ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr18 ନଭେମ୍ବର ପୃଷ୍ଠା ୧-୮
  • ନଭେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ନଭେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୮)
  • ଉପଶୀର୍ଷକ
  • ୫-୧୧ ନଭେମ୍ବର
  • ୧୨-୧୮ ନଭେମ୍ବର
  • ୧୯-୨୫ ନଭେମ୍ବର
  • ୨୬ ନଭେମ୍ବର–୨ ଡିସେମ୍ବର
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୮)
mwbr18 ନଭେମ୍ବର ପୃଷ୍ଠା ୧-୮

ନଭେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୫-୧୧ ନଭେମ୍ବର

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯୋହନ ୨୦-୨୧

“ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?”

ଅଧ୍ୟୟନ ବାଇବଲ—ଯୋହ ୨୧:୧୫, ୧୭ ଅଧ୍ୟୟନ ତଥ୍ୟ

ଯୀଶୁ ଶିମୋନ ପିତରଙ୍କୁ ପଚାରିଲେ: ଯୀଶୁ ଖ୍ରୀଷ୍ଟ ଓ ପିତରଙ୍କ ମଧ୍ୟରେ ହୋଇଥିବା ଏହି କଥାବାର୍ତ୍ତାର କିଛି ଦିନ ପୂର୍ବରୁ ପିତର ତିନିଥର ଯୀଶୁଙ୍କୁ ଜାଣିବାର ଅସ୍ୱୀକାର କରିଥିଲେ । ବର୍ତ୍ତମାନ ଯୀଶୁ ଜାଣିବାକୁ ଚାହୁଁଥିଲେ ଯେ ପିତରଙ୍କ ହୃଦୟରେ ତାଙ୍କ ପାଇଁ କେତେ ଜାଗା ଅଛି । ତେଣୁ ସେ ପିତରଙ୍କୁ ତିନୋଟି ପ୍ରଶ୍ନ ପଚାରିଲେ । ଯୀଶୁ ବାରମ୍ବାର ଏପରି ପଚାରିବାରୁ ପିତର “ଦୁଃଖିତ” ହେଲେ । (ଯୋହ ୨୧:୧୭) ଯୋହ ୨୧:୧୫-୧୭ ପଦରେ ଯୋହନ ଯାହା ଲେଖିଲେ, ସେଥିରେ ଦୁଇଟି ଗ୍ରୀକ୍‌ କ୍ରିୟା ରହିଛି: ଅଗାପେଓ ଓ ଫିଲିଓ । ଓଡ଼ିଆରେ ଅଗାପେଓର ଅନୁବାଦ ପ୍ରେମ ଏବଂ ଫିଲିଓର ଅନୁବାଦ ସ୍ନେହ କରାଯାଇଛି । ଯୀଶୁ ଦୁଇଥର ପିତରଙ୍କୁ ପଚାରିଲେ: “ତୁମ୍ଭେ କଅଣ ମୋତେ ପ୍ରେମ କରୁଅଛ?” ଉଭୟ ଥର ପିତର ଯୀଶୁଙ୍କୁ ଦୃଢ଼ ବିଶ୍ୱାସର ସହ କହିଲେ ଯେ ସେ ତାହାଙ୍କୁ “ସ୍ନେହ” କରନ୍ତି । ଶେଷରେ ଯୀଶୁ ପଚାରିଲେ: “ତୁମ୍ଭେ କଅଣ ମୋତେ ସ୍ନେହ କରୁଅଛ?” ପିତର ପୁଣିଥରେ ଜୋର୍‌ ଦେଇ କହିଲେ ଯେ ସେ ତାହାଙ୍କୁ ସ୍ନେହ କରନ୍ତି । ଯୀଶୁ ପିତରଙ୍କୁ ଜୋର୍‌ ଦେଇ କହିଲେ ଯେ ଯଦି ସେ ତାହାଙ୍କୁ ପ୍ରେମ କରନ୍ତି, ତେବେ ସେ ତାହାଙ୍କ ମେଷଶାବକ ଓ “ମେଷମାନଙ୍କୁ” ଚରାନ୍ତୁ ଏବଂ “ପ୍ରତିପାଳନ” କରନ୍ତୁ । (ଯୋହ ୨୧:୧୬, ୧୭; ୧ପିତ ୫:୧-୩) ଏଠାରେ ମେଷଶାବକ ଯୀଶୁଙ୍କର ଶିଷ୍ୟମାନଙ୍କୁ ସୂଚାଏ । ଯୀଶୁ ପିତରଙ୍କୁ ତିନିଥର ନିଜ ପ୍ରେମର ପ୍ରମାଣ ଦେବା ପାଇଁ ସୁଯୋଗ ଦେଲେ ଏବଂ ତାʼପରେ ତାଙ୍କୁ ମେଷଶାବକମାନଙ୍କର ପ୍ରତିପାଳନ କରିବାର ଦାୟିତ୍ୱ ଦେଲେ । ପିତର ତିନିଥର ଯୀଶୁଙ୍କୁ ଜାଣିବାର ଅସ୍ୱୀକାର କରିଦେଇଥିଲେ । ତେଣୁ ହୁଏତ ତାଙ୍କ ମନରେ ସନ୍ଦେହ ରହିଥିବ ଯେ ଯୀଶୁ ତାଙ୍କୁ କ୍ଷମା କରିଛନ୍ତି କି ନାହିଁ । ବର୍ତ୍ତମାନ, ଯୀଶୁ ଏହି ସନ୍ଦେହ ସମ୍ପୂର୍ଣ୍ଣ ରୂପେ ଦୂର କରିଦେଲେ ।

ତୁମ୍ଭେ କଅଣ ମୋତେ ଏମାନଙ୍କଠାରୁ ଅଧିକ ପ୍ରେମ କରୁଅଛ?: ଯଦି ଆମେ ବ୍ୟାକରଣ ଅନୁଯାୟୀ ଦେଖିବା, ତେବେ “ଏମାନଙ୍କଠାରୁ ଅଧିକ” ଶବ୍ଦସମୂହର ଅନେକ ଅର୍ଥ ହୋଇପାରେ । କିଛି ବିଦ୍ୱାନ୍‌ କହନ୍ତି ଯେ ଏହାର ଅର୍ଥ ହେଉଛି, “ତୁମେ ଏହି ଅନ୍ୟ ଶିଷ୍ୟମାନଙ୍କୁ ଯେତେ ପ୍ରେମ କର, କʼଣ ତାʼଠାରୁ ଅଧିକ ମୋତେ ପ୍ରେମ କର?” କିମ୍ବା “ଏହି ଶିଷ୍ୟମାନେ ମୋତେ ଯେତେ ପ୍ରେମ କରନ୍ତି, କʼଣ ତୁମେ ତାʼଠାରୁ ଅଧିକ ମୋତେ ପ୍ରେମ କର?” କିନ୍ତୁ, ଯେତେବେଳେ ଯୀଶୁ “ଏମାନଙ୍କଠାରୁ ଅଧିକ” କହିଲେ, ହୁଏତ ତାହାଙ୍କ କହିବାର ଅର୍ଥ ଥିଲା ଯେ କʼଣ ତୁମେ ଏହି ମାଛଗୁଡ଼ିକଠାରୁ ଅଧିକ ଅର୍ଥାତ୍‌ ମାଛଧରିବାର କାରବାରଠାରୁ ଅଧିକ ମୋତେ ପ୍ରେମ କର । ଅନ୍ୟ ଶବ୍ଦରେ କହିବାକୁ ଗଲେ ପଦର ଅର୍ଥ ହେଉଛି, ‘କଅଣ ତୁମେ ପଇସା କିମ୍ବା କାରବାରଠାରୁ ଅଧିକ ମୋତେ ପ୍ରେମ କର? ଯଦି ହଁ, ତେବେ ମୋʼ ମେଷମାନଙ୍କୁ ଖୁଆଅ ।’ ପିତରଙ୍କ ଅତୀତକୁ ଧ୍ୟାନରେ ରଖି ଯୀଶୁ ସଠିକ୍‌ ପ୍ରଶ୍ନ କରିଥିଲେ । ପିତର ଯୀଶୁଙ୍କ ସେବାର ଆରମ୍ଭରେ ହିଁ ତାହାଙ୍କ ଶିଷ୍ୟ ହୋଇଥିଲେ । (ଯୋହ ୧:୩୫-୪୨) କିନ୍ତୁ ସେ ତୁରନ୍ତ ଯୀଶୁଙ୍କ ସହ ପୂର୍ଣ୍ଣ ସମୟର ସେବା ଆରମ୍ଭ କରି ନ ଥିଲେ । ସେ ମାଛ ଧରିବାର କାରବାରକୁ ଫେରିଗଲେ । କିଛି ମାସ ପରେ, ଯୀଶୁଙ୍କ କଥା ମାନି ସେ ମାଛ ଧରିବାର ଲାଭଦାୟକ କାରବାରକୁ ଛାଡ଼ିଦେଲେ ଏବଂ ସେ ‘ମନୁଷ୍ୟ ଧରିବାର’ କାମ କରିବାକୁ ଲାଗିଲେ । (ମାଥି ୪:୧୮-୨୦; ଲୂକ ୫:୧-୧୧) କିନ୍ତୁ ଯୀଶୁଙ୍କ ମୃତ୍ୟୁର କିଛି ସମୟ ପରେ, ପିତର ଅନ୍ୟ ପ୍ରେରିତମାନଙ୍କୁ କହିଲେ ଯେ ସେ ପୁଣିଥରେ ମାଛ ଧରିବାର କାରବାରକୁ ଫେରିଯାଉଛନ୍ତି । ଅନ୍ୟ ପ୍ରେରିତମାନେ ମଧ୍ୟ ତାଙ୍କ ସହିତ ସେହି କାମ କରିବାକୁ ଲାଗିଲେ । (ଯୋହ ୨୧:୨, ୩) ତେଣୁ ବର୍ତ୍ତମାନ ଯୀଶୁ ହୁଏତ ପିତରଙ୍କୁ ହୃଦୟଙ୍ଗମ କରାଇବାକୁ ଚାହୁଁଥିଲେ ଯେ ସେ ନିଜ ଜୀବନରେ କେଉଁ କଥାକୁ ପ୍ରଥମ ସ୍ଥାନ ଦେବେ, ସେବିଷୟରେ ତାଙ୍କୁ ଠୋସ୍‌ ନିଷ୍ପତ୍ତି ନେବାକୁ ହେବ— ପିତରଙ୍କ ସମ୍ମୁଖରେ ଯେଉଁ ମାଛଗୁଡ଼ିକର ଗଦା ଥିଲା ତାʼର କାରବାରକୁ, ନା ଯୀଶୁଙ୍କ ଶିଷ୍ୟମାନଙ୍କୁ ସତ୍ୟ ଶିଖାଇବାର କାମକୁ?—ଯୋହ ୨୧:୪-୮.

