ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr20 ମେ ପୃଷ୍ଠା ୧-୮
  • ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
  • ଉପଶୀର୍ଷକ
  • ୪-୧୦ ମେ
  • ‘ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ନିବେଦନ କରୁଅଛି, ତାହା ଶୁଣ’
  • ୧୧-୧୭ ମେ
  • ୧୮-୨୪ ମେ
  • ୨୫-୩୧ ମେ
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
mwbr20 ମେ ପୃଷ୍ଠା ୧-୮

ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୪-୧୦ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୬-୩୭

“ଯୋଷେଫ ନିଜ ଭାଇମାନଙ୍କ ଈର୍ଷାର ଶିକାର ହେଲେ”

ପ୍ର୧୪-ଇଂ ୮/୧ ୧୨-୧୩

‘ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ନିବେଦନ କରୁଅଛି, ତାହା ଶୁଣ’

ବାଇବଲ କହେ, “ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଅଧିକ ସ୍ନେହ କରିବାର ଦେଖି ତାହାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହି ପାରିଲେ ନାହିଁ ।” (ଆଦି ପୁସ୍ତକ ୩୭:୪) ଯୋଷେଫ ନିଜ ପିତାଙ୍କର ପ୍ରିୟ ଥିଲେ, ତେଣୁ ତାଙ୍କ ଭାଇମାନେ ତାଙ୍କୁ ଈର୍ଷା କରିବା ସ୍ୱାଭାବିକ । କିନ୍ତୁ ସେମାନେ ଏହି ଈର୍ଷାର ଭାବନାକୁ ମନରୁ ଦୂର କଲେ ନାହିଁ । ଏପରି କରି ସେମାନେ ଭୁଲ କଲେ । (ହିତୋପଦେଶ ୧୪:୩୦; ୨୭:୪) କʼଣ ଆପଣ କେବେ କାହାରିକୁ ଈର୍ଷା କରିଛନ୍ତି ? ବିଶେଷ କରି ଯେତେବେଳେ ଆପଣ ଦେଖନ୍ତି ଯେ ଲୋକେ ତାଙ୍କୁ ପସନ୍ଦ କରନ୍ତି ଏବଂ ବହୁତ ମାନ ସମ୍ମାନ ଦିଅନ୍ତି ? ଯଦି ହଁ, ତେବେ ଯୋଷେଫଙ୍କ ଭାଇମାନଙ୍କୁ ମନେ ପକାନ୍ତୁ । ଈର୍ଷା ଯୋଗୁଁ ସେମାନେ ଏପରି କାମ କଲେ, ଯାହାଫଳରେ ଆଗକୁ ଯାଇ ସେମାନେ ବହୁତ ଅନୁତାପ କଲେ । ତାଙ୍କ ଉଦାହରଣରୁ ଖ୍ରୀଷ୍ଟିୟାନମାନେ ଶିଖନ୍ତି ଯେ ‘ଯେଉଁମାନେ ଆନନ୍ଦ କରନ୍ତି, ସେମାନଙ୍କ ସହିତ ଆନନ୍ଦ କଲେ’, ସେମାନେ ଅନେକ ସମସ୍ୟାଗୁଡ଼ିକୁ ଏଡ଼ାଇପାରିବେ ।—ରୋମୀୟ ୧୨:୧୫.

ଯୋଷେଫ ନିଶ୍ଚୟ ବୁଝିଯାଇଥିବେ ଯେ ତାଙ୍କ ଭାଇମାନେ ତାଙ୍କୁ ଈର୍ଷା କରୁଥିଲେ । ସେଥିପାଇଁ ଯେତେବେଳେ ତାଙ୍କ ଭାଇମାନେ ଆଖପାଖରେ ରହୁଥିଲେ, ହୁଏତ ତାଙ୍କୁ ଲାଗିଥିବ ଯେ ସେ ନିଜ ବିଶେଷ ଅଙ୍ଗରଖାକୁ ଲୁଚାଇ ଦିଅନ୍ତେ । କିନ୍ତୁ ସେହି ଅଙ୍ଗରଖା ତାଙ୍କୁ ଯାକୁବ ଦେଇଥିଲେ, ଯାହା ଏହାର ଚିହ୍ନ ଥିଲା ଯେ ସେ ଯୋଷେଫଙ୍କୁ ବହୁତ ପ୍ରେମ କରୁଥିଲେ । ଯୋଷେଫ ନିଜ ପିତାଙ୍କ ଭରସାକୁ ସମ୍ମାନ ଦେଖାଇବାକୁ ଚାହୁଁଥିଲେ, ତେଣୁ ସେ ସେହି ଅଙ୍ଗରଖାକୁ ପିନ୍ଧୁଥିଲେ । ତାଙ୍କ ଉଦାହରଣରୁ ଆମେ କʼଣ ଶିଖୁ ? ଏହା ସତ ଯେ ଯିହୋବା ସମସ୍ତଙ୍କ ସହ ଏକା ଭଳି ବ୍ୟବହାର କରନ୍ତି, କିନ୍ତୁ ବେଳେ ବେଳେ ସେ ନିଜ ବିଶ୍ୱସ୍ତ ସେବକମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତି ଏବଂ ସେମାନଙ୍କ ସହ ପ୍ରେମର ସହିତ ବ୍ୟବହାର କରନ୍ତି । ସେ ଚାହାନ୍ତି ଯେ ସେମାନେ ଅନୈତିକତାରେ ଭରା ଏହି ଦୁଷ୍ଟ ଜଗତର ଲୋକଙ୍କ ଭଳି ହୁଅନ୍ତୁ ନାହିଁ । ଯୋଷେଫଙ୍କ ସେହି ଅଙ୍ଗରଖା ଭଳି ପ୍ରକୃତ ଖ୍ରୀଷ୍ଟିୟାନମାନଙ୍କୁ ସେମାନଙ୍କ ଆଚରଣ ଜଗତର ଲୋକମାନଙ୍କଠାରୁ ଅଲଗା କରେ । ଏଥିପାଇଁ ବେଳେ ବେଳେ ସେମାନେ ଲୋକମାନଙ୍କ ଈର୍ଷା ଓ ଘୃଣାର ଶିକାର ହୁଅନ୍ତି । (୧ ପିତର ୪:୪) ଏପରି ପରିସ୍ଥିତିରେ କʼଣ ଜଣେ ଖ୍ରୀଷ୍ଟିୟାନ ନିଜକୁ ଈଶ୍ୱରଙ୍କ ଉପାସକ ବୋଲି ଲୁଚାଇବା ଉଚିତ୍‌ ? ଯୋଷେଫ ନିଜ ଅଙ୍ଗରଖା ଲୁଚାଇଲେ ନାହିଁ ଏବଂ ଆମେ ମଧ୍ୟ ନିଜ ପରିଚୟ ଲୁଚାଇବା ଉଚିତ୍‌ ନୁହେଁ ।—ଲୂକ ୧୧:୩୩.

ପ୍ର୧୪-ଇଂ ୮/୧ ୧୩ ¶୨-୪

‘ମୁଁ ଯେଉଁ ସ୍ୱପ୍ନ ଦେଖିଅଛି, ନିବେଦନ କରୁଅଛି, ତାହା ଶୁଣ’

ଯିହୋବା ଏହି ସ୍ୱପ୍ନ ଯୋଷେଫଙ୍କୁ ଦେଖାଇଥିଲେ । ଏଥିରେ ସେ ଦେଖିଥିଲେ ଯେ ଭବିଷ୍ୟତରେ କʼଣ ହେବାକୁ ଯାଉଥିଲା । ଆଉ, ଯିହୋବା ଚାହୁଁଥିଲେ ଯେ ଯୋଷେଫ ନିଜ ପରିବାରର ଲୋକଙ୍କୁ ଏହି ସ୍ୱପ୍ନ ବିଷୟରେ କହନ୍ତୁ । ଏହିପରି ଭାବେ, ଆଗକୁ ଯାଇ ଈଶ୍ୱରଙ୍କ ଭବିଷ୍ୟଦ୍‌ବକ୍ତାମାନେ ଯେଉଁ କାମ କରିଥାʼନ୍ତେ, ଯୋଷେଫ ସେହି କାମ କଲେ । ଏହି ଭବିଷ୍ୟଦ୍‌ବକ୍ତାମାନେ ଈଶ୍ୱରଙ୍କ ବିରୋଧ କରୁଥିବା ଲୋକମାନଙ୍କୁ ତାହାଙ୍କ ନ୍ୟାୟର ବାର୍ତ୍ତା ଶୁଣାଇଲେ ।

