ଅଧ୍ୟୟନ ଲେଖା ୪୮
ଗୀତ ୧୨୯ ଆମେ ଧୈର୍ଯ୍ୟବାନ ହେବା
ଆୟୁବ ବହିରୁ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଶିଖନ୍ତୁ
“ନିଶ୍ଚୟ ପରମେଶ୍ୱର ଦୁଷ୍ଟାଚରଣ କରିବେ ନାହିଁ ।”—ଆୟୁ. ୩୪:୧୨.
କʼଣ ଶିଖିବା ?
ଆୟୁବ ବହିରୁ ଆମେ ଶିଖିବା ଯେ ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି ଏବଂ ଆମେ ଦୁଃଖକଷ୍ଟ ସତ୍ତ୍ୱେ କିପରି ଧୈର୍ଯ୍ୟ ଧରିପାରିବା ।
୧-୨. ଆୟୁବ ବହି ପଢ଼ିବା କାହିଁକି ଭଲ ରହିବ ?
କʼଣ ଆପଣ ଏବେ କିଛି ସମୟ ପୂର୍ବରୁ ଆୟୁବ ବହି ପଢ଼ିଛନ୍ତି ? ଯଦିଓ ଏହାକୁ ପ୍ରାୟ ୩,୫୦୦ ବର୍ଷ ପୂର୍ବେ ଲେଖାଯାଇଥିଲା, ତଥାପି ସାହିତ୍ୟ ଜଗତରେ ଏହା ଆଜି ବି ଲୋକପ୍ରିୟ ବହି । ଏଥିରେ ଥିବା କଥାଗୁଡ଼ିକ ଅତି ସହଜରେ ବୁଝିହୁଏ । ତାʼସହିତ ଏଥିରେ ସାଧାରଣ କଥାଗୁଡ଼ିକୁ ବି ବହୁତ ସୁନ୍ଦର ଭାବେ ଲେଖାଯାଇଛି । ଏହି ବହିଟି ସତରେ ଅତି ନିଆରା ! ତେଣୁ ଲୋକମାନେ ଏହି ବହିର ଲେଖକଙ୍କୁ ବହୁତ ପ୍ରଶଂସା କରନ୍ତି । ଏହା ସତ ଯେ ଏହି ବହିକୁ ମୋଶା ଲେଖିଛନ୍ତି, କିନ୍ତୁ ପ୍ରକୃତରେ ଯିହୋବା ଏହାର ଲେଖକ ଅଟନ୍ତି ।—୨ ତୀମ. ୩:୧୬.
୨ ଆୟୁବ ବହି କାହିଁକି ବାଇବଲର ଗୋଟିଏ ମୁଖ୍ୟ ଭାଗ ଅଟେ ? କାରଣ ଏଠାରେ ଦୁନିଆର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାମଲା ବିଷୟରେ ବୁଝାଇ ଦିଆଯାଇଛି । ତାହା ହେଉଛି, କʼଣ ସ୍ୱର୍ଗଦୂତ ଓ ମଣିଷମାନେ ପ୍ରେମ ଯୋଗୁଁ ଯିହୋବାଙ୍କର ସେବା କରିବେ ଓ ତାଙ୍କର ନାମକୁ ପବିତ୍ର କରିବେ ? ଏହି ବହିରୁ ଆମେ ଯିହୋବାଙ୍କ ବଢ଼ିଆ ଗୁଣଗୁଡ଼ିକ ବିଷୟରେ ବି ଜାଣିପାରୁ । ଯେପରି, ତାଙ୍କର ପ୍ରେମ, ବୁଦ୍ଧି, ନ୍ୟାୟ ଓ ଶକ୍ତି ବିଷୟରେ । ଉଦାହରଣ ପାଇଁ, ଆୟୁବ ବହିରେ ଅନେକ ଥର ଯିହୋବାଙ୍କୁ “ସର୍ବଶକ୍ତିମାନ” ବୋଲି କୁହାଯାଇଛି । ଯଦି ଦେଖିବା, ତାହେଲେ ବାଇବଲର ଅନ୍ୟ କୌଣସି ବହିରେ ଯିହୋବାଙ୍କୁ ଏତେ ଥର “ସର୍ବଶକ୍ତିମାନ” ବୋଲି କୁହାଯାଇ ନାହିଁ । ତାʼସହିତ ଆୟୁବ ବହିରେ ଏପରି ପ୍ରଶ୍ନଗୁଡ଼ିକର ଉତ୍ତର ଦିଆଯାଇଛି ଯେ ଆଜି ଈଶ୍ୱର ଦୁଃଖକଷ୍ଟକୁ କାହିଁକି ଦୂର କରି ନାହାନ୍ତି ?
୩. ଆୟୁବ ବହି ପଢ଼ି ଆମେ କʼଣ ଜାଣିପାରିବା ?
୩ ପାହାଡ଼ ଶିଖରରୁ ଆମେ ଆଖପାଖ ଅଞ୍ଚଳଗୁଡ଼ିକୁ ସ୍ପଷ୍ଟ ଭାବେ ଦେଖିପାରୁ । ଠିକ୍ ସେହିପରି, ଆୟୁବ ବହି ପଢ଼ି ଆମେ ନିଜ ପରିସ୍ଥିତିକୁ ଆହୁରି ସ୍ପଷ୍ଟ ଭାବେ ବୁଝିପାରୁ ଏବଂ ଏହାକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିପାରୁ । ଆସନ୍ତୁ ଆମେ ଏବିଷୟରେ ଜାଣିବା ଯେ କଠିନ ପରିସ୍ଥିତିର ସାମନା କରିବା ସମୟରେ ଆମକୁ ଆୟୁବ ବହିରୁ କିପରି ସାହାଯ୍ୟ ମିଳିପାରିବ । ଆଉ ଇସ୍ରାଏଲୀୟମାନେ ଆୟୁବଙ୍କ ଘଟଣାରୁ କʼଣ ଶିଖିପାରିଥାʼନ୍ତେ ଏବଂ ଆଜି ଆମେ କʼଣ ଶିଖିପାରିବା । ତାʼସହିତ ଆମେ ଏହା ବି ଜାଣିବା ଯେ ଆୟୁବ ବହିରୁ ଆମେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା ।
ଈଶ୍ୱର ଆୟୁବଙ୍କ ଉପରେ ସମସ୍ୟାଗୁଡ଼ିକ ଆସିବା ପାଇଁ ଅନୁମତି ଦେଲେ
୪. ମିଶରରେ ରହୁଥିବା ଇସ୍ରାଏଲୀୟମାନେ କʼଣ କରୁଥିଲେ ଏବଂ ଆୟୁବ କʼଣ କରୁଥିଲେ ?
୪ ଯେବେ ଇସ୍ରାଏଲୀୟମାନେ ମିଶରର ଦାସତ୍ୱରେ ଥିଲେ, ତେବେ ଆୟୁବ ନାମକ ଜଣେ ବ୍ୟକ୍ତି ଊଷ ଦେଶରେ ରହୁଥିଲେ । ଏପରି ଜଣାପଡ଼େ ଯେ ଊଷ ଦେଶ ପ୍ରତିଜ୍ଞାତ ଦେଶର ପୂର୍ବ ଦିଗରେ ଓ ଆରବ ଦେଶର ଉତ୍ତରରେ ଥିଲା । ଆଶ୍ଚର୍ଯ୍ୟର କଥା ଯେ ଗୋଟିଏ ପଟେ ଇସ୍ରାଏଲୀୟମାନେ ମିଥ୍ୟା ଦେବାଦେବୀମାନଙ୍କୁ ଉପାସନା କରୁଥିଲେ, କିନ୍ତୁ ଅନ୍ୟପଟେ ଆୟୁବ ବିଶ୍ୱସ୍ତତାର ସହ ଯିହୋବାଙ୍କର ସେବା କରୁଥିଲେ । (ଯିହୋ. ୨୪:୧୪; ଯିହି. ୨୦:୮) ଯିହୋବା ଆୟୁବଙ୍କ ବିଷୟରେ କହିଲେ ଯେ ତାଙ୍କ ଭଳି ‘ସରଳ ଲୋକ ପୃଥିବୀରେ କେହି ନାହିଁ ।’a (ଆୟୁ. ୧:୮) ଆୟୁବ ଧନୀ ଥିଲେ ଏବଂ ପୂର୍ବ ଦେଶରେ ରହୁଥିବା ସମସ୍ତ ଲୋକଙ୍କ ଅପେକ୍ଷା ତାଙ୍କର ବହୁତ ନାମ ଥିଲା । (ଆୟୁ. ୧:୩) ଭାବି ଦେଖନ୍ତୁ, ଏତେ ସମ୍ମାନନୀୟ ଓ ନାମୀ ବ୍ୟକ୍ତି ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରିବାର ଦେଖି ଶୟତାନକୁ କେତେ ରାଗ ଲାଗିଥିବ !
