ପାଠ ୩୯
ରକ୍ତର ବ୍ୟବହାର ବିଷୟରେ ଈଶ୍ୱର କʼଣ କହନ୍ତି ?
ରକ୍ତ ଆମ ସମସ୍ତଙ୍କ ପାଇଁ ବହୁତ ଜରୁରୀ । ଏହା ବିନା ଆମେ ବଞ୍ଚିପାରିବାନି । ଯିହୋବା ଆମର ସୃଷ୍ଟିକର୍ତ୍ତା ଅଟନ୍ତି । ତେଣୁ ତାଙ୍କୁ ଏହା କହିବାର ପୂରା ଅଧିକାର ରହିଛି ଯେ ରକ୍ତର ବ୍ୟବହାର କିପରି କରିବା ଉଚିତ୍ । ତାହେଲେ ସେ ରକ୍ତ ବିଷୟରେ କʼଣ କହିଛନ୍ତି ? କʼଣ ଆମେ ରକ୍ତକୁ ଖାଇପାରିବା କିମ୍ବା ତାକୁ ନିଜ ଶରୀରରେ ଚଢ଼ାଇପାରିବା ? ଏ ମାମଲାରେ ଆମେ ଭଲ ନିଷ୍ପତ୍ତି କିପରି ନେଇପାରିବା ? ଆସନ୍ତୁ ଜାଣିବା ।
୧. ରକ୍ତ ବିଷୟରେ ଯିହୋବା କʼଣ ଭାବନ୍ତି ?
ପ୍ରାଚୀନ ସମୟରେ ଯିହୋବା ନିଜ ସେବକମାନଙ୍କୁ କହିଥିଲେ, “ସକଳ ପ୍ରାଣୀର ରକ୍ତ ହିଁ ତାହାର ପ୍ରାଣ ।” (ଲେବୀ ପୁସ୍ତକ ୧୭:୧୪) ଯିହୋବାଙ୍କ ଦୃଷ୍ଟିରେ ରକ୍ତ ଜୀବନର ପ୍ରତୀକ ଅଟେ । ଯେପରି ସେ ଜୀବନକୁ ପବିତ୍ର ମନେ କରନ୍ତି, ଠିକ୍ ସେପରି ସେ ରକ୍ତକୁ ମଧ୍ୟ ପବିତ୍ର ବୋଲି ମନେ କରନ୍ତି । ଏହି ଦୁଇଟିଯାକ ଯିହୋବାଙ୍କ ତରଫରୁ ଆମ ପାଇଁ ଏକ ଉପହାର ଅଟେ ।
୨. ରକ୍ତ ବିଷୟରେ ଯିହୋବା କʼଣ ଆଜ୍ଞା ଦେଇଛନ୍ତି ?
ଜଳପ୍ଳାବନର କିଛି ସମୟ ପରେ ଯିହୋବା ନିଜ ସେବକମାନଙ୍କୁ ଆଜ୍ଞା ଦେଇଥିଲେ ଯେ ତମେମାନେ ରକ୍ତ ଖାଇବ ନାହିଁ । (ଆଦି ପୁସ୍ତକ ୯:୪ ଓ ଲେବୀ ପୁସ୍ତକ ୧୭:୧୦ ପଢ଼ନ୍ତୁ ।) ଆଗକୁ ଯାଇ ସେ ଇସ୍ରାଏଲ ରାଷ୍ଟ୍ରକୁ ମଧ୍ୟ ଏହି ଆଜ୍ଞା ଦେଲେ । ଯେତେବେଳେ ଖ୍ରୀଷ୍ଟିୟାନ ମଣ୍ଡଳୀର ଆରମ୍ଭ ହେଲା, ସେତେବେଳେ ମଧ୍ୟ ରକ୍ତ ବିଷୟରେ ଯିହୋବାଙ୍କ ଆଜ୍ଞା ବଦଳିଲା ନାହିଁ । ଯିହୋବା ପ୍ରଶାସନ ଦଳ ଜରିଆରେ ମଣ୍ଡଳୀଗୁଡ଼ିକୁ ପରାମର୍ଶ ଦେଲେ ଯେ ସେମାନେ ‘ରକ୍ତରୁ ପୃଥକ୍ ବା ଦୂରେଇ ରହନ୍ତୁ ।’—ପ୍ରେରିତ ୧୫:୨୮, ୨୯ ପଢ଼ନ୍ତୁ ।