ଯୋଷେଫ ନିଜ ଭାଇମାନଙ୍କୁ କହିଲେ, ‘ମୁଁ ଯେ ସ୍ୱପ୍ନ ଦେଖିଅଛି, ନିବେଦନ କରୁଅଛି, ତାହା ଶୁଣ ।’ ଯୋଷେଫଙ୍କ ଭାଇମାନେ ବୁଝିଗଲେ ଯେ ସେହି ସ୍ୱପ୍ନ କେଉଁ ବିଷୟରେ ଥିଲା ଏବଂ ସେମାନଙ୍କୁ ଆଦୌ ଭଲ ଲାଗିଲା ନାହିଁ । ସେମାନେ କହିଲେ, “ତୁ କି ସତେ ଆମ୍ଭମାନଙ୍କର ରାଜା ହେବୁ ? ତୁ କି ସତେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବୁ ?” ଆଗକୁ ବାଇବଲ କହେ, “ତହୁଁ ସେମାନେ ତାହାର ସବୁ ସ୍ୱପ୍ନ ଓ କଥା ହେତୁରୁ ତାକୁ ଆହୁରି ଅଧିକ ଘୃଣା କଲେ ।” ଯେତେବେଳେ ଯୋଷେଫ ନିଜ ପିତା ଓ ଭାଇମାନଙ୍କୁ ଦ୍ୱିତୀୟ ସ୍ୱପ୍ନ ବିଷୟରେ କହିଲେ, ସେତେବେଳେ ମଧ୍ୟ ସେମାନେ ତାଙ୍କୁ ରାଗିଗଲେ । ବାଇବଲ କହେ, “ତାହାର ପିତା ତାହାକୁ ଧମକାଇ କହିଲେ, ତୁ ଏ କି ପ୍ରକାର ସ୍ୱପ୍ନ ଦେଖିଲୁ ? ମୁଁ ଓ ତୋʼ ମାତା ଓ ତୋʼ ଭ୍ରାତୃଗଣ, ଆମ୍ଭେମାନେ କି ଭୂମିଷ୍ଠ ହୋଇ ତୋତେ ପ୍ରଣାମ କରିବାକୁ ଆସିବୁ ?” କିନ୍ତୁ ଯାକୁବ ଏସବୁ କଥାକୁ ଧ୍ୟାନରେ ରଖିଲେ । ସେ ମନେ ମନେ ଭାବିବାକୁ ଲାଗିଲେ ଯେ କାଳେ ଯିହୋବା ଏହି ବାଳକ ଜରିଆରେ ସେମାନଙ୍କୁ କିଛି କହିବାକୁ ତ ଚାହୁଁ ନାହାନ୍ତି ?—ଆଦି ପୁସ୍ତକ ୩୭:୬, ୮, ୧୦, ୧୧.

ଯିହୋବା ଚାହୁଁଥିଲେ, ଯୋଷେଫ ଅନ୍ୟମାନଙ୍କୁ କହନ୍ତୁ ଯେ ଭବିଷ୍ୟତରେ କʼଣ ହେବାକୁ ଯାଉଛି । ଏହି କାମ ଯିହୋବା ନିଜ ଅନ୍ୟ ସେବକମାନଙ୍କୁ ମଧ୍ୟ ଦେଇଥିଲେ । ଏହି ସେବକମାନେ ଈଶ୍ୱରଙ୍କ ବାର୍ତ୍ତା ଶୁଣାଇବା ଯୋଗୁଁ ସେମାନଙ୍କ ଉପରେ ଅତ୍ୟାଚାର କରାଗଲା । ଯୀଶୁଙ୍କ ସହ ମଧ୍ୟ ଏପରି ହେଲା । ସେ ବାର୍ତ୍ତା ଶୁଣାଇବା ଯୋଗୁଁ ତାହାଙ୍କ ଉପରେ ମଧ୍ୟ ଅତ୍ୟାଚାର କରାଗଲା । ସେ ନିଜ ଶିଷ୍ୟମାନଙ୍କୁ କହିଲେ, “ଯଦି ସେମାନେ ମୋତେ ତାଡ଼ନା କରିଅଛନ୍ତି, ତାହାହେଲେ ତୁମ୍ଭମାନଙ୍କୁ ମଧ୍ୟ ତାଡ଼ନା କରିବେ ।” (ଯୋହନ ୧୫:୨୦) ଆମ ବୟସ ଯାହା ବି ହେଉ ନା କାହିଁକି, ଯୋଷେଫଙ୍କ ବିଶ୍ୱାସ ଓ ସାହସରୁ ଆମେ ବହୁତ କିଛି ଶିଖିପାରିବା ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୧ ୬୭୮

ଇଦୋମ୍‌

(ଇଦୋମ୍‌) [ନାଲି], ଇଦୋମୀୟ ।

ଏଷୌକୁ ଇଦୋମ୍‌ ନାମ ଦିଆଯାଇଥିଲ । ଏହା ତାʼର ଅନ୍ୟ ନାମ ଥିଲା କିମ୍ବା ତାʼର ଉପନାମ ଥିଲା । ସେ ଯାକୁବଙ୍କ ଯାଆଁଳା ଭାଇ ଥିଲା । (ଆଦି ୩୬:୧) ତାକୁ ଏହି ନାମ ଏଥିପାଇଁ ଦିଆଗଲା, କାରଣ ସେ ରଙ୍ଗା (ନାଲି) ଡାଲି ବଦଳରେ ନିଜର ଜ୍ୟେଷ୍ଠାଧିକାର ବିକି ଦେଲା । (ଆଦି ୨୫:୩୦-୩୪) ଆଶ୍ଚର୍ଯ୍ୟର କଥା ଯେ ଜନ୍ମ ସମୟରେ ଏଷୌଙ୍କ ରଙ୍ଗ ରକ୍ତବର୍ଣ୍ଣ ବା ନାଲି ଥିଲା । (ଆଦି ୨୫:୨୫) ଆଗକୁ ଯାଇ ଏଷୌ ଓ ତାʼ ବଂଶଧର ଯେଉଁ ଜାଗାରେ ରହିବାକୁ ଲାଗିଲେ, ସେହି ଜାଗାର ଭୂମି ମଧ୍ୟ ନାଲି ରଙ୍ଗର ଥିଲା ।

ଇନସାଇଟ୍‌-୧ ୫୬୧-୫୬୨

ଦେଖାଶୁଣା

ଯେବେ ଜଣେ ମେଷପାଳକ ଅନ୍ୟ କାହାରି ଗୋରୁ ବା ମେଷଗୁଡ଼ିକୁ ଦେଖାଶୁଣା କରିବାକୁ ରାଜି ହେଉଥିଲା, ସେ ନିୟମ ଅନୁସାରେ ସେହି ଗୋରୁ ବା ମେଷଗୁଡ଼ିକର ଦାୟିତ୍ୱ ନେଉଥିଲା । ସେ ମାଲିକକୁ ଗ୍ୟାରେଣ୍ଟି ଦେଉଥିଲା ଯେ ସେ ପଶୁଗୁଡ଼ିକର ଦେଖାଶୁଣା କରିବ ଏବଂ ଚୋରି ହେବାକୁ ଦେବ ନାହିଁ । ସେ ଏପରି କରିବାରେ ଅସଫଳ ହେଲେ ତାକୁ ମାଲିକକୁ କ୍ଷତିପୂରଣ ଦେବାକୁ ହେଉଥିଲା । କିନ୍ତୁ ହୁଏତ କିଛି ପରିସ୍ଥିତି ମେଷପାଳକର ନିୟନ୍ତ୍ରଣ ବାହାରେ ହୋଇଥାଏ, ଯେପରି— କୌଣସି ହିଂସ୍ର ଜନ୍ତୁ ଯେବେ ପଲକୁ ଆକ୍ରମଣ କରେ । ଏଭଳି ପରିସ୍ଥିତିରେ ନିୟମ ଅନୁସାରେ ତାକୁ କ୍ଷତିପୂରଣ ଦେବାକୁ ପଡ଼ନ୍ତା ନାହିଁ । ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବା ପାଇଁ ତାକୁ ମାଲିକକୁ ପ୍ରମାଣ ଦେଖାଇବାକୁ ପଡ଼ନ୍ତା, ଯେପରି— ସେହି ପଶୁର ଶବ । ତାʼପରେ ମାଲିକ ପ୍ରମାଣଗୁଡ଼ିକୁ ଯାଞ୍ଚ କରନ୍ତା ଏବଂ ସେହି ମେଷପାଳକକୁ ନିର୍ଦ୍ଦୋଷ ବୋଲି ମନେ କରନ୍ତା ।

