ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr19 ଜାନୁୟାରୀ ପୃଷ୍ଠା ୧-୯
  • ଜାନୁୟାରୀ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜାନୁୟାରୀ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୯)
  • ଉପଶୀର୍ଷକ
  • ୭-୧୩ ଜାନୁୟାରୀ
  • ୧୪-୨୦ ଜାନୁୟାରୀ
  • ୨୧-୨୭ ଜାନୁୟାରୀ
  • ୨୮ ଜାନୁୟାରୀ–୩ ଫେବୃୟାରୀ
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୧୯)
mwbr19 ଜାନୁୟାରୀ ପୃଷ୍ଠା ୧-୯

ଜାନୁୟାରୀ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୭-୧୩ ଜାନୁୟାରୀ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୨୧-୨୨

“ଯିହୋବାଙ୍କର ଇଚ୍ଛା ସଫଳ ହେଉ”

ସାକ୍ଷ୍ୟ ଦିଅ (ହିନ୍ଦୀ) ୧୭୭-୧୭୮ ¶୧୫-୧୬

“ଯିହୋବାଙ୍କର ଇଚ୍ଛା ସଫଳ ହେଉ”

୧୫ ଯେତେବେଳେ ପାଉଲ ଫିଲିପ୍ପଙ୍କ ଘରେ ଥାʼନ୍ତି, ସେତେବେଳେ ସେଠାକୁ ଆଉ ଜଣେ ଅତିଥି ଆସନ୍ତି, ଯାହାଙ୍କୁ ଖ୍ରୀଷ୍ଟିୟାନମାନେ ଯଥେଷ୍ଟ ସମ୍ମାନ ଓ ଆଦର କରୁଥିଲେ । ସେ ହେଉଛନ୍ତି— ଆଗାବ । ଫିଲିପ୍ପଙ୍କ ଘରେ ରହିଥିବା ସମସ୍ତ ଲୋକେ ଜାଣନ୍ତି ଯେ ସେ ଜଣେ ଭାବବାଦୀ । ସେ ରାଜା କ୍ଳାଉଦିଅଙ୍କ ସମୟରେ ଭବିଷ୍ୟତବାଣୀ କରିଥିଲେ ଯେ ଏକ ମହା ଦୁର୍ଭିକ୍ଷ ହେବ ଏବଂ ସେହିପରି ହୋଇଥିଲା । (ପ୍ରେରି. ୧୧:୨୭, ୨୮) ତେଣୁ ବର୍ତ୍ତମାନ ପ୍ରତ୍ୟେକଙ୍କ ମନରେ ହୁଏତ ଏହି ପ୍ରଶ୍ନ ଉଠୁଛି: ‘ଆଗାବ ଏଠାକୁ କାହିଁକି ଆସିଛନ୍ତି? ସେ ଆମକୁ କʼଣ ବାର୍ତ୍ତା ଦେବାକୁ ଚାହାନ୍ତି?’ ସେମାନେ ଏକ ଲୟରେ ଆଗାବଙ୍କୁ ଚାହିଁଛନ୍ତି । ଆଗାବ ପାଉଲଙ୍କ କଟିବନ୍ଧନ ନେଇ ନିଜ ହାତଗୋଡ଼ ବାନ୍ଧି ପକାନ୍ତି । କଟିବନ୍ଧନ ଏକ ଲମ୍ବା କପଡ଼ା ଥିଲା, ଯାହାକୁ ଲୋକେ ନିଜ ଅଣ୍ଟାରେ ବାନ୍ଧୁଥିଲେ ଏବଂ ସେଥିରେ ପଇସା ଓ ଅନ୍ୟ ଜିନିଷସବୁ ରଖୁଥିଲେ । କଟିବନ୍ଧନ ଦ୍ୱାରା ନିଜ ହାତଗୋଡ଼ ବାନ୍ଧିବା ପରେ ଆଗାବ କହିବା ଆରମ୍ଭ କରନ୍ତି । ତାଙ୍କ ବାର୍ତ୍ତା ଅତି ଗମ୍ଭୀର: “ପବିତ୍ର ଆତ୍ମା ଏହା କହନ୍ତି, ଏହି କଟିବନ୍ଧନର ଅଧିକାରୀଙ୍କି ଯିରୂଶାଲମନିବାସୀ ଯିହୁଦୀମାନେ ଏହିପରି ବାନ୍ଧି ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ ।”—ପ୍ରେରି. ୨୧:୧୧.

୧୬ ଏହି ଭବିଷ୍ୟତବାଣୀରୁ ସ୍ପଷ୍ଟ ହୁଏ ଯେ ପାଉଲ ଯିରୂଶାଲମକୁ ନିଶ୍ଚୟ ଯିବେ । ଏଥିରୁ ଏହା ମଧ୍ୟ ସ୍ପଷ୍ଟ ହୋଇଯାଏ ଯେ ଯେତେବେଳେ ସେ ଯିରୂଶାଲମର ଯିହୁଦୀମାନଙ୍କୁ ପ୍ରଚାର କରିବେ, ସେମାନେ ତାଙ୍କୁ “ବିଜାତିମାନଙ୍କ ହସ୍ତରେ ସମର୍ପଣ କରିବେ ।” ଯେତେବେଳେ ସେଠାରେ ଉପସ୍ଥିତ ଭାଇଭଉଣୀମାନେ ଶୁଣିବାକୁ ପାʼନ୍ତି ଯେ ପାଉଲଙ୍କ ସହ ଏପରି ହେବ, ସେମାନେ ଚିନ୍ତାରେ ପଡ଼ିଯାʼନ୍ତି, ସେମାନଙ୍କ ଚେହେରା ମଳୀନ ହୋଇଯାଏ । ଲୂକ ଲେଖନ୍ତି: “ଏହିସମସ୍ତ କଥା ଶୁଣି ଯିରୂଶାଲମକୁ ନ ଯିବା ପାଇଁ ଆମ୍ଭେମାନେ ଓ ସେହି ସ୍ଥାନର ଲୋକମାନେ ତାଙ୍କୁ ବିନତି କଲୁ । ସେଥିରେ ପାଉଲ ଉତ୍ତର ଦେଲେ, ତୁମ୍ଭେମାନେ କ୍ରନ୍ଦନ କରି ଓ ମୋହର ହୃଦୟକୁ ବିଦୀର୍ଣ୍ଣ କରି କʼଣ କରୁଅଛ? କାରଣ ମୁଁ ପ୍ରଭୁ ଯୀଶୁଙ୍କ ନାମ ନିମନ୍ତେ ଯିରୂଶାଲମରେ କେବଳ ବନ୍ଧା ହେବାକୁ ପ୍ରସ୍ତୁତ, ତାହା ନୁହେଁ, ମାତ୍ର ମରିବାକୁ ସୁଦ୍ଧା ପ୍ରସ୍ତୁତ ଅଛି ।”—ପ୍ରେରି. ୨୧:୧୨, ୧୩.

ସାକ୍ଷ୍ୟ ଦିଅ (ହିନ୍ଦୀ) ୧୭୮ ¶୧୭

“ଯିହୋବାଙ୍କର ଇଚ୍ଛା ସଫଳ ହେଉ”

୧୭ ଏହି ଦୃଶ୍ୟ ବିଷୟରେ କଳ୍ପନା କରନ୍ତୁ । ଫିଲିପ୍ପଙ୍କ ଘରେ ଜମା ହୋଇଥିବା ସମସ୍ତ ଲୋକେ ପାଉଲଙ୍କୁ ବିନତି କରୁଛନ୍ତି ଯେ ସେ ଯିରୂଶାଲମକୁ ନ ଯାʼନ୍ତୁ । ଲୂକ ମଧ୍ୟ ତାଙ୍କୁ ଏଇୟା କହୁଛନ୍ତି । କିଛି ଲୋକେ ତ କାନ୍ଦିବାକୁ ଲାଗନ୍ତି । ଯେତେବେଳେ ପାଉଲ ଦେଖନ୍ତି ଯେ ସେମାନେ ସମସ୍ତେ ତାଙ୍କୁ କେତେ ପ୍ରେମ କରନ୍ତି ଏବଂ ତାଙ୍କ ପାଇଁ କେତେ ଚିନ୍ତା କରନ୍ତି, ଏହା ତାଙ୍କ ହୃଦୟକୁ ଛୁଇଁଯାଏ । କିନ୍ତୁ ସେ ସେମାନଙ୍କୁ କୋମଳତାର ସହ ବୁଝାନ୍ତି ଯେ ସେମାନେ ଏପରି କଥା ଦ୍ୱାରା ତାଙ୍କ “ହୃଦୟକୁ ବିଦୀର୍ଣ୍ଣ” ନ କରନ୍ତୁ, କିମ୍ବା ଯେପରି ଆଉ କିଛି ଅନୁବାଦ କହେ, ‘ତାଙ୍କ ହୃଦୟକୁ ନ ଭାଙ୍ଗନ୍ତୁ ।’ ପାଉଲ ନିଜ ସଙ୍କଳ୍ପରେ ଅଟଳ ରହନ୍ତି । ତେଣୁ ଭାଇମାନେ ବିନତି କରିବା ଓ ଲୁହ ଗଡ଼ାଇବା ସତ୍ତ୍ୱେ ସେ ନିଜ ନିଷ୍ପତ୍ତି ବଦଳାନ୍ତି ନାହିଁ, ଠିକ୍‌ ଯେପରି ସୋର ନଗରର ଭାଇମାନେ କହିବା ପରେ ମଧ୍ୟ ସେ ମାନି ନ ଥିଲେ । ପାଉଲ ସେମାନଙ୍କୁ ବୁଝାନ୍ତି ଯେ ସେ ଯିରୂଶାଲମକୁ ଯିବା କାହିଁକି ଜରୁରୀ । ସତରେ, ପାଉଲ କେତେ ସାହସ ଦେଖାନ୍ତି ଏବଂ ତାଙ୍କ ସଙ୍କଳ୍ପ କେତେ ଅଟଳ! ଯୀଶୁଙ୍କ ଭଳି ପାଉଲ ମଧ୍ୟ ପଛଘୁଞ୍ଚା ଦେଲେ ନାହିଁ, ସେ ଭାବି ନେଇଥିଲେ ଯେ ଯିରୂଶାଲମକୁ ଯିବେ ହିଁ ଯିବେ । (ଏବ୍ରୀ ୧୨:୨) ଏହାର ଅର୍ଥ ନ ଥିଲା ଯେ ପାଉଲଙ୍କୁ ସହିଦ ହେବା ବହୁତ ସଉକ ଥିଲା । କିନ୍ତୁ ସେ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ମୃତ୍ୟୁକୁ ମଧ୍ୟ ଆଲିଙ୍ଗନ କରିବା ପାଇଁ ପ୍ରସ୍ତୁତ ଥିଲେ ଏବଂ ଏହାକୁ ବଡ଼ ସମ୍ମାନ ବୋଲି ମନେ କରୁଥିଲେ ।

ସାକ୍ଷ୍ୟ ଦିଅ (ହିନ୍ଦୀ) ୧୭୮ ¶୧୮

“ଯିହୋବାଙ୍କର ଇଚ୍ଛା ସଫଳ ହେଉ”

୧୮ ତାʼପରେ ଭାଇମାନେ କʼଣ କରନ୍ତି? ଅଳ୍ପ ଶବ୍ଦରେ କହିବାକୁ ଗଲେ ସେମାନେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ କରନ୍ତି । ଲେଖା ଅଛି: “ସେ ନ ମାନିବାରୁ ଆମ୍ଭେମାନେ କ୍ଷାନ୍ତ ହୋଇ କହିଲୁ, ପ୍ରଭୁଙ୍କର ଇଚ୍ଛା ସଫଳ ହେଉ ।” (ପ୍ରେରି. ୨୧:୧୪) ଭାଇମାନେ ପାଉଲଙ୍କୁ ଅଟକାଇବା ପାଇଁ ନିଶ୍ଚୟ ଚେଷ୍ଟା କଲେ, କିନ୍ତୁ ଆଉ ଜିଦ୍‌ କଲେ ନାହିଁ । ସେମାନେ ପାଉଲଙ୍କ କଥାକୁ ସ୍ୱୀକାର କରନ୍ତି । ଯଦିଓ ସେମାନଙ୍କ ପାଇଁ ଏପରି କରିବା କଠିନ, ତଥାପି ସେମାନେ ବୁଝନ୍ତି ଯେ ଏହା ଯିହୋବାଙ୍କର ଇଚ୍ଛା । ପାଉଲ ଏପରି ରାସ୍ତା ବାଛିଛନ୍ତି, ଯାହାର ପରିଣାମ ଶେଷରେ ମୃତ୍ୟୁ ହେବ । ତେଣୁ ପାଉଲଙ୍କ ପ୍ରିୟ ଭାଇମାନେ ଯଦି ତାଙ୍କ ମନୋବଳକୁ ଦୁର୍ବଳ ନ କରିବେ, ତେବେ ତାଙ୍କ ପାଇଁ ନିଜ ରାସ୍ତାରେ ଆଗକୁ ବଢ଼ିବା ସହଜ ହେବ ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ସାକ୍ଷ୍ୟ ଦିଅ (ହିନ୍ଦୀ) ୧୮୪-୧୮୫ ¶୧୦-୧୨

