ମାର୍ଚ୍ଚ—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୪-୧୦ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୧୨-୧୪
“ଖ୍ରୀଷ୍ଟୀୟ ପ୍ରେମର ଅର୍ଥ କʼଣ?”
ଇନସାଇଟ୍-୧ ୫୫
ସ୍ନେହ
ଖ୍ରୀଷ୍ଟୀୟ ମଣ୍ଡଳୀର ସବୁ ସଦସ୍ୟଙ୍କ ମଧ୍ୟରେ ଭ୍ରାତୃପ୍ରେମ (ଗ୍ରୀକ୍ ଭାଷାରେ ଫିଲାଡେଲଫିଆ, ଶାବ୍ଦିକ, “ଜଣେ ଭାଇ ପ୍ରତି ସ୍ନେହ”) ରହିବା ଉଚିତ୍ । (ରୋମୀ ୧୨:୧୦; ଏବ୍ରୀ ୧୩:୧; ଦୟାକରି ୧ପିତ ୩:୮ ମଧ୍ୟ ଦେଖନ୍ତୁ ।) ଅନ୍ୟ ଶବ୍ଦରେ, ମଣ୍ଡଳୀର ଭାଇଭଉଣୀମାନଙ୍କୁ ପରସ୍ପର ମଧ୍ୟରେ ଏପରି ନିକଟବର୍ତ୍ତୀ ଅନୁଭବ କରିବା ଉଚିତ୍ ଏବଂ ସେମାନଙ୍କ ମଧ୍ୟରେ ପରସ୍ପରର ସମ୍ପର୍କ ଏପରି ମଜବୁତ୍ ହେବା ଉଚିତ୍, ଯେପରି ଏକ ପରିବାରର ଲୋକଙ୍କ ମଧ୍ୟରେ ରହିଥାଏ । କୌଣସି ମଣ୍ଡଳୀର ଭାଇଭଉଣୀମାନଙ୍କ ମଧ୍ୟରେ ଏଭଳି ପ୍ରେମ ଥିଲେ ମଧ୍ୟ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉଛି ଯେ ସେମାନେ ପରସ୍ପରକୁ ଆହୁରି ଅଧିକ ପ୍ରେମ କରନ୍ତୁ ।—୧ଥେସ ୪:୯, ୧୦.
ଗ୍ରୀକ୍ ଶବ୍ଦ ଫିଲୋ-ଷ୍ଟୋର୍ଗସ୍ର ଅର୍ଥ ହେଉଛି, “ସ୍ନେହଶୀଳ” ହେବା । ଏହି ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କ ପାଇଁ ବ୍ୟବହୃତ ହୁଏ, ଯାହାଙ୍କର ଅନ୍ୟ ଜଣେ ବ୍ୟକ୍ତି ସହ ଘନିଷ୍ଠ ସମ୍ପର୍କ ଅଛି । ଏହି ଶବ୍ଦ ଯେଉଁ ଶବ୍ଦଗୁଡ଼ିକରୁ ଆସିଛି, ସେମଧ୍ୟରୁ ଗୋଟିଏ ହେଉଛି ଷ୍ଟର୍ଗୋ । ଏହି ଶବ୍ଦ ସାଧାରଣତଃ ସ୍ୱାଭାବିକ ପ୍ରେମ ପାଇଁ ବ୍ୟବହୃତ ହୁଏ, ଯେପରି— ପରିବାରର ଲୋକମାନଙ୍କ ମଧ୍ୟରେ ଥିବା ପ୍ରେମ । ପ୍ରେରିତ ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ଏପରି ପ୍ରେମ ବଢ଼ାଇବା ପାଇଁ ପରାମର୍ଶ ଦେଇଥିଲେ । (ରୋମୀ ୧୨:୧୦) ପାଉଲ ଏହା ମଧ୍ୟ କହିଥିଲେ ଯେ ଶେଷକାଳରେ ଲୋକମାନେ “ସ୍ନେହଶୂନ୍ୟ” (ଗ୍ରୀକ୍, ଏଷ୍ଟର୍ଗୋଇ) ହେବେ ଏବଂ ଏପରି ଲୋକେ ମୃତ୍ୟୁଦଣ୍ଡ ପାଇବାର ଯୋଗ୍ୟ ।—୨ତୀମ ୩:୩; ରୋମୀ ୧:୩୧, ୩୨.
ପ୍ର୦୯-ହି ୧୦/୧୫ ୮ ¶୩
“ସମସ୍ତ ଲୋକଙ୍କ ସହିତ ଶାନ୍ତିରେ ରୁହ”
୩ ରୋମୀୟ ୧୨:୧୭ ପଢ଼ନ୍ତୁ । ପାଉଲ ବୁଝାନ୍ତି ଯେ ଯେତେବେଳେ କେହି ଆମକୁ ବିରୋଧ କରନ୍ତି, ଆମେ ପ୍ରତିଶୋଧ ନେବା ଉଚିତ୍ ନୁହେଁ । ଯେଉଁମାନଙ୍କ ପରିବାରର ସବୁ ସଦସ୍ୟ ଯିହୋବାଙ୍କ ଉପାସକ ନୁହନ୍ତି, ବିଶେଷ କରି ସେମାନଙ୍କୁ ଏହି ପରାମର୍ଶ ମାନିବା ଜରୁରୀ । ଉଦାହରଣ ପାଇଁ, ଧରନ୍ତୁ ଜଣେ ଖ୍ରୀଷ୍ଟିୟାନଙ୍କ ଜୀବନସାଥୀ ସତ୍ୟରେ ନାହାନ୍ତି । ତାଙ୍କ ସାଥୀ ହୁଏତ ତାଙ୍କୁ ସଦାବେଳେ ମନକୁ କଷ୍ଟ ଦେଉଥିବା କଥାସବୁ କୁହନ୍ତି କିମ୍ବା ତାଙ୍କୁ କଠୋର ବ୍ୟବହାର ଦେଖାନ୍ତି । ଏପରି ପରିସ୍ଥିତିରେ ଖ୍ରୀଷ୍ଟିୟାନ ଜଣକ ନିଜଠାରେ ପ୍ରତିଶୋଧର ମନୋଭାବ ଉତ୍ପନ୍ନ ହେବାକୁ ଦେବେ ନାହିଁ । “ମନ୍ଦ ବଦଳରେ କାହାରି ମନ୍ଦ” କଲେ କିଛି ଲାଭ ମିଳେ ନାହିଁ, ବରଂ ଓଲଟା ଏହା ନିଆଁରେ ଘିଅ ଢାଳିବା ଭଳି କାମ କରିପାରେ ।
ପ୍ର୦୭-ହି ୭/୧ ୨୫-୨୬ ¶୧୨-୧୩
“ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ”
୧୨ ବିଶ୍ୱାସୀ ଓ ଅବିଶ୍ୱାସୀମାନଙ୍କ ସହ ଆମେ କିପରି ବ୍ୟବହାର ଦେଖାଇବା ଉଚିତ୍, ସେବିଷୟରେ ପାଉଲ ଆଗକୁ କୁହନ୍ତି, “ମନ୍ଦ ବଦଳରେ କାହାରି ମନ୍ଦ କର ନାହିଁ ।” ଏହି ବାକ୍ୟଟି ପାଉଲ ଆଗରୁ କହିଥିବା ଏ କଥା ସହ ଗଭୀର ସମ୍ପର୍କ ରହିଛି— “ଯାହା ମନ୍ଦ, ତାହା ଘୃଣା କର ।” ପ୍ରକୃତରେ ଦେଖିବାକୁ ଗଲେ, ଯଦି ଜଣେ ବ୍ୟକ୍ତି କାହାରିକୁ ପ୍ରତିଶୋଧ ନେବା ପାଇଁ କିଛି ମନ୍ଦ କରିବ, ତେବେ କʼଣ ସେ କହିପାରିବ ଯେ ସେ ମନ୍ଦକୁ ପ୍ରକୃତରେ ଘୃଣା କରେ? ନା । ଏହା ପରିବର୍ତ୍ତେ, ଏଭଳି କରିବା ଦେଖାଇବ ଯେ ତାʼଠାରେ “ନିଷ୍କପଟ” ପ୍ରେମ ନାହିଁ । ପାଉଲ ଆଗକୁ କୁହନ୍ତି, “ସମସ୍ତ ମନୁଷ୍ୟଙ୍କ ଦୃଷ୍ଟିରେ ଯାହା ଯାହା ଉତ୍ତମ, ସେହିସବୁ ଚିନ୍ତା କର ।” (ରୋମୀୟ ୧୨:୯, ୧୭) ଆମେ ଏହି ଶବ୍ଦଗୁଡ଼ିକୁ କିପରି ଲାଗୁ କରିପାରିବା?
