ପାଠ ୫୨
ନିଜ ପୋଷାକ ଓ ସଜବାଜ ଉପରେ ଧ୍ୟାନ ଦେବା କାହିଁକି ଜରୁରୀ ?
ଆମେ କିପରି କପଡ଼ା ପିନ୍ଧିବା, କିପରି ମୁଣ୍ଡ କୁଣ୍ଡାଇବା ଓ କିପରି ପ୍ରସ୍ତୁତି ହେବା, ସେବିଷୟରେ ଆମ ସମସ୍ତଙ୍କର ପସନ୍ଦ ନାପସନ୍ଦ ଅଲଗା ଅଲଗା ହୋଇଥାଏ । ବାଇବଲରେ ମଧ୍ୟ ଏବିଷୟରେ କିଛି ସିଦ୍ଧାନ୍ତ ଦିଆଯାଇଛି । ଯଦି ଆମେ ସେହି ସିଦ୍ଧାନ୍ତଗୁଡ଼ିକୁ ମାନିବା, ତାହେଲେ ଆମେ ଏପରି କପଡ଼ା ପିନ୍ଧିପାରିବା ଯାହା ଆମକୁ ବି ଭଲ ଲାଗିବ ଓ ଯେଉଁଥିରୁ ଯିହୋବା ମଧ୍ୟ ଖୁସି ହେବେ । ଆସନ୍ତୁ କିଛି ସିଦ୍ଧାନ୍ତ ଉପରେ ଧ୍ୟାନ ଦେବା ।
୧. ପୋଷାକ ଓ ସଜବାଜ ବିଷୟରେ ଆମେ କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ?
ଆମେ ଏପରି ପୋଷାକ ପିନ୍ଧିବା ଉଚିତ୍, ‘ଯାହା ଆମ ପାଇଁ ଉପଯୁକ୍ତ । ଆମେ ଉତ୍ତମ ମନୋଭାବ ସହିତ ସମ୍ମାନନୀୟ ଭାବରେ’ ପୋଷାକ ପିନ୍ଧିବା କଥା ଆଉ ନିଜ ସଜବାଜ କରିବା କଥା । ତାʼସହ ଆମେ ନିଜକୁ ସଫାସୁତୁରା ରଖିବା ଉଚିତ୍, ଯାହାଫଳରେ ଲୋକମାନେ ଜାଣିପାରିବେ ଯେ ଆମେ “ପରମେଶ୍ୱରଙ୍କ ଉପାସନା” କରୁ । (୧ ତୀମଥି ୨:୯, ୧୦, ଇଜି-ଟୁ-ରିଡ୍ ଭର୍ସନ) ଆସନ୍ତୁ ଏହି ଚାରୋଟି ସିଦ୍ଧାନ୍ତ ଉପରେ ଧ୍ୟାନ ଦେବା: (୧) ଆମ କପଡ଼ା “ଉପଯୁକ୍ତ” ହେବା ଉଚିତ୍ । ଆପଣ ଦେଖିଥିବେ ଯେ ମଣ୍ଡଳୀର ସଭାଗୁଡ଼ିକରେ ଭାଇଭଉଣୀମାନେ ଅଲଗା ଅଲଗା ପ୍ରକାରର କପଡ଼ା ପିନ୍ଧନ୍ତି ଓ ଅଲଗା ଅଲଗା ପ୍ରକାରରେ ମୁଣ୍ଡ କୁଣ୍ଡାନ୍ତି । ସେମାନେ ଯେପରି ସଜବାଜ ହୁଅନ୍ତି, ସେଥିରୁ ଜଣାପଡ଼େ ଯେ ସେମାନେ ଯିହୋବାଙ୍କର ଆଦର କରନ୍ତି । (୨) ଆମେ ଯେଉଁଭଳି କପଡ଼ା ପିନ୍ଧୁ ଓ ସଜବାଜ ହେଉ, ତାହା “ସମ୍ମାନନୀୟ” ହେବା ଉଚିତ୍ । ଏହାର ଅର୍ଥ ଆମେ ଏପରି କପଡ଼ା ପିନ୍ଧିବା ନାହିଁ, ଯାହା ଦେଖି ଲୋକମାନଙ୍କ ମନରେ ଖରାପ ଚିନ୍ତା ଆସିବ କିମ୍ବା ଯାହା ଯୋଗୁଁ ଲୋକମାନଙ୍କର ଧ୍ୟାନ ଆମ ଉପରେ ଥିବ । (୩) ଆମେ “ଉତ୍ତମ ମନୋଭାବ” ରଖିବା ଉଚିତ୍ । ଆଜିକାଲିର ଫେଶନ୍ ଦିନକୁ ଦିନ ବଦଳୁଥାଏ, କିନ୍ତୁ ତା ଅର୍ଥ ଏହା ନୁହେଁ ଯେ ଆମେ ବିନା ଭାବିଚିନ୍ତି କୌଣସି ଫେଶନ୍ କିମ୍ବା ଷ୍ଟାଇଲକୁ ଆପଣାଇବା । (୪) ଆମେ ଯେଭଳି କପଡ଼ା ପିନ୍ଧୁ ଓ ସଜବାଜ ହେଉ, ସେଥିରୁ ଏହା ଜଣାପଡ଼ିବା ଉଚିତ୍ ଯେ ଆମେ ସତ୍ୟ “ପରମେଶ୍ୱରଙ୍କ ଉପାସନା କରୁଛୁ ।”—୧ କରିନ୍ଥୀୟ ୧୦:୩୧.
୨. ଆମ ପୋଷାକ ଓ ସଜବାଜ ଆମ ଭାଇଭଉଣୀମାନଙ୍କ ଉପରେ କିପରି ପ୍ରଭାବ ପକାଏ ?
ଏହା ସତ ଯେ ଆମକୁ ଯାହା ପସନ୍ଦ ଆମେ ତାହା ପିନ୍ଧିପାରିବା । କିନ୍ତୁ ଆମେ ଏହା ମଧ୍ୟ ଭାବିବା ଉଚିତ୍ ଯେ ଆମ କପଡ଼ା ଓ ସଜବାଜ ଦେଖି ଭାଇଭଉଣୀମାନଙ୍କୁ କିପରି ଲାଗିବ । କʼଣ ସେମାନଙ୍କୁ ଖରାପ ଲାଗିବ ? ଆମେ କେବେ ବି କାହାରିକୁ ଦୁଃଖ ପହଞ୍ଚାଇବାକୁ ଚାହିଁବାନି । ଏହା ପରିବର୍ତ୍ତେ ଆମେ ବାଇବଲର ଏହି ପରାମର୍ଶ ମାନିବା, ‘ପ୍ରତ୍ୟେକ ଜଣ ଆପଣା ପ୍ରତିବାସୀର ମଙ୍ଗଳ ସାଧନ କରି ତାହାର ସୁଖ ଚେଷ୍ଟା କରୁ ।’—ରୋମୀୟ ୧୫:୧, ୨ ପଢ଼ନ୍ତୁ ।
୩. ଆମ ପୋଷାକ ଓ ସଜବାଜ ଦେଖି ଲୋକମାନେ କିପରି ସତ୍ୟ ପ୍ରତି ଆଗ୍ରହ ଦେଖାଇପାରନ୍ତି ?
