ପରମେଶ୍ୱରଙ୍କ ସଙ୍ଗଠନର ସୁରକ୍ଷାରେ ରୁହନ୍ତୁ
“[ଯିହୋବାଙ୍କ] ନାମ ଦୃଢ଼ ଗଡ଼; ଧାର୍ମିକ ଲୋକ ତହିଁକି ପଳାଇ ରକ୍ଷା ପାଏ ।”—ହିତୋପଦେଶ ୧୮:୧୦.
୧. ଯୀଶୁଙ୍କ ପ୍ରାର୍ଥନା ଅନୁସାରେ ଖ୍ରୀଷ୍ଟିଆନମାନେ କେଉଁ କଠିନ ପରିସ୍ଥିତିରେ ଅଛନ୍ତି?
ଯୀଶୁଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ତାହାଙ୍କ ସ୍ୱର୍ଗୀୟ ପିତାଙ୍କ ନିକଟରେ ଶିଷ୍ୟମାନଙ୍କ ପାଇଁ ପ୍ରାର୍ଥନା କରିଥିଲେ । ପ୍ରେମମୟ ରୀତିରେ ଚିନ୍ତା କରି ସେ କହିଥିଲେ: “ତୁମର ବଚନ ମୁଁ ସେମାନଙ୍କୁ ଦେଇଅଛି । ଜଗତ ସେମାନଙ୍କୁ ଘୃଣା କରିଅଛି । କାରଣ ମୁଁ ଯେପରି ଜଗତର ନୁହେଁ, ସେହିଭଳି ସେମାନେ ମଧ୍ୟ ଜଗତର ନୁହନ୍ତି । ତୁମେ ସେମାନଙ୍କୁ ସଂସାରରୁ ଘେନିଯାଅ ବୋଲି ମୁଁ ପ୍ରାର୍ଥନା କରେ ନାହଁ; ବରଂ ଯିଏ ମନ୍ଦ, ତାʼଠାରୁ ସେମାନଙ୍କ ସଂରକ୍ଷଣ କରିବା ପାଇଁ ତୁମକୁ ମୋର ପ୍ରାର୍ଥନା ।” (ଯୋହନ ୧୭:୧୪, ୧୫, OCB) ଯୀଶୁ ଜାଣିଥିଲେ ଯେ ଏହି ଜଗତ ଖ୍ରୀଷ୍ଟିଆନମାନଙ୍କ ପାଇଁ ବିପଜ୍ଜନକ ସ୍ଥାନ ହେବ । ଏହା ସେମାନଙ୍କ ବିଷୟରେ ମିଥ୍ୟାକଥା କହେ ଓ ସେମାନଙ୍କୁ ଯାତନା ଦେଇ ଘୃଣା ପ୍ରଦର୍ଶିତ କରେ । (ମାଥିଉ ୫:୧୧, ୧୨; ୧୦:୧୬, ୧୭) ଏହା ସେମାନଙ୍କୁ ଭ୍ରଷ୍ଟ କରିବାକୁ ଚେଷ୍ଟାକରେ ।—୨ ତୀମଥି ୪:୧୦; ୧ ଯୋହନ ୨:୧୫, ୧୬.
୨. ଖ୍ରୀଷ୍ଟିଆନମାନେ କେଉଁଠାରେ ଏକ ସୁରକ୍ଷା ସ୍ଥଳ ପାଇପାରିବେ?
୨ ଯେଉଁ ଜଗତ ଖ୍ରୀଷ୍ଟିଆନମାନଙ୍କୁ ଘୃଣା କରେ, ତାହା ପରମେଶ୍ୱରଙ୍କଠାରୁ ବିଚ୍ଛେଦ ହୋଇଥିବା ଲୋକମାନଙ୍କ ଦ୍ୱାରା ଗଠିତ ଏବଂ ତାହା ଶୟତାନର ଅଧିନରେ ଅଛି । (୧ ଯୋହନ ୫:୧୯) ଏହି ଜଗତ ଖ୍ରୀଷ୍ଟୀୟ ମଣ୍ଡଳୀଠାରୁ ଅଧିକ ବୃହତର ଏବଂ ସ୍ୱୟଂ ଶୟତାନ ମଣିଷଠାରୁ ଅଧିକ ଶକ୍ତିଶାଳୀ । ତଥାପି ଏହି ଜଗତର ଘୃଣାଭାବ ଏକ ବୃହତମ ଧମକ । ଯୀଶୁଙ୍କ ଅନୁଗମନକାରୀମାନେ କେଉଁଠାରେ ଆଧ୍ୟାତ୍ମିକ ସୁରକ୍ଷା ପାଇପାରିବେ? ଡ଼ିସେମ୍ବର ୧, ୧୯୨୨ ରେ ପ୍ରକାଶ ପାଇଥିବା ପ୍ରହରୀଦୁର୍ଗର ଏକ ଲେଖାର ମନ୍ତବ୍ୟ ଏହାର ଉତ୍ତର ଦିଏ: “ଆମେ ବର୍ତ୍ତମାନ ଦୁର୍ଦିନରେ ବାସ କରୁଅଛୁ । ଶୟତାନର ସଙ୍ଗଠନ ଓ ପରମେଶ୍ୱରଙ୍କ ସଙ୍ଗଠନ ମଧ୍ୟରେ ଯୁଦ୍ଧ ଚାଲୁଅଛି । ଏହା ଏକ ଦୁର୍ଦ୍ଦାନ୍ତ ଯୁଦ୍ଧ ।” ଏହି ସଙ୍ଘର୍ଷ ପାଇଁ ପରମେଶ୍ୱରଙ୍କ ସଙ୍ଗଠନ ଏକ ଆଧ୍ୟାତ୍ମିକ ସୁରକ୍ଷା ସ୍ଥଳ । “ସଙ୍ଗଠନ” ଶବ୍ଦ ବାଇବଲରେ ଦେଖାଦିଏ ନାହିଁ ଏବଂ ୧୯୨୦ ର ଦଶାବ୍ଦରେ, “ପରମେଶ୍ୱରଙ୍କ ସଙ୍ଗଠନ” ଏକ ନୂତନ ଅଭିବ୍ୟକ୍ତି ଥିଲା । ତାହାହେଲେ ଏହି ସଙ୍ଗଠନ କʼଣ? ଏବଂ ଆମେ ଏଥିରେ କିପରି ସୁରକ୍ଷା ପାଇ ପାରିବା?
ଯିହୋବାଙ୍କ ସଙ୍ଗଠନ
୩, ୪. (କ) ଗୋଟିଏ ଡିସ୍କନାରୀ ଓ ପ୍ରହରୀଦୁର୍ଗ ଅନୁସାରେ ସଙ୍ଗଠନ କʼଣ? (ଖ) କେଉଁ ଅର୍ଥରେ ଯିହୋବା ସାକ୍ଷୀମାନଙ୍କ ବିଶ୍ୱାବ୍ୟାପୀ ଭାତୃତ୍ୱଭାବକୁ ସଙ୍ଗଠନ କୁହାଯାଏ?
