ଡିସେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୩-୯ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୯-୧୧
“ଜଣେ ନିଷ୍ଠୁର ଅତ୍ୟାଚାରୀ ଉତ୍ସାହୀ ସାକ୍ଷୀ ହେଲେ”
ସାକ୍ଷ୍ୟ ଦିଅ (ହିନ୍ଦୀ) ୬୦ ¶୧-୨
ମଣ୍ଡଳୀ ପାଇଁ “ଶାନ୍ତି ଭୋଗ” କରିବାର ସମୟ ଆରମ୍ଭ ହେଲା
ଯାତ୍ରୀମାନଙ୍କର ଏକ ଦଳ ଖୁବ୍ ବେଗରେ ଦାମାସ୍କସ୍ ସହର ଆଡ଼କୁ ଯାଉଛନ୍ତି। ସେମାନଙ୍କ ମନରେ ଏକ ମନ୍ଦ ଉଦ୍ଦେଶ୍ୟ ରହିଛି। ବର୍ତ୍ତମାନ ସେମାନେ ସହରର ଅତି ନିକଟରେ ପହଞ୍ଚି ଯାଇଛନ୍ତି। କିଛି ସମୟ ପରେ ସେମାନେ ସେଠାକାର ଖ୍ରୀଷ୍ଟିୟାନମାନଙ୍କୁ ସେମାନଙ୍କ ଘରୁ ଟାଣି ବାହାର କରିବେ, ସେମାନଙ୍କୁ ବାନ୍ଧିବେ, ଅପମାନିତ କରିବେ ଏବଂ ଘୋଷାରି ଘୋଷାରି ଯିରୂଶାଲମର ମହାସଭା ସମ୍ମୁଖକୁ ଆଣିବେ। ସେଠାରେ ସେମାନଙ୍କୁ ଅତି କଠୋର ଦଣ୍ଡ ଦିଆଯିବ।
୨ ଏହି ଦଳର ନେତୃତ୍ୱ ନେଉଛନ୍ତି ଶାଉଲ ନାମକ ଜଣେ ବ୍ୟକ୍ତି, ଯାହାଙ୍କ ହାତ ପୂର୍ବରୁ ରକ୍ତରେ ରଞ୍ଜିତ ହୋଇସାରିଛି। ଏବେ ଏବେ ତାଙ୍କ ଚରମପନ୍ଥୀ ସାଥୀମାନେ ଯୀଶୁଙ୍କର ପ୍ରକୃତ ଶିଷ୍ୟ ସ୍ତିଫାନଙ୍କୁ ପଥର ଫିଙ୍ଗି ଫିଙ୍ଗି ହତ୍ୟା କରିଥିଲେ। ଶାଉଲ ଦୂରରେ ଠିଆ ହୋଇ ଏସବୁ ଦୃଶ୍ୟ ଦେଖୁଥିଲେ ଏବଂ ସେ ଏହି ହତ୍ୟାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। (ପ୍ରେରି. ୭:୫୭–୮:୧) ଯିରୂଶାଲମରେ ଯୀଶୁଙ୍କ ଶିଷ୍ୟମାନଙ୍କ ଉପରେ ଘୋର ଅତ୍ୟାଚାର କରିବା ପରେ ମଧ୍ୟ ଶାଉଲଙ୍କ ମନ ଶାନ୍ତ ହେଲା ନାହିଁ। ସେ ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ଖ୍ରୀଷ୍ଟିୟାନମାନଙ୍କ ଉପରେ ଅତ୍ୟାଚାର କରିବାକୁ ବାହାରି ପଡ଼ିଲେ। ସେ ଭାବି ନେଇଥିଲେ ଯେ ଏହି “ମାର୍ଗ” ଅର୍ଥାତ୍ ଅତି ବେଗରେ ବଢ଼ି ଚାଲିଥିବା ଖ୍ରୀଷ୍ଟିୟାନମାନଙ୍କର ସମ୍ପୂର୍ଣ୍ଣ ସମୂହକୁ ମୂଳପୋଛ କରିଦେବେ।—ପ୍ରେରି. ୯:୧, ୨; ୬୧ ପୃଷ୍ଠାରେ ଦିଆଯାଇଥିବା ବକ୍ସ ଦେଖନ୍ତୁ, “ଶାଉଲଙ୍କୁ ଦାମାସ୍କସ୍ ଯିବାର ଅଧିକାର କିପରି ମିଳିଲା?”
ପ୍ରସ୧୬.୦୬-ହି ୭ ¶୪
ଯିହୋବା ଆମର କୁମ୍ଭକାର ଅଟନ୍ତି—କʼଣ ଆପଣ ଏଥିପାଇଁ କୃତଜ୍ଞ?
୪ ଆମେ ଲୋକମାନଙ୍କୁ ଯେପରି ଭାବେ ଦେଖୁ, ଯିହୋବା ସେପରି ଦେଖନ୍ତି ନାହିଁ। ସେ ହୃଦୟକୁ ଯାଞ୍ଚ କରନ୍ତି ଏବଂ ଆମେ ପ୍ରତ୍ୟେକେ ଅନ୍ତରରୁ କିପରି ବ୍ୟକ୍ତି ଅଟୁ, ତାହା ସେ ଦେଖନ୍ତି। (୧ ଶାମୁୟେଲ ୧୬:୭ଖ ପଢ଼ନ୍ତୁ।) ଯେତେବେଳେ ଯିହୋବା ଖ୍ରୀଷ୍ଟୀୟ ମଣ୍ଡଳୀର ଆରମ୍ଭ କଲେ, ସେତେବେଳେ ଏକଥା ସ୍ପଷ୍ଟ ଦେଖାଗଲା। ସେ ଏପରି ଅନେକ ଲୋକମାନଙ୍କୁ ନିଜ ଆଡ଼କୁ ଏବଂ ନିଜ ପୁତ୍ରଙ୍କ ଆଡ଼କୁ ଆକର୍ଷିତ କଲେ, ଯେଉଁମାନଙ୍କୁ ହୁଏତ କିଛି ଲୋକ ଅଯୋଗ୍ୟ ମନେ କରୁଥିଲେ। (ଯୋହ. ୬:୪୪) ଏପରି ହିଁ ଜଣେ ବ୍ୟକ୍ତି ଥିଲେ ଶାଉଲ, ଯିଏ ଜଣେ ଫାରୂଶୀ ଥିଲେ। ସେ “ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ” ଥିଲେ। (୧ ତୀମ. ୧:୧୩) କିନ୍ତୁ ଯିହୋବା ଶାଉଲଙ୍କ ହୃଦୟକୁ ଯାଞ୍ଚ କରି ଦେଖିଲେ ଯେ ସେ ବେକାର ମାଟି ନ ଥିଲେ। (ହିତୋ. ୧୭:୩) ଯିହୋବା ଦେଖିଲେ ଯେ ତାଙ୍କୁ ଏକ “ମନୋନୀତ ପାତ୍ର” ରୂପେ ଗଢ଼ାଯାଇ ପାରିବ, ଯିଏ “ବିଜାତି, ରାଜା ଓ ଇସ୍ରାଏଲର ସନ୍ତାନମାନଙ୍କର ସମ୍ମୁଖରେ” ସାକ୍ଷ୍ୟ ଦେବେ। (ପ୍ରେରି. ୯:୧୫) ଯିହୋବା ଆହୁରି ଲୋକମାନଙ୍କୁ ମଧ୍ୟ ବାଛିଲେ, ଯେଉଁମାନଙ୍କୁ ଏପରି ପାତ୍ର ଭଳି ଗଢ଼ାଗଲା, ଯାହାକୁ “ଆଦର ନିମନ୍ତେ” ବ୍ୟବହାର କରାଯାଇଥାଏ। ଏଥିରେ ଏଭଳି ଲୋକମାନେ ମଧ୍ୟ ସାମିଲ ଥିଲେ, ଯେଉଁମାନେ ପ୍ରଥମେ ମତୁଆଳ ଓ ଚୋର ଥିଲେ ଏବଂ ଅନୈତିକ କାମ କରୁଥିଲେ। (ରୋମୀ. ୯:୨୧; ୧ କରି. ୬:୯-୧୧) ଯେତେବେଳେ ସେମାନେ ଶାସ୍ତ୍ରର ଅଧ୍ୟୟନ କଲେ, ଯିହୋବାଙ୍କ ଉପରେ ସେମାନଙ୍କ ବିଶ୍ୱାସ ଦୃଢ଼ ହେଲା ଏବଂ ସେମାନେ ମହାନ କୁମ୍ଭକାର ଯିହୋବାଙ୍କ ହାତରେ ନିଜକୁ ସମର୍ପିତ କଲେ।
ସାକ୍ଷ୍ୟ ଦିଅ (ହିନ୍ଦୀ) ୬୪ ¶୧୫
ମଣ୍ଡଳୀ ପାଇଁ “ଶାନ୍ତି ଭୋଗ” କରିବାର ସମୟ ଆରମ୍ଭ ହେଲା
୧୫ ଟିକେ କଳ୍ପନା କରନ୍ତୁ, ଯେତେବେଳେ ଶାଉଲ ସଭାଘରଗୁଡ଼ିକରେ ଯାଇ ଯୀଶୁଙ୍କ ବିଷୟରେ ଶିଖାଇବାକୁ ଲାଗନ୍ତି, ସେଠାରେ ଉପସ୍ଥିତ ଥିବା ଭିଡ଼ ତାଙ୍କୁ ଦେଖି କିଭଳି ଆଚମ୍ବିତ ହୋଇଯାଇଥିବେ ଏବଂ ରାଗରେ ଜର୍ଜରିତ ହୋଇ ଉଠିଥିବେ? ପଦ କହେ ଯେ ତାଙ୍କୁ ଦେଖି ଲୋକେ କହନ୍ତି: “ଲୋକମାନଙ୍କୁ ଯେ ଯିରୂଶାଲମରେ ଉଚ୍ଛିନ୍ନ କରୁଥିଲା, . . . ଏ କି ସେହି ନୁହେଁ?” (ପ୍ରେରି. ୯:୨୧) ଶାଉଲ ସେମାନଙ୍କୁ ବୁଝାନ୍ତି ଯେ ସେ ଯୀଶୁଙ୍କ ବିଷୟରେ ନିଜ ଦୃଷ୍ଟିକୋଣ କାହିଁକି ପରିବର୍ତ୍ତନ କଲେ। ସେ ତର୍କ କରି ଏବଂ “ପ୍ରମାଣ କରି” କହିଲେ ଯେ ଯୀଶୁ ହିଁ ଖ୍ରୀଷ୍ଟ ଅଟନ୍ତି। (ପ୍ରେରି. ୯:୨୨) କିନ୍ତୁ ତର୍କ କରି ପ୍ରତ୍ୟେକ ମଣିଷକୁ ହୃଦବୋଧ କରାଇବା ଅସମ୍ଭବ। ଯେଉଁ ଲୋକମାନେ ପରମ୍ପରାର ବେଡ଼ିରେ ନିଜକୁ ବାନ୍ଧି ରଖିଥାʼନ୍ତି ଏବଂ ଅତି ଗର୍ବୀ ଥାʼନ୍ତି, ସେମାନଙ୍କ ସହ ତର୍କ କରି ସେମାନଙ୍କ ମନକୁ ଖୋଲିବା ଅତି କଷ୍ଟକର। ତଥାପି ଶାଉଲ ହାର ନ ମାନି ଲୋକମାନଙ୍କୁ ବୁଝାଇବା ଜାରି ରଖନ୍ତି।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ସାକ୍ଷ୍ୟ ଦିଅ (ହିନ୍ଦୀ) ୬୦-୬୧ ¶୫-୬
ମଣ୍ଡଳୀ ପାଇଁ “ଶାନ୍ତି ଭୋଗ” କରିବାର ସମୟ ଆରମ୍ଭ ହେଲା
୫ ଯେତେବେଳେ ଯୀଶୁ ବାଟରେ ଶାଉଲଙ୍କୁ ରୋକନ୍ତି, ସେ ଶାଉଲଙ୍କୁ ଏହା ପଚାରନ୍ତି ନାହିଁ: “କାହିଁକି ମୋହର ଶିଷ୍ୟମାନଙ୍କୁ ତାଡ଼ନା କରୁଅଛ?” ଏହା ପରିବର୍ତ୍ତେ ସେ କୁହନ୍ତି: “କାହିଁକ ଆମ୍ଭକୁ ତାଡ଼ନା କରୁଅଛ?” (ପ୍ରେରି. ୯:୪) ହଁ, ଯେତେବେଳେ ଯୀଶୁଙ୍କ ଶିଷ୍ୟମାନେ ଦୁଃଖକଷ୍ଟର ସାମନା କରନ୍ତି, ସେତେବେଳେ ଯୀଶୁ ନିଜେ ସେମାନଙ୍କ କଷ୍ଟକୁ ଅନୁଭବ କରନ୍ତି।—ମାଥି. ୨୫:୩୪-୪୦, ୪୫.