ଗୋରୁ ବା ମେଷଗୁଡ଼ିକ ଛଡ଼ା, ଯେବେ ଅନ୍ୟ କୌଣସି ବିଷୟରେ ଦାୟିତ୍ୱ ନିଆଯାଉଥିଲା, ତେବେ ମଧ୍ୟ ଏହି ସିଦ୍ଧାନ୍ତ ଲାଗୁ ହେଉଥିଲା । ଏପରିକି ପାରିବାରିକ ଦାୟିତ୍ୱ ନେବା ସମୟରେ ମଧ୍ୟ । ଉଦାହରଣ ପାଇଁ, ନିୟମ ଅନୁସାରେ ସବୁଠାରୁ ବଡ଼ ପୁଅର ଦାୟିତ୍ୱ ଥିଲା ଯେ ସେ ନିଜ ଛୋଟ ଭାଇଭଉଣୀମାନଙ୍କ ଦେଖାଶୁଣା କରିବ । ତେଣୁ, ଯେତେବେଳେ ଯୋଷେଫଙ୍କ ଭାଇମାନେ ତାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, ସେତେବେଳେ ସବୁଠାରୁ ବଡ଼ ଭାଇ ରୁବେନ୍‌ ବହୁତ ଚିନ୍ତିତ ହେଲା । (ଆଦି ପୁସ୍ତକ ୩୭:୧୮-୩୦) ସେ କହିଲା, ‘ନା, ଆମ୍ଭେମାନେ ତାକୁ ପ୍ରାଣରେ ମାରି ପକାଇବା ନାହିଁ । ତୁମ୍ଭେମାନେ ରକ୍ତପାତ କର ନାହିଁ । ତାହା ପ୍ରତି ହାତ ଉଠାଅ ନାହିଁ ।’ ରୁବେନ୍‌ ଯୋଷେଫଙ୍କୁ ନିଜ ଭାଇମାନଙ୍କଠାରୁ ରକ୍ଷା କରି ନିଜ ପିତାଙ୍କ ପାଖକୁ ନେଇ ଯିବାକୁ ଚାହୁଁଥିଲା । ପରେ ଯେତେବେଳେ ରୁବେନ୍‌ ଗାତ ପାଖକୁ ପହଞ୍ଚିଲା ଏବଂ ଦେଖିଲା ଯେ ଯୋଷେଫ ସେଠି ନାହାନ୍ତି, ସେ ଏତେ ଚିନ୍ତା କରିବାକୁ ଲାଗିଲା ଯେ ସେ “ଆପଣା ବସ୍ତ୍ର ଚିରିଲା ।” ଆଉ ଚିତ୍କାର କରି କହିଲା, “ବାଳକଟି ନାହିଁ; ଆଉ ମୁଁ କେଉଁଠାକୁ ଯିବି ?” ସେ ଜାଣିଥିଲା ଯେ ଯଦି ଯୋଷେଫଙ୍କୁ କିଛି ହୁଏ, ତେବେ ତାକୁ ଦାୟୀ କରାଯାʼନ୍ତା । ନିଜ ଭୁଲକୁ ଲୁଚାଇବା ପାଇଁ ଯୋଷେଫଙ୍କ ଭାଇମାନେ ଅତି ଚତୁରତାର ସହ ମିଛ ପ୍ରମାଣ ଦେଖାଇଲେ ଯେ ଯୋଷେଫଙ୍କୁ କୌଣସି ହିଂସ୍ର ଜନ୍ତୁ ମାରିଦେଇଛି । ସେମାନେ ଯୋଷେଫଙ୍କ ଅଙ୍ଗରଖାକୁ ଗୋଟିଏ ଛେଳିର ରକ୍ତରେ ବୁଡ଼ାଇଲେ । ତାʼପରେ ସେମାନେ ସେହି ଅଙ୍ଗରଖାକୁ ତାର ପ୍ରମାଣ ଭାବେ ଯାକୁବଙ୍କୁ ଦେଖାଇଲେ । କାରଣ ଯାକୁବ ସେମାନଙ୍କ ପିତା ଓ ପରିବାରର ନ୍ୟାୟୀ ଥିଲେ । ଏହି ପ୍ରମାଣର ଆଧାରରେ ଯାକୁବଙ୍କୁ ଲାଗିଲା ଯେ ଯୋଷେଫଙ୍କୁ କୌଣସି ହିଂସ୍ର ଜନ୍ତୁ ମାରିଦେଲା ଏବଂ ରୁବେନ୍‌ ଦୋଷୀ ନୁହେଁ ।—ଆଦି ୩୭:୩୧-୩୩.

୧୧-୧୭ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୩୮-୩୯

“ଯିହୋବା ସର୍ବଦା ଯୋଷେଫଙ୍କ ସାଙ୍ଗରେ ରହିଲେ”

ପ୍ର୧୪-ଇଂ ୧୧/୧ ୧୨ ¶୪-୫

‘ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା କରିପାରେ ?’

“ଯୋଷେଫ ମିସର ଦେଶକୁ ଅଣାଯାʼନ୍ତେ, ପୋଟୀଫର ନାମକ ରକ୍ଷକ ସେନାପତି, ତାଙ୍କର ଆନୟନକାରୀ ଇଶ୍ମାଏଲୀୟଙ୍କଠାରୁ ଯୋଷେଫଙ୍କୁ କିଣିଥିଲା ।” (ଆଦି ପୁସ୍ତକ ୩୯:୧) ଯୁବା ଯୋଷେଫଙ୍କୁ ପୁଣିଥରେ ବିକି ଦିଆଗଲା, ସତେ ଯେପରି ସେ ସାମାନ୍ୟ ଜିନିଷଟିଏ । ଏହା ତାଙ୍କ ପାଇଁ କେତେ ଅପମାନର ବିଷୟ ହୋଇଥିବ ! ସେହି ଦୃଶ୍ୟକୁ ଟିକେ କଳ୍ପନା କରନ୍ତୁ । ଯୋଷେଫ ନିଜ ନୂଆ ମିଶରୀୟ ମାଲିକର ପଛେ ପଛେ ଚାଲୁଛନ୍ତି । ସେ ବଜାରର ଗହଳି ରାସ୍ତା ଦେଇ ସେହି ଘର ଆଡ଼କୁ ଯାଉଛନ୍ତି, ଯାହା ଯୋଷେଫଙ୍କ ନୂଆ ଘର ହେବ ।

କʼଣ ଯୋଷେଫଙ୍କ ମାଲିକର ଘର ତାଙ୍କ ପାଇଁ ନିଜ ଘର ଭଳି ହୁଅନ୍ତା ? ନା, କାରଣ ଯୋଷେଫ ଓ ତାଙ୍କ ପରିବାର ଯାଯାବର ଜୀବନଯାପନ କରୁଥିଲେ । ସେମାନେ ତମ୍ବୁରେ ରହୁଥିଲେ, ପ୍ରାୟ ସବୁବେଳେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଥିଲେ ଏବଂ ପଶୁପାଳନ କରୁଥିଲେ । କିନ୍ତୁ ପୋଟୀଫର ଭଳି ଧନୀ ମିଶରୀୟମାନଙ୍କ ଘର ବଡ଼ ଓ ବିଳାସମୟ ରହୁଥିଲା । ସେମାନଙ୍କ ଘରଗୁଡ଼ିକ ଗାଢ଼ ରଙ୍ଗର ହେଉଥିଲା । ପ୍ରତ୍ନତତ୍ତ୍ୱବିତମାନଙ୍କ ଅନୁସାରେ ମିଶରର ଲୋକେ ଗଛଲତାଗୁଡ଼ିକୁ ବହୁତ ପସନ୍ଦ କରୁଥିଲେ । ସେମାନଙ୍କର ସୁନ୍ଦର ବଗିଚା ରହୁଥିଲା, ଯାହାର ଚାରିପାଖରେ ପାଚେରୀ ଥିଲା । ଏହି ବଗିଚାରେ ସେମାନେ ଛାଇ ଦେଉଥିବା ଗଛ ଲଗାଉଥିଲେ । ତାʼ ଛଡ଼ା, ସେଠି ଏପରି ଶାନ୍ତ ପୋଖରୀଗୁଡ଼ିକ ଥିଲା, ଯେଉଁଠି ପାପିରସ୍‌, ପଦ୍ମ ଫୁଲ ଓ ଅନ୍ୟାନ୍ୟ ଜଳଜ ଉଦ୍ଭିଦ ରହୁଥିଲା । କିଛି ଘର ବଗିଚାର ଠିକ୍‌ ମଝିରେ ରହୁଥିଲା । ସେଠାରେ ଥଣ୍ଡା ପବନର ମଜା ନେବା ପାଇଁ ବାରଣ୍ଡା ରହୁଥିଲା, ଉଚ୍ଚ ଝରକାଗୁଡ଼ିକ ଏବଂ ଅନେକ କୋଠରି ରହୁଥିଲା । ଆଉ, ସେମାନଙ୍କ ଘରଗୁଡ଼ିକରେ ବଡ଼ ଭୋଜନାଳୟ ଏବଂ ଚାକରମାନଙ୍କ ରହିବା ପାଇଁ ମଧ୍ୟ କୋଠରି ରହୁଥିଲା ।

ପ୍ର୧୪-ଇଂ ୧୧/୧ ୧୪-୧୫

‘ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା କରିପାରେ ?’

ଆମେ ମିଶରର ଜେଲ ବିଷୟରେ ଅଧିକ କିଛି ଜାଣି ନାହୁଁ । ପ୍ରତ୍ନତତ୍ତ୍ୱବିତମାନଙ୍କୁ ଏହି ଜେଲଗୁଡ଼ିକର ଧ୍ୱଂସାବଶେଷ ମିଳିଛି, ଯେଉଁଥିରୁ ଜଣାପଡ଼େ ଯେ ସେଗୁଡ଼ିକ ଦୁର୍ଗ ଭଳି ଉଚ୍ଚ ଥିଲା ଏବଂ ସେଥିରେ ଛୋଟ ଛୋଟ କୋଠରି ଓ କାଳକୋଠରି ଥିଲା । ଯୋଷେଫ ଏହି ଜେଲ ପାଇଁ “କାରାକୂପ” ଶବ୍ଦ ବ୍ୟବହାର କଲେ । ଏଥିରୁ ଜଣାପଡ଼େ ଯେ ଏହା ହୁଏତ ଏପରି ଜାଗା ଥିଲା, ଯେଉଁଠାକୁ ଆଦୌ ଆଲୁଅ ଆସୁ ନ ଥିଲା ଏବଂ ସେଠାରୁ ବାହାରିବାର କୌଣସି ଆଶା ନ ଥିଲା । (ଆଦି ପୁସ୍ତକ ୪୦:୧୫) କେବଳ ଏତିକି ନୁହେଁ, ଗୀତସଂହିତା ବହିରୁ ଜଣାପଡ଼େ ଯେ ଯୋଷେଫଙ୍କ ସହ ଆହୁରି ଅନ୍ୟାୟ ହୋଇଥିଲା । ସେଠି ଲେଖା ଅଛି, “ସେମାନେ ବେଡ଼ିରେ ତାହାର ଚରଣକୁ ଦୁଃଖ ଦେଲେ ।” (ଗୀତସଂହିତା ୧୦୫:୧୭, ୧୮) ମିଶରର ଲୋକେ ବେଳେ ବେଳେ କଏଦୀମାନଙ୍କ ହାତ ପଛ ଆଡ଼କୁ ବାନ୍ଧି ଦେଉଥିଲେ କିମ୍ବା ସେମାନଙ୍କ ବେକରେ ଲୁହାର ପଟି ବାନ୍ଧି ଦେଉଥିଲେ । ସତରେ ଯୋଷେଫଙ୍କ କିଛି ଦୋଷ ନ ଥାଇ ମଧ୍ୟ ତାଙ୍କୁ କେତେ ଦୁଃଖ ସହିବାକୁ ପଡ଼ିଥିବ !

