ନଭେମ୍ବର—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍ସ
୪-୧୦ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ୧ ଯୋହନ ୧-୫
“ସଂସାର କିମ୍ବା ସେଥିର ବିଷୟଗୁଡ଼ିକୁ ପ୍ରେମ କରନ୍ତୁ ନାହିଁ”
ପ୍ର୦୫-ହି ୧/୧ ୧୦ ¶୧୩
ଯୀଶୁ ଦେଖାଇଥିବା ଆଦର୍ଶକୁ ଅନୁକରଣ କରିବା ଜାରି ରଖନ୍ତୁ
୧୩ କିଛି ଲୋକେ ହୁଏତ ଭାବିପାରନ୍ତି ଯେ ସଂସାରରେ ଥିବା ପ୍ରତ୍ୟେକ ଜିନିଷ ତ ଖରାପ ନୁହେଁ । ଯଦିଓ ଏହା ସତ, ତଥାପି ଏହି ସଂସାର ଓ ଏଥିରେ ଥିବା ଲୋଭନୀୟ ଜିନିଷଗୁଡ଼ିକ ଯିହୋବାଙ୍କ ସେବା କରିବାରେ ଆମ ଧ୍ୟାନକୁ ସହଜରେ ଭଙ୍ଗ କରିପାରେ । ସଂସାରରେ ଏପରି ଗୋଟିଏ ମଧ୍ୟ ଜିନିଷ ନାହିଁ, ଯାହା ଆମକୁ ଯିହୋବାଙ୍କ ନିକଟବର୍ତ୍ତୀ ହେବା ପାଇଁ ତିଆରି କରାଯାଇଛି । ତେଣୁ, ଯଦି ଆମେ ସଂସାରର ଜିନିଷଗୁଡ଼ିକୁ ଲୋଭ କରିବାକୁ ଲାଗିବା, ଏପରିକି ଏମିତି ଜିନିଷଗୁଡ଼ିକ ମଧ୍ୟ ଯାହା କିଛି ଖରାପ ନୁହେଁ, ତେବେ ଆଗକୁ ଯାଇ ଆମେ ନିଶ୍ଚୟ ବିପଦରେ ପଡ଼ିଯିବା । (୧ ତୀମଥି ୬:୯, ୧୦) ଦେଖିବାକୁ ଗଲେ, ସଂସାରରେ ଥିବା ଅଧିକାଂଶ ଜିନିଷ ଖରାପ ଅଟେ ଏବଂ ଏଗୁଡ଼ିକ ଆମକୁ ଭ୍ରଷ୍ଟ ମଧ୍ୟ କରିପାରେ । ଯଦି ଆମେ ଏପରି ଚଳଚ୍ଚିତ୍ର କିମ୍ବା ଟିଭି କାର୍ଯ୍ୟକ୍ରମ ଦେଖୁ, ଯାହା ହିଂସା, ଧନ ସମ୍ପତ୍ତି ପ୍ରତି ଲୋଭ କିମ୍ବା ଅନୈତିକତାକୁ ପ୍ରୋତ୍ସାହନ ଦିଏ, ତେବେ କିଛି ସମୟ ପରେ ଏଗୁଡ଼ିକରେ ଆମକୁ ଆଉ କୌଣସି ଭୁଲ ଦେଖାଯିବ ନାହିଁ ଏବଂ ଆମେ ସେଗୁଡ଼ିକୁ ଲୋଭ କରି ବସିବା । ଯଦି ଆମେ ଏପରି ଲୋକଙ୍କ ସହ ସଙ୍ଗତି କରିବା, ଯେଉଁମାନଙ୍କ ମୁଖ୍ୟ ଉଦ୍ଦେଶ୍ୟ ନିଜ ଜୀବନଶୈଳୀକୁ ଉନ୍ନତ କରିବା କିମ୍ବା ବ୍ୟବସାୟରେ ଉନ୍ନତି କରିବାର ସୁଯୋଗ ଖୋଜିବା ହୋଇଥାଏ, ତେବେ ଏସବୁ ଆମ ଜୀବନର ମଧ୍ୟ ଉଦ୍ଦେଶ୍ୟ ହୋଇଯିବ ।—ମାଥିଉ ୬:୨୪; ୧ କରିନ୍ଥୀୟ ୧୫:୩୩.
ପ୍ର୧୩-ହି ୮/୧୫ ୨୭ ¶୧୮
ଭାବନ୍ତୁ ଯେ ଆପଣ କିପରି ବ୍ୟକ୍ତି ହେବା ଉଚିତ୍
୧୮ ‘ସଂସାରରେ ଥିବା ବିଷୟଗୁଡ଼ିକରୁ’ ଦୂରେଇ ରହିବା ପାଇଁ ଆମକୁ ଆଉ ଗୋଟେ କଥା ସାହାଯ୍ୟ କରିବ— ଯୋହନ ଯାହା କହିଲେ, ତାହା ଆମେ ମନେ ରଖିବା: “ସଂସାର ଓ ସେଥିର ଅଭିଳାଷ ଅନିତ୍ୟ, ମାତ୍ର ଯେ ଈଶ୍ୱରଙ୍କ ଇଚ୍ଛା ପାଳନ କରେ, ସେ ନିତ୍ୟସ୍ଥାୟୀ ।” (୧ ଯୋହ. ୨:୧୭) ବେଳେ ବେଳେ ଏପରି ଲାଗେ ଯେ ଶୟତାନର ବ୍ୟବସ୍ଥା ଚିରକାଳ ପାଇଁ ରହିବ । କିନ୍ତୁ ଏପରି ଏକ ଦିନ ଆସିବ, ଯେତେବେଳେ ତାʼର ବ୍ୟବସ୍ଥାର ଅନ୍ତ ହୋଇଯିବ । ଶୟତାନର ଜଗତରେ କୌଣସି ଜିନିଷ ଚିରକାଳ ପାଇଁ ରହିବ ନାହିଁ । ଏକଥାକୁ ମନେ ରଖିଲେ ଆମେ ଶୟତାନର ପ୍ରଲୋଭନରେ ପଡ଼ିବା ନାହିଁ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ର୧୩-ହି ୯/୧୫ ୧୦ ¶୧୪
ଯିହୋବାଙ୍କ ବ୍ୟବସ୍ଥା କେତେ ଭରସାଯୋଗ୍ୟ
