ଅଧିକ ବିବରଣୀ
୬. ସଂକ୍ରାମକ ରୋଗ
୧. ମହାନଗରୀ ବାବିଲକୁ କିପରି ଚିହ୍ନିବା ?
ଆମେ କାହିଁକି କହିପାରିବା ଯେ “ମହାନଗରୀ ବାବିଲ” ସବୁ ମିଥ୍ୟା ଧର୍ମଗୁଡ଼ିକୁ ଦର୍ଶାଏ ? (ପ୍ରକାଶିତ ବାକ୍ୟ ୧୭:୫) ଆସନ୍ତୁ ଏହାର କିଛି କାରଣଗୁଡ଼ିକ ଉପରେ ଧ୍ୟାନ ଦେବା:
ସେ ପୂରା ଦୁନିଆ ଉପରେ ପ୍ରଭାବ ପକାଏ । ମହାନଗରୀ ବାବିଲକୁ ଏପରି ଏକ ସ୍ତ୍ରୀ ସହ ତୁଳନା କରାଯାଇଛି ଯିଏ ‘ଜନତା ଓ ଜାତି’ ଉପରେ ବସିଛି । କେବଳ ଏତିକି ନୁହେଁ, ସେ “ପୃଥିବୀର ରାଜାମାନଙ୍କ ଉପରେ ରାଜତ୍ୱ” ମଧ୍ୟ କରୁଛି । ଏଥିରୁ ଜଣାପଡ଼େ ଯେ ସେ ପୂରା ଦୁନିଆ ଉପରେ ପ୍ରଭାବ ପକାଏ ।—ପ୍ରକାଶିତ ବାକ୍ୟ ୧୭:୧୫, ୧୮.
ସେ ରାଜନୈତିକ ସଂଗଠନ କିମ୍ବା ବ୍ୟାପାର ଜଗତ ହୋଇ ନ ଥିବ । ଯେତେବେଳେ ମହାନଗରୀ ବାବିଲର ବିନାଶ ହେବ, ସେତେବେଳେ ‘ପୃଥିବୀର ସମସ୍ତ ରାଜା’ ଓ “ବଣିକମାନେ” ବା ବ୍ୟବସାୟୀମାନେ ତାʼପାଇଁ କାନ୍ଦିବେ । ଏଥିରୁ ଜଣାପଡ଼େ ଯେ ରାଜନୈତିକ ସଂଗଠନ କିମ୍ବା ବ୍ୟାପାର ଜଗତ ମହାନଗରୀ ବାବିଲ ହୋଇ ନ ଥିବେ ।—ପ୍ରକାଶିତ ବାକ୍ୟ ୧୮:୯, ୧୫.
ସେ ଈଶ୍ୱରଙ୍କୁ ବଦନାମ କରେ । ମହାନଗରୀ ବାବିଲକୁ ଗୋଟିଏ ବେଶ୍ୟା ବୋଲି କୁହାଯାଇଛି, କାରଣ ସେ ସରକାରଗୁଡ଼ିକ ସହ ସମ୍ପର୍କ ରଖେ । ସେ ତାଙ୍କଠାରୁ ପଇସା ପାଇବା ପାଇଁ ଓ ନିଜ ଲାଭ ପାଇଁ ଏପରି କରିଥାଏ । (ପ୍ରକାଶିତ ବାକ୍ୟ ୧୭:୧, ୨) ସେ ସବୁ ରାଷ୍ଟ୍ରର ଲୋକମାନଙ୍କୁ ଖରାପ ବାଟକୁ ନେଇଯାଏ । ତାʼଯୋଗୁଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି ।—ପ୍ରକାଶିତ ବାକ୍ୟ ୧୮:୨୩, ୨୪.
ପାଠ ୧୩ର ପଏଣ୍ଟ ନଂ. ୬କୁ ପୁଣି ଯାଆନ୍ତୁ
୨. ମସୀହ କେବେ ପ୍ରକଟ ହୁଅନ୍ତେ ?
ବାଇବଲରେ ଭବିଷ୍ୟତବାଣୀ କରାଯାଇଥିଲା ଯେ ୬୯ ସପ୍ତାହ ପରେ ମସୀହ ପ୍ରକଟ ହେବେ ।—ଦାନିୟେଲ ୯:୨୫ ପଢ଼ନ୍ତୁ ।
୬୯ ସପ୍ତାହର ଆରମ୍ଭ କେବେ ହେଲା ? ଖ୍ରୀଷ୍ଟ ପୂର୍ବ ୪୫୫ରୁ । ସେହି ବର୍ଷ ରାଜ୍ୟପାଳ ନିହିମୀୟା ଯିରୂଶାଲମ ସହରକୁ “ପୁନଃସ୍ଥାପନ ଓ ନିର୍ମାଣ” କରିବା ପାଇଁ ସେଠାକୁ ଯାଇଥିଲେ ।—ଦାନିୟେଲ ୯:୨୫; ନିହିମୀୟା ୨:୧, ୫-୮.
