ଆପଣଙ୍କ ପ୍ରଶ୍ନ
ଯଦି ଜଣେ ଖ୍ରୀଷ୍ଟିୟାନ ବାଇବଲ ସିଦ୍ଧାନ୍ତର ବିରୁଦ୍ଧରେ ଯାଇ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦିଏ ଓ ଦ୍ୱିତୀୟ ବିବାହ କରେ, ତାʼହେଲେ ତାର ପ୍ରଥମ ଓ ଦ୍ୱିତୀୟ ବିବାହକୁ ମଣ୍ଡଳୀରେ କେଉଁ ଦୃଷ୍ଟିରେ ଦେଖାଯିବ ?
ମଣ୍ଡଳୀର ଦୃଷ୍ଟିରେ ସେହି ବ୍ୟକ୍ତିର ପ୍ରଥମ ବିବାହର ବନ୍ଧନ ଭାଙ୍ଗିଯିବ ଓ ତାର ଦ୍ୱିତୀୟ ବିବାହର ବନ୍ଧନ ମାନ୍ୟତା ପାଇବ । ଏପରି କାହିଁକି କୁହାଯାଇପାରେ ? ଏହାର କାରଣ ଜାଣିବା ପାଇଁ ଆସନ୍ତୁ ଧ୍ୟାନ ଦେବା ଯେ ଯୀଶୁ ଛାଡ଼ପତ୍ର ନେବା ଓ ପୁଣିଥରେ ବିବାହ କରିବା ବିଷୟରେ କʼଣ କହିଥିଲେ ।
ଯେପରି ମାଥିଉ ୧୯:୯ ପଦରେ ଯୀଶୁ କହିଲେ ଯେ ଶାସ୍ତ୍ର ଅନୁସାରେ ଛାଡ଼ପତ୍ର ନେବାର କେବଳ ଗୋଟିଏ ହିଁ ଆଧାର ଅଛି । ସେ କହିଲେ, “ଯେ କେହି ଆପଣା ସ୍ତ୍ରୀକି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ ।” ଏଥିରୁ ଆମକୁ ଦୁଇଟି କଥା ଜଣାପଡ଼େ । (୧) ବାଇବଲ ଅନୁସାରେ ଯଦି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରୁ କେହି ଜଣେ ଅନୈତିକ ଯୌନ ସମ୍ପର୍କ ରଖେ, ତାହେଲେ ହିଁ ଛାଡ଼ପତ୍ର ନିଆଯାଇପାରିବ । (୨) ଯଦି କେହି ଅନ୍ୟ କୌଣସି କାରଣ ଯୋଗୁଁ ଛାଡ଼ପତ୍ର ନିଏ ଓ ଦ୍ୱିତୀୟ ବିବାହ କରେ, ତାହେଲେ ସେ ବ୍ୟଭିଚାରର ଦୋଷୀ ହେବ ।a
ତାହେଲେ କʼଣ ଯୀଶୁଙ୍କ କହିବାର ଅର୍ଥ ଏହା ଥିଲା ଯେ ଯଦି ଜଣେ ବ୍ୟକ୍ତି ଅନୈତିକ ଯୌନ ସମ୍ପର୍କ ରଖେ ଓ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେଇଦିଏ, ତାହେଲେ ସେ ଶାସ୍ତ୍ର ମୁତାବକ ଦ୍ୱିତୀୟ ବିବାହ କରିପାରିବ ? ଏହା ଜରୁରୀ ନୁହେଁ । ଯଦି ସ୍ୱାମୀ ବ୍ୟଭିଚାର କରେ, ତାହେଲେ ଏହି ନିଷ୍ପତ୍ତି ନିର୍ଦ୍ଦୋଷ ସ୍ତ୍ରୀର ହାତରେ ଅଛି ଯେ ସେ ନିଜ ସ୍ୱାମୀକୁ କ୍ଷମା କରିବ ନା ତାଙ୍କୁ ଛାଡ଼ିଦେବ । ଯଦି ସେ ତାଙ୍କୁ ଛାଡ଼ିଦିଏ ଓ ଆଇନ ଅନୁସାରେ ତାଙ୍କର ଛାଡ଼ପତ୍ର ହୋଇଯାଏ କେବଳ ତାହେଲେ ହିଁ ସେମାନେ ଦୁହେଁ ଦ୍ୱିତୀୟ ବିବାହ କରିପାରିବେ ।
କିନ୍ତୁ ଧରନ୍ତୁ ଯେ ସ୍ତ୍ରୀ ବିବାହକୁ ଭାଙ୍ଗିବାକୁ ଚାହେଁନି ଓ ନିଜ ସ୍ୱାମୀଙ୍କୁ କ୍ଷମା କରିବା ପାଇଁ ଚାହେଁ । ତଥାପି ସ୍ୱାମୀ ତାʼସହ ରହିବାକୁ ଚାହେଁନି ଓ ତାʼ ସ୍ତ୍ରୀ ରାଜି ନ ଥିବା ସତ୍ତ୍ୱେ ସ୍ୱାମୀ ତାʼଠାରୁ ଛାଡ଼ପତ୍ର ନେଇଯାଏ । ତେବେ କʼଣ ସ୍ୱାମୀ ଦ୍ୱିତୀୟ ବିବାହ କରିପାରିବ ? ବାଇବଲ ଅନୁସାରେ ସେ ଏପରି କରିପାରିବ ନାହିଁ । ତଥାପି ଯଦି ସେ ବାଇବଲ ସିଦ୍ଧାନ୍ତର ବିରୁଦ୍ଧରେ ଯାଏ ଓ ଦ୍ୱିତୀୟ ବିବାହ କରେ, ତାହେଲେ ସେ ପୁଣିଥରେ ବ୍ୟଭିଚାର କରିବାର ଦୋଷୀ ହେବ । ତେଣୁ ମଣ୍ଡଳୀର ପ୍ରାଚୀନମାନେ ତାʼ ବିରୁଦ୍ଧରେ ପୁଣିଥରେ ନ୍ୟାୟିକ ସମିତି ଗଢ଼ିବେ ।—୧ କରି. ୫:୧, ୨; ୬:୯, ୧୦.
ଯଦି ଜଣେ ବ୍ୟକ୍ତି ବାଇବଲ ସିଦ୍ଧାନ୍ତର ବିରୁଦ୍ଧରେ ଯାଇ ଦ୍ୱିତୀୟ ବିବାହ କରେ, ତାହେଲେ ମଣ୍ଡଳୀ ତାର ପ୍ରଥମ ଓ ଦ୍ୱିତୀୟ ବିବାହକୁ କେଉଁ ଦୃଷ୍ଟିରେ ଦେଖିବ ? କʼଣ ବାଇବଲ ଅନୁସାରେ ତାʼର ପ୍ରଥମ ବିବାହ ଏବେ ବି ମାନ୍ୟତା ପାଇବ ? କʼଣ ନିର୍ଦ୍ଦୋଷ ସ୍ତ୍ରୀ ଏବେ ମଧ୍ୟ ନିଷ୍ପତ୍ତି ନେଇପାରିବ ଯେ ସେ ତାʼର ସ୍ୱାମୀକୁ କ୍ଷମା କରିବ ନା ତାଙ୍କୁ ଛାଡ଼ିଦେବ ? କʼଣ ସ୍ୱାମୀର ନିଜ ଦ୍ୱିତୀୟ ସ୍ତ୍ରୀ ସହ ରହିବା ଏପରି ହେବ ଯେପରି ସେମାନେ ବ୍ୟଭିଚାର କରୁଛନ୍ତି ?
ଆଗରୁ ଆମେ ମାନୁଥିଲୁ ଯେ ଯେବେ ଯାଏ ନିର୍ଦ୍ଦୋଷ ସ୍ତ୍ରୀ ବଞ୍ଚିଛି ଓ ସେ ଦ୍ୱିତୀୟ ବିବାହ କରିନି କିମ୍ବା କାହାରି ସହ ଅନୈତିକ ଯୌନ ସମ୍ପର୍କ ରଖିନି, ତେବେ ଯାଏ ସ୍ୱାମୀର ଦ୍ୱିତୀୟ ବିବାହକୁ ବ୍ୟଭିଚାର ବିବାହ ବୋଲି ଧରାଯିବ ଅର୍ଥାତ୍ ମଣ୍ଡଳୀରେ ସେହି ସମ୍ପର୍କକୁ ଅନୈତିକ ସମ୍ପର୍କ ବୋଲି ଧରାଯିବ । ଧ୍ୟାନ ଦିଅନ୍ତୁ ଯେ ଯେତେବେଳେ ଯୀଶୁ ଛାଡ଼ପତ୍ର ଓ ଦ୍ୱିତୀୟ ବିବାହ ବିଷୟରେ କହୁଥିଲେ, ସେତେବେଳେ ସେ ନିର୍ଦ୍ଦୋଷ ସ୍ତ୍ରୀ ବିଷୟରେ କିଛି କହିଲେ ନାହିଁ । ସେ କେବଳ ଏହା ବୁଝାଇଲେ ଯେ ଯଦି ଜଣେ ବ୍ୟକ୍ତି ଶାସ୍ତ୍ରର ବିରୁଦ୍ଧରେ ଯାଇ ଛାଡ଼ପତ୍ର ନିଏ ଓ ତାʼପରେ ଦ୍ୱିତୀୟ ବିବାହ କରେ, ତାହେଲେ ଏହା ବ୍ୟଭିଚାର ଅଟେ । ଏହାର ଅର୍ଥ ହେଉଛି ଯେ ଯେତେବେଳେ ଜଣେ ବ୍ୟକ୍ତି ଏପରି ଭାବେ ଛାଡ଼ପତ୍ର ନେଇ ଦ୍ୱିତୀୟ ବିବାହ କରେ, ସେତେବେଳେ ପ୍ରଥମ ବିବାହ ବନ୍ଧନ ଭାଙ୍ଗିଯାଏ ।
“ଯେ କେହି ଆପଣା ସ୍ତ୍ରୀକି ବ୍ୟଭିଚାର ଦୋଷ ବିନା ଅନ୍ୟ କାରଣରୁ ପରିତ୍ୟାଗ କରି ଅନ୍ୟକୁ ବିବାହ କରେ, ସେ ବ୍ୟଭିଚାର କରେ ।”—ମାଥି. ୧୯:୯
ଯେତେବେଳେ ଛାଡ଼ପତ୍ର ଓ ଦ୍ୱିତୀୟ ବିବାହ ଯୋଗୁଁ ପ୍ରଥମ ବିବାହ ବନ୍ଧନ ଭାଙ୍ଗିଯାଏ, ସେତେବେଳେ ନିର୍ଦ୍ଦୋଷ ସ୍ତ୍ରୀ ଏହି ନିଷ୍ପତ୍ତି ନେଇପାରିବ ନାହିଁ ଯେ ସେ ତାʼ ସ୍ୱାମୀକୁ କ୍ଷମା କରିବ ନା ତାକୁ ଛାଡ଼ିଦେବ । ଏବେ ତାକୁ ଏହି ମୁସ୍କିଲ ନିଷ୍ପତ୍ତି ନେବା ଦରକାର ନାହିଁ । ତାʼଛଡ଼ା ମଣ୍ଡଳୀରେ ସ୍ୱାମୀର ଦ୍ୱିତୀୟ ବିବାହ ବନ୍ଧନକୁ କେଉଁ ଦୃଷ୍ଟିରେ ଦେଖାଯିବ, ତାହା ଏବେ ନିର୍ଦ୍ଦୋଷ ସ୍ତ୍ରୀର ପରିସ୍ଥିତି ଉପରେ ନିର୍ଭର କରେ ନାହିଁ ଅର୍ଥାତ୍ ଯଦି ପ୍ରଥମ ସ୍ତ୍ରୀର ମୃତ୍ୟୁ ହୋଇନି କିମ୍ବା ସେ ଦ୍ୱିତୀୟ ବିବାହ କରିନି କିମ୍ବା ଅନ୍ୟ କାହାରି ସହ ଅନୈତିକ ଯୌନ ସମ୍ପର୍କ ରଖିନାହିଁ, ତେବେ ମଧ୍ୟ ସ୍ୱାମୀର ଦ୍ୱିତୀୟ ବିବାହ ବନ୍ଧନ ମାନ୍ୟତା ପାଇବ ।b
ଏବେ ଯାଏ ଆମେ ଦେଖିଲୁ ଯେ ଯଦି ଜଣେ ସ୍ୱାମୀ ବ୍ୟଭିଚାର କଲା ପରେ ଛାଡ଼ପତ୍ର ନିଏ, ତାହେଲେ କʼଣ ହୁଏ । କିନ୍ତୁ ଆଉ ଦୁଇଟି ପରିସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ, ଜଣେ ସ୍ୱାମୀ ବ୍ୟଭିଚାର କରି ନାହିଁ, ତଥାପି ସେ ଛାଡ଼ପତ୍ର ନେଇ ଦ୍ୱିତୀୟ ବିବାହ କରିନିଏ କିମ୍ବା ହୁଏତ ଜଣେ ସ୍ୱାମୀ ଛାଡ଼ପତ୍ର ନେବା ପୂର୍ବରୁ ନୁହେଁ ,ବରଂ ଛାଡ଼ପତ୍ର ନେବା ପରେ ଅନୈତିକ ଯୌନ ସମ୍ପର୍କ ରଖେ ଓ ତାʼ ସ୍ତ୍ରୀ ତାଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛି ତଥାପି ସେ ଦ୍ୱିତୀୟ ବିବାହ କରିନିଏ । ଏହି ଦୁଇଟା ଯାକ ପରିସ୍ଥିତିରେ ମଧ୍ୟ ପ୍ରଥମ ବିବାହ ବନ୍ଧନ ଭାଙ୍ଗିଯିବ । କାରଣ ସ୍ୱାମୀ ଛାଡ଼ପତ୍ର ନେଇ ଦ୍ୱିତୀୟ ବିବାହ କରିଛି । ତେଣୁ ସେ ବ୍ୟଭିଚାର କରିବାର ଦୋଷୀ ଅଟେ । ଆଉ ତାର ଦ୍ୱିତୀୟ ବିବାହ ଆଇନ ଅନୁସାରେ ମାନ୍ୟତା ପାଇବ । ପନ୍ଦର ନଭେମ୍ବର, ୧୯୭୯ର ଇଂରାଜୀ ପ୍ରହରୀଦୁର୍ଗର ପୃଷ୍ଠା ୩୨ରେ ଲେଖାଅଛି, “ଯେତେବେଳେ ଜଣେ ସ୍ୱାମୀ ଦ୍ୱିତୀୟ ବିବାହ କରିନିଏ, ସେତେବେଳେ ସେ ତାକୁ ମନଇଚ୍ଛା ଭାଙ୍ଗି ପୁଣିଥରେ ନିଜ ପ୍ରଥମ ସ୍ତ୍ରୀ ପାଖକୁ ଫେରି ଆସିପାରିବ ନାହିଁ । ତାର ପ୍ରଥମ ବିବାହ ବନ୍ଧନ ଛାଡ଼ପତ୍ର, ବ୍ୟଭିଚାର ଓ ଦ୍ୱିତୀୟ ବିବାହ ଯୋଗୁଁ ଭାଙ୍ଗି ସାରିଛି ।”
ଏହା ସତ ଯେ ଏ ବିଷୟରେ ଆମେ ଆଗରୁ ଯାହା ମାନୁଥିଲୁ ତାହା ଏବେ ବଦଳି ଯାଇଛି, କିନ୍ତୁ ଆମେ ଏବେ ମଧ୍ୟ ବିବାହ ବନ୍ଧନକୁ ପବିତ୍ର ମାନୁ ଓ ବ୍ୟଭିଚାରକୁ ଏକ ଗମ୍ଭୀର ପାପ ମାନୁ । ଯଦି ଜଣେ ବ୍ୟକ୍ତି ବାଇବଲ ସିଦ୍ଧାନ୍ତର ବିରୁଦ୍ଧରେ ଯାଇ ଛାଡ଼ପତ୍ର ନିଏ ଓ ଦ୍ୱିତୀୟ ବିବାହ କରେ, ତାହେଲେ ସେ ବ୍ୟଭିଚାର କରିବାର ଦୋଷୀ ହେବ ଆଉ ତାʼ ଉପରେ ନ୍ୟାୟିକ ସମିତି ଗଢ଼ାଯିବ । କାରଣ ବାଇବଲ ଏପରି କରିବା ପାଇଁ ଅନୁମତି ଦିଏ ନାହିଁ । (ଯଦି ତାର ଦ୍ୱିତୀୟ ସ୍ତ୍ରୀ ମଧ୍ୟ ଖ୍ରୀଷ୍ଟିୟାନ ଅଟେ, ତାହେଲେ ସେ ବି ଅନୈତିକ ଯୌନ ସମ୍ପର୍କ ରଖିବାର ଦୋଷୀ ହେବ ଓ ତାʼ ଉପରେ ମଧ୍ୟ ନ୍ୟାୟିକ ସମିତି ଗଢ଼ାଯିବ ।) ଏହା ସତ ଯେ ସେ ବ୍ୟକ୍ତିର ଦ୍ୱିତୀୟ ବିବାହ ବନ୍ଧନ ମାନ୍ୟତା ପାଇବ, ତଥାପି ତାଙ୍କୁ ମଣ୍ଡଳୀରେ ଅନେକ ବର୍ଷ ଯାଏ କୌଣସି ଦାୟିତ୍ୱ ଦିଆଯିବ ନାହିଁ । ଆଉ ଯଦି ଅନେକ ବର୍ଷ ପରେ ତାଙ୍କୁ କୌଣସି ଦାୟିତ୍ୱ ଦିଆଯାଏ, ତାହେଲେ ପ୍ରାଚୀନମାନେ ପ୍ରଥମେ ଏହା ଭାବିବେ, ‘କʼଣ ମଣ୍ଡଳୀର ଭାଇଭଉଣୀ ଓ ଅନ୍ୟ ଲୋକମାନେ ତାଙ୍କ ଭୁଲକୁ ନେଇ ଏବେ ବି ଚିନ୍ତିତ ଅଛନ୍ତି ? କʼଣ ସେମାନେ ତାର ଆଦର କରନ୍ତି ?’ ପ୍ରାଚୀନମାନେ ପ୍ରଥମ ସ୍ତ୍ରୀର ଭାବନା ଓ ପରିସ୍ଥିତିକୁ ମଧ୍ୟ ଧ୍ୟାନରେ ରଖିବେ, ଯାହା ସହିତ ହୁଏତ ସେ ବ୍ୟକ୍ତି ଷଡ଼ଯନ୍ତ୍ର କରି ବିଶ୍ୱାସଘାତ କରିଥିଲା । (ମଲାଖି ୨:୧୪-୧୬) ଆଉ ଯଦି ସେମାନଙ୍କର କୌଣସି ନାବାଳକ ପିଲା ଅଛି, ଯାହାକୁ ସେ ପୂର୍ବରୁ ଛାଡ଼ି ଦେଇଥିଲା, ତାହେଲେ ପ୍ରାଚୀନମାନେ ତାʼ ବିଷୟରେ ମଧ୍ୟ ଭାବିବେ ।
ଯଦି କେହି ବାଇବଲ ସିଦ୍ଧାନ୍ତର ବିରୁଦ୍ଧରେ ଯାଇ ଛାଡ଼ପତ୍ର ନିଏ ଓ ଦ୍ୱିତୀୟ ବିବାହ କରେ, ତାହେଲେ ଏହାର ଅନେକ ଖରାପ ପରିଣାମ ହୁଏ । ତେଣୁ ଖ୍ରୀଷ୍ଟିୟାନମାନଙ୍କୁ ଧ୍ୟାନ ରଖିବା ଉଚିତ୍ ଯେ ସେମାନେ ଯିହୋବାଙ୍କ ଭଳି ବିବାହ ବନ୍ଧନକୁ ପବିତ୍ର ମନେ କରନ୍ତୁ ।—ଉପ. ୫:୪, ୫; ଏବ୍ରୀ ୧୩ :୪.
a ଅବଶ୍ୟ ଏହି ଲେଖାରେ ଦିଆଯାଇଥିବା ଉଦାହରଣଗୁଡ଼ିକରେ ସ୍ୱାମୀକୁ ଦୋଷୀ ଓ ସ୍ତ୍ରୀକୁ ନିର୍ଦ୍ଦୋଷ ବୋଲି କୁହାଯାଇଛି କିନ୍ତୁ ମାର୍କ ୧୦:୧୧, ୧୨ ପଦରେ ଦିଆଯାଇଥିବା ଯୀଶୁଙ୍କ ପରାମର୍ଶରୁ ଜଣାପଡ଼େ ଯେ ଏହି ଲେଖାରେ ଦିଆଯାଇଥିବା କଥାଗୁଡ଼ିକ ସ୍ୱାମୀ ଓ ସ୍ତ୍ରୀ ଦୁଇ ଜଣଙ୍କ ଉପରେ ଲାଗୁ ହୁଏ ।
b ଆଗରୁ ଆମେ ମାନୁଥିଲୁ ଯେ ଯେବେ ଯାଏ ନିର୍ଦ୍ଦୋଷ ସ୍ତ୍ରୀ ବଞ୍ଚିଛି ଓ ସେ ଦ୍ୱିତୀୟ ବିବାହ କରି ନାହିଁ କିମ୍ବା କାହାରି ସହ ଅନୈତିକ ଯୌନ ସମ୍ପର୍କ ରଖି ନାହିଁ, ତେବେ ଯାଏ ସ୍ୱାମୀର ଦ୍ୱିତୀୟ ବିବାହକୁ ବ୍ୟଭିଚାରୀ ବିବାହ ବୋଲି ଧରାଯିବ । କିନ୍ତୁ ଏବିଷୟରେ ଆମେ ଆଗରୁ ଯାହା ମାନୁଥିଲୁ ତାହା ଏବେ ବଦଳିଯାଇଛି ।