ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ଜଣେ ଦାସ ଈଶ୍ୱରଙ୍କ କଥା ମାନିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଯୋଷେଫ ପୋଟୀଫରଙ୍କ ସ୍ତ୍ରୀଙ୍କଠାରୁ ପଳାଉଛନ୍ତି

      ପାଠ ୧୪

      ଜଣେ ଦାସ ଈଶ୍ୱରଙ୍କ କଥା ମାନିଲେ

      ଯୋଷେଫ, ଯାକୁବଙ୍କ ଛୋଟ ପୁଅମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କ ବଡ଼ ଭାଇମାନେ ଦେଖିଲେ ଯେ ସେମାନଙ୍କ ବାପା ସବୁଠୁ ଅଧିକ ଯୋଷେଫଙ୍କୁ ପ୍ରେମ କରନ୍ତି । ଏହା ଦେଖି ସେମାନଙ୍କୁ କିପରି ଲାଗିଲା ? ସେମାନେ ଯୋଷେଫଙ୍କୁ ଈର୍ଷା ଓ ଘୃଣା କରିବାକୁ ଲାଗିଲେ । ଥରେ ଯେବେ ଯୋଷେଫ କିଛି ଅଦ୍ଭୁତ ସ୍ୱପ୍ନ ଦେଖିଲେ, ତେବେ ସେ ନିଜ ଭାଇମାନଙ୍କୁ ସେବିଷୟରେ କହିଲେ । ସେହି ସ୍ୱପ୍ନଗୁଡ଼ିକର ଅର୍ଥ ଥିଲା ଯେ ସେମାନେ ଦିନେ ତାଙ୍କ ଆଗରେ ନଇଁ ପ୍ରଣାମ କରିବେ । ତେଣୁ ସେମାନେ ଯୋଷେଫଙ୍କୁ ଆହୁରି ଘୃଣା କରିବାକୁ ଲାଗିଲେ !

      ଯୋଷେଫଙ୍କ ଭାଇମାନେ ତାଙ୍କୁ ଗାତରେ ଫିଙ୍ଗୁଛନ୍ତି

      ଦିନେ ଯୋଷେଫଙ୍କ ଭାଇମାନେ ଶିଖିମ ନାମକ ସହର ପାଖରେ ମେଣ୍ଢାମାନଙ୍କୁ ଚରାଉଥିଲେ । ତେବେ ଯାକୁବ ଯୋଷେଫଙ୍କୁ ଏହା ଦେଖିବା ପାଇଁ ପଠାଇଲେ ଯେ ତାଙ୍କ ଭାଇମାନେ ଠିକ୍‌ ଅଛନ୍ତି ନା ନାହିଁ । ଯେବେ ଯୋଷେଫଙ୍କ ଭାଇମାନେ ଦୂରରୁ ତାଙ୍କୁ ଆସୁଥିବାର ଦେଖିଲେ ତେବେ ସେମାନେ ପରସ୍ପରକୁ କହିଲେ, ‘ଏ ଦେଖ ସ୍ୱପ୍ନଦର୍ଶକ ମହାଶୟ ଆସୁଛନ୍ତି । ଚାଲ ତାକୁ ମାରି ଦେବା ।’ ସେମାନେ ତାକୁ ଧରି ପକାଇଲେ ଏବଂ ଗୋଟିଏ ବଡ଼ ଗାତରେ ପକାଇ ଦେଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ଭାଇ ଯିହୁଦା କହିଲେ, ‘ତାକୁ ମାର ନାହିଁ । ଆମେ ତାକୁ ଦାସ ପାଇଁ ବିକ୍ରି କରିଦେବା ।’ ତେଣୁ ସେମାନେ ୨୦ଟି ରୂପା ମୁଦ୍ରାରେ ଯୋଷେଫଙ୍କୁ ମିଦିୟନୀୟ ବ୍ୟବସାୟୀଙ୍କୁ ବିକ୍ରି କରି ଦେଲେ । ସେହି ବ୍ୟବସାୟୀମାନେ ମିଶରକୁ ଯାଉଥିଲେ ।

