ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w23 ଅକ୍ଟୋବର ପୃଷ୍ଠା ୬-୧୧
  • କʼଣ ଆପଣ “ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ” ଅଛନ୍ତି ?

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • କʼଣ ଆପଣ “ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ” ଅଛନ୍ତି ?
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
  • ଉପଶୀର୍ଷକ
  • ପ୍ରାୟ ସମାନ ଲେଖା
  • ବାପାମାଆଙ୍କ ଆଜ୍ଞା ମାନ
  • “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ଆଜ୍ଞା ମାନନ୍ତୁ
  • ଯିହୋବାଙ୍କ ସଂଗଠନରୁ ମିଳୁଥିବା ପରାମର୍ଶ ମାନନ୍ତୁ
  • ଶୁଣି ଅନୁକରଣ କର
    ଗୀତ ଗାଇ ଯିହୋବାଙ୍କ ଜୟଜୟକାର କରନ୍ତୁ
  • ଈଶ୍ୱରଙ୍କ ପ୍ରେମ କଦାପି ଶେଷ ହୁଏ ନାହିଁ
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
  • ଅଧିକାର ଥିବା ବ୍ୟକ୍ତିଙ୍କର ଆଦର
    ଈଶ୍ୱରଙ୍କ ପ୍ରେମରେ ସ୍ଥିର ହୋଇ ରହନ୍ତୁ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୩
w23 ଅକ୍ଟୋବର ପୃଷ୍ଠା ୬-୧୧

ଅଧ୍ୟୟନ ଲେଖା ୪୨

କʼଣ ଆପଣ “ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ” ଅଛନ୍ତି ?

‘ଯେଉଁ ବୁଦ୍ଧି ସ୍ୱର୍ଗରୁ ମିଳେ ତାହା ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ ରହେ ।’—ଯାକୁ. ୩:୧୭, NWT.

ଗୀତ ୧୦୧ ଏକ୍‌ତା ବନାଏ ରଖେଁ

ଲେଖାର ଝଲକa

୧. ଆମ ପାଇଁ ଅନ୍ୟମାନଙ୍କ ଆଜ୍ଞା ମାନିବା କାହିଁକି କଠିନ ହୋଇପାରେ ?

କʼଣ ଆପଣଙ୍କୁ କେବେ ଅନ୍ୟମାନଙ୍କ କଥା ମାନିବା କଠିନ ଲାଗିଛି ? ରାଜା ଦାଉଦଙ୍କୁ ବି ଲାଗିଥିଲା, ତେଣୁ ସେ ଯିହୋବାଙ୍କୁ ପ୍ରାର୍ଥନା କଲେ, “ମୋଠାରେ ଏପରି ଇଚ୍ଛା ବଢ଼ାଅ ଯେ ମୁଁ ତୁମ୍ଭ ଆଜ୍ଞା ମାନିବି ।” (ଗୀତ. ୫୧:୧୨, NWT) ଦାଉଦ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ, ତଥାପି ବେଳେବେଳେ ତାଙ୍କୁ ଯିହୋବାଙ୍କ ଆଜ୍ଞା ମାନିବା କଠିନ ଲାଗୁଥିଲା । ଆଜି ଆମକୁ ବି ଯିହୋବାଙ୍କ ଆଜ୍ଞା ମାନିବା ବେଳେବେଳେ କଠିନ ଲାଗିପାରେ । ଏପରି କାହିଁକି ? ଏହାର କାରଣ ହେଉଛି, ପ୍ରଥମ, ଜନ୍ମରୁ ହିଁ ଆମଠାରେ ଆଜ୍ଞା ନ ମାନିବାର ଇଚ୍ଛା ଥାଏ । ଦ୍ୱିତୀୟ, ଶୟତାନ ସବୁବେଳେ ଏହା ହିଁ ଚେଷ୍ଟା କରେ ଯେ ଆମେ ଯିହୋବାଙ୍କ ବିରୁଦ୍ଧରେ କାମ କରୁ, ଠିକ୍‌ ଯେପରି ସେ କରିଥିଲା । (୨ କରି. ୧୧:୩) ତୃତୀୟ, ଆଜି ଆମେ ଏପରି ଦୁନିଆରେ ରହୁଛୁ, ଯେଉଁଠି ଅଧିକାଂଶ ଲୋକେ ବିଦ୍ରୋହୀ ଅଛନ୍ତି । ସେମାନଙ୍କ “ଆଚରଣ” ହିଁ ଏପରି ଅଛି ଯେ ସେମାନେ ‘ଆଜ୍ଞା ମାନନ୍ତି’ ନାହିଁ । (ଏଫି. ୨:୨) ତେଣୁ ଏହା ବହୁତ ଜରୁରୀ ଯେ ଆମଠାରେ ଖରାପ କାମ କରିବାର ଯେଉଁ ଦୁର୍ବଳତା ଅଛି, ଆମେ ତାʼସହ ଲଢ଼ୁ ଏବଂ ଶୟତାନ ଆଉ ଏହି ଦୁନିଆ ଭଳି ବିଦ୍ରୋହୀ ନ ହେଉ । ତାʼସହ ଆମକୁ ଯିହୋବା ଏବଂ ସେ ଯେଉଁମାନଙ୍କୁ ଅଧିକାର ଦେଇଛନ୍ତି, ସେମାନଙ୍କ ଆଜ୍ଞା ମାନିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ ।

୨. “ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ” ରହିବାର ଅର୍ଥ କʼଣ ? (ଯାକୁବ ୩:୧୭)

୨ ଯାକୁବ ୩:୧୭ (NWT) କହେ: “କିନ୍ତୁ ଯେଉଁ ବୁଦ୍ଧି ସ୍ୱର୍ଗରୁ ମିଳେ ତାହା ସବୁଠୁ ଆଗ ପବିତ୍ର, ତାʼପରେ ଶାନ୍ତି ବଜାୟ ରଖେ, ମୃଦୁଶୀଳ, ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ, ଦୟା ଏବଂ ଭଲ କାମଗୁଡ଼ିକରେ ଭରପୂର ଥାଏ । ଏହା ଭେଦଭାବ କରେ ନାହିଁ ଏବଂ କପଟୀ ବି ନ ଥାଏ ।” ଯିହୋବା ଯାକୁବଙ୍କ ଜରିଆରେ ଲେଖାଇଲେ ଯେ ଯେଉଁମାନେ ବୁଦ୍ଧିମାନ ଥାʼନ୍ତି, ସେମାନେ “ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ” ଥାʼନ୍ତି । ତାʼଅର୍ଥ ଯିହୋବା ଯେଉଁ ଲୋକମାନଙ୍କୁ କିଛି ଅଧିକାର ଦେଇଛନ୍ତି, ଆମକୁ ସେମାନଙ୍କ ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ ଏବଂ ଏପରି ଖୁସିର ସହ କରିବା ଉଚିତ୍‌ । କିନ୍ତୁ ହଁ, ଯଦି ସେମାନେ ଆମକୁ ଯିହୋବାଙ୍କ ଆଜ୍ଞାଗୁଡ଼ିକ ବିରୁଦ୍ଧରେ କିଛି କରିବା ପାଇଁ କହନ୍ତି, ତେବେ ଯିହୋବା ଚାହାନ୍ତିନି ଯେ ଆମେ ସେମାନଙ୍କ ଆଜ୍ଞା ମାନୁ ।—ପ୍ରେରି. ୪:୧୮-୨୦.

୩. ଆମେ ସେମାନଙ୍କ କଥା କାହିଁକି ମାନିବା ଉଚିତ୍‌, ଯେଉଁମାନଙ୍କୁ ଆମ ଉପରେ ଅଧିକାର ଦିଆଯାଇଛି,?

