ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ପରବର୍ତ୍ତୀ ଛଅଟି ଦଣ୍ଡ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଝିଣ୍ଟିକା ଦଳ

      ପାଠ ୨୦

      ପରବର୍ତ୍ତୀ ଛଅଟି ଦଣ୍ଡ

      ମୋଶା ଓ ହାରୋଣ ଫାରୋଙ୍କ ପାଖକୁ ଯାଇ ଈଶ୍ୱରଙ୍କ ଏହି ସନ୍ଦେଶ ଶୁଣାଇଲେ, ‘ଯଦି ତମେ ମୋ ଲୋକମାନଙ୍କୁ ଯିବାକୁ ଦେବ ନାହିଁ ତେବେ ମୁଁ ଦେଶରେ ଦଂଶକାଦି ଝାଙ୍କ (ଏପରି ଏକ ବଡ଼ ମାଛି ଯାହା ଲୋକମାନଙ୍କୁ କାମୁଡ଼େ) ପଠାଇବି ।’ ତାʼପରେ ଧନୀ ଗରିବ ସମସ୍ତ ମିଶରୀୟଙ୍କ ଘରଗୁଡ଼ିକରେ ଅନେକ ମାଛି ପଶିଗଲେ । ସାରା ଦେଶରେ ମାଛିଗୁଡ଼ିକ ଭରିଗଲେ । କିନ୍ତୁ ଗୋଶନ ନାମକ ଅଞ୍ଚଳରେ ଯେଉଁଠି ଇସ୍ରାଏଲୀୟମାନେ ରହୁଥିଲେ, ଗୋଟିଏ ବି ଦଂଶକାଦି ମାଛି ନ ଥିଲା । ଏହି ଚତୁର୍ଥ ଦଣ୍ଡରେ ଏବଂ ଏହାପରେ ଯେତେ ବି ଦଣ୍ଡ ଆସିଲା, ସେଥିରେ କେବଳ ମିଶରୀୟମାନଙ୍କ କ୍ଷତି ହେଲା । ଫାରୋ କହିଲେ, ‘ଯିହୋବାଙ୍କୁ ବିନତି କର ଯେ ସେ ଏହି ମାଛିମାନଙ୍କୁ ଦୂର କରି ଦିଅନ୍ତୁ । ତେବେ ତମ ଲୋକମାନେ ଯାଇପାରିବେ ।’ କିନ୍ତୁ ଯେବେ ଯିହୋବା ମାଛିମାନଙ୍କୁ ଦୂର କରିଦେଲେ ତେବେ ଫାରୋ ନିଜ କଥା ରଖିଲେ ନାହିଁ । କʼଣ ଫାରୋ କେବେ ନିଜକୁ ସୁଧାରିଲେ ?

      ଯିହୋବା କହିଲେ, ‘ଯଦି ଫାରୋ ମୋର ଲୋକମାନଙ୍କୁ ଯିବାକୁ ଦେବ ନାହିଁ ତେବେ ମିଶରୀୟମାନଙ୍କ ପଶୁମାନେ ରୋଗରେ ପୀଡ଼ିତ ହୋଇ ମରିଯିବେ ।’ ତା ଆରଦିନ ଏପରି ହିଁ ହେଲା । ସେମାନଙ୍କ ପଶୁମାନେ ମରିବାକୁ ଲାଗିଲେ । କିନ୍ତୁ ଇସ୍ରାଏଲୀୟମାନଙ୍କ ପଶୁମାନଙ୍କ କିଛି ହେଲା ନାହିଁ । ତଥାପି ଫାରୋ ନିଜ ଜିଦ୍‌ ଧରି ବସିଲେ ।

