ଫେବୃୟାରୀ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୪-୧୦ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୧-୩
“ଆପଣଙ୍କ ବିବେକକୁ ତାଲିମ ଦେବା ଜାରି ରଖନ୍ତୁ”
ପ୍ରେମରେ ସ୍ଥିର (ହିନ୍ଦୀ) ୧୮ ¶୬
ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ବିବେକ
୬ ଯେଉଁ ଲୋକମାନେ ଯିହୋବାଙ୍କୁ ଜାଣନ୍ତି ନାହିଁ, ସେମାନଙ୍କୁ ମଧ୍ୟ ଜଣାଥାଏ ଯେ କʼଣ ଠିକ୍ ଓ କʼଣ ଭୁଲ୍ । ବାଇବଲ କହେ: “ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ ।” (ରୋମୀୟ ୨:୧୪, ୧୫) ଅନେକ ଲୋକ ଜାଣନ୍ତି ଯେ ହତ୍ୟା ଓ ଚୋରି କରିବା ଭୁଲ୍ ଏବଂ ସେମାନେ ଏପରି କାମ କରି ନ ଥାʼନ୍ତି । ଏହିପରି ଭାବେ ସେମାନେ ଅଜାଣତରେ ନିଜ ବିବେକର କଥା ଶୁଣିଥାʼନ୍ତି । ଯିହୋବା ସେମାନଙ୍କ ଭିତରେ ଠିକ୍ ଓ ଭୁଲ୍କୁ ଜାଣିପାରିବାର ଯେଉଁ ସାମର୍ଥ୍ୟ ଦେଇଛନ୍ତି, ସେମାନେ ତାʼ ଅନୁଯାୟୀ କାମ କରିଥାʼନ୍ତି । ଯଦି ଦେଖିବା, ଯିହୋବା ମଣିଷମାନଙ୍କୁ ସଠିକ୍ ନିଷ୍ପତ୍ତି ନେବା ପାଇଁ ଯେଉଁ ସିଦ୍ଧାନ୍ତଗୁଡ଼ିକ ଦେଇଛନ୍ତି, ସେଗୁଡ଼ିକୁ ସେମାନେ ପାଳନ କରୁଛନ୍ତି ।
ପ୍ରେମରେ ସ୍ଥିର (ହିନ୍ଦୀ) ୧୯-୨୦ ¶୮-୯
ଈଶ୍ୱରଙ୍କ ଦୃଷ୍ଟିରେ ଶୁଦ୍ଧ ବିବେକ
୮ କିଛି ଲୋକ ଭାବନ୍ତି ଯେ ନିଜ ବିବେକର କଥାକୁ ଶୁଣିବାର ଅର୍ଥ ହେଉଛି, ନିଜ ହୃଦୟର କଥା ଶୁଣିବା । ସେମାନେ ଭାବନ୍ତି ଯେ ସେମାନଙ୍କୁ ଯାହା ଠିକ୍ ଲାଗେ, ତାକୁ ସେମାନେ କରିପାରିବେ । କିନ୍ତୁ ଆମକୁ ଧ୍ୟାନ ଦେବାକୁ ହେବ ଯେ ଆମେ ପାପୀ ହୋଇଥିବାରୁ ଆମର ହୃଦୟ ଆମକୁ ଭୁଲ୍ ବାଟରେ ନେଇଯାଇପାରେ । ଏହା ଆମ ବିବେକର ସ୍ୱରକୁ ଦବେଇ ଦେଇପାରେ । ବାଇବଲ କହେ: “ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରତୀକାର୍ଯ୍ୟ [ଯାହାର ପ୍ରତିକାର ନାହିଁ] ରୂପେ ପୀଡ଼ିତ; କିଏ ତାହା ଜାଣିପାରେ?” (ଯିରିମୀୟ ୧୭:୯) ଆମେ ହୁଏତ ସମ୍ପୂର୍ଣ୍ଣ ଭୁଲ୍ କାମଗୁଡ଼ିକୁ ଠିକ୍ ବୋଲି ଧରିପାରୁ । ପାଉଲ ମଧ୍ୟ ଏପରି ଭୁଲ୍ କରିଥିଲେ । ଖ୍ରୀଷ୍ଟିୟାନ ହେବା ପୂର୍ବରୁ ସେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ ଏବଂ ସେ ଭାବୁଥିଲେ ଯେ ସେ ଠିକ୍ କାମ କରୁଛନ୍ତି । ପାଉଲଙ୍କ ମତରେ ତାଙ୍କ ବିବେକ ଶୁଦ୍ଧ ଥିଲା । କିନ୍ତୁ ପରେ ସେ ସତ କଥା ଜାଣି କହିଲେ, “ଯେ ମୋହର ବିଚାର କରନ୍ତି, ସେ ପ୍ରଭୁ [ଯିହୋବା] ।” (୧ କରିନ୍ଥୀୟ ୪:୪; ପ୍ରେରିତ ୨୩:୧; ୨ ତୀମଥି ୧:୩) ସେ ହୃଦୟଙ୍ଗମ କଲେ ଯେ ଯିହୋବାଙ୍କ ଦୃଷ୍ଟିରେ ତାଙ୍କ କାମ ଭୁଲ୍ ଥିଲା । ତେଣୁ ସେ ନିଜଠାରେ ପରିବର୍ତ୍ତନ ଆଣିଲେ । ଏସବୁରୁ ସ୍ପଷ୍ଟ ଜଣାପଡ଼େ: ଆମେ ଯେକୌଣସି ନିଷ୍ପତ୍ତି ନେବା ପୂର୍ବରୁ ଆମ ହୃଦୟ କʼଣ କହୁଛି, ତାହା ଭାବିବା ଉଚିତ୍ ନୁହେଁ, ବରଂ ଆମେ ନିଜକୁ ପଚାରିବା ଉଚିତ୍ ଯେ ‘ଯିହୋବା ମୋʼଠାରୁ କʼଣ ଚାହାନ୍ତି?’
୯ ଯଦି ଆପଣ କାହାରିକୁ ପ୍ରେମ କରନ୍ତି, ତେବେ ଆପଣ ତାଙ୍କୁ ଦୁଃଖିତ କରିବାକୁ ଚାହିଁବେ ନାହିଁ । ଆମେ ଯିହୋବାଙ୍କୁ ପ୍ରେମ କରୁ, ତେଣୁ ଆମେ ଏପରି କୌଣସି କାମ କରିବାକୁ ଚାହିଁବା ନାହିଁ, ଯାହା ତାହାଙ୍କୁ ଭଲ ଲାଗେ ନାହିଁ । ଆମେ ଯିହୋବାଙ୍କୁ ଦୁଃଖିତ କରିବା ପାଇଁ କେବେ ମଧ୍ୟ ଭାବିପାରିବା ନାହିଁ । ନିହିମୀୟାଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ ଜଣେ ରାଜ୍ୟପାଳ ଥିଲେ ଏବଂ ନିଜ ପଦବୀର ଭୁଲ୍ ବ୍ୟବହାର କରି ଧନସମ୍ପତ୍ତି ହାସଲ କରିପାରିଥାʼନ୍ତେ । କିନ୍ତୁ ସେ ଏପରି କଲେ ନାହିଁ, କାରଣ ତାଙ୍କଠାରେ “ପରମେଶ୍ୱରଙ୍କ ପ୍ରତି ଭୟ” ଥିଲା । (ନିହିମୀୟା ୫:୧୫) ସେ ଯିହୋବାଙ୍କ ଦୃଷ୍ଟିରେ କୌଣସି ଭୁଲ୍ କାମ କରିବାକୁ ଚାହୁଁ ନ ଥିଲେ । ନିହିମୀୟାଙ୍କ ଭଳି ଯଦି ଆମଠାରେ ମଧ୍ୟ ଯିହୋବାଙ୍କ ପ୍ରତି ଭୟ ରହିବ, ତେବେ ଯେଉଁସବୁ କାମ ତାହାଙ୍କୁ ଭଲ ଲାଗେ ନାହିଁ, ସେଗୁଡ଼ିକୁ ଆମେ କରିବା ନାହିଁ । ବାଇବଲ ପଢ଼ିବା ଦ୍ୱାରା ଆମେ ଜାଣିପାରିବା ଯେ ଆମେ ତାହାଙ୍କୁ କିପରି ଖୁସି କରିପାରିବା ।—୨୪୦ ପୃଷ୍ଠାରେ “ପରମେଶ୍ୱରଙ୍କ ପ୍ରତି ଭୟ” ଦେଖନ୍ତୁ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୮-ହି ୬/୧୫ ୩୦ ¶୫
ରୋମୀୟ ବହିର ମୁଖ୍ୟାଂଶ
୩:୪. ଯେତେବେଳେ ମଣିଷମାନଙ୍କ ବିଚାରଧାରା ଈଶ୍ୱରଙ୍କ ବାକ୍ୟରେ ଲିଖିତ କଥାର ବିରୁଦ୍ଧରେ ଯାଏ, ଆମେ ବାଇବଲର ବାର୍ତ୍ତା ଉପରେ ଭରସା ରଖୁ ଏବଂ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଚାଲିଥାଉ । ଏହିପରି ଭାବେ ଆମେ ପ୍ରମାଣିତ କରୁ ଯେ “ଈଶ୍ୱର ସତ୍ୟ” ଅଟନ୍ତି । ଏହା ସହିତ, ଆମେ ରାଜ୍ୟର ସୁସମାଚାର ପ୍ରଚାର କରିବା ଓ ଶିଷ୍ୟ କରିବା କାମରେ ଉତ୍ସାହର ସହ ଭାଗ ନେଇ ଲୋକମାନଙ୍କୁ ମଧ୍ୟ ଏହା ଜାଣିବାରେ ସାହାଯ୍ୟ କରିଥାଉ ଯେ ଈଶ୍ୱର ସତ୍ୟ ଅଟନ୍ତି ।
ପ୍ର୦୮-ହି ୬/୧୫ ୨୯ ¶୬
ରୋମୀୟ ବହିର ମୁଖ୍ୟାଂଶ
୩:୨୪, ୨୫—“ଖ୍ରୀଷ୍ଟ ଯୀଶୁଙ୍କଠାରେ ଯେଉଁ ମୁକ୍ତି ଅଛି”, ତାହା କିପରି “ପୂର୍ବକୃତ [ମୁକ୍ତିର ମୂଲ୍ୟ ଦେବା ପୂର୍ବର] ପାପସବୁ ଉପେକ୍ଷା” କରେ? ଆଦି ପୁସ୍ତକ ୩:୧୫ ପଦରେ ଲିଖିତ ମସୀହଙ୍କ ବିଷୟରେ କରାଯାଇଥିବା ପ୍ରଥମ ଭବିଷ୍ୟତବାଣୀ ୩୩ ଖ୍ରୀଷ୍ଟାବ୍ଦରେ ପୂରଣ ହେଲା, ଯେତେବେଳେ ଯୀଶୁଙ୍କୁ ଯାତନା ଖୁଣ୍ଟରେ ହତ୍ୟା କରାଗଲା । (ଗାଲା. ୩:୧୪, ୧୬) କିନ୍ତୁ ଯେତେବେଳେ ଯିହୋବା ଈଶ୍ୱର ଏହି ପ୍ରଥମ ଭବିଷ୍ୟତବାଣୀ କଲେ, ସେହି ସମୟରେ ହିଁ ତାହାଙ୍କ ଦୃଷ୍ଟିରେ ମୁକ୍ତିର ମୂଲ୍ୟ ଦିଆଯିବା ସରିଯାଇଥିଲା । କାରଣ ଈଶ୍ୱରଙ୍କୁ ନିଜ ଉଦ୍ଦେଶ୍ୟ ପୂରଣ କରିବାରେ କେହି ମଧ୍ୟ ରୋକିପାରିବେ ନାହିଁ । ଯିହୋବା ଜାଣିଥିଲେ ଯେ ଯୀଶୁ ନିଜ ଜୀବନ ମୁକ୍ତିର ମୂଲ୍ୟ ରୂପେ ବଳିଦାନ କରିବେ । ତେଣୁ ସେ ତାʼ ଆଧାରରେ, ମସୀହଙ୍କ ଆଗମନର ପ୍ରତିଜ୍ଞା ଉପରେ ବିଶ୍ୱାସ କରୁଥିବା ଆଦମର ସନ୍ତାନମାନଙ୍କ ପାପସବୁ କ୍ଷମା କଲେ । ମୁକ୍ତିର ମୂଲ୍ୟ ଯୋଗୁଁ ଏପରି ଲୋକମାନଙ୍କ ପୁନରୁତ୍ଥାନ ମଧ୍ୟ ସମ୍ଭବ ହୋଇଛି, ଯେଉଁମାନେ ମସୀହଙ୍କ ପୂର୍ବରୁ ବଞ୍ଚିଥିଲେ ।—ପ୍ରେରି. ୨୪:୧୫.
୧୧-୧୭ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୪-୬
“ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ”
ପ୍ର୧୧-ହି ୬/୧୫ ୧୨ ¶୫
ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ
୫ ଏହି କଥାକୁ ବୁଝାଇବା ପାଇଁ ପାଉଲ ସର୍ବପ୍ରଥମେ କହିଲେ: “ଯେପରି ଜଣେ ଲୋକ ଦ୍ୱାରା ପାପ ଓ ପାପ ଦ୍ୱାରା ମୃତ୍ୟୁ ଜଗତରେ ପ୍ରବେଶ କଲା, ଆଉ ସେହିପ୍ରକାରେ ମୃତ୍ୟୁ ସମସ୍ତ ଲୋକଙ୍କ ପ୍ରତି ଘଟିଲା, ଯେଣୁ ସମସ୍ତେ ତ ପାପ କଲେ ।” (ରୋମୀ. ୫:୧୨) ଆମକୁ ଏକଥା ବୁଝିବା ସହଜ, କାରଣ ଯିହୋବା ଈଶ୍ୱର ବାଇବଲରେ ଲେଖାଇଛନ୍ତି ଯେ ମାନବଜାତିର ଆରମ୍ଭ କିପରି ହେଲା । ଯିହୋବା ଦୁଇ ଜଣ ମଣିଷଙ୍କୁ ସୃଷ୍ଟି କରିଥିଲେ— ଆଦମ ଓ ହବା । ଆମ ସୃଷ୍ଟିକର୍ତ୍ତା ସିଦ୍ଧ ବା ପରିପୂର୍ଣ୍ଣ ଅଟନ୍ତି ଏବଂ ଆମ ପୂର୍ବପୁରୁଷ ଅର୍ଥାତ୍ ଆଦମ ଓ ହବା ମଧ୍ୟ ସିଦ୍ଧ ଥିଲେ । ଈଶ୍ୱର ସେମାନଙ୍କୁ ଏକ ଆଜ୍ଞା ଦେଇଥିଲେ ଏବଂ ସ୍ପଷ୍ଟ ଭାବେ କହିଥିଲେ ଯେ ଯଦି ସେମାନେ ସେହି ଆଜ୍ଞାକୁ ଉଲ୍ଲଙ୍ଘନ କରିବେ, ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡ ମିଳିବ । (ଆଦି. ୨:୧୭) କିନ୍ତୁ ସେମାନେ ଜାଣିଶୁଣି ଏହି ଆଜ୍ଞାକୁ ଉଲ୍ଲଙ୍ଘନ କଲେ, ଯାହାକୁ ମାନିବା ଏତେ କଠିନ ନ ଥିଲା । ଏହିପରି ଭାବେ ସେମାନେ ନିୟମଦାତା ତଥା ସମଗ୍ର ବିଶ୍ୱର ମହାରାଜା ଓ ମାଲିକ ଯିହୋବାଙ୍କୁ ପ୍ରତ୍ୟାଖ୍ୟାନ କଲେ ।—ଦ୍ୱିବି. ୩୨:୪, ୫.