୬ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରୁଥିବା ଯୋଗୁଁ ଆପଣଙ୍କ ଉପରେ ଯଦି ଅତ୍ୟାଚାର କରାଯାଉଛି, ତେବେ ଏହା ପୂରା ଭରସା ରଖିପାରିବେ ଯେ ଆପଣ ଯାହା ଅନୁଭବ କରନ୍ତି, ତାହା ଉଭୟ ଯିହୋବା ଓ ଯୀଶୁ ଜାଣନ୍ତି। (ମାଥି. ୧୦:୨୨, ୨୮-୩୧) ଆପଣଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଯିହୋବା ହୁଏତ ତୁରନ୍ତ ଦୂର କରିବେ ନାହିଁ। ମନେ ପକାନ୍ତୁ, ଯେତେବେଳେ ଶାଉଲ ସ୍ତିଫାନଙ୍କ ହତ୍ୟାକୁ ସମର୍ଥନ କରିଥିଲେ ଏବଂ ଯିରୂଶାଲମରେ ବିଶ୍ୱସ୍ତ ଶିଷ୍ୟମାନଙ୍କ ଘରେ ପଶି ସେମାନଙ୍କୁ ଟାଣି ବାହାର କରୁଥିଲେ, ସେତେବେଳେ ଯିହୋବା ଖ୍ରୀଷ୍ଟିୟାନମାନଙ୍କୁ ଏହି ଅତ୍ୟାଚାର ଦେଇ ଗତି କରିବାକୁ ଦେଲେ। (ପ୍ରେରି. ୮:୩) ସେ ତୁରନ୍ତ ସେମାନଙ୍କ ଦୁଃଖକଷ୍ଟ ଦୂର କଲେ ନାହିଁ। କିନ୍ତୁ ସେ ଖ୍ରୀଷ୍ଟଙ୍କ ଜରିଆରେ ସ୍ତିଫାନ ଓ ଅନ୍ୟ ଶିଷ୍ୟମାନଙ୍କୁ ସେହି କଠିନ ସମୟରେ ବିଶ୍ୱସ୍ତ ରହିବା ପାଇଁ ଶକ୍ତି ପ୍ରଦାନ କରିବା ଜାରି ରଖିଲେ।
ଅଧ୍ୟୟନ ବାଇବଲ—ପ୍ରେରି ୧୦:୬ ଅଧ୍ୟୟନ ତଥ୍ୟ
ଶିମୋନ ନାମକ ଜଣେ ଚର୍ମକାର: ଚମଡ଼ାର କାମ କରୁଥିବା ବ୍ୟକ୍ତି ପଶୁମାନଙ୍କର ଚର୍ମରୁ ଚମଡ଼ା ତିଆରି କରୁଥିଲା। ସେ ଚର୍ମରୁ ଲୋମ, ମାଂସର ଟୁକୁଡ଼ା ଓ ଚର୍ବି ବାହାର କରିବା ପାଇଁ ଚୂନର ଘୋଳ ବ୍ୟବହାର କରୁଥିଲା। ତାʼପରେ ସେ ଚର୍ମରେ ଏପରି ଏକ ଦ୍ରବ୍ୟ ଲଗାଉଥିଲା, ଯାହା ବହୁତ ତୀବ୍ର ଓ ଶକ୍ତିଶାଳୀ ଥିଲା। ଏହିପରି ଭାବେ ସେ ଚମଡ଼ାକୁ ପ୍ରସ୍ତୁତ କରୁଥିଲା, ଯେଉଁଥିରୁ ବିଭିନ୍ନ ପ୍ରକାରର ଜିନିଷ ତିଆରି କରାଯାଇପାରୁଥିଲା। ଚମଡ଼ା ପ୍ରସ୍ତୁତ କରିବାର ପ୍ରକ୍ରିୟା ବେଳେ ଅତି ଦୁର୍ଗନ୍ଧ ହେଉଥିଲା ଏବଂ ବହୁତ ପାଣି ଆବଶ୍ୟକ ହେଉଥିଲା। ସେଥିପାଇଁ ହୁଏତ ଶିମୋନଙ୍କ ଘର ସମୂଦ୍ର କୂଳରେ ଥିଲା। ସେ ହୁଏତ ଯାଫୋ ସହରର ପ୍ରାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିଲେ। ମୋଶାଙ୍କ ନିୟମ ଅନୁସାରେ ପଶୁମାନଙ୍କର ଶବକୁ ଛୁଉଁଥିବା ବ୍ୟକ୍ତିକୁ ଅଶୁଦ୍ଧ ବୋଲି ଧରାଯାଉଥିଲା ଏବଂ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଭାଗ ନେବା ତାʼ ପାଇଁ ମନା ଥିଲା। (ଲେବୀ. ୫:୨; ୧୧:୩୯) ତେଣୁ ଚମଡ଼ାର କାମ କରୁଥିବା ଲୋକମାନଙ୍କୁ ଅଧିକାଂଶ ଯିହୁଦୀ ନୀଚ ଦୃଷ୍ଟିରେ ଦେଖୁଥିଲେ ଏବଂ ସେମାନଙ୍କ ଘରେ ରହିବା ପସନ୍ଦ କରୁ ନ ଥିଲେ। ତଲମୁଦ ନାମକ ବହିରେ ଏହା ମଧ୍ୟ କୁହାଯାଇଥିଲା ଯେ ଚମଡ଼ାର କାମ କରିବା ପଶୁମାନଙ୍କର ମଳ ଏକତ୍ର କରିବାର କାମଠାରୁ ମଧ୍ୟ ନୀଚ କାମ। କିନ୍ତୁ ପିତରଙ୍କ ଚିନ୍ତାଧାରା ଏପରି ନ ଥିଲା। ତେଣୁ ସେ ଶିମୋନଙ୍କ ଘରେ ରହିଲେ। ଏହା ସ୍ପଷ୍ଟ ଯେ ପିତର ସଂକୀର୍ଣ୍ଣମନା ନ ଥିଲେ। ତେଣୁ ଏହି ଘଟଣା ପରେ ତାଙ୍କୁ ଯେଉଁ କାମ ଦିଆଗଲା, ତାକୁ କରିବା ପାଇଁ ସେ ରାଜି ହୋଇଗଲେ। ଯେତେବେଳେ ତାଙ୍କୁ ଜଣେ ଅଣଯିହୁଦୀଙ୍କ ଘରକୁ ଯିବା ପାଇଁ କୁହାଗଲା, ସେ ସେଠାକୁ ଗଲେ। “ଚର୍ମକାର” ପାଇଁ ଗ୍ରୀକ୍ ଶବ୍ଦ ହେଉଛି— ବଇରସିୟୁସ। କିଛି ବିଦ୍ୱାନ୍ମାନଙ୍କ ଅନୁସାରେ ଶିମୋନଙ୍କୁ ବଇରସିୟୁସ ମଧ୍ୟ କୁହାଯାଉଥିଲା।
୧୦-୧୬ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧୨-୧୪
“ବର୍ଣ୍ଣବ୍ବା ଓ ପାଉଲ ଦୂରଦୂରାନ୍ତ ଅଞ୍ଚଳରେ ଶିଷ୍ୟ କଲେ”
ସାକ୍ଷ୍ୟ ଦିଅ (ହିନ୍ଦୀ) ୮୬ ¶୪
“ଆନନ୍ଦରେ ଓ ପବିତ୍ର ଆତ୍ମାରେ ପୂର୍ଣ୍ଣ”
୪ ପବିତ୍ର ଶକ୍ତି ଏହି “କର୍ମ ନିମନ୍ତେ” କାହିଁକି ବର୍ଣ୍ଣବ୍ବା ଓ ଶାଉଲଙ୍କୁ ହିଁ ସ୍ୱତନ୍ତ୍ର ଭାବେ ନିଯୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦିଏ? (ପ୍ରେରି. ୧୩:୨) ବାଇବଲ ଏବିଷୟରେ କିଛି କହେ ନାହିଁ। କିନ୍ତୁ ଆମେ ଜାଣୁ ଯେ ପବିତ୍ର ଶକ୍ତିର ମାର୍ଗଦର୍ଶନରେ ହିଁ ଏ ଦୁହିଙ୍କୁ ବଛାଯାଏ। ଏହାର ମଧ୍ୟ କୌଣସି ସୂଚନା ମିଳେ ନାହିଁ ଯେ ଆନ୍ତିୟଖିଆ ମଣ୍ଡଳୀର ଭାବବାଦୀ ଓ ଶିକ୍ଷକମାନେ ଏହି ନିଷ୍ପତ୍ତିକୁ ଅସ୍ୱୀକାର କରନ୍ତି। ଏହା ପରିବର୍ତ୍ତେ, ସେମାନେ ଏହି ନିଷ୍ପତ୍ତିକୁ ସ୍ୱୀକାର କରି ସମ୍ପୂର୍ଣ୍ଣ ସହଯୋଗ କରନ୍ତି। ଟିକେ ଭାବନ୍ତୁ, ଯେତେବେଳେ ସେଠାକାର ଖ୍ରୀଷ୍ଟିୟାନ ଭାଇମାନେ କୌଣସି ଈର୍ଷାଭାବ ନ ରଖି ସେ ଦୁହିଙ୍କ ପାଇଁ “ଉପବାସ ଓ ପ୍ରାର୍ଥନା କଲା ଉତ୍ତାରେ ସେମାନଙ୍କ ଉପରେ ହସ୍ତାର୍ପଣ କରି ସେମାନଙ୍କୁ ବିଦାୟ ଦେଲେ,” ସେତେବେଳେ ବର୍ଣ୍ଣବ୍ବା ଓ ଶାଉଲ କେତେ ଖୁସି ହୋଇଥିବେ। (ପ୍ରେରି. ୧୩:୩) ଆଜି ଆମେ ମଧ୍ୟ ସଙ୍ଗଠନରେ ଦାୟିତ୍ୱ ମିଳିଥିବା ଭାଇମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବା ଉଚିତ୍। ଏଥିରେ ଏପରି ଭାଇମାନେ ମଧ୍ୟ ସାମିଲ ଅଛନ୍ତି, ଯେଉଁମାନଙ୍କୁ ମଣ୍ଡଳୀରେ ଅଧ୍ୟକ୍ଷ ରୂପେ ନିଯୁକ୍ତ କରାଯାଇଛି। ଏହି ଭାଇମାନଙ୍କ ପ୍ରତି ଈର୍ଷାଭାବ ରଖିବା ପରିବର୍ତ୍ତେ ଆମେ “ସେମାନଙ୍କ କାର୍ଯ୍ୟ ସକାଶେ ସେମାନଙ୍କୁ ପ୍ରେମରେ ଅତ୍ୟନ୍ତ ଆଦର” କରିବା ଉଚିତ୍।—୧ ଥେସ. ୫:୧୩.
