ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଜୁଲାଇ ପୃଷ୍ଠା ୨-୭
  • ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି !
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଈଶ୍ୱରଙ୍କ ରାଜ୍ୟ କେବେ ଆରମ୍ଭ ହେଲା ?
  • ଆମେ କିପରି ଜାଣୁ ଯେ ଯୀଶୁ ଶାସନ କରିବା ଆରମ୍ଭ କରିଦେଇଛନ୍ତି ?
  • ଈଶ୍ୱରଙ୍କ ରାଜ୍ୟ ନିଜ ଶତ୍ରୁମାନଙ୍କୁ କିପରି ବିନାଶ କରିବ ?
  • ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ରକ୍ଷା କରିବେ
  • ବାଇବଲର ଭବିଷ୍ୟତବାଣୀଗୁଡ଼ିକରୁ ଶିଖନ୍ତୁ
    ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଜୁଲାଇ ପୃଷ୍ଠା ୨-୭

ଅଧ୍ୟୟନ ଲେଖା ୨୮

ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି !

“ଜଗତ ଉପରେ ରାଜତ୍ୱ ଆମ୍ଭମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି ।”—ପ୍ରକା. ୧୧:୧୫.

ଗୀତ ୨୨ ସ୍ୱାର୍ଗ ମେ ରାଜ ସୁରୁ ହୁଆ—ଆବ୍‌ ଧାରତି ପାର୍‌, ହୈ ଦୁଆ !

ଲେଖାର ଝଲକa

୧. ଆଜି କେଉଁ ଭବିଷ୍ୟତବାଣୀ ପୂରା ହେଉଛି ଆଉ ଏହା କେଉଁ କଥାର ପ୍ରମାଣ ଅଟେ ?

ଦୁନିଆରେ ଦେଖିବା ହେଲେ, ପରିବାର ସବୁ ଭାଙ୍ଗିଯାଉଛି । କଥା କଥାରେ ଲୋକମାନେ ରାଗିଯାଆନ୍ତି ଆଉ ମାରପିଟ୍‌ କରନ୍ତି । ସମସ୍ତେ କେବଳ ନିଜ ବିଷୟରେ ଭାବନ୍ତି । ଅଧିକାରୀମାନେ ବେଇମାନ ହୋଇଯାଉଛନ୍ତି ଆଉ ସେମାନଙ୍କ ଉପରୁ ଲୋକମାନଙ୍କର ଭରସା ଉଠିଯାଉଛି । ଏହା ଦେଖି ହୁଏତ ଆମକୁ ଲାଗିପାରେ ଆମ ପାଖରେ କିଛି ଆଶା ନାହିଁ, ପରିସ୍ଥିତି କେବେ ସୁଧୁରିବ ନାହିଁ । କିନ୍ତୁ ପ୍ରକୃତରେ ଏହି ପରିସ୍ଥିତିକୁ ଦେଖି ଆମକୁ ଆଶା ମିଳେ ଯେ ଖୁବ୍‌ ଶୀଘ୍ର ସବୁକିଛି ଠିକ୍‌ ହୋଇଯିବ । ବାଇବଲରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ଯେବେ ଏପରି ଲୋକମାନେ ଦେଖାଯିବେ, ତେବେ ତାʼର ଅର୍ଥ ହେବ ଯେ ଆମେ ଦୁନିଆର “ଶେଷକାଳରେ” ବଞ୍ଚୁଛୁ । (୨ ତୀମ. ୩:୧-୫) ଏଥିରେ କିଛି ସନ୍ଦେହ ନାହିଁ ଯେ ଏହି ଭବିଷ୍ୟତବାଣୀ ଆଜି ପୂରା ହେଉଛି । ଏହା ଏକଥାର ପ୍ରମାଣ ଯେ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛନ୍ତି । ବାଇବଲରେ ଈଶ୍ୱରଙ୍କ ରାଜ୍ୟ ସହିତ ଜଡ଼ିତ ଆହୁରି ଭବିଷ୍ୟତବାଣୀଗୁଡ଼ିକ କରାଯାଇଛି । ଆସନ୍ତୁ ସେମଧ୍ୟରୁ କିଛି ଉପରେ ଧ୍ୟାନ ଦେବା, ଯାହା ଶେଷକାଳରେ ଅର୍ଥାତ୍‌ ଆମ ସମୟରେ ପୂରା ହୋଇଛି । ଏଥିରୁ ଆମର ବିଶ୍ୱାସ ଆହୁରି ବଢ଼ିବ ।

ଗୋଟିଏ ବଡ଼ ଚିତ୍ରରେ ଦାନିୟେଲ ଓ ପ୍ରକାଶିତ ବାକ୍ୟରେ କରାଯାଇଥିବା ଅଲଗା ଅଲଗା ଭବିଷ୍ୟତବାଣୀଗୁଡ଼ିକର ଦୃଶ୍ୟ ଦିଆଯାଇଛି । ଏହି ଚିତ୍ର ଅନେକ ଛୋଟ ଛୋଟ ଅଂଶକୁ ନେଇ ତିଆରି ହୋଇଛି । ଜଣେ ବ୍ୟକ୍ତି ତାʼର ଶେଷ ଅଂଶକୁ ଠିକ୍‌ ଜାଗାରେ ଲଗାଉଛି । ଏହି ଅଂଶରେ ସେହି ପଥର ଦେଖାଯାଉଛି, ଯାହା ମୂର୍ତ୍ତିର ପାଦକୁ ବାଜି ସାରିଛି । ୧. ପାହାଡ଼ରୁ ଗୋଟିଏ ବଡ଼ ପଥର ଖୁବ୍‌ ଜୋରରେ ତଳକୁ ଆସେ ଏବଂ ଧାତୁରେ ତିଆରି ଏକ ବିଶାଳ ମୂର୍ତ୍ତିର ପାଦ ସହ ବାଡ଼େଇ ହୁଏ । ୨. ଗୋଟିଏ ଉଚ୍ଚ ଗଛ । ୩. ଖୁବ୍‌ ଜୋରରେ ଦୌଡ଼ୁଥିବା ଚାରୋଟି ଘୋଡ଼ା ଏବଂ ତାʼର ସବାରୀମାନେ । ୪. ଜଣେ ବେଶ୍ୟା ଲୋହିତବର୍ଣ୍ଣର ଗୋଟିଏ ଜଙ୍ଗଲୀ ପଶୁ ଉପରେ ବସିଛି ।

ପ୍ରକାଶିତ ବାକ୍ୟ ଓ ଦାନିୟେଲ ବହିରେ ଲେଖାଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ଗୋଟିଏ ବଡ଼ ଚିତ୍ରର ଛୋଟ ଛୋଟ ଅଂଶ ଭଳି ଅଟନ୍ତି । ଏଗୁଡ଼ିକୁ ଯୋଡ଼ିଲେ ଆମେ ପୂରା ଚିତ୍ର ଦେଖିପାରିବା ଅର୍ଥାତ୍‌ ଆମେ ବୁଝିପାରିବା ଯେ ଅନେକ ଭବିଷ୍ୟତବାଣୀଗୁଡ଼ିକ ପୂରା ହୋଇଯାଇଛି ଆଉ ଖୁବ୍‌ ଶୀଘ୍ର ବିନାଶ ଆସିବ, ଠିକ୍‌ ଯେପରି ଯିହୋବା ପ୍ରତିଜ୍ଞା କରିଥିଲେ (ପାରାଗ୍ରାଫ ୨)

୨. ଏହି ଲେଖାରେ ଆମେ କେଉଁ ବିଷୟଗୁଡ଼ିକରେ ଆଲୋଚନା କରିବା ଓ କାହିଁକି ? (ବାହାରେ ଥିବା ଚିତ୍ର ଦେଖନ୍ତୁ ।)

୨ ଏହି ଲେଖାରେ ଆମେ ସବୁଠୁ ଆଗ ଗୋଟିଏ ଭବିଷ୍ୟତବାଣୀ ଉପରେ ଧ୍ୟାନ ଦେବା, ଯେଉଁଥିରୁ ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ କେବେ ଆରମ୍ଭ ହେଲା । ତାʼପରେ ଆମେ କିଛି ଭବିଷ୍ୟତବାଣୀଗୁଡ଼ିକରୁ ଜାଣିବା ଯେ ଆମେ କିପରି କହିପାରିବା ଯେ ଯୀଶୁ ଶାସନ କରିବା ଆରମ୍ଭ କରିଦେଇଛନ୍ତି । ଶେଷରେ ଆମେ କିଛି ଭବିଷ୍ୟତବାଣୀଗୁଡ଼ିକ ଉପରେ ଆଲୋଚନା କରିବା, ଯେଉଁଥିରୁ ଆମେ ବୁଝିପାରିବା ଯେ ଈଶ୍ୱର ନିଜ ଶତ୍ରୁମାନଙ୍କୁ କିପରି ବିନାଶ କରିବେ । ଏହି ସବୁ ଭବିଷ୍ୟତବାଣୀଗୁଡ଼ିକ ଗୋଟିଏ ବଡ଼ ଚିତ୍ରର ଛୋଟ ଛୋଟ ଅଂଶ ଭଳି ଅଟେ । ଏଗୁଡ଼ିକୁ ଯୋଡ଼ିଲେ ଆମେ ପୂରା ଚିତ୍ର ଦେଖିପାରିବା ଅର୍ଥାତ୍‌ ଆମେ ବୁଝିପାରିବା ଯେ ଅନେକ ଭବିଷ୍ୟତବାଣୀଗୁଡ଼ିକ ପୂରା ହୋଇଯାଇଛି ଆଉ ଖୁବ୍‌ ଶୀଘ୍ର ବିନାଶ ଆସିବ, ଠିକ୍‌ ଯେପରି ଯିହୋବା ପ୍ରତିଜ୍ଞା କରିଥିଲେ ।

ଈଶ୍ୱରଙ୍କ ରାଜ୍ୟ କେବେ ଆରମ୍ଭ ହେଲା ?

୩. ଦାନିୟେଲ ୭:୧୩, ୧୪ ପଦରେ ଲେଖାଥିବା ଭବିଷ୍ୟତବାଣୀରୁ ଆମକୁ କେଉଁ କଥାର ବିଶ୍ୱାସ ହୋଇଯାଏ ?

୩ ଦାନିୟେଲ ୭:୧୩, ୧୪ ପଦରେ ଲେଖାଥିବା ଭବିଷ୍ୟତବାଣୀରୁ ଆମକୁ ବିଶ୍ୱାସ ହୋଇଯାଏ ଯେ ଯୀଶୁ ଖ୍ରୀଷ୍ଟ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି ଆଉ ତାଙ୍କ ଭଳି ଭଲ ରାଜା କେହି ହୋଇପାରିବେ ନାହିଁ । ଏଥିରୁ ଏହା ବି ଜଣାପଡ଼େ ଯେ ତାଙ୍କ ରାଜ୍ୟ ସବୁଦିନ ପାଇଁ ରହିବ ଆଉ ସବୁ ରାଷ୍ଟ୍ରର ଲୋକେ ଖୁସିରେ ତାଙ୍କ “ସେବା କରିବେ ।” କିନ୍ତୁ ତାଙ୍କ ରାଜ୍ୟ କେବେ ଆରମ୍ଭ ହେଲା ? ଦାନିୟେଲ ବହିରେ ଲେଖାଥିବା ଆଉ ଏକ ଭବିଷ୍ୟତବାଣୀରୁ ଜଣାପଡ଼େ ଯେ ସାତ କାଳର ଏକ ଲମ୍ବା ସମୟ ଶେଷ ହେଲା ପରେ ଯୀଶୁ ଶାସନ କରିବା ଆରମ୍ଭ କରନ୍ତେ । ଆସନ୍ତୁ ଜାଣିବା ଏହି ସାତ କାଳ କେବେ ଶେଷ ହେଲା ।

୪. ଦାନିୟେଲ ୪:୧୦-୧୭ ପଦରୁ କିପରି ଜଣାପଡ଼େ ଯେ ଯୀଶୁ କେବେ ରାଜା ହୁଅନ୍ତେ ? (ଫୁଟନୋଟ୍‌ ମଧ୍ୟ ଦେଖନ୍ତୁ ।)

୪ ଦାନିୟେଲ ୪:୧୦-୧୭ ପଢ଼ନ୍ତୁ । ଏହି ଭବିଷ୍ୟତବାଣୀରେ କୁହାଯାଇଥିବା ‘ସାତ କାଳର’ ଅର୍ଥ ୨,୫୨୦ ବର୍ଷ । “ସାତ କାଳ” ଖ୍ରୀଷ୍ଟ ପୂର୍ବ ୬୦୭ରେ ଆରମ୍ଭ ହେଲା, ଯେବେ ବାବିଲର ଲୋକମାନେ ଯିରୂଶାଲମ ଉପରେ ଆକ୍ରମଣ କଲେ ଓ ସେଠାକାର ରାଜାକୁ ରାଜଗାଦିରୁ ହଟାଇଦେଲେ । ତାʼପରେ ତାʼପରଠୁ ୨,୫୨୦ ବର୍ଷ ପର୍ଯ୍ୟନ୍ତ ଈଶ୍ୱରଙ୍କ ତରଫରୁ ଶାସନ କରିବା ପାଇଁ କେହି ରାଜା ନ ଥିଲେ । “ସାତ କାଳ” ୧୯୧୪ ଖ୍ରୀଷ୍ଟାବ୍ଦରେ ଶେଷ ହେଲା, ଯେବେ ଯିହୋବା ଯୀଶୁଙ୍କୁ ନିଜ ରାଜ୍ୟର ରାଜା କଲେ ଯାହା ପାଖରେ ଶାସନ କରିବାର ‘ଆଇନଗତ ଅଧିକାର’ ଅଛି ।b—ଯିହି. ୨୧:୨୫-୨୭ NWT.

