ସେପ୍ଟେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୨-୮ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୭-୮
“ମଲ୍କୀଷେଦକଙ୍କ ସଦୃଶ ଅନନ୍ତକାଳୀନ ଯାଜକ”
ଇନସାଇଟ୍-୨ ୩୬୬
ମଲ୍କୀଷେଦକ
ପ୍ରାଚୀନ ଶାଲମର ରାଜା ଓ “ସର୍ବୋପରିସ୍ଥ ପରମେଶ୍ୱର [ଯିହୋବା]ଙ୍କର ଯାଜକ।” (ଆଦି ୧୪:୧୮, ୨୨) ସେ ବାଇବଲରେ କୁହାଯାଇଥିବା ସର୍ବପ୍ରଥମ ଯାଜକ ଅଟନ୍ତି। ସେ ଖ୍ରୀ.ପୂ. ପ୍ରାୟ ୧୯୩୩ର କିଛି ସମୟ ପୂର୍ବରୁ ଏହି ପଦରେ ନିଯୁକ୍ତ ହେଲେ। ଶାଲମର ଅର୍ଥ ଥିଲା “ଶାନ୍ତି।” ଶାଲମର ରାଜା ହୋଇଥିବାରୁ ପ୍ରେରିତ ପାଉଲ ତାଙ୍କୁ “ଶାନ୍ତିରାଜା” ବୋଲି କହିଲେ। ଆଉ, ତାଙ୍କ ନାମର ଆଧାରରେ ତାଙ୍କୁ “ଧର୍ମରାଜା” ବୋଲି କହିଲେ। (ଏବ୍ରୀ ୭:୧, ୨) ପରବର୍ତ୍ତୀ ସମୟରେ ଯାହା ଯିରୂଶାଲମ ସହର ନାମରେ ପରିଚିତ ହେଲା, ତାର କେନ୍ଦ୍ରସ୍ଥଳୀ ପ୍ରାଚୀନ ଶାଲମ ସହର ଥିଲା ବୋଲି କୁହାଯାଏ। ଶାଲମ ନାମଟି ପରେ ଯିରୂଶାଲମ ସହରର ନାମରେ ସାମିଲ୍ ହେଲା। ଯିରୂଶାଲମ ସହରକୁ ବେଳେ ବେଳେ “ଶାଲେମ୍” ବୋଲି କୁହାଯାଇଛି।—ଗୀତ ୭୬:୨.
ଅବ୍ରାମ (ଅବ୍ରହାମ) କଦର୍ଲାୟୋମରକୁ ଓ ତାʼର ସହଯୋଗୀ ରାଜାମାନଙ୍କୁ ପରାସ୍ତ କଲା ପରେ ତାଙ୍କ ବଂଶର ମୁଖ୍ୟ ପୁରୁଷମାନେ ଶାବୀ ପଦା, ଅର୍ଥାତ୍, “ରାଜାର ପଦାକୁ” ଆସିଲେ। ସେଠାରେ ଶାଲମର ରାଜା ମଲ୍କୀଷେଦକ ମଧ୍ୟ “ରୋଟୀ ଓ ଦ୍ରାକ୍ଷାରସ ଘେନି ଆସିଲେ” ଏବଂ ଅବ୍ରହାମଙ୍କୁ ଆଶୀର୍ବାଦ କରି କହିଲେ, “ଅବ୍ରାମ ସ୍ୱର୍ଗ ଓ ପୃଥିବୀର ଅଧିକାରୀ ସର୍ବୋପରିସ୍ଥ ପରମେଶ୍ୱରଙ୍କର ଆଶୀର୍ବାଦପାତ୍ର ହେଉନ୍ତୁ; ସର୍ବୋପରିସ୍ଥ ପରମେଶ୍ୱର ଧନ୍ୟ ହେଉନ୍ତୁ, ସେ ତୁମ୍ଭର ଶତ୍ରୁଗଣଙ୍କୁ ତୁମ୍ଭ ହସ୍ତରେ ସମର୍ପଣ କଲେ।” ଅବ୍ରହାମ ଯୁଦ୍ଧରେ ସେହି ରାଜାମାନଙ୍କୁ ସଫଳତାପୂର୍ବକ ପରାସ୍ତ କରି ଅନେକ “ସର୍ବୋତ୍କୃଷ୍ଟ ଲୁଟିତ ଦ୍ରବ୍ୟ” ଆଣିଥିଲେ। ସେହି “ସବୁ ଦ୍ରବ୍ୟର ଦଶମାଂଶ” ସେ ରାଜା ଓ ଯାଜକ ମଲ୍କୀଷେଦକଙ୍କୁ ଦେଲେ।—ଆଦି ୧୪:୧୭-୨୦; ଏବ୍ରୀ ୭:୪.
ଇନସାଇଟ୍-୨ ୩୬୭ ¶୪
ମଲ୍କୀଷେଦକ
ଆମେ କାହିଁକି କହିପାରିବା ଯେ ମଲ୍କୀଷେଦକଙ୍କ ‘ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନ ଥିଲା ?’
ମଲ୍କୀଷେଦକଙ୍କ ସମ୍ମାନରେ ପାଉଲ ଏକ ବିଶେଷ ତଥ୍ୟ ଦେଇଥିଲେ। ସେ କହିଥିଲେ: “ଏହାଙ୍କର ପିତା କି ମାତା କି ବଂଶାବଳୀ କିଅବା ଆୟୁର ଆରମ୍ଭ ଓ ଜୀବନର ଅନ୍ତ କିଛି ହିଁ ଜଣା ନାହିଁ; ସେ ଈଶ୍ୱରଙ୍କ ପୁତ୍ରଙ୍କ ସଦୃଶ କରାଯାଇ ଅନନ୍ତକାଳୀନ ଯାଜକ ହୋଇ ରହିଅଛନ୍ତି।” (ଏବ୍ରୀ ୭:୩) ଅନ୍ୟ ମଣିଷମାନଙ୍କ ଭଳି ମଲ୍କୀଷେଦକଙ୍କର ମଧ୍ୟ ଜନ୍ମ ଓ ମୃତ୍ୟୁ ହୋଇଥିଲା। କିନ୍ତୁ, ତାଙ୍କ ପିତା ଓ ମାତାଙ୍କ ନାମ ବାଇବଲରେ ଦିଆଯାଇ ନାହିଁ। ନା ତାଙ୍କ ପୂର୍ବପୁରୁଷ ଯାଜକ ଥିଲେ, ନା ତାଙ୍କ ଉତ୍ତରାଧିକାରୀ ଯାଜକ ହେଲେ। ଆଉ, ବାଇବଲରେ ତାଙ୍କ ଆୟୁର ଆରମ୍ଭ ଓ ଜୀବନର ଅନ୍ତ ବିଷୟରେ କିଛି ତଥ୍ୟ ଦିଆଯାଇ ନାହିଁ। ଏହିପରି ଭାବେ ମଲ୍କୀଷେଦକ ଯୀଶୁ ଖ୍ରୀଷ୍ଟଙ୍କୁ ସୂଚାଉଥିଲେ, ଯାହାଙ୍କର ଯାଜକ ପଦ ଅନନ୍ତକାଳୀନ ଅଟେ। ଯେପରି ମଲ୍କୀଷେଦକଙ୍କର କୌଣସି ପୂର୍ବପୁରୁଷ କିମ୍ବା ଉତ୍ତରାଧିକାରୀ ଯାଜକ ଥିଲେ ବୋଲି କୁହାଯାଇ ନାହିଁ, ଠିକ୍ ସେହିପରି ଖ୍ରୀଷ୍ଟଙ୍କ ଭଳି ମହାଯାଜକ ତାଙ୍କ ପୂର୍ବରୁ କେହି ନ ଥିଲେ ଏବଂ ବାଇବଲ ଦେଖାଏ ଯେ ତାଙ୍କ ପରେ ଆଉ କେହି ମହାଯାଜକ ହେବେ ନାହିଁ। କେବଳ ଏତିକି ନୁହେଁ, ଯଦିଓ ଯୀଶୁ ଯିହୁଦାର ବଂଶରେ ଜନ୍ମ ହୋଇଥିଲେ ଏବଂ ଦାଉଦଙ୍କ ରାଜବଂଶରୁ ଥିଲେ, ତାହାଙ୍କୁ ଯାଜକ ପଦ ନିଜ ପୂର୍ବପୁରୁଷମାନଙ୍କଠାରୁ ମିଳି ନ ଥିଲା। ଏହା ଛଡ଼ା, ଯୀଶୁ ଯେଉଁ ଉଭୟ ରାଜା ଓ ଯାଜକ ହେଲେ, ତାହା ମଧ୍ୟ ତାହାଙ୍କ ପୂର୍ବପୁରୁଷମାନଙ୍କ ଯୋଗୁଁ ମିଳି ନ ଥିଲା। ଏସବୁ ଯିହୋବା ନିଜେ ଯୀଶୁଙ୍କୁ କରିଥିବା ଶପଥ ଯୋଗୁଁ ସମ୍ଭବ ହୋଇପାରିଲା।
ଇନସାଇଟ୍-୨ ୩୬୬
ମଲ୍କୀଷେଦକ
ଖ୍ରୀଷ୍ଟଙ୍କ ଯାଜକ ପଦକୁ ସୂଚିତ କରେ। ଖ୍ରୀଷ୍ଟଙ୍କ ବିଷୟରେ କରାଯାଇଥିବା ଏକ ଉଲ୍ଲେଖେନୀୟ ଭବିଷ୍ୟତବାଣୀରେ ଦାଉଦଙ୍କ “ପ୍ରଭୁଙ୍କୁ” ଯିହୋବା ଶପଥ କରିଥିଲେ: “ମଲ୍କୀଷେଦକଙ୍କ ରୀତି ଅନୁସାରେ ତୁମ୍ଭେ ଅନନ୍ତକାଳୀନ ଯାଜକ ଅଟ।” (ଗୀତ ୧୧୦:୧, ୪) ଈଶ୍ୱର ପ୍ରେରିତ ଗୀତସଂହିତାର ଏହି ପଦଟି ଏବ୍ରୀର ଖ୍ରୀଷ୍ଟିୟାନମାନଙ୍କୁ ବୁଝିବାରେ ସାହାଯ୍ୟ କଲା ଯେ ପ୍ରତିଜ୍ଞା କରାଯାଇଥିବା ମସୀହ ଉଭୟ ରାଜା ଓ ଯାଜକ ଭାବେ କାମ କରିବେ। ପ୍ରେରିତ ପାଉଲ ଏବ୍ରୀମାନଙ୍କୁ ଲେଖିଥିବା ନିଜ ଚିଠିରେ କହିଲେ, “ଯୀଶୁ . . . ମଲ୍କୀଷେଦକଙ୍କ ସଦୃଶ ଅନନ୍ତ କାଳୀନ ମହାଯାଜକ” ହୋଇଛନ୍ତି। ଏହିପରି ଭାବେ ସେ ମସୀହଙ୍କ ପରିଚୟ ବିଷୟରେ ଥିବା ସବୁ ସନ୍ଦେହକୁ ଦୂର କରିଦେଲେ।—ଏବ୍ରୀ ୬:୨୦; ୫:୧୦.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୦-ହି ୮/୧୫ ୧୪ ¶୧୧
ଯେଉଁ ବଳିଦାନରୁ ଈଶ୍ୱର ଖୁସି ହେଲେ