ତୃତୀୟ ଥର: ପିତର ଯୀଶୁଙ୍କୁ ତିନିଥର ଜାଣିବାର ଅସ୍ୱୀକାର କରିଥିଲେ । ଏବେ ଯୀଶୁ ତାଙ୍କୁ ନିଜ ପ୍ରେମର ପ୍ରମାଣ ଦେବା ପାଇଁ ତିନିଥର ସୁଯୋଗ ଦେଲେ । ଯେତେବେଳେ ପିତର ତାହାଙ୍କୁ ପ୍ରେମ କରନ୍ତି ବୋଲି ଭରସା ଦେଲେ, ଯୀଶୁ ତାଙ୍କୁ କହିଲେ— ଯଦି ସେ ତାହାଙ୍କୁ ସ୍ନେହ କରନ୍ତି, ତେବେ ସେ ଜୀବନରେ ପବିତ୍ର ସେବାକୁ ବାକିତକ ସବୁ କାମଠାରୁ ଅଧିକ ମହତ୍ତ୍ୱ ଦିଅନ୍ତୁ । ଦାୟିତ୍ୱରେ ଥିବା ବାକିତକ ଭାଇମାନଙ୍କ ସହ ମିଶି ପିତରଙ୍କୁ ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଖୁଆଇବାର ଥିଲା, ସେମାନଙ୍କୁ ଦୃଢ଼ କରିବାର ଥିଲା ଏବଂ ଜଣେ ମେଷପାଳକ ଭାବେ ସେମାନଙ୍କର ପ୍ରତିପାଳନ କରିବାର ଥିଲା । ଯଦିଓ ସେହି ଖ୍ରୀଷ୍ଟିୟାନମାନେ ଅଭିଷିକ୍ତ ଥିଲେ, ତଥାପି ସେମାନଙ୍କୁ ଆଧ୍ୟାତ୍ମିକ ଭୋଜନ ଯୋଗାଇବା ଜରୁରୀ ଥିଲା ।—ଲୂକ ୨୨:୩୨.

ପ୍ର୧୨-ଇଂ ୮/୧ ୧୮-୨୦

ବାଇବଲ ସମୟରେ ମାଛଧରାଳିମାନଙ୍କ ଜୀବନ

“ସେ [ଯୀଶୁ] ଗାଲିଲୀ ସମୁଦ୍ର କୂଳରେ ଭ୍ରମଣ କରୁଥିବା ସମୟରେ ଶିମୋନ, ଯାହାଙ୍କୁ ପିତର ବୋଲି କହନ୍ତି, ଆଉ ତାଙ୍କ ଭାଇ ଆନ୍ଦ୍ରିୟ, ଏହି ଦୁଇ ଭାଇଙ୍କି ସମୁଦ୍ରରେ ଭଉଁରିଜାଲ ପକାଉଥିବା ଦେଖିଲେ, କାରଣ ସେମାନେ ମତ୍ସ୍ୟଜୀବୀ ଥିଲେ । ଯୀଶୁ ସେମାନଙ୍କୁ କହିଲେ, ମୋହର ଅନୁଗମନ କର, ମୁଁ ତୁମ୍ଭମାନଙ୍କୁ ମନୁଷ୍ୟ ଧରିବା ଶିଖାଇବି ।”—ମାଥିଉ ୪:୧୮, ୧୯.

ସୁସମାଚାର ବହିଗୁଡ଼ିକରେ ମାଛ, ମାଛଧରାଳି ଓ ମାଛ ଧରିବାର କାମ ବିଷୟରେ ପ୍ରାୟ ଅନେକ ଥର ଉଲ୍ଲେଖ କରାଯାଇଛି । ଯୀଶୁ ଖ୍ରୀଷ୍ଟ ମଧ୍ୟ ଅନେକ ଥର ମାଛ ଧରିବା କାମର ଦୃଷ୍ଟାନ୍ତ ଦେଇଥିଲେ । ଏହା କୌଣସି ଆଶ୍ଚର୍ଯ୍ୟର କଥା ନୁହେଁ, କାରଣ ସେ ଅଧିକାଂଶ ସମୟ ଗାଲିଲୀ ସମୁଦ୍ରକୂଳ ଏବଂ ଏହାର ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଶିଖାଇଥିଲେ । (ମାଥିଉ ୪:୧୩; ୧୩:୧, ୨; ମାର୍କ ୩:୭, ୮) ଏହି ସୁନ୍ଦର ହ୍ରଦ ପ୍ରାୟ ୨୦ କି.ମି. ଲମ୍ବା ଏବଂ ୧୧ କି.ମି. ଚଉଡ଼ା ଥିଲା । ଯୀଶୁଙ୍କର ପ୍ରେରିତମାନଙ୍କ ମଧ୍ୟରୁ ଅତି କମ୍‌ରେ ସାତ ଜଣ ମାଛଧରାଳି ଥିଲେ । ସେମାନେ ଥିଲେ— ପିତର, ଆନ୍ଦ୍ରିୟ, ଯାକୁବ, ଯୋହନ, ଫିଲିପ୍ପ, ଥୋମା ଓ ନିଥନିୟେଲ ।—ଯୋହନ ୨୧:୨, ୩.

ଯୀଶୁଙ୍କ ସମୟରେ ମାଛଧରାଳିମାନଙ୍କର ଜୀବନ କିପରି ଥିଲା? ସେମାନଙ୍କ ବିଷୟରେ କିଛି ତଥ୍ୟ ଜାଣିଲେ ଆପଣ ଯୀଶୁଙ୍କ କାମ ଓ ତାହାଙ୍କ ଦୃଷ୍ଟାନ୍ତଗୁଡ଼ିକୁ ଆହୁରି ଭଲ ଭାବେ ବୁଝିପାରିବେ । ସର୍ବପ୍ରଥମେ, ଆସନ୍ତୁ ଜାଣିବା ଯେ ଗାଲିଲୀ ସମୁଦ୍ରରେ ମାଛ ଧରିବା କାମ କିପରି ଥିଲା ।

‘ସମୁଦ୍ରରେ ପ୍ରବଳ ଝଡ଼ ହେଲା’

ଗାଲିଲୀ ହ୍ରଦର ଉପରିଭାଗ ସମୁଦ୍ର ପତ୍ତନଠାରୁ ୬୯୦ ଫୁଟ୍‌ ତଳେ ଥିଲା । ଏହାର କୂଳରେ ପଥୁରିଆ ଢାଲୁଗୁଡ଼ିକ ଥିଲା ଏବଂ ଉତ୍ତରରେ ବିଶାଳ ହର୍ମୋଣ ପାହାଡ଼ ଥିଲା । ଶୀତଦିନରେ ବରଫ ଭଳି ଅତି ଥଣ୍ଡା ପବନ ବେଳେ ବେଳେ ଏହି ହ୍ରଦର ଲହଡ଼ିଗୁଡ଼ିକୁ ଦୋହଲାଇ ଦେଉଥିଲା । ଗ୍ରୀଷ୍ମଋତୁରେ ଗରମ ପବନ ହ୍ରଦର ଉପରିଭାଗରେ ବିଛେଇ ହୋଇ ପଡ଼ୁଥିଲା । ଆଖପାଖର ପାହାଡ଼ଗୁଡ଼ିକରୁ ହଠାତ୍‌ କେବେ କେବେ ପ୍ରବଳ ଝଡ଼ ମାଡ଼ି ଆସୁଥିଲା ଏବଂ ନାବିକମାନେ ଏହାର ଶିକାର ହେଉଥିଲେ । ଥରେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ମଧ୍ୟ ଏହିଭଳି ଏକ ଝଡ଼ର ଶିକାର ହୋଇଥିଲେ ।—ମାଥିଉ ୮:୨୩-୨୭.

ମାଛଧରାଳିମାନେ କାଠରେ ତିଆରି ଡଙ୍ଗାରେ ଯାତ୍ରା କରୁଥିଲେ । ଏହି ଡଙ୍ଗାଗୁଡ଼ିକ ପ୍ରାୟ ୨୭ ଫୁଟ୍‌ ଲମ୍ବା ଏବଂ ପ୍ରାୟ ୭ ଫୁଟ୍‌ ଚଉଡ଼ା ରହୁଥିଲା । ଅନେକ ଡଙ୍ଗାଗୁଡ଼ିକରେ ଏକ ମାସ୍ତୁଲ ରହୁଥିଲା ଏବଂ ପଛ ଭାଗର ଡେକ୍‌ ବା ଚଟାଣ ତଳେ ଆରାମ କରିବା ପାଇଁ ଏକ ଛୋଟ କୋଠରି ରହୁଥିଲା ।—ମାର୍କ ୪:୩୫-୪୧.

ମାଛଧରାଳିମାନେ ଡଙ୍ଗାର ଉଭୟ ପାର୍ଶ୍ୱରେ ଆହୁଲା ମାରୁଥିଲେ । ଗୋଟିଏ ମାଛଧରାଳି ଦଳରେ ୬ ଜଣ କିମ୍ବା ତାʼଠାରୁ ଅଧିକ ଲୋକ ରହୁଥିଲେ ।—ମାର୍କ ୧:୨୦.

‘ସେମାନେ ବହୁତ ମାଛ ଧରିଲେ’

ଯୀଶୁଙ୍କ ସମୟରେ ମାଛଧରାଳିମାନେ ସାଧାରଣତଃ ରାତିରେ ମାଛ ଧରୁଥିଲେ । ଥରେ ଯୀଶୁଙ୍କ ଶିଷ୍ୟମାନେ ସାରା ରାତି ପରିଶ୍ରମ କରିବା ପରେ ମଧ୍ୟ ସେମାନଙ୍କୁ ମାଛ ମିଳିଲା ନାହିଁ । କିନ୍ତୁ ପରବର୍ତ୍ତୀ ଦିନ, ଯୀଶୁ ଯେଉଁ ଜାଗାରେ ଜାଲ ପକାଇବାକୁ କହିଲେ, ସେଠାରେ ସେମାନେ ଜାଲ ପକାଇଲେ । ଫଳରେ ସେମାନଙ୍କ ଜାଲରେ ଏତେ ମାଛ ଫସିଗଲେ ଯେ ସେମାନଙ୍କ ଡଙ୍ଗା ବୁଡ଼ିବାକୁ ଲାଗିଲା ।—ଲୂକ ୫:୬, ୭.

କେବେ କେବେ ମାଛଧରାଳିମାନେ ମାଛ ଧରିବାକୁ ଗଭୀର ସମୁଦ୍ରକୁ ଯାଉଥିଲେ, ସେଠାରେ ଦୁଇଟି ଡଙ୍ଗାର ମାଛଧରାଳି ଏକାସାଙ୍ଗେ ମିଶି ମାଛ ଧରୁଥିଲେ । ସେମାନେ ଉଭୟ ଡଙ୍ଗାର ମଝିରେ ଜାଲ ବିଛାଉଥିଲେ ଏବଂ ତାʼପରେ ଡଙ୍ଗାଗୁଡ଼ିକୁ ବିପରୀତ ଦିଗରେ ନେଇଯାଉଥିଲେ । ତାʼପରେ ମାଛଗୁଡ଼ିକୁ ଘେରି ଯାଉଥିଲେ । ଜାଲରେ ମାଛଗୁଡ଼ିକ ଫସିଯାଉଥିଲେ ଏବଂ ତାʼପରେ ସେମାନେ ଜାଲକୁ ବନ୍ଦ କରିଦେଉଥିଲେ । ତାʼପରେ ସେମାନେ ଜାଲର କୋଣଗୁଡ଼ିକରେ ଥିବା ରଶିକୁ ଟାଣିବାରେ ବହୁତ ପରିଶ୍ରମ କରୁଥିଲେ । ଜାଲର ଲମ୍ବା ୧୦୦ ଫୁଟ୍‌ରୁ ଅଧିକ ରହୁଥିଲା ଏବଂ ସମୁଦ୍ରରେ ପ୍ରାୟ ୮ ଫୁଟ୍‌ ଗଭୀର ପର୍ଯ୍ୟନ୍ତ ଯାଉଥିଲା । ମାଛଗୁଡ଼ିକର ପୂରା ଦଳକୁ ଫସାଇବା ପାଇଁ ଏତେ ବଡ଼ ଜାଲ ଯଥେଷ୍ଟ ହେଉଥିଲା । ଜାଲର ଉପର ଭାଗର ଧଡ଼ିରେ ହାଲୁକା ଜିନିଷଗୁଡ଼ିକ ବନ୍ଧାଯାଉଥିଲା ଏବଂ ତଳ ଭାଗର ଧଡ଼ିରେ ଓଜନିଆ ଜିନିଷଗୁଡ଼ିକ ବନ୍ଧାଯାଉଥିଲା । ମାଛଧରାଳିମାନଙ୍କୁ ଜାଲ ଟାଣିବାରେ ଘଣ୍ଟା ଘଣ୍ଟା ସମୟ ଲାଗୁଥିଲା ।

