ଅଧ୍ୟୟନ ଲେଖା ୪୭
ଗୀତ ୩୮ ସେ ତୁମକୁ ଶକ୍ତିଶାଳୀ କରିବେ
ଆପଣ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ !
‘ତୁମ୍ଭେ ଈଶ୍ୱରଙ୍କ ଅତ୍ୟନ୍ତ ପ୍ରିୟପାତ୍ର [“ବହୁମୂଲ୍ୟ,” NWT] ।’—ଦାନି. ୯:୨୩.
କʼଣ ଶିଖିବା ?
ଯେଉଁମାନେ ନିଜକୁ ବେକାର ବୋଲି ମନେ କରନ୍ତି, ସେମାନଙ୍କୁ ଏହି ଲେଖାରୁ ଏହା ବୁଝିବା ପାଇଁ ସାହାଯ୍ୟ ମିଳିବ ଯେ ସେମାନେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ।
୧-୨. ଆମେ ନିଜକୁ କିପରି ଭରସା ଦେଇପାରିବା ଯେ ଆମେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ?
ଯିହୋବା ନିଜ ସେବକମାନଙ୍କୁ ବହୁତ ପ୍ରେମ କରନ୍ତି । କିନ୍ତୁ ଦୁଃଖର କଥା ଯେ ତାଙ୍କର କିଛି ସେବକ ଏପରି ଭାବନ୍ତି ଯେ ସେମାନେ ବହୁତ ବେକାର ଅଟନ୍ତି । ସେମାନେ ଏଥିପାଇଁ ଏପରି ଭାବନ୍ତି କାରଣ ହୁଏତ କିଛି ଲୋକ ସେମାନଙ୍କ ସହିତ ଖରାପ ବ୍ୟବହାର କରିଛନ୍ତି କିମ୍ବା ସେମାନଙ୍କର ଅପମାନ କରିଛନ୍ତି । କʼଣ ଆପଣ ବି ନିଜ ବିଷୟରେ ଏପରି ହିଁ ଭାବନ୍ତି ? ହେଲେ ଆପଣ ନିଜକୁ କିପରି ଭରସା ଦେଇପାରିବେ ଯେ ଆପଣ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ?
୨ ଯିହୋବା ବାଇବଲରେ ଏପରି କିଛି ଘଟଣା ଲେଖାଇଛନ୍ତି, ଯେଉଁଥିରୁ ଜଣାପଡ଼େ ଯେ ସେ ଲୋକମାନଙ୍କୁ କେଉଁ ଦୃଷ୍ଟିରେ ଦେଖନ୍ତି । ଆପଣ ସେହି ଘଟଣାଗୁଡ଼ିକୁ ପଢ଼ିପାରିବେ ଏବଂ ତାʼଉପରେ ଗଭୀର ଭାବେ ଚିନ୍ତନ କରିପାରିବେ । ଯିହୋବାଙ୍କ ପୁତ୍ର ଯୀଶୁ ମଧ୍ୟ ସବୁବେଳେ ଲୋକମାନଙ୍କ ସହିତ ପ୍ରେମ ଓ ଆଦରର ସହିତ ବ୍ୟବହାର କଲେ । ଏପରି କରି ସେ ଦେଖାଇଲେ ଯେ ଯେଉଁମାନେ ନିଜକୁ ବହୁତ ବେକାର ଭାବନ୍ତି, ସେମାନେ ତାଙ୍କ ଏବଂ ତାଙ୍କ ପିତାଙ୍କ ଦୃଷ୍ଟିରେ ବହୁମୂଲ୍ୟ । (ଯୋହ. ୫:୧୯; ଏବ୍ରୀ ୧:୩) ଏହି ଲେଖାରେ ଆମେ ଜାଣିବା ଯେ (୧) ଯୀଶୁ କିପରି ଲୋକମାନଙ୍କୁ ଏହା ଭରସା ଦେଲେ ଯେ ସେମାନେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଏବଂ (୨) ଆମେ କିପରି ନିଜକୁ ଭରସା ଦେଇପାରିବା ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ।—ହାଗ. ୨:୭.
ଯୀଶୁ ଲୋକମାନଙ୍କୁ କିପରି ଭରସା ଦେଲେ ଯେ ସେମାନେ ବହୁମୂଲ୍ୟ ?
୩. ଯୀଶୁ ଗାଲିଲୀର ଲୋକମାନଙ୍କ ସହିତ କିପରି ବ୍ୟବହାର କଲେ ?
୩ ଯେବେ ଯୀଶୁ ତୃତୀୟ ଥର ଗାଲିଲୀରେ ପ୍ରଚାର କରିବା ପାଇଁ ଗଲେ, ତେବେ ଅନେକ ଲୋକ ତାଙ୍କ କଥା ଶୁଣିବା ପାଇଁ ଏବଂ ସୁସ୍ଥ ହେବା ପାଇଁ ତାଙ୍କ ପାଖକୁ ଆସିଲା । ଯୀଶୁ ସେହି ଲୋକମାନଙ୍କ ବିଷୟରେ କହିଲେ, “ସେମାନେ ଅରକ୍ଷକ ମେଷ ପରି ଦୁର୍ଦ୍ଦଶାଗ୍ରସ୍ତ ଓ ଛିନ୍ନଭିନ୍ନ ଥିଲେ ।” (ମାଥି. ୯:୩୬) ସେହି ସମୟର ଧର୍ମଗୁରୁମାନେ ଏପରି ଲୋକମାନଙ୍କୁ ତୁଚ୍ଛ ମନେ କରୁଥିଲେ ଏବଂ ସେମାନଙ୍କୁ “ଶାପଗ୍ରସ୍ତ” କହୁଥିଲେ । (ଯୋହ. ୭: ୪୭-୪୯) କିନ୍ତୁ ଯୀଶୁ ସେମାନଙ୍କର ବହୁତ ଆଦର କରୁଥିଲେ । ସେ ସେମାନଙ୍କ ପାଇଁ ସମୟ ବାହାର କରୁଥିଲେ, ସେମାନଙ୍କୁ ଶିଖାଉ ଥିଲେ ଏବଂ ସେମାନଙ୍କ ରୋଗଗୁଡ଼ିକୁ ଦୂର କରି ଦେଉଥିଲେ । (ମାଥି. ୯:୩୫) ସେ ଅଧିକରୁ ଅଧିକ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଥିଲେ, ସେଥିପାଇଁ ସେ ନିଜ ପ୍ରେରିତମାନଙ୍କୁ ବି ପ୍ରଚାର କରିବା ପାଇଁ ଶିଖାଇଲେ ଏବଂ ସେମାନଙ୍କୁ ଲୋକମାନଙ୍କ ରୋଗଗୁଡ଼ିକୁ ଓ ଶରୀରର ଦୁର୍ବଳତାଗୁଡ଼ିକୁ ଦୂର କରିବାର ଅଧିକାର ମଧ୍ୟ ଦେଲେ ।—ମାଥି. ୧୦: ୫-୮.
