ଅକ୍ଟୋବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୭-୧୩ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାକୁବ ୩-୫
“ଦେଖାନ୍ତୁ ଯେ ଆପଣଙ୍କଠାରେ ଈଶ୍ୱରଙ୍କ ଜ୍ଞାନ ଅଛି”
ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୨୧-୨୨୨ ¶୯-୧୦
‘ଉପରୁ ଆସୁଥିବା ବୁଦ୍ଧି’ କʼଣ ଆପଣଙ୍କ ଜୀବନରେ କାମ କରୁଛି ?
୯ “ପ୍ରଥମରେ ପବିତ୍ର।” ପବିତ୍ର ହେବାର ଅର୍ଥ ଆମେ ଭିତରୁ ଶୁଦ୍ଧ ଓ ନିଷ୍କଳଙ୍କ ହେବା, କେବଳ ବାହାରୁ ନୁହେଁ। ବାଇବଲ କହେ ଯେ ବୁଦ୍ଧିର ହୃଦୟ ସହିତ ସମ୍ପର୍କ ଅଛି। ତେଣୁ ସ୍ୱର୍ଗରୁ ଆସୁଥିବା ବୁଦ୍ଧି ଏପରି ହୃଦୟରେ ପ୍ରବେଶ କରିପାରେ ନାହିଁ, ଯାହା ଖରାପ ଚିନ୍ତାଧାରା, କୁଅଭିଳାଷ ଓ ମନ୍ଦ ଉଦ୍ଦେଶ୍ୟଗୁଡ଼ିକ ଦ୍ୱାରା ନଷ୍ଟ ହୋଇସାରିଛି। (ହିତୋପଦେଶ ୨:୧୦; ମାଥିଉ ୧୫:୧୯, ୨୦) କିନ୍ତୁ ଯଦି ଆମ ହୃଦୟ ପବିତ୍ର ଅଟେ ଅର୍ଥାତ୍ ଅସିଦ୍ଧ ମଣିଷ ଯେତେ ପବିତ୍ର ରହିପାରେ, ତେବେ ଆମେ ‘ମନ୍ଦଠାରୁ ଦୂରେଇ ରହିବା ଓ ସୁକର୍ମ କରିବା।’ (ଗୀତସଂହିତା ୩୭:୨୭; ହିତୋପଦେଶ ୩:୭) ପବିତ୍ରତା ସବୁଠାରୁ ପ୍ରଥମେ ଆସେ। କʼଣ ଏହା ସଠିକ୍ ନୁହେଁ ? କାହିଁକି ବା ନ ହେବ ! କାରଣ ଯଦି ଆମେ ନିଜ ଚାଲିଚଳନ ଓ ଉପାସନାରେ ପବିତ୍ର ହେବା ନାହିଁ, ତେବେ ଉପରୁ ଆସୁଥିବା ବୁଦ୍ଧିର ଗୁଣଗୁଡ଼ିକୁ ଆମେ ସଠିକ୍ ଅର୍ଥରେ କିପରି ଦେଖାଇପାରିବା ?
୧୦ “ଦ୍ୱିତୀୟରେ ଶାନ୍ତିପ୍ରିୟ।” ସ୍ୱର୍ଗରୁ ଆସୁଥିବା ବୁଦ୍ଧି ଆମକୁ ଅନ୍ୟମାନଙ୍କ ସହ ଶାନ୍ତି ବଜାୟ ରଖିବା ପାଇଁ ପ୍ରୋତ୍ସାହନ ଦିଏ, ଯାହା ପବିତ୍ର ଆତ୍ମାର ଫଳର ଏକ ବୈଶିଷ୍ଟ୍ୟ। (ଗାଲାତୀୟ ୫:୨୨) ଯିହୋବାଙ୍କ ଲୋକମାନଙ୍କୁ ଏକତାର ବନ୍ଧନରେ ବାନ୍ଧୁଥିବା ‘ଶାନ୍ତିରୂପ ବନ୍ଧନକୁ’ କୌଣସି ପରିସ୍ଥିତିରେ ମଧ୍ୟ ଭାଙ୍ଗିବାକୁ ନ ଦେବା ପାଇଁ ଆମେ ଚେଷ୍ଟା କରୁ। (ଏଫିସୀୟ ୪:୩) ଆଉ, ଯଦି ଶାନ୍ତି ଭଙ୍ଗ ହୋଇଯାଏ, ତେବେ ଆମେ ଶାନ୍ତିକୁ ପୁଣି ସ୍ଥାପନ କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରୁ। ଏହା କାହିଁକି ଜରୁରୀ ? ବାଇବଲ କହେ: “ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ୱର ତୁମ୍ଭମାନଙ୍କ ସହିତ ରହିବେ।” (୨ କରିନ୍ଥୀୟ ୧୩:୧୧) ତେଣୁ ଯେତେବେଳ ପର୍ଯ୍ୟନ୍ତ ଆମେ ଶାନ୍ତିପ୍ରିୟ ହୋଇ ରହୁ, ସେପର୍ଯ୍ୟନ୍ତ ଶାନ୍ତିର ଈଶ୍ୱର ଆମ ସହ ରହିବେ। ଆମ ଭାଇଭଉଣୀମାନଙ୍କୁ ଆମେ ଯେପରି ବ୍ୟବହାର ଦେଖାଉ, ଏହାର ସିଧାସଳଖ ପ୍ରଭାବ ଯିହୋବାଙ୍କ ସହ ଆମ ସମ୍ପର୍କ ଉପରେ ପଡ଼ିଥାଏ। ଆମେ ଶାନ୍ତିପ୍ରିୟ ବୋଲି କିପରି ପ୍ରମାଣିତ କରିପାରିବା ? ଏକ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ।
ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୨୩-୨୨୪ ¶୧୨
‘ଉପରୁ ଆସୁଥିବା ବୁଦ୍ଧି’ କʼଣ ଆପଣଙ୍କ ଜୀବନରେ କାମ କରୁଛି ?
୧୨ “ମୃଦୁଶୀଳ।” ମୃଦୁଶୀଳ ହେବାର ଅର୍ଥ କʼଣ ? ବିଦ୍ୱାନ୍ମାନଙ୍କ ଅନୁସାରେ ଯାକୁବ ୩:୧୭ ପଦରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ମୃଦୁଶୀଳ” କରାଯାଇଛି, ତାକୁ ଅନୁବାଦ କରିବା ବହୁତ କଠିନ। ଅନୁବାଦକମାନେ ଯେଉଁ ଶବ୍ଦଗୁଡ଼ିକ ବ୍ୟବହାର କରିଛନ୍ତି, ସେଗୁଡ଼ିକ ହେଲା— “କୋମଳ,” “ଧୈର୍ଯ୍ୟବାନ,” ଓ “ଯିଏ ଅନ୍ୟକୁ ସହାନୁଭୂତି ଦେଖାଏ।” ଏହି ଗ୍ରୀକ୍ ଶବ୍ଦର ଶାବ୍ଦିକ ଅର୍ଥ ହେଉଛି, “ଅନ୍ୟର କଥା ମାନିବା।” ଆମେ କିପରି ଦେଖାଇପାରିବା ଯେ ଉପରୁ ଆସୁଥିବା ବୁଦ୍ଧିର ଏହି ବିଶେଷତା ଆମ ଭିତରେ କାମ କରୁଛି।
ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୨୪-୨୨୫ ¶୧୪-୧୫
‘ଉପରୁ ଆସୁଥିବା ବୁଦ୍ଧି’ କʼଣ ଆପଣଙ୍କ ଜୀବନରେ କାମ କରୁଛି ?