ଯେଉଁଠାରେ ପାଣିର ଗଭୀରତା କମ୍‌ ଥାଏ, ସେଠାରେ ମାଛଧରାଳିମାନଙ୍କ ଦଳ ଭିନ୍ନ ଉପାୟ ଆପଣାଉଥିଲା । ସେମାନେ ଡଙ୍ଗାରୁ ଜାଲର ଗୋଟେ ପାର୍ଶ୍ୱ ସମୁଦ୍ରକୂଳରେ ବିଛାଇ ସମୁଦ୍ରକୁ ନେଇଯାଉଥିଲେ ଏବଂ ମାଛଗୁଡ଼ିକ ଜାଲରେ ଫସିବା ପରେ ଜାଲକୁ ସମୁଦ୍ରକୂଳକୁ ଆଣୁଥିଲେ । ତାʼପରେ କୂଳରେ ଥିବା ଲୋକମାନେ ଜାଲକୁ ଟାଣି ମାଛଗୁଡ଼ିକୁ କୂଳରେ ରଖୁଥିଲେ ଏବଂ ସେଠାରେ ସେଗୁଡ଼ିକୁ ବାଛୁଥିଲେ । ସେମାନେ ଭଲ ମାଛଗୁଡ଼ିକୁ ପାତ୍ରଗୁଡ଼ିକରେ ରଖି ନେଇଯାଉଥିଲେ । କିଛି ମାଛଗୁଡ଼ିକ ପାଖ ବଜାରରେ ବିକ୍ରି କରାଯାଉଥିଲା । କିନ୍ତୁ ଅଧିକାଂଶ ମାଛଗୁଡ଼ିକରେ ଲୁଣ ଦେଇ ଶୁଖାଯାଉଥିଲା କିମ୍ବା ସେଗୁଡ଼ିକର ଆଚାର ତିଆରି କରାଯାଉଥିଲା । ତାʼପରେ ସେଗୁଡ଼ିକୁ ମାଟିର ସୁରେଇ ଭଳି ପାତ୍ରରେ ରଖି ଯିରୂଶାଲମ କିମ୍ବା ଅନ୍ୟ ଦେଶଗୁଡ଼ିକୁ ପଠାଯାଉଥିଲା ।

ଜାଲଗୁଡ଼ିକ ବହୁତ ମହଙ୍ଗା ହେଉଥିଲା ଏବଂ ସେଗୁଡ଼ିକର ଦେଖାରେଖା ଓ ସଫାସୁତୁରା କରିବାରେ ବହୁତ ପରିଶ୍ରମ ଲାଗୁଥିଲା । ତେଣୁ ମାଛଧରାଳିମାନେ ଏହାର ବ୍ୟବହାର କରିବା ସମୟରେ ସାବଧାନତା ଅବଲମ୍ବନ କରୁଥିଲେ । ଜଣେ ମାଛଧରାଳିର ଅଧିକାଂଶ ସମୟ ଜାଲର ମରାମତି କରିବାରେ, ତାକୁ ଧୋଇ ଶୁଖାଇବାରେ ଚାଲିଯାଉଥିଲା । ପ୍ରତ୍ୟେକ ଥର ଯେତେବେଳେ ସେମାନେ ମାଛ ଧରୁଥିଲେ, ଶେଷରେ ସେମାନେ ଏହି କାମ କରୁଥିଲେ । (ଲୂକ ୫:୨) ଯୀଶୁ ଯେତେବେଳେ ଯାକୁବ ଓ ତାଙ୍କ ଭାଇ ଯୋହନଙ୍କୁ ନିଜ ଅନୁଗମନ କରିବା ପାଇଁ କହିଲେ, ସେତେବେଳେ ସେମାନେ ଡଙ୍ଗାରେ ବସି ଜାଲ ଠିକ୍‌ କରୁଥିଲେ ।—ମାର୍କ ୧:୧୯.

ସେତେବେଳର ମାଛଧରାଳିମାନେ ଧୈର୍ଯ୍ୟର ସହ କାମ କରୁଥିଲେ, ପରିଶ୍ରମୀ ଥିଲେ ଏବଂ ପ୍ରତ୍ୟେକ କଠିନ ପରିସ୍ଥିତିକୁ ସହିବା ପାଇଁ ପ୍ରସ୍ତୁତ ରହୁଥିଲେ । ତେବେଯାଇ ସେମାନଙ୍କର ପରିଶ୍ରମର ଭଲ ଫଳ ମିଳୁଥିଲା । ଯୀଶୁଙ୍କ ନିମନ୍ତ୍ରଣକୁ ସ୍ୱୀକାର କରି ଶିଷ୍ୟ କରିବାର କାମ କରୁଥିବା ଲୋକମାନଙ୍କଠାରେ ମଧ୍ୟ ଏହି ଗୁଣ ଜରୁରୀ ଥିଲା । ତେବେଯାଇ ସେମାନେ “ମନୁଷ୍ୟ ଧରିବା” କାମରେ କୁଶଳୀ ହୁଅନ୍ତେ ।—ମାଥିଉ ୨୮:୧୯, ୨୦.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ଯୋହ ୨୦:୧୭ ଅଧ୍ୟୟନ ତଥ୍ୟ

ମୋତେ ଧରି ରଖ ନାହିଁ: ଗ୍ରୀକ୍‌ କ୍ରିୟା ହେପ୍ଟୋମାଇର ଅର୍ଥ ହୁଏତ “ଛୁଇଁବା” ହୋଇପାରେ, କିମ୍ବା “ଧରି ରଖିବା; ଲଟକି ରହିବା ହୋଇପାରେ ।” ମଗ୍ଦଲୀନୀ ମରୀୟମ ଯୀଶୁଙ୍କୁ କେବଳ ଛୁଉଁ ନ ଥିଲେ, ନହେଲେ ଯୀଶୁ ତାଙ୍କୁ ମନା କରି ନ ଥାʼନ୍ତେ । ଯୀଶୁ ପୁଣିଥରେ ଜୀବିତ ହେବା ପରେ, ଯେତେବେଳେ କିଛି ସ୍ତ୍ରୀ ଲୋକମାନେ ‘ତାହାଙ୍କ ପାଦ ଧରିଥିଲେ,’ ସେତେବେଳେ ସେ ସେମାନଙ୍କୁ ମଧ୍ୟ ମନା କରି ନ ଥିଲେ । (ମାଥି ୨୦:୯) ହୁଏତ ମଗ୍ଦଲୀନୀ ମରୀୟମ ଭାବିଥିବେ ଯେ ଯୀଶୁ ସେତେବେଳେ ହିଁ ସ୍ୱର୍ଗକୁ ଫେରିଯିବେ । ନିଜ ପ୍ରଭୁଙ୍କ ସହ କିଛି ସମୟ ରହିବା ପାଇଁ ତାଙ୍କର ବହୁତ ଇଚ୍ଛା ଥିଲା । ତେଣୁ ସେ ତାହାଙ୍କୁ ଧରି ରଖିଥିଲେ ଏବଂ ଯିବାକୁ ଦେଉ ନ ଥିଲେ । ସେଥିପାଇଁ ଯୀଶୁ ତାଙ୍କୁ ନିଶ୍ଚିତ କଲେ ଯେ ସେ ବର୍ତ୍ତମାନ ସ୍ୱର୍ଗକୁ ଯାଉ ନାହାନ୍ତି, ତେଣୁ ସେ ତାହାଙ୍କୁ ଧରି ନ ରଖନ୍ତୁ । ଏହା ପରିବର୍ତ୍ତେ, ସେ ଯାଇ ଅନ୍ୟ ଶିଷ୍ୟମାନଙ୍କୁ ତାହାଙ୍କ ପୁନରୁତ୍ଥାନର ଖବର ଦିଅନ୍ତୁ ।

