ଭାଗ ୬
ପରିବାରରେ ପିଲା ଜନ୍ମ ହେବା ପରେ ବୈବାହିକ ଜୀବନ କିପରି ବଦଳିଯାଏ
‘ସନ୍ତାନଗଣ ଈଶ୍ୱରଙ୍କର ଉପହାର ।’—ଗୀତସଂହିତା ୧୨୭:୩, ଇଜି-ଟୁ-ରିଡ୍ ଭର୍ସନ
ପରିବାରରେ ଶିଶୁଟିଏ ଜନ୍ମ ହେବା ପରେ ପତି-ପତ୍ନୀଙ୍କ ଜୀବନରେ ଆନନ୍ଦ ଖେଳିଯାଏ । କିନ୍ତୁ ଏହା ସହିତ ସେମାନଙ୍କ ଜୀବନରେ ଏକ ବଡ଼ ଦାୟିତ୍ୱ ମଧ୍ୟ ଆସିଯାଏ । ବାପାମାʼ ହେବା ପରେ ଯେତେବେଳେ ଆପଣ ଜାଣନ୍ତି ଯେ ଆପଣଙ୍କ ଅଧିକାଂଶ ସମୟ ଓ ଶକ୍ତି ନିଜ ପିଲାର ଯତ୍ନ ନେବାରେ ଚାଲିଯିବ, ଏହା ବିଷୟରେ ଚିନ୍ତା କରି ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି । ପୂରା ନିଦ ନ ମିଳିବା ଏବଂ ଆପଣଙ୍କ ଭାବନା ଓ ଆବେଗରେ ପରିବର୍ତ୍ତନ ଆସିବା ଯୋଗୁଁ ଆପଣ ଦୁହିଙ୍କ ଜୀବନରେ ମାନସିକ ଉତ୍ତେଜନା ଦେଖାଦେଇପାରେ । ଆପଣଙ୍କ ପିଲାର ଯତ୍ନ ନେବା ସଙ୍ଗେ ସଙ୍ଗେ ନିଜ ବୈବାହିକ ସମ୍ପର୍କକୁ ମଧ୍ୟ ବଜାୟ ରଖିବା ପାଇଁ ଆପଣ ଦୁହିଙ୍କୁ ସାମାନ୍ୟ ପରିବର୍ତ୍ତନ କରିବାକୁ ପଡ଼ିବ । ଏହି ସମସ୍ୟାଗୁଡ଼ିକୁ ସାମନା କରିବାରେ ବାଇବଲର ସିଦ୍ଧାନ୍ତ କିପରି ଆପଣଙ୍କୁ ସାହାଯ୍ୟ କରିପାରିବ ?
୧ ଶିଶୁଟିଏ ଜନ୍ମ ହେବା ପରେ ଆପଣଙ୍କ ଜୀବନ କିପରି ବଦଳିଯାଏ, ତାହା ବୁଝନ୍ତୁ
ବାଇବଲ କʼଣ କହେ: “ପ୍ରେମ ଧୈର୍ଯ୍ୟବାନ ଓ ଦୟାବାନ ଅଟେ ।” ଏହା “କେବଳ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରେ ନାହିଁ” ଏବଂ “ବିରକ୍ତ ହୁଏ ନାହିଁ ।” (୧ କରିନ୍ଥୀୟ ୧୩:୪, ୫, NW) ପତ୍ନୀମାନେ, ମାʼ ହେବା ପରେ ଆପଣମାନଙ୍କ ପୂରା ଧ୍ୟାନ ପିଲାଙ୍କ ଲାଳନପାଳନରେ ଚାଲିଯିବା ସ୍ୱାଭାବିକ ଅଟେ । ଫଳରେ ଆପଣଙ୍କ ପତିଙ୍କୁ ହୁଏତ ଲାଗିପାରେ ଯେ ଆପଣ ତାଙ୍କ ପ୍ରତି ଅବହେଳା କରୁଛନ୍ତି । ତେଣୁ ଏହା ଭୁଲନ୍ତୁ ନାହିଁ ଯେ ଆପଣ ତାଙ୍କ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍ । ଧୈର୍ଯ୍ୟ ଓ ଦୟା ଦେଖାଇ ଆପଣ ନିଜ ପତିଙ୍କୁ ଏହା ବୁଝାଇପାରିବେ ଯେ ପିଲାର ଯତ୍ନ ନେବାରେ ସେ ମଧ୍ୟ ସାମିଲ୍ ଅଛନ୍ତି ଏବଂ ଏହି ଦାୟିତ୍ୱକୁ ତୁଲାଇବାରେ ଆପଣଙ୍କୁ ତାଙ୍କ ସାହାଯ୍ୟ ଦରକାର ।