୧୪ “ବାଧ୍ୟ” (“ଆଜ୍ଞା ମାନିବାକୁ ପ୍ରସ୍ତୁତ,” NW) । ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ବାଧ୍ୟ” କରାଯାଇଛି, ସେହି ଶବ୍ଦ ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରରେ ଆଉ କେଉଁଠି ମିଳେ ନାହିଁ। ଜଣେ ବିଦ୍ୱାନ୍ଙ୍କ ଅନୁସାରେ ଏହା “ସାଧାରଣତଃ ସୈନ୍ୟ ବାହିନୀରେ ଦିଆଯାଉଥିବା ଅନୁଶାସନ ପାଇଁ ବ୍ୟବହୃତ ହୁଏ।” ଏହି ଶବ୍ଦରୁ “ସହଜରେ ହୃଦବୋଧ ହେବା” ଓ ‘ଅଧୀନତା ଦେଖାଇବାର’ ଧାରଣା ମିଳେ। ଯେଉଁ ବ୍ୟକ୍ତି ଉପରୁ ଆସୁଥିବା ବୁଦ୍ଧି ଅନୁସାରେ ଚାଲେ, ସେ ଶାସ୍ତ୍ରରେ ଯାହା ଲେଖାଅଛି ତାକୁ ତୁରନ୍ତୁ ମାନିଥାଏ। ସେ ଏପରି ବ୍ୟକ୍ତି ହେବାର ନାମ ଅର୍ଜନ କରେ ନାହିଁ, ଯିଏ ଥରେ କୌଣସି ନିଷ୍ପତ୍ତି ନେଲେ ତାକୁ ଆଉ ବଦଳାଇବାକୁ ପ୍ରସ୍ତୁତ ହୁଏ ନାହିଁ। ଏହା ପରିବର୍ତ୍ତେ, ଯେତେବେଳେ ଶାସ୍ତ୍ରରୁ ସ୍ପଷ୍ଟ ଭାବେ ତାକୁ ବୁଝାଇ ଦିଆଯାଏ ଯେ ସେ ପୂରାପୂରି ଭୁଲ୍ କାମ କରୁଛି କିମ୍ବା ଭୁଲ୍ ନିଷ୍ପତ୍ତି ନେଇଛି, ତେବେ ସେ ତୁରନ୍ତ ନିଜକୁ ପରିବର୍ତ୍ତନ କରିଥାଏ। କʼଣ ଅନ୍ୟମାନେ ଆପଣଙ୍କୁ ଏପରି ବ୍ୟକ୍ତି ବୋଲି ଭାବନ୍ତି ?
“ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ”
୧୫ “ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ।” ଊର୍ଦ୍ଧ୍ୱରୁ ଆଗତ ବୁଦ୍ଧିର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ଭାଗ ହେଉଛି ଦୟା। କାରଣ କୁହାଯାଇଛି ଯେ ଏପରି ବୁଦ୍ଧି ‘ଦୟାରେ ପରିପୂର୍ଣ୍ଣ।’ ଧ୍ୟାନ ଦିଅନ୍ତୁ ଯେ “ଦୟା” ଓ “ଉତ୍ତମ ଫଳ” ବିଷୟରେ ଏକା ସାଙ୍ଗେ ଉଲ୍ଲେଖ କରାଯାଇଛି। ଏପରି କହିବା ସଠିକ୍, କାରଣ ବାଇବଲରେ ଦୟା ସାଧାରଣତଃ ଅନ୍ୟମାନଙ୍କ ପାଇଁ ଏପରି ଚିନ୍ତା କରିବା ଅଟେ, ଯାହା କାମରେ ପ୍ରକାଶିତ ହୋଇଥାଏ ଏବଂ ଏପରି କରୁଣା ଅଟେ, ଯେଉଁଥିରୁ ଅନେକ ମଙ୍ଗଳ କାମଗୁଡ଼ିକ ସମ୍ଭବ ହୋଇଥାଏ। ଗୋଟିଏ ବହି ଦୟାର ସଂଜ୍ଞା ଦେବାକୁ ଯାଇ କହେ, “କୌଣସି ବ୍ୟକ୍ତିର ଦୁଃଖଦ ପରିସ୍ଥିତି ଦେଖି ଦୁଃଖିତ ହେବା ଏବଂ ସେହି ପରିସ୍ଥିତିକୁ ଠିକ୍ କରିବା ପାଇଁ କିଛି କରିବା।” ତେଣୁ ଆମେ କହିପାରିବା ଯେ ଈଶ୍ୱରଙ୍କ ବୁଦ୍ଧି ରୁକ୍ଷ ଓ ନିର୍ଦୟୀ ନୁହେଁ ଏବଂ କେବଳ ମନର ଭାବନା ନୁହେଁ। ଏହା ପରିବର୍ତ୍ତେ, ଏଥିରେ ପ୍ରେମ ରହିଥାଏ, ଏହା ହୃଦୟରୁ ଆସିଥାଏ ଏବଂ ଅନ୍ୟମାନଙ୍କ ଭାବନାକୁ ଅନୁଭବ କରିପାରେ। ଆମେ କିପରି ଦେଖାଇପାରିବା ଯେ ଆମେ ଦୟାରେ ପରିପୂର୍ଣ୍ଣ ଅଟୁ ?
ଯିହୋବାଙ୍କ ନିକଟବର୍ତ୍ତୀ (ହିନ୍ଦୀ) ୨୨୬-୨୨୭ ¶୧୮-୧୯
‘ଉପରୁ ଆସୁଥିବା ବୁଦ୍ଧି’ କʼଣ ଆପଣଙ୍କ ଜୀବନରେ କାମ କରୁଛି ?