ସାକ୍ଷ୍ୟ ଦିଅ (ହିନ୍ଦୀ) ୯୫ ¶୫
‘ଯିହୋବାଙ୍କ ଉପରେ ନିର୍ଭର କରି ସାହସରେ ପ୍ରଚାର କଲେ’
୫ ସର୍ବପ୍ରଥମେ ପାଉଲ ଓ ବର୍ଣ୍ଣବ୍ବା ଇକନୀୟରେ ରହନ୍ତି, ଯାହା ରୋମୀୟ ଶାସନ ଅଧୀନରେ ଥିବା ଗାଲାତୀୟ ପ୍ରଦେଶର ଏକ ମୁଖ୍ୟ ସହର। ଇକନୀୟରେ ଅନେକ ଗ୍ରୀକ୍ ଲୋକ ରହନ୍ତି। ଏହି ସହରରେ ପ୍ରଭାବଶାଳୀ ଯିହୁଦୀମାନେ ରହନ୍ତି। ଏହା ଛଡ଼ା, ଏଠାରେ ଅନେକ ଅଣଯିହୁଦୀମାନେ ମଧ୍ୟ ରହନ୍ତି, ଯେଉଁମାନେ ଯିହୁଦୀ ଧର୍ମ ଆପଣାଇଛନ୍ତି। ଇକନୀୟକୁ ପହଞ୍ଚିବା ପରେ ପାଉଲ ଓ ବର୍ଣ୍ଣବ୍ବା ନିଜ ପ୍ରଥା ଅନୁସାରେ ସେଠାକାର ସଭାଘରକୁ ଯାʼନ୍ତି ଏବଂ ପ୍ରଚାର କରିବାକୁ ଲାଗନ୍ତି। (ପ୍ରେରି. ୧୩:୫, ୧୪) ସେମାନେ “ଏପରି କଥା କହିଲେ ଯେ, ଯିହୁଦୀ ଓ ଗ୍ରୀକ୍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ବିଶ୍ୱାସ କଲେ।”—ପ୍ରେରି. ୧୪:୧.
ପ୍ର୧୪-ହି ୯/୧୫ ୧୩ ¶୪-୫
“ଅନେକ କ୍ଳେଶ” ସତ୍ତ୍ୱେ ବିଶ୍ୱସ୍ତତାର ସହ ଈଶ୍ୱରଙ୍କ ସେବା କରନ୍ତୁ
୪ ଦର୍ବୀ ସହରର ଯାତ୍ରା ସାରିବା ପରେ ପାଉଲ ଓ ବର୍ଣ୍ଣବ୍ବା “ଲୁସ୍ତ୍ରା, ଇକନୀୟ ଓ ଆନ୍ତିୟଖିଆକୁ ବାହୁଡ଼ି ଆସିଲେ, ପୁଣି, ସେସ୍ଥାନମାନଙ୍କରେ ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ ଓ ବିଶ୍ୱାସରେ ଅଟଳ ରହିବା ପାଇଁ ସେମାନଙ୍କୁ ଉତ୍ସାହ ପ୍ରଦାନ କରି କହିଲେ, ଅନେକ କ୍ଳେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ।” (ପ୍ରେରି. ୧୪:୨୧, ୨୨) ଏହି କଥା ପଢ଼ି ହୁଏତ ଆମକୁ ଆଶ୍ଚର୍ଯ୍ୟ ଲାଗିପାରେ। “ଅନେକ କ୍ଳେଶ” ସହିବା କଥା ଶୁଣି କାହାରି ସାହସ ମଜବୁତ୍ ହେବ କି? ଯେତେବେଳେ ପାଉଲ ଓ ବର୍ଣ୍ଣବ୍ବା କହିଲେ ଯେ ଶିଷ୍ୟମାନଙ୍କୁ ଅନେକ ଦୁଃଖକଷ୍ଟ ସହିବାକୁ ପଡ଼ିବ, ଏହାଦ୍ୱାରା ସେମାନେ କିପରି “ଶିଷ୍ୟମାନଙ୍କ ମନକୁ ସୁସ୍ଥିର କଲେ”?
୫ ଆମକୁ ଏହି ପ୍ରଶ୍ନର ଉତ୍ତର ପାଉଲଙ୍କ ଶବ୍ଦଗୁଡ଼ିକରୁ ହିଁ ମିଳେ। ଧ୍ୟାନ ଦିଅନ୍ତୁ ଯେ ସେ କେବଳ ଏତିକି କହିଲେ ନାହିଁ: ଆମ୍ଭମାନଙ୍କୁ “ଅନେକ କ୍ଳେଶ ସହିବାକୁ ହେବ।” ସେ ଏହା ମଧ୍ୟ କହିଲେ: “ଅନେକ କ୍ଳେଶ ମଧ୍ୟ ଦେଇ ଆମ୍ଭମାନଙ୍କୁ ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିବାକୁ ହେବ।” ହଁ, ପାଉଲ ଏଠାରେ ଈଶ୍ୱରଙ୍କ ବିଶ୍ୱସ୍ତ ସେବକମାନଙ୍କୁ ମିଳିବାକୁ ଯାଉଥିବା ପୁରସ୍କାର ଉପରେ ଜୋର୍ ଦେଉଥିଲେ। ଏହି ପୁରସ୍କାର କୌଣସି ସ୍ୱପ୍ନ ନୁହେଁ। ଯୀଶୁ ଖ୍ରୀଷ୍ଟ କହିଥିଲେ: “ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ।”—ମାଥି. ୧୦:୨୨.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୮-ହି ୫/୧୫ ୩୨ ¶୭
ପ୍ରେରିତ ବହିର ମୁଖ୍ୟାଂଶ
୧୨:୨୧-୨୩; ୧୪:୧୪-୧୮. ହେରୋଦ ବିନା କୌଣସି ସଙ୍କୋଚରେ ଏପରି ମହିମା ଓ ପ୍ରଶଂସାକୁ ସ୍ୱୀକାର କଲା, ଯାହା ଉପରେ କେବଳ ଈଶ୍ୱରଙ୍କର ଅଧିକାର ଥିଲା। କିନ୍ତୁ ପାଉଲ ଓ ବର୍ଣ୍ଣବ୍ବା ତାʼଠାରୁ କେତେ ଭିନ୍ନ ଥିଲେ! ଯେତେବେଳେ ଲୋକେ ସେମାନଙ୍କୁ ଦେବତା ମାନି ସେମାନଙ୍କୁ ପୂଜା କରିବାକୁ ଚେଷ୍ଟା କଲେ, ସେମାନେ ତୁରନ୍ତ ଓ ଦୃଢ଼ ଭାବେ ଏପରି କରିବା ପାଇଁ ସେମାନଙ୍କୁ ମନା କଲେ। ଆଜି ଆମକୁ ଯିହୋବାଙ୍କ ସେବାରେ ଯେଉଁସବୁ ସଫଳତା ମିଳେ, ତାʼ ପାଇଁ ଆମେ ଅନ୍ୟଠାରୁ ପ୍ରଶଂସା ପାଇବା ପାଇଁ ଚେଷ୍ଟା କରିବା ଉଚିତ୍ ନୁହେଁ।
ଅଧ୍ୟୟନ ବାଇବଲ—ପ୍ରେରି ୧୩:୯ ଅଧ୍ୟୟନ ତଥ୍ୟ