୫. ‘ସାତ କାଳର’ ଭବିଷ୍ୟତବାଣୀରୁ ଆମକୁ କେଉଁ କଥାର ବିଶ୍ୱାସ ହୋଇଯାଏ ?

୫ ଏହି ଭବିଷ୍ୟତବାଣୀକୁ ବୁଝିଲେ ଆମକୁ କିପରି ଲାଭ ହୁଏ ? ଆମକୁ ଏକଥାର ବିଶ୍ୱାସ ହୋଇଯାଏ ଯେ ଯିହୋବା ନିଜ ପ୍ରତିଜ୍ଞାଗୁଡ଼ିକୁ ଠିକ୍‌ ସମୟରେ ପୂରା କରନ୍ତି । ‘ସାତ କାଳର’ ଭବିଷ୍ୟତବାଣୀ ଠିକ୍‌ ସମୟରେ ପୂରା ହେଲା ଏବଂ ଈଶ୍ୱରଙ୍କ ରାଜ୍ୟ ନିର୍ଦ୍ଧାରିତ ସମୟରେ ଆରମ୍ଭ ହେଲା । ତେଣୁ ଆମେ ବିଶ୍ୱାସ କରିପାରିବା ଯେ ବାକି ଭବିଷ୍ୟତବାଣୀଗୁଡ଼ିକ ମଧ୍ୟ ଠିକ୍‌ ସମୟରେ ପୂରା ହେବ ଆଉ ଯିହୋବାଙ୍କ ଦିନ ଠିକ୍‌ ସମୟରେ ଆସିବ, ‘ଏଥିରେ ବିଳମ୍ବ ହେବ ନାହିଁ ।’—ହବ. ୨:୩.

ଆମେ କିପରି ଜାଣୁ ଯେ ଯୀଶୁ ଶାସନ କରିବା ଆରମ୍ଭ କରିଦେଇଛନ୍ତି ?

୬. (କ) ଯୀଶୁ ଖ୍ରୀଷ୍ଟ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିଦେଇଛନ୍ତି, ଏହି କଥାର କʼଣ ଲକ୍ଷଣ ଅଛି ? (ଖ) ପ୍ରକାଶିତ ବାକ୍ୟ ୬:୨-୮ ପଦରେ ଲେଖାଥିବା ଭବିଷ୍ୟତବାଣୀରୁ ଏହା କିପରି ପ୍ରମାଣିତ ହୁଏ ଯେ ଯୀଶୁ ଶାସନ କରିବା ଆରମ୍ଭ କରିଦେଇଛନ୍ତି ?

୬ ସ୍ୱର୍ଗ ଯିବା ପୂର୍ବରୁ ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ଯେବେ ସେ ଶାସନ କରିବା ଆରମ୍ଭ କରିବେ, ତେବେ ପୃଥିବୀରେ କʼଣ କʼଣ ହେବ ? ସେ କହିଥିଲେ ଯେ ଯୁଦ୍ଧ, ଦୁର୍ଭିକ୍ଷ ଓ ଭୂମିକମ୍ପ ହେବ । ସେ ଏହା ବି କହିଥିଲେ ଯେ “ସ୍ଥାନେ ସ୍ଥାନେ” ମହାମାରୀଗୁଡ଼ିକ ବ୍ୟାପିବ । ଆଉ ଆମେ ସମସ୍ତେ ଦେଖିଲୁ ଯେ କୋଭିଡ୍‌-୧୯ ମହାମାରୀ କିପରି ବ୍ୟାପିଲା । ବାଇବଲରେ କୁହାଯାଇଛି ଯେ ଏହି କଥାଗୁଡ଼ିକ ଖ୍ରୀଷ୍ଟଙ୍କ ଆଗମନର “ଲକ୍ଷଣ” ଅଟେ । (ମାଥି. ୨୪:୩, ୭; ଲୂକ ୨୧:୭, ୧୦, ୧୧) ନିଜ ଶିଷ୍ୟମାନଙ୍କୁ ଏହି କଥା କହିବାର ୬୦ ବର୍ଷ ପରେ, ଯୀଶୁ ଆଉ ଥରେ ପ୍ରେରିତ ଯୋହନଙ୍କୁ କହିଲେ ଯେ ଯେବେ ତାଙ୍କ ଶାସନ ଆରମ୍ଭ ହେବ, ତେବେ ଏହି ଘଟଣାଗୁଡ଼ିକ ହେବ । (ପ୍ରକାଶିତ ବାକ୍ୟ ୬:୨-୮ ପଢ଼ନ୍ତୁ ।) ଆଉ ୧୯୧୪ରୁ ଯେବେଠୁ ଯୀଶୁ ରାଜା ହେଲେ, ତେବେଠୁ ଆମେ ସ୍ପଷ୍ଟ ଦେଖିପାରୁଛୁ ଯେ ଏସବୁ କଥା ପୂରା ହେଉଛି ।

୭. ଯେବେଠୁ ଯୀଶୁ ରାଜା ହେଲେ, ତେବେଠୁ ପୃଥିବୀରେ ଏତେ କଷ୍ଟ କାହିଁକି ଆସିଛି ?

୭ ଯେବେଠୁ ଯୀଶୁ ରାଜା ହେଲେ, ତେବେଠୁ ପୃଥିବୀର ପରିସ୍ଥିତି ଏତେ ଖରାପ କାହିଁକି ହୋଇଯାଇଛି ? ପ୍ରକାଶିତ ବାକ୍ୟ ୬:୨ ପଦରୁ ଆମକୁ ଏବିଷୟରେ କିଛି ଜଣାପଡ଼େ । ସେଇଠି କୁହାଯାଇଛି ଯେ ଯୀଶୁ ରାଜା ହେବା ପରେ ପ୍ରଥମେ ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ଲଢ଼େଇ କଲେ । ପ୍ରକାଶିତ ବାକ୍ୟ ଅଧ୍ୟାୟ ୧୨ରେ ଲେଖାଅଛି ଯେ ଶୟତାନ ସେହି ଲଢ଼େଇରେ ହାରିଗଲା ଏବଂ ତାକୁ ଆଉ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ପୃଥିବୀରେ ଫିଙ୍ଗି ଦିଆଗଲା । ତେବେଠୁ ଶୟତାନ ମଣିଷମାନଙ୍କ ଉପରେ ନିଜ ରାଗ ବାହାର କରୁଛି । ତେଣୁ ବାଇବଲରେ ଲେଖାଅଛି ଯେ ‘ପୃଥିବୀ ସନ୍ତାପର ପାତ୍ର ।’—ପ୍ରକା. ୧୨:୭-୧୨.