୬୯ ସପ୍ତାହ କେତେ ଲମ୍ବା ସମୟ ଥିଲା ? ବାଇବଲର କିଛି ଭବିଷ୍ୟତବାଣୀରେ କୁହାଯାଇଛି ଯେ ଗୋଟିଏ ଦିନ, ଗୋଟିଏ ବର୍ଷ ସହ ସମାନ । (ଗଣନା ପୁସ୍ତକ ୧୪:୩୪; ଯିହିଜିକଲ ୪:୬) ତାହେଲେ ଗୋଟିଏ ସପ୍ତାହର ଅର୍ଥ ହେଉଛି, ସାତ ବର୍ଷ । ଯଦି ଏହି ହିସାବରେ ଗଣିବା ତେବେ ୬୯ ସପ୍ତାହରେ ୪୮୩ ବର୍ଷ ହେବ (୬୯ର ୭ ଗୁଣ) ।
୬୯ ସପ୍ତାହ କେବେ ଶେଷ ହେଲା ? ଯଦି ଆମେ ଖ୍ରୀଷ୍ଟ ପୂର୍ବ ୪୫୫ରୁ ୪୮୩ ବର୍ଷ ଗଣିବା ଆରମ୍ଭ କରିବା, ତେବେ ଆମେ ୨୯ ଖ୍ରୀଷ୍ଟାବ୍ଦରେ ପହଞ୍ଚିବା ।a ଠିକ୍ ଏହି ବର୍ଷରେ ଯୀଶୁ ବାପ୍ତିସ୍ମ ନେଲେ ଓ ମସୀହ ଭାବେ ପ୍ରକଟ ହେଲେ ।—ଲୂକ ୩:୧, ୨, ୨୧, ୨୨.
ପାଠ ୧୫ର ପଏଣ୍ଟ ନଂ. ୫କୁ ପୁଣି ଯାଆନ୍ତୁ
୩. ରକ୍ତ ସହ ଜଡ଼ିତ ଚିକିତ୍ସାର କିଛି ପ୍ରକ୍ରିୟା
ଖ୍ରୀଷ୍ଟିୟାନମାନେ ରକ୍ତ ଚଢ଼ାନ୍ତି ନାହିଁ କି ରକ୍ତଦାନ କରନ୍ତି ନାହିଁ । କିନ୍ତୁ ଏପରି ଅନେକ ପ୍ରକ୍ରିୟା ରହିଛି ଯେଉଁଥିରେ ଚିକିତ୍ସା ପାଇଁ ରୋଗୀର ନିଜ ରକ୍ତ ହିଁ ବ୍ୟବହାର କରାଯାଏ । ଏମଧ୍ୟରୁ କିଛି ପ୍ରକ୍ରିୟା ଖ୍ରୀଷ୍ଟିୟାନମାନେ ସ୍ୱୀକାର କରନ୍ତି ନାହିଁ । ଯେପରି, ଅପରେସନ ପୂର୍ବରୁ ରୋଗୀର ନିଜ ରକ୍ତକୁ ଜମା କରାଇବା ଓ ତାହାକୁ ପରେ ବ୍ୟବହାର କରିବା ।—ଦ୍ୱିତୀୟ ବିବରଣ ୧୫:୨୩.