୫. ଯିହୋବା କାହିଁକି ଆୟୁବଙ୍କ ଉପରେ ସମସ୍ୟାଗୁଡ଼ିକ ଆସିବା ପାଇଁ ଅନୁମତି ଦେଲେ ? (ଆୟୁବ ୧:୨୦-୨୨; ୨:୯, ୧୦)
୫ ଶୟତାନ ଏହା ଜୋର୍ ଦେଇ କହିଲା ଯେ ଯଦି ଆୟୁବଙ୍କ ଉପରେ ସମସ୍ୟାଗୁଡ଼ିକ ଆସେ, ତାହେଲେ ସେ ଯିହୋବାଙ୍କ ଉପାସନା କରିବା ଛାଡ଼ିଦେବ । (ଆୟୁ. ୧:୭-୧୧; ୨:୨-୫) ଅବଶ୍ୟ ଯିହୋବା ଆୟୁବଙ୍କୁ ବହୁତ ପ୍ରେମ କରୁଥିଲେ, ତଥାପି ଶୟତାନ ଆୟୁବଙ୍କ ବିଷୟରେ ଯେଉଁ ମିଛ କଥା କହିଥିଲା, ଯିହୋବା ଏହାକୁ ସାବ୍ୟସ୍ତ କରିବା ପାଇଁ ଶୟତାନକୁ ଅନୁମତି ଦେଲେ । (ଆୟୁ. ୧:୧୨-୧୯; ୨:୬-୮) ସର୍ବପ୍ରଥମେ ଶୟତାନ ଆୟୁବଙ୍କ ସବୁ ପଶୁକୁ ଲୁଟି ନେଲା । ଏହାପରେ ତାଙ୍କ ଦଶଜଣ ପିଲାଙ୍କୁ ମାରିଦେଲା । ତାʼସହିତ ସେ ଆୟୁବଙ୍କୁ କଷ୍ଟଦାୟକ ରୋଗରେ ପୀଡ଼ିତ କଲା । ଆୟୁବଙ୍କ ଦେହ ସାରା ବଥ ବାହାରିଗଲା । ତାଙ୍କ ସହିତ ଏତେ ସବୁ ହେଲା ପରେ ମଧ୍ୟ ସେ ଯିହୋବାଙ୍କ ସେବା କରିବା ଛାଡ଼ିଲେ ନାହିଁ । (ଆୟୁବ ୧:୨୦-୨୨; ୨:୯, ୧୦ ପଢ଼ନ୍ତୁ ।) ସେଥିପାଇଁ ଆଗକୁ ଯାଇ ଯିହୋବା ଆୟୁବଙ୍କୁ ସେସବୁ ଜିନିଷ ଦେଲେ, ଯାହାକୁ ସେ ହରାଇ ଦେଇଥିଲେ । ଯିହୋବା ତାଙ୍କୁ ଭଲ ସ୍ୱାସ୍ଥ୍ୟ ଦେଲେ, ଧନ-ସମ୍ପତ୍ତି ଦେଲେ ଓ ଯିହୋବାଙ୍କ ଆଶିଷରୁ ତାଙ୍କର ଆଉ ଦଶଜଣ ପିଲା ହେଲେ । ଯିହୋବା ଆୟୁବଙ୍କ ଆୟୁ ବଢ଼ାଇଲେ । ସେ ଆହୁରି ୧୪୦ ବର୍ଷ ବଞ୍ଚିଲେ ଏବଂ ସେ ନିଜର ଚାରି ପିଢ଼ିକୁ ଦେଖିପାରିଲେ । (ଆୟୁ. ୪୨:୧୦-୧୩, ୧୬) ଏହି ଘଟଣାରୁ ପ୍ରାଚୀନ ସମୟର ଯିହୋବାଙ୍କ ସେବକମାନେ କʼଣ ଶିଖିପାରିଥାʼନ୍ତେ ଏବଂ ଆଜି ଆମେ କʼଣ ଶିଖିପାରିବା ? ଆସନ୍ତୁ ଏବିଷୟରେ ଜାଣିବା ।
୬. ଆୟୁବଙ୍କ ଘଟଣାରୁ ଇସ୍ରାଏଲୀୟମାନେ କʼଣ ଶିଖିପାରିଥାʼନ୍ତେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ଇସ୍ରାଏଲୀୟମାନେ ଆୟୁବଙ୍କ ଘଟଣାରୁ କ’ଣ ଶିଖିପାରିଥା’ନ୍ତେ ? ମିଶରରେ ଇସ୍ରାଏଲୀୟମାନଙ୍କ ପାଇଁ ଜୀବନ ବିତାଇବା ସହଜ ନ ଥିଲା । ଯଦି ଯିହୋଶୂୟ ଓ କାଲେବଙ୍କ ବିଷୟରେ ଦେଖିବା, ସେ ଦୁହିଁଙ୍କ ପୂରା ଯୁବାବସ୍ଥା ମିଶରର ଦାସତ୍ୱରେ ହିଁ ଚାଲିଗଲା । ତାଙ୍କର କୌଣସି ଭୁଲ ନ ଥିଲା, ତଥାପି ତାଙ୍କୁ ୪୦ ବର୍ଷ ଯାଏ ପ୍ରାନ୍ତରରେ ହିଁ ରହିବାକୁ ପଡ଼ିଲା । ସେହି ସମୟର ଇସ୍ରାଏଲୀୟମାନେ ଓ ସେମାନଙ୍କ ଆଗାମୀ ପିଢ଼ି ଆୟୁବଙ୍କ ଘଟଣାରୁ ଅନେକ କଥା ଶିଖିପାରିଥାʼନ୍ତେ । ଏଥିରୁ ସେମାନେ ଜାଣିପାରିଥାʼନ୍ତେ ଯେ ସେମାନଙ୍କ କଷ୍ଟଗୁଡ଼ିକ ଯିହୋବାଙ୍କ ଯୋଗୁଁ ନୁହେଁ, ବରଂ ଶୟତାନ ଯୋଗୁଁ ଆସୁଛି । ଆଉ ଈଶ୍ୱର କାହିଁକି ଲୋକମାନଙ୍କ ଉପରେ ସମସ୍ୟାଗୁଡ଼ିକ ଆସିବା ପାଇଁ ଅନୁମତି ଦିଅନ୍ତି । ତାʼସହିତ ସେମାନେ ଏହା ବି ଭଲଭାବେ ବୁଝିପାରନ୍ତେ ଯେ ସମସ୍ୟାଗୁଡ଼ିକ ସତ୍ତ୍ୱେ ଯେଉଁମାନେ ଈଶ୍ୱରଙ୍କ ବିଶ୍ୱସ୍ତ ରହନ୍ତି, ସେମାନଙ୍କୁ ସେ ପ୍ରେମ କରନ୍ତି ଏବଂ ଆଶିଷ ଦିଅନ୍ତି ।
ଯେଉଁ ଇସ୍ରାଏଲୀୟମାନେ ଅନେକ ବର୍ଷରୁ ମିଶରର ଦାସତ୍ୱରେ ଥିଲେ ସେମାନେ ଆଗକୁ ଯାଇ ଆୟୁବଙ୍କ ବିଷୟରେ ଶୁଣିଥିବେ; ତାଙ୍କ ଉଦାହରଣରୁ ସେମାନେ ବହୁତ କିଛି ଶିଖିପାରିଥାʼନ୍ତେ (ପାରାଗ୍ରାଫ ୬)
୭-୮. ଯେଉଁମାନଙ୍କୁ ଅନେକ ପ୍ରକାରର କଷ୍ଟ ସହିବାକୁ ପଡ଼ୁଛି, ସେମାନଙ୍କୁ ଆୟୁବ ବହିରୁ କିପରି ସାହାଯ୍ୟ ମିଳିପାରିବ ? ଗୋଟିଏ ଅନୁଭୂତି କହନ୍ତୁ ।