୩ ଆମକୁ ଯିହୋବାଙ୍କ ଆଜ୍ଞା ମାନିବା ତ ସହଜ ଲାଗେ, କିନ୍ତୁ ଲୋକମାନଙ୍କ କଥା ମାନିବା ହୁଏତ କଠିନ ଲାଗିବ । କାରଣ ଯିହୋବା ଯାହା ପରାମର୍ଶଗୁଡ଼ିକ ଦିଅନ୍ତି, ତାହା ସବୁବେଳେ ସଠିକ୍‌ ଥାଏ । (ଗୀତ. ୧୯:୭) କିନ୍ତୁ ଯଦି ମଣିଷମାନଙ୍କ ମାମଲାରେ ଦେଖିବା, ଯେଉଁମାନଙ୍କୁ ଅଧିକାର ଦିଆଯାଇଛି ସେମାନଙ୍କ ପରାମର୍ଶଗୁଡ଼ିକ ସବୁବେଳେ ସଠିକ୍‌ ନ ଥାଏ । ତଥାପି ଯିହୋବା ବାପାମାଆ, ପ୍ରାଚୀନ ଏବଂ ଅଧିକାରୀମାନଙ୍କୁ କିଛି ଅଧିକାର ଦେଇଛନ୍ତି । (ହିତୋ. ୬:୨୦; ୧ ଥେସ. ୫:୧୨; ୧ ପିତ. ୨:୧୩, ୧୪) ଯେବେ ଆମେ ସେମାନଙ୍କ ଆଜ୍ଞା ମାନୁ, ତେବେ ଆମେ ଦେଖାଉ ଯେ ଆମେ ପ୍ରକୃତରେ ଯିହୋବାଙ୍କ ଆଜ୍ଞା ମାନୁ । କିନ୍ତୁ ଅନେକଥର ସେମାନେ ଏପରି କିଛି କହିବେ ଯେଉଁଥିରେ ଆମେ ସହମତ୍‌ ନ ଥିବା କିମ୍ବା ଯାହା ମାନିବା ପାଇଁ ଆମକୁ ଇଚ୍ଛା ହେଉ ନ ଥିବ । ଆସନ୍ତୁ ଦେଖିବା ଯେ ସେସମୟରେ ବି ଆମେ ସେମାନଙ୍କ ଆଜ୍ଞା କିପରି ମାନିପାରିବା ।

ବାପାମାଆଙ୍କ ଆଜ୍ଞା ମାନ

୪. ଅନେକ ପିଲାମାନେ ନିଜ ବାପାମାଆଙ୍କ ଆଜ୍ଞା କାହିଁକି ମାନନ୍ତି ନାହିଁ ?

୪ ଆଜି ଆମ ଯୁବାମାନେ ଏପରି ପିଲାମାନଙ୍କ ମଧ୍ୟରେ ରହନ୍ତି, ଯେଉଁମାନେ ନିଜ “ପିତାମାତାଙ୍କର ଅବାଧ୍ୟ” ଅଟନ୍ତି । (୨ ତୀମ. ୩:୧, ୨) ସେହି ପିଲାମାନେ ବାପାମାଆଙ୍କ ଆଜ୍ଞା କାହିଁକି ମାନନ୍ତିନି ? ସେମାନେ ଭାବନ୍ତି, ‘ବାପାମାଆ ଆମକୁ ଯାହା କରିବା ପାଇଁ କହୁଛନ୍ତି, ସେମାନେ ତ ନିଜେ ଏପରି କରନ୍ତିନି । ଏହା ତ ଠିକ୍‌ କଥା ନୁହଁ ?’ ଆଉ କିଛି ପିଲାମାନଙ୍କୁ ଲାଗେ ଯେ ଏବେ ସମୟ ବହୁତ ବଦଳିଯାଇଛି ଏବଂ ସେମାନଙ୍କ ବାପାମାଆ ସେମାନଙ୍କୁ ଯେଉଁ ପରାମର୍ଶ ଦେଉଛନ୍ତି, ତାହା ଆଜି କୌଣସି କାମର ନୁହେଁ କିମ୍ବା ସେମାନେ ତାଙ୍କ ସହ ବେଶି ହିଁ କଠୋର ହେଉଛନ୍ତି । ଯଦି ତମେ ଜଣେ ଯୁବା ଅଟ, ତେବେ କʼଣ ତମକୁ ବି କେବେ ଏପରି ଲାଗିଛି ? ଅନେକ ପିଲାମାନଙ୍କୁ ଯିହୋବାଙ୍କ ଏହି ଆଜ୍ଞା ମାନିବା କଠିନ ଲାଗେ ଯେ “ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ ।” (ଏଫି. ୬:୧) ତମେ ଯିହୋବାଙ୍କ ଏହି ଆଜ୍ଞା କିପରି ମାନିପାରିବ ?

୫. ନିଜ ବାପାମାଆଙ୍କ ଆଜ୍ଞା ମାନିବା ମାମଲାରେ ଯୀଶୁ କାହିଁକି ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି ? (ଲୂକ ୨:୪୬-୫୨)

୫ ଯେବେ ଆଜ୍ଞା ମାନିବାର ମାମଲା ଆସେ, ତେବେ ତାʼପାଇଁ ଯୀଶୁ ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି । (୧ ପିତ. ୨:୨୧-୨୪) ତମେ ତାଙ୍କଠାରୁ ଅନେକ କଥା ଶିଖିପାରିବ । ଯୀଶୁ ପରିପୂର୍ଣ୍ଣ ଥିଲେ, କିନ୍ତୁ ତାଙ୍କ ବାପାମାଆ ଅପରିପୂର୍ଣ୍ଣ ଥିଲେ । ଅନେକଥର ସେମାନଙ୍କ ଦ୍ୱାରା ଭୁଲ ହେଲା ଏବଂ ବେଳେବେଳେ କିଛି ମାମଲାରେ ସେମାନେ ଯୀଶୁଙ୍କୁ ଭୁଲ ବୁଝିଲେ, ତଥାପି ଯୀଶୁ ସବୁବେଳେ ସେମାନଙ୍କର ଆଦର କଲେ । (ଯାତ୍ରା. ୨୦:୧୨) ଟିକେ ଗୋଟିଏ ଘଟଣା ଉପରେ ଧ୍ୟାନ ଦିଅନ୍ତୁ । ଏହା ସେସମୟର କଥା ଅଟେ ଯେବେ ଯୀଶୁ ୧୨ ବର୍ଷର ଥିଲେ । (ଲୂକ ୨:୪୬-୫୨ ପଢ଼ନ୍ତୁ ।) ଥରେ ତାଙ୍କ ପରିବାର ଯିରୂଶାଲମରେ ଗୋଟିଏ ପର୍ବ ପାଳନ କରିବାକୁ ଯାଇଥିଲା । କିନ୍ତୁ ଫେରିବା ସମୟରେ, ଯୀଶୁ ଯିରୂଶାଲମରେ ହିଁ ରହିଗଲେ । ଶେଷରେ ଯେବେ ଯୋଷେଫ ଏବଂ ମରୀୟମ ତାଙ୍କୁ ପାଇଲେ, ତେବେ ମରୀୟମ ଯୀଶୁଙ୍କୁ ଦୋଷ ଦେବାକୁ ଲାଗିଲେ ଆଉ କହିଲେ ଯେ ତାଙ୍କ ଯୋଗୁଁ ସେମାନଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଲା । ଦେଖିବାକୁ ଗଲେ ଯୋଷେଫ ଏବଂ ମରୀୟମଙ୍କୁ ଏକଥାର ଧ୍ୟାନ ଦେବାର ଥିଲା ଯେ ତାଙ୍କ ସବୁ ପିଲା ସେମାନଙ୍କ ସହ ଅଛନ୍ତି ନା ନାହିଁ । ତେଣୁ ଯୀଶୁ ଚାହିଁଥିଲେ କହିପାରିଥାʼନ୍ତେ ଯେ ଏହା ମୋ ଭୁଲ ନୁହେଁ, ବରଂ ଆପଣମାନଙ୍କ ଭୁଲ ଅଟେ । କିନ୍ତୁ ଯୀଶୁ ଏପରି କିଛି ବି କହିଲେନି । ସେ କମ୍‌ ଶବ୍ଦରେ ଏବଂ ଆଦରର ସହ ନିଜ କଥା କହିଲେ । ଯୋଷେଫ ଏବଂ ମରୀୟମ ‘ଯୀଶୁଙ୍କ କଥା ବୁଝିଲେ ନାହିଁ,’ ତଥାପି ଯୀଶୁ ଲଗାତାର ସେମାନଙ୍କ ‘ଅଧୀନ ହୋଇ ରହିଲେ ।’

୬-୭. ନିଜ ବାପାମାଆଙ୍କ କଥା ମାନିବା ପାଇଁ କେଉଁ କଥା ଯୁବାମାନଙ୍କୁ ସାହାଯ୍ୟ କରିପାରିବ ?