ଆମେ ଅଲଗା ଅଲଗା ସମୟରେ ଅଲଗା ଅଲଗା ପ୍ରକାରର କପଡ଼ା ପିନ୍ଧୁ ଓ ସଜବାଜ ହେଉ । କିନ୍ତୁ ଯେତେବେଳେ ଆମେ ସଭା ଓ ପ୍ରଚାରରେ ଯାଉ, ସେତେବେଳେ ଆମେ ଏକଥା ଉପରେ ବିଷେଶ ଧ୍ୟାନ ଦେଉ ଯେ ଆମେ କିପରି କପଡ଼ା ପିନ୍ଧୁଛୁ ଓ କିପରି ଦେଖାଯାଉଛୁ । ଆମେ ଏହା ଚାହୁଁନୁ ଯେ ଆମକୁ ଦେଖି ସତ୍ୟ ଉପରୁ ଲୋକମାନଙ୍କର ଆଗ୍ରହ ଚାଲିଯାଉ । ଏହା ପରିବର୍ତ୍ତେ ଆମେ ଚାହୁଁ ଯେ ଆମ ପୋଷାକ ଓ ସଜବାଜ ଦେଖି ଲୋକମାନେ ସତ୍ୟ ପ୍ରତି ଆଗ୍ରହ ଦେଖାନ୍ତୁ ଏବଂ ଆମ ପୋଷାକ ଓ ସଜବାଜ ‘ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ୱରଙ୍କ ଶିକ୍ଷାର ଅଳଙ୍କାର ସ୍ୱରୂପ ହେଉ ।’—ତୀତସ ୨:୧୦.
ଭାବନ୍ତୁ ଓ ଶିଖନ୍ତୁ
ଆମେ ଧ୍ୟାନ ରଖିବା ଉଚିତ୍ ଯେ ଆମେ ଯେଉଁଭଳି କପଡ଼ା ପିନ୍ଧୁ ଓ ସଜବାଜ ହେଉ, ସେଥିରୁ ଲୋକମାନେ ଜାଣିବା କଥା ଯେ ଆମେ ସତ୍ୟ ଖ୍ରୀଷ୍ଟିୟାନ ଅଟୁ । ଆସନ୍ତୁ ଜାଣିବା ଯେ ଆମେ ଏହା କିପରି କରିପାରିବା ।
ଆମେ ଯେଉଁଭଳି ଭାବେ ପୋଷାକ ପିନ୍ଧୁ, ସେଥିରୁ ଜଣାପଡ଼େ ଯେ ଆମେ ଅଧିକାରୀମାନଙ୍କୁ ଆଦର କରୁ ନା ନାହିଁ । ଏହା ସତ ଯେ ଯିହୋବା ଆମର ହୃଦୟ ଦେଖନ୍ତି, ତଥାପି ଆମ ପୋଷାକ ଏପରି ହେବା ଉଚିତ୍, ଯେଉଁଥିରୁ ଜଣାପଡ଼ିବ ଯେ ଆମେ ତାଙ୍କୁ ଆଦର କରୁ
୪. ଆମ ପୋଷାକ ଓ ସଜବାଜରୁ ଜଣାପଡ଼ିବା କଥା ଯେ ଆମେ ଯିହୋବାଙ୍କୁ ଆଦର କରୁ
ଆସନ୍ତୁ ଜାଣିବା ଯେ ଆମେ ନିଜ ପୋଷାକ ଓ ସଜବାଜ ଉପରେ ଧ୍ୟାନ ଦେବାର ସବୁଠୁ ବଡ଼ କାରଣ କʼଣ । ଗୀତସଂହିତା ୪୭:୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଆମେ ଯିହୋବାଙ୍କ ସେବକ ଅଟୁ, ଏକଥାକୁ ଧ୍ୟାନରେ ରଖି ଆମେ କିପରି କପଡ଼ା ପିନ୍ଧିବା ଉଚିତ୍ ?
କʼଣ ଆପଣଙ୍କୁ ଲାଗେ ଯେ ସଭା ଓ ପ୍ରଚାରରେ ଯିବା ସମୟରେ ଆମକୁ ନିଜ ପୋଷାକ ଓ ସଜବାଜ ପ୍ରତି ଧ୍ୟାନ ଦେବା ଉଚିତ୍ ? ଆପଣ ଏପରି କାହିଁକି ଭାବନ୍ତି ?
୫. ଆମେ କିପରି ନିଷ୍ପତ୍ତି ନେଇପାରିବା ଯେ ଆମେ କʼଣ ପିନ୍ଧିବା ଓ କିପରି ସଜବାଜ ହେବା ?