୧୪ ଖ୍ରୀଷ୍ଟିୟାନ ଗ୍ରୀକ୍ ଶାସ୍ତ୍ରରେ ଆମକୁ ଅନେକ ଥର ମନେ ପକାଇ ଦିଆଯାଇଛି ଯେ ଆମେ ପରସ୍ପରକୁ ପ୍ରେମ କରିବା ଉଚିତ୍ । ଯୀଶୁ କହିଲେ ଯେ ଦ୍ୱିତୀୟ ଶ୍ରେଷ୍ଠ ଆଜ୍ଞା ହେଉଛି, “ଆପଣା ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର ।” (ମାଥି. ୨୨:୩୯) ଠିକ୍ ସେହିପରି, ଯୀଶୁଙ୍କ ସାବତ ଭାଇ ଯାକୁବ ପ୍ରେମକୁ “ରାଜକୀୟ ବ୍ୟବସ୍ଥା” ବୋଲି କହିଲେ । (ଯାକୁ. ୨:୮) ଆଉ, ପ୍ରେରିତ ଯୋହନ ଲେଖିଲେ: “ହେ ପ୍ରିୟମାନେ, ମୁଁ ତୁମ୍ଭମାନଙ୍କ ନିକଟକୁ କୌଣସି ନୂତନ ଆଜ୍ଞା ଲେଖୁ ନାହିଁ, ମାତ୍ର ଆରମ୍ଭରୁ ଯେଉଁ ପୁରାତନ ଆଜ୍ଞା ତୁମ୍ଭେମାନେ ପାଇଅଛ, ତାହା ଲେଖୁଅଛି ।” (୧ ଯୋହ. ୨:୭, ୮) ଯେତେବେଳେ ଯୋହନ “ପୁରାତନ ଆଜ୍ଞା” ବିଷୟରେ ଉଲ୍ଲେଖ କଲେ, ସେ କେଉଁ ବିଷୟରେ କହୁଥିଲେ ? ସେ ପ୍ରେମ କରିବା ବିଷୟରେ କହୁଥିଲେ । ଏହି ଆଜ୍ଞା ଏହାପାଇଁ “ପୁରାତନ” ଥିଲା, କାରଣ ଯୀଶୁ ଏହାକୁ ବହୁ ବର୍ଷ ପୂର୍ବେ, ଅର୍ଥାତ୍ “ଆରମ୍ଭରୁ” ଏହା ବିଷୟରେ କହିଥିଲେ । କିନ୍ତୁ ଏହି ଆଜ୍ଞା “ନୂତନ” ମଧ୍ୟ ଥିଲା । କାରଣ ଆଗକୁ ଯାଇ ଶିଷ୍ୟମାନଙ୍କୁ ନୂଆ ପରିସ୍ଥିତିରେ ନିଃସ୍ୱାର୍ଥ ପ୍ରେମ ଦେଖାଇବାର ଥିଲା । ଖ୍ରୀଷ୍ଟଙ୍କ ଶିଷ୍ୟ ଭାବେ ଆମେ ଏପରି ଚେତାବନୀଗୁଡ଼ିକ ପ୍ରତି କେତେ କୃତଜ୍ଞ ଅଟୁ, ଯାହା ଆମକୁ ଏହି ଜଗତର ଅଧିକାଂଶ ଲୋକଙ୍କ ଭଳି ସ୍ୱାର୍ଥୀ ନ ହେବା ପାଇଁ ସାହାଯ୍ୟ କରେ । ଏହା ପରିବର୍ତ୍ତେ, ଆମେ ଏପରି ପ୍ରେମ ଦେଖାଉ, ଯାହା ଅନ୍ୟମାନଙ୍କ ପାଇଁ ତ୍ୟାଗ କରିବାକୁ ପ୍ରସ୍ତୁତ ଥାଏ ।
ଇନସାଇଟ୍-୧ ୮୬୨ ¶୫
କ୍ଷମା
ଆମେ ଅନ୍ୟମାନଙ୍କ ତରଫରୁ ଏବଂ ଏପରିକି ପୂରା ମଣ୍ଡଳୀ ତରଫରୁ ଈଶ୍ୱରଙ୍କୁ କ୍ଷମା ପ୍ରାର୍ଥନା କରିବା ଉଚିତ୍ । ଏକ ରାଷ୍ଟ୍ର ଭାବେ ଇସ୍ରାଏଲ ଜାତି ଯେତେବେଳେ ପାପ କଲା, ମୋଶା ସେମାନଙ୍କ ପାଇଁ ଯିହୋବାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ଆଉ, ଯିହୋବା ତାହା ଶୁଣିଥିଲେ । (ଗଣ ୧୪:୧୯, ୨୦) ଏପରିକି ଶଲୋମନ ମଧ୍ୟ ମନ୍ଦିର ପ୍ରତିଷ୍ଠା ସମୟରେ ଯିହୋବାଙ୍କୁ ପ୍ରାର୍ଥନା କଲେ ଯେ ଯଦି ଲୋକେ ପାପ କରନ୍ତି ଏବଂ ପରେ ଅନୁତାପ କରି ଭୁଲ ବାଟରୁ ଫେରି ଆସନ୍ତି, ତେବେ ସେ ସେମାନଙ୍କୁ କ୍ଷମା କରନ୍ତୁ । (୧ରାଜା ୮:୩୦, ୩୩-୪୦, ୪୬-୫୨) ଏଜ୍ରା ସମସ୍ତଙ୍କ ସମ୍ମୁଖରେ ସ୍ୱୀକାର କଲେ ଯେ ବନ୍ଦୀରୁ ଫେରିଥିବା ଯିହୁଦୀମାନେ ଅନେକ ଥର ପାପ କରିଥିଲେ । ସେ ଲୋକଙ୍କ ତରଫରୁ ଯିହୋବାଙ୍କୁ ହୃଦୟରୁ ପ୍ରାର୍ଥନା କଲେ ଏବଂ ଲୋକଙ୍କୁ ଉତ୍ସାହିତ କଲେ । ପରିଣାମସ୍ୱରୂପ, ଲୋକେ ଯିହୋବାଙ୍କଠାରୁ କ୍ଷମା ପାଇବା ପାଇଁ ପଦକ୍ଷେପ ନେଲେ । (ଏଜ୍ରା ୯:୧୩–୧୦:୪, ୧୦-୧୯, ୪୪) ଯାକୁବ କହିଲେ ଯେ ଯଦି କେହି ଆଧ୍ୟାତ୍ମିକ ରୂପେ ପୀଡ଼ିତ, ତେବେ ସେ ମଣ୍ଡଳୀର ପ୍ରାଚୀନମାନଙ୍କୁ ଡକାଉ ଏବଂ ସେମାନେ ତାʼ ପାଇଁ ପ୍ରାର୍ଥନା କରନ୍ତୁ । ଆଉ, “ଯଦି ସେ ପାପ କରିଥାଏ, ତାହା ହେଲେ ତାହାକୁ କ୍ଷମା ଦିଆଯିବ ।” (ଯାକୁ ୫:୧୪-୧୬) କିନ୍ତୁ “ମୃତ୍ୟୁଜନକ ପାପ” ମଧ୍ୟ ଅଛି । ତାହା ହେଉଛି— ପବିତ୍ର ଶକ୍ତି ବିରୁଦ୍ଧରେ ପାପ ବା ଜାଣିଶୁଣି ବାରମ୍ବାର ପାପ କରିବା । ଏପରି ପାପ ପାଇଁ କୌଣସି କ୍ଷମା ନାହିଁ । ଜଣେ ଖ୍ରୀଷ୍ଟିୟାନ ଏପରି ପାପ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ୍ ନୁହେଁ ।—୧ଯୋହ ୫:୧୬; ମାଥି ୧୨:୩୧; ଏବ୍ରୀ ୧୦:୨୬, ୨୭.
