ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ଗିଦିୟୋନ୍‌ ମିଦୀୟନୀୟମାନଙ୍କଠାରୁ ଜିତିଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଗିଦିୟୋନ୍‌ ଏବଂ ତାଙ୍କ ଲୋକ ତୂରୀ ବଜାଉଛନ୍ତି, ମାଠିଆ ଭାଙ୍ଗୁଛନ୍ତି, ଜଳୁଥିବା ମସାଲ ହଲାଉଛନ୍ତି ଏବଂ ଜୋର୍‌ରେ ପାଟି କରୁଛନ୍ତି

      ପାଠ ୩୪

      ଗିଦିୟୋନ୍‌ ମିଦୀୟନୀୟମାନଙ୍କଠାରୁ ଜିତିଲେ

      କିଛି ସମୟ ପରେ ଇସ୍ରାଏଲୀୟ ପୁଣି ଯିହୋବାଙ୍କୁ ଛାଡ଼ି ମିଥ୍ୟା ଦେବତାମାନଙ୍କୁ ପୂଜା କରିବାକୁ ଲାଗିଲେ । ସେସମୟରେ ମିଦୀୟନୀୟ ଲୋକମାନେ ଆସି ଇସ୍ରାଏଲୀୟମାନଙ୍କ ପଶୁ ଚୋରି କରିବାକୁ ଲାଗିଲେ ଏବଂ ସେମାନଙ୍କ ଫସଲ ନଷ୍ଟ କରିବାକୁ ଲାଗିଲେ । ଏପରି ସାତ ବର୍ଷ ଯାଏ ଚାଲିଲା । ମିଦୀୟନୀୟମାନଙ୍କଠାରୁ ରକ୍ଷା ପାଇବା ପାଇଁ ଇସ୍ରାଏଲୀୟମାନେ ଗୁମ୍ଫା ଏବଂ ପାହାଡ଼ଗୁଡ଼ିକରେ ଲୁଚି ଯାଉଥିଲେ । ସେମାନେ ଯିହୋବାଙ୍କୁ ବହୁତ ବିନତି କଲେ ଯେ ସେ ସେମାନଙ୍କୁ ରକ୍ଷା କରନ୍ତୁ । ତେଣୁ ଯିହୋବା ତାଙ୍କ ଜଣେ ସ୍ୱର୍ଗଦୂତଙ୍କୁ ଗିଦିୟୋନ୍‌ ନାମକ ଜଣେ ଯୁବା ବ୍ୟକ୍ତିଙ୍କ ପାଖକୁ ପଠାଇଲେ । ସ୍ୱର୍ଗଦୂତ ଗିଦିୟୋନ୍‌ଙ୍କୁ କହିଲେ, ‘ଯିହୋବା ତମକୁ ଜଣେ ସାହସୀ ସୈନିକ ହେବା ପାଇଁ ବାଛିଛନ୍ତି ।’ କିନ୍ତୁ ଗିଦିୟୋନ୍‌ ପଚାରିଲେ, ‘ମୁଁ ଇସ୍ରାଏଲୀୟମାନଙ୍କୁ କିପରି ରକ୍ଷା କରିପାରିବି ? ମୁଁ ତ ସାଧାରଣ ଲୋକ ।’