୩ କନ୍ସାଇସ ଅକ୍କଫୋଡ ଡିକ୍ସନାରୀ ମତରେ ସଙ୍ଗଠନ “ଏକ ସଙ୍ଗଠିତ ସମୂହ ।” ସେହି ଅନୁସାରେ ଆମେ ବୁଝିପାରୁ ଯେ, ପ୍ରେରିତମାନେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିଆନମାନଙ୍କୁ ଯିରୂଶାଲମରେ, ପରିଚାଳକ ସମିତିର ତତ୍ୱାବଧାନରେ ସ୍ଥାନୀୟ ମଣ୍ଡଳୀରେ ସଙ୍ଗଠିତ କରିଥିଲେ, ତେଣୁ ସେହି ‘ଭାଇମାନଙ୍କ’ ସଙ୍ଘକୁ ସଙ୍ଗଠନ କହିବା ଉଚିତ୍ । (୧ ପିତର ୨:୧୭) ଆଜି ଯିହୋବା ସାକ୍ଷୀମାନଙ୍କର ସେହିପରି ଏକ ସଙ୍ଗଠନାତ୍ମକ ସଂସ୍ଥାନ ଅଛି । ପ୍ରଥମ ଶତାବ୍ଦୀରେ ଥିବା ସମିତିର ଏକତା “ପାଳକ ଓ ଶିକ୍ଷକରୂପେ” ପ୍ରାପ୍ତ ‘ମନୁଷ୍ୟମାନଙ୍କ ବରଦାନ’ ଦ୍ୱାରା ସୁଦୃଢ଼ ହୋଇଥିଲା । ସେମାନଙ୍କ ମଧ୍ୟରୁ କେତେକ ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ପରିଭ୍ରମଣ କରୁଥିଲାବେଳେ ଅନ୍ୟମାନେ ସ୍ଥାନୀୟ ମଣ୍ଡଳୀଗୁଡ଼ିକରେ ପ୍ରାଚୀନ ଥିଲେ । (ଏଫିସୀୟ ୪:୮, ୧୧, ୧୨; ପ୍ରେରିତ ୨୦:୨୮) ସେହି ପ୍ରକାର ‘ବରଦାନ’ ଆଜି ଯିହୋବା ସାକ୍ଷୀମାନଙ୍କ ଏକତାକୁ ସୁଦୃଢ଼ କରେ ।
୪ ୧୯୨୨ ମସିହା ନଭେମ୍ବର ୧ ତାରିଖର ପ୍ରହରୀଦୁର୍ଗ “ସଙ୍ଗଠନ” ଶବ୍ଦ ବିଷୟରେ କହେ: “ସଙ୍ଗଠନର ଅର୍ଥ, କୌଣସି ଗୋଟିଏ ଉଦ୍ଦେଶ୍ୟକୁ ସଫଳ କରିବା ନିମିତ୍ତ ଲୋକମାନଙ୍କ ଦ୍ୱାରା ଗଠିତ ସଙ୍ଘ ।” ପ୍ରହରୀଦୁର୍ଗ ବୁଝାଇଥିଲା ଯେ, ଯିହୋବା ସାକ୍ଷୀମାନଙ୍କୁ ଏକ ସଙ୍ଗଠନ କହିବା ଦ୍ୱାରା ସେମାନଙ୍କୁ “ଏକ ସମ୍ପ୍ରଦାୟ ଅର୍ଥରେ ନୁହେଁ, ଯେପରି ସେହି ଶବ୍ଦ ବ୍ୟବହାର କରାଯାଏ, କିନ୍ତୁ ଏହାର ଅର୍ଥ ବୁଝାଏ ଯେ, ବାଇବଲ ଛାତ୍ରମାନେ [ଯିହୋବା ସାକ୍ଷୀମାନେ] ପରମେଶ୍ୱରଙ୍କ ଉଦ୍ଦେଶ୍ୟ ପାଳନ କରିବାକୁ ଉଦ୍ୟମ କରୁଛନ୍ତି ଏବଂ ପ୍ରଭୁ ଯେପରି ଶୃଙ୍ଖଳିତ ରୀତିରେ ସବୁ କରନ୍ତି, ସେହିପରି ସେମାନେ ମଧ୍ୟ କରନ୍ତି ।” (୧ କରିନ୍ଥୀୟ ୧୪:୩୩) ପ୍ରେରିତ ପାଉଲ ଦର୍ଶାଇଥିଲେ ଯେ, ତାହାଙ୍କ ଦିନରେ ଖ୍ରୀଷ୍ଟିଆନମାନେ ସେହିପରି ଶୃଙ୍ଖଳିତ ରୀତିରେ କାର୍ଯ୍ୟ କରୁଥିଲେ । ଅଭିଷିକ୍ତ ଖ୍ରୀଷ୍ଟିଆନମାନଙ୍କ ଭାତୃତ୍ୱଭାବକୁ ମାନବ ଶରୀର ସହିତ ତୁଳନା କରିଥିଲେ । ଏହି ଶରୀରର ଅନେକ ଅବୟବ ଅଛି, ପ୍ରତ୍ୟେକ ପ୍ରତ୍ୟେକଙ୍କ କାର୍ଯ୍ୟ କରୁଛନ୍ତି, ସୁତରାଂ ଶରୀର ଉତ୍ତମରୂପେ କାର୍ଯ୍ୟ କରିପାରିବ । (୧ କରିନ୍ଥୀୟ ୧୨:୧୨-୨୬) ଏହା ସଙ୍ଗଠନର ଏକ ଉତ୍କୃଷ୍ଟତମ ଉଦାହରଣ ! ଖ୍ରୀଷ୍ଟିଆନମାନେ କାହିଁକି ସଙ୍ଗଠିତ ହୋଇଥିଲେ? “ପରମେଶ୍ୱରଙ୍କ ଉଦ୍ଦେଶ୍ୟ” ଓ ଯିହୋବାଙ୍କ ଇଚ୍ଛା ସାଧନ କରିବା ପାଇଁ ।
୫. ପରମେଶ୍ୱରଙ୍କ ଦୃଶ୍ୟମାନ ସଙ୍ଗଠନ କʼଣ?
୫ ବାଇବଲ ଭବିଷ୍ୟତବାଣୀ କରିଥିଲା ଯେ, ଦିନେ ପ୍ରକୃତ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଏକତା ହେବ, ଅର୍ଥାତ୍ ଗୋଟିଏ ‘ଗୋଷ୍ଠୀରୂପେ’ ଗୋଟିଏ ‘ଦେଶରେ’ ଏକାଠି ହେବେ, ଯେଉଁଠାରେ ସେମାନେ ‘ଜଗତର ଜ୍ୟୋତିସ୍ୱରୂପେ ପ୍ରକାଶ ପାଇବେ ।’ (ଯିଶାଇୟ ୬୬:୮; ଫିଲିପ୍ପୀୟ ୨:୧୫) ଆଜି ଏହି ସଙ୍ଗଠିତ ‘ଗୋଷ୍ଠୀର’ ସଂଖ୍ୟା ପଞ୍ଚାବନ ଲକ୍ଷରୁ ଅଧିକ । (ଯିଶାଇୟ ୬୦:୮-୧୦, ୨୨) କିନ୍ତୁ ପରମେଶ୍ୱରଙ୍କ ସଙ୍ଗଠନର ଏହା ପୂର୍ଣ୍ଣ ପ୍ରତିଛବି ନୁହେଁ । ସ୍ୱର୍ଗଦୂତମାନେ ମଧ୍ୟ ଏଥିରେ ସମ୍ମିଳିତ ।
୬. ବ୍ୟାପକ ଅର୍ଥରେ କେଉଁମାନଙ୍କ ଦ୍ୱାରା ପରମେଶ୍ୱରଙ୍କ ସଙ୍ଗଠନ ଗଠିତ ହୁଏ?
୬ ସ୍ୱର୍ଗଦୂଦମାନେ ପରମେଶ୍ୱରଙ୍କ ଦାସମାନଙ୍କ ସହିତ କାର୍ଯ୍ୟ କରୁଥିବାର ଅନେକ ଦୃଷ୍ଟାନ୍ତ ଅଛି । (ଆଦିପୁସ୍ତକ ୨୮:୧୨; ଦାନିୟେଲ ୧୦:୧୨-୧୪; ୧୨:୧; ଏବ୍ରୀ ୧:୧୩, ୧୪; ପ୍ରକାଶିତ ବାକ୍ୟ ୧୪:୧୪-୧୬) ୧୯୨୫ ମସିହା ମେ ୧୫ ର ପ୍ରହରୀଦୁର୍ଗ କହେ: “ସମସ୍ତ ପବିତ୍ର ସ୍ୱର୍ଗଦୂତମାନେ ପରମେଶ୍ୱରଙ୍କ ସଙ୍ଗଠନର ଏକ ଅଂଶ ଅଟନ୍ତି ।” ଅତିରିକ୍ତଭାବେ ଏହା କହେ: “ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରମେଶ୍ୱରଙ୍କ ସଙ୍ଗଠନର ମସ୍ତକସ୍ୱରୂପ [ଅଟନ୍ତି], ତାହାଙ୍କ ପାଖରେ ସମସ୍ତ ଶକ୍ତି ଓ ଅଧିକାର ଅଛି ।” (ମାଥିଉ ୨୮:୧୮) ତଥାପି ବ୍ୟାପକ ଅର୍ଥରେ ପରମେଶ୍ୱରଙ୍କ ସଙ୍ଗଠନ, ସ୍ୱର୍ଗ ଓ ପୃଥିବୀରେ ଥିବା ସମସ୍ତ ପ୍ରାଣୀମାନଙ୍କୁ ନେଇ ଗଠିତ, ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ଏକାଠି କାର୍ଯ୍ୟ କରନ୍ତି । (ବକ୍ସ ଦେଖନ୍ତୁ ।) ଏହି ସଙ୍ଗଠନର ଜଣେ ସଦସ୍ୟ ହେବା କେତେ ଭଲ ସୁଯୋଗ ! ଯେତେବେଳେ ସ୍ୱର୍ଗସ୍ଥ ଓ ପୃଥିବୀସ୍ଥ ସମସ୍ତ ଜୀବନ୍ତ ପ୍ରାଣୀ ଏକତାବଦ୍ଧ ହୋଇ ଯିହୋବା ପରମେଶ୍ୱରଙ୍କୁ ପ୍ରଶଂସା କରିବାରେ ସଙ୍ଗଠିତ ହେବେ, ସେହି ସମୟର ପ୍ରତ୍ୟାଶା କରିବା ଆଜି କେତେ ଆନନ୍ଦମୟ ! (ପ୍ରକାଶିତ ବାକ୍ୟ ୫:୧୩, ୧୪) କିନ୍ତୁ, ପରମେଶ୍ୱରଙ୍କ ସଙ୍ଗଠନ ଆଜି କେଉଁ ସୁରକ୍ଷା ପ୍ରଦାନ କରେ?