୧୧-୧୭ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
୨ ଯୋହନ ୧–ଯିହୂଦା
“ସତ୍ୟରେ ସ୍ଥିର ରହିବା ପାଇଁ ଆମକୁ ଯୁଦ୍ଧ କରିବାକୁ ହେବ”
ପ୍ର୦୪-ହି ୯/୧୫ ୧୧-୧୨ ¶୮-୯
‘ପ୍ରଭୁଙ୍କଠାରୁ ଶକ୍ତି ପ୍ରାପ୍ତ ହୁଅ’
୮ ଆମେ ଶୟତାନର କଳ୍ପନା ବା ଯୋଜନାଗୁଡ଼ିକ ବିଷୟରେ ଅଜ୍ଞ ନୋହୁ, କାରଣ ବାଇବଲ ଆମକୁ କହେ ଯେ ସେ ସାଧାରଣତଃ କିପରି ଫାନ୍ଦ ଆପଣାଇଥାଏ । (୨ କରିନ୍ଥୀୟ ୨:୧୧) ଧାର୍ମିକ ବ୍ୟକ୍ତି ଆୟୁବଙ୍କ ସଚ୍ଚୋଟତା ଭାଙ୍ଗିବା ପାଇଁ ଶୟତାନ ତାଙ୍କ ସବୁ ଧନ ସମ୍ପତ୍ତି ଛଡ଼ାଇ ନେଲା, ତାଙ୍କ ପ୍ରିୟ ସନ୍ତାନମାନଙ୍କୁ ହତ୍ୟା କଲା ଏବଂ ପତ୍ନୀ ଦ୍ୱାରା ନିନ୍ଦା କଥା ଶୁଣାଇଲା । ଆୟୁବ ଶାରୀରିକ ଭାବେ ଅସହାୟ ହୋଇଗଲେ ଏବଂ ମିଥ୍ୟା ମିତ୍ରମାନେ ତାଙ୍କ ଉପରେ ମିଥ୍ୟା ଦୋଷାରୋପ କଲେ । ସେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଲେ ଏବଂ ତାଙ୍କୁ ଲାଗିଲା ଯେ ଈଶ୍ୱର ତାଙ୍କୁ ପରିତ୍ୟାଗ କରିଅଛନ୍ତି । (ଆୟୁବ ୧୦:୧, ୨) ଏହା ସତ ଯେ ଶୟତାନ ଆଜି ନିଜେ ଏପରି ସମସ୍ୟା ହୁଏତ ସୃଷ୍ଟି କରେ ନାହିଁ, କିନ୍ତୁ ଅନେକ ଖ୍ରୀଷ୍ଟିୟାନମାନଙ୍କ ଜୀବନରେ ଏହିସବୁ ସମସ୍ୟା ଆସେ ଏବଂ ଶୟତାନ ଏସବୁର ଲାଭ ଉଠାଇପାରେ ।
୯ ଶେଷକାଳରେ ଆମର ଆଧ୍ୟାତ୍ମିକତା ପାଇଁ ବିପଦ ବହୁତ ବଢ଼ିଯାଇଛି । ଆମେ ଏପରି ଜଗତରେ ରହୁ, ଯେଉଁଠି ଲୋକେ ଆଧ୍ୟାତ୍ମିକ ଲକ୍ଷ୍ୟ ପରିବର୍ତ୍ତେ ଧନ ସମ୍ପତ୍ତି ଓ ବିଳାସବ୍ୟସନ ପଛରେ ଧାଇଁଛନ୍ତି । ଆଜିର ଗଣମାଧ୍ୟମ ସବୁବେଳେ ଦେଖାଏ ଯେ ଅନୈତିକ ଯୌନ ସମ୍ପର୍କରୁ ଖୁସି ମିଳେ, କିନ୍ତୁ ଏହା ଯୋଗୁଁ କିପରି ଅନେକ ସମସ୍ୟାର ସାମନା କରିବାକୁ ପଡ଼େ ତାହା କୁହାଯାଇ ନ ଥାଏ । ଆଉ, ଅଧିକାଂଶ ଲୋକ “ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ” ହୋଇଯାଇଛନ୍ତି । (୨ ତୀମଥି ୩:୧-୫) ଯଦି ଆମେ “ବିଶ୍ୱାସ ସପକ୍ଷରେ ପ୍ରାଣପଣରେ ଯୁଦ୍ଧ” ନ କରିବା, ତେବେ ଏପରି ଚିନ୍ତାଧାରାଗୁଡ଼ିକ ଯୋଗୁଁ ଆମେ ନିଜ ଆଧ୍ୟାତ୍ମିକ ସନ୍ତୁଳନ ହରାଇପାରୁ ।—ଯିହୂଦା ୩.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ପ୍ରସ୧୭.୧-ହି ୧୨ ¶୩
‘ସେ ଈଶ୍ୱରଙ୍କର ସନ୍ତୋଷପାତ୍ର’ ଥିଲେ
ଈଶ୍ୱରଙ୍କ ଉପରେ ହନୋକଙ୍କ ବିଶ୍ୱାସରୁ ଆମେ କʼଣ ଶିଖୁ ? ଆମେ ନିଜକୁ ପଚାରିବା ଉଚିତ୍— କʼଣ ଆମେ ମଧ୍ୟ ଏହି ଜଗତକୁ ଏପରି ଦୃଷ୍ଟିରେ ଦେଖୁ ଯେପରି ଈଶ୍ୱର ଦେଖନ୍ତି ? ହନୋକ ଯେଉଁ ନ୍ୟାୟର ଘୋଷଣା କରିଥିଲେ, ଠିକ୍ ସେହିପରି ନ୍ୟାୟ ଆଜି ମଧ୍ୟ ହେବାକୁ ଯାଉଛି । ହନୋକ ସାହସର ସହିତ ଲୋକମାନଙ୍କୁ କହିଲେ ଯେ ଈଶ୍ୱର ସେତେବେଳର ଦୁଷ୍ଟ ଜଗତକୁ ବିନାଶ କରିବେ ଏବଂ ଠିକ୍ ସେହିପରି ହେଲା । ଯିହୋବା ନୋହଙ୍କ ସମୟରେ ଜଳପ୍ଳାବନ ଆଣି ଦୁଷ୍ଟ ଲୋକମାନଙ୍କୁ ବିନାଶ କଲେ । ଏହି ବିନାଶ ଭବିଷ୍ୟତରେ ହେବାକୁ ଥିବା ତାʼଠାରୁ ମଧ୍ୟ ବଡ଼ ବିନାଶର ଏକ ନମୁନା ଥିଲା । (ମାଥିଉ ୨୪:୩୮, ୩୯; ୨ ପିତର ୨:୪-୬) ପ୍ରାଚୀନ ସମୟ ଭଳି ଆମ ସମୟରେ ମଧ୍ୟ ଯିହୋବା ନିଜ ଲକ୍ଷ ଲକ୍ଷ ପବିତ୍ର ସ୍ୱର୍ଗଦୂତମାନଙ୍କ ଜରିଆରେ ଦୁଷ୍ଟଲୋକମାନଙ୍କୁ ବିନାଶ କରିବେ । ଆମ ମଧ୍ୟରୁ ପ୍ରତ୍ୟେକେ ହନୋକଙ୍କ ଚେତାବନୀ ପ୍ରତି ଧ୍ୟାନ ଦେବା ଉଚିତ୍ ଏବଂ ଲୋକମାନଙ୍କୁ ଏବିଷୟରେ ଜଣାଇବା ଉଚିତ୍ । ହୁଏତ ଆମ ପରିବାରର ସଦସ୍ୟ ଓ ସାଙ୍ଗସାଥୀମାନଙ୍କ ଚିନ୍ତାଧାରା ଆମ ଭଳି ହୋଇ ନ ପାରେ । ହୁଏତ ଆମକୁ ଅନେକ ସମୟରେ ଲାଗିପାରେ ଯେ ଆମେ ଏକାକୀ ଅଛୁ । ଏପରି କ୍ଷେତ୍ରରେ ଆମେ ମନେ ରଖିବା ଉଚିତ୍ ଯେ ଯିହୋବା ହନୋକଙ୍କୁ କେବେ ମଧ୍ୟ ପରିତ୍ୟାଗ କଲେ ନାହିଁ ଏବଂ ସେ ଆଜି ମଧ୍ୟ ନିଜ ବିଶ୍ୱସ୍ତ ସେବକମାନଙ୍କୁ ପରିତ୍ୟାଗ କରିବେ ନାହିଁ ।
ପ୍ର୦୮-ହି ୧୨/୧୫ ୨୯ ¶୯
ଯୋହନ ଓ ଯିହୂଦା ଚିଠିର ମୁଖ୍ୟାଂଶ
୨୦, ୨୧— ଆମେ କିପରି “ଈଶ୍ୱରଙ୍କ ପ୍ରେମରେ [ନିଜକୁ] ସ୍ଥିର କରି” ରଖିପାରିବା ? ଆମେ ଏପରି ତିନୋଟି ଉପାୟରେ କରିପାରିବା । (୧) ନିଜ ‘ଅତି ପବିତ୍ର ବିଶ୍ୱାସରେ’ ଉନ୍ନତି କରିବା ଦ୍ୱାରା । ଏହା ଆମେ ଈଶ୍ୱରଙ୍କ ବାକ୍ୟକୁ ଗଭୀର ଭାବେ ଅଧ୍ୟୟନ କରି ଏବଂ ପ୍ରଚାର ସେବାରେ ଉତ୍ସାହର ସହ ଭାଗ ନେଇ କରିପାରିବା । (୨) “ପବିତ୍ର ଆତ୍ମାରେ” ଅର୍ଥାତ୍ ତାହାଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରାର୍ଥନା କରିବା ଦ୍ୱାରା । (୩) ଯୀଶୁ ଖ୍ରୀଷ୍ଟଙ୍କ ବଳିଦାନ ଉପରେ ବିଶ୍ୱାସ ଦେଖାଇବା ଦ୍ୱାରା । କାରଣ ସେ ନିଜ ଜୀବନ ମୁକ୍ତିର ମୂଲ୍ୟ ରୂପେ ବଳିଦାନ କରି ଆମ ପାଇଁ ଅନନ୍ତ ଜୀବନ ସମ୍ଭବ କରାଇଲେ ।
୧୮-୨୪ ନଭେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ପ୍ରକାଶିତ ବାକ୍ୟ ୧–୩
“ଆମ୍ଭେ ତୁମ୍ଭର କର୍ମ ଜାଣୁ”
ପ୍ର୧୨-ହି ୧୦/୧୫ ୧୪ ¶୮
ଆପଣ କିପରି ମନୋଭାବ ଦେଖାନ୍ତି ?
