ଭାଗ ୩
ମାନବଜାତି ଜଳପ୍ଳାବନରୁ ରକ୍ଷା ପାଇଲେ
ଈଶ୍ୱର ଦୁଷ୍ଟ ସଂସାରକୁ ଧ୍ୱଂସ କଲେ କିନ୍ତୁ ନୋହ ଓ ତାହାଙ୍କ ପରିବାରକୁ ରକ୍ଷା କଲେ
ମାନବଜାତି ଯେତିକି ବଢ଼ିବାକୁ ଲାଗିଲା, ସେତିକି ପାପ ଓ ଦୁଷ୍ଟତା ପୃଥିବୀରେ ବ୍ୟାପିଲା । ସେହି ସମୟର ଏକ ମାତ୍ର ଭବିଷ୍ୟତବକ୍ତା ହନୋକ ସତର୍କ କରି କହିଥିଲେ ଯେ ଦିନେ ଈଶ୍ୱର ଅଧାର୍ମିକ ଲୋକମାନଙ୍କୁ ଧ୍ୱଂସ କରିବେ । ତଥାପି, ମନ୍ଦତା ଅଧିକରୁ ଅଧିକ ବଢ଼ି ଚାଲିଲା । କିଛି ସ୍ୱର୍ଗଦୂତ ନିଜର ସ୍ୱର୍ଗୀୟ ସ୍ଥାନକୁ ତ୍ୟାଗକରି ଈଶ୍ୱରଙ୍କ ବିରୋଧ କଲେ ଏବଂ ମାନବ ଶରୀର ଧାରଣ କରି ନିଜ କାମୁକତାର ଅଭିଳାଷରେ ପଡ଼ି ପୃଥିବୀର ନାରୀମାନଙ୍କ ସଙ୍ଗେ ସହବାସ କଲେ । ଏହି ଅସଙ୍ଗତ ସଂମ୍ପର୍କ ଦ୍ୱାରା କିଛି ମହାବୀର ମାନବ ଜନ୍ମିଲେ—ଯେଉଁମାନଙ୍କୁ ଦାନବ ବା ନେଫିଲୀୟ କୁହାଯାଏ, ସେମାନେ ହିଁ ପୃଥିବୀରେ ଦୌରାତ୍ମିୟତା ଓ ରକ୍ତପାତ ବଢ଼ାଇଲେ । ନିଜ ପାର୍ଥିବ ସୃଷ୍ଟିର ଧ୍ୱଂସ ହେବାର ଦେଖି ଈଶ୍ୱର ଅତି ଦୁଃଖିତ ହେଲେ ।
ହନୋକଙ୍କ ମୃତ୍ୟୁପରେ ଜଣେ ଏପରି ବ୍ୟକ୍ତି ଆସିଲେ ଯିଏ କି ଏହି ଦୁଷ୍ଟସଂସାରରୁ ସମ୍ପୂର୍ଣ୍ଣ ଅଲଗା ଥିଲେ । ତାହାଙ୍କ ନାମ ନୋହ । ସେ ଏବଂ ତାହାଙ୍କ ପରିବାର ଯାହା ଈଶ୍ୱରଙ୍କ ଦୃଷ୍ଟିରେ ଉତ୍ତମ ତାହା ହିଁ କରିବାକୁ ଚେଷ୍ଟା କରୁଥିଲେ । ଈଶ୍ୱର ଯେତେବେଳେ ସ୍ଥିର କଲେ ଯେ ସମସ୍ତ ଦୁଷ୍ଟସଂସାରକୁ ଧ୍ୱଂସ କରିବେ, ସେତେବେଳେ ସେ ନୋହ ସହ ପୃଥିବୀର କେତେକ ଜୀବଜନ୍ତୁଙ୍କୁ ରକ୍ଷା କରିବାକୁ ଚାହିଁଲେ । ତେଣୁ ଈଶ୍ୱର ନୋହଙ୍କୁ ଗୋଟିଏ ବଡ଼ ଜାହାଜ ତିଆରି କରିବାକୁ କହିଲେ, ଯାହା ଦେଖିବାକୁ ଏକ ବିରାଟ ଆୟତକାର ବାକ୍ସ ସଦୃଶ ଥିଲା । ଏହି ଜାହାଜରେ ନୋହ ଓ ତାହାଙ୍କ ପରିବାର ସହିତ ବିଭିନ୍ନ ଜୀବଜନ୍ତୁ ଆଗନ୍ତୁକ ଜଳପ୍ଳାବନରୁ ରକ୍ଷା ପାଇବେ । ନୋହ ଈଶ୍ୱରଙ୍କ କଥା ଶୁଣିଥିଲେ । ଦୀର୍ଘ ୪୦ ବର୍ଷରୁ ଅଧିକ ଧରି ଜାହାଜ ତିଆରି କରିବା ସମୟରେ ନୋହ ଜଣେ “ଧର୍ମପ୍ରଚାରକ” ମଧ୍ୟ ଥିଲେ । (୨ ପିତର ୨:୫) ସେ ଲୋକମାନଙ୍କୁ ଆଗନ୍ତୁକ ଜଳପ୍ଳାବନ ବିଷୟରେ ସତର୍କ କରିଥିଲେ କିନ୍ତୁ ସେମାନେ ତାହାଙ୍କ କଥାକୁ ଶୁଣିଲେ ନାହିଁ । ଶେଷରେ ଏପରି ଏକ ସମୟ ଆସିଲା, ନୋହ ଏବଂ ତାହାଙ୍କ ପରିବାର ସହିତ କେତେକ ଜୀବଜନ୍ତୁ ଜାହାଜ ଭିତରକୁ ଗଲେ । ତାପରେ, ଈଶ୍ୱର ନିଜେ ଜାହାଜର କବାଟ ବନ୍ଦ କରିଦେଲେ । ଏବଂ ବର୍ଷା ହେଲା ।