ପ୍ର୧୧-ହି ୬/୧୫ ୧୨ ¶୬
ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ
୬ ଆଦମ ପାପ କଲା ପରେ ହିଁ ତାʼର ସନ୍ତାନମାନେ ଜନ୍ମ ହେଲେ । ଏହିପରି ଭାବେ ତାʼର ସମସ୍ତ ସନ୍ତାନମାନଙ୍କଠାରେ ପାପ ଓ ଏହାର କୁପରିଣତି ବ୍ୟାପିଗଲା । ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏହି ସନ୍ତାନମାନେ ଆଦମ ଭଳି ଈଶ୍ୱରଙ୍କ ଆଜ୍ଞା ଉଲ୍ଲଙ୍ଘନ କରି ନ ଥିଲେ । ତେଣୁ ସେମାନଙ୍କୁ ଆଦମର ପାପ ଯୋଗୁଁ ଦୋଷୀ ସାବ୍ୟସ୍ତ କରାଯିବା ଏବଂ ତାʼ ଭଳି ଦଣ୍ଡ ଦିଆଯିବା ଯୁକ୍ତିଯୁକ୍ତ ନ ଥିଲା । ତାʼ ଛଡ଼ା, ସେତେବେଳ ପର୍ଯ୍ୟନ୍ତ ଈଶ୍ୱର କୌଣସି ନିୟମ ବା ବ୍ୟବସ୍ଥା ମଧ୍ୟ ଦେଇ ନ ଥିଲେ । (ଆଦି. ୨:୧୭) ତଥାପି ଆଦମର ସନ୍ତାନମାନଙ୍କୁ ଉତ୍ତରାଧିକାରୀ ଭାବେ ତାʼଠାରୁ ପାପ ମିଳିଲା । ଏହିପରି ଭାବେ, ଯେପର୍ଯ୍ୟନ୍ତ ଈଶ୍ୱର ଇସ୍ରାଏଲୀୟମାନଙ୍କୁ ବ୍ୟବସ୍ଥା ଦେଇ ନ ଥିଲେ, ସେପର୍ଯ୍ୟନ୍ତ ପାପ ଓ ମୃତ୍ୟୁ ମଣିଷଜାତି ଉପରେ ରାଜତ୍ୱ କଲା । ଏଥିରୁ ଜଣାପଡ଼େ ଯେ ସେମାନେ ସମସ୍ତେ ପାପୀ ଥିଲେ । (ରୋମୀୟ ୫:୧୩, ୧୪ ପଦ ପଢ଼ନ୍ତୁ ।) ଉତ୍ତରାଧିକାରୀ ଭାବେ ମିଳିଥିବା ପାପର ତୁଳନା ଏପରି ଏକ ବଂଶାନୁଗତ ରୋଗ ସହ କରାଯାଇପାରେ, ଯାହା ବାପାମାଆଙ୍କଠାରୁ ପିଲାଙ୍କୁ ମିଳିଥାଏ । ହୁଏତ ପରିବାରରେ କିଛି ପିଲାଙ୍କୁ ଏହି ରୋଗ ହୋଇପାରେ ତ ଆଉ କିଛି ପିଲାଙ୍କୁ ନ ହୋଇପାରେ । କିନ୍ତୁ ପାପ କ୍ଷେତ୍ରରେ ଏପରି ନୁହେଁ । ଆମ ସମସ୍ତଙ୍କୁ ଆଦମଠାରୁ ଉତ୍ତରାଧିକାରୀ ଭାବେ ପାପ ମିଳିଛି ଏବଂ ଏହି କାରଣରୁ ଦିନେ ନା ଦିନେ ଆମର ମୃତ୍ୟୁ ହୁଏ । ଏହି ଭୟଙ୍କର ପରିସ୍ଥିତିରୁ କʼଣ କେବେ ମୁକ୍ତି ମିଳିପାରିଥାʼନ୍ତା?
ପ୍ର୧୧-ହି ୬/୧୫ ୧୩ ¶୯-୧୦
ଈଶ୍ୱର ଆମ ପାଇଁ ନିଜ ପ୍ରେମର ପ୍ରମାଣ ଦେଲେ
୯ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ଧାର୍ମିକଗଣନା ହେଲା” ଓ “ଧାର୍ମିକଗଣନା ଘଟିଲା” ବୋଲି କରାଯାଇଛି, ସେଗୁଡ଼ିକର ଅର୍ଥ କʼଣ? ବାଇବଲ ଅନୁବାଦକ ୱିଲିୟମ୍ସ, ଯାହାଙ୍କ ବିଷୟରେ ଲେଖାର ଆରମ୍ଭରେ କୁହାଯାଇଛି, ସେ ଏହାକୁ ବୁଝାଇବାକୁ ଯାଇ କହିଛନ୍ତି, “ଏହି ଶବ୍ଦଗୁଡ଼ିକୁ ଏକ ରୂପକ ଭାବେ ବ୍ୟବହାର କରାଯାଇଛି । ଏହା ସମ୍ପୂର୍ଣ୍ଣ ଭାବେ ଆଇନଗତ ଶବ୍ଦ ନୁହେଁ, କିନ୍ତୁ ଏଥିରେ କିଛି ଆଇନ ସମ୍ବନ୍ଧୀୟ କଥା ଜଡ଼ିତ ଅଛି । ଏହା ଦେଖାଏ ଯେ ଜଣେ ମଣିଷ ଅନ୍ତରରୁ ବଦଳେ ନାହିଁ, ବରଂ ଈଶ୍ୱରଙ୍କ ସହିତ ତାʼର ସମ୍ପର୍କ ବଦଳିଯାଏ . . . ଏହି ରୂପକରେ ଈଶ୍ୱରଙ୍କୁ ଜଣେ ବିଚାରପତି ଭାବେ କୁହାଯାଇଛି । ଆଉ, ତାହାଙ୍କ ଅଦାଲତରେ ଏପରି ଏକ ମଣିଷକୁ ଅଣାଯାଇଛି, ଯାହାକୁ ପାପୀ ଭାବେ ଦୋଷାରୋପ କରାଯାଇଛି । କିନ୍ତୁ ଈଶ୍ୱର ସେହି ବ୍ୟକ୍ତି ପକ୍ଷରେ ଶୁଣାଣି କରନ୍ତି ଏବଂ ତାକୁ କରାଯାଇଥିବା ଦୋଷାରୋପରୁ ସସମ୍ମାନେ ମୁକ୍ତ କରିଦିଅନ୍ତି ।”