“ଯେଉଁ ଆତ୍ମପକ୍ଷ ସମର୍ଥନର କଥା କହୁଅଛି, ତାହା ଶ୍ରବଣ କରନ୍ତୁ”

୧୦ ଏହା ସହିତ, ପାଉଲ ଏପରି ଖ୍ରୀଷ୍ଟିୟାନମାନଙ୍କ ଭାବନାକୁ ଧ୍ୟାନରେ ରଖୁଥିଲେ, ଯେଉଁମାନଙ୍କୁ କିଛି ଯିହୁଦୀ ରୀତିନୀତି ମାନିବାରେ କୌଣସି ଅସୁବିଧା ନ ଥିଲା । ଯେପରି— ବିଶ୍ରାମବାର ଦିନରେ କାମ ନ କରିବା କିମ୍ବା କିଛି ପ୍ରକାରର ଖାଦ୍ୟପେୟ ଗ୍ରହଣ ନ କରିବା । (ରୋମୀ. ୧୪:୧-୬) ତାʼ ଛଡ଼ା, ପାଉଲ ସୁନ୍ନତ କରାଇବା କିମ୍ବା ନ କରାଇବା ବିଷୟରେ କୌଣସି ନିୟମ ତିଆରି କଲେ ନାହିଁ । ଧ୍ୟାନ ଦେବାର ବିଷୟ ହେଉଛି, ସେ ତୀମଥିଙ୍କ ମଧ୍ୟ ସୁନ୍ନତ କରାଇଲେ । କାରଣ ଯିହୁଦୀମାନେ ଜାଣିଥିଲେ ଯେ ତୀମଥିଙ୍କ ପିତା ଜଣେ ଗ୍ରୀକ୍‌ ଥିଲେ । ଆଉ ପାଉଲ ଚାହୁଁ ନ ଥିଲେ ଯେ ଏହା ସେମାନଙ୍କ ପାଇଁ ବିଘ୍ନ ବା ବାଧାର କାରଣ ହେଉ । (ପ୍ରେରି. ୧୬:୩) ସୁନ୍ନତ କରାଇବା କିମ୍ବା ନ କରାଇବା, ଏହା ନିର୍ଣ୍ଣୟ କରିବା ପ୍ରତ୍ୟେକ ମଣିଷର ବ୍ୟକ୍ତିଗତ ମାମଲା ଥିଲା । ପାଉଲ ଗାଲାତୀୟର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଲେ: “ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ସୁନ୍ନତ କି ଅସୁନ୍ନତ କିଛି ନୁହେଁ, କିନ୍ତୁ ପ୍ରେମରେ କାର୍ଯ୍ୟସାଧାକ ବିଶ୍ୱାସ ହିଁ ସାର ।” (ଗାଲା. ୫:୬) କିନ୍ତୁ ଯଦି ଜଣେ ଖ୍ରୀଷ୍ଟିୟାନ ଏବେ ମଧ୍ୟ ମୋଶାଙ୍କ ନିୟମର ଅଧୀନରେ ଅଛି ବୋଲି ସୁନ୍ନତ କରାଏ, କିମ୍ବା ଯିହୋବାଙ୍କ ମଞ୍ଜୁରି ପାଇବାକୁ ହେଲେ ସୁନ୍ନତ କରାଇବା ଜରୁରୀ ବୋଲି ଅନ୍ୟମାନଙ୍କୁ ଶିଖାଏ, ତେବେ ସେ ଦେଖାଇବ ଯେ ତାʼଠାରେ କମ୍‌ ବିଶ୍ୱାସ ଅଛି ।

୧୧ ଯଦିଓ ପାଉଲଙ୍କ ବିଷୟରେ ସମସ୍ତ ଗୁଜବ ପୂରାପୂରି ମିଥ୍ୟା ଅଟେ, ତଥାପି ସେଗୁଡ଼ିକୁ ଶୁଣି କିଛି ଯିହୁଦୀ ଖ୍ରୀଷ୍ଟିୟାନମାନେ ଦୁଃଖିତ ହୋଇଛନ୍ତି ଏବଂ ସେମାନେ ଅତ୍ୟଧିକ ଚିନ୍ତିତ ଅଛନ୍ତି । ତେଣୁ ଯିରୂଶାଲମର ପ୍ରାଚୀନମାନେ ପାଉଲଙ୍କୁ ଏହି ନିର୍ଦ୍ଦେଶ ଦିଅନ୍ତି: “ଆମ୍ଭମାନଙ୍କ ପାଖରେ ଚାରି ଜଣ ଲୋକ ଅଛନ୍ତି, ସେମାନେ ଗୋଟିଏ ବ୍ରତ ଘେନିଅଛନ୍ତି; ସେମାନଙ୍କୁ ଘେନି ସେମାନଙ୍କ ସହିତ ଆପଣାକୁ ଶୁଚି କର, ଆଉ ସେମାନଙ୍କ ମସ୍ତକମୁଣ୍ଡନର ବ୍ୟୟ ଭାର ବହନ କର, ତାହାହେଲେ ତୁମ୍ଭ ବିଷୟରେ ସେମାନେ ଯେଉଁସବୁ ସମ୍ବାଦ ପାଇଅଛନ୍ତି, ସେଥିରେ ଯେ କିଛି ସତ୍ୟ ନାହିଁ, ବରଂ ତୁମ୍ଭେ ଯେ ନିଜେ ସୁଦ୍ଧା ବ୍ୟବସ୍ଥା ପାଳନ କରି ଆଚରଣ କରୁଅଛ, ଏହା ସମସ୍ତେ ଜାଣିବେ ।”—ପ୍ରେରି. ୨୧:୨୩, ୨୪.

୧୨ ପାଉଲ ଚାହିଁଲେ ପ୍ରାଚୀନମାନଙ୍କ ପରାମର୍ଶକୁ ବିରୋଧ କରିପାରନ୍ତି । ସେ ଚାହିଁଲେ କହିପାରନ୍ତି ଯେ ସମସ୍ୟାର ପ୍ରକୃତ କାରଣ ତାଙ୍କ ବିଷୟରେ ହେଉଥିବା ଗୁଜବଗୁଡ଼ିକ ନୁହେଁ, ବରଂ ଯିହୁଦୀମାନେ ମୋଶାଙ୍କ ନିୟମକୁ ନେଇ ଦେଖାଉଥିବା ଭୁଲ୍‌ ଉତ୍ସାହ ଅଟେ । କିନ୍ତୁ ପାଉଲ ଏପରି କିଛି କୁହନ୍ତି ନାହିଁ । ସେ ପ୍ରାଚୀନମାନଙ୍କ ନିର୍ଦ୍ଦେଶକୁ ମାନିବା ପାଇଁ ପ୍ରସ୍ତୁତ ହୋଇଯାʼନ୍ତି, କାରଣ ସେମାନଙ୍କ ପରାମର୍ଶ ଈଶ୍ୱରଙ୍କ ସିଦ୍ଧାନ୍ତ ବିରୁଦ୍ଧରେ ନୁହେଁ । ଏହାର ବହୁ ପୂର୍ବରୁ ସେ ଏକ ଚିଠିରେ ଲେଖିଥିଲେ: “ଯେପରି ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ଲାଭ କରି ପାରେ, ଏଥିପାଇଁ ମୁଁ ବ୍ୟବସ୍ଥାର ଅଧୀନ ନ ହେଲେ ସୁଦ୍ଧା ବ୍ୟବସ୍ଥା ଅଧୀନ ଲୋକମାନଙ୍କ ନିକଟରେ ବ୍ୟବସ୍ଥା ଅଧୀନର ପରି ହେଲି ।” (୧ କରି. ୯:୨୦) ତେଣୁ ଏ ଘଟଣାରେ ପାଉଲ ଯିରୂଶାଲମର ପ୍ରାଚୀନମାନଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତି ଏବଂ ନିଜକୁ “ବ୍ୟବସ୍ଥାର ଅଧୀନ” କରନ୍ତି । ଏପରି ଭାବରେ ସେ ଆମ ପାଇଁ ଏକ ବଢ଼ିଆ ଉଦାହରଣ ରଖିଲେ । ଆମେ ମଧ୍ୟ ପ୍ରାଚୀନମାନଙ୍କ ପରାମର୍ଶକୁ ମାନିବା ଉଚିତ୍‌ ଏବଂ ନିଜ ପଦ୍ଧତିରେ କାମ କରିବା ପାଇଁ ଜିଦ୍‌ ଧରିବା ଉଚିତ୍‌ ନୁହେଁ ।—ଏବ୍ରୀ ୧୩:୧୭.

ଅଧ୍ୟୟନ ବାଇବଲ—ପ୍ରେରି ୨୨:୧୬ ଅଧ୍ୟୟନ ତଥ୍ୟ

ତାହାଙ୍କ ନାମରେ ପ୍ରାର୍ଥନା କରି ଆପଣା ପାପସବୁ ଧୋଇ ପକାଅ: କିମ୍ବା “ନିଜ ପାପ ଧୋଇ ପକାଅ ଏବଂ ତାହାଙ୍କ ନାମ ନିଅ ।” ଜଣେ ବ୍ୟକ୍ତି ଯେତେବେଳେ ପାଣିରେ ବାଯ୍ତିସ୍ମ ନିଏ, ସେହି ପାଣିରେ ତାʼର ପାପ ଧୋଇଯାଏ ନାହିଁ, ବରଂ ଯୀଶୁଙ୍କ ନାମରେ ପ୍ରାର୍ଥନା କଲେ ପାପ ଧୋଇଯାଏ । ଯୀଶୁଙ୍କ ନାମରେ ପ୍ରାର୍ଥନା କରିବାରେ ଏହା ସାମିଲ୍‌ ଯେ ସେ ଯୀଶୁଙ୍କୁ ବିଶ୍ୱାସ କରିବ ଏବଂ ଜଣେ ଖ୍ରୀଷ୍ଟିୟାନ ଯେଉଁସବୁ କାମ କରିବା ଉଚିତ୍‌, ସେଗୁଡ଼ିକୁ କରି ନିଜ ବିଶ୍ୱାସର ପ୍ରମାଣ ଦେବ ।—ପ୍ରେରି ୧୦:୪୩; ଯାକୁ ୨:୧୪, ୧୮.

ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ

ପ୍ର୧୦-ଇଂ ୨/୧ ୧୩ ¶୨–୧୪ ¶୨

ଖ୍ରୀଷ୍ଟିୟାନମାନେ ବିଶ୍ରାମବାର ପାଳନ କରିବା ଉଚିତ୍‌ କି?

ଯଦି ଯୀଶୁ ଖ୍ରୀଷ୍ଟ ମୋଶାଙ୍କ ନିୟମକୁ ପୂରଣ କରିସାରିଛନ୍ତି, ତେବେ ଖ୍ରୀଷ୍ଟିୟାନମାନଙ୍କୁ ପ୍ରତି ସଯ୍ତାହ ବିଶ୍ରାମବାର ପାଳନ କରିବା ଜରୁରୀ କି? ଏହାର ଉତ୍ତର ଆମକୁ ପାଉଲଙ୍କ ଏକଥାରୁ ମିଳେ: “ଅତଏବ, ଭୋଜନପାନ କିଅବା ପର୍ବ, ପ୍ରତିପଦ ଅବା ବିଶ୍ରାମବାର ସମ୍ବନ୍ଧରେ କେହି ତୁମ୍ଭମାନଙ୍କ ବିଚାର ନ କରୁ; ସେହିସବୁ ଆଗାମୀ ବିଷୟର ଛାୟାମାତ୍ର, କିନ୍ତୁ ବାସ୍ତବ ବିଷୟ ଖ୍ରୀଷ୍ଟ ।”—କଲସୀୟ ୨:୧୬, ୧୭.