୧୧ ଏବ୍ରୀ ୮:୩ ପଦରେ ପ୍ରେରିତ ପାଉଲଙ୍କ ଶବ୍ଦଗୁଡ଼ିକ ପ୍ରତି ଧ୍ୟାନ ଦିଅନ୍ତୁ। ସେ କହିଲେ, “ପ୍ରତ୍ୟେକ ମହାଯାଜକ ଦାନ [କିମ୍ବା ଭେଟୀ] ଓ ବଳି ଉଭୟ ଉତ୍ସର୍ଗ କରିବାକୁ ନିଯୁକ୍ତ ହୁଅନ୍ତି।” ମୋଶାଙ୍କ ନିୟମ ଅନୁଯାୟୀ ଇସ୍ରାଏଲୀୟ ମହାଯାଜକ “ଭେଟୀ” ଓ “ବଳି” କିମ୍ବା “ପାପ ବଳି” ମଧ୍ୟ ଚଢ଼ାଉଥିଲେ। (ଏବ୍ରୀ ୫:୧, NW) ଯେତେବେଳେ ଜଣେ ବ୍ୟକ୍ତି କାହାରିକୁ ପ୍ରେମ ଓ କୃତଜ୍ଞତା ଦେଖାଇବାକୁ ଚାହେଁ, ତାʼ ସହ ଭଲ ସମ୍ପର୍କ ରଖିବାକୁ ଚାହେଁ କିମ୍ବା ତାକୁ ଖୁସି କରିବାକୁ ଚାହେଁ, ସେତେବେଳେ ସେ ତାକୁ କିଛି ଭେଟୀ ଦେଇଥାଏ। (ଆଦି ପୁସ୍ତକ ୩୨:୨୦; ହିତୋପଦେଶ ୧୮:୧୬) ଠିକ୍ ସେହିପରି ଇସ୍ରାଏଲୀୟମାନେ ଈଶ୍ୱରଙ୍କ ପ୍ରତି ନିଜ ପ୍ରେମ ଦେଖାଇବା ଏବଂ ତାହାଙ୍କ ସହ ଭଲ ସମ୍ପର୍କ ବଜାୟ ରଖିବା ପାଇଁ “ଭେଟୀ” ଚଢ଼ାଉଥିଲେ। କିନ୍ତୁ କୌଣସି ଇସ୍ରାଏଲୀୟ ଯେତେବେଳେ ବ୍ୟବସ୍ଥାର ନିୟମକୁ ଉଲ୍ଲଙ୍ଘନ କରି ପାପ କରୁଥିଲା, ଏହାର ପ୍ରାୟଶ୍ଚିତ୍ତ ପାଇଁ ତାକୁ “ପାପ ବଳି” ଚଢ଼ାଇବାକୁ ପଡ଼ୁଥିଲା। ବ୍ୟବସ୍ଥାରେ କେଉଁ କେଉଁ ବଳିଦାନ ଚଢ଼ାଇବା ପାଇଁ ଆଜ୍ଞା ଦିଆଯାଇଥିଲା, ସେବିଷୟରେ ବାଇବଲର ପ୍ରଥମ ପାଞ୍ଚଟି ବହିରେ, ବିଶେଷ କରି ଯାତ୍ରା ପୁସ୍ତକ, ଲେବୀ ପୁସ୍ତକ ଓ ଗଣନା ପୁସ୍ତକରେ ସବିଶେଷ ଭାବେ ଦିଆଯାଇଛି। ଏହା ସତ ଯେ ଏହି ସବୁ ସବିଶେଷ ତଥ୍ୟକୁ ମନେ ରଖିବା ଆମ ପାଇଁ କଠିନ ହେବ, ତଥାପି ସେଗୁଡ଼ିକ ପ୍ରତି ଧ୍ୟାନ ଦେବା ଜରୁରୀ।
ଇନସାଇଟ୍-୧ ୫୨୩ ¶୫
ଚୁକ୍ତି
ମୋଶାଙ୍କ ନିୟମ କିପରି “ପୁରାତନ” ହୋଇଗଲା ?
କିନ୍ତୁ, ଯେତେବେଳେ ଈଶ୍ୱର ଭବିଷ୍ୟଦ୍ୱକ୍ତା ଯିରିମୀୟଙ୍କ ଜରିଆରେ କହିଲେ ଯେ ଖୁବ୍ ଶୀଘ୍ର ଏକ ନୂତନ ନିୟମ ସ୍ଥାପନ ହେବ, ସେତେବେଳେ ହିଁ ଗୋଟିଏ ପ୍ରକାରେ ନିୟମର ଚୁକ୍ତି “ପୁରାତନ” ହୋଇଗଲା। (ଯିରି ୩୧:୩୧-୩୪; ଏବ୍ରୀ ୮:୧୩) ପରେ ନିୟମର ଚୁକ୍ତି ୩୩ ଖ୍ରୀଷ୍ଟାବ୍ଦରେ ରଦ୍ଦ ହୋଇଗଲା, ଯେତେବେଳେ ଯୀଶୁଙ୍କୁ ଯାତନା ଖୁଣ୍ଟରେ ମାରି ଦିଆଗଲା। (କଲ ୨:୧୪) ଏହାପରେ ନୂତନ ଚୁକ୍ତି ଲାଗୁ ହେଲା।—ଏବ୍ରୀ ୭:୧୨; ୯:୧୫; ପ୍ରେରି ୨:୧-୪.
୯-୧୫ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୯-୧୦
“ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟା ସ୍ୱରୂପ”
ଇନସାଇଟ୍-୧ ୮୬୨ ¶୧
କ୍ଷମା
ଈଶ୍ୱର ଇସ୍ରାଏଲ ରାଷ୍ଟ୍ରକୁ ଦେଇଥିବା ବ୍ୟବସ୍ଥା ଅନୁସାରେ, ଯଦି କୌଣସି ବ୍ୟକ୍ତି ଈଶ୍ୱରଙ୍କ ବିରୁଦ୍ଧରେ କିମ୍ବା ନିଜ ପଡ଼ୋଶୀ ବିରୁଦ୍ଧରେ ପାପ କରୁଥିଲା, ତେବେ ପ୍ରଥମେ ତାକୁ ବ୍ୟବସ୍ଥା ଅନୁଯାୟୀ ନିଜ ଭୁଲ ସୁଧାରିବାକୁ ପଡ଼ୁଥିଲା। ଅଧିକାଂଶ କ୍ଷେତ୍ରରେ, ଅପରାଧୀ ଜଣକୁ ପଶୁବଳିର ରକ୍ତ ଉତ୍ସର୍ଗ କରିବାକୁ ପଡ଼ୁଥିଲା। (ଲେବୀ ୫:୫–୬:୭) ଏହା ପଛରେ ଥିବା ସିଦ୍ଧାନ୍ତ ବିଷୟରେ ପାଉଲ କହିଲେ: “ବ୍ୟବସ୍ଥା ଅନୁସାରେ ପ୍ରାୟ ସମସ୍ତ ବିଷୟ ରକ୍ତ ଦ୍ୱାରା ଶୁଚିକୃତ ହୁଏ, ଆଉ ରକ୍ତପାତ ବିନା ପାପମୋଚନ ହୁଏ ନାହିଁ।” (ଏବ୍ରୀ ୯:୨୨) କିନ୍ତୁ, ପଶୁବଳିର ରକ୍ତ ପ୍ରକୃତରେ ନା ମଣିଷମାନଙ୍କ ପାପଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ଦୂର କରିପାରୁଥିଲା, ନା ଏହା ସେମାନଙ୍କ ବିବେକକୁ ସମ୍ପୂର୍ଣ୍ଣ ଭାବେ ଶୁଦ୍ଧ କରିପାରୁଥିଲା। (ଏବ୍ରୀ ୧୦:୧-୪; ୯:୯, ୧୩, ୧୪) ଭବିଷ୍ୟତବାଣୀ କରାଯାଇଥିବା ନୂତନ ଚୁକ୍ତି ଇସ୍ରାଏଲ ରାଷ୍ଟ୍ରକୁ ଦିଆଯାଇଥିବା ନିୟମଠାରୁ ସମ୍ପୂର୍ଣ୍ଣ ଅଲଗା ଥିଲା। ଏହି ଚୁକ୍ତି ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟର ଆଧାରରେ ପ୍ରକୃତ କ୍ଷମା ମିଳିବା ସମ୍ଭବ ହୋଇଗଲା। (ଯିରି ୩୧:୩୩, ୩୪; ମାଥି ୨୬:୨୮; ୧କରି ୧୧:୨୫; ଏଫି ୧:୭) ଏପରିକି ନିଜ ଜୀବନ ବଳିଦାନ କରିବା ପୂର୍ବରୁ ଯେତେବେଳେ ଯୀଶୁ ଏହି ପୃଥିବୀରେ ଥିଲେ, ସେତେବେଳେ ସେ ଏକ ପକ୍ଷାଘାତ ରୋଗୀକୁ ସୁସ୍ଥ କରି ଦେଖାଇଲେ ଯେ ତାହାଙ୍କ ପାଖରେ ପାପ କ୍ଷମା କରିବାର ଅଧିକାର ଅଛି।—ମାଥି ୯:୨-୭.
ଅନୁଗମନ କର (ହିନ୍ଦୀ) ୧୮୩ ¶୪
“ମୋହର ଅନୁଗାମୀ ହୁଅ”
୪ ସ୍ୱର୍ଗ ଯିବା ପରେ ସେଠାରେ ଯୀଶୁଙ୍କୁ କିପରି ସ୍ୱାଗତ କରାଗଲା ଏବଂ ନିଜ ପିତାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ସେ କେତେ ଖୁସି ହେଲେ, ସେବିଷୟରେ ବାଇବଲ କିଛି କହେ ନାହିଁ। କିନ୍ତୁ ବାଇବଲରେ ପୂର୍ବରୁ କୁହାଯାଇଥିଲା ଯେ ଯୀଶୁ ସ୍ୱର୍ଗ ଯିବା ପରେ ସେଠାରେ ତୁରନ୍ତ କʼଣ ହେବ। ଏକ ହଜାର ପାଞ୍ଚ ଶହ ବର୍ଷରୁ ଅଧିକ ସମୟ ଧରି ଯିହୁଦୀମାନେ ଏକ ପବିତ୍ର ସମାରୋହ ପାଳନ କରି ଆସୁଥିଲେ। ବର୍ଷକୁ ଥରେ ପ୍ରାୟଶ୍ଚିତ୍ତ ଦିନ ମହାଯାଜକ ମନ୍ଦିରର ମହାପବିତ୍ର ସ୍ଥାନକୁ ଯାଉଥିଲେ ଏବଂ ନିୟମ-ସିନ୍ଦୁକର ସମ୍ମୁଖରେ ଯିହୋବାଙ୍କୁ ଉତ୍ସର୍ଗ କରାଯାଇଥିବା ବଳିଦାନର ରକ୍ତ ଛିଞ୍ଚୁଥିଲେ। ମହାଯାଜକ ସେହି ଦିନ ମସୀହଙ୍କୁ ଦର୍ଶାଉଥିଲେ। ପାପର କ୍ଷମା ପାଇଁ ସେହି ସମାରୋହକୁ ପାଳନ କରାଯାଉଥିଲା। କିନ୍ତୁ ଯୀଶୁ ଥରକରେ ସବୁଦିନ ପାଇଁ ମଣିଷମାନଙ୍କ ପାପର କ୍ଷମାର ମୂଲ୍ୟ ଦେଇଦେଲେ। ସେ ସାରା ବିଶ୍ୱର ସବୁଠାରୁ ପବିତ୍ର ଜାଗାରେ, ଅର୍ଥାତ୍ ସମସ୍ତ ସୃଷ୍ଟିର ମାଲିକ ଯିହୋବାଙ୍କ ସମ୍ମୁଖରେ ସ୍ୱର୍ଗରେ ଉପସ୍ଥିତ ହେଲେ ଏବଂ ନିଜ ପିତାଙ୍କୁ ମୁକ୍ତିର ମୂଲ୍ୟ ଦେଲେ। (ଏବ୍ରୀ ୯:୧୧, ୧୨, ୨୪) କʼଣ ଯିହୋବା ତାହା ସ୍ୱୀକାର କଲେ ?
ଇନସାଇଟ୍-୨ ୬୦୨-୬୦୩
ସିଦ୍ଧତା
ମୋଶାଙ୍କ ନିୟମ କେତେ ଦୂର ସିଦ୍ଧ ଥିଲା। ମୋଶାଙ୍କ ଜରିଆରେ ଦିଆଯାଇଥିବା ନିୟମରେ ଯାଜକପଦର ଏବଂ ବିଭିନ୍ନ ପଶୁ ବଳି ଦେବାର ବ୍ୟବସ୍ଥା ଥିଲା। ଯଦିଓ ଏହି ନିୟମ ଈଶ୍ୱରଙ୍କ ତରଫରୁ ହୋଇଥିବାରୁ ସିଦ୍ଧ ଥିଲା, ତଥାପି ନା ନିୟମ, ନା ଯାଜକପଦ, ନା ବଳିଦାନ ଏହି ନିୟମକୁ ପାଳନ କରୁଥିବା ଲୋକଙ୍କୁ ସିଦ୍ଧ କରୁଥିଲା। ଏପରି କିଛି ପ୍ରେରିତ ପାଉଲ ମଧ୍ୟ ଲେଖିଥିଲେ। (ଏବ୍ରୀ ୭:୧୧, ୧୯; ୧୦:୧) ଏହି ନିୟମ ପାପ ଓ ମୃତ୍ୟୁକୁ ଦୂର କରିବା ପରିବର୍ତ୍ତେ, ଏହା ଲୋକଙ୍କୁ ମନେ ପକାଇ ଦେଉଥିଲା ଯେ ସେମାନେ ପାପୀ ଅଟନ୍ତି। (ରୋମୀ ୩:୨୦; ୭:୭-୧୩) ଏଥିରେ କୌଣସି ସନ୍ଦେହ ନାହିଁ ଯେ ଈଶ୍ୱରଙ୍କ ତରଫରୁ ଏସବୁ ବ୍ୟବସ୍ଥା ତାହାଙ୍କ ଇଚ୍ଛା ପୂରଣ ହେବାରେ ସାହାଯ୍ୟ କଲା। ମୋଶାଙ୍କ ନିୟମ ଲୋକଙ୍କ ପାଇଁ ଏକ “ଶିକ୍ଷକ” ଭଳି ଥିଲା, ଯାହା ଲୋକଙ୍କୁ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ନେଇଗଲା। ଏହି ନିୟମ ବା ବ୍ୟବସ୍ଥା “ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟା ସ୍ୱରୂପ” ହେଲା। (ଗାଲା ୩:୧୯-୨୫; ଏବ୍ରୀ ୧୦:୧) ତେଣୁ ଯେତେବେଳେ ପାଉଲ କହିଲେ, “ଶରୀର ସକାଶେ ଦୁର୍ବଳ ହେବାରୁ” ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ସାଧନ କରିପାରିଲା ନାହିଁ (ରୋମୀ ୮:୩), ସେ ସ୍ପଷ୍ଟ ଭାବେ ମାନବୀୟ ଯିହୁଦୀ ମହାଯାଜକଙ୍କର (ଯିଏ ନିୟମ ଅନୁଯାୟୀ ବଳି ବା ଭେଟୀ ଚଢ଼ାଇବାର ଦାୟିତ୍ୱରେ ନିଯୁକ୍ତ ହେଉଥିଲେ ଏବଂ ପ୍ରାୟଶ୍ଚିତ୍ତ ଦିନରେ ପଶୁବଳିର ରକ୍ତ ନେଇ ମହାପବିତ୍ର ସ୍ଥାନରେ ପ୍ରବେଶ କରୁଥିଲେ) ଅସାମର୍ଥ୍ୟକୁ ସୂଚିତ କରୁଥିଲେ। ଠିକ୍ ଯେପରି ଏବ୍ରୀ ୭:୧୧, ୧୮-୨୮ ପଦରେ କୁହାଯାଇଛି, ଏହି ମହାଯାଜକ ଲୋକମାନଙ୍କୁ “ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ” କରିବା ପାଇଁ ଅସମର୍ଥ ଥିଲେ। ଯଦିଓ ହାରୁଣଙ୍କ ବଂଶକୁ ମିଳିଥିବା ଯାଜକତ୍ୱ ଜରିଆରେ ଏସବୁ ବଳିଦାନ ଲୋକଙ୍କୁ ଈଶ୍ୱରଙ୍କ ମଞ୍ଜୁରି ପାଇବାରେ ସାହାଯ୍ୟ କରୁଥିଲା, ତଥାପି ଏହା ସେମାନଙ୍କୁ ହୃଦୟଙ୍ଗମ କରାଉଥିଲା ଯେ ସେମାନେ ସମ୍ପୂର୍ଣ୍ଣ ଭାବେ ପାପରୁ ମୁକ୍ତ ହୋଇ ନାହାନ୍ତି। ବଳି ଉତ୍ସର୍ଗ କରୁଥିବା ଲୋକଙ୍କ ବିଷୟରେ ପ୍ରେରିତ ପାଉଲ କହନ୍ତି ଯେ ପ୍ରାୟଶ୍ଚିତ୍ତର ବଳିଦାନ ସେମାନଙ୍କୁ “କଦାପି ସିଦ୍ଧ କରି ପାରେ ନାହିଁ” କିମ୍ବା ସେମାନଙ୍କୁ ବିବେକଗତ ସିଦ୍ଧି ଦାନ କରିପାରେ ନାହିଁ। (ଏବ୍ରୀ ୧୦:୧-୪; ଦୟାକରି ଏବ୍ରୀ ୯:୯ ସହ ତୁଳନା କରନ୍ତୁ।) ପାପରୁ ପ୍ରକୃତରେ ଉଦ୍ଧାର କରିବା ପାଇଁ ଯେଉଁ ମୂଲ୍ୟ ଦେବାର ଥିଲା, ମହାଯାଜକ ତାହା ଦେବା ପାଇଁ ଅସମର୍ଥ ଥିଲେ। କେବଳ ଖ୍ରୀଷ୍ଟଙ୍କ ଅନନ୍ତକାଳୀନ ଯାଜକତ୍ୱ ଓ ଯୁକ୍ତିଯୁକ୍ତ ବଳିଦାନ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି।—ଏବ୍ରୀ ୯:୧୪; ୧୦:୧୨-୨୨.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୯୨-ଇଂ ୩/୧ ୩୧ ¶୪-୬
ପାଠକମାନଙ୍କ ପ୍ରଶ୍ନ
ପାଉଲ କହିଥିଲେ ଯେ ଈଶ୍ୱର ଓ ମଣିଷମାନଙ୍କ ମଧ୍ୟରେ କରାଯାଇଥିବା ଚୁକ୍ତିଗୁଡ଼ିକୁ ପକ୍କା କରିବା ପାଇଁ କାହାରିକୁ ନିଜ ଜୀବନ ବଳିଦାନ କରିବା ଜରୁରୀ ଥିଲା। ଏ କଥା ଆମକୁ ନିୟମର ଚୁକ୍ତିରୁ ଜଣାପଡ଼େ। ଏହି ଚୁକ୍ତି ଈଶ୍ୱର ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ କରାଯାଇଥିଲା। ଆଉ, ମୋଶା ଜଣେ ମଧ୍ୟସ୍ଥି ଭାବେ ଏହି ଚୁକ୍ତିକୁ ଲାଗୁ କଲେ। ତେଣୁ ମୋଶା ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଲେ ଏବଂ ଯେତେବେଳେ ଇସ୍ରାଏଲୀୟମାନଙ୍କ ସହ ଏହି ଚୁକ୍ତି କରାଯାଉଥିଲା, ସେ ହିଁ ସେମାନଙ୍କ ତରଫରୁ କଥା ହେଉଥିଲେ। ତେଣୁ ମୋଶାଙ୍କୁ ଚୁକ୍ତି କରୁଥିବା ବ୍ୟକ୍ତି ବୋଲି କୁହାଯାଇପାରିବ। କିନ୍ତୁ କʼଣ ଏହି ଚୁକ୍ତିକୁ ଲାଗୁ କରିବା ପାଇଁ ମୋଶାଙ୍କୁ ନିଜ ଜୀବନ ଦେବାକୁ ପଡ଼ିଲା ? ନା। ମୋଶାଙ୍କ ଜୀବନ ବଦଳରେ ପଶୁମାନଙ୍କ ବଳି ଚଢ଼ାଯାଉଥିଲା।—ଏବ୍ରୀ ୯:୧୮-୨୨.
ଯିହୋବା ଓ ଈଶ୍ୱରଙ୍କ ଇସ୍ରାଏଲ ମଧ୍ୟରେ କରାଯାଇଥିବା ନୂତନ ଚୁକ୍ତି ବିଷୟରେ କʼଣ କୁହାଯାଇପାରିବ ? ଯୀଶୁ ଖ୍ରୀଷ୍ଟ ଏହି ନୂତନ ଚୁକ୍ତିର ମଧ୍ୟସ୍ଥି ଅଟନ୍ତି। ଏହା ସତ ଯେ ଏହି ଚୁକ୍ତି ଯିହୋବା କରିଥିଲେ, କିନ୍ତୁ ଏହା ଯୀଶୁ ଖ୍ରୀଷ୍ଟଙ୍କ ଯୋଗୁଁ ହିଁ ଲାଗୁ ହୋଇପାରିଲା। ସେ କେବଳ ଏହି ଚୁକ୍ତିର ମଧ୍ୟସ୍ଥି ନୁହନ୍ତି, ବରଂ ଯେଉଁମାନଙ୍କ ସହ ସର୍ବପ୍ରଥମେ ଏହି ଚୁକ୍ତି କରାଯାଇଥିଲା, ପୃଥିବୀରେ ଥିବା ବେଳେ ସେମାନଙ୍କ ସହ ସେ ସମୟ ମଧ୍ୟ ବିତାଇଥିଲେ। (ଲୂକ ୨୨:୨୦, ୨୮, ୨୯) ଆଉ, କେବଳ ଯୀଶୁଙ୍କ ବଳିଦାନ ଯୋଗୁଁ ହିଁ ଏହି ଚୁକ୍ତି ପକ୍କା କରାଯାଇପାରିଥାʼନ୍ତା, କାରଣ ଏଥିପାଇଁ ପଶୁମାନଙ୍କ ବଳିଦାନ ନୁହେଁ, ବରଂ ଜଣେ ସିଦ୍ଧ ବା ପରିପୂର୍ଣ୍ଣ ମଣିଷର ବଳିଦାନ ଜରୁରୀ ଥିଲା। ହୁଏତ ସେଥିପାଇଁ ପାଉଲ ଖ୍ରୀଷ୍ଟଙ୍କୁ ଚୁକ୍ତି କରୁଥିବା ବ୍ୟକ୍ତି ବୋଲି କହିଲେ। ଯେତେବେଳେ ‘ଖ୍ରୀଷ୍ଟ . . . ଆମ୍ଭମାନଙ୍କ ନିମନ୍ତେ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥିତ ହେବା ପାଇଁ ସ୍ୱର୍ଗରେ ପ୍ରବେଶ କଲେ’, ସେତେବେଳେ ନୂତନ ଚୁକ୍ତି ଲାଗୁ ହେଲା।—ଏବ୍ରୀ ୯:୧୨-୧୪, ୨୪.
