ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • ଯିପ୍ତହଙ୍କ ପ୍ରତିଜ୍ଞା
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଯିପ୍ତହଙ୍କ ଝିଅ ତାଙ୍କୁ ଭେଟିବା ପାଇଁ ଆସୁଛନ୍ତି ଏବଂ ଏହା ଦେଖି ଯିପ୍ତହ ଦୁଃଖରେ ନିଜ କପଡ଼ାକୁ ଚିରୁଛନ୍ତି

      ପାଠ ୩୬

      ଯିପ୍ତହଙ୍କ ପ୍ରତିଜ୍ଞା

      ଇସ୍ରାଏଲୀୟ ଯିହୋବାଙ୍କୁ ଛାଡ଼ି ପୁଣି ମିଥ୍ୟା ଦେବତାମାନଙ୍କ ପୂଜା କରିବାକୁ ଲାଗିଲେ । ଯେବେ ଅମ୍ମୋନୀୟ ଲୋକମାନେ ଆସି ଇସ୍ରାଏଲୀୟମାନଙ୍କ ସହ ଲଢ଼େଇ କଲେ ତେବେ ସେହି ଦେବତାମାନେ ଇସ୍ରାଏଲୀୟମାନଙ୍କ କୌଣସି ସାହାଯ୍ୟ କଲେ ନାହିଁ । ଅନେକ ବର୍ଷ ଯାଏ ଇସ୍ରାଏଲୀୟମାନେ କଷ୍ଟ ସହିଲେ । ଶେଷରେ ସେମାନେ ଯିହୋବାଙ୍କୁ କହିଲେ, ‘ଆମେମାନେ ପାପ କରିଛୁ । ଦୟାକରି ଆମକୁ ଶତ୍ରୁମାନଙ୍କଠାରୁ ରକ୍ଷା କର ।’ ସେମାନେ ନିଜ ମୂର୍ତ୍ତିଗୁଡ଼ିକୁ ଭାଙ୍ଗି ଦେଲେ ଏବଂ ପୁଣି ଯିହୋବାଙ୍କ ଉପାସନା କରିବାକୁ ଲାଗିଲେ । ଯିହୋବା ଚାହୁଁ ନ ଥିଲେ ଯେ ସେମାନେ କଷ୍ଟଗୁଡ଼ିକ ସହନ୍ତୁ ।

      ଯିପ୍ତହ ନାମକ ଜଣେ ସୈନିକଙ୍କୁ ବଛାଗଲା ଯିଏ ଅମ୍ମୋନୀୟମାନଙ୍କ ସହ ଲଢ଼ିବା ପାଇଁ ଇସ୍ରାଏଲୀୟମାନଙ୍କ ନେତୃତ୍ୱ ନିଅନ୍ତେ । ଯିପ୍ତହ ଯିହୋବାଙ୍କୁ କହିଲେ, ‘ମୁଁ ପ୍ରତିଜ୍ଞା କରୁଛି ଯେ ଯଦି ଆପଣ ଆମକୁ ଏହି ଲଢ଼େଇ ଜିତିବା ପାଇଁ ସାହାଯ୍ୟ କରିବେ, ତେବେ ମୋ ଘର ଫେରିବା ପରେ ଯିଏ ପ୍ରଥମେ ମୋତେ ଭେଟିବା ପାଇଁ ଘରୁ ବାହାରିବ, ତାକୁ ମୁଁ ଆପଣଙ୍କୁ ଦେଇ ଦେବି ।’ ଯିହୋବା ଯିପ୍ତହଙ୍କ ପ୍ରାର୍ଥନା ଶୁଣିଲେ ଏବଂ ଲଢ଼େଇ ଜିତିବା ପାଇଁ ତାଙ୍କୁ ସାହାଯ୍ୟ କଲେ ।

