ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଏପ୍ରିଲ୍‌ ପୃଷ୍ଠା ୨୦-୨୫
  • ସଭାଗୁଡ଼ିକରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ସଭାଗୁଡ଼ିକରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ଛୋଟ ମଣ୍ଡଳୀରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ
  • ବଡ଼ ମଣ୍ଡଳୀରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ
  • ପରସ୍ପରର ଆହୁରି କିପରି ଉତ୍ସାହ ବଢ଼ାଇପାରିବା ?
  • ସଭାଗୁଡ଼ିକ ପାଇଁ ପ୍ରସ୍ତୁତି କରିବାର ସବୁଠାରୁ ଭଲ ଉପାୟ କʼଣ ?
    ଆଜି କେଉଁମାନେ ଯିହୋବାଙ୍କ ଇଚ୍ଛା ପୂରଣ କରୁଛନ୍ତି ?
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଏପ୍ରିଲ୍‌ ପୃଷ୍ଠା ୨୦-୨୫

ଅଧ୍ୟୟନ ଲେଖା ୧୮

ସଭାଗୁଡ଼ିକରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ

“ପରସ୍ପର ବିଷୟରେ ମନୋଯୋଗ କରୁ . . . ପରସ୍ପରକୁ ଉତ୍ସାହ ଦେଉ ।”—ଏବ୍ରୀ ୧୦:୨୪, ୨୫.

ଗୀତ ୮୮ ମୁଝେ ଆପନି ରାହେଁ ଶିଖା

ଲେଖାର ଝଲକa

୧. ଆମେ ସଭାଗୁଡ଼ିକରେ ଉତ୍ତର କାହିଁକି ଦେଉ ?

ଆମେ ମଣ୍ଡଳୀର ସଭାଗୁଡ଼ିକରେ କାହିଁକି ଯାଉ ? କାରଣ ସେଠାକୁ ଯାଇ ଆମେ ଯିହୋବାଙ୍କର ପ୍ରଶଂସା କରିପାରୁ । (ଗୀତ. ୨୬:୧୨; ୧୧୧:୧) ତାʼସହ ସଭାକୁ ଯିବାର ଆଉ ଗୋଟିଏ କାରଣ ହେଉଛି ଯେ ଆମେ ସେଠାକୁ ଯାଇ ସମସ୍ୟା ସମୟରେ ପରସ୍ପରର ଉତ୍ସାହ ବଢ଼ାଇପାରୁ । (୧ ଥେସ. ୫:୧୧) ଯେବେ ଆମେ ସଭାଗୁଡ଼ିକରେ ହାତ ଉଠାଇ ଉତ୍ତର ଦେଉ, ତେବେ ଆମେ ଏହି ଦୁଇଟି ଯାକ କାମ କରିଥାଉ ।

୨. ଆମକୁ କେଉଁ କେଉଁ ସମୟରେ ସଭାଗୁଡ଼ିକରେ ଉତ୍ତର ଦେବା ପାଇଁ ସୁଯୋଗ ମିଳେ ?

୨ ଆମକୁ ପ୍ରତି ସପ୍ତାହ ସଭାଗୁଡ଼ିକରେ ଉତ୍ତର ଦେବା ପାଇଁ ସୁଯୋଗ ମିଳେ । ଉଦାହରଣ ସ୍ୱରୂପ, ସପ୍ତାହର ଶେଷରେ ଆମେ ପ୍ରହରୀଦୁର୍ଗ ଅଧ୍ୟୟନରେ ଉତ୍ତର ଦେଇପାରିବା । ଆଉ ସପ୍ତାହ ମଝିରେ ହେଉଥିବା ସଭାରେ ବହୁମୂଲ୍ୟ ଧନ ଭାଗ ଏବଂ ମଣ୍ଡଳୀର ବାଇବଲ ଅଧ୍ୟୟନରେ ଓ ଅନ୍ୟ ଭାଗଗୁଡ଼ିକରେ ଉତ୍ତର ଦେଇପାରିବା ଯେଉଁଥିରେ ପ୍ରଶ୍ନ ପଚରାଯାଏ ।

୩. ଆମ ସାମନାରେ କେଉଁ ସମସ୍ୟାଗୁଡ଼ିକ ଆସିପାରେ ଓ ଏବ୍ରୀ ୧୦:୨୪, ୨୫ ପଦରେ ଲେଖାଥିବା କଥାରୁ ଆମକୁ କିପରି ସାହାଯ୍ୟ ମିଳିପାରେ ?

୩ ଆମେ ସମସ୍ତେ ଯିହୋବାଙ୍କ ମହିମା କରିବା ପାଇଁ ଚାହୁଁ ଓ ଭାଇଭଉଣୀଙ୍କ ଉତ୍ସାହ ବଢ଼ାଇବା ପାଇଁ ଚାହୁଁ । କିନ୍ତୁ ଯେବେ ଉତ୍ତର ଦେବାର ସମୟ ଆସେ, ତେବେ ହୁଏତ ଆମକୁ କିଛି ସମସ୍ୟାର ସାମନା କରିବାକୁ ପଡ଼େ । ହୁଏତ ଆମକୁ ଉତ୍ତର ଦେବା ପାଇଁ ଡର ଲାଗେ କିମ୍ବା ଆମେ ବହୁତ ଗୁଡ଼ିଏ ଉତ୍ତର ଦେବା ପାଇଁ ଚାହୁଁ କିନ୍ତୁ ଆମକୁ ପଚରା ନ ଯାଏ । ଆମେ ଏହି ସମସ୍ୟାର କିପରି ସାମନା କରିପାରିବା ? ଏହାର ଉତ୍ତର ସେହି ଚିଠିରେ ମିଳେ, ଯାହା ପାଉଲ ଏବ୍ରୀ ମଣ୍ଡଳୀକୁ ଲେଖିଥିଲେ । ଯେବେ ସେ ସେମାନଙ୍କୁ କହୁଥିଲେ ଯେ ସଭାରେ ଯିବା କେତେ ଜରୁରୀ ଅଟେ, ତେବେ ସେ କହିଲେ ଯେ ଆମେ ‘ପରସ୍ପରକୁ ଉତ୍ସାହ ଦେବା’ ଉପରେ ଧ୍ୟାନ ଦେବା ଉଚିତ୍‌ । (ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ ।) ଆମେ ଛୋଟ ଉତ୍ତର ଦେଇ ମଧ୍ୟ ଭାଇଭଉଣୀମାନଙ୍କର ବହୁତ ଉତ୍ସାହ ବଢ଼ାଇପାରିବା । ଯଦି ଆମେ ଏହି କଥା ଉପରେ ଧ୍ୟାନ ଦେବା, ତେବେ ହାତ ଉଠାଇବା ପାଇଁ ପଛଘୁଞ୍ଚା ଦେବାନି । ଅନେକଥର ଏପରି ହୁଏ ଯେ ଆମକୁ ଉତ୍ତର ଦେବା ପାଇଁ ସୁଯୋଗ ମିଳେନି, ତେବେ ଆମେ ଏହି କଥା ପାଇଁ ଖୁସି ହୋଇପାରିବା ଯେ ଅନ୍ୟ ଭାଇଭଉଣୀମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ମିଳୁଛି ।—୧ ପିତ. ୩:୮.