ଆମ କପଡ଼ା ଦାମୀ ଥାଉ ବା ନ ଥାଉ, କିନ୍ତୁ ତାହା ସଫାସୁତୁରା ହେବା ଉଚିତ୍ ଓ ଜାଗା ଜାଣି ହେବା ଉଚିତ୍ । ୧ କରିନ୍ଥୀୟ ୧୦:୨୪ ଓ ୧ ତୀମଥି ୨:୯, ୧୦ ପଢ଼ନ୍ତୁ । ତାʼପରେ ଆଲୋଚନା କରନ୍ତୁ ଯେ ଆମେ କାହିଁକି ଏପରି କପଡ଼ା ପିନ୍ଧିବା ଉଚିତ୍ ନୁହେଁ . . .
ଯାହା ବହୁତ ଢିଲାଢାଲା ଓ ମଇଳା ଥାଏ ।
ଯାହା ବହୁତ ଟାଇଟ୍ କିମ୍ବା ଛୋଟ ଥାଏ କିମ୍ବା ଯେଉଁଗୁଡ଼ିକୁ ଦେଖି ଲୋକଙ୍କ ମନରେ ଖରାପ ଚିନ୍ତା ଆସେ ।
ଏହା ସତ ଯେ ଆମେ ଖ୍ରୀଷ୍ଟିୟାନମାନେ ମୋଶାଙ୍କ ନିୟମର ଅଧୀନରେ ନାହୁଁ, ତଥାପି ଆମେ ଏଥିରୁ ଯିହୋବାଙ୍କ ଚିନ୍ତାଧାରା ଜାଣିପାରୁ । ଦ୍ୱିତୀୟ ବିବରଣ ୨୨:୫ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆମେ କାହିଁକି ଏପରି ମୁଣ୍ଡ କୁଣ୍ଡାଇବା କିମ୍ବା କପଡ଼ା ପିନ୍ଧିବା ଉଚିତ୍ ନୁହେଁ, ଯାହାଦ୍ୱାରା ଜଣେ ପୁରୁଷ ସ୍ତ୍ରୀ ଭଳି ଓ ଜଣେ ସ୍ତ୍ରୀ ପୁରୁଷ ଭଳି ଦେଖାଯିବ ?
୧ କରିନ୍ଥୀୟ ୧୦:୩୨, ୩୩ ଓ ୧ ଯୋହନ ୨:୧୫, ୧୬ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଆଲୋଚନା କରନ୍ତୁ:
ଆମେ କାହିଁକି ଧ୍ୟାନ ରଖିବା ଉଚିତ୍ ଯେ ଆମେ ଯେଉଁଭଳି ପୋଷାକ ପିନ୍ଧୁ କିମ୍ବା ସଜବାଜ ହେଉ, ତାହା ଦେଖି ଆମ ଆଖପାଖର ଲୋକ ଓ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଖରାପ ନ ଲାଗୁ ?
ଆପଣ ଯେଉଁ ଅଞ୍ଚଳରେ ରହନ୍ତି, ସେଠାରେ ଆଜିକାଲି ଲୋକମାନେ କେଉଁଭଳି ପୋଷାକ ପିନ୍ଧନ୍ତି ଏବଂ କିପରି ଭାବେ ସଜବାଜ ହୁଅନ୍ତି ?
କʼଣ ଆପଣଙ୍କୁ ଲାଗେ ଯେ ଏମଧ୍ୟରୁ କିଛି ପୋଷାକ ଓ ସଜବାଜ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଠିକ୍ ନୁହେଁ ? ଆପଣଙ୍କୁ ଏପରି କାହିଁକି ଲାଗେ ?
ଆମେ ଏପରି କପଡ଼ା ପିନ୍ଧିପାରିବା ଯାହା ଆମକୁ ବି ଭଲ ଲାଗିବ ଓ ଯେଉଁଥିରୁ ଯିହୋବା ମଧ୍ୟ ଖୁସି ହେବେ
କିଛି ଲୋକ କହନ୍ତି: “ମୋ ଇଚ୍ଛା, ମୁଁ ଯାହା ବି ପିନ୍ଧିବି ।”
କʼଣ ଆପଣଙ୍କୁ ବି ଏପରି ହିଁ ଲାଗେ ? ଆପଣଙ୍କୁ କାହିଁକି ଏପରି ଲାଗେ ?