୭ ଆମେ ଆୟୁବଙ୍କ ଘଟଣାରୁ କʼଣ ଶିଖିପାରିବା ? ଆଜି ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ଏହା ଜାଣନ୍ତି ନାହିଁ ଯେ ଭଲ ଲୋକମାନଙ୍କୁ କାହିଁକି କଷ୍ଟଗୁଡ଼ିକ ସହିବାକୁ ପଡ଼େ, ତେଣୁ ସେମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । ରୁଆଣ୍ଡାରେ ରହୁଥିବା ହେଜଲଙ୍କb ସହିତ ବି ଏପରି ହିଁ ହେଲା । ଛୋଟ ଥିବା ସମୟରେ ସେ ଈଶ୍ୱରଙ୍କୁ ବିଶ୍ୱାସ କରୁଥିଲେ । କିନ୍ତୁ ପରେ ତାଙ୍କ ସହିତ ବହୁତ ଖରାପ ଘଟଣା ଘଟିଲା । ତାଙ୍କ ବାପାମାଆଙ୍କ ଛାଡ଼ପତ୍ର ହେବା ପରେ ତାଙ୍କୁ ନିଜ ସାବତ ବାପାଙ୍କ ସହିତ ରହିବାକୁ ପଡ଼ିଲା, ଯିଏ ତାଙ୍କ ସହିତ ବହୁତ ଖରାପ ବ୍ୟବହାର କରୁଥିଲେ । ଯେବେ ସେ ୧୩ରୁ ୧୯ ବର୍ଷ ବୟସ ମଧ୍ୟରେ ଥିଲେ, ତେବେ ତାଙ୍କର ବଳାତ୍କାର କରାଗଲା । ସେ ସାନ୍ତ୍ୱନା ପାଇବା ପାଇଁ ଉପାସନାର ଜାଗାକୁ ଗଲେ, କିନ୍ତୁ ତାଙ୍କୁ କୌଣସି ପ୍ରକାରର ସାନ୍ତ୍ୱନା ମିଳିଲା ନାହିଁ । ପରେ ସେ ଈଶ୍ୱରଙ୍କୁ ଗୋଟିଏ ଚିଠି ଲେଖିଲେ । ସେ କହିଲେ, “ଈଶ୍ୱର ମୁଁ ତମକୁ ପ୍ରାର୍ଥନା କଲି ଓ ଭଲ କାମ କରିବା ପାଇଁ ଚେଷ୍ଟା କଲି, କିନ୍ତୁ ତମେ ମୋତେ କେବଳ କଷ୍ଟ ହିଁ ଦେଲ । ଏବେ ମୁଁ ତମଠାରୁ ଦୂରକୁ ଯାଉଛି । ଆଉ ଏବେ ମୁଁ ତାହା ହିଁ କରିବି, ଯେଉଁଥିରୁ ମୋତେ ଖୁସି ମିଳେ ।” ଯେବେ ଆମେ ହେଜଲଙ୍କ ଭଳି ଲୋକମାନଙ୍କୁ ଭେଟୁ ଯେଉଁମାନେ ସତ୍ୟ ଜାଣି ନାହାନ୍ତି ଏବଂ ନିଜ କଷ୍ଟଗୁଡ଼ିକ ପାଇଁ ଈଶ୍ୱରଙ୍କୁ ଦୋଷୀ ଭାବନ୍ତି, ତେବେ ଏହା ଦେଖି ଆମକୁ ବହୁତ ଦୁଃଖ ଲାଗେ ।
୮ କିନ୍ତୁ ଆମେ ଆୟୁବ ବହିରୁ ଶିଖିଲୁ ଯେ କଷ୍ଟଗୁଡ଼ିକ ପାଇଁ ଈଶ୍ୱର ନୁହେଁ, ବରଂ ଶୟତାନ ଦାୟୀ ଅଟେ । ଆମେ ଏହା ବି ଶିଖିଲୁ ଯେ ଯେବେ କେହି କଷ୍ଟରେ ଥାʼନ୍ତି, ତେବେ ଆମକୁ ଏପରି ଭାବିବା ଉଚିତ୍ ନୁହେଁ ଯେ ସେ ନିଶ୍ଚୟ କିଛି ଭୁଲ କରିଥିବ । ବାଇବଲରେ ଲେଖାଅଛି ଯେ “ସମସ୍ୟା କାହାରି ଉପରେ ବି ଆସିପାରେ ଏବଂ କାହାରି ସହିତ ବି ଅଘଟଣ ଘଟିପାରେ ।” (ଉପ. ୯:୧୧ NWT; ଆୟୁ. ୪:୧, ୮) ଆମେ ଏହା ବି ଶିଖିଲୁ ଯେ ସମସ୍ୟା ସମୟରେ ଯେବେ ଆମେ ଯିହୋବାଙ୍କ ବିଶ୍ୱସ୍ତ ରହୁ, ତେବେ ଆମେ ଯିହୋବାଙ୍କୁ, ଶୟତାନକୁ ମିଛ ସାବ୍ୟସ୍ତ କରିବାର ସୁଯୋଗ ଦେଉ । ଏଥିରୁ ଈଶ୍ୱରଙ୍କ ନାମର ମହିମା ହୁଏ । (ଆୟୁ. ୨:୩; ହିତୋ. ୨୭:୧୧) ଆମେ ବାଇବଲରୁ ଯେଉଁ କଥାଗୁଡ଼ିକ ଶିଖିଲୁ, ତାʼପାଇଁ ଆମେ ବହୁତ କୃତଜ୍ଞ । ଆମେ ଏହା ଜାଣିଛୁ ଯେ ଆମକୁ ଏବଂ ଆମ ପ୍ରିୟଜନମାନଙ୍କୁ କାହିଁକି ଅନେକ ପ୍ରକାରର କଷ୍ଟ ସହିବାକୁ ପଡ଼େ । ହେଜଲ ଯାହାଙ୍କ ବିଷୟରେ ଆମେ କିଛି ସମୟ ପୂର୍ବେ କଥା ହେଲୁ, ସେ ଆଗକୁ ଯାଇ ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ । ସେ ଜାଣିପାରିଲେ ଯେ ଦୁଃଖକଷ୍ଟ ପାଇଁ ଈଶ୍ୱର ଦାୟୀ ନୁହଁନ୍ତି । ସେ କହନ୍ତି, “ମୁଁ ପୁଣିଥରେ ହୃଦୟରୁ ଈଶ୍ୱରଙ୍କୁ ପ୍ରାର୍ଥନା କଲି । ମୁଁ ତାଙ୍କଠାରୁ ଦୂରକୁ ଚାଲି ଯାଇଛି ବୋଲି ତାଙ୍କୁ କହିଥିଲି, କିନ୍ତୁ ଏପରି ନ ଥିଲା । ମୁଁ କେବେ ବି ତାଙ୍କଠାରୁ ଦୂରକୁ ଯାଇ ନ ଥିଲି । ମୁଁ ଏଥିପାଇଁ ଏପରି କହିଥିଲି କାରଣ ସେସମୟରେ ମୁଁ ତାଙ୍କୁ ଜାଣି ନ ଥିଲି, କିନ୍ତୁ ଏବେ ମୁଁ ତାଙ୍କୁ ଜାଣିଗଲି । ମୁଁ ଜାଣିଗଲି ଯେ ସେ ମୋତେ ବହୁତ ପ୍ରେମ କରନ୍ତି । ଏବେ ମୋତେ କୌଣସି କଥାର ଚିନ୍ତା ନାହିଁ ଏବଂ ମୁଁ ବହୁତ ଖୁସି ଅଛି ।” ଆମେ ବି ଏହି କଥା ପାଇଁ ବହୁତ କୃତଜ୍ଞ ଯେ ଆମକୁ ବି ଏବିଷୟରେ ଜାଣିବା ପାଇଁ ସୁଯୋଗ ମିଳିଲା ଯେ ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି । ଏବେ ଆସନ୍ତୁ ଆମେ ଏବିଷୟରେ ଜାଣିବା ଯେ ଯେବେ ଆମେ ସମସ୍ୟାଗୁଡ଼ିକର ସାମନା କରୁ, ତେବେ ଆୟୁବଙ୍କ ଘଟଣାରୁ ଆମେ କʼଣ ଶିଖିପାରିବା ।
