ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w98 ୯/୧୫ ପୃଷ୍ଠା ୧୫-୨୦
  • ‘ଏକାନ୍ତ ଆକାଂକ୍ଷାରେ’ ଅପେକ୍ଷା

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ‘ଏକାନ୍ତ ଆକାଂକ୍ଷାରେ’ ଅପେକ୍ଷା
  • ପ୍ରହରୀଦୁର୍ଗ—୧୯୯୮
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଖ୍ରୀଷ୍ଟଙ୍କ ଉପସ୍ଥିତି ସମୟରେ ସାବଧାନ ହୁଅ
  • କାହିଁକି ଯୀଶୁ ଖ୍ରୀଷ୍ଟ ଆସିବେ?
  • ଖ୍ରୀଷ୍ଟଙ୍କ ଆବିର୍ଭୂତ ନିମନ୍ତେ ଉତ୍ସୁକତାର ସହିତ ଅପେକ୍ଷା
  • “ସୃଷ୍ଟିର ଏକାନ୍ତ ଆକାଂକ୍ଷା”
  • ଯିହୋବାଙ୍କ ଧୈର୍ଯ୍ୟର ଅର୍ଥ ପରିତ୍ରାଣ?
  • ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ
  • କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?
    ଆମ ଖ୍ରୀଷ୍ଟୀୟ ଜୀବନ ଓ ସେବା—ସଭା ପୁସ୍ତିକା—୨୦୧୯
ପ୍ରହରୀଦୁର୍ଗ—୧୯୯୮
w98 ୯/୧୫ ପୃଷ୍ଠା ୧୫-୨୦

‘ଏକାନ୍ତ ଆକାଂକ୍ଷାରେ’ ଅପେକ୍ଷା

“ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି ।”—ରୋମୀୟ ୮:୧୯.

୧. କେଉଁ ସମାନତା ଆଜିର ଖ୍ରୀଷ୍ଟିଆନ ଓ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିଆନମାନଙ୍କ ମଧ୍ୟରେ ଅଛି?

ଆଜିର ପ୍ରକୃତ ଖ୍ରୀଷ୍ଟିଆନମାନଙ୍କ ଅବସ୍ଥା ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିଆନମାନଙ୍କ ସହିତ ସଦୃଶ । ମଶୀହଙ୍କ ଉପସ୍ଥିତି କେବେ ହେବାର ଥିଲା, ସେହି ବିଷୟରେ ସେଦିନର ଯିହୋବାଙ୍କ ଦାସମାନଙ୍କୁ ଏକ ଭବିଷ୍ୟଦ୍‌ବାଣୀ ସାହାଯ୍ୟ କରିଥିଲା । (ଦାନିୟେଲ ୯:୨୪-୨୬) ସେହି ଭବିଷ୍ୟଦ୍‌ବାଣୀ ଯିରୂଶାଲମର ଧ୍ୱଂସ ବିଷୟରେ ପୂର୍ବରୁ କହିଥିଲା, କିନ୍ତୁ ଏଥିରେ କୌଣସି ତଥ୍ୟ ନଥିଲା ଯଦ୍ୱାରା ଖ୍ରୀଷ୍ଟିଆନମାନେ ପୂର୍ବରୁ ଜାଣି ପାରିଥାନ୍ତେ ଯେ ସେହି ସହର କେବେ ଧ୍ୱଂସପ୍ରାପ୍ତ ହେବ । (ଦାନିୟେଲ ୯:୨୬ଖ, ୨୭) ସେହିପରି ପରମେଶ୍ୱରଙ୍କ ସାହାଯ୍ୟରେ ଏକ ଭବିଷ୍ୟଦ୍‌ବାଣୀ ଉନବିଂଶ ଶତାବ୍ଦୀର ପ୍ରକୃତ ବାଇବଲ ଛାତ୍ରଙ୍କୁ ପ୍ରତୀକ୍ଷାରତ କରାଇବାରେ ପ୍ରଭାବ ପକାଇଥିଲା । ଦାନିୟେଲ ୪:୨୫ ପଦରେ ଥିବା “ସାତ କାଳ” ସହିତ ‘ବିଜାତୀୟମାନଙ୍କ କାଳକୁ’ ଯୋଗ କରି ସେମାନେ ଆଶା କରିଥିଲେ ଯେ, ଖ୍ରୀଷ୍ଟ ୧୯୧୪ ମସିହାରେ ରାଜ୍ୟ ଶାସନରେ ଅଧିଷ୍ଟିତ ହେବେ । (ଲୂକ ୨୧:୨୪; ଯିହିଜିକଲ ୨୧:୨୫-୨୭) ଦାନିୟେଲଙ୍କ ବହିରେ ଅନେକଗୁଡ଼ିଏ ଭବିଷ୍ୟଦ୍‌ବାଣୀ ଅଛି, କିନ୍ତୁ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ଭବିଷ୍ୟଦ୍‌ବାଣୀ ବର୍ତ୍ତମାନ ଦିନର ବାଇବଲ ଛାତ୍ରମାନଙ୍କୁ ଶୟତାନର ସଂପୂର୍ଣ୍ଣ ରୀତିବ୍ୟବସ୍ଥା ସଠିକ୍‌ଭାବେ କେବେ ଶେଷ ହେବ ବୋଲି ଗଣନା କରିବାରେ ସାହାଯ୍ୟ କରେ ନାହିଁ । (ଦାନୟେଲ ୨:୩୧-୪୪; ୮:୨୩-୨୫; ୧୧:୩୬, ୪୪, ୪୫) କିନ୍ତୁ, ଏହା ଶୀଘ୍ର ଘଟିବ, କାରଣ ଆମେ ବର୍ତ୍ତମାନ ‘ଶେଷକାଳରେ’ ବାସ କରୁଅଛୁ ।—ଦାନିୟେଲ ୧୨:୪.a

ଖ୍ରୀଷ୍ଟଙ୍କ ଉପସ୍ଥିତି ସମୟରେ ସାବଧାନ ହୁଅ

୨, ୩. (କ) ମୁଖ୍ୟ ପ୍ରମାଣ କʼଣ ଯେ ଆମେ ବର୍ତ୍ତମାନ ରାଜକୀୟ ଶାସନରେ, ଖ୍ରୀଷ୍ଟଙ୍କର ଉପସ୍ଥିତିରେ ବାସ କରୁଅଛୁ? (ଖ) ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତି ସମୟରେ ଖ୍ରୀଷ୍ଟିଆନମାନଙ୍କୁ ଜାଗ୍ରତ ରହିବାର ଥିଲା ବୋଲି କʼଣ ପ୍ରଦର୍ଶିତ କରେ?