ପରମେଶ୍ୱରଙ୍କ ସଙ୍ଗଠନରେ ସୁରକ୍ଷା—କିପରି?
୭. କେଉଁ ପ୍ରକାରେ ପରମେଶ୍ୱରଙ୍କ ସଙ୍ଗଠନ ଆମକୁ ସୁରକ୍ଷା ଦିଏ?
୭ ପରମେଶ୍ୱରଙ୍କ ସଙ୍ଗଠନ, ଶୟତାନ ଓ ତାʼର ଛଳନାରୁ ଆମକୁ ରକ୍ଷା କରିବାରେ ସାହାଯ୍ୟ କରିପାରିବ । (ଏଫିସୀୟ ୬:୧୧) ଶୟତାନ କେବଳ ତାʼର ମନରେ ଗୋଟିଏ ମାତ୍ର ଲକ୍ଷ ରଖି ଯିହୋବାଙ୍କ ଉପାସକମାନଙ୍କ ଉପରେ ଚାପ ପକାଏ, ଯାତନା ଦିଏ ଓ ପ୍ରଲୋଭିତ କରେ । ତାʼର ଲକ୍ଷ: ‘ସେମାନେ ଯେଉଁ ଗନ୍ତବ୍ୟ ପଥରେ ଚାଲିବା ଉଚିତ୍’ ସେଥିରୁ ସେମାନଙ୍କୁ ଟାଣିନେବା । (ଯିଶାଇୟ ୪୮:୧୭. ମାଥିଉ ୪:୧-୧୧ ପଦଗୁଡ଼ିକ ସହିତ ତୁଳନା କରନ୍ତୁ ।) ଏହି ବିଦ୍ଧିବ୍ୟବସ୍ଥାରେ ଶୟତାନର ଆକ୍ରମଣଗୁଡ଼ିକଠାରୁ ଆମେ କେବେହେଲେ ସମ୍ପୂର୍ଣ୍ଣରୂପେ ଦୂରରେ ରହି ପାରିବା ନାହିଁ । କିନ୍ତୁ, ପରମେଶ୍ୱର ଓ ତାଙ୍କର ସଙ୍ଗଠନ ସହିତ ଘନିଷ୍ଠ ସମ୍ପର୍କ ଆମକୁ ଶକ୍ତି ଓ ସୁରକ୍ଷା ପ୍ରଦାନ କରେ ଏବଂ ସେହି “ଗନ୍ତବ୍ୟ ପଥରେ” ଚାଲିବାକୁ ସାହାଯ୍ୟ କରେ । ଫଳସ୍ୱରୂପେ ଆମେ ଆମର ଆଶାକୁ ହରାଇବା ନାହିଁ ।
୮. ଯିହୋବାଙ୍କ ଅଦୃଶ୍ୟମାନ ସଙ୍ଗଠନ କିପରି ତାଙ୍କର ପାର୍ଥିବ ଦାସମାନଙ୍କୁ ସାହାଯ୍ୟ କରେ?
୮ ପରମେଶ୍ୱରଙ୍କ ସଙ୍ଗଠନ କିପରି ଏହି ସୁରକ୍ଷା ପ୍ରଦାନ କରେ? ପ୍ରଥମତଃ ଆମକୁ ଯିହୋବାଙ୍କ ଆତ୍ମିକ ଦାସମାନଙ୍କର ସାହାଯ୍ୟ ସବୁବେଳେ ମିଳେ । ଯେତେବେଳେ ଯୀଶୁ ଅତିଶୟ ଚାପ ଅନୁଭବ କରୁଥିଲେ, ତାଙ୍କୁ ଜଣେ ସ୍ୱର୍ଗଦୂତ ସେବାଶୁଶ୍ରୂଷା କରିଥିଲେ । (ଲୂକ ୨୨:୪୩) ଯେତେବେଳେ ପିତର ମୃତ୍ୟୁର ଭୟରେ ଥିଲେ, ସେ ଜଣେ ସ୍ୱର୍ଗଦୂଦଙ୍କ ଦ୍ୱାରା ଅଲୌକିକଭାବେ ରକ୍ଷା ପାଇଥିଲେ । (ପ୍ରେରିତ ୧୨:୬-୧୧) ଆଜି ଏପରି ଆଶ୍ଚର୍ଯ୍ୟଜନକ କାର୍ଯ୍ୟ ହେଉ ନଥିବା ସତ୍ୱେ ମଧ୍ୟ ଯିହୋବା ନିଜର ଲୋକମାନଙ୍କୁ ତାଙ୍କର ପ୍ରଚାର କାର୍ଯ୍ୟରେ ସ୍ୱର୍ଗୀୟ ସାହାଯ୍ୟ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି । (ପ୍ରକାଶିତ ବାକ୍ୟ ୧୪:୬, ୭) ସେମାନେ ଯେତେବେଳେ କଠିନ ପରିସ୍ଥିତିର ସମ୍ମୁଖୀନ ହୁଅନ୍ତି, ସେତେବେଳେ ସେମାନେ ଅସାଧାରଣ ଶକ୍ତି ପାଆନ୍ତି । (୨ କରିନ୍ଥୀୟ ୪:୭) ଅଧିକନ୍ତୁ, ସେମାନେ ସଚେତିତ ଯେ, “ଯେଉଁମାନେ ସଦାପ୍ରଭୁ [ଯିହୋବାଙ୍କୁ] ଭୟ କରନ୍ତି, ତାହାଙ୍କର ଦୂତ ସେମାନଙ୍କ ଚାରିଆଡ଼େ ଛାଉଣ କରି ସେମାନଙ୍କୁ ଉଦ୍ଧାର କରନ୍ତି ।”—ଗୀତସଂହିତା ୩୪:୭.
୯, ୧୦. “[ଯିହୋବାଙ୍କ] ନାମ ଦୃଢ଼ ଗଡ଼” ବୋଲି କିପରି କୁହାଯାଇ ପାରେ, ଏବଂ ପରମେଶ୍ୱରଙ୍କ ସମ୍ପୂର୍ଣ୍ଣ ସଙ୍ଗଠନରେ ଏହି ସିଦ୍ଧାନ୍ତ କିପରି ପ୍ରୟୋଗ କରାଯାଏ?