୪. ଯୀଶୁ ସାଧାରଣ ଲୋକମାନଙ୍କ ସହିତ ଯେପରି ବ୍ୟବହାର କଲେ, ସେଥିରୁ ଆମେ କʼଣ ଶିଖୁ ?
୪ ଯେଉଁମାନେ ଯୀଶୁଙ୍କ କଥା ଶୁଣିବା ପାଇଁ ଆସିଥିଲେ ସେମାନଙ୍କ ସହିତ ସେ ପ୍ରେମ ଓ ଆଦରର ସହିତ ବ୍ୟବହାର କଲେ । ଏପରି କରି ଯୀଶୁ ଦେଖାଇଲେ ଯେ ସେ ଓ ତାଙ୍କ ପିତା ସେହି ଲୋକମାନଙ୍କୁ ବହୁମୂଲ୍ୟ ଭାବନ୍ତି, ଯେଉଁମାନଙ୍କୁ ସମାଜ ନୀଚ ଦୃଷ୍ଟିରେ ଦେଖେ । କʼଣ ଆପଣ ଜଣେ ଯିହୋବାଙ୍କ ସେବକ ଏବଂ ଆପଣଙ୍କୁ ଲାଗେ ଯେ ଆପଣଙ୍କ କୌଣସି ମହତ୍ତ୍ୱ ନାହିଁ । ଯଦି ଆପଣ ନିଜ ବିଷୟରେ ଏପରି ଭାବନ୍ତି, ତାହେଲେ ଏବିଷୟରେ ଚିନ୍ତନ କରନ୍ତୁ ଯେ ଯୀଶୁ ସେହି ସାଧାରଣ ଲୋକମାନଙ୍କ ସହିତ କିପରି ବ୍ୟବହାର କଲେ ଯେଉଁମାନେ ତାଙ୍କ ପାଖକୁ ଆସୁଥିଲେ । ଯଦି ଆପଣ ଏବିଷୟରେ ଚିନ୍ତନ କରିବେ, ତାହେଲେ ଆପଣଙ୍କୁ ଭରସା ହୋଇଯିବ ଯେ ଆପଣ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ।
୫. ଯୀଶୁ ଗାଲିଲୀରେ ଯେଉଁ ସ୍ତ୍ରୀଙ୍କୁ ଭେଟିଲେ, ତାଙ୍କ ବିଷୟରେ ଆମେ କʼଣ ଜାଣିଛୁ ?
୫ ଯୀଶୁ ଲୋକମାନଙ୍କୁ ଶିଖାଇବା ସହିତ ପ୍ରତ୍ୟେକ ଲୋକଙ୍କ ଚିନ୍ତା ମଧ୍ୟ କରୁଥିଲେ । ଯେପରି, ଯେବେ ସେ ଗାଲିଲୀରେ ପ୍ରଚାର କରୁଥିଲେ, ତେବେ ତାଙ୍କ ପାଖକୁ ଜଣେ ସ୍ତ୍ରୀ ଆସିଲେ ଯାହାଙ୍କର ୧୨ ବର୍ଷରୁ ରକ୍ତସ୍ରାବ ହେଉଥିଲା । (ମାର୍କ ୫:୨୫) ନିଜ ପରିସ୍ଥିତି ଯୋଗୁଁ ସେ ଅଶୁଦ୍ଧ ଥିଲେ ଏବଂ ଯଦି କେହି ତାଙ୍କୁ ସ୍ପର୍ଶ କରୁଥିଲେ, ତାହେଲେ ସେ ବି ଅଶୁଦ୍ଧ ହୋଇ ଯାଉଥିଲେ । ତେଣୁ ସେ ଲୋକମାନଙ୍କ ସହିତ ମିଳାମିଶା କରିପାରୁ ନ ଥିଲେ ଏବଂ ଏକୁଟିଆ ରହୁଥିଲେ । ତାʼସହିତ ସେ ଉପାସନା ପାଇଁ ସଭା ଘରକୁ ଯାଇପାରୁ ନ ଥିଲେ ଏବଂ ଲୋକମାନଙ୍କ ସହିତ ମିଶି ପର୍ବ ପାଳନ କରିପାରୁ ନ ଥିଲେ । (ଲେବୀ. ୧୫:୧୯, ୨୫) ସେ ନିଜ ରୋଗ ଯୋଗୁଁ କେବଳ କଷ୍ଟରେ ନ ଥିଲେ, ବରଂ ସେ ପୂରାପୂରି ଭାଙ୍ଗି ପଡ଼ିଥିଲେ ।—ମାର୍କ ୫:୨୬.
୬. ଯେଉଁ ସ୍ତ୍ରୀଙ୍କୁ ବାର ବର୍ଷରୁ ରକ୍ତସ୍ରାବ ହେଉଥିଲା, ସେ କିପରି ସୁସ୍ଥ ହେଲେ ?