୨ ପ୍ରକୃତରେ, ୧୯୧୪ ମସିହାରେ ଖ୍ରୀଷ୍ଟ ରାଜ୍ୟ ଶାସନରେ ପଦାଭିଷିକ୍ତ ହେବା ପୂର୍ବରୁ ଗୋଟିଏ ଭବିଷ୍ୟଦ୍‌ବାଣୀ ଖ୍ରୀଷ୍ଟିଆନମାନଙ୍କୁ ଆକାଂକ୍ଷାର ଅବସ୍ଥାରେ ରଖିଥିଲା । କିନ୍ତୁ, ଯେଉଁ “ଲକ୍ଷଣ” ଖ୍ରୀଷ୍ଟ ତାଙ୍କର ଉପସ୍ଥିତି ଓ ଯୁଗାନ୍ତ ବିଷୟରେ ଦେଇଥିଲେ, ତାହାର ବିଶେଷତ୍ୱ ଥିଲା ଘଟଣାଗୁଡ଼ିକ । ଅଧିକାଂଶ ଲକ୍ଷଣ ତାହାଙ୍କ ଉପସ୍ଥିତି ଆରମ୍ଭ ଦେଲା ପରେ ଦେଖାଯିବ । ଏହି ଘଟଣାଗୁଡ଼ିକ—ଯୁଦ୍ଧ, ଖାଦ୍ୟାଭାବ, ଭୂମିକମ୍ପ, ମହାମାରୀ, ଭ୍ରଷ୍ଟାଚାରର ବୃଦ୍ଧି, ଖ୍ରୀଷ୍ଟିଆନମାନଙ୍କୁ ଉତ୍ପୀଡ଼ନ, ବିଶ୍ୱବ୍ୟାପୀ ରାଜ୍ୟ ସୁସମାଚାରର ପ୍ରଚାର—ମୁଖ୍ୟ ପ୍ରମାଣ ଦିଏ ଯେ, ଆମେ ବର୍ତ୍ତମାନ ରାଜକୀୟ ଶାସନରେ ଖ୍ରୀଷ୍ଟଙ୍କର ଉପସ୍ଥିତିରେ ବାସ କରୁଅଛୁ ।—ମାଥିଉ ୨୪:୩-୧୪; ଲୂକ ୨୧:୧୦, ୧୧.

୩ ତଥାପି, ଯୀଶୁ ବିଦାୟ ନେବା ସମୟରେ ତାହାଙ୍କ ଶିଷ୍ୟମାନଙ୍କୁ ଯେଉଁ ଉପଦେଶ ଦେଇଥିଲେ, ତାହାର ସାରକଥା ଏହା ଯେ: ‘ସାବଧାନ ହୁଅ, ଜାଗି ରୁହ, ଜାଗ୍ରତ ଥାଅ ।’ (ମାର୍କ ୧୩:୩୩, ୩୭; ଲୂକ ୨୧:୩୬) ସାବଧାନ ରହିବାର ଏହି ଉପଦେଶଗୁଡ଼ିକର ସନ୍ଦର୍ଭକୁ ମନୋଯୋଗ ସହକାରେ ପଢ଼ିଲେ ଆମେ ଜାଣିପାରୁ ଯେ, ଯୀଶୁ ତାହାଙ୍କ ଉପସ୍ଥିତିର ଆରମ୍ଭର ଲକ୍ଷଣ ପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟଭାବେ କହି ନଥିଲେ । ଏହା ପରିବର୍ତ୍ତେ ସେ ତାଙ୍କର ପ୍ରକୃତ ଶିଷ୍ୟମାନଙ୍କୁ ତାହାଙ୍କ ଉପସ୍ଥିତି ସମୟରେ ଜାଗିରହିବା ପାଇଁ ଆଦେଶ ଦେଇଥିଲେ । ପ୍ରକୃତ ଖ୍ରୀଷ୍ଟିଆନମାନଙ୍କୁ କʼଣ ପାଇଁ ଜାଗ୍ରତ ରହିବାର ଥିଲା?

୪. ଯୀଶୁ ଦେଇଥିବା ଲକ୍ଷଣ କେଉଁ ଉଦେଶ୍ୟ ପୁରଣ କରିବାରେ ସାହାଯ୍ୟ କରିବ?

୪ ଏହି ପ୍ରଶ୍ନର ଉତ୍ତରରେ ଯୀଶୁ ଏକ ମହାନ ଭବିଷ୍ୟଦ୍‌ବାଣୀ କରିଥିଲେ: “ଏସବୁ କେବେ ଘଟିବ, [ଯିହୂଦୀ ରୀତି ବ୍ୟବସ୍ଥାର ଧ୍ୱଂସକୁ ପରିଚାଳିତ କରୁଥିବା ଘଟଣାଗୁଡ଼ିକ] ପୁଣି ଆପଣଙ୍କ ଆଗମନ [ଉପସ୍ଥିତି] ଓ ଯୁଗାନ୍ତର ଲକ୍ଷଣ କଅଣ?” (ମାଥିଉ ୨୪:୩) ପୂର୍ବରୁ କୁହାଯାଇଥିବା ଲକ୍ଷଣ କେବଳ ଖ୍ରୀଷ୍ଟଙ୍କ ଉପସ୍ଥିତି ଚିହ୍ନାଇବାରେ ସାହାଯ୍ୟ କରିବ ନାହିଁ, କିନ୍ତୁ ଏହି ବର୍ତ୍ତମାନ ମନ୍ଦ ରୀତି ବ୍ୟବସ୍ଥାର ସମାପ୍ତିଆଡ଼େ ପରିଚାଳିତ କରିବା ଘଟଣାଗୁଡ଼ିକୁ ମଧ୍ୟ ଚିହ୍ନାଇବାରେ ସାହାଯ୍ୟ କରିବ ।

୫. ଯୀଶୁ ଆତ୍ମିକରୂପେ ଉପସ୍ଥିତି ହେଲାବେଳେ ସେ “ଆସିବେ” ବୋଲି କିପରି ପ୍ରଦର୍ଶିତ କରିଥିଲେ?

୫ ଯୀଶୁ ପ୍ରଦର୍ଶିତ କରିଥିଲେ ଯେ ତାଙ୍କର ‘ଉପସ୍ଥିତି’ (ଗ୍ରୀକ୍‌, ପାରୋଶିଆ) ସମୟରେ ସେ ପରାକ୍ରମ ଓ ମହିମା ସହିତ ଆଗମନ କରିବେ । ଏହି ପ୍ରକାର “ଆଗମନ” (ଗ୍ରୀକ୍‌ ଶବ୍ଦ ଏର୍‌ଖୋମାଇର ଭିନ୍ନ-ଭିନ୍ନ ରୂପ ଦ୍ୱାରା ଚିହ୍ନିତ) ସମ୍ବନ୍ଧରେ ସେ କହିଥିଲେ: “ସେତେବେଳେ ଆକାଶରେ ମନୁଷ୍ୟପୁତ୍ରଙ୍କର ଲକ୍ଷଣ ଦେଖାଯିବ, ପୁଣି ସେ ସମୟରେ ପୃଥିବୀର ସମସ୍ତ ଗୋଷ୍ଠୀ ବିଳାପ କରିବେ ଏବଂ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ । . . . ଡିମିରିବୃକ୍ଷରୁ ଦୁଷ୍ଟାନ୍ତ ଶିକ୍ଷା କର; ଯେତେବେଳେ ତାହାର ଶାଖା ସରସ ହୋଇ ପଲ୍ଲବିତ ହୁଏ, ସେତେବେଳେ ଗ୍ରୀଷ୍ମକାଳ ସନ୍ନିକଟ ବୋଲି ତୁମ୍ଭେମାନେ ଜାଣିଥାଅ; ସେହିପରି ତୁମ୍ଭେମାନେ ମଧ୍ୟ ଏହିସମସ୍ତ ଦେଖିଲେ ସେ [ଖ୍ରୀଷ୍ଟ] ଦ୍ୱାରର ସନ୍ନିକଟ, ଏହା ଜାଣ । . . . ଏତଏବ, ଜାଗ୍ରତ ଥାଅ, କାରଣ ତୁମ୍ଭମାନଙ୍କ ପ୍ରଭୁ କେଉଁ ଦିନ ଆସିବେ, ତାହା ତୁମ୍ଭେମାନେ ଜାଣ ନାହଁ । . . . ତୁମ୍ଭେମାନେ ମଧ୍ୟ ପ୍ରସ୍ତୁତ ହୋଇଥାଅ, କାରଣ ଯେଉଁ ଦଣ୍ଡରେ ତୁମ୍ଭେମାନେ ମନେ କରୁ ନ ଥିବ, ସେହି ଦଣ୍ଡରେ ମନୁଷ୍ୟପୁତ୍ର ଆସିବେ ।” (ଆମର ବକ୍ରାକାର ଅକ୍ଷର ।)—ମାଥିଉ ୨୪:୩୦, ୩୨, ୩୩, ୪୨, ୪୪.