୯ ଯିହୋବାଙ୍କ ଦୃଶ୍ୟମାନ ସଙ୍ଗଠନ ମଧ୍ୟ ଗୋଟିଏ ସୁରକ୍ଷା ସ୍ଥଳ ଅଟେ । କିପରି? ହିତୋପଦେଶ ୧୮:୧୦ ପଦରେ ଆମେ ପଢ଼ୁ: “ସଦାପ୍ରଭୁ [ଯିହୋବାଙ୍କ] ନାମ ଦୃଢ଼ ଗଡ଼; ଧାର୍ମିକ ଲୋକ ତହିଁକି ପଳାଇ ରକ୍ଷା ପାଏ ।” କିନ୍ତୁ ଏହାର ଅର୍ଥ ପ୍ରକାଶ କରେ ନାହିଁ ଯେ, କେବଳ ବାରଂବାର ପରମେଶ୍ୱରଙ୍କ ନାମ ଉଚ୍ଚାରଣ କଲେ ସୁରକ୍ଷା ମିଳେ । ବରଂ ଯିହୋବାଙ୍କ ନାମରେ ଆଶ୍ରୟ ନେବା ଦ୍ୱାରା ଆମେ କେବଳ ତାଙ୍କୁ ଭରଷା କରୁ ବୋଲି ପ୍ରତୀୟମାନ ହୁଏ । (ଗୀତସଂହିତା ୨୦:୧; ୧୨୨:୪) ଏହାର ଅର୍ଥ ତାହାଙ୍କ ସାର୍ବଭୌମତ୍ୱର ସମର୍ଥନ କରିବା ଏବଂ ନିୟମ ଓ ସିଦ୍ଧାନ୍ତକୁ ମାନିବା ଏବଂ ତାହାଙ୍କ ପ୍ରତିଜ୍ଞାରେ ବିଶ୍ୱାସ ରଖିବା । (ଗୀତସଂହିତା ୮:୧-୯; ଯିଶାଇୟ ୫୦:୧୦; ଏବ୍ରୀ ୧୧:୬) ଯିହୋବାଙ୍କୁ ଅନନ୍ୟ ଭକ୍ତି କରିବା ଏଥିରେ ସମ୍ମିଳିତ । କେବଳ ଯେଉଁମାନେ ଯିହୋବାଙ୍କୁ ଏହିପରି ଭାବେ ଉପାସନା କରନ୍ତି, ସେମାନେ ଦାଉଦଙ୍କ ଭଳି କହିପାରିବେ: “ଆମ୍ଭମାନଙ୍କ ଅନ୍ତଃକରଣ [ଯିହୋବାଙ୍କଠାରେ] ଆନନ୍ଦ କରିବ, କାରଣ ଆମ୍ଭେମାନେ ତାହାଙ୍କ ପବିତ୍ର ନାମରେ ବିଶ୍ୱାସ କରୁଅଛୁ ।”—ଗୀତସଂହିତା ୩୩:୨୧; ୧୨୪:୮.
୧୦ ଯେଉଁମାନେ ବର୍ତ୍ତମାନ ପରମେଶ୍ୱରଙ୍କ ଦୃଶ୍ୟମାନ ସଙ୍ଗଠନରେ ଅଛନ୍ତି, ସେମାନେ ମୀଖାଙ୍କ ସହିତ କହୁଛନ୍ତି: “ଆମ୍ଭେମାନେ ଅନନ୍ତକାଳଯାଏ ସଦାପ୍ରଭୁ [ଯିହୋବା] ଆମ୍ଭମାନଙ୍କ ପରମେଶ୍ୱରଙ୍କ ନାମରେ ଚାଲିବା ।” (ମୀଖା ୪:୫) ଆଧୁନିକ ଦିନର ସଙ୍ଗଠନ “ଇଶ୍ୱରଙ୍କର ଇସ୍ରାଏଲ” ଚାରିପଟେ ଏକତ୍ରିତ ହୋଇଅଛି, ଯାହାକୁ ବାଇବଲରେ “ଆପଣା ନାମ ନିମନ୍ତେ . . . ଦଳେ ଲୋକ” ବୋଲି କୁହାଯାଇଛି । (ଗାଲାତୀୟ ୬:୧୬; ପ୍ରେରିତ ୧୫:୧୪; ଯିଶାଇୟ ୪୩:୬, ୭; ୧ ପିତର ୨:୧୭) ତାହାହେଲେ, ଯିହୋବାଙ୍କ ସଙ୍ଗଠନର ସଦସ୍ୟ ହେବାର ଅର୍ଥ, ଦଳେ ଲୋକଙ୍କ ଭିତରେ ସମ୍ମିଳିତ ହେବା, ଯେଉଁମାନେ ପରମେଶ୍ୱରଙ୍କ ନାମରେ ଖୋଜନ୍ତି ଓ ସୁରକ୍ଷା ପାଆନ୍ତି ।
୧୧. ଯେଉଁମାନେ ଯିହୋବାଙ୍କ ସଙ୍ଗଠନର ସଦସ୍ୟ ଅଟନ୍ତି, ସେମାନଙ୍କୁ କେଉଁ ନିର୍ଦ୍ଦିଷ୍ଟ ମାର୍ଗରେ ଏହି ସଙ୍ଗଠନ ସୁରକ୍ଷା ପ୍ରଦାନ କରେ?
୧୧ ଏହାଛଡ଼ା, ପରମେଶ୍ୱରଙ୍କ ଦୃଶ୍ୟମାନ ସଙ୍ଗଠନ ବିଶ୍ୱାସ କରୁଥିବା ଦଳେ ଲୋକଙ୍କ ସମାଜ, ଅର୍ଥାତ୍ ସହ-ବିଶ୍ୱାସୀମାନଙ୍କର ସଂସ୍ଥା, ଯେଉଁମାନେ ପରସ୍ପରକୁ ଉତ୍ସାହିତ କରନ୍ତି । (ହିତୋପଦେଶ ୧୩:୨୦; ରୋମୀୟ ୧:୧୨) ଏହା ସେହି ସ୍ଥାନ, ଯେଉଁଠାରେ ଖ୍ରୀଷ୍ଟିଆନ ପାଳକମାନେ ସେମାନଙ୍କ ମେଷମାନଙ୍କର ଯତ୍ନ ନିଅନ୍ତି, ଅସୁସ୍ଥ ଓ ହତୋତ୍ସାହିତ ଲୋକମାନଙ୍କୁ ଉତ୍ସାହିତ କରନ୍ତି ଏବଂ ଯେଉଁମାନେ ଆତ୍ମିକ ସ୍ତରରୁ ତଳକୁ ଖସିପଡ଼ନ୍ତି, ସେମାନଙ୍କୁ ପୁନଃସ୍ଥାପିତ କରିବାକୁ ପ୍ରଚେଷ୍ଟା କରନ୍ତି । (ଯିଶାଇୟ ୩୨:୧, ୨; ୧ ପିତର ୫:୨-୪) “ବିଶ୍ୱସ୍ତ ଓ ବୁଦ୍ଧିମାନ୍ ଦାସ[ମାନେ]” ସଙ୍ଗଠନ ମାଧ୍ୟମରେ “ଯଥାସମୟରେ ପଡ଼ି [ଖାଦ୍ୟ, OCB]” ଯୋଗାନ୍ତି । (ମାଥିଉ ୨୪:୪୫) ସେହି ‘ଦାସମାନେ’ ଅଭିଷିକ୍ତ ଖ୍ରୀଷ୍ଟିଆନମାନଙ୍କ ଦ୍ୱାରା ଗଠିତ, ସେମାନେ ସବୁଠାରୁ ଉତ୍କୃଷ୍ଟ ଆତ୍ମିକ ଜିନିଷ ଯୋଗାନ୍ତି । ଏହା ଯଥାର୍ଥ ବାଇବଲ ଭିତ୍ତିକ ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରିପାରେ । (ଯୋହନ ୧୭:୩) ‘ଦାସମାନଙ୍କର’ ପିରିଚାଳନା ଦ୍ୱାରା ଖ୍ରୀଷ୍ଟିଆନମାନଙ୍କୁ ଉଚ୍ଚ ନୈତିକ ମାନର ପାଳନ ଏବଂ ସେମାନଙ୍କ ଚାରିପାଖର ବିପଜ୍ଜନକ ପରିସ୍ଥିତିରେ “ସର୍ପ ପରି ବୁଦ୍ଧିମାନ୍ ଓ କପୋତ ପରି ଅହିଂସକ” ହେବା ନିମନ୍ତେ ସାହାଯ୍ୟ ମିଳେ । (ମାଥିଉ ୧୦:୧୬) ସେମାନଙ୍କୁ ସର୍ବଦା ‘ପ୍ରଭୁଙ୍କ କାର୍ଯ୍ୟରେ ଅଧିକରୁ ଅଧିକ ଯତ୍ନବାନ୍’ ଦେବା ପାଇଁ ସାହାଯ୍ୟ କରାଯାଉଛି, ଏହା ଏକ ଶକ୍ତିଶାଳୀ ସୁରକ୍ଷା ।—୧ କରିନ୍ଥୀୟ ୧୫:୫୮.