୧୮ “ସନ୍ଦେହଶୂନ୍ୟ” (“ନିରପେକ୍ଷ,” NIBV)। ଈଶ୍ୱରଙ୍କ ବୁଦ୍ଧି ଯୋଗୁଁ ଆମେ ଜାତିଭେଦ ଓ ନିଜ ଦେଶ ପାଇଁ ଗର୍ବ କରିବାଠାରୁ ଦୂରେଇ ରହୁ। ଯଦି ଆମେ ଏହି ବୁଦ୍ଧି ଅନୁସାରେ ଚାଲିବା, ତେବେ ଆମେ ନିଜ ହୃଦୟରୁ ଭେଦଭାବର ମନୋଭାବକୁ ଉପାଡ଼ି ଫିଙ୍ଗିଦେବା। (ଯାକୁବ ୨:୯) ଆମେ ଏହା ଦେଖି ଲୋକମାନଙ୍କୁ ପ୍ରେମ କରି ନ ଥାଉ ଯେ ସେମାନେ କେତେ ପଢ଼ିଛନ୍ତି, କେତେ ଧନୀ କିମ୍ବା ମଣ୍ଡଳୀରେ ସେମାନେ କେଉଁ ଦାୟିତ୍ୱ ତୁଲାନ୍ତି। ଏହା ଛଡ଼ା, ଆମ ଭାଇଭଉଣୀମାନେ ଯେତେ ମଧ୍ୟ ଗରିବ ହୋଇଥାʼନ୍ତୁ ନା କାହିଁକି, ଆମେ ସେମାନଙ୍କୁ ନୀଚ ଦୃଷ୍ଟିରେ ଦେଖି ନ ଥାଉ। ଯଦି ଯିହୋବା ସେମାନଙ୍କୁ ନିଜ ପ୍ରେମର ଯୋଗ୍ୟ ମନେ କରନ୍ତି, ତେବେ ଏହା ନିଶ୍ଚିତ ଯେ ସେମାନେ ଆମ ପ୍ରେମର ମଧ୍ୟ ଯୋଗ୍ୟ ଅଟନ୍ତି।
୧୯ “ନିଷ୍କପଟ।” ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “କପଟୀ” କରାଯାଇଛି, ତାହା “ଜଣେ ଏପରି କଳାକାର” ପାଇଁ ବ୍ୟବହୃତ ହୁଏ “ଯିଏ କୌଣସି ଭୂମିକାକୁ ତୁଲାଏ।” ପ୍ରାଚୀନ କାଳରେ ଗ୍ରୀକ୍ ଓ ରୋମୀୟ କଳାକାରମାନେ ଅଭିନୟ କରିବା ସମୟରେ ବଡ଼ ବଡ଼ ମୁଖା ପିନ୍ଧୁଥିଲେ। ତେଣୁ “କପଟୀ” ପାଇଁ ଗ୍ରୀକ୍ ଶବ୍ଦ ଏପରି ବ୍ୟକ୍ତି ପାଇଁ ବ୍ୟବହୃତ ହେବାକୁ ଲାଗିଲା, ଯିଏ ନାଟକ କିମ୍ବା ଛଳନା କରେ। ଈଶ୍ୱରଙ୍କ ବୁଦ୍ଧିର ଏହି ବିଶେଷତା ଯେ କେବଳ ଖ୍ରୀଷ୍ଟିୟାନ ଭାଇଭଉଣୀମାନଙ୍କ ସହ ଆମ ବ୍ୟବହାରକୁ ପ୍ରଭାବିତ କରିବା ଉଚିତ୍ ତାʼ ନୁହେଁ, ବରଂ ସେମାନଙ୍କ ବିଷୟରେ ଆମ ଦୃଷ୍ଟିକୋଣ କିମ୍ବା ଆମ ଭାବନାଗୁଡ଼ିକୁ ମଧ୍ୟ ପ୍ରଭାବିତ କରିବା ଉଚିତ୍।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୮-ହି ୧୧/୧୫ ୨୦ ¶୬
ଯାକୁବ ଓ ପିତର ବହିର ମୁଖ୍ୟାଂଶ
୪:୫—ଯାକୁବ ଏଠାରେ ଶାସ୍ତ୍ରର କେଉଁ ପଦ ବିଷୟରେ ଉଲ୍ଲେଖ କରିଛନ୍ତି ?
ଯାକୁବ କୌଣସି ନିର୍ଦ୍ଦିଷ୍ଟ ପଦକୁ ଉଲ୍ଲେଖ କରୁ ନ ଥିଲେ। କିନ୍ତୁ ଈଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଥିବା ଏହି ଶବ୍ଦଗୁଡ଼ିକ ହୁଏତ ଆଦି ପୁସ୍ତକ ୬:୫; ୮:୨୧; ହିତୋପଦେଶ ୨୧:୧୦ ଓ ଗାଲାତୀୟ ୫:୧୭ ପଦରେ ଥିବା ବିଚାର ଉପରେ ଆଧାରିତ।
ପ୍ର୯୭-ହି ୧୧/୧୫ ୨୦-୨୧ ¶୮
ବିଶ୍ୱାସ ଆମକୁ ଧୈର୍ଯ୍ୟ ଧରିବାରେ ଓ ପ୍ରାର୍ଥନାରେ ଲାଗି ରହିବାରେ ସାହାଯ୍ୟ କରେ
୮ କୌଣସି ଭାଇ କିମ୍ବା ଭଉଣୀଙ୍କ ଗ୍ଳାନି ବା ନିନ୍ଦା କରିବା ପାପ ଅଟେ। (ଯାକୁବ ୪:୧୧, ୧୨) ତଥାପି କିଛି ଖ୍ରୀଷ୍ଟିୟାନ ଭାଇଭଉଣୀ ଅନ୍ୟ ଭାଇଭଉଣୀମାନଙ୍କ ନିନ୍ଦା କରନ୍ତି। କାରଣ ସେମାନେ ହୁଏତ ନିଜକୁ ଅଧିକ ଧାର୍ମିକ ମନେ କରନ୍ତି କିମ୍ବା ଅନ୍ୟମାନଙ୍କୁ ନୀଚ ଦୃଷ୍ଟିରେ ଦେଖି ନିଜକୁ ବଡ଼ ମନେ କରିଥାʼନ୍ତି। (ଗୀତସଂହିତା ୫୦:୨୦; ହିତୋପଦେଶ ୩:୨୯) ଯେଉଁ ଗ୍ରୀକ୍ ଶବ୍ଦକୁ ‘ଗ୍ଳାନି କରିବା’ ଅନୁବାଦ କରାଯାଇଛି, ତାହା ଶତ୍ରୁତା କରିବା, ଅତିରଞ୍ଜିତ କରି କହିବା କିମ୍ବା ମିଥ୍ୟା ଦୋଷାରୋପ କରିବାକୁ ସୂଚାଏ। ଏପରି କରିବା ନିଜ ଭାଇକୁ ନିଷ୍ଠୁର ଭାବେ ଦୋଷୀ ସାବ୍ୟସ୍ତ କରିବା ସଙ୍ଗେ ସମାନ। ଏହା ‘ବ୍ୟବସ୍ଥାର ଗ୍ଳାନି କରିବା ଓ ସେଥିର ବିଚାର କରିବାକୁ’ ସୂଚାଏ। କିପରି ? ଶାସ୍ତ୍ରୀ ଓ ଫାରୂଶୀମାନେ “ଈଶ୍ୱରଙ୍କ ଆଜ୍ଞା ବେଶ୍ ଅଗ୍ରାହ୍ୟ” କଲେ ଏବଂ ନିଜର ମାନଦଣ୍ଡଗୁଡ଼ିକ ଅନୁସାରେ ନ୍ୟାୟ କରୁଥିଲେ। (ମାର୍କ ୭:୧-୧୩) ଠିକ୍ ସେହିପରି, ହୁଏତ ଆମେ କେବେ କେବେ ଜଣେ ଭାଇକୁ ଦୋଷୀ ସାବ୍ୟସ୍ତ କରିପାରୁ, ଯିଏ ଯିହୋବାଙ୍କ ଦୃଷ୍ଟିରେ ଦୋଷୀ ନୁହନ୍ତି। ଯଦି ଆମେ ଏପରି କରୁ, ତେବେ ଏହାର ଅର୍ଥ ଆମେ ‘ବ୍ୟବସ୍ଥାର ବିଚାର କରୁଛୁ’ ଏବଂ ବ୍ୟବସ୍ଥାରେ ତ୍ରୁଟି ଅଛି ବୋଲି କହୁଛୁ, ଯାହା ଏକ ପାପ ଅଟେ ? ଏହା ଛଡ଼ା, ନିଜ ଭାଇର ନିନ୍ଦା କରିବା ଦ୍ୱାରା ଆମେ ପ୍ରେମର ବ୍ୟବସ୍ଥାକୁ ପୂରା କରି ନ ଥାଉ।—ରୋମୀୟ ୧୩:୮-୧୦.