୬ ଯୁବାମାନେ, ଯେବେ ତମ ବାପାମାଆଙ୍କ ଦ୍ୱାରା କିଛି ଭୁଲ ହୋଇଯାଏ କିମ୍ବା ଯେବେ ସେମାନେ ତମକୁ ଭୁଲ ବୁଝନ୍ତି, ତେବେ କʼଣ ସେମାନଙ୍କ ଆଜ୍ଞା ମାନିବା ତମକୁ କଠିନ ଲାଗେ ? ଯଦି ହଁ, ତେବେ କେଉଁ କଥା ତମକୁ ସାହାଯ୍ୟ କରିପାରେ ? ପ୍ରଥମ କଥା, ଭାବ ଯେ ଯେବେ ତମେ ସେମାନଙ୍କ ଆଜ୍ଞା ମାନ, ତେବେ ଯିହୋବାଙ୍କୁ କିପରି ଲାଗେ । ବାଇବଲରେ ଲେଖାଅଛି ଯେ ଯେବେ ପିଲାମାନେ ବାପାମାଆଙ୍କ ଆଜ୍ଞା ମାନନ୍ତି, ତେବେ “ଏହା ପ୍ରଭୁଙ୍କ ସହଭାଗିତାରେ ସନ୍ତୋଷଜନକ” ଅଟେ । (କଲ. ୩:୨୦) ଯିହୋବା ଜାଣନ୍ତି ଯେ ଅନେକଥର ତମ ବାପାମାଆ ତମକୁ ପୂରାପୂରି ବୁଝିପାରନ୍ତିନି କିମ୍ବା ହୋଇପାରେ ବେଳେବେଳେ ସେମାନେ କିଛି ଏପରି ନିୟମ ମାନିବା ପାଇଁ କହିବେ ଯାହା ତମକୁ କଠିନ ଲାଗିବ । ତଥାପି ଯେବେ ତମେ ସେମାନଙ୍କର ଆଜ୍ଞା ମାନ, ତେବେ ତମେ ଯିହୋବାଙ୍କ ହୃଦୟ ଖୁସି କର ।

୭ ଦ୍ୱିତୀୟ କଥା, ଭାବ ଯେ ବାପାମାଆଙ୍କ ଆଜ୍ଞା ମାନିବାରୁ ସେମାନଙ୍କୁ କିପରି ଲାଗିବ । ସେମାନଙ୍କୁ ବହୁତ ଖୁସି ହେବ ଏବଂ ସେମାନେ ତମ ଉପରେ ଆହୁରି ଭରସା କରିବାକୁ ଲାଗିବେ । (ହିତୋ. ୨୩:୨୨-୨୫) ଯେବେ ତମେ ବାପାମାଆଙ୍କ ଆଜ୍ଞା ମାନିବ, ତେବେ ସେମାନଙ୍କ ସହ ତମ ସମ୍ପର୍କ ବି ଆହୁରି ଭଲ ହୋଇଯିବ । ବେଲଜିୟମ୍‌ରେ ରହୁଥିବା ଆମ ଭାଇ ଆଲେକ୍‌ଜାଣ୍ଡାର କହନ୍ତି, “ମୁଁ ଦେଖିଛି ଯେ ଯେବେ ମୁଁ ବାପାମାଆଙ୍କ ଆହୁରି ଅଧିକ ଆଜ୍ଞା ମାନିବାକୁ ଲାଗିଲି, ତେବେ ଆମ ସମ୍ପର୍କ ଆହୁରି ଭଲ ହୋଇଗଲା । ଆମେ ପରସ୍ପରର ଆହୁରି ନିକଟତର ହୋଇଗଲୁ ଏବଂ ଆଗରୁ ଅଧିକ ଖୁସି ରହିବାକୁ ଲାଗିଲୁ ।”b ତୃତୀୟ କଥା, ଭାବ ଯେ ଯଦି ତମେ ଏବେ ବାପାମାଆଙ୍କ ଆଜ୍ଞା ମାନିବ, ତେବେ ଆଗକୁ ଯାଇ ତମକୁ କେଉଁ କେଉଁ ଲାଭ ହେବ । ବ୍ରାଜିଲରେ ରହୁଥିବା ପାଉଲୋ କହେ, “ଯେବେ ମୁଁ ବାପାମାଆଙ୍କ ଆଜ୍ଞା ମାନିବାକୁ ଲାଗିଲି, ତେବେ ମୋ ପାଇଁ ଯିହୋବା ଏବଂ ଅନ୍ୟମାନଙ୍କ ଆଜ୍ଞା ମାନିବା ବି ସହଜ ହୋଇଗଲା ।” ନିଜ ବାପାମାଆଙ୍କ ଆଜ୍ଞା ମାନିବା ବିଷୟରେ ବାଇବଲରେ ବଢ଼ିଆ କାରଣ ଦିଆଯାଇଛି । ଏଥିରେ ଲେଖାଅଛି ଯେ ଏପରି କଲେ ‘ତମ ମଙ୍ଗଳ ହେବ, ଆଉ ତମେ ପୃଥିବୀରେ ଦୀର୍ଘାୟୁ ହେବ ।’—ଏଫି. ୬:୨, ୩.

୮. ଅନେକ ଯୁବା କାହିଁକି ନିଜ ବାପାମାଆଙ୍କ କଥା ମାନନ୍ତି ?

୮ ଅନେକ ଯୁବାମାନେ ଦେଖିଛନ୍ତି ଯେ ଯେବେ ସେମାନେ ନିଜ ବାପାମାଆଙ୍କ କଥା ମାନନ୍ତି, ତେବେ ଏଥିରୁ ତାଙ୍କର ହିଁ ଲାଭ ହୁଏ । ବ୍ରାଜିଲରେ ରହୁଥିବା ଲୁଇଜା କହେ ଯେ ଯେବେ ତାʼ ବାପାମାଆ କହିଲେ ଯେ ଫୋନ୍‌ ଧରିବା ପାଇଁ ତାକୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ, ତେବେ ସେ ବୁଝିପାରିଲା ନାହିଁ ଯେ ବାପାମାଆ କାହିଁକି ମନା କରୁଛନ୍ତି । ତାକୁ ଏଥିପାଇଁ ଏପରି ଲାଗିଲା କାରଣ ତାʼ ବୟସର ଅଧିକାଂଶ ପିଲାମାନଙ୍କ ପାଖରେ ତାଙ୍କ ନିଜର ଗୋଟିଏ ଫୋନ୍‌ ଥିଲା । କିନ୍ତୁ ପରେ ତାକୁ ଅନୁଭବ ହେଲା ଯେ ତାʼ ବାପାମାଆ ତାʼ ସୁରକ୍ଷା ପାଇଁ ହିଁ ଏପରି କରୁଥିଲେ । ଏବେ ତାକୁ ଏପରି ଲାଗେନି ଯେ ତାʼ ବାପାମାଆ ତାକୁ ଯେଉଁ ନିୟମ ମାନିବା ପାଇଁ କହନ୍ତି ସେଥିରେ ସେ ବାନ୍ଧି ହୋଇଯାଏ । କାରଣ ସେ ଜାଣିଛି ଯେ ବାପାମାଆଙ୍କ କଥା ମାନିବାରେ ହିଁ ତାʼର ଲାଭ ଅଛି । ଆମେରିକାରେ ରହୁଥିବା ଜଣେ ଯୁବା ଭଉଣୀ ଏଲିଜ୍‌ବେଥ୍‌କୁ ଏବେ ବି ନିଜ ବାପାମାଆଙ୍କ କଥା ମାନିବା କଠିନ ଲାଗେ । ସେ କହେ, “ଅନେକଥର ମୋତେ ପୂରାପୂରି ବୁଝାପଡ଼େନି ଯେ ବାପାମାଆ କାହିଁକି କୌଣସି ନିୟମ ମାନିବା ପାଇଁ କହୁଛନ୍ତି । ତେବେ ମୁଁ ଭାବେ ଯେ ପୂର୍ବେ ତାଙ୍କ ନିୟମଗୁଡ଼ିକୁ ମାନିବାରୁ କିପରି ମୋର ସୁରକ୍ଷା ହୋଇଥିଲା ।” ଆଉ ଆର୍ମେନିଆରେ ରହୁଥିବା ମୋନିକା କହେ ଯେ ଯେବେ ବି ସେ ନିଜ ବାପାମାଆଙ୍କ କଥା ଶୁଣିଲା, ତେବେ ତାକୁ ଅଧିକ ଲାଭ ହେଲା ।

“ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ଆଜ୍ଞା ମାନନ୍ତୁ

୯. ଅନେକ ଲୋକ ସରକାରର ନିୟମଗୁଡ଼ିକୁ ମାନିବା ବିଷୟରେ କʼଣ ଭାବନ୍ତି ?

୯ ବାଇବଲରେ ସରକାରଗୁଡ଼ିକୁ “ଅଧିକାର ପ୍ରାପ୍ତ ଶାସନକର୍ତ୍ତା” କୁହାଯାଇଛି । ଅନେକ ଲୋକ ମାନନ୍ତି ଯେ ସରକାର କିମ୍ବା ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ହେବା ଜରୁରୀ ଆଉ ସେମାନଙ୍କ କିଛି ନିୟମ ତ ମାନିବାର ହିଁ ଅଛି । (ରୋମୀ. ୧୩:୧) କିନ୍ତୁ ଯଦି ସେହି ଲୋକମାନଙ୍କୁ ନିୟମ ଠିକ୍‌ ଲାଗେନି କିମ୍ବା ମାନିବା ପାଇଁ ଇଚ୍ଛା ହୁଏନି, ତେବେ ସେମାନେ ସେହି ନିୟମଗୁଡ଼ିକୁ ମାନିବା ପାଇଁ ଚାହାନ୍ତିନି । ଟ୍ୟାକ୍ସ ଦେବା ବିଷୟରେ ହିଁ ଭାବନ୍ତୁ । ୟୁରୋପର ଗୋଟିଏ ଦେଶରେ କିଛି ସର୍ଭେ ନେଇ ଦେଖାଗଲା ଯେ ପ୍ରତ୍ୟେକ ଚାରିଜଣ ମଧ୍ୟରୁ ଜଣକର କହିବାର ଥିଲା, “ଯଦି ସରକାର ବହୁତ ବେଶି ଟ୍ୟାକ୍ସ ଭରିବା ପାଇଁ କହୁଛି, ତେବେ ଆମେ ଦେବାନି ଓ ସେଥିରେ କିଛି ଭୁଲ ନାହିଁ ।” ତେଣୁ ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ସେଠାକାର ଲୋକମାନେ ସରକାରକୁ ପୂରା ଟ୍ୟାକ୍ସ ଦିଅନ୍ତିନି, କେବଳ ଦୁଇ ତୃତୀୟାଂଶ ଭାଗ (ପ୍ରାୟ ୬୫ ଶତକଡ଼ା) ହିଁ ଦିଅନ୍ତି ।

ମରୀୟମ ଗଧ ଉପରେ ବସିଛନ୍ତି ଏବଂ ଯୋଷେଫ ତାʼ ଆଗରେ ଚାଲୁଛନ୍ତି । ସେମାନେ ବେଥଲିହିମ ଯାଉଛନ୍ତି । ଚିତ୍ରଗୁଡ଼ିକ: ୧. ଜଣେ ଭାଇ ଗାଡ଼ି ଚଲାଉଛନ୍ତି । ସାମନା ପଟେ ସାଇନ୍‌ ବୋର୍ଡ ଅଛି ଏବଂ ଭାଇ ନିଜ ଗାଡ଼ିର ବେଗ ଦେଖୁଛନ୍ତି । ୨. ଜଣେ ଭାଇ ଆୟକର ଫର୍ମ ଭରୁଛନ୍ତି । ୩. ଜଣେ ଭଉଣୀ ଜଣେ ଡାକ୍ତରଙ୍କ ସହ କଥା ହେଉଛନ୍ତି । ସେ ମାସ୍କ ପିନ୍ଧିଛନ୍ତି ଏବଂ ସଠିକ୍‌ ଦୂରତା ବଜାୟ ରଖିଛନ୍ତି ।

ଯୋଷେଫ ଏବଂ ମରୀୟମଙ୍କଠାରୁ ଆମେ ଆଜ୍ଞା ମାନିବା ବିଷୟରେ କʼଣ ଶିଖୁ ? (ପାରାଗ୍ରାଫ ୧୦-୧୨)c

୧୦. ଯେବେ ସରକାରର କୌଣସି ନିୟମ ମାନିବା ଆମକୁ କଠିନ ଲାଗେ, ତେବେ ବି ଆମେ କାହିଁକି ତାହା ମାନୁ ?

୧୦ ବାଇବଲରେ କୁହାଯାଇଛି ଯେ ସରକାରଗୁଡ଼ିକ ଯୋଗୁଁ ଲୋକମାନଙ୍କୁ ବହୁତ କଷ୍ଟ ସହିବାକୁ ପଡ଼େ, ଏହି ସରକାରଗୁଡ଼ିକ ଶୟତାନ ଅଧୀନରେ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ସେମାନଙ୍କୁ ଶେଷ କରିଦିଆଯିବ । (ଗୀତ. ୧୧୦:୫, ୬; ଉପ. ୮:୯; ଲୂକ ୪:୫, ୬) କିନ୍ତୁ ଏଥିରେ ଏହା ବି ଲେଖାଅଛି, “ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ ।” ଯିହୋବା ଚାହାନ୍ତି ଯେ ସବୁକିଛି ବ୍ୟବସ୍ଥିତ ଭାବେ ହେଉ, ତେଣୁ ସେ ସରକାରଗୁଡ଼ିକୁ କିଛି ସମୟ ପାଇଁ ରହିବାକୁ ଦେଇଛନ୍ତି ଏବଂ ସେ ଚାହାନ୍ତି ଯେ ଆମେ ସେମାନଙ୍କ ଆଜ୍ଞା ମାନୁ । ତେଣୁ ‘ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦେବା ଉଚିତ୍‌ ।’ ଏହି କାରଣ ଯୋଗୁଁ ଆମେ ଟ୍ୟାକ୍ସ ଦେଇଥାଉ ଏବଂ ଅଧିକାରୀମାନଙ୍କ ଆଦର କରୁ ଆଉ ସେମାନଙ୍କ କଥା ମାନୁ । (ରୋମୀ. ୧୩:୧-୭) ହୋଇପାରେ, ସରକାରର କୌଣସି ନିୟମ ଆମକୁ ଠିକ୍‌ ଲାଗେନି ଏବଂ ତାହା ମାନିବା ଯୋଗୁଁ ଆମକୁ କଷ୍ଟ ହୁଏ କିମ୍ବା ତାହାକୁ ମାନିଲେ ଆମକୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିପାରେ । ତଥାପି ଆମେ ତାହା ମାନୁ, କାରଣ ଯିହୋବା ଚାହାନ୍ତି ଯେ ଆମେ ସରକାରଗୁଡ଼ିକର କଥା ମାନୁ । ଯଦି ସେମାନେ ଆମକୁ ଏପରି କିଛି କରିବା ପାଇଁ କହିବେ ଯାହା ଯିହୋବାଙ୍କ ନିୟମ ବିରୁଦ୍ଧରେ ଅଛି, ତେବେ କେବଳ ଆମେ ସେମାନଙ୍କ କଥା ମାନିବାନି ।—ପ୍ରେରି. ୫:୨୯.