କେଉଁମାନେ ପରମେଶ୍ୱରଙ୍କ ସଙ୍ଗଠନର ସଦସ୍ୟ ଅଟନ୍ତି?
୧୨. ପରମେଶ୍ୱରଙ୍କ ସ୍ୱର୍ଗୀୟ ସଙ୍ଗଠନର ସଦସ୍ୟଭାବେ କେଉଁମାନଙ୍କୁ ଚିହ୍ନଟ କରାଯାଏ?
୧୨ ଯେଉଁମାନେ ପରମେଶ୍ୱରଙ୍କ ସଙ୍ଗଠନର ସଦସ୍ୟ ଅଟନ୍ତି, ସେମାନଙ୍କୁ ଏହି ସୁରକ୍ଷା ମିଳେ, ତାହାହେଲେ କେଉଁମାନେ ଏହି ସୁରକ୍ଷାରେ ସମ୍ମିଳିତ? ସ୍ୱର୍ଗୀୟ ସଙ୍ଗଠନ ସମ୍ବନ୍ଧରେ ଏହି ପ୍ରଶ୍ନର ଉତ୍ତର ସ୍ପଷ୍ଟ ଅଟେ । ଶୟତାନ ଓ ତାହାର ଦୂତମାନେ ଆଉ ସ୍ୱର୍ଗରେ ନାହାନ୍ତି । ଅନ୍ୟ ପକ୍ଷରେ, ବିଶ୍ୱାସୀ ସ୍ୱର୍ଗଦୂତମାନେ ସେଠାରେ ହେଉଥିବା ‘ମହୋତ୍ସବରେ’ ଏପର୍ଯ୍ୟନ୍ତ ଉପସ୍ଥିତ ହୁଅନ୍ତି । ପ୍ରେରିତ ଯୋହନ ଦେଖିଥିଲେ ଯେ, ଶେଷକାଳରେ “ଏକ ମେଷଶାବକ,” କିରୁବଗଣ (“ଚାରି ପ୍ରାଣୀ”), ଏବଂ ‘ଅନେକ ଦୂତ’ ପରମେଶ୍ୱରଙ୍କ ସିଂହାସନ ସମ୍ମୁଖରେ ଉପସ୍ଥିତ ହେବେ । ସେମାନଙ୍କ ସହିତ ୨୪ ଜଣ ପ୍ରାଚୀନ ରହିବେ । ଏହି ପ୍ରାଚୀନମାନେ ସେହି ଅଭିଷିକ୍ତ ଖ୍ରୀଷ୍ଟିଆନମାନଙ୍କ ପ୍ରତିନିଧିତ୍ୱ କରନ୍ତି, ଯେଉଁମାନଙ୍କୁ ମହିମାମୟ ସ୍ୱର୍ଗୀୟ ଉତ୍ତରାଧିକାର ମିଳି ଯାଇଛି । (ଏବ୍ରୀ ୧୨:୨୨, ୨୩; ପ୍ରକାଶିତ ବାକ୍ୟ ୫:୬, ୧୧; ୧୨:୭-୧୨) ସ୍ପଷ୍ଟଭାବେ ସମସ୍ତେ ପରମେଶ୍ୱରଙ୍କ ସଙ୍ଗଠନର ସଦସ୍ୟ । କିନ୍ତୁ ମନୁଷ୍ୟଙ୍କ ସମ୍ବନ୍ଧରେ ଏହି ପ୍ରଶ୍ନର ଉତ୍ତର ଏତେ ସ୍ପଷ୍ଟ ନୁହେଁ ।
୧୩. ଯେଉଁମାନେ ପରମେଶ୍ୱରଙ୍କ ସଙ୍ଗଠନର ସଦସ୍ୟ ଏବଂ ଯେଉଁମାନେ ପରମେଶ୍ୱରଙ୍କ ସଙ୍ଗଠନର ସଦସ୍ୟ ନୁହନ୍ତି, ସେମାନଙ୍କୁ ଯୀଶୁ କିପରି ଚିହ୍ନି ପାରିଥିଲେ?
୧୩ ଯୀଶୁଙ୍କୁ ଅନୁଗମନ କରିବା ପାଇଁ ଦାବୀ କରୁଥିବା କେତେକ ବ୍ୟକ୍ତି ସମ୍ବନ୍ଧରେ ସେ କହିଥିଲେ: “ସେଦିନ ଅନେକେ ମୋତେ କହିବେ, ହେ ପ୍ରଭୁ, ହେ ପ୍ରଭୁ, ଆମ୍ଭେମାନେ କି ତୁମ୍ଭ ନାମରେ ଭାବବାଣୀ କହିଲୁ ନାହିଁ? ପୁଣି, ତୁମ୍ଭ ନାମରେ କି ଭୂତମାନଙ୍କୁ ଛଡ଼ାଇଲୁ ନାହିଁ? ଆଉ, ତୁମ୍ଭ ନାମରେ କି ଅନେକ ଶକ୍ତିର କାର୍ଯ୍ୟ କଲୁ ନାହିଁ? ସେତେବେଳେ ମୁଁ ସେମାନଙ୍କୁ ସ୍ପଷ୍ଟ ରୂପେ କହିବି, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣି ନାହିଁ । ହେ ଅଧର୍ମାଚାରୀମାନେ, ମୋʼ ପାଖରୁ ଦୂର ହୁଅ ।” (ମାଥିଉ ୭:୨୨, ୨୩) ଯଦି କେହି ଜଣେ ଅଧର୍ମ କାର୍ଯ୍ୟରେ ଜଡ଼ିତ ହୁଏ, ତେବେ ସେ ନିଶ୍ଚିତଭାବେ ପରମେଶ୍ୱରଙ୍କ ସଙ୍ଗଠନର ସଦସ୍ୟ ହୋଇପାରିବ ନାହିଁ, ସେ ଯାହା ବି ଦାବୀ କରୁ ନା କାହିଁକି ଏବଂ ସେ କେଉଁଠାକୁ ଉପାସନା କରିବାକୁ ଯାଉ ନା କାହିଁକି । ଯୀଶୁ ଏହା ମଧ୍ୟ ଦର୍ଶାଇଥିଲେ ଯେ, ପରମେଶ୍ୱରଙ୍କ ସଙ୍ଗଠନର ପ୍ରକୃତ ସଦସ୍ୟ ବୋଲି କିପରି ଜଣକୁ ଚିହ୍ନଟ କରାଯାଇ ପାରିବ । ସେ କହିଥିଲେ: “ମୋତେ ପ୍ରଭୁ, ପ୍ରଭୁ ବୋଲି ଡ଼ାକନ୍ତି, ଏପରି ପ୍ରତ୍ୟେକେ ସ୍ୱର୍ଗରାଜ୍ୟରେ ପ୍ରବେଶ କରିବେ ନାହିଁ, ମାତ୍ର ଯେ ମୋହର ସ୍ୱର୍ଗସ୍ଥ ପିତାଙ୍କ ଇଚ୍ଛା ସାଧନ କରେ, ସେ ପ୍ରବେଶ କରିବ ।”—ମାଥିଉ ୭:୨୧.
୧୪. ଯେଉଁମାନେ ପରମେଶ୍ୱରଙ୍କ ସଙ୍ଗଠନର ସଦସ୍ୟ ଅଟନ୍ତି, ସେମାନଙ୍କ ଉପରେ ପରମେଶ୍ୱରଙ୍କ ଇଚ୍ଛାର କେଉଁ ବିଶେଷତାଗୁଡ଼ିକ ବାଧ୍ୟତାମୂଳକଭାବେ ଚିହ୍ନଟ କରାଯାଏ?