ଏଥିରୁ ଜଣାପଡ଼େ ଯେ ଈଶ୍ୱର ନିଜ ସେବକମାନଙ୍କୁ ଯେଉଁସବୁ ନିୟମ ଦେଇଥିଲେ, ସେଥିରେ ଅନେକ ପରିବର୍ତ୍ତନ ହୋଇଥିଲା । ଏହି ପରିବର୍ତ୍ତନ କାହିଁକି ହେଲା? କାରଣ ଖ୍ରୀଷ୍ଟିୟାନମାନଙ୍କ ଉପରେ ଏକ ନୂଆ ନିୟମ ଲାଗୁ ହେଲା, ଯାହାକୁ “ଖ୍ରୀଷ୍ଟଙ୍କ ବ୍ୟବସ୍ଥା” କୁହାଯାଏ । (ଗାଲାତୀୟ ୬:୨) ବହୁ ପୂର୍ବରୁ ମୋଶାଙ୍କ ଜରିଆରେ ଇସ୍ରାଏଲୀୟମାନଙ୍କୁ ଯେଉଁ ନିୟମ ଦିଆଯାଇଥିଲା, ତାହା ଯୀଶୁଙ୍କ ମୃତ୍ୟୁ ପରେ ରଦ୍ଦ ହୋଇଗଲା । (ରୋମୀୟ ୧୦:୪; ଏଫିସୀୟ ୨:୧୫) ତେବେ କʼଣ ସେତେବେଳେ ବିଶ୍ରାମବାରର ନିୟମ ମଧ୍ୟ ରଦ୍ଦ ହୋଇଗଲା? ହଁ । ପାଉଲ କହିଲେ, “ଆମ୍ଭେମାନେ ଏବେ ବ୍ୟବସ୍ଥାରୁ ମୁକ୍ତ ହୋଇଅଛୁ ।” ତାʼପରେ ସେ ଦଶ ଆଜ୍ଞା ମଧ୍ୟରୁ ଗୋଟିଏ ଆଜ୍ଞା ବିଷୟରେ କହିଲେ । (ରୋମୀୟ ୭:୬, ୭) ଏଥିରୁ ଜଣାପଡ଼େ ଯେ ଦଶ ଆଜ୍ଞା ରଦ୍ଦ ହୋଇଯାଇଛି, ଯେଉଁଥିରେ ଗୋଟିଏ ଆଜ୍ଞା ବିଶ୍ରାମବାର ବିଷୟରେ ଥିଲା । ଏଥିରୁ ସ୍ପଷ୍ଟ ଯେ ଖ୍ରୀଷ୍ଟିୟାନମାନେ ବିଶ୍ରାମବାର ପାଳନ କରିବା ଆବଶ୍ୟକ ନୁହେଁ ।

ଖ୍ରୀଷ୍ଟିୟାନମାନେ ଏପରି ଭାବେ ଉପାସନା କରିବା ଉଚିତ୍‌ ନୁହେଁ, ଯେପରି ମୋଶାଙ୍କ ନିୟମରେ କୁହାଯାଇଥିଲା, କାରଣ ସେହି ନିୟମ ରଦ୍ଦ ହୋଇଯାଇଛି । ଏହାକୁ ବୁଝିବା ପାଇଁ ଏକ ଉଦାହରଣ ନିଅନ୍ତୁ । ଯେତେବେଳେ ଗୋଟେ ଦେଶର ସମ୍ବିଧାନରେ କିଛି ଆଇନଗତ ପରିବର୍ତ୍ତନ କରାଯାଏ, ସେତେବେଳେ ସେହି ଦେଶର ଲୋକମାନଙ୍କଠାରୁ ଏହା ଆଶା କରାଯାଏ ନାହିଁ ଯେ ସେମାନେ ପୁରୁଣା ସମ୍ବିଧାନକୁ ମାନନ୍ତୁ । ନୂଆ ସମ୍ବିଧାନର କିଛି ଆଇନ ହୁଏତ ପୁରୁଣା ସମ୍ବିଧାନ ଭଳି ହୋଇଥାଏ ଏବଂ କିଛି ହୁଏତ ସମ୍ପୂର୍ଣ୍ଣ ଅଲଗା ହୋଇଥାଏ । ତେଣୁ ଜଣେ ବ୍ୟକ୍ତି ନୂଆ ସମ୍ବିଧାନ ସହ ଭଲ ଭାବେ ପରିଚିତ ହେବା ଉଚିତ୍‌, ଯାହାଫଳରେ ସେ ଜାଣିପାରିବ ଯେ ଏବେଠାରୁ ତାକୁ କେଉଁ କେଉଁ ଆଇନ ମାନିବାକୁ ହେବ । ଜଣେ ଭଲ ନାଗରିକକୁ ଏହା ମଧ୍ୟ ଜାଣିବାକୁ ହେବ ଯେ ନୂଆ ସମ୍ବିଧାନ କେବେଠାରୁ ଲାଗୁ ହେବ ।

ଯିହୋବା ଈଶ୍ୱର ଇସ୍ରାଏଲ ରାଷ୍ଟ୍ରକୁ ୬୦୦ରୁ ଅଧିକ ନିୟମ ଦେଇଥିଲେ, ଯେଉଁଥିରେ ୧୦ଟି ବିଶେଷ ନିୟମ ଥିଲା । ଏହି ନିୟମ ଯେଉଁ ବିଷୟଗୁଡ଼ିକ ଉପରେ ଥିଲା, ତାହା ହେଲା— ନୈତିକତା, ବଳିଦାନ, ଭଲ ସ୍ୱାସ୍ଥ୍ୟ ଓ ବିଶ୍ରାମବାର । କିନ୍ତୁ ଯୀଶୁ କହିଥିଲେ ଯେ ତାହାଙ୍କ ଅଭିଷିକ୍ତ ଶିଷ୍ୟମାନଙ୍କୁ ନେଇ ଏକ ନୂଆ “ଜାତି” ଗଠିତ ହେବ । (ମାଥିଉ ୨୧:୪୩) ଏହି ଜାତି ବା ରାଷ୍ଟ୍ରକୁ ମଧ୍ୟ ୩୩ ଖ୍ରୀଷ୍ଟାବ୍ଦରୁ ସତେ ଯେପରି ଏକ ନୂଆ ସମ୍ବିଧାନ ମିଳିଲା, ଯାହା ଥିଲା— “ଖ୍ରୀଷ୍ଟଙ୍କ ବ୍ୟବସ୍ଥା ।” ଏହି ବ୍ୟବସ୍ଥା ଦୁଇଟି ବିଶେଷ ଆଜ୍ଞା ଉପରେ ଆଧାରିତ ଥିଲା, ସେଗୁଡ଼ିକ ହେଉଛି— ଈଶ୍ୱରଙ୍କୁ ପ୍ରେମ କରିବା ଏବଂ ପଡ଼ୋଶୀକୁ ପ୍ରେମ କରିବା । (ମାଥିଉ ୨୨:୩୬-୪୦) ‘ଖ୍ରୀଷ୍ଟଙ୍କ ବ୍ୟବସ୍ଥାର’ କିଛି ନିୟମ ଇସ୍ରାଏଲୀୟମାନଙ୍କୁ ଦିଆଯାଇଥିବା ନିୟମଗୁଡ଼ିକ ସହ ମେଳ ଖାଏ, କିନ୍ତୁ ଆଉ କିଛି ନିୟମ ସମ୍ପୂର୍ଣ୍ଣ ଅଲଗା । ତାʼ ଛଡ଼ା, ମୋଶାଙ୍କ ନିୟମର କିଛି ଆଜ୍ଞା ତ ଆମକୁ ମାନିବା ଜରୁରୀ ନୁହେଁ, ଯେପରି— ପ୍ରତି ସଯ୍ତାହରେ ବିଶ୍ରାମବାର ପାଳନ କରିବା ।

୧୪-୨୦ ଜାନୁୟାରୀ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୨୩-୨୪

“ମହାମାରୀ ସ୍ୱରୂପ ଓ ବିଦ୍ରୋହର ପରିଚାଳକ ବୋଲି ଦୋଷାରୋପ”

ସାକ୍ଷ୍ୟ ଦିଅ (ହିନ୍ଦୀ) ୧୯୧ ¶୫-୬

“ସାହସ ଧର”

୫ ଯୀଶୁ ଖ୍ରୀଷ୍ଟ ଠିକ୍‌ ସମୟରେ ପାଉଲଙ୍କ ସାହସ ବାନ୍ଧିଲେ । ପରବର୍ତ୍ତୀ ଦିନ, ୪୦ ଜଣରୁ ଅଧିକ ଯିହୁଦୀ ଲୋକ “ପାଉଲଙ୍କୁ ବଧ ନ କରିବା ପର୍ଯ୍ୟନ୍ତ ଅନ୍ନଜଳ ସ୍ପର୍ଶ କଲେ ଅଭିଶଯ୍ତ ହେବେ ବୋଲି ଶପଥରେ ଆପଣା ଆପଣାକୁ ଆବଦ୍ଧ କଲେ ।” ଧ୍ୟାନ ଦିଅନ୍ତୁ, ଏହି ଯିହୁଦୀମାନେ ଏକ “ଷଡ଼ଯନ୍ତ୍ର” କଲେ ଏବଂ ତାକୁ ସଫଳ କରିବା ପାଇଁ “ଶପଥ” କରିଥିଲେ । ହଁ, ସେମାନେ ଏହି ପ୍ରେରିତଙ୍କୁ ହତ୍ୟା କରିବେ ହିଁ କରିବେ ବୋଲି ଭାବି ନେଇଥିଲେ । ସେମାନଙ୍କ ଧାରଣା ଥିଲା ଯେ ଯଦି ସେମାନେ ଏହି ଷଡ଼ଯନ୍ତ୍ରରେ ବିଫଳ ହୁଅନ୍ତେ, ତେବେ ସେମାନଙ୍କୁ ଅଭିଶାପ ମିଳନ୍ତା । (ପ୍ରେରି. ୨୩:୧୨-୧୫) ସେମାନେ ଯୋଜନା କରୁଥିଲେ ଯେ ପାଉଲଙ୍କୁ ପଚରାଉଚୁରା କରିବା ପାଇଁ ମହାସଭାରେ ଆଣିବାର ଦାବି କରିବେ, ସତେ ଯେପରି ସେମାନେ ତାଙ୍କ ବିଷୟରେ ସବୁ ତଥ୍ୟ ଠିକ୍‌ ଠିକ୍‌ ଜାଣିବାକୁ ଚାହାନ୍ତି । କିନ୍ତୁ ରାସ୍ତାରେ ସେମାନେ ଛକି ବସିଥାʼନ୍ତେ ଏବଂ ପାଉଲଙ୍କ ଉପରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥାʼନ୍ତେ । ସେମାନଙ୍କ ଏହି ଯୋଜନାକୁ ପ୍ରଧାନଯାଜକ ଓ ପ୍ରାଚୀନମାନେ ମଧ୍ୟ ମଞ୍ଜୁରି ଦେଇଦେଲେ ।

୬ ପାଉଲଙ୍କ ଭଣଜାଙ୍କୁ ଏହି ଷଡ଼ଯନ୍ତ୍ର ବିଷୟରେ ଖବର ମିଳିଯାଏ ଏବଂ ସେ ଯାଇ ପାଉଲଙ୍କୁ ଏବିଷୟରେ କହି ଦିଅନ୍ତି । ଏହା ଶୁଣି ପାଉଲ ସେହି ଯୁବକଙ୍କୁ କହନ୍ତି ଯେ ସେ ଯାଇ ରୋମୀୟ ସହସ୍ରସେନାପତି କ୍ଳାଉଦିଅ ଲୂସୀୟାଙ୍କୁ ଏହି ଖବର ଦିଅନ୍ତୁ । (ପ୍ରେରି. ୨୩:୧୬-୨୨) ପାଉଲଙ୍କ ଏହି ଭଣଜାଙ୍କ ନାମ ବାଇବଲରେ ଦିଆଯାଇ ନାହିଁ । କିନ୍ତୁ ଆମେ ସମ୍ପୂର୍ଣ୍ଣ ଭରସା ରଖିପାରିବା ଯେ ଯେଉଁ ଯୁବକଯୁବତୀମାନେ ନିଜ ଜୀବନକୁ ବାଜି ଲଗାଇ ଈଶ୍ୱରଙ୍କ ଲୋକମାନଙ୍କର ସୁରକ୍ଷା ପାଇଁ ସାହସର ସହ ପଦକ୍ଷେପ ନିଅନ୍ତି ଏବଂ ସମ୍ପୂର୍ଣ୍ଣ ବିଶ୍ୱସ୍ତତାର ସହ ଈଶ୍ୱରଙ୍କ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକୁ ଆଗକୁ ବଢ଼ାଇବା ପାଇଁ ଯଥା ସମ୍ଭବ ଉଦ୍ୟମ କରନ୍ତି, ସେମାନଙ୍କୁ ଈଶ୍ୱର ବହୁତ ପ୍ରେମ କରନ୍ତି ।

ସାକ୍ଷ୍ୟ ଦିଅ (ହିନ୍ଦୀ) ୧୯୨ ¶୧୦

“ସାହସ ଧର”

