ଅକ୍ଟୋବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୧-୭ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୯-୧୦
“ଯୀଶୁ ନିଜ ମେଷମାନଙ୍କର ଯତ୍ନ ନିଅନ୍ତି”
ଅଧ୍ୟୟନ ବାଇବଲ—ଚିତ୍ର
ମେଷଶାଳା
ମେଷଶାଳା ଏକ ପ୍ରକାର ବାଡ଼ ଥିଲା, ଯାହା ଭିତରେ ମେଷଗୁଡ଼ିକୁ ରଖାଯାଉଥିଲା । ଏହା ଫଳରେ ବନ୍ୟଜନ୍ତୁ ଓ ଚୋରମାନଙ୍କଠାରୁ ସେଗୁଡ଼ିକୁ ସୁରକ୍ଷା ମିଳୁଥିଲା । ମେଷପାଳକମାନେ ରାତିରେ ନିଜ ମେଷଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସେଗୁଡ଼ିକୁ ମେଷଶାଳାରେ ରଖୁଥିଲେ । ବାଇବଲ ସମୟରେ ମେଷଶାଳାଗୁଡ଼ିକ ଭିନ୍ନ ଭିନ୍ନ ଆକୃତି ଓ ଆକାରର ଥିଲା । ଅଧିକାଂଶ ବାଡ଼ଗୁଡ଼ିକ ପଥରରେ ତିଆରି ହେଉଥିଲା । ସେଗୁଡ଼ିକର ଛାତ ରହୁ ନ ଥିଲା ଏବଂ ସେଥିରେ ଏକମାତ୍ର ଦ୍ୱାର ରହୁଥିଲା । (ଗଣ ୩୨:୧୬; ୧ଶାମୁ ୨୪:୩; ସିଫ ୨:୬) ଯୋହନ ଯେଉଁ ମେଷଶାଳା ବିଷୟରେ କହିଲେ, ତାʼ ଭିତରକୁ “ଦ୍ୱାର ଦେଇ” ଯିବାକୁ ପଡ଼ୁଥିଲା ଏବଂ ଏହାକୁ ଜଣେ “ଦ୍ୱାରୀ” ବା ଜଗୁଆଳି ଜଗୁଥିଲା । (ଯୋହ ୧୦:୧, ୩) କିଛି ମେଷଶାଳାରେ ଅନେକ ମେଷପାଳକମାନଙ୍କର ମେଷଗୁଡ଼ିକୁ ରାତିରେ ରଖାଯାଉଥିଲା ଏବଂ ଜଣେ ଦ୍ୱାରୀ ସେଠାରେ ଜଗୁଥିଲା । ସକାଳ ହେବା ପରେ ଦ୍ୱାରୀ ମେଷପାଳକମାନଙ୍କ ପାଇଁ ଦ୍ୱାର ଖୋଲୁଥିଲା । ତାʼପରେ ପ୍ରତ୍ୟେକ ମେଷପାଳକ ନିଜ ନିଜ ମେଷଗୁଡ଼ିକୁ ସ୍ୱର ଦେଇ ଡାକୁଥିଲା । ମେଷଗୁଡ଼ିକ ତାʼର ସ୍ୱର ଚିହ୍ନୁଥିଲେ ଏବଂ ତାʼ ପାଖକୁ ଆସୁଥିଲେ । (ଯୋହ ୧୦:୩-୫) ଯୀଶୁ ମେଷଶାଳାର ଉଦାହରଣ ଦେଇ ଜଣାଇଲେ ଯେ ସେ ନିଜ ଶିଷ୍ୟମାନଙ୍କର କିପରି ଯତ୍ନ ନିଅନ୍ତି ।—ଯୋହ ୧୦:୭-୧୫.
ପ୍ର୧୧-ହି ୫/୧୫ ୭-୮ ¶୫
ଖ୍ରୀଷ୍ଟିୟାନ ପରିବାରମାନେ—‘ଜାଗ୍ରତ ରୁହନ୍ତୁ’
ଲାକ୍ଷଣିକ ଭାବେ ମେଷପାଳକ ଓ ମେଷଗୁଡ଼ିକ ମଧ୍ୟରେ ସମ୍ପର୍କ ଜ୍ଞାନ ଓ ବିଶ୍ୱାସ ଉପରେ ଆଧାରିତ । ଜଣେ ମେଷପାଳକ ନିଜ ମେଷଗୁଡ଼ିକ ବିଷୟରେ ସବୁକିଛି ଜାଣେ । ମେଷଗୁଡ଼ିକ ମଧ୍ୟ ନିଜ ମେଷପାଳକକୁ ଭଲ ଭାବେ ଜାଣନ୍ତି ଏବଂ ତାକୁ ଭରସା କରନ୍ତି । ସେଗୁଡ଼ିକ ମେଷପାଳକର ସ୍ୱର ଚିହ୍ନନ୍ତି ଏବଂ ତାʼ କଥା ମାନନ୍ତି । ଯୀଶୁ କହିଲେ, “ମୁଁ ମୋʼ ନିଜର ମେଷଗୁଡ଼ିକୁ ଜାଣେ, ଆଉ ମୋʼ ନିଜର ମେଷଗୁଡ଼ିକ ମୋତେ ଜାଣନ୍ତି ।” ଅର୍ଥାତ୍ ଯୀଶୁ ନିଜ ମଣ୍ଡଳୀଗୁଡ଼ିକ ବିଷୟରେ ସମସ୍ତ ଟିକିନିଖି କଥା ଜାଣନ୍ତି । ଏଠାରେ “ଜାଣେ” ଶବ୍ଦ ପାଇଁ ଯେଉଁ ଗ୍ରୀକ୍ ଶବ୍ଦ ବ୍ୟବହାର କରାଯାଇଛି, ତାʼ ଅର୍ଥ ହେଉଛି— “ବ୍ୟକ୍ତିଗତ ଭାବେ କିମ୍ବା ସମ୍ପୂର୍ଣ୍ଣ ତଥ୍ୟ ରଖିବା ।” ହଁ, ଆମର ଉତ୍ତମ ମେଷପାଳକ ନିଜ ପ୍ରତ୍ୟେକ ମେଷର ଆବଶ୍ୟକତା, ତାʼର ଦୁର୍ବଳତା ଓ ତାʼର ସାମର୍ଥ୍ୟ ଜାଣନ୍ତି । ଆମର ଆଦର୍ଶ ଯୀଶୁଙ୍କଠାରୁ ମେଷମାନଙ୍କ ବିଷୟରେ କୌଣସି କଥା ଲୁଚିପାରିବ ନାହିଁ । ଠିକ୍ ସେହିପରି ମେଷମାନେ ମଧ୍ୟ ମେଷପାଳକଙ୍କୁ ଭଲ ଭାବେ ଜାଣନ୍ତି ଏବଂ ତାହାଙ୍କ ନେତୃତ୍ୱ ଉପରେ ଭରସା ରଖନ୍ତି ।
ଅନୁଗମନ କର (ହିନ୍ଦୀ) ୧୨୫ ¶୧୭
“ଦୃଷ୍ଟାନ୍ତ ବିନା ସେ ସେମାନଙ୍କୁ କିଛି କହୁ ନ ଥିଲେ”
ଜର୍ଜ୍ ଏ. ସ୍ମିଥ୍ ପବିତ୍ର ଦେଶର ପ୍ରାଚୀନ ଭୂଗୋଳ (ଇଂରାଜୀ) ନାମକ ନିଜ ବହିରେ ନିଜ ଆଖିରେ ଦେଖିଥିବା ଘଟଣା ବିଷୟରେ ଲେଖିଲେ: “ଆମେ କେବେ କେବେ ଦ୍ୱିପହର ସମୟରେ ଯିହୁଦାର କୌଣସି କୂଅ ପାଖରେ ଆରାମ କରୁଥିଲୁ । ସେଠାରେ ତିନି ଚାରିଟି ମେଷପାଳକ ନିଜ ମେଷପଲକୁ ପାଣି ପିଆଇବା ପାଇଁ ଆଣୁଥିଲେ । ସମସ୍ତ ପଲ ପରସ୍ପର ମଧ୍ୟରେ ମିଶି ଯାଉଥିଲେ ଏବଂ ସେଗୁଡ଼ିକୁ ଦେଖି ଆମେ ଚିନ୍ତାରେ ପଡ଼ିଯାଉଥିଲୁ ଯେ ମେଷପାଳକମାନେ ନିଜ ନିଜ ପଲକୁ କିପରି ଅଲଗା କରିବେ । କିନ୍ତୁ ଯେତେବେଳେ ମେଷଗୁଡ଼ିକର ପାଣି ପିଇବା ଓ ଖେଳକୁଦ ସରିଯାଉଥିଲା, ମେଷପାଳକମାନେ ଜଣେ ଜଣେ କରି ଉପତ୍ୟକାର ଭିନ୍ନ ଭିନ୍ନ ଦିଗକୁ ଯାଉଥିଲେ ଏବଂ ପ୍ରତ୍ୟେକେ ନିଜର ଭିନ୍ନ ଭିନ୍ନ ଆବାଜ୍ରେ ମେଷଗୁଡ଼ିକୁ ଡାକୁଥିଲେ । ସେତେବେଳେ ପ୍ରତ୍ୟେକ ପଲର ମେଷଗୁଡ଼ିକ ବାହାରି ନିଜ ନିଜ ମେଷପାଳକ ପାଖକୁ ଚାଲି ଯାଉଥିଲେ ଏବଂ ସବୁ ମେଷଗୁଡ଼ିକ ଯେପରି ପାଣି ପିଇବାକୁ ଆସିଥିଲେ, ଠିକ୍ ସେହିପରି ବ୍ୟବସ୍ଥିତ ଭାବେ ଫେରି ଯାଉଥିଲେ ।” ଯୀଶୁ ନିଜ କଥାକୁ ବୁଝାଇବା ପାଇଁ କେତେ ବଢ଼ିଆ ଉଦାହରଣ ଦେଲେ! ସେ ଶିଖାଇବାକୁ ଚାହୁଁଥିଲେ ଯେ ଯଦି ଆମେ ତାହାଙ୍କ ଶିକ୍ଷାଗୁଡ଼ିକୁ ଜାଣିବା, ସେଗୁଡ଼ିକୁ ମାନିବା ଏବଂ ତାହାଙ୍କ ମାର୍ଗଦର୍ଶନରେ ଚାଲିବା, ତେବେ ସେହି “ଉତ୍ତମ ମେଷପାଳକ” ପ୍ରେମର ସହ ଆମର ଯତ୍ନ ନେବେ ।
ଅଧ୍ୟୟନ ବାଇବଲ—ଯୋହ ୧୦:୧୬ ଅଧ୍ୟୟନ ତଥ୍ୟ