୧୩ ରୋମର ଖ୍ରୀଷ୍ଟିୟାନମାନଙ୍କୁ ଲେଖିବା ପୂର୍ବରୁ ପାଉଲ କରିନ୍ଥର ଖ୍ରୀଷ୍ଟିୟାନମାନଙ୍କୁ ଏକ ଚିଠି ଲେଖିଥିଲେ । ସେଥିରେ ସେ କହିଥିଲେ ଯେ ପ୍ରେରିତମାନଙ୍କୁ କେଉଁ କେଉଁ ଅତ୍ୟାଚାର ସହିବାକୁ ପଡ଼ିଲା । ସେ ଲେଖିଲେ, “ଆମ୍ଭେମାନେ ଜଗତ, ଦୂତ ଓ ମନୁଷ୍ୟମାନଙ୍କ ନିକଟରେ କୌତୁକର ବିଷୟ ହୋଇଅଛୁ । . . . ନିନ୍ଦିତ ହୋଇ ଆଶୀର୍ବାଦ କରୁଅଛୁ, ତାଡ଼ନା ପ୍ରାଯ୍ତ ହୋଇ ସହ୍ୟ କରୁଅଛୁ, ଅପବାଦିତ ହୋଇ ମିଳନର କଥା କହୁଅଛୁ ।” (୧ କରିନ୍ଥୀୟ ୪:୯-୧୩) ଠିକ୍ ସେହିପରି, ଆଜି ଜଗତର ଲୋକମାନଙ୍କ ଦୃଷ୍ଟି ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କ ଉପରେ ରହିଛି । ଯେତେବେଳେ ଆମ ଆଖପାଖର ଲୋକେ ଦେଖନ୍ତି ଯେ ଆମେ ଅନ୍ୟାୟ ସହିବା ସମୟରେ ମଧ୍ୟ ଭଲ କାମ କରୁ, ସେତେବେଳେ ସେମାନେ ହୁଏତ ଆମ ବାର୍ତ୍ତା ଶୁଣିବା ପାଇଁ ପ୍ରସ୍ତୁତ ହୋଇପାରନ୍ତି, ଯାହାକୁ ସେମାନେ ପୂର୍ବେ ଅସ୍ୱୀକାର କରିଦେଇଥିଲେ ।—୧ ପିତର ୨:୧୨.
ପ୍ର୧୨-ହି ୧୧/୧୫ ୨୯ ¶୧୩
ହୃଦୟ ଖୋଲି ପରସ୍ପରକୁ କ୍ଷମା କରନ୍ତୁ
୧୩ କେବେ କେବେ ହୁଏତ କୌଣସି ଅବିଶ୍ୱାସୀ ବ୍ୟକ୍ତି ଆପଣଙ୍କୁ ଦୁର୍ବ୍ୟବହାର କରିପାରନ୍ତି । କିନ୍ତୁ ଆପଣ ନିଜ ବ୍ୟବହାର ଦ୍ୱାରା ତାଙ୍କୁ ସତ୍ୟ ଆଡ଼କୁ ଆକର୍ଷିତ କରିପାରିବେ । ପ୍ରେରିତ ପାଉଲ ଲେଖିଲେ, “ଯଦି ତୁମ୍ଭର ଶତ୍ରୁ କ୍ଷୁଧିତ, ତେବେ ତାକୁ ଭୋଜନ କରାଅ; ଯଦି ସେ ତୃଷିତ ତାକୁ ପାନ କରାଅ; କାରଣ ଏହିପରି କଲେ ତୁମ୍ଭେ ତାʼର ମସ୍ତକ ଉପରେ ଜ୍ୱଳନ୍ତା ଅଙ୍ଗାର ଗଦା କରିବ । କୁକ୍ରିୟାରେ ପରାଜିତ ନ ହୋଇ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର ।” (ରୋମୀ. ୧୨:୨୦, ୨୧) ଅନ୍ୟମାନେ ଆପଣଙ୍କ ପ୍ରତି ଦୁର୍ବ୍ୟବହାର କରିବା ସତ୍ତ୍ୱେ ଯଦି ଆପଣ ଭଲ ବ୍ୟବହାର ଦେଖାନ୍ତି, ତେବେ ଅତି କଠୋର ବ୍ୟକ୍ତିଙ୍କ ହୃଦୟ ମଧ୍ୟ ତରଳି ଯାଇପାରେ ଏବଂ ତାଙ୍କ ଭଲ ଗୁଣଗୁଡ଼ିକ ବାହାରକୁ ଆସିପାରେ । ଆପଣଙ୍କୁ ଖରାପ ବ୍ୟବହାର ଦେଖାଉଥିବା ବ୍ୟକ୍ତିଙ୍କୁ ଯଦି ଆପଣ ବୁଝିବାକୁ ଚେଷ୍ଟା କରନ୍ତି ଏବଂ ତାଙ୍କୁ କରୁଣା ଦେଖାନ୍ତି, ତେବେ ହୁଏତ ବାଇବଲର ସତ୍ୟଗୁଡ଼ିକ ଶିଖିବାରେ ଆପଣ ତାଙ୍କୁ ସାହାଯ୍ୟ କରିପାରିବେ । ଯଦି ଏପରି ନ ହୁଏ, ତଥାପି ଆପଣଙ୍କ କୋମଳ ବ୍ୟବହାର ଦେଖି ହୁଏତ ସେ ଏହା ଭାବିବାରେ ବାଧ୍ୟ ହେବେ ଯେ ଆପଣ ଅନ୍ୟମାନଙ୍କଠାରୁ କାହିଁକି ଏତେ ଅଲଗା ଅଟନ୍ତି ।—୧ ପିତ. ୨:୧୨; ୩:୧୬.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ରେମରେ ସ୍ଥିର (ହିନ୍ଦୀ) ୭୬-୭୭ ¶୫-୬
ଭଲ ମନୋରଞ୍ଜନ କʼଣ—କିପରି ଜାଣିବା?
୫ ଆମେ ଜୀବନରେ ଯାହା କିଛି କରୁ, ତାʼ ଉପରେ ନିର୍ଭର କରେ ଯେ ଈଶ୍ୱର ଆମ ଉପାସନାକୁ ସ୍ୱୀକାର କରିବେ ନା ନାହିଁ । ପାଉଲ ଏ କଥାକୁ ବୁଝାଇବା ପାଇଁ କହିଲେ, “ତୁମ୍ଭେମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କ ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର ।” (ରୋମୀୟ ୧୨:୧) ଯୀଶୁ କହିଥିଲେ, “ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର ।” (ମାର୍କ ୧୨:୩୦) ଆମେ ଯିହୋବାଙ୍କ ଉପାସନା ପାଇଁ ଯାହା ମଧ୍ୟ କରୁ, ତାହା ଆମ ଆଡ଼ୁ ସବୁଠାରୁ ଉତ୍ତମ ହେବା ଉଚିତ୍ । ଇସ୍ରାଏଲୀୟମାନଙ୍କୁ କୁହାଯାଇଥିଲା ଯେ ଯିହୋବାଙ୍କ ପାଇଁ କୌଣସି ପଶୁ ବଳିଦାନ କରିବା ସମୟରେ ସେମାନେ ଏପରି ପଶୁ ଦେବା ଉଚିତ୍, ଯାହା ସମ୍ପୂର୍ଣ୍ଣ ରୂପେ ସୁସ୍ଥ ଥିବ । ଯଦି ପଶୁଠାରେ କିଛି ଖୁଣ ବା ଦୋଷ ରହୁଥିଲା, ତେବେ ଯିହୋବା ତାକୁ ସ୍ୱୀକାର କରୁ ନ ଥିଲେ । (ଲେବୀ ପୁସ୍ତକ ୨୨:୧୮-୨୦) ଠିକ୍ ସେହିପରି, ଯଦି ଆଜି ଆମ ଉପାସନାରେ କୌଣସି ଖୁଣ ରହେ, ତେବେ ଯିହୋବା ତାକୁ ସ୍ୱୀକାର କରିବେ ନାହିଁ । ଏହାର ଅର୍ଥ କʼଣ?
୬ ଯିହୋବା ଆମକୁ କହନ୍ତି, “ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର ।” (୧ ପିତର ୧:୧୪-୧୬; ୨ ପିତର ୩:୧୧) ଯିହୋବା ଆମ ଉପାସନା ତେବେଯାଇ ସ୍ୱୀକାର କରିବେ, ଯେତେବେଳେ ତାହା ପବିତ୍ର ବା ଶୁଦ୍ଧ ରହିବ । (ଦ୍ୱିତୀୟ ବିବରଣ ୧୫:୨୧) ଯିହୋବା ଅନୈତିକତା, ହିଂସା, ଯାଦୁବିଦ୍ୟା ଭଳି କାମଗୁଡ଼ିକୁ ଘୃଣା କରନ୍ତି । ଯଦି ଆମେ ଏପରି କାମ କରିବା, ତେବେ ଆମ ଉପାସନା ଅଶୁଦ୍ଧ ହୋଇଯିବ । (ରୋମୀୟ ୬:୧୨-୧୪; ୮:୧୩) ହୁଏତ ଆମେ ଏପରି କାମ ନିଜେ କରି ନ ଥାଉ, କିନ୍ତୁ ଚଳଚ୍ଚିତ୍ର ଇତ୍ୟାଦିରେ ଏସବୁର ମଜା ଉଠାଇଥାଉ । ଏପରି କଲେ ଆମ ଉପାସନା ଦୂଷିତ ହୋଇଯିବ । ଯିହୋବା ଆମ ଉପାସନାକୁ ସ୍ୱୀକାର କରିବେ ନାହିଁ ଏବଂ ତାହାଙ୍କ ସହ ଆମ ସମ୍ପର୍କ ମଧ୍ୟ ଦୁର୍ବଳ ହୋଇଯିବ ।
ପ୍ର୦୮-ହି ୬/୧୫ ୩୧ ¶୪
ରୋମୀୟ ବହିର ମୁଖ୍ୟାଂଶ
୧୩:୧—କେଉଁ ଅର୍ଥରେ ଉଚ୍ଚ ଅଧିକାରୀ କିମ୍ବା ଶାସନକର୍ତ୍ତା “ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ”? ଏହାର ଅର୍ଥ ହେଲା, ସେମାନଙ୍କୁ ଈଶ୍ୱରଙ୍କଠାରୁ ଅନୁମତି ମିଳିଥିବାରୁ ସେମାନେ ଶାସନ କରନ୍ତି । ଆଉ କିଛି କ୍ଷେତ୍ରରେ ତ ଈଶ୍ୱର ବହୁ ପୂର୍ବରୁ ଦେଖିଥିଲେ ଯେ ଆଗକୁ ଯାଇ କିଏ ଶାସନ କରିବ । ଏହି କଥା ଆମେ ବାଇବଲରେ ଦେଖିପାରୁ । ଏଥିରେ ଏପରି ଅନେକ ଶାସକଙ୍କ ବିଷୟରେ ଭବିଷ୍ୟତବାଣୀ କରାଯାଇଛି, ଯେଉଁମାନେ ଆଗକୁ ଯାଇ ଶାସନ କଲେ ।
ପ୍ରଚାର ସେବାରେ ଦକ୍ଷତା ବଢ଼ାନ୍ତୁ
ପ୍ର୧୧-ଇଂ ୯/୧ ୨୧-୨୨
କʼଣ ଆପଣଙ୍କୁ କର ଦେବା ଉଚିତ୍?