କାହିଁକି ଯୀଶୁ ଖ୍ରୀଷ୍ଟ ଆସିବେ?

୬. ‘ମହାନଗରୀ ବାବିଲର’ ଧ୍ୱଂସ କିପରି ହେବ?

୬ ଯଦିଓ ୧୯୧୪ ମସିହାଠାରୁ ଯୀଶୁ ରାଜାରୂପେ ଉପସ୍ଥିତ ହୋଇଅଛନ୍ତି, ତଥାପି ସେ ଦୁଷ୍ଟଲୋକମାନଙ୍କୁ ନ୍ୟାୟଦଣ୍ଡ ଦେବା ପୂର୍ବରୁ ସଙ୍ଗଠନଗୁଡ଼ିକର ଓ ପ୍ରତ୍ୟେକ ଲୋକଙ୍କ ନ୍ୟାୟ-ବିଚାର କରିବେ । (୨ କରିନ୍ଥୀୟ ୫:୧୦ ପଦ ସହିତ ତୁଳନା କରନ୍ତୁ ।) “ମହାନଗରୀ ବାବିଲ,” ଅର୍ଥାତ୍‌ ମିଥ୍ୟା ଧର୍ମର ବିଶ୍ୱସାମ୍ରାଜ୍ୟକୁ ଧ୍ୱଂସ କରିବା ପାଇଁ ଯିହୋବା ଶୀଘ୍ର ରାଜନୈତିକ ଶାସକମାନଙ୍କ ମନରେ ବିଚାର ସନ୍ନିବିଷ୍ଟ କରିବେ । (ପ୍ରକାଶିତ ବାକ୍ୟ ୧୭:୪, ୫, ୧୬, ୧୭) ପ୍ରେରିତ ପାଉଲ ବିଶେଷରୂପେ ଉଲ୍ଲେଖ କରିଥିଲେ ଯେ, “ସେହି ଅଧର୍ମ ପୁରୁଷ”—ଖ୍ରୀଷ୍ଟୀୟଜଗତର ଭଣ୍ଡ ପାଦ୍ରୀବର୍ଗ, ‘ମହାନଗରୀ ବାବିଲର’ ମୁଖ୍ୟ ଅଂଶକୁ—ଯୀଶୁ ଖ୍ରୀଷ୍ଟ ଶୀଘ୍ର ଧ୍ୱଂସ କରିବେ । ପାଉଳ ଲେଖିଥିଲେ: “ସେତେବେଳେ ସେହି ଅଧର୍ମ ପୁରୁଷ ପ୍ରକାଶିତ ହେବ, ତାହାକୁ ପ୍ରଭୁ ଯୀଶୁ ଆପଣା ମୁଖର ନିଶ୍ୱାସ ଦ୍ୱାରା ସଂହାର କରିବେ ଓ ଆପଣା ଆଗମନର ପ୍ରକାଶ ଦ୍ୱାରା ବିନାଶ କରିବେ ।”—୨ ଥେସଲନୀକୀୟ ୨:୩, ୮.

୭. ମନୁଷ୍ୟପୁତ୍ର ଯେତେବେଳେ ସ୍ୱମହିମାରେ ଆଗମନ କରିବେ, ସେ କେଉଁ ପ୍ରକାର ନ୍ୟାୟବିଚାର କରିବେ?

୭ ନିକଟ-ଭବିଷ୍ୟତରେ, ପୃଥିବୀରେ ଥିବା ଭାଇମାନଙ୍କ ପ୍ରତି ସମସ୍ତ ଜାତିର ଲୋକମାନେ କେଉଁ ପ୍ରକାରେ ବ୍ୟବହାର କରିଥିଲେ, ସେହି ଆଧାରରେ ଖ୍ରୀଷ୍ଟ ସେମାନଙ୍କର ନ୍ୟାୟ କରିବେ । ଆମେ ପଢ଼ିବା: “ମନୁଷ୍ୟପୁତ୍ର ଯେତେବେଳେ ସମସ୍ତ ଦୂତଙ୍କ ସହିତ ସ୍ୱମହିମାରେ ଆଗମନ କରିବେ, ସେତେବେଳେ ସେ ଆପଣା ଗୌରବମୟ ସିଂହାସନରେ ଉପବେଶନ କରିବେ, ପୁଣି ତାହାଙ୍କ ଛାମୁରେ ସମସ୍ତ ଜାତି ଏକତ୍ର କରାଯିବେ, ଆଉ ମେଷପାଳକ ଯେପରି ଛାଗଠାରୁ ମେଷ ପୃଥକ୍‌ କରେ, ସେହିପରି ସେ ସେମାନଙ୍କୁ ପରସ୍ପରଠାରୁ ପୃଥକ୍‌ କରି ମେଷମାନଙ୍କୁ ଆପଣା ଦକ୍ଷିଣ ପାର୍ଶ୍ୱରେ ଓ ଛାଗମାନଙ୍କୁ ବାମ ପାର୍ଶ୍ୱରେ ରଖିବେ । . . . ରାଜା [ମେଷମାନଙ୍କୁ] ଉତ୍ତର ଦେବେ, ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭେମାନେ ମୋହର ଏହି କ୍ଷୁଦ୍ରତମ ଭାତୃବୃନ୍ଦଙ୍କ ମଧ୍ୟରୁ ଜଣକ ପ୍ରତି ଏହା କରିଥିବାରୁ ମୋʼ ପ୍ରତି ହିଁ ତାହା କରିଅଛ । . . . ଆଉ, [ଛାଗମାନେ] ଅନନ୍ତ ଶାସ୍ତି, କିନ୍ତୁ ଧାର୍ମିକମାନେ ଅନନ୍ତ ଜୀବନ ଭୋଗ କରିବାକୁ ଯିବେ ।”—ମାଥିଉ ୨୫:୩୧-୪୬.

