ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • mwbr20 ଜୁନ୍‌ ପୃଷ୍ଠା ୧-୮
  • ଜୁନ୍‌—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଜୁନ୍‌—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ
  • ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
  • ଉପଶୀର୍ଷକ
  • ୧-୭ ଜୁନ୍‌
  • ୮-୧୪ ଜୁନ୍‌
  • ୧୫-୨୧ ଜୁନ୍‌
  • ୨୨-୨୮ ଜୁନ୍‌
  • ୨୯ ଜୁନ୍‌–୫ ଜୁଲାଇ
ଜୀବନ ଓ ସେବା ପାଇଁ ରେଫରେନ୍‌ସ—ସଭା ପୁସ୍ତିକା (୨୦୨୦)
mwbr20 ଜୁନ୍‌ ପୃଷ୍ଠା ୧-୮

ଜୁନ୍‌—ଜୀବନ ଓ ସେବା ସଭା ପୁସ୍ତିକା ପାଇଁ ରେଫରେନ୍‌ସ

୧-୭ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୪-୪୫

“ଯୋଷେଫ ନିଜ ଭାଇମାନଙ୍କୁ କ୍ଷମା କରନ୍ତି”

ପ୍ର୧୫-ହି ୭/୧ ୧୪-୧୫

“ମୁଁ କʼଣ ପରମେଶ୍ୱରଙ୍କର ପ୍ରତିନିଧି ?”

ତାʼପରେ ଯୋଷେଫ ଏକ କୌଶଳ କଲେ । ସେ ନିଜ ସେବକମାନଙ୍କୁ କହିଲେ ଯେ ସେମାନେ ତାଙ୍କ ଭାଇମାନଙ୍କର ପିଛା କରନ୍ତୁ, ସେମାନଙ୍କୁ ବନ୍ଦୀ କରନ୍ତୁ ଏବଂ ସେମାନଙ୍କ ଉପରେ ରୁପାର ତାଟିଆ ବା ଗିନା ଚୋରି କରିଥିବାର ଦୋଷାରୋପ କରନ୍ତୁ । ଯେତେବେଳେ ସେହି ତାଟିଆ ବିନ୍ୟାମିନଙ୍କ ବସ୍ତାରେ ମିଳିଲା, ସେସମସ୍ତଙ୍କୁ ଯୋଷେଫଙ୍କ ପାଖକୁ ଅଣାଗଲା । ଏବେ ଯୋଷେଫଙ୍କ ପାଖରେ ଏହା ଜାଣିବାର ସୁଯୋଗ ଥିଲା ଯେ ତାଙ୍କ ଭାଇମାନଙ୍କର ବ୍ୟକ୍ତିତ୍ୱ ପ୍ରକୃତରେ କିପରି । ଯିହୁଦା ନିଜ ଭାଇମାନଙ୍କ ତରଫରୁ କଥା ହେଲେ । ସେ ଅନୁରୋଧ କଲେ ଯେ ସେମାନଙ୍କୁ ଦୟା କରାଯାଉ । ଆଉ, ଏହା ମଧ୍ୟ କହିଲେ ଯେ ସେମାନେ ସମସ୍ତେ ମିଶରରେ ଦାସ ହେବା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଯୋଷେଫ କହିଲେ ଯେ କେବଳ ବିନ୍ୟାମିନ ହିଁ ମିଶରରେ ଦାସ ହୋଇ ରହିବେ ଏବଂ ବାକି ସମସ୍ତେ ଯାଇପାରିବେ ।—ଆଦି ପୁସ୍ତକ ୪୪:୨-୧୭.

ଏହା ଦେଖି ଯିହୁଦା ନିଜ ହୃଦୟରୁ କହନ୍ତି, “ସେହି କେବଳ ତାହାର ମାତାର ଅବଶିଷ୍ଟ ପୁତ୍ର; ଏଣୁ ତାହାର ପିତା ତାହାକୁ ସ୍ନେହ କରନ୍ତି ।” ଏଥିରେ କୌଣସି ସନ୍ଦେହ ନାହିଁ ଯେ ଏକଥା ଯୋଷେଫଙ୍କ ହୃଦୟକୁ ଛୁଇଁ ଯାଇଥିବ, କାରଣ ସେ ଯାକୁବଙ୍କ ପତ୍ନୀ ରାହେଲଙ୍କ ବଡ଼ ପୁଅ ଥିଲେ ଏବଂ ବିନ୍ୟାମିନଙ୍କୁ ଜନ୍ମ ଦେବା ସମୟରେ ରାହେଲଙ୍କ ମୃତ୍ୟୁ ହୋଇଯାଇଥିଲା । ନିଜ ପିତାଙ୍କ ଭଳି ଯୋଷେଫଙ୍କ ହୃଦୟରେ ମଧ୍ୟ ନିଜ ମାଆଙ୍କର ମିଠା ସ୍ମୃତିଗୁଡ଼ିକ ତାଜା ଥିଲା । ଏକଥା ଶୁଣିବା ପରେ ବିନ୍ୟାମିନ ଯୋଷେଫଙ୍କର ଆହୁରି ପ୍ରିୟ ହୋଇଗଲେ ।—ଆଦି ପୁସ୍ତକ ୩୫:୧୮-୨୦; ୪୪:୨୦.

ଯିହୁଦା ଯୋଷେଫଙ୍କୁ ଅନୁରୋଧ କରନ୍ତି ଯେ ସେ ବିନ୍ୟାମିନଙ୍କୁ ନିଜ ଦାସ ନ କରନ୍ତୁ । ଏପରିକି ସେ ନିଜେ ବିନ୍ୟାମିନଙ୍କ ବଦଳରେ ଦାସ ହେବା ପାଇଁ ପ୍ରସ୍ତୁତ ଥିଲେ । ତାʼପରେ ସେ ଏହି ମନଛୁଆଁ ପ୍ରାର୍ଥନା କଲେ: “ଏହି ଯୁବା ମୋʼ ସଙ୍ଗରେ ନ ଥିଲେ, ମୁଁ କି ପ୍ରକାରେ ପିତାଙ୍କ ନିକଟକୁ ଯାଇ ପାରିବି ? ପୁଣି ପିତାଙ୍କୁ ଯେଉଁ ବିପଦ ଘଟିବ, ତାହା କି ପ୍ରକାରେ ଅବା ଦେଖି ପାରିବି ?” (ଆଦି ପୁସ୍ତକ ୪୪:୧୮-୩୪) ଏଥିରୁ ପ୍ରମାଣିତ ହୋଇଗଲା ଯେ ଯିହୁଦା ପରିବର୍ତ୍ତନ ହୋଇଥିଲେ । ସେ ଯେ କେବଳ ହୃଦୟରୁ ପଶ୍ଚାତାପ କରିଥିଲେ ତାʼ ନୁହେଁ, ବରଂ ସେ ଅନ୍ୟମାନଙ୍କର ଦୁଃଖ ବୁଝିପାରୁଥିଲେ, ସେ ସ୍ୱାର୍ଥୀ ନ ଥିଲେ ଏବଂ ପ୍ରକୃତ ପ୍ରେମ ଦେଖାଉଥିଲେ ।

ଯୋଷେଫ ଆଉ ରହିପାରିଲେ ନାହିଁ । ତାଙ୍କ ହୃଦୟ କୋହରେ ଭରିଗଲା ଏବଂ ନିଜ ଆଖିର ଲୁହକୁ ରୋକିପାରିଲେ ନାହିଁ । ତେଣୁ ସେ ନିଜ ସମସ୍ତ ଦାସମାନଙ୍କୁ ଚାଲିଯିବା ପାଇଁ କହିଲେ ଏବଂ ତାʼପରେ ଉଚ୍ଚ ସ୍ୱରରେ କାନ୍ଦିବାକୁ ଲାଗିଲେ । ତାଙ୍କ କାନ୍ଦିବାର ସ୍ୱର ରାଜାଙ୍କ ପ୍ରାସାଦ ପର୍ଯ୍ୟନ୍ତ ପହଞ୍ଚିଗଲା । ଶେଷରେ ସେ ନିଜ ଭାଇମାନଙ୍କୁ ତାଙ୍କ ପରିଚୟ ଦେବାକୁ ଯାଇ କହିଲେ, “ମୁଁ ଯୋଷେଫ ।” ଏହା ଶୁଣି ତାଙ୍କ ଭାଇମାନେ ଆଶ୍ଚର୍ଯ୍ୟ ହେଲେ । ସେ ସେମାନଙ୍କୁ ଆଲିଙ୍ଗନ କଲେ ଏବଂ ତାଙ୍କ ବିରୁଦ୍ଧରେ ସେମାନେ କରିଥିବା ସବୁ ଅପରାଧଗୁଡ଼ିକୁ କ୍ଷମା କରିଦେଲେ । (ଆଦି ପୁସ୍ତକ ୪୫:୧-୧୫) ଏପରି କରି ସେ ନିଜ ଈଶ୍ୱର ଯିହୋବାଙ୍କୁ ଅନୁକରଣ କଲେ, ଯିଏ ହୃଦୟ ଖୋଲି କ୍ଷମା କରନ୍ତି । (ଗୀତ ସଂହିତା ୮୬:୫) କʼଣ ଆମେ ମଧ୍ୟ ଏପରି କରିପାରିବା ?

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୨ ୮୧୩

ବସ୍ତ୍ର ଚିରିବା

ଯିହୁଦୀ ଓ ପୂର୍ବୀୟ ଦେଶଗୁଡ଼ିକର ଲୋକମାନେ ଦୁଃଖ ପ୍ରକାଶ କରିବା ପାଇଁ ନିଜ ବସ୍ତ୍ର ଚିରୁଥିଲେ, ବିଶେଷ କରି ଯେତେବେଳେ ସେମାନେ କୌଣସି ପାଖ ସମ୍ପର୍କୀୟଙ୍କ ମୃତ୍ୟୁର ଖବର ଶୁଣୁଥିଲେ । ଏପରି କରିବା ସେମାନଙ୍କ ମଧ୍ୟରେ ସାଧାରଣ କଥା ଥିଲା । ସେମାନେ ସମ୍ପୂର୍ଣ୍ଣ ଭାବେ ନିଜ ବସ୍ତ୍ର ଚିରୁ ନ ଥିଲେ, ଯାହାଫଳରେ ତାହା ଆଉ ପିନ୍ଧିବାର ଯୋଗ୍ୟ ରହୁ ନ ଥିଲା । ଏହା ପରିବର୍ତ୍ତେ, ଅଧିକାଂଶ କ୍ଷେତ୍ରରେ ସେମାନେ ନିଜ ଛାତି ପର୍ଯ୍ୟନ୍ତ ଚିରୁଥିଲେ ।