୧୧-୧୨. ଯୋଷେଫ ଓ ମରୀୟମଙ୍କୁ ସରକାରର ଗୋଟିଏ ନିୟମ ମାନିବା ବହୁତ କଠିନ ଥିଲା, ତଥାପି ସେମାନେ କʼଣ କଲେ ? ଆଉ ତାʼର ପରିଣାମ କʼଣ ହେଲା ? (ଲୂକ ୨:୧-୬) (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୧ ଆମେ ଯୋଷେଫ ଓ ମରୀୟମଙ୍କଠାରୁ ଅନେକ କଥା ଶିଖିପାରିବା । ସେମାନେ ସେସମୟରେ ବି ଉଚ୍ଚ ଅଧିକାରୀଙ୍କ କଥା ମାନିଲେ, ଯେବେ ତାଙ୍କ ପାଇଁ ଏପରି କରିବା କଠିନ ଥିଲା । (ଲୂକ ୨:୧-୬ ପଢ଼ନ୍ତୁ ।) ଏହା ସେସମୟର କଥା ଅଟେ ଯେବେ ମରୀୟମ ନଅ ମାସ ଧରି ଗର୍ଭବତୀ ଥିଲେ । ରୋମୀୟ ସମ୍ରାଟ ଅଗଷ୍ଟ ଗୋଟିଏ ଆଦେଶ ଦେଲେ ଯେ ସମସ୍ତଙ୍କୁ ନିଜ ନାମ ଲେଖାଇବା ପାଇଁ ସେହି ସହର ଯିବାକୁ ପଡ଼ିବ, ଯେଉଁଠି ସେମାନଙ୍କ ଜନ୍ମ ହୋଇଥିଲା । ସରକାରର ଏହି କଥା ମାନିବା ଯୋଷେଫ ଏବଂ ମରୀୟମଙ୍କ ପାଇଁ ବହୁତ କଠିନ ହୋଇଥିବ । କାରଣ ସେମାନଙ୍କୁ ୧୫୦ କିଲୋମିଟର (୯୩ ମାଇଲ) ଦୂର ବେଥଲିହିମରେ ଯାତ୍ରା କରିବାକୁ ପଡ଼ନ୍ତା ଆଉ ତାହା ବି ପାହାଡ଼ିଆ ଅଞ୍ଚଳ ଦେଇ । ଏହି ଯାତ୍ରା ବିଶେଷ କରି ମରୀୟମଙ୍କ ପାଇଁ ବହୁତ କଠିନ ହୁଅନ୍ତା । କାରଣ ସେସମୟରେ ତାଙ୍କୁ ନିଜ ସ୍ୱାସ୍ଥ୍ୟ ଏବଂ ଗର୍ଭରେ ଥିବା ଶିଶୁକୁ ନେଇ ଚିନ୍ତା ହୋଇଥିବ । ହୁଏତ ସେମାନେ ଭାବିଥିବେ ଯେ ଯଦି ରାସ୍ତାରେ ତାଙ୍କୁ ପୀଡ଼ା ଆରମ୍ଭ ହୋଇଯାଏ, ତେବେ ସେମାନେ କʼଣ କରିବେ ? ତାଙ୍କ ଗର୍ଭରେ ଯେଉଁ ଶିଶୁ ଥିଲା, ସେ ଆଗକୁ ଯାଇ ମସୀହ ହୁଅନ୍ତା । କʼଣ ଏସବୁ ଭାବି ସେମାନେ ସରକାରର ନିୟମ ମାନନ୍ତେ ନାହିଁ ?

୧୨ ଯୋଷେଫ ଓ ମରୀୟମଙ୍କ ପରିସ୍ଥିତି ବହୁତ ଖରାପ ଥିଲା, ତଥାପି ସେମାନେ ସରକାରର ନିୟମ ମାନିବାର ନିଷ୍ପତ୍ତି ନେଲେ । ଆଉ ଯିହୋବା ତାଙ୍କ ନିଷ୍ପତ୍ତି ଉପରେ ଆଶିଷ ଦେଲେ । ମରୀୟମ ବେଥଲିହିମ ସୁରକ୍ଷିତ ଭାବେ ପହଞ୍ଚିଗଲେ । ଆଉ ସେ ସେଠାରେ ଗୋଟିଏ ସୁସ୍ଥ ଶିଶୁକୁ ଜନ୍ମ ଦେଲେ । ଏହିପରି ଭାବେ ବାଇବଲର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟତବାଣୀ ବି ପୂରା ହେଲା !—ମୀଖା ୫:୨.

୧୩. ଯେବେ ଆମେ ସରକାରର ନିୟମ ମାନୁ, ତେବେ ଏଥିରୁ କିପରି ଆମ ଭାଇଭଉଣୀଙ୍କୁ ଲାଭ ହୋଇପାରିବ ?

୧୩ ଯେବେ ଆମେ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ କଥା ମାନୁ, ତେବେ ଆମକୁ ବି ଲାଭ ହୁଏ ଏବଂ ଅନ୍ୟମାନଙ୍କୁ ବି । ତାହା କିପରି ? ଗୋଟିଏ କଥା, ଯେବେ ଆମେ ସରକାରର କୌଣସି ନିୟମ ମାନୁ, ତେବେ ଆମକୁ ବିନା କାରଣରେ ଦଣ୍ଡ ମିଳେନି । (ରୋମୀ. ୧୩:୪) ଆଉ ଯେବେ ଆମେ ସରକାରର କୌଣସି ନିୟମ ମାନୁ, ତେବେ ଅଧିକାରୀ ଏହା ଦେଖିପାରନ୍ତି ଯେ ଯିହୋବାଙ୍କ ସାକ୍ଷୀମାନେ ଭଲ ଲୋକ ଅଟନ୍ତି । ଏହାର ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । କିଛି ବର୍ଷ ପୂର୍ବର କଥା ଅଟେ । ନାଇଜେରିଆରେ ଗୋଟେ ସଭା ସମୟରେ କିଛି ସୈନିକମାନେ ଆମ ରାଜ୍ୟଘରେ ପଶି ଆସିଲେ । ସେମାନେ ପ୍ରକୃତରେ ଏପରି ଲୋକମାନଙ୍କୁ ଖୋଜୁଥିଲେ, ଯେଉଁମାନେ ଟ୍ୟାକ୍ସ ଦେବାକୁ ଚାହୁଁ ନ ଥିଲେ ଆଉ ସେଥିପାଇଁ ଦଙ୍ଗା କରୁଥିଲେ । କିନ୍ତୁ ସୈନିକମାନଙ୍କ ଅଫିସର ସେମାନଙ୍କୁ ସେଠାରୁ ଚାଲିଯିବା ପାଇଁ କହିଲେ । ସେ କହିଲେ, “ଯିହୋବାଙ୍କ ସାକ୍ଷୀମାନେ ଏପରି ଲୋକ ନୁହନ୍ତି । ସେମାନେ ସବୁବେଳେ ଟ୍ୟାକ୍ସ ଦିଅନ୍ତି ।” ଯେବେ ବି ଆପଣ ସରକାରର କୌଣସି ନିୟମ ମାନନ୍ତି, ତେବେ ଅଧିକାରୀମାନଙ୍କ ଦୃଷ୍ଟିରେ ଯିହୋବାଙ୍କ ଲୋକମାନଙ୍କ ସମ୍ମାନ ବଢ଼ିଯାଏ । ହୋଇପାରେ ଏହି କାରଣ ଯୋଗୁଁ ଆମ ଲୋକମାନଙ୍କ ସୁରକ୍ଷା ହେବ ।—ମାଥି. ୫:୧୬.