      ଯିପ୍ତହ ଯେବେ ଘରକୁ ଫେରିଲେ ସବୁଠୁ ପ୍ରଥମେ ତାଙ୍କ ଝିଅ ତାଙ୍କୁ ଭେଟିବା ପାଇଁ ଆସିଲେ । ସେ ତାଙ୍କ ଏକମାତ୍ର ଝିଅ ଥିଲେ । ସେ ଖଞ୍ଜଣୀ ବଜାଉଥିଲେ ଏବଂ ନାଚୁଥିଲେ । ସେସମୟରେ ଯିପ୍ତହ କʼଣ କଲେ ? ତାଙ୍କୁ ନିଜ ପ୍ରତିଜ୍ଞା ମନେ ଥିଲା ଏବଂ ସେ କହିଲେ, ‘ହାୟ ମୋ ଝିଅ ! ତମେ ମୋତେ ଏହା କିପରି ଦୁଃଖ ଦେଲ ! ମୁଁ ଯିହୋବାଙ୍କୁ ଗୋଟିଏ ପ୍ରତିଜ୍ଞା କରିଥିଲି ଏବଂ ତାହା ପୂରା କରିବା ପାଇଁ ତମକୁ ଶୀଲୋ ପଠାଇବାକୁ ପଡ଼ିବ, ଯେଉଁଠି ତମେ ତାଙ୍କ ସେବା କରିବ ।’ ତାଙ୍କ ଝିଅ କହିଲେ, ‘ମୋ ପିତା, ଯଦି ତମେ ଯିହୋବାଙ୍କୁ ପ୍ରତିଜ୍ଞା କରିଛ ତାହେଲେ ତାହା ପୂରା କର । ମୁଁ ନିଶ୍ଚୟ ସେଠାକୁ ଯିବି । କିନ୍ତୁ ମୋର ଗୋଟିଏ ବିନତି ଅଛି, ପ୍ରଥମେ ମୁଁ ଦୁଇ ମାସ ପାଇଁ ନିଜ ସାଙ୍ଗମାନଙ୍କ ସହ ପାହାଡ଼କୁ ଯିବା ପାଇଁ ଚାହେଁ ।’ ଯିପ୍ତହଙ୍କ ଝିଅ ସାରା ଜୀବନ ପବିତ୍ର ତମ୍ବୁରେ ବିଶ୍ୱସ୍ତତାର ସହ ସେବା କଲେ । ପ୍ରତିବର୍ଷ ତାଙ୍କ ସାଙ୍ଗମାନେ ତାଙ୍କୁ ଭେଟିବା ପାଇଁ ଶୀଲୋକୁ ଯାଉଥିଲେ ।

      ଯିପ୍ତହଙ୍କ ଝିଅକୁ ଭେଟିବା ପାଇଁ ତାଙ୍କ ସାଙ୍ଗମାନେ ପବିତ୍ର ତମ୍ବୁ ପାଖକୁ ଆସିଛନ୍ତି

      “ଯେ ପୁତ୍ର କି କନ୍ୟାକୁ ମୋʼଠାରୁ ଅଧିକ ସ୍ନେହ କରେ, ସେ ମୋହର ଯୋଗ୍ୟ ନୁହେଁ ।”—ମାଥିଉ ୧୦:୩୭

      ପ୍ରଶ୍ନ: ଯିପ୍ତହ କʼଣ ପ୍ରତିଜ୍ଞା କଲେ ? ଯିପ୍ତହଙ୍କ ଝିଅ ତାଙ୍କ ପ୍ରତିଜ୍ଞା ଶୁଣି କʼଣ କହିଲେ ?

      ବିଚାରକର୍ତ୍ତା ୧୦:୬–୧୧:୧୧; ୧୧:୨୯-୪୦; ୧ ଶାମୁୟେଲ ୧୨:୧୦, ୧୧

  • ଯିହୋବା ଶାମୁୟେଲ ସହିତ କଥା ହେଲେ
    ବାଇବଲରୁ ଶିଖନ୍ତୁ ବହୁମୂଲ୍ୟ ଶିକ୍ଷା
    • ଶାମୁୟେଲ ପବିତ୍ର ତମ୍ବୁର କବାଟଗୁଡ଼ିକୁ ଖୋଲୁଛନ୍ତି