      ଯିହୋବା ମୋଶାଙ୍କୁ ଫାରୋଙ୍କ ପାଖକୁ ପୁଣିଥରେ ଯିବା ପାଇଁ କହନ୍ତି ଏବଂ ତାଙ୍କ ସାମନାରେ ପାଉଁଶକୁ ପବନରେ ଉଡ଼ାଇବା ପାଇଁ କହନ୍ତି । ଯେବେ ମୋଶା ଏପରି କରନ୍ତି ତେବେ ପାଉଁଶ, ଧୂଳିରେ ବଦଳି ଯାଏ ଏବଂ ସାରା ମିଶରରେ ବ୍ୟାପି ଯାଏ । ଏଥିରୁ ସମସ୍ତ ମିଶରୀୟ ଏବଂ ପ୍ରତ୍ୟେକ ପଶୁର ଶରୀରରେ ବଥ ବାହାରେ ଯେଉଁଥିରୁ ସେମାନଙ୍କୁ ବହୁତ ବ୍ୟଥା ହୁଏ । ଏହାପରେ ବି ଫାରୋ ଇସ୍ରାଏଲୀୟମାନଙ୍କୁ ଯିବା ପାଇଁ ଦିଅନ୍ତି ନାହିଁ ।

      ମିଶରୀୟମାନଙ୍କ ଉପରେ ଆସିଲା ଚତୁର୍ଥ, ପଞ୍ଚମ ଓ ଷଷ୍ଠ ଦଣ୍ଡ: ଦଂଶକାଦି ଝାଙ୍କ, ପଶୁମାନଙ୍କ ଉପରେ ଦଣ୍ଡ, ବଥ

      ଯିହୋବା ମୋଶାଙ୍କୁ କହିଲେ ଯେ ସେ ଫାରୋଙ୍କ ପାଖକୁ ଯାଇ କୁହନ୍ତୁ, ‘କʼଣ ତମେ ଏବେ ବି ମୋ ଲୋକମାନଙ୍କୁ ଛାଡ଼ିବା ପାଇଁ ମନା କରୁଛ ? କାଲି ଏହି ଦେଶରେ ଶିଳା ବୃଷ୍ଟି (କୁଆପଥର) ହେବ ।’ ତା ଆରଦିନ ଯିହୋବା ଗର୍ଜନର ସହ କୁଆପଥର ଓ ନିଆଁ ବୃଷ୍ଟି କଲେ । ମିଶରରେ ଆଗରୁ ଏପରି କେବେ ବି ଏତେ ଭୟଙ୍କର ଝଡ଼ ତୋଫାନ ଆସି ନ ଥିଲା । ସବୁ ଗଛ ଭାଙ୍ଗିଗଲା ଏବଂ ସବୁ ଫସଲ ନଷ୍ଟ ହୋଇଗଲା, କିନ୍ତୁ ଗୋଶନରେ ଶିଳା ବୃଷ୍ଟି ହେଲା ନାହିଁ । ଫାରୋ କହିଲେ, ‘ଯିହୋବାଙ୍କୁ ଏହି ଦଣ୍ଡ ରୋକିବା ପାଇଁ ବିନତି କର । ତେବେ ତମେ ଯାଇପାରିବ ।’ କିନ୍ତୁ ଯେପରି ଶିଳା ବୃଷ୍ଟି ବନ୍ଦ ହେଲା ଫାରୋ ନିଜ କଥା ରଖିଲେ ନାହିଁ ।

      ମୋଶା କହିଲେ,‘ଏବେ ପଙ୍ଗପାଳ (ଝିଣ୍ଟିକା) ଆସିବ ଏବଂ ଶିଳା ବୃଷ୍ଟିରେ ବଞ୍ଚିଥିବା ସବୁଯାକ ଗଛକୁ ଖାଇଦେବ ।’ ଲକ୍ଷ ଲକ୍ଷ ଝିଣ୍ଟିକା ଆସିଲେ ଏବଂ କ୍ଷେତରେ ଓ ଗଛଗୁଡ଼ିକରେ ଯାହା ବି ବଳିଥିଲା ସବୁ ଖାଇଦେଲେ । ଫାରୋ କହିଲେ, ‘ଯିହୋବାଙ୍କୁ ବିନତି କର ଯେ ସେ ଝିଣ୍ଟିକାଗୁଡ଼ିକୁ ହଟାଇ ଦିଅନ୍ତୁ ।’ ଯିହୋବା ଝିଣ୍ଟିକାଗୁଡ଼ିକୁ ହଟାଇ ଦେଲେ, କିନ୍ତୁ ଫାରୋ ନିଜ ଜିଦ୍‌ ଛାଡ଼ିଲେ ନାହିଁ ।