ଆଣିବା: କିମ୍ବା “ନେତୃତ୍ୱ ନେବା ।” ଗ୍ରୀକ୍ ଶାସ୍ତ୍ରରେ ଏହି ପଦରେ ଆଗୋ କ୍ରିୟା ବ୍ୟବହାର କରାଯାଇଛି, ସନ୍ଦର୍ଭ ଅନୁଯାୟୀ, ଏହାର ଅର୍ଥ କିଛି ପଦରେ “ଆଣିବା,” ଆଉ କିଛି ପଦରେ “ନେତୃତ୍ୱ ନେବା” ହୋଇପାରେ । ପ୍ରାୟ ୨୦୦ ଖ୍ରୀଷ୍ଟାବ୍ଦର ଏକ ଗ୍ରୀକ୍ ପାଣ୍ଡୁଲିପିରେ ଏହା ସହ ଜଡ଼ିତ ଆଉ ଗୋଟିଏ ଗ୍ରୀକ୍ ଶବ୍ଦ (ସାଇନାଗୋ) ବ୍ୟବହାର କରାଯାଇଛି, ଯାହାର ଅନୁବାଦ ସାଧାରଣତଃ “ଏକତ୍ରିତ କରିବା” କରାଯାଏ । ଜଣେ ଉତ୍ତମ ମେଷପାଳକ ଭାବରେ ଯୀଶୁ ଏହି ମେଷଶାଳାର ମେଷଗୁଡ଼ିକୁ (ଲୂକ ୧୨:୩୨ ପଦରେ ସେଗୁଡ଼ିକୁ “ସାନ ପଲ” ବୋଲି କୁହାଯାଇଛି) ଏବଂ ନିଜ ଅନ୍ୟ ମେଷଗୁଡ଼ିକୁ ଏକତ୍ରିତ କରୁଛନ୍ତି, ବାଟ ଦେଖାଉଛନ୍ତି, ସେଗୁଡ଼ିକୁ ରକ୍ଷା କରୁଛନ୍ତି ଏବଂ ଖୁଆଉଛନ୍ତି । ଏହି ମେଷଗୁଡ଼ିକ ଗୋଟିଏ ପଲ, ଆଉ ତାʼର କେବଳ ଗୋଟିଏ ପାଳକ । ମେଷ ଓ ମେଷପାଳକର ଉଦାହରଣ ଦେଇ ଯୀଶୁ ଶିଖାଇଲେ ଯେ ତାହାଙ୍କ ଶିଷ୍ୟମାନଙ୍କ ମଧ୍ୟରେ ଏକତା ରହିବ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଯୋହ ୯:୩୮ ଅଧ୍ୟୟନ ତଥ୍ୟ
ତାହାଙ୍କୁ ପ୍ରଣାମ କଲା: କିମ୍ବା “ତାହାଙ୍କ ଆଗରେ ମୁଣ୍ଡ ନୁଆଁଇଲା, ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲା, ତାହାଙ୍କୁ ସମ୍ମାନ ଦେଲା ।” ଯେଉଁ ପଦଗୁଡ଼ିକରେ ଗ୍ରୀକ୍ କ୍ରିୟା ପ୍ରୋସ୍କିନିଓର ଅର୍ଥ କୌଣସି ଈଶ୍ୱର କିମ୍ବା ଦେବତାର ଉପାସନା କରିବା ଅଟେ, ସେଠାରେ ତାʼର ଅନୁବାଦ ‘ଉପାସନା କରିବା’ କରାଯାଇଛି । (ମାଥି ୪:୧୦; ଲୂକ ୪:୮) କିନ୍ତୁ ଯୋହ ୯:୩୮ ପଦରେ କୁହାଯାଇଥିବା ଘଟଣାରେ ଯେତେବେଳେ ଯୀଶୁ ଜନ୍ମରୁ ଅନ୍ଧ ବ୍ୟକ୍ତି ଜଣକୁ ସୁସ୍ଥ କଲେ, ସେ ବୁଝିଗଲା ଯେ ଯୀଶୁଙ୍କୁ ଈଶ୍ୱର ପଠାଇଛନ୍ତି ଏବଂ ସେଥିପାଇଁ ସେ ଯୀଶୁଙ୍କୁ ପ୍ରଣାମ କଲା । ସେ ଯୀଶୁଙ୍କୁ ଈଶ୍ୱର କିମ୍ବା ଦେବତା ଭାବେ ପ୍ରଣାମ କରି ନ ଥିଲା, ବରଂ ତାହାଙ୍କୁ ‘ମନୁଷ୍ୟପୁତ୍ର’ କିମ୍ବା ଈଶ୍ୱରଙ୍କଠାରୁ ଅଧିକାରପ୍ରାଯ୍ତ ମସୀହ ଭାବେ ସ୍ୱୀକାର କରି ପ୍ରଣାମ କଲା, ଯାହାଙ୍କ ବିଷୟରେ ପୂର୍ବରୁ ଭବିଷ୍ୟତବାଣୀ କରାଯାଇଥିଲା । (ଯୋହ ୯:୩୫) ସେ ଯୀଶୁଙ୍କ ଆଗରେ ହୁଏତ ଏପରି ମୁଣ୍ଡ ନୁଆଁଇଲେ ଯେପରି ଏବ୍ରୀ ଶାସ୍ତ୍ରରେ କୁହାଯାଇଥିବା ଲୋକମାନେ ଅନ୍ୟମାନଙ୍କ ଆଗରେ ମୁଣ୍ଡ ନୁଆଁଇ ପ୍ରଣାମ କରିଥିଲେ । ସେହି ଲୋକମାନେ ଯେତେବେଳେ ଭବିଷ୍ୟଦ୍ବକ୍ତା, ରାଜା କିମ୍ବା ଈଶ୍ୱରଙ୍କର ଅନ୍ୟ ପ୍ରତିନିଧିମାନଙ୍କୁ ଭେଟିଥିଲେ, ସେମାନଙ୍କୁ ପ୍ରଣାମ କରିଥିଲେ । (୧ଶାମୁ ୨୫:୨୩, ୨୪; ୨ଶାମୁ ୧୪:୪-୭; ୧ରାଜା ୧:୧୬; ୨ରାଜା ୪:୩୬, ୩୭) ଅନେକ ଥର ଲୋକେ ଯୀଶୁଙ୍କୁ ଏଥିପାଇଁ ପ୍ରଣାମ କରୁଥିଲେ, କାରଣ ସେମାନେ କୃତଜ୍ଞ ଥିଲେ ଯେ ଈଶ୍ୱର ସେମାନଙ୍କଠାରେ କୌଣସି କଥା ପ୍ରକଟ କରିଛନ୍ତି, କିମ୍ବା ଯୀଶୁଙ୍କ ଉପରେ ଈଶ୍ୱରଙ୍କର ମଞ୍ଜୁରି ରହିଛି ।—ମାଥି ୨:୨; ୮:୨; ୧୪:୩୩; ୧୫:୨୫.
ଅଧ୍ୟୟନ ବାଇବଲ—ଯୋହ ୧୦:୨୨ ଅଧ୍ୟୟନ ତଥ୍ୟ
ପ୍ରତିଷ୍ଠା ପର୍ବ: ଏହି ପର୍ବର ଏବ୍ରୀ ନାମ ହେଉଛି— ହନୂକ୍କା (କନୂକ୍କା), ଯାହାର ଅର୍ଥ “ଉଦ୍ଘାଟନ” କିମ୍ବା “ସମର୍ପଣ ।” ଏହି ପର୍ବ ଆଠ ଦିନ ପର୍ଯ୍ୟନ୍ତ ପାଳନ କରାଯାଉଥିଲା । ଏହା କିଶ୍ଲେବ୍ ମାସର ୨୫ତମ ଦିନ ଆରମ୍ଭ ହେଉଥିଲା, ଅର୍ଥାତ୍ ଡିସେମ୍ବର ମାସର ଶେଷରେ । [ଆପେଣ୍ଡିକ୍ସ ଖ୧୫ (ହିନ୍ଦୀ) ଦେଖନ୍ତୁ] ଖ୍ରୀଷ୍ଟ ପୂର୍ବ ୧୬୫ରେ ଯିରୂଶାଲମ ମନ୍ଦିରର ପୁଣିଥରେ ସମର୍ପଣ କରାଯାଇଥିଲା । ଏହାକୁ ସ୍ମରଣ କରିବା ପାଇଁ ଏହି ପର୍ବ ପାଳନ କରାଯାଉଥିଲା । ସିରିଆର ରାଜା ଆଣ୍ଟିଅକସ୍ ଚତୁର୍ଥ ଏପିଫନିସ୍, ଯିହୁଦୀମାନଙ୍କର ଈଶ୍ୱର ଯିହୋବାଙ୍କୁ ଅପମାନ କରିବା ପାଇଁ ତାହାଙ୍କ ମନ୍ଦିରକୁ ଦୂଷିତ କରିଥିଲା । ଉଦାହରଣସ୍ୱରୂପ, ଯେଉଁ ବଡ଼ ବେଦି ଉପରେ ପ୍ରତିଦିନ ହୋମବଳି ଚଢ଼ାଯାଉଥିଲା, ତାʼ ଉପରେ ସେ ଆଉ ଏକ ବେଦି ତିଆରି କଲା । ଖ୍ରୀଷ୍ଟ ପୂର୍ବ ୧୬୮ର କିଶ୍ଲେବ୍ ମାସର ୨୫ ତାରିଖରେ ସେ ଯିହୋବାଙ୍କ ମନ୍ଦିରକୁ ସମ୍ପୂର୍ଣ୍ଣ ଦୂଷିତ କରିବା ପାଇଁ ବେଦି ଉପରେ ଏକ ଘୁଷୁରିକୁ ବଳି ଚଢ଼ାଇଲା ଏବଂ ତାʼ ମାଂସର ସିଝା ପାଣିକୁ ମନ୍ଦିର ସାରା ଛିଞ୍ଚିଦେଲା । ସେ ମନ୍ଦିରର ଫାଟକକୁ ଜାଳିଦେଲା, ଯାଜକମାନଙ୍କ କୋଠରିକୁ ଭାଙ୍ଗିଦେଲା ଏବଂ ସ୍ୱର୍ଣ୍ଣମୟ ବେଦି, ଦର୍ଶନୀୟ ରୋଟୀର ମେଜ ଓ ସ୍ୱର୍ଣ୍ଣମୟ ଦୀପବୃକ୍ଷ ନେଇଗଲା । ପୁଣି ସେ ମନ୍ଦିରକୁ ଅଲମ୍ପସ୍ର ମିଥ୍ୟା ଦେବତା ଜିଅସ୍ର ନାମରେ ସମର୍ପିତ କଲା । ଦୁଇ ବର୍ଷ ପରେ, ଯିହୁଦା ମକ୍କାବିଅସ୍ ପୂରା ସହର ଓ ମନ୍ଦିରକୁ ଉଦ୍ଧାର କଲା । ତାʼପରେ ମନ୍ଦିରକୁ ଶୁଦ୍ଧ କରାଗଲା ଏବଂ ଖ୍ରୀଷ୍ଟ ପୂର୍ବ ୧୬୫ର କିଶ୍ଲେବ୍ ମାସର ୨୫ ତାରିଖରେ ଏହାକୁ ପୁଣି ଯିହୋବାଙ୍କୁ ସମର୍ପିତ କରାଗଲା । ରାଜା