ଯେତେବେଳେ ଯାକୁବଙ୍କ ବଡ଼ ପୁଅ ରୁବେନ୍‌ ଗାତ ପାଖକୁ ଆସିଲେ ଏବଂ ଦେଖିଲେ ଯେ ଯୋଷେଫ ସେଠାରେ ନାହାନ୍ତି, ସେ ନିଜ ବସ୍ତ୍ର ଚିରିଲେ । ବାଇବଲରେ ପ୍ରଥମ ଥର ଏହି ଘଟଣାରେ ବସ୍ତ୍ର ଚିରିବା ବିଷୟରେ କୁହାଯାଇଛି । ଯୋଷେଫ ନିଜ ବସ୍ତ୍ର ଚିରି ନିଜ ଭାଇମାନଙ୍କୁ କହନ୍ତି, “ବାଳକଟି ନାହିଁ; ଆଉ ମୁଁ କେଉଁଠାକୁ ଯିବି ?” ସେ ଏଥିପାଇଁ ଏପରି କହନ୍ତି, କାରଣ ବଡ଼ ପୁଅ ହୋଇଥିବାରୁ ତାଙ୍କ ଦାୟିତ୍ୱ ଥିଲା ଯେ ସେ ଛୋଟ ଭାଇମାନଙ୍କ ଦେଖାଶୁଣା କରିବେ । ତାʼପରେ ଯେତେବେଳେ ଯାକୁବଙ୍କୁ ନିଜ ପୁଅଙ୍କ ମୃତ୍ୟୁର ମିଛ ଖବର ଦିଆଗଲା, ସେତେବେଳେ ସେ ଅତି ଦୁଃଖରେ ନିଜ ବସ୍ତ୍ର ଚିରନ୍ତି ଏବଂ ଅଣ୍ଟାରେ ଅଖା ପିନ୍ଧି ଶୋକ କରନ୍ତି । (ଆଦି ୩୭:୨୯, ୩୦, ୩୪) ପରେ ଯେତେବେଳେ ମିଶର ଦେଶରେ ବିନ୍ୟାମିନଙ୍କ ଉପରେ ଚୋରି କରିବାର ଦୋଷାରୋପ କରାଗଲା, ସେତେବେଳେ ମଧ୍ୟ ଯୋଷେଫଙ୍କ ଭାଇମାନେ ଦୁଃଖରେ ନିଜ ବସ୍ତ୍ର ଚିରନ୍ତି ।—ଆଦି ୪୪:୧୩.

ପ୍ର୦୪-ହି ୮/୧୫ ୧୫ ¶୧୫

ଅକାରଣରେ ଘୃଣାର ଶିକାର

୧୫ ବେଳେ ବେଳେ ଲୋକେ କୌଣସି କାରଣ ନ ଥାଇ ଆମକୁ ଘୃଣା କରିଥାʼନ୍ତି । ଏପରି ଲୋକଙ୍କ ପାଇଁ ଆମ ମନରେ ରାଗ ରୁଷା ନ ରଖିବାରେ କʼଣ ଆମକୁ ସାହାଯ୍ୟ କରିବ ? ଏହା ଭୁଲନ୍ତୁ ନାହିଁ ଯେ ଆମର ସବୁଠାରୁ ବଡ଼ ଶତ୍ରୁ ହେଉଛନ୍ତି, ଶୟତାନ ଓ ତାʼର ଦୁଷ୍ଟ ସ୍ୱର୍ଗଦୂତମାନେ । (ଏଫିସୀୟ ୬:୧୨) ଏହା ସତ ଯେ କିଛି ଲୋକ ସବୁ ଜାଣିଶୁଣି ମଧ୍ୟ ଆମ ଉପରେ ଅତ୍ୟାଚାର କରନ୍ତି, କିନ୍ତୁ ଅଧିକାଂଶ ଲୋକ ଅଜାଣତରେ କିମ୍ବା ଅନ୍ୟମାନଙ୍କ କଥାରେ ପଡ଼ି ଈଶ୍ୱରଙ୍କ ଲୋକମାନଙ୍କୁ ବିରୋଧ କରୁଥାʼନ୍ତି । (ଦାନିୟେଲ ୬:୪-୧୬; ୧ ତୀମଥି ୧:୧୨, ୧୩) ଯିହୋବା ଚାହାନ୍ତି, “ସମସ୍ତେ ଯେପରି ପରିତ୍ରାଣ ଓ ସତ୍ୟ ସମ୍ବନ୍ଧରେ ଜ୍ଞାନ ପ୍ରାପ୍ତ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି ।” (୧ ତୀମଥି ୨:୪) ପ୍ରକୃତରେ ଦେଖିବାକୁ ଗଲେ, ପୂର୍ବେ ଯେଉଁମାନେ ଆମ ବିରୋଧୀ ଥିଲେ, ସେମାନେ ବର୍ତ୍ତମାନ ବଦଳି ଯାଇ ଆମ ଖ୍ରୀଷ୍ଟିୟାନ ଭାଇ ହୋଇ ଯାଇଛନ୍ତି । କାରଣ ସେମାନେ ଆମ୍ଭମାନଙ୍କ ନିର୍ଦୋଷ ଚାଲିଚଲଣ ଦେଖିଛନ୍ତି । (୧ ପିତର ୨:୧୨) ଏହା ଛଡ଼ା, ଆମେ ଯାକୁବଙ୍କ ପୁଅ ଯୋଷେଫଙ୍କ ଉଦାହରଣରୁ ଏକ ଜରୁରୀ ଶିକ୍ଷା ପାଇପାରିବା । ଯୋଷେଫଙ୍କୁ ତାଙ୍କ ସାବତ ଭାଇମାନେ ବହୁତ ଦୁଃଖ ଦେଇଥିଲେ । ତଥାପି ସେ ସେମାନଙ୍କ ବିରୁଦ୍ଧରେ ନିଜ ମନରେ ଶତ୍ରୁତାର ଭାବନାକୁ ବଢ଼ିବାକୁ ଦେଇ ନ ଥିଲେ । କାହିଁକି ? କାରଣ ସେ ବୁଝିପାରିଲେ ଯେ ଯାହା କିଛି ହେଲା ସେଥିରେ ଯିହୋବାଙ୍କ ହାତ ଥିଲା, ଯିଏ ନିଜ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ଘଟଣାଗୁଡ଼ିକୁ ଭିନ୍ନ ରୂପ ଦେଇଥାʼନ୍ତି । (ଆଦି ପୁସ୍ତକ ୪୫:୪-୮) ଠିକ୍‌ ସେହିପରି, ଯେତେବେଳେ ଆମ ସହ ଅନ୍ୟାୟ ହୁଏ, ସେତେବେଳେ ତାକୁ ମଧ୍ୟ ଯିହୋବା ନିଜ ନାମର ମହିମା କରିବା ପାଇଁ ବ୍ୟବହାର କରିଥାʼନ୍ତି ।—୧ ପିତର ୪:୧୬.

୮-୧୪ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୬-୪୭

“ଦୁର୍ଭିକ୍ଷରୁ ଆଶ୍ୱସ୍ତି ମିଳିଲା”

ପ୍ର୮୮-ହି ୮/୧ ୭ ¶୨

ଦୁର୍ଭିକ୍ଷ ସମୟରେ ଜୀବନ ରକ୍ଷା ହେଲା

୨ ସୁଭିକ୍ଷର ସାତ ବର୍ଷ ଶେଷ ହେଲା । ଆଉ, ଯେପରି ଯିହୋବା ପୂର୍ବରୁ କହିଥିଲେ, ଦୁର୍ଭିକ୍ଷ ଆରମ୍ଭ ହେଲା । ଏହା ଏପରି ଏକ ଦୁର୍ଭିକ୍ଷ ଥିଲା, ଯାହା ନା କେବଳ ମିଶର ଦେଶରେ ହୋଇଥିଲା, ବରଂ “ସର୍ବଦେଶରେ” ବା ସାରା ପୃଥିବୀରେ ହୋଇଥିଲା । ଯେତେବେଳେ ମିଶର ଦେଶର ପ୍ରଜାମାନେ ଭୋକ ଉପାସରେ ଫାରୋର ସାମନାରେ ଉଚ୍ଚ ସ୍ୱରରେ ରୋଟୀ ମାଗିବାକୁ ଲାଗିଲେ, ସେତେବେଳେ ଫାରୋ ସେମାନଙ୍କୁ କହିଲା: “ତୁମ୍ଭେମାନେ ଯୋଷେଫ ନିକଟକୁ ଯାଅ; ସେ ଯାହା କହନ୍ତି, ତାହା କର ।” ଯେପର୍ଯ୍ୟନ୍ତ ସେମାନଙ୍କ ସବୁ ପଇସା ଶେଷ ନ ହେଲା, ଯୋଷେଫ ମିଶରୀୟମାନଙ୍କୁ ଆହାର ବିକିବାକୁ ଲାଗିଲେ । ତାʼପରେ ସେ ସେମାନଙ୍କ ପଶୁମାନଙ୍କ ବଦଳରେ ସେମାନଙ୍କୁ ଆହାର ଯୋଗାଇଲେ । ଶେଷରେ ପ୍ରଜାମାନେ ଯୋଷେଫଙ୍କ ପାଖକୁ ଆସି କହିଲେ: “ଆପଣ ଭକ୍ଷ୍ୟ ଦେଇ ଆମ୍ଭମାନଙ୍କୁ ଓ ଆମ୍ଭମାନଙ୍କ ଭୂମି କିଣି ନେଉନ୍ତୁ, ତହିଁରେ ଆମ୍ଭେମାନେ ଓ ଆମ୍ଭମାନଙ୍କ ଭୂମି ଫାରୋଙ୍କର ଦାସ ହେବୁ ।” ତେଣୁ ଯୋଷେଫ ମିଶରୀୟମାନଙ୍କ ସମସ୍ତ ଭୂମି ଫାରୋ ପାଇଁ କିଣି ନେଲେ ।—ଆଦି ପୁସ୍ତକ ୪୧:୫୩-୫୭; ୪୭:୧୩-୨୦.

ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ପୃ ୨୩୫ ¶୧୧-୧୨

ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ତାହାଙ୍କ ଇଚ୍ଛା ପୂରଣ କରିବ

୧୧ ସୁଭିକ୍ଷ: ଦେଖିବାକୁ ଗଲେ ଆଜି ସାରା ପୃଥିବୀରେ ଦୁର୍ଭିକ୍ଷ ପଡ଼ିଛି । ବାଇବଲରେ ପୂର୍ବରୁ କୁହାଯାଇଥିଲା, “ଯିହୋବା କହନ୍ତି, ଦେଖ, ଯେଉଁଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣା କରିବା, ଏପରି ଦିନ ଆସୁଅଛି, ତାହା ଅନ୍ନ କିଅବା ଜଳ ପିପାସାର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ ।” (ଆମୋ ୮:୧୧) କʼଣ ଆଗାମୀ ଈଶ୍ୱରଙ୍କ ରାଜ୍ୟର ନାଗରିକମାନେ ମଧ୍ୟ ସେହି ଦୁର୍ଭିକ୍ଷର ଯନ୍ତ୍ରଣା ସହୁଛନ୍ତି ? ଯିହୋବା ଭବିଷ୍ୟତବାଣୀ କରିଥିଲେ ଯେ ତାହାଙ୍କ ଲୋକମାନଙ୍କ ଓ ତାହାଙ୍କ ଶତ୍ରୁମାନଙ୍କ ଆଧ୍ୟାତ୍ମିକ ପରସ୍ଥିତି ମଧ୍ୟରେ ତଫାତ୍‌ ରହିବ । ସେ କହିଲେ, “ଆମ୍ଭର ଦାସମାନେ ଭୋଜନ କରିବେ, ମାତ୍ର ତୁମ୍ଭେମାନେ କ୍ଷୁଧାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ପାନ କରିବେ, ମାତ୍ର ତୁମ୍ଭେମାନେ ତୃଷାର୍ତ୍ତ ହେବ; ଦେଖ, ଆମ୍ଭର ଦାସମାନେ ଆନନ୍ଦ କରିବେ, ମାତ୍ର ତୁମ୍ଭେମାନେ ଲଜ୍ଜିତ ହେବ ।” (ଯିଶା ୬୫:୧୩) କʼଣ ଆପଣ ଏହି ଭବିଷ୍ୟତବାଣୀ ପୂରଣ ହେଉଥିବାର ଦେଖୁଛନ୍ତି ?