ରକ୍ତରୁ ଦୂରେଇ ରହିବାର ଅର୍ଥ କʼଣ ? ମନେ କରନ୍ତୁ, ଡାକ୍ତର ଆପଣଙ୍କୁ କହନ୍ତି ଯେ ମଦରୁ ଦୂରେଇ ରହନ୍ତୁ । ତାହେଲେ ଆପଣ କʼଣ କରିବେ ? ନିଶ୍ଚୟ ଆପଣ ମଦ ପିଇବେ ନାହିଁ । କିନ୍ତୁ କʼଣ ଆପଣ ଏପରି ଜିନିଷ ଖାଇବେ ଯେଉଁଥିରେ ମଦ ମିଶା ହୋଇଥିବ କିମ୍ବା କʼଣ ଆପଣ ତାହା ନିଜ ଶରୀରରେ ଚଢ଼ାଇବେ ? ଆପଣ ଏପରି ବିଲକୁଲ୍ କରିବେନି । ଠିକ୍ ସେହିପରି, ରକ୍ତରୁ ଦୂରେଇ ରହିବାର ଅର୍ଥ ହେଉଛି, ଆମେ ରକ୍ତ ଖାଇବାନି କି ପିଇବାନି ଏବଂ ଏପରି ପଶୁମାନଙ୍କର ମାଂସ ମଧ୍ୟ ଖାଇବାନି ଯାହାର ରକ୍ତ ବାହାର କରାଯାଇନି । ତାʼସହ ଆମେ ଏପରି କୌଣସି ଜିନିଷ ଖାଇବା ଉଚିତ୍ ନୁହେଁ, ଯେଉଁଥିରେ ରକ୍ତ ମିଶା ହୋଇଥିବ ।
ଚିକିତ୍ସାରେ ରକ୍ତର ବ୍ୟବହାର ବିଷୟରେ କʼଣ ? ଚିକିତ୍ସାର ଏପରି କିଛି ପ୍ରକ୍ରିୟା ଅଛି, ଯାହା ଈଶ୍ୱରଙ୍କ ନିୟମର ବିରୁଦ୍ଧରେ ଅଟେ । ଯେପରି, ନିଜ ଶରୀରରେ ରକ୍ତ ଚଢ଼ାଇବା କିମ୍ବା ରକ୍ତର ଚାରୋଟି ବଡ଼ ଉପାଦାନ ମଧ୍ୟରୁ କୌଣସି ଗୋଟିଏ ଚଢ଼ାଇବା । ଏହି ଚାରୋଟି ବଡ଼ ଉପାଦାନ ହେଉଛି, ଲୋହିତ ରକ୍ତ କଣିକା (ରେଡ୍ ସେଲ୍ସ), ଶ୍ୱେତ ରକ୍ତ କଣିକା (ହ୍ୱାଇଟ୍ ସେଲ୍ସ), ପ୍ଲେଟ୍ଲେଟ୍ସ ଓ ପ୍ଲାଜ୍ମା । କିନ୍ତୁ ଚିକିତ୍ସାର ଏପରି କିଛି ପ୍ରକ୍ରିୟାଗୁଡ଼ିକ ମଧ୍ୟ ଅଛି, ଯାହା ସିଧାସଳଖ ଈଶ୍ୱରଙ୍କ ନିୟମର ବିରୁଦ୍ଧରେ ନୁହେଁ । ଯେପରି, ଚିକିତ୍ସାର କିଛି ପ୍ରକ୍ରିୟାଗୁଡ଼ିକରେ ରକ୍ତର ଛୋଟ ଅଂଶ (ବ୍ଲଡ ଫ୍ରାକ୍ସନ) ବାହାର କରାଯାଏ, ଯାହା ରକ୍ତର କୌଣସି ଉପାଦାନରୁ ବାହାର କରାଯାଇଥାଏ । ଆଉ କିଛି ପ୍ରକ୍ରିୟାରେ ରୋଗୀର ନିଜ ହିଁ ରକ୍ତକୁ ବ୍ୟବହାର କରାଯାଏ ଏବଂ ତାହା ବି ଏପରି ଭାବରେ ଯାହା ଯିହୋବାଙ୍କ ନିୟମର ବିରୁଦ୍ଧରେ ନୁହେଁ । ଏପରି ପରିସ୍ଥିତିରେ ଆମେ ଚିକିତ୍ସାର କେଉଁ ଉପାୟ ଆପଣାଇବା ? ଏହାର ନିଷ୍ପତ୍ତି ଆମକୁ ନିଜେ ଭାବିଚିନ୍ତି ନେବାକୁ ପଡ଼ିବ ।a—ଗାଲାତୀୟ ୬:୫.