ଆମେ କʼଣ ଶିଖିଲୁ ?
ଯେତେବେଳେ ଆମେ ଭାବିଚିନ୍ତି କପଡ଼ା ପିନ୍ଧୁ ଏବଂ ସଫାସୁତୁରା ଓ ଭଲ ଦେଖାଯାଉ, ସେତେବେଳେ ଆମେ ଦେଖାଇପାରୁ ଯେ ଆମେ ଯିହୋବାଙ୍କୁ ଓ ଅନ୍ୟମାନଙ୍କୁ ଆଦର କରୁ ।
ଆପଣ କʼଣ କହିବେ ?
ଆମେ ଯେଉଁଭଳି କପଡ଼ା ପିନ୍ଧୁ ଓ ସଜବାଜ ହେଉ, ତାହା ଯିହୋବାଙ୍କ ପାଇଁ କାହିଁକି ମହତ୍ତ୍ୱ ରଖେ ?
ପୋଷାକ ଓ ସଜବାଜ ବିଷୟରେ ଆମେ କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍ ?
ଆମେ ଯେପରି କପଡ଼ା ପିନ୍ଧୁ ଓ ସଜବାଜ ହେଉ, ତାହା ଦେଖି ଲୋକମାନେ ଯିହୋବା ଓ ସତ୍ୟ ଉପାସନା ବିଷୟରେ କʼଣ ଭାବିପାରନ୍ତି ?
ଅଧିକ ଜାଣନ୍ତୁ
ଆପଣଙ୍କ କପଡ଼ାରୁ ଆପଣଙ୍କ ବିଷୟରେ କʼଣ ଜଣାପଡ଼େ ? ଆସନ୍ତୁ ଜାଣିବା ।
“କʼଣ ଏହି କପଡ଼ା ମୋ ପାଇଁ ଠିକ୍ ?” (jw.org ୱେବସାଇଟ୍ରେ ଥିବା ଲେଖା)
ଟାଟୁ କରାଇବା ପୂର୍ବରୁ ତାʼର ପରିଣାମ ବିଷୟରେ ଭାବିବା କାହିଁକି ଜରୁରୀ ? ଆସନ୍ତୁ ଜାଣିବା ।
“ବାଇବଲ ଟାଟୁ କରାଇବା ବିଷୟରେ କʼଣ କହେ ?” (jw.org ୱେବସାଇଟ୍ରେ ଥିବା ଲେଖା)
ଜାଣନ୍ତୁ ଯେ କପଡ଼ା ପିନ୍ଧିବା ଓ ସଜବାଜ ହେବା ବିଷୟରେ ଆମେ ଆଉ କେଉଁ ସିଦ୍ଧାନ୍ତଗୁଡ଼ିକୁ ଧ୍ୟାନ ଦେବା ଉଚିତ୍ ।
“କʼଣ ଆପଣଙ୍କର କପଡ଼ା ଓ ସଜବାଜରୁ ଯିହୋବାଙ୍କର ମହିମା ହୁଏ ?” (ପ୍ରହରୀଦୁର୍ଗ-ହି, ସେପ୍ଟେମ୍ବର ୨୦୧୬)
ଜଣେ ମହିଳା ଈଶ୍ୱରଙ୍କୁ ଖୁସି କରିବାକୁ ଚାହୁଁଥିଲେ । ଜାଣନ୍ତୁ ଯେ ସେ କିପରି ବୁଝିପାରିଲେ ଯେ ପୋଷାକ ପିନ୍ଧିବା ଓ ସଜବାଜ ହେବା ସମସ୍ତଙ୍କର ନିଜ ନିଜ ନିଷ୍ପତ୍ତି ଅଟେ ।