୧୪-୨୦ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ପିତର ୧-୨
“ତୁମ୍ଭେମାନେ ପବିତ୍ର ହୁଅ”
ପ୍ର୧୭.୦୨-ହି ୯ ¶୫
ମୁକ୍ତିର ମୂଲ୍ୟ—ପିତାଙ୍କ ତରଫରୁ ଏକ “ସିଦ୍ଧ ବର”
୫ ଆମେ କିପରି ଦେଖାଇପାରିବା ଯେ ଆମେ ଯିହୋବାଙ୍କ ନାମକୁ ପ୍ରେମ କରୁ ? ନିଜ ଚାଲିଚଳନରୁ। ଯିହୋବା ଚାହାନ୍ତି ଯେ ଆମେ ପବିତ୍ର ରହୁ। (୧ ପିତର ୧:୧୫, ୧୬ ପଢ଼ନ୍ତୁ।) ତେଣୁ ଆମେ କେବଳ ଯିହୋବାଙ୍କ ଉପାସନା କରୁ ଏବଂ ସମ୍ପୂର୍ଣ୍ଣ ହୃଦୟରୁ ତାହାଙ୍କ ଆଜ୍ଞା ପାଳନ କରିଥାଉ। ଏପରିକି, ଯେତେବେଳେ ଆମ ଉପରେ ଅତ୍ୟାଚାର କରାଯାଏ, ସେତେବେଳେ ମଧ୍ୟ ଆମେ ତାହାଙ୍କ ମାନଦଣ୍ଡ ଅନୁସାରେ ଚାଲିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଥାଉ। ଏପରି ଭାବେ ଆମେ ଯିହୋବାଙ୍କ ନାମର ମହିମା କରିଥାଉ। (ମାଥି. ୫:୧୪-୧୬) ଆମେ ଏହା ମଧ୍ୟ ପ୍ରମାଣିତ କରୁ ଯେ ଯିହୋବାଙ୍କ ନିୟମ ଉତ୍ତମ ଅଟେ ଏବଂ ଶୟତାନ ମିଥ୍ୟାବାଦୀ ଅଟେ। ଆମେ ଅପରିପୂର୍ଣ୍ଣ ହୋଇଥିବାରୁ ଆମ ଦ୍ୱାରା ଭୁଲ ହେବ। କିନ୍ତୁ, ଯେତେବେଳେ ଆମେ କୌଣସି ଭୁଲ କାମ କରୁ, ଆମେ ପଶ୍ଚାତାପ କରିବା ଉଚିତ୍ ଏବଂ ଏପରି କାମଗୁଡ଼ିକୁ ଛାଡ଼ି ଦେବା ଉଚିତ୍, ଯେଉଁଥିରୁ ଯିହୋବାଙ୍କ ନାମର ଅନାଦର ହୁଏ।—ଗୀତ. ୭୯:୯.
ପ୍ରେମରେ ସ୍ଥିର (ହିନ୍ଦୀ) ୭୭ ¶୬
ଭଲ ମନୋରଞ୍ଜନ କʼଣ—କିପରି ଜାଣିବା ?
୬ ଯିହୋବା ଆମକୁ କହନ୍ତି, “ତୁମ୍ଭେମାନେ ପବିତ୍ର ହୁଅ, କାରଣ ଆମ୍ଭେ ପବିତ୍ର।” (୧ ପିତର ୧:୧୪-୧୬; ୨ ପିତର ୩:୧୧, ୧୨) ଯଦି ଆମେ ପବିତ୍ର କିମ୍ବା ଶୁଦ୍ଧ ରହିବା, ତେବେଯାଇ ଯିହୋବା ଆମର ଉପାସନାକୁ ସ୍ୱୀକାର କରିବେ। (ଦ୍ୱିତୀୟ ବିବରଣ ୧୫:୨୧) ଯଦି ଆମେ ଅନୈତିକତା, ହିଂସା, ଯାଦୁବିଦ୍ୟା କିମ୍ବା ଭୂତବିଦ୍ୟା ଭଳି କାମ କରିବା, ଯାହାକୁ ଯିହୋବା ଘୃଣା କରନ୍ତି, ତାହେଲେ ଆମ ଉପାସନା ଅଶୁଦ୍ଧ ହୋଇଯିବ। (ରୋମୀୟ ୬:୧୨-୧୪; ୮:୧୩) ହୁଏତ ଆମେ ନିଜେ ଏପରି କାମଗୁଡ଼ିକ କରୁ ନ ଥିବା, କିନ୍ତୁ ଫିଲ୍ମଗୁଡ଼ିକରେ ଏପରି କଥାସବୁ ଦେଖୁଥିବା। ଏପରି କରିବା ଦ୍ୱାରା ଯିହୋବାଙ୍କ ଦୃଷ୍ଟିରେ ଆମ ଉପାସନା ଦୂଷିତ ହୋଇଯିବ। ଯିହୋବା ତାହା ସ୍ୱୀକାର କରିବେ ନାହିଁ ଏବଂ ତାହାଙ୍କ ସହ ଆମ ସମ୍ପର୍କ ମଧ୍ୟ ଭାଙ୍ଗିଯାଇପାରେ।
ପ୍ର୦୮-ହି ୧୧/୧୫ ୨୧ ¶୧୦
ଯାକୁବ ଓ ପିତର ବହିର ମୁଖ୍ୟାଂଶ
୧:୧୦-୧୨. ସ୍ୱର୍ଗଦୂତମାନେ ଈଶ୍ୱରଙ୍କ ଏପରି ଗଭୀର ସତ୍ୟଗୁଡ଼ିକ ବିଷୟରେ ଜାଣିବା ପାଇଁ ଇଚ୍ଛା ରଖୁଥିଲେ, ଯାହା ବିଷୟରେ ପ୍ରାଚୀନ ସମୟର ଭବିଷ୍ୟଦ୍ବକ୍ତାମାନେ ଲେଖିଥିଲେ। ଏହି ସତ୍ୟଗୁଡ଼ିକ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କର ମଣ୍ଡଳୀ ବିଷୟରେ ଥିଲା। କିନ୍ତୁ, ଯେତେବେଳେ ଯିହୋବା ଖ୍ରୀଷ୍ଟୀୟ ମଣ୍ଡଳୀର ଆରମ୍ଭ କଲେ, ସେତେବେଳେ ଏହି ସତ୍ୟଗୁଡ଼ିକ ବିଷୟରେ ଭଲ ଭାବେ ଜଣାପଡ଼ିଲା। (ଏଫି. ୩:୧୦) କʼଣ ଆମେ ମଧ୍ୟ ସ୍ୱର୍ଗଦୂତମାନଙ୍କୁ ଅନୁକରଣ କରି “ଈଶ୍ୱରଙ୍କର ଗଭୀର ବିଷୟସବୁ ଅନୁସନ୍ଧାନ” କରିବା ଉଚିତ୍ ନୁହେଁ ?—୧ କରି. ୨:୧୦
ଇନସାଇଟ୍-୨ ୫୬୫ ¶୩
ଅଧ୍ୟକ୍ଷ