ଆୟୁବଙ୍କଠାରୁ ଧୈର୍ଯ୍ୟ ଧରିବା ଶିଖନ୍ତୁ
୯. ଆୟୁବଙ୍କ ଅବସ୍ଥା କିପରି ଥିଲା ? (ଯାକୁବ ୫:୧୧)
୯ କଳ୍ପନା କରନ୍ତୁ, ଆୟୁବ ପାଉଁସ ଉପରେ ବସିଛନ୍ତି । ତାଙ୍କ ଦେହ ସାରା ବଥ ଭରି ରହିଛି । ରୋଗ ଯୋଗୁଁ ତାଙ୍କ ଚର୍ମ କଳା ହୋଇପଡ଼ିଛି ଏବଂ ତାହା ଶୁଖିଯାଇ ବାହାରିବାକୁ ଲାଗିଛି । ଆୟୁବ ଶୁଖି କଣ୍ଟା ହୋଇଯାଇଛନ୍ତି ଏବଂ ପୂରାପୂରି ଦୁର୍ବଳ ଦେଖାଯାଉଛନ୍ତି । ସେ ମାଟି ପାତ୍ରର ଗୋଟିଏ ଖଣ୍ଡରେ ନିଜ ଶରୀରକୁ କୁଣ୍ଡାଉଛନ୍ତି ଓ ବହୁତ କଷ୍ଟରେ ଅଛନ୍ତି । କିନ୍ତୁ ସେ କେବଳ ବାଧ୍ୟ ହୋଇ କଷ୍ଟରେ ବଞ୍ଚୁ ନାହାନ୍ତି, ବରଂ ସେ ଏବେ ବି ଯିହୋବାଙ୍କର ବିଶ୍ୱସ୍ତ ଅଛନ୍ତି ଏବଂ ଧୈର୍ଯ୍ୟ ଧରିଛନ୍ତି । (ଯାକୁବ ୫:୧୧ ପଢ଼ନ୍ତୁ ।) ଆୟୁବ ଏପରି ପରିସ୍ଥିତିରେ କାହିଁକି ଧୈର୍ଯ୍ୟ ଧରିପାରିଲେ ?
୧୦. ବୁଝାନ୍ତୁ ଯେ ଆୟୁବ ଯେପରି ଭାବେ ଯିହୋବାଙ୍କ ସହିତ କଥା ହେଲେ, ସେଥିରୁ ଯିହୋବାଙ୍କ ସହିତ ତାଙ୍କର ସମ୍ପର୍କ ବିଷୟରେ କʼଣ ଜଣାପଡ଼େ ?
୧୦ ଆୟୁବ ଯିହୋବାଙ୍କୁ ନିଜ ମନର ସବୁ କଥା ଖୋଲିକି କହିଲେ । (ଆୟୁ. ୧୦:୧, ୨; ୧୬:୨୦) ଯେପରି, ୩ ଅଧ୍ୟାୟରେ କୁହାଯାଇଛି ଯେ ଆୟୁବଙ୍କ ଉପରେ ଯାହା ବି ସମସ୍ୟାଗୁଡ଼ିକ ଆସିଲା, ତାʼଯୋଗୁଁ ସେ ବିରକ୍ତ ହୋଇ ଯିହୋବାଙ୍କୁ ଅଭିଯୋଗ କରିବାକୁ ଲାଗିଲେ । ସେ ଏପରି ଭାବି ନେଇଥିଲେ ଯେ ଯିହୋବା ହିଁ ତାଙ୍କୁ କଷ୍ଟଗୁଡ଼ିକ ଦେଉଛନ୍ତି । ତାଙ୍କର ତିନିଜଣ ସାଙ୍ଗ ବି ବାରମ୍ବାର ଏହା ହିଁ କହୁଥିଲେ ଯେ ତାଙ୍କର ଭୁଲଗୁଡ଼ିକ ଯୋଗୁଁ ଈଶ୍ୱର ତାଙ୍କୁ ଦଣ୍ଡ ଦେଉଛନ୍ତି । କିନ୍ତୁ ଆୟୁବ ସେମାନଙ୍କୁ କହିଥିଲେ ଯେ ସେ ନିର୍ଦ୍ଦୋଷ ଅଟନ୍ତି । ତାଙ୍କ ସାଙ୍ଗମାନଙ୍କ ସହ କଥା ହେବା ସମୟରେ ସେ ଯିହୋବାଙ୍କୁ ବି ଅନେକ ଥର କହନ୍ତି ଯେ ସେ ନିର୍ଦ୍ଦୋଷ ଅଟନ୍ତି । ଆୟୁବଙ୍କ କଥାଗୁଡ଼ିକରୁ ଜଣାପଡ଼େ ଯେ କିଛି ସମୟ ପାଇଁ ସେ ନିଜକୁ ଈଶ୍ୱରଙ୍କଠାରୁ ବି ଅଧିକ ଧାର୍ମିକ ଭାବିବାକୁ ଲାଗିଥିଲେ । (ଆୟୁ. ୧୦:୧-୩; ୩୨:୧, ୨; ୩୫:୧, ୨) କିନ୍ତୁ ସେ ଏହା ମଧ୍ୟ କହିଲେ ଯେ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ସମୟରେ ସେ ଅନେକ ଥର “ଅବିବେଚନାଯୁକ୍ତ” କଥା କହିଲେ । (ଆୟୁ. ୬:୩, ୨୬) ୩୧ ଅଧ୍ୟାୟରେ ଆୟୁବ ଈଶ୍ୱରଙ୍କୁ କହନ୍ତି ଯେ ସେ ତାଙ୍କୁ ଉତ୍ତର ଦିଅନ୍ତୁ ଏବଂ ତାଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରନ୍ତୁ । (ଆୟୁ. ୩୧:୩୫) କିନ୍ତୁ ଏପରି କହିବା ଭୁଲ ଥିଲା, କାରଣ ତାଙ୍କ ଉପରେ କାହିଁକି ଦୁଃଖକଷ୍ଟ ଆସୁଛି, ତାହା ଜାଣିବା ପାଇଁ ତାଙ୍କୁ ଈଶ୍ୱରଙ୍କୁ ବାଧ୍ୟ କରିବା ଉଚିତ୍ ନ ଥିଲା ।
୧୧. ଯେବେ ଆୟୁବ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିବା ପାଇଁ ଚେଷ୍ଟା କରିଥିଲେ, ତେବେ ଯିହୋବା କʼଣ କଲେ ?