      ଗିଦିୟୋନ୍‌ଙ୍କୁ କିପରି ଭରସା ହେଲା ଯେ ଯିହୋବା ତାଙ୍କୁ ବାଛିଛନ୍ତି ? ସେ ଜମିରେ ଲୋମ ରଖିଲେ ଏବଂ ଯିହୋବାଙ୍କୁ କହିଲେ, ‘ଯଦି ସକାଳ ଯାଏ ଲୋମ କାକରରେ ଭିଜିବ କିନ୍ତୁ ଆଖପାଖର ଜମି ଶୁଷ୍କ ରହିବ, ତେବେ ମୁଁ ଜାଣିବି ଯେ ଆପଣ ମୋତେ ଇସ୍ରାଏଲକୁ ରକ୍ଷା କରିବା ପାଇଁ ବାଛିଛନ୍ତି ।’ ପରଦିନ ସକାଳେ ସେ ଦେଖିଲେ ଯେ ଲୋମ ପୂରାପୂରି ଭିଜିଯାଇଛି, କିନ୍ତୁ ଆଖପାଖର ଜମି ଶୁଷ୍କ ଅଛି ! ତାʼପରେ ଗିଦିୟୋନ୍‌ ଈଶ୍ୱରଙ୍କୁ କହିଲେ ଯେ ପରଦିନ ସକାଳେ ଲୋମ ଶୁଷ୍କ ରହିବ ଏବଂ ଆଖପାଖର ଜମିରେ କାକର ପଡ଼ିଥିବ । ଏପରି ହିଁ ହେଲା ! ଏବେ ଗିଦିୟୋନ୍‌ଙ୍କୁ ଭରସା ହୋଇଗଲା ଯେ ଯିହୋବା ତାଙ୍କୁ ବାଛିଛନ୍ତି । ସେ ନିଜ ସୈନିକମାନଙ୍କୁ ଏକାଠି କଲେ ଯାହାଦ୍ୱାରା ସେ ମିଦୀୟନୀୟମାନଙ୍କ ସହ ଲଢ଼ିପାରିବେ ।

      ଯିହୋବା ଗିଦିୟୋନ୍‌ଙ୍କୁ କହିଲେ, ‘ମୁଁ ଇସ୍ରାଏଲୀୟମାନଙ୍କୁ ଜୟ ହାସଲ କରାଇବି । କିନ୍ତୁ ତମ ସୈନିକମାନେ ସଂଖ୍ୟାରେ ବହୁତ ବେଶୀ ଅଛନ୍ତି, ତେଣୁ ଜିତିବା ପରେ ତମେମାନେ ଭାବିବାକୁ ଲାଗିପାର ଯେ ଏହି ଯୁଦ୍ଧକୁ ତମେ ନିଜ ବଳରେ ଜିତିଛ । ତେଣୁ ଯେଉଁ ଲୋକମାନଙ୍କୁ ଡର ଲାଗୁଛି ସେମାନଙ୍କୁ କୁହ ଯେ ସେମାନେ ନିଜ ନିଜ ଘରକୁ ଫେରିଯାନ୍ତୁ ।’ ସେସମୟରେ ୨୨,୦୦୦ ସୈନିକ ଘରକୁ ଫେରିଗଲେ ଏବଂ ୧୦,୦୦୦ ଜଣ ରହିଲେ । ଯିହୋବା କହିଲେ, ‘ଏବେ ବି ତମ ସୈନିକ ବହୁତ ବେଶୀ ଅଛନ୍ତି । ସେମାନଙ୍କୁ ନଦୀ ପାଖକୁ ନେଇ ଯାଅ ଏବଂ ସେମାନଙ୍କୁ ପାଣି ପିଇବା ପାଇଁ କହ । ଯେଉଁ ସୈନିକ ପାଣି ପିଇବା ସମୟରେ ଶତ୍ରୁ ଆସୁଛି ନା ନାହିଁ ଏହା ଧ୍ୟାନ ଦିଏ ତାକୁ ତମେ ରଖ ।’ କେବଳ ୩୦୦ ଜଣ ସୈନିକ ପାଣି ପିଇବା ସମୟରେ ସତର୍କ ରହିଲେ । ଯିହୋବା ପ୍ରତିଜ୍ଞା କଲେ ଯେ ଏହି କମ୍‌ ଲୋକ ମିଦୀୟନର ୧,୩୫,୦୦୦ ସୈନିକମାନଙ୍କୁ ପରାସ୍ତ କରି ଦେବେ ।