୧୦ ପାଉଲଙ୍କୁ କାଇସରିଆ ନିଆଯିବା ପରେ, ଯେପର୍ଯ୍ୟନ୍ତ ଯିରୂଶାଲମରୁ ପାଉଲଙ୍କ ଅଭିଯୋଗକାରୀମାନେ ନ ଆସିଲେ, ସେପର୍ଯ୍ୟନ୍ତ ତାଙ୍କୁ “ହେରୋଦଙ୍କ ପ୍ରାସାଦରେ” ରଖାଗଲା । (ପ୍ରେରି. ୨୩:୩୫) ପାଞ୍ଚ ଦିନ ପରେ ତାଙ୍କ ଅଭିଯୋଗକାରୀମାନେ କାଇସରିଆକୁ ଆସନ୍ତି । ସେମାନେ ହେଲେ— ମହାଯାଜକ ହାନାନ, ତର୍ତ୍ତୁଲ୍ଲ ନାମକ ଜଣେ ଓକିଲ ଏବଂ କେତେକ ପ୍ରାଚୀନ । ଯେତେବେଳେ ସେମାନେ ସମସ୍ତେ ଫେଲୀକ୍‌ସ୍‌ଙ୍କ ସମ୍ମୁଖରେ ହାଜର ହୁଅନ୍ତି, ସର୍ବପ୍ରଥମେ ରର୍ତ୍ତୁଲ୍ଲ ଫେଲୀକ୍‌ସ୍‌ଙ୍କ ପ୍ରଶଂସା କରନ୍ତି ଯେ ସେ ଯିହୁଦୀମାନଙ୍କ ପାଇଁ ଅନେକ ମଙ୍ଗଳ କାମ କରୁଛନ୍ତି । ସେ ନିଶ୍ଚୟ ଫେଲୀକ୍‌ସ୍‌ଙ୍କୁ ଖୋସାମତ କରିବା ପାଇଁ ଏପରି କୁହନ୍ତି । ତାʼପରେ ଯାଇ ସେ ପ୍ରକୃତ ପ୍ରସଙ୍ଗକୁ ଆସନ୍ତି । ସେ ପାଉଲଙ୍କ ଉପରେ ଦୋଷାରୋପ କରିବା ଆରମ୍ଭ କରନ୍ତି ଯେ ଏହି ବ୍ୟକ୍ତି ଜଣକ “ମହାମାରୀ ସ୍ୱରୂପ, ଜଗତର ସର୍ବତ୍ର ସମସ୍ତ ଯିହୁଦୀମାନଙ୍କ ମଧ୍ୟରେ ବିଦ୍ରୋହର ପରିଚାଳକ ଓ ନାଜରିତୀୟ ଦଳର ଜଣେ ପ୍ରଧାନ ନେତା ବୋଲି ଜାଣିଅଛୁ; ଆହୁରି ମଧ୍ୟ ଏ ମନ୍ଦିର ଅଶୁଚି କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଆମ୍ଭେମାନେ ଏହାକୁ ଧରିଲୁ ।” ଏହାପରେ ଅନ୍ୟ “ଯିହୁଦୀମାନେ ମଧ୍ୟ ଅଭିଯୋଗରେ ମିଶି ଏହିସମସ୍ତ କଥା ସତ୍ୟ ବୋଲି କହିଲେ ।” (ପ୍ରେରି. ୨୪:୫, ୬, ୯) ସରକାରଙ୍କ ବିରୁଦ୍ଧରେ ବିଦ୍ରୋହର ପରିଚାଳକ, ବିପଜ୍ଜନକ ଗୋଷ୍ଠୀର ପ୍ରଧାନ ହେବା ଏବଂ ମନ୍ଦିରକୁ ଅଶୁଚି କରିବା ଏପରି ଗମ୍ଭୀର ଅପରାଧ ଥିଲା, ଯାହାର ଦଣ୍ଡ ମୃତ୍ୟୁ ହୋଇପାରିଥାʼନ୍ତା ।

ସାକ୍ଷ୍ୟ ଦେବା (ହିନ୍ଦୀ) ୧୯୩-୧୯୪ ¶୧୩-୧୪

“ସାହସ ଧର”

୧୩ ଆଜି ବିରୋଧୀମାନେ ଆମ ଉପାସନାକୁ ନେଇ ଆମ ଉପରେ ମିଥ୍ୟା ଆରୋପ ଲଗାନ୍ତି ଏବଂ କୁହନ୍ତି ଯେ ଆମେ ଲୋକଙ୍କୁ ଗଣ୍ଡଗୋଳ କରିବା ପାଇଁ ପ୍ରବର୍ତ୍ତାଉ, ଦେଶଦ୍ରୋହୀ ଅଟୁ କିମ୍ବା ଏକ “ବିପଜ୍ଜନକ ଗୋଷ୍ଠୀର” ଲୋକ ଅଟୁ । ଆଉ, ଆମକୁ ଅଧିକାରୀମାନଙ୍କ ସମ୍ମୁଖରେ ହାଜର କରନ୍ତି । ଏପରି ସମୟରେ ଆମେ ମଧ୍ୟ ପାଉଲଙ୍କୁ ଅନୁକରଣ କରିବା ଉଚିତ୍‌ । ପାଉଲ ତର୍ତ୍ତୁଲ୍ଲଙ୍କ ଭଳି ରାଜ୍ୟପାଳଙ୍କୁ ମିଠା ମିଠା କଥା କହି ଖୋସାମତ କଲେ ନାହିଁ । ସେ ବିରୋଧୀମାନଙ୍କ ମିଥ୍ୟା ଆରୋପ ଶୁଣି ରାଗିଗଲେ ନାହିଁ, ବରଂ ଶାନ୍ତ ରହିଲେ ଏବଂ ଆଦରର ସହ କଥା ହେଲେ । ସେ କୁଶଳତାର ସହ ଓ ଖୋଲାଖୋଲି ଭାବେ ସତ କଥା କହିଲେ । ପାଉଲ କହିଲେ ଯେ “ଆସିଆର କେତେକ ଯିହୁଦୀ” ତାଙ୍କ ଉପରେ ମନ୍ଦିରକୁ ଅଶୁଚି କରିବାର ଦୋଷାରୋପ କରିଛନ୍ତି । ଆଉ, ସେମାନେ ଏହି ମକଦ୍ଦମା ସମୟରେ ଏଠାରେ ଉପସ୍ଥିତ ନାହାନ୍ତି । କିନ୍ତୁ ବ୍ୟବସ୍ଥା ଅନୁଯାୟୀ ସେମାନେ ଏଠାରେ ରହିବା ଉଚିତ୍‌ ଏବଂ ମୋʼ ସାମନାରେ ମୋʼ ଉପରେ ଦୋଷାରୋପ କରିବା ଉଚିତ୍‌ ।—ପ୍ରେରି. ୨୪:୧୮, ୧୯.

୧୪ ପାଉଲଙ୍କଠାରୁ ଆମେ ଆଉ ଏକ କଥା ଶିଖୁ, ଯାହା ଧ୍ୟାନ ଦେବାର ବିଷୟ । ସେ ନିଜ ବିଶ୍ୱାସ ବିଷୟରେ ସାକ୍ଷ୍ୟ ଦେବା ପାଇଁ ଆଦୌ ପଛଘୁଞ୍ଚା ଦେଲେ ନାହିଁ । ପାଉଲ ଏସମୟରେ ପୁଣିଥରେ ନିଜ ବିଶ୍ୱାସ ବିଷୟରେ କହିଲେ ଯେ ମରିଯାଇଥିବା ଲୋକଙ୍କୁ ପୁଣିଥରେ ଜୀବିତ କରାଯିବ । ସେ ଏହା ଭାବି ଡରିଲେ ନାହିଁ ଯେ ଏହି ପ୍ରସଙ୍ଗକୁ ଉଠାଇଥିବା ଯୋଗୁଁ ମହାସଭାରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା । (ପ୍ରେରି. ୨୩:୬-୧୦) କିନ୍ତୁ ପାଉଲ ନିଜ ପକ୍ଷ ସମର୍ଥନ କରିବାକୁ ଯାଇ ପୁନରୁତ୍ଥାନର ଆଶା ବିଷୟରେ କାହିଁକି କହିଲେ? କାରଣ ପାଉଲଙ୍କ ସମ୍ପୂର୍ଣ୍ଣ ପ୍ରଚାର ସେବା ଯୀଶୁଙ୍କ ବିଷୟରେ ଥିଲା ଏବଂ ସେ ଶିଖାଉଥିଲେ ଯେ ଯୀଶୁଙ୍କର ପୁନରୁତ୍ଥାନ ହୋଇଛି । କିନ୍ତୁ ତାଙ୍କ ବିରୋଧୀମାନେ ଏହି ଶିକ୍ଷାକୁ ସ୍ୱୀକାର କରୁ ନ ଥିଲେ । (ପ୍ରେରି. ୨୬:୬-୮, ୨୨, ୨୩) ହଁ, ଅସଲ ମାମଲା ଥିଲା— ମରିଯାଇଥିବା ଲୋକେ ପ୍ରକୃତରେ ପୁଣିଥରେ ଜୀବିତ ହେବେ କି ନାହିଁ । ଅନ୍ୟ ଶବ୍ଦରେ କହିବାକୁ ଗଲେ, କʼଣ ଯୀଶୁଙ୍କୁ ବିଶ୍ୱାସ କରିବା ଉଚିତ୍‌? ଆଉ, ତାଙ୍କ ମୃତ୍ୟୁ ପରେ କʼଣ ବାସ୍ତବରେ ତାଙ୍କୁ ଜୀବିତ କରାଯାଇଥିଲା? ସମ୍ପୂର୍ଣ୍ଣ ବିବାଦ ଏହା ଉପରେ ଆଧାରିତ ଥିଲା ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ପ୍ରେରି ୨୩:୬ ଅଧ୍ୟୟନ ତଥ୍ୟ

ମୁଁ ଜଣେ ଫାରୂଶୀ: ମହାସଭାରେ ଯେଉଁମାନେ ପାଉଲଙ୍କ କଥା ଶୁଣୁଥିଲେ, ସେମାନଙ୍କ ମଧ୍ୟରୁ କିଛି ଲୋକ ତାଙ୍କୁ ଜାଣିଥିଲେ । (ପ୍ରେରି ୨୨:୫) ଯେତେବେଳେ ପାଉଲ ନିଜକୁ ଫାରୂଶୀର ପୁତ୍ର ବୋଲି କହିଲେ, ସେମାନେ ଜାଣିଯାଇଥିବେ ଯେ ପାଉଲ ମଧ୍ୟ ସେମାନଙ୍କ ବଂଶର ଅଟନ୍ତି ବୋଲି ସ୍ୱୀକାର କରୁଛନ୍ତି । ସେମାନେ ଦେଖିପାରୁଥିଲେ ଯେ ପାଉଲ ନିଜ ବିଷୟରେ କୌଣସି ଭୁଲ୍‌ ତଥ୍ୟ ଦେଉ ନାହାନ୍ତି । ଫାରୂଶୀମାନେ ଜାଣିଥିଲେ ଯେ ପାଉଲ ଜଣେ ଫାରୂଶୀ ଥିଲେ ଏବଂ ଏବେ ଖ୍ରୀଷ୍ଟିୟାନ ହୋଇଯାଇଛନ୍ତି । ପାଉଲ ମଧ୍ୟ ଫାରୂଶୀମାନଙ୍କ ଭଳି ବିଶ୍ୱାସ କରୁଥିଲେ ଯେ ମରିଯାଇଥିବା ଲୋକଙ୍କୁ ପୁଣି ଜୀବିତ କରାଯିବ । ଏହି ଅର୍ଥରେ ସେ ନିଜକୁ ଜଣେ ଫାରୂଶୀ ବୋଲି କହୁଥିଲେ । ସେ ସାଦ୍ଦୂକୀମାନଙ୍କ ଭଳି ନ ଥିଲେ, ଯେଉଁମାନେ ଏହି ଶିକ୍ଷାକୁ ମାନୁ ନ ଥିଲେ । ପୁନରୁତ୍ଥାନର ଆଶା ବିଷୟରେ ଉଲ୍ଲେଖ କରି ସେ ଏପରି ଏକ ବିଷୟ ଉପରେ କଥା ହେଲେ, ଯେଉଁଥିରେ ଫାରୂଶୀମାନେ ସହମତ ହୁଅନ୍ତେ । ପାଉଲ ହୁଏତ ଭାବିଥିବେ ଯେ ଯଦି ସେ ଏହି ବିଷୟ ଉପରେ କଥା ହେବେ, ଯାହା ଉପରେ ଫାରୂଶୀ ଓ ସାଦ୍ଦୂକୀମାନଙ୍କ ମତ ଭିନ୍ନ ଭିନ୍ନ ଥିଲା, ତେବେ ହୁଏତ ଫାରୂଶୀମାନେ ତାଙ୍କୁ ସମର୍ଥନ କରିବେ । ପାଉଲଙ୍କ ଏହି କୌଶଳ ସଫଳ ହେଲା । (ପ୍ରେରି ୨୩:୭-୯) ପରେ ରାଜା ଅଗ୍ରିପ୍ପାଙ୍କ ସମ୍ମୁଖରେ ନିଜ ପକ୍ଷ ସମର୍ଥନ କରିବା ସମୟରେ ମଧ୍ୟ ପାଉଲ ଯାହା କହିଲେ, ତାହା ପ୍ରେରି ୨୩:୬ ପଦରେ ଲିଖିତ କଥା ସହ ମେଳ ଖାଏ । (ପ୍ରେରି ୨୬:୫) ଯେତେବେଳେ ସେ ରୋମ୍‌ରୁ ଫିଲିପ୍ପୀର ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିଲେ, ସେଥିରେ ମଧ୍ୟ ସେ ଉଲ୍ଲେଖ କଲେ ଯେ ସେ ଫାରୂଶୀମାନଙ୍କ ବଂଶର ଅଟନ୍ତି । (ଫିଲିପ୍ପ ୩:୫) ଏହା ମଧ୍ୟ ଧ୍ୟାନ ଦେବାର ବିଷୟ ଯେ ପ୍ରେରି ୧୫:୫ ପଦରେ ଆଉ କିଛି ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ମଧ୍ୟ ଏଭଳି ବର୍ଣ୍ଣନା କରାଯାଇଛି, ଯେଉଁମାନେ ପ୍ରଥମେ ଫାରୂଶୀ ଥିଲେ ।