ଶାଉଲ, ଯାହାଙ୍କୁ ପାଉଲ ମଧ୍ୟ କହନ୍ତି: ଏ ଘଟଣା ପରଠୁ ଶାଉଲଙ୍କୁ ପାଉଲ ବୋଲି କୁହାଗଲା। ଏହି ପ୍ରେରିତ ଜନ୍ମରୁ ଜଣେ ଏବ୍ରୀ ଥିଲେ ଏବଂ ତାଙ୍କ ପାଖରେ ରୋମୀୟ ନାଗରିକତା ମଧ୍ୟ ଥିଲା। (ପ୍ରେରି ୨୨:୨୭, ୨୮; ଫିଲିପ୍ପୀ. ୩:୫) ତେଣୁ, ସମ୍ଭବତଃ ଛୋଟ ବେଳୁ ସେ ଏବ୍ରୀ ନାମ ଶାଉଲ ସଙ୍ଗେ ସଙ୍ଗେ ପାଉଲ ନାମରେ ମଧ୍ୟ ପରିଚିତ ଥିଲେ, ଯାହା ଏକ ରୋମୀୟ ନାମ ଥିଲା। ସେସମୟରେ ଅନେକ ଯିହୁଦୀମାନଙ୍କର ଦୁଇଟି ନାମ ରହୁଥିଲା, ବିଶେଷତଃ ଯେଉଁ ଯିହୁଦୀମାନେ ଇସ୍ରାଏଲ ଦେଶର ବାହାରେ ରହୁଥିଲେ। (ପ୍ରେରି ୧୨:୧୨; ୧୩:୧) ପାଉଲଙ୍କ କିଛି ସମ୍ପର୍କୀୟମାନଙ୍କର ମଧ୍ୟ ଏବ୍ରୀ ନାମ ରହିବା ସଙ୍ଗେ ସଙ୍ଗେ ରୋମୀୟ କିମ୍ବା ଗ୍ରୀକ୍ ନାମ ଥିଲା। (ରୋମୀ ୧୬:୭, ୨୧) ପାଉଲ “ବିଜାତିମାନଙ୍କ ନିମନ୍ତେ ପ୍ରେରିତ” ଥିଲେ, ତେଣୁ ତାଙ୍କୁ ଅଣଯିହୁଦୀମାନଙ୍କୁ ସୁସମାଚାର ଶୁଣାଇବାର କାମ ଦିଆଗଲା। (ରୋମୀ ୧୧:୧୩) ସେ ହୁଏତ ରୋମୀୟ ନାମ ହିଁ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଥିବେ। ସେ ଭାବିଥିବେ ଯେ ଅନ୍ୟ ରାଷ୍ଟ୍ରର ଲୋକେ ଏହି ନାମକୁ ପସନ୍ଦ କରିବେ। (ପ୍ରେରି ୯:୧୫; ଗାଲା ୨:୭, ୮) କିଛି ଲୋକ କହନ୍ତି ଯେ ସେ ସେର୍ଗିୟ ପାଉଲଙ୍କ ସମ୍ମାନରେ ରୋମୀୟ ନାମ ପାଉଲ ରଖିଲେ। କିନ୍ତୁ ଏହା ସଠିକ୍ ଲାଗେ ନାହିଁ କାରଣ ସାଇପ୍ରସ୍ ଦ୍ୱୀପ ଛାଡ଼ିବା ପରେ ମଧ୍ୟ ପାଉଲ ଏହି ନାମରେ ପରିଚିତ ହେଲେ। ଆଉ କିଛି ଲୋକ କହନ୍ତି ଯେ ପାଉଲ ନିଜ ଏବ୍ରୀ ନାମ ଶାଉଲ ଏଥିପାଇଁ ବ୍ୟବହାର କରୁ ନ ଥିଲେ, କାରଣ ଏହି ନାମର ଗ୍ରୀକ୍ ଉଚ୍ଚାରଣ ଆଉ ଏକ ଗ୍ରୀକ୍ ଶବ୍ଦର ଉଚ୍ଚାରଣ ସହ ପ୍ରାୟ ସମାନ ଥିଲା, ଯାହାର ଅର୍ଥ ଏପରି ମଣିଷ (କିମ୍ବା ପଶୁ) ଯିଏ ଛାତି ଫୁଲାଇ ଚାଲେ।
ପାଉଲ: ଗ୍ରୀକ୍ ନାମ ପାଉଲୋସ ଲାଟିନ ନାମ ପାଉଲୁସରୁ ଆସିଛି। ଏହାର ଅର୍ଥ ହେଉଛି, “ଛୋଟ।” ଏହି ନାମ ନୂତନ ଜଗତ ଅନୁବାଦର ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରରେ (ଇଂରାଜୀ) ପ୍ରେରିତ ପାଉଲଙ୍କ ପାଇଁ ୧୫୭ ଥର ବ୍ୟବହାର କରାଯାଇଛି ଏବଂ ଥରେ ସାଇପ୍ରସ୍ର ରାଜ୍ୟପାଳ ସେର୍ଗିୟ ପାଉଲଙ୍କ ପାଇଁ ବ୍ୟବହାର କରାଯାଇଛି।—ପ୍ରେରି ୧୩:୭.
୧୭-୨୩ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧୫-୧୬
“ଈଶ୍ୱରଙ୍କ ବାକ୍ୟର ଆଧାରରେ ଏକମନା ନିଷ୍ପତ୍ତି”
ସାକ୍ଷ୍ୟ ଦିଅ (ହିନ୍ଦୀ) ୧୦୨-୧୦୩ ¶୮
‘ସେମାନଙ୍କ ସାଙ୍ଗରେ ଅନେକ ବାଗ୍ଯୁଦ୍ଧ ହୁଏ’
୮ ଲୂକ ଆଗକୁ ଲେଖନ୍ତି, “ଏଥିରେ ପାଉଲ ବର୍ଣ୍ଣବ୍ବାଙ୍କର ସେମାନଙ୍କ [ଯିହୁଦା ପ୍ରଦେଶର ‘କିଛି ଲୋକଙ୍କ’] ସାଙ୍ଗରେ ଅନେକ ବାଗ୍ଯୁଦ୍ଧ ଓ ବାଦାନୁବାଦ ହେବାରୁ ଭାଇମାନେ [ପ୍ରାଚୀନମାନେ] ପାଉଲ, ବର୍ଣ୍ଣବ୍ବା ଓ ଆପଣାମାନଙ୍କ ମଧ୍ୟରୁ ଆଉ କେତେକ ଜଣ ଏହି ପ୍ରଶ୍ନ ଘେନି ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ନିକଟକୁ ଯାଆନ୍ତୁ ବୋଲି ସ୍ଥିର କଲେ।” (ପ୍ରେରି. ୧୫:୨) ପଦ କହେ ଯେ ଏହି ମାମଲାକୁ ନେଇ ଅନେକ “ବାଗ୍ଯୁଦ୍ଧ ଓ ବାଦାନୁବାଦ” ହୁଏ। ଅର୍ଥାତ୍ ଉଭୟ ପକ୍ଷର ଲୋକେ ନିଜ କଥାରେ ହିଁ ଅଡ଼ି ରହିଛନ୍ତି। ଆଉ, ଉଭୟ ପକ୍ଷର ମତ ଯେ ସେମାନେ ଯାହା କହୁଛନ୍ତି, ତାହା ହିଁ ସଠିକ୍। ଆନ୍ତିୟଖିଆର ପ୍ରାଚୀନମାନେ ଏହି ସମସ୍ୟାକୁ ସମାଧାନ କରିପାରନ୍ତି ନାହିଁ। ତେଣୁ ସେମାନେ ମଣ୍ଡଳୀର ଶାନ୍ତି ବଜାୟ ରଖିବା ପାଇଁ ନିଷ୍ପତ୍ତି ନିଅନ୍ତି ଯେ ଏହି ମାମଲାକୁ “ପ୍ରେରିତ ଓ ପ୍ରାଚୀନମାନଙ୍କ” ସମ୍ମୁଖରେ ଉପସ୍ଥାପନ କରିବେ, ଯେଉଁମାନେ ପ୍ରଥମ ଶତାବ୍ଦୀର ପ୍ରସାଶନ ଦଳର ସଦସ୍ୟ ଥିଲେ। ଆନ୍ତିୟଖିଆର ସେହି ପ୍ରାଚୀନମାନଙ୍କଠାରୁ ଆମେ କʼଣ ଶିଖିପାରିବା?