ଭାବନ୍ତୁ ଓ ଶିଖନ୍ତୁ
ଜାଣନ୍ତୁ ଯେ ଆପଣ ଚିକିତ୍ସାର କେଉଁ ପ୍ରକ୍ରିୟା ଆପଣାଇବେ, ସେହି ନିଷ୍ପତ୍ତି କିପରି ନେଇପାରିବେ ।
୩. ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ
ଆପଣ ଚିକିତ୍ସା ମାମଲାରେ ଯିହୋବାଙ୍କୁ ଖୁସି କରୁଥିବା ଭଳି ନିଷ୍ପତ୍ତି କିପରି ନେଇପାରିବେ ? ଭିଡିଓ ଦେଖନ୍ତୁ, ତାʼପରେ ଆଲୋଚନା କରନ୍ତୁ ଯେ ଆଗକୁ ଦିଆଯାଇଥିବା କଥାଗୁଡ଼ିକୁ ମାନିବା କାହିଁକି ଜରୁରୀ ।
ବୁଦ୍ଧି ପାଇଁ ପ୍ରାର୍ଥନା କରନ୍ତୁ ।—ଯାକୁବ ୧:୫.
ବାଇବଲ ସିଦ୍ଧାନ୍ତ ଖୋଜନ୍ତୁ ଏବଂ ଜାଣନ୍ତୁ ଯେ ଆପଣ ତାହା କିପରି ଲାଗୁ କରିପାରିବେ ।—ହିତୋପଦେଶ ୧୩:୧୬.
ଜାଣିବାକୁ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ଅଞ୍ଚଳରେ ଚିକିତ୍ସାର କେଉଁ କେଉଁ ପ୍ରକ୍ରିୟା ଉପଲବ୍ଧ ଅଛି ।
ଏମଧ୍ୟରୁ କେଉଁ ପ୍ରକ୍ରିୟାରେ ଆପଣ ଚିକିତ୍ସା କରାଇବା ପାଇଁ ଚାହାନ୍ତି ନାହିଁ, ତାହା ଅଲଗା କରନ୍ତୁ ।
ଏହା ମଧ୍ୟ ଧ୍ୟାନରେ ରଖନ୍ତୁ ଯେ ଆପଣ ଯାହା ବି ନିଷ୍ପତ୍ତି ନେବେ, ସେଥିରୁ ଆପଣଙ୍କ ବିବେକ ଶୁଦ୍ଧ ରହିବା ଉଚିତ୍ ।—ପ୍ରେରିତ ୨୪:୧୬.b
ଯେତେବେଳେ ଆପଣଙ୍କୁ ନିଜ ବିବେକ ଅନୁସାରେ ନିଷ୍ପତ୍ତି ନେବାକୁ ପଡ଼ିଥାଏ, ସେତେବେଳେ ମନେ ରଖନ୍ତୁ ଯେ ଏହି ନିଷ୍ପତ୍ତି ଅନ୍ୟ କେହି ଆପଣଙ୍କ ପାଇଁ ନ ନିଅନ୍ତୁ । ଯେପରି ଆପଣଙ୍କ ସ୍ୱାମୀ, ସ୍ତ୍ରୀ, ମଣ୍ଡଳୀର ପ୍ରାଚୀନ କିମ୍ବା ଆପଣଙ୍କୁ ଯିଏ ବାଇବଲ ପଢ଼ାଉଛନ୍ତି, ସେମାନେ ଏହି ନିଷ୍ପତ୍ତି ନ ନିଅନ୍ତୁ ।—ରୋମୀୟ ୧୪:୧୨.