ଆଣ୍ଟିଅକସ୍ ବେଦି ଉପରେ ଜିଅସ୍ ଦେବତା ପାଇଁ ଯେଉଁ ଘୃଣିତ ବଳିଦାନ ଚଢ଼ାଇଥିଲା, ତାର ଠିକ୍ ତିନି ବର୍ଷ ପରେ ଏହାକୁ ସମର୍ପିତ କରାଗଲା । ଏହାପରେ ପ୍ରତିଦିନ ମନ୍ଦିରରେ ଯିହୋବାଙ୍କ ପାଇଁ ହୋମବଳି ଚଢ଼ାଇବା ଆରମ୍ଭ ହୋଇଗଲା । ଶାସ୍ତ୍ରରେ କୌଣସିଠାରେ ମଧ୍ୟ ଲେଖା ନାହିଁ ଯେ ଯିହୁଦା ମକ୍କାବିଅସ୍କୁ ଜୟ ହାସଲ୍ କରିବା ପାଇଁ ଯିହୋବା ସାହାଯ୍ୟ କରିଥିଲେ ଏବଂ ତାକୁ ମନ୍ଦିରକୁ ଶୁଦ୍ଧ କରିବା ପାଇଁ ଆଜ୍ଞା ଦେଇଥିଲେ । କିନ୍ତୁ ଯିହୋବା ପ୍ରାଚୀନ ସମୟରେ ଉପାସନା ସହ ଜଡ଼ିତ ନିଜ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଅନ୍ୟ ରାଷ୍ଟ୍ରର ଲୋକମାନଙ୍କ ଦ୍ୱାରା ଏପରି କାମ କରାଇଥିଲେ । ଯେପରି— ପାରସର ରାଜା କୋରସ୍ ଦ୍ୱାରା । (ଯିଶା ୪୫:୧) ତେଣୁ ଏହା ଭାବିବା ଠିକ୍ ହେବ ଯେ ଯିହୋବା ହୁଏତ ଏହି ଯିହୁଦୀ ବ୍ୟକ୍ତି ଯିହୁଦା ମକ୍କାବିଅସ୍ ଜରିଆରେ ନିଜ ଉଦ୍ଦେଶ୍ୟ ପୂରଣ କରିଥିବେ, ଯିଏ ତାହାଙ୍କ ସମର୍ପିତ ଲୋକମାନଙ୍କ ମଧ୍ୟରୁ ଜଣେ ଥିଲା । ଶାସ୍ତ୍ରରୁ ଜଣାପଡ଼େ ଯେ ମନ୍ଦିର ସୁରକ୍ଷିତ ରହିବା ଏବଂ ସେଥିରେ ଉପାସନା ହେବା ଜରୁରୀ ଥିଲା, ଯାହାଫଳରେ ମସୀହ, ତାହାଙ୍କ କାମ ଓ ତାହାଙ୍କ ବଳିଦାନ ବିଷୟରେ ଭବିଷ୍ୟତବାଣୀଗୁଡ଼ିକ ପୂରଣ ହେଉ । ଯେପର୍ଯ୍ୟନ୍ତ ମସୀହ ଆସି ସମଗ୍ର ମାନବଜାତି ପାଇଁ ନିଜ ଜୀବନ ବଳିଦାନ ନ କରନ୍ତେ, ସେପର୍ଯ୍ୟନ୍ତ ଲେବୀୟମାନଙ୍କୁ ମଧ୍ୟ ମନ୍ଦିରରେ ବଳିଦାନ ଚଢ଼ାଇବାର ଥିଲା । (ଦାନି ୯:୨୭; ଯୋହ ୨:୧୭; ଏବ୍ରୀ ୯:୧୧-୧୪) ଯୀଶୁଙ୍କ ଶିଷ୍ୟମାନଙ୍କୁ ପ୍ରତିଷ୍ଠାର ପର୍ବ ପାଳନ କରିବା ପାଇଁ ଆଜ୍ଞା ଦିଆଯାଇ ନ ଥିଲା । (କଲ ୨:୧୬, ୧୭) କିନ୍ତୁ ବାଇବଲରେ ଏହା ମଧ୍ୟ ଲେଖା ନାହିଁ ଯେ ଯୀଶୁ କିମ୍ବା ତାହାଙ୍କ ଶିଷ୍ୟମାନେ କେବେ କହିଥିଲେ ଯେ ଏହି ପର୍ବ ପାଳନ କରିବା ଭୁଲ୍ ଅଟେ ।
୮-୧୪ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୧-୧୨
“ଯୀଶୁଙ୍କ ଭଳି କରୁଣା ଦେଖାନ୍ତୁ”
ଅଧ୍ୟୟନ ବାଇବଲ—ଯୋହ ୧୧:୨୪, ୨୫ ଅଧ୍ୟୟନ ତଥ୍ୟ
ସେ . . . ଉଠିବ, ଏହା ମୁଁ ଜାଣେ: ମାର୍ଥା ଭାବିଲେ ଯେ ଯୀଶୁ ଶେଷଦିନରେ ଅର୍ଥାତ୍ ଭବିଷ୍ୟତରେ ହେବାକୁ ଯାଉଥିବା ପୁନରୁତ୍ଥାନ ବିଷୟରେ କହୁଛନ୍ତି । ପୁନରୁତ୍ଥାନର ଶିକ୍ଷା ଉପରେ ମାର୍ଥାଙ୍କ ଅତୁଟ ବିଶ୍ୱାସ ଥିଲା । ତାଙ୍କ ସମୟର ସାଦ୍ଦୂକୀ ନାମକ ଧର୍ମଗୁରୁମାନେ ମାନୁ ନ ଥିଲେ ଯେ ପୁନରୁତ୍ଥାନ ହେବ । ଯଦିଓ ଈଶ୍ୱରପ୍ରେରିତ ଶାସ୍ତ୍ରରେ ଏପରି ହେବ ବୋଲି ସ୍ପଷ୍ଟ ଭାବେ ଲେଖାଯାଇଥିଲା, ତଥାପି ସେମାନେ ଏହାକୁ ମାନୁ ନ ଥିଲେ । (ଦାନି ୧୨:୧୩; ମାର୍କ ୧୨:୧୮) ଅନ୍ୟପକ୍ଷରେ ଫାରୂଶୀମାନେ ବିଶ୍ୱାସ କରୁଥିଲେ ଯେ ଆତ୍ମା ଅମର ଅଟେ । କିନ୍ତୁ ମାର୍ଥା ଜାଣିଥିଲେ ଯେ ମରିଯାଇଥିବା ଲୋକେ ପୁଣି ଜୀବିତ ହେବେ ବୋଲି ଯୀଶୁ ଶିଖାଉଥିଲେ ଏବଂ ସେ ଅନେକ ପୁନରୁତ୍ଥାନ ମଧ୍ୟ କରିଥିଲେ । କିନ୍ତୁ ଯୀଶୁ ଯେତେ ଲୋକଙ୍କୁ ଜୀବିତ କରିଥିଲେ, ସେମାନଙ୍କୁ ମରିବାର ଏତେ ଲମ୍ବା ସମୟ ହୋଇ ନ ଥିଲା, ଯେତେ ସମୟ ଲାଜାରଙ୍କୁ ହୋଇଥିଲା ।
ମୁଁ ପୁନରୁତ୍ଥାନ ଓ ଜୀବନ: ଯୀଶୁଙ୍କ ମୃତ୍ୟୁ ଓ ତାହାଙ୍କ ପୁନରୁତ୍ଥାନ, ମରିଯାଇଥିବା ଲୋକଙ୍କ ପାଇଁ ପୁଣିଥରେ ଜୀବିତ ହେବାର ରାସ୍ତା ଖୋଲିଦେଲା । ଯୀଶୁଙ୍କ ପୁନରୁତ୍ଥାନ ପରେ, ଯିହୋବା ତାହାଙ୍କୁ ନା କେବଳ ମରିଯାଇଥିବା ଲୋକଙ୍କୁ ଜୀବିତ କରିବା ପାଇଁ ଶକ୍ତି ଦେଇଛନ୍ତି, ବରଂ ଲୋକଙ୍କୁ ଅନନ୍ତ ଜୀବନ ଦେବା ପାଇଁ ମଧ୍ୟ ଶକ୍ତି ଦେଇଛନ୍ତି । ପ୍ରକା ୧:୧୮ ପଦରେ ଯୀଶୁ ନିଜ ବିଷୟରେ କହିଲେ ଯେ ସେ “ଜୀବିତ” ଅଟନ୍ତି ଏବଂ ତାହାଙ୍କ ପାଖରେ “ମୃତ୍ୟୁ ଓ ପାତାଳର ଚାବି ରହିଛି ।” (ଇଜି-ଟୁ-ରିଡ୍ ଭର୍ସନ) ସେ ପ୍ରତିଜ୍ଞା କରିଛନ୍ତି ଯେ ସେ କବରଗୁଡ଼ିକୁ ଖୋଲିଦେବେ ଏବଂ ମରିଯାଇଥିବା ଲୋକଙ୍କୁ ଜୀବିତ କରିବେ । ସେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ସ୍ୱର୍ଗରେ ଜୀବନ ଦେବେ, ଯେଉଁମାନେ ତାହାଙ୍କ ସହିତ ଶାସନ କରିବେ ଏବଂ କିଛି ଲୋକଙ୍କୁ ନୂତନ ପୃଥିବୀରେ ଜୀବନ ଦେବେ, ଯେଉଁମାନେ ତାହାଙ୍କ ସରକାରର ପ୍ରଜା ହୋଇ ରହିବେ ।—ଯୋହ ୫:୨୮, ୨୯; ୨ପିତ ୩:୧୩.
ଅଧ୍ୟୟନ ବାଇବଲ—ଯୋହ ୧୧:୩୩-୩୫ ଅଧ୍ୟୟନ ତଥ୍ୟ
ରୋଦନ: କିମ୍ବା “କାନ୍ଦିବା ।” ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ରୋଦନ” କରାଯାଇଛି, ତାର ଅର୍ଥ ଅନେକ ଥର ଏପରି କାନ୍ଦିବା ଅଟେ, ଯେଉଁଥିରେ କାନ୍ଦିବାର ସ୍ୱର ଶୁଣାଯାଏ । ଯେତେବେଳେ ଯୀଶୁ ଯିରୂଶାଲମର ବିନାଶର ଭବିଷ୍ୟତବାଣୀ କରି କାନ୍ଦିଥିଲେ, ସେହି ସନ୍ଦର୍ଭରେ ମଧ୍ୟ ଏହି କ୍ରିୟାର ବ୍ୟବହାର କରାଯାଇଛି ।—ଲୂକ ୧୯:୪୧.