      ସେହି ରାତି ଯିହୋବା ଗିଦିୟୋନ୍‌ଙ୍କୁ କହିଲେ, ‘ମିଦୀୟନୀୟମାନଙ୍କ ଉପରେ ଆକ୍ରମଣ କରିବାର ଏହା ସଠିକ୍‌ ସମୟ !’ ଗିଦିୟୋନ୍‌ ନିଜ ଲୋକମାନଙ୍କୁ ତୂରୀ ଏବଂ ମାଠିଆ ଦେଲେ ଯାହା ଭିତରେ ମସାଲଗୁଡ଼ିକ ଥିଲା । ସେ ସେମାନଙ୍କୁ କହିଲେ, ‘ତମେମାନେ ମୋ ପ୍ରତି ଦୃଷ୍ଟି ରଖିବ ଏବଂ ଯେପରି ମୁଁ କରିବି, ଠିକ୍‌ ସେପରି କରିବ ।’ ଗିଦିୟୋନ୍‌ ନିଜ ତୂରୀ ବଜାଇଲେ, ମାଠିଆ ଭାଙ୍ଗିଲେ, ଜଳୁଥିବା ମସାଲ ହଲାଇଲେ ଏବଂ ଜୋର୍‌ରେ ପାଟି କରି କହିଲେ, ‘ଯିହୋବାଙ୍କ ଖଣ୍ତା ଏବଂ ଗିଦୀୟନ୍‌ର ଖଣ୍ତା !’ ସେସମୟରେ ତାଙ୍କ ୩୦୦ ଜଣ ଲୋକମାନେ ଏପରି ହିଁ କଲେ । ଏହା ଦେଖି ମିଦୀୟନୀୟମାନେ ବହୁତ ଡରିଗଲେ ଏବଂ ଏଣେ ତେଣେ ପଳାଇବାକୁ ଲାଗିଲେ । ସେମାନଙ୍କ ମଧ୍ୟରେ ଏପରି ଦ୍ୱନ୍ଦ୍ୱ ହୋଇଗଲା ଯେ ସେମାନେ ପରସ୍ପରକୁ ମାରିବାକୁ ଲାଗିଲେ । ପୁଣିଥରେ ଯିହୋବା ଇସ୍ରାଏଲୀୟମାନଙ୍କୁ ଶତ୍ରୁମାନଙ୍କଠାରୁ ଜିତିବା ପାଇଁ ସାହାଯ୍ୟ କଲେ ।

      ଡରିଯାଇଥିବା ମିଦୀୟନୀୟ ସୈନିକମାନେ

      “ମହାଶକ୍ତି ଯେ ଈଶ୍ୱରଙ୍କର, ପୁଣି ତାହା ଯେ ଆମ୍ଭମାନଙ୍କଠାରୁ ଉତ୍ପନ୍ନ ନୁହେଁ ।”—୨ କରିନ୍ଥୀୟ ୪:୭

      ପ୍ରଶ୍ନ: ଯିହୋବା ଗିଦିୟୋନ୍‌ଙ୍କୁ କିପରି ଭରସା ଦେଲେ ଯେ ସେ ତାଙ୍କୁ ବାଛିଛନ୍ତି ? ଗିଦିୟୋନ୍‌ଙ୍କ ସେନାରେ କେବଳ ୩୦୦ ଜଣ ଲୋକ କାହିଁକି ରହିଗଲେ ?