ଅଧ୍ୟୟନ ବାଇବଲ—ପ୍ରେରି ୨୪:୨୪ ଅଧ୍ୟୟନ ତଥ୍ୟ

ଦ୍ରୂସିଲ୍ଲା: ଦ୍ରୂସିଲ୍ଲା ପ୍ରେରି ୧୨:୧ ପଦରେ କୁହାଯାଇଥିବା ହେରୋଦ ଅର୍ଥାତ୍‌ ହେରୋଦ ଅଗ୍ରିପ୍ପା ପ୍ରଥମଙ୍କ ତୃତୀୟ ଓ ସବୁଠୁ ସାନ ଝିଅ ଥିଲେ । ଦ୍ରୂସିଲ୍ଲାଙ୍କ ଜନ୍ମ ପ୍ରାୟ ୩୮ ଖ୍ରୀଷ୍ଟାବ୍ଦରେ ହୋଇଥିଲା । ସେ ଅଗ୍ରିପ୍ପା ଦ୍ୱିତୀୟ ଓ ବର୍ଣ୍ଣୀକୀଙ୍କ ଭଉଣୀ ଥିଲେ । ରାଜ୍ୟପାଳ ଫେଲୀକ୍‌ସ୍‌ ତାଙ୍କ ଦ୍ୱିତୀୟ ପତି ଥିଲେ । ପ୍ରଥମେ ତାଙ୍କ ବିବାହ ଏମେସାର ରାଜା ଏଜିଜୁସ୍‌ଙ୍କ ସହ ହୋଇଥିଲା, ଯିଏ ସିରିଆ ଦେଶର ଥିଲେ । କିନ୍ତୁ ସେ ଏଜିଜୁସ୍‌ଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ପ୍ରାୟ ୫୪ ଖ୍ରୀଷ୍ଟାବ୍ଦରେ ଫେଲୀକ୍‌ସ୍‌ଙ୍କୁ ବିବାହ କଲେ । ସେତେବେଳେ ତାଙ୍କୁ ହୁଏତ ୧୬ ବର୍ଷ ହୋଇଥିବ । ଯେତେବେଳେ ପାଉଲ ଫେଲୀକ୍‌ସ୍‌ଙ୍କ ସମ୍ମୁଖରେ “ଧାର୍ମିକତା, ଆତ୍ମସଂଯମ ଓ ଆଗାମୀ ବିଚାର ବିଷୟରେ” କଥା ହେଲେ, ସେତେବେଳେ ହୁଏତ ଦ୍ରୂସଲ୍ଲା ମଧ୍ୟ ସେଠାରେ ଥିଲେ । (ପ୍ରେରି ୨୪:୨୫) ପରେ, ଯେତେବେଳେ ଫେଲୀକ୍‌ସ୍‌ ରାଜ୍ୟପାଳ ପଦ ଫେଷ୍ଟଙ୍କୁ ସମର୍ପି ଦେଲେ, ସେତେବେଳେ ସେ ପାଉଲଙ୍କୁ ଜେଲ୍‌ରେ ହିଁ ଛାଡ଼ିଦେଲେ, କାରଣ ସେ “ଯିହୁଦୀମାନଙ୍କ ପ୍ରିୟପାତ୍ର ହେବାକୁ ଇଚ୍ଛା” କରୁଥିଲେ । କିଛି ଲୋକ ଏହା ମଧ୍ୟ କହନ୍ତି ଯେ ସେ ନିଜ ତରୁଣୀ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଏପରି କରିଥିଲେ, ଯିଏ ଜଣେ ଯିହୁଦୀ ଥିଲେ ।—ପ୍ରେରି ୨୪:୨୭.

୨୧-୨୭ ଜାନୁୟାରୀ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୨୫-୨୬

“ପାଉଲ କାଇସରଙ୍କୁ ଅପିଲ କଲେ ଏବଂ ରାଜା ହେରୋଦ ଅଗ୍ରିପ୍ପାଙ୍କୁ ସାକ୍ଷ୍ୟ ଦେଲେ”

ସାକ୍ଷ୍ୟ ଦିଅ (ହିନ୍ଦୀ) ୧୯୮ ¶୬

“ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି”

୬ ଫେଷ୍ଟ ନିଜ ସ୍ୱାର୍ଥ ପାଇଁ ଯିହୁଦୀମାନଙ୍କ ଦାବି ପୂରଣ କରିବାକୁ ଚାହାନ୍ତି ଏବଂ ପାଉଲଙ୍କୁ ଯିରୂଶାଲମ ପଠାଇବାକୁ ଚାହାନ୍ତି । କିନ୍ତୁ ପାଉଲ ଜାଣନ୍ତି ଯେ ସେଠାକୁ ଗଲେ, ତାଙ୍କ ଜୀବନକୁ ବିପଦ ଅଛି । ତେଣୁ ସେ ରୋମୀୟ ନାଗରିକ ହେବାର ନିଜ ଅଧିକାରକୁ ବ୍ୟବହାର କରନ୍ତି । ସେ ଫେଷ୍ଟଙ୍କୁ କହନ୍ତି: “ମୁଁ କାଇସରଙ୍କ ବିଚାରାସନ ସମ୍ମୁଖରେ ଠିଆ ହୋଇଅଛି, ସେ ସ୍ଥାନରେ ମୋହର ବିଚାର ହେବା ଉଚିତ । ମୁଁ ଯିହୁଦୀମାନଙ୍କ ପ୍ରତି କୌଣସି ଅନ୍ୟାୟ କରି ନାହିଁ, ଆପଣ ମଧ୍ୟ ତାହା ଅତି ଉତ୍ତମ ରୂପେ ଜାଣନ୍ତି । . . . ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି ।” ଥରେ ଯେତେବେଳେ କେହି କାଇସରଙ୍କୁ ଅପିଲ କରୁଥିଲା, ସାଧାରଣତଃ ତାକୁ ରଦ୍ଦ କରିବା ଅସମ୍ଭବ ଥିଲା । ତେଣୁ ଫେଷ୍ଟ କହନ୍ତି: “ତୁମ୍ଭେ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରିଅଛ, ତୁମ୍ଭେ କାଇସରଙ୍କ ନିକଟକୁ ଯିବ ।” (ପ୍ରେରି. ୨୫:୧୦-୧୨) ଜଣେ ଅଧିକାରୀଙ୍କଠାରୁ ନ୍ୟାୟ ନ ମିଳିଲେ ତାଙ୍କଠୁ ମଧ୍ୟ ବଡ଼ ଅଧିକାରୀଙ୍କୁ ଅପିଲ କରି ପାଉଲ ଆଜିର ସତ୍ୟ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ଉଦାହରଣ ରଖିଲେ । ଯଦି ଆମ ବିରୋଧୀମାନେ “ବିଧାନ ଦ୍ୱାରା ଉପଦ୍ରବ” କରନ୍ତି ବା ଆଇନ ସାହାଯ୍ୟରେ ଆମ ଉପରେ ଅତ୍ୟାଚାର କରନ୍ତି ଏବଂ ଆମ ପାଇଁ ସମସ୍ୟା ସୃଷ୍ଟି କରନ୍ତି, ତେବେ ଆମେ ଆଇନ ସାହାଯ୍ୟରେ ସୁସମାଚାର ଶୁଣାଇବାର ଆମ ଅଧିକାରକୁ ପ୍ରତିରକ୍ଷା କରିଥାଉ ।—ଗୀତ. ୯୪:୨୦.

ସାକ୍ଷ୍ୟ ଦିଅ (ହିନ୍ଦୀ) ୧୯୮-୨୦୧ ¶୧୦-୧୬

“ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି”

୧୦ ପାଉଲ ଆଦରର ସହ ନିଜ ପକ୍ଷ ସମର୍ଥନ କରନ୍ତି । ପ୍ରଥମେ ସେ ରାଜା ଅଗ୍ରିପ୍ପାଙ୍କୁ ଧନ୍ୟବାଦ କରନ୍ତି ଯେ ସେ ତାଙ୍କୁ ନିଜ ପକ୍ଷ ସମର୍ଥନ କରିବା ପାଇଁ ସୁଯୋଗ ଦେଲେ । ସେ କହନ୍ତି ଯେ ରାଜା ଯିହୁଦୀମାନଙ୍କ ମଧ୍ୟରେ ପ୍ରଚଳିତ ସମସ୍ତ ରୀତିନୀତି ଓ ମତାମତ ସମ୍ବନ୍ଧରେ ନିପୁଣ ଅଟନ୍ତି । ତାʼପରେ ପାଉଲ ନିଜ ଅତୀତ ବିଷୟରେ କହନ୍ତି: “ମୁଁ ଆମ୍ଭମାନଙ୍କ ଧର୍ମର ସର୍ବାପେକ୍ଷା କଠୋର ମତ ଅନୁସାରେ ଫାରୂଶୀ ହୋଇ ଜୀବନ ଯାପନ କଲି ।” (ପ୍ରେରି. ୨୬:୫) ଫାରୂଶୀ ହୋଇଥିବାରୁ ପାଉଲ ମସୀହଙ୍କ ଆଗମନର ଆଶା ରଖିଥିଲେ । ବର୍ତ୍ତମାନ ସେ ଯୀଶୁଙ୍କ ଏକ ଶିଷ୍ୟ ହୋଇଯାଇଛନ୍ତି । ଆଉ, ସେ ନିର୍ଭୟରେ କହନ୍ତି ଯେ ଯୀଶୁ ହିଁ ସେହି ମସୀହ, ଯାହାଙ୍କୁ ଲୋକେ ବହୁ ସମୟ ଧରି ଅପେକ୍ଷା କରିଥିଲେ । ଏହାପରେ ପାଉଲ କହନ୍ତି, ସେ ନିଜ ଅଭିଯୋଗକାରୀମାନଙ୍କ ଭଳି ଏହା ବିଶ୍ୱାସ କରନ୍ତି ଯେ ଈଶ୍ୱର ତାଙ୍କ ପୂର୍ବପୁରୁଷଙ୍କୁ ଯାହା ପ୍ରତିଜ୍ଞା କରିଥିଲେ, ତାହା ନିଶ୍ଚୟ ପୂରଣ ହେବ । ଆଉ, ଏହି କଥାକୁ ହିଁ ନେଇ ଆଜି ତାଙ୍କ ବିରୁଦ୍ଧରେ ମକଦ୍ଦମା ଚାଲୁଛି । ଏସବୁ ଶୁଣିବା ପରେ ପାଉଲଙ୍କ କଥା ପ୍ରତି ଅଗ୍ରିପ୍ପାଙ୍କ ଆଗ୍ରହ ଆହୁରି ବଢ଼ିଯାଏ ।

୧୧ ଏହାପରେ ପାଉଲ ଅତୀତର ଦିନଗୁଡ଼ିକ ବିଷୟରେ କହନ୍ତି, ଯେତେବେଳେ ସେ ଖ୍ରୀଷ୍ଟିୟାନମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । ସେ କହନ୍ତି: “ନାଜରିତୀୟ ଯୀଶୁଙ୍କ ନାମ ବିରୁଦ୍ଧରେ ମୋହର ଅନେକ କାର୍ଯ୍ୟ କରିବା ଯେ କର୍ତ୍ତବ୍ୟ, ଏହା ମୁଁ ନିଜେ ମନେ କରିଥିଲି । . . . ପୁଣି ସେମାନଙ୍କ [ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କ] ବିରୁଦ୍ଧରେ ଉନ୍ମତ୍ତ ହୋଇ ବିଦେଶୀୟ ନଗରଗୁଡ଼ିକ ପର୍ଯ୍ୟନ୍ତ ସୁଦ୍ଧା ସେମାନଙ୍କୁ ତାଡ଼ନା କରୁଥିଲି ।” (ପ୍ରେରି. ୨୬:୯-୧୧) ପାଉଲ ଏଠାରେ ଅତିରଞ୍ଚିତ କରି କହୁ ନ ଥିଲେ । ଅନେକ ଲୋକ ଜାଣନ୍ତି ଯେ ପାଉଲ ଏକଦା ସତରେ ବହୁତ ନିଷ୍ଠୁର ଥିଲେ ଏବଂ ଖ୍ରୀଷ୍ଟିୟାନମାନଙ୍କ ଉପରେ ଅତ୍ୟନ୍ତ ଅତ୍ୟାଚାର କରୁଥିଲେ । (ଗାଲା. ୧:୧୩, ୨୩) ତେଣୁ ଅଗ୍ରିପ୍ପା ଏବେ ଜାଣିବାକୁ ଚାହାନ୍ତି ଯେ ଖ୍ରୀଷ୍ଟିୟାନମାନଙ୍କର ଏହି ବଡ଼ ଶତ୍ରୁ ନିଜେ କିପରି ଏକ ଖ୍ରୀଷ୍ଟିୟାନ ହୋଇଗଲା ।