      ତାʼପରେ ଯୋଷେଫଙ୍କ ଭାଇମାନେ ତାଙ୍କ କପଡ଼ା ଗୋଟିଏ ଛେଳିର ରକ୍ତରେ ବୁଡ଼ାଇ ନିଜ ବାପାଙ୍କ ପାଖକୁ ପଠାଇଲେ । ଆଉ ଏହି ସନ୍ଦେଶ ମଧ୍ୟ ଦେଲେ, ‘ଦେଖ, କʼଣ ଏହା ତମ ପୁଅର କପଡ଼ା ତ ନୁହେଁ ?’ ଯାକୁବ ଭାବିଲେ ଯେ ଯୋଷେଫଙ୍କୁ କୌଣସି ବନ୍ୟ ପଶୁ ମାରି ଦେଇଛି । ସେ ବହୁତ ଦୁଃଖି ହୋଇଗଲେ । ଆଉ କେହି ବି ତାଙ୍କ ଦୁଃଖକୁ କମ୍‌ କରିପାରିଲେ ନାହିଁ ।

      ଯୋଷେଫ ଜେଲରେ ଅଛନ୍ତି

      ମିଶରରେ ଯୋଷେଫଙ୍କୁ ପୋଟୀଫର ନାମକ ଜଣେ ବଡ଼ ଅଧିକାରୀଙ୍କୁ ବିକ୍ରି କରି ଦିଆଗଲା ଏବଂ ସେ ତାଙ୍କ ଦାସ ହୋଇଗଲେ । କିନ୍ତୁ ଯିହୋବା ଯୋଷେଫଙ୍କ ସାଙ୍ଗରେ ଥିଲେ । ପୋଟୀଫର ଦେଖିଲେ ଯେ ଯୋଷେଫ ଭଲଭାବେ କାମ କରନ୍ତି ଏବଂ ସେ ଭରସାଯୋଗ୍ୟ । କିଛି ସମୟ ପରେ ପୋଟୀଫର ତାଙ୍କୁ ନିଜ ସବୁ ଜିନିଷର ଦେଖାଶୁଣା କରିବାର ଦାୟିତ୍ୱ ଦେଲେ ।

      ପୋଟୀଫରର ସ୍ତ୍ରୀ ଦେଖିଲା ଯେ ଯୋଷେଫ ଦେଖିବାରେ ବହୁତ ସୁନ୍ଦର ଓ ଶକ୍ତିଶାଳୀ ଅଛି । ସେ ପ୍ରତିଦିନ ଯୋଷେଫଙ୍କୁ ତାʼ ସହିତ ଶୋଇବା ପାଇଁ କହୁଥିଲା । ଯୋଷେଫ କʼଣ କରୁଥିଲେ ? ସେ ମନା କରି କହୁଥିଲେ, ‘ନା ! ଏପରି କରିବା ଭୁଲ ହେବ । ମୋ ମାଲିକ ମୋ ଉପରେ ଭରସା କରିଛନ୍ତି ଏବଂ ତମେ ତାଙ୍କ ସ୍ତ୍ରୀ ଅଟ । ଯଦି ମୁଁ ତମ ସହିତ ଶୋଇବି ତାହେଲେ ଏହା ଈଶ୍ୱରଙ୍କ ବିରୁଦ୍ଧରେ ପାପ ହେବ !’

      ଦିନେ ପୋଟୀଫରଙ୍କ ସ୍ତ୍ରୀ ଯୋଷେଫଙ୍କ ସହ ଶୋଇବା ପାଇଁ ଜୋର ଜବରଦସ୍ତି କଲା । ସେ ତୁରନ୍ତ ଯୋଷେଫଙ୍କ କପଡ଼ା ଧରି ପକାଇଲା । କିନ୍ତୁ ଯୋଷେଫ ପଳାଇଗଲେ । ଯେବେ ପୋଟୀଫର ଘରକୁ ଆସିଲେ ତେବେ ତାଙ୍କ ସ୍ତ୍ରୀ ତାଙ୍କୁ ମିଛ କହିଲା ଯେ ଯୋଷେଫ ତାଙ୍କ ସହ ଜୋର ଜବରଦସ୍ତି କରି ଶୋଇବା ପାଇଁ ଚେଷ୍ଟା କଲା । ପୋଟୀଫର ବହୁତ ରାଗିଗଲେ ଏବଂ ସେ ଯୋଷେଫଙ୍କୁ ଜେଲରେ ପୂରାଇ ଦେଲେ । କିନ୍ତୁ ଯିହୋବା ଯୋଷେଫଙ୍କୁ ଭୁଲିଲେ ନାହିଁ ।