ଉତ୍ତେଜିତ ହେଲେ [ଯନ୍ତ୍ରଣାରେ କୋହ ଛାଡ଼ିଲେ ଏବଂ ବହୁତ ଦୁଃଖ ଅନୁଭବ କଲେ, NW]: ଏଠାରେ ମୂଳଭାଷାରେ ଯେଉଁ ଶବ୍ଦଗୁଡ଼ିକ ବ୍ୟବହୃତ ହୋଇଛି, ସେଥିରୁ ଜଣାପଡ଼େ ଯେ ଏ ଘଟଣାରେ ଯୀଶୁ ଅନ୍ତରରୁ ଅତ୍ୟନ୍ତ ଦୁଃଖିତ ହୋଇଥିଲେ । ଯେଉଁ ଗ୍ରୀକ୍ କ୍ରିୟା (ଏମ୍ବ୍ରିମାଓମାଇ) ର ଅନୁବାଦ “ଯନ୍ତ୍ରଣାରେ କୋହ ଛାଡ଼ିଲେ” କରାଯାଇଛି, ତାହା ହୃଦୟର ଗଭୀର ଭାବନାକୁ ଦର୍ଶାଏ । ସନ୍ଦର୍ଭରୁ ଜଣାପଡ଼େ, ଏ ଘଟଣାରେ ଯୀଶୁ ଏତେ ପ୍ରଭାବିତ ହେଲେ ଯେ ସେ ହୃଦୟରେ ଅତ୍ୟନ୍ତ କଷ୍ଟ ଅନୁଭବ କଲେ ଏବଂ କାନ୍ଦି ପକାଇଲେ । ଯେଉଁ ଗ୍ରୀକ୍ ଶବ୍ଦ (ତାରାସସୋ) ର ଅନୁବାଦ “ବହୁତ ଦୁଃଖ ଅନୁଭବ କଲେ” କରାଯାଇଛି, ତାର ଶାବ୍ଦିକ ଅର୍ଥ ହେଉଛି, ଚିନ୍ତାରେ ଉତ୍ତେଜିତ ହେବା । ଜଣେ ବିଦ୍ୱାନ୍ଙ୍କ ଅନୁଯାୟୀ, ଯୋହ ୧୧:୩୩ ପଦର ସନ୍ଦର୍ଭକୁ ଧ୍ୟାନରେ ରଖି ଏହି ଗ୍ରୀକ୍ ଶବ୍ଦର ଅର୍ଥ “ମନରେ ଅତି ବ୍ୟାକୁଳ ହେବା ଏବଂ ଗଭୀର କଷ୍ଟ ଅନୁଭବ କରିବା ।” ଯୋହ ୧୩:୨୧ ପଦ କହେ, ଯେତେବେଳେ ଯୀଶୁ ଜାଣିଲେ ଯେ ଯିହୁଦା ତାହାଙ୍କୁ ବିଶ୍ୱାସଘାତ କରିବ, ସେ ବହୁତ କଷ୍ଟ ଅନୁଭବ କଲେ । ତାହାଙ୍କ ଏହି ଭାବନାକୁ ବୁଝାଇବା ପାଇଁ ମଧ୍ୟ ଏ ପଦରେ ଏହି କ୍ରିୟାର ବ୍ୟବହାର କରାଯାଇଛି ।—ଯୋହ ୧୧:୩୫ ଅଧ୍ୟୟନ ତଥ୍ୟ ଦେଖନ୍ତୁ ।
ଆତ୍ମାରେ: ଏହି ପଦରେ ଗ୍ରୀକ୍ ଶବ୍ଦ ନ୍ୟୁମା ସମ୍ଭବତଃ କୌଣସି କାମ କରିବାକୁ ବାଧ୍ୟ କରୁଥିବା ଶକ୍ତିକୁ ଦର୍ଶାଇବା ପାଇଁ ବ୍ୟବହାର କରାଯାଇଛି, ଯାହା ଜଣେ ବ୍ୟକ୍ତିର ଲାକ୍ଷଣିକ ହୃଦୟରୁ ବାହାରିଥାଏ । ଏହି ଶକ୍ତି ତାକୁ କୌଣସି ନିର୍ଦ୍ଦିଷ୍ଟ ଉପାୟରେ କିଛି କହିବା ଓ କରିବା ପାଇଁ ପ୍ରେରିତ କରିଥାଏ ।
କାନ୍ଦିଲେ: ଲୂକ ୭:୩୮; ପ୍ରେରି ୨୦:୧୯, ୩୧; ଏବ୍ରୀ ୫:୭; ପ୍ରକା ୭:୧୭; ୨୧:୪ ଭଳି ପଦଗୁଡ଼ିକରେ ‘ଅଶ୍ରୁ’ ପାଇଁ ଯେଉଁ ଗ୍ରୀକ୍ ବିଶେଷ୍ୟ ବ୍ୟବହାର କରାଯାଇଛି, ତାର ଏକ କ୍ରିୟା ରୂପ (ଡାକ୍ରିଓ) ଯୋହ ୧୧:୩୫ ପଦରେ ବ୍ୟବହାର କରାଯାଇଛି । ଏହି କ୍ରିୟାର ଅର୍ଥ ହୁଏତ ଅଶ୍ରୁ ବା ଲୁହ ଗଡ଼ାଇବା ଅଟେ । ଏହାର ଅର୍ଥ ଏପରି କାନ୍ଦିବା ନୁହେଁ, ଯେଉଁଥିରେ କାନ୍ଦିବାର ସ୍ୱର ଶୁଣାଯାଏ । ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରରେ କେବଳ ଯୋହ ୧୧:୩୫ ପଦରେ ଏହି ଗ୍ରୀକ୍ କ୍ରିୟା ବ୍ୟବହୃତ ହୋଇଛି ଏବଂ ଏହା ଯୋହ ୧୧:୩୩ ପଦରେ (ଅଧ୍ୟୟନ ତଥ୍ୟ ଦେଖନ୍ତୁ) ବ୍ୟବହୃତ ହୋଇଥିବା କ୍ରିୟାଠାରୁ ଭିନ୍ନ, ଯେଉଁଠାରେ ମରୀୟମ ଓ ଯିହୁଦୀମାନଙ୍କ କାନ୍ଦିବା ବିଷୟରେ କୁହାଯାଇଛି । ଯୀଶୁ ଜାଣିଥିଲେ ଯେ ସେ ଲାଜାରଙ୍କୁ ପୁଣି ଜୀବିତ କରିବେ । ତଥାପି ତାହାଙ୍କ ସାଙ୍ଗମାନେ ଅତ୍ୟନ୍ତ ଦୁଃଖିତ ଥିବା ଦେଖି ସେ ମଧ୍ୟ ଦୁଃଖିତ ହେଲେ । ନିଜ ସାଙ୍ଗମାନଙ୍କ ପାଇଁ ତାହାଙ୍କ ହୃଦୟରେ ଗଭୀର ପ୍ରେମ ଥିବା ଯୋଗୁଁ ଏବଂ ସେମାନଙ୍କ ପରିସ୍ଥିତି ଉପରେ ଦୟା ଆସିବା ଯୋଗୁଁ ସେ କାନ୍ଦିଲେ ବା ଅଶ୍ରୁ ଗଡ଼ାଇଲେ । ଏ ଘଟଣାରୁ ସ୍ପଷ୍ଟ ଜଣାପଡ଼େ ଯେ ଆଦମଠାରୁ ମିଳିଥିବା ମୃତ୍ୟୁ ଯୋଗୁଁ ଯେଉଁମାନେ ନିଜ ନିଜ ଆତ୍ମୀୟମାନଙ୍କୁ ହରାନ୍ତି, ସେମାନଙ୍କ ଦୁଃଖ ଯୀଶୁ ଭଲ ଭାବେ ବୁଝନ୍ତି ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଯୋହ ୧୧:୪୯ ଅଧ୍ୟୟନ ତଥ୍ୟ
ମହାଯାଜକ: ଇସ୍ରାଏଲ ଯେତେବେଳେ ଏକ ସ୍ୱାଧୀନ ରାଷ୍ଟ୍ର ଥିଲା, ସେତେବେଳେ ମହାଯାଜକ ନିଜ ସାରା ଜୀବନ ଏ ପଦରେ ରହି ସେବା କରୁଥିଲେ । (ଗଣ ୩୫:୨୫) କିନ୍ତୁ ଯେତେବେଳେ ଇସ୍ରାଏଲ ରୋମୀୟ ଶାସନର ଅଧୀନରେ ଥିଲା, ମହାଯାଜକ ପଦରେ କାହାରିକୁ ନିଯୁକ୍ତ କରିବା ଏବଂ ପଦରୁ ହଟାଇବାର ଅଧିକାର ରୋମ ଦ୍ୱାରା ନିଯୁକ୍ତ ଶାସକମାନଙ୍କ ପାଖରେ ଥିଲା । [“ମହାଯାଜକ” ପାଇଁ ଶବ୍ଦାବଳୀ (ହିନ୍ଦୀ) ଦେଖନ୍ତୁ ।] କୟାଫା ରୋମୀୟମାନଙ୍କ ଦ୍ୱାରା ନିଯୁକ୍ତ କରାଯାଇଥିଲା ଏବଂ ଜଣେ ଚତୁର ରାଜନେତା ଥିଲା । ତାʼ ପୂର୍ବେ ଥିବା କିଛି ମହାଯାଜକମାନଙ୍କ ମଧ୍ୟରୁ କେହି ମଧ୍ୟ ଏତେ ସମୟଯାଏ ଏ ପଦରେ ରହି ନ ଥିଲେ । ସେ ୧୮ ଖ୍ରୀଷ୍ଟାବ୍ଦରେ ଏହି ପଦକୁ ଆସିଲା ଏବଂ ୩୬ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଏହି ପଦରେ ଥିଲା । ଯୋହ ୧୧:୪୯ ପଦରେ କୁହାଯାଇଛି ଯେ ସେ ସେହି ବର୍ଷର ଅର୍ଥାତ୍ ୩୩ ଖ୍ରୀଷ୍ଟାବ୍ଦର ମହାଯାଜକ ଥିଲା । ଯୋହନ ସମ୍ଭବତଃ ଏହା କହି ଜଣାଇବାକୁ ଚାହୁଁଥିଲେ ଯେ ଯେଉଁ ବର୍ଷ ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦିଆଗଲା, ସେହି ବର୍ଷ କୟାଫା ମହାଯାଜକ ଭାବେ ପଦରେ ଥିଲା ।—କୟାଫାଙ୍କ ଘର ସମ୍ଭବତଃ କେଉଁଠି ଥିଲା, ତାହା ଜାଣିବା ପାଇଁ ଆପେଣ୍ଡିକ୍ସ ଖ୧୨ (ହିନ୍ଦୀ) ଦେଖନ୍ତୁ ।
ଅଧ୍ୟୟନ ବାଇବଲ—ଯୋହ ୧୨:୪୨ ଅଧ୍ୟୟନ ତଥ୍ୟ
ନେତା: ଏହି ପଦରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ନେତା” କରାଯାଇଛି, ତାର ଅର୍ଥ ହୁଏତ ମହାସଭା ଅର୍ଥାତ୍ ଯିହୁଦୀମାନଙ୍କର ସବୁଠାରୁ ବଡ଼ ବିଚାରାଳୟର ସଦସ୍ୟମାନେ ଅଟନ୍ତି । ଯୋହ ୩:୧ ପଦରେ ନୀକଦୀମକୁ ମଧ୍ୟ ନେତା କୁହାଯାଇଛି । କାରଣ ସେ ସେହି ସଭାର ଜଣେ ସଦସ୍ୟ ଥିଲା ।