୬ ଦୁଃଖିତ ଥିବା ସେହି ସ୍ତ୍ରୀ ଚାହୁଁଥିଲେ ଯେ ଯୀଶୁ ତାଙ୍କ କଷ୍ଟକୁ ଦୂର କରନ୍ତୁ, କିନ୍ତୁ ସେ ସିଧା ଯୀଶୁଙ୍କ ପାଖକୁ ସାହାଯ୍ୟ ମାଗିବା ପାଇଁ ଗଲେ ନାହିଁ । ତାହା କାହିଁକି ? କାରଣ ହୁଏତ ସେ ଏହା ଭାବି ଡରୁଥିବେ ଯେ ଯଦି ସେ ଅଶୁଦ୍ଧ ଅବସ୍ଥାରେ ଭିଡ଼ ମଧ୍ୟକୁ ଯିବେ, ତାହେଲେ ଯୀଶୁ ତାଙ୍କୁ ରାଗିକି ସେଠାରୁ ପଳାଇଯିବା ପାଇଁ କହିବେ । କିମ୍ବା ଏହି ପରିସ୍ଥିତି ଯୋଗୁଁ ତାଙ୍କୁ ଲଜ୍ଜା ଲାଗୁଥିଲା, ସେଥିପାଇଁ ସେ ସିଧା ଯୀଶୁଙ୍କ ସାମନାରେ ନ ଯାଇ କେବଳ ତାଙ୍କର ଲୁଗାକୁ ଛୁଇଁଲେ । ତାଙ୍କୁ ପୂରା ବିଶ୍ୱାସ ଥିଲା ଯେ ଯଦି ସେ ଏପରି କରିବେ, ତାହେଲେ ବି ସେ ପୂରାପୂରି ଠିକ୍ ହୋଇଯିବେ । (ମାର୍କ ୫:୨୭, ୨୮) ଆଉ ଠିକ୍ ଏପରି ହିଁ ହେଲା । ସେ ସୁସ୍ଥ ହୋଇଗଲେ । ଯେବେ ଯୀଶୁଙ୍କୁ ଏହି କଥା ଜଣାପଡ଼ିଲା, ତେବେ ସେ ପଚାରିଲେ ଯେ କିଏ ମୋତେ ଛୁଇଁଲା । ସେସମୟରେ ସେହି ସ୍ତ୍ରୀ ସମସ୍ତଙ୍କ ସାମନାରେ କହିଲେ ଯେ ସେ ଯୀଶୁଙ୍କୁ ଛୁଇଁଲେ । ଏହା ଶୁଣି ଯୀଶୁ ତାଙ୍କ ସହିତ କିପରି ବ୍ୟବହାର କଲେ ?
୭. ଯୀଶୁ ସେହି ଦୁଃଖିତ ସ୍ତ୍ରୀଙ୍କ ସହ କିପରି ବ୍ୟବହାର କଲେ ? (ମାର୍କ ୫:୩୪)
୭ ଯୀଶୁ ସେହି ସ୍ତ୍ରୀଙ୍କ ସହିତ ପ୍ରେମ ଓ ଆଦରର ସହ ବ୍ୟବହାର କଲେ । ସେ ଦେଖିଲେ ଯେ ସେ ‘ଭୟରେ ଥରୁଛନ୍ତି ।’ (ମାର୍କ ୫:୩୩) ସେଥିପାଇଁ ସେ ତାଙ୍କ ସହିତ ଅତି ପ୍ରେମରେ କଥା ହେଲେ ଓ ତାଙ୍କର ସାହସ ବଢ଼ାଇଲେ । ସେ ତାଙ୍କୁ “ବତ୍ସେ” ବା ଝିଅ ବୋଲି କହିଲେ । ଏପରି କହି ଯୀଶୁ କେବଳ ତାଙ୍କୁ ଆଦର ଦେଖାଇଲେ ନାହିଁ, ବରଂ ତାଙ୍କୁ ପ୍ରେମ ବି ଦେଖାଇଲେ । (ମାର୍କ ୫:୩୪ ପଢ଼ନ୍ତୁ ।) ବାଇବଲରେ ଏଠାରେ ପ୍ରଥମ ଥର ଯୀଶୁ କୌଣସି ସ୍ତ୍ରୀଙ୍କୁ ଝିଅ ବୋଲି କହିଲେ । ସେ ହୁଏତ ତାଙ୍କୁ ଭୟରେ ଦେଖି ଏପରି କହିଲେ । କʼଣ ଆପଣ ଭାବି ପାରୁଛନ୍ତି ଯେ ଯୀଶୁଙ୍କ ଏହି କଥା ଶୁଣି ସେହି ସ୍ତ୍ରୀଙ୍କୁ କେତେ ସାନ୍ତ୍ୱନା ମିଳିଥିବ ? ଯଦି ଯୀଶୁ ତାଙ୍କୁ ସାନ୍ତ୍ୱନା ଦେଇ ନ ଥାʼନ୍ତେ, ତାହେଲେ ବି ସେ ସୁସ୍ଥ ହୋଇଯାʼନ୍ତେ । ହୁଏତ ସେହି ସ୍ତ୍ରୀ ସବୁବେଳେ ନିଜକୁ ଦୋଷୀ ମନେ କରିବେ, କାରଣ ସେ ଅଶୁଦ୍ଧ ଅବସ୍ଥାରେ ଯୀଶୁଙ୍କୁ ଛୁଇଁଥିଲେ । ସେଥିପାଇଁ ସେହି ସ୍ତ୍ରୀ ସୁସ୍ଥ ହେବା ପରେ ଯୀଶୁ ତାଙ୍କୁ ଭରସା ଦେଲେ ଯେ ସେ ଯିହୋବାଙ୍କ ଅତି ପ୍ରିୟ ଝିଅ ଅଟନ୍ତି ।
୮. ବ୍ରାଜିଲର ଭଉଣୀ ମାରିଆଙ୍କୁ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିଲା ?
୮ ଆଜି ଯଦି ଦେଖିବା, ଈଶ୍ୱରଙ୍କ ସେବକମାନେ ବି ଅନେକ ରୋଗରେ ପୀଡ଼ିତ । ସେଥିପାଇଁ ସେମାନେ ନିଜକୁ ବେକାର ବୋଲି ଭାବନ୍ତି । ବ୍ରାଜିଲର ଭଉଣୀ ମାରିଆଙ୍କa ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଅଗ୍ରଦୂତ ସେବା କରୁଛନ୍ତି । ଜନ୍ମରୁ ତାଙ୍କର ଗୋଡ଼ ଓ ବାମ ହାତ ନ ଥିଲା । ସେ କହନ୍ତି, “ସ୍କୁଲରେ ପିଲାମାନେ ସବୁବେଳେ ମୋତେ ହଇରାଣ କରୁଥିଲେ ଏବଂ ଅଲଗା ଅଲଗା ନାମରେ ଡାକି ମୋର ମଜାକ ଉଡ଼ାଉ ଥିଲେ । ମୋ ପରିବାର ଲୋକେ ବି ମୋତେ ନୀଚ ଦୃଷ୍ଟିରେ ଦେଖୁଥିଲେ ।”
୯. ମାରିଆଙ୍କୁ କିପରି ନିଜକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିବା ପାଇଁ ସାହାଯ୍ୟ ମିଳିଲା ?