      ଯିହୋବା ମୋଶାଙ୍କୁ କହିଲେ, ‘ନିଜ ହାତ ଆକାଶ ଆଡ଼କୁ ବଢ଼ାଅ ।’ ଏପରି କରିବା ସମୟରେ ଆକାଶରେ ଅନ୍ଧାର ହୋଇଗଲା । ତିନି ଦିନ ଯାଏ ମିଶରୀୟମାନଙ୍କୁ କିଛି ବି ଦେଖାଗଲା ନାହିଁ । ସେମାନେ ପରସ୍ପରକୁ ମଧ୍ୟ ଦେଖିପାରିଲେ ନାହିଁ । କେବଳ ଇସ୍ରାଏଲୀୟମାନଙ୍କ ଘରଗୁଡ଼ିକରେ ଆଲୋକ ଥିଲା ।

      ମିଶରୀୟମାନଙ୍କ ଉପରେ ଆସିଲା ସପ୍ତମ, ଅଷ୍ଟମ ଓ ନବମ ଦଣ୍ଡ: ଶିଳା ବୃଷ୍ଟି, ପଙ୍ଗପାଳ, ଅନ୍ଧକାର

      ତେବେ ଫାରୋ ମୋଶାଙ୍କୁ କହିଲେ, ‘ତମେ ଓ ତମ ଲୋକମାନେ ଯାଇପାରିବ । କିନ୍ତୁ ନିଜ ପଶୁମାନଙ୍କୁ ନେଇପାରିବ ନାହିଁ ।’ ମୋଶା କହିଲେ, ‘ଆମକୁ ନିଜ ପଶୁମାନଙ୍କୁ ନେବାକୁ ପଡ଼ିବ ଯାହାଦ୍ୱାରା ଆମେ ନିଜ ଈଶ୍ୱରଙ୍କ ପାଇଁ ବଳିଦାନ ଚଢ଼ାଇପାରିବୁ ।’ ଫାରୋ ବହୁତ ରାଗିଗଲେ । ଆଉ ବଡ଼ ପାଟିରେ ମୋଶାଙ୍କୁ କହିଲେ, ‘ତମେ ଏଠାରୁ ଚାଲିଯାଅ ! ଯଦି ତମେ କେବେ ଏଠାରେ ଦେଖାଯିବ ତାହେଲେ ମୁଁ ତମକୁ ମାରିଦେବି ।’

      “ଧାର୍ମିକ ଓ ଦୁଷ୍ଟ, ଯେ ପରମେଶ୍ୱରଙ୍କ ସେବା କରେ ଓ ଯେ ତାହାଙ୍କର ସେବା ନ କରେ, ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ ।”—ମଲାଖି ୩:୧୮

      ପ୍ରଶ୍ନ: ଯିହୋବା ଆଉ କʼଣ କʼଣ ଦଣ୍ଡ ଆଣିଲେ ? ଏହି ଦଣ୍ଡଗୁଡ଼ିକ ଆରମ୍ଭର ତିନୋଟି ଦଣ୍ଡରୁ କିପରି ଅଲଗା ଥିଲା ?