କିନ୍ତୁ ହୁଏତ ଖ୍ରୀଷ୍ଟିୟାନମାନେ ଅନ୍ୟ ପ୍ରକ୍ରିୟାଗୁଡ଼ିକୁ ସ୍ୱୀକାର କରୁଥିବେ । ଯେପରି, ରକ୍ତ ପରୀକ୍ଷା କରାଇବା (ବ୍ଲଡ ଟେଷ୍ଟ), ହିମୋ ଡାଇଲିସିସ୍, ହିମୋ ଡାଲ୍ୟୁସନ୍, ସେଲ୍ ସାଲୱେଜ୍ କିମ୍ବା ହାର୍ଟ-ଲଙ୍ଗ ବାଇପାସ୍ ମେସିନ୍ ବ୍ୟବହାର କରିବା ।b ଯଦି କେହି ଏପରି ଅପରେସନ, ମେଡିକାଲ୍ ଯାଞ୍ଚ କିମ୍ବା କୌଣସି ଚିକିତ୍ସା କରାଇବା ପାଇଁ ଚାହାନ୍ତି, ଯେଉଁଥିରେ ରୋଗୀର ରକ୍ତ ସହ କିଛି କରାଯାଏ, ତାହେଲେ ପ୍ରତ୍ୟେକ ଖ୍ରୀଷ୍ଟିୟାନକୁ ନିଜେ ଏହାର ନିଷ୍ପତ୍ତି ନେବାକୁ ହେବ ଯେ ତାʼ ରକ୍ତକୁ କିପରି ବ୍ୟବହାର କରାଯିବ । ଅଲଗା ଅଲଗା ଡାକ୍ତର ହୁଏତ ଅଲଗା ଅଲଗା ଭାବରେ ଏହି ପ୍ରକ୍ରିୟାଗୁଡ଼ିକୁ ଆପଣାଇପାରନ୍ତି । ତେଣୁ କୌଣସି ଯାଞ୍ଚ କିମ୍ବା ଅପରେସନ କରାଇବା କିମ୍ବା ଚିକିତ୍ସାର କୌଣସି ଉପାୟ ଆପଣାଇବା ପୂର୍ବରୁ ଜଣେ ଖ୍ରୀଷ୍ଟିୟାନକୁ ଭଲ ଭାବେ ପଚରାଉଚୁରା କିମ୍ବା ଖୋଜାଖୋଜି କରିବା ଉଚିତ୍ ଯେ ତାʼ ରକ୍ତ ସହ କʼଣ କରାଯିବ । ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ:
ଚିକିତ୍ସାର କିଛି ଉପାୟରେ ଶରୀରରୁ ଟିକେ ରକ୍ତ ବାହାର କରାଯାଏ ଏବଂ କିଛି ସମୟ ପାଇଁ ତାହାର ପ୍ରବାହକୁ ରୋକି ଦିଆଯାଏ । କʼଣ ମୋର ବିବେକ ଏହି ଚିକିତ୍ସାକୁ ସ୍ୱୀକାର କରିବ ? କʼଣ ମୋର ବିବେକ ମାନିବ ଯେ ସେହି ରକ୍ତ ଏବେ ମଧ୍ୟ ମୋ ଶରୀରର ଅଂଶ ଅଟେ ଏବଂ ତାକୁ ‘ଭୂମିରେ ଢାଳିବା’ ଦରକାର ନାହିଁ ?—ଦ୍ୱିତୀୟ ବିବରଣ ୧୨:୨୩, ୨୪.
ଚିକିତ୍ସା ସମୟରେ ବେଳେ ବେଳେ ଶରୀରରୁ ଟିକେ ରକ୍ତ ବାହାର କରାଯାଏ, ସେଥିରେ କିଛି ପରିବର୍ତ୍ତନ କରାଯାଏ ଏବଂ ତାʼପରେ ତାକୁ ପୁଣିଥରେ ଶରୀରରେ ଛଡ଼ାଯାଏ । ମୁଁ ବାଇବଲରୁ ଯାହା ଶିଖିଛି, ତା ହିସାବରେ କʼଣ ମୋର ବିବେକ ଏହି ଚିକିତ୍ସାକୁ ସ୍ୱୀକାର କରିବ ନା ମୋତେ ଦୋଷୀ ଅନୁଭବ କରାଇବ ?