୧୨ ଈଶ୍ୱରଙ୍କ ସହ ଏକ ମଜବୁତ୍‌ ସମ୍ପର୍କ ଗଢ଼ିବା ପାଇଁ ଅନେକଗୁଡ଼ିଏ ବ୍ୟବସ୍ଥା କରାଯାଇଛି । ଏହା ଏପରି ଏକ ନଦୀ ଭଳି ଅଟେ, ଯାହା ଦିନକୁ ଦିନ ବଢ଼ି ବଢ଼ି ଯାଉଛି ଏବଂ ଗଭୀର ହୋଇ ହୋଇ ଯାଉଛି । ବାଇବଲକୁ ବୁଝିବା ପାଇଁ ଆମ ପାଖରେ ଭରପୂର ପ୍ରକାଶନଗୁଡ଼ିକ ରହିଛି । ଏହା ଛଡ଼ା ବହୁତଗୁଡ଼ିଏ ରେକଡିଙ୍ଗ୍‌ ଓ ଭିଡିଓ ରହିଛି । ସଭା, ଅଧିବେଶନ ଓ ୱେବସାଇଟ୍‌ରେ ମିଳୁଥିବା ଭରପୂର ତଥ୍ୟଗୁଡ଼ିକ ରହିଛି । ଗୋଟିଏ ପକ୍ଷରେ ଯେତେବେଳେ ସାରା ପୃଥିବୀରେ ସଠିକ୍‌ ମାର୍ଗଦର୍ଶନର ଦୁର୍ଭିକ୍ଷ ପଡ଼ିଛି, ଅନ୍ୟ ପକ୍ଷରେ ଈଶ୍ୱରଙ୍କଠାରୁ ଆମକୁ କିପରି ଭରପୂର ମାତ୍ରାରେ ଶିକ୍ଷା ମିଳୁଛି ! (ଯିହି. ୪୭:୧-୧୨; ଯୋୟେ. ୩:୧୮) ଆପଣ ଦେଖୁଛନ୍ତି ଯେ ଯିହୋବା ଆପଣଙ୍କ ଦୈନନ୍ଦିନ ଜୀବନରେ ଭରପୂର ମାତ୍ରାରେ ଆଧ୍ୟାତ୍ମିକ ଭୋଜନ ଯୋଗାଇବାର ପ୍ରତିଜ୍ଞା ପୂରଣ କରୁଛନ୍ତି । ଏହା କʼଣ ଆପଣଙ୍କ ପାଇଁ ରୋମାଞ୍ଚକର କଥା ନୁହେଁ ? କʼଣ ଆପଣ ଯିହୋବାଙ୍କ ମେଜରୁ ଲଗାତାର ଭୋଜନ ଗ୍ରହଣ କରୁଛନ୍ତି ?

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ଇନସାଇଟ୍‌-୧ ୨୨୦ ¶୧

ମନୋଭାବ ଓ ଅଙ୍ଗଭଙ୍ଗୀ

ମରିଯାଇଥିବା ବ୍ୟକ୍ତିର ଆଖି ବନ୍ଦ କରିବା । ଯିହୋବା ଯାକୁବଙ୍କୁ କହିଥିଲେ, “ଯୋଷେଫ ନିଜ ହସ୍ତରେ ତୁମ୍ଭର ଚକ୍ଷୁ ମୁଦ୍ରିତ କରିବ ।” (ଆଦି ୪୬:୪) ଯିହୋବା ଯାକୁବଙ୍କୁ ଏପରି କାହିଁକି କହିଥିଲେ ? ସେସମୟରେ ଯଦି କୌଣସି ବ୍ୟକ୍ତିର ମୃତ୍ୟୁ ହୋଇ ଯାଉଥିଲା, ତେବେ ବଡ଼ ପୁଅର ଦାୟିତ୍ୱ ଥିଲା ଯେ ସେ ତାʼର ମୃତ ବାପାର ଆଖିକୁ ବନ୍ଦ କରିବ । ଏପରି ଲାଗେ ଯେ ଯିହୋବା ଯାକୁବଙ୍କୁ କହିବାକୁ ଚାହୁଁଥିଲେ, ବଡ଼ ପୁଅର ଅଧିକାର ଯୋଷେଫଙ୍କୁ ମିଳିବ ।—୧ବଂଶା ୫:୨.

ଅଧ୍ୟୟନ ବାଇବଲ—ପ୍ରେରି ୭:୧୪ ଅଧ୍ୟୟନ ତଥ୍ୟ

ପଞ୍ଚସ୍ତରି ଜଣ: ଯେତେବେଳେ ସ୍ତିଫାନ କହିଲେ ଯେ ମିଶରରେ ଯାକୁବଙ୍କ ପରିବାରର ସଦସ୍ୟଙ୍କ ସର୍ବମୋଟ ସଂଖ୍ୟା ପଞ୍ଚସ୍ତରି ଥିଲା, ସେତେବେଳେ ସେ ହୁଏତ ଏବ୍ରୀ ଶାସ୍ତ୍ରର କୌଣସି ପଦ ବିଷୟରେ କହୁ ନ ଥିଲେ । ଏହି ସଂଖ୍ୟା ଏବ୍ରୀ ଶାସ୍ତ୍ରର ମସୋରା ପାଠରେ ମଧ୍ୟ ଆଦୌ ମିଳେ ନାହିଁ । ଆଦି ୪୬:୨୬ ପଦ କହେ, “ଯାକୁବଙ୍କ କଟିରୁ ଉତ୍ପନ୍ନ ଯେଉଁ ପ୍ରାଣୀଗଣ ତାଙ୍କ ସଙ୍ଗରେ ମିସରରେ ଉପସ୍ଥିତ ହେଲେ, ଯାକୁବଙ୍କ ପୁତ୍ରବଧୂମାନଙ୍କ ଛଡ଼ା ସେମାନେ ସର୍ବସୁଦ୍ଧା ଛଅଷଠି ପ୍ରାଣୀ ଥିଲେ ।” ୨୭ ପଦ କହେ, “ମିସରକୁ ଆଗତ ଯାକୁବଙ୍କର ପରିଜନ ସର୍ବସୁଦ୍ଧା ସତୁରି ଜଣ ଥିଲେ ।” ଏହି ଉଭୟ ପଦରେ ଲୋକମାନଙ୍କର ସଂଖ୍ୟା ଦୁଇଟି ଭିନ୍ନ ଭିନ୍ନ ଉପାୟରେ ଗଣାଯାଇଛି । ୨୬ ପଦରେ ହୁଏତ କେବଳ ଯାକୁବଙ୍କ ବଂଶ ବିଷୟରେ କୁହାଯାଇଛି, କିନ୍ତୁ ୨୭ ପଦରେ ଯାକୁବଙ୍କ କୁଟୁମ୍ବର ଏପରି ସମସ୍ତ ଲୋକମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ମିଶରକୁ ଆସିଥିଲେ । ଯାତ୍ରା ୧:୫ ଓ ଦ୍ୱିବି ୧୦:୨୨ ପଦରେ ମଧ୍ୟ ଏହି ସଂଖ୍ୟା “ସତୁରି” ଦିଆଯାଇଛି । ସ୍ତିଫାନ ତୃତୀୟ ସଂଖ୍ୟା “୭୫” ଉଲ୍ଲେଖ କଲେ । ସେ ହୁଏତ ଯାକୁବଙ୍କ କୁଟୁମ୍ବରେ ଆହୁରି କିଛି ଲୋକଙ୍କୁ ସାମିଲ୍‌ କରିଥିବେ । କିଛି ଲୋକ ବିଶ୍ୱାସ କରନ୍ତି ଯେ ସ୍ତିଫାନ ଏଥିରେ ମନଃଶି ଓ ଇଫ୍ରୟିମଙ୍କ ପୁଅ ଓ ନାତିମାନଙ୍କୁ ମଧ୍ୟ ଗଣିଥିବେ । ଯୋଷେଫଙ୍କ ପୁଅ ମନଃଶି ଓ ଇଫ୍ରୟିମଙ୍କ ବିଷୟରେ ସେପ୍ଟୁଆଜେଣ୍ଟ ଅନୁବାଦରେ ଆଦି ୪୬:୨୦ ପଦରେ ଆସେ । ଆଉ କିଛି ଲୋକ ବିଶ୍ୱାସ କରନ୍ତି ଯେ ଏହି ସଂଖ୍ୟାରେ ଯାକୁବଙ୍କ ବୋହୂମାନେ ମଧ୍ୟ ସାମିଲ୍‌ ଅଛନ୍ତି, ଯେଉଁମାନଙ୍କୁ ଆଦି ୪୬:୨୬ ପଦରେ ଗଣାଯାଇ ନ ଥିଲା । ତେଣୁ ଆମେ କହିପାରିବା ଯେ ମିଶରରେ ଯାକୁବଙ୍କ କୁଟୁମ୍ବର ସର୍ବମୋଟ ସଂଖ୍ୟା “ପଞ୍ଚସ୍ତରି” ଥିଲା । ପ୍ରଥମ ଶତାବ୍ଦୀରେ ଏବ୍ରୀ ଶାସ୍ତ୍ରର ଯେଉଁ ଲେଖାଗୁଡ଼ିକ ଉପଲବ୍ଧ ଥିଲା, ହୁଏତ ସେଗୁଡ଼ିକର ଆଧାରରେ ଏହି ସଂଖ୍ୟା କୁହାଯାଇଥିଲା । ବହୁବର୍ଷ ହେଲା ବିଦ୍ୱାନ୍‌ମାନେ ବିଶ୍ୱାସ କରନ୍ତି ଯେ ଗ୍ରୀକ୍‌ ସେପ୍ଟୁଆଜେଣ୍ଟରେ ଆଦି ୪୬:୨୭ ଓ ଯାତ୍ରା ୧:୫ ପଦରେ ଲୋକମାନଙ୍କର ସଂଖ୍ୟା “ପଞ୍ଚସ୍ତରି” କୁହାଯାଇଥିଲା । ଏହା ଛଡ଼ା, ବିଂଶ ଶତାବ୍ଦୀରେ ମୃତ ସାଗର ପାଖରେ ଦୁଇଟି ନଳାକାର ପୁସ୍ତକର କିଛି ଅଂଶ ମିଳିଥିଲା, ଯେଉଁଥିରେ ଏବ୍ରୀରେ ଯାତ୍ରା ୧:୫ ପଦ ଦିଆଯାଇଛି । ସେଗୁଡ଼ିକରେ ମଧ୍ୟ ଏହି ସଂଖ୍ୟା “ପଞ୍ଚସ୍ତରି” ଦିଆଯାଇଛି । ସ୍ତିଫାନ ହୁଏତ ଏହି ପ୍ରାଚୀନ ଲିପିଗୁଡ଼ିକର ଆଧାରରେ ଲୋକମାନଙ୍କର ସଂଖ୍ୟା “ପଞ୍ଚସ୍ତରି” କହିଲେ । ଏହି କଥାରେ କେତେ ସତ୍ୟତା ରହିଛି, ତାହା ଆମେ ନିଶ୍ଚିତ ଭାବେ କହିପାରିବା ନାହିଁ । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ସ୍ତିଫାନ ଏକ ଭିନ୍ନ ଉପାୟରେ ଲୋକମାନଙ୍କର ହିସାବ କଲେ ଏବଂ ଆଦି ପୁସ୍ତକରେ ଭିନ୍ନ ଉପାୟରେ ଲୋକମାନଙ୍କର ହିସାବ କରାଯାଇଥିଲା ।