ଯୋଷେଫ ଏହି ଦୁଃଖ କେବଳ ଅଳ୍ପ ସମୟ ପାଇଁ ସହିଲେ ନାହିଁ । ବାଇବଲ କହେ, “ଯୋଷେଫ ସେହି କାରାଗାରରେ ରହିଲେ ।” ଅର୍ଥାତ୍‌ ସେ ସେହି କୋଠରିରେ ଅନେକ ବର୍ଷ କାଟିଲେ । ତାʼ ଛଡ଼ା, ସେ ଜାଣି ନ ଥିଲେ ଯେ ସେ ସେହି ଜେଲରୁ କେବେ ବାହାରିପାରିବେ କି ନାହିଁ । ଧୀରେ ଧୀରେ ଦିନ ମାସରେ ବଦଳିଗଲା ଏବଂ ମାସ ବର୍ଷରେ । ଏପରି ପରିସ୍ଥିତିରେ କେଉଁ କଥା ତାଙ୍କୁ ସାହାଯ୍ୟ କଲା, ଯାହାଫଳରେ ସେ ନିରାଶ ହେଲେ ନାହିଁ ?

ଆଗକୁ ଦିଆଯାଇଥିବା ପଦଗୁଡ଼ିକରୁ ଆମେ ଜାଣିପାରୁ ଯେ “ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ପୁଣି ତାଙ୍କ ପ୍ରତି କୃପା” କରିବା ଜାରି ରଖିଲେ । (ଆଦି ପୁସ୍ତକ ୩୯:୨୧) କୌଣସି ବିଷୟ ଯିହୋବାଙ୍କ ପ୍ରେମକୁ ତାହାଙ୍କ ବିଶ୍ୱସ୍ତ ସେବକମାନଙ୍କ ପାଖକୁ ପହଞ୍ଚିବାରେ ରୋକିପାରିବ ନାହିଁ । ତାହା ଜେଲର କାନ୍ଥ ହେଉ, ଶିକୁଳି ହେଉ କିମ୍ବା କାଳକୋଠରି । (ରୋମୀୟ ୮:୩୮, ୩୯) ଯୋଷେଫ ସ୍ୱର୍ଗରେ ରହୁଥିବା ନିଜ ପ୍ରେମମୟ ପିତା ଯିହୋବାଙ୍କୁ ପ୍ରାର୍ଥନାରେ ନିଜ ହୃଦୟର କଥା ନିଶ୍ଚୟ ଜଣାଇଥିବେ । ଆଉ, “ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର” ନିଶ୍ଚୟ ତାଙ୍କୁ ମନର ଶାନ୍ତି ଦେଇଥିବେ । (୨ କରିନ୍ଥୀୟ ୧:୩, ୪; ଫିଲିପ୍‌ପୀୟ ୪:୬, ୭) ଯିହୋବା ଯୋଷେଫଙ୍କ ପାଇଁ ଆଉ କʼଣ କଲେ ? ଯିହୋବା ଲଗାତାର ତାଙ୍କୁ ଆଶିଷ ଦେଉଥିଲେ ଏବଂ “କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହପାତ୍ର କଲେ ।”

ପ୍ର୧୪-ଇଂ ୧୧/୧ ୧୫ ¶୨

‘ମୁଁ କିରୂପେ ଏଡ଼େ ବଡ଼ ଦୁଷ୍ଟତା କରିପାରେ ?’

ଆଗକୁ ଦିଆଯାଇଥିବା ପଦଗୁଡ଼ିକରୁ ଆମେ ଜାଣିପାରୁ ଯେ “ସଦାପ୍ରଭୁ ଯୋଷେଫଙ୍କର ସହବର୍ତ୍ତୀ ଥିଲେ, ପୁଣି ତାଙ୍କ ପ୍ରତି କୃପା” କରିବା ଜାରି ରଖିଲେ । (ଆଦି ପୁସ୍ତକ ୩୯:୨୧) କୌଣସି ବିଷୟ ଯିହୋବାଙ୍କ ପ୍ରେମକୁ ତାହାଙ୍କ ବିଶ୍ୱସ୍ତ ସେବକମାନଙ୍କ ପାଖକୁ ପହଞ୍ଚିବାରେ ରୋକିପାରିବ ନାହିଁ । ତାହା ଜେଲର କାନ୍ଥ ହେଉ, ଶିକୁଳି ହେଉ କିମ୍ବା କାଳକୋଠରି । (ରୋମୀୟ ୮:୩୮, ୩୯) ଯୋଷେଫ ସ୍ୱର୍ଗରେ ରହୁଥିବା ନିଜ ପ୍ରେମମୟ ପିତା ଯିହୋବାଙ୍କୁ ପ୍ରାର୍ଥନାରେ ନିଜ ହୃଦୟର କଥା ନିଶ୍ଚୟ ଜଣାଇଥିବେ । ଆଉ, “ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର” ନିଶ୍ଚୟ ତାଙ୍କୁ ମନର ଶାନ୍ତି ଦେଇଥିବେ । (୨ କରିନ୍ଥୀୟ ୧:୩, ୪; ଫିଲିପ୍‌ପୀୟ ୪:୬, ୭) ଯିହୋବା ଯୋଷେଫଙ୍କ ପାଇଁ ଆଉ କʼଣ କଲେ ? ଯିହୋବା ଲଗାତାର ତାଙ୍କୁ ଆଶିଷ ଦେଉଥିଲେ ଏବଂ “କାରାରକ୍ଷକର ଦୃଷ୍ଟିରେ ତାଙ୍କୁ ଅନୁଗ୍ରହପାତ୍ର କଲେ ।”

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୨ ୫୫୫

ଓନନ୍‌

(ଓନନ୍‌) [ଏହା ଏପରି ଶବ୍ଦରୁ ଆସିଛି, ଯାହାର ମୂଳ ଅର୍ଥ ହେଉଛି, “ସନ୍ତାନ ଜନ୍ମ କରିବାର ଶକ୍ତି; ଜୋର୍‌ଦାର ଶକ୍ତି”]

ଓନନ୍‌ ଯିହୁଦାଙ୍କ ଦ୍ୱିତୀୟ ପୁତ୍ର ଥିଲା, ଯିଏ ଶୂୟ ନାମକ ଜଣେ କିଣାନୀୟ ଲୋକର ଝିଅଠାରୁ ଜନ୍ମ ହୋଇଥିଲା । (ଆଦି ୩୮:୨-୪; ୧ବଂଶା ୨:୩) ଓନନ୍‌ର ବଡ଼ ଭାଇ ଏର ଦୁଷ୍ଟ ଥିଲା, ତେଣୁ ଯିହୋବା ତାକୁ ବିନାଶ କଲେ । ଯେବେ ଏରର ମୃତ୍ୟୁ ହେଲା, ସେପର୍ଯ୍ୟନ୍ତ ତାର କୌଣସି ସନ୍ତାନ ହୋଇ ନ ଥିଲା । ତେଣୁ ଯିହୁଦା ଓନନ୍‌କୁ କହିଲେ ଯେ ସେ ଦିଅର-ଭାଉଜ ବିବାହ ବ୍ୟବସ୍ଥା ଅନୁସାରେ ନିଜ ଭାଇର ପତ୍ନୀ ତାମରକୁ ବିବାହ କରୁ । ଏହି ବିବାହ ପରେ ଯଦି ପୁତ୍ର ସନ୍ତାନ ଜନ୍ମ ହୋଇଥାʼନ୍ତା, ତେବେ ସେ ଓନନ୍‌ର ସନ୍ତାନ ନୁହେଁ, ବରଂ ଏରର ସନ୍ତାନ ହୁଅନ୍ତା । ଆଉ, ଜ୍ୟେଷ୍ଠ ପୁତ୍ର ହେବା ଯୋଗୁଁ ସେହି ପୁତ୍ରକୁ ସମ୍ପତ୍ତିର ଭାଗ ମିଳନ୍ତା । କିନ୍ତୁ, ଯଦି କୌଣସି ସନ୍ତାନ ଜନ୍ମ ହୁଅନ୍ତେ ନାହିଁ, ତେବେ ସମସ୍ତ ସମ୍ପତ୍ତିର ଅଧିକାରୀ ଓନନ୍‌ ହୁଅନ୍ତା । ଯେତେବେଳେ ଓନନ୍‌ ତାମର ସହ ଶାରୀରିକ ସମ୍ପର୍କ ରଖିଲା, ସେ “ଭୂମିରେ ରେତଃପାତ କଲା ।” କʼଣ ସେ ନିଜ ବୀର୍ଯ୍ୟ ହସ୍ତମୈଥୁନ କରି ତଳେ ପକାଇଦେଲା ? ନା, କାରଣ ବାଇବଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଓନନ୍‌ ତାମର ସହ “ସଙ୍ଗମ କାଳେ” ଏପରି କଲା । ଏପରି ଲାଗେ ଯେ ସେ ଜାଣିଶୁଣି ତାମରର ଗର୍ଭାଶୟକୁ ନିଜ ବୀର୍ଯ୍ୟ ଯିବାକୁ ଦେଲା ନାହିଁ । ଏପରି କରି ସେ ନିଜ ପିତା ଯିହୁଦାଙ୍କ ଆଜ୍ଞା ପାଳନ କଲା ନାହିଁ । ସେ ଲୋଭ କଲା ଏବଂ ବିବାହର ପବିତ୍ର ବନ୍ଧନକୁ ଆଦର କଲା ନାହିଁ । ଏହି କାରଣ ଯୋଗୁଁ ସେ ନିଃସନ୍ତାନ ହୋଇ ରହିଲା ଏବଂ ଯିହୋବା ତାକୁ ମୃତ୍ୟୁଦଣ୍ଡ ଦେଲେ ।—ଆଦି ୩୮:୬-୧୦; ୪୬:୧୨; ଗଣ ୨୬:୧୯.