ଅଧ୍ୟୟନ ବାଇବଲ—ଯୋହ ୨୦:୨୮ ଅଧ୍ୟୟନ ତଥ୍ୟ

ମୋହର ପ୍ରଭୁ, ମୋହର ଈଶ୍ୱର: କିଛି ବିଦ୍ୱାନ୍‌ମାନେ କୁହନ୍ତି ଯେ ଯେତେବେଳେ ଥୋମା ଆଶ୍ଚର୍ଯ୍ୟ ହୋଇ ଏହା କହିଲେ, ସେତେବେଳେ ସେ ଯଦିଓ ଯୀଶୁଙ୍କ ସହ କଥା ହେଉଥିଲେ, ତଥାପି ସେ ପ୍ରକୃତରେ ଯୀଶୁଙ୍କ ପିତା ଅର୍ଥାତ୍‌ ପରମେଶ୍ୱରଙ୍କୁ ଧ୍ୟାନରେ ରଖି ଏପରି କହୁଥିଲେ । କିନ୍ତୁ କିଛି ଲୋକ କୁହନ୍ତି ଯେ ମୂଳ ଗ୍ରୀକ୍‌ ଶାସ୍ତ୍ର ଅନୁଯାୟୀ ସେ ଯୀଶୁଙ୍କୁ ହିଁ “ପ୍ରଭୁ ଓ ଈଶ୍ୱର” କହିଥିଲେ । ଯଦି ଆମେ ଏହା ମାନିନେବା ଯେ ଥୋମା ଯୀଶୁଙ୍କୁ ହିଁ “ମୋହର ପ୍ରଭୁ, ମୋହର ଈଶ୍ୱର” କହୁଥିଲେ, ତେବେ ଆମକୁ ଜାଣିବାକୁ ହେବ ଯେ ସମ୍ପୂର୍ଣ୍ଣ ବାଇବଲ ଅନୁଯାୟୀ ଏହି ଶବ୍ଦଗୁଡ଼ିକର ଅର୍ଥ କʼଣ ହୋଇପାରେ । ଏହି ସନ୍ଦର୍ଭରେ ପ୍ରଥମେ କୁହାଯାଇଛି ଯେ ଯୀଶୁ ନିଜ ଶିଷ୍ୟମାନଙ୍କ ପାଖକୁ ଏହି ବାର୍ତ୍ତା ପଠାଇଥିଲେ: “ମୁଁ ମୋହର ପିତା ଓ ତୁମ୍ଭମାନଙ୍କର ପିତା, ମୋହର ଈଶ୍ୱର ଓ ତୁମ୍ଭମାନଙ୍କର ଈଶ୍ୱରଙ୍କ ନିକଟକୁ ଆରୋହଣ କରୁଅଛି ।” ତେଣୁ ଥୋମା ଏହା ଭାବି ନ ଥିବେ ଯେ ଯୀଶୁ ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି । (ଯୋହ ୨୦:୧୭ ଅଧ୍ୟୟନ ତଥ୍ୟ ଦେଖନ୍ତୁ ।) ସେ ଯୀଶୁଙ୍କୁ ନିଜ ‘ପିତଃଙ୍କୁ’ ପ୍ରାର୍ଥନା କରୁଥିବାର ଶୁଣିଥିଲେ, ଯେଉଁଥିରେ ଯୀଶୁ ନିଜ ପିତାଙ୍କୁ “ଏକମାତ୍ର ସତ୍ୟ ଈଶ୍ୱର” ବୋଲି କହିଥିଲେ । (ଯୋହ ୧୭:୧-୩) ଯେତେବେଳେ ଥୋମା ଯୀଶୁଙ୍କୁ “ମୋହର ଈଶ୍ୱର” ବୋଲି କହିଲେ, ସେତେବେଳେ ହୁଏତ ଏହାର ଏହି କାରଣ ରହିଥିବ: ପ୍ରଥମତଃ, ସେ ଯୀଶୁଙ୍କୁ ଜଣେ “ଈଶ୍ୱର” ବୋଲି ମାନୁଥିଲେ, ସର୍ବଶକ୍ତିମାନ ପରମେଶ୍ୱର ନୁହେଁ । (ଯୋହ ୧:୧ ଅଧ୍ୟୟନ ତଥ୍ୟ ଦେଖନ୍ତୁ ।*) ଦ୍ୱିତୀୟତଃ, ଏବ୍ରୀ ଶାସ୍ତ୍ରରେ ଯେପରି କିଛି ଲୋକମାନେ ଯିହୋବାଙ୍କ ଦ୍ୱାରା ପଠାଯାଇଥିବା ସ୍ୱର୍ଗଦୂତମାନଙ୍କୁ ଯିହୋବା କିମ୍ବା ଈଶ୍ୱର ବୋଲି ଡାକୁଥିଲେ, ଥୋମା ହୁଏତ ସେହିପରି ଯୀଶୁଙ୍କୁ ଈଶ୍ୱର ବୋଲି ଡାକିଥିଲେ । କେତେକ ଘଟଣାରେ କିଛି ଲୋକମାନେ କୌଣସି ସ୍ୱର୍ଗଦୂତଙ୍କ ସହିତ ଏପରି ଭାବେ କଥା ହୋଇଥିଲେ, ଯେପରି ସେମାନେ ଯିହୋବାଙ୍କ ସହିତ କଥା ହେଉଛନ୍ତି । ଏହି ଘଟଣାଗୁଡ଼ିକ ବିଷୟରେ ଥୋମା ନିଶ୍ଚୟ ଭଲ ଭାବେ ଜାଣିଥିବେ । ସେ ଏହା ମଧ୍ୟ ଜାଣିଥିବେ ଯେ ବାଇବଲର ଲେଖକମାନେ ସ୍ୱର୍ଗଦୂତମାନଙ୍କ ବିଷୟରେ କହିବା ସମୟରେ ସେମାନଙ୍କୁ ଯିହୋବାଙ୍କ ନାମରେ ସମ୍ବୋଧନ କରିଥିଲେ । (ଆଦି ୧୬:୭-୧୧, ୧୩; ୧୮:୧-୫, ୨୨-୩୩; ୩୨:୨୪-୩୦; ବିଚା ୬:୧୧-୧୫; ୧୩:୨୦-୨୨ ତୁଳନା କରନ୍ତୁ ।) ତେଣୁ ଯେତେବେଳେ ଥୋମା ଯୀଶୁଙ୍କୁ “ମୋହର ଈଶ୍ୱର” ବୋଲି କହିଲେ, ସେ ଏହା କହିବାକୁ ଚାହୁଁଥିଲେ ଯେ ଯୀଶୁଙ୍କୁ ସତ୍ୟ ପରମେଶ୍ୱର ପଠାଇଛନ୍ତି ଏବଂ ଯୀଶୁ ତାହାଙ୍କ ତରଫରୁ କହନ୍ତି ।

*ବାକ୍ୟ ଈଶ୍ୱର ଥିଲେ: କିମ୍ବା “ବାକ୍ୟ ଈଶ୍ୱରଙ୍କ ଭଳି ଥିଲେ ।” ଯୋହନଙ୍କ ଏକଥାରୁ “ବାକ୍ୟ,” (ଗ୍ରୀକ୍‌ରେ ହୋ ଲୋଗୋସ୍‌; ଏହି ପଦରେ ବାକ୍ୟ ଉପରେ ଅଧ୍ୟୟନ ତଥ୍ୟ ଦେଖନ୍ତୁ ।) ଅର୍ଥାତ୍‌ ଯୀଶୁ ଖ୍ରୀଷ୍ଟଙ୍କର ଏକ ବିଶେଷତା ବିଷୟରେ ଜଣାପଡ଼େ । ସେ ଈଶ୍ୱରଙ୍କର ପ୍ରଥମଜାତ, ଯାହାଙ୍କ ମାଧ୍ୟମରେ ଈଶ୍ୱର ଅନ୍ୟ ସବୁକିଛି ସୃଷ୍ଟି କଲେ । ଏହି ଉଚ୍ଚ ପଦବୀ ଯୋଗୁଁ ତାହାଙ୍କୁ “ଜଣେ ଈଶ୍ୱର; ଈଶ୍ୱରଙ୍କ ଭଳି” କୁହାଯାଇଛି । ଅନେକ ଅନୁବାଦକମାନେ କହନ୍ତି ଯେ ବାକ୍ୟ ସର୍ବଶକ୍ତିମାନ ଈଶ୍ୱରଙ୍କ ସହ ସମାନ । ତେଣୁ ଏ ପଦର ଅନୁବାଦ ଏପରି ହେବା ଉଚିତ୍‌, “ବାକ୍ୟ ଈଶ୍ୱର ଥିଲେ ।” କିନ୍ତୁ ଯୋହନଙ୍କ କହିବାର ଅର୍ଥ ଏହା ନ ଥିଲା ଯେ “ବାକ୍ୟ” ସର୍ବଶକ୍ତିମାନ ଈଶ୍ୱରଙ୍କ ସହ ସମାନ ଥିଲେ । ଆଉ ଏହାକୁ ସ୍ୱୀକାର କରିବା ପାଇଁ ଆମ ପାଖରେ ଠୋସ୍‌ କାରଣ ରହିଛି । ପ୍ରଥମ କାରଣ ହେଉଛି— “ବାକ୍ୟ ଈଶ୍ୱର ଥିଲେ” ଶବ୍ଦସମୂହର ପୂର୍ବରୁ ଓ ପରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବାକ୍ୟ “ଈଶ୍ୱରଙ୍କ ସଙ୍ଗରେ ଥିଲେ ।” ଏହା ବ୍ୟତୀତ, ୧ ଓ ୨ ପଦରେ ଗ୍ରୀକ୍‌ ଶବ୍ଦ ଥିୟୋସ୍‌ ତିନି ଥର ଆସିଛି । ପ୍ରଥମ ଓ ତୃତୀୟ ଥର ଥିୟୋସ୍‌ ପୂର୍ବରୁ ଗ୍ରୀକ୍‌ ସାର୍ବନାମିକ ବିଶେଷଣ ଅଛି, କିନ୍ତୁ ଦ୍ୱିତୀୟ ଥର ନାହିଁ । ଅନେକ ବିଦ୍ୱାନ୍‌ମାନେ ଏହାକୁ ଗୁରୁତର ଭାବେ ନିଅନ୍ତି । ଏ ପଦଗୁଡ଼ିକରେ ଥିୟୋସ୍‌ ପୂର୍ବରୁ ସାର୍ବନାମିକ ବିଶେଷଣ ବ୍ୟବହାର କରାଯିବା ଦେଖାଏ ଯେ ସେଠାରେ ସର୍ବଶକ୍ତିମାନ ଈଶ୍ୱରଙ୍କ ବିଷୟରେ କୁହାଯାଉଛି । ଅନ୍ୟ ପକ୍ଷରେ, ଯେଉଁଠି ସାର୍ବନାମିକ ବିଶେଷଣ ନାହିଁ, ସେଠି ଥିୟୋସ୍‌ର ଅର୍ଥ ଏହା ନୁହେଁ ଯେ “ବାକ୍ୟ” ଈଶ୍ୱର ଅଟନ୍ତି, ବରଂ ତାହାଙ୍କର ଗୁଣ ବିଷୟରେ କୁହାଯାଉଛି । ତେଣୁ ଇଂରାଜୀ, ଫ୍ରେଞ୍ଚ ଓ ଜର୍ମାନୀ ଭାଷାର ଅନେକ ବାଇବଲଗୁଡ଼ିକରେ ଏ ପଦର ଅନୁବାଦ ଏପରି କରାଯାଇଛି, ଠିକ୍‌ ଯେପରି ନୂତନ ଜଗତ ଅନୁବାଦରେ ଅଛି । ଆଉ ତାହା ହେଲା, ବାକ୍ୟ “ଏକ ଈଶ୍ୱର ଥିଲେ କିମ୍ବା ଈଶ୍ୱର ଭଳି ଥିଲେ ।” ଏହି କଥା ତୃତୀୟ ଓ ଚତୁର୍ଥ ଶତାବ୍ଦୀର ପ୍ରାଚୀନ ଅନୁବାଦଗୁଡ଼ିକରେ ମଧ୍ୟ ଦେଖିବାକୁ ମିଳେ, ଯେପରି— କୋପ୍ଟିକ୍‌ ଭାଷାର ସାହିଡିକ୍‌ ଓ ବୋହାରିକ୍‌ ଉପଭାଷାରେ ମିଳୁଥିବା ଯୋହନଙ୍କ ବହି । ଏହି ଅନୁବାଦଗୁଡ଼ିକରେ ଯୋହ ୧:୧ ପଦରେ ଯେଉଁଠାରେ ଥିୟୋସ୍‌ ପ୍ରଥମ ଥର ଆସିଛି, ତାʼର ଅନୁବାଦ ଦ୍ୱିତୀୟ ଥର ଆସିଥିବା ଥିୟୋସ୍‌ଠାରୁ ଭିନ୍ନ । ଏହି ଅନୁବାଦଗୁଡ଼ିକରେ “ବାକ୍ୟ” ବିଷୟରେ କୁହାଯାଇଛି ଯେ ତାହାଙ୍କ ବ୍ୟକ୍ତିତ୍ୱ ଈଶ୍ୱରଙ୍କ ଭଳି । କିନ୍ତୁ ସେ ନିଜ ପିତା, ସର୍ବଶକ୍ତିମାନ ଈଶ୍ୱରଙ୍କ ସହ ସମାନ ନୁହନ୍ତି । କଲ ୨:୯ ପଦ ମଧ୍ୟ କହେ ଯେ ଖ୍ରୀଷ୍ଟଙ୍କଠାରେ “ସମ୍ପୂର୍ଣ୍ଣ ଈଶ୍ୱରତ୍ୱ ଦେହବନ୍ତ ହୋଇ ବାସ କରେ ।” ଆଉ ୨ପିତ ୧:୪ ପଦ କହେ ଯେ ଯେଉଁମାନେ ଖ୍ରୀଷ୍ଟଙ୍କ ସହିତ ଶାସନ କରିବେ, ସେମାନେ ମଧ୍ୟ “ଐଶ୍ୱରିକ ସ୍ୱଭାବର ସହଭାଗୀ” ହେବେ । ଏହା ଛଡ଼ା, ଏବ୍ରୀ ଶାସ୍ତ୍ରରେ ଯେଉଁଠାରେ “ଈଶ୍ୱର” ଶବ୍ଦ ପାଇଁ ‘ଏଲ ଓ ଏଲୋହୀମ’ ଆସିଛି, ସେଠାରେ ସେପ୍ଟୁଆଜେଣ୍ଟ୍‌ରେ ଗ୍ରୀକ୍‌ ଶବ୍ଦ ଥିୟୋସ୍‌ ବ୍ୟବହାର କରାଯାଇଛି । ଆଉ ଏହାର ମୂଳ ଅର୍ଥ ହେଲା, “ଶକ୍ତିଶାଳୀ ବ୍ୟକ୍ତି ।” ‘ଏଲ ଓ ଏଲୋହୀମ’ ଶବ୍ଦ ସର୍ବଶକ୍ତିମାନ ଈଶ୍ୱରଙ୍କ ପାଇଁ ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ଅନ୍ୟ ଦେବତା ଓ ମଣିଷମାନଙ୍କ ପାଇଁ ମଧ୍ୟ ବ୍ୟବହାର କରାଯାଏ । ବାକ୍ୟଙ୍କୁ “ଏକ ଈଶ୍ୱର” ବା “ଶକ୍ତିଶାଳୀ ବ୍ୟକ୍ତି” କହିବା, ଯିଶା ୯:୬ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀ ସହିତ ମେଳ ଖାଏ । ଏହି ପଦରେ କୁହାଯାଇଛି ଯେ ମସୀହଙ୍କୁ “ପରାକ୍ରନ୍ତ ପରମେଶ୍ୱର” ବୋଲି କୁହାଯିବ (“ସର୍ବଶକ୍ତିମାନ ଈଶ୍ୱର” ନୁହେଁ), ଆଉ ସେ ନିଜ ପ୍ରଜାଙ୍କ ପାଇଁ “ଅନନ୍ତକାଳୀନ ପିତା” ହେବେ । ତାହାଙ୍କ ପିତା, “ସୈନ୍ୟାଧିପତି ସଦାପ୍ରଭୁଙ୍କ” ଉଦ୍‌ଯୋଗ ଏଭଳି ନିଶ୍ଚୟ କରିବ ।—ଯିଶା ୯:୭.