୧୫-୨୧ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଆଦି ପୁସ୍ତକ ୪୮-୫୦

“ବୃଦ୍ଧବୃଦ୍ଧା ଭାଇଭଉଣୀଙ୍କଠାରୁ ବହୁତ କିଛି ଶିଖିପାରିବା”

ଇନସାଇଟ୍‌-୧ ୧୨୪୬ ¶୮

ଯାକୁବ

ଯାକୁବ ନିଜ ମୃତ୍ୟୁର କିଛି ସମୟ ପୂର୍ବରୁ ଯୋଷେଫଙ୍କ ପୁଅମାନଙ୍କୁ ଅର୍ଥାତ୍‌ ନିଜ ନାତିମାନଙ୍କୁ ଆଶୀର୍ବାଦ କଲେ । ଈଶ୍ୱରଙ୍କ ମାର୍ଗଦର୍ଶନ ଅନୁସାରେ ସେ ପ୍ରଥମେ ନିଜ ଛୋଟ ପୁଅ ଇଫ୍ରୟିମକୁ ଆଶୀର୍ବାଦ କଲେ, ତାʼପରେ ମନଃଶିକୁ । ଏହା ପରେ ଯାକୁବ ଯୋଷେଫଙ୍କୁ, ଯାହାଙ୍କୁ ବଡ଼ ପୁଅ ହୋଇଥିବାରୁ ତାଙ୍କ ସମ୍ପତ୍ତିର ଦୁଇ ଗୁଣ ଭାଗ ମିଳନ୍ତା, ଏହି ଭରସା ଦେଲେ: “ମୁଁ ଆପଣା ଖଡ଼୍‌ଗ ଓ ଧନୁ ଦ୍ୱାରା ଇମୋରୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭ୍ରାତୃଗଣ ଅପେକ୍ଷା ସେହି ଅଧିକ ଅଂଶ ତୁମ୍ଭକୁ ଦେଲି ।” (ଆଦି ୪୮:୧-୨୨; ୧ ବଂଶା ୫:୧) କʼଣ ଯାକୁବ ହମୋରର ସନ୍ତାନମାନଙ୍କଠାରୁ ନେଇଥିବା ଜମି ବିଷୟରେ କହୁଥିଲେ ? ନା, ସେ ଶିଖିମ ପାଖରେ ଥିବା ସେହି ଜମିକୁ ଯୁଦ୍ଧ କରି ନୁହେଁ, ବରଂ ପଇସା ଦେଇ କିଣିଥିଲେ । (ଆଦି ୩୩:୧୯, ୨୦) ତେଣୁ ଏପରି ଜଣାପଡ଼େ ଯେ ଯାକୁବ ଯୋଷେଫଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ପ୍ରକୃତରେ ଏହାର ଭବିଷ୍ୟତବାଣୀ ଥିଲା ଯେ ଆଗକୁ ଯାଇ ଯାକୁବଙ୍କ ବଂଶ କିଣାନ ଦେଶ ଉପରେ ଜୟ କରନ୍ତା । ଏହି ଭବିଷ୍ୟତବାଣୀ ପୂରଣ ହେବା ଉପରେ ଯାକୁବଙ୍କର ଏତେ ବିଶ୍ୱାସ ଥିଲା ଯେ ସେ ଏକଥାକୁ ଏପରି ଭାବେ କହିଲେ, ସତେ ଯେପରି ସେ ନିଜେ ନିଜ ଖଣ୍ଡା ଓ ଧନୁ ଦ୍ୱାରା କିଣାନ ଉପରେ ଜୟ ଲାଭ କରି ସାରିଛନ୍ତି । ଆଗକୁ ଯାଇ, ଯେତେବେଳେ ଇସ୍ରାଏଲୀୟମାନେ କିଣାନ ଦେଶରେ ରହିଲେ, ସେତେବେଳେ ଇଫ୍ରୟିମ ଓ ମନଃଶିକୁ ଜମିର ଦୁଇ ଭାଗ ମିଳିଲା । ଏହିପରି ଭାବେ, ଯୋଷେଫଙ୍କୁ ବଡ଼ ପୁଅ ହୋଇଥିବାରୁ ଦୁଇ ଗୁଣ ଭାଗ ମିଳିଲା ।

ଇନସାଇଟ୍‌-୨ ୨୦୬ ¶୧

ଶେଷ କାଳ

ନିଜ ମୃତ୍ୟୁ ପୂର୍ବରୁ ଯାକୁବଙ୍କ ଭବିଷ୍ୟତବାଣୀ—ଯାକୁବ ନିଜ ପୁଅମାନଙ୍କୁ କହିଲେ, “ତୁମ୍ଭେମାନେ ଏକତ୍ର ହୁଅ; ଶେଷ କାଳରେ ତୁମ୍ଭମାନଙ୍କ ପ୍ରତି ଯାହା ଘଟିବ, ତାହା ତୁମ୍ଭମାନଙ୍କୁ କହୁଅଛି ।” “ଶେଷ କାଳରେ” କହି ଯାକୁବ କʼଣ କହିବାକୁ ଚାହୁଁଥିଲେ ? ସେ ଭବିଷ୍ୟତର ସେହି ସମୟ ବିଷୟରେ କହୁଥିଲେ, ଯେତେବେଳେ ତାଙ୍କ କହିଥିବା କଥାଗୁଡ଼ିକ ପୂରଣ ହେବା ଆରମ୍ଭ ହୋଇଥାʼନ୍ତା । (ଆଦି ୪୯:୧) ଏହାର ପ୍ରାୟ ୨୦୦ ବର୍ଷ ପୂର୍ବେ, ଯିହୋବା ଯାକୁବଙ୍କ ଅଜା ଅବ୍ରାମଙ୍କୁ (ଅବ୍ରହାମଙ୍କୁ) କହିଥିଲେ ଯେ ତାଙ୍କ ବଂଶକୁ ୪୦୦ ବର୍ଷ ପର୍ଯ୍ୟନ୍ତ ଅତ୍ୟାଚାର କରାଯିବ । (ଆଦି ୧୫:୧୩) ଏହାକୁ ଧ୍ୟାନରେ ରଖି କୁହାଯାଇପାରିବ ଯେ ଯାକୁବ ଯେଉଁ ସମୟ ବିଷୟରେ କହୁଥିଲେ ସେହି ସମୟ ସେତେବେଳ ପର୍ଯ୍ୟନ୍ତ ଆରମ୍ଭ ହୁଅନ୍ତା ନାହିଁ, ଯେତେବେଳ ପର୍ଯ୍ୟନ୍ତ ଏହି ୪୦୦ ବର୍ଷ ଶେଷ ହୁଅନ୍ତା ନାହିଁ । ଏହି ଭବିଷ୍ୟତବାଣୀର ଦ୍ୱିତୀୟ ପୂର୍ତ୍ତି ମଧ୍ୟ ହେବାର ଥିଲା ଏବଂ ଏହା “ଈଶ୍ୱରଙ୍କର ଇସ୍ରାଏଲ” ଉପରେ ପୂରଣ ହୁଅନ୍ତା ।—ଗାଲା ୬:୧୬; ରୋମୀ ୯:୬.

ପ୍ର୦୭-ହି ୬/୧ ୨୮ ¶୧୦

ବୃଦ୍ଧବୃଦ୍ଧା ଭାଇଭଉଣୀ—ଯୁବକଯୁବତୀମାନଙ୍କ ପାଇଁ ଏକ ଆଶିଷ

୧୦ ବୃଦ୍ଧବୃଦ୍ଧା ଭାଇଭଉଣୀମାନେ ନିଜ ସାଥୀ ଉପାସକମାନଙ୍କ ଉପରେ ଭଲ ପ୍ରଭାବ ପକାଇପାରନ୍ତି । ଯାକୁବଙ୍କ ପୁଅ ଯୋଷେଫଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେତେବେଳେ ତାଙ୍କୁ ୧୧୦ ବର୍ଷ ହୋଇଥିଲା, ସେତେବେଳେ ସେ “ଆପଣା ଅସ୍ଥି ସମ୍ବନ୍ଧରେ ଆଜ୍ଞା ଦେଲେ ।” ସେ କହିଲେ ଯେ ଶେଷରେ ଯେତେବେଳେ ଇସ୍ରାଏଲୀୟମାନେ ମିଶର ଦେଶରୁ ବାହାରି ଯିବେ, ସେତେବେଳେ ସେମାନଙ୍କୁ ତାଙ୍କ ଅସ୍ଥିଗୁଡ଼ିକୁ ନିଜ ସାଙ୍ଗରେ ନେଇଯିବାକୁ ହେବ । (ଏବ୍ରୀ ୧୧:୨୨; ଆଦି ୫୦:୨୫) ନିଜ ବୃଦ୍ଧାବସ୍ଥାରେ ସେହି କଥା କହି ସେ ନିଜ ବିଶ୍ୱାସ ଦେଖାଇଲେ । ଫଳରେ ତାଙ୍କ ପରେ ବଞ୍ଚିଥିବା ଲକ୍ଷ ଲକ୍ଷ ସତ୍ୟ ଉପାସକଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡ଼ିଲା । କିପରି ? ତାଙ୍କ ମୃତ୍ୟୁ ପରେ ମିଶରର ଲୋକମାନେ ଇସ୍ରାଏଲୀୟମାନଙ୍କୁ ନିଜ ଦାସ କରିନେଲେ ଏବଂ ସେମାନଙ୍କୁ ଅନେକ ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରାଇଲେ । ଏହି କଠିନ ସମୟରେ ଯୋଷେଫ ଦେଇଥିବା ଆଜ୍ଞାଟି ଆଶାର ଏକ କିରଣ ଭାବେ ସେମାନଙ୍କୁ ଭରସା ଦେଉଥିଲା ଯେ ସେମାନଙ୍କ ଉଦ୍ଧାର ନିଶ୍ଚୟ ହେବ ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୦୪-ହି ୬/୧ ୧୫ ¶୪-୫