ଏହା ସତ ଯେ ପାଉଲ ମୋଶା ଓ ଯୀଶୁଙ୍କୁ ଚୁକ୍ତି କରୁଥିବା ବ୍ୟକ୍ତି ବୋଲି କହିଲେ, କିନ୍ତୁ ତାʼ ଅର୍ଥ ଏହା ନ ଥିଲା ଯେ ସେମାନେ ଏହି ଚୁକ୍ତି କରିଥିଲେ। ଏହି ଚୁକ୍ତି ପ୍ରକୃତରେ ଯିହୋବା କରିଥିଲେ। ମୋଶା ଓ ଯୀଶୁ ମଧ୍ୟସ୍ଥି ହୋଇ ମହତ୍ତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ। ଉଭୟ ଚୁକ୍ତି ଲାଗୁ କରିବା ପାଇଁ ଚୁକ୍ତି କରୁଥିବା ମଣିଷର ମୃତ୍ୟୁ ହେବା ଜରୁରୀ ଥିଲା। ମୋଶାଙ୍କ ଜୀବନ ବଦଳରେ ପଶୁମାନଙ୍କ ବଳିଦାନ କରାଯାଉଥିଲା ଏବଂ ନୂତନ ଚୁକ୍ତିରେ ସାମିଲ୍ ଥିବା ଲୋକମାନଙ୍କ ପାଇଁ ଯୀଶୁ ନିଜ ଜୀବନ ଦେଲେ।
ଇନସାଇଟ୍-୧ ୨୪୯-୨୫୦
ବାପ୍ତିସ୍ମ
ଲୂକ ଲେଖିଥିଲେ ଯେ ଯୀଶୁ ନିଜ ବାପ୍ତିସ୍ମ ସମୟରେ ପ୍ରାର୍ଥନା କରୁଥିଲେ। (ଲୂକ ୩:୨୧) ଏହା ଛଡ଼ା, ଏବ୍ରୀମାନଙ୍କୁ ଲେଖିଥିବା ଚିଠିର ଲେଖକ କହିଲେ ଯେ ଯେତେବେଳେ ଯୀଶୁ ଖ୍ରୀଷ୍ଟ “ଜଗତକୁ ଆଗମନ” କଲେ, (ଏହା ସେତେବେଳେ ହେଲା ଯେତେବେଳେ ଯୀଶୁ ବାପ୍ତିସ୍ମ ନେବା ପାଇଁ ନିଜକୁ ଉପସ୍ଥାପନ କଲେ ଏବଂ ନିଜ ସେବା ଆରମ୍ଭ କଲେ। ଏହା ସେତେବେଳେର କଥା ନୁହେଁ ଯେତେବେଳେ ସେ ଜନ୍ମ ନେଲେ କାରଣ ସେସମୟରେ ସେ ଏହି ଶବ୍ଦଗୁଡ଼ିକୁ ପଢ଼ି ମଧ୍ୟ ପାରୁ ନ ଥିଲେ) ସେତେବେଳେ ଯେପରି ଗୀତସଂହିତା ୪୦:୬-୮ (LXX) ପଦରେ ଲେଖା ଅଛି, ସେ କହିଲେ: “ବଳିଦାନ ଓ ନୈବେଦ୍ୟରେ ତୁମ୍ଭର ସନ୍ତୋଷ ନାହିଁ; ତୁମ୍ଭେ ମୋʼ ନିମନ୍ତେ ଏକ ଶରୀର ପ୍ରସ୍ତୁତ କଲ। . . . ଦେଖ, ମୁଁ ଉପସ୍ଥିତ (ଶାସ୍ତ୍ରରେ ମୋହର ବିଷୟ ଲିଖିତ ଅଛି) ହେ ମୋହର ପରମେଶ୍ୱର, ତୁମ୍ଭର ଇଚ୍ଛା ସାଧନ କରିବାକୁ ମୋହର ସନ୍ତୋଷ।” (ଏବ୍ରୀ ୧୦:୫-୯) ଯୀଶୁ ଜନ୍ମରୁ ଯିହୁଦୀ ରାଷ୍ଟ୍ରର ସଦସ୍ୟ ଥିଲେ ଏବଂ ଈଶ୍ୱର ଏହି ରାଷ୍ଟ୍ର ସହିତ ଏକ ଚୁକ୍ତି କରିଥିଲେ ଯାହାକୁ ନିୟମର ଚୁକ୍ତି କୁହାଯାଏ। (ଯାତ୍ରା ୧୯:୫-୮; ଗାଲା ୪:୪) ଏହି କାରଣରୁ ଯେତେବେଳେ ଯୀଶୁ ବାପ୍ତିସ୍ମ ନେବା ପାଇଁ ଯୋହନଙ୍କ ପାଖକୁ ଆସିଲେ, ସେତେବେଳେ ସେ ପୂର୍ବରୁ ହିଁ ଯିହୋବା ଈଶ୍ୱରଙ୍କ ସହିତ ଏକ ଚୁକ୍ତିରେ ସାମିଲ୍ ଥିଲେ। ସେତେବେଳେ ନିୟମରେ ଯାହା କରିବା ପାଇଁ କୁହାଯାଇଥିଲା, ତାʼ ଠାରୁ ମଧ୍ୟ ସେ ଅଧିକ କଲେ। ସେ ନିଜ ଜୀବନକୁ ପିତା ଯହୋବାଙ୍କ “ଇଚ୍ଛା” ପୂରଣ କରିବା ପାଇଁ ଉତ୍ସର୍ଗ କଲେ, ଯେଉଁଥିରେ ଏହା ମଧ୍ୟ ସାମିଲ୍ ଥିଲା ଯେ ସେ ନିଜ ପାଇଁ “ପ୍ରସ୍ତୁତ” କରାଯାଇଥିବା ଶରୀରକୁ ବଳିଦାନ ଭାବେ ଉତ୍ସର୍ଗ କରିଥାʼନ୍ତେ। ଏହାଦ୍ୱାରା ଆଗକୁ ଯାଇ ପଶୁମାନଙ୍କର ବଳିଦାନ ଚଢ଼ାଇବା ସବୁଦିନ ପାଇଁ ବନ୍ଦ ହୁଅନ୍ତା। ଏବିଷୟରେ ପାଉଲ କହିଲେ, “ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଏକାଥରକେ ଉତ୍ସର୍ଗୀକୃତ ହେବା ଦ୍ୱାରା” ଏହି “ଇଚ୍ଛା” ଯୋଗୁଁ “ଆମ୍ଭେମାନେ ପବିତ୍ରୀକୃତ ହୋଇଅଛୁ।” (ଏବ୍ରୀ ୧୦:୧୦) ନିଜ ପିତାଙ୍କ ଇଚ୍ଛା ପୂରଣ କରିବାରେ ଏହା ମଧ୍ୟ ସାମିଲ୍ ଥିଲା ଯେ ଯୀଶୁ ରାଜ୍ୟ ସହ ଜଡ଼ିତ କାମଗୁଡ଼ିକ କରିଥାʼନ୍ତେ। ଯୀଶୁ ନିଜକୁ ଈଶ୍ୱରଙ୍କ ସମ୍ମୁଖରେ ଉପସ୍ଥାପନ କରିବାର ଏହା ଆଉ ଗୋଟିଏ କାରଣ ଥିଲା। (ଲୂକ ୪:୪୩; ୧୭:୨୦, ୨୧) ଯେତେବେଳେ ଯୀଶୁ ନିଜକୁ ଉପସ୍ଥାପନ କଲେ, ଯିହୋବା ଏହା ମଞ୍ଜୁରି କଲେ ଏବଂ ପବିତ୍ର ଶକ୍ତି ଦ୍ୱାରା ତାହାଙ୍କୁ ଅଭିଷେକ କଲେ ଏବଂ କହିଲେ, “ତୁମ୍ଭେ ଆମ୍ଭର ପ୍ରିୟ ପୁତ୍ର, ତୁମ୍ଭଠାରେ ଆମ୍ଭର ପରମ ସନ୍ତୋଷ।” (ମାର୍କ ୧:୯-୧୧; ଲୂକ ୩:୨୧-୨୩; ମାଥି ୩:୧୩-୧୭)
୧୬-୨୨ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୧୧
“ବିଶ୍ୱାସ କାହିଁକି ଜରୁରୀ”
ପ୍ର୧୬.୧୦-ହି ୨୭ ¶୬
ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ବିଶ୍ୱାସ କରନ୍ତୁ
୬ ବାଇବଲ ଏବ୍ରୀ ୧୧:୧ ପଦରେ ବୁଝାଏ ଯେ ବିଶ୍ୱାସ କʼଣ। (ପଢ଼ନ୍ତୁ।) ଏଥିରେ ଦୁଇଟି କଥା ସାମିଲ୍ ରହିଛି: (୧) ବିଶ୍ୱାସ “ପ୍ରତ୍ୟାଶିତ ବିଷୟର ମୂଳଭୂମି।” ପ୍ରତ୍ୟାଶିତ ବିଷୟରେ ଈଶ୍ୱରଙ୍କ ଏପରି ପ୍ରତିଜ୍ଞା ସବୁ ସାମିଲ୍ ଅଛି, ଯାହା ସେ ଭବିଷ୍ୟତ ବିଷୟରେ କରିଛନ୍ତି। ଯେପରି, ଆମର ପୂରା ଭରସା ଅଛି ଯେ ସବୁ ଦୁଷ୍ଟତାକୁ ଦୂର କରାଯିବ ଏବଂ ନୂତନ ପୃଥିବୀ ଆସିବ। (୨) ବିଶ୍ୱାସ “ଅଦୃଶ୍ୟ ବିଷୟର ନିଶ୍ଚିତ ଜ୍ଞାନ।” ଏହା ସତ ଯେ ଆମେ ଯିହୋବା ଈଶ୍ୱର, ଯୀଶୁ ଖ୍ରୀଷ୍ଟ, ସ୍ୱର୍ଗଦୂତ ଓ ଈଶ୍ୱରଙ୍କ ରାଜ୍ୟକୁ ଦେଖିପାରି ନ ଥାଉ, ତଥାପି ଆମେ ଜାଣୁ ଯେ ଏସବୁ ବିଷୟ ବାସ୍ତବିକ। (ଏବ୍ରୀ ୧୧:୩) ଆମେ କିପରି ଦେଖାଇପାରିବା ଯେ ଆମେ ଈଶ୍ୱରଙ୍କ ପ୍ରତିଜ୍ଞାଗୁଡ଼ିକ ଏବଂ ସେହି ଅଦୃଶ୍ୟ ବିଷୟଗୁଡ଼ିକ ଉପରେ ପ୍ରକୃତରେ ବିଶ୍ୱାସ କରୁ ? ଆମେ ନିଜ ଜୀବନ ଶୈଳୀରୁ, ନିଜ କାମରୁ ଏବଂ ନିଜ କଥାରୁ ଏହା ଦେଖାଇପାରିବା।
ପ୍ର୧୩-ଇଂ ୧୧/୧ ୧୧ ¶୨-୫
‘ସେ ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା’
ଯିହୋବାଙ୍କୁ ଖୁସି କରିବା ପାଇଁ ଆମେ କʼଣ କରିବା ଉଚିତ୍ ? ପାଉଲ ଲେଖିଲେ, “ବିଶ୍ୱାସ ବିନା ତାହାଙ୍କ ସନ୍ତୋଷପାତ୍ର ହେବା ଅସମ୍ଭବ।” ଧ୍ୟାନ ଦିଅନ୍ତୁ, ପାଉଲ ଏହା କହିଲେ ନାହିଁ ଯେ ଈଶ୍ୱରଙ୍କୁ ଖୁସି କରିବା କଷ୍ଟକର। ଏହା ପରିବର୍ତ୍ତେ, ସେ କହିଲେ ଯେ ଈଶ୍ୱରଙ୍କୁ ଖୁସି କରିବା ଅସମ୍ଭବ। ଏଥିରୁ ଜଣାପଡ଼େ ଯେ ଆମଠାରେ ବିଶ୍ୱାସ ହେବା କେତେ ଜରୁରୀ !