୧୪. ଜଣେ ଭଉଣୀ କେଉଁ କାରଣ ଯୋଗୁଁ ସରକାରୀ ଅଧିକାରୀମାନଙ୍କ “ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ” ରହିପାରିଛନ୍ତି ?

୧୪ ଆଜ୍ଞା ମାନିଲେ ଅନେକ ଲାଭ ହୁଏ, ତଥାପି ହୁଏତ ସରକାରଗୁଡ଼ିକର ନିୟମ ମାନିବା ପାଇଁ ଆମକୁ ସବୁବେଳେ ଇଚ୍ଛା ହୁଏନି । ଆମେରିକାରେ ରହୁଥିବା ଜୋଆନା କହନ୍ତି, “ମୋତେ ଅଧିକାରୀମାନଙ୍କ ଆଜ୍ଞା ମାନିବା ବହୁତ କଠିନ ଲାଗୁଥିଲା । କାରଣ ଅଧିକାରୀମାନେ ମୋର କିଛି ପରିବାର ଲୋକଙ୍କ ସହ ବହୁତ ଅନ୍ୟାୟ କରିଥିଲେ ।” କିନ୍ତୁ ପରେ ଜୋଆନା ଅଧିକାରୀମାନଙ୍କ ପ୍ରତି ନିଜ ଚିନ୍ତାଧାରା ବଦଳାଇବା ପାଇଁ କିଛି ପଦକ୍ଷେପ ନେଲେ । ପ୍ରଥମ, ସେ ସେହି କଥାଗୁଡ଼ିକୁ ପଢ଼ିବା ବନ୍ଦ କରିଦେଲେ, ଯାହାଦ୍ୱାରା ସେ ଅଧିକାରୀମାନଙ୍କ ବିଷୟରେ ଖରାପ କଥା ଭାବନ୍ତେ । (ହିତୋ. ୨୦:୩) ଦ୍ୱିତୀୟ, ସେ ଯିହୋବାଙ୍କ ଉପରେ ଭରସା କରିବା ଏବଂ ସରକାର ବଦଳି ଯାଉ, ଏପରି ଚିନ୍ତାଧାରାଠାରୁ ଦୂରେଇ ରହିବା ପାଇଁ ଯିହୋବାଙ୍କୁ ପ୍ରାର୍ଥନାରେ ସାହାଯ୍ୟ ମାଗିଲେ । (ଗୀତ. ୯:୯, ୧୦) ତୃତୀୟ, ନିଷ୍ପକ୍ଷତା ବିଷୟରେ ଆମ ପ୍ରକାଶନଗୁଡ଼ିକରେ ଥିବା ଲେଖାଗୁଡ଼ିକୁ ସେ ପଢ଼ିଲେ । (ଯୋହ. ୧୭:୧୬) ଏବେ ଜୋଆନା କହନ୍ତି ଯେ ଅଧିକାରୀମାନଙ୍କ ଆଦର କରିବା ଏବଂ ସେମାନଙ୍କ କଥା ମାନିବା ଯୋଗୁଁ ତାଙ୍କୁ “ମନର ଏପରି ଶାନ୍ତି ମିଳିଲା, ଯାହା ଶବ୍ଦରେ କୁହାଯାଇପାରିବନି ।”

ଯିହୋବାଙ୍କ ସଂଗଠନରୁ ମିଳୁଥିବା ପରାମର୍ଶ ମାନନ୍ତୁ

୧୫. ଆମକୁ ଯିହୋବାଙ୍କ ସଂଗଠନରୁ ମିଳୁଥିବା କୌଣସି ପରାମର୍ଶକୁ ମାନିବା କାହିଁକି କଠିନ ଲାଗିପାରେ ?

୧୫ ଯିହୋବା ଆମକୁ କହିଛନ୍ତି ଯେ ଆମେ ମଣ୍ଡଳୀରେ ଯେଉଁମାନେ “ନେତୃତ୍ୱ ନିଅନ୍ତି ସେମାନଙ୍କ ଆଜ୍ଞା ମାନୁ ।” (ଏବ୍ରୀ ୧୩:୧୭, NWT) ଆମ ନେତା ଯୀଶୁ ପରିପୂର୍ଣ୍ଣ ଅଟନ୍ତି, କିନ୍ତୁ ସେ ଯେଉଁ ଲୋକମାନଙ୍କୁ ପୃଥିବୀରେ ନେତୃତ୍ୱ ନେବା ପାଇଁ ବାଛିଛନ୍ତି, ସେମାନେ ଅପରିପୂର୍ଣ୍ଣ ଅଟନ୍ତି । ତେଣୁ ଅନେକଥର ହୁଏତ ଆମକୁ ସେମାନଙ୍କ କଥା ମାନିବା କଠିନ ଲାଗିବ, ବିଶେଷ କରି ସେସମୟରେ ଯେବେ ସେମାନେ ଆମକୁ ଏପରି କିଛି କରିବା ପାଇଁ କହିବେ, ଯାହା ମାନିବା ପାଇଁ ଆମକୁ ଇଚ୍ଛା ନ ଥିବ । ଥରେ ପ୍ରେରିତ ପିତରଙ୍କ ସହ ବି ଏପରି ହିଁ କିଛି ହୋଇଥିଲା । ଜଣେ ସ୍ୱର୍ଗଦୂତ ତାଙ୍କୁ ଏପରି ପଶୁଗୁଡ଼ିକର ମାଂସ ଖାଇବା ପାଇଁ କହିଲେ, ଯାହା ମୋଶାଙ୍କ ନିୟମ ଅନୁସାରେ ଅଶୁଚି ଥିଲା । ସେ କେବେ ବି ଅଶୁଚି ପଶୁଗୁଡ଼ିକର ମାଂସ ଖାଇ ନ ଥିଲେ, ତେଣୁ ତାଙ୍କୁ ଏହି ନିର୍ଦ୍ଦେଶ ମାନିବା କଠିନ ଲାଗୁଥିଲା । ଏହି କାରଣ ଯୋଗୁଁ ପିତର ତିନିଥର ସେଗୁଡ଼ିକୁ ଖାଇବାରୁ ମନା କରିଦେଲେ । (ପ୍ରେରି. ୧୦:୯-୧୬) ପିତରଙ୍କୁ ଯଦି ପରିପୂର୍ଣ୍ଣ ସ୍ୱର୍ଗଦୂତଙ୍କ କଥା ମାନିବା କଠିନ ଲାଗୁଥିଲା, ତେବେ ଏହା ଆଶ୍ଚର୍ଯ୍ୟର କଥା ନୁହେଁ ଯେ ଆମକୁ ଅପରିପୂର୍ଣ୍ଣ ମଣିଷମାନଙ୍କ କଥା ମାନିବା ଆହୁରି କଠିନ ଲାଗିପାରେ ।

୧୬. ପାଉଲଙ୍କୁ ଏପରି କେଉଁ ନିର୍ଦ୍ଦେଶ ଦିଆଗଲା, ଯାହାକୁ ସେ ଅଯଥା ବୋଲି ଭାବିପାରିଥାʼନ୍ତେ ? ତଥାପି ସେ କʼଣ କଲେ ? (ପ୍ରେରିତ ୨୧:୨୩, ୨୪, ୨୬)