ସମାଜଚ୍ୟୁତ: କିମ୍ବା “ସମାଜଗୃହରୁ ବାହାର କରିଦେବା” କିମ୍ବା “ବହିଷ୍କାର କରିଦେବା ।” ଗ୍ରୀକ୍ ବିଶେଷଣ ଆପୋସିନାଗୋଗୋସ୍ ଶବ୍ଦର ବ୍ୟବହାର କେବଳ ଯୋହ ୧୨:୪୨ ଓ ୧୬:୨ ପଦରେ କରାଯାଇଛି । ଯେଉଁ ବ୍ୟକ୍ତିକୁ ସମାଜଗୃହରୁ ବହିଷ୍କାର କରାଯାଉଥିଲା, ତାʼ ସହିତ ଲୋକେ କୌଣସି ସମ୍ପର୍କ ରଖୁ ନ ଥିଲେ ଏବଂ ତାକୁ ନୀଚ ଦୃଷ୍ଟିରେ ଦେଖୁଥିଲେ । ଏପରି ବ୍ୟକ୍ତିକୁ ନିଜ ଘର ଚଳାଇବା ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା । ସମାଜଗୃହରେ ବିଶେଷ କରି ଶିକ୍ଷା ଦେବାର କାମ ହେଉଥିଲା । ଏହି ଜାଗାଗୁଡ଼ିକର ବ୍ୟବହାର ସ୍ଥାନୀୟ ବିଚାରାଳୟ ଭାବେ ମଧ୍ୟ କରାଯାଉଥିଲା । ଏହି ବିଚାରାଳୟ ପାଖରେ ଅପରାଧୀମାନଙ୍କୁ ଚାବୁକ ପ୍ରହାର ଏବଂ ସମାଜଗୃହରୁ ବହିଷ୍କାର କରିବାର ଅଧିକାର ଥିଲା ।
୧୫-୨୧ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୩-୧୪
“ମୁଁ ତୁମ୍ଭମାନଙ୍କୁ ଗୋଟିଏ ଆଦର୍ଶ ଦେଖାଇଅଛି”
ଅଧ୍ୟୟନ ବାଇବଲ—ଯୋହ ୧୩:୫ ଅଧ୍ୟୟନ ତଥ୍ୟ
ଶିଷ୍ୟମାନଙ୍କ ପାଦ ଧୋଇଦେଇ: ପ୍ରାଚୀନ ଇସ୍ରାଏଲରେ ଲୋକେ ଚପଲ ପିନ୍ଧିବା ଅତି ସାଧାରଣ ଥିଲା । ସେତେବେଳେ ପ୍ରାୟତଃ ଚପଲର ତଳିପା, ପାଦ ଓ ପାଦର ଗଣ୍ଠିରେ ବନ୍ଧା ହେଉଥିଲା । ତେଣୁ ଯେତେବେଳେ କେହି ଧୂଳିମାଟିଭରା ରାସ୍ତା ଓ କ୍ଷେତରେ ଚାଲି ଚାଲି ଯାଆ ଆସ କରୁଥିଲା, ତାʼର ପାଦ ବହୁତ ମଇଳା ହୋଇଯାଉଥିଲା । ତେଣୁ ଲୋକପ୍ରଥା ଅନୁଯାୟୀ, ଜଣେ ବ୍ୟକ୍ତି ଘରେ ପହଞ୍ଚିବା ମାତ୍ରେ ଚପଲ କାଢ଼ି ଦେଉଥିଲା ଏବଂ ଅତିଥି ସତ୍କାର ଦେଖାଉଥିବା ବ୍ୟକ୍ତି ଏହା ପ୍ରତି ଧ୍ୟାନ ଦେଉଥିଲେ ଯେ ଘରକୁ ଆସିଥିବା ଅତିଥିଙ୍କ ପାଦ ଧୁଆଯାଇଛି କି ନାହିଁ । ଏହି ପ୍ରଥା ବିଷୟରେ ବାଇବଲରେ ଅନେକ ଥର ଉଲ୍ଲେଖ କରାଯାଇଛି । (ଆଦି ୧୮:୪, ୫; ୨୪:୩୨; ୧ଶାମୁ ୨୫:୪୧; ଲୂକ ୭:୩୭, ୩୮, ୪୪) ଯେତେବେଳେ ଯୀଶୁ ନିଜ ଶିଷ୍ୟମାନଙ୍କର ପାଦ ଧୋଇଲେ, ସେ ଏହି ପ୍ରଥାକୁ ବ୍ୟବହାର କରି ନିଜ ଶିଷ୍ୟମାନଙ୍କୁ ଶିଖାଇଲେ ଯେ ସେମାନେ ନମ୍ର ହେବା ଉଚିତ୍ ଏବଂ ପରସ୍ପରର ସେବା କରିବା ଉଚିତ୍ ।
ଅଧ୍ୟୟନ ବାଇବଲ—ଯୋହ ୧୩:୧୨-୧୪ ଅଧ୍ୟୟନ ତଥ୍ୟ
କର୍ତ୍ତବ୍ୟ: କିମ୍ବା “ଉଚିତ୍ ।” ଯେଉଁ ଗ୍ରୀକ୍ କ୍ରିୟା ଏଠାରେ ବ୍ୟବହୃତ ହୋଇଛି, ତାହା ସାଧାରଣତଃ ଟଙ୍କାପଇସା ମାମଲାରେ ବ୍ୟବହାର କରାଯାଏ । ଏହାର ଅର୍ଥ “କାହାରି ଋଣୀ ରହିବା; କାହାରିଠୁ କିଛି ଧାର କରିବା ।” (ମାଥି ୧୮:୨୮, ୩୦, ୩୪; ଲୂକ ୧୬:୫, ୭) ଏଠାରେ ଏବଂ ଅନ୍ୟ ସନ୍ଦର୍ଭଗୁଡ଼ିକରେ ଜଣେ ବ୍ୟକ୍ତିର କʼଣ କର୍ତ୍ତବ୍ୟ କିମ୍ବା ସେ କʼଣ କରିବା ଉଚିତ୍, ତାହା ଜଣାଇବା ପାଇଁ ଏହାର ବ୍ୟବହାର କରାଯାଇଛି ।—୧ଯୋହ ୩:୧୬; ୪:୧୧; ୩ଯୋହ ୮.
ପ୍ର୯୯-ହି ୩/୧ ୩୧ ¶୧
ସବୁଠୁ ମହାନ ବ୍ୟକ୍ତି ସବୁଠୁ ଛୋଟ କାମ କରନ୍ତି
ଯୀଶୁ ନିଜ ଶିଷ୍ୟମାନଙ୍କର ପାଦ ଧୋଇ ନମ୍ରତାର ଗୁଣ ବିଷୟରେ ଏକ ଜରୁରୀ ଶିକ୍ଷା ଦେଲେ । ପ୍ରକୃତରେ, ଖ୍ରୀଷ୍ଟିୟାନମାନେ ଏହା ଭାବିବା ଉଚିତ୍ ନୁହେଁ ଯେ ସେମାନେ ଅନ୍ୟମାନଙ୍କଠାରୁ ବଡ଼ ଏବଂ ଅନ୍ୟମାନେ ସର୍ବଦା ସେମାନଙ୍କର ସେବା କରିବା ଉଚିତ୍ । ତା ଛଡ଼ା, ସେମାନେ ଅନ୍ୟମାନଙ୍କଠାରୁ ସମ୍ମାନ ଓ ଇଜ୍ଜତ ପାଇବା ଉଦ୍ଦେଶ୍ୟରେ କୌଣସି ଉଚ୍ଚ ପଦବୀ ପାଇବାର ଲକ୍ଷ୍ୟ ରଖିବା ଉଚିତ୍ ନୁହେଁ । ଏହା ପରିବର୍ତ୍ତେ, ସେମାନେ ଯୀଶୁଙ୍କ ଉଦାହରଣକୁ ଅନୁକରଣ କରିବା ଉଚିତ୍ । ଯୀଶୁ କହିଲେ , ସେ “ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ ପ୍ରାଣ ଦେବାକୁ ଆସିଅଛନ୍ତି ।” (ମାଥିଉ ୨୦:୨୮) ହଁ, ଯୀଶୁଙ୍କ ଶିଷ୍ୟମାନେ ପରସ୍ପର ପାଇଁ ଛୋଟରୁ ଛୋଟ କାମ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିବା ଉଚିତ୍ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଯୋହ ୧୪:୬ ଅଧ୍ୟୟନ ତଥ୍ୟ
ମୁଁ ପଥ, ସତ୍ୟ ଓ ଜୀବନ: ଯୀଶୁ ପଥ ଅଟନ୍ତି, କାରଣ କେବଳ ତାହାଙ୍କ ଜରିଆରେ ପ୍ରାର୍ଥନା କଲେ ଆମେ ଈଶ୍ୱରଙ୍କ ନିକଟକୁ ଆସିପାରିବା । ସେ ଏଥିପାଇଁ ମଧ୍ୟ “ପଥ” ଅଟନ୍ତି, କାରଣ ତାହାଙ୍କ ଜରିଆରେ ହିଁ ମନୁଷ୍ୟ ଈଶ୍ୱରଙ୍କ ସହିତ ପୁଣିଥରେ ସମ୍ପର୍କ ଗଢ଼ିପାରିବ । (ଯୋହ ୧୬:୨୩; ରୋମୀ ୫:୮) ଯୀଶୁ ସତ୍ୟ ଅଟନ୍ତି, କାରଣ ସେ ସତ୍ୟ ବିଷୟରେ ଶିଖାଇଲେ ଏବଂ ସେ ତାʼ ଅନୁସାରେ ଜୀବନଯାପନ କଲେ । ଏହା ଛଡ଼ା, ସେ ଅନେକ ଭବିଷ୍ୟତବାଣୀ ପୂରଣ କଲେ, ଯେଉଁଥିରେ କୁହାଯାଇଥିଲା ଯେ ଈଶ୍ୱରଙ୍କ ଉଦ୍ଦେଶ୍ୟ ପୂରଣ କରିବାରେ ସେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ । (ଯୋହ ୧:୧୪; ପ୍ରକା ୧୯:୧୦) ଏହି ସମସ୍ତ ଭବିଷ୍ୟତବାଣୀ ତାହାଙ୍କ ଦ୍ୱାରା “ହଁ” ହେଲା, କିମ୍ବା ପୂରଣ ହେଲା । (୨କରି ୧:୨୦) ଯୀଶୁ ଜୀବନ ଅଟନ୍ତି, କାରଣ ତାହାଙ୍କ ଦ୍ୱାରା ଦିଆଯାଇଥିବା ମୁକ୍ତିର ମୂଲ୍ୟ ଯୋଗୁଁ ମଣିଷମାନଙ୍କ ପାଇଁ “ପ୍ରକୃତ ଜୀବନ” ଅର୍ଥାତ୍ “ଅନନ୍ତ ଜୀବନ” ପାଇବା ସମ୍ଭବ ହେଲା । (୧ତୀମ ୬:୧୨, ୧୯; ଏଫି ୧:୭; ୧ଯୋହ ୧:୭) ସେ ଏପରି ଲୋକମାନଙ୍କ ପାଇଁ ମଧ୍ୟ “ଜୀବନ” ପ୍ରମାଣିତ ହେବେ, ଯେଉଁମାନଙ୍କୁ ପାରଦୀଶରେ ଜୀବିତ କରାଯିବ ଏବଂ ଚିରକାଳ ଜୀବନ ଜୀଇଁବାର ସୁଯୋଗ ଦିଆଯିବ ।—ଯୋହ ୫:୨୮, ୨୯.