      ବିଚାରକର୍ତ୍ତା ୬:୧-୧୬; ୬:୩୬–୭:୨୫; ୮:୨୮

  • ପୁଅ ପାଇବା ପାଇଁ ହାନ୍ନାଙ୍କ ପ୍ରାର୍ଥନା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ହାନ୍ନା ଛୋଟ ଶାମୁୟେଲକୁ ପବିତ୍ର ତମ୍ବୁ ପାଖରେ ଏଲିଙ୍କୁ ଦେଉଛନ୍ତି

      ପାଠ ୩୫

      ପୁଅ ପାଇବା ପାଇଁ ହାନ୍ନାଙ୍କ ପ୍ରାର୍ଥନା

      ଇଲ୍‌କାନା ନାମକ ଜଣେ ଇସ୍ରାଏଲୀୟ ବ୍ୟକ୍ତିଙ୍କ ଦୁଇ ଜଣ ସ୍ତ୍ରୀ ଥିଲେ । ଜଣଙ୍କର ନାମ ଥିଲା ହାନ୍ନା ଏବଂ ଅନ୍ୟ ଜଣଙ୍କର ନାମ ପନିନ୍ନା । କିନ୍ତୁ ଇଲ୍‌କାନା ସବୁଠୁ ବେଶୀ ହାନ୍ନାଙ୍କୁ ପ୍ରେମ କରୁଥିଲେ । ହାନ୍ନାଙ୍କୁ କୌଣସି ସନ୍ତାନ ନ ଥିଲେ କିନ୍ତୁ ପନିନ୍ନାଙ୍କ ଅନେକ ସନ୍ତାନ ଥିଲେ । ତେଣୁ ପନିନ୍ନା ସବୁବେଳେ ହାନ୍ନାଙ୍କ ଥଟ୍ଟା କରୁଥିଲେ । ଇଲ୍‌କାନା ପ୍ରତିବର୍ଷ ପବିତ୍ର ତମ୍ବୁ ଆଗରେ ଉପାସନା କରିବା ପାଇଁ ନିଜ ପରିବାରକୁ ଶୀଲୋକୁ ନେଇ ଯାଉଥିଲେ । ଥରେ ଯେବେ ସେମାନେ ସେଠାରେ ଥିଲେ, ତେବେ ଇଲ୍‌କାନା ଦେଖିଲେ ଯେ ତାଙ୍କ ପ୍ରିୟ ସ୍ତ୍ରୀ ହାନ୍ନା ବହୁତ ଦୁଃଖି ଅଛନ୍ତି । ଇଲ୍‌କାନା ତାଙ୍କୁ କହିଲେ, ‘କାନ୍ଦନି ହାନ୍ନା, ମୁଁ ତମ ସହିତ ଅଛି । ମୁଁ ତମକୁ ବହୁତ ଭଲ ପାଏ ।’

      ପରେ ହାନ୍ନା ଏକୁଟିଆ ପ୍ରାର୍ଥନା କରିବା ପାଇଁ ତମ୍ବୁ ପାଖକୁ ଯାʼନ୍ତି । ସେଠାରେ ସେ କାନ୍ଦି କାନ୍ଦି ଯିହୋବାଙ୍କୁ ସାହାଯ୍ୟ ପାଇଁ ବିନତି କରନ୍ତି । ସେ ପ୍ରତିଜ୍ଞା କରନ୍ତି, ‘ହେ ଯିହୋବା, ଯଦି ଆପଣ ମୋତେ ଏକ ପୁଅ ଦେବେ ତେବେ ମୁଁ ତାକୁ ଆପଣଙ୍କୁ ଦେଇ ଦେବି ଯାହାଦ୍ୱାରା ସେ ଜୀବନ ସାରା ଆପଣଙ୍କ ସେବା କରିବ ।’