୪. ଏହି ଲେଖାରେ ଆମେ ଆଉ କେଉଁ ତିନୋଟି ବିଷୟ ଉପରେ ଚର୍ଚ୍ଚା କରିବା ?

୪ ଏହି ଲେଖାରେ ଆମେ ପ୍ରଥମେ ଏହା ଚର୍ଚ୍ଚା କରିବା ଯେ ଯଦି ଆମେ ଗୋଟିଏ ଛୋଟ ମଣ୍ଡଳୀରେ ଅଛୁ ଯେଉଁଠି ଉତ୍ତର ଦେବା ପାଇଁ ବହୁତ କମ୍‌ ଭାଇଭଉଣୀ ଅଛନ୍ତି, ତେବେ ଆମେ କିପରି ପରସ୍ପରର ଉତ୍ସାହ ବଢ଼ାଇପାରିବା । ତାʼପରେ ଆମେ ଚର୍ଚ୍ଚା କରିବା ଯେ ଯଦି ଆମେ ଗୋଟିଏ ବଡ଼ ମଣ୍ଡଳୀରେ ଅଛୁ ଯେଉଁଠି ବହୁତ ଭାଇଭଉଣୀ ଉତ୍ତର ଦେବା ପାଇଁ ହାତ ଉଠାନ୍ତି, ତେବେ ଆମେ କିପରି ପରସ୍ପରର ଉତ୍ସାହ ବଢ଼ାଇପାରିବା । ଆଉ ଶେଷରେ ଦେଖିବା ଯେ ଆମେ କିପରି ଭାବରେ ଉତ୍ତର ଦେବା ଯାହାଦ୍ୱାରା ଅନ୍ୟମାନଙ୍କର ଉତ୍ସାହ ବଢ଼ିବ ।

ଛୋଟ ମଣ୍ଡଳୀରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ

୫. ଯଦି ସଭାରେ ବେଶି ଭାଇଭଉଣୀ ନାହାନ୍ତି, ତେବେ ଆମେ କିପରି ପରସ୍ପରର ଉତ୍ସାହ ବଢ଼ାଇପାରିବା ?

୫ ଗୋଟିଏ ଛୋଟ ମଣ୍ଡଳୀରେ କିମ୍ବା ଛୋଟ ସମୂହରେ ଉତ୍ତର ଦେବା ପାଇଁ ବେଶି ଭାଇଭଉଣୀ ରହନ୍ତିନି । ଅନେକଥର ଭାଗ ସଞ୍ଚାଳନ କରୁଥିବା ଭାଇଙ୍କୁ ପ୍ରଶ୍ନ ପଚାରିବା ପରେ ଟିକେ ଅପେକ୍ଷା କରିବାକୁ ପଡ଼େ । ଯଦି ଏପରି ହୁଏ ତେବେ ଆମକୁ ଲାଗିପାରେ ଯେ ସଭା ଶେଷ ହିଁ ହେଉନି । ଏହା ଦ୍ୱାରା ହୁଏତ ଅନ୍ୟମାନଙ୍କର ଉତ୍ସାହ ବଢ଼ିବନି । ତେବେ ଆପଣ କʼଣ କରିପାରିବେ ? ଆପଣ ଅଧିକ ଥର ହାତ ଉଠାଇପାରିବେ ଯାହାଦ୍ୱାରା ଅନ୍ୟମାନଙ୍କୁ ଉତ୍ତର ଦେବା ପାଇଁ ଇଚ୍ଛା ହେବ ।

୬-୭. ଯଦି ଆମକୁ ଉତ୍ତର ଦେବା ପାଇଁ ଡର ଲାଗେ, ତାହେଲେ ଆମେ କʼଣ କରିପାରିବା ?

୬ ହୁଏତ ଉତ୍ତର ଦେବା ବିଷୟରେ ଭାବି ହିଁ ଆପଣଙ୍କୁ ଡର ଲାଗୁଥିବ । ଅନେକ ଭାଇଭଉଣୀମାନଙ୍କ ସହ ଏପରି ହୁଏ । ତାହେଲେ ଆପଣ କʼଣ କରିପାରିବେ ? ଆପଣ କିଛି ଏପରି ଉପାୟ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିପାରିବେ ଯେଉଁଥିରୁ ଆପଣଙ୍କର ଡର କମ୍‌ ହେବ ଓ ଆପଣ ଭାଇଭଉଣୀମାନଙ୍କର ଉତ୍ସାହ ମଧ୍ୟ ବଢ଼ାଇପାରିବେ । ଆପଣ ଏହା କିପରି କରିପାରିବେ ?

୭ ଆପଣ ପ୍ରହରୀଦୁର୍ଗର ପୁରୁଣା ଲେଖାଗୁଡ଼ିକରେ ଦିଆଯାଇଥିବା ପରାମର୍ଶଗୁଡ଼ିକ ଉପରେ ମଧ୍ୟ ଧ୍ୟାନ ଦେଇପାରିବେ ।b ଯେପରି ଗୋଟିଏ ପରାମର୍ଶ ହେଉଛି, ଭଲ ପ୍ରସ୍ତୁତି କରନ୍ତୁ । (ହିତୋ. ୨୧:୫) ଯେତେ ଭଲଭାବରେ ଆପଣ ତଥ୍ୟକୁ ବୁଝିବେ, ଆପଣଙ୍କୁ ଉତ୍ତର ଦେବା ସେତେ ସହଜ ଲାଗିବ । ଆଉ ଗୋଟିଏ ପରାମର୍ଶ ହେଉଛି, ଛୋଟ ଉତ୍ତର ଦିଅନ୍ତୁ । (ହିତୋ. ୧୦:୧୯; ୧୫:୨୩) ଆପଣଙ୍କ ଉତ୍ତର ଯେତେ ଛୋଟ ଥିବ, ଆପଣଙ୍କୁ ସେତେ କମ୍‌ ଚିନ୍ତା ହେବ । ଯଦି ଆପଣ ବଡ଼ ଉତ୍ତର ଦେବେ ଯେଉଁଥିରେ ଅନେକ ପଏଣ୍ଟ ରହିଛି, ତାହେଲେ ଭାଇଭଉଣୀମାନଙ୍କୁ ବୁଝିବା ପାଇଁ କଷ୍ଟ ହୋଇପାରେ । କିନ୍ତୁ ଯଦି ଆପଣଙ୍କ ଉତ୍ତର ଛୋଟ ଥିବ ଅର୍ଥାତ୍‌ ଗୋଟିଏ ବା ଦୁଇଟି ବାକ୍ୟରେ ଥିବ, ତାହେଲେ ଭାଇଭଉଣୀମାନେ ଏହାକୁ ସହଜରେ ବୁଝିପାରିବେ । ତେଣୁ ନିଜ ଶବ୍ଦରେ ଛୋଟ ଉତ୍ତର ଦିଅନ୍ତୁ । ଏଥିରୁ ଜଣାପଡ଼ିବ ଯେ ଆପଣ ଭଲ ପ୍ରସ୍ତୁତି କରିଛନ୍ତି ଓ ତଥ୍ୟକୁ ଭଲଭାବେ ବୁଝିଛନ୍ତି ।