ପ୍ର୦୪-ହି ୧/୧୫ ୩୦ ¶୪-୫

ପାଠକମାନଙ୍କ ପ୍ରଶ୍ନ

ଯିହୁଦା ନିଜ ପ୍ରତିଜ୍ଞା ଅନୁସାରେ ଶେଲାର ବିବାହ ତାମର ସହ ନ କରି, ସେ ତାʼ ସହ ଅନ୍ୟାୟ କଲେ । କେବଳ ଏତିକି ନୁହେଁ, ସେ ଅନ୍ୟ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିଲେ । ଏହିପରି ଭାବେ ସେ ଈଶ୍ୱରଙ୍କ ଉଦ୍ଦେଶ୍ୟ ବିରୁଦ୍ଧରେ କାମ କଲେ । କାରଣ ଈଶ୍ୱର ଚାହୁଁଥିଲେ ଯେ ଜଣେ ପୁରୁଷ କେବଳ ନିଜ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ରଖିବା ଉଚିତ୍‌ । (ଆଦି ପୁସ୍ତକ ୨:୨୪) କିନ୍ତୁ ପ୍ରକୃତରେ ଯଦି ଦେଖିବା, ଯିହୁଦା କୌଣସି ବେଶ୍ୟା ସହ ଶାରୀରିକ ସମ୍ପର୍କ ରଖି ନ ଥିଲେ । ସେ ଅଜାଣତରେ ନିଜ ପୁଅ ଶେଲାର ଜାଗା ନେଲେ । ଆଉ ଦିଅର-ଭାଉଜ ବିବାହ ବ୍ୟବସ୍ଥା ଅନୁସାରେ ନିଜ କର୍ତ୍ତବ୍ୟ ପୂରା କଲେ ଏବଂ ଏହିପରି ଭାବେ ତାମରର ସନ୍ତାନ ଜାରଜ ନ ଥିଲା ।

ଯଦି ତାମରର ଦୃଷ୍ଟିରୁ ଦେଖିବା, ସେ ଯାହା କଲା, ତାହା ଅନୈତିକ ନ ଥିଲା । ତାʼ ଯାଆଁଳା ପୁଅମାନଙ୍କୁ ବ୍ୟଭିଚାରର ସନ୍ତାନ ବୋଲି କୁହାଗଲା ନାହିଁ । ଯେତେବେଳେ ବେଥଲିହିମର ବୋୟଜ, ଦିଅର-ଭାଉଜ ବିବାହ ବ୍ୟବସ୍ଥା ଅନୁସାରେ ମୋୟାବୀ ରୂତକୁ ବିବାହ କଲେ, ସେତେବେଳେ ବେଥଲିହିମର ପ୍ରାଚୀନମାନେ ତାମରର ପୁଅ ପେରସଙ୍କ ଭଲଗୁଣଗୁଡ଼ିକ ବିଷୟରେ ଉଲ୍ଲେଖ କରି କହିଲେ: “ସଦାପ୍ରଭୁ ଏହି ଯୁବତୀ ଦ୍ୱାରା ତୁମ୍ଭକୁ ଯେଉଁ ସନ୍ତାନ ଦେବେ, ତାହା ଦ୍ୱାରା ତୁମ୍ଭର ବଂଶ ତାମର ଗର୍ଭରେ ଯିହୁଦାର ଜନ୍ମିତ ପେରସର ବଂଶ ତୁଲ୍ୟ ହେଉ ।” (ରୂତ ୪:୧୨) କେବଳ ସେତିକି ନୁହେଁ, ପେରସଙ୍କ ନାମ ଯୀଶୁ ଖ୍ରୀଷ୍ଟଙ୍କ ପୁର୍ବପୁରୁଷମାନଙ୍କର ତାଲିକାରେ ମଧ୍ୟ ରହିଛି ।—ମାଥିଉ ୧:୧-୩; ଲୂକ ୩:୨୩-୩୩.

୧୮-୨୪ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୦-୪୧

“ଯିହୋବା ଯୋଷେଫଙ୍କୁ ଉଦ୍ଧାର କଲେ”

ପ୍ର୧୫-ଇଂ ୨/୧ ୧୪ ¶୪-୫

“ଅର୍ଥଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ ?”

ପାନପାତ୍ରବାହକ ହୁଏତ ଯୋଷେଫଙ୍କୁ ଭୁଲିଯାଇଥିଲେ, କିନ୍ତୁ ଯିହୋବା ଭୁଲି ନ ଥିଲେ । ଦିନେ ରାତିରେ ଯିହୋବା ଫାରୋକୁ ଦୁଇଟି ସ୍ୱପ୍ନ ଦେଖାଇଲେ । ପ୍ରଥମ ସ୍ୱପ୍ନରେ ଫାରୋ ଦେଖିଲା ଯେ ନୀଳନଦୀରୁ ସାତଟି ହୃଷ୍ଟପୁଷ୍ଟ ଓ ସୁନ୍ଦର ଗାଈ ବାହାରନ୍ତି । ତାʼପରେ ଆହୁରି ସାତଟି ଦୁର୍ବଳ ଓ ଘୃଣ୍ୟ ଗାଈ ବାହାରନ୍ତି । ଏହି ଦୁର୍ବଳ ଓ ଘୃଣ୍ୟ ଗାଈଗୁଡ଼ିକ ସେହି ସାତଟି ହୃଷ୍ଟପୁଷ୍ଟ ଓ ସୁନ୍ଦର ଗାଈଗୁଡ଼ିକୁ ଖାଇଯାʼନ୍ତି । ଦ୍ୱିତୀୟ ସ୍ୱପ୍ନରେ ସେ ଦେଖିଲା ଯେ ଗୋଟିଏ ଶଣ୍ଡା ବା ଗୁଚ୍ଛରେ ସାତଟି ପରିପୁଷ୍ଟ ଓ ଉତ୍ତମ ଶିଷା ବା କେଣ୍ଡା ବାହାରିଲା । ତାʼପରେ ସାତଟି ଆହୁରି କେଣ୍ଡା ଫୁଟେ, ଯାହା ଗରମ ପବନରେ ଶୁଖିଯାଇଥାଏ । ଏହି କେଣ୍ଡାଗୁଡ଼ିକ ସେହି ପରିପୁଷ୍ଟ ଓ ଉତ୍ତମ କେଣ୍ଡାସବୁକୁ ଖାଇପକାଏ । ଯେତେବେଳେ ସକାଳ ହେଲା, ଫାରୋର ମନ ବ୍ୟାକୁଳ ହେବାକୁ ଲାଗିଲା । ତାʼପରେ ସେ ମିଶରର ସମସ୍ତ ମନ୍ତ୍ରଜ୍ଞ ଓ ପଣ୍ଡିତମାନଙ୍କୁ ଡକାଇଲା । କାରଣ ସେ ସ୍ୱପ୍ନର ଅର୍ଥ ଜାଣିବାକୁ ଚାହୁଁଥିଲା । କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ସେ ସ୍ୱପ୍ନର ଅର୍ଥ କହିପାରିଲେ ନାହିଁ । (ଆଦି ପୁସ୍ତକ ୪୧:୧-୮) ହୁଏତ ସେହି ମନ୍ତ୍ରଜ୍ଞ ଓ ପଣ୍ଡିତମାନେ କିଛି ବୁଝିପାରିଲେ ନାହିଁ, କିମ୍ବା ସେମାନଙ୍କ ମତଗୁଡ଼ିକ ପରସ୍ପର ସହ ମିଶିଲା ନାହିଁ । ଆମେ ଏବିଷୟରେ ଠିକ୍‌ ଠିକ୍‌ ଜାଣି ନାହୁଁ । କିନ୍ତୁ ଏହା ସ୍ପଷ୍ଟ ଯେ ଫାରୋ ରାଗିଯାଇଥିଲା ଏବଂ ସେ ସ୍ୱପ୍ନର ଅର୍ଥ ଜାଣିବାକୁ ବ୍ୟାକୁଳ ଥିଲା ।

ଶେଷରେ ପାନପାତ୍ରବାହକକୁ ଯୋଷେଫ ମନେ ପଡ଼ିଗଲେ । ତାକୁ ବହୁତ ଦୁଃଖ ଲାଗିଲା ଯେ ସେ ଫାରୋକୁ ଯୋଷେଫଙ୍କ ବିଷୟରେ କହିବା ପାଇଁ ଭୁଲିଯାଇଥିଲା । ପାନପାତ୍ରବାହକ ଫାରୋକୁ କହିଲା ଯେ ଯୋଷେଫ ଦୁଇ ବର୍ଷ ପୂର୍ବେ କିପରି ତାʼର ଓ ପ୍ରଧାନ ସୂପକାରର ସ୍ୱପ୍ନର ଅର୍ଥ କହିଥିଲେ । ଏହା ଶୁଣି ଫାରୋ ତୁରନ୍ତ ଯୋଷେଫଙ୍କୁ ଜେଲରୁ ବାହାର କଲା ।—ଆଦି ପୁସ୍ତକ ୪୧:୯-୧୩.