୧୬ ଟିକେ ପ୍ରେରିତ ପାଉଲଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଥରେ ତାଙ୍କୁ ଏପରି ପରାମର୍ଶ ଦିଆଗଲା, ଯାହା ତାଙ୍କୁ ଅଯଥା ଲାଗିଥାʼନ୍ତା, ତଥାପି ସେ “ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ” ଥିଲେ । ଯିହୁଦୀ ଖ୍ରୀଷ୍ଟିୟାନମାନେ ପାଉଲଙ୍କ ବିଷୟରେ କିଛି ଓଲଟା ସିଧା କଥା ଶୁଣିଥିଲେ । ସେମାନେ ଶୁଣିଥିଲେ ଯେ ପାଉଲ ଲୋକମାନଙ୍କୁ ‘ମୋଶାଙ୍କ ବ୍ୟବସ୍ଥା ପରିତ୍ୟାଗ କରିବା ନିମନ୍ତେ ଶିକ୍ଷା ଦେଉଛନ୍ତି’ ଏବଂ ଏପରି ଭାବେ ସେ ମୋଶାଙ୍କ ବ୍ୟବସ୍ଥାର ଅନାଦର କରୁଛନ୍ତି । (ପ୍ରେରି. ୨୧:୨୧) ତେବେ ଯିରୂଶାଲମର ଖ୍ରୀଷ୍ଟିୟାନ ମଣ୍ଡଳୀର ବୟସ୍କ ଲୋକମାନେ ପାଉଲଙ୍କୁ ଗୋଟିଏ ନିର୍ଦ୍ଦେଶ ଦେଲେ । ସେମାନେ କହିଲେ ଯେ ସେ ଚାରିଜଣ ଲୋକଙ୍କୁ ଘେନି ମନ୍ଦିରକୁ ଯାʼନ୍ତୁ ଏବଂ ବ୍ୟବସ୍ଥା ଅନୁସାରେ ନିଜକୁ ଶୁଚି କରନ୍ତୁ, ଯାହାଦ୍ୱାରା ସମସ୍ତେ ଜାଣିବେ ଯେ ସେ ବ୍ୟବସ୍ଥା ପାଳନ କରନ୍ତି । କିନ୍ତୁ ପାଉଲ ଜାଣିଥିଲେ ଯେ ଖ୍ରୀଷ୍ଟିୟାନମାନେ ଏବେ ମୋଶାଙ୍କ ବ୍ୟବସ୍ଥାର ଅଧିନରେ ନାହାନ୍ତି ଏବଂ ସେ କିଛି ଭୁଲ କରୁ ନାହାନ୍ତି । ତଥାପି ପାଉଲ ବିନା ସଙ୍କୋଚରେ ଭାଇମାନଙ୍କ ପରାମର୍ଶ ମାନିଲେ । ‘ପାଉଲ ସେହି ଲୋକମାନଙ୍କୁ ଘେନି ପରଦିନ ବ୍ୟବସ୍ଥା ଅନୁସାରେ ଆପଣାକୁ ଶୁଚି କଲେ ।’ (ପ୍ରେରିତ ୨୧:୨୩, ୨୪, ୨୬ ପଢ଼ନ୍ତୁ ।) ପାଉଲଙ୍କ ଆଜ୍ଞା ମାନିବା ଯୋଗୁଁ ଭାଇମାନଙ୍କ ମଧ୍ୟରେ ଏକତା ବଜାୟ ରହିଲା ।—ରୋମୀ. ୧୪:୧୯, ୨୧.

୧୭. ଭଉଣୀ ଷ୍ଟେଫ୍‌ନୀଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?

୧୭ ଏବେ ଆସନ୍ତୁ ଧ୍ୟାନ ଦେବା ଯେ ଭଉଣୀ ଷ୍ଟେଫ୍‌ନୀଙ୍କ ସହ କʼଣ ହେଲା । ସେ ଓ ତାଙ୍କ ସ୍ୱାମୀ ଅନ୍ୟ ଭାଷା କହୁଥିବା ଗୋଟିଏ ସମୂହରେ ସେବା କରୁଥିଲେ ଏବଂ ସେ ଦୁହେଁ ବହୁତ ଖୁସି ଥିଲେ । କିନ୍ତୁ ପରେ ହଠାତ୍‌ ତାଙ୍କ ଦେଶର ଶାଖା କାର୍ଯ୍ୟାଳୟ ନିଷ୍ପତ୍ତି ନେଲା ଯେ ସେହି ସମୂହକୁ ବନ୍ଦ କରିଦିଆଯିବ । ଆଉ ତାଙ୍କୁ କୁହାଗଲା ଯେ ସେମାନେ ପୁଣିଥରେ ନିଜ ଭାଷାର ମଣ୍ଡଳୀରେ ସେବା କରନ୍ତୁ । ଭଉଣୀ ଷ୍ଟେଫ୍‌ନୀ କହନ୍ତି ଯେ ସେମାନଙ୍କୁ ଏହି ନିଷ୍ପତ୍ତି ମାନିବା କଠିନ ଲାଗୁଥିଲା । ସେ କହନ୍ତି, “ମୁଁ ବହୁତ ଦୁଃଖି ହୋଇଗଲି । ମୋତେ ଏପରି ଲାଗୁ ହିଁ ନ ଥିଲା ଯେ ଆମ ଭାଷାର ମଣ୍ଡଳୀରେ ଅଧିକ ଆବଶ୍ୟକ ଅଛି ।” ତଥାପି ସେମାନେ ଭାଇମାନଙ୍କ ପରାମର୍ଶ ମାନିବା ପାଇଁ ନିଷ୍ପତ୍ତି ନେଲେ । ସେ କହନ୍ତି, ‘ଆଗକୁ ଯାଇ ମୁଁ ଦେଖିପାରିଲି ଯେ ସେମାନଙ୍କ ଏହି ନିଷ୍ପତ୍ତି ସଠିକ୍‌ ଥିଲା । ଆମେ ନିଜ ନୂଆ ମଣ୍ଡଳୀରେ ବହୁତ କିଛି କରିପାରୁଛୁ । ଆମେ ଏପରି ଅନେକ ଭାଇଭଉଣୀମାନଙ୍କ ପାଇଁ ବାପାମାଆ ଭଳି ହୋଇଯାଇଛୁ, ଯେଉଁମାନେ ସତ୍ୟରେ ଏକୁଟିଆ ଅଛନ୍ତି । ଆଉ ଏବେ ମୁଁ ଗୋଟିଏ ଏପରି ଭଉଣୀଙ୍କ ସହ ବାଇବଲ ଅଧ୍ୟୟନ କରୁଛି, ଯିଏ କିଛି ସମୟ ଆଗରୁ ହିଁ ପୁଣିଥରେ ସଭା ଏବଂ ପ୍ରଚାରରେ ଯିବା ଆରମ୍ଭ କରିଛନ୍ତି । ଏବେ ମୋ ପାଖରେ ବ୍ୟକ୍ତିଗତ ଅଧ୍ୟୟନ କରିବା ପାଇଁ ମଧ୍ୟ ବହୁତ ସମୟ ଥାଏ । ଆଉ ମୋ ବିବେକ ମଧ୍ୟ ଶୁଦ୍ଧ ଅଛି, କାରଣ ମୁଁ ଭାଇମାନଙ୍କ କଥା ମାନିବା ପାଇଁ ଚେଷ୍ଟା କଲି ।’

୧୮. ଆଜ୍ଞା ମାନିବା ଦ୍ୱାରା ଆମକୁ କʼଣ କʼଣ ଲାଭ ହୁଏ ?