କିନ୍ତୁ, ଆମଠାରେ କିଭଳି ବିଶ୍ୱାସ ହେଲେ ଈଶ୍ୱର ଖୁସି ହୁଅନ୍ତି ? ଏଥିରେ ଦୁଇଟି କଥା ସାମିଲ୍ ରହିଛି। ପ୍ରଥମଟି ହେଲା, “ଈଶ୍ୱର ଯେ ଅଛନ୍ତି” ଏହା ଆମକୁ “ବିଶ୍ୱାସ କରିବା ଆବଶ୍ୟକ।” ଅନ୍ୟ ଏକ ଅନୁବାଦରେ ଲେଖା ଅଛି, “ଈଶ୍ୱର ଅସ୍ତିତ୍ୱରେ ଅଛନ୍ତି ବୋଲି ବିଶ୍ୱାସ କରିବା” ଆବଶ୍ୟକ। ଯଦି ଆମେ ଈଶ୍ୱରଙ୍କ ଅସ୍ତିତ୍ୱ ଉପରେ ସନ୍ଦେହ କରିବା, ତେବେ ଆମେ ତାହାଙ୍କୁ କିପରି ଖୁସି କରିପାରିବା ? କିନ୍ତୁ, କେବଳ ଏତିକି କହିବା ଯଥେଷ୍ଟ ନୁହେଁ ଯେ ଈଶ୍ୱର ଅଛନ୍ତି ବୋଲି ମୁଁ ବିଶ୍ୱାସ କରେ, କାରଣ ଦୁଷ୍ଟ ସ୍ୱର୍ଗଦୂତମାନେ ମଧ୍ୟ ଏହା ବିଶ୍ୱାସ କରନ୍ତି। (ଯାକୁବ ୨:୧୯) ଯଦି ଆମଠାରେ ପ୍ରକୃତ ବିଶ୍ୱାସ ରହିବ, ତେବେ ଆମେ ତାʼ ମୁତାବକ କାମ ମଧ୍ୟ କରିବା ଏବଂ ଏପରି ଜୀବନଯାପନ କରିବା, ଯାହାଦ୍ୱାରା ଯିହୋବା ଖୁସି ହେବେ।—ଯାକୁବ ୨:୨୦, ୨୬.
ଦ୍ୱିତୀୟଟି ହେଲା, ଆମେ ବିଶ୍ୱାସ କରିବା ଉଚିତ୍ ଯେ ଈଶ୍ୱର “ପୁରସ୍କାରଦାତା” ଅଟନ୍ତି। ଯେଉଁ ବ୍ୟକ୍ତିଠାରେ ପ୍ରକୃତ ବିଶ୍ୱାସ ଥାଏ, ତାʼର ପୂରା ଭରସା ଥାଏ ଯେ ଈଶ୍ୱରଙ୍କୁ ଖୁସି କରିବା ପାଇଁ ସେ ଯାହା ମଧ୍ୟ ପରିଶ୍ରମ କରେ, ତାର ପୁରସ୍କାର ତାକୁ ନିଶ୍ଚୟ ମିଳିବ। (୧ କରିଛୀୟ ୧୫:୫୮) କିନ୍ତୁ ଯଦି ଆମକୁ ଲାଗେ ଯେ ଯିହୋବାଙ୍କଠାରେ ଆମକୁ ପୁରସ୍କାର ଦେବାର ସାମର୍ଥ୍ୟ ନାହିଁ, କିମ୍ବା ସେ ଆମକୁ ପୁରସ୍କାର ଦେବାକୁ ଚାହାନ୍ତି ନାହିଁ, ତେବେ ଆମେ ତାହାଙ୍କୁ କିପରି ଖୁସି କରିପାରିବା ? (ଯାକୁବ ୧:୧୭; ୧ ପିତର ୫:୭) ଯଦି ଜଣେ ବ୍ୟକ୍ତି ଭାବେ ଯେ ଈଶ୍ୱର ଆମ ବିଷୟରେ ଚିନ୍ତା କରନ୍ତି ନାହିଁ, କିମ୍ବା ଆମ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତି ନାହିଁ ଏବଂ ସେ ଉଦାରମନା ନୁହନ୍ତି, ତେବେ ସେ ସତ୍ୟ ଈଶ୍ୱରଙ୍କୁ ଜାଣେ ନାହିଁ।
ଯିହୋବା କେଉଁମାନଙ୍କୁ ପରସ୍କାର ଦିଅନ୍ତି ? ପାଉଲ ଲେଖିଲେ ଯେ ଯିହୋବା “ତାହାଙ୍କ ଅନ୍ୱେଷଣକାରୀମାନଙ୍କର ପୁରସ୍କାରଦାତା” ଅଟନ୍ତି। ବାଇବଲର ଅନୁବାଦକମାନଙ୍କ ରିଫରେନ୍ସ ପାଇଁ ଲିଖିତ ଏକ ବହି କହେ, “ଅନ୍ୱେଷଣକାରୀ” ଶବ୍ଦ ପାଇଁ ଯେଉଁ ଗ୍ରୀକ୍ ଶବ୍ଦ ବ୍ୟବହୃତ ହୋଇଛି, ତାର ଅର୍ଥ ନୁହେଁ ଯେ “ଖୋଜିବା ପାଇଁ ଯିବା”। ଏହା ପରିବର୍ତ୍ତେ “ଉପାସନା କରିବା ପାଇଁ” ଈଶ୍ୱରଙ୍କ ପାଖକୁ ଆସିବା। ଆଉ ଏକ ବହି ବୁଝାଏ ଯେ ଏଠାରେ ଗ୍ରୀକ୍ କ୍ରିୟାର ଯେଉଁ ରୂପ ବ୍ୟବହୃତ ହୋଇଛି, ଏହାର ଅର୍ଥ ହେଉଛି ଉତ୍ସାହ ଓ ଧ୍ୟାନର ସହିତ ପରିଶ୍ରମ କରିବା। ସତରେ, ଯେଉଁମାନେ ସମ୍ପୂର୍ଣ୍ଣ ହୃଦୟ ଓ ଉତ୍ସାହର ସହ ଯିହୋବାଙ୍କ ଉପାସନା କରନ୍ତି, ସେମାନଙ୍କୁ ସେ ପୁରସ୍କାର ଦିଅନ୍ତି।—ମାଥିଉ ୨୨:୩୭.
ପ୍ର୧୬.୧୦-ହି ୨୩ ¶୧୦-୧୧
ପ୍ରତ୍ୟାଶିତ ବିଷୟ ଉପରେ ନିଜ ବିଶ୍ୱାସ ଦୃଢ଼ କରନ୍ତୁ
୧୦ ଏବ୍ରୀ ୧୧ ଅଧ୍ୟାୟରେ ପ୍ରେରିତ ପାଉଲ କହିଲେ, “ସ୍ତ୍ରୀଲୋକମାନେ ଆପଣା ଆପଣା ମୃତମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ; ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହାଯନ୍ତ୍ରଣା ଭୋଗ କଲେ।” (ଏବ୍ରୀ ୧୧:୩୫) ଏସବୁ ଲୋକମାନେ ପରୀକ୍ଷାଗୁଡ଼ିକରେ ଧୈର୍ଯ୍ୟ ଧରିଲେ ଏବଂ ଈଶ୍ୱରଙ୍କ ବିଶ୍ୱସ୍ତ ରହିଲେ। କାରଣ ସେମାନଙ୍କୁ ପୁନରୁତ୍ଥାନର ପ୍ରତିଜ୍ଞା ଉପରେ ଦୃଢ଼ ବିଶ୍ୱାସ ଥିଲା। ସେମାନଙ୍କ ଦୃଢ଼ ବିଶ୍ୱାସ ଥିଲା ଯେ ଭବିଷ୍ୟତରେ ଯିହୋବା ସେମାନଙ୍କୁ ନିଶ୍ଚୟ ଜୀବିତ କରିବେ ଏବଂ ସେମାନେ ସବୁ ଦିନ ପାଇଁ ପୃଥିବୀରେ ଜୀବିତ ରହିବେ। ନାବୋତ ଓ ଜିଖରୀୟଙ୍କ ବିଷୟରେ ଟିକେ ଭାବନ୍ତୁ। ସେମାନଙ୍କୁ ପଥର ଫିଙ୍ଗି ଫିଙ୍ଗି ହତ୍ୟା କରାଗଲା, କାରଣ ସେମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରଥିଲେ। (୧ ରାଜା. ୨୧:୩, ୧୫; ୨ ବଂଶା. ୨୪:୨୦, ୨୧) ଦାନିୟେଲଙ୍କୁ ଭୋକିଲା ସିଂହମାନଙ୍କର ଗର୍ତ୍ତରେ ଏବଂ ତାଙ୍କ ମିତ୍ରମାନଙ୍କୁ ଜ୍ୱଳନ୍ତ ଅଗ୍ନିକୁଣ୍ଡରେ ଫିଙ୍ଗି ଦିଆଗଲା। ମିଥ୍ୟା ଦେବତାମାନଙ୍କ ସମ୍ମୁଖରେ ମୁଣ୍ଡ ନୁଆଁଇବା ପରିବର୍ତ୍ତେ ସେମାନେ ମୃତ୍ୟୁକୁ ବାଛି ନେଲେ। ସେମାନଙ୍କର ପୂରା ଭରସା ଥିଲା ଯେ ଯିହୋବା ସେହି କଷ୍ଟଗୁଡ଼ିକୁ ସହିବା ପାଇଁ ସେମାନଙ୍କୁ ଶକ୍ତି ଦେବେ।—ଦାନି. ୩:୧୬-୧୮, ୨୦, ୨୮; ୬:୧୩, ୧୬, ୨୧-୨୩; ଏବ୍ରୀ ୧୧:୩୩, ୩୪.