୯ ମାରିଆଙ୍କୁ କେଉଁ କଥାରୁ ସାହାଯ୍ୟ ମିଳିଲା ? ଯେବେ ସେ ଯିହୋବାଙ୍କ ସାକ୍ଷୀ ହେଲେ, ତେବେ ଭାଇଭଉଣୀମାନେ ତାଙ୍କୁ ସାନ୍ତ୍ୱନା ଦେଲେ ଏବଂ ନିଜକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିବା ପାଇଁ ତାଙ୍କୁ ସାହାଯ୍ୟ କଲେ । ସେ କହନ୍ତି, “ମୁଁ କହିପାରିବି ନାହିଁ ଯେ କେତେଜଣ ଭାଇଭଉଣୀମାନେ ମୋତେ ସାହାଯ୍ୟ କଲେ । ଯଦି ମୁଁ ସେ ସମସ୍ତଙ୍କର ନାମ ଗୋଟିଏ ଖାତାରେ ଲେଖିବି, ତାହେଲେ ଖାତାରେ ଜାଗା ବି ହେବନି । ମୁଁ ଯିହୋବାଙ୍କର ବହୁତ କୃତଜ୍ଞ ଯେ ସେ ମୋତେ ଏତେ ଭଲ ପରିବାର ଦେଲେ, ଯେଉଁଠି ଏତେ ଭଲ ଭାଇଭଉଣୀମାନେ ଅଛନ୍ତି ।” ସେହି ଭାଇଭଉଣୀମାନେ ମାରିଆଙ୍କୁ ଭରସା ଦେଲେ ଯେ ସେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ।
୧୦. ମରୀୟମ ମଗ୍ଦଲିନୀଙ୍କ ଅବସ୍ଥା କିପରି ଥିଲା ଏବଂ ଏହା ଯୋଗୁଁ ତାଙ୍କୁ କିପରି ଲାଗୁଥିଲା ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୦ ଆସନ୍ତୁ ଆଉ ଜଣେ ସ୍ତ୍ରୀଙ୍କ ଉଦାହରଣ ଉପରେ ଧ୍ୟାନ ଦେବା, ଯାହାଙ୍କୁ ଯୀଶୁ ସୁସ୍ଥ କରିଥିଲେ । ସେ ହେଉଛନ୍ତି, ମରୀୟମ ମଗ୍ଦଲିନୀ । ତାଙ୍କ ଭିତରେ ସାତଟି ଦୁଷ୍ଟ ସ୍ୱର୍ଗଦୂତ ପଶି ଯାଇଥିଲା ! (ଲୂକ ୮:୨) ଏହି କାରଣରୁ ସେ ଅଜବ ବ୍ୟବହାର କରୁଥିଲେ ଏବଂ ଲୋକମାନେ ବି ତାଙ୍କଠାରୁ ଦୂରେଇ ରହୁଥିଲେ । ଭାବନ୍ତୁ, ତାଙ୍କର ଏହି ଅବସ୍ଥା ଯୋଗୁଁ ସେ କେତେ ଅସହାୟ ଓ ଏକୁଟିଆ ମନେ କରୁଥିବେ ! ଯେବେ ଲୋକମାନେ ତାଙ୍କୁ ଅପମାନ କରୁଥିବେ, ତେବେ ତାଙ୍କୁ କେତେ ଖରାପ ଲାଗୁଥିବ । ଏପରି ଜଣାପଡ଼େ ଯେ ଯୀଶୁ ହିଁ ମରୀୟମଙ୍କ ଭିତରୁ ଦୁଷ୍ଟ ସ୍ୱର୍ଗଦୂତଙ୍କୁ କାଢ଼ିଥିଲେ ଏବଂ ଏହାପରେ ମରୀୟମ ତାଙ୍କର ଶିଷ୍ୟ ହେଲେ । ଯୀଶୁ ଆଉ କେଉଁ ଉପାୟରେ ମରୀୟମଙ୍କୁ ଭରସା ଦେଲେ ଯେ ସେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ?
ଯୀଶୁ ମରୀୟମ ମଗ୍ଦଲିନୀଙ୍କୁ କିପରି ଭରସା ଦେଲେ ଯେ ସେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ? (ପାରାଗ୍ରାଫ ୧୦-୧୧)
୧୧. ଯୀଶୁ ମରୀୟମ ମଗଦ୍ଲିନୀଙ୍କୁ କିପରି ଭରସା ଦେଲେ ଯେ ସେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୧ ଯେବେ ଯୀଶୁ ପ୍ରଚାର କରିବା ପାଇଁ ଗଲେ, ତେବେ ସେ ମରୀୟମ ମଗ୍ଦଲିନୀଙ୍କୁ ମଧ୍ୟ ତାଙ୍କ ସହ ଆସିବା ପାଇଁ କହିଲେ ।b ତେଣୁ ମରୀୟମ ଯୀଶୁଙ୍କଠାରୁ ଅନେକ କଥା ଶିଖିପାରିଲେ । ଯେଉଁ ଦିନ ଯୀଶୁ ଜୀବିତ ହେଲେ, ସେହି ଦିନ ସେ ମରୀୟମଙ୍କୁ ଦେଖା ଦେଲେ । ମରୀୟମ ସେହି ଶିଷ୍ୟମାନଙ୍କ ମଧ୍ୟରୁ ପ୍ରଥମ ଥିଲେ, ଯେଉଁମାନେ ଯୀଶୁଙ୍କ ସହିତ ସେହି ଦିନ କଥା ହେଲେ । ଯୀଶୁ ତାଙ୍କୁ ଗୋଟିଏ କାମ ବି ଦେଲେ । ସେ ତାଙ୍କୁ କହିଲେ ଯେ ସେ ଯାଇ ପ୍ରେରିତମାନଙ୍କୁ ତାଙ୍କ ଜୀବିତ ହେବା ବିଷୟରେ କହନ୍ତୁ । ଯୀଶୁ ମରୀୟମଙ୍କ ସହିତ ଯେପରି ଭାବେ ବ୍ୟବହାର କଲେ, ସେଥିରୁ ସେ ଦେଖାଇଲେ ଯେ ମରୀୟମ ଯିହୋବାଙ୍କ ଦୃଷ୍ଟିରେ କେତେ ବହୁମୂଲ୍ୟ ।—ଯୋହ. ୨୦:୧୧-୧୮.