ଜଣେ ସ୍ୱାମୀ ସ୍ତ୍ରୀ ଟିଭିରେ ଦଙ୍ଗାଗୁଡ଼ିକର ଖବର ଶୁଣିଛନ୍ତି । ପାଖରେ ଥିବା ଟେବୁଲ ଉପରେ ବାଇବଲ ଓ ତାʼ ଉପରେ ଆଧାରିତ ପ୍ରକାଶନଗୁଡ଼ିକ ରଖାଯାଇଛି ।

ଖରାପ ଖବରଗୁଡ଼ିକ ଶୁଣି ଆମକୁ ଭଲ ତ ଲାଗେନି, କିନ୍ତୁ ଯେବେ ଆମେ ଦେଖୁ ଯେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ପୂରା ହେଉଛି, ତେବେ ଆମର ବିଶ୍ୱାସ ବଢ଼ିଯାଏ ଯେ ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି (ପାରାଗ୍ରାଫ ୮)

୮. ଯେବେ ଆମେ ଦେଖୁ ଯେ ରାଜ୍ୟ ବିଷୟରେ କରାଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ପୂରା ହେଉଛି, ତେବେ ଆମକୁ କିପରି ଲାଗେ ?

୮ ଏହି ଭବିଷ୍ୟତବାଣୀକୁ ବୁଝିଲେ ଆମକୁ କିପରି ଲାଭ ହୁଏ ? ଆଜି ଦୁନିଆର ପରିସ୍ଥିତି ଓ ଲୋକମାନଙ୍କ ବ୍ୟବହାର ଦେଖିଲେ ସ୍ପଷ୍ଟ ଜଣାପଡ଼େ ଯେ ଯୀଶୁ ରାଜା ହୋଇଯାଇଛନ୍ତି । ତେଣୁ ଯେବେ ଆମେ ଦେଖୁ ଯେ ଲୋକମାନେ କେବଳ ନିଜ ବିଷୟରେ ଭାବନ୍ତି ଓ ଅନ୍ୟମାନଙ୍କ ସହିତ ଖରାପ ବ୍ୟବହାର କରନ୍ତି, ତେବେ ଆମକୁ ଅଧିକ ଚିନ୍ତା କରିବା ଦରକାର ନାହିଁ । ଆମେ ମନେରଖିବା ଉଚିତ୍‌ ଯେ ଏହାର ଅର୍ଥ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ପୂରା ହେଉଛି ଆଉ ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି ! (ଗୀତ. ୩୭:୧) ଯେମିତି ଯେମିତି ହର୍ମିଗିଦ୍ଦୋନ୍‌ ପାଖକୁ ଆସିବ, ସମସ୍ୟାଗୁଡ଼ିକ ଆହୁରି ବଢ଼ିବାକୁ ଲାଗିବ । (ମାର୍କ ୧୩:୮; ୨ ତୀମ. ୩:୧୩) କିନ୍ତୁ ଆମେ ବହୁତ ଖୁସି ଯେ ଦୁନିଆର ପରିସ୍ଥିତି ଏତେ ଖରାପ କାହିଁକି ଅଛି, ତାହା ବୁଝିବା ପାଇଁ ଯିହୋବା ଆମକୁ ସାହାଯ୍ୟ କରିଛନ୍ତି ।

ଈଶ୍ୱରଙ୍କ ରାଜ୍ୟ ନିଜ ଶତ୍ରୁମାନଙ୍କୁ କିପରି ବିନାଶ କରିବ ?

୯. (କ) ଦାନିୟେଲ ୨:୨୮, ୩୧-୩୫ ପଦରେ ଶେଷ ବିଶ୍ୱଶକ୍ତି ବିଷୟରେ କʼଣ କୁହାଯାଇଛି ? (ଖ) ଏହା କେବେଠୁ ଶାସନ କରିବାକୁ ଲାଗିଲା ?

୯ ଦାନିୟେଲ ୨:୨୮, ୩୧-୩୫ ପଢ଼ନ୍ତୁ । ଆଜି ଆମେ ଏହି ଭବିଷ୍ୟତବାଣୀକୁ ପୂରା ହେବାର ଦେଖୁଛୁ । ନବୂଖଦ୍‌ନିତ୍ସର ନିଜ ସ୍ୱପ୍ନରେ ଦେଖିଲେ ଯେ “ଅନ୍ତିମ କାଳରେ” ଅର୍ଥାତ୍‌ ଯୀଶୁଙ୍କ ଶାସନ ଆରମ୍ଭ ହେବା ପରେ କʼଣ ହେବ । ସେ ଗୋଟିଏ ମୂର୍ତ୍ତି ଦେଖିଲେ, ଯାହାର ପାଦ ‘ଲୌହ ଓ ମୃତ୍ତିକାରୁ’ ତିଆରି ହୋଇଥିଲା । ଏହା ଶେଷ ବିଶ୍ୱଶକ୍ତି ହୁଅନ୍ତା ଓ ଈଶ୍ୱରଙ୍କ ରାଜ୍ୟର ଶତ୍ରୁ ହୁଅନ୍ତା । ଯେବେ ଯୀଶୁ ଶାସନ କରିବା ଆରମ୍ଭ କରନ୍ତେ, ତେବେ ପୃଥିବୀରେ ଏହି ବିଶ୍ୱଶକ୍ତିର ଶାସନ ଚାଲୁଥାʼନ୍ତା । ଏହି ବିଶ୍ୱଶକ୍ତି କିଏ ଥିଲା ଓ କେବେଠୁ ଶାସନ କରିବା ଆରମ୍ଭ କରିଥିଲା ? ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍‌ ଓ ଆମେରିକା ମଧ୍ୟରେ ଗଭୀର ମିତ୍ରତା ହୋଇଗଲା ଆଉ ସେମାନେ ମିଶି କାମ କରିବାକୁ ଲାଗିଲେ । ତେବେଠୁ ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି ଶାସନ କରିବା ଆରମ୍ଭ କରିଦେଲା । କିନ୍ତୁ ଏହି ବିଶ୍ୱଶକ୍ତି ଅନ୍ୟ ବିଶ୍ୱଶକ୍ତିଠାରୁ କିପରି ଅଲଗା ଅଟେ ? ଆସନ୍ତୁ ଦୁଇଟି କଥା ଉପରେ ଧ୍ୟାନ ଦେବା ।

୧୦. (କ) ବ୍ରିଟେନ୍‌-ଆମେରିକାକୁ ଯେଉଁଭଳି ଦର୍ଶାଯାଇଛି ତାହା କାହିଁକି ଠିକ୍‌ ଅଟେ ? (ଖ) ଆମେ କେଉଁ କଥାଠାରୁ ସାବଧାନ ରହିବା ଉଚିତ୍‌ ? (“ମୃତ୍ତିକାଠାରୁ ସାବଧାନ !” ବକ୍ସ ଦେଖନ୍ତୁ ।)