୮. ଅଧାର୍ମିକ ଲୋକଙ୍କ ଉପରେ ନ୍ୟାୟ ବିଚାର ଶୁଣାଇବା ନିମନ୍ତେ ଖ୍ରୀଷ୍ଟଙ୍କ ଆଗମନ ହେବ ବୋଲି ପାଉଲ କିପରି ବର୍ଣ୍ଣନା କରିଛନ୍ତି?

୮ ମେଷ ଓ ଛାଗର ଉପଦେଶାତ୍ମକ ଗଳ୍ପରେ ଯେପରି ଦର୍ଶାଯାଇଛି, ସେଥିରେ ଅଧାର୍ମିକ ଲୋକଙ୍କ ଉପରେ ଯୀଶୁ ତାଙ୍କର ଅନ୍ତିମ ନ୍ୟାୟବିଚାର ଶୁଣାଇବେ । ପାଉଲ କ୍ଳେଶ ଭୋଗକରୁଥିବା ସହବିଶ୍ୱାସୀମାନଙ୍କୁ ଆଶ୍ୱାସନ ଦେଇଥିଲେ ଯେ “ପ୍ରଭୁ ଯେଶୁ ନିଜ ଦେବଦୂତମାନଙ୍କ ଗହଣରେ ଜ୍ୱଳନ୍ତ ଅଗ୍ନିଶିଖା ମଧ୍ୟରେ ସ୍ୱର୍ଗଧାମରୁ ଆବିର୍ଭୂତ ହେବା ସମୟରେ . . . ଆମ ସହିତ ଶାନ୍ତି ପ୍ରଦାନ [କରିବେ] । . . . ସେସମୟରେ ଯେଉଁମାନେ ଈଶ୍ୱରଙ୍କ ସମ୍ବନ୍ଧରେ ଅଜ୍ଞ ଓ ଆମ ପ୍ରଭୁ ଯେଶୁଙ୍କର ସୁସମାଚାର ପ୍ରତି ଅନାଜ୍ଞାବହ, ସେମାନଙ୍କ ବିରୁଦ୍ଧରେ ସେ ପ୍ରତିଶୋଧ ନେବେ । ସେମାନେ ପ୍ରଭୁଙ୍କର ସନ୍ନିଧାନ ତଥା ତାହାଙ୍କ ପରାକ୍ରମର ମହତ୍ତ୍ୱରୁ ବହିଷ୍କୃତ ହୋଇ ଶାଶ୍ୱତ ବିନାଶର ଶାସ୍ତିବିଧାନ ଭୋଗ କରିବେ । ପ୍ରଭୁ ନିଜ ସନ୍ଥଜନଙ୍କଠାରେ ଗୌରବାନ୍ୱିତ [ହେବେ] ।” (୨ ଥେସାଲୋନିକୀୟ ୧:୭-୧୦, OCB) ଏହି ସବୁ ଉତେଜନାତ୍ମକ ଘଟଣା ଆମ ସମ୍ମୁଖରେ ଅଛି । ତେଣୁ ଆମେ ବିଶ୍ୱାସ ବ୍ୟକ୍ତ କରି ଯୀଶୁଙ୍କ ଆଗମନକୁ ଉତ୍ସୁକତାର ସହିତ ଜାଗିରହିବା ଉଚିତ୍‌ ନୁହେଁ କି?

ଖ୍ରୀଷ୍ଟଙ୍କ ଆବିର୍ଭୂତ ନିମନ୍ତେ ଉତ୍ସୁକତାର ସହିତ ଅପେକ୍ଷା

୯, ୧୦. ଯେଉଁ ଅଭିଷିକ୍ତଜନମାନେ ଏପର୍ଯ୍ୟନ୍ତ ପୃଥିବୀରେ ଅଛନ୍ତି, ସେମାନେ କାହିଁକି ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶକୁ ଆଗ୍ରହସହକାରେ ଅପେକ୍ଷା କରିଛନ୍ତି?

୯ ‘ସ୍ୱର୍ଗଧାମରୁ ପ୍ରଭୁ ଯୀଶୁଙ୍କ ଆବିର୍ଭୂତ’ ହେବା ସମୟରେ ସେ କେବଳ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ ନାହିଁ, ମାତ୍ର ଧାର୍ମିକମାନଙ୍କୁ ମଧ୍ୟ ପୁରସ୍କାର ଦେବେ । ଖ୍ରୀଷ୍ଟଙ୍କ ଅଭିଷିକ୍ତ ଭାଇମାନଙ୍କର ଅବଶିଷ୍ଟଜନ, ଯେଉଁମାନେ ଏପର୍ଯ୍ୟନ୍ତ ପୃଥିବୀରେ ଅଛନ୍ତି, ସେମାନଙ୍କୁ ଖ୍ରୀଷ୍ଟଙ୍କ ଆବିର୍ଭୂତ ହେବା ପୂର୍ବରୁ ସମ୍ଭବତଃ କ୍ଳେଶ ଭୋଗ କରିବାକୁ ହେବ, କିନ୍ତୁ ସେମାନେ ତାଙ୍କର ମହାନ ସ୍ୱର୍ଗୀୟ ଆଶା ନିମନ୍ତେ ଆନନ୍ଦ ଉପଭୋଗ କରୁଛନ୍ତି । ଅଭିଷିକ୍ତ ଖ୍ରୀଷ୍ଟିଆନମାନଙ୍କୁ ପ୍ରେରିତ ପିତର ଲେଖିଥିଲେ: “ଖ୍ରୀଷ୍ଟଙ୍କ ଯାତନାର ଅଂଶୀଦାର ହୋଇଥିବା ଭଳି ତୁମେମାନେ ଉଲ୍ଲସିତ ହୁଅ । ତାହାହେଲେ, ତାହାଙ୍କର ମହିମା ପ୍ରକାଶିତ ହେବା ସମୟରେ ତୁମେମାନେ ମଧ୍ୟ ଆନନ୍ଦ ତଥା ଉଲ୍ଲାସ କରି ପାରିବା ।”—୧ ପିତର ୪:୧୩, OCB.