୮ ଏହିପରି ମନୋଭାବଠାରୁ ଦୂରେଇ ରହିବା ପାଇଁ ଆମକୁ ମନେ ରଖିବା ଉଚିତ୍ ଯେ ଯୀଶୁ ନିଜ ‘ଦକ୍ଷିଣ ହସ୍ତରେ ସପ୍ତ ନକ୍ଷତ୍ର’ ଧରିଛନ୍ତି ବୋଲି ବାଇବଲରେ କୁହାଯାଇଛି । ଏହି ‘ନକ୍ଷତ୍ରଗୁଡ଼ିକ’ ଅଭିଷିକ୍ତ ପ୍ରାଚୀନମାନଙ୍କୁ ଦର୍ଶାଏ । କିନ୍ତୁ ଏହା ସମସ୍ତ ପ୍ରାଚୀନଙ୍କ ଉପରେ ମଧ୍ୟ ଲାଗୁ ହୁଏ । ଯୀଶୁ ନିଜ ହାତରେ ଥିବା ‘ନକ୍ଷତ୍ରଗୁଡ଼ିକୁ’ କିଛି ମଧ୍ୟ କରିବା ପାଇଁ ନିର୍ଦ୍ଦେଶ ଦେଇପାରନ୍ତି, ଯାହା ତାହାଙ୍କୁ ଠିକ୍ ଲାଗେ । (ପ୍ରକା. ୧:୧୬, ୨୦) ଏହାର ଅର୍ଥ ହେଉଛି, ଖ୍ରୀଷ୍ଟୀୟ ମଣ୍ଡଳୀର ମସ୍ତକ ହୋଇଥିବାରୁ ଯୀଶୁ ଜାଣନ୍ତି ଯେ ପ୍ରାଚୀନମାନେ କʼଣ କରୁଛନ୍ତି । ତାହାଙ୍କ “ଚକ୍ଷୁ ପ୍ରଜ୍ୱଳିତ ଅଗ୍ନିଶିଖା ସଦୃଶ” ଅଟେ ଏବଂ ସେ ସବୁକିଛି ଦେଖୁଛନ୍ତି । ତେଣୁ ଯଦି କୌଣସି ପ୍ରାଚୀନଙ୍କୁ ଅନୁଶାସନର ଆବଶ୍ୟକତା ଅଛି, ତେବେ ଯୀଶୁ ତାହା ଦେଖନ୍ତି ଏବଂ ସେ ସଠିକ୍ ସମୟ ଓ ସଠିକ୍ ଉପାୟରେ ତାଙ୍କୁ ଅନୁଶାସନ ଦେଇଥାʼନ୍ତି । (ପ୍ରକା. ୧:୧୪) କିନ୍ତୁ, ସେତେବେଳ ପର୍ଯ୍ୟନ୍ତ ଆମେ ସେମାନଙ୍କର ଆଦର କରିବା ଉଚିତ୍, ଯେଉଁମାନଙ୍କୁ ପବିତ୍ର ଶକ୍ତି ମାଧ୍ୟମରେ ନିଯୁକ୍ତ କରାଯାଇଛି । କାରଣ ପାଉଲ କହିଲେ, “ତୁମ୍ଭମାନଙ୍କ ନେତାମାନଙ୍କର ବାଧ୍ୟ ହୋଇ ସେମାନଙ୍କର ବଶୀଭୂତ ହୁଅ, କାରଣ ଯେଉଁମାନଙ୍କୁ ନିକାଶ ଦେବାକୁ ହେବ, ସେମାନଙ୍କ ସଦୃଶ ସେମାନେ ତୁମ୍ଭମାନଙ୍କ ଆତ୍ମା ସମ୍ବନ୍ଧରେ ପ୍ରହରୀକର୍ମ କରନ୍ତି, ଯେପରି ସେମାନେ ତାହା ଦୁଃଖରେ ନ କରି ଆନନ୍ଦରେ କରିପାରନ୍ତି; ଦୁଃଖରେ କଲେ, ତୁମ୍ଭମାନଙ୍କର କିଛି ଲାଭ ନାହିଁ ।”—ଏବ୍ରୀ ୧୩:୧୭.
ପ୍ର୧୨-ହି ୪/୧୫ ୨୯ ¶୧୧
ଯିହୋବା ପରିତ୍ରାଣ ପାଇଁ ଆମକୁ ସୁରକ୍ଷିତ ରଖନ୍ତି
୧୧ ପ୍ରକାଶିତ ବାକ୍ୟ ୨ ଓ ୩ ଅଧ୍ୟାୟରେ କୁହାଯାଇଥିବା ଦର୍ଶନରେ ମହିମାପ୍ରାପ୍ତ ଯୀଶୁ ଖ୍ରୀଷ୍ଟ ଏସିଆ ମାଇନରର ସାତଟି ମଣ୍ଡଳୀକୁ ନିରୀକ୍ଷଣ କରନ୍ତି । ଏହି ଦର୍ଶନରେ ଯୀଶୁ ମଣ୍ଡଳୀଗୁଡ଼ିକୁ ଯେଉଁ ନିରୀକ୍ଷଣ କଲେ ତାହା କୌଣସି ସାଧାରଣ ଯାଞ୍ଚ ନ ଥିଲା, ବରଂ ସେ ସ୍ପଷ୍ଟ ଭାବେ କହିଲେ ଯେ ମଣ୍ଡଳୀଗୁଡ଼ିକରେ କʼଣ କʼଣ ହେଉଛି । ଏପରିକି ସେ କିଛି ଲୋକମାନଙ୍କର ନାମ ମଧ୍ୟ ଉଲ୍ଲେଖ କଲେ । ସେ ଆବଶ୍ୟକ ଅନୁଯାୟୀ ମଣ୍ଡଳୀଗୁଡ଼ିକୁ ପ୍ରଶଂସା କଲେ ଏବଂ ପରାମର୍ଶ ମଧ୍ୟ ଦେଲେ । ଆମ ପାଇଁ ଏହି ଦର୍ଶନ କʼଣ ଅର୍ଥ ରଖେ ? ଯଦି ଆମ ସମୟରେ ଏହି ଦର୍ଶନର ପୂର୍ତ୍ତି ବିଷୟରେ ଦେଖିବା, ୧୯୧୪ ମସିହା ପରେ, ଦର୍ଶନରେ କୁହାଯାଇଥିବା ସାତଟି ମଣ୍ଡଳୀ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଦର୍ଶାଏ । ତାʼ ଛଡ଼ା, ଏହା ସତ ଯେ ଯୀଶୁ ଖ୍ରୀଷ୍ଟଙ୍କ ପରାମର୍ଶ ବିଶେଷ କରି ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଥିଲା, କିନ୍ତୁ ଆଜି ସାରା ପୃଥିବୀରେ ସମସ୍ତ ଖ୍ରୀଷ୍ଟୀୟ ମଣ୍ଡଳୀଗୁଡ଼ିକ ପାଇଁ ଏହା ଲାଭଦାୟକ ଅଟେ । ତେଣୁ ଆମେ ଦୃଢ଼ ବିଶ୍ୱାସର ସହ କହିପାରିବା ଯେ ଆଜି ଯିହୋବା ନିଜ ପୁତ୍ରଙ୍କ ମାଧ୍ୟମରେ ନିଜ ଲୋକମାନଙ୍କର ନେତୃତ୍ୱ ନେଉଛନ୍ତି ଏବଂ ସେମାନଙ୍କୁ ମାର୍ଗଦର୍ଶନ ଦେଉଛନ୍ତି । ଆମେ ଏହି ମାର୍ଗଦର୍ଶନର କିପରି ଲାଭ ଉଠାଇପାରିବା ?