ପ୍ର୧୫-ଇଂ ୨/୧ ୧୪-୧୫

“ଅର୍ଥଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ ?”

ଯିହୋବା ନମ୍ର ଓ ବିଶ୍ୱସ୍ତ ଲୋକମାନଙ୍କୁ ପ୍ରେମ କରନ୍ତି । ଏହି କାରଣରୁ ସେ ଯୋଷେଫଙ୍କୁ ସ୍ୱପ୍ନର ଅର୍ଥ ଜଣାଇଲେ, ଯାହା ସେ ସେହି ପଣ୍ଡିତ ଓ ମନ୍ତ୍ରଜ୍ଞମାନଙ୍କୁ ଜଣାଇଲେ ନାହିଁ । ଯୋଷେଫ ଫାରୋକୁ କହିଲେ ଯେ ସେ ଦେଖିଥିବା ଦୁଇଟି ସ୍ୱପ୍ନର ଅର୍ଥ ଗୋଟିଏ । ଦୁଇ ଥର ସ୍ୱପ୍ନ ଦେଖାଇ ଯିହୋବା ଜଣାଇବାକୁ ଚାହୁଁଥିଲେ ଯେ “ପରମେଶ୍ୱରଙ୍କ ଦ୍ୱାରା ତାହା ନିଶ୍ଚିତ ହୋଇଅଛି” । ସାତଟି ହୃଷ୍ଟପୁଷ୍ଟ ଗାଈ ଓ ସାତଟି ପରିପୁଷ୍ଟ କେଣ୍ଡାର ଅର୍ଥ ହେଉଛି, ମିଶରରେ ସାତ ବର୍ଷ ପର୍ଯ୍ୟନ୍ତ ସୁଭିକ୍ଷ ବା ଭରପୂର ଫସଲ ହେବ । ଆଉ, ସାତଟି ଦୁର୍ବଳ ଗାଈ ଓ କ୍ଷୀଣ କେଣ୍ଡାର ଅର୍ଥ ହେଉଛି, ସାତ ବର୍ଷ ପର୍ଯ୍ୟନ୍ତ ଦୁର୍ଭିକ୍ଷ ହେବ । ଏହି ଦୁର୍ଭିକ୍ଷ ସୁଭିକ୍ଷର ସାତ ବର୍ଷ ପରେ ହେବ, ଯାହା ଯୋଗୁଁ ସାରା ଦେଶର ସୁଭିକ୍ଷର ଫସଲ ଜଣାପଡ଼ିବ ନାହିଁ ।—ଆଦି ପୁସ୍ତକ ୪୧:୨୫-୩୨.

ପ୍ର୧୫-ଇଂ ୨/୧ ୧୫ ¶୩

“ଅର୍ଥଜ୍ଞାନ କି ପରମେଶ୍ୱରଙ୍କର ଅଧୀନ ନୁହେଁ ?”

ଫାରୋ ଯାହା କହୁଥିଲା, ତାହା କରୁଥିଲା । ଯୋଷେଫଙ୍କୁ ସୁନ୍ଦର ସୂକ୍ଷ୍ମବସ୍ତ୍ର ପିନ୍ଧାଇ ଦିଆଗଲା । ତାʼ ଛଡ଼ା, ଫାରୋ ତାଙ୍କୁ ନିଜ ମୋହର ଥିବା ମୁଦି ଦେଲା, ସୁନାର ହାର ପିନ୍ଧାଇଲା ଏବଂ ରାଜକୀୟ ରଥ ଉପରେ ବସାଇଲା । ଏହା ସହିତ, ଯୋଷେଫଙ୍କୁ ଅଧିକାର ଦିଆଗଲା ଯେ ସେ ସମଗ୍ର ଦେଶ ବୁଲି ଦେଖନ୍ତୁ ଏବଂ ନିଜ ଯୋଜନା ଅନୁସାରେ କାମ କରନ୍ତୁ । (ଆଦି ପୁସ୍ତକ ୪୧:୪୨-୪୪) ଯୋଷେଫ ରାତାରାତି ଜେଲରୁ ରାଜମହଲକୁ ପହଞ୍ଚିଗଲେ । ଗୋଟିଏ ମୁହୂର୍ତ୍ତରେ ସେ କଏଦୀରୁ ମିଶର ଦେଶର ଦ୍ୱିତୀୟ ବଡ଼ ଅଧିକାରୀ ହୋଇଗଲେ । ଯୋଷେଫଙ୍କର ଯିହୋବାଙ୍କ ଉପରେ ଭରସା ଥିଲା ଏବଂ ଯିହୋବା ମଧ୍ୟ ତାଙ୍କୁ ଭୁଲିଲେ ନାହିଁ । ଯୋଷେଫଙ୍କ ସହ ଯେଉଁ ଅନ୍ୟାୟ ହେଲା, ତାହା ଯିହୋବା ଦେଖୁଥିଲେ । ଯିହୋବା ଠିକ୍‌ ସମୟରେ ଓ ସଠିକ୍‌ ଭାବେ ଯୋଷେଫଙ୍କ ସହ ହୋଇଥିବା ଅନ୍ୟାୟର ନ୍ୟାୟ କଲେ ଏବଂ ଭବିଷ୍ୟତରେ ଗଠିତ ହେବାକୁ ଯାଉଥିବା ଇସ୍ରାଏଲ ରାଷ୍ଟ୍ରକୁ ବିନାଶ ହେବାଠାରୁ ରକ୍ଷା କଲେ । କିପରି ? ଏବିଷୟରେ ପରବର୍ତ୍ତୀ ଲେଖାଗୁଡ଼ିକରେ ଆଲୋଚନା କରାଯିବ ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୧୫-ଇଂ ୧୧/୧ ୯ ¶୧-୩

ଆପଣ ଜାଣିଥିଲେ କି ?

ଫାରୋର ସାମନାକୁ ଯିବା ପୂର୍ବରୁ ଯୋଷେଫ କାହିଁକି ଖିଅର ହେଲେ ?

ଆଦି ପୁସ୍ତକ ବହିରୁ ଜଣାପଡ଼େ ଯେ ଫାରୋ ନିଜ ସ୍ୱପ୍ନର ଅର୍ଥ ଜାଣିବା ପାଇଁ ବ୍ୟାକୁଳ ଥିଲା । ସେଥିପାଇଁ ସେ ଆଦେଶ ଦେଲା ଯେ ଯୋଷେଫଙ୍କୁ ତୁରନ୍ତ ଜେଲରୁ ମୁକ୍ତ କରାଯାଉ । ଏପର୍ଯ୍ୟନ୍ତ ଯୋଷେଫଙ୍କୁ ଜେଲରେ ରହିବାର ଅନେକ ବର୍ଷ ହୋଇଯାଇଥିଲା । ଏହା ସତ ଯେ ଫାରୋ ଯୋଷେଫଙ୍କୁ ତୁରନ୍ତ ଡକାଇବାର ଆଦେଶ ଦେଇଥିଲା, ତଥାପି ଯୋଷେଫ ସମୟ ବାହାର କରି ଖିଅର ହେଲେ । (ଆଦି ପୁସ୍ତକ ୩୯:୨୦-୨୩; ୪୧:୧, ୧୪) ହୁଏତ ଏପରି ଲାଗିପାରେ ଯେ ଏହା ଏତେ ବେଶି ମହତ୍ତ୍ୱ ରଖେ ନାହିଁ, କିନ୍ତୁ ଏଥିରୁ ଜଣାପଡ଼େ ଯେ ଯୋଷେଫ ମିଶରର ରୀତିନୀତି ଜାଣିଥିଲେ ।

ପ୍ରାଚୀନ କାଳରେ ଅନେକ ଦେଶରେ ଦାଢ଼ି ରଖିବା ସାଧାରଣ କଥା ଥିଲା ଏବଂ ଏବ୍ରୀ ଲୋକେ ମଧ୍ୟ ଏପରି କରୁଥିଲେ । କିନ୍ତୁ ମେକ୍ଲିନଟକ୍‌ ଓ ଷ୍ଟ୍ରଙ୍ଗ୍‌ଙ୍କ ଏକ ବିଶ୍ୱକୋଷ ଅନୁସାରେ, “ପୂର୍ବୀୟ ଦେଶଗୁଡ଼ିକ ମଧ୍ୟରେ ମିଶର ଏପରି ଏକ ଦେଶ ଥିଲା, ଯେଉଁଠାରେ ଲୋକେ ଦାଢ଼ି ରଖୁ ନ ଥିଲେ ।”

