ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ରାହାବ ଗୁପ୍ତଚରମାନଙ୍କୁ ଲୁଚାଇଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ରାହାବ ସୈନିକମାନଙ୍କୁ ଅନ୍ୟ ବାଟକୁ ପଠାଇ ଗୁପ୍ତଚରମାନଙ୍କ ଜୀବନ ରକ୍ଷା କଲେ

      ପାଠ ୩୦

      ରାହାବ ଗୁପ୍ତଚରମାନଙ୍କୁ ଲୁଚାଇଲେ

      ଯେବେ ଇସ୍ରାଏଲୀୟ ଗୁପ୍ତଚର ଯିରୀହୋ ସହରକୁ ଗଲେ, ତେବେ ସେମାନେ ରାହାବ ନାମକ ଜଣେ ସ୍ତ୍ରୀର ଘରେ ରହିଲେ । ଏହି କଥା ଯିରୀହୋର ରାଜାଙ୍କୁ ଜଣା ପଡ଼ିଗଲା । ତେଣୁ ସେ ନିଜ ସୈନିକମାନଙ୍କୁ ରାହାବଙ୍କ ଘରକୁ ପଠାଇଲେ । ରାହାବ ଗୁପ୍ତଚରମାନଙ୍କୁ ଛାତରେ ଲୁଚାଇ ଦେଲେ ଏବଂ ସୈନିକମାନଙ୍କୁ ଅନ୍ୟ ବାଟକୁ ପଠାଇ ଦେଲେ । ରାହାବ ଗୁପ୍ତଚରମାନଙ୍କୁ କହିଲେ, ‘ମୁଁ ତମମାନଙ୍କ ସାହାଯ୍ୟ କରିବି କାରଣ ମୁଁ ଜାଣିଛି ଯେ ଯିହୋବା ତମମାନଙ୍କ ସହିତ ଅଛନ୍ତି ଏବଂ ତମେ ଏହି ଦେଶକୁ ବିଜୟ ହାସଲ କରିବ । ମୋତେ ପ୍ରତିଜ୍ଞା କର ଯେ ତମେମାନେ ମୋ ପରିବାରକୁ ବଞ୍ଚାଇବ ।’

      ଗୁପ୍ତଚରମାନେ ରାହାବଙ୍କୁ କହିଲେ, ‘ଆମେ ପ୍ରତିଜ୍ଞା କରୁଛୁ ଯେ ଯେକେହି ତମ ଘର ଭିତରେ ଥିବ ସେମାନଙ୍କୁ କିଛି ହେବ ନାହିଁ ।’ ତାʼପରେ ସେମାନେ କହିଲେ, ‘ତମେ ନିଜ ଝରକାରେ ଗୋଟିଏ ଲାଲ ରଙ୍ଗର ରଶି ବାନ୍ଧିବ ଏବଂ ତମ ପରିବାରକୁ ରକ୍ଷା କରାଯିବ ।’

      ଯିରୀହୋର ପ୍ରାଚୀରଗୁଡ଼ିକ ଭୁଷୁଡ଼ି ପଡ଼ୁଛି କିନ୍ତୁ ରାହାବଙ୍କ ଘର, ଯାହାର ଝରକାରେ ଲାଲ ରଶି ବନ୍ଧା ହୋଇଛି, ପୂରା ଠିକ୍‌ ଅଛି

      ରାହାବ ଗୁପ୍ତଚରମାନଙ୍କୁ ଗୋଟିଏ ରଶି ସାହାଯ୍ୟରେ ଝରକାରୁ ତଳକୁ ଓହ୍ଲାଇବା ପାଇଁ ସାହାଯ୍ୟ କଲେ । ସେମାନେ ପାହାଡ଼ ଆଡ଼କୁ ଚାଲିଗଲେ ଏବଂ ତିନି ଦିନ ଯାଏ ସେଠାରେ ଲୁଚି ରହିଲେ । ତାʼପରେ ସେମାନେ ଯିହୋଶୂୟଙ୍କ ପାଖକୁ ଫେରିଗଲେ । ଇସ୍ରାଏଲୀୟମାନେ ଯର୍ଦ୍ଦନ ନଦୀ ପାର କଲେ ଏବଂ କିଣାନ ଦେଶକୁ ଜିତିବା ପାଇଁ ପ୍ରସ୍ତୁତି କଲେ । ସବୁଠୁ ପ୍ରଥମେ ସେମାନେ ଯିରୀହୋ ସହରକୁ ଜିତିଲେ । ଜାଣିଛ କିପରି ? ଯିହୋବା ସେମାନଙ୍କୁ ଦିନକୁ ଥରେ ସହରର ଚାରିଆଡ଼େ ବୁଲିବା ପାଇଁ ଏବଂ ଏପରି ହିଁ ଛଅ ଦିନ ଯାଏ କରିବା ପାଇଁ କହିଲେ । ସପ୍ତମ ଦିନ ସେମାନେ ସାତ ଥର ସହରର ଚାରିଆଡ଼େ ବୁଲିଲେ । ଏହାପରେ ଯାଜକମାନେ ତୂରୀ ବଜାଇଲେ ଏବଂ ସୈନିକମାନେ ଉଚ୍ଚ ସ୍ୱରରେ ପାଟି କଲେ । ସେସମୟରେ ସହରର ପ୍ରାଚୀରଗୁଡ଼ିକ ଭୁଷୁଡ଼ି ପଡ଼ିଲା ! କିନ୍ତୁ ରାହାବଙ୍କ ଘର, ଯାହା ସହରର ପ୍ରାଚୀରରେ ଲାଗି ରହିଥିଲା, ଭାଙ୍ଗିଲା ନାହିଁ । ସେ ଓ ତାଙ୍କ ପରିବାର ବଞ୍ଚିଗଲେ କାରଣ ସେ ଯିହୋବାଙ୍କ ଉପରେ ଭରସା ରଖିଲେ ।