‘ପତିମାନେ ! ଆପଣ ନିଜ ପତ୍ନୀମାନଙ୍କ ସହିତ ଭଲ ବୁଝାମଣାରେ ଜୀବନଯାପନ କରନ୍ତୁ ।’ (୧ ପିତର ୩:୭, ଇଜି-ଟୁ-ରିଡ୍ ଭର୍ସନ) ଏହା ବୁଝିବାକୁ ଚେଷ୍ଟା କରନ୍ତୁ ଯେ ଆପଣଙ୍କର ପତ୍ନୀଙ୍କ ଅଧିକାଂଶ ସମୟ ପିଲାକୁ ଯତ୍ନ ନେବାରେ ଚାଲିଯିବ । ବର୍ତ୍ତମାନ ତାଙ୍କ ଉପରେ ନୂଆ ଦାୟିତ୍ୱ ଆସିଯାଇଛି, ଯାହାଫଳରେ ସେ ହୁଏତ ଶାରୀରିକ ଓ ମାନସିକ ଭାବେ କ୍ଳାନ୍ତ ହୋଇପଡ଼ନ୍ତି ଏବଂ ଏପରିକି ହତାଶ ହୋଇଯାʼନ୍ତି । ବେଳେ ବେଳେ ହୁଏତ ସେ ଆପଣଙ୍କ ଉପରେ ବିରକ୍ତ ହୋଇପାରନ୍ତି । ଏପରି ସମୟରେ ମଧ୍ୟ ଶାନ୍ତ ରହିବା ପାଇଁ ଚେଷ୍ଟା କରନ୍ତୁ, କାରଣ “ଯେ କ୍ରୋଧରେ ଧୀର, ସେ ବୀର ଅପେକ୍ଷା ଶ୍ରେଷ୍ଠ ।” (ହିତୋପଦେଶ ୧୬:୩୨) ବୁଝିବିଚାରି କାମ କରନ୍ତୁ ଏବଂ ତାଙ୍କୁ ସାହାଯ୍ୟ କରନ୍ତୁ ।—ହିତୋପଦେଶ ୧୪:୨୯.
ଆପଣ କʼଣ କରିପାରିବେ:
ପିତାମାନେ: ପିଲାର ଯତ୍ନ ନେବାରେ ନିଜ ପତ୍ନୀଙ୍କୁ ସାହାଯ୍ୟ କରନ୍ତୁ, ଏପରିକି ରାତିରେ ମଧ୍ୟ । ଅନ୍ୟ କାମଗୁଡ଼ିକରେ କମ୍ ସମୟ ବିତାନ୍ତୁ, ଯାହାଫଳରେ ଆପଣ ନିଜ ପତ୍ନୀ ଓ ପିଲା ସହିତ ଅଧିକ ସମୟ ବିତାଇପାରିବେ
ମାଆମାନେ: ଯେତେବେଳେ ଆପଣଙ୍କ ପତି କହନ୍ତି ଯେ ପିଲାର ଯତ୍ନ ନେବାରେ ସେ ଆପଣଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତାଙ୍କ ସାହାଯ୍ୟ ସ୍ୱୀକାର କରନ୍ତୁ । ଯଦି ସେ କୌଣସି କାମକୁ ଠିକ୍ ଭାବେ କରନ୍ତି ନାହିଁ, ତେବେ ତାଙ୍କ ଭୁଲ୍ ଧରନ୍ତୁ ନାହିଁ ବରଂ ଆଦରର ସହିତ ଦେଖାନ୍ତୁ ଯେ ସେହି କାମଟିକୁ କିପରି କରାଯାଏ
୨ ଆପଣଙ୍କ ସମ୍ପର୍କକୁ ମଜବୁତ୍ କରନ୍ତୁ
ବାଇବଲ କʼଣ କହେ: “ସେମାନେ ଏକାଙ୍ଗ ହେବେ ।” (ଆଦି ପୁସ୍ତକ ୨:୨୪) ଯଦିଓ ବର୍ତ୍ତମାନ ଆପଣଙ୍କ ପରିବାରରେ ଜଣେ ନୂଆ ସଦସ୍ୟ ଯୋଗ ଦେଇଛନ୍ତି, ତଥାପି ମନେରଖନ୍ତୁ ଯେ ଆପଣ ଓ ଆପଣଙ୍କ ଜୀବନସାଥୀ ଏବେ ମଧ୍ୟ “ଏକାଙ୍ଗ” ଅଟନ୍ତି । ସେଥିପାଇଁ ଆପଣଙ୍କ ସମ୍ପର୍କକୁ ଆହୁରି ମଜବୁତ୍ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ ।