ଈଶ୍ୱରଙ୍କ ମହିମା କରୁଥିବା ଲୋକେ ଧନ୍ୟ

୪ ପ୍ରତିଜ୍ଞା କରାଯାଇଥିବା ଦେଶରେ ପ୍ରବେଶ କରିବା ପୂର୍ବେ ଇସ୍ରାଏଲୀୟମାନଙ୍କ ମଧ୍ୟରୁ ଗାଦ୍‌ ଗୋତ୍ରର ଲୋକମାନେ ଅନୁରୋଧ କଲେ ଯେ ସେମାନଙ୍କୁ ଯର୍ଦ୍ଦନର ପୂର୍ବରେ ଥିବା ଚରାଭୂମିରେ ରହିବା ପାଇଁ ଅନୁମତି ଦିଆଯାଉ । (ଗଣନା ପୁସ୍ତକ ୩୨:୧-୫) ସେଠାରେ ରହିଲେ ଗାଦ୍‌ର ଲୋକମାନଙ୍କୁ ବଡ଼ ବଡ଼ ସମସ୍ୟାର ସାମନା କରିବାକୁ ପଡ଼ନ୍ତା । ଯର୍ଦ୍ଦନର ପଶ୍ଚିମ ପଟେ ରହୁଥିବା ଗୋତ୍ରମାନେ ଯର୍ଦ୍ଦନ ଘାଟି ଯୋଗୁଁ ସୁରକ୍ଷିତ ଥିଲେ । ଏହି ଘାଟି ଯୋଗୁଁ ଶତ୍ରୁମାନଙ୍କର ସୈନ୍ୟ ସହଜରେ ସେମାନଙ୍କ ଉପରେ ଆକ୍ରମଣ କରିପାରୁ ନ ଥିଲେ । (ଯିହୋଶୂୟ ୩:୧୩-୧୭) କିନ୍ତୁ ଯର୍ଦ୍ଦନର ପୂର୍ବରେ ବସିଥିବା ଦେଶଗୁଡ଼ିକ ବିଷୟରେ ଜର୍ଜ ଆଡାମ ସ୍ମିଥ ନିଜ ବହି, ପବିତ୍ର ଦେଶର ପ୍ରାଚୀନ ଭୂଗୋଳରେ (ଇଂରାଜୀ) କହନ୍ତି: “[ସେହି] ସମସ୍ତ ଦେଶ ସମତଳ ଓ ଖୋଲା ଜମିରେ ଥିଲା । ସେମାନଙ୍କ ପାଖକୁ ପହଞ୍ଚିବାରେ କୌଣସି ବାଧା ନ ଥିଲା ଏବଂ ସେମାନେ ସମସ୍ତେ ବିଶାଳ ଆରବୀୟ ସମତଳ ଭୂମିରେ ରହୁଥିଲେ । ଏହି କାରଣରୁ ଏହି ଦେଶଗୁଡ଼ିକ ଉପରେ ସବୁବେଳେ ଲୋଭୀ ଯାଯାବରମାନଙ୍କ ଆକ୍ରମଣର ବିପଦ ରହୁଥିଲା । ଆଉ, ଏମାନଙ୍କ ମଧ୍ୟରୁ କିଛି ଦଳ ପ୍ରତିବର୍ଷ ଏଠାକାର ଚରାଭୂମିରେ ଆସି ଆକ୍ରମଣ କରୁଥିଲେ ।”

୫ ଗାଦ୍‌ ଗୋତ୍ରର ଲୋକମାନେ ଏହି ବିପଦର ସାମନା କିପରି କରନ୍ତେ ? ଶହ ଶହ ବର୍ଷ ପୂର୍ବେ ସେମାନଙ୍କ ପୂର୍ବପୁରୁଷ ଯାକୁବ ମୃତ୍ୟୁ ପୂର୍ବରୁ ଭବିଷ୍ୟତବାଣୀ କରିଥିଲେ: “ସୈନ୍ୟଦଳ ଗାଦ୍‌କୁ ଆକ୍ରମଣ କରିବେ; ମାତ୍ର ସେ ପଶ୍ଚାତ୍‌ ସେମାନଙ୍କୁ ଆକ୍ରମଣ କରିବେ ।” (ଆଦି ପୁସ୍ତକ ୪୯:୧୯) ଦେଖିବାକୁ ଗଲେ, ଏହି ଶବ୍ଦଗୁଡ଼ିକ ହୁଏତ ନିରାଶଜନକ ଲାଗିପାରେ । କିନ୍ତୁ ପ୍ରକୃତରେ ଏହି ଶବ୍ଦଗୁଡ଼ିକରୁ ସତେ ଯେପରି ଗାଦ୍‌ ଗୋତ୍ରର ଲୋକମାନଙ୍କୁ ଏହି ଆଦେଶ ଦିଆଯାଇଥିଲା ଯେ ସେମାନେ ମଧ୍ୟ ଓଲଟା ଆକ୍ରମଣ କରନ୍ତୁ । ଯାକୁବ ସେମାନଙ୍କୁ ଭରସା ଦେଲେ ଯେ ଯଦି ସେମାନେ ଆକ୍ରମଣ କରିବେ, ତେବେ ସେହି ଲୁଟେରାମାନଙ୍କୁ ହାର୍‌ ମାନିବାକୁ ପଡ଼ିବ ଏବଂ ଗାଦ୍‌ର ଲୋକମାନେ ସେମାନଙ୍କୁ ପିଛା କରିବେ ।

ଇନସାଇଟ୍‌-୧ ୨୮୯ ¶୨

ବିନ୍ୟାମିନ

ଯାକୁବ ନିଜ ମୃତ୍ୟୁ ପୂର୍ବରୁ ନିଜ ପ୍ରିୟ ପୁତ୍ର ବିନ୍ୟାମିନଙ୍କ ବିଷୟରେ କହିଥିଲେ, “ବିନ୍ୟାମିନ ବିଦାରକ କେନ୍ଦୁଆ ତୁଲ୍ୟ; ପ୍ରାତଃକାଳରେ ସେ ମୃଗ ଭକ୍ଷଣ ଓ ସନ୍ଧ୍ୟାକାଳରେ ଶିକାର ବଣ୍ଟନ କରିବ ।” (ଆଦି ୪୯:୨୭) ଏହିପରି ଭାବେ, ଯାକୁବ ଭବିଷ୍ୟତବାଣୀ କଲେ ଯେ ବିନ୍ୟାମିନ ବଂଶର ଲୋକେ ଯୁଦ୍ଧରେ ନିପୁଣ ହେବେ । ପ୍ରକୃତରେ ଏପରି ହିଁ ହୋଇଥିଲା । ବିନ୍ୟାମିନ ଗୋତ୍ରର ସୈନିକମାନେ ଡାହାଣ ଓ ବାମ ଦୁଇ ହାତରେ ଛାଟିଣୀ ମାରିପାରୁଥିଲେ ଏବଂ ସେମାନଙ୍କ ଲକ୍ଷ୍ୟ ଭ୍ରଷ୍ଟ ହେଉ ନ ଥିଲା । କୁହାଯାଉଥିଲା ଯେ ସେମାନେ “ଏକ କେଶକୁ ହିଁ ଲକ୍ଷ୍ୟ କରି” ଛାଟିଣୀ ମାରି ପାରୁଥିଲେ । (ବିଚା ୨୦:୧୬; ୧ବଂଶା ୧୨:୨) ନିଷ୍ଠୁର ରାଜା ଇଗ୍ଲୋନକୁ ଯିଏ ମାରିଥିଲେ, ସେ ବିନ୍ୟାମିନ ଗୋତ୍ରର ଏହୂଦ୍‌ ଥିଲେ । ସେ ଜଣେ ବିଚାରକର୍ତ୍ତା ଥିଲେ ଏବଂ ବାମ ହାତରେ କାମ କରୁଥିଲେ । (ବିଚା ୩:୧୫-୨୧) ଏହା ମଧ୍ୟ ଧ୍ୟାନ ଦେବାର ବିଷୟ ଯେ ଯେତେବେଳେ ଇସ୍ରାଏଲ ରାଷ୍ଟ୍ରର ଶାସନର ‘ପ୍ରାତଃକାଳ’ ଅର୍ଥାତ୍‌ ଆରମ୍ଭ ହେଲା, ସେତେବେଳେ ବିନ୍ୟାମିନର ଗୋତ୍ର “ଇସ୍ରାଏଲ ବଂଶ ସମୂହ ମଧ୍ୟରେ କ୍ଷୁଦ୍ରତମ” ଗୋତ୍ର ଥିଲା ତଥାପି ଇସ୍ରାଏଲର ପ୍ରଥମ ରାଜା ସେହି ଗୋତ୍ରରୁ ଆସିଲେ । ତାଙ୍କ ନାମ ଥିଲା ଶାଉଲ ଏବଂ ସେ କୀଶ୍‌ର ପୁଅ ଥିଲେ । ସେ ଜଣେ ସାହସୀ ସୈନିକ ଥିଲେ ଏବଂ ସେ ଅନେକ ଥର ପଲେଷ୍ଟୀୟମାନଙ୍କୁ ଜୟ କରିଥିଲେ । (୧ଶାମୁ ୯:୧୫-୧୭, ୨୧) ଠିକ୍‌ ସେହିପରି, ଯେତେବେଳେ ଇସ୍ରାଏଲ ରାଷ୍ଟ୍ରର ସତେ ଯେପରି ‘ସନ୍ଧ୍ୟାକାଳ’ ହେଲା, ସେତେବେଳେ ମଧ୍ୟ ବିନ୍ୟାମିନ ଗୋତ୍ରରୁ ରାଣୀ ଏଷ୍ଟର ଓ ପ୍ରଧାନମନ୍ତ୍ରୀ ମର୍ଦ୍ଦଖୟ ଇସ୍ରାଏଲୀୟମାନଙ୍କୁ ବିନାଶ ହେବାଠାରୁ ରକ୍ଷା କଲେ । ଏହା ସେତେବେଳର କଥା ଯେତେବେଳେ ଇସ୍ରାଏଲୀୟମାନେ ପାରସିକ ସାମ୍ରାଜ୍ୟର ଅଧୀନରେ ଥିଲେ ।—ଏଷ୍ଟ ୨:୫-୭.