୧୨-୧୮ ନଭେମ୍ବର

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧-୩

“ଖ୍ରୀଷ୍ଟୀୟ ମଣ୍ଡଳୀ ଉପରେ ପବିତ୍ର ଶକ୍ତି ଢଳାଗଲା”

ପ୍ର୮୭-ହି ୯/୧ ୨୮ ¶୪-୫, ୭

ହୃଦୟକୁ ଆନନ୍ଦିତ କରୁଥିବା ଦାନ

୩୩ ଖ୍ରୀଷ୍ଟାବ୍ଦରେ ଖ୍ରୀଷ୍ଟୀୟ ମଣ୍ଡଳୀର ଜନ୍ମ ହେବାର ପ୍ରଥମ ଦିନରେ ବାଯ୍ତିସ୍ମ ନେଇଥିବା ୩,୦୦୦ ବ୍ୟକ୍ତି “ସହଭାଗିତାରେ, ରୋଟୀ ଭାଙ୍ଗିବାରେ ଓ ପ୍ରାର୍ଥନା କରିବାରେ” ଲାଗି ରହିଲେ । ଏହା ପଛରେ କʼଣ ଭଲ କାରଣ ରହିଥିଲା? କାରଣ ସେମାନେ ‘ପ୍ରେରିତମାନଙ୍କର ଶିକ୍ଷାରେ ନିବିଷ୍ଟଚିତ୍ତ ହୋଇ ରହିବା’ ଦ୍ୱାରା ନିଜ ନୂଆ ବିଶ୍ୱାସକୁ ମଜବୁତ୍‌ କରିବାକୁ ଚାହୁଁଥିଲେ ।—ପ୍ରେରିତ ୨:୪୧, ୪୨.

ଯିହୁଦୀ ଏବଂ ଯିହୁଦୀ ଧର୍ମ ଗ୍ରହଣ କରିଥିବା ଲୋକମାନେ ଏହା ଭାବି ଯିରୂଶାଲମକୁ ଆସିଥିଲେ ଯେ ସେମାନେ କେବଳ ପେଣ୍ଟିକଷ୍ଟ ପର୍ବ ପାଳନ କରିବା ପାଇଁ ସେଠାରେ ରହିବେ । କିନ୍ତୁ ଯେଉଁମାନେ ଖ୍ରୀଷ୍ଟିୟାନ ହେଲେ, ସେମାନେ ନିଜ ନୂଆ ବିଶ୍ୱାସକୁ ମଜବୁତ୍‌ କରିବା ପାଇଁ ସେଠାରେ ଅଧିକ ସମୟ ରହି ଆହୁରି ଶିଖିବାକୁ ଚାହୁଁଥିଲେ । ଏହାଫଳରେ ଖାଇବାପିଇବା ଓ ରହିବା ପାଇଁ ଅସୁବିଧା ଦେଖାଦେଲା । କିଛି ଅତିଥିମାନଙ୍କ ପାଖରେ ଯଥେଷ୍ଟ ଟଙ୍କାପଇସା ନ ଥିଲା, କିନ୍ତୁ ଆଉ କିଛି ଅତିଥିଙ୍କ ପାଖରେ ଅଧିକ ଟଙ୍କାପଇସା ଥିଲା । ତେଣୁ ଭୌତିକ ଜିନିଷଗୁଡ଼ିକର ବ୍ୟବସ୍ଥା କରାଯାଇ ଆବଶ୍ୟକ କରୁଥିବା ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦିଆଗଲା ।—ପ୍ରେରିତ ୨:୪୩-୪୭.

ନିଜ ଜମିବାଡ଼ି ବିକିବା ଏବଂ ସବୁ ଜିନିଷକୁ ଅନ୍ୟମାନଙ୍କୁ ବାଣ୍ଟିବା ବାଧ୍ୟତାମୂଳକ ନ ଥିଲା । ସେମାନେ ସ୍ୱେଚ୍ଛାରେ ଏପରି କରୁଥିଲେ । ଏପରି କରିବାର ଅର୍ଥ ଦରିଦ୍ରତାକୁ ପ୍ରୋତ୍ସାହନ ଦେବା ନ ଥିଲା । ୟାର ଅର୍ଥ ଏହା ମଧ୍ୟ ନ ଥିଲା ଯେ ଧନୀ ଲୋକମାନେ ନିଜ ସାରା ସମ୍ପତ୍ତି ବିକି କାଙ୍ଗାଳ ହୋଇଯାʼନ୍ତୁ । ଏହା ପରିବର୍ତ୍ତେ, ସେସମୟର ପରିସ୍ଥିତିରେ ସହବିଶ୍ୱାସୀଙ୍କ ପ୍ରତି ସହାନୁଭୂତି ଥିବା ଯୋଗୁଁ ସେମାନେ ନିଜ ସମ୍ପତ୍ତି ବିକିଲେ ଏବଂ ସେଥିରୁ ମିଳୁଥିବା ଟଙ୍କାକୁ ଦାନ କଲେ । ଏହାଫଳରେ ରାଜ୍ୟ ସହ ଜଡ଼ିତ କାମକୁ ଆଗେଇ ନେବା ପାଇଁ ଯାହା ଜରୁରୀ ଥିଲା, ତାହା ସେମାନେ ଦେଇପାରିଲେ ।—୨ କରିନ୍ଥୀୟ ୮:୧୨-୧୫ ସହ ତୁଳନା କରନ୍ତୁ ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୨ ୬୧ ¶୧

ଯୀଶୁ ଖ୍ରୀଷ୍ଟ

“ଜୀବନର କର୍ତ୍ତା ।” ଯୀଶୁ ଖ୍ରୀଷ୍ଟ ନିଜ ସିଦ୍ଧ ବା ପରିପୂର୍ଣ୍ଣ ମନୁଷ୍ୟ ଜୀବନ ବଳିଦାନ କଲେ, ଯାହା ତାହାଙ୍କ ପିତାଙ୍କର ଆମ ପ୍ରତି ଅନୁଗ୍ରହର ଏକ ପ୍ରମାଣ ଥିଲା । ଏହି ବଳିଦାନ ଯୋଗୁଁ ତାହାଙ୍କର କିଛି ଶିଷ୍ୟମାନଙ୍କ ପାଇଁ ସ୍ୱର୍ଗରେ ତାହାଙ୍କ ସହିତ ଶାସନ କରିବା ସମ୍ଭବପର ହେଉଛି ଏବଂ କିଛି ଲୋକମାନଙ୍କୁ ଏହି ପୃଥିବୀରେ ତାହାଙ୍କ ପ୍ରଜା ହେବାର ଆଶା ମିଳିଥାଏ । (ମାଥି ୬:୧୦; ଯୋହ ୩:୧୬; ଏଫି ୧:୭; ଏବ୍ରୀ ୨:୫) ଏହି ଅର୍ଥରେ ଯୀଶୁ ସାରା ମାନବଜାତି ପାଇଁ “ଜୀବନର କର୍ତ୍ତା” [“ରାଜକୁମାର”, କିଙ୍ଗ୍‌ ଜେମସ୍‌ ଭର୍ସନ୍‌] ହେଲେ । (ପ୍ରେରି ୩:୧୫) ଏଠାରେ ବ୍ୟବହୃତ ହୋଇଥିବା ଗ୍ରୀକ୍‌ ଶବ୍ଦର ପ୍ରକୃତ ଅର୍ଥ ହେଉଛି— “କର୍ତ୍ତା” । ଏହା ସହିତ ମେଳ ଖାଉଥିବା ଏକ ଶବ୍ଦର ଅନୁବାଦ ଗୋଟିଏ ପଦରେ “ଶାସନକର୍ତ୍ତା” କରାଯାଇଛି, ଯେଉଁଠାରେ ମୋଶାଙ୍କ ବିଷୟରେ କୁହାଯାଇଛି ।—ପ୍ରେରି ୭:୨୭, ୩୫.

ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୬୫ ¶୧୪

“କ୍ଷମା କରିବାକୁ ପ୍ରସ୍ତୁତ” ରହୁଥିବା ଈଶ୍ୱର

୧୪ ଯିହୋବାଙ୍କ କ୍ଷମା ବିଷୟରେ ପ୍ରେରିତ ୩:୧୯ ପଦରେ ଆହୁରି କିଛି କୁହାଯାଇଛି: “ଅତଏବ, ଯେପରି ଆପଣାମାନଙ୍କର ପାପ-ମୋଚନ ହୋଇପାରେ, ଏଥିନିମନ୍ତେ ମନ ପରିବର୍ତ୍ତନ କରି ଫେରିଆସନ୍ତୁ ।” ଏହି ପଦର ପାପ-ମୋଚନ ଶବ୍ଦ ଏପରି ଏକ ଗ୍ରୀକ୍‌ କ୍ରିୟାର ଅନୁବାଦ ଅଟେ, ଯାହାର ଅର୍ଥ “ପୋଛି ଦେବା, . . . ରଦ୍ଦ କିମ୍ବା ନଷ୍ଟ କରିବା” ହୋଇପାରେ । କିଛି ବିଦ୍ୱାନ୍‌ମାନଙ୍କ ଅନୁଯାୟୀ ଏହି ପଦ ପଢ଼ିଲା ସମୟରେ ମନରେ ଯେଉଁ ଚିତ୍ର ଆସେ, ତାହା ହେଉଛି କାହାରି ହାତଲେଖାକୁ ଲିଭାଇବା । ଏହା କିପରି ସମ୍ଭବ ଥିଲା? ପ୍ରାଚୀନ ସମୟରେ ଯେଉଁ ସ୍ୟାହି ବା କାଳି ବ୍ୟବହାର କରାଯାଉଥିଲା, ତାହା କୋଇଲା, ଅଠା ଓ ପାଣିର ମିଶ୍ରଣରେ ତିଆରି ହେଉଥିଲା । ଏପରି କାଳିରେ ଲେଖିବାର ତୁରନ୍ତ ପରେ, ଜଣେ ବ୍ୟକ୍ତି ଚାହିଁଲେ ସେହି ଲେଖାକୁ ଓଦା ସ୍ପଞ୍ଜ ସାହାଯ୍ୟରେ ଲିଭାଇ ପାରୁଥିଲା । ଏହି ପଦ ଯିହୋବାଙ୍କ ଦୟାକୁ ସୁନ୍ଦର ଭାବେ ଚିତ୍ରଣ କରେ । ଯେତେବେଳେ ସେ ଆମର ପାପକୁ କ୍ଷମା କରନ୍ତି, ସତେ ଯେପରି ସେ ସ୍ପଞ୍ଜ ନେଇ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଲିଭାଇ ଦିଅନ୍ତି ।

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ଇନସାଇଟ୍‌-୧ ୧୨୯ ¶୨-୩

ଈଷ୍କାରିୟୋତୀୟ ଯିହୂଦା ବଦଳରେ ଦ୍ୱାଦଶ ପ୍ରେରିତ କାହାକୁ ବଛାଗଲା?

ଈଷ୍କାରିୟୋତୀୟ ଯିହୂଦା ନିଜ ମୃତ୍ୟୁ ପୂର୍ବେ ବିଶ୍ୱାସଘାତକ ପ୍ରମାଣିତ ହେଲା, ତେଣୁ ପ୍ରେରିତମାନଙ୍କ ସଂଖ୍ୟା ୧୧ ଥିଲା । ଅନେକ ଦିନ ପର୍ଯ୍ୟନ୍ତ ତାʼ ବଦଳରେ ଅନ୍ୟ କାହାରିକୁ ପ୍ରେରିତ ଭାବେ ବଛାଯାଇ ନ ଥିଲା । ଯୀଶୁ ନିଜ ପୁନରୁତ୍ଥାନର ୪୦ ଦିନ ପରେ ସ୍ୱର୍ଗକୁ ଫେରିଗଲେ । ସେ ସ୍ୱର୍ଗକୁ ଫେରିବା ପରେ ଏବଂ ପେଣ୍ଟିକଷ୍ଟର ପୂର୍ବରୁ ଦଶ ଦିନ ମଧ୍ୟରେ ଏହା ଜରୁରୀ ହୋଇଗଲା ଯେ ଯିହୂଦା ବଦଳରେ ଅନ୍ୟ କାହାରିକୁ ପ୍ରେରିତ ଭାବେ ବଛାଯାଉ । କିନ୍ତୁ ଅନ୍ୟ କାହାରିକୁ ପ୍ରେରିତ ଭାବେ ବାଛିବାର କାରଣ ଯିହୂଦାର ମୃତ୍ୟୁ ନ ଥିଲା, ବରଂ ସେ ବିଶ୍ୱାସଘାତକ ପ୍ରମାଣିତ ହୋଇଥିଲା । ପିତର ଏକଥାକୁ ଶାସ୍ତ୍ରରୁ ଉଲ୍ଲେଖ କରି କହିଥିଲେ । (ପ୍ରେରି ୧:୧୫-୨୨; ଗୀତ ୬୯:୨୫; ୧୦୯:୮; ଦୟାକରି ପ୍ରକା ୩:୧୧ ସହ ତୁଳନା କରନ୍ତୁ ।) ଯେତେବେଳେ ପ୍ରେରିତ ଯାକୁବଙ୍କୁ ହତ୍ୟା କରାଗଲା, ତାଙ୍କ ବଦଳରେ ଅନ୍ୟ କାହାରିକୁ ପ୍ରେରିତ ଭାବେ ବଛାଗଲା ନାହିଁ, କାରଣ ସେ ଜଣେ ବିଶ୍ୱସ୍ତ ପ୍ରେରିତ ଥିଲେ ।—ପ୍ରେରି ୧୨:୨.

ପିତରଙ୍କ କଥାରୁ ଜଣାପଡ଼େ ଯେ ଏପରି ଜଣେ ବ୍ୟକ୍ତିଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେରିତ ଭାବେ ନିଯୁକ୍ତ କରାଯାʼନ୍ତା, ଯାହା ପାଖରେ କିଛି ଯୋଗ୍ୟତା ଥାʼନ୍ତା । ସେହି ଯୋଗ୍ୟତାଗୁଡ଼ିକରେ ଏହା ସାମିଲ୍‌ ଥିଲା ଯେ ସେହି ବ୍ୟକ୍ତି ଜଣକ ଯୀଶୁଙ୍କ ସହ ବସାଉଠା କରିଥିବ ଏବଂ ସେ ନିଜ ଆଖିରେ ଯୀଶୁଙ୍କ କାମ ଓ ତାହାଙ୍କ ଚମତ୍କାର ଦେଖିଥିବ । ଏହା ଛଡ଼ା, ସେ ବିଶେଷକରି ପୁଣିଥରେ ଜୀବିତ ହୋଇଥିବା ଯୀଶୁଙ୍କୁ ଦେଖିଥିବ । ଏସବୁକୁ ଧ୍ୟାନରେ ରଖି କୁହାଯାଇପାରିବ ଯେ ଆଗାମୀ ଦିନଗୁଡ଼ିକରେ ବାକିତକ ପ୍ରେରିତମାନଙ୍କ ମୃତ୍ୟୁ ପରେ ଈଶ୍ୱର ଯେପର୍ଯ୍ୟନ୍ତ ଜଣେ ବ୍ୟକ୍ତିକୁ ଯୋଗ୍ୟ ହେବା ପାଇଁ ସାହାଯ୍ୟ ନ କରନ୍ତେ, ସେପର୍ଯ୍ୟନ୍ତ ସେମାନଙ୍କ ବଦଳରେ ଅନ୍ୟମାନଙ୍କୁ ପ୍ରେରିତ ଭାବେ ବାଛିବା ଅସମ୍ଭବ ହୋଇଥାʼନ୍ତା । କିନ୍ତୁ ପେଣ୍ଟିକଷ୍ଟର ପୂର୍ବରୁ ଏପରି କିଛି ପୁରୁଷ ଥିଲେ, ଯେଉଁମାନଙ୍କଠାରେ ଏହି ଯୋଗ୍ୟତାଗୁଡ଼ିକ ଥିଲା । ତେଣୁ ବିଶ୍ୱାସଘାତକ ଯିହୂଦା ବଦଳରେ ଅନ୍ୟ କାହାରିକୁ ପ୍ରେରିତ ଭାବେ ବାଛିବା ପାଇଁ ଦୁଇଜଣ ଭାଇଙ୍କ ନାମର ପ୍ରସ୍ତାବ ଦିଆଗଲା । ତାʼପରେ ହିତୋପଦେଶ ୧୬:୩୩ ପଦ ଅନୁସାରେ ଗୁଲିବାଣ୍ଟ କରାଗଲା ଏବଂ ମଥୀୟଙ୍କୁ ବଛାଗଲା । ତାʼପରଠାରୁ ମଥୀୟ “ଏକାଦଶ ପ୍ରେରିତଙ୍କ ସହିତ” ଗଣାଗଲେ । (ପ୍ରେରି ୧:୨୩-୨୬) ଯେଉଁ “ଦ୍ୱାଦଶ” ପ୍ରେରିତମାନେ ଗ୍ରୀକ୍‌ ଭାଷା କହୁଥିବା ଶିଷ୍ୟମାନଙ୍କର ସମସ୍ୟାକୁ ସମାଧାନ କରିଥିଲେ, ସେମାନଙ୍କ ମଧ୍ୟରୁ ମଥୀୟ ଜଣେ ଥିଲେ । (ପ୍ରେରି ୬:୧, ୨) ପ୍ରଥମ କରିନ୍ଥୀୟ ୧୫:୪-୮ ପଦରେ ପାଉଲ ଲେଖିଛନ୍ତି ଯେ ଯୀଶୁ ପୁଣି ଜୀବିତ ହେବା ପରେ ସେ “ଦ୍ୱାଦଶଙ୍କୁ” ଦର୍ଶନ ଦେଲେ । ସେହି ଦ୍ୱାଦଶଙ୍କ ମଧ୍ୟରେ ହୁଏତ ମଥୀୟ ମଧ୍ୟ ଜଣେ ଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ପେଣ୍ଟିକଷ୍ଟ ଦିନ ଏହି ୧୨ ପ୍ରେରିତଙ୍କ ଭିତ୍ତିମୂଳରେ ହିଁ ଲାକ୍ଷଣିକ ଇସ୍ରାଏଲ ସ୍ଥାପିତ ହେଲା ।

୧୯-୨୫ ନଭେମ୍ବର

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୪-୫

“ସେମାନେ ସାହସର ସହ ଈଶ୍ୱରଙ୍କ ବାକ୍ୟ କହିବାକୁ ଲାଗିଲେ”

ପ୍ର୦୮-ଇଂ ୯/୧ ୧୫, ବକ୍ସ

କଥିତ କଥା ପବିତ୍ର ଲେଖନୀଗୁଡ଼ିକରେ କିପରି ଆସିଲା—ପ୍ରାରମ୍ଭିକ ଖ୍ରୀଷ୍ଟିୟାନମାନଙ୍କ ସମୟରେ ଲେଖାପଢ଼ା

ପ୍ରେରିତମାନେ ଅଶିକ୍ଷିତ ଥିଲେ କି?