୧୧ ଆୟୁବ ଯେପରି ଭାବେ ଯିହୋବାଙ୍କ ସହିତ କଥା ହେଲେ, ସେଥିରୁ ଜଣାପଡ଼େ ଯେ ଯିହୋବାଙ୍କ ସହ ତାଙ୍କ ଭଲ ସମ୍ପର୍କ ଥିଲା ଏବଂ ତାଙ୍କୁ ପୂରା ଭରସା ଥିଲା ଯେ ସେ ତାଙ୍କର ନ୍ୟାୟ କରିବେ । ଆଗକୁ ଯାଇ ଯେବେ ଯିହୋବା ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବଙ୍କ ସହିତ କଥା ହେଲେ, ତେବେ ସେ ତାଙ୍କୁ ଏହା କହିଲେ ନାହିଁ ଯେ କାହିଁକି ତାଙ୍କୁ ସମସ୍ୟାର ସାମନା କରିବାକୁ ପଡ଼ୁଛି । ତାʼସହିତ ଆୟୁବ ଯେଉଁ ଅଭିଯୋଗ କଲେ ଏବଂ ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିବା ପାଇଁ ଯେଉଁ ଚେଷ୍ଟା କରିଥିଲେ, ଯିହୋବା ତାʼପାଇଁ ବି ତାଙ୍କୁ ଦଣ୍ଡ ଦେଲେ ନାହିଁ । ଏହା ପରିବର୍ତ୍ତେ ସେ ଜଣେ ବାପାଙ୍କ ଭଳି ଅତି ପ୍ରେମରେ ଆୟୁବଙ୍କ ଚିନ୍ତାଧାରା ସୁଧାରିଲେ । ଏହା ସଠିକ୍ ଉପାୟ ଥିଲା । ଏହାପରେ ଆୟୁବ ନମ୍ର ହୋଇ ଏହା ଗ୍ରହଣ କଲେ ଯେ ଏପରି ଅନେକ କଥା ରହିଛି, ଯାହା ବିଷୟରେ ସେ ଜାଣି ନାହାନ୍ତି । ସେ ବିନା ଭାବିଚିନ୍ତି ଯେଉଁ କଥାଗୁଡ଼ିକ କହିଥିଲେ, ତାʼପାଇଁ ସେ ପଶ୍ଚାତାପ ବି କଲେ । (ଆୟୁ. ୩୧:୬; ୪୦:୪, ୫; ୪୨:୧-୬) ଏହି ଘଟଣାରୁ ପ୍ରାଚୀନ ସମୟର ଲୋକମାନେ କʼଣ ଶିଖିପାରିଥାʼନ୍ତେ ଏବଂ ଆଜି ଆମେ କʼଣ ଶିଖିପାରିବା ?
୧୨. ଇସ୍ରାଏଲୀୟମାନେ ଆୟୁବଙ୍କ ଘଟଣାରୁ କʼଣ ଶିଖିପାରିଥାʼନ୍ତେ ?
୧୨ ଇସ୍ରାଏଲୀୟମାନେ ଆୟୁବଙ୍କ ଘଟଣାରୁ କʼଣ ଶିଖିପାରିଥାʼନ୍ତେ ? ଆୟୁବଙ୍କ ସହ ଯାହା ବି ହେଲା, ସେଥିରୁ ଇସ୍ରାଏଲୀୟମାନେ ବହୁତ କିଛି ଶିଖିପାରିଥାʼନ୍ତେ । ଯଦି ମୋଶାଙ୍କ ବିଷୟରେ ଦେଖିବା, ତାଙ୍କୁ ଇସ୍ରାଏଲ ରାଷ୍ଟ୍ରର ନେତୃତ୍ୱ ନେବା ପାଇଁ ନିଯୁକ୍ତ କରାଯାଇଥିଲା । ଏହି କାମ ଏତେ ସହଜ ନ ଥିଲା । ଆଗକୁ ଯାଇ ତାଙ୍କୁ ଅନେକଗୁଡ଼ିଏ ସମସ୍ୟାର ସାମନା କରିବାକୁ ପଡ଼ିଲା, ଏପରିକି ଅନେକ ଥର ସେ ନିରାଶ ହୋଇ ପଡ଼ିଲେ । ଯେବେ ଇସ୍ରାଏଲୀୟମାନଙ୍କୁ ସମସ୍ୟାର ସାମନା କରିବାକୁ ପଡ଼ିଲା, ତେବେ ସେମାନେ ଯିହୋବାଙ୍କୁ ଅଭିଯୋଗ କରିବାକୁ ଲାଗିଲେ । କିନ୍ତୁ ସେସମୟରେ ମୋଶା ଯିହୋବାଙ୍କୁ ପ୍ରାର୍ଥନା କରି ସାହାଯ୍ୟ ମାଗିଲେ । (ଯାତ୍ରା. ୧୬:୬-୮; ଗଣ. ୧୧:୧୦-୧୪; ୧୪:୧-୪, ୧୧; ୧୬:୪୧, ୪୯; ୧୭:୫) ଆୟୁବଙ୍କ ଘଟଣାରୁ ମୋଶାଙ୍କୁ ତେବେ ବି ସାହାଯ୍ୟ ମିଳିଥିବ, ଯେବେ ତାଙ୍କୁ ସୁଧାର କରାଗଲା । ଉଦାହରଣ ପାଇଁ, ସେସମୟ ବିଷୟରେ ଭାବନ୍ତୁ ଯେବେ ଇସ୍ରାଏଲୀୟମାନଙ୍କୁ ପ୍ରାନ୍ତରରେ ୪୦ ବର୍ଷ ହେବାକୁ ଯାଉଥିଲା ଏବଂ ସେମାନେ କାଦେଶରେ ଛାଉଣୀ ପକାଇ ରହୁଥିଲେ । ସେସମୟରେ ମୋଶା “ଅବିବେଚନାର” ଅର୍ଥାତ୍ ବିନା ଭାବିଚିନ୍ତି କଥା କହିଲେ ଏବଂ ଯିହୋବାଙ୍କୁ ମହିମା ଦେଲେ ନାହିଁ । (ଗୀତ. ୧୦୬:୩୨, ୩୩) ଏହାର କʼଣ ପରିଣାମ ହେଲା ? ଯିହୋବା ତାଙ୍କୁ ପ୍ରତିଜ୍ଞାତ ଦେଶକୁ ଯିବା ପାଇଁ ଦେଲେ ନାହିଁ । (ଦ୍ୱିବି. ୩୨:୫୦-୫୨) ଏହି କାରଣ ଯୋଗୁଁ ମୋଶାଙ୍କୁ ନିଶ୍ଚୟ ବହୁତ ଦୁଃଖ ଲାଗିଥିବ । କିନ୍ତୁ ସେ ନମ୍ର ଥିଲେ, ତେଣୁ ସେ ଯିହୋବାଙ୍କ ନିଷ୍ପତ୍ତିକୁ ମାନିଲେ । ଆୟୁବଙ୍କ ଘଟଣାରୁ ଇସ୍ରାଏଲୀୟମାନଙ୍କ ଆଗାମୀ ପିଢ଼ି ବି ବହୁତ କିଛି ଶିଖିପାରିଥାʼନ୍ତେ । ଯଦି ଇସ୍ରାଏଲୀୟମାନେ ଆୟୁବଙ୍କ ଘଟଣା ବିଷୟରେ ଚିନ୍ତନ କରନ୍ତେ, ତାହେଲେ ସମସ୍ୟା ସମୟରେ ବି ସେମାନେ ଯିହୋବାଙ୍କୁ ନିଜ ଚିନ୍ତା ବିଷୟରେ ଖୋଲିକି କହିପାରନ୍ତେ । ସେମାନେ ଏହି କଥାକୁ ବି ମନେ ରଖିପାରନ୍ତେ ଯେ ଯିହୋବାଙ୍କ ଆଗରେ ନିଜକୁ ଠିକ୍ ବୋଲି ପ୍ରମାଣିତ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ । ତାʼସହ ସେମାନେ ଏହା ବି ଶିଖିପାରନ୍ତେ ଯେ ଯେବେ ଯିହୋବା ସେମାନଙ୍କୁ ସୁଧାରନ୍ତି, ତେବେ ସେମାନଙ୍କୁ ନମ୍ର ହୋଇ ତାଙ୍କ କଥା ମାନିବା ଉଚିତ୍ ।
୧୩. ଆୟୁବଙ୍କଠାରୁ ଆମେ କିପରି ଧୈର୍ଯ୍ୟ ଧରିବା ଶିଖିପାରିବା ? (ଏବ୍ରୀ ୧୦:୩୬)
୧୩ ଆମେ ଆୟୁବଙ୍କ ଘଟଣାରୁ କʼଣ ଶିଖିପାରିବା ? ଆୟୁବଙ୍କ ଭଳି ଆମ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଧୈର୍ଯ୍ୟ ଧରିବାକୁ ପଡ଼େ । (ଏବ୍ରୀ ୧୦:୩୬ ପଢ଼ନ୍ତୁ ।) ଯେପରି, ହୁଏତ ଆମେ ବଡ଼ ରୋଗରେ ପୀଡ଼ିତ ଥିବା, ଆମେ ଅତ୍ୟଧିକ ଚିନ୍ତା କରୁଥିବା କିମ୍ବା ଆମକୁ ଡିପ୍ରେସନ୍ ଥିବ । ହୁଏତ ଆମ ପରିବାରରେ କିଛି ସମସ୍ୟା ଥିବ, ଆମ କୌଣସି ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଇଥିବ କିମ୍ବା ଆମେ ଅନ୍ୟ କୌଣସି ବଡ଼ ସମସ୍ୟାର ସାମନା କରୁଥିବା । ଏପରି ସମୟରେ ଯଦି କେହି ଆମକୁ ଓଲଟା ସିଧା କଥା କହିଦିଅନ୍ତି କିମ୍ବା କଷ୍ଟ ପହଞ୍ଚାଇବା ଭଳି କାମ କରନ୍ତି, ତାହେଲେ ଆମକୁ ବହୁତ ଦୁଃଖ ଲାଗେ ଏବଂ ଆମ ପାଇଁ ଧୈର୍ଯ୍ୟ ଧରିବା ବହୁତ କଠିନ ହୋଇଯାଏ । (ହିତୋ. ୧୨:୧୮) ଆୟୁବ ବହିରୁ ଆମେ ଶିଖୁ ଯେ ଆମେ ଯିହୋବାଙ୍କୁ ନିଜ ମନକଥା ଖୋଲିକି କହିପାରିବା ଏବଂ ଭରସା ରଖିପାରିବା ଯେ ସେ ତାହାକୁ ନିଶ୍ଚୟ ଶୁଣିବେ । (୧ ଯୋହ. ୫:୧୪) ଆଉ ଯଦି ଆମେ ବିନା ଭାବିଚିନ୍ତି କଥା କହିଦେଉ, ତାହେଲେ ଯିହୋବା ଆମ ଉପରେ କ୍ରୋଧିତ ହେବେ ନାହିଁ । ଏହା ପରିବର୍ତ୍ତେ ସେ ଆମକୁ ଧୈର୍ଯ୍ୟ ଧରିବା ପାଇଁ ସାହସ ଓ ବୁଦ୍ଧି ଦେବେ । (୨ ବଂଶା. ୧୬:୯; ଯାକୁ. ୧:୫) ଯେପରି ଯିହୋବା ଆୟୁବଙ୍କ ଚିନ୍ତାଧାରା ସୁଧାରି ଥିଲେ, ହୁଏତ କିଛି ମାମଲାରେ ସେ ଆମର ଚିନ୍ତାଧାରା ବି ସୁଧାରିବେ । ହୁଏତ ସେ ନିଜ ବାକ୍ୟ ବାଇବଲ, ପ୍ରକାଶନ, କୌଣସି ପ୍ରାଚୀନ କିମ୍ବା ସାଙ୍ଗମାନଙ୍କ ଜରିଆରେ ଆମକୁ ପରାମର୍ଶ ଦେବେ । (ଏବ୍ରୀ ୧୨:୫-୭) ଆୟୁବ ବହିରୁ ଆମେ ଏହା ବି ଶିଖୁ ଯେ ଯେବେ ଯିହୋବା ଆମ ଚିନ୍ତାଧାରା ସୁଧାରନ୍ତି, ତେବେ ଆମେ ତାହାକୁ ମାନିବା ଉଚିତ୍ ଏବଂ ଧୈର୍ଯ୍ୟ ଧରିବା ଉଚିତ୍ । ଆୟୁବଙ୍କ ଭଳି ଯଦି ଆମେ ନମ୍ର ହୋଇ ନିଜକୁ ସୁଧାରିବା, ତେବେ ସେଥିରୁ ଆମକୁ ହିଁ ଲାଭ ହେବ । (୨ କରି. ୧୩:୧୧) ସତରେ, ଆୟୁବ ବହିରୁ ଆମେ ଅନେକ ଲାଭଦାୟକ କଥା ଶିଖିଥାଉ ! ଆସନ୍ତୁ ଏବେ ଆମେ ଏବିଷୟରେ ଜାଣିବା ଯେ ଆୟୁବ ବହିରୁ ଆମେ ଅନ୍ୟମାନଙ୍କୁ କିପରି ସାହାଯ୍ୟ କରିପାରିବା ।
ଆୟୁବ ବହିରୁ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତୁ
୧୪. ଯେବେ ଲୋକମାନେ ଆପଣଙ୍କୁ ପଚାରନ୍ତି ଯେ ଆଜି ଏତେ ଦୁଃଖକଷ୍ଟ କାହିଁକି ରହିଛି, ତେବେ ଆପଣ ସେମାନଙ୍କୁ କିପରି ଉତ୍ତର ଦିଅନ୍ତି ?