ସର୍ବୋପରିସ୍ଥ ଅଧ୍ୟକ୍ଷ। ପ୍ରଥମ ପିତର ୨:୨୫ ପଦରେ ଯିଶାଇୟ ୫୩:୬ ପଦକୁ ଉଲ୍ଲେଖ କରି ଏପରି ଲୋକମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ “ମେଷ ତୁଲ୍ୟ ବିପଥଗାମୀ” ହୋଇଥିଲେ। ସେମାନଙ୍କୁ ପିତର ଆଗକୁ କୁହନ୍ତି: “କିନ୍ତୁ ଏବେ ତୁମ୍ଭମାନଙ୍କ ଆତ୍ମାର ପାଳକ ଓ ଅଧ୍ୟକ୍ଷଙ୍କ ନିକଟକୁ ବାହୁଡ଼ି ଆସିଅଛ।” ଏଠାରେ ନିଶ୍ଚିତ ରୂପେ ଯିହୋବାଙ୍କୁ କୁହାଯାଇଛି। କାରଣ ପିତର ଯେଉଁମାନଙ୍କୁ ଏହା ଲେଖୁଥିଲେ, ସେମାନେ ଯୀଶୁ ଖ୍ରୀଷ୍ଟଙ୍କଠାରୁ ଦୂରେଇ ଯାଇ ନ ଥିଲେ। ବରଂ ସେମାନେ ଯୀଶୁଙ୍କ ଜରିଆରେ ଯିହୋବା ଈଶ୍ୱରଙ୍କୁ ଭୁଲି ଯାଇଥିଲେ, ଯିଏ ନିଜ ଲୋକମାନଙ୍କର ଉତ୍ତମ ମେଷପାଳକ ଅଟନ୍ତି। (ଗୀତ ୨୩:୧; ୮୦:୧; ଯିରି ୨୩:୩; ଯିହି ୩୪:୧୨) ଯିହୋବା ଜଣେ ଏପରି ଅଧ୍ୟକ୍ଷ ମଧ୍ୟ, ଯିଏ ତତ୍ତ୍ୱାନୁସନ୍ଧାନ ବା ନିରୀକ୍ଷଣ କରିଥାʼନ୍ତି। (ଗୀତ ୧୭:୩) ଏହି ନିରୀକ୍ଷଣ (ଗ୍ରୀକ୍, ଏପିସ୍କୋପି) କରିବାର କାମକୁ ଆମେ ସେହି ଶବ୍ଦଗୁଡ଼ିକ ସହ ଯୋଡ଼ିପାରିବା, ଯେତେବେଳେ ପ୍ରଥମ ଶତାବ୍ଦୀରେ ଯିହୋବା ଯିରୂଶାଲମକୁ ନ୍ୟାୟଦଣ୍ଡ ଶୁଣାଇଥିଲେ। ବାଇବଲ କହେ, ‘ନିରୀକ୍ଷଣ କରାଯିବାର’ ସମୟକୁ ଯିରୂଶାଲମ ଜାଣିପାରି ନ ଥିଲା। (ଲୂକ ୧୯:୪୪, NW) କିମ୍ବା ଏହି ନିରୀକ୍ଷଣ କରିବାର କାମକୁ ସେହି ଦିନ ସହ ମଧ୍ୟ ଯୋଡ଼ିପାରିବା, ଯେଉଁ ଦିନ ଯିହୋବା “ନିରୀକ୍ଷଣ କରିବାକୁ [ଗ୍ରୀକ୍, ଏପିସ୍କୋପିସ୍]” ଆସିବେ। ସେତେବେଳେ ଯେଉଁମାନେ ତାହାଙ୍କ ମହିମା କରୁଥିବେ, ସେମାନଙ୍କ ପାଇଁ ଏହି ନିରୀକ୍ଷଣ ଭରପୂର ଆଶିଷ ଆଣିବ ଏବଂ ଅନେକ ଲାଭ ପହଞ୍ଚାଇବ।—୧ପିତ ୨:୧୨, NW.
୨୧-୨୭ ଅକ୍ଟୋବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ପିତର ୩-୫
“ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ”
ପ୍ର୧୩-ହି ୧୧/୧୫ ୩ ¶୧
“ପ୍ରାର୍ଥନା କରିବା ପାଇଁ ସଚେତନ ଥାଅ”
ରାତିରେ କାମ କରୁଥିବା ଲୋକମାନଙ୍କ ପାଇଁ ଜାଗି ରହିବାର ସବୁଠାରୁ କଠିନ ସମୟ ହେଉଛି, ସୂର୍ଯ୍ୟ ଉଦୟ ହେବା ପୂର୍ବର କିଛି ସମୟ। ଯେଉଁ ଲୋକମାନଙ୍କୁ ରାତି ସାରା ଜାଗିବାକୁ ପଡ଼େ, ସେମାନେ ଏକଥାରେ ନିଶ୍ଚୟ ସହମତ ହେବେ। ଆଜିର ଖ୍ରୀଷ୍ଟିୟାନମାନେ ମଧ୍ୟ ଠିକ୍ ସେଭଳି ସମୟରେ ବଞ୍ଚୁଛନ୍ତି। କାରଣ ଶୟତାନର ଦୁଷ୍ଟ ବ୍ୟବସ୍ଥାର ଲମ୍ବା ଓ ଅନ୍ଧକାରମୟ ରାତି ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। (ରୋମୀ. ୧୩:୧୨) ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଆଧ୍ୟାତ୍ମିକ ରୂପେ ଶୋଇଯିବା ଆମ ପାଇଁ କେତେ ବିପଜ୍ଜନକ ହୋଇପାରେ ! ତେଣୁ ଆମେ “ସୁବୁଦ୍ଧି” ହେବା ଏବଂ “ପ୍ରାର୍ଥନା କରିବା ପାଇଁ ସଚେତନ” ରହିବା ବିଷୟରେ ବାଇବଲରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ଜୀବନରେ ଲାଗୁ କରିବା ବହୁତ ଜରୁରୀ।—୧ ପିତ. ୪:୭.
ପ୍ର୯୯-ହି ୪/୧୫ ୨୨ ¶୩
ଆଧ୍ୟାତ୍ମିକ ଦୁର୍ବଳତାକୁ କିପରି ଚିହ୍ନିବା ଓ ଦୂର କରିବା
ପରିଶେଷରେ, ଆମେ ପ୍ରେରିତ ପିତରଙ୍କ ପ୍ରେମଭରା ପରାମର୍ଶକୁ ଭଲ ଭାବେ ମନେ ରଖିବା ଉଚିତ୍: “ସମସ୍ତ ବିଷୟର ଅନ୍ତିମକାଳ ସନ୍ନିକଟ। ଅତଏବ ସୁବୁଦ୍ଧି ହୁଅ, ପୁଣି ପ୍ରାର୍ଥନା କରିବା ପାଇଁ ସଚେତନ ଥାଅ, ବିଶେଷରେ ପ୍ରଗାଢ଼ ପ୍ରେମରେ ପରସ୍ପରକୁ ପ୍ରେମ କରୁଥାଅ, କାରଣ ପ୍ରେମ ବହୁଳ ପାପ ଆଚ୍ଛାଦନ କରେ।” (୧ ପିତର ୪:୭, ୮) ଆମ ନିଜର ଓ ଅନ୍ୟମାନଙ୍କର ଦୁର୍ବଳତାଗୁଡ଼ିକ ଆମ ମନ ଓ ହୃଦୟରେ ସହଜରେ ଘର କରିପାରେ ଏବଂ ବିଘ୍ନ ବା ବାଧାର କାରଣ ହୋଇପାରେ। ଶୟତାନ ଆମର ଦୁର୍ବଳତା ବିଷୟରେ ଭଲ ଭାବେ ଜାଣେ। ତାʼର ଏକ ଷଡ଼ଯନ୍ତ୍ର ହେଉଛି, ଏକତା ଭାଙ୍ଗି ରାଜୁତି କରିବା। ତେଣୁ ଆମେ ତୁରନ୍ତ ଏପରି ପାପଗୁଡ଼ିକୁ ପରସ୍ପର ପ୍ରତି ଗଭୀର ପ୍ରେମ ଦ୍ୱାରା ଢାଙ୍କିବା ଜରୁରୀ, ଯାହାଦ୍ୱାରା ଆମେ “ଶୟତାନକୁ ସ୍ଥାନ” ଦେବା ନାହିଁ।—ଏଫିସୀୟ ୪:୨୫-୨୭.