ପାଠ ୩୯ର ପଏଣ୍ଟ ନଂ. ୩କୁ ପୁଣି ଯାଆନ୍ତୁ
୪. ସ୍ୱାମୀ ସ୍ତ୍ରୀଙ୍କ ଅଲଗା ହେବା ବିଷୟରେ
ବାଇବଲ ସ୍ୱାମୀ ସ୍ତ୍ରୀଙ୍କୁ ଅଲଗା ହେବା ପାଇଁ ପ୍ରୋତ୍ସାହନ ଦିଏ ନାହିଁ । ତାʼସହ ଏହା ସ୍ପଷ୍ଟ ଭାବେ କହେ ଯେ ଯଦି ବି ସେମାନେ ଅଲଗା ହେବା ପାଇଁ ଚାହାନ୍ତି, ତଥାପି ସେମାନଙ୍କ ମଧ୍ୟରୁ କେହି ବି ପୁଣି ଥରେ ବିବାହ କରିପାରିବେ ନାହିଁ । (୧ କରିନ୍ଥୀୟ ୭:୧୦, ୧୧) କିନ୍ତୁ ଏପରି କିଛି ପରିସ୍ଥିତି ଅଛି, ଯେତେବେଳେ କିଛି ଖ୍ରୀଷ୍ଟିୟାନ ନିଜ ଜୀବନ ସାଥୀଠାରୁ ଅଲଗା ହେବା ବିଷୟରେ ଭାବିପାରନ୍ତି । ଆସନ୍ତୁ ଏପରି କିଛି ପରିସ୍ଥିତି ପ୍ରତି ଧ୍ୟାନ ଦେବା:
ଯେତେବେଳେ ସ୍ୱାମୀ ଜାଣିଶୁଣି ନିଜ ପରିବାରର ଯତ୍ନ ନିଏ ନାହିଁ: ଯେତେବେଳେ ସ୍ୱାମୀ ନିଜ ପରିବାରର ଯତ୍ନ ନେବା ପାଇଁ ମନା କରିଦିଏ । ଏପରିକି ଘର ଚଳାଇବା ପାଇଁ ଟଙ୍କାଟିଏ ବି ଦିଏନି ଏବଂ ତାʼଯୋଗୁଁ ତାʼ ସ୍ତ୍ରୀ ଓ ପିଲାମାନଙ୍କୁ ଦୁଇ ଅଳିର ଖାଇବାକୁ ମିଳେନି ।—୧ ତୀମଥି ୫:୮.
ଯେତେବେଳେ କେହି ନିଜ ସାଥୀକୁ ବହୁତ ମାରପିଟ୍ କରେ: ଯେତେବେଳେ ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ କେହି ନିଜ ଜୀବନ ସାଥୀକୁ ଏତେ ମାରପିଟ୍ କରେ ଯେ ତାଙ୍କ ସ୍ୱାସ୍ଥ୍ୟକୁ ଗୁରୁତର ଭାବେ କ୍ଷତି ପହଞ୍ଚେ କିମ୍ବା ତାଙ୍କ ଜୀବନ ବିପଦରେ ପଡ଼ିଯାଏ ।—ଗାଲାତୀୟ ୫:୧୯-୨୧.
ଯେତେବେଳେ ଯିହୋବାଙ୍କ ସହ ସମ୍ପର୍କ ବଜାୟ ରଖିବା କଷ୍ଟକର ହୋଇଯାଏ: ଯେତେବେଳେ ଜଣେ ବ୍ୟକ୍ତି ଏତେ ସମସ୍ୟା ସୃଷ୍ଟି କରେ ଯେ ତାʼ ଜୀବନ ସାଥୀ ଯିହୋବାଙ୍କ ସେବା କରିପାରେ ନାହିଁ ।—ପ୍ରେରିତ ୫:୨୯.
୫. ପର୍ବପର୍ବାଣୀ ଓ ଦିବସ
ଖ୍ରୀଷ୍ଟିୟାନମାନେ ଏପରି ପର୍ବପର୍ବାଣୀ ଓ ଦିବସଗୁଡ଼ିକୁ ପାଳନ କରନ୍ତି ନାହିଁ, ଯାହା ଯିହୋବା ପସନ୍ଦ କରନ୍ତି ନାହିଁ । କିନ୍ତୁ ଯଦି ପର୍ବପର୍ବାଣୀ ସହ ଜଡ଼ିତ କିଛି ପରିସ୍ଥିତି ଆସେ, ତାହେଲେ ସେମାନଙ୍କୁ କʼଣ କରିବା ଉଚିତ୍ ? ଏପରି ସମୟରେ ପ୍ରତ୍ୟେକ ଖ୍ରୀଷ୍ଟିୟାନକୁ ବାଇବଲରୁ ପ୍ରଶିକ୍ଷଣ ପାଇଥିବା ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବା ଉଚିତ୍ । ଆସନ୍ତୁ କିଛି ପରିସ୍ଥିତି ଉପରେ ଧ୍ୟାନ ଦେବା:
ଯଦି କେହି ପର୍ବପର୍ବାଣୀରେ ଆପଣଙ୍କୁ ଶୁଭକାମନା ଦିଅନ୍ତି । ଏପରି ସମୟରେ ଆପଣ ତାଙ୍କୁ କେବଳ “ଧନ୍ୟବାଦ” କହିପାରିବେ । ଯଦି ସେ ଜାଣିବାକୁ ଚାହାନ୍ତି, ତାହେଲେ ଆପଣ ତାଙ୍କୁ କହିପାରିବେ ଯେ ଆପଣ କାହିଁକି ପର୍ବପର୍ବାଣୀ ପାଳନ କରନ୍ତି ନାହିଁ ।
ପର୍ବପର୍ବାଣୀ ଦିନ ଆପଣଙ୍କ ସମ୍ପର୍କୀୟ ଆପଣଙ୍କୁ ତାଙ୍କ ଘରେ ଖାଇବା ପାଇଁ ଡାକିଛନ୍ତି । ଆପଣଙ୍କ ଜୀବନ ସାଥୀ ଯିଏ ଯିହୋବାଙ୍କ ଜଣେ ସାକ୍ଷୀ ନୁହନ୍ତି, ସେ ଚାହାନ୍ତି ଯେ ଆପଣ ମଧ୍ୟ ସେଠାରେ ତାଙ୍କ ସହ ଯାʼନ୍ତୁ । ଯଦି ଆପଣଙ୍କର ବିବେକ ଆପଣଙ୍କୁ ମନା କରେ ନାହିଁ, ତାହେଲେ ପ୍ରଥମେ ନିଜ ଜୀବନ ସାଥୀ ସହ କଥା ହୁଅନ୍ତୁ । ତାଙ୍କୁ ପୂର୍ବରୁ ଜଣାନ୍ତୁ ଯେ ଯଦି ଖାଇବା ସମୟରେ କୌଣସି ଏପରି ରୀତିନୀତି ପାଳନ କରାଯାଏ, ଯାହା ବାଇବଲ ଅନୁସାରେ ଠିକ୍ ନୁହେଁ, ତାହେଲେ ଆପଣ ସେଥିରେ ଭାଗ ନେବେ ନାହିଁ ।
ଆପଣଙ୍କ ବସ୍ କୌଣସି ପର୍ବପର୍ବାଣୀ ସମୟରେ ଆପଣଙ୍କୁ ବୋନସ୍ ଦେଉଛନ୍ତି । କʼଣ ଆପଣଙ୍କୁ ତାହା ମନା କରିଦେବା ଉଚିତ୍ ? ଏହା ଜରୁରୀ ନୁହେଁ ଯେ ଆପଣ ମନା କରିଦେବେ । ନିଜକୁ ପଚାରନ୍ତୁ: “ଯଦି ମୁଁ ବୋନସ୍ ନିଏ, ତାହେଲେ କʼଣ ମୋ ବସ୍ଙ୍କୁ ଏପରି ଲାଗିବ ଯେ ମୁଁ ମଧ୍ୟ ପର୍ବ ପାଳନ କରେ ନା ସେ କେବଳ ମୋତେ ଏଥିପାଇଁ ବୋନସ୍ ଦେଉଛନ୍ତି, କାରଣ ସେ ମୋ ପରିଶ୍ରମରୁ ଖୁସି ଅଛନ୍ତି ?”
କେହି ଆପଣଙ୍କୁ ପର୍ବପର୍ବାଣୀ ଦିନ ଉପହାର ଦେବାକୁ ଚାହାନ୍ତି । ଉପହାର ଦେଉଥିବା ବ୍ୟକ୍ତି ହୁଏତ ଆପଣଙ୍କୁ କହିବେ: “ମୁଁ ଜାଣେ ଯେ ଆପଣ ଏହି ପର୍ବ ପାଳନ କରନ୍ତି ନାହିଁ, ତଥାପି ମୁଁ ଆପଣଙ୍କୁ ଉପହାର ଦେବାକୁ ଚାହେଁ ।” ହୁଏତ ସେ ଖୁସିରେ ଆପଣଙ୍କୁ ଉପହାର ଦେଉଥିବେ । କିନ୍ତୁ ଏହା ମଧ୍ୟ ହୋଇପାରେ ଯେ ସେ ଏହା ଦେଖିବାକୁ ଚାହୁଁଥିବେ ଯେ ଆପଣ ନିଜ ବିଶ୍ୱାସ ଅନୁସାରେ କାମ କରନ୍ତି ନା ନାହିଁ କିମ୍ବା ସେ ଆପଣଙ୍କୁ ପର୍ବରେ ସାମିଲ୍ କରିବାକୁ ଚେଷ୍ଟା କରୁଥିବେ । ଏକଥାଗୁଡ଼ିକୁ ଭାବିବା ପରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆପଣ ସେହି ଉପହାର ନେବେ ନା ନାହିଁ । ଆମକୁ ସବୁବେଳେ ଏପରି ନିଷ୍ପତ୍ତି ନେବା ଉଚିତ୍, ଯାହାଫଳରେ ଆମ ବିବେକ ଶୁଦ୍ଧ ରହିବ ଏବଂ ଆମେ ଯିହୋବାଙ୍କର ବିଶ୍ୱସ୍ତ ରହିବା ।—ପ୍ରେରିତ ୨୩:୧.