୨୨-୨୮ ଜୁନ୍‌

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୧-୩

“ଆମ୍ଭେ ଯେ ଅଛୁ, ସେ ଅଛୁ”

ପ୍ର୧୩-ହି ୩/୧୫ ୨୫ ¶୪

ଯିହୋବାଙ୍କ ମହାନ ନାମର ଆଦର କରନ୍ତୁ

୪ ଯାତ୍ରା ପୁସ୍ତକ ୩:୧୦-୧୫ ପଦ ପଢ଼ନ୍ତୁ । ଯେତେବେଳେ ମୋଶାଙ୍କୁ ୮୦ ବର୍ଷ ହୋଇଥିଲା, ସେତେବେଳେ ଈଶ୍ୱର ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେଲେ । ସେ ମୋଶାଙ୍କୁ ଆଦେଶ କଲେ, “ତୁମ୍ଭେ ମିସରଠାରୁ ଆମ୍ଭର ଲୋକ ଇସ୍ରାଏଲ-ସନ୍ତାନଗଣକୁ ବାହାର କରି ଆଣିବ ।” ଏହା ଶୁଣି ମୋଶା ଅତି ଆଦରର ସହ ଈଶ୍ୱରଙ୍କୁ ଏକ ପ୍ରଶ୍ନ କଲେ, ଯାହା ବହୁତ ମହତ୍ତ୍ୱ ରଖେ । ଗୋଟିଏ ପ୍ରକାରରେ ସେ ପଚାରିଲେ, ‘ତୁମ୍ଭ ନାମ କʼଣ ?’ କିନ୍ତୁ ଈଶ୍ୱରଙ୍କ ନାମ ତାହାଙ୍କ ସେବକମାନେ ପୂର୍ବରୁ ଜାଣିଥିଲେ । ତେବେ ମୋଶା ଏ ପ୍ରଶ୍ନ କାହିଁକି ପଚାରିଲେ ? ଏହା ସ୍ପଷ୍ଟ ଯେ ଯିହୋବା କିପରି ବ୍ୟକ୍ତି ଅଟନ୍ତି, ସେବିଷୟରେ ମୋଶା ଆହୁରି ଜାଣିବାକୁ ଚାହୁଁଥିଲେ । ସେ ଈଶ୍ୱରଙ୍କ ଏପରି ଗୁଣ ବିଷୟରେ ଜାଣିବାକୁ ଚାହୁଁଥିଲେ, ଯାହାଦ୍ୱାରା ସେ ତାହାଙ୍କ ଲୋକମାନଙ୍କୁ ଭରସା ଦେଇପାରନ୍ତେ ଯେ ଈଶ୍ୱର ପ୍ରକୃତରେ ସେମାନଙ୍କୁ ଉଦ୍ଧାର କରିବେ । ମୋଶାଙ୍କ ଏପରି ପଚାରିବା ଯଥାର୍ଥ ଥିଲା, କାରଣ ଇସ୍ରାଏଲୀୟମାନେ ବହୁ ସମୟ ଧରି ଦାସତ୍ୱରେ ଥିଲେ । ହୁଏତ ସେମାନେ ଏହା ବିଶ୍ୱାସ କରିପାରନ୍ତେ ନାହିଁ ଯେ ସେମାନଙ୍କ ପୂର୍ବପୁରୁଷମାନଙ୍କର ଈଶ୍ୱର ସେମାନଙ୍କୁ ଉଦ୍ଧାର କରିପାରିବେ । କିଛି ଇସ୍ରାଏଲୀୟମାନେ ଏପରିକି ମିଶରର ଦେବାଦେବୀମାନଙ୍କୁ ଉପାସନା କରିବା ମଧ୍ୟ ଆରମ୍ଭ କରିଦେଇଥିଲେ !—ଯିହି. ୨୦:୭, ୮.

ଈଶ୍ୱରଙ୍କ ରାଜ୍ୟ (ହିନ୍ଦୀ) ପୃ ୪୩, ବକ୍ସ

ଈଶ୍ୱରଙ୍କ ନାମର ଅର୍ଥ

ଏବ୍ରୀ ଭାଷାରେ ଯିହୋବାଙ୍କ ନାମ ଏକ କ୍ରିୟାରୁ ଆସିଛି, ଯାହାର ଅର୍ଥ ହେଉଛି “ହେବା” । କିଛି ବିଦ୍ୱାନ୍‌ମାନେ କହନ୍ତି ଯେ ଏହି କ୍ରିୟାର ଅର୍ଥ, କେହି ଅଛି ଯିଏ ତିଆରି କରୁଛି । ତେଣୁ ବହୁତ ଲୋକ ଏହା ବିଶ୍ୱାସ କରନ୍ତି ଯେ ଈଶ୍ୱରଙ୍କ ନାମର ଅର୍ଥ, “ସେ ହେବାର କାରଣ ହୁଅନ୍ତି ।” ଏହି ପରିଭାଷା ଯିହୋବାଙ୍କ ପାଇଁ ଯଥାର୍ଥ ଅଟେ, କାରଣ ସେ ସବୁକିଛି ସୃଷ୍ଟି କରିଛନ୍ତି । ସେ ଏହି ବିଶ୍ୱ, ମଣିଷଜାତି ଓ ସ୍ୱର୍ଗଦୂତମାନଙ୍କୁ ସୃଷ୍ଟି କରିଛନ୍ତି (କିମ୍ବା ସେଗୁଡ଼ିକର ହେବାର କାରଣ ହେଲେ) । ଏହା ସହିତ, ସେ ଆରମ୍ଭରୁ ଏପରି କାମ କରିଆସୁଛନ୍ତି, ଯାହାଦ୍ୱାରା ତାହାଙ୍କ ଇଚ୍ଛା ଓ ତାହାଙ୍କ ଉଦ୍ଦେଶ୍ୟ ପୂରଣ ହେବ ।

ତେବେ ଯାତ୍ରା ପୁସ୍ତକ ୩:୧୩, ୧୪ ପଦରେ ଯିହୋବା ଯାହା କହିଲେ, ତାʼର ଅର୍ଥ କʼଣ ? ମୋଶା ତାହାଙ୍କୁ ପ୍ରଶ୍ନ କରିଥିଲେ, “ମୁଁ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିବି, କି ତୁମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପରମେଶ୍ୱର ମୋତେ ତୁମ୍ଭମାନଙ୍କ ନିକଟକୁ ପଠାଇ ଅଛନ୍ତି; ପୁଣି ସେମାନେ ପଚାରିବେ, ତାହାଙ୍କର ନାମ କʼଣ ? ସେତେବେଳେ ମୁଁ କି ଉତ୍ତର ଦେବି ?” ଯିହୋବା କହିଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ ।”

ଧ୍ୟାନ ଦିଅନ୍ତୁ ଯେ ମୋଶା ଯିହୋବାଙ୍କୁ ଏହି ପ୍ରଶ୍ନ କଲେ ନାହିଁ ଯେ ତାହାଙ୍କ ନାମ କʼଣ । ମୋଶା ଓ ଇସ୍ରାଏଲୀୟମାନେ ତାହାଙ୍କ ନାମ ଭଲ ଭାବେ ଜାଣିଥିଲେ । ମୋଶା ଚାହୁଁଥିଲେ ଯେ ଯିହୋବା ନିଜ ବିଷୟରେ ଏପରି କିଛି କହନ୍ତୁ, ଯାହାଫଳରେ ତାହାଙ୍କ ଉପରେ ଲୋକଙ୍କ ବିଶ୍ୱାସ ମଜବୁତ୍‌ ହେବ । ଏହା ସହିତ, ଯିହୋବା ଏପରି କିଛି କହନ୍ତୁ, ଯେଉଁଥିରୁ ତାହାଙ୍କ ନାମର ଅର୍ଥ ମଧ୍ୟ ସ୍ପଷ୍ଟ ହେବ । ତେଣୁ ଯେତେବେଳେ ଯିହୋବା ଉତ୍ତର ଦେଲେ, “ଆମ୍ଭେ ଯେ ଅଛୁ, ସେ ଅଛୁ,” ସେତେବେଳେ ସେ ନିଜ ବିଷୟରେ ଏହି ରୋମାଞ୍ଚକର କଥା କହିଲେ: ନିଜ ଉଦ୍ଦେଶ୍ୟ ପୂରଣ କରିବା ପାଇଁ ତାଙ୍କୁ ଯାହା ହେବା ଜରୁରୀ, ସେ ହୋଇଯାʼନ୍ତି । ଉଦାହରଣ ପାଇଁ, ମୋଶା ଓ ଇସ୍ରାଏଲୀୟମାନଙ୍କ ପାଇଁ ଯିହୋବା ଏକ ଉଦ୍ଧାରକର୍ତ୍ତା, ନ୍ୟାୟଦାତା, ଆବଶ୍ୟକତା ପୂରଣ କରୁଥିବା ଈଶ୍ୱର ଏବଂ ଆହୁରି ବହୁତ କିଛି ହେଲେ । ଏହିପରି ଭାବେ, ଯିହୋବା ନିଜ ଲୋକଙ୍କୁ କରିଥିବା ପ୍ରତିଜ୍ଞାଗୁଡ଼ିକୁ ପୂରଣ କରିବା ପାଇଁ ତାଙ୍କୁ ଯାହା ହେବା ଜରୁରୀ, ତାହା ହେବାର ସେ ନିଷ୍ପତ୍ତି ନିଅନ୍ତି । କିନ୍ତୁ ଯିହୋବା ନାମର ଅର୍ଥ କେବଳ ଏହା ନୁହେଁ ଯେ ସେ ଯାହା ଚାହିଁବେ ତାହା ହୋଇପାରିବେ, ବରଂ ଏଥିରେ ଏହା ମଧ୍ୟ ସାମିଲ୍‌ ଯେ ସେ ନିଜ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ନିଜ ସୃଷ୍ଟିକୁ ମଧ୍ୟ ଯାହା ଚାହିଁବେ ତାହା କରିପାରିବେ ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ସଜା୦୪-ଇଂ ୪/୮ ୬ ¶୫

କʼଣ ବାସ୍ତବରେ ମୋଶା ନାମକ ଜଣେ ବ୍ୟକ୍ତି ଥିଲେ ?