କର ଦେବା ମାମଲାରେ ବିବେକର ସ୍ୱର
ଧ୍ୟାନ ଦିଅନ୍ତୁ ଯେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନେ ମଧ୍ୟ ଯେଉଁ କର ଦେଉଥିଲେ, ତାର ଅଧିକାଂଶ ପଇସା ସେନାବାହିନୀରେ ଲଗାଯାଉଥିଲା । କିନ୍ତୁ ବିବେକର ମାମଲାକୁ ନେଇ ଗାନ୍ଧୀଜୀ ଏବଂ ଦାର୍ଶନିକ ଥାରୋ କର ଦେବାର ବିରୁଦ୍ଧରେ କହିଥିଲେ ।
ଖ୍ରୀଷ୍ଟିୟାନମାନେ ରୋମୀୟ ୧୩ ଅଧ୍ୟାୟରେ କୁହାଯାଇଥିବା ଆଜ୍ଞାକୁ କାହିଁକି ପାଳନ କରୁଥିଲେ? ସେମାନେ ନିଜ “ବିବେକ” ଯୋଗୁଁ ପାଳନ କରୁଥିଲେ, ଦଣ୍ଡରୁ ବଞ୍ଚିତ ହେବା ପାଇଁ ନୁହେଁ । (ରୋମୀୟ ୧୩:୫) ହଁ, ଜଣେ ଖ୍ରୀଷ୍ଟିୟାନ ଦେଉଥିବା କରର ପଇସା ସେ ପସନ୍ଦ କରୁ ନ ଥିବା କାମରେ ବ୍ୟବହାର କରାଯାଉ ପଛେ, ତାର ବିବେକ ତାକୁ ବାଧ୍ୟ କରେ ଯେ ସେ ସରକାରଙ୍କୁ କର ଦେଉ । ହୁଏତ ଏକଥା ଆମକୁ ବୁଝିବା ପାଇଁ ଟିକେ କଷ୍ଟ ଲାଗିପାରେ, କିନ୍ତୁ ଏହାକୁ ବୁଝିବା ପାଇଁ ଆମକୁ ବିବେକ ବିଷୟରେ ଏକ ମହତ୍ତ୍ୱପୂର୍ଣ୍ଣ କଥା ଜାଣିବା ଜରୁରୀ । କାରଣ ବିବେକ ଆମ ଅନ୍ତରର ସ୍ୱର ଅଟେ, ଯାହା ଆମକୁ କହେ ଯେ କେଉଁ କାମ କରିବା ଠିକ୍, ଆଉ କେଉଁ କାମ କରିବା ଭୁଲ୍ ।
ଯେପରି ଥାରୋ କହିଥିଲେ, ପ୍ରତ୍ୟେକ ମଣିଷର ବିବେକ ଥାଏ । କିନ୍ତୁ ଆମ ବିବେକ ସର୍ବଦା ଭରସାଯୋଗ୍ୟ ହୋଇ ନ ଥାଏ, କାରଣ କିଛି ମାମଲାରେ ଆମ ଚିନ୍ତାଧାରା ହୁଏତ ଈଶ୍ୱରଙ୍କ ଚିନ୍ତାଧାରା ସହ ମେଳ ଖାଏ ନାହିଁ । ଏପରି ସମୟରେ ଆମକୁ ନିଜ ଚିନ୍ତାଧାରା ବଦଳାଇବାକୁ ହେବ, ଯାହାଫଳରେ ଏହା ଈଶ୍ୱରଙ୍କ ଚିନ୍ତାଧାରା ସହ ମେଳ ଖାଇବ । କାରଣ ତାହାଙ୍କ ଚିନ୍ତାଧାରା ଆମର ଚିନ୍ତାଧାରାଠାରୁ କାହିଁ କେତେ ଉଚ୍ଚତର! ଯେତେବେଳେ ଆମ ବିବେକ ତାହାଙ୍କ ନୈତିକ ମାନଦଣ୍ଡ ମୁତାବକ କାମ କରିବ, ତେବେଯାଇ ଆମେ ଈଶ୍ୱରଙ୍କୁ ଖୁସି କରିପାରିବା । (ଗୀତସଂହିତା ୧୯:୭) ତେଣୁ ଆମକୁ ଜାଣିବାକୁ ହେବ ଯେ ସରକାରଗୁଡ଼ିକ ବିଷୟରେ ଈଶ୍ୱର କʼଣ ଭାବନ୍ତି ।
ପ୍ରେରିତ ପାଉଲ କହିଲେ ଯେ ସରକାରଗୁଡ଼ିକ “ଈଶ୍ୱରଙ୍କ ସେବକ ସ୍ୱରୂପେ” କାମ କରିଥାʼନ୍ତି । (ରୋମୀୟ ୧୩:୬) ଏହାର ଅର୍ଥ କʼଣ? ଏହାର ଅର୍ଥ ହେଉଛି, ସରକାରଗୁଡ଼ିକ ସମାଜରେ ନିୟମ ଓ ବ୍ୟବସ୍ଥାକୁ ବଜାୟ ରଖନ୍ତି । ତାʼ ସହ, ଜନତାଙ୍କ ପାଇଁ ଅନେକ ଭଲ କାମ କରିଥାʼନ୍ତି । ସରକାରଗୁଡ଼ିକ ଯେତେ ମଧ୍ୟ ଭ୍ରଷ୍ଟ ହେଉ ନା କାହିଁକି, ସେଗୁଡ଼ିକ ଆମ ପାଇଁ ଅନେକ ସୁବିଧା ସୁଯୋଗ ଉପଲବ୍ଧ କରାଇଥାʼନ୍ତି । ଯେପରି— ଡାକସେବା, ଶିକ୍ଷାଦାନ, ଅଗ୍ନିଶମ ବିଭାଗ ଓ ପୋଲିସ୍ ସେବା ଇତ୍ୟାଦି । ଈଶ୍ୱର ଜାଣନ୍ତି ଯେ ମାନବୀୟ ସରକାରଗୁଡ଼ିକଠାରେ ବହୁତଗୁଡ଼ିଏ ତ୍ରୁଟି ରହିଛି, ତଥାପି ସେ କିଛି ସମୟ ପାଇଁ ଏଗୁଡ଼ିକୁ ସହି ଆସୁଛନ୍ତି । ସେ ଆମକୁ ଆଜ୍ଞା ଦେଇଛନ୍ତି ଯେ ଆମେ ସରକାରଗୁଡ଼ିକର ଆଦର କରୁ ଏବଂ କର ଦେଉ ।
ଈଶ୍ୱର ଖୁବ୍ ଶୀଘ୍ର ସମସ୍ତ ମାନବୀୟ ସରକାରଗୁଡ଼ିକୁ ହଟାଇ ନିଜର ସରକାର ସ୍ଥାପନ କରିବେ ଏବଂ ବର୍ଷ ବର୍ଷ ଧରି ଏହି ସରକାରଗୁଡ଼ିକ ମଣିଷମାନଙ୍କର ଯେଉଁସବୁ କ୍ଷତି କରିଛନ୍ତି, ସେସବୁର କ୍ଷତିପୂରଣ କରିବେ । (ଦାନିୟେଲ ୨:୪୪; ମାଥିଉ ୬:୧୦) ସେସମୟ ନ ଆସିବା ପର୍ଯ୍ୟନ୍ତ ଈଶ୍ୱର ଚାହାନ୍ତି ଯେ ଆମେ ସରକାରଗୁଡ଼ିକର ଆଜ୍ଞା ପାଳନ କରୁ । ସେ ଚାହାନ୍ତି ନାହିଁ ଯେ ଆମେ କର ଦେବା ପାଇଁ ମନା କରୁ କିମ୍ବା ଆଉ କୌଣସି ପ୍ରକାରେ ସରକାରଙ୍କ ବିରୁଦ୍ଧରେ ବିଦ୍ରୋହ କରୁ ।
କିନ୍ତୁ ଉପରେ କୁହାଯାଇଥିବା କଥା ପ୍ରତି ଧ୍ୟାନ ଦେବା ପରେ ମଧ୍ୟ ଯଦି ଆପଣଙ୍କୁ ଗାନ୍ଧୀଜୀଙ୍କ ଭଳି ଲାଗେ ଯେ କର ଦେଇ ଆମେ ଯୁଦ୍ଧର ସମର୍ଥନ କରୁଛୁ ଏବଂ ଏହା ଗୋଟେ ପାପ, ତେବେ ଆପଣ କʼଣ କରିପାରିବେ? ଗୋଟେ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେତେବେଳେ ଆମେ କୌଣସି ଉଚ୍ଚ ସ୍ଥାନକୁ ଚଢ଼ୁ, ଆମକୁ ତଳ ଅଞ୍ଚଳ ଆହୁରି ସ୍ପଷ୍ଟ ଦେଖାଯାଏ । ଠିକ୍ ସେହିପରି, ଯେତେବେଳେ ଆମେ ଈଶ୍ୱରଙ୍କ ଉଚ୍ଚ ଚିନ୍ତାଧାରା ଅନୁଯାୟୀ ନିଜ ଚିନ୍ତାଧାରାରେ ପରିବର୍ତ୍ତନ ଆଣୁ, ଆମେ ମାମଲାକୁ ସଠିକ୍ ଦୃଷ୍ଟିକୋଣରୁ ଦେଖିପାରିଥାଉ । ଯିଶାଇୟ ଭବିଷ୍ୟଦ୍ୱକ୍ତାଙ୍କ ଜରିଆରେ ଈଶ୍ୱର କହିଥିଲେ, “ପୃଥିବୀ ଅପେକ୍ଷା ଆକାଶମଣ୍ଡଳ ଯେପରି ଉଚ୍ଚ, ସେପରି ଆମ୍ଭର ମାର୍ଗସକଳ ତୁମ୍ଭମାନଙ୍କର ମାର୍ଗ ଅପେକ୍ଷା ଓ ଆମ୍ଭର ସଂକଳ୍ପ ସକଳ ତୁମ୍ଭମାନଙ୍କ ସଂକଳ୍ପ ଅପେକ୍ଷା ଉଚ୍ଚତର ଅଟେ ।”—ଯିଶାଇୟ ୫୫:୮, ୯.