ପ୍ର୧୨-ହି ୧/୧୫ ୫ ¶୬-୭
ପ୍ରକୃତ ଖ୍ରୀଷ୍ଟିୟାନମାନେ ଈଶ୍ୱରଙ୍କ ବାକ୍ୟର ଆଦର କରନ୍ତି
୬ ପରିଶେଷରେ, ଆମୋଷ ୯:୧୧, ୧୨ ପଦର ଆଧାରରେ ସମସ୍ୟାକୁ ସମାଧାନ କରାଗଲା। ଏହି ପଦଗୁଡ଼ିକରୁ ଉଦ୍ଧୃତ କରାଯାଇ ପ୍ରେରିତ ୧୫:୧୬, ୧୭ ପଦରେ ଏପରି ଲେଖାଯାଇଛି: “ଏଥିଉତ୍ତାରେ ଆମ୍ଭେ ବାହୁଡ଼ିଆସି ଦାଉଦର ପତିତ ଆବାସ ପୁନଃ ନିର୍ମାଣ କରିବା, ପୁଣି ତାହାର ଧ୍ୱଂସସ୍ଥାନସବୁ ପୁନଃ ନିର୍ମାଣ କରି ତାହା ପୁନଃସ୍ଥାପନ କରିବା, ଯେପରି ଅବଶିଷ୍ଟ ଲୋକେ ଓ ଯେସମସ୍ତ ବିଜାତି ଆମ୍ଭ ନାମରେ ଖ୍ୟାତ, ସେମାନେ ପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି, ସର୍ବସାଧନକର୍ତ୍ତା ପ୍ରଭୁ ଏହା କହନ୍ତି।”
୭ ହୁଏତ କେହି କହିପାରନ୍ତି: ‘କିନ୍ତୁ ଏହି ପଦରେ ଏହା ଲେଖାଯାଇ ନାହିଁ ଯେ ବିଜାତିମାନଙ୍କ ପାଇଁ ସୁନ୍ନତ କରିବା ଜରୁରୀ ନୁହେଁ।’ ଏହା ସତ, କିନ୍ତୁ ଯିହୁଦୀ ଖ୍ରୀଷ୍ଟିୟାନମାନେ ଏକଥା ବୁଝିଯାଇଥିବେ। କାରଣ ଯିହୁଦୀମାନେ ସୁନ୍ନତ କରାଯାଇଥିବା ଅନ୍ୟ ଜାତିର ଲୋକମାନଙ୍କୁ “ବିଜାତି” ନୁହେଁ, ବରଂ ନିଜ ଭାଇ ବୋଲି ମନେ କରୁଥିଲେ। (ଯାତ୍ରା. ୧୨:୪୮, ୪୯) ଉଦାହରଣ ପାଇଁ, ଏଷ୍ଟର ୮:୧୭ ପଦରେ ଲେଖାଅଛି: “ପୁଣି ଦେଶର ଅନେକ ଲୋକ ଯିହୁଦୀୟ ମତାବଲମ୍ବୀ ହେଲେ।” ଅତଏବ, ଯେତେବେଳେ ଆମୋଷ ବହିରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ଇସ୍ରାଏଲର ଅବଶିଷ୍ଟ ଲୋକେ (ଅର୍ଥାତ୍ ଯିହୁଦୀ ଓ ସୁନ୍ନତ କରାଇ ଯିହୁଦୀ ହୋଇଥିବା ଲୋକେ) ଏବଂ ସେମାନଙ୍କ ସହିତ ‘ସମସ୍ତ ବିଜାତି’ ମଧ୍ୟ (ଅର୍ଥାତ୍ ଅନ୍ୟ ଜାତିର ଅସୁନ୍ନତ ଲୋକ) ଯିହୋବାଙ୍କ ନାମରେ ଖ୍ୟାତ ହେବେ, ଏହାର ଅର୍ଥ ସ୍ପଷ୍ଟ ଥିଲା। ଯେଉଁ ବିଜାତି ଲୋକମାନେ ଖ୍ରୀଷ୍ଟିୟାନ ହେବାକୁ ଚାହୁଁଥିଲେ, ସେମାନଙ୍କ ପାଇଁ ସୁନ୍ନତ କରାଇବା ଜରୁରୀ ନ ଥିଲା।
ସାକ୍ଷ୍ୟ ଦିଅ (ହିନ୍ଦୀ) ୧୨୩ ¶୧୮
‘ମଣ୍ଡଳୀଗୁଡ଼ିକୁ ସୁସ୍ଥିର କରାଗଲା’
୧୮ ପାଉଲ ଓ ତୀମଥି ଅନେକ ବର୍ଷ ଧରି ଏକାସାଙ୍ଗେ କାମ କଲେ। ଭ୍ରମଣକାରୀ ଅଧ୍ୟକ୍ଷ ଭାବରେ ସେମାନେ ପ୍ରଶାସନ ଦଳଠାରୁ ମିଳିଥିବା ଅନେକ ଦାୟିତ୍ୱ ତୁଲାଇଲେ। ବାଇବଲ କହେ: “ପୁଣି, ସେମାନେ ନଗରସମୂହ ଦେଇ ଯାଉ ଯାଉ ଯିରୂଶାଲମସ୍ଥ ପ୍ରେରିତ ଓ ପ୍ରାଚୀନମାନଙ୍କ ଦ୍ୱାରା ନିରୂପିତ ଆଜ୍ଞାସବୁ ପାଳନ କରିବା ନିମନ୍ତେ ସେମାନଙ୍କ ନିକଟରେ ସମର୍ପଣ କରୁଥିଲେ।” (ପ୍ରେରି. ୧୬:୪) ଏହା ସ୍ପଷ୍ଟ ଯେ ମଣ୍ଡଳୀଗୁଡ଼ିକ ଯିରୂଶାଲମର ପ୍ରେରିତ ଓ ପ୍ରାଚୀନମାନଙ୍କର ପରାମର୍ଶଗୁଡ଼ିକ ମାନିଥିବେ। ଏହିପରି ଭାବେ, ଆଜ୍ଞା ମାନିବା ଯୋଗୁଁ “ମଣ୍ଡଳୀସମୂହ ବିଶ୍ୱାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲା।”—ପ୍ରେରି. ୧୬:୫.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୨-ହି ୧/୧୫ ୧୦ ¶୮
ଜାଗ୍ରତ ରହିବା ବିଷୟରେ ଯୀଶୁଙ୍କ ପ୍ରେରିତମାନଙ୍କଠାରୁ ଶିଖନ୍ତୁ
୮ ଏହି ଘଟଣାରୁ ଆମେ କʼଣ ଶିଖୁ? ଧ୍ୟାନ ଦିଅନ୍ତୁ ଯେ ଆସିଆ ପାଇଁ ବାହାରିବା ପରେ ହିଁ ଈଶ୍ୱରଙ୍କ ପବିତ୍ର ଶକ୍ତି ପାଉଲଙ୍କୁ ରୋକିଲା। ଠିକ୍ ସେହିପରି, ପାଉଲ ଓ ତାଙ୍କ ସାଥୀମାନଙ୍କୁ ବୀଥୂନିଆର ନିକଟବର୍ତ୍ତୀ ହେବା ପରେ ହିଁ ଯୀଶୁ ସେଠାକୁ ଯିବା ପାଇଁ ରୋକିଲେ। ଶେଷରେ ଯେତେବେଳେ ପାଉଲ ତ୍ରୋୟା ପହଞ୍ଚିଲେ, ତାʼ ପରେ ହିଁ ମାକିଦନିଆ ଯିବା ପାଇଁ କହିଲେ। ମଣ୍ଡଳୀର ମୁଖିଆ ଭାବରେ ଯୀଶୁ ଆଜି ଆମକୁ ମଧ୍ୟ ଏହିଭଳି ମାର୍ଗଦର୍ଶନ ଦେଇଥାʼନ୍ତି। (କଲ. ୧:୧୮) ଉଦାହରଣ ପାଇଁ, ଆପଣ ହୁଏତ ଅଗ୍ରଦୂତ ସେବା କରିବା ପାଇଁ ଯୋଜନା କରୁଛନ୍ତି କିମ୍ବା ଏପରି ଅଞ୍ଚଳକୁ ଯିବାକୁ ଚାହୁଁଛନ୍ତି, ଯେଉଁଠି ପ୍ରଚାରକମାନଙ୍କର ଅଧିକ ଆବଶ୍ୟକତା ରହିଛି। କିନ୍ତୁ ହୁଏତ କୌଣସି ଲକ୍ଷ୍ୟ ହାସଲ କରିବା ପାଇଁ ପଦକ୍ଷେପ ଉଠାଇବା ପରେ ହିଁ ଯୀଶୁ ଆପଣଙ୍କୁ ଈଶ୍ୱରଙ୍କ ପବିତ୍ର ଶକ୍ତି ସାହାଯ୍ୟରେ ମାର୍ଗଦର୍ଶନ ଦେଇପାରନ୍ତି। ଟିକେ ଏହି ଉଦାହରଣ ବିଷୟରେ ଭାବି ଦେଖନ୍ତୁ: ଜଣେ ଚାଳକ ହୁଏତ ନିଜ କାର ଡାହାଣ କିମ୍ବା ବାମକୁ ମୋଡ଼ିପାରେ, କିନ୍ତୁ ଯେତେବେଳେ କାର ଚାଲୁଥିବ, ସେତେବେଳେ ଏହା ସମ୍ଭବ। ଠିକ୍ ସେହିପରି, ଯୀଶୁ ଆମକୁ ନିଜ ସେବା ବଢ଼ାଇବା ବିଷୟରେ ମାର୍ଗଦର୍ଶନ ଦେଇପାରନ୍ତି, କିନ୍ତୁ ଯେତେବେଳେ ଆମେ ଆଗକୁ ବଢ଼ୁ, ଅର୍ଥାତ୍ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କଠିନ ପରିଶ୍ରମ କରୁ, ସେତେବେଳେ ସେ ମାର୍ଗଦର୍ଶନ ଦେଇପାରନ୍ତି।
ଅଧ୍ୟୟନ ବାଇବଲ—ପ୍ରେରି ୧୬:୩୭ ଅଧ୍ୟୟନ ତଥ୍ୟ