ଅଧ୍ୟୟନ ବାଇବଲ—ଯୋହ ୧୪:୧୨ ଅଧ୍ୟୟନ ତଥ୍ୟ
ସେସବୁ ଅପେକ୍ଷା ଅଧିକ ମହତ୍ କର୍ମ: ଯୀଶୁ ଏହା କହୁ ନ ଥିଲେ ଯେ ତାହାଙ୍କ ଶିଷ୍ୟମାନେ ତାହାଙ୍କଠୁ ବି ଅଧିକ ବଡ଼ ବଡ଼ ଚମତ୍କାର କରିବେ । ଏହା ପରିବର୍ତ୍ତେ, ସେ ନମ୍ରତାର ସହ କହୁଥିଲେ ଯେ ତାହାଙ୍କ ଶିଷ୍ୟମାନେ ତାହାଙ୍କଠୁ ବି ଅଧିକ ମାତ୍ରାରେ ପ୍ରଚାର କରିବେ ଏବଂ ଲୋକମାନଙ୍କୁ ଶିଖାଇବେ । ତାହାଙ୍କ ଶିଷ୍ୟମାନେ ତାହାଙ୍କଠୁ ବି ଅଧିକ ଅଞ୍ଚଳରେ ପ୍ରଚାର କରିବେ, ଅଧିକ ଲୋକମାନଙ୍କୁ ପ୍ରଚାର କରିବେ ଏବଂ ତାହାଙ୍କ ଅପେକ୍ଷା ଲମ୍ବା ସମୟ ଧରି ପ୍ରଚାର କରିବେ । ଯୀଶୁଙ୍କ ଶବ୍ଦରୁ ସ୍ପଷ୍ଟ ଜଣାପଡ଼େ ଯେ ଶିଷ୍ୟମାନେ ତାହାଙ୍କ କାମ ଆଗକୁ ମଧ୍ୟ ଜାରି ରଖନ୍ତୁ ବୋଲି ସେ ଚାହୁଁଥିଲେ ।
୨୨-୨୮ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୫-୧୭
“ତୁମ୍ଭେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ”
ଅଧ୍ୟୟନ ବାଇବଲ—ଯୋହ ୧୫:୧୯ ଅଧ୍ୟୟନ ତଥ୍ୟ
ଜଗତ: ଏହି ପଦରେ ଗ୍ରୀକ୍ ଶବ୍ଦ କସ୍ମସ୍ର ଅନୁବାଦ ଜଗତ କରାଯାଇଛି । ଆଖପାଖର ପଦଗୁଡ଼ିକରୁ ଜଣାପଡ଼େ ଯେ ଏଠାରେ ଜଗତ ଶବ୍ଦ ପୃଥିବୀର ଏପରି ସମସ୍ତ ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଈଶ୍ୱରଙ୍କ ସେବକମାନଙ୍କଠାରୁ ଭିନ୍ନ, ଅର୍ଥାତ୍ ଏହା ଦୁଷ୍ଟ ଲୋକମାନଙ୍କର ସମାଜ ଯାହା ଈଶ୍ୱରଙ୍କଠାରୁ ଦୂରେଇ ଯାଇଛି । ଏହି ପଦରେ ଥିବା ଯୀଶୁଙ୍କ କଥାକୁ ସୁସମାଚାର ବହିଗୁଡ଼ିକର ଲେଖକମାନଙ୍କ ମଧ୍ୟରୁ କେବଳ ଯୋହନ ନିଜ ବହିରେ ଲେଖିଥିଲେ । ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ, ତୁମେମାନେ ଜଗତରୁ ଉତ୍ପନ୍ନ ହୋଇ ନାହଁ । ଅର୍ଥାତ୍ ଯୀଶୁ କହୁଥିଲେ ଯେ ତାହାଙ୍କ ଶିଷ୍ୟମାନେ ଜଗତର ଭାଗ ନ ଥିଲେ । ଯୀଶୁ ନିଜ ବିଶ୍ୱସ୍ତ ପ୍ରେରିତମାନଙ୍କ ସହ ଶେଷଥର ପ୍ରାର୍ଥନା କରିବା ସମୟରେ ଏହି ସମାନ କଥାକୁ ଦୁଇଥର କହିଥିଲେ ।—ଯୋହ ୧୭:୧୪, ୧୬.
ଅଧ୍ୟୟନ ବାଇବଲ—ଯୋହ ୧୫:୨୧ ଅଧ୍ୟୟନ ତଥ୍ୟ
ମୋହର ନାମ ସକାଶେ: ବାଇବଲରେ “ନାମ” ଶବ୍ଦର ଅର୍ଥ ବେଳେ ବେଳେ ସେହି ନାମ ଧାରଣ କରୁଥିବା ବ୍ୟକ୍ତିକୁ ଦର୍ଶାଏ । ତାʼ ଛଡ଼ା, ଏହା ଅନେକ ସମୟରେ ସେହି ବ୍ୟକ୍ତିକୁ ଲୋକେ କିପରି ଦୃଷ୍ଟିରେ ଦେଖନ୍ତି, ତାହା ଦର୍ଶାଏ । ଆଉ କେତେବେଳେ ଏହା ତାʼର ନାମ ଯେଉଁ କଥାଗୁଡ଼ିକୁ ସୂଚାଏ, ସେସବୁକୁ ଦର୍ଶାଏ । ଯୀଶୁଙ୍କ କ୍ଷେତ୍ରରେ, ତାହାଙ୍କ ନାମ ତାହାଙ୍କ ଅଧିକାର ଓ ପଦବୀକୁ ମଧ୍ୟ ଦର୍ଶାଏ, ଯାହା ତାହାଙ୍କ ପିତା ତାହାଙ୍କୁ ଦେଇଛନ୍ତି । (ମାଥି ୨୮:୧୮; ଫିଲିପ୍ ୨:୯, ୧୦; ଏବ୍ରୀ ୧:୩, ୪) ଏହି ପଦରେ ଯୀଶୁ କହିଛନ୍ତି ଯେ ଲୋକମାନେ ତାହାଙ୍କ ପ୍ରେରଣକର୍ତ୍ତାଙ୍କୁ ଜାଣି ନ ଥିବାରୁ ଶିଷ୍ୟମାନଙ୍କ ବିରୁଦ୍ଧରେ ଅନେକ କାମ କରିବେ । ଯୀଶୁଙ୍କ ପ୍ରେରଣକର୍ତ୍ତାଙ୍କୁ ଜାଣିବା ଦ୍ୱାରା ସେମାନେ ବୁଝିପାରିବେ ଯେ ଯୀଶୁଙ୍କ ନାମ କେଉଁ କଥାକୁ ଦର୍ଶାଏ ଏବଂ ସେମାନେ ସେହି କଥାକୁ ସ୍ୱୀକାର କରିବେ । (ପ୍ରେରି ୪:୧୨) ଏଥିରେ ଏହା ମଧ୍ୟ ସ୍ୱୀକାର କରିବା ସାମିଲ୍ ଅଛି ଯେ ଯୀଶୁଙ୍କୁ ଈଶ୍ୱର ରାଜା ଭାବେ ନିଯୁକ୍ତ କରିଛନ୍ତି, ସେ ରାଜାମାନଙ୍କର ରାଜା ଅଟନ୍ତି ଏବଂ ତାହାଙ୍କ ଅଧିକାରକୁ ସମ୍ମାନ ଦେବା ଓ ତାହାଙ୍କ ଅଧୀନତାକୁ ସ୍ୱୀକାର କରିବା ଦ୍ୱାରା ହିଁ ଜୀବନ ମିଳିପାରିବ ।—ଯୋହ ୧୭:୩; ପ୍ରକା ୧୯:୧୧-୧୬; ଗୀତ ୨:୭-୧୨ ସହିତ ତୁଳନା କରନ୍ତୁ ।
ଇନସାଇଟ୍-୧ ୫୧୬
ସାହସ
ଜଣେ ଖ୍ରୀଷ୍ଟିୟାନକୁ ସାହସୀ ହେବାକୁ ପଡ଼ିବ, ତେବେଯାଇ ସେ ଜାଗତିକ ଲୋକଙ୍କର ଚିନ୍ତାଧାରାକୁ ଆପଣାଇବ ନାହିଁ, ସେମାନଙ୍କ ଭଳି କାମ କରିବ ନାହିଁ ଏବଂ ଦୂଷିତ ହେବ ନାହିଁ । କାରଣ ଏହି ଜଗତ ଯିହୋବା ଈଶ୍ୱରଙ୍କ ବିରୁଦ୍ଧରେ କାମ କରେ । ସାହସୀ ହେବା ଦ୍ୱାରା ଜଣେ ଖ୍ରୀଷ୍ଟିୟାନ ଜଗତର ଘୃଣାଭାବକୁ ସହିଯାଇ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବ । ଯୀଶୁ ଖ୍ରୀଷ୍ଟ ନିଜ ଶିଷ୍ୟମାନଙ୍କୁ କହିଥିଲେ: “ଜଗତରେ ତୁମ୍ଭମାନଙ୍କ ନିମନ୍ତେ କ୍ଳେଶ ଅଛି, କିନ୍ତୁ ସାହସ ଧର; ମୁଁ ଜଗତକୁ ଜୟ କରିଅଛି ।” (ଯୋହ ୧୬:୩୩) ଈଶ୍ୱରଙ୍କ ପୁତ୍ର ଯୀଶୁ କେବେ ମଧ୍ୟ ଜାଗତିକ ଚିନ୍ତାଧାରା ଦ୍ୱାରା ନିୟନ୍ତ୍ରିତ ହେଲେ ନାହିଁ । ସେ କୌଣସି କ୍ଷେତ୍ରରେ ଜଗତର ଲୋକମାନଙ୍କ ଭଳି ହେଲେ ନାହିଁ । ଏହିପରି ଭାବେ ସେ ଜଗତକୁ ଜୟ କଲେ । ଜଗତକୁ ଜିଣିବା ଏବଂ ନିଖୁଣ ଚାଲିଚଳନ ବଜାୟ ରଖିବାରେ ଯୀଶୁ ଏକ ବଢ଼ିଆ ଉଦାହରଣ ରଖିଲେ । ଯୀଶୁଙ୍କ ଉଦାହରଣ ଉପରେ ଚିନ୍ତନ କରିବା ଦ୍ୱାରା ଜଣେ ଖ୍ରୀଷ୍ଟିୟାନ ତାହାଙ୍କୁ ଅନୁକରଣ କରିବା ପାଇଁ ସାହସ ପାଇବ, ଯାହାଫଳରେ ସେ ଜଗତଠାରୁ ଭିନ୍ନ ରହିପାରିବ ଏବଂ ନିଜକୁ ଦୂଷିତ ହେବାକୁ ଦେବ ନାହିଁ ।—ଯୋହ ୧୭:୧୬.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଅଧ୍ୟୟନ ବାଇବଲ—ଯୋହ ୧୭:୨୧-୨୩ ଅଧ୍ୟୟନ ତଥ୍ୟ