୧୦ “ସମସ୍ତ ପୃଥିବୀର ବିଚାରକର୍ତ୍ତା” କେଉଁ ଆଧାରରେ ପାପୀ ମଣିଷମାନଙ୍କୁ ଧାର୍ମିକ ବୋଲି ଗଣନା କରନ୍ତି? (ଆଦି. ୧୮:୨୫) ସର୍ବପ୍ରଥମେ, ଈଶ୍ୱର ଆମକୁ ପ୍ରେମ କରୁଥିବାରୁ ନିଜ ଏକମାତ୍ର ପୁତ୍ରଙ୍କୁ ପୃଥିବୀକୁ ପଠାଇଲେ । ଯୀଶୁ ଖ୍ରୀଷ୍ଟ ପୃଥିବୀରେ ଅତି କଠିନ ପରୀକ୍ଷାଗୁଡ଼ିକର ସାମନା କଲେ, ତାହାଙ୍କୁ ପରିହାସ ଓ ଦୁର୍ବ୍ୟବହାର କରାଗଲା । ଏହା ସତ୍ତ୍ୱେ, ସେ ନିଜ ପିତାଙ୍କ ଇଚ୍ଛା ପୂରଣ କଲେ । ଏପରିକି ଯାତନା ଖୁଣ୍ଟରେ ଶେଷ ନିଶ୍ୱାସ ତ୍ୟାଗ କରିବା ସମୟରେ ମଧ୍ୟ ସେ ଈଶ୍ୱରଙ୍କର ବିଶ୍ୱସ୍ତ ରହିଲେ । (ଏବ୍ରୀ ୨:୧୦) ଯୀଶୁ ନିଜ ସିଦ୍ଧ ଜୀବନ ବଳିଦାନ ଦେଇ ମୁକ୍ତିର ମୂଲ୍ୟ ସୁଝିଲେ ଏବଂ ଆଦମର ସନ୍ତାନମାନଙ୍କୁ ପାପ ଓ ମୃତ୍ୟୁରୁ ମୁକ୍ତ କଲେ ।—ମାଥି. ୨୦:୨୮; ରୋମୀ. ୫:୬-୮.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୮-ହି ୬/୧୫ ୨୯-୩୦ ¶୭
ରୋମୀୟ ବହିର ମୁଖ୍ୟାଂଶ
୬:୩-୫—ଖ୍ରୀଷ୍ଟ ଯୀଶୁଙ୍କଠାରେ ବାଯ୍ତିଜିତ ହେବା ଏବଂ ମରଣରେ ବାଯ୍ତିଜିତ ହେବାର ଅର୍ଥ କʼଣ? ଯେତେବେଳେ ଯିହୋବା ନିଜ ପବିତ୍ର ଶକ୍ତି ଦ୍ୱାରା ଖ୍ରୀଷ୍ଟଙ୍କ ଶିଷ୍ୟମାନଙ୍କୁ ଅଭିଷେକ କରନ୍ତି, ସେମାନେ ଯୀଶୁଙ୍କ ସହ ଏକତାର ବନ୍ଧନରେ ବାନ୍ଧି ହୋଇଯାʼନ୍ତି ଏବଂ ଖ୍ରୀଷ୍ଟଙ୍କ ଶରୀର ଅର୍ଥାତ୍ ଯୀଶୁ ମୁଖିଆ ଥିବା ମଣ୍ଡଳୀର ସଦସ୍ୟ ହୋଇଯାʼନ୍ତି । (୧ କରି. ୧୨:୧୨, ୧୩, ୨୭; କଲ. ୧:୧୮) ଏହିପରି ଭାବେ, ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାଯ୍ତିସ୍ମ ନିଅନ୍ତି । ସେମାନେ “[ଖ୍ରୀଷ୍ଟଙ୍କ] ମରଣରେ ବାଯ୍ତିଜିତ” ମଧ୍ୟ ହୁଅନ୍ତି । କିପରି? ସେମାନେ ତ୍ୟାଗଭରା ଜୀବନଯାପନ କରନ୍ତି ଏବଂ ପୃଥିବୀରେ ଅନନ୍ତ କାଳ ପାଇଁ ଜୀବିତ ରହିବାର ଇଚ୍ଛାକୁ ତ୍ୟାଗ କରିଦିଅନ୍ତି । ତେଣୁ, ସେମାନଙ୍କ ମୃତ୍ୟୁରୁ ମୁକ୍ତିର ମୂଲ୍ୟ ନ ଦିଆଯାଉଥାଉ ପଛେ, ଯୀଶୁଙ୍କ ଭଳି ସେମାନଙ୍କ ମୃତ୍ୟୁ ମଧ୍ୟ ଏକ ତ୍ୟାଗ ଅଟେ । ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଖ୍ରୀଷ୍ଟଙ୍କ ମୃତ୍ୟୁରେ ବାଯ୍ତିଜିତ ହେବା ତେବେଯାଇ ପୂରଣ ହୁଏ, ଯେତେବେଳେ ସେମାନଙ୍କ ମୃତ୍ୟୁ ପରେ ସେମାନଙ୍କୁ ସ୍ୱର୍ଗରେ ଜୀବନ ମିଳେ ।
ପ୍ର୧୪-ଇଂ ୬/୧ ୧୧ ¶୧
କʼଣ ମୋʼ ପୂର୍ବପୁରୁଷମାନଙ୍କୁ ପୁଣିଥରେ ଜୀବନ ମିଳିବ?
ଯେଉଁ ଅଧାର୍ମିକ ଲୋକମାନଙ୍କୁ ଜୀବିତ କରାଯିବ, ସେମାନଙ୍କ ନ୍ୟାୟ କେଉଁ ଆଧାରରେ କରାଯିବ? ସେମାନେ ଯେଉଁ କାମଗୁଡ଼ିକ ଜୀବିତ ଅବସ୍ଥାରେ କରିଥିଲେ, କʼଣ ସେହି ଆଧାରରେ ସେମାନଙ୍କର ନ୍ୟାୟ କରାଯିବ? ନା । ରୋମୀୟ ୬:୭ ପଦ କହେ: “ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି ।” ଏହି ଲୋକମାନେ ଜୀବିତ ଥିବା ବେଳେ ଯେଉଁ ମନ୍ଦ କାମ କରିଥିଲେ, ସେଗୁଡ଼ିକର ଦଣ୍ଡ ସେମାନେ ପାଇ ସାରିଥିବେ । କାରଣ ସେମାନଙ୍କ ମୃତ୍ୟୁ ହୋଇଯାଇଥିବ । ତେଣୁ ଜୀବିତ ହେବା ପରେ ସେମାନେ ଯେଉଁ କାମ କରିବେ, ତାʼ ଆଧାରରେ ଭବିଷ୍ୟତରେ ସେମାନଙ୍କର ନ୍ୟାୟ କରାଯିବ । ସେମାନେ ଆଗରୁ ଅଜାଣତରେ ଯେଉଁ ମନ୍ଦ କାମ କରିଥିଲେ, ତାʼ ଆଧାରରେ ନୁହେଁ । ଏଥିରୁ କିପରି ସେମାନଙ୍କର ମଙ୍ଗଳ ହେବ?