୧୦ ଖ୍ରୀଷ୍ଟ ‘ତାହାଙ୍କ ନିକଟରେ ଅଭିଷିକ୍ତଜନଙ୍କୁ ଏକତ୍ର’ ନ କରିବା ପର୍ଯ୍ୟନ୍ତ ସେମାନେ ବିଶ୍ୱସ୍ତ ରହିବେ ବୋଲି ଦୃଢ଼ ପ୍ରତିଜ୍ଞା କରିଛନ୍ତି, ତେଣୁ ସେମାନଙ୍କ “ପରୀକ୍ଷାସିଦ୍ଧ” ବିଶ୍ୱାସ ‘ଯୀଶୁ ଖ୍ରୀଷ୍ଟ ପ୍ରକାଶିତ ହେବା ସମୟରେ ପ୍ରଶଂସା, ଗୌରବ ଓ ସମ୍ଭ୍ରମର କାରଣ ହେଉ ।’ (୨ ଥେସଲନୀକୀୟ ୨:୧; ୧ ପିତର ୧:୭) ଆତ୍ମା ଦ୍ୱାରା ଜନ୍ମିତ ଏହି ବିଶ୍ୱାସୀ ଖ୍ରୀଷ୍ଟିଆନମାନଙ୍କ ସମ୍ବନ୍ଧରେ କୁହାଯାଇପାରେ: “ଖ୍ରୀଷ୍ଟଙ୍କର ସାକ୍ଷ୍ୟ ତୁମ୍ଭମାନଙ୍କ ମଧ୍ୟରେ ସ୍ଥିରୀକୃତ ହୋଇଅଛି । ଏଣୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପ୍ରକାଶ ନିମନ୍ତେ ଅପେକ୍ଷାରେ ଥାଇ କୌଣସି ଅନୁଗ୍ରହ-ଦାନରେ ଉଣା ପଡ଼ୁ ନାହଁ ।”—୧ କରିନ୍ଥୀୟ ୧:୬, ୭.

୧୧. ଯୀଶୁ ଖ୍ରୀଷ୍ଟଙ୍କ ଆବିର୍ଭୂତର ଅପେକ୍ଷା କରିବା ସମୟରେ ଅଭିଷିକ୍ତ ଖ୍ରୀଷ୍ଟିଆନମାନେ କʼଣ କରୁଛନ୍ତି?

୧୧ ଅଭିଷିକ୍ତଜନଙ୍କ ଅବଶିଷ୍ଟାଂଶର ଭାବନା ପାଉଲଙ୍କ ଭଳି ଅଛି । ସେ ଲେଖିଥିଲେ: “ମୋʼ ବିଚାରରେ, ଯେଉଁ ଗୌରବ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହେବ, ତାହା ତୁଳନାରେ ଏହି ବର୍ତ୍ତମାନ କାଳର ଦୁଃଖଭୋଗ କିଛିହିଁ ନୁହେଁ ।” (ରୋମୀୟ ୮:୧୮) ସେମାନଙ୍କ ବିଶ୍ୱାସକୁ ତାରିଖର ଆବଶ୍ୟକତା ନାହିଁ । ସେମାନେ ଯିହୋବାଙ୍କ ସେବାରେ ନିଜକୁ ବ୍ୟସ୍ତ ରଖନ୍ତି, ସେମାନେ ସେମାନଙ୍କ ସାଙ୍ଗସାଥୀ ଅର୍ଥାତ୍‌ “ଅନ୍ୟ ମେଷଗୁଡ଼ିକ” ପାଇଁ ଏକ ଅତ୍ୟୁତ୍ତମ ଉଦାହରଣ ରଖନ୍ତି । ଏହି ଅଭିଷିକ୍ତ ଜନ ଜାଣନ୍ତି ଯେ, ଏହି ଦୁଷ୍ଟ ରୀତିବ୍ୟବସ୍ଥାର ଅନ୍ତ ନିଟକ ଏବଂ ସେମାନେ ପିତରଙ୍କ ପ୍ରବୋଧନରେ ଧ୍ୟାନ ଦିଅନ୍ତି: “ତୁମେମାନେ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସଜାଗ ରୁହ ଓ ଆତ୍ମସଂଯମୀ ହୁଅ । ଯେଶୁ ଖ୍ରୀଷ୍ଟଙ୍କ ପୁନରାଗମନ [ଆବିର୍ଭୂତ] କାଳରେ ଯେଉଁ ଅନୁଗ୍ରହ ତୁମେ ପ୍ରାପ୍ତ ହେବାକୁ ଯାଉଛ, ତହିଁରେ ସମ୍ପୂର୍ଣ୍ଣ ଆସ୍ଥା ରଖି ରୁହ ।”—୧ ପିତର ୧:୧୩, OCB.

“ସୃଷ୍ଟିର ଏକାନ୍ତ ଆକାଂକ୍ଷା”

୧୨, ୧୩. ମଣିଷଙ୍କ ସୃଷ୍ଟି କିପରି “ଅସାରତାର ବଶୀଭୂତ” ହୋଇଥିଲା, ଏବଂ ଅନ୍ୟ ମେଷମାନେ କʼଣ ଇଚ୍ଛା କରନ୍ତି?

୧୨ ଅନ୍ୟ ମେଷମାନେ ମଧ୍ୟ ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରିବାରେ କିଛି ଅଛି କି? ନିଶ୍ଚିତଭାବେ ଅଛି । ଯିହୋବାଙ୍କ ଦ୍ୱାରା ଆତ୍ମାରୁ ଜନ୍ମିତ “ସନ୍ତାନ” ରୂପେ ଗ୍ରହଣ କରାଯାଇଥିବା ଲୋକ ଏବଂ ଯେଉଁମାନେ ସ୍ୱର୍ଗୀୟ ରାଜ୍ୟରେ “ଖ୍ରୀଷ୍ଟଙ୍କ ସହଉତ୍ତରାଧିକାରୀ” ହୋଇଛନ୍ତି, ସେମାନଙ୍କର ଅଦ୍ଭୂତ ଆଶା ବିଷୟରେ କହିବା ପରେ, ପାଉଲ କହିଥିଲେ: “ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି । କାରଣ ସୃଷ୍ଟି ଅସାରତାର ବଶୀଭୂତ ହେଲା, ତାʼର ନିଜ ଇଚ୍ଛାରୁ ନୁହେଁ, କିନ୍ତୁ, ଯେ ତାକୁ ବଶୀଭୂତ କଲେ, ତାହାଙ୍କ ଇଚ୍ଛାରୁ; ଆଉ ତାହା ଭରସାଯୁକ୍ତ ହୋଇ ବଶୀଭୂତ ହେଲା, ଯେଣୁ ସୃଷ୍ଟି ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାପ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ ।”—ରୋମୀୟ ୮:୧୪-୨୧; ୨ ତୀମଥି ୨:୧୦-୧୨.

୧୩ ଆଦମଙ୍କ ପାପ ଦ୍ୱାରା ତାଙ୍କର ସମସ୍ତ ବଂଶଧରମାନେ “ଅସାରତାର ବଶୀଭୂତ” ହୋଇ ପାପ ଓ ମୃତ୍ୟୁର ଦାସତ୍ୱରେ ଜନ୍ମ ନେଲେ । ସେମାନେ ଏହି ପ୍ରକାର ଦାସତ୍ୱରୁ ନିଜକୁ ମୁକ୍ତ କରିବାରେ ଅସମର୍ଥ । (ଗୀତସଂହିତା ୪୯:୭; ରୋମୀୟ ୫:୧୨, ୨୧) ଅନ୍ୟ ମେଷମାନେ ‘କ୍ଷୟର ଦାସତ୍ୱରୁ ମୁକ୍ତ ହେବା’ ପାଇଁ କେତେ ଇଚ୍ଛା କରନ୍ତି ! କିନ୍ତୁ, ତାହା ଘଟିବା ପୂର୍ବରୁ ଯିହୋବାଙ୍କ କାଳ ଓ ସମୟ ଅନୁଜାଇ କେତେକ ବିଷୟ ନିଶ୍ଚିତଭାବେ ଘଟିବ ।

୧୪. “ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ” ହେବାରେ କʼଣ ସମ୍ମିଳିତ ଏବଂ ଏହା ମଣିଷଜାତିକୁ “କ୍ଷୟର ଦାସତ୍ୱରୁ ମୁକ୍ତ” କିପରି କରିବ?