୧୧-୧୭ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ରୋମୀୟ ୧୫-୧୬
“ଧୈର୍ଯ୍ୟ ଧରିବା ଓ ସାନ୍ତ୍ୱନା ପାଇବା ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ”
ପ୍ର୧୭.୦୭-ହି ୧୪ ¶୧୧
“ଯେଉଁମାନେ ରୋଦନ କରନ୍ତି, ସେମାନଙ୍କ ସହିତ ରୋଦନ କର”
୧୧ ଲାଜାରଙ୍କ ମୃତ୍ୟୁ ସମୟରେ ଯୀଶୁ ଯେଉଁ ଦୁଃଖ ଓ ଯନ୍ତ୍ରଣା ଅନୁଭବ କଲେ, ସେବିଷୟରେ ପଢ଼ି ଆମକୁ ବହୁତ ସାନ୍ତ୍ୱନା ମିଳେ । କିନ୍ତୁ ବାଇବଲରେ ଆହୁରି ଅନେକ ପଦଗୁଡ଼ିକ ଅଛି, ଯେଉଁଥିରୁ ଆମକୁ ସାନ୍ତ୍ୱନା ମିଳେ । କାରଣ “ଆମ୍ଭେମାନେ ଯେପରି ଶାସ୍ତ୍ରଲବ୍ଧ ଧୈର୍ଯ୍ୟ ଓ ସାନ୍ତ୍ୱନା ଦ୍ୱାରା ଭରସା ପ୍ରାଯ୍ତ ହେଉ, ଏଥିନିମନ୍ତେ ପୂର୍ବକାଳରେ ଯାହା ଯାହା ଲେଖା ହୋଇଥିଲା, ସେହିସବୁ ଆମ୍ଭମାନଙ୍କର ଶିକ୍ଷା ପାଇଁ ଲେଖା ହୋଇଅଛି ।” (ରୋମୀ. ୧୫:୪) ଯଦି ମୃତ୍ୟୁ ଆପଣଙ୍କ କୌଣସି ଆତ୍ମୀୟଙ୍କୁ ଛଡ଼ାଇ ନେଇଛି, ତେବେ ଆଗକୁ ଥିବା ପଦଗୁଡ଼ିକରୁ ଆପଣଙ୍କୁ ମଧ୍ୟ ସାନ୍ତ୍ୱନା ମିଳିପାରେ:
▪ “ସଦାପ୍ରଭୁ ଭଗ୍ନାନ୍ତଃକରଣମାନଙ୍କର ନିକଟବର୍ତ୍ତୀ ଅଟନ୍ତି ଓ ସେ ଚୂର୍ଣ୍ଣମନାମାନଙ୍କୁ ତ୍ରାଣ କରନ୍ତି ।”—ଗୀତ. ୩୪:୧୮, ୧୯.
▪ “ମୋʼ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ ତୁମ୍ଭର [ଯିହୋବାଙ୍କ] ସାନ୍ତ୍ୱନାସବୁ ମୋʼ ପ୍ରାଣକୁ ଆହ୍ଲାଦିତ କରେ ।”—ଗୀତ. ୯୪:୧୯.
▪ “ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ, ଆଉ ଆମ୍ଭମାନଙ୍କ ଯେଉଁ ପିତା ଈଶ୍ୱର ଆମ୍ଭମାନଙ୍କୁ ପ୍ରେମ କରି ଅନୁଗ୍ରହରେ ଆମ୍ଭମାନଙ୍କୁ ଅନନ୍ତ ସାନ୍ତ୍ୱନା ଓ ଉତ୍ତମ ଭରସା ଦେଇଅଛନ୍ତି, ସେ ନିଜେ ତୁମ୍ଭମାନଙ୍କ ହୃଦୟକୁ ସାନ୍ତ୍ୱନା ଦେଇ ତୁମ୍ଭମାନଙ୍କୁ . . . ସୁସ୍ଥିର କରନ୍ତୁ ।”—୨ ଥେସ. ୨:୧୬, ୧୭.
ପ୍ର୧୬.୦୪-ହି ୧୪ ¶୫
“ଧୈର୍ଯ୍ୟ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟ ସାଧନ କରୁ”
୫ ଯିହୋବାଙ୍କୁ ଶକ୍ତି ମାଗନ୍ତୁ । ଯିହୋବା “ଧୈର୍ଯ୍ୟ ଓ ସାନ୍ତ୍ୱନାଦାତା ଈଶ୍ୱର ।” (ରୋମୀ. ୧୫:୫) କେବଳ ସେ ହିଁ ଆମ ପରିସ୍ଥିତି ଓ ଭାବନାଗୁଡ଼ିକୁ ଭଲ ଭାବେ ବୁଝନ୍ତି । ସେ ବୁଝନ୍ତି ଯେ କୌଣସି କଠିନ ପରିସ୍ଥିତିରେ ଜଣେ ବ୍ୟକ୍ତି କିପରି ଅନୁଭବ କରେ । ତେଣୁ ସେ ଭଲ ଭାବେ ଜାଣନ୍ତି ଯେ ଧୈର୍ଯ୍ୟ ଧରିବା ପାଇଁ ଆମକୁ କʼଣ ଆବଶ୍ୟକ । ବାଇବଲ କହେ, “ସେ ଆପଣା ଭୟକାରୀମାନଙ୍କର ବାଞ୍ଛା ପୂର୍ଣ୍ଣ କରିବେ; ଆହୁରି, ସେ ସେମାନଙ୍କର କାକୁକ୍ତି ଶୁଣିବେ ଓ ସେମାନଙ୍କୁ ପରିତ୍ରାଣ କରିବେ ।” (ଗୀତ. ୧୪୫:୧୯) କିନ୍ତୁ ଯେତେବେଳେ ଆମେ ଯିହୋବାଙ୍କୁ ପ୍ରାର୍ଥନାରେ ଧୈର୍ଯ୍ୟ ଧରିବା ପାଇଁ ଶକ୍ତି ମାଗୁ, ସେ ତାʼର ଉତ୍ତର କିପରି ଦିଅନ୍ତି?