      ଯାତ୍ରା ପୁସ୍ତକ ୮:୨୦–୧୦:୨୯

  • ଦଶମ ଦଣ୍ତ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଜଣେ ଇସ୍ରାଏଲୀୟ ବ୍ୟକ୍ତି ନିଜ ଚୌକାଠରେ ରକ୍ତ ଲଗାଉଛି

      ପାଠ ୨୧

      ଦଶମ ଦଣ୍ତ

      ମୋଶା ଫାରୋଙ୍କୁ ପ୍ରତିଜ୍ଞା କଲେ ଯେ ସେ ପୁଣି ତାଙ୍କ ସାମନାକୁ ଆସିବେ ନାହିଁ । କିନ୍ତୁ ଫାରୋଙ୍କ ପାଖରୁ ଯିବା ପୂର୍ବରୁ ସେ କହିଲେ, ‘ଆଜି ଅଧରାତିରେ ମିଶରରେ ସମସ୍ତ ପରିବାରର ପ୍ରଥମଜାତ ପୁତ୍ର ମରିଯିବ । ଫାରୋଙ୍କ ପୁଅଙ୍କଠୁ ନେଇ ଦାସମାନଙ୍କ ପୁଅ ପର୍ଯ୍ୟନ୍ତ ସମସ୍ତେ ମରିଯିବେ ।’

      ଯିହୋବା ଇସ୍ରାଏଲୀୟମାନଙ୍କୁ ଗୋଟିଏ ବିଶେଷ ପ୍ରକାର ଖାଦ୍ୟ ଖାଇବା ପାଇଁ କୁହନ୍ତି । ସେ କହିଲେ, ‘ବର୍ଷୀୟ ଅଣ୍ଡିରା ମେଣ୍ଢା କିମ୍ବା ବର୍ଷୀୟ ଛେଳିକୁ କାଟ ଏବଂ ତାର ରକ୍ତ କବାଟର ଚୌକାଠରେ ଲଗାଅ । ତାର ମାଂସ ନିଆଁରେ ଜାଳି ତାକୁ ତାଡ଼ିଶୂନ୍ୟ ରୋଟୀ (ଖମୀରଶୂନ୍ୟ ରୋଟୀ) ସହ ଖାଅ । ତମେମାନେ କପଡ଼ା ଏବଂ ଜୋତା ପିନ୍ଧି ବାହାରିବା ପାଇଁ ପ୍ରସ୍ତୁତ ରହିବ । ଆଜି ରାତି ମୁଁ ତମମାନଙ୍କୁ ଏଠାରୁ ବାହାର କରି ନେଇଯିବି ।’ ଟିକେ ଭାବନ୍ତୁ ଏହା ଶୁଣି ଇସ୍ରାଏଲୀୟମାନେ କେତେ ଖୁସି ହୋଇଥିବେ !

      ଅଧରାତିରେ ଯିହୋବାଙ୍କ ଜଣେ ସ୍ୱର୍ଗଦୂତ ମିଶରର ପ୍ରତ୍ୟେକ ଘର ପାଖକୁ ଗଲେ । ଯେଉଁ ଘରର ଚୌକାଠରେ ରକ୍ତ ଲାଗି ନ ଥିଲା ସେଠାର ପ୍ରଥମ ପୁଅକୁ ସ୍ୱର୍ଗଦୂତ ମାରିଦେଲେ । କିନ୍ତୁ ଯେଉଁ ଘରର ଚୌକାଠରେ ରକ୍ତ ଲାଗି ଥିଲା ସେଠାରେ ସ୍ୱର୍ଗଦୂତ କିଛି କଲେ ନାହିଁ । ମିଶରୀୟମାନଙ୍କ ପ୍ରତ୍ୟେକ ପରିବାରରେ, ଧନୀ ହେଉ ବା ଗରିବ ସମସ୍ତଙ୍କ ପରିବାରରେ ଜଣେ ଛୁଆର ମୃତ୍ୟୁ ହୋଇଗଲା । କିନ୍ତୁ ଇସ୍ରାଏଲୀୟମାନଙ୍କର ଜଣେ ବି ଛୁଆ ମରିଲେ ନାହିଁ ।