୮. ଆମେ ଉତ୍ତର ଦେବା ପାଇଁ ଯେଉଁ ପରିଶ୍ରମ କରୁ, ତାହା ଦେଖି ଯିହୋବାଙ୍କୁ କିପରି ଲାଗେ ?

୮ ହୁଏତ ଆପଣ ଏମଧ୍ୟରୁ କିଛି ପରାମର୍ଶକୁ ଆପଣାଇଥିବେ, ତଥାପି ଆପଣ ବହୁତ କଷ୍ଟରେ ଗୋଟିଏ କିମ୍ବା ଦୁଇଟି ଉତ୍ତର ହିଁ ଦେଇପାରନ୍ତି । ଯଦି ଏପରି ଅଟେ, ତାହେଲେ ଆପଣ ଭରସା ରଖିପାରିବେ ଯେ ଆପଣ ଉତ୍ତର ଦେବା ପାଇଁ ଯାହା ବି ପରିଶ୍ରମ କରନ୍ତି, ତାହା ଦେଖି ଯିହୋବା ବହୁତ ଖୁସି ହୁଅନ୍ତି । (ଲୂକ ୨୧:୧-୪) କିନ୍ତୁ ପରିଶ୍ରମ କରିବାର ଅର୍ଥ ଏହା ନୁହେଁ ଯେ ଆମେ ତାହା କରିବା ପାଇଁ ଚେଷ୍ଟା କରିବା ଯାହା ଆମ ଦ୍ୱାରା ହୋଇପାରିବ ନାହିଁ । (ଫିଲିପ୍‌. ୪:୫) ଭାବନ୍ତୁ ଯେ ଆପଣ କʼଣ କରିପାରିବେ, ତାʼପରେ ତାʼ ଅନୁସାରେ ଲକ୍ଷ୍ୟ ରଖନ୍ତୁ ଏବଂ ଯିହୋବାଙ୍କୁ ନିଜ ଡର ଦୂର କରିବା ପାଇଁ ପ୍ରାର୍ଥନା କରନ୍ତୁ । ଆରମ୍ଭରେ ହୁଏତ ଆପଣ ଗୋଟିଏ ହିଁ ଛୋଟ ଉତ୍ତର ଦେବାର ଲକ୍ଷ୍ୟ ରଖିବେ ।

ବଡ଼ ମଣ୍ଡଳୀରେ ପରସ୍ପରର ଉତ୍ସାହ ବଢ଼ାନ୍ତୁ

୯. ବଡ଼ ମଣ୍ଡଳୀରେ କେଉଁ ସମସ୍ୟା ଆସିପାରେ ?

୯ ଯଦି ଆପଣ ଗୋଟିଏ ଏପରି ମଣ୍ଡଳୀରେ ଅଛନ୍ତି ଯେଉଁଠି ବହୁତ ପ୍ରଚାରକ ଅଛନ୍ତି, ତାହେଲେ ଆପଣଙ୍କ ଆଗରେ ଗୋଟିଏ ଅନ୍ୟ ପ୍ରକାରର ସମସ୍ୟା ଆସିପାରେ । ଏପରି ମଣ୍ଡଳୀରେ ହୁଏତ ଉତ୍ତର ଦେବା ପାଇଁ ଅନେକ ଭାଇଭଉଣୀ ହାତ ଉଠାଇବେ ଆଉ ତାʼଯୋଗୁଁ ହୁଏତ ଅନେକଥର ଆପଣଙ୍କୁ ଉତ୍ତର ଦେବା ପାଇଁ ପଚରାଯାଇ ନ ପାରେ । ଉଦାହରଣ ପାଇଁ, ଡାୟନାଙ୍କୁ ସଭାରେ ଉତ୍ତର ଦେବା ବହୁତ ଭଲ ଲାଗେ ।c ସେ ଭାବନ୍ତି ଯେ ଏହା ତାଙ୍କ ଉପାସନାର ଭାଗ ଅଟେ ଓ ଉତ୍ତର ଦେଇ ସେ ଅନ୍ୟମାନଙ୍କର ଉତ୍ସାହ ବଢ଼ାଉଛନ୍ତି ଆଉ ଏପରି କରି ବାଇବଲର ସତ୍ୟଗୁଡ଼ିକ ଉପରେ ତାଙ୍କର ମଧ୍ୟ ବିଶ୍ୱାସ ବଢ଼େ । କିନ୍ତୁ ଯେବେ ସେ ଗୋଟିଏ ବଡ଼ ମଣ୍ଡଳୀକୁ ଗଲେ, ତେବେ ସେଠାରେ ତାଙ୍କୁ ଉତ୍ତର ଦେବା ପାଇଁ ବେଶି ସୁଯୋଗ ମିଳୁ ନ ଥିଲା । ଅନେକଥର ତ ପୂରା ସଭାରେ ତାଙ୍କୁ ଥରେ ବି ସୁଯୋଗ ମିଳୁ ନ ଥିଲା । ସେ କହନ୍ତି, “ମୁଁ ବହୁତ ଚିନ୍ତାରେ ପଡ଼ିଯାଉଥିଲି । ମୋତେ ଲାଗୁଥିଲା ଯେ ମୁଁ ବହୁତ ବଡ଼ ସୁଯୋଗ ହରାଇ ଦେଲି । ଯେବେ ବାରମ୍ବାର ଏପରି ହୁଏ, ତେବେ ଆପଣ ଭାବିବାକୁ ଲାଗିବେ ଯେ ଆପଣଙ୍କ ସହ ଜାଣିଶୁଣି ଏପରି କରାଯାଉଛି ।”

୧୦. ଉତ୍ତର ଦେବା ପାଇଁ ଆମେ ଆଉ କʼଣ କʼଣ କରିପାରିବା ?