୧୮ ଆମେ ଆଜ୍ଞା ମାନିବା ଶିଖିପାରିବା । ବାଇବଲରେ କୁହାଯାଇଛି ଯେ ଯୀଶୁ ମଧ୍ୟ “ଆଜ୍ଞାବହତା ଶିକ୍ଷା କଲେ ।” ଆଉ ସେ ଏପରି ଭଲ ପରିସ୍ଥିତିରେ ନୁହେଁ, ବରଂ “ଦୁଃଖଭୋଗ” କରି ଶିଖିଲେ । (ଏବ୍ରୀ ୫:୮) ଯୀଶୁଙ୍କ ଭଳି ଆମେ ବି ପ୍ରାୟ କଠିନ ପରିସ୍ଥିତିରେ ଆଜ୍ଞା ମାନିବା ଶିଖୁ । ଯେପରି ଆପଣଙ୍କୁ ମନେଥିବ, ଯେବେ କୋଭିଡ୍‌-୧୯ ମହାମାରୀ ଆରମ୍ଭ ହୋଇଥିଲା, ତେବେ ଆମକୁ କୁହାଯାଇଥିଲା ଯେ ଆମେ ସଭା ପାଇଁ ରାଜ୍ୟଘରେ ଏକାଠି ହେବାନି ଏବଂ କିଛି ସମୟ ପାଇଁ ଘର ଘର ପ୍ରଚାର କରିବାନି । କʼଣ ଆପଣଙ୍କୁ ଏହି ଆଜ୍ଞା ମାନିବା କଠିନ ଲାଗିଥିଲା ? ହୋଇପାରେ, ଆପଣଙ୍କୁ କଠିନ ଲାଗିଥିବ, ତଥାପି ଆପଣ ଆଜ୍ଞା ମାନିଲେ । ତାʼଯୋଗୁଁ ଆପଣଙ୍କ ସୁରକ୍ଷା ହେଲା, ମଣ୍ଡଳୀରେ ଏକତା ବଜାୟ ରହିଲା ଏବଂ ଆପଣ ଯିହୋବାଙ୍କ ହୃଦୟ ଖୁସି କଲେ । ସେସମୟରେ ଆମେ ସମସ୍ତେ ଆଜ୍ଞା ମାନିଲୁ, ତେଣୁ ଆମ ପାଇଁ ଆଗ ଅପେକ୍ଷା ଏବେ ଆଜ୍ଞା ମାନିବା ଟିକେ ସହଜ ହୋଇଯାଇଛି । ମହାକ୍ଳେଶରେ ଆମକୁ ଯାହା ବି ଆଜ୍ଞା ଦିଆଯାଉ ନା କାହିଁକି, ଆମେ ତାହା ମାନିପାରିବା । ହୋଇପାରେ, ତାହା ମାନିବା ଯୋଗୁଁ ଆମର ଜୀବନ ବଞ୍ଚିଯିବ ।—ଆୟୁ. ୩୬:୧୧.

୧୯. ଆପଣ କାହିଁକି ଆଜ୍ଞା ମାନିବା ପାଇଁ ପ୍ରସ୍ତୁତ ରହିବାକୁ ଚାହାନ୍ତି ?

୧୯ ଏହି ଲେଖାରୁ ଆମେ ଜାଣିଲୁ ଯେ ଆଜ୍ଞା ମାନିବା ଦ୍ୱାରା ଅନେକ ଆଶିଷ ମିଳେ । କିନ୍ତୁ ଆମେ ଯିହୋବାଙ୍କ ଆଜ୍ଞା ବିଶେଷ କରି ଏଥିପାଇଁ ମାନୁ, କାରଣ ଆମେ ତାଙ୍କୁ ପ୍ରେମ କରୁ ଏବଂ ତାଙ୍କୁ ଖୁସି କରିବା ପାଇଁ ଚାହୁଁ । (୧ ଯୋହ. ୫:୩) ଯିହୋବା ଆମ ପାଇଁ ଯାହା ବି କରିଛନ୍ତି, ତାʼ ପରିବର୍ତ୍ତେ ଆମେ ତାଙ୍କୁ କେବେ ବି ପ୍ରତିଦାନ ଦେଇପାରିବାନି । (ଗୀତ. ୧୧୬:୧୨) କିନ୍ତୁ ଆମେ ଗୋଟେ କାମ ନିଶ୍ଚୟ କରିପାରିବା, ଆମେ ତାଙ୍କ ଏବଂ ସେ ଯାହାକୁ ଆମ ଉପରେ ଅଧିକାର ଦେଇଛନ୍ତି, ସେମାନଙ୍କ ଆଜ୍ଞା ମାନିପାରିବା । ଯଦି ଆମେ ଆଜ୍ଞା ମାନିବା, ତେବେ ସେଥିରୁ ଜଣାପଡ଼ିବ ଯେ ଆମେ ବୁଦ୍ଧିମାନ ଅଟୁ । ଆଉ ଯେଉଁମାନେ ବୁଦ୍ଧିମାନ ଥାʼନ୍ତି, ସେମାନେ ଯିହୋବାଙ୍କ ହୃଦୟ ଖୁସି କରନ୍ତି ।—ହିତୋ. ୨୭:୧୧.

କେଉଁ କଥା ମନେରଖିଲେ . . .

  • ଯୁବାମାନେ ନିଜ ବାପାମାଆଙ୍କ ଆଜ୍ଞା ମାନିପାରିବେ ?

  • ଆମେ “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” କଥା ମାନିପାରିବା ?

  • ଆମେ ଯିହୋବାଙ୍କ ସଂଗଠନରେ ମିଳୁଥିବା ପରାମର୍ଶଗୁଡ଼ିକୁ ମାନିପାରିବା ?

ଗୀତ ୮୯ ସୁନ୍‌ କେ ଅମଲ୍‌ କରେଁ

a ଆମେ ସମସ୍ତେ ଅପରିପୂର୍ଣ୍ଣ ଅଟୁ, ତେଣୁ ଅନେକଥର ଆମକୁ ଅନ୍ୟମାନଙ୍କ ଆଜ୍ଞା ମାନିବା କଠିନ ଲାଗେ, ଏପରି କରିବା ଆମକୁ ସେସମୟରେ ବି କଠିନ ଲାଗେ ଯେବେ ଆମକୁ ଜଣାଥାଏ ଯେ ଯିଏ ଆମକୁ ଆଜ୍ଞା ଦେଉଛନ୍ତି, ତାଙ୍କୁ ଏପରି କରିବାର ଅଧିକାର ଅଛି । ଏହି ଲେଖାରେ ବୁଝାଇଦିଆଯିବ ଯେ ଯେବେ ଆମେ ନିଜ ବାପାମାଆଙ୍କ, “ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ” ଏବଂ ଖ୍ରୀଷ୍ଟୀୟ ମଣ୍ଡଳୀରେ ନେତୃତ୍ୱ ନେଉଥିବା ଭାଇମାନଙ୍କ କଥା ମାନୁ, ତେବେ ଆମକୁ କେଉଁ ଲାଭଗୁଡ଼ିକ ହୁଏ ।

b ଯଦି ଆପଣଙ୍କୁ ନିଜ ବାପାମାଆଙ୍କ ଦେଇଥିବା ନିୟମ ମାନିବା କଠିନ ଲାଗେ, ତେବେ ଆପଣ jw.org ୱେବସାଇଟ୍‌ରେ ଦିଆଯାଇଥିବା ଲେଖା, “ମମ୍ମି-ପାପା ସେ ଉନ୍‌କେ ନିୟମୋଁ କେ ବାରେ ମେ କୈଶେ ବାତ୍‌ କରୁ?” ପଢ଼ିପାରିବେ । ଏଥିରେ ଅନେକ ବଢ଼ିଆ ପରାମର୍ଶ ଦିଆଯାଇଛି, ଯାହା ଆପଣଙ୍କ କାମରେ ଆସିପାରିବ ।

c ଚିତ୍ର ବିଷୟରେ: ଯୋଷେଫ ଏବଂ ମରୀୟମ ରାଜାଙ୍କ ଆଜ୍ଞା ମାନି ନିଜ ନାମ ଲେଖାଇବା ପାଇଁ ବେଥଲିହିମ ଗଲେ । ଆଜି ଖ୍ରୀଷ୍ଟିୟାନମାନେ ସରକାରୀ ଅଧିକାରୀମାନଙ୍କ ଆଜ୍ଞା ମାନି ଟ୍ରାଫିକ୍‌ର ନିୟମ ପାଳନ କରନ୍ତି, ଟ୍ୟାକ୍ସ ଦିଅନ୍ତି ଏବଂ ସ୍ୱାସ୍ଥ୍ୟ ସହ ଜଡ଼ିତ ମାମଲାଗୁଡ଼ିକରେ ସରକାରର ନିର୍ଦ୍ଦେଶଗୁଡ଼ିକୁ ମାନନ୍ତି ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