      ଏପରିକି ଫାରୋଙ୍କ ପୁଅ ମଧ୍ୟ ମରିଗଲା । ଶେଷରେ ଫାରୋ ରାଜି ହୋଇଗଲେ । ସେ ତୁରନ୍ତ ମୋଶା ଆଉ ହାରୋଣଙ୍କୁ କହିଲେ, ʼତମେମାନେ ଏଇଠୁ ପଳାଅ । ଯାଅ, ନିଜ ଈଶ୍ୱରଙ୍କ ଉପାସନା କର । ଆଉ ନିଜ ପଶୁମାନଙ୍କୁ ବି ସାଙ୍ଗରେ ନେଇ ଯାଅ !ʼ

      ସେହି ରାତି ପୂର୍ଣ୍ଣିମା ଥିଲା । ତାର କିରଣରେ ଇସ୍ରାଏଲୀୟମାନେ ମିଶରରୁ ବାହାରି ପଡ଼ିଲେ । ସେମାନଙ୍କ ମଧ୍ୟରେ ଭଲ ବ୍ୟବସ୍ଥା ଥିଲା । ସେମାନେ ସମସ୍ତେ ନିଜ ନିଜ ପରିବାର ଏବଂ ଗୋଷ୍ଠୀ ସହ ସମୂହରେ ବାହାରି ପଡ଼ିଲେ । ଇସ୍ରାଏଲୀୟ ପୁରୁଷମାନଙ୍କ ସଂଖ୍ୟା ୬,୦୦,୦୦୦ ଥିଲା । ତାʼଛଡ଼ା ଅନେକ ସ୍ତ୍ରୀ ଓ ଛୁଆପିଲା ମଧ୍ୟ ଥିଲେ । ଇସ୍ରାଏଲୀୟମାନଙ୍କ ସହ ଅନ୍ୟ ଲୋକମାନେ ମଧ୍ୟ ଥିଲେ କାରଣ ସେମାନେ ବି ଯିହୋବାଙ୍କ ଉପାସନା କରିବା ପାଇଁ ଚାହୁଁଥିଲେ । ଶେଷରେ ଇସ୍ରାଏଲୀୟମାନେ ମୁକ୍ତ ହୋଇଗଲେ !

      ଯେଉଁ ଦିନ ଯିହୋବା ସେମାନଙ୍କୁ ରକ୍ଷା କରିଥିଲେ ସେହି ଦିନକୁ ମନେପକାଇବା ପାଇଁ ଇସ୍ରାଏଲୀୟମାନେ ବର୍ଷରେ ଥରେ ସେହି ବିଶେଷ ପ୍ରକାର ଖାଦ୍ୟ ଖାଉଥିଲେ । ଏପରି ଭାବେ ନିସ୍ତାର ପର୍ବ ପାଳନ କରୁଥିଲେ ।

      ଇସ୍ରାଏଲୀୟମାନେ ମିଶରରୁ ବାହାରୁଛନ୍ତି

      ‘ଆମ୍ଭେ ଯେପରି ତୁମ୍ଭଠାରେ ଆମ୍ଭର ଶକ୍ତି ଦେଖାଉ, ଆଉ ଯେପରି ସମସ୍ତ ପୃଥିବୀରେ ଆମ୍ଭର ନାମ ଘୋଷିତ ହୁଏ, ଏହା ପାଇଁ ଆମ୍ଭେ ତୁମ୍ଭକୁ ଜୀବିତ ଛାଡ଼ିଛୁ ।’—ରୋମୀୟ ୯:୧୭

      ପ୍ରଶ୍ନ: ଦଶମ ଦଣ୍ତ କʼଣ ଥିଲା ? ସେହି ଦଣ୍ତରୁ ରକ୍ଷା ପାଇବା ପାଇଁ ଇସ୍ରାଏଲୀୟମାନଙ୍କୁ କʼଣ କରିବାର ଥିଲା ?

      ଯାତ୍ରା ପୁସ୍ତକ ୧୧:୧–୧୨:୪୨; ୧୩:୩-୧୦

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