୧୮-୨୪ ଫେବୃୟାରୀ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୭-୮
“କʼଣ ଆପଣ ‘ଏକାନ୍ତ ଆକାଂକ୍ଷାରେ ଅପେକ୍ଷା କରୁଛନ୍ତି’?”
ପ୍ର୧୨-ହି ୭/୧୫ ୧୧ ¶୧୭
ଯିହୋବାଙ୍କ ମାର୍ଗଦର୍ଶନକୁ ମାନି ପ୍ରକୃତ ସ୍ୱାଧୀନତା ପାଆନ୍ତୁ
୧୭ ଭବିଷ୍ୟତରେ ଯିହୋବା ପୃଥିବୀରେ ରହୁଥିବା ନିଜ ସେବକମାନଙ୍କୁ ଯେଉଁ ସ୍ୱାଧୀନତା ଦେବେ, ସେବିଷୟରେ କହିବା ସମୟରେ ପାଉଲ ଲେଖିଲେ: “ସୃଷ୍ଟିର ଏକାନ୍ତ ଆକାଂକ୍ଷା ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ ନିମନ୍ତେ ଅପେକ୍ଷା କରୁଅଛି ।” ତାʼପରେ ସେ କହିଲେ, “ସୃଷ୍ଟି ନିଜେ ମଧ୍ୟ ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାଯ୍ତି ନିମନ୍ତେ କ୍ଷୟର ଦାସତ୍ୱରୁ ମୁକ୍ତ ହେବ ।” (ରୋମୀ. ୮:୧୯-୨୧) ଏଠାରେ “ସୃଷ୍ଟି” ଶବ୍ଦ ଏପରି ଲୋକମାନଙ୍କ ପାଇଁ ବ୍ୟବହାର କରାଯାଇଛି, ଯେଉଁମାନେ ପୃଥିବୀରେ ଜୀବିତ ରହିବାର ଆଶା ରଖନ୍ତି । ଯେତେବେଳେ ପବିତ୍ର ଶକ୍ତି ଦ୍ୱାରା ଅଭିଷିକ୍ତ ହୋଇଥିବା ଈଶ୍ୱରଙ୍କ ସନ୍ତାନମାନଙ୍କର “ପ୍ରକାଶ” ହେବ, ସେତେବେଳେ ଏହି ଲୋକମାନଙ୍କୁ ଆଶିଷ ମିଳିବ । ଏହି “ସନ୍ତାନମାନଙ୍କର” ପ୍ରକାଶ କେବେ ହେବ? ଯେତେବେଳେ ସେମାନେ ସ୍ୱର୍ଗରେ ଜୀବିତ କରାଯିବା ପରେ, ଖ୍ରୀଷ୍ଟଙ୍କ ସହ ମିଶି ପୃଥିବୀରୁ ଦୁଷ୍ଟତାକୁ ଦୂର କରିବେ ଏବଂ ଏକ ନୂଆ ବ୍ୟବସ୍ଥାରେ ପ୍ରବେଶ କରିବା ପାଇଁ ‘ମହା ଜନତାକୁ’ ସାହାଯ୍ୟ କରିବେ, ସେତେବେଳେ ସେମାନଙ୍କର ପ୍ରକାଶ ହେବ ।—ପ୍ରକା. ୭:୯, ୧୪.
ପ୍ର୧୨-ହି ୩/୧୫ ୨୩ ¶୧୧
ନିଜ ଆଶା ଯୋଗୁଁ ଆନନ୍ଦିତ ରହନ୍ତୁ!
୧୧ ଯେତେବେଳେ ଯିହୋବା “ବଂଶ” ମାଧ୍ୟମରେ ‘ପୂରାତନ ନାଗକୁ’ ଅର୍ଥାତ୍ ଶୟତାନକୁ ବିନାଶ କରି ମାନବଜାତିକୁ ଉଦ୍ଧାର କରିବାର ପ୍ରତିଜ୍ଞା କଲେ, ସେତେବେଳେ ସୃଷ୍ଟି ବା ମାନବଜାତି “ଭରସାଯୁକ୍ତ” ହେଲା । ଅନ୍ୟ ଶବ୍ଦରେ, ମାନବଜାତିକୁ ଭରସା ଓ ଆଶାର ଆଧାର ମିଳିଲା । (ଆଦି. ୩:୧୫; ପ୍ରକା. ୧୨:୯) ଏହି ବଂଶର ମୁଖ୍ୟ ଭାଗ ହେଉଛନ୍ତି, ଯୀଶୁ ଖ୍ରୀଷ୍ଟ । (ଗାଲା. ୩:୧୬) ଯୀଶୁଙ୍କ ମୃତ୍ୟୁ ଓ ତାହାଙ୍କ ପୁନରୁତ୍ଥାନରୁ ମାନବଜାତିକୁ ପାପ ଓ ମୃତ୍ୟୁର ଦାସତ୍ୱରୁ ମୁକ୍ତି ପାଇବାର ଆଶାର ଠୋସ୍ ଆଧାର ମିଳିଲା । ଏହି ଆଶା ପୂରଣ ହେବାର ସମ୍ବନ୍ଧ “ଈଶ୍ୱରଙ୍କ ସନ୍ତାନମାନଙ୍କର ପ୍ରକାଶ” ହେବା ସହ ରହିଛି । ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସ୍ୱର୍ଗରେ ଜୀବିତ କରାଯିବ, ସେମାନେ ‘ବଂଶର’ ଦ୍ୱିତୀୟ ଭାଗ ଅଟନ୍ତି । ଯେତେବେଳେ ସେମାନେ ଖ୍ରୀଷ୍ଟଙ୍କ ସହ ମିଶି ଶୟତାନର ବ୍ୟବସ୍ଥାକୁ ବିନାଶ କରିବେ, ସେତେବେଳେ ସେମାନଙ୍କର “ପ୍ରକାଶ” ହେବ । (ପ୍ରକା. ୨:୨୬, ୨୭) ଏହାଦ୍ୱାରା ମହାକ୍ଳେଶରୁ ରକ୍ଷା ପାଇଥିବା ଅନ୍ୟ ମେଷର ଲୋକମାନଙ୍କର ଉଦ୍ଧାର ହେବ ।—ପ୍ରକା. ୭:୯, ୧୦, ୧୪.
ପ୍ର୧୨-ହି ୩/୧୫ ୨୩ ¶୧୨
ନିଜ ଆଶା ଯୋଗୁଁ ଆନନ୍ଦିତ ରହନ୍ତୁ!