୧୦ ପ୍ରଥମ କଥା: ମୂର୍ତ୍ତିର ଅଲଗା ଅଲଗା ଭାଗ ଅଲଗା ଅଲଗା ବିଶ୍ୱଶକ୍ତିଗୁଡ଼ିକୁ ଦର୍ଶାଏ ଆଉ ସବୁ ଭାଗ କୌଣସି ଏକ ଧାତୁରେ ତିଆରି ହୋଇଛି, ଯେପରି ସୁନା କିମ୍ବା ପିତ୍ତଳ । କିନ୍ତୁ ମୂର୍ତ୍ତିର ପାଦ ଅର୍ଥାତ୍‌ ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି, ମୃତ୍ତିକା ଓ ଲୌହରେ ମିଶି ତିଆରି ହୋଇଛି । ମୃତ୍ତିକା “ମନୁଷ୍ୟମାନଙ୍କ ବଂଶ” ଅର୍ଥାତ୍‌ ସାଧାରଣ ଲୋକଙ୍କୁ ଦର୍ଶାଏ । (ଦାନି. ୨:୪୩) ଏହି ସାଧାରଣ ଲୋକମାନଙ୍କ ଯୋଗୁଁ ଏହି ବିଶ୍ୱଶକ୍ତିର ଲୌହ ଭଳି ଶକ୍ତି ଦୁର୍ବଳ ହୋଇଯାଇଛି । ଆଜି ନିର୍ବାଚନ ସମୟରେ କିମ୍ବା ନାଗରିକମାନଙ୍କ ଅଧିକାର ପାଇଁ ଲଢ଼ିବା ସମୟରେ, ଆନ୍ଦୋଳନ କରିବା ବେଳେ କିମ୍ବା ଶ୍ରମିକ ସଂଘ ତିଆରି କରିବା ବେଳେ, ସାଧାରଣ ଲୋକମାନଙ୍କର ପ୍ରଭାବ ଆମେ ସ୍ପଷ୍ଟ ଦେଖିପାରୁ । ଆଉ ଏହି କାରଣରୁ ଏହି ବିଶ୍ୱଶକ୍ତି ଯାହା ବି କରିବାକୁ ଚାହେଁ, ତାହା କରିପାରେ ନାହିଁ ।

ମୃତ୍ତିକାଠାରୁ ସାବଧାନ

ଦାନିୟେଲ ଦର୍ଶନରେ ଯେଉଁ ବଡ଼ ମୂର୍ତ୍ତି ଦେଖିଲେ, ତାʼର ପାଦ ଲୌହ ଓ ମୃତ୍ତିକା ମିଶି ତିଆରି ହୋଇଛି । ପାଦର ମଝିରେ କିଛି ଲୋକମାନେ ସ୍ଲୋଗାନ କରୁଛନ୍ତି ଏବଂ ଦଙ୍ଗା କରୁଛନ୍ତି, କିଛି ପୋଲିସମାନେ ଢାଲ ନେଇ ଛିଡ଼ା ହୋଇଛନ୍ତି, ଦୁନିଆର ନେତାମାନେ ଏକା ସହିତ ଛିଡ଼ା ହୋଇଛନ୍ତି ଏବଂ ସଂଯୁକ୍ତ ରାଷ୍ଟ୍ରର ସଦସ୍ୟମାନେ ଗୋଟିଏ ସମ୍ମିଳନୀରେ ଏକାଠି ହୋଇଛନ୍ତି ।

ଦାନିୟେଲର ଭବିଷ୍ୟତବାଣୀରେ ମୂର୍ତ୍ତିର ପାଦ ଲୌହ ଓ ମୃତ୍ତିକାରେ ମିଶି ତିଆରି ହୋଇଥିଲା । ମୃତ୍ତିକା ସାଧାରଣ ଲୋକମାନଙ୍କୁ ଦର୍ଶାଏ । ଦେଖିବାକୁ ଗଲେ କିଛି ମାତ୍ରା ଯାଏ ଏହା ଲୋକମାନଙ୍କ ଉପରେ ନିର୍ଭର କରେ ଯେ ନେତାମାନେ କେଉଁ ନିଷ୍ପତ୍ତି ନେବେ କିମ୍ବା କେଉଁ ନୀତିଗୁଡ଼ିକୁ ଆପଣାଇବେ । (ଦାନି. ୨:୪୧-୪୩) ଅନେକ ଥର ଯେବେ ଲୋକମାନଙ୍କୁ ସରକାରର ନିଷ୍ପତ୍ତି ପସନ୍ଦ ଆସେ ନାହିଁ, ତେବେ ସେମାନେ ତାʼ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରନ୍ତି କିମ୍ବା ଆନ୍ଦୋଳନ କରନ୍ତି । ତାହା ଦେଖି ଆମେ ହୁଏତ ମନେ ମନେ ସେମାନଙ୍କ ହଁ ରେ ହଁ ମିଶାଇପାରୁ । କିନ୍ତୁ ଆମକୁ ସାବଧାନ ରହିବା ଉଚିତ୍‌ ଯେ ଆମେ ଲୋକମାନଙ୍କୁ ଦେଖି କୌଣସି ପାର୍ଟି କିମ୍ବା ନେତାର ପକ୍ଷ ନ ନେଉ । (ହିତୋ. ୪:୨୩; ୨୪:୨୧) ଆମେ ମନେ ରଖିବା ଉଚିତ୍‌ ଯେ ସମସ୍ତ ସରକାରଗୁଡ଼ିକ ଶୟତାନର ହାତ ମୁଠାରେ ଅଛନ୍ତି ଆଉ ସେ ହିଁ ଏହି ଦୁନିଆର ରାଜା ଅଟେ । (୧ ଯୋହ. ୫:୧୯) ଈଶ୍ୱରଙ୍କ ସରକାର ହିଁ ସବୁ ସମସ୍ୟାଗୁଡ଼ିକର ସମାଧାନ କରିପାରିବ ।—ଗୀତ. ୧୪୬:୩-୫.

୧୧. ଆଜି ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି ଶାସନ କରୁଛି, ଏଥିରୁ କିପରି ଆମର ବିଶ୍ୱାସ ବଢ଼େ ଯେ ବିନାଶ ବହୁତ ପାଖରେ ଅଛି ?

୧୧ ଦ୍ୱିତୀୟ କଥା: ବ୍ରିଟେନ୍‌-ଆମେରିକାକୁ ବିଶ୍ୱଶକ୍ତିକୁ ପାଦ ଭାବେ ଦର୍ଶାଯାଇଛି, ଅର୍ଥାତ୍‌ ସେ ଶେଷ ବିଶ୍ୱଶକ୍ତି ଅଟେ । ଆଜି ଏହାର ହିଁ ଶାସନ ଚାଲୁଛି ଆଉ ତାʼପରେ କୌଣସି ବିଶ୍ୱଶକ୍ତି ଶାସନ କରିବ ନାହିଁ । ହର୍ମିଗିଦ୍ଦୋନ୍‌ ଯୁଦ୍ଧରେ ଈଶ୍ୱରଙ୍କ ରାଜ୍ୟ ଏହି ବିଶ୍ୱଶକ୍ତିକୁ ଆଉ ବାକି ସମସ୍ତ ସରକାରଗୁଡ଼ିକୁ ସବୁଦିନ ପାଇଁ ବିନାଶ କରିଦେବ ।c—ପ୍ରକା. ୧୬:୧୩, ୧୪, ୧୬; ୧୯:୧୯, ୨୦.