ନିଷ୍ପତ୍ତି ନେବା ପରେ ତାକୁ ଲେଖିକି ରଖନ୍ତୁ ।
୪. ଯିହୋବାଙ୍କ ସାକ୍ଷୀମାନେ ସବୁଠୁ ବଢ଼ିଆ ଚିକିତ୍ସା କରାଇବା ପାଇଁ ଚାହାନ୍ତି
ରକ୍ତ ବିଷୟରେ ଯିହୋବା ଦେଇଥିବା ଆଜ୍ଞାକୁ ପାଳନ କରିବା ସହ ଆମେ ସବୁଠୁ ବଢ଼ିଆ ଚିକିତ୍ସା ମଧ୍ୟ କରାଇପାରିବା । ଆଉ ତାହା ବି ବିନା ରକ୍ତର ବ୍ୟବହାର କରି । ଭିଡିଓ ଦେଖନ୍ତୁ ।
ତୀତସ ୩:୨ ପଢ଼ନ୍ତୁ, ତାʼପରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ଉପରେ ଆଲୋଚନା କରନ୍ତୁ:
ଆମେ କାହିଁକି ଡାକ୍ତରମାନଙ୍କ ସହିତ ଆଦରର ସହ କଥା ହେବା ଉଚିତ୍ ଏବଂ ସେମାନଙ୍କୁ ସହଯୋଗ କରିବା ଉଚିତ୍ ?
ଖ୍ରୀଷ୍ଟିୟାନମାନେ ସ୍ୱୀକାର କରନ୍ତି ନାହିଁ |
ଖ୍ରୀଷ୍ଟିୟାନମାନେ ନିଜେ ନିଷ୍ପତ୍ତି ନେଇପାରିବେ |
---|---|
୧. ପ୍ଲାଜ୍ମା |
ପ୍ଲାଜ୍ମାର ଛୋଟ ଅଂଶ |
୨. ଶ୍ୱେତ ରକ୍ତ କଣିକା |
ଶ୍ୱେତ ରକ୍ତ କଣିକାଗୁଡ଼ିକର ଛୋଟ ଅଂଶ |
୩. ପ୍ଲେଟ୍ଲେଟ୍ସ |
ପ୍ଲେଟ୍ଲେଟ୍ସର ଛୋଟ ଅଂଶ |
୪. ଲୋହିତ ରକ୍ତ କଣିକା |
ଲୋହିତ ରକ୍ତ କଣିକାଗୁଡ଼ିକର ଛୋଟ ଅଂଶ |
୫. ଚିକିତ୍ସାରେ ରକ୍ତର ଉପାଦାନଗୁଡ଼ିକର ବ୍ୟବହାର
ରକ୍ତର ଚାରୋଟି ଉପାଦାନ ଅଛି । ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା, ପ୍ଲେଟ୍ଲେଟ୍ସ ଓ ପ୍ଲାଜ୍ମା । ଏହି ଉପାଦାନଗୁଡ଼ିକରୁ ରକ୍ତର ଛୋଟ ଛୋଟ ଅଂଶ ବା ବ୍ଲଡ ଫ୍ରାକ୍ସନ ବାହାର କରାଯାଏ ।c ରକ୍ତର କିଛି ଅଂଶଗୁଡ଼ିକରୁ ଏପରି ଔଷଧଗୁଡ଼ିକ ତିଆରି କରାଯାଏ, ଯାହା ଆମକୁ ରୋଗ ସହ ଲଢ଼ିବା ପାଇଁ କିମ୍ବା ରକ୍ତ ବୋହିବା ବନ୍ଦ କରିବା ପାଇଁ ସାହାଯ୍ୟ କରେ ।