୧୨ ଖ୍ରୀଷ୍ଟଙ୍କ ଏକ ହଜାର ବର୍ଷ ଶାସନ କାଳରେ “ସୃଷ୍ଟି,” ଅର୍ଥାତ୍ ମଣିଷମାନଙ୍କୁ କେତେ ତ୍ରାହି ମିଳିବ! ସେସମୟରେ “ଈଶ୍ୱରଙ୍କ ସନ୍ତାନମାନଙ୍କର” ଆଉ ଏକ ପ୍ରକାରେ “ପ୍ରକାଶ” ହେବ । ସେମାନେ ଖ୍ରୀଷ୍ଟଙ୍କ ସହ ଯାଜକ ଭାବେ ସେବା କରିବେ, ଯାହାଫଳରେ ସମଗ୍ର ମାନବଜାତି ଯୀଶୁଙ୍କ ମୁକ୍ତିର ମୂଲ୍ୟର ବଳିଦାନରୁ ଲାଭ ପାଇବେ । ଖ୍ରୀଷ୍ଟୀୟ ରାଜ୍ୟର ପ୍ରଜା ଭାବେ ‘ସୃଷ୍ଟିକୁ’ ପାପ ଓ ମୃତ୍ୟୁର କୁପରିଣତିରୁ ମୁକ୍ତି ମିଳିବ । ଆଜ୍ଞା ପାଳନ କରୁଥିବା ମଣିଷମାନେ ଧୀରେ ଧୀରେ “କ୍ଷୟର ଦାସତ୍ୱରୁ ମୁକ୍ତ” ହେବେ । ଯଦି ସେମାନେ ଖ୍ରୀଷ୍ଟଙ୍କ ଏକ ହଜାର ବର୍ଷର ଶାସନ କାଳ ଏବଂ ଶେଷ ପରୀକ୍ଷା ସମୟରେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତି, ତେବେ ସେମାନଙ୍କ ନାମ ‘ଜୀବନ ପୁସ୍ତିକାରେ’ ଚିରଦିନ ପାଇଁ ଲେଖି ଦିଆଯିବ । ସେମାନେ “ଈଶ୍ୱରଙ୍କ ସନ୍ତାନମାନଙ୍କ ଗୌରବମୟ ଅବସ୍ଥା ସମ୍ବନ୍ଧୀୟ ସ୍ୱାଧୀନତା ପ୍ରାଯ୍ତି” ହେବେ । (ପ୍ରକା. ୨୦:୭, ୮, ୧୧, ୧୨) ଏହା କେତେ ବଢ଼ିଆ ଆଶା!
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୭.୦୬-ହି ୩
ଆପଣଙ୍କ ମନେ ଅଛି କି?
“ଶାରୀରିକ ଭାବ” ଓ “ଆତ୍ମିକ ଭାବ” ମଧ୍ୟରେ ପାର୍ଥକ୍ୟ କʼଣ? (ରୋମୀ. ୮:୬)
ଶାରୀରିକ ଭାବ ରଖୁଥିବା ମଣିଷଠାରେ ଶାରୀରିକ କଥାଗୁଡ଼ିକ ପ୍ରତି ଗଭୀର ଆଗ୍ରହ ଥାଏ, ସେ ସେଗୁଡ଼ିକ ବିଷୟରେ ହିଁ କଥା ହୁଏ ଏବଂ ସେଗୁଡ଼ିକର ଦାସ ପାଲଟିଯାଏ । ଅପରପକ୍ଷେ, ଆତ୍ମିକ ଭାବ ରଖୁଥିବା ମଣିଷ ଯିହୋବାଙ୍କ ଚିନ୍ତାଧାରାକୁ ଆପଣାଏ ଏବଂ ତାହାଙ୍କ ପବିତ୍ର ଶକ୍ତି ମୁତାବକ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ । ଶାରୀରିକ ଭାବ ରଖିବାର ପରିଣତି ହେଉଛି ମୃତ୍ୟୁ, କିନ୍ତୁ ଆତ୍ମିକ ଭାବ ରଖିଲେ ଜୀବନ ଓ ଶାନ୍ତି ମିଳିଥାଏ ।—ପ୍ର୧୬.୧୨-ହି ୧୫-୧୭.
ପ୍ର୦୯-ହି ୧୧/୧୫ ୭ ¶୨୦
ଆପଣଙ୍କ ପ୍ରାର୍ଥନାରୁ ଆପଣଙ୍କ ବିଷୟରେ କʼଣ ଜଣାପଡ଼େ?
୨୦ ବ୍ୟକ୍ତିଗତ ପ୍ରାର୍ଥନା କରିବା ସମୟରେ ଅନେକଥର ଆମେ କʼଣ କହିବା, ସେବିଷୟରେ ଆମ ମନକୁ କିଛି ଜୁଟେ ନାହିଁ । ପାଉଲ ଲେଖିଲେ: “କଅଣ ପ୍ରାର୍ଥନା କରିବା ଉଚିତ, ତାହା ଆମ୍ଭେମାନେ ଜାଣୁ ନାହୁଁ, କିନ୍ତୁ ଆତ୍ମା ସ୍ୱୟଂ ଅକଥନୀୟ ଆର୍ତ୍ତନାଦରେ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି; ପୁଣି, ଯେ ଆମ୍ଭମାନଙ୍କ ହୃଦୟ ଅନୁସନ୍ଧାନ କରନ୍ତି, ସେ ଆତ୍ମାଙ୍କ ଭାବ କଅଣ, ତାହା ଜାଣନ୍ତି ।” (ରୋମୀ. ୮:୨୬, ୨୭) ଯିହୋବା ବାଇବଲରେ ଅନେକଗୁଡ଼ିଏ ପ୍ରାର୍ଥନା ଲେଖାଇଛନ୍ତି । ଯେତେବେଳେ ଆମେ ପ୍ରାର୍ଥନାରେ କିଛି କହିପାରି ନ ଥାଉ, ସେତେବେଳେ ସେ ଏହି ପ୍ରାର୍ଥନାଗୁଡ଼ିକୁ ଆମ ଅନୁରୋଧ ଭାବେ ସ୍ୱୀକାର କରନ୍ତି ଏବଂ ତାʼପରେ ସେଗୁଡ଼ିକୁ ପୂରଣ କରିଥାʼନ୍ତି । ଈଶ୍ୱର ଆମକୁ ଭଲ ଭାବେ ଜାଣନ୍ତି । ଏହା ସହିତ, ବାଇବଲ ଲେଖକମାନେ ପବିତ୍ର ଶକ୍ତି ଦ୍ୱାରା ପ୍ରେରିତ ହୋଇ ଯାହାସବୁ ଲେଖିଥିଲେ, ସେସବୁ କଥାର ଅର୍ଥ ମଧ୍ୟ ସେ ବୁଝନ୍ତି । ତେଣୁ ଏହି ଅର୍ଥରେ ଯେତେବେଳେ ତାହାଙ୍କ ପବିତ୍ର ଶକ୍ତି ଆମ ପାଇଁ “ନିବେଦନ” କରେ, ଯିହୋବା ଆମ ପ୍ରାର୍ଥନାର ଉତ୍ତର ଦେଇଥାʼନ୍ତି । କିନ୍ତୁ, ଯେପରି ଆମେ ଧୀରେ ଧୀରେ ଯିହୋବାଙ୍କ ବାକ୍ୟ ସହ ପରିଚିତ ହେଉ, ଆମେ ପ୍ରାର୍ଥନାରେ କʼଣ କହିବା ଉଚିତ୍, ତାହା ଆମେ ଶିଖିଯାଉ ।
୨୫ ଫେବୃୟାରୀ–୩ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୯-୧୧
“ଜୀତ ବୃକ୍ଷର ଦୃଷ୍ଟାନ୍ତ”
ପ୍ର୧୧-ହି ୫/୧୫ ୨୩ ¶୧୩
‘ଆହା! ଈଶ୍ୱରଙ୍କ ବୁଦ୍ଧି କେଡ଼େ ଗଭୀର!’