      ପାଠ ୩୭

      ଯିହୋବା ଶାମୁୟେଲ ସହିତ କଥା ହେଲେ

      ମହାଯାଜକ ଏଲିଙ୍କ ଦୁଇ ଜଣ ପୁଅ ଥିଲେ । ଯେଉଁମାନେ ପବିତ୍ର ତମ୍ବୁରେ ଯାଜକ ଭାବେ କାମ କରୁଥିଲେ । ସେମାନଙ୍କ ନାମ ଥିଲା ହଫ୍‌ନି ଓ ପୀନହସ୍‌ । ସେମାନେ ଯିହୋବାଙ୍କ ନିୟମ ମାନୁ ନ ଥିଲେ ଏବଂ ଲୋକମାନଙ୍କ ସହ ବହୁତ ଖରାପ ବ୍ୟବହାର କରୁଥିଲେ । ଯେବେ ଲୋକମାନେ ଯିହୋବାଙ୍କ ପାଇଁ ବଳିଦାନ ଆଣନ୍ତି, ତେବେ ହଫ୍‌ନି ଓ ପୀନହସ୍‌ ସେଥିରୁ ସବୁଠୁ ଭଲ ମାଂସକୁ ନେଇ ଯାଉଥିଲେ । ଏଲି ଶୁଣିଥିଲେ ଯେ ତାଙ୍କ ପୁଅମାନେ କʼଣ କରୁଛନ୍ତି, ତଥାପି ସେ କିଛି କଲେ ନାହିଁ । କʼଣ ଯିହୋବା ଏସବୁ ଦେଖି ଅଣଦେଖା କରିଦେଲେ ?

      ଶାମୁୟେଲ, ହଫ୍‌ନି ଓ ପୀନହସ୍‌ଙ୍କଠାରୁ ବହୁତ ଛୋଟ ଥିଲେ, କିନ୍ତୁ ସେ ସେମାନଙ୍କ ଭଳି ହେଲେ ନାହିଁ । ତେଣୁ ଯିହୋବା ଶାମୁୟେଲଙ୍କଠାରୁ ଖୁସି ଥିଲେ । ଦିନେ ରାତିରେ ଶାମୁୟେଲ ଶୋଇଥିବା ସମୟରେ କାହାରିକୁ ତାଙ୍କ ନାଁ ଡାକିବାର ଶୁଣିଲେ । ସେ ଉଠିଲେ ଏବଂ ଦୌଡ଼ି ଏଲିଙ୍କ ପାଖକୁ ଗଲେ ଓ କହିଲେ, ‘ଆପଣ ମୋତେ ଡାକିଲେ ?’ ଏଲି କହିଲେ, ‘ନାହିଁ, ମୁଁ ଡାକି ନାହିଁ । ଯାଅ ଶୋଇ ଯାଅ ।’ ଶାମୁୟେଲ ଯାଇ ଶୋଇଗଲେ । ତାʼପରେ ପୁଣି ତାଙ୍କୁ ସେହି ଶବ୍ଦ ଶୁଣାଗଲା । ଏପରି ଯେବେ ତୃତୀୟ ଥର ହେଲା ତେବେ ଏଲି ବୁଝିଗଲେ ଯେ ଯିହୋବା ଶାମୁୟେଲଙ୍କୁ ଡାକୁଛନ୍ତି । ଏଲି ଶାମୁୟେଲଙ୍କୁ କହିଲେ ଯଦି ତମକୁ ପୁଣିଥରେ ସେହି ଶବ୍ଦ ଶୁଣାଯିବ ତେବେ ତମେ କହିବ, ‘ହେ ଯିହୋବା, କହନ୍ତୁ । ଆପଣଙ୍କ ଦାସ ଶୁଣୁଛି ।’

