ଉପରେ ଆକ୍ରମଣ କରିବେ । ଯେବେ ଯିହୁଦୀମାନଙ୍କୁ ଏକଥା ଜଣାପଡ଼ିଲା ତେବେ ସେମାନେ ଡରିଗଲେ । କିନ୍ତୁ ନିହିମୀୟା ସେମାନଙ୍କୁ କହିଲେ, ‘ଡର ନାହିଁ, ଯିହୋବା ଆମ ସହିତ ଅଛନ୍ତି ।’ ସେ କାମ କରୁଥିବା ଲୋକମାନଙ୍କୁ ରକ୍ଷା କରିବା ପାଇଁ ଜଗୁଆଳୀ ରଖିଲେ, ତେଣୁ ଶତ୍ରୁମାନେ ଆକ୍ରମଣ କରିପାରିଲେ ନାହିଁ ।
କେବଳ ୫୨ ଦିନ ମଧ୍ୟରେ ପ୍ରାଚୀରଗୁଡ଼ିକ ଓ ଫାଟକ ତିଆରି ହୋଇଗଲା । ଏସବୁର ଉଦ୍ଘାଟନ ପାଇଁ ନିହିମୀୟା ସମସ୍ତ ଲେବୀୟଙ୍କୁ ଯିରୂଶାଲମକୁ ଆଣିଲେ । ସେ ସେମାନଙ୍କୁ ଗାୟକମାନଙ୍କ ଦୁଇଟି ଦଳରେ ଭାଗ କଲେ । ସେମାନେ ନିର୍ଝର ଫାଟକ ପାଖରେ ସିଢ଼ିଗୁଡ଼ିକରୁ ଚଢ଼ି ପ୍ରାଚୀର ଉପରକୁ ଗଲେ । ସେଠାରୁ ଗୋଟିଏ ଦଳ ଗୋଟିଏ ପଟେ ଗଲା ଏବଂ ଅନ୍ୟ ଦଳ ଅନ୍ୟପଟେ ଗଲା । ଗୋଟିଏ ଦଳ ସହିତ ଏଜ୍ରା ଥିଲେ ଓ ଅନ୍ୟ ଦଳ ସହିତ ନିହିମୀୟା । ସେମାନେ ତୂରୀଗୁଡ଼ିକ, ଖଞ୍ଜଣୀ, ବୀଣା ବଜାଇ ଏବଂ ଯିହୋବାଙ୍କ ପ୍ରଶଂସାରେ ଗୀତ ଗାଇ ପ୍ରାଚୀରଗୁଡ଼ିକରେ ଚାଲିବାକୁ ଲାଗିଲେ । ତାʼପରେ ଉଭୟ ଦଳ ମନ୍ଦିରରେ ଭେଟିଲା । ଏହାପରେ ସମସ୍ତ ପୁରୁଷ, ସ୍ତ୍ରୀ ଓ ପିଲା ଯିହୋବାଙ୍କୁ ବଳିଦାନ ଚଢ଼ାଇଲେ ଏବଂ ଉତ୍ସବ ପାଳନ କଲେ । ସେମାନେ ଏତେ ଖୁସିରେ ଉତ୍ସବ ପାଳନ କଲେ ଯେ ସେମାନଙ୍କ ଶବ୍ଦ ବହୁତ ଦୂର ଯାଏ ଶୁଣା ଯାଉଥିଲା ।
“ଯେକୌଣସି ଅସ୍ତ୍ର ତୁମ୍ଭ ପ୍ରତିକୂଳରେ ନିର୍ମିତ ହୁଏ, ତାହା ସାର୍ଥକ ହେବ ନାହିଁ ।”—ଯିଶାଇୟ ୫୪:୧୭