୧୦ କʼଣ ଆପଣଙ୍କୁ ବି ଡାୟନାଙ୍କ ଭଳି ଲାଗେ ? ଯଦି ହଁ, ତେବେ ହୁଏତ ଆପଣ ଭାବୁଥିବେ, ‘ହାତ ଉଠାଇ କୌଣସି ଲାଭ ନାହିଁ ? ତାହାଠୁ ଭଲ ମୁଁ ବସିକି ଶୁଣିବି ।’ କିନ୍ତୁ ଏପରି ଭାବନ୍ତୁନି । ଆପଣ ହୁଏତ ଆଗକୁ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଆପଣାଇପାରିବେ । ପ୍ରତି ସଭା ପାଇଁ ଆପଣ ଅନେକ ଉତ୍ତର ପ୍ରସ୍ତୁତି କରନ୍ତୁ । ତାʼପରେ ଯଦି ଆପଣଙ୍କୁ ଅଧ୍ୟୟନର ଆରମ୍ଭରେ ପଚରାଯାଏନି, ତାହେଲେ ବି ଆପଣଙ୍କ ପାଖରେ ସଭା ମଝିରେ ଉତ୍ତର ଦେବା ପାଇଁ ଅନେକ ସୁଯୋଗ ରହିବ । ପ୍ରହରୀଦୁର୍ଗ ଅଧ୍ୟୟନର ପ୍ରସ୍ତୁତି କରିବା ସମୟରେ ଭାବନ୍ତୁ ଯେ ପ୍ରତି ପାରାଗ୍ରାଫ ଲେଖାର ବିଷୟ ସହିତ କିପରି ଜଡ଼ିତ ଅଛି । ଏପରି ଅନେକ ଭଲ ଉତ୍ତର ପ୍ରସ୍ତୁତ କରନ୍ତୁ ଯେଉଁଥିରୁ ଭାଇଭଉଣୀମାନଙ୍କ ସାହସ ବଢ଼ିପାରିବ । ତାʼଛଡ଼ା ଆପଣ ଚାହିଁଲେ ସେହି ପାରାଗ୍ରାଫଗୁଡ଼ିକର ଉତ୍ତର ପ୍ରସ୍ତୁତି କରିପାରିବେ, ଯେଉଁଥିରେ ବାଇବଲର ଗଭୀର କଥାଗୁଡ଼ିକ ବୁଝାଯାଇଛି । (୧ କରି. ୨:୧୦) କାରଣ ସେଗୁଡ଼ିକୁ ବୁଝାଇବା ଏତେ ସହଜ ହୋଇ ନ ଥାଏ ଓ ହୁଏତ ବହୁତ କମ୍‌ ଭାଇଭଉଣୀ ସେଥିରେ ଉତ୍ତର ଦେବା ପାଇଁ ହାତ ଉଠାଇବେ । କିନ୍ତୁ ଯଦି ଏହି ପରାମର୍ଶଗୁଡ଼ିକୁ ମାନିବା ପରେ ମଧ୍ୟ ଆପଣଙ୍କୁ ଥରେ ବି ଉତ୍ତର ଦେବା ପାଇଁ ସୁଯୋଗ ମିଳେନି, ତାହେଲେ ଆପଣ କʼଣ କରିପାରିବେ ? ଆପଣ ଚାହିଁଲେ ସଭାର ପୂର୍ବରୁ ଭାଗ ଚଲାଉଥିବା ଭାଇଙ୍କୁ କହିପାରିବେ ଯେ ଆପଣ କେଉଁ ପ୍ରଶ୍ନର ଉତ୍ତର ଦେବା ପାଇଁ ଚାହାନ୍ତି ।

୧୧. ଫିଲିପ୍‌ପୀୟ ୨:୪ ପଦରେ ଆମକୁ କʼଣ କରିବା ପାଇଁ ପ୍ରୋତ୍ସାହନ ଦିଆଯାଇଛି ?

୧୧ ଫିଲିପ୍‌ପୀୟ ୨:୪ ପଢ଼ନ୍ତୁ । ପାଉଲ ଫିଲିପ୍‌ପୀରେ ରହୁଥିବା ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ଅନ୍ୟମାନଙ୍କ ବିଷୟରେ ମଧ୍ୟ ଭାବନ୍ତୁ । ଆମେ ତାଙ୍କ ଏହି ପରାମର୍ଶକୁ ସଭା ସମୟରେ କିପରି ମାନିପାରିବା ? ଆମେ ମନେ ରଖିପାରିବା ଯେ ଆମ ଭଳି ଅନ୍ୟ ଭାଇଭଉଣୀମାନେ ମଧ୍ୟ ଉତ୍ତର ଦେବା ପାଇଁ ଚାହାନ୍ତି ।

କିଛି ଭାଇଭଉଣୀମାନେ ମିଶି କିଛି ଖାଉଛନ୍ତି । ଜଣେ ଭାଇ କିଛି କହୁଛନ୍ତି ଓ ଅନ୍ୟମାନେ ଧ୍ୟାନ ଦେଇ ତାଙ୍କ ଶୁଣୁଛନ୍ତି ।

ଯେପରି ଆପଣ ନିଜ ସାଙ୍ଗମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ ସେମାନଙ୍କୁ ବି କହିବା ପାଇଁ ସୁଯୋଗ ଦିଅନ୍ତି, ସେହିପରି ସଭାଗୁଡ଼ିକରେ ମଧ୍ୟ ଅନ୍ୟମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ଦିଅନ୍ତୁ (ପାରାଗ୍ରାଫ ୧୨)