ପ୍ର୦୧-ହି ୧/୧୫ ୨୦-୨୧ ¶୨୦
ଯିହୋବାଙ୍କ ସଂଗଠନ ସହ ପାଦରେ ପାଦ ମିଶାଇ ଚାଲନ୍ତୁ
୨୦ ଆଗକୁ ବଢ଼ି ଚାଲିଥିବା ଯିହୋବାଙ୍କ ସଂଗଠନ ସହ ପାଦରେ ପାଦ ମିଶାଇ ଚାଲିବା ପାଇଁ ଆମେ ଏହା ସ୍ୱୀକାର କରିବା ଜରୁରୀ ଯେ ଯୀଶୁ ଖ୍ରୀଷ୍ଟଙ୍କୁ ଈଶ୍ୱର ‘ମଣ୍ଡଳୀର ମସ୍ତକ’ ନିଯୁକ୍ତ କରିଛନ୍ତି । (ଏଫିସୀୟ ୫:୨୨, ୨୩) ଯିଶାଇୟ ୫୫:୪ ପଦ ପ୍ରତି ମଧ୍ୟ ଧ୍ୟାନ ଦେଇପାରିବା । ଏହି ପଦରେ ଆମକୁ କୁହାଯାଇଛି: “ଦେଖ, ଆମ୍ଭେ [ଯିହୋବା] ତାହାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀ ରୂପେ, ଗୋଷ୍ଠୀବର୍ଗର ଅଗ୍ରଣୀ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ ।” ଏଥିରେ କୌଣସି ସନ୍ଦେହ ନାହିଁ ଯେ ନେତୃତ୍ୱ କିପରି ନିଆଯିବା ଉଚିତ୍, ତାହା ଯୀଶୁ ଭଲ ଭାବେ ଜାଣନ୍ତି । ସେ ଜାଣନ୍ତି ଯେ ତାହାଙ୍କ ମେଷମାନେ କିଏ ଏବଂ ସେମାନେ କʼଣ କରୁଛନ୍ତି । ଯେତେବେଳେ ସେ ଏସିଆ ମାଇନରର ସାତଟି ମଣ୍ଡଳୀକୁ ନିରୀକ୍ଷଣ କରିଥିଲେ, ସେତେବେଳେ ସେ ପାଞ୍ଚ ଥର ଏ କଥା ଦୋହରାଇଥିଲେ: “ଆମ୍ଭେ ତୁମ୍ଭର କର୍ମ ଜାଣୁ ।” (ପ୍ରକାଶିତ ବାକ୍ୟ ୨:୨, ୧୯; ୩:୧, ୮, ୧୫) ନିଜ ପିତା ଯିହୋବାଙ୍କ ଭଳି ଯୀଶୁ ମଧ୍ୟ ଏହା ଜାଣନ୍ତି ଯେ ଆମର ଆବଶ୍ୟକତାଗୁଡ଼ିକ କʼଣ । ଆଦର୍ଶ ପ୍ରାର୍ଥନା ଶିଖାଇବା ପୂର୍ବରୁ ଯୀଶୁ କହିଥିଲେ: “ତୁମ୍ଭମାନଙ୍କର କଅଣ ପ୍ରୟୋଜନ, ମାଗିବା ପୂର୍ବରୁ ତୁମ୍ଭମାନଙ୍କର ପିତା ଈଶ୍ୱର ତାହା ଜାଣନ୍ତି ।”—ମାଥିଉ ୬:୮-୧୩.
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ଈଶ୍ୱରଙ୍କ ରାଜ୍ୟ(ହିନ୍ଦୀ) ୨୨୬ ¶୧୦
ଈଶ୍ୱରଙ୍କ ରାଜ୍ୟ ଶତ୍ରୁମାନଙ୍କୁ ବିନାଶ କରିବ
୧୦ ନ୍ୟାୟ ଶୁଣାଯିବ: ସେତେବେଳେ ଈଶ୍ୱରଙ୍କ ରାଜ୍ୟର ସମସ୍ତ ଶତ୍ରୁମାନଙ୍କୁ ଏପରି ଏକ ଘଟଣା ଅବଶ୍ୟ ଦେଖିବାକୁ ପଡ଼ିବ, ଯାହାଫଳରେ ସେମାନଙ୍କ ଯନ୍ତ୍ରଣା ଆହୁରି ବଢ଼ିଯିବ । ଯୀଶୁ କହିଥିଲେ: “ଲୋକେ ମନୁଷ୍ୟପୁତ୍ରଙ୍କୁ ମହାପରାକ୍ରମ ଓ ମହାମହିମା ସହ ମେଘମାଳାରେ ଆଗମନ କରିବା ଦେଖିବେ ।” (ମାର୍କ ୧୩:୨୬) ଯୀଶୁଙ୍କ ଶକ୍ତିର ଏହି ଅଦ୍ଭୁତ ଦୃଶ୍ୟ ଏହାର ସଙ୍କେତ ହେବ ଯେ ସେ ନ୍ୟାୟ ଶୁଣାଇବା ପାଇଁ ଆସିଯାଇଛନ୍ତି । ଯୀଶୁ ଶେଷକାଳର ସେଇ ଭବିଷ୍ୟତବାଣୀରେ କହିଥିଲେ ଯେ ଯେତେବେଳେ ସେ ନ୍ୟାୟ ଶୁଣାଇବେ, ସେତେବେଳେ କʼଣ ହେବ । ଆମେ ଏବିଷୟରେ ମେଷ ଓ ଛାଗମାନଙ୍କ ଦୃଷ୍ଟାନ୍ତରେ ପଢ଼ିପାରିବା । (ମାଥିଉ ୨୫:୩୧-୩୩, ୪୬ ପଢ଼ନ୍ତୁ ।) ଈଶ୍ୱରଙ୍କ ରାଜ୍ୟକୁ ସମର୍ଥନ କରୁଥିବା ବିଶ୍ୱସ୍ତ ଲୋକମାନଙ୍କ ବିଷୟରେ ନ୍ୟାୟ କରାଯିବ ଯେ ସେମାନେ ‘ମେଷ’ ଅଟନ୍ତି । ସେମାନେ “ମସ୍ତକ ଉତ୍ତୋଳନ” କରି ଠିଆ ହେବେ, କାରଣ ସେମାନେ ଜାଣିଯିବେ ଯେ ସେମାନଙ୍କ “ମୁକ୍ତି ସନ୍ନିକଟ ।” (ଲୂକ ୨୧:୨୮) କିନ୍ତୁ ଈଶ୍ୱରଙ୍କ ଶାସନକୁ ବିରୋଧ କରୁଥିବା ଲୋକମାନଙ୍କ ବିଷୟରେ ନ୍ୟାୟ କରାଯିବ ଯେ ସେମାନେ ‘ଛାଗ’ ଅଟନ୍ତି । ସେମାନେ “ବିଳାପ କରିବେ” ଏବଂ ଜାଣିଯିବେ ଯେ ସେମାନେ “ଅନନ୍ତ ଶାସ୍ତି” ପାଇବେ ।—ମାଥି. ୨୪:୩୦; ପ୍ରକା. ୧:୭.