ଏକ: କିମ୍ବା “ଏକତାରେ ।” ଯୀଶୁ ପ୍ରାର୍ଥନା କଲେ ଯେ ତାହାଙ୍କ ପ୍ରକୃତ ଶିଷ୍ୟମାନେ “ଏକ” ହୁଅନ୍ତୁ । ଏହାର ଅର୍ଥ ସେମାନେ ଏକତାରେ ରହି ଗୋଟିଏ ହିଁ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ମିଳିମିଶି କାମ କରନ୍ତୁ, ଠିକ୍ ଯେପରି ଯୀଶୁ ଓ ତାହାଙ୍କ ପିତା “ଏକ” ଅଟନ୍ତି, ଅର୍ଥାତ୍ ସେମାନେ ମିଳିମିଶି କାମ କରନ୍ତି ଏବଂ ସେମାନଙ୍କ ଚିନ୍ତାଧାରା ଏକାଭଳି । (ଯୋହ ୧୭:୨୨) ୧କରି ୩:୬-୯ ପଦରେ ପାଉଲ କହିଲେ ଯେ ଖ୍ରୀଷ୍ଟିୟାନ ସେବକମାନେ ଯେତେବେଳେ ପରସ୍ପର ସହିତ ଏବଂ ଈଶ୍ୱରଙ୍କ ସହିତ ମିଶି କାମ କରନ୍ତି, ସେମାନଙ୍କ ମଧ୍ୟରେ ଏହିଭଳି ଏକତା ରହିଥାଏ ।—୧କରି ୩:୮ ଦେଖନ୍ତୁ ।
ସିଦ୍ଧ ହୋଇ ଏକ ହୁଅନ୍ତି: କିମ୍ବା “ସମ୍ପୂର୍ଣ୍ଣ ରୂପେ ଏକତାରେ ରହନ୍ତି ।” ଏହି ପଦରେ ଯୀଶୁ ସମ୍ପୂର୍ଣ୍ଣ ରୂପେ ଏକ ହେବା ସହିତ ସେ ପିତାଙ୍କର ପ୍ରେମକୁ ମଧ୍ୟ ଉଲ୍ଲେଖ କଲେ । ଏହି କଥା କଲ ୩:୧୪ ପଦ ସହ ମେଳ ଖାଏ, ଯେଉଁଠାରେ ଲେଖାଅଛି, “ପ୍ରେମ . . . ସିଦ୍ଧ ଅବସ୍ଥାର ବନ୍ଧନ ସ୍ୱରୂପ ।” ଏହାର ଅର୍ଥ ନୁହେଁ ଯେ ଯୀଶୁଙ୍କର ସମସ୍ତ ଶିଷ୍ୟମାନଙ୍କର ବ୍ୟକ୍ତିତ୍ୱ ଅର୍ଥାତ୍ ସେମାନଙ୍କ ସାମର୍ଥ୍ୟ, ଅଭ୍ୟାସ ଓ ବିବେକ ଏକାଭଳି ହୋଇଯାଏ । ଏହା ପରିବର୍ତ୍ତେ, ଏହାର ଅର୍ଥ ହେଉଛି— ଯୀଶୁଙ୍କର ଶିଷ୍ୟମାନେ ଏକାଭଳି କାମ କରିବେ ଏବଂ ଏକାଭଳି ଶିକ୍ଷାଗୁଡ଼ିକୁ ମାନିବେ ।—ରୋମୀ ୧୫:୫, ୬; ୧କରି ୧:୧୦; ଏଫି ୪:୩; ଫିଲିପ୍ ୧:୨୭.
ଅଧ୍ୟୟନ ବାଇବଲ—ଯୋହ ୧୭:୨୪ ଅଧ୍ୟୟନ ତଥ୍ୟ
ଜଗତର ପତ୍ତନ: ଏଠାରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ପତ୍ତନ” କରାଯାଇଛି, ସେହି ଶବ୍ଦର ଅନୁବାଦ ଏବ୍ରୀ ୧୧:୧୧ ପଦରେ ଗର୍ଭବତୀ ହେବା ପାଇଁ ଶକ୍ତି ପାଇବା ବୋଲି କରାଯାଇଛି । ଯୋହ ୧୭:୨୪ ପଦରେ “ଜଗତର ପତ୍ତନ” ଶବ୍ଦସମୂହର ଅର୍ଥ ହେଉଛି, ଏପରି ସମୟ ଯେତେବେଳେ ଆଦମ ଓ ହବାଙ୍କର ସନ୍ତାନ ଜନ୍ମ ହୋଇଥିଲେ । ଯୀଶୁ “ଜଗତର ପତ୍ତନ” ବିଷୟରେ କହିବା ସମୟରେ ହେବଲଙ୍କ ବିଷୟରେ ଉଲ୍ଲେଖ କଲେ, କାରଣ ହୁଏତ ସେ ହିଁ ପ୍ରଥମ ବ୍ୟକ୍ତି ଥିଲେ, ଯିଏ ଉଦ୍ଧାର ପାଇବା ପାଇଁ ଯୋଗ୍ୟ । ଏହା ଛଡ଼ା, ସବୁଠାରୁ ପ୍ରଥମେ ହେବଲଙ୍କ ନାମ “ଜଗତର ପତ୍ତନାବଧି ଜୀବନ ପୁସ୍ତକରେ ଲିଖିତ” ହୋଇଛି । (ଲୂକ ୧୧:୫୦, ୫୧; ପ୍ରକା ୧୭:୮) ଯୋହନ ୧୭:୨୪ ପଦରେ ଥିବା ଯୀଶୁଙ୍କ ପ୍ରାର୍ଥନାରେ ଯାହା ଲେଖାଅଛି, ସେଥିରୁ ଏହା ମଧ୍ୟ ଜଣାପଡ଼େ ଯେ ଆଦମ ଓ ହବାଙ୍କ ସନ୍ତାନ ହେବାର ବହୁ ପୂର୍ବରୁ ଈଶ୍ୱର ନିଜ ଏକମାତ୍ର ପୁତ୍ରଙ୍କୁ ପ୍ରେମ କରିଆସୁଛନ୍ତି ।
୨୯ ଅକ୍ଟୋବର–୪ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୧୮-୧୯
“ଯୀଶୁ ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଲେ”
ଅଧ୍ୟୟନ ବାଇବଲ—ଯୋହ ୧୮:୩୭ ଅଧ୍ୟୟନ ତଥ୍ୟ
ସାକ୍ଷ୍ୟ ଦିଅ: ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରରେ ଯେଉଁ ଗ୍ରୀକ୍ ଶବ୍ଦ, “ସାକ୍ଷ୍ୟ ଦେବା” (ମାର୍ଟିରିଓ) ଓ “ସାକ୍ଷ୍ୟ” (ମାର୍ଟିରିଆ; ମାର୍ଟିସ୍) ପାଇଁ ବ୍ୟବହୃତ ହୋଇଛି, ସେଗୁଡ଼ିକର ଅର୍ଥରେ ବହୁତ କିଛି ସାମିଲ୍ ଅଛି । ଉଭୟ ଶବ୍ଦର ମୂଳ ଅର୍ଥ ହେଉଛି— ନିଜ ଆଖିରେ ଦେଖିଥିବା କଥାଗୁଡ଼ିକୁ ବର୍ଣ୍ଣନା କରିବା କିମ୍ବା ସେଗୁଡ଼ିକ ବିଷୟରେ ସାକ୍ଷ୍ୟ ଦେବା । କିନ୍ତୁ ଏଥିରେ “ଘୋଷଣା କରିବା; ନିଶ୍ଚିତ କରିବା; ପ୍ରଶଂସା କରିବା” ମଧ୍ୟ ସାମିଲ୍ ହୋଇପାରେ । ଯେଉଁ ସତ୍ୟ ବିଷୟରେ ଯୀଶୁଙ୍କୁ ଦୃଢ଼ ବିଶ୍ୱାସ ଥିଲା, ସେଗୁଡ଼ିକ ବିଷୟରେ ସେ ସାକ୍ଷ୍ୟ ଦେଲେ ଏବଂ ସେଗୁଡ଼ିକର ପ୍ରଚାର କଲେ । ଏହା ଛଡ଼ା, ସେ ଏପରି ଜୀବନଯାପନ କଲେ, ଯେଉଁଥିରୁ ତାହାଙ୍କ ପିତାଙ୍କ ଦ୍ୱାରା କରାଯାଇଥିବା ଭବିଷ୍ୟତବାଣୀ ଓ ପ୍ରତିଜ୍ଞାଗୁଡ଼ିକ ସତ୍ୟ ପ୍ରମାଣିତ ହେଲା । (୨କରି ୧:୨୦) ଭବିଷ୍ୟତବାଣୀଗୁଡ଼ିକରେ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ ଈଶ୍ୱର ନିଜ ରାଜ୍ୟ ବିଷୟରେ ଏବଂ ଏହାର ରାଜା ଖ୍ରୀଷ୍ଟଙ୍କ ବିଷୟରେ କʼଣ ଉଦ୍ଦେଶ୍ୟ ରଖିଛନ୍ତି । ଯୀଶୁ ପୃଥିବୀରେ ଯେପରି ଜୀବନଯାପନ କଲେ ଏବଂ ଶେଷରେ ନିଜ ଜୀବନ ବଳିଦାନ କଲେ, ସେଥିରୁ ତାହାଙ୍କ ବିଷୟରେ କରାଯାଇଥିବା ସମସ୍ତ ଭବିଷ୍ୟତବାଣୀ ପୂରଣ ହେଲା । ତାʼ ଛଡ଼ା, ନିୟମର ଚୁକ୍ତିରେ କୁହାଯାଇଥିବା ବ୍ୟବସ୍ଥା ଛାୟା ଭଳି ଥିଲା, ଯାହା ଯୀଶୁଙ୍କଠାରେ ପୂରଣ ହେଲା । (କଲ ୨:୧୬, ୧୭; ଏବ୍ରୀ ୧୦:୧) ଏଥିପାଇଁ କୁହାଯାଇପାରେ ଯେ ଯୀଶୁ ନିଜ କଥା ଓ ନିଜ କାମ ଦ୍ୱାରା ‘ସତ୍ୟ ପକ୍ଷରେ ସାକ୍ଷ୍ୟ ଦେଲେ ।’
ସତ୍ୟ: ଯୀଶୁ ଏହି ପଦରେ ସାଧାରଣ ସତ୍ୟ ବିଷୟରେ କହୁ ନ ଥିଲେ, ବରଂ ସେ ଈଶ୍ୱରଙ୍କ ଉଦ୍ଦେଶ୍ୟର ସତ୍ୟତା ବିଷୟରେ କହୁଥିଲେ । ଈଶ୍ୱରଙ୍କ ଉଦ୍ଦେଶ୍ୟର ଏକ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, “ଦାଉଦଙ୍କ ସନ୍ତାନ” ଯୀଶୁ, ମହାଯାଜକ ଏବଂ ଈଶ୍ୱରଙ୍କ ରାଜ୍ୟର ରାଜା ହେବେ । (ମାଥି ୧:୧) ଯୀଶୁ କହିଲେ ଯେ ସେ ମଣିଷ ଭାବରେ ଜନ୍ମ ନେବା, ପୃଥିବୀରେ ଜୀବନ ଜୀଇଁବା ଓ ସେବା କରିବାର ମୁଖ୍ୟ କାରଣ ଥିଲା— ଈଶ୍ୱରଙ୍କ ରାଜ୍ୟ ବିଷୟରେ ଲୋକମାନଙ୍କୁ ସତ୍ୟତା ଜଣାଇବା । ଯୀଶୁ ଯେତେବେଳେ ଦାଉଦ ଜନ୍ମ ହୋଇଥିବା ସହରରେ, ଅର୍ଥାତ୍ ଯିହୁଦାର ବେଥଲିହିମରେ ଜନ୍ମ ହେଲେ, ସେତେବେଳେ ଏବଂ ତାʼ ପୂର୍ବେ ମଧ୍ୟ ସ୍ୱର୍ଗଦୂତମାନେ ଯୀଶୁଙ୍କ ବିଷୟରେ ଏପରି ହିଁ କିଛି କହିଥିଲେ ।—ଲୂକ ୧:୩୨, ୩୩; ୨:୧୦-୧୪.