୧୨ ପାଉଲ କହନ୍ତି ଯେ ସେ କିପରି ଜଣେ ଖ୍ରୀଷ୍ଟିୟାନ ହେଲେ: “ପ୍ରଧାନ ଯାଜକମାନଙ୍କଠାରୁ କ୍ଷମତା ଓ ଆଜ୍ଞାପତ୍ର ଘେନି ଦାମାସ୍‌କସ୍‌କୁ ଯାଉଥିବା ସମୟରେ, ହେ ରାଜନ୍‌, ମଧ୍ୟାହ୍ନ କାଳରେ ପଥ ମଧ୍ୟରେ ଆକାଶରୁ ସୂର୍ଯ୍ୟଠାରୁ ଅଧିକ ତେଜୋମୟ ଆଲୋକ, ମୋହର ଓ ମୋʼ ସହଯାତ୍ରୀମାନଙ୍କ ଚତୁର୍ଦ୍ଦିଗରେ ପ୍ରକାଶମାନ ହେବାର ଦେଖିଲି । ଆମ୍ଭେମାନେ ସମସ୍ତେ ଭୂମିରେ ପଡ଼ିଯାଆନ୍ତେ, ମୁଁ ଏବ୍ରୀ ଭାଷାରେ ମୋʼ ପ୍ରତି ଏହି ବାଣୀ ଶୁଣିଲି, ଶାଉଲ, ଶାଉଲ, କାହିଁକି ଆମ୍ଭକୁ ତାଡ଼ନା କରୁଅଛ? ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା ତୁମ୍ଭ ପକ୍ଷରେ କଷ୍ଟକର । ସେଥିରେ ମୁଁ କହିଲି, ପ୍ରଭୋ ଆପଣ କିଏ? ତେଣୁ ପ୍ରଭୁ କହିଲେ, ଯେଉଁ ଯୀଶୁଙ୍କୁ ତୁମ୍ଭେ ତାଡ଼ନା କରୁଅଛ, ଆମ୍ଭେ ସେହି ।”—ପ୍ରେରି. ୨୬:୧୨-୧୫.

୧୩ ଏହି ଅଲୌକିକ ଦର୍ଶନ ପାଇବା ପୂର୍ବରୁ ପାଉଲ ସତେ ଯେପରି “ପାଞ୍ଚଣ କଣ୍ଟାମୁନରେ ଗୋଇଠା” ମାରୁଥିଲେ । ଠିକ୍‌ ଯେପରି ଗୋଟେ ପଶୁ ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରି ନିଜକୁ କ୍ଷତି ପହଞ୍ଚାଏ, ସେହିପରି ପାଉଲ ମଧ୍ୟ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ କାମ କରି ଆଧ୍ୟାତ୍ମିକ ଭାବେ ନିଜର ହିଁ କ୍ଷତି କରୁଥିଲେ । ପ୍ରକୃତରେ ପାଉଲ ହୃଦୟରୁ ଜଣେ ଭଲ ଲୋକ ଥିଲେ । କିନ୍ତୁ ତାଙ୍କୁ ବାଟବଣା କରାଯାଇଥିଲା । ତେଣୁ, ପୁନରୁତ୍ଥାନ କରାଯାଇଥିବା ଯୀଶୁ ଦାମାସ୍‌କସ୍‌ର ରାସ୍ତାରେ ତାଙ୍କୁ ଦର୍ଶନ ଦେଲେ ଏବଂ ତାଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବାରେ ତାଙ୍କୁ ସାହାଯ୍ୟ କଲେ ।—ଯୋହ. ୧୬:୧, ୨.

୧୪ ପାଉଲ ପ୍ରକୃତରେ ନିଜ ଜୀବନରେ ବଡ଼ ବଡ଼ ପରିବର୍ତ୍ତନ କରିଥିଲେ । ଅଗ୍ରିପ୍ପାଙ୍କ ସହ କଥା ହେବା ସମୟରେ ସେ କହିଲେ: “ମୁଁ ସେହି ସ୍ୱର୍ଗୀୟ ଦର୍ଶନର ଅବାଧ୍ୟ ହେଲି ନାହିଁ, କିନ୍ତୁ ପ୍ରଥମେ ଦାମାସ୍‌କସ୍‌ର ଓ ଯିରୂଶାଲମର ଲୋକମାନଙ୍କ ନିକଟରେ, ପରେ ଯିହୁଦା ପ୍ରଦେଶର ସମସ୍ତ ଅଞ୍ଚଳରେ, ପୁଣି ବିଜାତିମାନଙ୍କ ନିକଟରେ ମଧ୍ୟ ପ୍ରଚାର କରିବାକୁ ଲାଗିଲି, ଯେପରି ସେମାନେ ମନ ପରିବର୍ତ୍ତନ କରି ଈଶ୍ୱରଙ୍କ ପ୍ରତି ଫେରିଆସନ୍ତି ଓ ମନ ପରିବର୍ତ୍ତନର ଉପଯୁକ୍ତ କାର୍ଯ୍ୟ କରନ୍ତି ।” (ପ୍ରେରି. ୨୬:୧୯, ୨୦) ଦର୍ଶନରେ ଯୀଶୁ ଖ୍ରୀଷ୍ଟ ପାଉଲଙ୍କୁ ଯେଉଁ କାମ ଦେଲେ, ତାକୁ ସେ ବହୁ ବର୍ଷ ଧରି କରି ଆସୁଥିଲେ । ଏହାର କʼଣ ଭଲ ପରିଣାମ ହେଲା? ଯେଉଁ ଲୋକମାନେ ପାଉଲ କହିଥିବା ସୁସମାଚାର ଉପରେ ବିଶ୍ୱାସ କଲେ, ସେମାନେ ଅନୈତିକ ଜୀବନ ଓ ଅସତ୍‌ କାମ ପରିତ୍ୟାଗ କଲେ ଏବଂ ଈଶ୍ୱରଙ୍କ ଆଡ଼କୁ ଫେରି ଆସିଲେ । ସେମାନେ ଦେଶର ଭଲ ନାଗରିକ ହେଲେ ଏବଂ ଆଇନ ବ୍ୟବସ୍ଥାକୁ ମାନିବାକୁ ଲାଗିଲେ ।

୧୫ କିନ୍ତୁ ପାଉଲଙ୍କୁ ବିରୋଧ କରୁଥିବା ଯିହୁଦୀମାନଙ୍କ ପାଇଁ ଏସବୁ କୌଣସି ମହତ୍ତ୍ୱ ରଖୁ ନ ଥିଲା । ପାଉଲ କହନ୍ତି: “ଏହି କାରଣରୁ ଯିହୁଦୀମାନେ ମନ୍ଦିର ମଧ୍ୟରେ ମୋତେ ଧରି ବଧ କରିବାକୁ ଚେଷ୍ଟା କରୁଥିଲେ । ଅତଏବ, ଈଶ୍ୱରଙ୍କଠାରୁ ସାହାଯ୍ୟ ପ୍ରାଯ୍ତ ହୋଇ ମୁଁ ଆଜି ପର୍ଯ୍ୟନ୍ତ କ୍ଷୁଦ୍ର ଓ ମହାନ ସମସ୍ତଙ୍କ ନିକଟରେ ସାକ୍ଷ୍ୟ ଦେଇ ଆସୁଅଛି ।”—ପ୍ରେରି. ୨୬:୨୧, ୨୨.

୧୬ ଆମେ ସତ୍ୟ ଖ୍ରୀଷ୍ଟିୟାନ ହୋଇଥିବାରୁ ଯଦି କେହି ଆମକୁ ନିଜ ବିଶ୍ୱାସ ବିଷୟରେ ପ୍ରଶ୍ନ କରେ, ତାଙ୍କୁ ଆମେ “ପ୍ରତ୍ୟୁତ୍ତର ଦେବାକୁ ପ୍ରସ୍ତୁ” ରହିବା ଉଚିତ୍‌ । (୧ ପିତ. ୩:୧୫) ଯେତେବେଳେ ଆମେ ନିଜ ବିଶ୍ୱାସ ବିଷୟରେ ବିଚାରପତି ଓ ଅଧିକାରୀମାନଙ୍କ ସହ କଥା ହେଉ, ଆମେ ମଧ୍ୟ ପାଉଲଙ୍କ ପଦ୍ଧତିକୁ ଆପଣାଇପାରିବା, କାରଣ ଏହାର ଭଲ ପରିଣାମ ହୋଇପାରେ । ଫେଷ୍ଟ ଓ ଅଗ୍ରିପ୍ପାଙ୍କୁ ପାଉଲ ଆଦରର ସହ ଜଣାଇଲେ ଯେ ସୁସମାଚାରରୁ କʼଣ କʼଣ ଲାଭ ହେଲା । ଠିକ୍‌ ସେହିପରି ଆମେ ମଧ୍ୟ ଅଧିକାରୀ ଓ ବିଚାରପତିମାନଙ୍କୁ କହିପାରିବା ଯେ ବାଇବଲର ସତ୍ୟଗୁଡ଼ିକ କିପରି ଆମ ଜୀବନକୁ ବଦଳାଇ ଦେଇଛି ଏବଂ ଯେଉଁମାନେ ଆମର ବାର୍ତ୍ତା ସ୍ୱୀକାର କରିଛନ୍ତି, ସେମାନଙ୍କ ଜୀବନ ମଧ୍ୟ କିପରି ସୁଖମୟ ହୋଇଛି । ଏସବୁ ଶୁଣିଲା ପରେ ହୁଏତ ଆମ ବିଷୟରେ ସେମାନଙ୍କ ମନୋଭାବ ବଦଳିଯାଇପାରେ ଏବଂ ସେମାନେ ଆମ ସହ ଟିକେ କୋମଳତାର ସହ ବ୍ୟବହାର କରିପାରନ୍ତି ।

ସାକ୍ଷ୍ୟ ଦିଅ (ହିନ୍ଦୀ) ୨୦୨ ¶୧୮

“ମୁଁ କାଇସରଙ୍କ ଛାମୁରେ ବିଚାରିତ ହେବା ନିମନ୍ତେ ପ୍ରାର୍ଥନା କରୁଅଛି”

୧୮ ପାଉଲଙ୍କଠାରେ ରାଜ୍ୟପାଳଙ୍କ ପ୍ରଶ୍ନର ଉତ୍ତର ଥିଲା । ସେ କହନ୍ତି: “ହେ ମହାମହିମ ଫେଷ୍ଟ, ମୁଁ ପାଗଳ ନୁହେଁ; ମାତ୍ର ସତ୍ୟ ଓ ସ୍ଥିର ବୁଦ୍ଧିର ବାକ୍ୟ ବ୍ୟକ୍ତ କରୁଅଛି । ରାଜା ତ ଏସମସ୍ତ ବିଷୟ ଜାଣନ୍ତି, ଆଉ ମୁଁ ତାଙ୍କ ଛାମୁରେ ମଧ୍ୟ ସାହସରେ କଥା କହୁଅଛି । . . . ହେ ରାଜନ୍‌ ଅଗ୍ରିପ୍ପା, ଆପଣ କଅଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି? ଆପଣ ବିଶ୍ୱାସ କରନ୍ତି ବୋଲି ମୁଁ ଜାଣେ ।” ଅଗ୍ରିପ୍ପା କୁହନ୍ତି: “ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ଟିୟାନ କରି ପାର ବୋଲି ମନେ କରୁଅଛ ।” (ପ୍ରେରି ୨୬:୨୫-୨୮) ଅଗ୍ରିପ୍ପା ଏକଥା ହୃଦୟରୁ କହିଥିଲେ କି ନାହିଁ, ତାହା ଆମେ ଜାଣି ନାହୁଁ । କିନ୍ତୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ଜଣା ପଡ଼େ ଯେ ପାଉଲଙ୍କ ସାକ୍ଷ୍ୟ ଏହି ରାଜାଙ୍କ ଉପରେ ଗଭୀର ପ୍ରଭାବ ପକାଇଲା ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ପ୍ରେରି ୨୬:୧୪ ଅଧ୍ୟୟନ ତଥ୍ୟ

