ପାଠ ୧୦୨
ଯୋହନଙ୍କ ଦର୍ଶନ
ଯେବେ ପ୍ରେରିତ ଯୋହନ, ପାତ୍ମ ନାମକ ଦ୍ୱୀପରେ କଏଦୀ ଥିଲେ ତେବେ ଯୀଶୁ ତାଙ୍କୁ ୧୬ଟି ଦର୍ଶନ ଦେଖାଇଲେ, ଅର୍ଥାତ୍ ଏପରି ଦୃଶ୍ୟ ଦେଖାଇଲେ ଯେଉଁଥିରୁ ଜଣାପଡ଼େ ଯେ ଆଗକୁ କʼଣ ହେବାକୁ ଯାଉଛି । ସେହି ଦର୍ଶନଗୁଡ଼ିକରେ ଦେଖାଇ ଦିଆଗଲା ଯେ ଯିହୋବାଙ୍କ ନାମ କିପରି ପବିତ୍ର କରାଯିବ, ତାଙ୍କ ରାଜ୍ୟ କିପରି ଆସିବ ଏବଂ ପୃଥିବୀରେ ତାଙ୍କ ଇଚ୍ଛା କିପରି ପୂରା ହେବ, ଯେପରି ସ୍ୱର୍ଗରେ ହୁଏ ।
ଗୋଟିଏ ଦର୍ଶନରେ ଯୋହନ ଦେଖିଲେ ଯେ ଯିହୋବା ସ୍ୱର୍ଗରେ ନିଜ ଅଦ୍ଭୁତ ରାଜଗାଦୀରେ ବସିଛନ୍ତି, ତାଙ୍କ ଚାରିଆଡ଼େ ୨୪ ଜଣ ପ୍ରାଚୀନ ଅଛନ୍ତି ଯେଉଁମାନେ ଧଳା କପଡ଼ା ପିନ୍ଧିଛନ୍ତି ଏବଂ ଯେଉଁମାନଙ୍କ ମସ୍ତକରେ ସୁନାର ମୁକୁଟ ଅଛି । ତାଙ୍କ ରାଜଗାଦୀରୁ ବିଜୁଳିଗୁଡ଼ିକ ଚମକୁ ଥିଲା ଏବଂ ଗର୍ଜନର ଶବ୍ଦ ଶୁଣାଯାଉଥିଲା । ଚବିଶ ଜଣ ପ୍ରାଚୀନ ଯିହୋବାଙ୍କ ଆଗରେ ନଇଁ ତାଙ୍କ ଉପାସନା କଲେ । ଆଉ ଏକ ଦର୍ଶନରେ ଯୋହନ ଦେଖିଲେ ଯେ ସମସ୍ତ ରାଷ୍ଟ୍ର, ଜାତି ଓ ଅଲଗା ଅଲଗା ଭାଷା କହୁଥିବା ଲୋକଙ୍କ ମଧ୍ୟରୁ ଏକ ବଡ଼ ମହାଜନତା ବାହାରିଲା ଯିଏ ଯିହୋବାଙ୍କ ଉପାସନା କରେ । ମେଷଶାବକ ଅର୍ଥାତ୍ ଯୀଶୁ ମେଷପାଳକ ଭଳି ସେମାନଙ୍କ ଦେଖାଶୁଣା କରନ୍ତି ଏବଂ ସେମାନଙ୍କୁ ଜୀବନଦାୟକ ଜଳ ଆଡ଼କୁ ନେଇଯାʼନ୍ତି । ପରେ ଆଉ ଏକ ଦର୍ଶନରେ ଯୋହନ ଦେଖିଲେ ଯେ ଯୀଶୁ ସ୍ୱର୍ଗରେ ରାଜା ହୋଇ ଯାଇଛନ୍ତି ଏବଂ ୨୪ ଜଣ ପ୍ରାଚୀନଙ୍କ ସହ ମିଶି ଶାସନ କରୁଛନ୍ତି । ଏହାର ପରବର୍ତ୍ତୀ ଦର୍ଶନରେ ଯୋହନ ଦେଖିଲେ ଯେ ଯୀଶୁ, ପୁରାତନ ନାଗ ଅର୍ଥାତ୍ ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ଲଢ଼ନ୍ତି । ତାʼପରେ ଯୀଶୁ ସେମାନଙ୍କୁ ସ୍ୱର୍ଗରୁ ପୃଥିବୀକୁ ଫିଙ୍ଗି ଦିଅନ୍ତି ।
ତାʼପରେ ଯୋହନ ଏକ ସୁନ୍ଦର ଦୃଶ୍ୟ ଦେଖିଲେ ଯେ ମେଷଶାବକ ଓ ୧,୪୪,୦୦୦ ଜଣ ସିୟୋନ ପାହାଡ଼ରେ ଛିଡ଼ା ହୋଇଛନ୍ତି । ସେ ଏହା ବି ଦେଖିଲେ ଯେ ଜଣେ ସ୍ୱର୍ଗଦୂତ ପୃଥିବୀର ଚାରିଆଡ଼େ ଉଡ଼ୁଛନ୍ତି ଏବଂ ଲୋକମାନଙ୍କୁ କହୁଛନ୍ତି ଯେ ଈଶ୍ୱରଙ୍କୁ ଭୟ କର ଏବଂ ତାଙ୍କ ମହିମା କର ।
ପରବର୍ତ୍ତୀ ଦର୍ଶନରେ ହର୍ମିଗିଦ୍ଦୋନ୍ ଯୁଦ୍ଧ ଦେଖାଇ ଦିଆଗଲା । ସେହି ଯୁଦ୍ଧ ସମୟରେ ଯୀଶୁ ନିଜ ସେନା ସହ ମିଶି ଶୟତାନର ଦୁଷ୍ଟ ଦୁନିଆକୁ ପରାସ୍ତ କରିଦିଅନ୍ତି । ଶେଷ ଦର୍ଶନରେ ଯୋହନ ଦେଖିଲେ ଯେ ସ୍ୱର୍ଗ ଓ ପୃଥିବୀରେ ଏକତା ଅଛି । ଶୟତାନ ଓ ତାʼର ବଂଶକୁ ପୂରାପୂରି ବିନାଶ କରିଦିଆଯାଏ । ସ୍ୱର୍ଗ ଓ ପୃଥିବୀରେ ରହୁଥିବା ପ୍ରତ୍ୟେକ ଜଣ ଯିହୋବାଙ୍କ ନାମକୁ ପବିତ୍ର ମାନେ ଏବଂ କେବଳ ତାଙ୍କ ଉପାସନା କରେ ।
“ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ ।”—ଆଦି ପୁସ୍ତକ ୩:୧୫