ପ୍ର୧୮.୦୩-ହି ୧୪-୧୫ ¶୨-୩
ଅତିଥି ସତ୍କାର କେତେ ଆନନ୍ଦଦାୟକ ଏବଂ ଜରୁରୀ ମଧ୍ୟ !
୨ ପିତର ବିଶେଷ କରି ଗୋଟିଏ କଥା ଉପରେ ଜୋର୍ ଦେଲେ। ସେ କହିଲେ: “ପରସ୍ପରର ଆତିଥ୍ୟ କର।” (୧ ପିତ. ୪:୯) ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ ଅତିଥି ସତ୍କାର କରାଯାଇଛି, ତାʼର ଶାବ୍ଦିକ ଅର୍ଥ ହେଉଛି, “ଅଚିହ୍ନା ଲୋକମାନଙ୍କୁ ଆଦର କରିବା କିମ୍ବା ସେମାନଙ୍କ ପ୍ରତି ଦୟା ଦେଖାଇବା।” ସେଠାକାର ଭାଇଭଉଣୀମାନେ ପରସ୍ପର ପାଇଁ ଅଚିହ୍ନା ନ ଥିଲେ। ତଥାପି ପିତର ସେମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ “ପରସ୍ପରର” ଅତିଥି ସତ୍କାର କରନ୍ତୁ। ଏଥିରୁ ସେମାନଙ୍କୁ କʼଣ ଲାଭ ହେଲା ?
୩ ଅତିଥି ସତ୍କାର କରିବା ଦ୍ୱାରା ସେମାନେ ପରସ୍ପରର ଆହୁରି ନିକଟତର ହେଲେ। ଆପଣଙ୍କ ବିଷୟରେ କʼଣ ? କʼଣ ଆପଣଙ୍କ ସହ ଏପରି କେବେ ହୋଇଛି— କେହି ଆପଣଙ୍କୁ ନିଜ ଘରକୁ ଡାକିଥିଲେ ଏବଂ ଆପଣ ତାଙ୍କ ସହ ଭଲ ସମୟ ବିତାଇଥିଲେ ? କିମ୍ବା ଆପଣ କାହାରିକୁ ନିଜ ଘରକୁ ଡାକିଥିଲେ ଏବଂ ତାʼପରେ ଆପଣ ଓ ସେହି ବ୍ୟକ୍ତିଙ୍କ ମଧ୍ୟରେ ଭଲ ବନ୍ଧୁତା ଆରମ୍ଭ ହୋଇଯାଇଥିଲା ? ଭାଇଭଉଣୀମାନଙ୍କ ସହ ଚିହ୍ନା ପରିଚୟ ବଢ଼ାଇବାର ଏକ ଭଲ ଉପାୟ ହେଉଛି, ସେମାନଙ୍କର ଅତିଥି ସତ୍କାର କରିବା। ପିତରଙ୍କ ସମୟରେ ଯେପରି ଧିରେ ଧିରେ ପରିସ୍ଥିତି ଅତି ଖରାପ ହୋଇ ଚାଲିଥିଲା, ଖ୍ରୀଷ୍ଟିୟାନମାନଙ୍କ ପାଇଁ ପରସ୍ପରର ନିକଟତର ହେବା ଆହୁରି ଆବଶ୍ୟକ ଥିଲା। ଏହି “ଶେଷ କାଳରେ” ଆମେ ମଧ୍ୟ ନିଜ ଭାଇଭଉଣୀମାନଙ୍କ ନିକଟତର ରହିବା ବହୁତ ଜରୁରୀ।—୨ ତୀମ. ୩:୧.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୩-ହି ୬/୧୫ ୨୩
ପାଠକମାନଙ୍କ ପ୍ରଶ୍ନ
ବାଇବଲ କହେ ଯେ ଯୀଶୁ “ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ।” (୧ ପିତ. ୩:୧୯) ଏହାର ଅର୍ଥ କʼଣ ?
▪ ପ୍ରେରିତ ପିତର କହିଲେ ଯେ ଏହି ଆତ୍ମା ବା ଦୁଷ୍ଟ ସ୍ୱର୍ଗଦୂତ ସେମାନେ ଅଟନ୍ତି, ଯେଉଁମାନେ ‘ନୋହଙ୍କ ସମୟରେ ଯେତେବେଳେ ଈଶ୍ୱର ଦୀର୍ଘସହିଷ୍ଣୁ ହୋଇ ଅପେକ୍ଷା କରୁଥିଲେ, ସେହି ସମୟରେ ଅବାଧ୍ୟ ହୋଇଥିଲେ।’ (୧ ପିତ. ୩:୨୦) ଏହା ସ୍ପଷ୍ଟ ଯେ ପିତର ଏଠାରେ ସେହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ବିଷୟରେ କହୁଥିଲେ, ଯେଉଁମାନେ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବାରେ ଶୟତାନର ପକ୍ଷ ନେବାର ନିଷ୍ପତ୍ତି ନେଇଥିଲେ। ଯିହୂଦା ଏହି ସ୍ୱର୍ଗଦୂତମାନଙ୍କ ବିଷୟରେ କହନ୍ତି ଯେ ସେମାନେ “ଆପଣା ଆପଣା ଉଚ୍ଚ ପଦ ନ ରଖି ନିଜ ନିଜ ବାସସ୍ଥାନ ପରିତ୍ୟାଗ କଲେ।” ସେ ଆଗକୁ କହନ୍ତି ଯେ ଈଶ୍ୱର ସେମାନଙ୍କୁ “ମହା ବିଚାର ଦିନ ପର୍ଯ୍ୟନ୍ତ ଚିରସ୍ଥାୟୀ ବନ୍ଧନରେ ଆବଦ୍ଧ କରି ଅନ୍ଧକାରମୟ ସ୍ଥାନରେ ରଖିଅଛନ୍ତି।”—ଯିହୂ. ୬.