ପାଞ୍ଚଣ କଣ୍ଟାମୁନରେ ଗୋଇଠା ମାରିବା: ପାଞ୍ଚଣ କଣ୍ଟାମୁନ ଏକ ମୁନିଆ ବାଡ଼ି ଅଟେ, ଯେଉଁଥିରେ ଗୋଟିଏ ପଶୁକୁ କେଞ୍ଚାଯାଏ । (ବିଚା ୩:୩୧) କିନ୍ତୁ ଯେତେବେଳେ ଗୋଟେ ବଳଦକୁ ପାଞ୍ଚଣ କଣ୍ଟାମୁନରେ କେଞ୍ଚାଯାଏ, ବେଳେ ବେଳେ ସେ ତାକୁ ବିରୋଧ କରେ ଏବଂ ଏହାକୁ ଗୋଇଠା ମାରେ । ଏପରି ଜିଦ୍‌ କରିବା ଦ୍ୱାରା ତାକୁ ହିଁ ଆଘାତ ହୁଏ । ଏଥିରୁ ହିଁ ଏହି ଲୋକକଥା ଆସିଛି— “ପାଞ୍ଚଣ କଣ୍ଟାମୁନକୁ ଗୋଇଠା ମାରିବା ।” ଏହି ଲୋକକଥା ଗ୍ରୀକ୍‌ ସାହିତ୍ୟରେ ମିଳିଥାଏ । ଶାଉଲ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ଖ୍ରୀଷ୍ଟିୟାନମାନଙ୍କର ବିରୋଧ କରୁଥିଲେ ଏବଂ ସେମାନଙ୍କ ଉପରେ ଅତ୍ୟାଚାର କରୁଥିଲେ । କିନ୍ତୁ ଖ୍ରୀଷ୍ଟିୟାନମାନଙ୍କ ଉପରେ ଯିହୋବାଙ୍କର ମଞ୍ଜୁରି ଥିଲା । ତେଣୁ ପାଉଲ ଖ୍ରୀଷ୍ଟିୟାନମାନଙ୍କ ବିରୋଧ କରି ପ୍ରକୃତରେ ନିଜକୁ ହିଁ ଆଘାତ ପହଞ୍ଚାଉଥିଲେ । (ପ୍ରେରି ୫:୩୮, ୩୯; ୧ତୀମ ୧:୧୩, ୧୪ ସହିତ ତୁଳନା କରନ୍ତୁ ।) ଉପ ୧୨:୧୧ ପଦରେ ଜଣେ ବୁଦ୍ଧିମାନ ବ୍ୟକ୍ତିର କଥାଗୁଡ଼ିକୁ “ଅଙ୍କୁଶ” ବା ପାଞ୍ଚଣ କଣ୍ଟାମୁନ ସହ ତୁଳନା କରାଯାଇଛି । କାରଣ ତାଙ୍କ କଥାଗୁଡ଼ିକ ଲୋକମାନଙ୍କୁ ଭଲ ପରାମର୍ଶଗୁଡ଼ିକୁ ମାନିବା ପାଇଁ ପ୍ରେରିତ କରେ ।

ନୂତନ ଜଗତ ଅନୁବାଦ ଶବ୍ଦାବଳୀ (ହିନ୍ଦୀ)

ପାଞ୍ଚଣ କଣ୍ଟାମୁନ [ଅଙ୍କୁଶ, (ହିନ୍ଦୀ)] । ଗୋଟିଏ ଲମ୍ବା ବାଡ଼ି, ଯାହାର ଅଗ୍ରଭାଗ କୌଣସି ଧାତୁରେ ତିଆରି ହେଉଥିଲା ଏବଂ ମୁନିଆ ରହୁଥିଲା । ଏହା ସାହାଯ୍ୟରେ ଚାଷୀ ନିଜ ପଶୁକୁ କେଞ୍ଚୁଥିଲା । ପାଞ୍ଚଣ କଣ୍ଟାମୁନକୁ ବୁଦ୍ଧିମାନ ବ୍ୟକ୍ତିର କଥା ସହ ତୁଳନା କରାଯାଇଛି, ଯାହା ବୁଦ୍ଧିଭରା ପରାମର୍ଶଗୁଡ଼ିକୁ ମାନିବାରେ ଶ୍ରୋତାମାନଙ୍କୁ ପ୍ରେରିତ କରେ । ଯେତେବେଳେ ଗୋଟେ ଜିଦ୍‌ଖୋର ବଳଦକୁ ବାରମ୍ବାର କେଞ୍ଚାଯାଏ, ସେ ଏହାର ବିରୋଧ କରିବାକୁ ଯାଇ ଅଙ୍କୁଶ ବା ପାଞ୍ଚଣ କଣ୍ଟାମୁନକୁ ଗୋଇଠା ମାରେ ଏବଂ ନିଜକୁ ହିଁ ଆଘାତ ପହଞ୍ଚାଏ । ଏହାକୁ ଧ୍ୟାନରେ ରଖି “ପାଞ୍ଚଣ କଣ୍ଟାମୁନକୁ ଗୋଇଠା ମାରିବା,” ଶବ୍ଦସମୂହକୁ ଆଳଙ୍କାରିକ ଅର୍ଥରେ ବ୍ୟବହାର କରାଯାଇଛି ।—ପ୍ରେରି ୨୬:୧୪; ବିଚା ୩:୩୧.

ପ୍ର୦୩-ହି ୧୧/୧୫ ୧୬-୧୭ ¶୧୪

ରାଜ୍ୟର ବାର୍ତ୍ତା ସ୍ୱୀକାର କରିବା ପାଇଁ ଅନ୍ୟକୁ ସାହାଯ୍ୟ କରନ୍ତୁ

୧୪ ପାଉଲ ଜାଣିଥିଲେ ଯେ ଅଗ୍ରିପ୍ପା ଜଣେ ଯିହୁଦୀ ହେବାର ଦାବି କରୁଥିଲେ । ଯିହୁଦୀ ଧର୍ମ ବିଷୟରେ ଅଗ୍ରିପ୍ପାଙ୍କ ଜ୍ଞାନକୁ ପାଉଲ ପ୍ରଶଂସା କରି ତାଙ୍କ ସମ୍ମୁଖରେ ତର୍କ କରନ୍ତି ଯେ ସେ ଯୀଶୁଙ୍କ ମୃତ୍ୟୁ ଓ ତାଙ୍କ ପୁନରୁତ୍ଥାନ ବିଷୟରେ “ଭାବବାଦୀମାନେ ଓ ମୋଶା ଯାହା ଘଟିବ ବୋଲି କହିଅଛନ୍ତି, ସେହିସବୁ ଛଡ଼ା ଆଉ କିଛି କହୁ” ନାହାନ୍ତି । (ପ୍ରେରିତ ୨୬:୨୨, ୨୩) ଏହାପରେ ସେ ଅଗ୍ରିପ୍ପାଙ୍କୁ ସିଧା ସିଧା ପଚାରନ୍ତି: “ହେ ରାଜନ୍‌ ଅଗ୍ରିପ୍ପା, ଆପଣ କଅଣ ଭାବବାଦୀମାନଙ୍କୁ ବିଶ୍ୱାସ କରନ୍ତି?” ଏବେ ଅଗ୍ରିପ୍ପା ଚିନ୍ତାରେ ପଡ଼ିଗଲେ । ଯଦି ସେ କହନ୍ତେ ଯେ ସେ ଭାବବାଦୀମାନଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ଯିହୁଦୀ-ବିଶ୍ୱାସୀ ହେବାର ତାଙ୍କ ମାନ ସମ୍ମାନ ମାଟିରେ ମିଶିଯାʼନ୍ତା । କିନ୍ତୁ ଯଦି ସେ ପାଉଲଙ୍କ ତର୍କରେ ସହମତ ହୁଅନ୍ତେ, ତେବେ ସମସ୍ତଙ୍କ ସାମନାରେ ଏହା ପ୍ରମାଣିତ ହୁଅନ୍ତା ଯେ ସେ ପାଉଲଙ୍କ ପକ୍ଷ ନେଉଛନ୍ତି ଏବଂ ତାଙ୍କୁ ଖ୍ରୀଷ୍ଟିୟାନ ଭାବେ ପରିଚିତ ହେବାକୁ ପଡ଼ନ୍ତା, ଯାହା ତାଙ୍କ ପାଇଁ ଏକ ବିପଦ ଥିଲା । ତେଣୁ ପାଉଲ ବୁଦ୍ଧିମତ୍ତାର ସହ ନିଜ ପ୍ରଶ୍ନର ଉତ୍ତର ନିଜେ ଦିଅନ୍ତି, “ଆପଣ ବିଶ୍ୱାସ କରନ୍ତି ବୋଲି ମୁଁ ଜାଣେ ।” ଏହା ଶୁଣି ଅଗ୍ରିପ୍ପାଙ୍କ ହୃଦୟ ତାଙ୍କୁ କʼଣ କହିବା ପାଇଁ ପ୍ରେରିତ କଲା? ସେ କହିଲେ: “ଅଳ୍ପ କଥାରେ ତ ତୁମ୍ଭେ ଆମ୍ଭକୁ ଖ୍ରୀଷ୍ଟିୟାନ କରି ପାର ବୋଲି ମନେ କରୁଅଛ ।” (ପ୍ରେରିତ ୨୬:୨୭, ୨୮) ଯଦିଓ ଅଗ୍ରିପ୍ପା ଖ୍ରୀଷ୍ଟିୟାନ ହେଲେ ନାହିଁ, ତଥାପି ପାଉଲଙ୍କ ବାର୍ତ୍ତା ତାଙ୍କ ହୃଦୟରେ ଯଥେଷ୍ଟ ପ୍ରଭାବ ପକାଇଲା ।—ଏବ୍ରୀ ୪:୧୨.

୨୮ ଜାନୁୟାରୀ–୩ ଫେବୃୟାରୀ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ପ୍ରେରିତ ୨୭-୨୮

“ଜାହାଜରେ ପାଉଲଙ୍କ ରୋମ୍‌ ଯାତ୍ରା”

ସାକ୍ଷ୍ୟ ଦିଅ (ହିନ୍ଦୀ) ୨୦୮ ¶୧୫

“ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣ ନାଶ ହେବ ନାହିଁ”

୧୫ ପାଉଲ ଆଗରୁ ମଧ୍ୟ ଜାହାଜରେ ଅନେକଙ୍କୁ ସାକ୍ଷ୍ୟ ଦେଇଥିବେ ଏବଂ ସେମାନଙ୍କୁ “ଈଶ୍ୱର ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞାର ପ୍ରତ୍ୟାଶା” ବିଷୟରେ କହିଥିବେ । (ପ୍ରେରି. ୨୬:୬; କଲ. ୧:୫) କିନ୍ତୁ, ବର୍ତ୍ତମାନ ଯେହେତୁ ଜାହାଜ ଦୁର୍ଘଟଣା ହେବ ବୋଲି ସ୍ପଷ୍ଟ ଦେଖାଯାଉଛି । ତେଣୁ ସେ ସେମାନଙ୍କୁ ଆଉ ଏକ ଆଶା ବିଷୟରେ କହନ୍ତି, ଯାହାର ଏସମୟରେ ସେମାନଙ୍କୁ ବିଶେଷ ଆବଶ୍ୟକତା ରହିଛି । ସେହି ଆଶା ହେଉଛି, ସେମାନେ ସମସ୍ତେ ଝଡ଼ରୁ ରକ୍ଷା ପାଇଯିବେ । ଆଉ, ଏହା ପ୍ରତି ଭରସା ରଖିବା ପାଇଁ ସେ ସେମାନଙ୍କୁ ଏକ ଠୋସ୍‌ କାରଣ ଦେଇ କହନ୍ତି: ଈଶ୍ୱରଙ୍କ “ଜଣେ ଦୂତ ଏହି ରାତ୍ରିରେ ମୋʼ ପାଖରେ ଠିଆ ହୋଇ କହିଲେ, ପାଉଲ, ଭୟ କର ନାହିଁ; କାଇସରଙ୍କ ସମ୍ମୁଖରେ ତୁମ୍ଭକୁ ଠିଆ ହେବାକୁ ହେବ, ଆଉ ଦେଖ, ତୁମ୍ଭର ସହଯାତ୍ରୀସମସ୍ତଙ୍କୁ ଈଶ୍ୱର ତୁମ୍ଭକୁ ଦାନ କରିଅଛନ୍ତି ।” ତାʼପରେ ପାଉଲ ସେମାନଙ୍କୁ କହନ୍ତି: “ଅତଏବ, ମହାଶୟମାନେ, ସାହସ ଧରନ୍ତୁ, କାରଣ ଈଶ୍ୱରଙ୍କଠାରେ ମୋହର ବିଶ୍ୱାସ ଅଛି ଯେ, ମୋତେ ଯେପରି କୁହା ହୋଇଅଛି, ଠିକ୍‌ ସେହିପରି ଘଟିବ । କିନ୍ତୁ ଆମ୍ଭମାନଙ୍କୁ କୌଣସି ଗୋଟିଏ ଦ୍ୱୀପରେ ଯାଇ ପଡ଼ିବାକୁ ହେବ ।”—ପ୍ରେରି ୨୭:୨୩-୨୬.