ପାଠ ୪୪ର ପଏଣ୍ଟ ନଂ. ୧କୁ ପୁଣି ଯାଆନ୍ତୁ
୬. ସଂକ୍ରାମକ ରୋଗ
ଯଦି ଆମକୁ କୌଣସି ସଂକ୍ରାମକ ରୋଗ ଅଛି କିମ୍ବା ଆମକୁ ଲାଗେ ଯେ ଆମଠାରେ ହୁଏତ ସଂକ୍ରାମକ ରୋଗର କୌଣସି ଭୂତାଣୁ (ଭାଇରସ୍) ଅଛି, ତାହେଲେ ଆମେ ବହୁତ ଧ୍ୟାନ ରଖିବା ଉଚିତ୍ ଯେ ଏହି ରୋଗ ଅନ୍ୟମାନଙ୍କୁ ନ ବ୍ୟାପୁ । କାରଣ ଆମେ ଅନ୍ୟମାନଙ୍କୁ ପ୍ରେମ କରୁ । ବାଇବଲରେ ଆମକୁ ଆଜ୍ଞା ଦିଆଯାଇଛି, “ପ୍ରତିବାସୀକି ଆତ୍ମତୁଲ୍ୟ ପ୍ରେମ କର ।”—ରୋମୀୟ ୧୩ :୮-୧୦.
ଯେଉଁ ବ୍ୟକ୍ତିକୁ ସଂକ୍ରାମକ ରୋଗ ଅଛି, ସେ ଏହି ଆଜ୍ଞାକୁ କିପରି ମାନିପାରିବ ? ସେ କାହାରିକୁ କୁଣ୍ଢାଇବନି, ଚୁମା କରିବନି କିମ୍ବା କାହାରି ସହ ହାତ ମିଳାଇବନି । ଯଦି କିଛି ଲୋକ ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ତାକୁ ନିଜ ଘରେ ଡାକନ୍ତିନି, ତାହେଲେ ତାକୁ ଖରାପ ଭାବିବା କଥା ନୁହେଁ । ଯଦି ସେ ବାପ୍ତିସ୍ମ ନେବାକୁ ଚାହୁଁଛି, ତାହେଲେ ତାକୁ ପ୍ରଥମେ ପ୍ରାଚୀନମାନଙ୍କ ସମୂହର ସଂଯୋଜକକୁ ନିଜ ରୋଗ ବିଷୟରେ ଜଣାଇବା ଉଚିତ୍ । କାରଣ ଏପରି କଲେ ବାପ୍ତିସ୍ମ ପାଇଁ ଏପରି କିଛି ବ୍ୟବସ୍ଥା କରାଯାଇପାରିବ, ଯାହାଫଳରେ ବାପ୍ତିସ୍ମ ନେବାକୁ ଯାଉଥିବା ଅନ୍ୟ ଲୋକମାନେ ସୁରକ୍ଷିତ ରହିପାରିବେ । ଏହାଛଡ଼ା, ଯଦି ଜଣେ ବ୍ୟକ୍ତିକୁ ଲାଗେ ଯେ ସେ ଆଗରୁ ଯେପରି ଜୀବନ ବିତାଉଥିଲା ତାʼଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ତାକୁ ସଂକ୍ରାମକ ରୋଗ ଥାଇପାରେ, ତାହେଲେ ସେ ନିଜ ବିବାହର କଥା ଆଗକୁ ବଢ଼ାଇବା ପୂର୍ବରୁ ନିଜେ ଯାଇ ନିଜ ବ୍ଲଡ ଟେଷ୍ଟ କରାଇବା ଉଚିତ୍ । ଏପରି କରି ଜଣେ ବ୍ୟକ୍ତି ଦେଖାଇପାରିବ ଯେ ‘ସେ ନିଜର ସ୍ୱାର୍ଥ ଚେଷ୍ଟା କରେନି, ବରଂ ଅନ୍ୟର ମଙ୍ଗଳ ଚେଷ୍ଟା କରେ ।’—୧ କରିନ୍ଥୀୟ ୧୦:୨୪.