ନୋହଙ୍କ ସମୟରେ ଦୁଷ୍ଟ ସ୍ୱର୍ଗଦୂତମାନେ କିପରି ଭାବେ ଈଶ୍ୱରଙ୍କ ଆଜ୍ଞାକୁ ଉଲ୍ଲଙ୍ଘନ କରିଥିଲେ ? ଜଳପ୍ଳାବନ ପୂର୍ବରୁ ଏହି ଦୁଷ୍ଟ ସ୍ୱର୍ଗଦୂତମାନେ ମଣିଷ ଶରୀର ଧାରଣ କଲେ, ଯାହା ସେମାନଙ୍କ ପାଇଁ ଈଶ୍ୱରଙ୍କ ଉଦ୍ଦେଶ୍ୟ ନ ଥିଲା। (ଆଦି. ୬:୨, ୪) ଏହା ବ୍ୟତୀତ, ଏହି ସ୍ୱର୍ଗଦୂତମାନେ ସ୍ତ୍ରୀମାନଙ୍କ ସହ ଅସ୍ୱାଭାବିକ ଯୌନ ସମ୍ପର୍କ ରଖିଲେ। ଯିହୋବା ଏହି ସ୍ୱର୍ଗଦୂତମାନଙ୍କୁ ଯୌନ ସମ୍ପର୍କ ରଖିବା ପାଇଁ ସୃଷ୍ଟି କରି ନ ଥିଲେ। (ଆଦି. ୫:୨) ଆଜ୍ଞା ଉଲ୍ଲଙ୍ଘନ କରିଥିବା ଏହି ସ୍ୱର୍ଗଦୂତମାନଙ୍କୁ ଈଶ୍ୱର ନିଜ ନିର୍ଦ୍ଧାରିତ ସମୟରେ ବିନାଶ କରିଦେବେ। ବର୍ତ୍ତମାନ, ଯେପରି ଯିହୂଦା କହିଲେ, ସେମାନେ “ଅନ୍ଧକାରମୟ ସ୍ଥାନରେ” ଅଛନ୍ତି ବା ଅନ୍ୟ ଶବ୍ଦରେ କହିବାକୁ ଗଲେ ସେମାନେ ଆଧ୍ୟାତ୍ମିକ ଭାବେ ବନ୍ଦୀ ଅଟନ୍ତି।
ଯୀଶୁ “ବନ୍ଦୀ ଆତ୍ମାମାନଙ୍କ ନିକଟକୁ ଯାଇ ପ୍ରଚାର କଲେ।” କେବେ ଓ କାହିଁକି ? ପିତର କହିଲେ ଯେ ଯୀଶୁ “ଆତ୍ମାରେ ଜୀବିତ” ହେବା ପରେ ଏପରି ହେଲା। (୧ ପିତ. ୩:୧୮, ୧୯) ଏହା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ଯେ ପିତର କହିଲେ, ଯୀଶୁ “ପ୍ରଚାର କଲେ।” ପିତର ଏକଥାକୁ ଅତୀତ କାଳରେ ଲେଖିଲେ, ଯେଉଁଥିରୁ ଜଣାପଡ଼େ ଯେ ଯେତେବେଳେ ପିତର ନିଜ ପ୍ରଥମ ଚିଠି ଲେଖିଲେ, ଯୀଶୁ ଏହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ପ୍ରଚାର କରି ସାରିଥିଲେ। ଏହାର ଅର୍ଥ ଯୀଶୁଙ୍କୁ ଜୀବିତ କରିବାର କିଛି ସମୟ ପରେ ସେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ଏହା ଘୋଷଣା କଲେ ଯେ ସେମାନଙ୍କୁ ଦଣ୍ଡ ମିଳିବ, ଯାହାର ସେମାନେ ଯୋଗ୍ୟ ଅଟନ୍ତି। ଏହି ପ୍ରଚାର ଜରିଆରେ ଯୀଶୁ ସେମାନଙ୍କୁ କୌଣସି ଆଶା ଦେଇ ନ ଥିଲେ, ବରଂ ସେମାନଙ୍କୁ ନ୍ୟାୟଦଣ୍ଡ ଶୁଣାଉଥିଲେ। (ଯୂନ. ୧:୧, ୨) ଯୀଶୁ ନିଜ ବିଶ୍ୱାସ ଦେଖାଇଲେ, ମୃତ୍ୟୁ ପର୍ଯ୍ୟନ୍ତ ବିଶ୍ୱସ୍ତତା ବଜାୟ ରଖିଲେ ଏବଂ ତାଙ୍କୁ ପୁଣିଥରେ ଜୀବିତ କରାଗଲା। ଏଥିରୁ ପ୍ରମାଣିତ ହୋଇଗଲା ଯେ ତାହାଙ୍କ ଉପରେ ଶୟତାନର କୌଣସି କ୍ଷମତା ନ ଥିଲା। ଏସବୁ ହେବା ପରେ, ଯୀଶୁଙ୍କ ପାଖରେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ନ୍ୟାୟଦଣ୍ଡ ଶୁଣାଇବାର ଠୋସ୍ ଆଧାର ଥିଲା।—ଯୋହ. ୧୪:୩୦; ୧୬:୮-୧୧.
ଯୀଶୁ ଭବିଷ୍ୟତରେ ଶୟତାନ ଓ ସେହି ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବାନ୍ଧି ‘ଅତଳସ୍ପର୍ଶୀ ଗହ୍ୱରରେ’ ଫିଙ୍ଗି ଦେବେ। (ଲୂକ ୮:୩୦, ୩୧; ପ୍ରକା. ୨୦:୧-୩, NIBV) ସେପର୍ଯ୍ୟନ୍ତ ଏହି ଦୁଷ୍ଟ ସ୍ୱର୍ଗଦୂତମାନେ ଘୋର ଆଧ୍ୟାତ୍ମିକ ଅନ୍ଧକାରରେ ଅଛନ୍ତି ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ସେମାନଙ୍କୁ ଚିରକାଳ ପାଇଁ ବିନାଶ କରି ଦିଆଯିବ।—ପ୍ରକା. ୨୦:୭-୧୦.
ପ୍ର୦୮-ହି ୧୧/୧୫ ୨୧ ¶୮
ଯାକୁବ ଓ ପିତର ବହିର ମୁଖ୍ୟାଂଶ
୪:୬—‘ମୃତ ଲୋକମାନେ’ କିଏ ଥିଲେ, ଯେଉଁମାନଙ୍କୁ ‘ସୁସମାଚାର ପ୍ରଚାର କରାଗଲା’ ? ଏମାନେ ଏପରି ବ୍ୟକ୍ତି ଅଟନ୍ତି, ଯେଉଁମାନେ “ଆଜ୍ଞାଲଙ୍ଘନରେ ଓ ପାପରେ ମୃତ” ଥିଲେ। ଅନ୍ୟ ଶବ୍ଦରେ କହିବାକୁ ଗଲେ, ସୁସମାଚାର ଶୁଣିବା ପୂର୍ବରୁ ଏହି ଲୋକମାନଙ୍କର ଯିହୋବାଙ୍କ ସହ କୌଣସି ସମ୍ପର୍କ ନ ଥିଲା। (ଏଫି. ୨:୧ NIBV) କିନ୍ତୁ ସୁସମାଚାର ଉପରେ ବିଶ୍ୱାସ କରିବା ଦ୍ୱାରା ଯିହୋବାଙ୍କ ସହ ସେମାନଙ୍କ ସମ୍ପର୍କ ସ୍ଥାପନ ହେଲା ଏବଂ ଏହିପରି ଭାବେ ସେମାନେ “ସଜୀବ” ହେଲେ।
୨୮ ଅକ୍ଟୋବର–୩ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୨ ପିତର ୧-୩
“ଈଶ୍ୱରଙ୍କ ଦିନର ଆଗମନର ଅପେକ୍ଷା କରନ୍ତୁ”
ପ୍ର୦୭-ହି ୧/୧ ୧୯ ¶୧୧