୧୧ ମୀଖା ଓ ଯିରିମୀୟଙ୍କ ଭଳି ଭବିଷ୍ୟଦ୍ୱକ୍ତାମାନଙ୍କୁ ଉପହାସ କରାଗଲା କିମ୍ବା କାରାଗାରରେ ବନ୍ଦୀ କରାଗଲା। ଏଲୀୟଙ୍କ ଭଳି ଭବିଷ୍ୟଦ୍ୱକ୍ତା “ପ୍ରାନ୍ତର, ପର୍ବତ, ଗୁହା ପୁଣି, ପୃଥିବୀର ଗହ୍ୱର ଭ୍ରମଣ କଲେ।” ତଥାପି ଏହି ସମସ୍ତେ ଧୈର୍ଯ୍ୟ ଧରିଲେ ଏବଂ ଈଶ୍ୱରଙ୍କ ବିଶ୍ୱସ୍ତ ରହିଲେ, କାରଣ ସେମାନଙ୍କ ବିଶ୍ୱାସ “ପ୍ରତ୍ୟାଶିତ ବିଷୟର ମୂଳଭୂମି” ଥିଲା, ଅର୍ଥାତ୍ ସେମାନେ ଯାହା ଆଶା କରୁଥିଲେ, ତାକୁ ଦୃଢ଼ ବିଶ୍ୱାସର ସହ ଅପେକ୍ଷା କରିଥିଲେ।—ଏବ୍ରୀ ୧୧:୧, ୩୬-୩୮; ୧ ରାଜା. ୧୮:୧୩; ୨୨:୨୪-୨୭; ଯିରି. ୨୦:୧, ୨; ୨୮:୧୦, ୧୧; ୩୨:୨.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୧ ୮୦୪ ¶୫
ବିଶ୍ୱାସ
ପ୍ରାଚୀନ ସମୟର ବିଶ୍ୱାସର ଉଦାହରଣ। ‘ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କ’ ମଧ୍ୟରେ ପାଉଲ ଯେଉଁ ଲୋକମାନଙ୍କ ବିଷୟରେ ଉଲ୍ଲେଖ କଲେ, ସେସମସ୍ତଙ୍କ ବିଶ୍ୱାସ ଠୋସ୍ ପ୍ରମାଣଗୁଡ଼ିକ ଉପରେ ଆଧାରିତ ଥିଲା। (ଏବ୍ରୀ ୧୨:୧) ଉଦାହରଣ ପାଇଁ, ହେବଲ ଈଶ୍ୱରଙ୍କ ଏହି ପ୍ରତିଜ୍ଞା ବିଷୟରେ ନିଶ୍ଚୟ ଜାଣିଥିଲେ ଯେ ଏକ “ବଂଶ” ଆସିବ, ଯାହା ‘ସର୍ପର’ ମୁଣ୍ଡକୁ ଆଘାତ କରିବ। ଏହା ବ୍ୟତୀତ, ତାଙ୍କ ପିତାମାତାଙ୍କୁ ଯିହୋବା ଏଦନ ଉଦ୍ୟାନରେ ଯେଉଁ ଦଣ୍ଡ ଶୁଣାଇଥିଲେ, ସେସବୁ ସତ ହେଉଥିବାର ସେ ଦେଖିଥିଲେ। ଏଦନ ଉଦ୍ୟାନରୁ ବାହାର କରାଯିବା ପରେ ଆଦମ ଓ ତାʼ ପରିବାର ଖାଦ୍ୟ ପାଇଁ ମୁଣ୍ଡ ଝାଳ ତୁଣ୍ଡରେ ମାରି ପରିଶ୍ରମ କରୁଥିଲେ। କାରଣ ଭୂମି ଶାପିତ ଥିଲା ଏବଂ ସେଥିରେ କଣ୍ଟା ଓ ଗୋଖରା ଗଛ ହେଉଥିଲା। ହୁଏତ ହେବଲ ଏହା ମଧ୍ୟ ଦେଖିଥିବେ ଯେ ହବାଠାରେ କିପରି ଆଦମ ପ୍ରତି ବାସନା ରହିଥିବ ଏବଂ ଆଦମ ତାʼ ଉପରେ କର୍ତ୍ତୃତ୍ୱ କରିଥିବ। ହବା ନିଶ୍ଚୟ କହିଥିବ ଯେ ହେବଲଙ୍କ ଭାଇଭଉଣୀଙ୍କୁ ଜନ୍ମ ଦେବା ସମୟରେ ସେ କିପରି କଷ୍ଟ ସହିଥିଲା। କେବଳ ଏତିକି ନୁହେଁ, ହେବଲ ସେହି କିରୂବମାନଙ୍କୁ ମଧ୍ୟ ଦେଖିଥିବେ, ଯେଉଁମାନେ ଏଦନ ଉଦ୍ୟାନର ବାହାରେ ନିଯୁକ୍ତ ହୋଇଥିଲେ ଏବଂ କିଭଳି ଏକ ଜ୍ୱଳନ୍ତ ଖଡ଼୍ଗ ଲଗାତାର ଘୁରୁଥିଲା। (ଆଦି ୩:୧୪-୧୯, ୨୪) ଏସବୁ କଥା ହେବଲଙ୍କ ପାଇଁ “ନିଶ୍ଚିତ ଜ୍ଞାନ” ଥିଲା, ଯେଉଁଥିରୁ ତାଙ୍କ ବିଶ୍ୱାସ ବଢ଼ିଲା ଯେ ‘ପ୍ରତିଜ୍ଞାତ ବଂଶ’ ଜରିଆରେ ହିଁ ମଣିଷଜାତିର ଉଦ୍ଧାର ହେବ। ତେଣୁ ସେ ନିଜ ବିଶ୍ୱାସ ଦେଖାଇ “କୟିନ ଅପେକ୍ଷା ଉତ୍କୃଷ୍ଟ ବଳି ଉତ୍ସର୍ଗ କଲେ।”—ଏବ୍ରୀ ୧୧:୧, ୪.
ପ୍ରସ୧୭.୧-ହି ୧୨-୧୩
“ଈଶ୍ୱରଙ୍କର ସନ୍ତୋଷପାତ୍ର”
କେଉଁ ଅର୍ଥରେ “ହନୋକ ମୃତ୍ୟୁ ଭୋଗ ନ କରି ଅନ୍ତର୍ହିତ ହେଲେ” ? ଯିହୋବା ହନୋକଙ୍କୁ ହୁଏତ ଏପରି ମୃତ୍ୟୁର ନିଦରେ ଶୁଆଇଦେଲେ, ଯାହାଫଳରେ ଶତ୍ରୁମାନଙ୍କ ଦ୍ୱାରା ତାଙ୍କ ଅତି ଯନ୍ତ୍ରଣାଦାୟକ ମୃତ୍ୟୁ ହୋଇ ନ ଥାʼନ୍ତା। କିନ୍ତୁ ଏହା ପୂର୍ବରୁ ହନୋକ “ଈଶ୍ୱରଙ୍କ ସନ୍ତୋଷପାତ୍ର” ବୋଲି “ସାକ୍ଷ୍ୟ ପ୍ରାପ୍ତ ହୋଇଥିଲେ।” କିପରି ? ହୁଏତ ନିଜ ମୃତ୍ୟୁର ଠିକ୍ କିଛି ସମୟ ପୂର୍ବରୁ ଈଶ୍ୱର ହନୋକଙ୍କୁ ଏକ ଦର୍ଶନ ଦେଇଥିବେ, ଯେଉଁଥିରେ ଏହି ପୃଥିବୀ ଏକ ସୁନ୍ଦର ଉଦ୍ୟାନ ଭଳି ଦେଖାଯାଉଥିଲା। ଏହିପରି ଭାବେ ହନୋକଙ୍କୁ ଭବିଷ୍ୟତର ଝଲକ ଦେଖାଇ ଈଶ୍ୱର ପ୍ରମାଣିତ କରିଥିବେ ଯେ ସେ ହନୋକଙ୍କ ସେବା ଉପରେ ଖୁସି ଥିଲେ। ଏହାପରେ ହନୋକ ମୃତ୍ୟୁର ନିଦରେ ଶୋଇଗଲେ। ପାଉଲ ହନୋକ ଓ ଈଶ୍ୱରଙ୍କୁ ପ୍ରେମ କରୁଥିବା ଆଉ କିଛି ସ୍ତ୍ରୀ-ପୁରୁଷମାନଙ୍କ ବିଷୟରେ ଲେଖିଲେ, “ଏସମସ୍ତେ ବିଶ୍ୱାସରେ ପ୍ରାଣତ୍ୟାଗ କଲେ।” (ଏବ୍ରୀ ୧୧:୧୩) ଏହି ଘଟଣା ପରେ ହନୋକଙ୍କ ଶତ୍ରୁମାନେ ତାଙ୍କ ଶରୀରକୁ ଖୋଜିଥିବେ। କିନ୍ତୁ “ସେ ଆଉ ଦେଖାଗଲେ ନାହିଁ।” ଲୋକେ ଯେପରି ହନୋକଙ୍କ ଅନାଦର ନ କରିବେ ଏବଂ ତାଙ୍କୁ ଉପାସନା ନ କରିବେ, ସେଥିପାଇଁ ଯିହୋବା ତାଙ୍କ ଶରୀରକୁ ଲୁଚାଇ ଦେଲେ।
୨୩-୨୯ ସେପ୍ଟେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଏବ୍ରୀ ୧୨-୧୩
“ଅନୁଶାସନ—ଯିହୋବାଙ୍କ ପ୍ରେମର ପ୍ରମାଣ”
ପ୍ର୧୨-ହି ୩/୧୫ ୨୯ ¶୧୮
“ପଛକୁ” ଚାହାନ୍ତୁ ନାହିଁ
୧୮ କଷ୍ଟ ଦେଉଥିବା ତାଡ଼ନା। ଯଦି ଆମକୁ ପୂର୍ବରୁ କଷ୍ଟ ପହଞ୍ଚାଇଥିବା କୌଣସି ତାଡ଼ନା ମିଳିଛି ଏବଂ ତାʼ ବିଷୟରେ ବାରମ୍ବାର ଭାବି ଆମକୁ ଦୁଃଖ କିମ୍ବା ରାଗ ଲାଗେ, ତେବେ ହୁଏତ ଆମେ “କ୍ଳାନ୍ତ” ହୋଇଯିବା। (ଏବ୍ରୀ ୧୨:୫) ହୁଏତ ଆମେ ସେହି ଅନୁଶାସନକୁ “ଲଘୁ ଜ୍ଞାନ” କରି ଏଡ଼େଇ ଦେଇପାରୁ କିମ୍ବା ତାକୁ ପ୍ରଥମେ ଗ୍ରହଣ କରି ପରେ “କ୍ଳାନ୍ତ” ହୋଇଯାଉ। କିନ୍ତୁ ଉଭୟର ପରିଣାମ ଏକା ହିଁ ହୁଏ। ଏପରି କରିବା ଦ୍ୱାରା ଅନୁଶାସନରୁ କିଛି ଲାଭ ମିଳେ ନାହିଁ। ତେଣୁ ଭଲ ହେବ ଯଦି ଆମେ ଶଲୋମନଙ୍କ ପରାମର୍ଶକୁ ପାଳନ କରିବା, “ଉପଦେଶ ଦୃଢ଼ କରି ଧର; ତାକୁ ଛାଡ଼ି ଦିଅ ନାହିଁ; ତାକୁ ରଖ; କାରଣ ତାହା ତୁମ୍ଭର ଜୀବନ।” (ହିତୋ. ୪:୧୩) ଯେପରି ଗାଡ଼ି ଚଲାଉଥିବା ଜଣେ ବ୍ୟକ୍ତି ରାସ୍ତା କଡ଼ରେ ଲାଗିଥିବା ନିର୍ଦ୍ଦେଶକୁ ମାନି ଆଗକୁ ବଢ଼ିଚାଲେ, ଠିକ୍ ସେହିପରି ଆମେ ମଧ୍ୟ ପରାମର୍ଶକୁ ସ୍ୱୀକାର କରି ଏବଂ ତାକୁ ଲାଗୁ କରି ଆଗକୁ ବଢ଼ିଚାଲିବା ଉଚିତ୍।—ହିତୋ. ୪:୨୬, ୨୭; ଏବ୍ରୀ ୧୨:୧୨, ୧୩ ପଢ଼ନ୍ତୁ।
ପ୍ର୧୨-ଇଂ ୭/୧ ୨୧ ¶୩
“ଯେତେବେଳେ ତୁମ୍ଭେମାନେ ପ୍ରାର୍ଥନା କର, ସେତେବେଳେ କୁହ, ‘ପିତଃ’”
ଯେଉଁ ପିତା ନିଜ ପିଲାଙ୍କୁ ଭଲ ପାଆନ୍ତି ସେ ସେମାନଙ୍କୁ ଅନୁଶାସନ ଦିଅନ୍ତି, କାରଣ ସେ ସେମାନଙ୍କର ଯତ୍ନ ନିଅନ୍ତି। ସେ ଚାହାନ୍ତି ଯେ ପିଲାମାନେ ବଡ଼ ହୋଇ ଭଲ ମଣିଷ ହୁଅନ୍ତୁ। (ଏଫିସୀୟ ୬:୪) ବେଳେ ବେଳେ ପିତାଙ୍କୁ ନିଜ ପିଲାଙ୍କ ପ୍ରତି କଠୋର ହେବାକୁ ପଡ଼ିଥାଏ, କିନ୍ତୁ ସେ କେବେ ମଧ୍ୟ ନିଷ୍ଠୁରତାର ସହିତ ବ୍ୟବହାର କରନ୍ତି ନାହିଁ। ଯିହୋବା ମଧ୍ୟ ସେହି ପିତାଙ୍କ ପରି ଆବଶ୍ୟକ ଅନୁସାରେ ଆମକୁ ଅନୁଶାସନ ଦିଅନ୍ତି। କିନ୍ତୁ ସେ ସର୍ବଦା ପ୍ରେମର ସହିତ ବ୍ୟବହାର କରନ୍ତି ଏବଂ ଏହାଦ୍ୱାରା କେବେ ବି ଆମର କ୍ଷତି ହୁଏ ନାହିଁ। ଯୀଶୁ ମଧ୍ୟ ନିଜ ପିତାଙ୍କ ପରି ଅଟନ୍ତି। ଯେତେବେଳେ ତାହାଙ୍କ ଶିଷ୍ୟମାନେ ତାହାଙ୍କ ପରାମର୍ଶକୁ ଶୀଘ୍ର ମାନୁ ନ ଥିଲେ, ସେତେବେଳେ ମଧ୍ୟ ସେ ସେମାନଙ୍କ ସହ ନିଷ୍ଠୁରତାର ସହିତ ବ୍ୟବହାର କଲେ ନାହିଁ।—ମାଥିଉ ୨୦:୨୦-୨୮; ଲୂକ ୨୨:୨୪-୩୦.