ରୋମୀୟ ଲୋକ ଯେ ଆମ୍ଭେମାନେ: ଅର୍ଥାତ୍ ରୋମୀୟ ନାଗରିକ। ପାଉଲ ରୋମୀୟ ନାଗରିକ ଥିଲେ ଏବଂ ହୁଏତ ଶୀଲା ମଧ୍ୟ ରୋମୀୟ ନାଗରିକ ଥିଲେ। ରୋମୀୟ ଆଇନ ଅନୁଯାୟୀ ଜଣେ ରୋମୀୟ ନାଗରିକକୁ ଯେପର୍ଯ୍ୟନ୍ତ ଅପରାଧୀ ଭାବେ ଦୋଷୀ ସାବ୍ୟସ୍ତ କରାଯାଉ ନ ଥିଲା, ସେପର୍ଯ୍ୟନ୍ତ ତାକୁ ଦଣ୍ଡ ଦିଆଯାଉ ନ ଥିଲା। ତାʼ ପାଖରେ ଏହା ଦାବି କରିବାର ଅଧିକାର ଥିଲା ଯେ ପ୍ରଥମେ ତାʼ ସହ ଆଇନଗତ ମକଦ୍ଦମା ଚଲାଯାଉ। ଜଣେ ରୋମୀୟ ନାଗରିକ ପାଖରେ ଏପରି କିଛି ଅଧିକାର ରହୁଥିଲା, ଯାହାର ବ୍ୟବହାର ସେ ରୋମୀୟ ସାମ୍ରାଜ୍ୟର ଯେକୌଣସି ଅଞ୍ଚଳରେ କରିପାରୁଥିଲା। ଜଣେ ରୋମୀୟ ନାଗରିକ ଉପରେ ରୋମୀୟ ଆଇନ ଲାଗୁ ହେଉଥିଲା, କୌଣସି ଅଞ୍ଚଳର ପ୍ରାଦେଶିକ ଆଇନ ଲାଗୁ ହେଉ ନ ଥିଲା। ଯଦି ତାʼ ବିରୁଦ୍ଧରେ କୌଣସି ଦୋଷାରୋପ କରାଯାଉଥିଲା ଏବଂ ପ୍ରାଦେଶିକ ଆଇନ ମୁତାବକ ତାʼ ବିରୁଦ୍ଧରେ ମକଦ୍ଦମା ଚଲାଇବାର ଦାବି କରାଯାଉଥିଲା, ତେବେ ସେ ଚାହିଁଲେ ସହମତ ହୋଇପାରୁଥିଲା। କିନ୍ତୁ ତାʼ ପାଖରେ ଏହା ଦାବି କରିବାର ଅଧିକାର ମଧ୍ୟ ଥିଲା ଯେ ତାʼର ଶୁଣାଣି କୌଣସି ରୋମୀୟ ଅଦାଲତରେ କରାଯାଉ। ଯଦି ତାʼ ବିରୁଦ୍ଧରେ ଏପରି ଦୋଷାରୋପ କରାଯାʼନ୍ତା, ଯାହାଫଳରେ ତାକୁ ମୃତ୍ୟୁଦଣ୍ଡ ମିଳନ୍ତା, ତେବେ ସେ ରୋମୀୟ ସମ୍ରାଟକୁ ଅପିଲ କରିପାରୁଥିଲା। ପ୍ରେରିତ ପାଉଲ ସମଗ୍ର ରୋମୀୟ ସାମ୍ରାଜ୍ୟରେ ପ୍ରଚାର କଲେ। ବାଇବଲ ଅନୁଯାୟୀ ପାଉଲ ରୋମୀୟ ନାଗରିକ ହେବାର ଅଧିକାରକୁ ତିନିଥର ବ୍ୟବହାର କଲେ। ଯେତେବେଳେ ସେ ଫିଲିପ୍ପରେ ସେଠାକାର ନଗର ଅଧିକାରୀମାନଙ୍କୁ ଅଭିଯୋଗ କଲେ ଯେ ସେମାନେ ତାଙ୍କୁ ଚାବୁକରେ ମାରି ତାଙ୍କ ଅଧିକାରର ଉଲ୍ଲଙ୍ଘନ କରିଛନ୍ତି, ସେତେବେଳେ ସେ ପ୍ରଥମ ଥର ପାଇଁ ଏହି ଅଧିକାରର ବ୍ୟବହାର କରିଥିଲେ।—ଅନ୍ୟ ଦୁଇଟି ଘଟଣା ବିଷୟରେ ପ୍ରେରି ୨୨:୨୫ ଏବଂ ୨୫:୧୧ ପଦରେ ଦିଆଯାଇଛି।
୨୪-୩୦ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧୭-୧୮
“ପ୍ରେରିତ ପାଉଲଙ୍କ ଭଳି ପ୍ରଚାର କରନ୍ତୁ ଏବଂ ଶିଖାନ୍ତୁ”
ଅଧ୍ୟୟନ ବାଇବଲ—ପ୍ରେରି ୧୭:୨, ୩ ଅଧ୍ୟୟନ ତଥ୍ୟ
ଉପଦେଶ ଦେଲେ [ତର୍କ କଲେ, NW]: ପାଉଲ କେବଳ ସୁସମାଚାର ଶୁଣାଇଲେ ନାହିଁ, ବରଂ ଶାସ୍ତ୍ରର ବାକ୍ୟ ଘେନି ଅର୍ଥାତ୍ ଈଶ୍ୱରପ୍ରେରିତ ଏବ୍ରୀ ଶାସ୍ତ୍ରରୁ ଉଲ୍ଲେଖ କରି ବୁଝାଉଥିଲେ ଏବଂ ସେଥିରୁ ପ୍ରମାଣ ଦେଇ କହୁଥିଲେ। ସେ ଶାସ୍ତ୍ରପଦଗୁଡ଼ିକୁ କେବଳ ପଢ଼ି ଶୁଣାଉ ନ ଥିଲେ, ବରଂ ସେଥିରୁ ତର୍କ ମଧ୍ୟ କରୁଥିଲେ। ସେ ଶ୍ରୋତାମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ତର୍କ କରୁଥିଲେ। ଏଠାରେ ବ୍ୟବହୃତ ହୋଇଥିବା ଗ୍ରୀକ୍ କ୍ରିୟା ଡାଏଲେଗୋମାଇର ପରିଭାଷା ଏହା ଦିଆଯାଇଛି: “ପରସ୍ପର ସହ କଥା ହେବା, ଆଲୋଚନା କରିବା।” ଏହି ଗ୍ରୀକ୍ ଶବ୍ଦ ପ୍ରେରି ୧୭:୧୭; ୧୮:୪, ୧୯; ୧୯:୮, ୯; ୨୦:୭, ୯ ପଦଗୁଡ଼ିକରେ ମଧ୍ୟ ବ୍ୟବହାର କରାଯାଇଛି।
ସ୍ପଷ୍ଟ ପ୍ରମାଣ ଦେଲେ: ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ସ୍ପଷ୍ଟ ପ୍ରମାଣ ଦେଲେ” ବୋଲି କରାଯାଇଛି, ତାର ଶାବ୍ଦିକ ଅର୍ଥ ହେଉଛି, “ସାଙ୍ଗରେ ରଖିବା।” ଏଥିରୁ ଜଣାପଡ଼େ ଯେ ପାଉଲ ଖ୍ରୀଷ୍ଟଙ୍କ ବିଷୟରେ କରାଯାଇଥିବା ଭବିଷ୍ୟତବାଣୀଗୁଡ଼ିକର ତୁଳନା ଯୀଶୁଙ୍କ ଜୀବନରେ ଘଟିଥିବା ଘଟଣାଗୁଡ଼ିକ ସହିତ କରୁଥିଲେ ଏବଂ ପ୍ରମାଣିତ କରୁଥିଲେ ଯେ ଯୀଶୁ ସେହି ଭବିଷ୍ୟତବାଣୀଗୁଡ଼ିକୁ ପୂରଣ କରିଛନ୍ତି।
ଅଧ୍ୟୟନ ବାଇବଲ—ପ୍ରେରି ୧୭:୧୭ ଅଧ୍ୟୟନ ତଥ୍ୟ
ବଜାର: ଆଥୀନୀ ବା ଏଥେନ୍ସର ବଜାର (ଗ୍ରୀକ୍, ଅଗୋରା) ଏକ୍ରୋପଲିସ୍ ନାମକ ଏକ ଉଚ୍ଚ ପାହାଡ଼ର ଉତ୍ତର-ପଶ୍ଚିମରେ ଥିଲା। ଏହି ବଜାର ପ୍ରାୟ ୧୨ ଏକର ପର୍ଯ୍ୟନ୍ତ ବ୍ୟାପି ଥିଲା। ଏଠାରେ କେବଳ କିଣା-ବିକା ହେଉ ନ ଥିଲା। ଏହା ସମ୍ପୂର୍ଣ୍ଣ ସହରର ଛକ ଥିଲା, ଯେଉଁଠାରେ ଯଥେଷ୍ଟ ଜନଗହଳି ହେଉଥିଲା ଏବଂ ଏହା ବ୍ୟବସାୟ, ଦେବାନେବା, ସରକାରୀ କାର୍ଯ୍ୟକଳାପ ଏବଂ କଳାସଂସ୍କୃତିର କେନ୍ଦ୍ର ଥିଲା। ଆଥୀନୀୟ ଲୋକେ ଏଠାକୁ ଆସି ଜ୍ଞାନର ବଡ଼ ବଡ଼ କଥା ଉପରେ ଚର୍ଚ୍ଚା କରିବାକୁ ବହୁତ ପସନ୍ଦ କରୁଥିଲେ।
ଅଧ୍ୟୟନ ବାଇବଲ—ପ୍ରେରି ୧୭:୨୨, ୨୩ ଅଧ୍ୟୟନ ତଥ୍ୟ
ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ: ଆଥୀନୀ ବା ଏଥେନ୍ସର ବେଦି ଉପରେ ଏହି ଗ୍ରୀକ୍ ଶବ୍ଦ ଲେଖାଥିଲା: ଏଗ୍ନୋଷ୍ଟୋଇ ଥୀୟୋଆଇ। ଏହାର ଅର୍ଥ ଥିଲା, ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ। ଆଥୀନୀର ଲୋକେ ଦେବତାମାନଙ୍କୁ ବହୁତ ଭୟ କରୁଥିଲେ, ତେଣୁ ସେମାନେ ଅନେକ ମନ୍ଦିର ଓ ବେଦିଗୁଡ଼ିକ ତିଆରି କରିଥିଲେ। ସେମାନେ ଅନେକ ଗୁଣଗୁଡ଼ିକର ନାମରେ ମଧ୍ୟ ଦେବତାମାନଙ୍କର ବେଦି ତିଆରି କରିଥିଲେ। ଯେପରି— କୀର୍ତ୍ତି, ମର୍ଯ୍ୟାଦା, ଶକ୍ତି, ଅନ୍ୟକୁ ପ୍ରବର୍ତ୍ତାଇବାର କ୍ଷମତା ଏବଂ ଦୟାର ଦେବାଦେବୀଙ୍କ ନାମରେ। ଗୋଟିଏ ବେଦି ସେମାନେ “ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ” ମଧ୍ୟ ସମର୍ପିତ କରିଥିଲେ, କାରଣ ହୁଏତ ସେମାନେ ଭୟ କରୁଥିଲେ ଯେ ଯଦି ସେମାନେ ଭୁଲ୍ରେ କୌଣସି ଈଶ୍ୱରଙ୍କୁ ପୂଜା କରିବା ଭୁଲି ଯାଇଥିବେ, ତେବେ ସେ ସେମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇଯିବେ। ଏଭଳି ବେଦି ତିଆରି କରିବାରୁ ଗୋଟିଏ କଥା ଜଣାପଡ଼ୁ ଥିଲା— ଲୋକେ ଏହା ବିଶ୍ୱାସ କରୁଥିଲେ ଯେ ଏପରି ଜଣେ ଈଶ୍ୱର ମଧ୍ୟ ଅଛନ୍ତି, ଯାହାଙ୍କ ବିଷୟରେ ସେମାନେ କିଛି ଜାଣନ୍ତି ନାହିଁ। ପାଉଲ ଅତି କୁଶଳତାର ସହ ସେହି ବେଦିକୁ ଉଲ୍ଲେଖ କରି ଲୋକଙ୍କୁ ସତ୍ୟ ଈଶ୍ୱରଙ୍କ ବିଷୟରେ ଜଣାଇଲେ, ଯାହାଙ୍କ ବିଷୟରେ ସେମାନେ ଅଜ୍ଞାତ ଥିଲେ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୮-ହି ୫/୧୫ ୩୨ ¶୫