ଏହାର ଅର୍ଥ କʼଣ ଜଣେ ଖ୍ରୀଷ୍ଟିୟାନ ଚିକିତ୍ସାରେ ରକ୍ତର ଅଂଶ ନେଇପାରିବ ? ପ୍ରତ୍ୟେକ ଖ୍ରୀଷ୍ଟିୟାନକୁ ଏହି ନିଷ୍ପତ୍ତି ନିଜେ ନେବାକୁ ପଡ଼ିବ । କିନ୍ତୁ ତାହା ବାଇବଲରୁ ପ୍ରଶିକ୍ଷଣ କରାଯାଇଥିବା ନିଜ ବିବେକ ଆଧାରରେ ହେବା ଉଚିତ୍ । କିଛି ଖ୍ରୀଷ୍ଟିୟାନ ହୁଏତ ନିଷ୍ପତ୍ତି ନେଇପାରନ୍ତି ଯେ ସେମାନେ କିଛି କିଛି ଚିକିତ୍ସା ପାଇଁ ରକ୍ତର ଅଂଶ ନେବେ ନାହିଁ । କିନ୍ତୁ ଅନ୍ୟ ପଟେ ହୋଇପାରେ କିଛି ଖ୍ରୀଷ୍ଟିୟାନମାନଙ୍କ ବିବେକ ସେମାନଙ୍କୁ ଏହି ଅଂଶଗୁଡ଼ିକ ନେବା ପାଇଁ ଅନୁମତି ଦେଇପାରେ ।
ଏବିଷୟରେ ନିଷ୍ପତ୍ତି ନେବା ସମୟରେ ଆଗକୁ ଦିଆଯାଇଥିବା ପ୍ରଶ୍ନ ବିଷୟରେ ଭାବନ୍ତୁ:
କʼଣ ମୁଁ ଡାକ୍ତରଙ୍କୁ ବୁଝାଇପାରିବି ଯେ ମୁଁ କାହିଁକି ରକ୍ତର କିଛି ଅଂଶକୁ ନିଏ ଏବଂ ଆଉ କିଛି ଅଂଶକୁ ନିଏ ନାହିଁ ?
ହୁଏତ କେହି ପଚାରିପାରନ୍ତି: “ରକ୍ତ ନେଲେ କିମ୍ବା ରକ୍ତ ଦେଲେ ଅସୁବିଧା କʼଣ ?”
ଏବିଷୟରେ ଆପଣ କʼଣ ଭାବନ୍ତି ?
ଆମେ କʼଣ ଶିଖିଲୁ ?
ଯିହୋବା ଚାହାନ୍ତି ଯେ ଆମେ ରକ୍ତକୁ ପବିତ୍ର ବୋଲି ମନେ କରୁ ଏବଂ ତାʼର ଭୁଲ ବ୍ୟବହାର ନ କରୁ ।
ଆପଣ କʼଣ କହିବେ ?
ଯିହୋବା ରକ୍ତକୁ ପବିତ୍ର ବୋଲି କାହିଁକି ମନେ କରନ୍ତି ?
ଆମେ କାହିଁକି କହିପାରିବା ଯେ ରକ୍ତରୁ ଦୂରେଇ ରହିବା ବିଷୟରେ ଯିହୋବା ଯେଉଁ ଆଜ୍ଞା ଦେଇଛନ୍ତି, ତାହା ରକ୍ତ ଚଢ଼ାଇବା ମାମଲାରେ ମଧ୍ୟ ଲାଗୁ ହୁଏ ?