ପ୍ର୧୮.୦୩-ହି ୩୨ ¶୧୮
“ଉପଦେଶ ଶୁଣି ଜ୍ଞାନବାନ ହୁଅ”
୧୮ ଯେତେବେଳେ କାହାରିକୁ ସୁଧାରା ଯାଏ, ସେତେବେଳେ ତାକୁ ଦୁଃଖ ପହଞ୍ଚିଥାଏ। କିନ୍ତୁ ଯିଏ ଈଶ୍ୱରଙ୍କ ଶିକ୍ଷାକୁ ଅସ୍ୱୀକାର କରେ, ତାକୁ ଏହାଠାରୁ ବି ଅଧିକ ଦୁଃଖ ଭୋଗିବାକୁ ପଡ଼ିଥାଏ। (ଏବ୍ରୀ ୧୨:୧୧) ଏହା ଆମେ କୟିନ ଓ ସିଦିକୀୟଙ୍କ ଉଦାହରଣରୁ ସ୍ପଷ୍ଟ ଭାବେ ଜାଣିପାରୁ। ଯେତେବେଳେ ଈଶ୍ୱର ଦେଖିଲେ ଯେ କୟିନ ନିଜ ଭାଇକୁ ଘୃଣା କରୁଛି ଏବଂ ତାକୁ ହତ୍ୟା କରିବାକୁ ଚାହୁଁଛି, ସେତେବେଳେ ସେ ତାକୁ ସାବଧାନ କଲେ। ସେ କହିଲେ, “ତୁମ୍ଭେ କାହିଁକି କ୍ରୋଧ କରୁଅଛ ? ଆଉ କାହିଁକି ଅଧୋମୁଖ ହେଉଅଛ ? ସତ୍କର୍ମ କଲେ, କି ତୁମ୍ଭେ ଉର୍ଦ୍ଧ୍ୱମୁଖ ହେବ ନାହିଁ ? ସତ୍କର୍ମ ନ କଲେ, ପାପ ଦ୍ୱାରରେ ଛକିଥାଏ; ତୁମ୍ଭ ପ୍ରତି ତାହାର ବାସନା ରହିବ, ମାତ୍ର ତୁମ୍ଭେ ତାହା ଉପରେ କର୍ତ୍ତୃତ୍ୱ କରିବ।” (ଆଦି. ୪:୬, ୭) କୟିନ ଯିହୋବାଙ୍କ କଥା ଶୁଣିଲା ନାହିଁ। ସେ ଯିହୋବାଙ୍କ ଶିକ୍ଷାକୁ ଅସ୍ୱୀକାର କଲା ଏବଂ ନିଜ ଭାଇକୁ ହତ୍ୟା କଲା। ତାକୁ ଜୀବନ ସାରା ଏହାର ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିଲା। (ଆଦି. ୪:୧୧, ୧୨) ଯଦି କୟିନ ଯିହୋବାଙ୍କ ଆଜ୍ଞା ପାଳନ କରିଥାʼନ୍ତା, ତେବେ ତାକୁ ଏପରି ଦୁଃଖ ଭୋଗିବାକୁ ପଡ଼ି ନ ଥାʼନ୍ତା।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୧-ହି ୯/୧୫ ୧୭-୧୮ ¶୧୧
ଧୈର୍ଯ୍ୟର ସହ ଦୌଡ଼ିବା ଜାରି ରଖନ୍ତୁ
୧୧ “ବୃହତ୍ ମେଘ ତୁଲ୍ୟ ସାକ୍ଷୀ” ବୋଲି ଯେଉଁମାନଙ୍କୁ କୁହାଯାଇଛି, ସେମାନେ କେବଳ ଦର୍ଶକ ନ ଥିଲେ, ଯେଉଁମାନେ ନିଜ ମନପସନ୍ଦ ଖେଳାଳି କିମ୍ବା ଦଳକୁ ବିଜୟୀ ହେବାର ଦେଖିବାକୁ ଚାହୁଁଥିଲେ। ଏହା ପରିବର୍ତ୍ତେ, ସେମାନେ ଏହି ଦୌଡ଼ରେ ଭାଗ ନେଉଥିଲେ ଏବଂ ଧୈର୍ଯ୍ୟର ସହ ଏହି ଦୌଡ଼କୁ ପୂରା ମଧ୍ୟ କରୁଥିଲେ। ଏହା ସତ ଯେ ସେମାନଙ୍କର ଏବେ ମୃତ୍ୟୁ ହୋଇଯାଇଛି, କିନ୍ତୁ ସେମାନଙ୍କ ତୁଳନା ଏପରି ଧୁରନ୍ଧର ଖେଳାଳିମାନଙ୍କ ସହ କରାଯାଇପାରିବ, ଯାହାଙ୍କ ଉଦାହରଣରୁ ନୂଆ ଧାବକମାନଙ୍କର ଉତ୍ସାହ ବଢ଼ିଥାଏ। କଳ୍ପନା କରନ୍ତୁ, ଯଦି ଜଣେ ଖେଳାଳିକୁ ଏହା ଜଣାପଡ଼େ ଯେ ତାକୁ କିଛି ସଫଳ ଧାବକମାନେ ଦେଖୁଛନ୍ତି, ତେବେ ତାକୁ କିପରି ଲାଗିବ। କʼଣ ତାକୁ ନିଜ ପ୍ରାଣପଣେ ଚେଷ୍ଟା କରିବା କିମ୍ବା ଆହୁରି ଭଲ କରିବା ପାଇଁ ତାʼର ଉତ୍ସାହ ବଢ଼ିବ ନାହିଁ ? ପ୍ରାଚୀନ ସମୟର ଏହି ଧାବକମାନେ ଏ କଥାକୁ ପ୍ରମାଣିତ କଲେ ଯେ ଏହି ଲାକ୍ଷଣିକ ଦୌଡ଼ କେତେ କଷ୍ଟଭରା ହେଉ ନା କାହିଁକି, ସେଥିରେ ଜୟ ହାସଲ କରାଯାଇପାରିବ। ତେଣୁ ‘ବୃହତ୍ ମେଘ ତୁଲ୍ୟ ସାକ୍ଷୀମାନଙ୍କୁ’ ମନରେ ରଖିବା ଯୋଗୁଁ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କ ଉତ୍ସାହ ବଢ଼ିଲା ଏବଂ ସେମାନେ “ଧୈର୍ଯ୍ୟ ସହକାରେ” ଦୌଡ଼ିବା ଜାରି ରଖିପାରିଲେ। ଆଜି ଆମେ ମଧ୍ୟ ଏପରି କରିପାରିବା।
ପ୍ର୯୦-ହି ୧/୧ ୨୨ ¶୧୦
ଏପରି ବଳିଦାନ ଚଢ଼ାନ୍ତୁ ଯେଉଁଥିରୁ ଈଶ୍ୱର ଖୁସି ହୁଅନ୍ତି
୧୦ ଏବ୍ରୀ ଖ୍ରୀଷ୍ଟିୟାନମାନଙ୍କୁ ଯିହୁଦୀମାନେ ଶିଖାଉଥିବା ‘ବିବିଧ ଓ ବିପରୀତ ପ୍ରକାର ଶିକ୍ଷାରେ ବିଚଳିତ ନ ହେବା’ ପାଇଁ ସତର୍କ ରହିବାର ଥିଲା। (ଗାଲାତୀୟ ୫:୧-୬) ଏପରି ଶିକ୍ଷାଗୁଡ଼ିକରୁ ନିଜ ହୃଦୟକୁ ଦୃଢ଼ କରିବା ପରିବର୍ତ୍ତେ, ସେମାନଙ୍କୁ ନିଜ ହୃଦୟକୁ ଈଶ୍ୱରଙ୍କ ‘ଅନୁଗ୍ରହ ଦ୍ୱାରା ସ୍ଥିରୀକୃତ’ କରିବାର ଥିଲା। ଫଳରେ ସେମାନେ ସତ୍ୟରେ ଦୃଢ଼ ରହିପାରନ୍ତେ। କିଛି ଖ୍ରୀଷ୍ଟିୟାନମାନେ ଖାଇବା ଜିନିଷ ଓ ବଳିଦାନଗୁଡ଼ିକୁ ନେଇ ଯୁକ୍ତିତର୍କ କରୁଥିଲେ। କିନ୍ତୁ ପାଉଲ କହିଲେ ଯେ ଜଣେ ଖ୍ରୀଷ୍ଟିୟାନର ହୃଦୟ ଖାଦ୍ୟଦ୍ରବ୍ୟରୁ ଦୃଢ଼ ହୁଏ ନାହିଁ ଏବଂ ‘ଯେଉଁମାନେ ଖାଦ୍ୟଦ୍ରବ୍ୟ ପ୍ରଥା ପାଳନ କରନ୍ତି, ସେମାନଙ୍କର କିଛି ଲାଭ ହୁଏ ନାହିଁ।’ କୌଣସି ବିଶେଷ ପ୍ରକାରର ଖାଦ୍ୟ ଖାଇବା ଏବଂ ବିଶେଷ ଦିବସ ପାଳନ କରିବା ଦ୍ୱାରା ଆମକୁ ଲାଭ ମିଳିବ ନାହିଁ। ଏହା ପରିବର୍ତ୍ତେ, ଯେତେବେଳେ ଆମେ ଈଶ୍ୱରଙ୍କ ଭକ୍ତି କରିବା ଏବଂ ମୁକ୍ତିର ମୂଲ୍ୟ ପାଇଁ ନିଜ କୃତଜ୍ଞତା ଦେଖାଇବା, ତେବେ ଯାଇ ଆମକୁ ଲାଭ ମିଳିବ। (ରୋମୀୟ ୧୪:୫-୯) କେବଳ ଏତିକି ନୁହେଁ, ଖ୍ରୀଷ୍ଟଙ୍କ ବଳିଦାନ ଯୋଗୁଁ ଲେବୀୟମାନଙ୍କ ଜରିଆରେ ଚଢ଼ାଯାଉଥିବା ବଳିଦାନଗୁଡ଼ିକର ଆଉ ଆବଶ୍ୟକତା ରହିଲା ନାହିଁ।—ଏବ୍ରୀ ୯:୯-୧୪; ୧୦:୫-୧୦.