ପାଠ ୫୬ର ପଏଣ୍ଟ ନଂ. ୨କୁ ପୁଣି ଯାଆନ୍ତୁ
୭. ବିଜନେସ୍ ଓ ଆଇନ କାନୁନ ସହ ଜଡ଼ିତ ମାମଲା
ବିଜନେସ୍ ସହ ଜଡ଼ିତ ମାମଲାଗୁଡ଼ିକରେ ଏବଂ ଟଙ୍କା ପଇସା ଦିଆନିଆ ବେଳେ ସେଗୁଡ଼ିକର କାଗଜପତ୍ର କଲେ ଆମେ ଅନେକ ସମସ୍ୟାରୁ ରକ୍ଷା ପାଇପାରିବା । ଏପରିକି ନିଜ ଖ୍ରୀଷ୍ଟିୟାନ ଭାଇଭଉଣୀଙ୍କ ସହ ମଧ୍ୟ ଏମିତି ଦିଆନିଆ କଲା ବେଳେ ଆମକୁ କାଗଜପତ୍ର କରିବା ଜରୁରୀ । (ଯିରିମୀୟ ୩୨:୯-୧୨) ଏସବୁ କଲାପରେ ମଧ୍ୟ ଖ୍ରୀଷ୍ଟିୟାନମାନଙ୍କ ମଧ୍ୟରେ ଟଙ୍କା ପଇସା କିମ୍ବା ଅନ୍ୟ ମାମଲାଗୁଡ଼ିକୁ ନେଇ କିଛି ଭୁଲ ବୁଝାମଣା ହୋଇପାରେ । ଯଦି ଏପରି ହୁଏ, ତାହେଲେ ସେମାନଙ୍କୁ ତୁରନ୍ତ ନିଜ ଭିତରେ ହି ଶାନ୍ତିର ସହ ଏ ମାମଲାକୁ ସମାଧାନ କରିବା ଉଚିତ୍ ।
କିନ୍ତୁ ଯଦି ଆମର ଓ କୌଣସି ଭାଇଙ୍କ ମଧ୍ୟରେ କିଛି ଗମ୍ଭୀର ସମସ୍ୟା ଆସେ, ଯେପରି ଯଦି ଆମ ସହ ଧୋକା ହୁଏ କିମ୍ବା ଆମକୁ ବଦନାମ କରାଯାଏ, ତାହେଲେ ଆମେ କʼଣ କରିବା ଉଚିତ୍ ? (ମାଥିଉ ୧୮:୧୫-୧୭ ପଢ଼ନ୍ତୁ ।) ଯୀଶୁ ତିନୋଟି ପଦକ୍ଷେପ ବିଷୟରେ କହିଥିଲେ:
ଆମକୁ ସେହି ଭାଇ ସହ ଏକୁଟିଆରେ ମାମଲାର ସମାଧାନ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ।—ପଦ ୧୫ ଦେଖନ୍ତୁ ।
ଯଦି ମାମଲାର ସମାଧାନ ହୁଏ ନାହି, ତାହେଲେ ଆମେ ମଣ୍ଡଳୀର ଜଣେ କିମ୍ବା ଦୁଇଜଣ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କୁ ସାଙ୍ଗରେ ନେଇ ସେଇ ଭାଇଙ୍କ ସହ କଥା ହେବା ଉଚିତ୍ ।—ପଦ ୧୬ ଦେଖନ୍ତୁ ।
ଯଦି ତାʼପରେ ମଧ୍ୟ ସମାଧାନ ହୁଏ ନାହି, ତାହେଲେ ହି ଆମକୁ ପ୍ରାଚୀନମାନଙ୍କୁ ସାହାଯ୍ୟ ମାଗିବା ଉଚିତ୍ ।—ପଦ ୧୭ ଦେଖନ୍ତୁ ।