କʼଣ ଯୋଷେଫ କେବଳ ଦାଢ଼ି ଖିଅର କଲେ ? ବିବ୍ଲିକାଲ ଆର୍କିଓଲୋଜି ରିଭ୍ୟୁ ନାମକ ଏକ ପତ୍ରିକା କହେ ଯେ ମିଶର ଦେଶର କିଛି ରୀତିନୀତି ଅନୁସାରେ ଜଣେ ବ୍ୟକ୍ତି ଫାରୋର ସାମନାରେ ଉପସ୍ଥିତ ହେବା ପାଇଁ ତାକୁ ଏପରି ସମସ୍ତ ପ୍ରସ୍ତୁତି କରିବାକୁ ହେଉଥିଲା, ଯାହା ସେ ମନ୍ଦିର ଯିବା ପୂର୍ବରୁ କରୁଥିଲା । ଯଦି ଏକଥା ସତ, ତେବେ ଯୋଷେଫଙ୍କୁ ନିଜ ଶରୀର ଓ ମୁଣ୍ଡର କେଶ ମୁଣ୍ଡନ କରିବାକୁ ପଡ଼ିଥିବ ।

ପ୍ର୦୯-ହି ୧୧/୧୫ ୨୮ ¶୧୪

ଈଶ୍ୱରଙ୍କ ସେବକ ଭାବେ ଭଲ ବ୍ୟବହାର ଦେଖାନ୍ତୁ

୧୪ ପ୍ରାଚୀନ ସମୟରେ, ଈଶ୍ୱରଙ୍କ ଭୟ କରୁଥିବା ପିତାମାତାମାନେ ଭଲ ଆଚରଣ ଦେଖାଇବା ବିଷୟରେ ନିଜ ପିଲାଙ୍କୁ ଘରେ ହିଁ ଶିଖାଉଥିଲେ । ଧ୍ୟାନ ଦିଅନ୍ତୁ ଯେ ଆଦି ପୁସ୍ତକ ୨୨:୭ ପଦରେ ଅବ୍ରହାମ ଓ ତାଙ୍କ ପୁଅ ଇସ୍‌ହାକ ପରସ୍ପର ସହ କିପରି କଥା ହେଲେ । ଯୋଷେଫଙ୍କ ଉଦାହରଣ ମଧ୍ୟ ଦେଖାଏ ଯେ ସେ ନିଜ ପିତାମାତାଙ୍କଠାରୁ ଭଲ ସଂସ୍କାର ପାଇଥିଲେ । ଯେତେବେଳେ ସେ ଜେଲରେ ଥିଲେ, ସେତେବେଳେ ମଧ୍ୟ ସେ ଅନ୍ୟ କଏଦୀମାନଙ୍କୁ ଭଲ ବ୍ୟବହାର ଦେଖାଇଲେ । (ଆଦି. ୪୦:୮, ୧୪) ତାʼ ଛଡ଼ା, ସେ ଯେପରି ଭାବେ ଫାରୋ ସହ କଥା ହେଲେ, ତାହା ଦେଖାଏ ଯେ ଅଧିକାରୀମାନଙ୍କ ସହ କିପରି କଥା ହେବା ଉଚିତ୍‌, ସେ ଜାଣିଥିଲେ ।—ଆଦି. ୪୧:୧୬, ୩୩, ୩୪.

୨୫-୩୧ ମେ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୨-୪୩

“ଯୋଷେଫ ସଂଯମ ରଖିଲେ”

ପ୍ର୧୫-ହି ୭/୧ ୧୩ ¶୫

“ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି ?”

ଯୋଷେଫ ନିଜ ଭାଇମାନଙ୍କୁ ଦେଖିବା ମାତ୍ରେ ହିଁ ଚିହ୍ନି ପକାଇଲେ ! ଆଉ, ଯେତେବେଳେ ସେ ଦେଖିଲେ ଯେ ସେମାନେ ତାଙ୍କୁ ଭୂମିଷ୍ଠ ପ୍ରଣାମ କରୁଛନ୍ତି, ସେତେବେଳେ ତାଙ୍କୁ ନିଜ ପିଲାଦିନର କଥା ମନେ ପଡ଼ିଗଲା । ବାଇବଲ କହେ ଯେ ଯିହୋବା ଯୋଷେଫଙ୍କୁ ପିଲାଦିନେ ଯେଉଁସବୁ ସ୍ୱପ୍ନ ଦେଖାଇଥିଲେ, ସେ ‘ତାହା ସ୍ମରଣ କଲେ’ । ଏହି ସ୍ୱପ୍ନଗୁଡ଼ିକରେ ଯିହୋବା ତାଙ୍କୁ କହିଥିଲେ ଯେ ଏପରି ସମୟ ଆସିବ, ଯେତେବେଳେ ତାଙ୍କ ଭାଇମାନେ ତାଙ୍କୁ ଭୂମିଷ୍ଠ ପ୍ରଣାମ କରିବେ । ଆଉ, ଏବେ ଠିକ୍‌ ସେହିପରି ହେଉଥିଲା ! (ଆଦି ପୁସ୍ତକ ୩୭:୨, ୫-୯; ୪୨:୭, ୯) ଏବେ ଯୋଷେଫ କʼଣ କରନ୍ତେ ? କʼଣ ସେ ସେମାନଙ୍କୁ ଆଲିଙ୍ଗନ କରନ୍ତେ ନା ସେମାନଙ୍କ ପ୍ରତିଶୋଧ ନିଅନ୍ତେ ?

ପ୍ର୧୫-ହି ୭/୧ ୧୪ ¶୧

“ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି ?”

ଆପଣଙ୍କୁ ଜୀବନରେ ହୁଏତ ଏପରି ପରିସ୍ଥିତିର କେବେ ସାମନା କରିବାକୁ ପଡ଼ି ନ ପାରେ । କିନ୍ତୁ ଆଜି ପରିବାରରେ ଝଗଡ଼ା ଏବଂ ପରିବାର ଭାଙ୍ଗିବା ସାଧାରଣ କଥା ହୋଇଯାଇଛି । ଯଦି ଆମକୁ ଏପରି ପରିସ୍ଥିତିର ସାମନା କରିବାକୁ ପଡ଼େ, ତେବେ ହୁଏତ ଆମେ ନିଜ ହୃଦୟର କଥା ଶୁଣିପାରୁ ଏବଂ ଭାବନାଗୁଡ଼ିକ ଉପରେ ସଂଯମ ନ ରଖି ତରବରରେ କିଛି ନିଷ୍ପତ୍ତି ନେଇପାରୁ । କିନ୍ତୁ ଏହା ବୁଦ୍ଧିମତ୍ତା ହେବ ଯେ ଆମେ ଯୋଷେଫଙ୍କ ଭଳି ଭାବିଚିନ୍ତି ନିଷ୍ପତ୍ତି ନେବା ଏବଂ ସମସ୍ୟାଗୁଡ଼ିକର ଏପରି ସମାଧାନ କରିବା, ଯେପରି ଯିହୋବା ଚାହାନ୍ତି । (ହିତୋପଦେଶ ୧୪:୧୨) ସର୍ବଦା ମନେ ରଖନ୍ତୁ ଯେ ପରିବାରର ସଦସ୍ୟଙ୍କ ସହ ଶାନ୍ତି ବଜାୟ ରଖିବା ତ ବହୁତ ଜରୁରୀ, କିନ୍ତୁ ତାʼଠାରୁ ମଧ୍ୟ ଅଧିକ ଜରୁରୀ ହେଉଛି, ଯିହୋବା ଈଶ୍ୱର ଓ ତାହାଙ୍କ ପୁତ୍ରଙ୍କ ସହ ଶାନ୍ତି ବଜାୟ ରଖିବା ।—ମାଥିଉ ୧୦:୩୭.

ପ୍ର୧୫-ହି ୭/୧ ୧୪ ¶୨

“ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି ?”