୧୪ କʼଣ ପ୍ରଚାରରେ କେବେ ଆପଣଙ୍କୁ କେହି ଏପରି ପ୍ରଶ୍ନ ପଚାରିଛନ୍ତି ଯେ ଦୁନିଆରେ ଆଜି ଏତେ ଦୁଃଖକଷ୍ଟ କାହିଁକି ରହିଛି ? ଆପଣ ତାଙ୍କୁ କʼଣ ଉତ୍ତର ଦେଲେ ? ଆପଣ ହୁଏତ ତାଙ୍କୁ ବାଇବଲରୁ ଏହା କହିଥିବେ ଯେ ଏଦନ ବଗିଚାରେ କʼଣ ହୋଇଥିଲା । ଆପଣ ଏହା କହିଥିବେ ଯେ ଶୟତାନ ନାମକ ଜଣେ ଦୁଷ୍ଟ ସ୍ୱର୍ଗଦୂତ ପ୍ରଥମ ପୁରୁଷ ଓ ସ୍ତ୍ରୀ, ଅର୍ଥାତ୍ ଆଦମ ଓ ହବାକୁ ମିଛ କହିଲା ଏବଂ ତାଙ୍କୁ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବା ପାଇଁ ଭ୍ରାନ୍ତ କଲା । (ଆଦି. ୩:୧-୬) ଏହାପରେ ଆପଣ କହିଥିବେ ଯେ ଆଦମ ଓ ହବା ତାʼ କଥାରେ ଆସି ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ, ସେଥିପାଇଁ ଆଜି ଦୁନିଆରେ ଏତେ ଦୁଃଖକଷ୍ଟ ଓ ମୃତ୍ୟୁ ରହିଛି । (ରୋମୀ. ୫:୧୨) ଶେଷରେ ଆପଣ ଏହା ବୁଝାଇଥିବେ ଯେ ଶୟତାନ ଯାହା କହିଥିଲା, ତାହାକୁ ପ୍ରମାଣିତ କରିବା ପାଇଁ ଯିହୋବା ତାକୁ ସମୟ ଦେଇଛନ୍ତି । ଆଉ ଏହି ସମୟ ମଧ୍ୟରେ ଲୋକମାନଙ୍କୁ ଏହି ଖୁସିଖବର ଶୁଣାଯିବ ଯେ ମଣିଷମାନେ ଦିନେ ପରିପୂର୍ଣ୍ଣ ହୋଇଯିବେ । (ପ୍ରକା. ୨୧:୩, ୪) ଆପଣ ସେମାନଙ୍କୁ ଯେପରି ଭାବେ ଉତ୍ତର ଦେଇଥିଲେ, ତାହା ଗୋଟିଏ ଭଲ ଉପାୟ ଏବଂ ଏଥିରୁ ଆପଣଙ୍କୁ ଭଲ ପରିଣାମ ମିଳିପାରିବ ।
୧୫. ଯେବେ କେହି ପଚାରନ୍ତି ଯେ ଆଜି ଏତେ ଦୁଃଖକଷ୍ଟ କାହିଁକି ରହିଛି, ତେବେ ଆମେ କିପରି ତାଙ୍କୁ ଆୟୁବ ବହିରୁ ଉତ୍ତର ଦେଇପାରିବା ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୫ ଆପଣ ଆୟୁବଙ୍କ ଘଟଣାରୁ ବି ବ୍ୟକ୍ତି ଜଣକୁ କହିପାରିବେ ଯେ ଆଜି ଦୁନିଆରେ ଏତେ ଦୁଃଖକଷ୍ଟ କାହିଁକି ରହିଛି । ସର୍ବପ୍ରଥମେ ଏହି ପ୍ରଶ୍ନ ପଚାରିବା ପାଇଁ ଆପଣ ତାଙ୍କ ପ୍ରଶଂସା କରିପାରିବେ । ଏହାପରେ ତାଙ୍କୁ ଆୟୁବଙ୍କ ବିଷୟରେ କିଛି କଥା ଜଣାନ୍ତୁ, ଯେପରି ସେ ଈଶ୍ୱରଙ୍କ ଜଣେ ବିଶ୍ୱସ୍ତ ସେବକ ଥିଲେ । ତାଙ୍କୁ ଅନେକ ସମସ୍ୟାର ସାମନା କରିବା ପାଇଁ ପଡ଼ିଲା, ତେଣୁ ସେ ମଧ୍ୟ ଏପରି ହିଁ କିଛି ପ୍ରଶ୍ନ ପଚାରିଥିଲେ । ତାଙ୍କୁ ଲାଗୁଥିଲା ଯେ ଈଶ୍ୱର ହିଁ ତାଙ୍କୁ ଦୁଃଖକଷ୍ଟ ଦେଉଛନ୍ତି । (ଆୟୁ. ୭:୧୭-୨୧) ଏହା ଜାଣି ହୁଏତ ସେହି ବ୍ୟକ୍ତିକୁ ଭଲ ଲାଗିବ ଯେ ପ୍ରାଚୀନ ସମୟରେ ବି ଲୋକମାନଙ୍କ ମନରେ ଏପରି ପ୍ରଶ୍ନ ଆସୁଥିଲା । ଏହାପରେ ଆପଣ ତାଙ୍କୁ ବୁଝାଇପାରିବେ ଯେ ଆୟୁବ ବହିରୁ ଆପଣ ଏହା ଜାଣିପାରିଲେ ଯେ ସମସ୍ୟାଗୁଡ଼ିକ ଈଶ୍ୱରଙ୍କ ଯୋଗୁଁ ନୁହେଁ, ବରଂ ଶୟତାନ ଯୋଗୁଁ ଆସେ । ଶୟତାନ ଏଥିପାଇଁ ଏପରି କରେ, କାରଣ ସେ ଏହା ପ୍ରମାଣିତ କରିବା ପାଇଁ ଚାହେଁ ଯେ ଲୋକମାନେ କେବଳ ନିଜର ସ୍ୱାର୍ଥ ପାଇଁ ଈଶ୍ୱରଙ୍କ ସେବା କରନ୍ତି । ଏହାପରେ ଆପଣ କହିପାରିବେ ଯେ ଈଶ୍ୱର ଆୟୁବଙ୍କ ଉପରେ ସମସ୍ୟାଗୁଡ଼ିକ ଆଣିଲେ ନାହିଁ, କିନ୍ତୁ ସେ ତାଙ୍କ ଉପରେ ସମସ୍ୟାଗୁଡ଼ିକ ଆସିବା ପାଇଁ ଅନୁମତି ଦେଲେ । ଏଥିରୁ ଜଣାପଡ଼େ ଯେ ଈଶ୍ୱର ମଣିଷମାନଙ୍କ ଉପରେ ପୂରା ଭରସା କରନ୍ତି ଯେ ସେମାନେ ସମସ୍ୟା ସତ୍ତ୍ୱେ ତାଙ୍କର ବିଶ୍ୱସ୍ତ ରହିବେ ଏବଂ ଶୟତାନ ଯାହା କହିଥିଲା, ତାହାକୁ ମିଛ ସାବ୍ୟସ୍ତ କରିବେ । ଆପଣ ଏହା ବି କହିପାରିବେ ଯେ ଆୟୁବ ସମସ୍ୟାଗୁଡ଼ିକ ସମୟରେ ଈଶ୍ୱରଙ୍କ ବିଶ୍ୱସ୍ତ ରହିଲେ, ସେଥିପାଇଁ ଈଶ୍ୱର ତାଙ୍କୁ ଅନେକ ଆଶିଷ ଦେଲେ । ଏପରି ଭାବେ ଆମେ ଲୋକମାନଙ୍କୁ ଭରସା ଦେଇପାରିବା ଯେ ଆମ ଦୁଃଖକଷ୍ଟ ପାଇଁ ଈଶ୍ୱର ଦାୟୀ ନୁହଁନ୍ତି ।
ଆପଣ କିପରି ଆୟୁବ ବହିରୁ ଅନ୍ୟମାନଙ୍କୁ ଏହା ଭରସା ଦେଇପାରିବେ ଯେ ଈଶ୍ୱର ଆମକୁ ଦୁଃଖକଷ୍ଟ ଦିଅନ୍ତି ନାହିଁ ? (ପାରାଗ୍ରାଫ ୧୫)
୧୬. ଗୋଟିଏ ଅନୁଭୂତିରୁ କିପରି ଜଣାପଡ଼େ ଯେ ଯେଉଁମାନେ କଷ୍ଟ ସହୁଛନ୍ତି, ସେମାନଙ୍କୁ ଆୟୁବ ବହିରୁ ସାହାଯ୍ୟ ମିଳିପାରିବ ?