      “ଈଶ୍ୱରଙ୍କ ବଳବନ୍ତ ହସ୍ତ ତଳେ ଆପଣା ଆପଣାକୁ ନତ କର, ଯେପରି ସେ ତୁମ୍ଭମାନଙ୍କୁ ଯଥା ସମୟରେ ଉନ୍ନତ କରିବେ ।”—୧ ପିତର ୫:୬

      ପ୍ରଶ୍ନ: ଯୋଷେଫଙ୍କ ଭାଇମାନେ ତାଙ୍କ ସହ କʼଣ କଲେ ? ତାଙ୍କୁ କାହିଁକି ଜେଲରେ ବନ୍ଦୀ କରାଗଲା ?

      ଆଦି ପୁସ୍ତକ ୩୭:୧-୩୬; ୩୯:୧-୨୩; ପ୍ରେରିତ ୭:୯

  • ଯିହୋବା ଯୋଷେଫଙ୍କୁ ଭୁଲିଲେ ନାହିଁ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଯୋଷେଫ ଫାରୋଙ୍କୁ ତାଙ୍କ ସ୍ୱପ୍ନଗୁଡ଼ିକର ଅର୍ଥ ବୁଝାଉଛନ୍ତି

      ପାଠ ୧୫

      ଯିହୋବା ଯୋଷେଫଙ୍କୁ ଭୁଲିଲେ ନାହିଁ

      ଯେବେ ଯୋଷେଫ ଜେଲରେ ଥିଲେ, ତେବେ ମିଶରର ରାଜା ଫାରୋ ଏପରି ସ୍ୱପ୍ନ ଦେଖିଲେ ଯାହାର ଅର୍ଥ କେହି ବୁଝାଇପାରିଲେ ନାହିଁ । ଫାରୋଙ୍କ ଜଣେ ସେବକ ତାଙ୍କୁ କହିଲେ ଯେ ଯୋଷେଫ ସେ ସ୍ୱପ୍ନଗୁଡ଼ିକର ଅର୍ଥ କହିପାରିବ । ଫାରୋ ତୁରନ୍ତ ଯୋଷେଫଙ୍କୁ ଡକାଇଲେ ।

      ଫାରୋ ଯୋଷେଫଙ୍କୁ ପଚାରିଲେ, ‘କʼଣ ତମେ ମୋ ସ୍ୱପ୍ନଗୁଡ଼ିକର ଅର୍ଥ କହିପାରିବ ?’ ଯୋଷେଫ ଫାରୋଙ୍କୁ ସ୍ୱପ୍ନଗୁଡ଼ିକର ଏହି ଅର୍ଥ କହିଲେ, ‘ମିଶରରେ ସାତ ବର୍ଷ ଯାଏ ପ୍ରଚୁର ଶସ୍ୟ ହେବ ଏବଂ ପରେ ସାତ ବର୍ଷ ଯାଏ ଦୁର୍ଭିକ୍ଷ ହେବ । ତେଣୁ କୌଣସି ବୁଦ୍ଧିମାନ ବ୍ୟକ୍ତିଙ୍କୁ ବାଛନ୍ତୁ ଯିଏ ଶସ୍ୟ ଜମା କରିବ ଆଉ ଆପଣଙ୍କ ଲୋକମାନଙ୍କୁ ଭୋକିଲା ରହିବା ପାଇଁ ଦେବ ନାହିଁ ।’ ଫାରୋ କହିଲେ, ‘ମୁଁ ତମକୁ ନିଯୁକ୍ତ କରୁଛି ! ତମେ ମୋ ପରେ ମିଶରର ସବୁଠୁ ଶକ୍ତିଶାଳୀ ବ୍ୟକ୍ତି ହେବ !’ ଯୋଷେଫ, ଫାରୋଙ୍କ ସ୍ୱପ୍ନଗୁଡ଼ିକର ଅର୍ଥ କିପରି ଜାଣିପାରିଲେ ? ଯିହୋବା ତାଙ୍କୁ ସାହାଯ୍ୟ କଲେ ।