୧୨. ସଭାଗୁଡ଼ିକରେ ପରସ୍ପରର ଉତ୍ସାହ ବଢ଼ାଇବାର ଗୋଟିଏ ଉପାୟ କʼଣ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଟିକେ ଏବିଷୟରେ ଭାବନ୍ତୁ, ଯେବେ ଆପଣ ନିଜ ସାଙ୍ଗମାନଙ୍କ ସହିତ କଥା ହୁଅନ୍ତି, ତେବେ କʼଣ ଆପଣ ନିଜେ ହିଁ କଥା ହୁଅନ୍ତି ? ନା, ଆପଣ ସେମାନଙ୍କୁ ବି କଥା ହେବା ପାଇଁ ସୁଯୋଗ ଦିଅନ୍ତି । ସେହିଭଳି ଆମେ ଚାହିଁବା ଯେ ସଭାଗୁଡ଼ିକରେ ଅଧିକରୁ ଅଧିକ ଭାଇଭଉଣୀମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ମିଳୁ । ପ୍ରକୃତରେ ଭାଇଭଉଣୀମାନଙ୍କ ସାହସ ବଢ଼ାଇବାର ଗୋଟିଏ ଭଲ ଉପାୟ ହେଉଛି ଯେ ଆମେ ସେମାନଙ୍କୁ ସେମାନଙ୍କ ବିଶ୍ୱାସ ଦେଖାଇବା ପାଇଁ ସୁଯୋଗ ଦେଉ । (୧ କରି. ୧୦:୨୪) ଆସନ୍ତୁ ଦେଖିବା ଯେ ଆମେ ଏହା କିପରି କରିପାରିବା ।

୧୩. ଆମେ କʼଣ କରିପାରିବା ଯାହାଦ୍ୱାରା ଅଧିକରୁ ଅଧିକ ଭାଇଭଉଣୀମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ମିଳୁ ?

୧୩ ଗୋଟେ କଥା ଯାହା ଆପଣ ମନେ ରଖିପାରିବେ, ତାହା ହେଉଛି ଆପଣଙ୍କର ଉତ୍ତର ଛୋଟ ହେଉ । ଏପରି କରିଲେ ଆହୁରି ଅନେକ ଭାଇଭଉଣୀଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ମିଳିବ । ପ୍ରାଚୀନ ଓ ଅନ୍ୟ ଅନୁଭବୀ ପ୍ରଚାରକମାନେ ଏକଥାର ବିଶେଷ ଧ୍ୟାନ ରଖିପାରିବେ, ଯାହାଦ୍ୱାରା ଅନ୍ୟମାନେ ତାଙ୍କଠାରୁ ଶିଖିପାରିବେ । ଛୋଟ ଉତ୍ତର ଦେବା ସହ ଏହା ବି ଧ୍ୟାନ ରଖନ୍ତୁ ଯେ ଆପଣ ଅନେକ ଗୁଡ଼ିଏ ମୁଖ୍ୟ କଥାଗୁଡ଼ିକୁ କହନ୍ତୁନି । ଯଦି ଆପଣ ପାରାଗ୍ରାଫରେ ଲେଖାଥିବା ପ୍ରତ୍ୟେକ କଥାଗୁଡ଼ିକୁ କହିଦେବେ ତାହେଲେ ଅନ୍ୟମାନଙ୍କ ପାଖରେ ଉତ୍ତର ଦେବା ପାଇଁ ଆଉ କିଛି ବି ରହିବନି । ଯେପରି, ଏହି ପାରାଗ୍ରାଫରେ ଦୁଇଟି ପରାମର୍ଶ ଦିଆଯାଇଛି । ପ୍ରଥମ, ଛୋଟ ଉତ୍ତର ଦିଅନ୍ତୁ ଓ ଦ୍ୱିତୀୟ, ଅନେକ ଗୁଡ଼ିଏ ମୁଖ୍ୟ କଥାଗୁଡ଼ିକୁ କହନ୍ତୁନି । ଯଦି ଆପଣଙ୍କୁ ପାରାଗ୍ରାଫରେ ସବୁଠୁ ଆଗ ଉତ୍ତର ଦେବା ପାଇଁ ସୁଯୋଗ ମିଳେ, ତାହେଲେ ଭଲ ହେବ ଯେ ଆପଣ ସେମଧ୍ୟରୁ ଗୋଟିଏ ମୁଖ୍ୟ କଥା କହନ୍ତୁ !

ଚିତ୍ରଗୁଡ଼ିକ: ପୂର୍ବ ଚିତ୍ରରେ ଦେଖାଇ ଦିଆଯାଇଛି ଯେ ଜଣେ ଭାଇ ସଭାରେ ଅଛନ୍ତି ଓ ସେ ଉତ୍ତର ଦେବା ପାଇଁ ନିଜ ହାତ ଉଠାଇଛନ୍ତି । ୨. ପରେ ଯେବେ ଅନ୍ୟ ଭାଇଭଉଣୀମାନେ ଉତ୍ତର ଦେବା ପାଇଁ ହାତ ଉଠାନ୍ତି, ତେବେ ସେ ନିଜ ହାତ ଉଠାନ୍ତିନି ।

ଆମେ ସଭାରେ ହୁଏତ କେବେ ହାତ ନ ଉଠାଇବା ପାଇଁ ଭାବିପାରୁ ? (ପାରାଗ୍ରାଫ ୧୪)f

୧୪. ଆମେ କିପରି ନିଷ୍ପତ୍ତି ନେଇପାରିବା ଯେ ଉତ୍ତର ଦେବା ପାଇଁ ଆମେ କେତେବେଳେ ହାତ ଉଠାଇବା ? (ଚିତ୍ର ମଧ୍ୟ ଦେଖନ୍ତୁ)

୧୪ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ଯେ ଆପଣ କେତେବେଳେ ଉତ୍ତର ଦେବା ପାଇଁ ହାତ ଉଠାଇବେ । ଯଦି ଆପଣ ବାରମ୍ବାର ହାତ ଉଠାଇବେ, ତାହେଲେ ଭାଗ ଚଲାଉଥିବା ଭାଇଙ୍କୁ ଲାଗିପାରେ ଯେ ସବୁବେଳେ ଆପଣଙ୍କୁ ହିଁ ଉତ୍ତର ପଚାରିବା ଉଚିତ୍‌ ଏବଂ ହୁଏତ ଅନ୍ୟମାନଙ୍କୁ ଉତ୍ତର ଦେବାକୁ ସୁଯୋଗ ମିଳିବନି । ଏପରି ହେଲେ ଅନ୍ୟ ଭାଇଭଉଣୀମାନେ ନିରାଶ ହୋଇପାରନ୍ତି ଓ ହୁଏତ ସେମାନଙ୍କୁ ହାତ ଉଠାଇବା ପାଇଁ ଇଚ୍ଛା ହେବନି ।—ଉପ. ୩:୭.