୧୨. ଦାନିୟେଲର ଭବିଷ୍ୟତବାଣୀକୁ ବୁଝିଲେ ଆମକୁ କିପରି ଲାଭ ହେବ ?

୧୨ ଏହି ଭବିଷ୍ୟତବାଣୀକୁ ବୁଝିଲେ ଆମକୁ କିପରି ଲାଭ ହୁଏ ? ଦାନିୟେଲର ଭବିଷ୍ୟତବାଣୀରୁ ଏହି କଥାର ପ୍ରମାଣ ମିଳେ ଯେ ଆମେ ଶେଷ ସମୟରେ ବଞ୍ଚୁଛୁ । ଆଜିଠୁ ପ୍ରାୟ ୨,୫୦୦ ବର୍ଷ ପୂର୍ବେ ଦାନିୟେଲ କହିଥିଲେ ବାବିଲ ପରେ ଆହୁରି ଚାରୋଟି ବିଶ୍ୱଶକ୍ତି ଆସିବେ ଯେଉଁମାନେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଅତ୍ୟାଚାର କରିବେ । ସେ ଯାହା ଭବିଷ୍ୟତବାଣୀ କଲେ, ସେଥିରୁ ଆମେ ଏହା ବି ବୁଝିପାରୁ ଯେ ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି ଶେଷ ବିଶ୍ୱଶକ୍ତି ଅଟେ । ଏଥିରୁ ଆମକୁ ବହୁତ ସାନ୍ତ୍ୱନା ମିଳେ ଓ ଆଶା ମିଳେ ଯେ ଖୁବ୍‌ ଶୀଘ୍ର ଈଶ୍ୱରଙ୍କ ରାଜ୍ୟ ମଣିଷମାନଙ୍କ ସମସ୍ତ ସରକାରଗୁଡ଼ିକୁ ବିନାଶ କରିଦେବ ଆଉ ପୂରା ପୃଥିବୀରେ ଶାସନ କରିବ ।—ଦାନି. ୨:୪୪.

୧୩. ପ୍ରକାଶିତ ବାକ୍ୟ ୧୭:୯-୧୨ ପଦରେ କୁହାଯାଇଥିବା ‘ଅଷ୍ଟମ ରାଜା’ ଓ “ଦଶ ରାଜା” କେଉଁମାନେ ଅଟନ୍ତି ଓ ସେମାନଙ୍କ ବିଷୟରେ କରାଯାଇଥିବା ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଲା ?

୧୩ ପ୍ରକାଶିତ ବାକ୍ୟ ୧୭:୯-୧୨ ପଢ଼ନ୍ତୁ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବହୁତ ଧନ-ଜୀବନ ନଷ୍ଟ ହେଲା ଯାହା ଯୋଗୁଁ ଶେଷ ସମୟ ବିଷୟରେ ବାଇବଲରେ ଲେଖାଯାଇଥିବା ଆଉ ଗୋଟିଏ ଭବିଷ୍ୟତବାଣୀଗୁଡ଼ିକ ପୂରା ହେଲା । ଦୁନିଆର ନେତାମାନେ ପୃଥିବୀରେ ଶାନ୍ତି ଆଣିବା ପାଇଁ ଚାହୁଁଥିଲେ, ତେଣୁ ଜାନୁୟାରୀ ୧୯୨୦ ମସିହାରେ ସେମାନେ ରାଷ୍ଟ୍ର ସଂଘ ତିଆରି କଲେ । ଆଉ କିଛି ବର୍ଷ ପରେ ଅକ୍ଟୋବର ୧୯୪୫ ମସିହାରେ ତାʼଜାଗାରେ ସଂଯୁକ୍ତ ରାଷ୍ଟ୍ର ଆସିଗଲା । ଏହି ସଂଗଠନକୁ ବାଇବଲରେ ‘ଅଷ୍ଟମ ରାଜା’ କୁହାଯାଇଛି । ଏହା କୌଣସି ବିଶ୍ୱଶକ୍ତି ନୁହେଁ, କିନ୍ତୁ ତାʼପାଖରେ ଯାହା ବି ଅଧିକାର ଅଛି ତାହା ତାକୁ ଦୁନିଆର ସରକାରଗୁଡ଼ିକ ଠାରୁ ମିଳେ । ବାଇବଲରେ ଏହି ସରକାରଗୁଡ଼ିକୁ “ଦଶ ରାଜା” କୁହାଯାଇଛି ।

୧୪-୧୫. (କ) ପ୍ରକାଶିତ ବାକ୍ୟ ୧୭:୩-୫ ପଦରୁ ଆମକୁ “ମହାନଗରୀ ବାବିଲ” ବିଷୟରେ କʼଣ ଜଣାପଡ଼େ ? (ଖ) ଆଜି ମିଥ୍ୟା ଧର୍ମଗୁଡ଼ିକ ସହ କʼଣ ହେଉଛି ?

୧୪ ପ୍ରକାଶିତ ବାକ୍ୟ ୧୭:୩-୫ ପଢ଼ନ୍ତୁ । ପ୍ରେରିତ ଯୋହନ ଦର୍ଶନରେ ଗୋଟିଏ ବେଶ୍ୟାକୁ ଦେଖିଲେ । ତାକୁ “ମହାନଗରୀ ବାବିଲ” କୁହାଯାଇଛି ଓ ସେ ସାରା ଦୁନିଆରେ ଥିବା ମିଥ୍ୟା ଧର୍ମଗୁଡ଼ିକୁ ଦର୍ଶାଏ । ଶହ ଶହ ବର୍ଷରୁ ମିଥ୍ୟା ଧର୍ମଗୁଡ଼ିକର ଦୁନିଆର ସରକାରଗୁଡ଼ିକ ସହିତ ଭଲ ସମ୍ପର୍କ ରହିଆସିଛି ଓ ସେମାନେ ଏହି ସରକାରଗୁଡ଼ିକୁ ସହଯୋଗ କରି ଆସୁଛନ୍ତି  । କିନ୍ତୁ ଖୁବ୍‌ ଶୀଘ୍ର ଯିହୋବା ‘ଦଶ ରାଜା’ ଅର୍ଥାତ୍‌ ଦୁନିଆର ସରକାରଗୁଡ଼ିକର ମନରେ ଏ କଥା ପୂରାଇବେ ଯେ ସେମାନେ ତାଙ୍କର ‘ଅଭିପ୍ରାୟ ପୂରା କରିବେ’ ଓ ମିଥ୍ୟା ଧର୍ମଗୁଡ଼ିକୁ ବିନାଶ କରିଦେବେ ।—ପ୍ରକା. ୧୭:୧, ୨, ୧୬, ୧୭.