୧୪ ଯଦି ଜଣେ ବ୍ୟକ୍ତି ପରମେଶ୍ୱରଙ୍କ ସଙ୍ଗଠନର—ଯାହାର ମୁଖ୍ୟ ଅଂଶ ‘ସ୍ୱର୍ଗରାଜ୍ୟ’—ସଦସ୍ୟ ହୁଏ, ତେବେ ସେ ପରମେଶ୍ୱରଙ୍କ ଇଚ୍ଛା ପାଳନ କରିବାକୁ ହେବ । ତାଙ୍କର ଇଚ୍ଛା କʼଣ? ଏହା କହିଲା ବେଳେ ପାଉଲ ଏହାର ମୁଖ୍ୟ ବିଶେଷତା ଦର୍ଶାଇ ଥିଲେ: “ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା [ପରମେଶ୍ୱର] ଇଚ୍ଛା କରନ୍ତି ।” (୧ ତୀମଥି ୨:୪) ଯଦି ଜଣେ ବ୍ୟକ୍ତି ପ୍ରକୃତରେ ବାଇବଲର ଯଥାର୍ଥ ଜ୍ଞାନ ହାସଲ କରିବାକୁ ଚେଷ୍ଟା କରେ ଓ ତାହା ନିଜ ଜୀବନରେ ପ୍ରୟୋଗ କରେ ଏବଂ ‘ସମସ୍ତ ଲୋକଙ୍କ’ ପାଖରେ ଏହାକୁ କୁହେ, ତେବେ ସେ ପରମେଶ୍ୱରଙ୍କ ଇଚ୍ଛା ସାଧନ କରୁଅଛି । (ମାଥିଉ ୨୮:୧୯, ୨୦; ରୋମୀୟ ୧୦:୧୩-୧୫) ଯିହୋବାଙ୍କ ମେଷମାନଙ୍କୁ ଖାଇବାକୁ ଦିଆଯାଉ ଓ ମେଷମାନଙ୍କର ଯତ୍ନ ଦିଆଯାଉ, ଏହା ମଧ୍ୟ ପରମେଶ୍ୱରଙ୍କ ଇଚ୍ଛା । (ଯୋହନ ୨୧:୧୫-୧୭) ଖ୍ରୀଷ୍ଟିଆନ ସଭାଗୁଡ଼ିକ ଏଥିରେ ମହତ୍ୱପୂର୍ଣ୍ଣ ଭୁମିକା ନିଭାଏ । ଯଦି ଜଣେ ବ୍ୟକ୍ତିଙ୍କର ଏହି ପ୍ରକାର ସଭାଗୁଡ଼ିକରେ ଉପସ୍ଥିତ ହେବା ପାଇଁ ସମୟ ଥାଏ, କିନ୍ତୁ ସେ ସେଥିରେ ଉପସ୍ଥିତ ହେବା ପାଇଁ ଅବହେଳା କରନ୍ତି, ତେବେ ସେ ପରମେଶ୍ୱରଙ୍କ ସଙ୍ଗଠନରେ ନିଜ ସ୍ଥାନର ସମାଦର କରନ୍ତି ନାହିଁ ।—ଏବ୍ରୀ ୧୦:୨୩-୨୫.
ଜଗତ ସହିତ ମିତ୍ରତା
୧୫. ଯାକୁବ ତାହାଙ୍କ ଦିନର ମଣ୍ଡଳୀଗୁଡ଼ିକୁ କେଉଁ ଚେତାବାଣୀ ଦେଇଥିଲେ?
୧୫ ଯୀଶୁଙ୍କ ମୃତ୍ୟୁର ୩୦ ବର୍ଷ ପରେ ତାଙ୍କର ସାବତ ଭାଇ ଯାକୁବ ଅନ୍ୟାନ୍ୟ ବିଷୟଗୁଡ଼ିକୁ ଚିହ୍ନଟ କରିଥିଲେ, ସେଗୁଡ଼ିକ ପରମେଶ୍ୱରଙ୍କ ସଙ୍ଗଠନରୁ ଜଣେ ବ୍ୟକ୍ତିର ସ୍ଥାନକୁ ବିପଦରେ ପକାଇପାରେ । ସେ ଲେଖିଥିଲେ: “ହେ ବ୍ୟଭିଚାରିଣୀମାନେ, ଜଗତର ମିତ୍ରତା ଈଶ୍ୱରଙ୍କର ଶତ୍ରୁତା, ଏହା କଅଣ ଜାଣ ନାହିଁ? ଅତଏବ ଯେକେହି ଜଗତର ମିତ୍ର ହେବାକୁ ଇଚ୍ଛା କରେ; ସେ ଆପଣାକୁ ଈଶ୍ୱରଙ୍କ ଶତ୍ରୁ ବୋଲି ପ୍ରତିପନ୍ନ କରେ ।” (ଯାକୁବ ୪:୪) ପରମେଶ୍ୱରଙ୍କ ଶତ୍ରୁ ତାଙ୍କ ସଙ୍ଗଠନର ସଦସ୍ୟ କୌଣସିରୂପେ ହୋଇପାରିବ ନାହିଁ । ତାହାହେଲେ ଜଗତ ସହିତ ମିତ୍ରତା କʼଣ? ଏହାର ବିଭିନ୍ନ ରୂପ ଅଛି ବୋଲି ବ୍ୟାଖ୍ୟା କରାଯାଥିଲା, ଯଥା କୂସଂସର୍ଗକାରୀଙ୍କ ଲାଳସା କିମ୍ବା ସେମାନଙ୍କ ସହିତ ମିଳାମିଶା କରିବା । ଅଧିକନ୍ତୁ, ଯାକୁବ କିଛି ମୁଖ୍ୟ ବିଷୟ ଉପରେ ଧ୍ୟାନ ଆକର୍ଷଣ କରିଥିଲେ ଅର୍ଥାତ୍ ଖରାପ ମାନସିକ ଧାରଣା ଯାହା ଅଶ୍ଳୀଳ ଆଚରଣଆଡ଼କୁ ପରିଚାଳିତ କରେ ।
୧୬. ଜଗତ ସହିତ ମିତ୍ରତା କରିବାର ଅର୍ଥ ପରମେଶ୍ୱରଙ୍କ ସହିତ ସତ୍ରୁତା, ଯାକୁବଙ୍କ ଏହି ସନ୍ଦର୍ଭରେ କେଉଁ ଚେତାବାଣୀ ଦେଇଥିଲେ?
୧୬ ଯାକୁବ ୪:୧-୩ ପଦ ପର୍ଯ୍ୟନ୍ତ ଆମେ ପଢ଼ିବା: “ତୁମ୍ଭମାନଙ୍କ ମଧ୍ୟରେ ଯୁଦ୍ଧ ଓ ବିବାଦ କେଉଁଠାରୁ ହୁଏ? କଅଣ ତୁମ୍ଭମାନଙ୍କ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟରେ ଯୁଦ୍ଧ କରୁଥିବା ସୁଖାଭିଳାଷରୁ ନୁହେଁ? ତୁମ୍ଭେମାନେ କାମନା କରିଥାଅ, କିନ୍ତୁ ପାଇ ନ ଥାଅ; ତୁମ୍ଭେମାନେ ବଧ ଓ ଇର୍ଷା କରିଥାଅ, କିନ୍ତୁ ପ୍ରାପ୍ତ ହେବାକୁ ଅକ୍ଷମ ହୋଇଥାଅ; ତୁମ୍ଭେମାନେ ବିବାଦ ଓ ଯୁଦ୍ଧ କରିଥାଅ, ତୁମ୍ଭେମାନେ ପାଇ ନ ଥାଅ, କାରଣ ତୁମ୍ଭେମାନେ ମାଗି ନ ଥାଅ; ତୁମ୍ଭେମାନେ ମାଗିଥାଅ, କିନ୍ତୁ ପାଇ ନ ଥାଅ, କାରଣ ଆପଣା ଆପଣା ସୁଖାଭିଳାଷରେ ବ୍ୟୟ କରିବା ନିମନ୍ତେ ମନ୍ଦ ଅଭିପ୍ରାୟରେ ମାଗିଥାଅ ।” ଏହି ବାକ୍ୟଗୁଡ଼ିକ ଲେଖିବା ପରେ ଯାକୁବ ଜଗତ ସହିତ ମିତ୍ରତା ବିରୁଦ୍ଧରେ ଚେତାବାଣୀ ଦେଇଥିଲେ ।
୧୭. ପ୍ରଥମ ସିତାବ୍ଦୀର ଖ୍ରୀଷ୍ଟୀୟ ମଣ୍ଡଳୀଗୁଡ଼ିକରେ କେଉଁ ରୀତିରେ “ଯୁଦ୍ଧ” ଓ “ବାଗ୍ଯୁଦ୍ଧ” ହେଉଥିଲା?