୧୨. ଲିଡିୟାଙ୍କୁ କାହିଁକି ଲାଗୁଥିଲା ଯେ ସେ କାହାରି ପ୍ରେମର ଯୋଗ୍ୟ ନୁହଁନ୍ତି ?
୧୨ ମରୀୟମ ମଗଦ୍ଲିନୀଙ୍କ ଭଳି ଆଜି ମଧ୍ୟ ଅନେକ ଭାଇଭଉଣୀଙ୍କୁ ଅପମାନ କରାଯାଏ ଏବଂ ନୀଚ ଦୃଷ୍ଟିରେ ଦେଖାଯାଏ । ସ୍ପେନ୍ରେ ରହୁଥିବା ଭଉଣୀ ଲିଡିୟାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ଯେବେ ସେ ନିଜ ମାଆ ପେଟରେ ଥିଲେ, ତେବେ ତାଙ୍କ ମାଆ ଗର୍ଭପାତ କରାଇବାକୁ ଚାହୁଁଥିଲେ । ଆଉ ଯେବେ ସେ ଛୋଟ ଥିଲେ, ତେବେ ତାଙ୍କ ମାଆ ତାଙ୍କୁ ଅଣଦେଖା କରୁଥିଲେ ଏବଂ ସବୁବେଳେ ରାଗିକି କଥା ହେଉଥିଲେ । ଲିଡିୟା କହନ୍ତି, “ମୋ ମାଆ ମୋତେ ପ୍ରେମ କରୁ ନ ଥିଲେ, ତେଣୁ ମୁଁ ସବୁବେଳେ ଏହା ଚାହୁଁଥିଲି ଯେ ଲୋକମାନେ ମୋତେ ପ୍ରେମ କରନ୍ତୁ ଏବଂ ମୋ ସାଙ୍ଗ ହୁଅନ୍ତୁ । କିନ୍ତୁ ମୋତେ ଲାଗୁଥିଲା ଯେ ମୁଁ କାହାରି ପ୍ରେମର ଯୋଗ୍ୟ ନୁହେଁ । ମାଆଙ୍କ କଥା ଯୋଗୁଁ ମୋତେ ଲାଗିଲା ଯେ ମୁଁ ବହୁତ ଖରାପ ଝିଅ ଅଟେ ।”
୧୩. ଲିଡିୟାଙ୍କୁ କିପରି ଭରସା ହେଲା ଯେ ସେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି ?
୧୩ କିନ୍ତୁ ପରେ ଲିଡିୟା ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ ଏବଂ ଯିହୋବାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । କେବଳ ଏତିକି ନୁହେଁ, ସେ ଭାଇଭଉଣୀମାନଙ୍କ ସହ ମିଳାମିଶା କରିବାକୁ ଲାଗିଲେ । ଏହି ଭାଇଭଉଣୀମାନେ ସବୁବେଳେ ତାଙ୍କ ସହିତ ପ୍ରେମର ସହ ବ୍ୟବହାର କରୁଥିଲେ ଏବଂ ତାଙ୍କର ସାହସ ବଢ଼ାଉଥିଲେ । ଏଗୁଡ଼ିକ ଯୋଗୁଁ ଲିଡିୟାଙ୍କୁ ଭରସା ହୋଇଗଲା ଯେ ଯିହୋବା ତାଙ୍କୁ ବହୁମୂଲ୍ୟ ମନେ କରନ୍ତି । ସେ କହନ୍ତି, “ମୋ ସ୍ୱାମୀ ପ୍ରାୟ ସମୟରେ କହନ୍ତି ଯେ ସେ ମୋତେ ବହୁତ ପ୍ରେମ କରନ୍ତି । ସେ ମୋତେ ଏହା ବି କହନ୍ତି ଯେ ତାଙ୍କୁ ମୋର କେଉଁ କଥାଗୁଡ଼ିକ ଭଲ ଲାଗେ ଏବଂ ତାʼପାଇଁ ସେ ମୋତେ ପ୍ରଶଂସା କରନ୍ତି । ମୋ ସାଙ୍ଗମାନେ ମଧ୍ୟ ଏପରି ହିଁ କରନ୍ତି ।” କʼଣ ଆପଣଙ୍କ ମଣ୍ଡଳୀରେ ମଧ୍ୟ କେହି ଏପରି ଭାଇ କିମ୍ବା ଭଉଣୀ ଅଛନ୍ତି, ଯାହାଙ୍କୁ ଆପଣ ଭରସା ଦେଇପାରିବେ ଯେ ସେ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟେ ?
ନିଜକୁ ଯିହୋବାଙ୍କ ଦୃଷ୍ଟିରେ ଦେଖନ୍ତୁ—କିପରି ?