୧୫ ଆମେ କିପରି ଜାଣୁ ଯେ ଖୁବ୍‌ ଶୀଘ୍ର ମହାନଗରୀ ବାବିଲର ବିନାଶ ହୋଇଯିବ ? ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଟିକିଏ ପ୍ରାଚୀନ ସମୟର ବାବିଲ ସହର ବିଷୟରେ ଭାବନ୍ତୁ । ଏହି ସହରର ବାହାରେ ଫରାତ୍‌ ନଦୀ ବହୁଥିଲା, ଯେଉଁଥିରୁ ସହରକୁ ସୁରକ୍ଷା ମିଳୁଥିଲା । ସେହିପରି ପ୍ରକାଶିତ ବାକ୍ୟ ବହିରେ କୁହାଯାଇଛି ଯେ ମହାନଗରୀ ବାବିଲକୁ “ଜଳରାଶି” ଘେରି ରହିଛି । (ପ୍ରକା. ୧୭:୧୫) ଏହି ଜଳରାଶି ସେହି ଲକ୍ଷ ଲକ୍ଷ ଭକ୍ତମାନଙ୍କୁ ଦର୍ଶାଏ ଯେଉଁମାନେ ମିଥ୍ୟା ଧର୍ମଗୁଡ଼ିକୁ ସହଯୋଗ କରନ୍ତି । ପ୍ରକାଶିତ ବାକ୍ୟରେ ଏହା ମଧ୍ୟ କୁହାଯାଇଛି ଯେ ଏହି ‘ଜଳ ଶୁଷ୍କ’ ହୋଇଯିବ ଅର୍ଥାତ୍‌ ଅନେକ ଲୋକ ମିଥ୍ୟା ଧର୍ମଗୁଡ଼ିକୁ ଛାଡ଼ିଦେବେ । (ପ୍ରକା. ୧୬:୧୨) ଆଜି ଆମେ ଦେଖିପାରୁଛୁ ଯେ ଏହି ଭବିଷ୍ୟତବାଣୀ ପୂରା ହେଉଛି । ଅନେକ ଲୋକଙ୍କର ଧର୍ମ ଉପରୁ ବିଶ୍ୱାସ ଉଠିଯାଇଛି ଓ ସେମାନେ ସମସ୍ୟାର ସମାଧାନ ପାଇଁ କିମ୍ବା ମନର ଶାନ୍ତି ପାଇବା ପାଇଁ ଅନ୍ୟ ଉପାୟ ଆପଣାଉଛନ୍ତି ।

୧୬. ସଂଯୁକ୍ତ ରାଷ୍ଟ୍ରର ଆରମ୍ଭ ଓ ମହାନଗରୀ ବାବିଲ ବିଷୟରେ କରାଯାଇଥିବା ଭବିଷ୍ୟତବାଣୀଗୁଡ଼ିକୁ ବୁଝିଲେ ଆମକୁ କʼଣ ଲାଭ ହୁଏ ?

୧୬ ଏହି ଭବିଷ୍ୟତବାଣୀଗୁଡ଼ିକୁ ବୁଝିଲେ ଆମକୁ କିପରି ଲାଭ ହୁଏ ? ସଂଯୁକ୍ତ ରାଷ୍ଟ୍ର ଆରମ୍ଭ ହୋଇସାରିଛି ଓ ଆଜି ଅନେକ ଲୋକ ମିଥ୍ୟା ଧର୍ମଗୁଡ଼ିକୁ ଛାଡ଼ୁଛନ୍ତି । ଏହା ଦେଖି ଆମକୁ ପକ୍କା ଭରସା ହୋଇଯାଏ ଯେ ଆମେ ଶେଷ କାଳରେ ବଞ୍ଚୁଛୁ । ଏହା ସତ ଯେ ମିଥ୍ୟା ଧର୍ମକୁ ସହଯୋଗ କରୁଥିବା ଲୋକମାନଙ୍କର ସଂଖ୍ୟା କମି କମି ଯାଉଛି, କିନ୍ତୁ ଏହା ଯୋଗୁଁ ମିଥ୍ୟା ଧର୍ମଗୁଡ଼ିକର ବିନାଶ ହେବ ନାହିଁ । ଯିହୋବା ନିଜେ ମିଥ୍ୟା ଧର୍ମଗୁଡ଼ିକର ବିନାଶ କରାଇବେ । ଯେପରି ଆମେ ଆଗରୁ ଦେଖିଥିଲୁ ଯିହୋବା ‘ଦଶ ରାଜା’ ଅର୍ଥାତ୍‌ ସଂଯୁକ୍ତ ରାଷ୍ଟ୍ରକୁ ସହଯୋଗ କରୁଥିବା ସରକାରଗୁଡ଼ିକର ହୃଦୟରେ ଏ କଥା ପୂରାଇବେ ଯେ ସେମାନେ ତାଙ୍କର ‘ଅଭିପ୍ରାୟ ପୂରା କରିବେ ।’ ମିଥ୍ୟା ଧର୍ମଗୁଡ଼ିକର ବିନାଶ ହଠାତ୍‌ ହେବ ଓ ଏହା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯିବେ ।d (ପ୍ରକା. ୧୮:୮-୧୦) ମହାନଗରୀ ବାବିଲର ବିନାଶ ଦୁନିଆ ଉପରେ ବହୁତ ପ୍ରଭାବ ପକାଇବ ଓ ଏହା ଯୋଗୁଁ ହୁଏତ ଅନେକ ସମସ୍ୟା ଆସିପାରେ । କିନ୍ତୁ ଈଶ୍ୱରଙ୍କ ଲୋକମାନେ ଖୁସି ହେବେ । କାରଣ ଈଶ୍ୱରଙ୍କର ଏହି ବଡ଼ ଶତ୍ରୁର ସବୁଦିନ ପାଇଁ ବିନାଶ ହୋଇସାରିଥିବ ଓ ଆମକୁ ଭରସା ହେବ ଯେ ଖୁବ୍‌ ଶୀଘ୍ର ଆମକୁ ଏହି ଦୁଷ୍ଟ ଦୁନିଆରୁ ମୁକ୍ତି ମିଳିଯିବ ।—ଲୂକ ୨୧:୨୮.

ଭରସା ରଖନ୍ତୁ, ଯିହୋବା ଆପଣଙ୍କୁ ରକ୍ଷା କରିବେ

୧୭-୧୮. (କ) ନିଜ ବିଶ୍ୱାସ ବଢ଼ାଇବା ଜାରି ରଖିବା ପାଇଁ ଆମକୁ କʼଣ କରିବାକୁ ହେବ ? (ଖ) ପରବର୍ତ୍ତୀ ଲେଖାରେ ଆମେ କେଉଁ ବିଷୟରେ ଆଲୋଚନା କରିବା ?