୧୩ ପ୍ରେରିତ ପାଉଲ ଅବ୍ରହାମଙ୍କ ବଂଶର ଦ୍ୱିତୀୟ ଭାଗର ତୁଳନା ଲାକ୍ଷଣିକ ଜୀତ ବୃକ୍ଷର ଶାଖାଗୁଡ଼ିକ ସହ କଲେ । (ରୋମୀ. ୧୧:୨୧) ରୋପଣ କରାଯାଇଥିବା ଜୀତ ବୃକ୍ଷ ଦର୍ଶାଏ ଯେ ଈଶ୍ୱର ଅବ୍ରହାମଙ୍କୁ କରିଥିବା ଚୁକ୍ତି ସହ ଜଡ଼ିତ ନିଜ ଉଦ୍ଦେଶ୍ୟ କିପରି ପୂରଣ କଲେ । ଏହି ବୃକ୍ଷର ମୂଳ ପବିତ୍ର ଅଟେ ଏବଂ ଏହା ଯିହୋବାଙ୍କୁ ଦର୍ଶାଏ, ଯିଏ ଆତ୍ମିକ ଇସ୍ରାଏଲକୁ ଜୀବନ ଦିଅନ୍ତି । (ଯିଶା. ୧୦:୨୦; ରୋମୀ. ୧୧:୧୬) ବୃକ୍ଷର ଗଣ୍ଡି ଯୀଶୁଙ୍କୁ ଦର୍ଶାଏ, ଯିଏ ଅବ୍ରହାମଙ୍କ ବଂଶର ସର୍ବପ୍ରଥମ ଭାଗ ଅଟନ୍ତି । ଆଉ, ସମସ୍ତ ଶାଖାଗୁଡ଼ିକ ମିଶି ଅବ୍ରହାମଙ୍କ ବଂଶର ଦ୍ୱିତୀୟ ଭାଗର ‘ପୂର୍ଣ୍ଣ ସଂଖ୍ୟାକୁ’ ଦର୍ଶାଏ ।
ପ୍ର୧୧-ହି ୫/୧୫ ୨୪ ¶୧୫
‘ଆହା! ଈଶ୍ୱରଙ୍କ ବୁଦ୍ଧି କେଡ଼େ ଗଭୀର!’
୧୫ ତାʼପରେ, ଯିହୋବା ନିଜ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ କʼଣ କଲେ? ପାଉଲ ବୁଝାଇଲେ ଯେ ବନ୍ୟ ଜୀତ ବୃକ୍ଷର କଲମଗୁଡ଼ିକୁ ରୋପଣ କରାଯାଇଥିବା ଜୀତ ବୃକ୍ଷରେ ଲଗାଗଲା । (ରୋମୀୟ ୧୧:୧୭, ୧୮ ପଢ଼ନ୍ତୁ ।) ଠିକ୍ ସେହିପରି, ପବିତ୍ର ଶକ୍ତି ଦ୍ୱାରା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ଲାକ୍ଷଣିକ କଲମଗୁଡ଼ିକୁ ରୋପଣ କରାଯାଇଥିବା ଲାକ୍ଷଣିକ ଜୀତ ବୃକ୍ଷରେ ଲଗାଗଲା । ଆଉ, ଏହି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ରୋମ୍ର ମଣ୍ଡଳୀର କିଛି ସଦସ୍ୟମାନେ ମଧ୍ୟ ସାମିଲ୍ ଥିଲେ । ଏହିପରି ଭାବେ ସେମାନେ ଅବ୍ରହାମଙ୍କ ବଂଶର ଭାଗ ହୋଇଗଲେ । ପ୍ରକୃତରେ ସେମାନେ ବନ୍ୟ ଜୀତ ବୃକ୍ଷର ଶାଖାଗୁଡ଼ିକ ଥିଲେ, ଯେଉଁମାନଙ୍କୁ ଏହି ବିଶେଷ ଚୁକ୍ତିର ଭାଗ ହେବା ପାଇଁ କୌଣସି ଆଶା ନ ଥିଲା । କିନ୍ତୁ ଯିହୋବା ସେମାନଙ୍କ ପାଇଁ ଆତ୍ମିକ ଯିହୁଦୀ ହେବାର ରାସ୍ତା ଖୋଲି ଦେଲେ ।—ରୋମୀ. ୨:୨୮, ୨୯.
ପ୍ର୧୧-ହି ୫/୧୫ ୨୫ ¶୧୯
‘ଆହା! ଈଶ୍ୱରଙ୍କ ବୁଦ୍ଧି କେଡ଼େ ଗଭୀର!’
୧୯ ହଁ, “ଈଶ୍ୱରଙ୍କ ଇସ୍ରାଏଲ” ପାଇଁ ଯିହୋବା ନିଜ ଉଦ୍ଦେଶ୍ୟ ଅତି ଚମତ୍କାର ଭାବେ ପୂରଣ କଲେ । (ଗାଲା. ୬:୧୬) ପାଉଲ କହିଲେ: “ସମସ୍ତ ଇସ୍ରାଏଲ ପରିତ୍ରାଣ ପାଇବେ” । (ରୋମୀ. ୧୧:୨୬) ଯିହୋବା ନିର୍ଦ୍ଧାରଣ କରିଥିବା ସମୟ ମଧ୍ୟରେ “ସମସ୍ତ ଇସ୍ରାଏଲ” ଅର୍ଥାତ୍ ଆତ୍ମିକ ଇସ୍ରାଏଲର ସମ୍ପୂର୍ଣ୍ଣ ସଂଖ୍ୟା, ସ୍ୱର୍ଗରେ ରାଜା ଓ ଯାଜକ ଭାବେ ଶାସନ କରିବେ । ଆଉ, ଯିହୋବାଙ୍କୁ ତାହାଙ୍କ ଉଦ୍ଦେଶ୍ୟ ପୂରଣ କରିବାରେ କେହି ମଧ୍ୟ ରୋକିପାରିବେ ନାହିଁ!