୧୪. ୧ ଶାମୁୟେଲ ୧୬:୭ ପଦ ଆମକୁ କିପରି ନିଜକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିବା ପାଇଁ ସାହାଯ୍ୟ କରେ ? (“ଯିହୋବାଙ୍କ ଲୋକମାନେ କାହିଁକି ତାଙ୍କ ପାଇଁ ବହୁମୂଲ୍ୟ ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୪ ମନେ ରଖନ୍ତୁ, ମନୁଷ୍ୟ ଯେପରି ଦେଖେ ଯିହୋବା ସେପରି ଦେଖନ୍ତି ନାହିଁ । (୧ ଶାମୁୟେଲ ୧୬:୭ ପଢ଼ନ୍ତୁ ।) ଦୁନିଆର ଲୋକମାନେ ଦେଖନ୍ତି ଯେ ଆପଣ କିପରି ଦେଖାଯାʼନ୍ତି, ଆପଣ ଧନୀ ନା ଗରିବ କିମ୍ବା ଆପଣ କେତେ ପାଠ ପଢ଼ିଛନ୍ତି । ଆଉ ଏଗୁଡ଼ିକୁ ଧ୍ୟାନରେ ରଖି ସେମାନେ ଭାବନ୍ତି ଯେ ସେମାନେ ଆପଣଙ୍କୁ ମହତ୍ତ୍ୱ ଦେବେ ନା ନାହିଁ । (ଯିଶା. ୫୫:୮, ୯) କିନ୍ତୁ ଯିହୋବା ଏଗୁଡ଼ିକୁ ଦେଖନ୍ତି ନାହିଁ, ତେଣୁ ନିଜକୁ ମନୁଷ୍ୟମାନଙ୍କ ଦୃଷ୍ଟିରେ ନୁହେଁ, ବରଂ ଯିହୋବାଙ୍କ ଦୃଷ୍ଟିରେ ଦେଖନ୍ତୁ । ଆପଣ ଚାହିଁଲେ ବାଇବଲରେ ଦିଆଯାଇଥିବା ସେହି ଲୋକମାନଙ୍କର କାହାଣୀ ପଢ଼ିପାରିବେ, ଯେଉଁମାନେ ନିଜକୁ ଦିନେ ବେକାର ଭାବୁଥିଲେ । ଯେପରି ଆପଣ ଏଲୀୟ, ନୟମୀ ଓ ହାନ୍ନାଙ୍କ କାହାଣୀ ପଢ଼ିପାରିବେ ଏବଂ ଦେଖିବା ପାଇଁ ଚେଷ୍ଟା କରିପାରିବେ ଯେ ଯିହୋବା ସେମାନଙ୍କୁ କେତେ ପ୍ରେମ କରୁଥିଲେ । ତାʼସହିତ ଆପଣ ଚାହିଁଲେ ନିଜର କୌଣସି ଏପରି ଅନୁଭୂତିକୁ ବି ଲେଖିକି ରଖିପାରିବେ, ଯେବେ ଆପଣଙ୍କୁ ଅନୁଭବ ହୋଇଥିଲା ଯେ ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି ଏବଂ ବହୁମୂଲ୍ୟ ମନେ କରନ୍ତି । ତାʼଛଡ଼ା ଆପଣ ଆମ ପ୍ରକାଶନଗୁଡ଼ିକରେ ଆତ୍ମ ସମ୍ମାନର ଅଭାବ ବିଷୟରେ ଯେଉଁ ଲେଖା ଓ ଭିଡିଓଗୁଡ଼ିକ ଅଛି, ସେଗୁଡ଼ିକୁ ମଧ୍ୟ ଦେଖିପାରିବେ ।c
୧୫. ଦାନିୟେଲ କାହିଁକି ‘ଈଶ୍ୱରଙ୍କ ଅତ୍ୟନ୍ତ ପ୍ରିୟପାତ୍ର’ ଥିଲେ ? (ଦାନିୟେଲ ୯:୨୩)
୧୫ ମନେ ରଖନ୍ତୁ, ଆପଣ ଯିହୋବାଙ୍କ ବିଶ୍ୱସ୍ତ ଥିବା ଯୋଗୁଁ ତାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି । ଥରେ ଦାନିୟେଲ ବହୁତ ନିରାଶ ହୋଇଯାଇଥିଲେ ଏବଂ ପୂରା ଥକି ଯାଇଥିଲେ । ଆଉ ତାଙ୍କ ବୟସ ହୁଏତ ୯୦ ବର୍ଷରୁ ବି ଅଧିକ ଥିଲା । (ଦାନି. ୯:୨୦, ୨୧) ସେସମୟରେ ଯିହୋବା କିପରି ତାଙ୍କର ସାହସ ବଢ଼ାଇଲେ ? ସେ ଗାବ୍ରିଏଲ ସ୍ୱର୍ଗଦୂତଙ୍କୁ ତାଙ୍କୁ ପାଖକୁ ପଠାଇଲେ । ଗାବ୍ରିଏଲ ଦାନିୟେଲଙ୍କୁ କହିଲେ ଯେ ଯିହୋବା ତାଙ୍କର ପ୍ରାର୍ଥନାଗୁଡ଼ିକୁ ଶୁଣିଛନ୍ତି ଏବଂ ସେ ତାଙ୍କର “ଅତ୍ୟନ୍ତ ପ୍ରିୟପାତ୍ର ।” (ଦାନିୟେଲ ୯:୨୩ ପଢ଼ନ୍ତୁ ।) କିନ୍ତୁ ଦାନିୟେଲ କାହିଁକି ଯିହୋବାଙ୍କ ପ୍ରିୟପାତ୍ର ବା ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଥିଲେ ? ତାଙ୍କ ଭିତରେ ବହୁତ ଭଲ ଗୁଣଗୁଡ଼ିକ ଥିଲା, କିନ୍ତୁ ସବୁଠୁ ବଡ଼ କଥା ଏହା ଥିଲା ଯେ ସେ ଜଣେ ଧାର୍ମିକ ଓ ବିଶ୍ୱସ୍ତ ଲୋକ ଥିଲେ । (ଯିହିଜିକଲ ୧୪:୧୪) ଯିହୋବା ଆମର ସାହସ ବଢ଼ାଇବା ପାଇଁ ଦାନିୟେଲଙ୍କ କାହାଣୀ ନିଜ ବାକ୍ୟରେ ଲେଖାଇଛନ୍ତି । (ରୋମୀ. ୧୫:୪) ଯିହୋବା ଆଜି ଆମର ବି ପ୍ରାର୍ଥନା ଶୁଣନ୍ତି ଏବଂ ଆମକୁ ବହୁମୂଲ୍ୟ ମନେ କରନ୍ତି, କାରଣ ଆମେ ତାଙ୍କ ଧାର୍ମିକ ସ୍ତରଗୁଡ଼ିକୁ ମାନୁ ଏବଂ ବିଶ୍ୱସ୍ତତାର ସହ ତାଙ୍କର ସେବା କରୁ ।—ମୀଖା ୬:୮; ଏବ୍ରୀ ୬:୧୦.