ପ୍ର୦୯-ଇଂ ୧/୧୫ ୩୧ ¶୧
ପ୍ରକାଶିତ ବାକ୍ୟ ବହିର ମୁଖ୍ୟାଂଶ-୧
୨:୭—‘ଈଶ୍ୱରଙ୍କ ପାରଦୀଶ’ କʼଣ ? ଏହି ଶବ୍ଦଗୁଡ଼ିକ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ କୁହାଯାଇଥିଲା । ତେଣୁ ଏହି ପାରଦୀଶ ସ୍ୱର୍ଗକୁ ହିଁ ସୂଚାଏ, ଯେଉଁଠାରେ ସ୍ୱୟଂ ଈଶ୍ୱରଙ୍କର ଉପସ୍ଥିତି ଅଛି । ସେଠାରେ ବିଶ୍ୱସ୍ତ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ‘ଜୀବନବୃକ୍ଷରୁ’ ଭୋଜନ କରିପାରିବେ, ଅର୍ଥାତ୍ ସେମାନଙ୍କୁ ଅମରତାର ପୁରସ୍କାର ମିଳିବ ।—୧ କରି. ୧୫:୫୩.
୨୫ ନଭେମ୍ବର–୧ ଡିସେମ୍ବର
ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ
ପ୍ରକାଶିତ ବାକ୍ୟ ୪-୬
“ଚାରି ଅଶ୍ୱାରୋହୀଙ୍କର ଦୌଡ଼”
ପ୍ରସ୧୭.୩-ହି ୪ ¶୩
ଚାରି ଅଶ୍ୱାରୋହୀ—ସେମାନେ କିଏ ?
ଶୁକ୍ଳବର୍ଣ୍ଣ ଅଶ୍ୱର ଆରୋହୀ କିଏ ? ତାହାଙ୍କ ପରିଚୟ ପ୍ରକାଶିତ ବାକ୍ୟ ବହିରେ ହିଁ ଦିଆଯାଇଛି । ଏହି ବହିରେ ସ୍ୱର୍ଗର ଏହି ଅଶ୍ୱାରୋହୀଙ୍କୁ “ଈଶ୍ୱରଙ୍କ ବାକ୍ୟ” ବୋଲି କୁହାଯାଇଛି । (ପ୍ରକାଶିତ ବାକ୍ୟ ୧୯:୧୧-୧୩) “ବାକ୍ୟ” ଉପାଧି ଯୀଶୁ ଖ୍ରୀଷ୍ଟଙ୍କୁ ଦିଆଯାଇଛି, କାରଣ ସେ ହିଁ ଈଶ୍ୱରଙ୍କ ତରଫରୁ କହନ୍ତି । (ଯୋହ. ୧:୧, ୧୪) ଏହା ଛଡ଼ା, ତାହାଙ୍କୁ “ବିଶ୍ୱସ୍ତ ଓ ସତ୍ୟ” ଏବଂ “ରାଜାମାନଙ୍କର ରାଜା ଓ ପ୍ରଭୁମାନଙ୍କର ପ୍ରଭୁ” ମଧ୍ୟ କୁହାଯାଇଛି । (ପ୍ରକାଶିତ ବାକ୍ୟ ୧୯:୧୬) ଏଥିରୁ ଜଣାପଡ଼େ ଯେ ସେ ଏକ ଯୋଦ୍ଧା ଓ ରାଜା ଅଟନ୍ତି, ସେ ନିଜ ଅଧିକାରର ଭୁଲ୍ ବ୍ୟବହାର କରନ୍ତି ନାହିଁ ଏବଂ ସେ ଭ୍ରଷ୍ଟ ନୁହନ୍ତି । ତଥାପି କିଛି ପ୍ରଶ୍ନ ଉଠିଥାଏ ।
ପ୍ରସ୧୭.୩-ହି ୪ ¶୫
ଚାରି ଅଶ୍ୱାରୋହୀ—ସେମାନେ କିଏ ?
ଏହି ଅଶ୍ୱାରୋହୀମାନଙ୍କ ଦୌଡ଼ କେବେ ଆରମ୍ଭ ହେଲା ? ଧ୍ୟାନ ଦିଅନ୍ତୁ ଯେ ପ୍ରଥମ ଅଶ୍ୱାରୋହୀ ଯୀଶୁ ନିଜ ଦୌଡ଼ କେବେ ଆରମ୍ଭ କଲେ ? ଯେତେବେଳେ ତାହାଙ୍କୁ ସ୍ୱର୍ଗରେ ମୁକୁଟ ଦିଆଗଲା ଅର୍ଥାତ୍ ତାହାଙ୍କୁ ରାଜା ନିଯୁକ୍ତ କରାଗଲା, ସେତେବେଳେ ତାହାଙ୍କ ଦୌଡ଼ ଆରମ୍ଭ ହେଲା । (ପ୍ରକାଶିତ ବାକ୍ୟ ୬:୨) କିନ୍ତୁ, ଯେତେବେଳେ ସେ ପୃଥିବୀରୁ ସ୍ୱର୍ଗକୁ ଫେରିଲେ, ସେତେବେଳେ ତାହାଙ୍କୁ ରାଜା ନିଯୁକ୍ତ କରାଯାଇ ନ ଥିଲା । ବାଇବଲ କହେ ଯେ ସେତେବେଳେ ତ ତାହାଙ୍କ ଅପେକ୍ଷାର ସମୟ ଆରମ୍ଭ ହୋଇଥିଲା । (ଏବ୍ରୀ ୧୦:୧୨, ୧୩) ଯୀଶୁଙ୍କ ଅପେକ୍ଷା କରିବାର ସମୟ କେବେ ଶେଷ ହେବ ଏବଂ ସେ କେବେ ସ୍ୱର୍ଗରେ ଶାସନ କରିବା ଆରମ୍ଭ କରିବେ, ଏହାକୁ ବୁଝିବା ପାଇଁ ସେ ନିଜ ଶିଷ୍ୟମାନଙ୍କୁ କିଛି ଲକ୍ଷଣ କହିଥିଲେ । ସେ କହିଥିଲେ ଯେ ସେସମୟରେ ପୃଥିବୀର ପରିସ୍ଥିତି ବହୁତ ଖରାପ ହୋଇଯିବ । ସ୍ଥାନେ ସ୍ଥାନେ ଯୁଦ୍ଧ, ଦୁର୍ଭିକ୍ଷ ଓ ମହାମାରୀ ହେବ । (ମାଥିଉ ୨୪:୩, ୭; ଲୂକ ୨୧:୧୦, ୧୧) ୧୯୧୪ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବା ମାତ୍ରେ ହିଁ ଜଣା ପଡ଼ିଗଲା ଯେ ମଣିଷ ସେହି ଯୁଗରେ ପାଦ ଦେଇ ସାରିଛି ଏବଂ ପୃଥିବୀରେ ସଙ୍କଟର ସମୟ ଆରମ୍ଭ ହୋଇଯାଇଛି । ବାଇବଲ ଏହାକୁ “ଶେଷକାଳ” ବୋଲି କହେ ।—୨ ତୀମଥି ୩:୧-୫.
ପ୍ରସ୧୭.୩-ହି ୫ ¶୨
ଚାରି ଅଶ୍ୱାରୋହୀ—ସେମାନେ କିଏ ?