ଏହାପରେ, ସାରା ପୃଥିବୀ ଜଳମଗ୍ନ ନ ହେବା ପର୍ଯ୍ୟନ୍ତ ଦୀର୍ଘ ୪୦ ଦିନ ଓ ୪୦ ରାତି ଧରି ମୂଷଳଧାରାରେ ବର୍ଷା ହେଲା । ଦୁଷ୍ଟ ଲୋକ ବିନାଶ ହେଲେ । ଏପରି କିଛି ମାସ ବିତିଗଲା ପରେ, ପାଣି କମି ଗଲା, ଆଉ ଜାହାଜଟି ଆସି ଗୋଟିଏ ପର୍ବତ ଶିଖରରେ ଅଟକି ଗଲା । ପ୍ରାୟ ଏକ ବର୍ଷ ଜାହାଜ ଭିତରେ ରହିବା ପରେ, ସମସ୍ତେ ନିରାପଦରେ ଜାହାଜରୁ ବାହାରକୁ ଆସିଲେ । ନୋହ ଯିହୋବାଙ୍କ ଉଦ୍ଦେଶ୍ୟରେ ଗୋଟିଏ ବଳିଉତ୍ସର୍ଗ କଲେ । ଈଶ୍ୱର ଏହା ଗ୍ରହଣ କରିବା ସହ ନୋହ ଓ ତାହାଙ୍କ ପରିବାରକୁ ଆଶ୍ୱାସନା ଦେଇ କହିଲେ, ଯେ ଏହା ପରେ ସେ, ଆଉ କେବେହେଲେ ଜଳପ୍ଳାବନ ଦ୍ୱାରା କୌଣସି ପ୍ରାଣୀଙ୍କୁ ବିନାଶ କରିବେ ନାହିଁ । ଯିହୋବା ଗୋଟିଏ ମେଘଧନୁ ଦେଲେ, ଯାହା ମନୁଷ୍ୟଜାତି ପାଇଁ ତାହାଙ୍କ ସାନ୍ତ୍ୱନାମୂଳକ ପ୍ରତିଜ୍ଞାର ଏକ ଦୃଶ୍ୟମାନ ପ୍ରମାଣ ।
ଜଳପ୍ଳାବନ ପରେ ଈଶ୍ୱର ମନୁଷ୍ୟଜାତିଙ୍କୁ ଆଉ କେତୋଟି ନୂତନ ଆଜ୍ଞା ଦେଇ ଥିଲେ । ସେ ସେମାନଙ୍କୁ ପଶୁ ମାଂସ ଖାଇବାକୁ ଅନୁମତି ଦେଲେ କିନ୍ତୁ ରକ୍ତ ଖାଇବାକୁ ମନା କଲେ । ଈଶ୍ୱର, ନୋହଙ୍କ ବଂଶଧରଙ୍କୁ ଏହା ମଧ୍ୟ କହିଥିଲେ ଯେ, ସେମାନେ ସାରା ପୃଥିବୀରେ ବ୍ୟାପି ଯାʼନ୍ତୁ କିନ୍ତୁ କେତେକ ତାହାଙ୍କ କଥାକୁ ଅମାନ୍ୟ କଲେ । ସେହି ଅବାଧ୍ୟ ଲୋକମାନେ, ନିମ୍ରୋଦ ନାମକ ଜଣେ ବ୍ୟକ୍ତିଙ୍କ ଅଧୀନରେ ବାବେଲ ସହର ଯାହା ପରେ ବାବିଲ କୁହାଗଲା ସେଠାରେ ଏକ ବିଶାଳ ଦୁର୍ଗ ତିଆରି କରିବାକୁ ଲାଗିଲେ । ମାନବ ଜାତି ପୃଥିବୀରେ ବ୍ୟାପି ଯିବା ପାଇଁ ଈଶ୍ୱରଙ୍କ ଯେଉଁ ଆଜ୍ଞା ଥିଲା, ତାହା ଉଲ୍ଲଙ୍ଘନ କରିବା ସେମାନଙ୍କର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କିନ୍ତୁ ଈଶ୍ୱର ସେମାନଙ୍କ କଳ୍ପନାକୁ ବିଫଳ କରିବାକୁ ଯାଇ ତାʼଙ୍କ ଭାଷାରେ ବିଭ୍ରାନ୍ତ ସୃଷ୍ଟିକଲେ ଯାହା ଫଳରେ ସେମାନେ ଅଲଗା ଅଲଗା ଭାଷା କହିବାକୁ ଲାଗିଲେ । ଶେଷରେ ସେମାନେ ପରସ୍ପର କଥାକୁ ବୁଝି ନ ପାରିବା ଯୋଗୁଁ ସେହି ନିର୍ମାଣ କାର୍ଯ୍ୟକୁ ବନ୍ଦ କରି ପୃଥିବୀର ଚତୁର୍ଦିଗକୁ ଚାଲିଗଲେ ।
—ଏହା ଆଦିପୁସ୍ତକ ଅଧ୍ୟାୟ ୬ ରୁ ୧୧ ଅଧ୍ୟାୟ; ଯିହୂଦା ୧୪, ୧୫ ଉପରେ ଆଧାରିତ ।