୧୬. ଆପଣ କିପରି ନିଜକୁ ଭରସା ଦେଇପାରିବେ ଯେ ଯିହୋବା ଆପଣଙ୍କର ଏପରି ଜଣେ ପିତା ଅଟନ୍ତି ଯିଏ ଆପଣଙ୍କୁ ବହୁତ ପ୍ରେମ କରନ୍ତି ?
୧୬ ମନେ ରଖନ୍ତୁ, ଯିହୋବା ଆପଣଙ୍କର ଏପରି ପିତା ଅଟନ୍ତି ଯିଏ ଆପଣଙ୍କୁ ବହୁତ ପ୍ରେମ କରନ୍ତି । ସେ ଆପଣଙ୍କର ଭୁଲଗୁଡ଼ିକୁ ଖୋଜନ୍ତି ନାହିଁ, ବରଂ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । (ଗୀତ. ୧୩୦:୩; ମାଥି. ୭:୧୧; ଲୂକ ୧୨:୬, ୭) ଏକଥା ଉପରେ ଚିନ୍ତନ କରିବା ଯୋଗୁଁ ସେହି ଲୋକମାନଙ୍କୁ ସାହାଯ୍ୟ ମିଳିଛି, ଯେଉଁମାନେ ନିଜକୁ ବେକାର ମନେ କରୁଥିଲେ । ସ୍ପେନ୍ରେ ରହୁଥିବା ଭଉଣୀ ମିସେଲ୍ଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ସ୍ୱାମୀ ଅନେକ ବର୍ଷ ଯାଏ ତାଙ୍କୁ ଅପମାନ କରୁଥିଲେ ଏବଂ ତାଙ୍କୁ ଖରାପ ଲାଗୁଥିବା କଥା କହୁଥିଲେ । ଏହା ଯୋଗୁଁ ଭଉଣୀ ନିଜକୁ ବେକାର ଅନୁଭବ କରିବାକୁ ଲାଗିଲେ । ସେ କହନ୍ତି, “ଯେବେ ବି ମୁଁ ନିଜକୁ ବେକାର ମନେ କରୁଥିଲି, ତେବେ ମୁଁ ଭାବୁଥିଲି ଯେ ମୁଁ ଯିହୋବାଙ୍କ କୋଳରେ ଅଛି ଏବଂ ସେ ମୋତେ ପ୍ରେମ କରନ୍ତି । ଏହା ଭାବି ମୋତେ ବହୁତ ଶାନ୍ତି ମିଳେ ।” (ଗୀତ. ୨୮:୯) ଦକ୍ଷିଣ ଆଫ୍ରିକାରେ ରହୁଥିବା ଲୋରେନ୍ କହନ୍ତି ଯେ ଯେବେ ସେ ନିରାଶ ହୋଇଯାʼନ୍ତି, ତେବେ ସେ କିପରି ଭାବନ୍ତି: “ଯଦି ଯିହୋବା ମୋତେ ପ୍ରେମରଜ୍ଜୁରେ ବାନ୍ଧି ନିଜ ଆଡ଼କୁ ଆକର୍ଷିତ କରିଛନ୍ତି, ଏତେ ବର୍ଷରୁ ମୋତେ ନିଜ ନିକଟରେ ରଖିଛନ୍ତି, ମୋତେ ଅନ୍ୟମାନଙ୍କୁ ତାଙ୍କ ବିଷୟରେ କହିବା ପାଇଁ ସୁଯୋଗ ଦେଇଛନ୍ତି, ତାହେଲେ ମୁଁ ନିଶ୍ଚୟ ତାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟେ ଏବଂ ତାଙ୍କ କାମରେ ଆସିପାରେ ।”—ହୋଶେ. ୧୧:୪.
୧୭. ଆମେ କିପରି ଜାଣିପାରିବା ଯେ ଯିହୋବାଙ୍କ ମଞ୍ଜୁରି ଆମ ଉପରେ ଅଛି ? (ଗୀତସଂହିତା ୫:୧୨) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ଭରସା ରଖନ୍ତୁ, ଯିହୋବା ଆପଣଙ୍କ ଉପରେ ଖୁସି ଅଛନ୍ତି । (ଗୀତସଂହିତା ୫:୧୨ ପଢ଼ନ୍ତୁ ।) ଦାଉଦ କହିଲେ ଯେ ଯିହୋବାଙ୍କ ମଞ୍ଜୁରି ଗୋଟିଏ ବଡ଼ “ଢାଲ” ଅଟେ, ଅର୍ଥାତ୍ ସେ ଧାର୍ମିକମାନଙ୍କଠାରୁ ଖୁସି ହୁଅନ୍ତି ଏବଂ ସେମାନଙ୍କର ସୁରକ୍ଷା କରନ୍ତି । ଯେବେ ଆପଣ ଏହା ମନେ ରଖନ୍ତି ଯେ ଯିହୋବାଙ୍କ ମଞ୍ଜୁରି ଆପଣଙ୍କ ଉପରେ ଅଛି ଏବଂ ସେ ଆପଣଙ୍କର ସାଙ୍ଗରେ ଅଛନ୍ତି, ତେବେ ଏଥିରୁ ଆପଣଙ୍କର ସୁରକ୍ଷା ହୁଏ । ଆପଣଙ୍କୁ ଏହା ଚିନ୍ତା ହୁଏନି ଯେ ଆପଣ ବେକାର ଅଟନ୍ତି । କିନ୍ତୁ ଆପଣ କିପରି ଜାଣିପାରିବେ ଯେ ଯିହୋବାଙ୍କ ମଞ୍ଜୁରି ଆପଣଙ୍କ ଉପରେ ଅଛି ? ଯେପରି ଆମେ ଦେଖିଥିଲୁ, ଯିହୋବା ନିଜ ବାକ୍ୟ ଜରିଆରେ ଆମକୁ କହନ୍ତି ଯେ ସେ ଆମ ବିଷୟରେ କିପରି ଅନୁଭବ କରନ୍ତି । ତାʼସହିତ ସେ ପ୍ରାଚୀନ, ଭଲ ସାଙ୍ଗ ଏବଂ ଅନ୍ୟ ଭାଇଭଉଣୀମାନଙ୍କ ଜରିଆରେ ଆମକୁ ଏହା ଭରସା ଦିଅନ୍ତି ଯେ ଆମେ ତାଙ୍କ ଦୃଷ୍ଟିରେ ବହୁମୂଲ୍ୟ । କିନ୍ତୁ ଯେବେ ଅନ୍ୟମାନେ ଆମର ସାହସ ବଢ଼ାନ୍ତି, ତେବେ ଆମେ କʼଣ କରିବା ଉଚିତ୍ ?