ଏହି ଅଶ୍ୱାରୋହୀ ଯୁଦ୍ଧକୁ ଦର୍ଶାଏ । ଧ୍ୟାନ ଦିଅନ୍ତୁ ଯେ ଏହି ଅଶ୍ୱାରୋହୀ କେବଳ କିଛି ଦେଶର ଶାନ୍ତି ନୁହେଁ, ବରଂ ସାରା ପୃଥିବୀର ଶାନ୍ତିକୁ ଛଡ଼ାଇନିଏ । ୧୯୧୪ ମସିହାରେ ଇତିହାସରେ ପ୍ରଥମ ଥର ପାଇଁ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶ ଯୁଦ୍ଧରେ ଭାଗ ନେଇଥିଲା । ତାʼପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ଯାହା ପ୍ରଥମ ବିଶ୍ୱଯୁଦ୍ଧଠାରୁ ମଧ୍ୟ ଅଧିକ ବିନାଶକାରୀ ଥିଲା । କିଛି ହିସାବରୁ ଜଣାପଡ଼େ ଯେ ୧୯୧୪ ମସିହାରୁ ଭିନ୍ନ ଭିନ୍ନ ଦେଶ ମଧ୍ୟରେ ଏବଂ ଗୋଟିଏ ଦେଶରେ ହିଁ ହୋଇଥିବା ଯୁଦ୍ଧଗୁଡ଼ିକରେ ୧୦ କୋଟିଠାରୁ ମଧ୍ୟ ଅଧିକ ଲୋକଙ୍କ ମୃତ୍ୟୁ ହେଲା । ଏହା ସହିତ, ଅସଂଖ୍ୟ ଲୋକେ ଗୁରୁତର ଆହତ ହୋଇଥିଲେ ।
ପ୍ରସ୧୭.୩-ହି ୫ ¶୪-୫
ଚାରି ଅଶ୍ୱାରୋହୀ—ସେମାନେ କିଏ ?
“ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ଗୋଟିଏ କୃଷ୍ଣବର୍ଣ୍ଣ ଅଶ୍ୱ, ପୁଣି ତାହାର ଆରୋହୀର ହସ୍ତରେ ଗୋଟିଏ ତରାଜୁ । ଆଉ ମୁଁ ଚାରି ପ୍ରାଣୀଙ୍କ ମଧ୍ୟରୁ ନିର୍ଗତ ହେଲା ପରି ଏହି ସ୍ୱର ଶୁଣିଲି, ଟଙ୍କାକୁ ସେରେ ଗହମ ଓ ଟଙ୍କାକୁ ତିନି ସେର ଯବ ହେବ, କିନ୍ତୁ ତୁମ୍ଭେ ତୈଳ ଓ ଦ୍ରାକ୍ଷାରସ କ୍ଷତି କର ନାହିଁ ।”—ପ୍ରକାଶିତ ବାକ୍ୟ ୬:୫, ୬.
ଏହି ଅଶ୍ୱାରୋହୀ ଦୁର୍ଭିକ୍ଷକୁ ଦର୍ଶାଏ । ଏହି ଦୃଶ୍ୟରୁ ଜଣାପଡ଼େ ଯେ ଖାଦ୍ୟର ବହୁତ ଅଭାବ ହେବ । ଗୋଟିଏ ଅଣାରେ କେବଳ ଏକ କିଲୋ ଗହମ ମିଳିବ । କିମ୍ବା ତିନି କିଲୋ ଯବ ମିଳିବ, ଯାହା ଗହମଠାରୁ ନିକୃଷ୍ଟ ମାନର ଶସ୍ୟ ଅଟେ । ପ୍ରଥମ ଶତାବ୍ଦୀରେ ଗୋଟିଏ ଅଣା ସାରା ଦିନର ମଜୁରି ସଙ୍ଗେ ସମାନ ଥିଲା । (ମାଥିଉ ୨୦:୨) ଭାବି ଦେଖନ୍ତୁ, ଏପରି କ୍ଷେତ୍ରରେ ଏକ ବଡ଼ ପରିବାରର ପେଟ ପୋଷିବା କେତେ କଷ୍ଟକର ହେବ । ଲୋକମାନଙ୍କୁ ଏହା ମଧ୍ୟ କୁହାଯାଏ ଯେ ସେମାନେ ଜୀତ ତେଲ ଓ ଦ୍ରାକ୍ଷାରସ ନଷ୍ଟ ନ କରନ୍ତୁ, ଅର୍ଥାତ୍ ପ୍ରତିଦିନ ବ୍ୟବହୃତ ହେଉଥିବା ଖାଇବାପିଇବା ଜିନିଷରେ ଅଯଥା ଖର୍ଚ୍ଚ ନ କରନ୍ତୁ ।
ପ୍ରସ୧୭.୩-ହି ୫ ¶୮-୧୦
ଚାରି ଅଶ୍ୱାରୋହୀ—ସେମାନେ କିଏ ?
ଚତୁର୍ଥ ଅଶ୍ୱାରୋହୀ ମହାମାରୀ ଓ ଅନ୍ୟ କାରଣଗୁଡ଼ିକ ଯୋଗୁଁ ହେଉଥିବା ମୃତ୍ୟୁକୁ ଦର୍ଶାଏ । ୧୯୧୪ ମସିହାର କିଛି ସମୟ ପରେ ସ୍ପେନିସ୍ ଫ୍ଲୁ ଦ୍ୱାରା କୋଟି କୋଟି ଲୋକଙ୍କର ମୃତ୍ୟୁ ହୋଇଗଲା । ପ୍ରାୟ ୫୦ କୋଟି ଲୋକ ଅର୍ଥାତ୍ ସେତେବେଳେ ପୃଥିବୀର ଜନସଂଖ୍ୟାର ଶତକଡ଼ା ପ୍ରାୟ ୩୩ ଭାଗ ଲୋକ ଏହି ରୋଗରେ ପୀଡ଼ିତ ହୋଇଥିଲେ ।
କିନ୍ତୁ ସ୍ପେନିସ୍ ଫ୍ଲୁ କେବଳ ଆରମ୍ଭ ମାତ୍ର ଥିଲା । ଗବେଷକମାନେ କହନ୍ତି ଯେ ବିଂଶ ଶତାବ୍ଦୀରେ ବସନ୍ତ ରୋଗ ଯୋଗୁଁ ୩୦ କୋଟିରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଗଲା । ଆଜି ଚିକିତ୍ସା କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି, ତଥାପି ଏଡ୍ସ, ଟିବି ଓ ମ୍ୟାଲେରିଆ ଭଳି ରୋଗଗୁଡ଼ିକ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କର ସମୟ ପୂର୍ବରୁ ମୃତ୍ୟୁ ହୋଇଯାଏ ।
ଯୁଦ୍ଧ, ଦୁର୍ଭିକ୍ଷ କିମ୍ବା ମହାମାରୀର ପରିଣାମ ମୃତ୍ୟୁ ହୋଇଥାଏ । କବର ବା ମୃତ୍ୟୁ ନିର୍ଦ୍ଦୟୀ ଭାବେ ନିରୀହ ଲୋକଙ୍କୁ ଗ୍ରାସ କରିଚାଲିଛି, ଯେଉଁମାନଙ୍କ ପାଖରେ କୌଣସି ଆଶା ନାହିଁ ।
ବହୁମୂଲ୍ୟ ରତ୍ନ ଖୋଜନ୍ତୁ
ରେଭେଲେସନ୍ ୭୬-୭୭ ¶୮
ସ୍ୱର୍ଗରେ ଯିହୋବାଙ୍କ ସିଂହାସନର ଶୋଭା
୮ ଯୋହନ ଜାଣିଥିଲେ ଯେ ପ୍ରାଚୀନ ସମୟରେ ପବିତ୍ର ଆବାସରେ ସେବା କରିବା ପାଇଁ ଯାଜକମାନଙ୍କୁ ନିଯୁକ୍ତ କରାଯାଉଥିଲା । ତେଣୁ ଆଗକୁ ତାଙ୍କ ଲେଖାରୁ ଜଣାପଡ଼େ ଯେ ସେ ଯାହା ଦେଖିଥିଲେ, ସେଥିରେ ସେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲେ । ସେ ଲେଖିଲେ, “ସିଂହାସନର ଚତୁର୍ଦ୍ଦିଗରେ ଚବିଶଟି ସିଂହାସନ ସ୍ଥାପିତ ଓ ସିଂହାସନଗୁଡ଼ିକ ଉପରେ ଚବିଶ ପ୍ରାଚୀନ ଉପବିଷ୍ଟ, ସେମାନେ ଶୁକ୍ଳ ବସ୍ତ୍ର ପରିହିତ ଓ ସେମାନଙ୍କ ମସ୍ତକ ଉପରେ ସୁବର୍ଣ୍ଣ ମୁକୁଟ ।” (ପ୍ରକାଶିତ ବାକ୍ୟ ୪:୪) ହଁ, ଯୋହନ ଦେଖିଥିଲେ ଯେ ଯାଜକମାନଙ୍କ ବଦଳରେ ୨୪ ଜଣ ପ୍ରାଚୀନ, ରାଜାମାନଙ୍କ ଭଳି ମୁକୁଟ ପିନ୍ଧି ନିଜ ନିଜ ସିଂହାସନରେ ବସିଛନ୍ତି । ଏହି ପ୍ରାଚୀନମାନେ କିଏ ? ଏମାନେ ଖ୍ରୀଷ୍ଟୀୟ ମଣ୍ଡଳୀର ଅଭିଷିକ୍ତ ଖ୍ରୀଷ୍ଟିୟାନ ଅଟନ୍ତି, ଯେଉଁମାନଙ୍କୁ ପୁଣିଥରେ ଜୀବିତ କରାଯାଇଛି ଏବଂ ସ୍ୱର୍ଗରେ ଶାସନ କରୁଛନ୍ତି, ଠିକ୍ ଯେପରି ଯିହୋବା ପ୍ରତିଜ୍ଞା କରିଥିଲେ । ଏହା ଆମେ କିପରି ଜାଣୁ ?