ପ୍ର୧୪-ହି ୬/୧୫ ୧୪ ¶୧୧
‘ତୁମ୍ଭେ ଆପଣା ଈଶ୍ୱରଙ୍କୁ ପ୍ରେମ କର’
୧୧ ଯିହୋବା ଆମକୁ ଭବିଷ୍ୟତର “ଭରସା” ଦିଅନ୍ତି, ଯାହା ଆମକୁ “ଆନନ୍ଦ ଓ ଶାନ୍ତିରେ ପରିପୂର୍ଣ୍ଣ” କରେ । (ରୋମୀ. ୧୫:୧୩) ଯେତେବେଳେ ଆମ ବିଶ୍ୱାସର ପରୀକ୍ଷା ହୁଏ, ସେତେବେଳେ ଏହି ଭରସା ବା ଆଶା ଆମକୁ ଧୈର୍ଯ୍ୟ ଧରିବାରେ ସାହାଯ୍ୟ କରେ । ଯେଉଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ‘ମରଣ ପର୍ଯ୍ୟନ୍ତ ବିଶ୍ୱସ୍ତ ଥାʼନ୍ତି, ସେମାନଙ୍କୁ ଜୀବନରୂପ ମୁକୁଟ’ ମିଳିବ । (ପ୍ରକା. ୨:୧୦) ଆଉ ଯେଉଁ ବିଶ୍ୱସ୍ତ ଖ୍ରୀଷ୍ଟିୟାନମାନେ ପୃଥିବୀରେ ରହିବାର ଆଶା ରଖନ୍ତି, ସେମାନେ ପାରଦୀଶରେ ଅନନ୍ତ ଜୀବନ ପାଇବେ । (ଲୂକ ୨୩:୪୩) ଆମେ ନିଜ ଆଶା ବିଷୟରେ କିପରି ଅନୁଭବ କରୁ? ଏହି ଆଶା କେବଳ ଆମ ହୃଦୟରେ ଖୁସି ଓ ଶାନ୍ତି ନୁହେଁ, ବରଂ ଯିହୋବାଙ୍କ ପାଇଁ ପ୍ରେମ ମଧ୍ୟ ଭରିଦିଏ, ଯିଏ ଆମକୁ “ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର” ଦିଅନ୍ତି ।—ଯାକୁ. ୧:୧୭.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୮୯-ଇଂ ୧୨/୧ ୨୪ ¶୩
‘ତୁମ୍ଭମାନଙ୍କ ପ୍ରେମର ସରଳତା ପ୍ରମାଣିତ କରିବା ନିମନ୍ତେ କହୁଅଛି’
ଅଣଯିହୁଦୀ ଖ୍ରୀଷ୍ଟିୟାନମାନେ ଯିରୂଶାଲମର ଖ୍ରୀଷ୍ଟିୟାନମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିବା ସମ୍ପୂର୍ଣ୍ଣ ସଠିକ୍ ଥିଲା । ଅଣିଯିହୁଦୀ ଖ୍ରୀଷ୍ଟିୟାନମାନେ ଏକ ବିଶେଷ ଅର୍ଥରେ ଯିରୂଶାଲମର ଖ୍ରୀଷ୍ଟିୟାନମାନଙ୍କର “ଋଣୀ” ଥିଲେ । କିପରି? ଯିରୂଶାଲମର ଖ୍ରୀଷ୍ଟିୟାନମାନେ ଅଣଯିହୁଦୀମାନଙ୍କଠାରେ ସୁସମାଚାର ପହଞ୍ଚାଇଥିଲେ । ପାଉଲ କହିଲେ, “ବିଜାତିମାନେ ସେମାନଙ୍କ ଆତ୍ମିକ ବିଷୟର ସହଭାଗୀ ହୋଇଅଛନ୍ତି, ତେବେ ସେମାନେ ସାଂସାରିକ ବିଷୟରେ ମଧ୍ୟ ସେମାନଙ୍କର ସେବା କରିବା ନିମନ୍ତେ ଋଣୀ ।”—ରୋମୀୟ ୧୫:୨୭.
ଇନସାଇଟ୍-୧ ୮୫୮ ¶୫
ପୂର୍ବରୁ ଜାଣିବା, ପୂର୍ବରୁ ସ୍ଥିର କରିବା
ଯେଉଁ ବଂଶ ବିଷୟରେ ପ୍ରତିଜ୍ଞା କରାଯାଇଥିଲା ଏବଂ ଯାହାଙ୍କ ଜରିଆରେ ପୃଥିବୀର ସମସ୍ତ ପରିବାରଗୁଡ଼ିକର ଧାର୍ମିକ ଲୋକଙ୍କୁ ଆଶିଷ ମିଳନ୍ତା, ସେହି ବଂଶ ମସୀହ ହୁଅନ୍ତେ । (ଗାଲା ୩:୮, ୧୪) ପ୍ରଥମ ଥର ପାଇଁ ସେହି ବଂଶ ବିଷୟରେ ଏଦନ ଉଦ୍ୟାନରେ ହୋଇଥିବା ବିଦ୍ରୋହ ପରେ ପରେ ଉଲ୍ଲେଖ କରାଯାଇଥିଲା । (ଆଦି ୩:୧୫) ସେପର୍ଯ୍ୟନ୍ତ ହେବଲଙ୍କ ମଧ୍ୟ ଜନ୍ମ ହୋଇ ନ ଥିଲା । ଏହାର ପ୍ରାୟ ୪,୦୦୦ ବର୍ଷ ପରେ ସେହି “ବଂଶ” ଅର୍ଥାତ୍ ମସୀହଙ୍କ ପରିଚୟ ସ୍ପଷ୍ଟ ଭାବେ ପ୍ରକାଶିତ ହେଲା ଏବଂ “ନିଗୂଢ଼ତତ୍ତ୍ୱ” ଉନ୍ମୋଚିତ ହେଲା । ତେଣୁ ଏହା କହିବା ସଠିକ୍ ହେବ ଯେ ସେହି ରହସ୍ୟ ‘ପୂର୍ବକାଳର ମନୁଷ୍ୟସନ୍ତାନମାନଙ୍କ ନିକଟରେ ପ୍ରକାଶିତ ହୋଇ ନ ଥିଲା ।’—ରୋମୀ ୧୬:୨୫-୨୭; ଏଫି ୧:୮-୧୦; ୩:୪-୧୧.
୧୮-୨୪ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ କରିନ୍ଥୀୟ ୧-୩
“ଆପଣଙ୍କ ମନ ସାଂସାରିକ ନା ଆତ୍ମିକ?”
ପ୍ର୧୮.୦୨-ହି ୧୯ ¶୪-୫
ଈଶ୍ୱରଙ୍କ ମନ ରଖିବାର ଅର୍ଥ କʼଣ?
୪ ସାଂସାରିକ ମନ ରଖୁଥିବା ବ୍ୟକ୍ତିଠାରେ ସଂସାରର ଭାବ ଥାଏ । ସେ କେବଳ ନିଜ ଇଚ୍ଛାଗୁଡ଼ିକୁ ପୂରଣ କରିବା ବିଷୟରେ ଭାବୁଥାଏ । ପାଉଲ କହିଲେ, “ଆତ୍ମା [କିମ୍ବା ସାଂସାରିକ ଭାବ] ଏବେ ହେଁ ଅନାଜ୍ଞାବହ ସନ୍ତାନମାନଙ୍କଠାରେ କାର୍ଯ୍ୟ ସାଧନ କରୁଅଛି ।” (ଏଫି. ୨:୨) ତେଣୁ ସାଂସାରିକ ମନ ରଖୁଥିବା ବ୍ୟକ୍ତି ଜଗତର ଲୋକମାନଙ୍କୁ ଅନୁକରଣ କରି ଏପରି କାମସବୁ କରେ, ଯାହା ତାକୁ ଠିକ୍ ଲାଗେ । ତାକୁ ଈଶ୍ୱରଙ୍କ ମାନଦଣ୍ଡଗୁଡ଼ିକ ବିଷୟରେ କୌଣସି ଚିନ୍ତା ନ ଥାଏ । ସେ ସବୁଠୁ ଅଧିକ ନିଜ ମାନସମ୍ମାନ ଓ ଧନସମ୍ପତ୍ତିକୁ ପ୍ରେମ କରେ । ସେ ସବୁବେଳେ ନିଜର ଅଧିକାର ବିଷୟରେ ଭାବିଥାଏ ।
୫ ସାଂସାରିକ ମନ ରଖୁଥିବା ବ୍ୟକ୍ତି ଏପରି କାମଗୁଡ଼ିକରେ ଲାଗି ରହିଥାଏ, ଯାହାକୁ ବାଇବଲ “ଶରୀରର କାର୍ଯ୍ୟ” ବୋଲି କୁହେ । (ଗାଲା. ୫:୧୯-୨୧) କରିନ୍ଥର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିବା ନିଜ ପ୍ରଥମ ଚିଠିରେ ପାଉଲ କହିଲେ ଯେ ଏପରି ମଣିଷ ଆଉ କʼଣ କʼଣ କାମ କରିଥାଏ । ସେ ବିବାଦଗୁଡ଼ିକରେ ପକ୍ଷ ନିଏ, ଲୋକଙ୍କ ମଧ୍ୟରେ ଦଳଭେଦ ସୃଷ୍ଟି କରେ, ବିଦ୍ରୋହକୁ ପ୍ରୋତ୍ସାହନ ଦିଏ, ଅନ୍ୟମାନଙ୍କୁ ଅଦାଲତକୁ ଟାଣି ନିଏ ଏବଂ ଖାଇବାପିଇବାକୁ ଅଧିକ ଗୁରୁତ୍ୱ ଦିଏ । ତାʼ ସହ, ଯେଉଁମାନେ ନେତୃତ୍ୱ ନିଅନ୍ତି, ସେମାନଙ୍କୁ ସେ ଆଦର କରି ନ ଥାଏ । କେବଳ ଏତିକି ନୁହେଁ, ଭୁଲ୍ କାମ କରିବା ପାଇଁ ପ୍ରଲୋଭିତ କରାଗଲେ, ସେ ଅତି ସହଜରେ ସେହି ଫାନ୍ଦରେ ପଡ଼ିଯାଏ । (ହିତୋ. ୭:୨୧, ୨୨) ଯିହୂଦା ଲେଖିଲେ ଯେ ଏପରି ବ୍ୟକ୍ତିଠାରେ ଯିହୋବାଙ୍କ ପବିତ୍ର ଶକ୍ତି କାମ କରେ ନାହିଁ ।—ଯିହୂ. ୧୮, ୧୯.
ପ୍ର୧୮.୦୨-ହି ୧୯ ¶୬
ଈଶ୍ୱରଙ୍କ ମନ ରଖିବାର ଅର୍ଥ କʼଣ?
୬ ସାଂସାରିକ ମନ ରଖୁଥିବା ବ୍ୟକ୍ତି ଈଶ୍ୱରଙ୍କ ସହ ନିଜ ସମ୍ପର୍କ ବିଷୟରେ ଆଦୌ ଚିନ୍ତା କରେ ନାହିଁ, କିନ୍ତୁ ଆତ୍ମିକ ମନ ରଖୁଥିବା ବ୍ୟକ୍ତି ଏବିଷୟରେ ଚିନ୍ତା କରିଥାଏ । ଆତ୍ମିକ ମନ ରଖୁଥିବା ବ୍ୟକ୍ତି ଏହା ଜାଣିବାକୁ ଚେଷ୍ଟା କରେ ଯେ ଈଶ୍ୱର କʼଣ ଭାବନ୍ତି ଏବଂ ମାମଲାଗୁଡ଼ିକୁ କେଉଁ ଦୃଷ୍ଟିରେ ଦେଖନ୍ତି । ସେ ଈଶ୍ୱରଙ୍କ ପବିତ୍ର ଶକ୍ତିର ମାର୍ଗଦର୍ଶନରେ ଚାଲେ ଏବଂ “ଈଶ୍ୱରଙ୍କ ଅନୁକାରୀ” ହେବା ପାଇଁ ପରିଶ୍ରମ କରେ । (ଏଫି. ୫:୧) ତାʼ ପାଇଁ ଈଶ୍ୱର ଜଣେ ବାସ୍ତବିକ ବ୍ୟକ୍ତି ହୋଇଥାʼନ୍ତି । ସେ ନିଜ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଯିହୋବାଙ୍କ ମାନଦଣ୍ଡଗୁଡ଼ିକ ଅନୁଯାୟୀ ଚାଲେ । (ଗୀତ. ୧୧୯:୩୩; ୧୪୩:୧୦) ସେ ‘ଶରୀରର କାମଗୁଡ଼ିକରେ’ ଲାଗି ରହେ ନାହିଁ, ବରଂ ନିଜଠାରେ ପବିତ୍ର ଆତ୍ମାର ଫଳ ଉତ୍ପନ୍ନ କରିଥାଏ ।—ଗାଲା. ୫:୨୨, ୨୩.
ପ୍ର୧୮.୦୨-ହି ୨୨ ¶୧୫
ଈଶ୍ୱରଙ୍କ ମନ ରଖିବାର ଅର୍ଥ କʼଣ?
୧୫ ଆମେ ଖ୍ରୀଷ୍ଟଙ୍କୁ କିପରି ଅନୁକରଣ କରିପାରିବା? ପ୍ରଥମ କରିନ୍ଥୀୟ ୨:୧୬ କହେ ଯେ ଏହା ପାଇଁ ଆମଠାରେ “ଖ୍ରୀଷ୍ଟଙ୍କ ମନ” ରଖିବା ଜରୁରୀ । ଏହା ଛଡ଼ା, ରୋମୀୟ ୧୫:୫ ଆମକୁ ପ୍ରୋତ୍ସାହନ ଦିଏ ଯେ ‘ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ଅନୁରୂପରେ ପରସ୍ପର ଏକମନା ହୁଅ ।’ ତେଣୁ ଆମକୁ ଖ୍ରୀଷ୍ଟଙ୍କ ଭଳି ହେବାକୁ ହେଲେ ତାହାଙ୍କ ମନ, ଭାବନା ଓ କାମଗୁଡ଼ିକ ବିଷୟରେ ଶିଖିବାକୁ ହେବ । ଯୀଶୁଙ୍କ ପାଇଁ ଈଶ୍ୱରଙ୍କ ସହ ତାହାଙ୍କ ସମ୍ପର୍କ ସବୁଠାରୁ ଅଧିକ ମହତ୍ତ୍ୱ ରଖୁଥିଲା । ତେଣୁ ଆମେ ଯେତେ ବେଶୀ ଯୀଶୁଙ୍କ ପରି ହେବା ପାଇଁ ଚେଷ୍ଟା କରିବା, ସେତେ ବେଶୀ ଆମେ ଯିହୋବାଙ୍କ ଭଳି ହୋଇପାରିବା । ତେଣୁ ଆମେ ନିଜଠାରେ ଯୀଶୁଙ୍କ ଭଳି ମନ ରଖିବା ଶିଖିବା ଅତି ଜରୁରୀ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୨ ୧୧୯୩ ¶୧
ବୁଦ୍ଧି
ଯିହୋବା ଈଶ୍ୱର ଖ୍ରୀଷ୍ଟଙ୍କ ଜରିଆରେ ଯେଉଁ ବ୍ୟବସ୍ଥା କରିଥିଲେ, ତାକୁ ଜଗତର ଲୋକେ ମୂର୍ଖତା ଭାବି ଅସ୍ୱୀକାର କଲେ, କାରଣ ସେମାନେ ନିଜ ବୁଦ୍ଧି ଉପରେ ନିର୍ଭର କଲେ । ଏହି ଜଗତର ଅଧିକାରୀମାନେ ହୁଏତ ପ୍ରଶାସନ ଚଳାଇବା ପାଇଁ ଯୋଗ୍ୟ ଓ ବୁଦ୍ଧିମାନ ଥିଲେ, କିନ୍ତୁ ସେମାନେ “ଗୌରବମୟ ପ୍ରଭୁଙ୍କୁ କ୍ରୁଶରେ ହତ” କଲେ । (୧କରି ୧:୧୮; ୨:୭, ୮) କିନ୍ତୁ ଈଶ୍ୱର ଜଗତର ବୁଦ୍ଧିକୁ ମୂର୍ଖତା ବୋଲି ପ୍ରମାଣିତ କଲେ ଏବଂ ଜଗତର ବୁଦ୍ଧିମାନମାନଙ୍କୁ ଲଜ୍ଜିତ କଲେ । କିପରି? ଯେଉଁ ବିଷୟଗୁଡ଼ିକୁ ସେମାନେ ‘ଈଶ୍ୱରଙ୍କ ମୂର୍ଖ ବିଷୟ’ ବୋଲି ଭାବୁଥିଲେ ଏବଂ ଯେଉଁ ଲୋକମାନଙ୍କୁ ସେମାନେ “ମୂର୍ଖ,” “ଦୁର୍ବଳ” ଓ “ତୁଚ୍ଛ” ବୋଲି ଭାବୁଥିଲେ, ସେମାନଙ୍କ ଜରିଆରେ ହିଁ ଈଶ୍ୱର ନିଜ ଉଦ୍ଦେଶ୍ୟ ପୂରଣ କଲେ । (୧କରି ୧:୧୯-୨୮) ପାଉଲ କରିନ୍ଥର ଖ୍ରୀଷ୍ଟିୟାନମାନଙ୍କୁ କହିଲେ, “ଏହି ଯୁଗର ଜ୍ଞାନ [ବୁଦ୍ଧି, NW]” ଏବଂ ‘ଏହି ଯୁଗର ନେତାମାନଙ୍କ ଜ୍ଞାନ [ବୁଦ୍ଧି, NW]’ ନଷ୍ଟ ହୋଇଯିବ । (୧କରି ୨:୬, ୧୩) ତେଣୁ ସେ ଈଶ୍ୱରଙ୍କ ବାର୍ତ୍ତା ଜଣାଇବା ସମୟରେ ଜଗତର ବୁଦ୍ଧି ବିଷୟରେ ଲେଖିଲେ ନାହିଁ । ସେ କଲସୀର ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଲେ ଯେ ସେମାନେ “ଦର୍ଶନବିଦ୍ୟା [ଗ୍ରୀକ୍ ଭାଷାରେ ଫିଲୋସୋଫିୟାସ୍, ଶାବ୍ଦିକ, ଜ୍ଞାନ ପାଇଁ ପ୍ରେମ] ଓ ନିରର୍ଥକ ପ୍ରତାରଣା” ପ୍ରତି ସାବଧାନ ରହନ୍ତୁ, ଯାହା ‘ମନୁଷ୍ୟର ପରମ୍ପରା’ ଅନୁଯାୟୀ ହୋଇଥାଏ ।—କଲ ୨:୮; ୨୦-୨୩ ପଦ ସହ ତୁଳନା କରନ୍ତୁ ।
ପ୍ର୦୮-ହି ୭/୧୫ ୨୭ ¶୬
କରିନ୍ଥୀୟମାନଙ୍କୁ ଲେଖାଯାଇଥିବା ଚିଠିଗୁଡ଼ିକର ମୁଖ୍ୟାଂଶ