୧୫. (କ) ଯଦି ଆମକୁ ପ୍ରଶ୍ନ ପଚରାଯାଏନି, ତେବେ ଆମେ କʼଣ କରିବା ? (ଖ) ଭାଗ ଚଲାଉଥିବା ଭାଇମାନଙ୍କୁ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିବା ଉଚିତ୍‌ ? (“ଯେବେ ଆପଣ ଭାଗ ଚଲାନ୍ତି” ନାମକ ବକ୍ସ ଦେଖନ୍ତୁ ।)

୧୫ ଯେବେ କୌଣସି ଅଧ୍ୟୟନ ସମୟରେ ଅନେକ ଭାଇଭଉଣୀ ହାତ ଉଠାନ୍ତି, ତେବେ ହୁଏତ ଆମକୁ ସେତେ ଥର ଉତ୍ତର ଦେବା ପାଇଁ ସୁଯୋଗ ମିଳିବନି, ଯେତେ ଆମେ ଭାବିଥିବା । ଆଉ ହୁଏତ ଅନେକଥର ଆମକୁ ଥରେ ବି ଉତ୍ତର ଦେବା ପାଇଁ ସୁଯୋଗ ମିଳିବନି । ଏପରି ସମୟରେ ଆମକୁ ଟିକେ ଦୁଃଖ ତ ଲାଗିବ ହିଁ, କିନ୍ତୁ ଆମକୁ ଖରାପ ଭାବିବା ଉଚିତ୍‌ ନୁହେଁ ।—ଉପ. ୭:୯.

ଯେବେ ଆପଣ ଭାଗ ଚଲାନ୍ତି

ଯେବେ ଆପଣ ଭାଗ ଚଲାନ୍ତି ଯଦି ଆପଣଙ୍କୁ ସଭାରେ କୌଣସି ଏପରି ଭାଗ ଚଲାଇବାର ଅଛି ଯେଉଁଥିରେ ପ୍ରଶ୍ନ ଉତ୍ତର ଅଛି, ତାହେଲେ ଅଧିକରୁ ଅଧିକ ଲୋକମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ଦିଅନ୍ତୁ । ଆପଣ ଏହା କିପରି କରିପାରିବେ ?

  • ବହୁତ ବେଶି କହନ୍ତୁ ନାହିଁ । ଅଧ୍ୟୟନର ଆରମ୍ଭ ଓ ସମାପ୍ତି କମ୍‌ ଶବ୍ଦରେ କରନ୍ତୁ ଏବଂ ଚର୍ଚ୍ଚା ସମୟରେ କମ୍‌ କଥା କହନ୍ତୁ, ତାହା ବି ଠିକ୍‌ ସମୟରେ ।e ପ୍ରତି ପାରାଗ୍ରାଫ ପଢ଼ା ଯିବା ପୂର୍ବରୁ ସେବିଷୟରେ କହିବା ଜରୁରୀ ନୁହେଁ ।

  • ପ୍ରଶ୍ନ ପଚାରିବା ପରେ, କିଛି ସମୟ ରୁହନ୍ତୁ ଯାହାଫଳରେ ଅଧିକରୁ ଅଧିକ ପ୍ରଚାରକମାନେ ହାତ ଉଠାଇପାରିବେ । ଯଦି କିଛି ଏପରି ଲୋକ ହାତ ଉଠାଇଛନ୍ତି ଯେଉଁମାନେ ଏବେ ଯାଏ ଉତ୍ତର ଦେଇପାରି ନାହାନ୍ତି, ତେବେ ସେହି ଲୋକମାନଙ୍କୁ ପୁଣିଥରେ ପଚାରନ୍ତୁ ନାହିଁ ଯେଉଁମାନେ ଉତ୍ତର ଦେଇ ସାରିଛନ୍ତି । ମନେରଖନ୍ତୁ, ଯଦି କାହାରିକୁ ଅଧିକାଂଶ ସମୟରେ ପଚରାଯାଏନି, ତାହେଲେ ସେ ନିରାଶ ହୋଇପାରେ, ଏପରିକି ସେ ଅନୁଭବୀ ପ୍ରଚାରକ ହୋଇଥାନ୍ତୁ ନା କାହିଁକି ।

  • ଏପରି କହନ୍ତୁନି: “ଆଉ କେହି ହାତ ଉଠାଇବେ ?” କିମ୍ବା “ଏପରି କେହି ଅଛନ୍ତି ଯିଏ ଏବେ ଯାଏ ଉତ୍ତର ଦେଇ ନାହାନ୍ତି ?”

  • ଯଦି ଆପଣଙ୍କୁ ସପ୍ତାହ ମଝିରେ ହେଉଥିବା ସଭାର ଶେଷ ଭାଗ ଚଲାଇବାର ଅଛି, ତେବେ ଧ୍ୟାନ ରଖନ୍ତୁ ଯେ କେଉଁ ଲୋକମାନେ ପୂର୍ବ ଭାଗଗୁଡ଼ିକରେ ଉତ୍ତର ଦେଇ ସାରିଛନ୍ତି ଯାହାଫଳରେ ଆପଣ ଅନ୍ୟମାନଙ୍କୁ ସୁଯୋଗ ଦେଇପାରିବେ ।

  • ସମୟକୁ ଧ୍ୟାନରେ ରଖନ୍ତୁ । ଯଦି ଆପଣ ଆରମ୍ଭର ପାରାଗ୍ରାଫଗୁଡ଼ିକରେ ବେଶି ସମୟ ଦେବେ, ତାହେଲେ ଆପଣଙ୍କୁ ଶେଷ ପାରାଗ୍ରାଫଗୁଡ଼ିକୁ ଶୀଘ୍ର ଶୀଘ୍ର ଚର୍ଚ୍ଚା କରିବାକୁ ପଡ଼ିବ ଓ ଆପଣ ଅଧିକ ଲୋକମାନଙ୍କୁ ଉତ୍ତର ପଚାରିପାରିବେ ନାହିଁ ।

୧୬. ଯେବେ ଅନ୍ୟମାନେ ଉତ୍ତର ଦିଅନ୍ତି, ତେବେ ଆମେ ସେମାନଙ୍କ ଉତ୍ସାହ କିପରି ବଢ଼ାଇପାରିବା ?

୧୬ ଯଦି ଆପଣଙ୍କୁ ଉତ୍ତର ଦେବା ପାଇଁ ସେତେ ସୁଯୋଗ ମିଳେନି ଯେତେ ଆପଣ ଚାହାନ୍ତି, ତାହେଲେ ଆପଣ କʼଣ କରିପାରିବେ ? ଆପଣ ଅନ୍ୟମାନଙ୍କର ଉତ୍ତର ଧ୍ୟାନର ସହ ଶୁଣିପାରିବେ ଓ ସଭା ପରେ ସେମାନଙ୍କ ଉତ୍ତର ପାଇଁ ସେମାନଙ୍କ ପ୍ରଶଂସା କରିପାରିବେ । ହୁଏତ ଆପଣଙ୍କ ପ୍ରଶଂସା ଶୁଣି ଭାଇଭଉଣୀମାନଙ୍କ ସେତେ ହିଁ ଉତ୍ସାହ ବଢ଼ିବ, ଯେତେ ଆପଣଙ୍କର ଉତ୍ତର ଶୁଣି ହୋଇଥାନ୍ତା । (ହିତୋ. ୧୦:୨୧) ପ୍ରକୃତରେ ପ୍ରଶଂସା କରିବା ପରସ୍ପରର ଉତ୍ସାହ ବଢ଼ାଇବାର ଗୋଟିଏ ଉପାୟ ଅଟେ ।

ପରସ୍ପରର ଆହୁରି କିପରି ଉତ୍ସାହ ବଢ଼ାଇପାରିବା ?