      ଯୋଷେଫ ସେବକମାନଙ୍କୁ ଶସ୍ୟ ଜମା କରିବା ବିଷୟରେ ନିର୍ଦ୍ଦେଶ ଦେଉଛନ୍ତି

      ଆସନ୍ତା ସାତ ବର୍ଷ ଯାଏ ଯୋଷେଫ ଶସ୍ୟ ଜମା କରିବା ଜାରି ରଖିଲେ । ତାʼପରେ ଯେପରି ଯୋଷେଫ କହିଥିଲେ, ସାରା ପୃଥିବୀରେ ଦୁର୍ଭିକ୍ଷ ହେଲା । ପ୍ରତ୍ୟେକ ଜାଗାର ଲୋକମାନେ ଯୋଷେଫଙ୍କ ପାଖକୁ ଆସିବାକୁ ଲାଗିଲେ । ତାଙ୍କ ବାପା ଯାକୁବ ମଧ୍ୟ ଶୁଣିଲେ ଯେ ମିଶରରେ ଶସ୍ୟ ମିଳୁଛି, ତେଣୁ ସେ ତାଙ୍କ ପୁଅମାନଙ୍କ ମଧ୍ୟରୁ ଦଶ ଜଣଙ୍କୁ ଶସ୍ୟ କିଣିବା ପାଇଁ ସେଠାକୁ ପଠାଇଲେ ।

      ଯେବେ ଯାକୁବଙ୍କ ପୁଅମାନେ ଯୋଷେଫଙ୍କ ପାଖକୁ ଆସିଲେ, ତେବେ ସେ ସେମାନଙ୍କୁ ଦେଖି ତୁରନ୍ତ ଚିହ୍ନିଲେ । କିନ୍ତୁ ସେମାନେ ଯୋଷେଫଙ୍କୁ ଚିହ୍ନିପାରିଲେ ନାହିଁ । ସେମାନେ ନଇଁ ତାଙ୍କୁ ପ୍ରଣାମ କଲେ, ଠିକ୍‌ ଯେପରି ସେ ଆଗରୁ ସ୍ୱପ୍ନରେ ଦେଖିଥିଲେ । ଯୋଷେଫ ଦେଖିବା ପାଇଁ ଚାହୁଁଥିଲେ ଯେ କʼଣ ତାଙ୍କ ଭାଇମାନଙ୍କ ହୃଦୟରେ ଏବେ ବି ଘୃଣା ଭାବନା ଅଛି । ତେଣୁ ସେ ସେମାନଙ୍କୁ କହିଲେ, ‘ତମେମାନେ ଗୁପ୍ତଚର ଅଟ । ତମେମାନେ ଆମ ଦେଶର ଦୁର୍ବଳତାଗୁଡ଼ିକ ଜାଣିବା ପାଇଁ ଆସିଛ ।’ ସେମାନେ କହିଲେ, ‘ନା ! ଆମେ କିଣାନରୁ ଆସିଛୁ । ଆମେ ୧୨ ଜଣ ଭାଇ ଅଛୁ । ଜଣେ ଭାଇର ମୃତ୍ୟୁ ହୋଇଗଲା ଏବଂ ସବୁଠୁ ଛୋଟ ଭାଇ ବାପାଙ୍କ ପାଖରେ ଅଛି ।’ ତେବେ ଯୋଷେଫ କହିଲେ, ‘ତମେ ନିଜ ସବୁଠୁ ଛୋଟ ଭାଇକୁ ମୋ ପାଖକୁ ନେଇକି ଆସ ତେବେ ମୁଁ ତମ କଥା ଉପରେ ଭରସା କରିବି ।’ ପରେ ସେମାନେ ନିଜ ବାପାଙ୍କ ପାଖକୁ ଫେରିଗଲେ ।