୧୬ ଗୋଟିଏ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ ଯେ ଆୟୁବ ବହିରୁ ମାରିଓ ନାମକ ଜଣେ ବ୍ୟକ୍ତିଙ୍କୁ କିପରି ସାହାଯ୍ୟ ମିଳିଲା । ଏହା ୨୦୨୧ର କଥା । ଜଣେ ଭଉଣୀ ଦିନେ ଫୋନ୍ରେ ସାକ୍ଷ୍ୟ ଦେଉଥିଲେ । ଯେବେ ସେ ପ୍ରଥମ ଫୋନ୍ କଲେ, ତେବେ ସେହି ଫୋନ୍ ମାରିଓଙ୍କୁ ଲାଗିଲା । ଭଉଣୀ ବାଇବଲରୁ ଗୋଟିଏ ପଦ କହିଲେ ଓ ବୁଝାଇଲେ ଯେ ଈଶ୍ୱର କେବଳ ଆମ ପ୍ରାର୍ଥନା ଶୁଣନ୍ତିନି, ବରଂ ସେ ଆମକୁ ଭବିଷ୍ୟତ ପାଇଁ ଗୋଟିଏ ବଢ଼ିଆ ଆଶା ବି ଦେଇଛନ୍ତି । ଏହା କହିବା ପରେ ସେ ମାରିଓଙ୍କୁ ପଚାରିଲେ ଯେ ଏହା ଜାଣି ତାଙ୍କୁ କିପରି ଲାଗିଲା । ମାରିଓ କହିଲେ ଯେ ସେ ଆତ୍ମହତ୍ୟା କରିବାକୁ ଯାଉଥିଲେ ଏବଂ ଏବିଷୟରେ ସେ ଚିଠି ଲେଖୁଥିଲେ । ଆଉ ସେହିକ୍ଷଣି ତାଙ୍କ ଫୋନ୍ ବାଜିଲା । ସେ କହିଲେ, “ମୁଁ ଈଶ୍ୱରଙ୍କୁ ତ ବିଶ୍ୱାସ କରେ, କିନ୍ତୁ ଆଜି ସକାଳେ ମୋତେ ଲାଗୁଥିଲା ଯେ ସେ ମୋତେ ଏକୁଟିଆ ଛାଡ଼ି ଦେଇଛନ୍ତି ।” ଯେବେ ଭଉଣୀ ଦ୍ୱିତୀୟ ଥର ତାଙ୍କୁ ଫୋନ୍ କଲେ, ତେବେ ସେ ତାଙ୍କୁ ଆୟୁବଙ୍କ ବିଷୟରେ କହିଲେ ଯେ ଆୟୁବଙ୍କୁ କେତେଗୁଡ଼ିଏ ସମସ୍ୟାର ସାମନା କରିବାକୁ ପଡ଼ିଲା । ମାରିଓ ଭାବିନେଲେ ଯେ ସେ ଆୟୁବ ବହି ପଢ଼ିବେ । ଆଉ ଏହା ପାଇଁ ଭଉଣୀ ଆମ ୱେବସାଇଟ୍ରୁ ପବିତ୍ର ଶାସ୍ତ୍ରର ନୂତନ ଜଗତ ଅନୁବାଦ ବାଇବଲର ଲିଙ୍କ ପଠାଇଲେ, ଯାହାଫଳରେ ସେ ବାଇବଲ ପଢ଼ିପାରନ୍ତୁ । ଏହାର କʼଣ ପରିଣାମ ହେଲା ? ମାରିଓ ବାଇବଲ ଅଧ୍ୟୟନ କରିବା ଆରମ୍ଭ କଲେ ଓ ଯେବେ ସେ ଜାଣିଲେ ଯେ ଈଶ୍ୱର ତାଙ୍କୁ ପ୍ରେମ କରନ୍ତି ଏବଂ ତାଙ୍କର ବହୁତ ଚିନ୍ତା କରନ୍ତି, ତେବେ ତାଙ୍କୁ ଯିହୋବାଙ୍କ ବିଷୟରେ ଜାଣିବା ପାଇଁ ଆହୁରି ଇଚ୍ଛା ହେଲା ।
୧୭. ଆପଣ ଏହା ପାଇଁ ଯିହୋବାଙ୍କର କାହିଁକି କୃତଜ୍ଞ ଯେ ସେ ଆୟୁବ ବହି ଲେଖାଇଲେ ? (ଆୟୁବ ୩୪:୧୨)
୧୭ ଏହି ଅନୁଭୂତିରୁ ଜଣାପଡ଼େ ଯେ ଈଶ୍ୱରଙ୍କ ବାକ୍ୟରେ ଏତେ ଶକ୍ତି ରହିଛି ଯେ ଏଥିରୁ ଲୋକମାନଙ୍କ ଜୀବନ ବଦଳିଯାଏ ଏବଂ ଯେଉଁମାନେ କଷ୍ଟଗୁଡ଼ିକ ସହୁଛନ୍ତି, ସେମାନଙ୍କୁ ସାନ୍ତ୍ୱନା ମିଳେ । (ଏବ୍ରୀ ୪:୧୨) ଆମେ ଯିହୋବାଙ୍କର ବହୁତ କୃତଜ୍ଞ ଯେ ସେ ଆୟୁବଙ୍କ ଘଟଣା ବାଇବଲରେ ଲେଖାଇଲେ । (ଆୟୁ. ୧୯:୨୩, ୨୪) ଯଦି ଆମେ ଆୟୁବ ବହି ପଢ଼ିବା, ତାହେଲେ ଆମେ ବି ଏହା କହିପାରିବା ଯେ “ନିଶ୍ଚୟ ପରମେଶ୍ୱର ଦୁଷ୍ଟାଚରଣ କରିବେ ନାହିଁ ।” (ଆୟୁବ ୩୪:୧୨ ପଢ଼ନ୍ତୁ ।) ଏହି ବହିରୁ ଆମେ ଏହା ବି ଜାଣିପାରିବା ଯେ ଈଶ୍ୱର କାହିଁକି ଦୁଃଖକଷ୍ଟକୁ ଦୂର କରି ନାହାନ୍ତି ଏବଂ ଯେବେ ଆମ ଉପରେ ସମସ୍ୟାଗୁଡ଼ିକ ଆସେ, ତେବେ ଆମେ କିପରି ଧୈର୍ଯ୍ୟ ଧରିପାରିବା । ଏହି ବହିରୁ ଆମେ ସେହି ଲୋକମାନଙ୍କୁ ବି ସାନ୍ତ୍ୱନା ଦେଇପାରିବା, ଯେଉଁମାନେ ସମସ୍ୟାଗୁଡ଼ିକର ସାମନା କରୁଛନ୍ତି । ପରବର୍ତ୍ତୀ ଲେଖାରେ ଆମେ ଜାଣିବା ଯେ ଆୟୁବ ବହିରୁ ଆମେ କିପରି ଅନ୍ୟମାନଙ୍କୁ ଭଲ ପରାମର୍ଶ ଦେଇପାରିବା ।
ଗୀତ ୧୫୬ ବିଶ୍ୱାସର ଆଖିରେ
a ଏପରି ଜଣାପଡ଼େ ଯେ ଯିହୋବା ଓ ଶୟତାନ ମଧ୍ୟରେ ଯେଉଁ କଥାବାର୍ତ୍ତା ହେଲା ଏବଂ ଆୟୁବଙ୍କ ଉପରେ ଯେଉଁ ସମସ୍ୟାଗୁଡ଼ିକ ଆସିଲା, ସେସବୁ ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ଯୋଷେଫଙ୍କ ମୃତ୍ୟୁ (ଖ୍ରୀଷ୍ଟ ପୂର୍ବ ୧୬୫୭) ପରେ ଏବଂ ମୋଶାଙ୍କୁ ଇସ୍ରାଏଲର ମୁଖିଆ ଭାବେ ବଛାଯିବାର (ପ୍ରାୟ ଖ୍ରୀଷ୍ଟ ପୂର୍ବ ୧୫୧୪) ପୂର୍ବରୁ ହୋଇଥିଲା ।
b ଏହି ଲେଖାରେ ଦିଆଯାଇଥିବା ଲୋକମାନଙ୍କ ନାମ ସେମାନଙ୍କର ଅସଲି ନାମ ନୁହେଁ ।