      ଶାମୁୟେଲ ଏଲିଙ୍କୁ କହୁଛନ୍ତି ଯେ ଯିହୋବା ତାଙ୍କୁ କʼଣ କହିଲେ

      ଶାମୁୟେଲ ଯାଇ ଶୋଇଗଲେ । ତାʼପରେ ତାଙ୍କୁ ପୁଣି ଏହି ଶବ୍ଦ ଶୁଣାଗଲା, ‘ଶାମୁୟେଲ ! ଶାମୁୟେଲ !’ ସେ କହିଲେ, ‘କୁହନ୍ତୁ, ଆପଣଙ୍କ ଦାସ ଶୁଣୁଛି ।’ ଯିହୋବା ତାଙ୍କୁ କହିଲେ, ‘ଏଲିଙ୍କୁ କହିବ ଯେ ମୁଁ ତାଙ୍କୁ ଓ ତାଙ୍କ ପରିବାରକୁ ଦଣ୍ଡ ଦେବାକୁ ଯାଉଛି । ଏଲି ଜାଣିଛନ୍ତି ଯେ ତାଙ୍କ ପୁଅମାନେ ମୋ ପବିତ୍ର ତମ୍ବୁରେ ଖରାପ କାମ କରୁଛନ୍ତି, ତଥାପି ସେ କିଛି କରୁ ନାହାନ୍ତି ।’ ପରଦିନ ସକାଳେ ଶାମୁୟେଲ ପ୍ରତିଦିନ ଭଳି ପବିତ୍ର ତମ୍ବୁର କବାଟ ଖୋଲିଲେ । ସେ ମହାଯାଜକଙ୍କୁ ଯିହୋବା କହିଥିବା କଥା କହିବା ପାଇଁ ଡରୁଥିଲେ । କିନ୍ତୁ ଏଲି ତାଙ୍କୁ ଡାକି ପଚାରିଲେ, ‘ପୁଅ, ଯିହୋବା ତମକୁ କʼଣ କହିଲେ ? ମୋତେ ସବୁ କଥା କୁହ ।’ ତେବେ ଶାମୁୟେଲ ଏଲିଙ୍କୁ ସବୁ କଥା କହିଦେଲେ ।

      ଶାମୁୟେଲ ବଡ଼ ହେବାକୁ ଲାଗିଲେ ଏବଂ ଯିହୋବା ସବୁବେଳେ ତାଙ୍କ ସାହାଯ୍ୟ କଲେ । ଦେଶର ସମସ୍ତ ଇସ୍ରାଏଲୀୟ ଜାଣିଥିଲେ ଯେ ଯିହୋବା ଶାମୁୟେଲଙ୍କୁ ନିଜ ଭବିଷ୍ୟଦ୍‌ବକ୍ତା ଓ ବିଚାରକର୍ତ୍ତା ବାଛିଛନ୍ତି ।

      “ତୁମ୍ଭେ ଯୌବନକାଳରେ ଆପଣା ସୃଷ୍ଟିକର୍ତ୍ତାଙ୍କୁ ସ୍ମରଣ କର ।”—ଉପଦେଶକ ୧୨:୧

      ପ୍ରଶ୍ନ: ଶାମୁୟେଲ, ହଫ୍‌ନି ଓ ପୀନହସ୍‌ଠାରୁ କିପରି ଅଲଗା ଥିଲେ ? ଯିହୋବା ଶାମୁୟେଲଙ୍କୁ କʼଣ ସନ୍ଦେଶ ଦେଲେ ?

      ୧ ଶାମୁୟେଲ ୨:୧୨-୧୭, ୨୨-୨୬; ୩:୧-୨୧; ୭:୬

ଓଡ଼ିଆ ପ୍ରକାଶନ (୧୯୯୮-୨୦୨୬)
ଲଗ ଆଉଟ
ଲଗ ଇନ
  • ଓଡ଼ିଆ
  • ଅନ୍ୟକୁ ପଠାନ୍ତୁ
  • ପ୍ରାଥମିକତା
  • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
  • ବ୍ୟବହାରର ସର୍ତ୍ତାବଳୀ
  • ଗୋପନୀୟତାର ନୀତି
  • ଗୋପନୀୟତା ସେଟିଙ୍ଗ୍‌ସ
  • JW.ORG
  • ଲଗ ଇନ
ଅନ୍ୟକୁ ପଠାନ୍ତୁ