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୩-ହି ୬/୧୫ ୨୫ ¶୫
ଯିହୋବାଙ୍କ ଅନୁଶାସନ ଅନୁଯାୟୀ ପରିବର୍ତ୍ତନ କରନ୍ତୁ
୫ କିନ୍ତୁ, ଯଦି ଜଣେ ମଣିଷ ଅବାଧ୍ୟ ହୋଇ ମହାନ କୁମ୍ଭାର ଯିହୋବାଙ୍କ ହାତରେ ଗଢ଼ାଯିବା ପାଇଁ ଅସ୍ୱୀକାର କରେ, ତେବେ କʼଣ? ସେତେବେଳେ ଯିହୋବା ଜଣେ କୁମ୍ଭାର ଭାବେ ନିଜ ଅଧିକାରକୁ କିପରି ବ୍ୟବହାର କରନ୍ତି? ଟିକେ ଭାବି ଦେଖନ୍ତୁ, ଯଦି ମାଟିକୁ କୌଣସି ବିଶେଷ ପ୍ରକାରର ଆକୃତି ନ ଦିଆଯାଇପାରେ, ତେବେ କୁମ୍ଭାର କʼଣ କରେ? ସେ ହୁଏତ ସେଥିରୁ କୌଣସି ଭିନ୍ନ ଏକ ପାତ୍ର ତିଆରି କରେ, କିମ୍ବା ତାକୁ ଫିଙ୍ଗିଦିଏ । ଅଧିକାଂଶ କ୍ଷେତ୍ରରେ ଯେତେବେଳେ ମାଟି ବ୍ୟବହାର ପାଇଁ ଉପଯୋଗୀ ହୁଏ ନାହିଁ, ତେବେ ଏହା କୁମ୍ଭାରର ଦୋଷ । କିନ୍ତୁ ଯିହୋବାଙ୍କ କ୍ଷେତ୍ରରେ ଏପରି କେବେ ହୋଇ ନ ଥାଏ । (ଦ୍ୱିବି. ୩୨:୪) ଯଦି ଜଣେ ମଣିଷ ଯିହୋବାଙ୍କ ହାତରେ ଗଢ଼ାଯିବା ପାଇଁ ଅସ୍ୱୀକାର କରେ, ତେବେ ଏଥିରେ ଯିହୋବାଙ୍କର କିଛି ଦୋଷ ନାହିଁ, ସର୍ବଦା ମଣିଷ ଏଥିପାଇଁ ଦାୟୀ । କିନ୍ତୁ ଏପରି କ୍ଷେତ୍ରରେ ମଧ୍ୟ ଯିହୋବା ଜଣେ କୁମ୍ଭାର ଭାବେ ନିଜ ଭୂମିକା ତୁଲାଇଥାʼନ୍ତି । କିପରି? ଯିହୋବା ଲୋକମାନଙ୍କୁ ଗଢ଼ିବା ସମୟରେ ସେମାନେ ଯେପରି ମନୋଭାବ ଦେଖାନ୍ତି, ତାʼ ଅନୁଯାୟୀ ଯିହୋବା ସେମାନଙ୍କ ପ୍ରତି ଆଚରଣ କରିଥାʼନ୍ତି । ଯେତେବେଳେ ଲୋକେ ଯିହୋବାଙ୍କ ଆଜ୍ଞା ପାଳନ କରନ୍ତି, ସେତେବେଳେ ସେ ସେମାନଙ୍କୁ ନିଜ ସେବାରେ ବ୍ୟବହାର କରିଥାʼନ୍ତି । ଉଦାହରଣ ପାଇଁ, ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ “ଦୟାର ପାତ୍ର” ଅଟନ୍ତି, ଯେଉଁମାନେ “ଆଦର ନିମନ୍ତେ” ଗଢ଼ାଯାʼନ୍ତି । ଅନ୍ୟ ପକ୍ଷରେ, ଯେଉଁମାନେ ଅବାଧ୍ୟ ହୋଇ ଈଶ୍ୱରଙ୍କୁ ବିରୋଧ କରନ୍ତି, ସେମାନେ “କ୍ରୋଧର ପାତ୍ର” ହୋଇଯାʼନ୍ତି ଏବଂ ‘ବିନାଶର’ ଯୋଗ୍ୟ ଅଟନ୍ତି ।—ରୋମୀ. ୯:୧୯-୨୩.
ଇନସାଇଟ୍-୧ ୧୨୬୦ ¶୨
ଉତ୍ସାହ
ଅନୁଚିତ୍ ଉତ୍ସାହ । ଜଣେ ବ୍ୟକ୍ତି କୌଣସି କାମ ପାଇଁ ହୃଦୟରୁ ଉତ୍ସାହ ଦେଖାଇପାରେ, କିନ୍ତୁ ହୁଏତ ଏପରି ଉତ୍ସାହ ଦେଖାଇବା ଉଚିତ୍ ହୋଇ ନ ପାରେ ଏବଂ ଈଶ୍ୱର ତାʼ ଉପରେ ଅସନ୍ତୁଷ୍ଟ ହୋଇପାରନ୍ତି । ଏପ୍ରକାରର ଉତ୍ସାହ ପ୍ରଥମ ଶତାବ୍ଦୀର ଅନେକ ଯିହୁଦୀମାନଙ୍କଠାରେ ଥିଲା । ସେମାନେ ଭାବୁଥିଲେ ଯେ ମୋଶାଙ୍କ ନିୟମରେ କୁହାଯାଇଥିବା କାମସବୁ କଲେ, ସେମାନେ ଧାର୍ମିକ ଗଣାଯିବେ । କିନ୍ତୁ ପାଉଲ ପ୍ରମାଣିତ କଲେ ଯେ ଏପରି ଉତ୍ସାହ ଦେଖାଇବା ଅନୁଚିତ୍, କାରଣ ସେମାନଙ୍କଠାରେ ସଠିକ୍ ତଥ୍ୟ ନ ଥିଲା । ତେଣୁ ସେମାନେ ଈଶ୍ୱରଙ୍କ ଦୃଷ୍ଟିରେ ଧାର୍ମିକ ଗଣାଗଲେ ନାହିଁ । ସେମାନେ ବୁଝିବା ଉଚିତ୍ ଥିଲା ଯେ ସେମାନେ ଯାହା କରୁଛନ୍ତି, ତାହା ଭୁଲ୍ । ସେମାନଙ୍କୁ ଖ୍ରୀଷ୍ଟଙ୍କ ଜରିଆରେ ଈଶ୍ୱରଙ୍କ ପାଖକୁ ଯିବାର ଥିଲା, ଯାହାଫଳରେ ଈଶ୍ୱର ସେମାନଙ୍କୁ ଧାର୍ମିକ ରୂପେ ସ୍ୱୀକାର କରନ୍ତେ । ଆଉ, ସେମାନେ ଦଣ୍ଡରୁ ମୁକ୍ତ ହୁଅନ୍ତେ, କାରଣ ମୋଶାଙ୍କ ନିୟମ ଅନୁଯାୟୀ ସେମାନେ ଦଣ୍ଡ ପାଇବାର ଯୋଗ୍ୟ ଥିଲେ । (ରୋମୀ. ୧୦:୧-୧୦) ଜଣେ ଖ୍ରୀଷ୍ଟିୟାନ ହେବା ପୂର୍ବରୁ ପାଉଲଙ୍କଠାରେ ମଧ୍ୟ ଏହିପରି ଉତ୍ସାହ ଥିଲା । ସେସମୟରେ ସେ ତାର୍ଷର ନିବାସୀ ଶାଉଲ ଭାବେ ପରିଚିତ ଥିଲେ । ତାଙ୍କଠାରେ ଯିହୁଦୀ ଧର୍ମ ପାଇଁ ଏତେ ଉତ୍ସାହ ଓ ଉତ୍ତେଜନା ଭରି ରହିଥିଲା ଯେ ସେ ‘ଈଶ୍ୱରଙ୍କ ମଣ୍ଡଳୀକି ଅତିରିକ୍ତ ଭାବରେ ତାଡ଼ନା କରୁଥିଲେ ଓ ତାହା ଉଚ୍ଛିନ୍ନ କରିବାକୁ ଚେଷ୍ଟା କରୁଥିଲେ ।’ (ଗାଲା. ୧:୧୩, ୧୪; ଫିଲିପ୍ପୀ. ୩:୬) ତାଙ୍କ ଉତ୍ସାହ ସଠିକ୍ ଜ୍ଞାନ ଅନୁଯାୟୀ ନ ଥିଲା । କିନ୍ତୁ ସେ ହୃଦୟରୁ ଜଣେ ଭଲ ବ୍ୟକ୍ତି ଥିଲେ, ତେଣୁ ଯିହୋବା ତାଙ୍କୁ ଖ୍ରୀଷ୍ଟଙ୍କ ଜରିଆରେ ଅନୁଗ୍ରହ କଲେ ଏବଂ ସତ୍ୟ ଉପାସନାର ବାଟ ଦେଖାଇଲେ ।—୧ତୀମ. ୧:୧୨, ୧୩.