ଯିରୂଶାଲମରେ ଅଧ୍ୟକ୍ଷ ଓ ପ୍ରାଚୀନମାନେ “ପିତର ଓ ଯୋହନଙ୍କ ସାହସ ଦେଖି ଏବଂ ସେମାନେ ଯେ ଅଶିକ୍ଷିତ ଓ ଅଜ୍ଞାନ ଲୋକ, ଏହା ବୁଝି ଚମତ୍କୃତ ହେଲେ ।” (ପ୍ରେରିତ ୪:୧୩) କʼଣ ପ୍ରେରିତମାନେ ପ୍ରକୃତରେ ଅଶିକ୍ଷିତ ଥିଲେ ଏବଂ ଲେଖିବା ଜାଣୁ ନ ଥିଲେ? ଦି ନ୍ୟୁ ଇଣ୍ଟରପ୍ରିଟର୍ସ ବାଇବଲ କହେ: “ଅଶିକ୍ଷିତ ଶବ୍ଦର ଅର୍ଥ ଏହା ନୁହେଁ ଯେ ପିତର [ଓ ଯୋହନ] ଲେଖିବା-ପଢ଼ିବା ଜାଣୁ ନ ଥିଲେ । ଏହି ଶବ୍ଦଗୁଡ଼ିକର ଅର୍ଥ କେବଳ ଏହା ଯେ ସମାଜରେ ଅଧିକାରୀମାନଙ୍କ ଓ ପ୍ରେରିତମାନଙ୍କ ଶ୍ରେଣୀ ଭିନ୍ନ ଥିଲା ।”

ପ୍ର୦୮-ହି ୫/୧୫ ୩୦-୩୧ ¶୬

ପ୍ରେରିତ ବହିର ମୁଖ୍ୟାଂଶ

୪:୧୩—ପିତର ଓ ଯୋହନ କʼଣ ପ୍ରକୃତରେ ଅଶିକ୍ଷିତ ଥିଲେ? ନା, ସେମାନଙ୍କୁ ଅଶିକ୍ଷିତ ଓ ଅଜ୍ଞାନ ଏଥିପାଇଁ କୁହାଯାଇଛି, କାରଣ ସେମାନେ ରାବ୍‌ବୀମାନଙ୍କର ସ୍କୁଲରୁ ତାଲିମ ହାସଲ କରି ନ ଥିଲେ ।

ଇନସାଇଟ୍‌-୧ ୧୨୮ ¶୩

ପ୍ରେରିତ

ଖ୍ରୀଷ୍ଟୀୟ ମଣ୍ଡଳୀରେ ସେମାନଙ୍କ କାମ । ପେଣ୍ଟିକଷ୍ଟ ଦିନ ଯେତେବେଳେ ପ୍ରେରିତମାନଙ୍କ ଉପରେ ପବିତ୍ର ଶକ୍ତି ଢଳାଗଲା, ସେମାନଙ୍କର ସାହସ ବହୁତ ମଜବୁତ୍‌ ହେଲା । ପ୍ରେରିତ ବହିର ପ୍ରାରମ୍ଭିକ ପାଞ୍ଚଟି ଅଧ୍ୟାୟରୁ ପ୍ରମାଣ ମିଳେ ଯେ ପ୍ରେରିତମାନେ କିପରି ସାହସର ସହ ସୁସମାଚାର ଶୁଣାଇଲେ ଏବଂ ଯୀଶୁ ଜୀବିତ ହୋଇଯାଇଛନ୍ତି ବୋଲି ପ୍ରଚାର କଲେ । ଅଧିକାରୀମାନେ ପ୍ରେରିତମାନଙ୍କୁ ଜେଲ୍‌ରେ ଭରିଦେଲେ, ଖୁବ୍‌ ମାଡ଼ ମାରିଲେ ଏବଂ ଜୀବନରେ ମାରିଦେବାର ଧମକ ମଧ୍ୟ ଦେଲେ । ତଥାପି ସେମାନେ ବିନା ଭୟରେ ଏହି କାମରେ ଲାଗି ରହିଲେ । ପେଣ୍ଟିକଷ୍ଟ ପର୍ବର ପରବର୍ତ୍ତୀ ଦିନଗୁଡ଼ିକରେ ପ୍ରେରିତମାନେ ପବିତ୍ର ଶକ୍ତି ମାଧ୍ୟମରେ ବଳ ପାଇ ଉତ୍ସାହର ସହ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କର ନେତୃତ୍ୱ ନେଲେ । ତେଣୁ ଅଳ୍ପ ସମୟ ମଧ୍ୟରେ ମଣ୍ଡଳୀରେ ଖୁବ୍‌ ଉନ୍ନତି ହେବାକୁ ଲାଗିଲା । (ପ୍ରେରିତ ୨:୪୧; ୪:୪) ପ୍ରଥମେ ସେମାନେ କେବଳ ଯିରୂଶାଲମରେ ସେବା କରୁଥିଲେ । କିନ୍ତୁ, ତାʼପରେ ସେମାନେ ଶମିରୋଣରେ ଏବଂ କିଛି ସମୟ ପରେ ସେସମୟର ସାରା ଦୁନିଆରେ ସେବା କଲେ ।—ପ୍ରେରି ୫:୪୨; ୬:୭; ୮:୫-୧୭, ୨୫; ୧:୮.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୧ ୫୧୪ ¶୪

କୋଣର ପ୍ରଧାନ ପ୍ରସ୍ତର

ଗୀତସଂହିତା ୧୧୮:୨୨ ପଦରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ଗାନ୍ଥକ ବା ଗୃହନିର୍ମାଣକାରୀମାନେ ଯେଉଁ ପଥରକୁ ଅଗ୍ରାହ୍ୟ କରିବେ, ତାହା “କୋଣର ପ୍ରଧାନ ପଥର” (ଏବ୍ରୀ, ରୋଶପିନ୍ନା) ହୋଇଯିବ । ଯୀଶୁ ଏହି ଭବିଷ୍ୟତବାଣୀକୁ ଉଲ୍ଲେଖ କରି କହିଲେ, ସେ ନିଜେ “କୋଣର ପ୍ରଧାନ ପ୍ରସ୍ତର” ଅଟନ୍ତି । (ଗ୍ରୀକ୍‌, କେଫାଲେଗୋନିଆସ, କୋଣର ପ୍ରଧାନ ପଥର) (ମାଥି ୨୧:୪୨; ମାର୍କ ୧୨:୧୦, ୧୧; ଲୂକ ୨୦:୧୭) ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ମଣ୍ଡଳୀକୁ ଏକ ମନ୍ଦିର ସହିତ ତୁଳନା କରାଯାଇଛି ଏବଂ ଯୀଶୁ ସେହି ମନ୍ଦିରର ଚୂଳର ପଥର ଅଟନ୍ତି । ସେ ଏକ ଅଟ୍ଟାଳିକାର ଚୂଳର ପଥର ଭଳି ଅଟନ୍ତି, ଯାହା ସ୍ପଷ୍ଟ ଦେଖାଯାଏ । ପିତର ମଧ୍ୟ କହିଲେ ଯେ ଗୀତସଂହିତା ୧୧୮:୨୨ ପଦରେ ଦିଆଯାଇଥିବା ଭବିଷ୍ୟତବାଣୀ ଖ୍ରୀଷ୍ଟଙ୍କଠାରେ ପୂରଣ ହୁଏ । ସେ ବୁଝାଇଲେ ଯେ ଈଶ୍ୱରଙ୍କ ଦ୍ୱାରା ମନୋନୀତ ଯେଉଁ ‘ପ୍ରସ୍ତରକୁ’ ମଣିଷମାନେ ଅସ୍ୱୀକାର କଲେ, ସେ ହିଁ “କୋଣର ପ୍ରଧାନ ପ୍ରସ୍ତର” ହୋଇଯାଇଛନ୍ତି ।—ପ୍ରେରି ୪:୮-୧୨; ୧ପିତ ୨:୪-୭ ପଦ ମଧ୍ୟ ଦେଖନ୍ତୁ ।

ପ୍ର୧୩-ହି ୪/୧ ୯ ¶୪

ପିତର ଓ ହନନୀୟ ମିଛ କହିଲେ—ଆମେ କʼଣ ଶିଖିପାରିବା?

ହନନୀୟ ଓ ତାʼ ପତ୍ନୀ ମଧ୍ୟ ଏହି ନୂଆ ଶିଷ୍ୟମାନଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ । ତେଣୁ ସେମାନେ ନିଜ କିଛି ସମ୍ପତ୍ତି ବିକ୍ରି କରିଦେଲେ । ଯେତେବେଳେ ହନନୀୟ ଟଙ୍କା ନେଇ ଶିଷ୍ୟମାନଙ୍କ ପାଖକୁ ଆସିଲା, ସେ ଟଙ୍କା ଦେବା ସମୟରେ କହିଲା, ଏହା ହିଁ ସମ୍ପତ୍ତିର ସମ୍ପୂର୍ଣ୍ଣ ମୂଲ୍ୟ । କିନ୍ତୁ ଏହା ସତ ନ ଥିଲା, କାରଣ ଟଙ୍କାର କିଛି ଭାଗ ସେ ନିଜ ପାଖରେ ରଖିଥିଲା । ଏକଥା ଈଶ୍ୱରଙ୍କ ଦୃଷ୍ଟିରେ ଲୁଚି ରହିଲା ନାହିଁ । ତେଣୁ ଈଶ୍ୱର ପିତରଙ୍କଠାରେ ଏକଥା ପ୍ରକାଶ କଲେ । ପିତର ହନନୀୟକୁ କହିଲେ: “ତୁମ୍ଭେ ଯେ ମନୁଷ୍ୟ ନିକଟରେ ମିଥ୍ୟା କହିଲ, ତାହା ନୁହେଁ, ମାତ୍ର ଈଶ୍ୱରଙ୍କ ନିକଟରେ ମିଥ୍ୟା କହିଲ ।” ଏହାର ତୁରନ୍ତ ପରେ, ହନନୀୟ କଚାଡ଼ି ହୋଇ ପଡ଼ି ମରିଗଲା । ପ୍ରାୟ ତିନି ଘଣ୍ଟା ପରେ, ତାʼ ପତ୍ନୀ ଆସିଲା । ତାʼ ପତି ସହ ଯାହା ହୋଇଥିଲା, ସେ ଜାଣି ନ ଥିଲା । ସେ ମଧ୍ୟ ମିଛ କହିଲା ଏବଂ ସେଠାରେ ପଡ଼ି ମରିଗଲା ।

୨୬ ନଭେମ୍ବର–୨ ଡିସେମ୍ବର

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୬-୮

“ନୂଆ ଖ୍ରୀଷ୍ଟୀୟ ମଣ୍ଡଳୀକୁ ପରଖାଗଲା”

ସାକ୍ଷ୍ୟ ଦିଅ (ହିନ୍ଦୀ) ୪୧-୪୨ ¶୧୭

‘ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଆମର କର୍ତ୍ତବ୍ୟ’

୧୭ ଯିରୂଶାଲମର ନୂଆ ମଣ୍ଡଳୀରେ ଆଉ ଏକ ସମସ୍ୟା ଆସିବାକୁ ଯାଉଛି । ଏଥର ମଣ୍ଡଳୀ ଭିତରୁ ହିଁ ସମସ୍ୟା ସୃଷ୍ଟି ହେବାକୁ ଯାଉଛି ଏବଂ ଆରମ୍ଭରେ ତାହା ଏତେ ସ୍ପଷ୍ଟ ଜଣାପଡ଼ୁ ନାହିଁ । ସେହି ସମସ୍ୟାଟି କʼଣ? ଏହି ମଣ୍ଡଳୀର ଅଧିକାଂଶ ସଦସ୍ୟ ଅନ୍ୟ ଦେଶଗୁଡ଼ିକରୁ ଆସିଥିବା ପରଦେଶୀ ଅଟନ୍ତି, ଯେଉଁମାନେ ଏଠାରେ ଯିରୂଶାଲମରେ ବାଯ୍ତିସ୍ମ ନେଇଛନ୍ତି । ନିଜ ବିଶ୍ୱାସକୁ ଦୃଢ଼ କରିବା ନିମନ୍ତେ ସେମାନେ ଯିରୂଶାଲମରେ ଆହୁରି କିଛି ସମୟ ପାଇଁ ରହିଯାଇଛନ୍ତି । ଏହି ଭାଇଭଉଣୀମାନଙ୍କର ଖାଇବା ଏବଂ ଅନ୍ୟ ଆବଶ୍ୟକୀୟ ଜିନିଷଗୁଡ଼ିକ ଯୋଗାଇବା ପାଇଁ ଯିରୂଶାଲମର ଭାଇଭଉଣୀମାନେ ସ୍ୱେଚ୍ଛାରେ ଦାନ ଦିଅନ୍ତି । (ପ୍ରେରି. ୨:୪୪-୪୬; ୪:୩୪-୩୭) କିନ୍ତୁ ଏସମୟରେ ଏକ ସମ୍ବେଦନଶୀଳ ସମସ୍ୟା ଦେଖାଦିଏ । ଖାଦ୍ୟ ବାଣ୍ଟିବାର “ଦୈନିକ ପରିଚର୍ଯ୍ୟାରେ” ଗ୍ରୀକ୍‌ ଭାଷା କହୁଥିବା ବିଧବାମାନଙ୍କୁ ‘ଉପେକ୍ଷା କରାଯାଉଛି’ । (ପ୍ରେରି. ୬:୧) ଅନ୍ୟ ପକ୍ଷରେ, ଏବ୍ରୀ ଭାଷା କହୁଥିବା ବିଧବାମାନଙ୍କୁ ଭଲ ଭାବେ ଦେଖାଶୁଣା କରାଯାଉଛି । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସମସ୍ୟାଟି ଭେଦଭାବର ଅଟେ । ଏହା କୌଣସି ସାମାନ୍ୟ ସମସ୍ୟା ନୁହେଁ । ଏହାଦ୍ୱାରା ଭାଇମାନଙ୍କ ମଧ୍ୟରେ ଥିବା ଏକତା ଭାଙ୍ଗିବାର ଆଶଙ୍କା ରହିଛି ।