ଯଦି ଆମେ ଏହା ମନେ ରଖିବା ଯେ ଆମ ଉପରେ ଯିହୋବାଙ୍କର ମଞ୍ଜୁରି ଅଛି, ତାହେଲେ ଆମେ ଏହା ଭାବି ଚିନ୍ତିତ ହେବା ନାହିଁ ଯେ ଆମେ ବେକାର ଅଟୁ (ପାରାଗ୍ରାଫ ୧୭)
୧୮. ଯେବେ କେହି ଆପଣଙ୍କର ପ୍ରଶଂସା କରନ୍ତି, ତେବେ ଆପଣଙ୍କୁ ତାହା କାହିଁକି ଗ୍ରହଣ କରିବା ଉଚିତ୍ ?
୧୮ ଯେଉଁମାନେ ଆପଣଙ୍କୁ ଜାଣନ୍ତି ଏବଂ ଆପଣଙ୍କୁ ପ୍ରେମ କରନ୍ତି, ସେମାନେ ଯେବେ ଆପଣଙ୍କର ପ୍ରଶଂସା କରନ୍ତି ତେବେ ତାହାକୁ ଗ୍ରହଣ କରନ୍ତୁ ଏବଂ ଖୁସି ହୁଅନ୍ତୁ । ମନେ ରଖନ୍ତୁ, ଯିହୋବା ଭାଇଭଉଣୀମାନଙ୍କ ଜରିଆରେ ମଧ୍ୟ ଆମକୁ ଏହା ଭରସା ଦିଅନ୍ତି ଯେ ଆମ ଉପରେ ତାଙ୍କର ମଞ୍ଜୁରି ଅଛି । ଭଉଣୀ ମିସେଲ୍ ଯାହାଙ୍କ ବିଷୟରେ ପୂର୍ବେ କୁହାଯାଇଥିଲା, ସେ କହନ୍ତି, “ଯେବେ କେହି ମୋର ପ୍ରଶଂସା କରନ୍ତି, ତେବେ ତାହାକୁ ଗ୍ରହଣ କରିବା ମୋତେ ବହୁତ କଠିନ ଲାଗେ । ମୁଁ ଭାବେ ଯେ ମୁଁ ଏହି ପ୍ରଶଂସାର ଯୋଗ୍ୟ ନୁହେଁ । କିନ୍ତୁ ଯିହୋବା ଚାହାନ୍ତି ଯେ ମୁଁ ସେହି ପ୍ରଶଂସାକୁ ଗ୍ରହଣ କରେ, ତେଣୁ ମୁଁ ଏପରି କରିବା ପାଇଁ ଚେଷ୍ଟା କରୁଛି ।” ପ୍ରାଚୀନମାନେ ମଧ୍ୟ ମିସେଲ୍ଙ୍କ ବହୁତ ସାହାଯ୍ୟ କରିଛନ୍ତି । ଆଜି ସେ ଅଗ୍ରଦୂତ ସେବା କରୁଛନ୍ତି ଏବଂ ବୈଥେଲରେ ସ୍ୱୟଂସେବକ ଭାବେ ମଧ୍ୟ ସେବା କରୁଛନ୍ତି ।
୧୯. ଆପଣ କାହିଁକି ଭରସା ରଖିପାରିବେ ଯେ ଆପଣ ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ?
୧୯ ଯୀଶୁ ଆମକୁ ଏହା ମନେ ପକାଇଦିଅନ୍ତି ଯେ ଆମେ ଯିହୋବାଙ୍କ ପାଇଁ ମହତ୍ତ୍ୱ ରଖୁ । (ଲୂକ ୧୨:୨୪) ସେଥିପାଇଁ ଆମେ ଭରସା ରଖିପାରିବା ଯେ ଆମେ ଯିହୋବାଙ୍କ ପାଇଁ ବହୁମୂଲ୍ୟ । ଆସନ୍ତୁ ଆମେ ଏହି କଥାକୁ ସବୁବେଳେ ମନେ ରଖିବା ଏବଂ ଅନ୍ୟମାନଙ୍କୁ ବି ଭରସା ଦେବା ଯେ ସେମାନେ ବି ଯିହୋବାଙ୍କ ଦୃଷ୍ଟିରେ ବହୁମୂଲ୍ୟ ।
ଗୀତ ୧୪୦ ଜୀବନ ସବୁ ଦିନର
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
b ଏପରି ଜଣାପଡ଼େ ଯେ ମରୀୟମ ମଗ୍ଦଲିନୀ ସେହି ସ୍ତ୍ରୀମାନଙ୍କ ମଧ୍ୟରୁ ଥିଲେ, ଯେଉଁମାନେ ଯୀଶୁ ଓ ତାଙ୍କ ଶିଷ୍ୟମାନଙ୍କ ସହିତ ଯାତ୍ରା କରୁଥିଲେ । ଏହି ସ୍ତ୍ରୀମାନେ ନିଜ ଧନ-ସମ୍ପତ୍ତିରୁ ଯୀଶୁ ଓ ପ୍ରେରିତମାନଙ୍କ ସେବା କରୁଥିଲେ ।—ମାଥି. ୨୭:୫୫, ୫୬; ଲୂକ ୮:୧-୩.
c ଉଦାହରଣ ପାଇଁ ଯିହୋବାଙ୍କ ନିକଟବର୍ତ୍ତୀ ହୁଅ (ହିନ୍ଦୀ) ବହିର ଅଧ୍ୟାୟ ୨୪ ଏବଂ ୱଚନ୍ ଜୋ ଦିଖାଏ ରାହ୍ ବହିରେ “ଖୁଦ୍ କୋ ନାକାବିଲ୍ ସମଝନା” ବିଷୟରେ ଦିଆଯାଇଥିବା ପଦଗୁଡ଼ିକୁ ଏବଂ ବାଇବଲର ଘଟଣାଗୁଡ଼ିକୁ ପଢ଼ନ୍ତୁ ।