୩୦ ସେପ୍ଟେମ୍ବର–୬ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
“ପାପ ଓ ମୃତ୍ୟୁ ଆଡ଼କୁ ନେଇଯାଉଥିବା ରାସ୍ତା”
ସଜା୧୭.୪-ହି ୧୪
ପ୍ରଲୋଭନ
ପ୍ରଲୋଭିତ ହେବାର ଅର୍ଥ ହେଉଛି, ମନରେ କୌଣସି ଭୁଲ କାମ କରିବାର ଇଚ୍ଛା ହେବା। ଏବିଷୟରେ ଟିକେ ଭାବନ୍ତୁ। ଆପଣ ବଜାରକୁ ଯାଇଛନ୍ତି ଏବଂ ସେଠାରେ ଆପଣଙ୍କୁ ଏକ ଜିନିଷ ବହୁତ ପସନ୍ଦ ଆସିଯାଏ। ତାକୁ ଚୋରି କରିବା ପାଇଁ ଆପଣଙ୍କୁ ଇଚ୍ଛା ଲାଗେ ଏବଂ ଆପଣ ଭାବନ୍ତି ଯେ ଧରା ମଧ୍ୟ ପଡ଼ିବେ ନାହିଁ। କିନ୍ତୁ ଆପଣଙ୍କ ବିବେକ କହେ, ନା। ଏହା ଠିକ୍ ନୁହେଁ। ଆପଣ ତୁରନ୍ତ ସେହି ଭାବନାକୁ ମନରୁ ବାହାର କରିଦିଅନ୍ତି ଏବଂ ସେଠାରୁ ଚାଲିଯାʼନ୍ତି। ଏହି ଘଟଣାରେ ଆପଣ ପ୍ରଲୋଭିତ ତ ହେଲେ, କିନ୍ତୁ ଭୁଲ କାମ କଲେ ନାହିଁ। ଆପଣ ଜିତିଗଲେ !
ବାଇବଲ କʼଣ କହେ ?
ପ୍ରଲୋଭିତ ହେବାର ଅର୍ଥ ଏହା ନୁହେଁ ଯେ ଆପଣ ଖରାପ ବ୍ୟକ୍ତି ଅଟନ୍ତି। ବାଇବଲରେ ଲେଖା ଅଛି ଯେ ପ୍ରତ୍ୟେକଙ୍କ ଜୀବନରେ ପରୀକ୍ଷା ଆସେ। (୧ କରିନ୍ଥୀୟ ୧୦:୧୩) ଯାହା ମହତ୍ତ୍ୱ ରଖେ ତାହା ହେଲା, ପ୍ରଲୋଭିତ ହେଲେ ଆପଣ କʼଣ କରନ୍ତି। କିଛି ଲୋକ ଖରାପ ଚିନ୍ତାଧାରାକୁ ମନରେ ବଢ଼ିବାକୁ ଦିଅନ୍ତି ଏବଂ ଦିନେ ନା ଦିନେ ଭୁଲ କାମ କରି ବସନ୍ତି। ଅନ୍ୟପକ୍ଷରେ, କିଛି ଲୋକ ତାକୁ ତୁରନ୍ତ ମନରୁ ବାହାର କରିଦିଅନ୍ତି।
“ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ।”—ଯାକୁବ ୧:୧୪.
ସଜା୧୭.୪-ହି ୧୪
ପ୍ରଲୋଭନ
ବାଇବଲରେ କୁହାଯାଇଛି ଯେ ଜଣେ ବ୍ୟକ୍ତି କିପରି ଭାବେ ଭୁଲ କାମ କରି ବସେ। ଯାକୁବ ୧:୧୫ ପଦରେ ଲେଖା ଅଛି, “[ମନ୍ଦ] କାମନା ଗର୍ଭଧାରଣ କରି ପାପ ପ୍ରସବ କରେ, ପୁଣି ପାପ ପୂର୍ଣ୍ଣମାତ୍ରାରେ ବୃଦ୍ଧି ପାଇଁ ମୃତ୍ୟୁକୁ ଜନ୍ମ ଦିଏ।” ଏହାର ଅର୍ଥ ହେଉଛି, ମନ୍ଦ ଇଚ୍ଛା ବିଷୟରେ ଚିନ୍ତା କରିବା ଜାରି ରଖିବା ଦ୍ୱାରା ଆମ ମନରେ ଭୁଲ କାମ କରିବାର ଇଚ୍ଛା ବଢ଼ିଯାଏ। ଏହି ଇଚ୍ଛା ଏତେ ଶକ୍ତିଶାଳୀ ହୋଇପାରେ ଯେ ଆମେ ଭୁଲ କାମ କରିବା ନିଶ୍ଚିତ ହୋଇଯାଏ, ଠିକ୍ ଯେପରି ଜଣେ ଗର୍ଭବତୀ ସ୍ତ୍ରୀ ଏକ ପିଲାକୁ ଜନ୍ମ ଦେବା ନିଶ୍ଚିତ ଅଟେ। କିନ୍ତୁ ଆମେ ମନ୍ଦ ଇଚ୍ଛାଗୁଡ଼ିକର ଦାସ ହେବାଠାରୁ ରକ୍ଷା ପାଇପାରିବା ଏବଂ ଆମେ ସେଗୁଡ଼ିକୁ ନିୟନ୍ତ୍ରଣରେ ରଖିପାରିବା।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଇନସାଇଟ୍-୨ ୨୫୩-୨୫୪
ଜ୍ୟୋତି
ଯିହୋବା “ଜ୍ୟୋତିର୍ଗଣର ପିତା” ଅଟନ୍ତି। (ଯାକୁ ୧:୧୭) ସେ ‘ଦିବସରେ ଜ୍ୟୋତିଃ ଦେବା ପାଇଁ ସୂର୍ଯ୍ୟ ପ୍ରଦାନ କରନ୍ତି ଓ ରାତ୍ରିରେ ଜ୍ୟୋତିଃ ଦେବା ପାଇଁ ଚନ୍ଦ୍ରର ଓ ନକ୍ଷତ୍ରଗଣର ବିଧାନାଦି ସ୍ଥାପନ କରନ୍ତି।’ (ଯିରି ୩୧:୩୫) କେବଳ ଏତିକି ନୁହେଁ, ସେ ସତ୍ୟର ଆଲୋକ ମଧ୍ୟ ପ୍ରକାଶ କରୁଛନ୍ତି। (୨କରି ୪:୬) ତାହାଙ୍କ ବ୍ୟବସ୍ଥା, ନ୍ୟାୟ ଓ ତାଙ୍କ ବାକ୍ୟ ଏକ ଜ୍ୟୋତି ଭଳି ଆମକୁ ବାଟ ଦେଖାଏ। (ଗୀତ ୪୩:୩; ୧୧୯:୧୦୫; ହିତୋ ୬:୨୩; ଯିଶା ୫୧:୪) ଗୀତସଂହିତାର ଲେଖକ ଲେଖିଲେ: “ତୁମ୍ଭ ଦୀପ୍ତିରେ ଆମ୍ଭେମାନେ ଦୀପ୍ତି ଦେଖିବା।” (ଗୀତ ୩୬:୯; ଦୟାକରି ଗୀତ ୨୭:୧; ୪୩:୩ ସହ ତୁଳନା କରନ୍ତୁ) ଠିକ୍ ଯେପରି ସୂର୍ଯ୍ୟ କିରଣର ତେଜ “ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ତେଜସ୍କର ହୁଏ,” ଠିକ୍ ସେହିପରି ଧାର୍ମିକ ଲୋକମାନଙ୍କର ପଥ ଈଶ୍ୱରଙ୍କ ବୁଦ୍ଧିରେ ଆଲୋକିତ ହୋଇଚାଲେ। (ହିତୋ ୪:୧୮) ଯଦି ଆମେ ଯିହୋବାଙ୍କ ପଥରେ ଚାଲିବା, ତେବେ ଆମ ଚଲା ପଥରେ ଆମକୁ ତାହାଙ୍କ ଆଲୋକ ମିଳିବ। (ଯିଶା ୨:୩-୫) ଅନ୍ୟପକ୍ଷରେ, ଯଦି ଜଣେ ବ୍ୟକ୍ତି କୌଣସି ଜିନିଷକୁ ଭୁଲ ଦୃଷ୍ଟି କିମ୍ବା ଭୁଲ ଉଦ୍ଦେଶ୍ୟରେ ଦେଖେ, ତେବେ ସେ ସତେ ଯେପରି ସତ୍ୟର ଆଲୋକରେ ନୁହେଁ, ବରଂ ଘୋର ଅନ୍ଧକାରରେ ଅଛି। ଯୀଶୁ କହିଥିଲେ: “ତୁମ୍ଭର ଚକ୍ଷୁ ଯେବେ ଦୂଷିତ ଥାଏ, ତେବେ ତୁମ୍ଭର ସମସ୍ତ ଶରୀର ଅନ୍ଧକାରମୟ ହେବ। ଅତଏବ, ତୁମ୍ଭ ଅନ୍ତରସ୍ଥ ଜ୍ୟୋତିଃ ଯେବେ ଅନ୍ଧକାର ହୁଏ, ତେବେ ସେହି ଅନ୍ଧକାର କେଡ଼େ ଘୋରତର।”—ମାଥି ୬:୨୩; ଦୟାକରି ଦ୍ୱିବି ୧୫:୯; ୨୮:୫୪-୫୭; ହିତୋ ୨୮:୨୨; ୨ପିତ ୨:୧୪ ସହ ତୁଳନା କରନ୍ତୁ।
ଇନସାଇଟ୍-୨ ୨୨୨ ¶୪
ବ୍ୟବସ୍ଥା
“ରାଜକୀୟ ବ୍ୟବସ୍ଥା।” ଯେଭଳି ଜଣେ ରାଜା ନିଜ ପ୍ରଜାଠାରୁ ଅଧିକ ଆଦର ଓ ସମ୍ମାନ ପାଇବାର ଯୋଗ୍ୟ, ସେହିଭଳି ଆମକୁ ପରସ୍ପର ସହିତ କିପରି ବ୍ୟବହାର କରିବା ଉଚିତ୍, ସେବିଷୟରେ ଯେଉଁସବୁ ନିୟମ ଦିଆଯାଇଛି, ସେଥିରେ “ରାଜକୀୟ ବ୍ୟବସ୍ଥା” ସବୁଠାରୁ ଶ୍ରେଷ୍ଠ। (ଯାକୁ ୨:୮) କାରଣ ବ୍ୟବସ୍ଥା ଏକ ମହତ୍ତ୍ୱପୂର୍ଣ୍ଣ ସିଦ୍ଧାନ୍ତ ଉପରେ ଆଧାରିତ ଥିଲା ଏବଂ ତାହା ଥିଲା ପ୍ରେମ। ଆଉ, ବ୍ୟବସ୍ଥାର ଦ୍ୱିତୀୟ ଆଜ୍ଞା ଥିଲା, “ତୁମ୍ଭେ ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର।” (ଏହାକୁ ରାଜକୀୟ ବ୍ୟବସ୍ଥା କୁହାଯାଏ) ଏହି ଦୁଇଟି ଆଜ୍ଞା ଉପରେ ସମସ୍ତ ବ୍ୟବସ୍ଥା ଓ ଭାବବାଦୀମାନଙ୍କର ଶିକ୍ଷାଗୁଡ଼ିକ ଆଧାରିତ ଥିଲା। (ମାଥି ୨୨:୩୭-୪୦) ଏହା ସତ ଯେ ଖ୍ରୀଷ୍ଟିୟାନମାନେ ନିୟମର ଚୁକ୍ତିର ଅଧୀନରେ ନାହାନ୍ତି। କିନ୍ତୁ ନୂତନ ଚୁକ୍ତି ଅନୁଯାୟୀ ସେମାନେ ରାଜା ଯିହୋବା ଓ ତାହାଙ୍କ ପୁତ୍ର, ରାଜା ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଦିଆଯାଇଥିବା ବ୍ୟବସ୍ଥାର ଅଧୀନରେ ଅଛନ୍ତି।