ସାକ୍ଷ୍ୟ ଦିଅ (ହିନ୍ଦୀ) ୨୦୯-୨୧୦ ¶୧୮

“ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣ ନାଶ ହେବ ନାହିଁ”

୧୮ ଏହା ମେଲିତୀ ଦ୍ୱୀପ ଅଟେ, ଯାହା ସିସିଲି ଦ୍ୱୀପର ଦକ୍ଷିଣରେ ଅବସ୍ଥିତ । (“ମେଲିତୀ କେଉଁଠି ଥିଲା?” ବକ୍ସ ଦେଖନ୍ତୁ ।) ଏହି ଦ୍ୱୀପର ଲୋକମାନଙ୍କର ଭାଷା ଓ ସଂସ୍କୃତି ପୂରାପୂରି ଅଲଗା । ସେମାନେ ଏହି ଅଜଣା ଯାତ୍ରୀମାନଙ୍କୁ “ଅସାଧାରଣ ଦୟା ଦେଖାଇଲେ ।” (ପ୍ରେରି. ୨୮:୨) ପାଣିରେ ତିନ୍ତି ଭିଜି ଯାଇଥିବା ଓ ଥଣ୍ଡାରେ ଥରୁଥିବା ଏହି ଅଚିହ୍ନା ଯାତ୍ରୀମାନଙ୍କ ପାଇଁ ସେମାନେ ନିଆଁ ଜାଳିଲେ । ବର୍ଷା ଓ ଥଣ୍ଡା ହେଉଥିବା ସତ୍ତ୍ୱେ ଏହି ନିଆଁରୁ ସେମାନଙ୍କୁ ଟିକେ ଆରାମ ମିଳିଲା । ଆଉ, ଏହି ନିଆଁ ଯୋଗୁଁ ସେମାନଙ୍କୁ ଏକ ଅଲୌକିକ ଘଟଣା ଦେଖିବାକୁ ସୁଯୋଗ ମିଳିଲା ।

ସାକ୍ଷ୍ୟ ଦିଅ (ହିନ୍ଦୀ) ୨୧୦ ¶୨୧

“ଆପଣମାନଙ୍କ ମଧ୍ୟରେ କାହାର ପ୍ରାଣ ନାଶ ହେବ ନାହିଁ”

୨୧ ମେଲିତୀରେ ପୁବ୍ଳିୟ ନାମକ ଜଣେ ଧନୀ ବ୍ୟକ୍ତି ରହୁଥିଲେ, ଯାହାଙ୍କର ଖୁବ୍‌ ଜମି ଥିଲା । ସେ ହୁଏତ ମେଲିତୀର ରୋମୀୟ ଅଧିକାରୀମାନଙ୍କ ମଧ୍ୟରେ ସବୁଠାରୁ ବଡ଼ ଅଧିକାରୀ ଥିଲେ । ଲୂକ ଏହି ବ୍ୟକ୍ତିଙ୍କୁ “ଦ୍ୱୀପର ପ୍ରଧାନ” ବୋଲି କହନ୍ତି । ମେଲିତୀରେ ମିଳିଥିବା ଦୁଇଟି ଖୋଦିତ ଲିପି ମଧ୍ୟ ଏକଥାକୁ ପ୍ରମାଣିତ କରେ ଯେ ସେଠାରେ ଏଭଳି ଉପାଧିଗୁଡ଼ିକ ବ୍ୟବହାର କରାଯାଉଥିଲା । ପୁବ୍ଳିୟ ତିନି ଦିନ ପର୍ଯ୍ୟନ୍ତ ପାଉଲ ଓ ତାଙ୍କ ସାଥୀମାନଙ୍କୁ ଅତିଥି ସତ୍କାର କରନ୍ତି । କିନ୍ତୁ ସେସମୟରେ ପୁବ୍ଳିୟଙ୍କ ପିତା ଅସୁସ୍ଥ ଥିଲେ । ଲୂକ ତାଙ୍କ ଶାରୀରିକ ଅବସ୍ଥାକୁ ସଠିକ୍‌ ଶବ୍ଦରେ କହିଛନ୍ତି । ସେ ଲେଖିଛନ୍ତି ଯେ ପୁବ୍ଳିୟଙ୍କ ପିତା “ଜ୍ୱର ଓ ଆମାଶୟ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଥିଲେ ।” ଏଭଳି ଭାବେ ସେ ସେହି ବ୍ୟକ୍ତିଙ୍କ ରୋଗର ସଠିକ୍‌ ତଥ୍ୟ ଦିଅନ୍ତି । ପାଉଲ ଯେତେବେଳେ ସେହି ବ୍ୟକ୍ତିଙ୍କ ପାଇଁ ପ୍ରାର୍ଥନା କରନ୍ତି ଏବଂ ତାଙ୍କ ଉପରେ ହାତ ରଖନ୍ତି, ତାଙ୍କ ରୋଗ ଦୂର ହୋଇଯାଏ । ଏହି ଆଶ୍ଚର୍ଯ୍ୟକର୍ମ ଦେଖି ସେଠାକାର ଲୋକେ ଅନେକ ରୋଗୀମାନଙ୍କୁ ପାଉଲଙ୍କ ପାଖକୁ ଆଣନ୍ତି ଏବଂ ସେ ସେମାନଙ୍କୁ ସୁସ୍ଥ କରନ୍ତି । ତାʼପରେ ଲୋକେ ପାଉଲ ଓ ତାଙ୍କ ସାଥୀମାନଙ୍କୁ ବହୁତଗୁଡ଼ିଏ ଜରୁରୀ ଜିନିଷସବୁ ଉପହାର ଦିଅନ୍ତି ।—ପ୍ରେରି. ୨୮:୭-୧୦.

ସାକ୍ଷ୍ୟ ଦିଅ (ହିନ୍ଦୀ) ୨୧୩ ¶୧୦

ସେ ଭଲ ଭାବେ “ସାକ୍ଷ୍ୟ ଦେଲେ”

୧୦ ଏହି ଯାତ୍ରୀ ଭାଇମାନଙ୍କ ଦଳ ଶେଷରେ ରୋମ୍‌କୁ ପହଞ୍ଚେ । ରୋମ୍‌ରେ “ପାଉଲଙ୍କୁ ଆପଣା ପ୍ରହରୀସୈନ୍ୟ ସହିତ ସ୍ୱତନ୍ତ୍ର ବାସ କରିବା ନିମନ୍ତେ ଅନୁମତି ଦିଆଗଲା ।” (ପ୍ରେରି. ୨୮:୧୬) ପାଉଲଙ୍କ ହାତକୁ ଶିକୁଳିରେ ବନ୍ଧାଯାଇ ଜଣେ ସୈନିକଙ୍କ ହାତ ସହ ଯୋଡ଼ି ଦିଆଯାଏ । ସାଧାରଣତଃ ଯେତେବେଳେ କୌଣସି ବ୍ୟକ୍ତିକୁ ନଜରବନ୍ଦୀ ଭାବେ ରଖାଯାଉଥିଲା, ତାକୁ ଏପରି ଭାବେ ବନ୍ଧା ଯାଉଥିଲା, ଯାହାଫଳରେ ସେ ପଳାଇପାରିବ ନାହିଁ । କିନ୍ତୁ ଏଭଳି ପରିସ୍ଥିତିରେ ମଧ୍ୟ ପାଉଲ ଈଶ୍ୱରଙ୍କ ରାଜ୍ୟ ବିଷୟରେ ସାକ୍ଷ୍ୟ ଦେବା ଛାଡ଼ନ୍ତି ନାହିଁ । କୌଣସି ଶିକୁଳି ତାଙ୍କ ମୁହଁ ବନ୍ଦ କରିପାରିଲା ନାହିଁ । ଯାତ୍ରାର କ୍ଳାନ୍ତ ଦୂର କରିବା ପାଇଁ ମାତ୍ର ତିନି ଦିନ ଆରାମ କରିବା ପରେ ସେ ରୋମ୍‌ର ଯିହୁଦୀମାନଙ୍କର ପ୍ରଧାନ ପ୍ରଧାନ ବ୍ୟକ୍ତିମାନଙ୍କୁ ନିଜ ପାଖକୁ ଡାକନ୍ତି । ସେ ସେମାନଙ୍କୁ ନିଜ ବିଷୟରେ କିଛି କହିବା ପରେ ସାକ୍ଷ୍ୟ ଦେବା ଆରମ୍ଭ କରିଦିଅନ୍ତି ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଅଧ୍ୟୟନ ବାଇବଲ—ପ୍ରେରି ୨୭:୯ ଅଧ୍ୟୟନ ତଥ୍ୟ

ଉପବାସ ପର୍ବ (ପ୍ରାୟଶ୍ଚିତ୍ତଦିନ, ପାଦ.): କିମ୍ବା “ଶରତ ଋତୁର ଉପବାସ ।” ଶା., “ଉପବାସ ।” ଯେଉଁ ଗ୍ରୀକ୍‌ ଶବ୍ଦର ଅନୁବାଦ “ଉପବାସ” କରାଯାଇଛି, ତାʼର ଅର୍ଥ ମୋଶାଙ୍କ ନିୟମରେ କୁହାଯାଇଥିବା ଏକମାତ୍ର ଉପବାସ ଅଟେ । ଏହି ଉପବାସ ପ୍ରତିବର୍ଷ ପ୍ରାୟଶ୍ଚିତ୍ତଦିନ ରଖାଯାଉଥିଲା । ଏହାକୁ ୟୋମ କିପ୍ପୁର ମଧ୍ୟ କୁହାଯାଉଥିଲା । (ଏବ୍ରୀରେ ୟୋହମ ହାକ୍କିପୁରିମ; “ଢାଙ୍କିବାର ଦିନ ।”) [ଲେବୀ ୧୬:୨୯-୩୧; ୨୩:୨୬-୩୨; ଗଣ ୨୯:୭; ଶବ୍ଦାବଳୀରେ (ହିନ୍ଦୀ) “ପ୍ରାୟଶ୍ଚିତ୍ତର ଦିନ” ଦେଖନ୍ତୁ ।] ପ୍ରାୟଶ୍ଚିତ୍ତଦିନରେ ଇସ୍ରାଏଲୀୟମାନଙ୍କୁ ନିଜ ‘ପ୍ରାଣକୁ କ୍ଳେଶ ଦେବାକୁ’ ହେଉଥିଲା । ଏଥିରୁ ଜଣାପଡ଼େ ଯେ ସେମାନଙ୍କୁ ଅନେକଗୁଡ଼ିଏ ତ୍ୟାଗ କରିବାକୁ ପଡ଼ୁଥିଲା ଏବଂ ଉପବାସ ମଧ୍ୟ କରିବାକୁ ପଡ଼ୁଥିଲା । (ଲେବୀ ୧୬:୨୯) ପ୍ରେରି ୨୭:୯ ପଦରେ ମଧ୍ୟ “ଉପବାସ” ବିଷୟରେ କୁହାଯାଇଛି । ଏଥିରୁ ମଧ୍ୟ ପ୍ରମାଣିତ ହୁଏ ଯେ ପ୍ରାୟଶ୍ଚିତ୍ତଦିନରେ ଲୋକମାନଙ୍କୁ ଯେଉଁସବୁ ତ୍ୟାଗ କରିବାକୁ ହେଉଥିଲା, ସେଥିରେ ବିଶେଷ କରି ଉପବାସ କରିବା ସାମିଲ୍‌ ଥିଲା । ଉପବାସ ପର୍ବ ସେପ୍ଟେମ୍ବର ମାସର ଶେଷ ଦିନଗୁଡ଼ିକ କିମ୍ବା ଅକ୍ଟୋବର ମାସର ପ୍ରାରମ୍ଭିକ ଦିନଗୁଡ଼ିକ ମଧ୍ୟରୁ କୌଣସି ଏକ ଦିନରେ ପଡ଼ୁଥିଲା ।

ଅଧ୍ୟୟନ ବାଇବଲ—ପ୍ରେରି ୨୮:୧୧ ଅଧ୍ୟୟନ ତଥ୍ୟ

ମିଥୁନ [ଯମଜ ଭ୍ରାତା, NIBV]: ଗ୍ରୀକ୍‌ ଓ ରୋମୀୟ ପୁରାଣ ଶାସ୍ତ୍ର ଅନୁଯାୟୀ “ମିଥୁନ” (ଗ୍ରୀକ୍‌, ଦିୟୁସକୁରି) କାଷ୍ଟର ଓ ପୋଲକ୍‌ସ ଥିଲେ । ସେମାନେ ଜିଅସ୍‌ (ବୃହସ୍ପତି ଦେବତା) ଓ ସ୍ପାର୍ଟାର ରାଣୀ ଲେଡାଙ୍କ ଯାଆଁଳା ପୁତ୍ର ଥିଲେ । ଲୋକେ ବିଶ୍ୱାସ କରୁଥିଲେ ଯେ ଜିଅସ୍‌ଙ୍କ ଏହି ପୁତ୍ରମାନେ ନାବିକମାନଙ୍କୁ ସୁରକ୍ଷା ଦେଉଥିଲେ ଏବଂ ସମୁଦ୍ରରେ ଆସୁଥିବା ବିପଦଗୁଡ଼ିକରୁ ରକ୍ଷା କରିବା ପାଇଁ ସେମାନଙ୍କଠାରେ ଶକ୍ତି ଥିଲା । ଜାହାଜର ସମ୍ମୁଖରେ ତିଆରି ହୋଇଥିବା ଏହି ଚିହ୍ନ ବିଷୟରେ ପଦ ଯାହା କହେ, ସେଥିରୁ ପ୍ରମାଣିତ ହୁଏ ଯେ ନିଜ ଆଖିରେ ଦେଖିଥିବା କୌଣସି ବ୍ୟକ୍ତି ଏହି ଘଟଣାକୁ ଲେଖିଥିଲେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