ଅଧ୍ୟୟନ ବାଇବଲ—ଯୋହ ୧୮:୩୮କ ଅଧ୍ୟୟନ ତଥ୍ୟ
ସତ୍ୟ କଅଣ?: ପୀଲାତର ପ୍ରଶ୍ନ ହୁଏତ ସାଧାରଣ ସତ୍ୟ ବିଷୟରେ ଥିଲା । ଯୀଶୁ ଟିକେ ପୂର୍ବରୁ ଯେଉଁ “ସତ୍ୟ” ବିଷୟରେ କହିଥିଲେ, ତାକୁ ନେଇ ପୀଲାତ ପ୍ରଶ୍ନ କରୁ ନ ଥିଲା । (ଯୋହ ୧୮:୩୭) ଯଦି ପୀଲାତ ସଠିକ୍ ଉଦ୍ଦେଶ୍ୟ ନେଇ ପ୍ରଶ୍ନ କରିଥାʼନ୍ତା, ତେବେ ଯୀଶୁ ନିଶ୍ଚୟ ତାʼ ପ୍ରଶ୍ନର ଉତ୍ତର ଦେଇଥାʼନ୍ତେ । କିନ୍ତୁ ପୀଲାତ ଉତ୍ତର ଜାଣିବା ପାଇଁ ନୁହେଁ, ବରଂ ଯୀଶୁଙ୍କୁ ଉପହାସ କରୁଥିଲା । ଗୋଟିଏ ଅର୍ଥରେ ସେ କହୁଥିଲା, “ସତ୍ୟ? ତାହା କʼଣ? ସତ୍ୟ ବୋଲି କିଛି ନାହିଁ!” ପୀଲାତ ପ୍ରଶ୍ନ କରିବା ପରେ ଉତ୍ତର ପାଇଁ ମଧ୍ୟ ଅପେକ୍ଷା କଲା ନାହିଁ, ବରଂ ବାହାରିଯାଇ ଯିହୁଦୀମାନଙ୍କ ପାଖକୁ ଚାଲିଗଲା ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୦-ହି ୮/୧୫ ୧୧ ¶୧୫
ଯୀଶୁ କିପରି ଈଶ୍ୱରଙ୍କ ଧାର୍ମିକତାର ମହିମା କଲେ
ଯେତେବେଳେ ଯୀଶୁଙ୍କୁ କାଠଖୁଣ୍ଟରେ କଣ୍ଟା ପିଟି ଦିଆଯାଇଥିଲା ଏବଂ ସେ ନିଜ ଜୀବନର ଶେଷ ନିଶ୍ୱାସ ନେଉଥିଲେ, ସେ କହିଲେ “ସମାଯ୍ତ ହେଲା ।” (ଯୋହ. ୧୯:୩୦) ଯୀଶୁ ନିଜ ବାଯ୍ତିସ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଅର୍ଥାତ୍ ସାଢ଼େ ତିନି ବର୍ଷ ମଧ୍ୟରେ ଈଶ୍ୱରଙ୍କ ସାହାଯ୍ୟରେ କେତେ ମହାନ୍ କାମ ପୂରଣ କଲେ! ଯେତେବେଳେ ଯୀଶୁଙ୍କର ମୃତ୍ୟୁ ହେଲା, ସେତେବେଳେ ଭୟଙ୍କର ଭୂମିକମ୍ପ ହେଲା ଏବଂ ଯେଉଁ ରୋମୀୟ ଶତସେନାପତି ଯୀଶୁଙ୍କୁ କାଠଖୁଣ୍ଟରେ ଚଢ଼ାଇଥିଲା, ତାକୁ କହିବାକୁ ପଡ଼ିଲା: “ସତ୍ୟ, ଏ ଈଶ୍ୱରଙ୍କ ପୁତ୍ର ଥିଲେ ।” (ମାଥି. ୨୭:୫୪) ସେନାପତି ଜଣକ ଦେଖିଥିବ ଯେ ଯୀଶୁଙ୍କୁ ଈଶ୍ୱରଙ୍କ ପୁତ୍ର କହି କିପରି ଉପହାସ କରାଯାଇଥିଲା । ଯୀଶୁ କେତେ କʼଣ ନ ସହିଲେ! ତଥାପି ସେ ନିଜ ବିଶ୍ୱସ୍ତତା ବଜାୟ ରଖିଲେ ଏବଂ ଶୟତାନକୁ ସବୁଠାରୁ ବଡ଼ ମିଥ୍ୟାବାଦୀ ବୋଲି ପ୍ରମାଣିତ କଲେ । ଯେକେହି ଯିହୋବାଙ୍କ ଶାସନକୁ ସମର୍ଥନ କରେ, ଶୟତାନ ତାʼ ବିଷୟରେ ଏହା ଦାବି କରେ: “ଆପଣା ପ୍ରାଣ ନିମନ୍ତେ ମନୁଷ୍ୟ ସର୍ବସ୍ୱ ଦେବ ।” (ଆୟୁ. ୨:୪) ଯିହୋବାଙ୍କ ପାଇଁ ନିଜ ବିଶ୍ୱସ୍ତତା ଦେଖାଇ ଯୀଶୁ ପ୍ରମାଣିତ କଲେ ଯେ ଆଦମ ଓ ହବା ଯେଉଁ ପରୀକ୍ଷାର ସାମନା କରିଥିଲେ, ତାହା କଠିନ ନ ଥିଲା ଏବଂ ସେମାନେ ସେଥିରେ ବିଶ୍ୱସ୍ତ ରହିପାରିଥାʼନ୍ତେ । ଏହାଠାରୁ ବଳି ମଧ୍ୟ ଯୀଶୁ ନିଜ ଜୀବନ ଓ ମୃତ୍ୟୁ ଦ୍ୱାରା ଯିହୋବାଙ୍କ ଧାର୍ମିକତାର ଶାସନର ମହିମା କଲେ । (ହିତୋପଦେଶ ୨୭:୧୧ ପଢ଼ନ୍ତୁ ।) ଯୀଶୁଙ୍କ ମୃତ୍ୟୁରୁ ଆହୁରି କିଛି ପୂରଣ ହେଲା କି? ହଁ, ବିଲ୍କୁଲ୍ ।
ଅଧ୍ୟୟନ ବାଇବଲ—ଯୋହ ୧୯:୩୧ ଅଧ୍ୟୟନ ତଥ୍ୟ
ସେହି ବିଶ୍ରାମବାର ମହାଦିନ ଥିଲା: ପ୍ରତିବର୍ଷ ନିସ୍ତାର ପର୍ବର ପରବର୍ତ୍ତୀ ଦିନ ଅର୍ଥାତ୍ ନୀସନ୍ ମାସର ୧୫ ତାରିଖ ସଯ୍ତାହର ଯେକୌଣସି ଦିନ ହେଉ ନା କାହିଁକି, ଏହା ବିଶ୍ରାମବାରର ଦିନ ହେଉଥିଲା । (ଲେବୀ ୨୩:୫-୭) ଯଦି କୌଣସି ବର୍ଷ ଏହି ବିଶେଷ ବିଶ୍ରାମବାର ପ୍ରତ୍ୟେକ ସଯ୍ତାହରେ ପାଳନ କରାଯାଉଥିବା ବିଶ୍ରାମବାର ଦିନରେ ପଡ଼ୁଥିଲା, ଯାହା ଯିହୁଦୀମାନଙ୍କର ସଯ୍ତମ ଦିନ ହେଉଥିଲା (ଏହି ସଯ୍ତମ ଦିନଟି ଶୁକ୍ରବାର ଦିନ ସୂର୍ଯ୍ୟ ଅସ୍ତ ହେବାଠାରୁ ଶନିବାର ଦିନ ସୂର୍ଯ୍ୟ ଅସ୍ତ ହେବା ପର୍ଯ୍ୟନ୍ତ ହେଉଥିଲା), ତେବେ ଏହା “ବିଶ୍ରାମବାର ମହାଦିନ” ଥିଲା । ଯୀଶୁଙ୍କ ମୃତ୍ୟୁ ଯେଉଁ ନିସ୍ତାର ପର୍ବ ଦିନ ହୋଇଥିଲା, ତାହା ଶୁକ୍ରବାର ଥିଲା । ତେଣୁ ଏହାର ପରବର୍ତ୍ତୀ ଦିନ “ବିଶ୍ରାମବାର ମହାଦିନ” ଥିଲା । ୨୯ ଖ୍ରୀଷ୍ଟାବ୍ଦଠାରୁ ୩୫ ଖ୍ରୀଷ୍ଟାବ୍ଦ ମଧ୍ୟରେ କେବଳ ୩୩ ଖ୍ରୀଷ୍ଟାବ୍ଦରେ ନୀସନ୍ ୧୪ ତାରିଖ ଶୁକ୍ରବାର ଦିନ ପଡ଼ିଥିଲା । ତେଣୁ ଏଥିରୁ ପ୍ରମାଣିତ ହୁଏ ଯେ ଯୀଶୁଙ୍କ ମୃତ୍ୟୁ ୩୩ ଖ୍ରୀଷ୍ଟାବ୍ଦର ନୀସନ୍ ୧୪ ତାରିଖରେ ହୋଇଥିଲା ।