ଯିହୋବା ନିଶ୍ଚୟ “ଅନ୍ୟାୟର ପ୍ରତିକାର କରିବେ”
୧୧ ଯୀଶୁ ଭରସା ଦେଲେ ଯେ ଯିହୋବା “ଶୀଘ୍ର” ନ୍ୟାୟ କରିବେ। ଏଥିରୁ କʼଣ ଜଣାପଡ଼େ ? ଈଶ୍ୱରଙ୍କ ବାକ୍ୟ କହେ ଯେ ଯଦ୍ୟପି ଯିହୋବା “ଦୀର୍ଘସହିଷ୍ଣୁ ଅଟନ୍ତି,” ତଥାପି ସଠିକ୍ ସମୟରେ ସେ ଶୀଘ୍ର ନ୍ୟାୟ କରିବେ। (ଲୂକ ୧୮:୭, ୮; ୨ ପିତର ୩:୯, ୧୦) ନୋହଙ୍କ ସମୟରେ ଜଳପ୍ଳାବନ ଆସିଲା ଏବଂ ଅଳ୍ପ ସମୟ ଭିତରେ ଦୁଷ୍ଟ ଲୋକମାନଙ୍କୁ ବିନାଶ କରାଗଲା। ଠିକ୍ ସେହିପରି, ଲୋଟଙ୍କ ସମୟରେ ଯେତେବେଳେ ଆକାଶରୁ ଅଗ୍ନି ବର୍ଷା ହେଲା, ଦେଖୁ ଦେଖୁ ଦୁଷ୍ଟମାନଙ୍କର ବିନାଶ ହେଲା। ଯୀଶୁ କହିଲେ, “ମନୁଷ୍ୟପୁତ୍ର ପ୍ରକାଶିତ ହେବା ଦିନ ସେହି ପ୍ରକାର ଘଟିବ।” (ଲୂକ ୧୭:୨୭-୩୦) ପୁଣିଥରେ, ଦୁଷ୍ଟମାନଙ୍କର ‘ହଠାତ୍ ବିନାଶ ହେବ।’ (୧ ଥେସଲନୀକୀୟ ୫:୨, ୩) ହଁ, ଆମେ ପୂରା ଭରସା କରିପାରିବା ଯେ ନ୍ୟାୟ ମୁତାବକ ଯେଉଁ ଦିନ ଶୟତାନର ଜଗତର ଅନ୍ତ ହେବା ଉଚିତ୍, ସେହି ଦିନ ଏହାର ଅନ୍ତ ହେବ। ଏପରି କରିବାରେ ଯିହୋବା ଦିନେ ମଧ୍ୟ ବିଳମ୍ବ କରିବେ ନାହିଁ।
ପ୍ର୦୭-ହି ୧/୧ ୧୧-୧୨ ¶୧୮
‘ଯିହୋବାଙ୍କର ମହାଦିନ ନିକଟବର୍ତ୍ତୀ’
୧୮ ତେଣୁ ଏହା କୌଣସି ଆଶ୍ଚର୍ଯ୍ୟର ବିଷୟ ନୁହେଁ ଯେ ପ୍ରେରିତ ପିତର ଆମକୁ ଏହି ପରାମର୍ଶ ଦିଅନ୍ତି— ଆମେ ‘ଈଶ୍ୱରଙ୍କ ଦିନର ଆଗମନର ଅପେକ୍ଷା କରିବା’ ଏବଂ ଏହାକୁ ସର୍ବଦା ଧ୍ୟାନରେ ରଖିବା। ଆମେ ଏହା କିପରି କରିପାରିବା ? ଗୋଟିଏ ଉପାୟ ହେଉଛି, “ସଦାଚାରୀ ଓ ଧର୍ମପରାୟଣ” ହେବା ଦ୍ୱାରା। ଅର୍ଥାତ୍, ଆମ ଆଚରଣକୁ ପବିତ୍ର ରଖିବା ଏବଂ ଯିହୋବାଙ୍କ ସେବା କରିବା। (୨ ପିତର ୩:୧୧, ୧୨) ଯଦି ଆମେ ଏପରି କରିବାରେ ଲାଗି ରହିବା, ତେବେ ‘ଯିହୋବାଙ୍କ ଦିନର’ ଆଗ୍ରହର ସହ ଅପେକ୍ଷା କରିବାରେ ଆମକୁ ସାହାଯ୍ୟ ମିଳିବ। ଦ୍ୱିତୀୟ ପିତର ୩:୧୨ (NW) ପଦରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ଧ୍ୟାନରେ ରଖିବା” କରାଯାଇଛି, ତାର ଶାବ୍ଦିକ ଅର୍ଥ ହେଉଛି “ବେଗକୁ ବଢ଼ାଇବା।” ଦେଖିବାକୁ ଗଲେ, ଯିହୋବାଙ୍କ ଦିନର ଆଗମନର ଯେତେ ସମୟ ବାକି ଅଛି, ଆମେ ତାର ବେଗ ବଢ଼ାଇପାରିବା ନାହିଁ। କିନ୍ତୁ, ଯଦି ଆମେ ଯିହୋବାଙ୍କ ସେବାରେ ନିଜକୁ ବ୍ୟସ୍ତ ରଖିବା, ତେବେ ଅପେକ୍ଷା କରିବାର ସମୟ ଦେଖୁ ଦେଖୁ କଟିଯିବ। —୧ କରିନ୍ଥୀୟ ୧୫:୫୮.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୦୮-ହି ୧୧/୧୫ ୨୨ ¶୬
ଯାକୁବ ଓ ପିତର ବହିର ମୁଖ୍ୟାଂଶ
୧:୧୨-୧୫—“ସତ୍ୟରେ ସ୍ଥିରୀକୃତ” ହୋଇ ରହିବା ପାଇଁ ଆମକୁ ଲଗାତାର ଅନେକ କଥା ମନେ ପକାଇ ଦେବା ଜରୁରୀ ହୋଇଥାଏ, ଯାହା ଆମକୁ ମଣ୍ଡଳୀର ସଭା, ବ୍ୟକ୍ତିଗତ ଅଧ୍ୟୟନ ଓ ବାଇବଲ ପଢ଼ିବା ଦ୍ୱାରା ମିଳିଥାଏ।
ପ୍ର୦୮-ହି ୧୧/୧୫ ୨୨ ¶୨
ଯାକୁବ ଓ ପିତର ବହିର ମୁଖ୍ୟାଂଶ
୧:୧୯—“ପ୍ରଭାତୀ ତାରା” କିଏ ଏବଂ ସେ କେବେ ଉଦୟ ହେଲେ ? ଆମେ କିପରି ଜାଣୁ ଯେ ଏହି ଘଟଣା ଘଟି ସାରିଛି ? “ପ୍ରଭାତୀ ତାରା” ଈଶ୍ୱରଙ୍କ ରାଜ୍ୟର ରାଜା ଯୀଶୁ ଖ୍ରୀଷ୍ଟ ଅଟନ୍ତି। (ପ୍ରକା. ୨୨:୧୬) ୧୯୧୪ ମସିହାରେ ଯୀଶୁ ଯେତେବେଳେ ଖ୍ରୀଷ୍ଟୀୟ ରାଜ୍ୟର ରାଜା ହେଲେ ଏବଂ ଏକ ନୂଆ ଦିନର ଆରମ୍ଭ ହେବ ବୋଲି ବାର୍ତ୍ତା ଦେଲେ, ସେତେବେଳେ ଏହି ତାରା ସମଗ୍ର ବିଶ୍ୱରେ ଚମକିଲେ। ରୂପାନ୍ତରଣର ଦର୍ଶନ ଏହାର ଏକ ଝଲକ ଥିଲା ଯେ ଯୀଶୁ ଯେତେବେଳେ ରାଜା ହେବେ, ତାହାଙ୍କୁ କିପରି ମହିମା ଓ ଅଧିକାର ମିଳିବ ! ରୂପାନ୍ତରଣ ଏହା ପ୍ରମାଣିତ କଲା ଯେ ଈଶ୍ୱରଙ୍କ ଭବିଷ୍ୟଦ୍ବକ୍ତାମାନଙ୍କ ବାକ୍ୟ ସମ୍ପୂର୍ଣ୍ଣ ସଠିକ୍। (ମାର୍କ ୯:୧-୩) ଏହି ବାକ୍ୟଗୁଡ଼ିକ ଉପରେ ଧ୍ୟାନ ଦେବା ଦ୍ୱାରା ଆମ ହୃଦୟ ଆଲୋକିତ ହୋଇଯାଏ ଏବଂ ଆମେ ଜାଣିପାରୁ ଯେ ପ୍ରଭାତୀ ତାରା ଚମକିବା ଆରମ୍ଭ କରି ଦେଇଛନ୍ତି।