ଅଧିକାଂଶ ମାମଲାଗୁଡ଼ିକରେ ଆମେ ନିଜ ଭାଇଭଉଣୀମାନଙ୍କୁ ଅଦାଲତକୁ ନେଇ ଯାଇ ନ ଥାଉ । କାରଣ ଏପରି କଲେ ଯିହୋବା ଓ ମଣ୍ଡଳୀର ନାମ ବଦନାମ ହୋଇପାରେ । (୧ କରିନ୍ଥୀୟ ୬:୧-୮) କିନ୍ତୁ କିଛି ମାମଲାଗୁଡ଼ିକର ସମାଧାନ କରିବା ପାଇଁ ଅଦାଲତ ଯିବାକୁ ପଡ଼ିପାରେ । ଯେପରି— ଛାଡ଼ପତ୍ର ଦେବା, ଛାଡ଼ପତ୍ର ପରେ ପିଲାମାନେ କାହା ସହ ରହିବେ ତାହା ନିଷ୍ପତ୍ତି ନେବା, ଜୀବନ ସାଥୀକୁ ଗୁଜୁରାଣ ମେଣ୍ଟାଇବା ପାଇଁ କେତେ ଭତ୍ତା ମିଳିବ ତାହା ନିଷ୍ପତ୍ତି ନେବା, ବିମାରୁ ମିଳୁଥିବା କ୍ଷତିପୂରଣକୁ କିପରି ବଣ୍ଟାଯିବ ତାହା ନିଷ୍ପତ୍ତି ନେବା, ଦେବାଳିଆପଣ କିମ୍ବା ଇଚ୍ଛାପତ୍ର (ଜମିବାଡ଼ି) ସହିତ ଜଡ଼ିତ ମାମଲାଗୁଡ଼ିକ । ଯଦି ଜଣେ ଖ୍ରୀଷ୍ଟିୟାନ ଏହି ମାମଲାକୁ ସମାଧାନ କରିବା ପାଇଁ ଆଇନର ସାହାଯ୍ୟ ନିଏ, ତାହେଲେ ତାହା ବାଇବଲ ଅନୁସାରେ ଭୁଲ ନୁହେଁ । କିନ୍ତୁ ତାକୁ ଶାନ୍ତିର ସହ ଏହି ମାମଲାର ସମାଧାନ କରିବା ଉଚିତ୍ ।
ଗମ୍ଭୀର ଅପରାଧ ମାମଲାରେ ସରକାରୀ ଅଧିକାରୀମାନଙ୍କ ପାଖରେ ମାମଲା ରୁଜୁ କରିବା ମଧ୍ୟ ବାଇବଲର ପରାମର୍ଶ ବିରୁଦ୍ଧରେ ନୁହେଁ । ଏହା ବଳାତ୍କାର, ପିଲାମାନଙ୍କ ସହ ଦୁର୍ବ୍ୟବହାର, ମାରପିଟ୍, ଡକାୟତ କିମ୍ବା ହତ୍ୟା ପରି ଅପରାଧ ହୋଇପାରେ ।
a ଖ୍ରୀଷ୍ଟ ପୂର୍ବ ୪୫୫ରୁ ଖ୍ରୀଷ୍ଟ ପୂର୍ବ ୧ ଯାଏଁ ୪୫୪ ବର୍ଷ ହୁଏ । ଖ୍ରୀଷ୍ଟ ପୂର୍ବ ୧ରୁ ୧ ଖ୍ରୀଷ୍ଟାବ୍ଦ ଯାଏଁ ଗୋଟିଏ ବର୍ଷ ହୁଏ (କାରଣ ଏହା ମଝିରେ କୌଣସି ଶୂନ ବର୍ଷ ନାହିଁ) ଏବଂ ୧ ଖ୍ରୀଷ୍ଟାବ୍ଦରୁ ୨୯ ଖ୍ରୀଷ୍ଟାବ୍ଦ ଯାଏଁ ୨୮ ବର୍ଷ ହୁଏ । ଯଦି ଆମେ ୪୫୪ ବର୍ଷ, ୧ ବର୍ଷ ଓ ୨୮ ବର୍ଷକୁ ଯୋଡ଼ିବା, ତେବେ ଏହା ୪୮୩ ବର୍ଷ ହୁଏ ।
b ଏହି ପ୍ରକ୍ରିୟାଗୁଡ଼ିକ ବିଷୟରେ ଅଧିକ ଜାଣିବା ପାଇଁ ନଭେମ୍ବର, ୨୦୦୬ର ରାଜ୍ୟ ସେବା (ହିନ୍ଦୀ) “ରକ୍ତର ଅଂଶ ଏବଂ ଚିକିତ୍ସାର ଏପରି ପ୍ରକ୍ରିୟାଗୁଡ଼ିକ ବିଷୟରେ ମୋତେ କʼଣ ନିଷ୍ପତ୍ତି ନେବା ଉଚିତ୍, ଯେଉଁଥିରେ ମୋର ନିଜ ରକ୍ତ ବ୍ୟବହାର କରାଯିବ ?” ପଢ଼ନ୍ତୁ ।