୧୭ ଯାକୁବଙ୍କ ମୃତ୍ୟୁର ବହୁ ଶତାବ୍ଦୀ ପରେ ଭଣ୍ଡ ଖ୍ରୀଷ୍ଟିଆନମାନେ ଯୁଦ୍ଧ କରିଥିଲେ ଏବଂ ଆକ୍ଷରିକଭାବେ ପରସ୍ପରକୁ ହତ୍ୟା କରିଥିଲେ । କିନ୍ତୁ ଯାକୁବ ପ୍ରଥମ ଶତାବ୍ଦୀର ‘ଈଶ୍ୱରଙ୍କ ଇସ୍ରାଏଲର’ ସଦସ୍ୟମାନଙ୍କୁ ଅର୍ଥାତ୍ ପ୍ରତ୍ୟାଶିତ ସ୍ୱର୍ଗୀୟ ‘ଯାଜକ ଓ ରାଜାକୁ’ ଲେଖିଥିଲେ । (ପ୍ରକାଶିତ ବାକ୍ୟ ୨୦:୬) ସେମାନେ ଆକ୍ଷରିକ ଯୁଦ୍ଧରେ ପରସ୍ପରକୁ ହତ୍ୟା କରି ନ ଥିଲେ । ତେଣୁ କାହିଁକି ଯାକୁବ ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଏପରି କଥା କହିଥିଲେ? ପ୍ରେରିତ ଯୋହନ କହିଥିଲେ, ଯିଏ ନିଜ ଭାଇକୁ ଘୃଣା କରେ, ସେ ଜଣେ ନରଘାତକ । ପାଉଲ ମଣ୍ଡଳୀରେ ବ୍ୟକ୍ତିତ୍ୱର ଅନ୍ତର୍ଦ୍ୱନ୍ଦ୍ୱ ଏବଂ ଶତ୍ରୁତାକୁ “ବିରୋଧ” ଓ “ବାଗ୍ଯୁଦ୍ଧ” ବୋଲି କହିଥିଲେ । (ତୀତସ୍ ୩:୯; ୨ ତୀମଥି ୨:୧୪; ୧ ଯୋହନ ୩:୧୫-୧୭) ସେହି ସମାନ ବାକ୍ୟରେ, ଯାକୁବଙ୍କ ମନରେ ସହ-ଖ୍ରୀଷ୍ଟିଆନମାନଙ୍କ ପ୍ରେମର ଅଭାବ ପରିଲକ୍ଷିତ ହୋଇଥିଲା । ଜାଗତିକ ଲୋକମାନେ ବେଳେବେଳେ ପରସ୍ପର ସହିତ ବ୍ୟବହାର କଲା ପରି ଖ୍ରୀଷ୍ଟିଆନମାନେ ନିଜ ଭିତରେ ସେହି ପ୍ରକାର କ୍ରିୟାକଳାପରେ ଲିପ୍ତ ଥିଲେ ।
୧୮. ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ କେଉଁ ବିଷୟ ଅପ୍ରୀୟ କାର୍ଯ୍ୟ ଓ ମନୋଭାବଆଡ଼େ ପରିଚାଳିତ କରିପାରେ?
୧୮ ଏହି ପ୍ରକାର କାର୍ଯ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀଗୁଡ଼ିକରେ କାହିଁକି ହେଲା? ମନ୍ଦ ମନୋଭାବର କାରଣ, ଯଥା ଲୋଭ ଓ ‘ସୁଖାଭିଳାଷ’ ଯୋଗୁଁ । ଗର୍ବଭାବ, ଇର୍ଷାଭାବ ଓ ଉଚ୍ଚାଭିଲାଷ ମଧ୍ୟ ମଣ୍ଡଳୀରେ ପ୍ରେମମୟ ଖ୍ରୀଷ୍ଟୀୟ ବନ୍ଧୁତ୍ୱ ନଷ୍ଟ କରିପାରେ । (ଯାକୁବ ୩:୬, ୧୪) ଏହି ପ୍ରକାର ମନୋଭାବ ବ୍ୟକ୍ତିକୁ ଜଗତର ମିତ୍ର ଏବଂ ପରମେଶ୍ୱରଙ୍କ ଶତ୍ରୁ କରେ । ଉପରୁକ୍ତ ମନୋଭାବ ପୋଷଣ କରୁଥିବା ବ୍ୟକ୍ତି ପରମେଶ୍ୱରଙ୍କ ସଙ୍ଗଠନରେ ରହିବ ବୋଲି ଆଶା କରାଯାଇ ନପାରେ ।
୧୯. (କ) ଯଦି ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ଦେଖନ୍ତି ଯେ, ତାଙ୍କ ହୃଦୟରେ ମନ୍ଦ ଚିନ୍ତାଧାରା ଅଙ୍କୁରୋଦ୍ଗମ ହେଉଛି, ତେବେ ସେ ମୁଖ୍ୟତଃ କାହାକୁ ଦୋଷ ଦେବେ? (ଖ) ଜଣେ ଖ୍ରୀଷ୍ଟିଆନ ବ୍ୟକ୍ତି ମନ୍ଦ ଚିନ୍ତାଧାରା ଉପରୁ କିପରି ବିଜୟୀ ହୋଇପାରିବେ?
୧୯ ଯଦି ଆମ ହୃଦୟରେ ଏହି ପ୍ରକାର ମନ୍ଦ ଚିନ୍ତାଧାରା ଅଙ୍କୁରୋଦ୍ଗମ ହେବାର ଦେଖୁ, ତେବେ ଆମେ କାହାକୁ ଦୋଷ ଦେବା? ଶୟତାନକୁ? ଯତ୍କିଂଚିତ୍ । ସେ ଏହି ଜଗତର “ଶୂନ୍ୟମଣ୍ଡଳର ଅଧିପତି,” ସେଠାରେ ଏହି ପ୍ରକାର ମନୋଭାବ ଚତୁର୍ଦିଗ ବ୍ୟାପୀଅଛି । (ଏଫିସୀୟ ୨:୧, ୨, OCB; ତିତସ୍ ୨:୧୨) ସାଧାରଣତଃ, ଆମ ନିଜ ଅସିଦ୍ଧ ଶରୀରରେ ମନ୍ଦ ଚିନ୍ତାଧାରା ଅଙ୍କୁରିତ ହୁଏ । ଜଗତ ସହିତ ମିତ୍ରତା ବିରୁଦ୍ଧରେ ଚେତାବାଣୀ ଦେବା ପରେ ପାଉଲ ଲେଖିଥିଲେ: “ତୁମ୍ଭେମାନେ କଅଣ ଧର୍ମଶାସ୍ତ୍ରର ଏହି ବାକ୍ୟକୁ ବ୍ୟର୍ଥ ବୋଲି ମନେ କରୁଅଛ, ଯେଉଁ ଆତ୍ମାଙ୍କୁ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଦେଇଅଛନ୍ତି, ସେ ଆମ୍ଭମାନଙ୍କୁ ସମ୍ପୂର୍ଣ୍ଣ ଅଧିକାର କରିବା ନିମନ୍ତେ ଏକାନ୍ତ କାମନା କରନ୍ତି?” (ଯାକୁବ ୪:୫) ଆମ ସମସ୍ତଙ୍କର ଭୁଲ କରିବାର ସହଜାତ ପ୍ରବୃତ୍ତି ଅଛି । (ଆଦିପୁସ୍ତକ ୮:୨୧; ରୋମୀୟ ୭:୧୮-୨୦) ଯଦି ଆମେ ଆମର ଦୁର୍ବଳତାଗୁଡ଼ିକୁ ସ୍ୱୀକାର କରିବା ଏବଂ ଏଗୁଡ଼ିକ ଉପରେ ବିଜୟୀ ହେବା ପାଇଁ ଯିହୋବାଙ୍କ ସାହାଯ୍ୟ ଉପରେ ଭରଷା କରିବା, ତେବେ ଆମେ ସେହି ପ୍ରବୃତିଗୁଡ଼ିକର ମୁକାବିଲା କରିପାରିବା । ଯାକୁବ କହନ୍ତି: “[ପରମେଶ୍ୱର] ଆମକୁ [ଇର୍ଷା କରିବାର ସହଜାତ ପ୍ରବୃତିଠାରୁ] ଅଧିକ ଅନୁଗ୍ରହ ଦାନ କରନ୍ତି ।” (ଯାକୁବ ୪:୬, OCB) ପରମେଶ୍ୱରଙ୍କ ପବିତ୍ର ଆତ୍ମାଙ୍କ ସାହାଯ୍ୟ ଦ୍ୱାରା ଓ ବିଶ୍ୱାସୀ ଖ୍ରୀଷ୍ଟୀୟ ଭାଇମାନଙ୍କ ସମର୍ଥନ ଦ୍ୱାରା ଏବଂ ଯୀଶୁଙ୍କ ମୁକ୍ତିର ମୂଲ୍ୟ ମାଧ୍ୟମରେ ବିଶ୍ୱାସୀ ଖ୍ରୀଷ୍ଟିଆନମାନେ ସେମାନଙ୍କ ଶରୀରର ଦୁର୍ବଳତାଗୁଡ଼ିକ ଉପରେ ବଜୟୀ ହୁଅନ୍ତି । (ରୋମୀୟ ୭:୨୪, ୨୫) ସେମାନେ ଜଗତର ନୁହନ୍ତି, କିନ୍ତୁ ପରମେଶ୍ୱରଙ୍କ ମିତ୍ର ଅଟନ୍ତି, ତେଣୁ ସେମାନେ ପରମେଶ୍ୱରଙ୍କ ସଙ୍ଗଠନରେ ସୁରକ୍ଷିତ ଅଛନ୍ତି ।
୨୦. ଯେଉଁମାନେ ପରମେଶ୍ୱରଙ୍କ ସଙ୍ଗଠନର ସଦସ୍ୟ ଅଟନ୍ତି, ସେମାନେ କେଉଁ ସର୍ବୋତ୍ତମ ଆଶୀର୍ବାଦ ଉପଭୋଗ କରନ୍ତି?