୨:୩-୫. କରିନ୍ଥ ସହର ଗ୍ରୀକ୍ ଦର୍ଶନବିଦ୍ୟା ଓ ଶିକ୍ଷାଗୁଡ଼ିକର ଏକ ମୁଖ୍ୟ କେନ୍ଦ୍ର ଥିଲା । ତେଣୁ ସେଠାରେ ସାକ୍ଷ୍ୟ ଦେବା ସମୟରେ ପାଉଲ ହୁଏତ ଚିନ୍ତିତ ଥିବେ ଯେ ଲୋକେ ତାଙ୍କ କଥା ଉପରେ ଭରସା କରିବେ ନା ନାହିଁ । କିନ୍ତୁ, କୌଣସି ଦୁର୍ବଳତା କିମ୍ବା ଡର ଯୋଗୁଁ ସେ ଈଶ୍ୱରଙ୍କଠାରୁ ମିଳିଥିବା କାମକୁ ପୂରଣ କରିବା ପାଇଁ ପଛଘୁଞ୍ଚା ଦେଲେ ନାହିଁ । ଠିକ୍ ସେହିପରି, ଆମେ ମଧ୍ୟ ରାଜ୍ୟର ସୁସମାଚାର ପ୍ରଚାର କରିବା ପାଇଁ ପଛଘୁଞ୍ଚା ଦେବା ଉଚିତ୍ ନୁହେଁ । ଆମେ ଯିହୋବାଙ୍କଠାରେ ଭରସା ରଖିପାରିବା ଯେ ସେ ଆମକୁ ନିଶ୍ଚୟ ସାହାଯ୍ୟ କରିବେ, ଠିକ୍ ଯେପରି ସେ ପାଉଲଙ୍କୁ ସାହାଯ୍ୟ କରିଥିଲେ ।
୨୫-୩୧ ମାର୍ଚ୍ଚ
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ କରିନ୍ଥୀୟ ୪-୬
“ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ”
ଇନସାଇଟ୍-୨ ୨୩୦
ଖମୀର
ପ୍ରେରିତ ପାଉଲ ଖମୀରର ଉଦାହରଣ ଦେଇ କରିନ୍ଥର ମଣ୍ଡଳୀକୁ ଆଜ୍ଞା ଦେଲେ ଯେ ସେମାନେ ନିଜ ମଧ୍ୟରେ ଅନୈତିକ କାମ କରୁଥିବା ବ୍ୟକ୍ତି ଜଣକୁ ବାହାର କରିଦିଅନ୍ତୁ । ସେ କହିଲେ, “ତୁମ୍ଭେମାନେ କି ଜାଣ ନାହିଁ ଯେ, ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ? ତୁମ୍ଭେମାନେ ତ ଖମୀରଶୂନ୍ୟ ଲୋକ, ଏଣୁ ଯେପରି ତୁମ୍ଭେମାନେ ନୂଆ ପିଣ୍ଡୁଳା ହୋଇ ପାର, ଏଥିପାଇଁ ପୁରୁଣା ଖମୀର ବାହାର କରିପକାଅ; କାରଣ ଆମ୍ଭମାନଙ୍କ ନିସ୍ତାର ପର୍ବର ମେଷଶାବକ, ଅର୍ଥାତ୍ ଖ୍ରୀଷ୍ଟ, ମଧ୍ୟ ବଳୀକୃତ ହୋଇଅଛନ୍ତି ।” ତାʼପରେ ସେ ବୁଝାଇଲେ ଯେ ଏଠାରେ “ଖମୀର” ଅର୍ଥ କʼଣ । “ଅତଏବ ଆସ, ଆମ୍ଭେମାନେ ପୁରାତନ ଖମୀର କିଅବା ଦୁଷ୍ଟତା ଓ କୁକର୍ମରୂପ ଖମୀର ଦ୍ୱାରା ପର୍ବ ପାଳନ ନ କରି ସରଳତା ଓ ସତ୍ୟରୂପ ଖମୀରଶୂନ୍ୟ ରୋଟୀ ଦ୍ୱାରା ପର୍ବ ପାଳନ କରୁ ।” (୧କରି ୫:୬-୮) ପାଉଲ ଏଠାରେ ଖମୀରଶୂନ୍ୟ ରୋଟୀର ପର୍ବର ଉଦାହରଣ ଦେଉଥିଲେ, ଯାହା ନିସ୍ତାର ପର୍ବର ତୁରନ୍ତ ପରେ ପରେ ପାଳନ କରାଯାଉଥିଲା । ଯେପରି ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ, ସେହିପରି ଯଦି ସେହି ଅନୈତିକ ବ୍ୟକ୍ତିକୁ ମଣ୍ଡଳୀରୁ ବାହାର ନ କରାଯାʼନ୍ତା, ତାʼର ପ୍ରଭାବ ପୂରା ମଣ୍ଡଳୀ ଉପରେ ପଡ଼ନ୍ତା ଏବଂ ମଣ୍ଡଳୀ ଯିହୋବାଙ୍କ ଦୃଷ୍ଟିରେ ଅଶୁଦ୍ଧ ହୋଇଯାʼନ୍ତା । ସେମାନଙ୍କୁ ସେହି ବ୍ୟକ୍ତିକୁ, ଯିଏ “ଖମୀର” ଭଳି ଥିଲା, ନିଜ ମଧ୍ୟରୁ ବାହାର କରିବାର ଥିଲା, ଠିକ୍ ଯେପରି ଇସ୍ରାଏଲୀୟମାନଙ୍କୁ ଖମୀରଶୂନ୍ୟ ରୋଟୀର ପର୍ବ ସମୟରେ ନିଜ ଘରେ ଆଦୌ ଖମୀର ରଖିବାର ନ ଥିଲା ।
ଇନସାଇଟ୍-୨ ୮୬୯-୮୭୦
ଶୟତାନ
“ସେହି ବ୍ୟକ୍ତିକୁ ଶୟତାନ ହାତରେ ସମର୍ପଣ କରିଦିଅ, ଯାହାଫଳରେ ତାʼର ପାପର କୁପରିଣାମ ନଷ୍ଟ ହୋଇଯିବ ।” ଏହାର ଅର୍ଥ କʼଣ?
ପାଉଲ କରିନ୍ଥର ମଣ୍ଡଳୀକୁ ନିର୍ଦ୍ଦେଶ ଦେଲେ ଯେ ନିଜ ପିତାର ସ୍ତ୍ରୀ ସହ ଅନୈତିକ ସମ୍ପର୍କ ରଖୁଥିବା ସେହି ବ୍ୟକ୍ତି ସହିତ ସେମାନେ କʼଣ କରିବେ । ପାଉଲ ଲେଖିଲେ, “ସେହି ବ୍ୟକ୍ତିକୁ ଶୟତାନ ହାତରେ ସମର୍ପଣ କରିଦିଅ, ଯାହାଫଳରେ ତାʼର ପାପର କୁପରିଣାମ ନଷ୍ଟ ହୋଇଯିବ ।” (୧କରି ୫:୫, NW) ପାଉଲଙ୍କ କହିବାର ଅର୍ଥ ଥିଲା ଯେ ମଣ୍ଡଳୀ ନିଜ ମଧ୍ୟରୁ ସେହି ବ୍ୟକ୍ତିକୁ ବାହାର କରିଦେଉ ଏବଂ ତାʼ ସହ ଆଦୌ ସଙ୍ଗତି ନ କରୁ । (୧କରି ୫:୧୩) ତାକୁ ଶୟତାନର ହାତରେ ସମର୍ପଣ କରିବାର ଅର୍ଥ ଥିଲା— ତାକୁ ମଣ୍ଡଳୀରୁ ବାହାର କରିବା, ଯାହାଫଳରେ ସେ ଜଗତକୁ ଚାଲିଯାʼନ୍ତା, ଯାହାର ଈଶ୍ୱର ଓ ରାଜା ହେଉଛି ଶୟତାନ । ଯେପରି “ଟିକିଏ ବୋଲି ଖମୀର ସମସ୍ତ ମଇଦା ପିଣ୍ଡୁଳାକୁ ଖମୀରମୟ କରିଦିଏ,” ସେହିପରି ସେହି ବ୍ୟକ୍ତିର “ପାପର କୁପରିଣାମ” ପୂରା ମଣ୍ଡଳୀ ଉପରେ ପଡ଼ୁଥିଲା । ତେଣୁ ଈଶ୍ୱରଙ୍କ ଚିନ୍ତାଧାରା ରଖୁଥିବା ମଣ୍ଡଳୀ ଯେତେବେଳେ ସେହି ଅନୈତିକ ବ୍ୟକ୍ତିକୁ ନିଜ ମଧ୍ୟରୁ ବାହାର କରିଦିଅନ୍ତା, ମଣ୍ଡଳୀ ଉପରେ ତାʼର “କୁପରିଣାମ ନଷ୍ଟ” ହୋଇଯାʼନ୍ତା । (୧କରି ୫:୬, ୭, NW) ପାଉଲ ହୁମନାୟ ଓ ଆଲେକ୍ଜାଣ୍ଡରକୁ ମଧ୍ୟ ଶୟତାନର ହାତରେ ସମର୍ପି ଦେଇଥିଲେ । କାରଣ ସେମାନେ ବିଶ୍ୱାସରୁ ଦୂରେଇ ଯାଇଥିଲେ, ସେମାନଙ୍କ ବିବେକ ଭ୍ରଷ୍ଟ ହୋଇଯାଇଥିଲା ଏବଂ ସେମାନଙ୍କର ଜାହାଜରୂପ ବିଶ୍ୱାସ ଭାଙ୍ଗି ଯାଇଥିଲା ।—୧ତୀମ ୧:୨୦.