ଚିକିତ୍ସା ମାମଲାରେ ଭଲ ନିଷ୍ପତ୍ତି ନେବା ପାଇଁ ଆପଣ କʼଣ କରିପାରିବେ ?
ଅଧିକ ଜାଣନ୍ତୁ
କʼଣ ଆପଣ ଏପରି ପ୍ରକ୍ରିୟାଗୁଡ଼ିକରେ ନିଜ ଚିକିତ୍ସା କରାଇବେ, ଯେଉଁଥିରେ ଆପଣଙ୍କ ରକ୍ତ ହିଁ ଆପଣଙ୍କ ପାଇଁ ବ୍ୟବହାର କରାଯିବ ? ଏହି ନିଷ୍ପତ୍ତି ନେବା ପୂର୍ବରୁ ଆପଣଙ୍କୁ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ୍ ? ଆସନ୍ତୁ ଜାଣିବା ।
କʼଣ ଆପଣ ଚିକିତ୍ସା ପାଇଁ ରକ୍ତର ଅଂଶ ବ୍ୟବହାର କରିବେ ? ଆସନ୍ତୁ ଜାଣିବା ଯେ ଏହି ନିଷ୍ପତ୍ତି ନେବା ସମୟରେ ଆପଣଙ୍କୁ କେଉଁ କେଉଁ କଥା ବିଷୟରେ ଭାବିବା ଉଚିତ୍ ।
ଆସନ୍ତୁ ଜାଣିବା ଯେ ଜଣେ ଡାକ୍ତରଙ୍କୁ କିପରି ଭରସା ହେଲା ଯେ ରକ୍ତ ବିଷୟରେ ଯିହୋବାଙ୍କ ଦୃଷ୍ଟିକୋଣ ହିଁ ଠିକ୍ ।
“ରକ୍ତ ବିଷୟରେ ମୁଁ ଈଶ୍ୱରଙ୍କ ଦୃଷ୍ଟିକୋଣକୁ ଆପଣାଇଲି” (ସଜାଗ ହୁଅ ! ଲେଖା-ହି)
ଜାଣନ୍ତୁ ଯେ ହସ୍ପିଟାଲ ସମ୍ପର୍କ ସମିତିଗୁଡ଼ିକରେ ସେବା କରୁଥିବା ପ୍ରାଚୀନମାନେ ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରନ୍ତି ।
b ପଏଣ୍ଟ ନଂ. ୫ “ଚିକିତ୍ସାରେ ରକ୍ତର ଉପାଦାନଗୁଡ଼ିକର ବ୍ୟବହାର” ଏବଂ ଅଧିକ ବିବରଣୀ ୩ “ରକ୍ତ ସହ ଜଡ଼ିତ ଚିକିତ୍ସାର କିଛି ପ୍ରକ୍ରିୟା” ଦେଖନ୍ତୁ ।
c କିଛି ଡାକ୍ତର କହନ୍ତି ଯେ ଏହି ଚାରୋଟି ଉପାଦାନ ରକ୍ତ ନୁହେଁ, ବରଂ ସେଥିରୁ ବାହାର କରାଯାଇଥିବା ଛୋଟ ଅଂଶ ଅଟେ । ତେଣୁ ଯେତେବେଳେ ଆପଣ ନିଜ ଡାକ୍ତର ସହ କଥା ହୁଅନ୍ତି, ସେତେବେଳେ ହୁଏତ ଆପଣଙ୍କୁ ତାଙ୍କୁ ସ୍ପଷ୍ଟ ଭାବେ କହିବାକୁ ପଡ଼ିପାରେ ଯେ ଆପଣ ରକ୍ତ ନେବେ ନାହିଁ କି ଲୋହିତ ରକ୍ତ କଣିକା, ଶ୍ୱେତ ରକ୍ତ କଣିକା, ପ୍ଲେଟ୍ଲେଟ୍ସ କିମ୍ବା ପ୍ଲାଜ୍ମା ମଧ୍ୟ ନେବେ ନାହିଁ ।