କʼଣ ଏହାକୁ ନେଇ ଆମେ ଆଶ୍ଚର୍ଯ୍ୟ ହେବା ଉଚିତ୍‌ ଯେ ଜଣେ ମିଶରୀୟ ରାଜକୁମାରୀ ଏକ ଏବ୍ରୀ ଶିଶୁକୁ ପୋଷ୍ୟପୁତ୍ର କରିଥିଲା ? ନା, କାରଣ ମିଶରୀୟମାନଙ୍କ ଧର୍ମରେ ଶିଖାଯାଉଥିଲା ଯେ ଭଲ କାମ କରି ହିଁ ସ୍ୱର୍ଗକୁ ଯିବାର ସୁଯୋଗ ମିଳେ । ପୋଷ୍ୟପୁତ୍ର କରିବା ବିଷୟରେ ପ୍ରତ୍ନତତ୍ତ୍ୱବିତ୍‌ ଜଏସ୍‌ ଟିଲଡେସ୍‌ଲି କହନ୍ତି, “ମିଶରରେ ପୁରୁଷ ଓ ସ୍ତ୍ରୀମାନଙ୍କୁ ସମାନ ଅଧିକାର ଦିଆଯାଉଥିଲା । ସେଠାରେ ଏପରି ଆଇନ ତିଆରି କରାଯାଇଥିଲା, ଯାହାଫଳରେ ସାଧାରଣତଃ ପୁରୁଷମାନଙ୍କୁ ଆଇନ ଓ ଆର୍ଥିକ ଦୃଷ୍ଟିରୁ ଯାହାସବୁ ଅଧିକାର ମିଳୁଥିଲା, ସେହିସବୁ ଅଧିକାର ସ୍ତ୍ରୀମାନଙ୍କୁ ମଧ୍ୟ ଦିଆଯାଉଥିଲା . . . ଏବଂ ସ୍ତ୍ରୀମାନେ ଚାହିଁଲେ ପୋଷ୍ୟପୁତ୍ର ରଖିପାରୁଥିଲେ ।” ପୋଷ୍ୟପୁତ୍ର ରଖିବା ବିଷୟରେ ଏକ ପ୍ରାଚୀନ ଦଲିଲ୍‌ରେ କୁହାଯାଇଛି ଯେ ଜଣେ ମିଶରୀୟ ସ୍ତ୍ରୀ ନିଜ ଦାସମାନଙ୍କୁ ପୋଷ୍ୟପୁତ୍ର ଭାବେ ଗ୍ରହଣ କରିଥିଲା । ବାଇବଲରେ ଆମେ ପଢ଼ୁ ଯେ ଫାରୋର ଝିଅ ମୋଶାଙ୍କ ପ୍ରକୃତ ମାଆଙ୍କୁ ମୋଶାଙ୍କ ଦେଖାଶୁଣା କରିବା ପାଇଁ ରଖିଥିଲା ଏବଂ ତାଙ୍କୁ ମଜୁରି ଦିଆଯାଇଥିଲା । ଦି ଏଙ୍କର ବାଇବଲ ଡିକ୍ସନାରୀ ଅନୁସାରେ, ପ୍ରାଚୀନ ମେସୋପଟାମିଆରେ ପୋଷ୍ୟପୁତ୍ର ଗ୍ରହଣ କଲେ ଏହିପରି ବ୍ୟବସ୍ଥା କରାଯାଉଥିଲା ।

ପ୍ର୦୪-ହି ୩/୧୫ ୨୪ ¶୪

ଯାତ୍ରା ପୁସ୍ତକ ବହିର ମୁଖ୍ୟାଂଶ

୩:୧—ଯିଥ୍ରୋ କେଉଁ ପ୍ରକାରର ଯାଜକ ଥିଲା ? କୁଳପିତାମାନଙ୍କ ସମୟରେ (ଅବ୍ରହାମ, ଇସ୍‌ହାକ ଓ ଯାକୁବଙ୍କ ସମୟରେ) ପରିବାରର ମୁଖିଆ ନିଜ ପରିବାର ପାଇଁ ଯାଜକର କାମ କରୁଥିଲେ । ପ୍ରମାଣଗୁଡ଼ିକରୁ ଜଣାପଡ଼େ ଯେ ଯିଥ୍ରୋ କୌଣସି ମିଦିୟନୀୟ ଗୋତ୍ରର କୁଳପିତା ଥିଲା । ମିଦିୟନୀୟମାନେ ଅବ୍ରହାମଙ୍କ ପତ୍ନୀ କଟୁରାଙ୍କ ସନ୍ତାନ ଥିଲେ । ତେଣୁ ହୁଏତ ସେମାନେ ମଧ୍ୟ ଯିହୋବାଙ୍କ ଉପାସନା ବିଷୟରେ ଜାଣିଥିଲେ ।—ଆଦି ପୁସ୍ତକ ୨୫:୧, ୨.

୨୯ ଜୁନ୍‌–୫ ଜୁଲାଇ

ବାଇବଲର ବହୁମୂଲ୍ୟ ଧନ ପାଆନ୍ତୁ | ଯାତ୍ରା ପୁସ୍ତକ ୪-୫

“‘ଆମ୍ଭେ ତୁମ୍ଭ ମୁଖର ସହବର୍ତ୍ତୀ ହୋଇ, କʼଣ କହିବ ତୁମ୍ଭକୁ ଶିଖାଇବା’”

ପ୍ର୧୦-ହି ୧୦/୧୫ ୧୪

‘ମୁଁ ଏହା କରିପାରିବି ନାହିଁ’—ଯିହୋବା ଏପରି ଯୁକ୍ତିକୁ କେଉଁ ଦୃଷ୍ଟିରେ ଦେଖନ୍ତି ?

“ମୁଁ ଏହା ପାଇଁ ଯୋଗ୍ୟ ନୁହେଁ ।” ଆପଣ ହୁଏତ ଭାବିପାରନ୍ତି ଯେ ସୁସମାଚାର ଶୁଣାଇବା ପାଇଁ ଆପଣ ଯୋଗ୍ୟ ନୁହନ୍ତି । ବାଇବଲ ସମୟରେ ମଧ୍ୟ ଯିହୋବାଙ୍କ କିଛି ବିଶ୍ୱସ୍ତ ସେବକମାନଙ୍କୁ ଲାଗିଥିଲା ଯେ ଯିହୋବାଙ୍କ ଦ୍ୱାରା ଦିଆଯାଇଥିବା କାମକୁ ପୂରା କରିବା ପାଇଁ ସେମାନେ ଯୋଗ୍ୟ ନୁହନ୍ତି । ମୋଶାଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେତେବେଳେ ମୋଶାଙ୍କୁ ଯିହୋବାଙ୍କଠାରୁ ଏକ ବିଶେଷ କାମ କରିବା ପାଇଁ ଆଜ୍ଞା ମିଳିଲା, ସେତେବେଳେ ମୋଶା କହିଲେ: “ଏ ସମୟ ପୂର୍ବରେ, ଅବା ଆପଣ ନିଜ ଦାସ ସହିତ ଆଳାପ କଲା ଉତ୍ତାରେ ହେଁ ମୁଁ ବାକ୍ୟପତି ନୁହେଁ, ମାତ୍ର ମୁଁ ବାକ୍ୟରେ ଧୀର ଓ ଜଡ଼ଜିହ୍ୱ ଅଟେ ।” ଯଦିଓ ଯିହୋବା ତାଙ୍କୁ ଭରସା ଦେଲେ, ତଥାପି ମୋଶା କହିଲେ: “ମୁଁ ବିନୟ କରୁଅଛି, ଯାହା ଦ୍ୱାରା ପଠାଇବାର ହୁଏ, ତାହା ଦ୍ୱାରା ପଠାନ୍ତୁ ।” (ଯାତ୍ରା. ୪:୧୦-୧୩) ଏହାପରେ ଯିହୋବା କʼଣ କଲେ ?

ପ୍ର୧୪-ହି ୪/୧୫ ୯ ¶୫-୬

କʼଣ ଆପଣ “ଅଦୃଶ୍ୟ” ଈଶ୍ୱରଙ୍କୁ ଦେଖିପାରନ୍ତି ?

୫ ମୋଶା ମିଶରକୁ ଫେରିବା ପୂର୍ବରୁ ଈଶ୍ୱର ତାଙ୍କୁ ଏକ ଜରୁରୀ ଶିକ୍ଷା ଦେଲେ । ଏହି ଶିକ୍ଷା ବିଷୟରେ ମୋଶା ଆଗକୁ ଯାଇ ଆୟୁବ ବହିରେ ଲେଖିଲେ: “ପ୍ରଭୁ ବିଷୟକ ଭୟ ହିଁ ଜ୍ଞାନ ।” (ଆୟୁ. ୨୮:୨୮) ମୋଶାଙ୍କୁ ନିଜଠାରେ ସଠିକ୍‌ ପ୍ରକାରର ଭୟ ଉତ୍ପନ୍ନ କରିବା ଏବଂ ବୁଦ୍ଧିମତ୍ତାର ସହ ଚାଲିବା ଶିଖାଇବା ପାଇଁ ସର୍ବଶକ୍ତିମାନ ଈଶ୍ୱର ଯିହୋବା ମଣିଷମାନଙ୍କର ତୁଳନା ନିଜ ସହିତ କଲେ । ସେ ମୋଶାଙ୍କୁ ପଚାରିଲେ: “ମନୁଷ୍ୟକୁ ମୂକ ବା ବଧିର ଅବା ଦୃଷ୍ଟିବିଶିଷ୍ଟ କିଅବା ଦୃଷ୍ଟିହୀନ କିଏ କରଇ ? ଆମ୍ଭେ ସଦାପ୍ରଭୁ କି ତାହା ନ କରୁ ?”—ଯାତ୍ରା. ୪:୧୧.

୬ ଯିହୋବା ପ୍ରକୃତରେ ମୋଶାଙ୍କୁ କʼଣ କହିବାକୁ ଚାହୁଁଥିଲେ ? ସେ କହିବାକୁ ଚାହୁଁଥିଲେ ଯେ ଯିହୋବା ନିଜେ ମୋଶାଙ୍କୁ ଫାରୋ ପାଖକୁ ପଠାଉଥିଲେ, ତେଣୁ ତାଙ୍କୁ ଡରିବାର ଆବଶ୍ୟକ ନ ଥିଲା । ଈଶ୍ୱର ମୋଶାଙ୍କୁ ସାହସ ଦିଅନ୍ତି, ଯାହାଫଳରେ ସେ ଫାରୋକୁ ଈଶ୍ୱରଙ୍କ ବାର୍ତ୍ତା ଶୁଣାଇପାରନ୍ତେ । ଏହା ଛଡ଼ା, ମିଶରରେ ଈଶ୍ୱରଙ୍କ ଲୋକମାନଙ୍କ ଜୀବନ ପ୍ରଥମ ଥର ପାଇଁ ବିପଦରେ ପଡ଼ି ନ ଥିଲା । ହୁଏତ ମୋଶା ମନେ ପକାଇଥିବେ ଯେ ଆଗରୁ ମଧ୍ୟ ଯିହୋବା କିପରି ଅବ୍ରହାମ, ଯୋଷେଫ ଓ ତାଙ୍କୁ ନିଜକୁ ମିଶର ଦେଶର ଅନ୍ୟ କିଛି ଫାରୋମାନଙ୍କଠାରୁ ରକ୍ଷା କରିଥିଲେ । ହଁ, ଯିହୋବାଙ୍କ ତୁଳନାରେ ଫାରୋ କିଛି ନ ଥିଲା । (ଆଦି. ୧୨:୧୭-୧୯; ୪୧:୧୪, ୩୯-୪୧; ଯାତ୍ରା. ୧:୨୨–୨:୧୦) ମୋଶା “ଅଦୃଶ୍ୟ” ଈଶ୍ୱରଙ୍କୁ ଦେଖିପାରୁଥିଲେ । ତେଣୁ ସେ ସାହସର ସହ ଫାରୋ ପାଖକୁ ଗଲେ ଏବଂ ତାକୁ ଯିହୋବାଙ୍କ ବାର୍ତ୍ତା ଅକ୍ଷରେ ଅକ୍ଷରେ ଶୁଣାଇଲେ ।

ପ୍ର୧୦-ହି ୧୦/୧୫ ୧୪

‘ମୁଁ ଏହା କରିପାରିବି ନାହିଁ’—ଯିହୋବା ଏପରି ଯୁକ୍ତିକୁ କେଉଁ ଦୃଷ୍ଟିରେ ଦେଖନ୍ତି ?