ରେଭେଲେସନ୍ ୮୦ ¶୧୯
ସ୍ୱର୍ଗରେ ଯିହୋବାଙ୍କ ସିଂହାସନର ଶୋଭା
୧୯ ଏହି ଜୀବିତ ପ୍ରାଣୀମାନେ କାହାକୁ ସୂଚାନ୍ତି ? ଉତ୍ତର ଜାଣିବା ପାଇଁ ଆଉ ଏକ ଭବିଷ୍ୟଦ୍ବକ୍ତା ଯିହିଜିକଲଙ୍କ ଦର୍ଶନ ପ୍ରତି ଧ୍ୟାନ ଦିଅନ୍ତୁ । ଯିହିଜିକଲ ଦେଖିଲେ ଯେ ଯିହୋବା ସ୍ୱର୍ଗରେ ଏକ ରଥ ଉପରେ ବସିଛନ୍ତି ଏବଂ ତାହାଙ୍କ ସହିତ ଜୀବିତ ପ୍ରାଣୀମାନେ ମଧ୍ୟ ଅଛନ୍ତି, ଯେଉଁମାନେ ଯୋହନଙ୍କ ଦର୍ଶନରେ କୁହାଯାଇଥିବା ପ୍ରାଣୀମାନଙ୍କ ଭଳି ଥିଲେ । (ଯିହିଜିକଲ ୧:୫-୧୧, ୨୨-୨୮) ପରେ ଯିହିଜିକଲ ପୁଣିଥରେ ସେହି ରଥକୁ ଦେଖିଲେ ଏବଂ ରଥ ସହିତ ଜୀବିତ ପ୍ରାଣୀମାନେ ମଧ୍ୟ ଥିଲେ । କିନ୍ତୁ ଏଥର ସେ କହିଲେ ଯେ ଏହି ଜୀବିତ ପ୍ରାଣୀମାନେ କିରୂବ ଅଟନ୍ତି । (ଯିହିଜିକଲ ୧୦:୯-୧୫) ଯୋହନ ଯେଉଁ ଚାରିଟି ଜୀବିତ ପ୍ରାଣୀ ଦେଖିଲେ, ସେମାନେ ନିଶ୍ଚିତ ରୂପେ ଯିହୋବାଙ୍କ କିରୂବମାନଙ୍କୁ ସୂଚାନ୍ତି ଏବଂ ସ୍ୱର୍ଗରେ ସେମାନଙ୍କ ଉଚ୍ଚ ପଦବୀ ରହିଛି । ଯୋହନଙ୍କ ପାଇଁ ଏହା କୌଣସି ଆଶ୍ଚର୍ଯ୍ୟର କଥା ନ ଥିଲା ଯେ କିରୂବମାନେ ଯିହୋବାଙ୍କ ଏତେ ପାଖରେ ଛିଡ଼ା ହୋଇଛନ୍ତି, କାରଣ ପ୍ରାଚୀନ ସମୟରେ ପବିତ୍ର ଆବାସରେ ନିୟମ-ସିନ୍ଦୁକର ଢାଙ୍କୁଣୀ ଉପରେ ସୁନାର ଦୁଇଟି କିରୂବ ଥିଲେ, ଯେଉଁମାନେ ଯିହୋବାଙ୍କ ସିଂହାସନକୁ ସୂଚାନ୍ତି । ଏହି ଦୁଇ କିରୂବମାନଙ୍କ ମଧ୍ୟରୁ ଯିହୋବାଙ୍କ ସ୍ୱର ଶୁଣାଯାଉଥିଲା ଏବଂ ସେ ଇସ୍ରାଏଲୀୟମାନଙ୍କୁ ଆଜ୍ଞା ଦେଉଥିଲେ ।—ଯାତ୍ରା ପୁସ୍ତକ ୨୫:୨୨; ଗୀତସଂହିତା ୮୦:୧
ଅନୁଗମନ କର (ହିନ୍ଦୀ) ୩୬ ¶୫-୬
‘ଦେଖ, ଯିହୁଦା ବଂଶଜାତ ସିଂହ’
୫ ସିଂହକୁ ସାଧାରଣତଃ ସାହସର ପ୍ରତୀକ ବୋଲି ଧରାଯାଏ । କʼଣ ଆପଣ କେବେ ସିଂହର ସମ୍ମୁଖୀନ ହୋଇଛନ୍ତି ? ଯଦି ବି ହୋଇଥିବେ, ତେବେ ହୁଏତ ଚିଡ଼ିଆଖାନାରେ, ଯେଉଁଠି ସିଂହ ପିଞ୍ଜରା ଭିତରେ ବନ୍ଦ ଥାଏ । ତଥାପି ଯେତେବେଳେ ଆପଣ ଏହି ବିଶାଳ ଓ ଶକ୍ତିଶାଳୀ ପଶୁକୁ ଦେଖିଥିବେ ଏବଂ ସେ ମଧ୍ୟ ବୁଲି ଆପଣଙ୍କୁ ଦେଖିଥିବ, ସେତେବେଳେ ନିଶ୍ଚିତ ଭାବେ ଆପଣଙ୍କ ଦେହରେ ଶିହରଣ ଖେଳି ଯାଇଥିବ । ଆପଣ ଭାବି ମଧ୍ୟ ନ ଥିବେ ଯେ ଏହି ପଶୁକୁ କୌଣସି ଡର ଥିବ । ବାଇବଲ କହେ, “ପଶୁମାନଙ୍କ ମଧ୍ୟରେ ବିକ୍ରମୀ ସିଂହ କାହା ସମ୍ମୁଖରୁ ଫେରେ ନାହିଁ ।” (ହିତୋପଦେଶ ୩୦:୩୦) ଖ୍ରୀଷ୍ଟଙ୍କଠାରେ ଏହିପରି ସାହସ ଅଛି ।
୬ ଆସନ୍ତୁ, ବର୍ତ୍ତମାନ ଆମେ ଆଲୋଚନା କରିବା ଯେ ଯୀଶୁ କିପରି ଏହି ତିନୋଟି ଉପାୟରେ ସିଂହ ଭଳି ସାହସ ଦେଖାଇଲେ: ସତ୍ୟ ସପକ୍ଷରେ କହିବାରେ, ନ୍ୟାୟର ସମର୍ଥନ କରିବାରେ ଏବଂ ବିରୋଧର ସାମନା କରିବାରେ । ଆମେ ଏହା ମଧ୍ୟ ଦେଖିବା ଯେ ସ୍ୱଭାବରୁ ଆମେ ସାହସୀ ହେଉ ଅବା ନ ହେଉ, ଯୀଶୁଙ୍କ ଭଳି କିପରି ସାହସ ଦେଖାଇପାରିବା ।