୧୪ ‘ଈଶ୍ୱରଙ୍କ ଅଭିଷିକ୍ତ ସନ୍ତାନମାନଙ୍କ’ ଅବଶିଷ୍ଟାଂଶ ପ୍ରଥମେ ‘ପ୍ରକାଶିତ’ ହେବେ । ଏଥିରେ କʼଣ ସମ୍ମିଳିତ? ପରମେଶ୍ୱରଙ୍କ ଉପଯୁକ୍ତ ସମୟରେ, ଅନ୍ୟ ମେଷମାନେ ସ୍ପଷ୍ଟରୂପେ ଜାଣିବେ ଯେ ଅଭିଷିକ୍ତ ଲୋକମାନଙ୍କୁ ସମ୍ପୂର୍ଣରୂପେ ‘ମୁଦ୍ରାଙ୍କିତ’ କରାଯାଇଛି ଓ ଖ୍ରୀଷ୍ଟଙ୍କ ସହିତ ଶାସନ କରିବାକୁ ସେମାନେ ଗୌରବାନିତ୍ୱ ହୋଇଛନ୍ତି । (ପ୍ରକାଶିତ ବାକ୍ୟ ୭:୨-୪) ଯେତେବେଳେ ଶୟତାନର ମନ୍ଦ ରୀତିବ୍ୟବସ୍ଥାକୁ ଧ୍ୱଂସ କରିବାରେ ‘ଈଶ୍ୱରଙ୍କ ପୁନରୁତ୍‌ଥିତ ପୁତ୍ରମାନେ’ ଖ୍ରୀଷ୍ଟଙ୍କ ସହିତ ଭାଗ ନେବେ, ସେତେବେଳେ ସେମାନେ ମଧ୍ୟ ‘ପ୍ରକାଶିତ’ ହେବେ । (ପ୍ରକାଶିତ ବାକ୍ୟ ୨:୨୬, ୨୭; ୧୯:୧୪, ୧୫) ତାʼପରେ ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନ ସମୟରେ, ମଣିଷଙ୍କ ‘ସୃଷ୍ଟିକୁ’ ଯୀଶୁଖ୍ରୀଷ୍ଟଙ୍କ ମୁକ୍ତି-ବଳିଦାନର ଲାଭ ଦେବାକୁ ସେମାନେ ଜାଜକୀୟ ମାଧ୍ୟମରୂପେ ପୁଣି ‘ପ୍ରକାଶିତ’ ହେବେ । ପରିଣାମସ୍ୱରୂପେ ଏହା ମଣିଷଜାତିକୁ “କ୍ଷୟର ଦାସତ୍ୱରୁ ମୁକ୍ତ” କରିବ ଏବଂ ଅବଶେଷରେ ‘ଈଶ୍ୱରଙ୍କ ସନ୍ତାନମାନଙ୍କୁ ଗୌରବମୟ ଅବସ୍ଥାରେ’ ପ୍ରବେଶ କରାଇବ । (ରୋମୀୟ ୮:୨୧; ପ୍ରକାଶିତ ବକ୍ୟ ୨୦:୫; ୨୨:୧, ୨) ଏହି ପ୍ରକାର ମହାନ ପ୍ରତ୍ୟାଶାରେ, ଅନ୍ୟ ମେଷ ‘ଏକାନ୍ତ ଆକାଂକ୍ଷାର’ ସହିତ ‘ଈଶ୍ୱରଙ୍କ ସନ୍ତାନମାନଙ୍କ ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି,’ ଏଥିରେ କିଛି ଆଶ୍ଚର୍ଯ୍ୟ ବିଷୟ ଅଛି କି?—ରୋମୀୟ ୮:୧୯.

ଯିହୋବାଙ୍କ ଧୈର୍ଯ୍ୟର ଅର୍ଥ ପରିତ୍ରାଣ?

୧୫. ଯିହୋବାଙ୍କ ଘଟଣାଗୁଡ଼ିକର ସମୟ ସମ୍ବନ୍ଧରେ ଆମେ କେଉଁ ବିଷୟ କେବେହେଲେ ଭୁଲିବା ଉଚିତ୍‌ ନୁହେଁ?

୧୫ ଯିହୋବା ମହାନ ସମୟାନୁବର୍ତ୍ତୀ ଅଟନ୍ତି । ତାହାଙ୍କ ଘଟଣାଗୁଡ଼ିକର ସମୟ ସଠିକ୍‌ ବୋଲି ପ୍ରମାଣ ହେବ । ଯେପରି ଆମେ ବ୍ୟକ୍ତିଗତରୂପେ ଆଶା କରୁଛୁ, ସେହିପରି ଘଟଣାଗୁଡ଼ିକ ସର୍ବଦା ଘଟି ନପାରେ । କିନ୍ତୁ, ପରମେଶ୍ୱରଙ୍କ ସମସ୍ତ ପ୍ରତିଜ୍ଞା ପରିପୂର୍ଣ୍ଣ ହେବ ବୋଲି ଆମେ ଦୃଢ଼ଭାବେ ଆଶା କରି ପାରିବା । (ଯିହୋଶୂୟ ୨୩:୧୪) ସେ ଏହି ଅବସ୍ତାକୁ ଅଧିକ ସମୟ ପର୍ଯ୍ୟନ୍ତ ରହିବାକୁ ଅନୁମତି ଦେଇପାରନ୍ତି, ଯାହାର ଅପେଷା ଅନ୍ୟମାନେ କରନ୍ତି ନାହିଁ । କିନ୍ତୁ, ସେ ଯେଉଁ ରୀତିରେ କାର୍ଯ୍ୟ କରନ୍ତି, ତାହାକୁ ଆମେ ବୁଝିବା ପାଇଁ ଏବଂ ତାଙ୍କର ବୁଦ୍ଧିକୁ ପ୍ରଶଂସା କରିବା ପାଇଁ ଚେଷ୍ଟା କରିବା ଉତିତ୍‌ । ପାଉଲ ଲେଖିଥିଲେ: “ଆହା ! ଈଶ୍ୱରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର ! ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ଅନନୁସନ୍ଧେୟ ! କାରଣ, ପ୍ରଭୁଙ୍କର ମନ କିଏ ଜାଣିଅଛି? କିମ୍ବା ତାହାଙ୍କର ମନ୍ତ୍ରୀ କିଏ ହୋଇଅଛି?”—ରୋମୀୟ ୧୧:୩୩, ୩୪.

୧୬. ଯିହୋବାଙ୍କ ଧୈର୍ଯ୍ୟରୁ କେଉଁମାନେ ଲାଭବାନ ହୁଅନ୍ତି?