      ଯେବେ ଯାକୁବଙ୍କ ଘରେ ଶସ୍ୟ ଶେଷ ହୋଇଗଲା, ତେବେ ସେ ସେମାନଙ୍କୁ ପୁଣି ମିଶରକୁ ପଠାଇଲେ । ଏଥର ସେମାନେ ନିଜ ସହ ସବୁଠୁ ଛୋଟ ଭାଇ ବିନ୍ୟାମିନକୁ ସାଙ୍ଗରେ ନେଲେ । ଯୋଷେଫ ସେମାନଙ୍କ ପରୀକ୍ଷା କରିବା ପାଇଁ ନିଜ ରୂପା ତାଟିଆ ବିନ୍ୟାମିନର ବସ୍ତାରେ ରଖି ଦେଲେ । ତାʼପରେ ସେ ନିଜ ଭାଇମାନଙ୍କ ଉପରେ ଚୋରି କରିବାର ଦୋଷ ଲଗାଇଲେ । ଯେବେ ଯୋଷେଫଙ୍କ ସେବକମାନଙ୍କୁ ବିନ୍ୟାମିନର ବସ୍ତାରେ ସେହି ତାଟିଆ ମିଳିଲା, ତେବେ ତାଙ୍କ ଭାଇମାନେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଯୋଷେଫଙ୍କୁ ବିନତି କରିବାକୁ ଲାଗିଲେ ଯେ ସେମାନେ ବିନ୍ୟାମିନକୁ ଛାଡ଼ି ଦେଇ ସେମାନଙ୍କୁ ଦଣ୍ଡ ଦିଅନ୍ତୁ ।

      ଯୋଷେଫ ଜାଣିଗଲେ ଯେ ତାଙ୍କ ଭାଇମାନେ ବଦଳି ଯାଇଛନ୍ତି । ଏବେ ସେ ନିଜକୁ ରୋକିପାରିଲେ ନାହିଁ ଏବଂ କାନ୍ଦିବାକୁ ଲାଗିଲେ । ସେ କହିଲେ, ‘ମୁଁ ତମ ଭାଇ ଯୋଷେଫ ଅଟେ । କʼଣ ମୋ ବାପା ଜୀବିତ ଅଛନ୍ତି ?’ ତାଙ୍କ ଭାଇମାନେ ଆଶ୍ଚର୍ଯ୍ୟ ହୋଇଗଲେ । ତାʼପରେ ଯୋଷେଫ ସେମାନଙ୍କୁ କହିଲେ, ‘ତମେମାନେ ମୋ ସହ ଯାହା କରିଥିଲ ତାʼଯୋଗୁଁ ଦୁଃଖି ହୁଅ ନାହିଁ । ଈଶ୍ୱର ତମମାନଙ୍କ ଜୀବନ ବଞ୍ଚାଇବା ପାଇଁ ମୋତେ ଏଠାକୁ ପଠାଇଛନ୍ତି । ଏବେ ଶୀଘ୍ର ଯାଅ ଏବଂ ମୋ ବାପାଙ୍କୁ ଏଠାକୁ ନେଇକି ଆସ ।’

      ତାʼପରେ ସେମାନେ ଘରକୁ ଫେରିଗଲେ ଆଉ ନିଜ ବାପାଙ୍କୁ ଏହି ଖୁସିର ଖବର ଦେଲେ ଏବଂ ତାଙ୍କୁ ମିଶରକୁ ଆଣିଲେ । ଅନେକ ବର୍ଷ ପରେ ଯୋଷେଫ ଓ ତାଙ୍କ ବାପା ପୁଣିଥରେ ପରସ୍ପରକୁ ଭେଟିଲେ !

      ଯୋଷେଫ ଓ ତାଙ୍କ ବାପା ଯାକୁବ ପରସ୍ପରକୁ ଭେଟୁଛନ୍ତି

      “ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ ତୁମ୍ଭମାନଙ୍କ ଅପରାଧସବୁ କ୍ଷମା କରିବେ ନାହିଁ ।”—ମାଥିଉ ୬:୧୫

      ପ୍ରଶ୍ନ: ଯିହୋବା କିପରି ଯୋଷେଫଙ୍କ ସାହାଯ୍ୟ କଲେ ? ଯୋଷେଫ କିପରି ଦେଖାଇଲେ ଯେ ସେ ନିଜ ଭାଇମାନଙ୍କୁ କ୍ଷମା କରିଦେଇଛନ୍ତି ?

      ଆଦି ପୁସ୍ତକ ୪୦:୧–୪୫:୨୮; ୪୬:୧-୭, ୨୬-୩୪; ଗୀତସଂହିତା ୧୦୫:୧୭-୧୯; ପ୍ରେରିତ ୭:୯-୧୫

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