ପତ୍ନୀମାନେ, ନିଜ ପତିଙ୍କ ସାହାଯ୍ୟ ଓ ସମର୍ଥନ ପ୍ରତି କୃତଜ୍ଞତା ଦେଖାନ୍ତୁ । ତାଙ୍କୁ ପ୍ରଶଂସା କରିବା ପାଇଁ ଆପଣ ଯେଉଁ ଶବ୍ଦଗୁଡ଼ିକ କହିବେ, ତାହା ଆପଣଙ୍କ ସମ୍ପର୍କ ପାଇଁ ‘ସ୍ୱାସ୍ଥ୍ୟକର’ ହୋଇପାରେ । (ହିତୋପଦେଶ ୧୨:୧୮) ପତିମାନେ, ନିଜ ପତ୍ନୀଙ୍କୁ କହନ୍ତୁ ଯେ ଆପଣ ତାଙ୍କୁ କେତେ ଭଲ ପାʼନ୍ତି ଏବଂ ତାଙ୍କର କେତେ ଆଦର କରନ୍ତି । ସେ ଯେପରି ଭାବେ ପରିବାରର ଯତ୍ନ ନିଅନ୍ତି, ତାʼ ପାଇଁ ତାଙ୍କୁ ପ୍ରଶଂସା କରନ୍ତୁ ।—ହିତୋପଦେଶ ୩୧:୧୦, ୨୮.
“କୌଣସି ଲୋକ କେବଳ ନିଜର ସ୍ୱାର୍ଥ ପାଇଁ ଚିନ୍ତିତ ହେବା ଉଚିତ୍ ନୁହେଁ, ବରଂ ସେ ଅନ୍ୟମାନଙ୍କର ମଙ୍ଗଳ ଚିନ୍ତା କରିବା ଉଚିତ୍ ।” (୧ କରିନ୍ଥୀୟ ୧୦:୨୪, ଇଜି-ଟୁ-ରିଡ୍ ଭର୍ସନ) ସର୍ବଦା ଏପରି କାମ କରନ୍ତୁ, ଯାହା ଆପଣଙ୍କ ଜୀବନସାଥୀଙ୍କ ପାଇଁ ଉତ୍ତମ ଅଟେ । ପରସ୍ପର ସହିତ କଥା ହେବା, ପରସ୍ପରକୁ ପ୍ରଶଂସା କରିବା ଏବଂ ପରସ୍ପରର କଥା ଶୁଣିବା ପାଇଁ ସମୟ ବାହାର କରନ୍ତୁ । ଶାରୀରିକ ସମ୍ପର୍କ ରଖିବା କ୍ଷେତ୍ରରେ ସ୍ୱାର୍ଥପର ହୁଅନ୍ତୁ ନାହିଁ । ନିଜ ଜୀବନସାଥୀଙ୍କ ଆବଶ୍ୟକତାଗୁଡ଼ିକୁ ମଧ୍ୟ ଧ୍ୟାନରେ ରଖନ୍ତୁ । ବାଇବଲ କହେ: “ତୁମେ ପରସ୍ପରକୁ ଏହି ଅଧିକାରରୁ ବଞ୍ଚିତ କର ନାହିଁ, କିନ୍ତୁ ଯଦି . . . ଏପରି କରୁଛ, ତେବେ ଉଭୟଙ୍କ ସମ୍ମତିରେ କର ।” (୧ କରିନ୍ଥୀୟ ୭:୩-୫, NW) ତେଣୁ ଏହି ବିଷୟରେ ପରସ୍ପର ସହିତ ମନଖୋଲି କଥା ହୁଅନ୍ତୁ । ଧୈର୍ଯ୍ୟ ଦେଖାଇବା ଏବଂ ପରସ୍ପରକୁ ବୁଝିବା ଦ୍ୱାରା ଆପଣଙ୍କ ସମ୍ପର୍କ ଆହୁରି ମଜବୁତ୍ ହେବ ।
ଆପଣ କʼଣ କରିପାରିବେ:
ଆପଣ ଦୁହେଁ ପରସ୍ପର ସହିତ କିଛି ସମୟ ବିତାଇବା ପାଇଁ ଭୁଲନ୍ତୁ ନାହିଁ
ଆପଣ ନିଜ ଜୀବନସାଥୀଙ୍କୁ କେତେ ଭଲ ପାʼନ୍ତି, ତାହା ଜଣାଇବା ପାଇଁ କିଛି ବ୍ୟବହାରିକ ପଦକ୍ଷେପ ନିଅନ୍ତୁ, ଯେପରି ପରସ୍ପରକୁ ମେସେଜ୍ କରିବା କିମ୍ବା ଛୋଟ ଛୋଟ ଉପହାର ଦେବା