୧୬ ପିତର ଲେଖିଥିଲେ: “ହେ ପ୍ରିୟମାନେ, ତୁମ୍ଭେମାନେ ଏହିସମସ୍ତ ବିଷୟ [ପୁରାତନ “ଆକାଶମଣ୍ଡଳ” ଓ ‘ପୃଥିବୀର’ ଧ୍ୱଂସ ଏବଂ ତାହାର ସ୍ଥାନରେ ପରମେଶ୍ୱରଙ୍କ ପ୍ରତିଜ୍ଞାତ “ନୂତନ ଆକାଶମଣ୍ଡଳ” ଓ ‘ନୂତନ ପୃଥିବୀକୁ’] ଅପେକ୍ଷା କରୁଥିବାରୁ ତାହାଙ୍କ ଛାମୁରେ [ସର୍ବଶେଷରେ] ଯେପରି ନିଷ୍କଳଙ୍କ ଓ ଅନିନ୍ଦନୀୟ ହୋଇ ଶାନ୍ତିରେ ଥିବାର ଦେଖାଯିବ, ଏଥିପାଇଁ ଯତ୍ନ କର । ପୁଣି, ଆମ୍ଭମାନଙ୍କ ପ୍ରଭୁଙ୍କର ଦୀର୍ଘସହିଷ୍ଣୁତା [ପରି]ତ୍ରାଣଜନକ ବୋଲି ଜ୍ଞାନ କର ।” ଯିହୋବାଙ୍କ ଧୈର୍ଯ୍ୟର କାରଣରୁ ଲକ୍ଷ ଲକ୍ଷ ଲୋକଙ୍କୁ ‘ଯିହୋବାଙ୍କ ଦିନରୁ’ ରକ୍ଷା ପାଇବାକୁ ସୁଯୋଗ ମିଳେ । ‘ଯିହୋବାଙ୍କ ଦିନ’ ଅପ୍ରତ୍ୟାଶିତଭାବେ ‘ଚୋରପରି’ ଆସିବ । (୨ ପିତର ୩:୯-୧୫) ତାହାଙ୍କ ଧୈର୍ଯ୍ୟ ଆମ ପ୍ରତ୍ୟେକଙ୍କୁ ‘ଭୟ ତଥା କମ୍ପନପୂର୍ବକ ନିଜର ପରିତ୍ରାଣ ପ୍ରାପ୍ତି ସକାଶେ ଅଧିକତର ଯତ୍ନବାନ ହେବାକୁ’ ଅନୁମତି ପ୍ରଦାନ କରେ । (ଫିଲିପ୍‌ପୀୟ ୨:୧୨, OCB) ଯୀଶୁ କହିଥିଲେ ଯେ, “ମନୁଷ୍ୟପୁତ୍ର” ବିଚାର ପାଇଁ ଆସିବା ସମୟରେ ଯଦି ଆମେ ପରମେଶ୍ୱରଙ୍କୁ ପ୍ରସନ୍ନ କରିବାକୁ ଏବଂ ତାହାଙ୍କ “ସନ୍ନିଧାନରେ ଦଣ୍ଡାୟମାନ ହେବା ନିମନ୍ତେ” ସମର୍ଥ ହୋବାକୁ ଚାହୁଁ, ତେବେ ଆମେ ନଜ ବିଷୟରେ “ସତର୍କ” ହେବା ଓ ‘ଜାଗି ରହିବା’ ଉତିତ ।—ଲୂକ ୨୧:୩୪-୩୬; ମାଥିଉ ୨୫:୩୧-୩୩.

ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ

୧୭. ପାଉଲଙ୍କ କେଉଁ ବାକ୍ୟକୁ ଆମେ ପାଳନ କରିବା ଉଚିତ୍‌?

୧୭ ପାଉଲ ତାଙ୍କର ଆଧ୍ୟାତ୍ମିକ ଭାଇମାନଙ୍କୁ “ଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ ନ କରି ଅଦୃଶ୍ୟ ବିଷୟ ପ୍ରତି ଲକ୍ଷ୍ୟ” କରିବାକୁ ପ୍ରୋତ୍ସାହିତ କରିଥିଲେ । (୨ କରିନ୍ଥୀୟ ୪:୧୬-୧୮) ସେ ଚାହୁଁଥିଲେ ଯେ, ତାଙ୍କ ସମ୍ମୁଖରେ ରଖାଯାଇଥିବା ସ୍ୱର୍ଗୀୟ ପୁରସ୍କାରକୁ କୌଣସି ବସ୍ତୁ ଅସ୍ପଷ୍ଟ ନ କରୁ । ଆମେ ଅଭିଷିକ୍ତ ଖ୍ରୀଷ୍ଟିଆନ ହେଉ ବା ଅନ୍ୟ ମେଷ ହେଉ, ଆମ ସମ୍ମୁଖରେ ଥିବା ଅଦ୍ଭୁତ ଆଶାକୁ ଆମେ ସର୍ବଦା ମନରେ ରଖିବା ଏବଂ କେବେହେଲେ ହତାଶ ହେବା ନାହିଁ । ଆମେ ‘ଧୈର୍ଯ୍ୟ ସହକାରେ ତାହାର ଅପେକ୍ଷାରେ ଥାଇ’ ପ୍ରମାଣ କରିବା ଯେ, “ପଶ୍ଚାଦ୍‌ପଦ ହୋଇ ବିନଷ୍ଟ ହେଉଥିବା ଲୋକମାନଙ୍କ ପଂକ୍ତିଭୁକ୍ତ ଆମେ ନୋହୁ; ମାତ୍ର ବିଶ୍ୱାସ ରଖି ଆତ୍ମାମାନଙ୍କୁ ରକ୍ଷା କରୁଥିବା ଲୋକମାନଙ୍କ ପର୍ଯ୍ୟାୟଭୁକ୍ତ ଆମେ ଅଟୁ ।”—ରୋମୀୟ ୮:୨୫; ଏବ୍ରୀ ୧୦:୩୯, OCB.

୧୮. ଆମେ ଦୃଢ଼ ବିଶ୍ୱାସର ସହିତ କାଳ ଓ ସମୟକୁ ଯିହୋବାଙ୍କ ହାତରେ କାହିଁକି ଛାଡ଼ିପାରିବା?