ଯୋଷେଫ ନିଜ ଭାଇମାନଙ୍କ ହୃଦୟକୁ ପରୀକ୍ଷା କରିବା ପାଇଁ ଗୋଟିଏ ପରେ ଗୋଟିଏ ଅନେକ ପରୀକ୍ଷା କଲେ । ପ୍ରଥମେ ସେ ଜଣେ ଅନୁବାଦକଙ୍କ ମାଧ୍ୟମରେ ନିଜ ଭାଇମାନଙ୍କ ସହ ନିଷ୍ଠୁର ଭାବେ କଥା ହେଲେ ଏବଂ ସେମାନଙ୍କୁ ବିଦେଶୀ ଗୁପ୍ତଚର ବୋଲି ଦୋଷାରୋପ କଲେ । ସେମାନଙ୍କ ଭାଇମାନେ ନିଜକୁ ନିର୍ଦୋଷ ବୋଲି ଦେଖାଇବାକୁ ଯାଇ ନିଜ ଭାଇ ଓ ନିଜ ପରିବାର ବିଷୟରେ କହନ୍ତି । ସେମାନେ ଏହା ମଧ୍ୟ କହନ୍ତି ଯେ ଘରେ ସେମାନଙ୍କ ଏକ ଛୋଟ ଭାଇ ମଧ୍ୟ ଅଛି । ଯୋଷେଫଙ୍କ ହୃଦୟ ଖୁସିରେ ନାଚି ଉଠେ । କିନ୍ତୁ ସେ ନିଜ ଖୁସି ପ୍ରକାଶ କରନ୍ତି ନାହିଁ । ସେ ଭାବିଥିବେ, ‘କଅଣ ସତରେ ମୋ ଛୋଟ ଭାଇ ଜୀବିତ ଅଛି ?’ ଏବେ ଯୋଷେଫ ସେମାନଙ୍କୁ ପରୀକ୍ଷା କରିବା ପାଇଁ ଗୋଟିଏ ଉପାୟ ଆପଣାନ୍ତି । ସେ ସେମାନଙ୍କୁ କହନ୍ତି, “ଏହା ଦ୍ୱାରା ତୁମ୍ଭମାନଙ୍କୁ ପରୀକ୍ଷା କରାଯିବ ।” ଆଉ, ସେମାନଙ୍କୁ ଆଦେଶ ଦିଅନ୍ତି ଯେ ସେମାନେ ନିଜ ଛୋଟ ଭାଇକୁ ତାଙ୍କ ସାମନାରେ ଆଣନ୍ତୁ । କିଛି ସମୟ ପରେ, ସେ ସେମାନଙ୍କୁ କହନ୍ତି ଯେ ଯଦି ସେମାନଙ୍କ ମଧ୍ୟରୁ ଜଣେ ମିଶରରେ ବନ୍ଦୀ ହୋଇ ରହିବେ, ତେବେଯାଇ ସେ ଅନ୍ୟ ଭାଇମାନଙ୍କୁ ନିଜ ଛୋଟ ଭାଇକୁ ଆଣିବା ପାଇଁ ଘରକୁ ଯିବା ପାଇଁ ଅନୁମତି ଦେବେ ।—ଆଦି ପୁସ୍ତକ ୪୨:୯-୨୦.

ଇନସାଇଟ୍‌-୨ ୧୦୮ ¶୪

ଯୋଷେଫ

ଯୋଷେଫଙ୍କ ଭାଇମାନେ ଭାବିଲେ ଯେ ଈଶ୍ୱର ସେମାନଙ୍କୁ ଦଣ୍ଡ ଦେଉଛନ୍ତି, କାରଣ ଅନେକ ବର୍ଷ ପୂର୍ବେ ସେମାନେ ନିଜ ଭାଇକୁ ଦାସ ଭାବେ ବିକି ଦେଇଥିଲେ । ଯୋଷେଫ ସେମାନଙ୍କ ସାମନାରେ ହିଁ ଥିଲେ, କିନ୍ତୁ ସେମାନେ ତାଙ୍କୁ ଚିହ୍ନିପାରିଲେ ନାହିଁ ଏବଂ ତାଙ୍କ ସାମନାରେ ହିଁ ସେମାନେ କରିଥିବା ଭୁଲ ପାଇଁ ଅନୁତାପ କରିବାକୁ ଲାଗିଲେ । ଏହା ଦେଖି ଯୋଷେଫ ନିଜ ହୃଦୟର କୋହକୁ ରୋକିପାରିଲେ ନାହିଁ ଏବଂ ଟିକେ ଦୂରକୁ ଯାଇ କାନ୍ଦିବାକୁ ଲାଗିଲେ । ତାʼପରେ ସେ ସେମାନଙ୍କ ପାଖକୁ ଆସିଲେ । ସେ ଶିମୀୟୋନକୁ ଅଲଗା କଲେ ଏବଂ ତାକୁ ସେପର୍ଯ୍ୟନ୍ତ ବନ୍ଦୀ କରି ରଖିଲେ, ଯେପର୍ଯ୍ୟନ୍ତ ସେମାନେ ନିଜ ଛୋଟ ଭାଇକୁ ଯୋଷେଫଙ୍କ ପାଖକୁ ନ ଆଣନ୍ତେ ।—ଆଦି ୪୨:୨୧-୨୪.

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୨ ୭୯୫

ରୁବେନ୍‌

ରୁବେନ୍‌ଙ୍କଠାରେ ଅନେକ ଭଲ ଗୁଣ ଥିଲା । ଏହା ଆମେ କାହିଁକି କହିପାରିବା ? କାରଣ ଯେତେବେଳେ ତାଙ୍କ ନଅ ଜଣ ଭାଇ ଯୋଷେଫଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ, ସେତେବେଳେ ରୁବେନ୍‌ ସେମାନଙ୍କୁ ଏପରି କରିବାକୁ ମନା କଲେ । ସେ ନିଜ ଭାଇମାନଙ୍କୁ କହିଲେ ଯେ ସେମାନେ ଯୋଷେଫଙ୍କୁ ହତ୍ୟା କରିବା ପରିବର୍ତ୍ତେ ତାଙ୍କୁ ଏକ ଗାତରେ ଫିଙ୍ଗି ଦିଅନ୍ତୁ । ରୁବେନ୍‌ ଭାବିଲେ ଯେ ସେ ପରେ ଚୁପଚାପ୍‌ ଆସି ଯୋଷେଫଙ୍କୁ ଗାତରୁ ବାହାର କରି ନିଜ ପିତାଙ୍କ ପାଖକୁ ନେଇଯିବେ । (ଆଦି ୩୭:୧୮-୩୦) କୋଡ଼ିଏ ବର୍ଷରୁ ବି ଅଧିକ ସମୟ ବିତିଯିବା ପରେ, ଯେତେବେଳେ ଯୋଷେଫଙ୍କ ଭାଇମାନଙ୍କୁ ମିଶରର ଗୁପ୍ତଚର ବୋଲି ଦୋଷାରୋପ କରାଗଲା, ସେତେବେଳେ ସେମାନେ ପରସ୍ପରକୁ କହିବାକୁ ଲାଗିଲେ ଯେ ସେମାନେ ନିଜ ଭାଇ ସହ ଯାହା କରିଥିଲେ, ସେମାନଙ୍କୁ ଆଜି ସେହି ଦୋଷର ଦଣ୍ଡ ମିଳୁଛି । ସେହି ସମୟରେ ରୁବେନ୍‌ ସେମାନଙ୍କୁ ମନେ ପକାଇଦିଅନ୍ତି ଯେ ସେ ସେମାନଙ୍କ ଷଡ଼ଯନ୍ତ୍ରରେ ସାମିଲ୍‌ ନ ଥିଲେ । (ଆଦି ୪୨:୯-୧୪, ୨୧, ୨୨) ଯୋଷେଫଙ୍କ ଭାଇମାନେ ଯେତେବେଳେ ଦ୍ୱିତୀୟ ଥର ମିଶରକୁ ଯାଉଥିଲେ, ସେତେବେଳେ ସେମାନଙ୍କ ପିତା ଯାକୁବ ବିନ୍ୟାମିନଙ୍କୁ ସେମାନଙ୍କ ସହିତ ଯିବା ପାଇଁ ମନା କରିଦେଲେ । ଏପରି ପରିସ୍ଥିତିରେ ରୁବେନ୍‌ ଏକ ଗ୍ୟାରେଣ୍ଟି ଭାବେ ନିଜର ଦୁଇ ପୁଅଙ୍କୁ ଯାକୁବଙ୍କୁ ଦେଲେ ଏବଂ କହିଲେ, “ମୁଁ ଯେବେ ତୁମ୍ଭ ପାଖକୁ ତାକୁ ନ ଆଣେ, ତେବେ ତୁମ୍ଭେ ମୋର ଦୁଇ ପୁଅଙ୍କୁ ବଧ କରିବ ।”—ଆଦି ୪୨:୩୭.

ପ୍ର୦୪-ହି ୧/୧୫ ୨୯ ¶୧

ଆଦି ପୁସ୍ତକ ବହିର ମୁଖ୍ୟାଂଶ—୨

୪୩:୩୨—ଏବ୍ରୀମାନଙ୍କ ସହ ଭୋଜନ କରିବା ମିଶରୀୟମାନଙ୍କ ପାଇଁ କାହିଁକି ଘୃଣିତ କାମ ଥିଲା ? ସବୁଠାରୁ ବଡ଼ କାରଣ ଏହା ହୋଇପାରେ ଯେ ସେମାନେ ଅନ୍ୟ ଧର୍ମଗୁଡ଼ିକୁ ଘୃଣା କରୁଥିଲେ କିମ୍ବା ସେମାନେ ନିଜ ଜାତିକୁ ନେଇ ଅହଙ୍କାର କରୁଥିଲେ । ମିଶରୀୟମାନେ ମେଷପାଳକମାନଙ୍କୁ ମଧ୍ୟ ଘୃଣା କରୁଥିଲେ । (ଆଦି ପୁସ୍ତକ ୪୬:୩୪) କାହିଁକି ? କାରଣ ମିଶରୀୟ ସମାଜରେ ମେଷ ଚରାଉଥିବା ଲୋକେ ହୁଏତ ସବୁଠାରୁ ନୀଚ ଜାତିର ଥିଲେ । କିମ୍ବା ଏହା ମଧ୍ୟ ହୋଇପାରେ ଯେ ମିଶର ଦେଶରେ ଚାଷଜମି କମ୍‌ ଥିବାରୁ ସେମାନେ ଏପରି ଲୋକମାନଙ୍କ ଉପରେ ବିରକ୍ତ ହେଉଥିଲେ, ଯେଉଁମାନେ ନିଜ ମେଷ ପଲକୁ ଚରାଇବା ପାଇଁ ସେମାନଙ୍କ ଚାଷଜମିକୁ ପଶି ଆସୁଥିଲେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