ସାକ୍ଷ୍ୟ ଦିଅ (ହିନ୍ଦୀ) ୪୨ ¶୧୮

‘ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ଆମର କର୍ତ୍ତବ୍ୟ’

୧୮ ପ୍ରେରିତମାନଙ୍କ ଦ୍ୱାରା ଗଠିତ ପ୍ରଶାସନ ଦଳ ଏ ସମସ୍ୟାକୁ କିପରି ସମାଧାନ କରିବ? ଦିନକୁ ଦିନ ବଢ଼ି ଚାଲିଥିବା ମଣ୍ଡଳୀକୁ ଦେଖାଶୁଣା କରିବାର ଦାୟିତ୍ୱ ସେମାନଙ୍କ ଉପରେ ରହିଛି । ତେଣୁ ସେମାନେ ଏହି ସିଦ୍ଧାନ୍ତରେ ପହଞ୍ଚିଲେ ଯେ “ଈଶ୍ୱରଙ୍କର ବାକ୍ୟ ପ୍ରଚାର ପରିତ୍ୟାଗ କରି ପରିବେଷଣରେ ଆମ୍ଭମାନଙ୍କର ବ୍ୟସ୍ତ ରହିବା ଉପଯୁକ୍ତ ନୁହେଁ ।” (ପ୍ରେରି. ୬:୨) ତେଣୁ ସେମାନେ ଶିଷ୍ୟମାନଙ୍କୁ ପରାମର୍ଶ ଦିଅନ୍ତି ଯେ ସେମାନେ ଏପରି ସାତ ଜଣ ଦାୟିତ୍ୱବାନ ଭାଇମାନଙ୍କୁ ବାଛନ୍ତୁ, ଯେଉଁମାନେ “ଆତ୍ମା ଓ ଜ୍ଞାନରେ ପରିପୂର୍ଣ୍ଣ” ଥିବେ, ଯାହାଫଳରେ ପ୍ରେରିତମାନେ ସେମାନଙ୍କୁ ଖାଦ୍ୟ ବାଣ୍ଟିବାର “ଏହି କାର୍ଯ୍ୟରେ” ନିଯୁକ୍ତ କରିପାରିବେ । (ପ୍ରେରି. ୬:୩) ଏହି କାମ ପାଇଁ ଦାୟିତ୍ୱବାନ ଭାଇମାନଙ୍କର ଆବଶ୍ୟକତା ଏଥିପାଇଁ ରହିଛି, କାରଣ ଏ କାମରେ କେବଳ ଖାଇବା ଜିନିଷ ବାଣ୍ଟିବା ସାମିଲ୍‌ ନୁହେଁ, ବରଂ ଟଙ୍କାପଇସାର ଦେବାନେବା, କିଣାକିଣି କରିବା ଏବଂ ପ୍ରତ୍ୟେକ ଜିନିଷର ସଠିକ୍‌ ହିସାବକିତାବ ରଖିବା ମଧ୍ୟ ସାମିଲ୍‌ ରହିଛି । ଯେଉଁ ଭାଇମାନଙ୍କୁ ନିଯୁକ୍ତ କରାଯାଏ, ସେସମସ୍ତଙ୍କର ଗ୍ରୀକ୍‌ ନାମ ରହିଛି । ଏଥିରୁ ହୁଏତ ଗ୍ରୀକ୍‌ ଭାଷା କହୁଥିବା ବିଧବାମାନଙ୍କୁ ସାନ୍ତ୍ୱନା ମିଳେ, ଯେଉଁମାନଙ୍କ ମନକୁ କଷ୍ଟ ପହଞ୍ଚିଥିଲା । ଯେତେବେଳେ ପ୍ରେରିତମାନଙ୍କଠାରେ ଏହି ସାତ ଜଣ ପୁରୁଷଙ୍କ ନାମ ସୁପାରିଶ କରାଯାଏ, ସେତେବେଳେ ସେମାନେ ପ୍ରାର୍ଥନା କରି ଏବିଷୟରେ ବିଚାର କରନ୍ତି ଏବଂ ତାʼପରେ ସେହି ସାତ ଜଣଙ୍କୁ ଖାଦ୍ୟ ବାଣ୍ଟିବାର “ଏହି କାର୍ଯ୍ୟରେ ନିଯୁକ୍ତ” କରନ୍ତି ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ସାକ୍ଷ୍ୟ ଦିଅ (ହିନ୍ଦୀ) ୪୫ ¶୨

ସ୍ତିଫାନ—“ଅନୁଗ୍ରହ ଓ ଶକ୍ତିରେ ପରିପୂର୍ଣ୍ଣ”

୨ ଏହି ସମୟରେ ସ୍ତିଫାନଙ୍କ ମୁଖରେ ଅପୂର୍ବ ଆନନ୍ଦ ଝଲକୁଛି । ଯେତେବେଳେ ମହାସଭାର ବିଚାରକର୍ତ୍ତା ସ୍ତିଫାନଙ୍କ ଆଡ଼କୁ ଦେଖନ୍ତି, ସେତେବେଳେ ତାଙ୍କ ମୁଖ “ଦୂତଙ୍କ ମୁଖ ସଦୃଶ” ଦେଖାଯାଏ । (ପ୍ରେରି. ୬:୧୫) ପ୍ରାଚୀନ ସମୟରେ ସ୍ୱର୍ଗଦୂତମାନେ ଯିହୋବା ଈଶ୍ୱରଙ୍କ ବାର୍ତ୍ତା ଲୋକମାନଙ୍କ ପାଖକୁ ପହଞ୍ଚାଉଥିଲେ । ତେଣୁ ସେମାନଙ୍କଠାରେ ଡରଭୟ କିଛି ନ ଥିଲା ଏବଂ ସେମାନେ ସମ୍ପୂର୍ଣ୍ଣ ଶାନ୍ତ ରହୁଥିଲେ । ଏହି ସମୟରେ ସ୍ତିଫାନଙ୍କ ବ୍ୟବହାରରେ ଓ ତାଙ୍କ ବ୍ୟକ୍ତିତ୍ୱରେ ମଧ୍ୟ ଏପରି କିଛି ଦେଖିବାକୁ ମିଳୁଛି । ଏପରିକି ଘୃଣାଭାବରେ ଭରା ବିଚାରକର୍ତ୍ତାମାନେ ମଧ୍ୟ ଏହା ସ୍ପଷ୍ଟ ଦେଖିପାରୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏଭଳି ଗମ୍ଭୀର ପରିସ୍ଥିତିରେ ମଧ୍ୟ ସ୍ତିଫାନ କିପରି ଏତେ ଶାନ୍ତ ରହିଛନ୍ତି?

ସାକ୍ଷ୍ୟ ଦିଅ (ହିନ୍ଦୀ) ୫୮-୫୯ ¶୧୬

“ଯୀଶୁଙ୍କ ସୁସମାଚାର” ପ୍ରଚାର କରିବା

୧୬ ଫିଲିପ୍ପଙ୍କ ଭଳି ଆଜି ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ସୁସମାଚାର ଶୁଣାଇବାର ଏକ ଅପୂର୍ବ ସମ୍ମାନ ମିଳିଛି । ସେମାନେ ଅନେକ ସମୟରେ ସୁଯୋଗ ଦେଖି ରାଜ୍ୟର ସୁସମାଚାର ଶୁଣାଇଥାʼନ୍ତି । ଯେପରି— କୌଣସି ଜାଗାକୁ ଯାତ୍ରା କରିବା ସମୟରେ । ଅନେକ ଥର ସେମାନେ ସଠିକ୍‌ ସମୟରେ ଏପରି ନମ୍ର ଲୋକମାନଙ୍କୁ ଭେଟନ୍ତି, ଯେଉଁମାନେ ସତ୍ୟକୁ ଖୋଜୁଥାʼନ୍ତି । ଏହା କୌଣସି ସଂଯୋଗ ନୁହେଁ, କାରଣ ବାଇବଲ କହେ ଯେ ପ୍ରଚାର କାମରେ ସ୍ୱର୍ଗଦୂତମାନେ ନିର୍ଦ୍ଦେଶ ଦେଉଛନ୍ତି । ଏହି କାରଣରୁ ରାଜ୍ୟର ସୁସମାଚାର “ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ” ପାଖକୁ ପହଞ୍ଚୁଛି । (ପ୍ରକା. ୧୪:୬) ଯୀଶୁ ପ୍ରଚାର କାମ ବିଷୟରେ କରିଥିବା ଏକ ଭବିଷ୍ୟତବାଣୀରେ ସ୍ୱର୍ଗଦୂତମାନଙ୍କ ବିଷୟରେ କହିଥିଲେ । ସେ ଗହମ ଓ ବାଳୁଙ୍ଗା ଘାସର ଦୃଷ୍ଟାନ୍ତରେ କହିଥିଲେ ଯେ ଶସ୍ୟ କାଟିବା ସମୟରେ ଅର୍ଥାତ୍‌ ଯୁଗାନ୍ତର ଶେଷ ସମୟରେ “କଟାଳିସବୁ ଦୂତମାନେ” ଅଟନ୍ତି । ତାʼପରେ ସେ କହିଲେ ଯେ ଏହି ଅଦୃଶ୍ୟ ପ୍ରାଣୀମାନେ “ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅର୍ଧମାଚାରୀମାନଙ୍କୁ ସଂଗ୍ରହ କରିବେ ।” (ମାଥି. ୧୩:୩୭-୪୧) ଯୀଶୁ ଏହା ମଧ୍ୟ ଦେଖାଇଲେ ଯେ ଯୁଗାନ୍ତର ଏହି ସମୟରେ ସ୍ୱର୍ଗଦୂତମାନେ ରାଜ୍ୟର ଉତ୍ତରାଧିକାରୀମାନଙ୍କୁ ଏବଂ ସେମାନଙ୍କ ପରେ ‘ଅନ୍ୟ ମେଷମାନଙ୍କ’ ଦ୍ୱାରା ଗଠିତ ମହାଜନତାକୁ ଏକତ୍ର କରିବେ, ଯେଉଁମାନଙ୍କୁ ଯିହୋବା ନିଜ ସଂଗଠନ ଆଡ଼କୁ ଟାଣିବାକୁ ଚାହାନ୍ତି ।—ପ୍ରକା. ୭:୯; ଯୋହ. ୬:୪୪, ୬୫; ୧୦:୧୬.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