୩ ନିଜ ପିଲାକୁ ତାଲିମ୍ ଦିଅନ୍ତୁ
ବାଇବଲ କʼଣ କହେ: ‘ଯେଉଁ ଧର୍ମଶାସ୍ତ୍ର . . . ପରିତ୍ରାଣ ପାଇଁ ତୁମ୍ଭକୁ ଜ୍ଞାନ ଦେଇପାରିବ, ତାହା ତୁମ୍ଭେ ବାଲ୍ୟକାଳଠାରୁ ଜାଣିଅଛ ।’ (୨ ତୀମଥି ୩:୧୫) ପୂର୍ବରୁ ଯୋଜନା କରନ୍ତୁ ଯେ ଆପଣ ନିଜ ପିଲାକୁ କେମିତି ଶିଖାଇବେ । ଜନ୍ମ ହେବା ପୂର୍ବରୁ ହିଁ ପିଲାଙ୍କଠାରେ ଶିଖିବାର ଚମତ୍କାର ଦକ୍ଷତା ଥାଏ । ଆପଣଙ୍କ ପିଲା ମାଆ ଗର୍ଭରୁ ମଧ୍ୟ ଆପଣଙ୍କ ସ୍ୱରକୁ ଚିହ୍ନିପାରେ ଏବଂ ଆପଣ ଯେଭଳି ଅନୁଭବ କରନ୍ତି, ତାହା ତାʼ ଉପରେ ପ୍ରଭାବ ପକାଇପାରେ । ଆପଣ ନିଜ ପିଲାକୁ ଶିଶୁ ଅବସ୍ଥାରୁ ହିଁ ପଢ଼ି ଶୁଣାନ୍ତୁ । ଯଦିଓ ଆପଣ କʼଣ ପଢ଼ୁଛନ୍ତି ତାହା ସେ ବୁଝିପାରିବ ନାହିଁ, ତଥାପି ଆପଣ ଯଦି ଏପରି କରିବେ, ତେବେ ହୁଏତ ସେ ମଧ୍ୟ ବଡ଼ ହେଲେ ପଢ଼ିବାରେ ଆଗ୍ରହ ଦେଖାଇପାରେ ।
ଆପଣଙ୍କ ପିଲା ଯେତେ ଛୋଟ ହେଉ ନା କାହିଁକି, ଆପଣ ଈଶ୍ୱରଙ୍କ ବିଷୟରେ ଯେଉଁ କଥାବାର୍ତ୍ତା ହୁଅନ୍ତି, ତାହା ଶୁଣିବା ପାଇଁ ତାʼ ପାଖରେ ସାମର୍ଥ୍ୟ ଥାଏ । ତାʼ ସମ୍ମୁଖରେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ, ଯାହାଫଳରେ ସେ ମଧ୍ୟ ଶୁଣିପାରିବ । (ଦ୍ୱିତୀୟ ବିବରଣ ୧୧:୧୯) ଏପରିକି ତାʼ ସହିତ ଯେତେବେଳେ ଆପଣ ଖେଳନ୍ତି, ସେତେବେଳେ ମଧ୍ୟ ଯିହୋବାଙ୍କ ସୃଷ୍ଟି ବିଷୟରେ କଥା ହୁଅନ୍ତୁ । (ଗୀତସଂହିତା ୭୮:୩, ୪) ଯେପରି ଆପଣଙ୍କ ପିଲା ଧୀରେ ଧୀରେ ବଡ଼ ହେବ, ସେ ଜାଣିପାରିବ ଯେ ଆପଣଙ୍କ ହୃଦୟରେ ଯିହୋବାଙ୍କ ପ୍ରତି କେତେ ପ୍ରେମ ରହିଛି । ଫଳସ୍ୱରୂପ, ସେ ମଧ୍ୟ ଯିହୋବାଙ୍କୁ ପ୍ରେମ କରିବା ଶିଖିବ ।
ଆପଣ କʼଣ କରିପାରିବେ:
ଆପଣଙ୍କ ପିଲାକୁ ଭଲ ଭାବରେ ତାଲିମ୍ ଦେବା ନିମନ୍ତେ ବିଶେଷ କରି ବୁଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ
ଆପଣ ନିଜ ପିଲା ସାମନାରେ କିଛି ବିଶେଷ ଶବ୍ଦ ଓ କଥାଗୁଡ଼ିକୁ ବାରମ୍ବାର କହନ୍ତୁ, ଯାହାଫଳରେ ସେ ଶିଶୁ ଅବସ୍ଥାରୁ ହିଁ ଶିଖିବା ଆରମ୍ଭ କରିଦେବ