୧୮ ଆମେ ଦୃଢ଼ ବିଶ୍ୱାସର ସହିତ କାଳ ଓ ସମୟକୁ ଯିହୋବାଙ୍କ ହାତରେ ଛାଡ଼ିପାରିବା । ତାଙ୍କର ସମୟ ନିର୍ଘଣ୍ଟ ଅନୁସାରେ ତାହାଙ୍କ ପ୍ରତିଜ୍ଞାଗୁଡ଼ିକ ପରିପୂର୍ଣ୍ଣ ହେବାରେ “ବିଳମ୍ବ ହେବ ନାହିଁ ।” (ହବକ୍‌କୂକ ୨:୩) ଇତିମଧ୍ୟରେ ତୀମଥିକୁ ପାଉଲଙ୍କ ଉପଦେଶ ଆମ ପାଇଁ ଅନ୍ୟ ଏକ ଅର୍ଥ ଦିଏ । ସେ କହିଥିଲେ: “ମୁଁ ଈଶ୍ୱରଙ୍କ ସାକ୍ଷାତରେ, ଆଉ ଯେଉଁ ଖ୍ରୀଷ୍ଟ ଯୀଶୁ ଜୀବିତ ଓ ମୃତ ଉଭୟଙ୍କର ବିଚାର କରିବାକୁ ଯାଉଅଛନ୍ତି, ତାହାଙ୍କ ସାକ୍ଷାତରେ, ପୁଣି ତାହାଙ୍କ ପୁନରାଗମନ ଓ ରାଜ୍ୟର ଶପଥ ଦେଇ ତୁମ୍ଭକୁ ଦୃଢ଼ ଆଜ୍ଞା ଦେଉଅଛି, ବାକ୍ୟ ପ୍ରଚାର କର, ସମୟରେ କି ଅସମୟରେ ସେଥିରେ ଉଦ୍‌ଯୋଗୀ ହୁଅ, . . . ସୁସମାଚାରପ୍ରଚାରକର କାର୍ଯ୍ୟ ସାଧନ କର, ତୁମ୍ଭ ସେବାର କାର୍ଯ୍ୟ ସମ୍ପନ୍ନ କର ।”—୨ ତୀମତି ୪:୧-୫.

୧୯. ଯିହୋବାଙ୍କ ଲୋକଙ୍କ ପାଇଁ ଏପର୍ଯ୍ୟନ୍ତ କʼଣ କରିବାକୁ ସମୟ ଅଛି ଏବଂ କାହିଁକି?

୧୯ ଆମର ଏବଂ ଆମ ପଡ଼ୋଶୀଙ୍କର ଜୀବନ ସଙ୍କଟାପନ୍ନ ଅବସ୍ଥାରେ ଅଛି । ପାଉଲ ଲେଖିଥିଲେ: “ଆପଣା ବିଷୟରେ ଓ ଆପଣା ଶିକ୍ଷା ବିଷୟରେ ସତର୍କ ହୁଅ, ଏହି ସମସ୍ତ ବିଷୟରେ ଲାଗି ରୁହ, କାରଣ ତାହା କଲେ ତୁମ୍ଭେ ଆପଣା ପରିତ୍ରାଣ ଓ ତୁମ୍ଭର ଶ୍ରୋତାମାନଙ୍କର ପରିତ୍ରାଣ ମଧ୍ୟ ସାଧନ କରିବ ।” (୧ ତୀମଥି ୪:୧୬) ଏହି ରୀତିବ୍ୟବସ୍ଥାର ଧ୍ୱଂସର ସମୟ ଅତି ନିକଟବର୍ତ୍ତି ହେଉଅଛି । ଆମେ ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଥିବା ବେଳେ ଉତ୍ତେଜକ ଘଟଣା ଆମ ସମ୍ମୁଖରେ ଅଛି । ଯିହୋବାଙ୍କ ଲୋକଙ୍କ ପାଇଁ ରାଜ୍ୟର ସୁସମାଚାର ପ୍ରଚାର କରିବାକୁ ତାହାଙ୍କ କାଳ ଓ ସମୟ ଏପର୍ଯ୍ୟନ୍ତ ବାକି ଅଛି, ଏହା ଆମେ ଜାଣିବା ଉଚିତ୍‌ । ଆମେ ଏକାନ୍ତ ଆକାଂକ୍ଷାରେ, ଭବିଷ୍ୟତରେ ହେବାକୁ ଥିବା ଉତ୍ତେଜକ ଘଟଣାଗୁଡ଼ିକର ଅପେକ୍ଷା କରୁଥିବା ବେଳେ ସର୍ବଦା ମନେ ରଖିବା ଉଚିତ୍‌ ଯେ ଅଦ୍ୟାପି ଯିହୋବାଙ୍କ କାଳ ଓ ସମୟ ଚାଲୁଅଛି । ଏହି ଅବଧିରେ ଯିହୋବାଙ୍କ ଲୋକ ରାଜ୍ୟର ସୁସମାଚାର ପ୍ରଚାର କରନ୍ତି । ଏହି ପ୍ରଚାର କାର୍ଯ୍ୟ ଯିହୋବା ସନ୍ତୁଷ୍ଟ ହେବା ପର୍ଯ୍ୟନ୍ତ ଚାଲିବ । “ତତ୍ପରେ,” ଯେପରି ଯୀଶୁ କହିଥିଲେ, “ଯୁଗାନ୍ତ ହେବ ।”—ମାଥିଉ ୨୪:୧୪.

[ପାଦ ଟିପ୍ପଣୀଗୁଡ଼ିକ]

a ୱାଚ୍‌ଟାୱାର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଦ୍ୱାରା ପ୍ରକାଶିତ ଜ୍ଞାନ ଯାହା ଅନନ୍ତ ଜୀବନଆଡ଼କୁ ପରିଚାଳିତ କରେ, ବହିଟିର ୧୦ ଓ ୧୧ ଅଧ୍ୟାୟ ଦେଖନ୍ତୁ ।

ପୁନର୍ବିଚାର

◻ ତାରିଖ ସମ୍ବନ୍ଧରେ, ଆମର ଅବସ୍ଥା ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିଆନମାନଙ୍କ ପରି କିପରି ସମାନ?

◻ ଖ୍ରୀଷ୍ଟଙ୍କ ଉପସ୍ଥିତି ସମୟରେ ମଧ୍ୟ ଖ୍ରୀଷ୍ଟିଆନମାନଙ୍କୁ କାହିଁକି “ଜାଗ୍ରତ” ରହିବା ଆବଶ୍ୟକ?

◻ “ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ” ନିମନ୍ତେ ମଣିଷଙ୍କ ସୃଷ୍ଟି କାହିଁକି ଏକାନ୍ତ ଆକାଂକ୍ଷାରେ ରହିଛି?

◻ ଆମେ ଦୃଢ଼ ବିଶ୍ୱାସର ସହିତ କାଳ ଓ ସମୟକୁ ଯିହୋବାଙ୍କ ହାତରେ କାହିଁକି ଛାଡ଼ିପାରିବା?

[ପୃଷ୍ଠାରେ କ୍ୟାପସନ୍‌ ୧୭]

ଯୀଶୁଙ୍କ ଆଗମନର ଆକାଂକ୍ଷାରେ ଖ୍ରୀଷ୍ଟିଆନମାନେ ନିଶ୍ଚିତଭାବେ ଜାଗ୍ରତ ରହିବା ଉଚିତ୍‌

[ପୃଷ୍ଠାରେ କ୍ୟାପସନ୍‌ ୧୮]

ଅଭିଷିକ୍ତ ଅବଶିଷ୍ଟାଂଶ ଲୋକ ଯିହୋବାଙ୍କ କାର୍ଯ୍ୟରେ ବ୍ୟସ୍ତ ରହନ୍ତି ଓ ତାଙ୍କର ବିଶ୍ୱାସକୁ ତାରିଖ ଉପରେ ଆଧାରିତ କରନ୍ତି ନାହିଁ

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