ପ୍ରେମରେ ସ୍ଥିର (ହିନ୍ଦୀ) ୨୪୧, ଅଧିକ ବିବରଣୀ
ବହିଷ୍କାରର ବ୍ୟବସ୍ଥା
ଯଦି ଜଣେ ଖ୍ରୀଷ୍ଟିୟାନ ଗମ୍ଭୀର ପାପ କରନ୍ତି ଏବଂ ପଶ୍ଚାତାପ କରନ୍ତି ନାହିଁ, ତେବେ ସେ ମଣ୍ଡଳୀର ସଦସ୍ୟ ହୋଇ ରହିପାରିବେ ନାହିଁ । ତାଙ୍କୁ ବହିଷ୍କାର କରିବା ଜରୁରୀ, କାରଣ ସେ ଯିହୋବାଙ୍କ ମାନଦଣ୍ଡ ଅନୁଯାୟୀ ଚାଲିବା ପାଇଁ ଅସ୍ୱୀକାର କରନ୍ତି । ସେହି ବ୍ୟକ୍ତିଙ୍କ ସହ ଆମେ କୌଣସି ସମ୍ପର୍କ ରଖି ନ ଥାଉ ଏବଂ ତାଙ୍କ ସହ କଥାବାର୍ତ୍ତା ମଧ୍ୟ କରି ନ ଥାଉ । (୧ କରିନ୍ଥୀୟ ୫:୧୧; ୨ ଯୋହନ ୯-୧୧) ବହିଷ୍କାରର ବ୍ୟବସ୍ଥା ଯୋଗୁଁ ଯିହୋବା ଓ ମଣ୍ଡଳୀର ନାମ ବଦନାମ୍ ହୋଇ ନ ଥାଏ । (୧ କରିନ୍ଥୀୟ ୫:୬) ଏହି ବ୍ୟବସ୍ଥାରୁ ବହିଷ୍କୃତ ବ୍ୟକ୍ତିଙ୍କ ମଧ୍ୟ ଲାଭ ହୁଏ । କାରଣ ଯେତେବେଳେ ତାଙ୍କୁ କଡ଼ା ଅନୁଶାସନ ଦିଆଯାଏ, ସେ ହୁଏତ ହୃଦୟଙ୍ଗମ କରିପାରନ୍ତି ଯେ ଯିହୋବାଙ୍କ ପାଖକୁ ଫେରିବାକୁ ହେଲେ ତାଙ୍କୁ ପଶ୍ଚାତାପ କରିବାକୁ ହେବ ।—ଲୂକ ୧୫:୧୭.
▸ ଅଧ୍ୟାୟ ୩, ଅନୁଚ୍ଛେଦ ୧୯
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୯-ହି ୫/୧୫ ୨୪ ¶୧୬
ସ୍ୱର୍ଗଦୂତ—“ସେବାକାରୀ ଆତ୍ମା”
୧୬ ପରୀକ୍ଷାର ସାମନା କରୁଥିବା ଖ୍ରୀଷ୍ଟିୟାନମାନେ ସ୍ୱର୍ଗଦୂତମାନଙ୍କ ନିକଟରେ “କୌତୁକର ବିଷୟ” ହୋଇଥାʼନ୍ତି । (୧ କରି. ୪:୯) କିଭଳି? ସେମାନଙ୍କୁ ଏହା ଦେଖି ବହୁତ ସନ୍ତୋଷ ମିଳେ ଯେ ଖ୍ରୀଷ୍ଟିୟାନମାନେ ସମସ୍ୟା ସତ୍ତ୍ୱେ ବିଶ୍ୱସ୍ତ ରହିବା ଜାରି ରଖନ୍ତି । କେବଳ ଏତିକି ନୁହେଁ, ଯେତେବେଳେ ଜଣେ ପାପୀ ପଶ୍ଚାତାପ କରି ଫେରିଆସେ, ସେତେବେଳେ ମଧ୍ୟ ସେମାନେ ଆନନ୍ଦ କରନ୍ତି । (ଲୂକ ୧୫:୧୦) ଯେତେବେଳେ ଜଣେ ଖ୍ରୀଷ୍ଟିୟାନ ସ୍ତ୍ରୀ ଈଶ୍ୱରଙ୍କ ମାନଦଣ୍ଡ ଅନୁଯାୟୀ ଚାଲନ୍ତି, ସ୍ୱର୍ଗଦୂତମାନେ ତାଙ୍କ ପ୍ରତି ଧ୍ୟାନ ଦିଅନ୍ତି । ବାଇବଲ କହେ, “ଦୂତମାନଙ୍କ ସକାଶେ ସ୍ତ୍ରୀର ଆପଣା ମସ୍ତକରେ ଅଧୀନତାର ଚିହ୍ନ ଘେନିବା ଉଚିତ ।” (୧ କରି. ୧୧:୩, ୧୦) ହଁ, ସ୍ୱର୍ଗଦୂତମାନେ ଏହା ଦେଖି ବହୁତ ଖୁସି ହୁଅନ୍ତି ଯେ ଖ୍ରୀଷ୍ଟିୟାନ ସ୍ତ୍ରୀ ଏବଂ ପୃଥିବୀରେ ଈଶ୍ୱରଙ୍କ ଅନ୍ୟ ସମସ୍ତ ସେବକ ତାହାଙ୍କ ନିୟମ-ବ୍ୟବସ୍ଥା ଓ ଅଧୀନତା ଦେଖାଇବାର ଆଜ୍ଞାକୁ ଆଦର କରିଥାʼନ୍ତି । ଯେତେବେଳେ ଈଶ୍ୱରଙ୍କ ନିୟମଗୁଡ଼ିକୁ ପାଳନ କରାଯାଏ, ଏହା ଈଶ୍ୱରଙ୍କ ସ୍ୱର୍ଗୀୟ ପୁତ୍ରମାନଙ୍କ ପାଇଁ ଏକ ଉତ୍ତମ ଉଦାହରଣ ହୋଇଥାଏ ।
ଇନସାଇଟ୍-୨ ୨୧୧
ନିୟମ
ସ୍ୱର୍ଗଦୂତମାନଙ୍କୁ ଦିଆଯାଇଥିବା ନିୟମ । ସ୍ୱର୍ଗଦୂତମାନଙ୍କର ପଦବୀ ମନୁଷ୍ୟମାନଙ୍କଠାରୁ ଉଚ୍ଚତର । ସେମାନଙ୍କୁ ମଧ୍ୟ ଈଶ୍ୱରଙ୍କ ନିୟମ ଓ ଆଜ୍ଞାଗୁଡ଼ିକୁ ପାଳନ କରିବାକୁ ହୋଇଥାଏ । (ଏବ୍ରୀ ୧:୭, ୧୪; ଗୀତ ୧୦୪:୪) ଯିହୋବା ନିଜ ଶତ୍ରୁ ଶୟତାନକୁ ମଧ୍ୟ କିଛି ଆଜ୍ଞା ଦେଇଥିଲେ ଏବଂ ତାʼ ଉପରେ କିଛି କଟକଣା ଜାରି କରିଥିଲେ । (ଆୟୁ ୧:୧୨; ୨:୬) ପ୍ରଧାନ ଦୂତ ମୀଖାୟେଲ ମଧ୍ୟ ସ୍ୱୀକାର କରିଥିଲେ ଯେ ଯିହୋବା ହିଁ ସର୍ବୋଚ୍ଚ ନ୍ୟାୟୀ ଅଟନ୍ତି । ତେଣୁ, ଯେତେବେଳେ ଶୟତାନ ସହ ତାହାଙ୍କ ଯୁକ୍ତିତର୍କ ହେଲା, ସେ ଶୟତାନକୁ କହିଲେ, “ପ୍ରଭୁ ତୁମ୍ଭକୁ ଧମକ ଦିଅନ୍ତୁ ।” (ଯିହୂ ୯; ଯିଖ ୩:୨ ପଦ ସହ ତୁଳନା କରନ୍ତୁ ।) ଯିହୋବା ଈଶ୍ୱର ଗୌରବମୟ ଯୀଶୁ ଖ୍ରୀଷ୍ଟଙ୍କୁ ସମସ୍ତ ସ୍ୱର୍ଗଦୂତମାନଙ୍କ ଉପରେ ଅଧିକାର ଦେଇଛନ୍ତି । (ଏବ୍ରୀ ୧:୬; ୧ପିତ ୩:୨୨; ମାଥି ୧୩:୪୧; ୨୫:୩୧; ଫିଲିପ୍ ୨:୯-୧୧) ତେଣୁ ଯୀଶୁଙ୍କଠାରୁ ଆଜ୍ଞା ପାଇ ଜଣେ ସ୍ୱର୍ଗଦୂତ ଯୋହନଙ୍କ ପାଖକୁ ଯାଇଥିଲେ । (ପ୍ରକା ୧:୧) ପ୍ରଥମ କରିନ୍ଥୀୟ ୬:୩ ପଦରେ ପ୍ରେରିତ ପାଉଲ କହିଲେ ଯେ ଖ୍ରୀଷ୍ଟଙ୍କ ଅଭିଷିକ୍ତ ଭାଇମାନଙ୍କୁ ସ୍ୱର୍ଗଦୂତମାନଙ୍କର ନ୍ୟାୟ କରିବା ପାଇଁ ନିଯୁକ୍ତ କରାଯାଇଛି । ବୋଧ ହୁଏ ଏହାର ଅର୍ଥ ହେଉଛି, ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବିନାଶ କରିବା ପାଇଁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ମଧ୍ୟ ଯୋଗ ଦେବେ ।