୨୦ ବାଇବଲ ପ୍ରତିଜ୍ଞା କରେ: “[ଯିହୋବା] ଆପଣା ଲୋକମାନଙ୍କୁ ବଳ ଦେବେ; [ଯିହୋବା] ଆପଣା ଲୋକମାନଙ୍କୁ ଶାନ୍ତି ଦେଇ ଆଶୀର୍ବାଦ କରିବେ ।” (ଗୀତସଂହିତା ୨୯:୧୧) ଯଦି ଆମେ ପ୍ରକୃତରେ ଯିହୋବାଙ୍କ ଆଧୁନିକ ଦିନର ‘ଗୋଷ୍ଠୀ’ ଅର୍ଥାତ୍ ତାଙ୍କର ଦୃଶ୍ୟମାନ ସଙ୍ଗଠନର ସଦସ୍ୟ ଅଟୁ, ତେବେ ସେ ଯେଉଁ ବଳ ଦିଅନ୍ତି, ସେଥିରେ ଆମେ ସହଭାଗୀ ହୋଇପାରିବା ଓ ସେ ଯେଉଁ ଶାନ୍ତିର ଆଶୀର୍ବାଦ ଆପଣା ଲୋକମାନଙ୍କୁ ଦିଅନ୍ତି, ସେଥିରୁ ଆମେ ଆନନ୍ଦ ପାଇବା । ପ୍ରକୃତରେ ଯିହୋବାଙ୍କ ଦୃଶ୍ୟମାନ ସଙ୍ଗଠନଠାରୁ ଶୟତାନର ଜଗତ ଅତି ବୃହତ ଏବଂ ଆମଠାରୁ ଶୟତାନ ଅଧିକ ଶକ୍ତିଶାଳୀ । କିନ୍ତୁ ଯିହୋବା ସର୍ବଶକ୍ତିମାନ ଅଟନ୍ତି । ତାଙ୍କର ସକ୍ରିୟ ଶକ୍ତି ଅପରାଜେୟ । ତାଙ୍କର ଶକ୍ତିଶାଳୀ ଦୂତମାନେ ମଧ୍ୟ ଆମ ସହିତ ଏକତ୍ରିତ ହୋଇ ଯିହୋବାଙ୍କ ଉପାସନା କରନ୍ତି । ତେଣୁ ଘୃଣାର ସମ୍ମୁଖୀନ ହେବା ସତ୍ୱେ ଆମେ ଦୃଢ଼ ହୋଇପାରିବା । ଯୀଶୁଙ୍କ ପରି ଆମେ ମଧ୍ୟ ଜଗତକୁ ଜୟ କରିପାରିବା ।—ଯୋହନ ୧୬:୩୩; ୧ ଯୋହନ ୪:୪.
ଆପଣ ବୁଝାଇ ପାରିବେ କି?
◻ ପରମେଶ୍ୱରଙ୍କ ଦୃଶ୍ୟମାନ ସଙ୍ଗଠନ କʼଣ?
◻ କେଉଁ ରୀତିରେ ପରମେଶ୍ୱରଙ୍କ ସଙ୍ଗଠନ ସୁରକ୍ଷା ପ୍ରଦାନ କରେ?
◻ କେଉଁମାନେ ପରମେଶ୍ୱରଙ୍କ ସଙ୍ଗଠନର ସଦସ୍ୟ ଅଟନ୍ତି?
◻ ଆମେ କିପରି ଜଗତର ମିତ୍ର ହେବାଠାରୁ ଦୂରରେ ରହିପାରିବା?
[ପୃଷ୍ଠାରେ କ୍ୟାପସନ୍ ୯]
ପରମେଶ୍ୱରଙ୍କ ସଙ୍ଗଠନ କʼଣ?
ଯିହୋବା ସାକ୍ଷୀମାନଙ୍କ ସାହିତ୍ୟାଦିରେ “ପରମେଶ୍ୱରଙ୍କ ସଙ୍ଗଠନର” ଅଭିବ୍ୟକ୍ତିକୁ ତିନି ରୀତିରେ ବ୍ୟବହାର କରାଯାଇଛି ।
୧ ଯିହୋବାଙ୍କ ସ୍ୱର୍ଗୀୟ, ଅଦୃଶ୍ୟମାନ ସଙ୍ଗଠନ ବିଶ୍ୱାସୀ ଆତ୍ମିକ ପ୍ରାଣୀମାନଙ୍କ ଦ୍ୱାରା ଗଠିତ । ଏହାକୁ ବାଇବଲରେ “ଉର୍ଦ୍ଧ୍ୱସ୍ଥ ଯିରୂଶାଲମ” କୁହାଯାଏ ।—ଗାଲାତୀୟ ୪:୨୬.
୨ ଯିହୋବାଙ୍କ ମାନବୀୟ, ଦୃଶ୍ୟମାନ ସଙ୍ଗଠନ ଅଛି । ଆଜି ଏଥିରେ ଅଭିଷିକ୍ତ ଅବଶିଷ୍ଟାଂଶ ସହିତ ମହାଜନତା ସମ୍ମିଳିତ ।
୩ ଯିହୋବାଙ୍କ ବୈଶ୍ୱିକ ସଙ୍ଗଠନ ଅଛି । ଆଜି ଏଥିରେ ଯିହୋବାଙ୍କ ସ୍ୱର୍ଗୀୟ ସଙ୍ଗଠନ ସହିତ ଅଭିଷିକ୍ତଜନ ଅର୍ଥାତ୍ ପୃଥିବୀର ପୋଷ୍ୟପୁତ୍ରମାନେ ସମ୍ମିଳିତ, ଏମାନଙ୍କର ଆତ୍ମିକ ଆଶା ଅଛି । ଯଥା ସମୟରେ ଏମାନେ ପୃଥିବୀରେ ସିଦ୍ଧ ମନୁଷ୍ୟଙ୍କ ସହିତ ମିଶିବେ ।
[ପୃଷ୍ଠାରେ କ୍ୟାପସନ୍ ୧୦]
ଯିହୋବାଙ୍କ ସଙ୍ଗଠନ ମାଧ୍ୟମରେ ସବୁଠାରୁ ଉତ୍କୃଷ୍ଟ ଧରଣର ଆଧ୍ୟାତ୍ମିକ ଖାଦ୍ୟ ପ୍ରଦାନ କରାଯାଏ