୧୭. (କ) ବାପାମାଆ କିପରି ନିଜ ପିଲାମାନଙ୍କ ବୟସ ଅନୁସାରେ ସେମାନଙ୍କୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ କରାଇପାରିବେ ? (ଖ) ଯେପରି ଭିଡିଓରେ ଦିଆଯାଇଛି ଆମେ କେଉଁ ଚାରୋଟି ପଦକ୍ଷେପ ନେଇ ଉତ୍ତର ଦେବା ପାଇଁ ପ୍ରସ୍ତୁତି କରିପାରିବା ?

୧୭ ଆମେ ସଭାରେ ଆଉ କିପରି ପରସ୍ପରର ଉତ୍ସାହ ବଢ଼ାଇପାରିବା ? ଯଦି ଆପଣଙ୍କର ଛୋଟ ପିଲା ଅଛନ୍ତି ତାହେଲେ ସେମାନଙ୍କର ବୟସ ଅନୁସାରେ ସେମାନଙ୍କୁ ଉତ୍ତର ଦେବା ପାଇଁ ପ୍ରସ୍ତୁତ କରାଇପାରିବେ । (ମାଥି. ୨୧:୧୬) ଅନେକଥର ଗମ୍ଭୀର ବିଷୟଗୁଡ଼ିକରେ ଚର୍ଚ୍ଚା କରାଯାଇଥାଏ । ଯେପରି ବୈବାହିକ ଜୀବନରେ ଉଠୁଥିବା ସମସ୍ୟା ବା ନୈତିକ ମାମଲା ବିଷୟରେ । କିନ୍ତୁ ଏପରି ଲେଖାଗୁଡ଼ିକରେ ମଧ୍ୟ ହୁଏତ ଗୋଟିଏ ବା ଦୁଇଟି ପାରାଗ୍ରାଫ ଏପରି ଥିବ ଯେଉଁଥିରେ ପିଲାମାନେ ଉତ୍ତର ଦେଇପାରିବେ । ତାʼଛଡ଼ା ନିଜ ପିଲାମାନଙ୍କୁ ବୁଝାନ୍ତୁ ଏହା ଜରୁରୀ ନୁହେଁ ଯେ ଯେବେ ବି ସେମାନେ ହାତ ଉଠାଇବେ ତେବେ ସେମାନଙ୍କୁ ହିଁ ପଚାରାଯିବ । ଯଦି ଆପଣ ପୂର୍ବରୁ ସେମାନଙ୍କ ସହ ଏବିଷୟରେ କଥା ହେବେ ତାହେଲେ ଯେବେ ସେମାନଙ୍କ ପରିବର୍ତ୍ତେ ଅନ୍ୟ କାହାରିକୁ ଉତ୍ତର ପଚରାଯାଏ, ତେବେ ସେମାନେ ନିରାଶ ହେବେନି ।—୧ ତୀମ. ୬:୧୮.d

୧୮. ଲୋକମାନଙ୍କର ଧ୍ୟାନ ଆମ ଉପରେ ନ ଯାଉ ତାʼପାଇଁ ଉତ୍ତର ଦେବା ସମୟରେ ଆମେ କʼଣ ଧ୍ୟାନରେ ରଖିପାରିବା ? (ହିତୋପଦେଶ ୨୭:୨)

୧୮ ଆମେ ସମସ୍ତେ ଏପରି ଉତ୍ତର ଦେବା ପାଇଁ ପ୍ରସ୍ତୁତି କରିପାରିବା ଯେଉଁଥିରୁ ଯିହୋବାଙ୍କର ମହିମା ହେବ ଓ ଭାଇଭଉଣୀଙ୍କର ଉତ୍ସାହ ବଢ଼ିବ । (ହିତୋ. ୨୫:୧୧) ବେଳେବେଳେ ଉତ୍ତର ଦେବା ସମୟରେ ଆମେ ନିଜ ଅନୁଭୂତି ମଧ୍ୟ କହିପାରିବା କିନ୍ତୁ ଆମେ ସବୁବେଳେ ନିଜ ବିଷୟରେ ହିଁ କହିବା ଉଚିତ୍‌ ନୁହେଁ । (ହିତୋପଦେଶ ୨୭:୨ ପଢ଼ନ୍ତୁ; ୨ କରି. ୧୦:୧୮) ଏହା ପରିବର୍ତ୍ତେ ଆମେ ଏପରି ଉତ୍ତର ଦେବା ପାଇଁ ଚେଷ୍ଟା କରିବା ଉଚିତ୍‌ ଯେଉଁଥିରୁ ଭାଇଭଉଣୀଙ୍କ ଧ୍ୟାନ ଯିହୋବା, ତାଙ୍କ ବାକ୍ୟ ଓ ତାଙ୍କ ଲୋକମାନଙ୍କ ଉପରେ ଯାଉ । (ପ୍ରକା. ୪:୧୧) ହଁ, ଯଦି କୌଣସି ପାରାଗ୍ରାଫର ପ୍ରଶ୍ନରେ ହିଁ ନିଜର ଅନୁଭୂତି କହିବା ପାଇଁ କୁହାଯାଇଛି ତାହେଲେ ଆମେ ନିଶ୍ଚୟ କହିପାରିବା । ଉଦାହରଣ ପାଇଁ ପରବର୍ତ୍ତୀ ପାରାଗ୍ରାଫର ଗୋଟିଏ ପ୍ରଶ୍ନ ଏପରି ହିଁ ଅଛି ।

୧୯. (କ) ଯେବେ ଆମେ ସଭାରେ ଆସିଥିବା ସମସ୍ତ ଲୋକମାନଙ୍କ ବିଷୟରେ ଭାବୁ, ତେବେ ଏହାର କʼଣ ଲାଭ ହୁଏ ? (ରୋମୀୟ ୧:୧୧, ୧୨) (ଖ) ଆପଣଙ୍କୁ ସଭାରେ ଉତ୍ତର ଦେବା ବିଷୟରେ କେଉଁ କଥା ଭଲ ଲାଗେ ?