ଏହା ସତ୍ତ୍ୱେ ଯିହୋବା ମୋଶାଙ୍କୁ ଏହି କାମ ଦେଲେ, କିନ୍ତୁ ସାହାଯ୍ୟ କରିବା ପାଇଁ ହାରୋଣଙ୍କୁ ସାଙ୍ଗରେ ପଠାଇଲେ । (ଯାତ୍ରା. ୪:୧୪-୧୭) ଏହା ଛଡ଼ା, ଯେପରି ବର୍ଷ ପରେ ବର୍ଷ ବିତିଗଲା ଯିହୋବା ମୋଶାଙ୍କ ସହିତ ରହିଲେ ଏବଂ ଯେଉଁ କାମ ସେ ମୋଶାଙ୍କୁ ଦେଇଥିଲେ ତାକୁ ପୂରା କରିବା ପାଇଁ ତାଙ୍କୁ ପ୍ରତ୍ୟେକ ପ୍ରକାରର ସାହାଯ୍ୟ ମଧ୍ୟ ଦେଲେ । ଆପଣ ପୂରା ଭରସା ରଖିପାରିବେ ଯେ ଆଜି ମଧ୍ୟ ଯିହୋବା ଅନୁଭବୀ ଭାଇଭଉଣୀମାନଙ୍କ ଦ୍ୱାରା ପ୍ରଚାର କାମକୁ ପୂରା କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିପାରିବେ । ଏହି ସବୁଠୁ ବଳି ଈଶ୍ୱରଙ୍କ ବାକ୍ୟ ଆମକୁ ଭରସା ଦିଏ ଯେ ଯିହୋବା ଆମକୁ ଯେଉଁ କାମ ଦେଇଛନ୍ତି, ତାକୁ ପୂରା କରିବା ପାଇଁ ସେ ଆମକୁ ଯୋଗ୍ୟ ହେବାରେ ସାହାଯ୍ୟ କରିବେ ।—୨ କରି. ୩:୫; “ମୋ ଜୀବନର ସବୁଠାରୁ ଖୁସିଭରା ବର୍ଷ” ନାମକ ବକ୍ସ ଦେଖନ୍ତୁ ।

ବହୁମୂଲ୍ୟ ରତ୍ନ ଖୋଜନ୍ତୁ

ପ୍ର୦୪-ହି ୩/୧୫ ୨୮ ¶୪

ପାଠକମାନଙ୍କ ପ୍ରଶ୍ନ

“ତୁମ୍ଭେ ନିତାନ୍ତ ମୋହର ରକ୍ତପ୍ରିୟ ବର ।” ସିପ୍ପୋରାଙ୍କ ଏହି କଥା ଟିକେ ଅଡ଼ୁଆ ଲାଗେ । ସିପ୍ପୋରାଙ୍କ ଏହି ଶବ୍ଦଗୁଡ଼ିକରୁ ତାଙ୍କ ନିଜ ବିଷୟରେ କʼଣ ଜଣାପଡ଼େ ? ସେ ସୁନ୍ନତ କରିବାର ନିୟମକୁ ପାଳନ କରି, ଏହା ସ୍ୱୀକାର କଲେ ଯେ ସେ ଯିହୋବାଙ୍କ ସହ ଏକ ଚୁକ୍ତିରେ ବନ୍ଧା । ପରେ ଇସ୍ରାଏଲୀୟମାନଙ୍କ ସହ କରାଯାଇଥିବା ନିୟମର ଚୁକ୍ତି ଦେଖାଇଲା ଯେ ଯିହୋବାଙ୍କ ସହ ଯାହା ମଧ୍ୟ ଚୁକ୍ତି କରାଯାଉଥିଲା, ସେଥିରେ ଯିହୋବା ଏକ ପତି ଭଳି ହେଉଥିଲେ ଏବଂ ଅନ୍ୟ ପକ୍ଷ ଏକ ପତ୍ନୀର ଭୂମିକା ତୁଲାଉଥିଲା । (ଯିରିମୀୟ ୩୧:୩୨) ସେ ଯିହୋବାଙ୍କୁ (ତାହାଙ୍କ ପ୍ରତିନିଧି ସ୍ୱର୍ଗଦୂତଙ୍କ ଜରିଆରେ) “ରକ୍ତପ୍ରିୟ ବର” କହି ସେ ହୁଏତ ଏହା କହୁଥିଲେ ଯେ ସେ ସେହି ଚୁକ୍ତିର ସର୍ତ୍ତଗୁଡ଼ିକୁ ସ୍ୱୀକାର କରୁଥିଲେ । ଏହା ଏପରି ଥିଲା ସତେ ଯେପରି ସୁନ୍ନତର ନିୟମର ଆଧାରରେ ସେ ଯିହୋବାଙ୍କୁ ନିଜ ପତି ସ୍ୱୀକାର କଲେ ଏବଂ ଏକ ପତ୍ନୀ ଭାବେ ତାହାଙ୍କ ଅଧୀନରେ ରହିବା ସ୍ୱୀକାର କଲେ । ସିପ୍ପୋରାଙ୍କ କଥାର ଯାହା ବି ଅର୍ଥ ଥାଉ ନା କାହିଁକି, ଗୋଟିଏ କଥା ସ୍ପଷ୍ଟ ଯେ ସେ ଈଶ୍ୱରଙ୍କ ନିୟମକୁ ମାନିବା ପାଇଁ ତୁରନ୍ତ ଓ ସଠିକ୍‌ ପଦକ୍ଷେପ ନେଲେ, ଯାହା ଯୋଗୁଁ ତାଙ୍କ ପୁଅର ଜୀବନ ରକ୍ଷା ହେଲା ।

ଇନସାଇଟ୍‌-୨ ୧୨ ¶୫

ଯିହୋବା

କୌଣସି ବ୍ୟକ୍ତିଙ୍କୁ ସାମାନ୍ୟ ଚିହ୍ନିବାର ଅର୍ଥ ଏହା ନୁହେଁ ଯେ ଆମେ ତାଙ୍କୁ ଭଲଭାବେ ‘ଜାଣୁ’ । ମୂର୍ଖ ନାବଲ ଦାଉଦଙ୍କୁ କେବଳ ନାମରେ ଜାଣିଥିଲା । ତଥାପି ସେ କହିଲା “ଦାଉଦ କିଏ ?” ନାବଲର ଏପରି କହିବାର ଅର୍ଥ ଥିଲା, “ତାʼର ମୂଲ୍ୟ କେତେ ?” (୧ଶାମୁ ୨୫:୯-୧୧; ଦୟାକରି ୨ଶାମୁ ୮:୧୩ ସହ ତୁଳନା କରନ୍ତୁ ।) ଠିକ୍‌ ସେହିପରି ଫାରୋ ମଧ୍ୟ ମୋଶାଙ୍କୁ ପ୍ରଶ୍ନ କଲା, “ସଦାପ୍ରଭୁ [ଯିହୋବା] କିଏ, ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଛାଡ଼ି ଦେବୁ ? ଆମ୍ଭେ ଯିହୋବାକୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଛାଡ଼ି ଦେବୁ ନାହିଁ ।” (ଯାତ୍ରା ୫:୧, ୨) ଫାରୋ ପ୍ରକୃତରେ କହିବାକୁ ଚାହୁଁଥିଲା ଯେ ସେ ଯିହୋବାଙ୍କୁ ସତ୍ୟ ଈଶ୍ୱର ବୋଲି ସ୍ୱୀକାର କରେ ନାହିଁ ଏବଂ ସେ ସ୍ୱୀକାର କରେ ନାହିଁ ଯେ ମିଶରର ରାଜା ଓ ତାର ନିଷ୍ପତ୍ତିଗୁଡ଼ିକ ଉପରେ ଯିହୋବାଙ୍କ ଉପରେ କୌଣସି ଅଧିକାର ଅଛି । ସେ ଏହା ମଧ୍ୟ ସ୍ୱୀକାର କରୁ ନ ଥିଲା ଯେ ମୋଶା ଓ ହାରୋଣଙ୍କ ମାଧ୍ୟମରେ ଯିହୋବା ନିଜର ଯେଉଁ ଉଦ୍ଦେଶ୍ୟ ଜଣାଉଥିଲେ, ତାକୁ ପୂରା କରିବାର ସାମର୍ଥ୍ୟ ଯିହୋବାଙ୍କ ପାଖରେ ନାହିଁ । କିନ୍ତୁ ବର୍ତ୍ତମାନ ଫାରୋ, ମିଶରର ସମସ୍ତ ଲୋକ ଓ ଇସ୍ରାଏଲୀୟମାନେ ସଠିକ୍‌ ଅର୍ଥରେ ଜାଣିଯିବେ ଯେ ଯିହୋବା କିଏ ଅଟନ୍ତି । ଏହା କିପରି ହୁଅନ୍ତା ? ଯେପରି ଯିହୋବା ମୋଶାଙ୍କୁ ବୁଝାଇଥିଲେ, ସେ ଇସ୍ରାଏଲ ସହ ଜଡ଼ିତ ନିଜ ଉଦ୍ଦେଶ୍ୟ ପୂରଣ କରନ୍ତି ଅର୍ଥାତ୍‌ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରନ୍ତେ, ପ୍ରତିଜ୍ଞା କରାଯାଇଥିବା ଦେଶରେ ପ୍ରତିଜ୍ଞା କରିଥିବା ଦେଶକୁ ନେଇ ଯାଆନ୍ତେ ଏବଂ ସେମାନଙ୍କ ପୂର୍ବପୁରୁଷମାନଙ୍କୁ କରିଥିବା ଚୁକ୍ତି ପୂରଣ କରନ୍ତେ । ଏହିପରି ଭାବେ, ଈଶ୍ୱର ଇସ୍ରାଏଲୀୟମାନଙ୍କ ସହ ଯେଉଁ ଚୁକ୍ତି କରିଥିଲେ ତାହା ପୂରଣ ହୁଅନ୍ତା: “ଆମ୍ଭେ ଯେ ତୁମ୍ଭମାନଙ୍କ ପରମେଶ୍ୱର “ସଦାପ୍ରଭୁ [ଯିହୋବା] ଅଟୁ, ତାହା ତୁମ୍ଭେମାନେ ଜାଣିବ ।”—ଯାତ୍ରା ୬:୪-୮.

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