୧୭ ଦାନିୟେଲ ଭବିଷ୍ୟତବାଣୀ କରିଥିଲେ ଯେ ଶେଷ କାଳରେ ‘ସତ୍ୟ ଜ୍ଞାନର ବୃଦ୍ଧି ହେବ ।’ ଆଉ ଆଜି ଆମେ ଏପରି ହିଁ ହେଉଥିବାର ଦେଖିପାରୁଛୁ । ଏବେ ଆମେ ଶେଷ କାଳ ବିଷୟରେ କୁହାଯାଇଥିବା ଭବିଷ୍ୟତବାଣୀଗୁଡ଼ିକୁ ଭଲଭାବେ ବୁଝିପାରୁ । (ଦାନି. ୧୨:୪, ୯, ୧୦) ଯେପରି ଭାବେ ବାଇବଲରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକର ପ୍ରତ୍ୟେକ କଥା ପୂରା ହୋଇଛି, ତାହା ଦେଖି ଆମ ହୃଦୟରେ ଯିହୋବାଙ୍କ ପାଇଁ ବିସ୍ମୟ ଭରିଯାଏ ଓ ବାଇବଲ ଉପରେ ଆମ ଭରସା ବଢ଼ିଯାଏ । (ଯିଶା. ୪୬:୧୦; ୫୫:୧୧) ତେଣୁ ବାଇବଲର ଗଭୀର ଭାବେ ଅଧ୍ୟୟନ କରନ୍ତୁ ଓ ଯିହୋବାଙ୍କ ସହ ଏକ ଭଲ ସମ୍ପର୍କ ରଖିବା ପାଇଁ ଲୋକମାନଙ୍କୁ ସାହାଯ୍ୟ କରନ୍ତୁ । ଏପରି ଭାବେ ଆପଣଙ୍କ ବିଶ୍ୱାସ ଆହୁରି ବଢ଼ି ବଢ଼ି ଯିବ । ଯିହୋବା ପ୍ରତିଜ୍ଞା କରନ୍ତି ଯେ ଯେଉଁମାନେ ତାଙ୍କ ଉପରେ ପୂରାପୂରି ନିର୍ଭର ରହିବେ, ସେ ସେମାନଙ୍କର ସୁରକ୍ଷା କରିବେ ଓ ସେମାନଙ୍କୁ ‘ସମ୍ପୂର୍ଣ୍ଣ ଶାନ୍ତିରେ ରଖିବେ ।’—ଯିଶା. ୨୬:୩.

୧୮ ପରବର୍ତ୍ତୀ ଲେଖାରେ ଆମେ ଯିହୋବାଙ୍କ ଲୋକମାନଙ୍କ ବିଷୟରେ କରାଯାଇଥିବା କିଛି ଭବିଷ୍ୟତବାଣୀଗୁଡ଼ିକ ଉପରେ ଆଲୋଚନା କରିବା ଯାହା ଆଜି ପୂରା ହେଉଛି । ସେଥିରୁ ଆମର ଭରସା ଆହୁରି ପକ୍କା ହୋଇଯିବ ଯେ ଆମେ ଶେଷ କାଳରେ ବଞ୍ଚୁଛୁ । ଆମେ ଜାଣିବା ଯେ ଆମେ କିପରି କହିପାରିବା ଯେ ଯୀଶୁ ଆଜି ଆମକୁ ଠିକ୍‌ ରାସ୍ତା ଦେଖାଉଛନ୍ତି ।

ଆଗକୁ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକରୁ କିପରି ଜଣାପଡ଼େ ଯେ ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି ?

  • ଦାନିୟେଲ ୪:୧୦-୧୭

  • ପ୍ରକାଶିତ ବାକ୍ୟ ୬:୨-୮

  • ଦାନିୟେଲ ୨:୨୮, ୩୧-୩୫; ପ୍ରକାଶିତ ବାକ୍ୟ ୧୭:୩-୫, ୯-୧୨

ଗୀତ ୬୧ ବାଢ଼୍‌ତେ ଚାଲୋ ସାକ୍ଷୀୟୋଁ

a ଶହ ଶହ ବର୍ଷ ପୂର୍ବେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଯେଉଁ ଭବିଷ୍ୟତବାଣୀ କରାଯାଇଥିଲା, ସେଥି ମଧ୍ୟରୁ କିଛି ଭବିଷ୍ୟତବାଣୀଗୁଡ଼ିକ ଆଜି ଆମ ସମୟରେ ପୂରା ହେଉଛି । ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି ! ଏହି ଲେଖାରେ ଆମେ ଏହା ସହିତ ଜଡ଼ିତ କିଛି ଭବିଷ୍ୟତବାଣୀଗୁଡ଼ିକ ଉପରେ ଧ୍ୟାନ ଦେବା, ଯେଉଁଥିରୁ ଯିହୋବାଙ୍କ ଉପରେ ଆମର ବିଶ୍ୱାସ ବଢ଼ିବ । ଯଦି ଆମେ ଏପରି କରିବା, ତାହେଲେ ଆମେ ଆଜି ଓ ଆଗକୁ ଡରିବା ନାହିଁ, ବରଂ ଯିହୋବାଙ୍କ ଉପରେ ପୂରା ଭରସା ରଖିପାରିବା ।

b ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିର ପାଠ ୩୨ର ପଏଣ୍ଟ ନଂ. ୪ ପଢ଼ନ୍ତୁ ଏବଂ jw.org ୱେବସାଇଟ୍‌ରେ ଥିବା ଈଶ୍ୱରଙ୍କ ରାଜ୍ୟ ୧୯୧୪ ମସିହାରୁ ଶାସନ କରୁଛି ନାମକ ଭିଡିଓ ଦେଖନ୍ତୁ ।

c ଦାନିୟେଲର ଭବିଷ୍ୟତବାଣୀ ବିଷୟରେ ଆହୁରି ଜାଣିବା ପାଇଁ ୧୫ ଜୁନ୍‌, ୨୦୧୨ ପ୍ରହରୀଦୁର୍ଗର (ହିନ୍ଦୀ) ପୃଷ୍ଠା ୧୪-୧୯ ପଢ଼ନ୍ତୁ ।

d ଖୁବ୍‌ ଶୀଘ୍ର କେଉଁ କେଉଁ ଘଟଣା ହେବ, ସେ ବିଷୟରେ ଜାଣିବା ପାଇଁ ଈଶ୍ୱରଙ୍କ ରାଜ୍ୟ ଶାସନ କରୁଛି ! ନାମକ ବହିର ଅଧ୍ୟାୟ ୨୧ ପଢ଼ନ୍ତୁ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