ପ୍ରେରିତ ବହିର ମୁଖ୍ୟାଂଶ
୧୮:୧୮—ପାଉଲ କʼଣ ବ୍ରତ ରଖିଥିଲେ? କିଛି ବିଦ୍ୱାନ୍ କହନ୍ତି ଯେ ପାଉଲ ନାସରୀୟ ବ୍ରତ ରଖିଥିଲେ। (ଗଣ. ୬:୧-୨୧) କିନ୍ତୁ ବାଇବଲ ଏହା କହେ ନାହିଁ ଯେ ସେ କʼଣ ବ୍ରତ ରଖିଥିଲେ। ତାʼ ଛଡ଼ା, ଏଠାରେ ଏହା ମଧ୍ୟ କୁହାଯାଇ ନାହିଁ ଯେ ପାଉଲ ଏହି ବ୍ରତ ଖ୍ରୀଷ୍ଟିୟାନ ହେବାର ପୂର୍ବରୁ ରଖିଥିଲେ ନା ତାʼ ପରେ। ଏଠାରେ ଏହା ମଧ୍ୟ କୁହାଯାଇ ନାହିଁ ଯେ ଯେତେବେଳେ ସେ ନିଜ ମସ୍ତକ ମୁଣ୍ଡନ କଲେ, ସେତେବେଳେ ସେ ଏହି ବ୍ରତ ରଖିବା ଆରମ୍ଭ କରିଥିଲେ ନା ଶେଷ କରିଥିଲେ। ପାଉଲ ଯାହା ମଧ୍ୟ ବ୍ରତ ରଖିଥାʼନ୍ତୁ ନା କାହିଁକି, ଗୋଟିଏ କଥା ନିଶ୍ଚିତ ଯେ ବ୍ରତ ରଖିବା ଭୁଲ୍ ନ ଥିଲା।
ଅଧ୍ୟୟନ ବାଇବଲ—ପ୍ରେରି ୧୮:୨୧ ଅଧ୍ୟୟନ ତଥ୍ୟ
ଈଶ୍ୱରଙ୍କ ଇଚ୍ଛା ହେଲେ: ଏହି ଶବ୍ଦଗୁଡ଼ିକରୁ ଜଣାପଡ଼େ ଯେ କୌଣସି କାମ କରିବା କିମ୍ବା ଯୋଜନା ତିଆରି କରିବା ସମୟରେ ଈଶ୍ୱରଙ୍କ ଇଚ୍ଛାକୁ ଧ୍ୟାନରେ ରଖିବା ବହୁତ ଜରୁରୀ । ପ୍ରେରିତ ପାଉଲ ସର୍ବଦା ଏହି ସିଦ୍ଧାନ୍ତକୁ ମାନିଲେ। (୧କରି ୪:୧୯; ୧୬:୭; ଏବ୍ରୀ ୬:୩) ଶିଷ୍ୟ ଯାକୁବ ମଧ୍ୟ ଖ୍ରୀଷ୍ଟିୟାନମାନଙ୍କୁ ଏହା କହିବା ପାଇଁ ପରାମର୍ଶ ଦେଲେ, “ଏଣୁ ପ୍ରଭୁଙ୍କ ଇଚ୍ଛା ହେଲେ ଆମ୍ଭେମାନେ ଜୀବିତ ଥାଇ ଏହା କରିବା ବା ତାହା କରିବା।” (ଯାକୁ ୪:୧୫) କିନ୍ତୁ ଜଣେ ବ୍ୟକ୍ତି ଏକଥାକୁ କେବଳ ନାମକୁ ମାତ୍ର କହିବା ଉଚିତ୍ ନୁହେଁ। “ପ୍ରଭୁଙ୍କ ଇଚ୍ଛା ହେଲେ” ବୋଲି ଯିଏ କହେ, ସେ ଯିହୋବାଙ୍କ ଇଚ୍ଛା ମୁତାବକ ଚାଲିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା ମଧ୍ୟ କରିବା ଉଚିତ୍। ଲୋକେ ସବୁବେଳେ ମୁହଁରୁ ଏ ଶବ୍ଦଗୁଡ଼ିକୁ କହନ୍ତି ନାହିଁ, ବରଂ ସେମାନେ ଅନେକ ଥର ହୃଦୟରେ ଏପରି କହିଥାʼନ୍ତି।—ପ୍ରେରି ୨୧:୧୪ ଏବଂ ଅତି. ୫ଖ ମଧ୍ୟ ଦେଖନ୍ତୁ।
୩୧ ଡିସେମ୍ବର–୬ ଜାନୁୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୧୯-୨୦
“ନିଜ ବିଷୟରେ ଓ ସମସ୍ତ ପଲ ବିଷୟରେ ସାବଧାନ ହୋଇଥାଅ”
ପ୍ର୧୧-ହି ୬/୧୫ ୨୦-୨୧ ¶୫
“ତୁମ୍ଭମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ୱରଙ୍କ ପଲକୁ ପ୍ରତିପାଳନ କର”
୫ ପ୍ରେରିତ ପିତର ଲେଖିଲେ ଯେ ପ୍ରାଚୀନମାନଙ୍କୁ ‘ସେମାନଙ୍କ ତତ୍ତ୍ୱାବଧାନରେ ଥିବା ଈଶ୍ୱରଙ୍କ ପଲକୁ ପ୍ରତିପାଳନ କରିବାର ଥିଲା।’ ସେମାନଙ୍କ ପାଇଁ ଏହା ବୁଝିବା ଅତି ଜରୁରୀ ଥିଲା ଯେ ପଲ ହେଉଛି, ଯିହୋବା ଓ ଯୀଶୁ ଖ୍ରୀଷ୍ଟଙ୍କର। ଏହା ଛଡ଼ା, ସେମାନଙ୍କୁ ଈଶ୍ୱରଙ୍କଠାରେ ଉତ୍ତର ଦେବାକୁ ହେବ ଯେ ସେମାନେ କିଭଳି ତାହାଙ୍କ ମେଷମାନଙ୍କର ଦେଖାଶୁଣା କରିଛନ୍ତି। ଧରି ନିଅନ୍ତୁ, ଆପଣଙ୍କ କେହି ଘନିଷ୍ଠ ମିତ୍ର ଦୂର ସହରକୁ ଯାଉଛନ୍ତି ଏବଂ ସେ ଆପଣଙ୍କୁ ତାଙ୍କ ପିଲାମାନଙ୍କର ଯତ୍ନ ନେବା ପାଇଁ କୁହନ୍ତି। ତେବେ କʼଣ ଆପଣ ତାଙ୍କ ପିଲାମାନଙ୍କର ଭଲ ଭାବେ ଯତ୍ନ ନେବେ ନାହିଁ ଏବଂ ପିଲାମାନଙ୍କୁ ଠିକ୍ ସମୟରେ ଖାଇବାପିଇବାକୁ ଦେବେ ନାହିଁ? ଯଦି କୌଣସି ପିଲା ରୋଗରେ ପଡ଼େ, ତେବେ କʼଣ ଆପଣ ତାʼ ପାଇଁ ଔଷଧପତ୍ର ଯୋଗାଇବେ ନାହିଁ? ଠିକ୍ ସେହିପରି, ପ୍ରାଚୀନମାନେ ମଧ୍ୟ “ଯେଉଁ ମଣ୍ଡଳୀକି ଈଶ୍ୱର ଆପଣା ନିଜ [ପୁତ୍ରଙ୍କ, NW] ରକ୍ତରେ କ୍ରୟ କରିଅଛନ୍ତି, ତାହାଙ୍କର ସେହି ମଣ୍ଡଳୀକି ପ୍ରତିପାଳନ କରିବା ନିମନ୍ତେ” ପରିଶ୍ରମ କରିଥାʼନ୍ତି। (ପ୍ରେରି. ୨୦:୨୮) ସେମାନେ ସର୍ବଦା ମନେ ରଖନ୍ତି ଯେ ପ୍ରତ୍ୟେକ ମେଷକୁ ଖ୍ରୀଷ୍ଟ ଯୀଶୁଙ୍କ ବହୁମୂଲ୍ୟ ରକ୍ତ ଦ୍ୱାରା କିଣା ଯାଇଛି। ଆଉ, ସେମାନେ ଜାଣନ୍ତି ଯେ ସେମାନଙ୍କୁ ଈଶ୍ୱରଙ୍କଠାରେ ଏହା ପାଇଁ ଉତ୍ତର ଦେବାକୁ ହେବ। ତେଣୁ ସେମାନେ ମେଷମାନଙ୍କୁ ଖୁଆନ୍ତି, ସୁରକ୍ଷା ଦିଅନ୍ତି ଏବଂ ସେମାନଙ୍କ ଦେଖାଶୁଣା କରିଥାʼନ୍ତି।
ପ୍ର୧୩-ହି ୧/୧୫ ୩୧ ¶୧୫
ଖ୍ରୀଷ୍ଟିୟାନ ପ୍ରାଚୀନ—‘ଆମ୍ଭମାନଙ୍କର ଆନନ୍ଦ ନିମନ୍ତେ ଆମ୍ଭମାନଙ୍କର ସହକାର୍ଯ୍ୟକାରୀ’
୧୫ ପଲର ଦେଖାଶୁଣା କରିବାରେ ପ୍ରାଚୀନମାନଙ୍କୁ କଠିନ ପରିଶ୍ରମ କରିବାକୁ ହୁଏ। ଅନେକ ଥର ସେମାନେ ରାତିରେ ଅନିଦ୍ରା ରହନ୍ତି, କାରଣ ସେମାନେ ଈଶ୍ୱରଙ୍କ ମେଷମାନଙ୍କ ପାଇଁ ଚିନ୍ତା କରିଥାʼନ୍ତି, ସେମାନଙ୍କ ପାଇଁ ପ୍ରାର୍ଥନା କରିଥାʼନ୍ତି, କିମ୍ବା ଆଧ୍ୟାତ୍ମିକ ଭାବେ ସେମାନଙ୍କୁ ସାହାଯ୍ୟ କରିଥାʼନ୍ତି। (୨ କରି. ୧୧:୨୭, ୨୮) ଏହା ସତ୍ତ୍ୱେ, ସେମାନେ ଆନନ୍ଦରେ ଏହି ଦାୟିତ୍ୱଗୁଡ଼ିକୁ ତୁଲାଇଥାʼନ୍ତି, ଠିକ୍ ଯେପରି ପାଉଲ କରିଥିଲେ। ସେ କରିନ୍ଥୀୟମାନଙ୍କୁ ଲେଖିଲେ, “ମୁଁ ତୁମ୍ଭମାନଙ୍କ ଆତ୍ମା ନିମନ୍ତେ ମହାନନ୍ଦରେ ବ୍ୟୟ କରିବି, ହଁ, ମୋହର ପ୍ରାଣ ସୁଦ୍ଧା ବ୍ୟୟ କରିବି।” (୨ କରି. ୧୨:୧୫) ପ୍ରକୃତରେ ପାଉଲ ନିଜ ଭାଇମାନଙ୍କୁ ପ୍ରେମ କରୁଥିଲେ, ତେଣୁ ସେ ସେମାନଙ୍କ ସାହସ ବାନ୍ଧିବା ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବେ ଖର୍ଚ୍ଚ କରିଦେଲେ। (୨ କରିନ୍ଥୀୟ ୨:୪ ପଢ଼ନ୍ତୁ; ଫିଲିପ୍ପୀ. ୨:୧୭; ୧ ଥେସ. ୨:୮) ଏହି କାରଣ ଯୋଗୁଁ ଭାଇଭଉଣୀମାନେ ପାଉଲଙ୍କୁ ବହୁତ ପ୍ରେମ କରୁଥିଲେ।—ପ୍ରେରି. ୨୦:୩୧-୩୮.