      “ସେହି ପ୍ରକାରେ ମଧ୍ୟ ରାହାବ . . . ଦୂତମାନଙ୍କୁ ଆତିଥ୍ୟ କରି ଅନ୍ୟ ବାଟ ଦେଇ ସେମାନଙ୍କୁ ବିଦାୟ କରିବାରୁ କଅଣ କର୍ମ ଦ୍ୱାରା ଧାର୍ମିକ ଗଣିତ ହେଲେ ନାହିଁ ?”—ଯାକୁବ ୨:୨୫

      ପ୍ରଶ୍ନ: ରାହାବ ଗୁପ୍ତଚରମାନଙ୍କୁ ସାହାଯ୍ୟ କାହିଁକି କଲେ ? ଇସ୍ରାଏଲୀୟମାନେ ଯିରୀହୋ ଉପରେ ଆକ୍ରମଣ କିପରି କଲେ ? ରାହାବ ଓ ତାଙ୍କ ପରିବାରଙ୍କ ସହ କʼଣ ହେଲା ?

      ଯିହୋଶୂୟ ୨:୧-୨୪; ୬:୧-୨୭; ଏବ୍ରୀ ୧୧:୩୦, ୩୧; ଯାକୁବ ୨:୨୪-୨୬

  • ଯିହୋଶୂୟ ଏବଂ ଗିବିୟୋନୀୟ ଲୋକ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଗିବିୟୋନୀୟ ଲୋକ ଛିଣ୍ଡା ପୁରୁଣା କପଡ଼ା ପିନ୍ଧି ଯିହୋଶୂୟ ଓ ତାଙ୍କ ସେନା ପାଖକୁ ଆସିଛନ୍ତି

      ପାଠ ୩୧

      ଯିହୋଶୂୟ ଏବଂ ଗିବିୟୋନୀୟ ଲୋକ

      ଯିରୀହୋର ବିନାଶର ଖବର କିଣାନର ଅନ୍ୟ ଜାତିଗୁଡ଼ିକ ଯାଏ ପହଞ୍ଚିଗଲା । ସେମାନଙ୍କ ରାଜାମାନେ ନିଷ୍ପତ୍ତି ନେଲେ ଯେ ସେମାନେ ମିଶି ଇସ୍ରାଏଲୀୟମାନଙ୍କ ସହ ଲଢ଼ିବେ । କିନ୍ତୁ ଗିବିୟୋନୀୟ ଲୋକ ଅନ୍ୟ କିଛି ନିଷ୍ପତ୍ତି ନେଲେ । ସେମାନେ ଛିଣ୍ଡା ପୁରୁଣା କପଡ଼ା ପିନ୍ଧି ଯିହୋଶୂୟଙ୍କ ପାଖକୁ ଗଲେ । ସେମାନେ ତାଙ୍କୁ କହିଲେ, ‘ଆମେ ଦୂର ଦେଶରୁ ଆସିଛୁ । ଆମେ ଯିହୋବାଙ୍କ ବିଷୟରେ ଶୁଣିଛୁ ଏବଂ ଏହା ବି ଯେ ସେ ମିଶର ଓ ମୋୟାବରେ ତମମାନଙ୍କ ପାଇଁ କʼଣ କʼଣ କଲେ । ଆମକୁ ପ୍ରତିଜ୍ଞା କର ଯେ ତମେମାନେ ଆମ ଉପରେ ଆକ୍ରମଣ କରିବ ନାହିଁ । ତାʼପରେ ଆମେ ତମର ସେବକ ହୋଇଯିବା ।’