      ହାନ୍ନା କାନ୍ଦି କାନ୍ଦି ପ୍ରାର୍ଥନା କରୁଛନ୍ତି ଏବଂ ମହାଯାଜକ ଏଲି ତାଙ୍କୁ ଦେଖୁଛନ୍ତି

      ମହାଯାଜକ ଏଲି ଦେଖିଲେ ଯେ ହାନ୍ନାଙ୍କ ଓଠ ହଲୁଛି । କିନ୍ତୁ କୌଣସି ଶବ୍ଦ ଶୁଣାଯାଉନି । ତେଣୁ ସେ ଭାବିଲେ ଯେ ହାନ୍ନା ମଦ ପିଇଛନ୍ତି । ହାନ୍ନା ଏଲିଙ୍କୁ କହିଲେ, ‘ନାହିଁ ମୁଁ ମଦ ପିଇ ନାହିଁ । ମୁଁ ବହୁତ କଷ୍ଟରେ ଅଛି ଏବଂ ଏ ବିଷୟରେ ଯିହୋବାଙ୍କୁ କହୁଛି ।’ ସେସମୟରେ ଏଲି ବୁଝିପାରିଲେ ଯେ ସେ ଭୁଲ ଭାବୁଥିଲେ । ସେ ହାନ୍ନାଙ୍କୁ କହିଲେ, ‘ତମେ ଯାହା ମାଗିଛ ତାହା ଈଶ୍ୱର ତମକୁ ଦେବେ ।’ ଏହା ଶୁଣି ହାନ୍ନାଙ୍କୁ ଭଲ ଲାଗିଲା ଏବଂ ସେ ସେଠାରୁ ଚାଲିଗଲେ । ଆରବର୍ଷ ହାନ୍ନାଙ୍କ ଏକ ପୁଅ ହେଲା ଏବଂ ସେ ତାʼର ନାମ ଶାମୁୟେଲ ରଖିଲେ । କʼଣ ଆପଣ ଭାବିପାରିବେ, ହାନ୍ନାଙ୍କୁ କେତେ ଖୁସି ଲାଗିଥିବ ?

      ହାନ୍ନା ଯିହୋବାଙ୍କୁ କରିଥିବା ପ୍ରତିଜ୍ଞା ଭୁଲିଲେ ନାହିଁ । ଶାମୁୟେଲ କ୍ଷୀର ପିଇବା ଛାଡ଼ିବା ମାତ୍ରେ ସେ ତାକୁ ପବିତ୍ର ତମ୍ବୁ ପାଖକୁ ନେଇଗଲେ, ଯାହାଦ୍ୱାରା ସେ ସେଠାରେ ସେବା କରିବ । ହାନ୍ନା ଏଲିଙ୍କୁ କହିଲେ, ‘ଏହା ସେହି ବାଳକ ଅଟେ ଯାହା ପାଇଁ ମୁଁ ପ୍ରାର୍ଥନା କରିଥିଲି । ମୁଁ ତାକୁ ଯିହୋବାଙ୍କୁ ଦେଉଛି ଯାହାଦ୍ୱାରା ସେ ଜୀବନ ସାରା ତାଙ୍କ ସେବା କରିବ ।’ ଇଲ୍‌କାନା ଏବଂ ହାନ୍ନା ପ୍ରତ୍ୟେକ ବର୍ଷ ଶାମୁୟେଲକୁ ଭେଟିବା ପାଇଁ ଯାଉଥିଲେ ଏବଂ ତାʼ ପାଇଁ ଚୋଗା ଆଣୁଥିଲେ । ଯିହୋବା ହାନ୍ନାଙ୍କୁ ଆଉ ତିନିଜଣ ପୁଅ ଏବଂ ଦୁଇ ଜଣ ଝିଅ ଦେଲେ ।

      “ମାଗ, ସେଥିରେ ତୁମ୍ଭମାନଙ୍କୁ ଦିଆଯିବ; ଖୋଜ, ସେଥିରେ ତୁମ୍ଭେମାନେ ସନ୍ଧାନ ପାଇବ ।”—ମାଥିଉ ୭:୭

      ପ୍ରଶ୍ନ: ହାନ୍ନା କାହିଁକି ବହୁତ ଦୁଃଖି ଥିଲେ ? ଯିହୋବା ହାନ୍ନାଙ୍କୁ କʼଣ ଆଶିଷଗୁଡ଼ିକ ଦେଲେ ?

      ୧ ଶାମୁୟେଲ ୧:୧–୨:୧୧, ୧୮-୨୧

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