୧୯ ଆମେ କିପରି ଉତ୍ତର ଦେବା କଥା ସେବିଷୟରେ କୌଣସି ନିୟମ ନାହିଁ । କିନ୍ତୁ ଆମେ ସମସ୍ତେ ଏପରି ଉତ୍ତର ଦେବା ପାଇଁ ଚେଷ୍ଟା କରିବା ଉଚିତ୍‌ ଯେଉଁଥିରୁ ଅନ୍ୟମାନଙ୍କର ଉତ୍ସାହ ବଢ଼ୁ । ଆମେ ଏହା କିପରି କରିପାରିବା ? କିଛି ମାମଲାଗୁଡ଼ିକରେ ହୁଏତ ଆମକୁ ଉତ୍ତର ଦେବା ପାଇଁ ବେଶି ହାତ ଉଠାଇବାକୁ ପଡ଼ିପାରେ । କିନ୍ତୁ ଅନ୍ୟ କିଛି ମାମଲାରେ ଆମକୁ ଉତ୍ତର ଦେବା ପାଇଁ ଯେତିକି ସୁଯୋଗ ମିଳେ ଆମେ ସେତିକିରେ ସନ୍ତୁଷ୍ଟ ରହିପାରିବା ଆଉ ଏକଥା ପାଇଁ ଖୁସି ହୋଇପାରିବା ଯେ ଅନ୍ୟମାନଙ୍କୁ ମଧ୍ୟ ଉତ୍ତର ଦେବା ପାଇଁ ସୁଯୋଗ ମିଳୁଛି । ଏପରି ଭାବେ ମଣ୍ଡଳୀର ସଭାଗୁଡ଼ିକରେ ଯେବେ ଆମେ ଅନ୍ୟମାନଙ୍କ ଉପରେ ଧ୍ୟାନ ଦେବା ଅର୍ଥାତ୍‌ ସେମାନଙ୍କ ବିଷୟରେ ଭାବିବା, ତେବେ ଆମେ ‘ପରସ୍ପରର ଉତ୍ସାହ ବଢ଼ାଇପାରିବା’ ।—ରୋମୀୟ ୧:୧୧, ୧୨ ପଢ଼ନ୍ତୁ ।

ଆମେ କିପରି ପରସ୍ପର ପ୍ରତି ଧ୍ୟାନ ଦେଇପାରିବା . . .

  • ଯେବେ ବହୁତ କମ୍‌ ଲୋକମାନେ ଉତ୍ତର ଦେବା ପାଇଁ ହାତ ଉଠାଇଥିବେ ?

  • ଯେବେ ବହୁତ ଲୋକମାନେ ଉତ୍ତର ଦେବା ପାଇଁ ହାତ ଉଠାଇଥିବେ ?

  • ଯେବେ ଆମେ ଉତ୍ତର ଦେବା ପାଇଁ ପ୍ରସ୍ତୁତି କରୁଥିବା ?

ଗୀତ ୯୩ ହାମାରି ସଭାଓଁ ପର ଆଶିଷ୍‌ ଦେ

a ସଭାରେ ଉତ୍ତର ଦେଇ ଆମେ ପରସ୍ପରର ଉତ୍ସାହ ବଢ଼ାଉ । କିନ୍ତୁ କିଛି ଭାଇଭଉଣୀଙ୍କୁ ସଭାରେ ଉତ୍ତର ଦେବା ପାଇଁ ଡର ଲାଗେ । ଆଉ କିଛି ଭାଇଭଉଣୀଙ୍କୁ ଉତ୍ତର ଦେବା ବହୁତ ଭଲ ଲାଗେ । ସେମାନେ ଅଧିକରୁ ଅଧିକ ଉତ୍ତର ଦେବା ପାଇଁ ଚାହାନ୍ତି କିନ୍ତୁ ଏତେ ସୁଯୋଗ ମିଳେନି । ଏହି ଦୁଇଟି ମାମଲାରେ ଆମେ କିପରି ପରସ୍ପର ଉପରେ ଧ୍ୟାନ ଦେଇପାରିବା ଅର୍ଥାତ୍‌ ସେମାନଙ୍କ ବିଷୟରେ ଭାବିପାରିବା ଯାହାଦ୍ୱାରା ସମସ୍ତଙ୍କର ଉତ୍ସାହ ବଢ଼ିବ । ଆଉ ଆମେ କିପରି ଉତ୍ତର ଦେଇପାରିବା ଯେଉଁଥିରୁ ପ୍ରେମ କରିବା ଓ ଭଲ କାମ କରିବା ପାଇଁ ସମସ୍ତଙ୍କୁ ପ୍ରୋତ୍ସାହନ ମିଳିବ । ଏହି ଲେଖାରେ ଆମେ ଏହା ହିଁ ଚର୍ଚ୍ଚା କରିବା ।

b ଆହୁରି ଅଧିକ ପରାମର୍ଶ ଜାଣିବା ପାଇଁ ଜାନୁଆରୀ ୨୦୧୯ ମସିହାର ପ୍ରହରୀଦୁର୍ଗ, ପୃଷ୍ଠା ୮-୧୩ ଓ ୧ ସେପ୍ଟେମ୍ବର, ୨୦୦୩ ମସିହାର ପ୍ରହରୀଦୁର୍ଗ, ପୃଷ୍ଠା ୧୯-୨୨ ପଢ଼ନ୍ତୁ ।

c ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ  ।

d jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ ଯିହୋବାଙ୍କ ମିତ୍ର ହୁଅ—ଉତ୍ତର ଦେବା ପାଇଁ ପ୍ରସ୍ତୁତି କର ଦେଖନ୍ତୁ ।

e ୧୫ ଜୁଲାଇ, ୨୦୧୩ ମସିହାର ପ୍ରହରୀଦୁର୍ଗର ପୃଷ୍ଠା ୩୨ ଓ ୧ ସେପ୍ଟେମ୍ବର, ୨୦୦୩ ମସିହାର ପ୍ରହରୀଦୁର୍ଗର ପୃଷ୍ଠା ୨୧-୨୨ ପଢ଼ନ୍ତୁ ।

f ଚିତ୍ର ବିଷୟରେ: ଗୋଟିଏ ବଡ଼ ମଣ୍ଡଳୀରେ ଜଣେ ଭାଇ ପୂର୍ବରୁ ଉତ୍ତର ଦେଇ ସାରିଛନ୍ତି, ତେଣୁ ସେ ଅନ୍ୟମାନଙ୍କୁ ଉତ୍ତର ଦେବା ପାଇଁ ସୁଯୋଗ ଦେଉଛନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