      ଯିହୋଶୂୟ ତାଙ୍କ କଥାକୁ ସତ ଭାବି ସେମାନଙ୍କୁ ପ୍ରତିଜ୍ଞା କଲେ ଯେ ସେମାନେ ତାଙ୍କ ଉପରେ ଆକ୍ରମଣ କରିବେ ନାହିଁ । କିନ୍ତୁ ତିନି ଦିନ ପରେ ଯିହୋଶୂୟଙ୍କୁ ଜଣା ପଡ଼ିଲା ଯେ ସେମାନେ ଦୂର ଦେଶରୁ ନୁହେଁ ବରଂ କିଣାନ ଦେଶରେ ହିଁ ରହନ୍ତି । ଯିହୋଶୂୟ ସେମାନଙ୍କୁ ପଚାରିଲେ, ‘ତମେମାନେ ଆମକୁ ମିଛ କାହିଁକି କହିଲ ?’ ସେମାନେ କହିଲେ, ‘ଆମେ ବହୁତ ଡରି ଯାଇଥିଲୁ ! ଆମେ ଜାଣିଛୁ ତମ ଈଶ୍ୱର ଯିହୋବା ତମମାନଙ୍କ ତରଫରୁ ଲଢ଼ୁଛନ୍ତି । ଦୟାକରି ଆମକୁ ଛାଡ଼ି ଦିଅ, ଆମମାନଙ୍କୁ ମାର ନାହିଁ ।’ ଯିହୋଶୂୟ ନିଜ ପ୍ରତିଜ୍ଞା ପୂରା କଲେ ଏବଂ ଗିବିୟୋନୀୟମାନଙ୍କୁ ଜୀବିତ ଛାଡ଼ି ଦେଲେ ।

      କିଛି ସମୟ ପରେ, ପାଞ୍ଚ ଜଣ କିଣାନୀୟ ରାଜା ନିଜ ସେନାକୁ ନେଇ ଗିବିୟୋନୀୟମାନଙ୍କୁ ଉପରେ ଆକ୍ରମଣ କରିବାକୁ ବାହାରି ପଡ଼ିଲେ । ଯିହୋଶୂୟ ଓ ତାଙ୍କ ସୈନିକମାନେ ଗିବିୟୋନୀୟମାନଙ୍କୁ ରକ୍ଷା କରିବା ପାଇଁ ରାତି ସାରା ଚାଲି ଚାଲି ଗଲେ । ତା ଆରଦିନ ସକାଳେ କିଣାନୀୟ ଓ ଇସ୍ରାଏଲୀୟମାନଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଗଲା । କିଣାନୀୟ ଲୋକ ଏଣେ ତେଣେ ପଳାଇବାକୁ ଲାଗିଲେ, କିନ୍ତୁ ସେମାନେ ଯେଉଁଠି ବି ପଳାଇଲେ ଯିହୋବା ସେମାନଙ୍କ ଉପରେ ବଡ଼ ବଡ଼ କୁଆପଥରର ବର୍ଷା କରିଲେ । ତାʼପରେ ଯିହୋଶୂୟ, ଯିହୋବାଙ୍କୁ କହିଲେ ଯେ ସେ ସୂର୍ଯ୍ୟକୁ ଅଟକାଇ ଦିଅନ୍ତୁ । କିନ୍ତୁ ଏହା ପୂର୍ବରୁ ସୂର୍ଯ୍ୟ କେବେ ବି ଅଟକି ନ ଥିଲା, ତାହେଲେ ଯିହୋଶୂୟ କାହିଁକି ଏପରି କରିବା ପାଇଁ ପ୍ରାର୍ଥନା କଲେ ? କାରଣ ତାଙ୍କୁ ଯିହୋବାଙ୍କ ଉପରେ ଭରସା ଥିଲା । ସୂର୍ଯ୍ୟ ଦିନ ସାରା ଅସ୍ତ ହେଲା ନାହିଁ । ତାହା ସେ ଯାଏ ଅଟକି ରହିଲା ଯେ ଯାଏ ଇସ୍ରାଏଲୀୟମାନେ କିଣାନୀୟ ରାଜାମାନଙ୍କୁ ଏବଂ ତାଙ୍କ ସେନାକୁ ପରାସ୍ତ କଲେ ନାହିଁ ।

      ଯିହୋଶୂୟ ସ୍ୱର୍ଗ ଆଡ଼କୁ ଦେଖି ଯିହୋବାଙ୍କୁ ବିନତି କରନ୍ତି ଯେ ସୂର୍ଯ୍ୟ ଅଟକି ଯାଉ

      “ତୁମ୍ଭମାନଙ୍କ ହଁ କଥା ହଁ ହେଉ, ନା କଥା ନା ହେଉ; ଏଥିରୁ ଯାହା ଅଧିକ, ତାହା ମନ୍ଦରୁ ଜନ୍ମେ ।”—ମାଥିଉ ୫:୩୭

      ପ୍ରଶ୍ନ: ଗିବିୟୋନୀୟମାନେ ନିଜ ଜୀବନ ବଞ୍ଚାଇବା ପାଇଁ କʼଣ କଲେ ? ଯିହୋବା କିପରି ଇସ୍ରାଏଲୀୟମାନଙ୍କ ସାହାଯ୍ୟ କଲେ ?

      ଯିହୋଶୂୟ ୯:୧–୧୦:୧୫

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