ସାକ୍ଷ୍ୟ ଦିଅ (ହିନ୍ଦୀ) ୧୨୭ ¶୨୦
‘ମୁଁ ସମସ୍ତଙ୍କ ରକ୍ତର ଦାୟିତ୍ୱରୁ ମୁକ୍ତ’
୨୦ ପାଉଲ ନିଜ ପରେ ଆସିଥିବା ଲୋକମାନଙ୍କଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲେ, ଯେଉଁମାନେ ଈଶ୍ୱରଙ୍କ ପଲର ଲାଭ ଉଠାଇଥିଲେ। ପାଉଲ ନିଜ ଖର୍ଚ୍ଚ ଉଠାଇବା ପାଇଁ ନିଜେ ପରିଶ୍ରମ କରୁଥିଲେ, କାରଣ ସେ ମଣ୍ଡଳୀର ବୋଝ ହେବାକୁ ଚାହୁଁ ନ ଥିଲେ। ସେ କିଛି ପାଇବା ଉଦ୍ଦେଶ୍ୟରେ ନୁହେଁ, ବରଂ ଭାଇଭଉଣୀଙ୍କ ପାଇଁ ନିଜ ହୃଦୟରେ ଥିବା ନିଃସ୍ୱାର୍ଥପର ଭାବନା ଯୋଗୁଁ ପରିଶ୍ରମ କରୁଥିଲେ। ପାଉଲ ଏଫିସର ପ୍ରାଚୀନମାନଙ୍କୁ ପରାମର୍ଶ ଦେଲେ ଯେ ସେମାନେ ମଧ୍ୟ ତାଙ୍କ ଭଳି ତ୍ୟାଗର ଭାବନା ଦେଖାଇ ଭାଇମାନଙ୍କର ସେବା କରିବାରେ ନିଜକୁ ଉତ୍ସର୍ଗ କରନ୍ତୁ। ସେ ସେମାନଙ୍କୁ କହିଲେ: “ଏହି ପ୍ରକାରେ ପରିଶ୍ରମ କରି ଦୁର୍ବଳମାନଙ୍କୁ ସାହାଯ୍ୟ କରିବା, ପୁଣି ‘ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର’, ପ୍ରଭୁ ଯୀଶୁ ସ୍ୱୟଂ ଏହି ଯେଉଁ କଥା କହିଅଛନ୍ତି, ତାହା ସ୍ମରଣ କରିବା ତୁମ୍ଭମାନଙ୍କର ଯେ ଉଚିତ, ଏହିସମସ୍ତ ବିଷୟରେ ମୁଁ ତୁମ୍ଭମାନଙ୍କୁ ଦୃଷ୍ଟାନ୍ତ ଦେଖାଇଅଛି।”—ପ୍ରେରି. ୨୦:୩୫.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ସାକ୍ଷ୍ୟ ଦିଅ (ହିନ୍ଦୀ) ୧୬୧ ¶୧୧
ବିରୋଧ ସତ୍ତ୍ୱେ “ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା”
୧୧ ପାଉଲ ହୁଏତ ସେହି ବିଦ୍ୟାଳୟର ସଭାଘରେ ପ୍ରତିଦିନ ସକାଳେ ପ୍ରାୟ ୧୧ଟାରୁ ସନ୍ଧ୍ୟା ପ୍ରାୟ ୪ଟା ପର୍ଯ୍ୟନ୍ତ ଶିଖାନ୍ତି। (ପ୍ରେରି. ୧୯:୯) ଏହି ସମୟରେ ପରିବେଶ ଚାରିଆଡ଼େ ଶାନ୍ତ ରହେ ଏବଂ ଲୋକେ ହୁଏତ ପ୍ରବଳ ଗରମ ଯୋଗୁଁ ନିଜ କାମଧନ୍ଦା ବନ୍ଦ କରି ଦିଅନ୍ତି ଏବଂ ଖାଇପିଇ ଆରାମ କରନ୍ତି। କିନ୍ତୁ ପାଉଲ ଏଭଳି ଗରମ ସତ୍ତ୍ୱେ ପରିଶ୍ରମ କରିବାରେ ପଛଘୁଞ୍ଚା ଦିଅନ୍ତି ନାହିଁ। ସେ ଦୁଇ ବର୍ଷ ପର୍ଯ୍ୟନ୍ତ ସେଠାକାର ଲୋକମାନଙ୍କୁ ଶିଖାନ୍ତି। ଯଦି ପାଉଲ ସକାଳ ୧୧ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଶିଖାଉଥିଲେ, ତେବେ ଏହାର ଅର୍ଥ ହେଉଛି, ସେହି ଦୁଇ ବର୍ଷ ମଧ୍ୟରେ ସେ ୩,୦୦୦ରୁ ଅଧିକ ଘଣ୍ଟା ସେବା କରିବାରେ ବିତାଇଥିବେ। ଅର୍ଥାତ୍ ପ୍ରତି ମାସ ପ୍ରାୟ ୧୨୫ ଘଣ୍ଟା। ଯିହୋବାଙ୍କ ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବା ଓ ଜୟଯୁକ୍ତ ହେବାର ଆଉ ଏକ କାରଣ ଥିଲା ଯେ ପାଉଲ ପରିଶ୍ରମୀ ଥିଲେ ଏବଂ ଲୋକମାନଙ୍କ ପରିସ୍ଥିତି ଅନୁସାରେ ନିଜକୁ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ରହୁଥିଲେ। ସେ ଏପରି ସମୟରେ ପ୍ରଚାର କରନ୍ତି, ଯେତେବେଳେ ଲୋକେ ସମୟ ଦେଇପାରନ୍ତି। ପରିଣାମସ୍ୱରୂପ, “ଆସିଆ ନିବାସୀ ଯିହୁଦୀ ଓ ଗ୍ରୀକ୍ ସମସ୍ତେ ପ୍ରଭୁଙ୍କ ବାକ୍ୟ ଶ୍ରବଣ କଲେ।” (ପ୍ରେରି. ୧୯:୧୦) ସୁସମାଚାରର ଭଲ ଭାବେ ସାକ୍ଷ୍ୟ ଦେବାରେ ପାଉଲଙ୍କ ଉଦାହରଣ ପ୍ରକୃତରେ ପ୍ରଶଂସନୀୟ!
ସାକ୍ଷ୍ୟ ଦିଅ (ହିନ୍ଦୀ) ୧୬୨-୧୬୩ ¶୧୫
ବିରୋଧ ସତ୍ତ୍ୱେ “ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା”
୧୫ ସ୍କେବାଙ୍କ ପୁଅମାନଙ୍କ ଲଜ୍ଜାଜନକ ପରିସ୍ଥିତି ଯୋଗୁଁ ଦୂରଦୂରାନ୍ତ ଅଞ୍ଚଳର ଲୋକମାନେ ଈଶ୍ୱରଙ୍କୁ ଭୟ କରିବାକୁ ଲାଗନ୍ତି। ଅନେକ ଲୋକ ବିଶ୍ୱାସୀ ହୋଇଯାʼନ୍ତି ଏବଂ ଭୂତବିଦ୍ୟା ସହ ଜଡ଼ିତ ସବୁ କାମ ପରିତ୍ୟାଗ କରନ୍ତି। ଏଫିସର ରୀତିନୀତି ଓ ସେଠାକାର ସଂସ୍କୃତି ଯାଦୁବିଦ୍ୟାରେ ପୂରାପୂରି ବୁଡ଼ି ରହିଥିଲା। ଗୁଣିବିଦ୍ୟା, ତାବିଜ ବା ଡେଉଁରିଆର ବ୍ୟବହାର ଏବଂ ମନ୍ତ୍ର ଜପିବା ଅତି ସାଧାରଣ ଥିଲା। ସେସମୟରେ ମନ୍ତ୍ରଗୁଡ଼ିକର ବହିସବୁ ମଧ୍ୟ ଥିଲା। କିନ୍ତୁ ବର୍ତ୍ତମାନ ଅନେକ ଲୋକ ଯାଦୁବିଦ୍ୟା ସହ ଜଡ଼ିତ ନିଜର ଖୁବ୍ ଦାମୀ ବହିଗୁଡ଼ିକ ଆଣି ସମସ୍ତଙ୍କ ସମ୍ମୁଖରେ ଜାଳି ଦିଅନ୍ତି। ଯଦି ସେହି ବହିଗୁଡ଼ିକର ବର୍ତ୍ତମାନର ମୂଲ୍ୟ ଦେଖିବା, ତେବେ ତାହା ଲକ୍ଷ ଲକ୍ଷ ଟଙ୍କା ହେବ। ଲୂକ କହନ୍ତି: “ଏହିପ୍ରକାରେ ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା।” (ପ୍ରେରି. ୧୯:୧୭-୨୦) ମିଥ୍ୟା ଧର୍ମ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ଉପରେ ଯିହୋବାଙ୍କ ବାକ୍ୟରେ ଥିବା ସତ୍ୟର କେତେ ବଢ଼ିଆ ଜୟ ହୁଏ! ଏଫିସର ସେହି ବିଶ୍ୱସ୍ତ ଲୋକମାନେ ଆମ ପାଇଁ କେତେ ବଢ଼ିଆ ଉଦାହରଣ ରଖିଛନ୍ତି। ଆଜି ଆମେ ଏପରି ସଂସାରରେ ରହୁଛୁ, ଯେଉଁଠି ଏଫିସ ଭଳି ଚାରିଆଡ଼େ ଭୂତବିଦ୍ୟା ଜୋରସୋର୍ ଚାଲିଛି। ଯଦି ଆମେ ଜାଣୁ ଯେ ଆମଠାରେ ଏପରି କୌଣସି ଜିନିଷ ଅଛି ଯାହା ଭୂତବିଦ୍ୟା ସହ ଜଡ଼ିତ, ତେବେ ତୁରନ୍ତ ସେହି ଜିନିଷକୁ ନଷ୍ଟ କରିଦେବା ଉଚିତ୍, ଯେପରି ଏଫିସର ଲୋକେ କରିଥିଲେ। ଏହା ପାଇଁ ଯେତେ ମଧ୍ୟ କ୍ଷତି ସହିବାକୁ ପଡ଼ୁ ନା କାହିଁକି, ଆସନ୍ତୁ ଆମେ ଏପରି ଘୃଣିତ କାମଗୁଡ଼ିକଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିବା।