ଜୀବନ କାହାଣୀ
ମୁଁ ଯିହୋବା ଦେଖାଇଥିବା ରାସ୍ତାରେ ଚାଲିଲି
ଯେବେ ମୁଁ ଯୁବା ଥିଲି, ତେବେ ମୁଁ ଭାବି ନେଇଥିଲି ଯେ ମୁଁ ଦୁନିଆରେ କ୍ୟାରିଅର କରିବି ଓ ମୋତେ ନିଜ କାମ ମଧ୍ୟ ପସନ୍ଦ ଥିଲା । କିନ୍ତୁ ପରେ ଯିହୋବା ମୋତେ ଅନ୍ୟ ଗୋଟିଏ ରାସ୍ତା ଦେଖାଇଲେ । ସେ ମୋତେ କହିଲେ, “ମୁଁ ତୁମ୍ଭକୁ ଉପଦେଶ ଦେବି ଓ ତୁମ୍ଭର ଗନ୍ତବ୍ୟ ମାର୍ଗ ଶିଖାଇବି ।” (ଗୀତ. ୩୨:୮) ଯେବେ ମୁଁ ସେହି ରାସ୍ତାରେ ଚାଲିବା ଆରମ୍ଭ କଲି, ତେବେ ମୁଁ ଅଲଗା ଅଲଗା ଉପାୟରେ ଯିହୋବାଙ୍କ ସେବା କରିପାରିଲି । ମୁଁ ୫୨ ବର୍ଷ ଯାଏ ଆଫ୍ରିକାରେ ବି ସେବା କଲି । ଯିହୋବାଙ୍କ ସେବାକୁ ନିଜ କ୍ୟାରିଅର କରିଥିବାରୁ ମୋତେ ବହୁତ ଆଶିଷ ମିଳିଛି ।
ଇଂଲଣ୍ଡରୁ ଆଫ୍ରିକା ଯାଏ ଯାତ୍ରା
ମୋ ଜନ୍ମ ୧୯୩୫ ମସିହାରେ ଇଂଲଣ୍ଡର ଡାର୍ଲସଟନ ସହରରେ ହୋଇଥିଲା । ଏହି ସହର ଯେଉଁ ଅଞ୍ଚଳରେ ପଡ଼େ, ତାକୁ “କଳା ଦେଶ” କୁହାଯାଉଥିଲା, କାରଣ ସେଠାରେ ଏତେଗୁଡ଼ିଏ ଫେକ୍ଟ୍ରି ଥିଲା ଯେ ପବନରେ ସବୁବେଳେ କଳା ଧୂଆଁ ରହୁଥିଲା । ଯେବେ ମୁଁ ଚାରି ବର୍ଷର ଥିଲି, ତେବେ ମୋ ବାପାମାଆ ଯିହୋବାଙ୍କ ସାକ୍ଷୀମାନଙ୍କ ସହିତ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ । ଯେବେ ମୁଁ ୧୪-୧୫ ବର୍ଷର ହେଲି, ତେବେ ମୋତେ ବିଶ୍ୱାସ ହୋଇଗଲା ଯେ ଏହା ହିଁ ସତ୍ୟ ଅଟେ ଓ ୧୯୫୨ ମସିହାରେ ଯେବେ ମୁଁ ୧୬ ବର୍ଷ ବୟସର ହେଲି, ତେବେ ମୁଁ ବାପ୍ତିସ୍ମ ନେଲି ।
ସେସମୟରେ ମୁଁ ଗୋଟିଏ ବଡ଼ ଫେକ୍ଟ୍ରିରେ କାମ କରିବାକୁ ଲାଗିଲି, ଯେଉଁଠି ଉପକରଣ ଓ ଗାଡ଼ିଗୁଡ଼ିକର ପାର୍ଟସ୍ ତିଆରି କରାଯାଉଥିଲା । ମୁଁ ସେଠାର ଅଫିସ୍ରେ ଏକ ବଡ଼ ପୋଷ୍ଟ ସମ୍ଭାଳିବାର ଟ୍ରେନିଙ୍ଗ୍ ନେବାକୁ ଲାଗିଲି । ମୋତେ ସେ କାମରେ ବହୁତ ମଜା ଆସୁଥିଲା ।
ତାʼପରେ ଥରେ ଜଣେ ସର୍କିଟ ଅଧ୍ୟକ୍ଷ ମୋତେ ସପ୍ତାହ ମଝିରେ ହେଉଥିବା ସଭା ପାଇଁ ନିଜ ମଣ୍ଡଳୀ ୱିଲନ୍ହଲରେ ପୁସ୍ତକ ଅଧ୍ୟୟନ ଚଳାଇବା ପାଇଁ କହିଲେ । କିନ୍ତୁ ଗୋଟିଏ ସମସ୍ୟା ଥିଲା । ମୁଁ ସପ୍ତାହ ମଝିରେ ହେଉଥିବା ସଭା ପାଇଁ ୱିଲନ୍ହଲ ଯାଉ ନ ଥିଲି । ମୁଁ ନିଜ ଘରଠାରୁ ପ୍ରାୟ ୩୨ କିଲୋମିଟର (୨୦ ମାଇଲ) ଦୂରରେ ଥିବା ବ୍ରୋମସ୍ଗ୍ରଭରେ କାମ କରୁଥିଲି, ଆଉ ସପ୍ତାହ ମଝିରେ ହେଉଥିବା ସଭା ପାଇଁ ସେଠାକୁ ଯାଉଥିଲି । ସପ୍ତାହର ଶେଷରେ ହିଁ ମୁଁ ପୁଣି ଥରେ ୱିଲନ୍ହଲରେ ଥିବା ନିଜ ଘରକୁ ଫେରୁଥିଲି ଆଉ ମୁଁ ସେତେବେଳେ ସେଠାର ସଭାକୁ ଯାଉଥିଲି ।
ମୁଁ ଯିହୋବାଙ୍କ ସେବାରେ ଆହୁରି ଅଧିକ କରିବାକୁ ଚାହୁଁଥିଲି, ତେଣୁ ମୁଁ ସର୍କିଟ ଅଧ୍ୟକ୍ଷଙ୍କୁ ହଁ କହିଦେଲି । ତାʼପାଇଁ ମୋତେ ନିଜ ମନପସନ୍ଦର କାମ ଛାଡ଼ିବାକୁ ପଡ଼ିଲା । କିନ୍ତୁ ମୋତେ ତାʼର କିଛି ଅବଶୋଷ ନାହିଁ । ସେସମୟରେ ମୁଁ ଯିହୋବା ଦେଖାଇଥିବା ରାସ୍ତାରେ ଚାଲିବା ପାଇଁ ନିଷ୍ପତ୍ତି ନେଲି ଓ ଏଥିରୁ ମୋ ଜୀବନ ଖୁସିରେ ଭରିଗଲା ।
ଯେବେ ମୁଁ ବ୍ରୋମସ୍ଗ୍ରଭ ମଣ୍ଡଳୀରେ ଯାଉଥିଲି, ସେ ସମୟରେ ମୁଁ ଏନ୍ ନାମକ ଜଣେ ଭଉଣୀଙ୍କ ସହ ଦେଖା ହେଲି । ସେ ବହୁତ ସୁନ୍ଦର ଥିଲେ ଓ ଉତ୍ସାହର ସହ ଯିହୋବାଙ୍କ ସେବା କରୁଥିଲେ । ଆମେ ୧୯୫୭ ମସିହାରେ ବିବାହ କରିନେଲୁ । ଆମେ ଏକା ସହ ମିଶି ଅନେକ ଉପାୟରେ ଯିହୋବାଙ୍କ ସେବା କଲୁ । ଯେପରି, ଆମେ ସାଙ୍ଗରେ ମିଶି ଅଗ୍ରଦୂତ ସେବା କଲୁ, ବିଶେଷ ଅଗ୍ରଦୂତ ସେବା କଲୁ, ସର୍କିଟ କାମ କଲୁ ଓ ବୈଥେଲରେ ମଧ୍ୟ ସେବା କଲୁ । ଏନ୍ଙ୍କ ଯୋଗୁଁ ମୋ ଜୀବନ ଖୁସିରେ ଭରିଗଲା ।
୧୯୬୬ ମସିହାରେ ଯେବେ ଆମକୁ ଗିଲିୟଡର ୪୨ତମ କ୍ଲାସ୍ରେ ଡକାଗଲା, ତେବେ ଆମେ ବହୁତ ଖୁସି ହେଲୁ । ସ୍କୁଲ ଶେଷ ହେବା ପରେ ଆମକୁ ମାଲାବି ପଠାଗଲା । ଆମେ ଶୁଣିଥିଲୁ ସେଠାର ଲୋକମାନେ ବହୁତ ଭଲ ଅଟନ୍ତି ଓ ସେମାନେ ବହୁତ ଭଲଭାବେ ଅତିଥିସତ୍କାର କରନ୍ତି । କିନ୍ତୁ ଆମକୁ ଜଣା ନ ଥିଲା ଯେ ଖୁବ୍ ଶୀଘ୍ର ଆମକୁ ସେହି ଦେଶ ଛାଡ଼ିବାକୁ ପଡ଼ିବ ।
ମାଲାବିରେ ଆସିଲା ସମସ୍ୟା
ମାଲାବିରେ ଯିବା ଆସିବା କରିବା ପାଇଁ ଆମେ ଏହି ଜିପ୍ ବ୍ୟବହାର କରୁଥିଲୁ
ଏକ ଫେବୃୟାରୀ, ୧୯୬୭ରେ ଆମେ ମାଲାବି ପହଞ୍ଚିଲୁ । ଆରମ୍ଭର ଗୋଟିଏ ମାସ ତ ଭାଷା ଶିଖିବାରେ ହିଁ ଚାଲିଗଲା । ତାʼପରେ ମୁଁ ଜିଲ୍ଲା ଅଧ୍ୟକ୍ଷ ଭାବେ ସେବା କରିବା ଆରମ୍ଭ କଲି । ଆମ ପାଖରେ ଯିବା ଆସିବା ପାଇଁ ଗୋଟିଏ ବଡ଼ ଜିପ୍ ଥିଲା । ଲୋକମାନେ କହୁଥିଲେ ଯେ ଆପଣଙ୍କ ଜିପ୍ ତ ଯେକୌଣସି ଜାଗାକୁ ବି ଯାଇପାରିବ, ନଦୀଗୁଡ଼ିକ ମଧ୍ୟ ପାର କରିପାରିବ । ଏପରି ତ ହୋଇପାରନ୍ତାନି, କିନ୍ତୁ ଆମେ ଟିକେ ଟିକେ ପାଣି ଥିବା ଜାଗାରେ ଏହାକୁ ପାର କରିଦେଉଥିଲୁ । ବେଳେ ବେଳେ ଆମକୁ ଝୁମ୍ପୁଡ଼ିରେ ରହିବାକୁ ପଡ଼ୁଥିଲା ଓ ବର୍ଷା ସମୟରେ ପାଣିରୁ ରକ୍ଷା ପାଇବା ପାଇଁ ଛାତରେ ପ୍ଲାଷ୍ଟିକ୍ର କପଡ଼ା ଦେବାକୁ ପଡ଼ୁଥିଲା । ଏପରି ଭାବେ ଆମ ମିଶନାରୀ ସେବା ବହୁତ ମଜାଦାର ଭାବେ ଆରମ୍ଭ ହେଲା ।
ପ୍ରାୟ ଦୁଇମାସ ପରେ ଏପ୍ରିଲ୍ରେ ପରିସ୍ଥିତି ବଦଳିବାକୁ ଲାଗିଲା । ଆମକୁ ଲାଗିଲା ଯେ ସରକାର ଆଡ଼ୁ ଯିହୋବାଙ୍କ ସାକ୍ଷୀମାନଙ୍କ ଉପରେ କିଛି ସମସ୍ୟା ଆସିବ । ମୁଁ ରେଡିଓରେ ମାଲାବିର ରାଷ୍ଟ୍ରପତି ଡକ୍ଟର ହେଷ୍ଟିଙ୍ଗସ୍ ବାନ୍ଦାଙ୍କର ଭାଷଣ ଶୁଣିଲି ଯେଉଁଥିରେ ସାକ୍ଷୀମାନଙ୍କ ବିଷୟରେ ଅନେକ ମିଛ କଥା କହିଲେ । ସେ କହିଲେ ଯେ ଯିହୋବାଙ୍କ ସାକ୍ଷୀମାନେ ଟ୍ୟାକ୍ସ ଦିଅନ୍ତି ନାହିଁ ଓ ରାଜନୈତିକ ମାମଲାଗୁଡ଼ିକରେ ମଧ୍ୟ ଦଖଲ ଦିଅନ୍ତି । ଏସବୁ କଥା ସତ ନ ଥିଲା । ପ୍ରକୃତରେ ସେ ଆମକୁ ରାଗୁଥିଲେ, କାରଣ ଆମେ ରାଜନୈତିକ ମାମଲାରେ ଭାଗ ନେବା ପାଇଁ ମନା କରିଦେଇଥିଲୁ ଓ ଆମେ ତାଙ୍କ ପାର୍ଟିର କାର୍ଡ଼ ମଧ୍ୟ କିଣୁ ନ ଥିଲୁ ।
ସେପ୍ଟେମ୍ବର ମାସରେ ଆମେ ଖବରକାଗଜରେ ପଢ଼ିଲୁ ଯେ ରାଷ୍ଟ୍ରପତି ଯିହୋବାଙ୍କ ସାକ୍ଷୀମାନଙ୍କ ଉପରେ ଦୋଷ ଲଗାଇଛନ୍ତି ଯେ ସେମାନେ ସାରା ଦେଶରେ ସମସ୍ୟା ଆଣୁଛନ୍ତି । ସେ ଏକ ରାଜନୈତିକ ସମ୍ମିଳନୀରେ ଘୋଷଣା କଲେ ଯେ ସରକାର ଖୁବ୍ ଶୀଘ୍ର ଯିହୋବାଙ୍କ ସାକ୍ଷୀମାନଙ୍କର କାମ ଉପରେ କଟକଣା ଲଗାଇବ । ତାʼପରେ ୨୦ ଅକ୍ଟୋବର, ୧୯୬୭ରେ ସେ ଆମ କାମ ଉପରେ କଟକଣା ଜାରି କରିଦେଲେ । କିଛି ସମୟ ପରେ ହିଁ ପୋଲିସମାନେ ଓ କିଛି ଅଫିସର ଶାଖା କାର୍ଯ୍ୟାଳୟକୁ ବନ୍ଦ କରାଇବା ପାଇଁ ଓ ମିଶନାରୀ ଭାଇଭଉଣୀମାନଙ୍କୁ ଦେଶରୁ ବାହାର କରିବା ପାଇଁ ସେଠାକୁ ପହଞ୍ଚିଗଲେ ।
୧୯୬୭ ମସିହାରେ ଆମକୁ ଓ ଆମ ସହ ମିଶନାରୀ ସେବା କରୁଥିବା ଭାଇ ଜ୍ୟାକ୍ ଜୋହାନସନ ଓ ତାଙ୍କ ପତ୍ନୀ ଲିଣ୍ଡାଙ୍କୁ ଗିରଫ କରାଗଲା ଓ ମାଲାବିରୁ ବାହାର କରିଦିଆଗଲା
ଆମକୁ ତିନି ଦିନ ଯାଏ ଜେଲରେ ରଖାଗଲା । ତାʼପରେ ଆମକୁ ମରିସସ୍ ପଠାଇ ଦିଆଗଲା ଯେଉଁଠି ସେସମୟରେ ବ୍ରିଟେନ୍ର ଶାସନ ଚାଲୁଥିଲା । କିନ୍ତୁ ସେଠାର ଅଧିକାରୀମାନେ ଆମକୁ କହିଲେ ଯେ ଆମେ ସେଠାରେ ମିଶନାରୀ ଭାବେ ସେବା କରିପାରିବା ନାହିଁ । ତାʼପରେ ସଂଗଠନ ଆମକୁ ଜିମ୍ବାୱେ ଯିବା ପାଇଁ କହିଲା ଯାହାକୁ ସେସମୟରେ ରୋଡ଼େଶିଆ କୁହାଯାଉଥିଲା । ଯେବେ ଆମେ ସେଠାରେ ପହଞ୍ଚିଲୁ, ତେବେ ଜଣେ କଠୋର ଅଫିସର ଆମକୁ ଦେଶରେ ପଶିବାକୁ ଦେଲେନି । ସେ କହିଲେ, “ମାଲାବିରୁ ତ ତମକୁ ବାହାର କରିଦିଆଗଲା ଓ ମରିସସ୍ରେ ବି ତମକୁ ରହିବାକୁ ଦିଆଗଲାନି, ତେଣୁ ଏବେ ଏଠାକୁ ଆସିଯାଇଛ ?” ଏହା ଶୁଣି ଏନ୍ କାନ୍ଦି ପକାଇଲେ । ଆମକୁ ଲାଗିଲା ଯେ ଆମେ ଏପାରିର ହେଲୁ ନା ସେପାରିର । ଥରେ ତ ମୋତେ ଏପରି ଲାଗିଲା ଯେ ସବୁକିଛି ଛାଡ଼ି ଇଂଲଣ୍ଡ ପଳାଇଗଲେ ଭଲ ହୁଅନ୍ତା । କିନ୍ତୁ ପରେ ଅଧିକାରୀମାନେ ମାନିଗଲେ ଓ ଆମକୁ ଗୋଟିଏ ରାତି ପାଇଁ ଶାଖା କାର୍ଯ୍ୟାଳୟରେ ରହିବା ପାଇଁ ଅନୁମତି ଦେଇଦେଲେ । କିନ୍ତୁ ସେମାନେ କହିଲେ ଯେ ପରଦିନ ଆମକୁ ତାଙ୍କ କାର୍ଯ୍ୟାଳୟ ଆସିବାକୁ ପଡ଼ିବ । ଆମେ ବହୁତ ଥକିଯାଇଥିଲୁ, କିନ୍ତୁ ଆମକୁ ଭରସା ଥିଲା ଯେ ଯିହୋବା ଆମକୁ ସମ୍ଭାଳିବେ । ତେଣୁ ଆମେ ସବୁକିଛି ତାଙ୍କ ହାତରେ ଛାଡ଼ିଦେଲୁ । ପରଦିନ ଦ୍ୱିପହରରେ ଚମତ୍କାର ହୋଇଗଲା ! ଅଫିସରମାନେ କହିଲେ ଯେ ଆମେ ଜିମ୍ବାୱେରେ ରହିପାରିବା । ସେହି ଦିନକୁ ମୁଁ କେବେ ଭୁଲି ପାରିବିନି ! ମୋତେ ପୂରା ଭରସା ହୋଇଗଲା ଯେ ଯିହୋବା ଆମକୁ ରାସ୍ତା ଦେଖାଉଛନ୍ତି ।
ଜିମ୍ବାୱେରୁ ମାଲାବିର ଦେଖାରେଖା
୧୯୬୮ରେ ଏନ୍ଙ୍କ ସହ ଜିମ୍ବାୱେ ବୈଥେଲରେ
ଜିମ୍ବାୱେ ଶାଖା କାର୍ଯ୍ୟାଳୟରେ ମୋତେ ସେବା ବିଭାଗରେ କାମ କରିବା ପାଇଁ କୁହାଗଲା । ମୁଁ ସେଠାରେ ମାଲାବି ଓ ମୋଜାମ୍ବିକରେ ହେଉଥିବା କାମର ଦେଖାରେଖା କରୁଥିଲି । ସେସମୟରେ ମାଲାବିରେ ଭାଇମାନଙ୍କ ଉପରେ ବହୁତ ଅତ୍ୟାଚାର କରାଯାଉଥିଲା । ସେଠାର ସର୍କିଟ ଅଧ୍ୟକ୍ଷମାନେ ଯେଉଁ ରିପୋର୍ଟ ପଠାଉଥିଲେ, ମୁଁ ତାʼର ଅନୁବାଦ ମଧ୍ୟ କରୁଥିଲି । ଥରେ ମୁଁ ବହୁତ ରାତି ଯାଏ କାମ କରୁଥିଲି ଆଉ ଏପରି ହିଁ ଗୋଟିଏ ରିପୋର୍ଟ ତିଆରି କରୁଥିଲି । ଯେବେ ମୁଁ ପଢ଼ିଲି ଯେ ମାଲାବିରେ ଭାଇଭଉଣୀମାନଙ୍କୁ କେତେ ଅତ୍ୟାଚାର ସହିବାକୁ ପଡ଼ୁଛି, ତେବେ ମୋ ଆଖିରୁ ଲୁହ ଆସିଗଲା ।a କିନ୍ତୁ ଏସବୁ ସତ୍ତ୍ୱେ ସେମାନଙ୍କୁ ଯିହୋବାଙ୍କ ଉପରେ ପୂରା ବିଶ୍ୱାସ ଥିଲା ଓ ସେମାନେ ତାଙ୍କ ବିଶ୍ୱସ୍ତ ରହିବା ଜାରି ରଖିଲେ । ଏକଥା ମୋ ହୃଦୟକୁ ଛୁଇଁଗଲା ।—୨ କରି. ୬:୪, ୫.
ଏହି ଅତ୍ୟାଚାରଗୁଡ଼ିକରୁ ରକ୍ଷା ପାଇବା ପାଇଁ କିଛି ଭାଇଭଉଣୀମାନେ ମୋଜାମ୍ବିକ ପଳାଇଗଲେ । କିନ୍ତୁ ଆମର ଚେଷ୍ଟା ଥିଲା ଯେ ସେମାନଙ୍କ ଯାଏ ଓ ମାଲାବିରେ ରହୁଥିବା ଭାଇଭଉଣୀଙ୍କ ଯାଏ ପ୍ରକାଶନ ପହଞ୍ଚିବା ଜାରି ରହୁ । ମାଲାବିରେ ଚିଚେୱା ଭାଷା ସବୁଠୁ ବେଶି କୁହାଯାଏ । ତେଣୁ ସେହି ଭାଷାର ଅନୁବାଦ କାମ ଜାରି ରଖିବା ପାଇଁ ଚିଚେୱା ଭାଷାର ଅନୁବାଦକମାନଙ୍କୁ ଜିମ୍ବାୱେ ଡକାଗଲା । ଜିମ୍ବାୱେରେ ଜଣେ ଭାଇଙ୍କ ପାଖରେ ଗୋଟିଏ ବଡ଼ କ୍ଷେତ ଥିଲା । ସେଠାରେ ସେ ଅନୁବାଦ ଟିମ୍ ପାଇଁ ଅଫିସ ଓ ଘର ତିଆରି କରିଦେଲେ । ଏପରି ଭାବେ ଚିଚେୱା ଭାଷାର ପ୍ରକାଶନଗୁଡ଼ିକର ଅନୁବାଦ ହେବା ଜାରି ରହିପାରିଲା ।
ଆମେ ପ୍ରତିବର୍ଷ ମାଲାବିର ସର୍କିଟ ଅଧ୍ୟକ୍ଷମାନଙ୍କୁ ଜିମ୍ବାୱେ ଆସିବା ପାଇଁ ଓ ଚିଚେୱା ଭାଷାର ଅଧିବେଶନରେ ଉପସ୍ଥିତ ହେବା ପାଇଁ ବ୍ୟବସ୍ଥା କରୁଥିଲୁ । ସେଠାରେ ସେମାନଙ୍କୁ ଅଧିବେଶନର ଭାଷଣଗୁଡ଼ିକର ଆଉଟଲାଇନ୍ ଦିଆଯାଉଥିଲା ଯାହାଫଳରେ ସେମାନେ ମାଲାବି ଫେରି ଭାଇଭଉଣୀମାନଙ୍କୁ ଅଧିବେଶନରେ ଶିଖିଥିବା କଥାଗୁଡ଼ିକ କହିପାରୁଥିଲେ । ଥରେ ଯେବେ ସର୍କିଟ ଅଧ୍ୟକ୍ଷମାନେ ଅଧିବେଶନ ପାଇଁ ଜିମ୍ବାୱେ ଆସିଥିଲେ, ତେବେ ଆମେ ସେମାନଙ୍କର ସାହସ ବଢ଼ାଇବା ପାଇଁ ରାଜ୍ୟସେବା ସ୍କୁଲର ବ୍ୟବସ୍ଥା ମଧ୍ୟ କଲୁ ।
ଜିମ୍ବାୱେରେ ଚିଚେୱା ଓ ଶୋନା ଭାଷାର ଅଧିବେଶନରେ ଚିଚେୱାରେ ଭାଷଣ ଦେଉଥିବା ସମୟ
ଫେବୃୟାରୀ ୧୯୭୫ରେ ମୁଁ ମୋଜାମ୍ବିକରେ ସେହି ଭାଇଭଉଣୀମାନଙ୍କୁ ଭେଟିବା ପାଇଁ ଗଲି ଯେଉଁମାନେ ମାଲାବିରୁ ପଳାଇ ସେଠାରେ ରହୁଥିଲେ । ସେମାନେ ସଂଗଠନରୁ ମିଳୁଥିବା ସବୁ ନିର୍ଦ୍ଦେଶଗୁଡ଼ିକ ପାଳନ କରୁଥିଲେ । ଆଉ କିଛି ସମୟ ପୂର୍ବେ ପ୍ରାଚୀନମାନଙ୍କ ସମୂହ ତିଆରି କରିବା ବିଷୟରେ ଯେଉଁ ପରାମର୍ଶ ଦିଆଯାଇଥିଲା, ସେମାନେ ତାହା ମଧ୍ୟ ମାନୁଥିଲେ । ଅନେକ ପ୍ରାଚୀନ ନୂଆ ନୂଆ ନିଯୁକ୍ତ ହୋଇଥିଲେ ଓ ସେମାନେ ଭାଇଭଉଣୀଙ୍କ ପାଇଁ ବହୁତ ବ୍ୟବସ୍ଥା କରିଥିଲେ । ଯେପରି ସେମାନେ ଜନଭାଷଣ ଦେଉଥିଲେ, ଭାଇଭଉଣୀମାନଙ୍କ ସହ ଦୈନିକ ପାଠ ଓ ପ୍ରହରୀଦୁର୍ଗ ଉପରେ ଆଲୋଚନା କରୁଥିଲେ, ଏପରିକି ସମ୍ମିଳନୀ ମଧ୍ୟ ରଖୁଥିଲେ । ସେହି ଭାଇଭଉଣୀମାନଙ୍କ ପାଖରେ ପକ୍କା ଘର ତ ନ ଥିଲା, କିନ୍ତୁ ସେମାନେ ବହୁତ ବ୍ୟବସ୍ଥିତ ଭାବରେ ରହୁଥିଲେ । ଠିକ୍ ଯେପରି ଅଧିବେଶନଗୁଡ଼ିକରେ ସଫାସୁତୁରା କରିବା ପାଇଁ, ଖାଇବା ଜିନିଷ ବାଣ୍ଟିବା ପାଇଁ ଓ ସୁରକ୍ଷା ପାଇଁ ଅଲଗା ଅଲଗା ବିଭାଗ ଥାଏ, ସେମାନେ ମଧ୍ୟ ଏପରି ହିଁ କିଛି ବ୍ୟବସ୍ଥା କରିଥିଲେ । ମୁଁ ସ୍ପଷ୍ଟ ଦେଖିପାରୁଥିଲି ଯେ ଯିହୋବା ଏହି ବିଶ୍ୱସ୍ତ ଭାଇଭଉଣୀମାନଙ୍କୁ କେତେ ଆଶିଷ ଦେଉଛନ୍ତି । ମୁଁ କହିପାରିବିନି ଯେ ସେମାନଙ୍କୁ ଭେଟି ମୋର କେତେ ଉତ୍ସାହ ବଢ଼ିଲା !
୧୯୮୦ ମସିହା ଆସୁ ଆସୁ, ଜାମ୍ବିଆର ଶାଖା କାର୍ଯ୍ୟାଳୟ ମାଲାବିରେ ହେଉଥିବା କାମଗୁଡ଼ିକର ଦେଖାରେଖା କରିବାକୁ ଲାଗିଲା । କିନ୍ତୁ ସେତେବେଳେ ବି ଅନେକ ସମୟରେ ମୁଁ ମାଲାବିର ଭାଇଭଉଣୀମାନଙ୍କୁ ମନେ ପକାଉଥିଲି ଓ ସେମାନଙ୍କ ପାଇଁ ପ୍ରାର୍ଥନା କରୁଥିଲି । ଅନେକ ଭାଇଭଉଣୀମାନେ ମଧ୍ୟ ଏପରି ହିଁ କରୁଥିଲେ । ସେସମୟ ଯାଏ ମୁଁ ଜିମ୍ବାୱେର ଶାଖା ସମିତିର ସଦସ୍ୟ ହୋଇଯାଇଥିଲି । ତେଣୁ ଅନେକ ଥର ଯେବେ ବିଶ୍ୱ ମୁଖ୍ୟାଳୟର ପ୍ରତିନିଧିମାନେ ଭେଟିବା ପାଇଁ ଆସୁଥିଲେ, ସେସମୟରେ ମାଲାବି, ଦକ୍ଷିଣ ଆଫ୍ରିକା ଓ ଜାମ୍ବିଆରେ ଦାୟିତ୍ୱ ତୁଲାଉଥିବା ଭାଇମାନଙ୍କ ସହ ମୋର ସାକ୍ଷାତ ହେଉଥିଲା । ପ୍ରତ୍ୟେକ ଥର ଆମେ ଏବିଷୟରେ ନିଶ୍ଚୟ ଆଲୋଚନା କରୁଥିଲୁ ଯେ ମାଲାବିରେ ଥିବା ଭାଇଭଉଣୀମାନଙ୍କ ପାଇଁ ଆଉ କʼଣ କରାଯାଇପାରେ ।
କିଛି ସମୟ ଗଲାପରେ ମାଲାବିର ଭାଇଭଉଣୀମାନଙ୍କ ଉପରେ ଯେଉଁ ଅତ୍ୟାଚାର ହେଉଥିଲା, ତାହା କମ୍ ହେବାକୁ ଲାଗିଲା ଓ ଯେଉଁ ଭାଇଭଉଣୀମାନେ ସେଠାରୁ ପଳାଇ ଯାଇଥିଲେ, ସେମାନେ ପୁଣି ଫେରିବାକୁ ଲାଗିଲେ । ଆଖପାଖର ଅନେକ ଦେଶ ସାକ୍ଷୀମାନଙ୍କୁ ଆଇନ ମାନ୍ୟତା ଦେଇଦେଲେ ଓ ଆମ କାମରେ ଲଗାଇଥିବା କଟକଣା ହଟାଇଦେଲେ । ୧୯୯୧ ମସିହାରେ ଆମକୁ ମୋଜାମ୍ବିକରେ ମଧ୍ୟ ଉପାସନା କରିବା ପାଇଁ ସ୍ୱାଧୀନତା ମିଳିଗଲା । କିନ୍ତୁ ଆମେ ସବୁବେଳେ ଏହା ଭାବୁଥିଲୁ ଯେ ମାଲାବିରେ ଲଗାଯାଇଥିବା କଟକଣା କେବେ ହଟାଯିବ ।
ପୁଣିଥରେ ମାଲାବିରେ
କିଛି ସମୟ ପରେ ମାଲାବିରେ ମଧ୍ୟ ପରିସ୍ଥିତି ବଦଳିଗଲା ଓ ୧୯୯୩ରେ ସରକାର ଯିହୋବାଙ୍କ ସାକ୍ଷୀମାନଙ୍କର କାମ ଉପରେ ଲଗାଇଥିବା କଟକଣାଗୁଡ଼ିକୁ ହଟାଇଦେଲା । ଦିନେ ମୁଁ ଜଣେ ମିଶନାରୀ ଭାଇ ସହ କଥା ହେଉଥିଲି ଆଉ ସେ ଭାଇ ମୋତେ ପଚାରିଲେ, “ତ କʼଣ ଏବେ ତମେ ମାଲାବି ପୁଣି ଫେରିଯିବ ?” ସେସମୟରେ ମୁଁ ୫୯ ବର୍ଷର ଥିଲି । ମୁଁ କହିଲି, “ଏବେ ଆଉ ଯାଇ ହେବନି, ମୋର ବହୁତ ବୟସ ହୋଇଗଲାଣି ।” କିନ୍ତୁ ସେହିଦିନ ମୋତେ ପ୍ରଶାସନ ଦଳରୁ ଗୋଟିଏ ଫ୍ୟାକ୍ସ ମିଳିଲା ଯେଉଁଥିରେ ସେମାନେ କହିଥିଲେ ଯେ ଆମେ ମାଲାବି ପୁଣି ଯାଇପାରିବା ।
ଜିମ୍ବାୱେ ଛାଡ଼ି ଯିବା ଆମ ପାଇଁ ଏତେ ସହଜ ନ ଥିଲା । ଆମେ ସେଠାରେ ଅନେକ ବର୍ଷରୁ ସେବା କରୁଥିଲୁ ଆଉ ସେଠାରେ ଆମର ଅନେକ ସାଙ୍ଗ ମଧ୍ୟ ଥିଲେ । ଆମେ ସେଠାରେ ବହୁତ ଖୁସି ଥିଲୁ । ଆଉ ପ୍ରଶାସନ ଦଳ ମଧ୍ୟ କହିଥିଲେ ଯେ ଆମେ ଚାହିଁଲେ ଜିମ୍ବାୱେରେ ହିଁ ରହି ସେବା କରିପାରିବା । ତେଣୁ ଆମେ ଚାହିଁଥିଲେ ସେଠାରେ ହିଁ ରହିପାରିଥାʼନ୍ତୁ । କିନ୍ତୁ ଆମେ ନିଜେ ନିଜ ପାଇଁ ରାସ୍ତା ବାଛିଲୁ ନାହିଁ । ଆମେ ଭାବିଲୁ ଯେ ଅବ୍ରହାମ ଓ ସାରା ବି ତ ଯିହୋବାଙ୍କର ଶୁଣିଥିଲେ ଓ ବୃଦ୍ଧ ସମୟରେ ନିଜ ଘର ଛାଡ଼ି ଦେଇଥିଲେ ।—ଆଦି. ୧୨:୧-୫.
ଆମେ ଯିହୋବାଙ୍କ ସଂଗଠନର ନିର୍ଦ୍ଦେଶ ମାନିଲୁ ଓ ୧ ଫେବୃଆରୀ ୧୯୯୫ରେ ମାଲାବି ପହଞ୍ଚିଗଲୁ । ଅଠେଇଶ ବର୍ଷ ପୂର୍ବେ ଆମେ ଠିକ୍ ଏହି ଦିନରେ ହିଁ ମାଲାବିରେ ପ୍ରଥମ ଥର ଆସିଥିଲୁ । ସେଠାରେ ଏକ ଶାଖା ସମିତି ତିଆରି କରାଗଲା ଯେଉଁଥିରେ ମୁଁ ଓ ଆଉ ଦୁଇଜଣ ଭାଇ ଥିଲେ । ଖୁବ୍ ଶୀଘ୍ର ହିଁ ଆମେ ଯିହୋବାଙ୍କ ଉପାସନା ସହ ଜଡ଼ିତ କାମଗୁଡ଼ିକୁ ପୁଣିଥରେ ଆରମ୍ଭ କରିବାରେ ଲାଗିପଡ଼ିଲୁ ।
ଯିହୋବାଙ୍କ ଆଶିଷରୁ ହେଲା ଉନ୍ନତି
ଯିହୋବାଙ୍କ ଆଶିଷରୁ ମାଲାବିରେ ପ୍ରଚାରକଙ୍କ ସଂଖ୍ୟା ଖୁବ୍ ଶୀଘ୍ର ବଢ଼ିବାକୁ ଲାଗିଲା । ୧୯୯୩ ମସିହାରେ ସେଠାରେ ୩୦,୦୦୦ ଜଣ ପ୍ରଚାରକ ଥିଲେ, କିନ୍ତୁ ୧୯୯୮ରେ ସେମାନେ ୪୨,୦୦୦ ହୋଇଗଲେ ।b ଏହି ବୃଦ୍ଧିକୁ ଦେଖି ପ୍ରଶାସନ ଦଳ ଗୋଟିଏ ନୂଆ ଶାଖା କାର୍ଯ୍ୟାଳୟ ତିଆରି କରିବା ପାଇଁ ମଞ୍ଜୁରି ଦେଇ ଦେଲେ । ଆମେ ଲିଲୋଙ୍ଗୱେ ସହରରେ ୩୦ ଏକରର (୧୨ ହେକ୍ଟର) ଗୋଟିଏ ଜମି କିଣିଲୁ । ଆଉ ମୋତେ ନିର୍ମାଣ ସମିତି ସହ କାମ କରିବା ପାଇଁ କୁହାଗଲା ।
କିଛି ସମୟ ପରେ ନୂଆ ଶାଖା କାର୍ଯ୍ୟାଳୟ ତିଆରି ହୋଇଗଲା ଓ ମେ ୨୦୦୧ରେ ପ୍ରଶାସନ ଦଳର ଭାଇ ଗାଇ ପିୟର୍ସ ସମର୍ପଣ ଭାଷଣ ଦେବାକୁ ଆସିଲେ । ସେ ସମୟରେ ୨୦୦୦ରୁ ବି ଅଧିକ ଭାଇଭଉଣୀମାନେ ଉପସ୍ଥିତ ଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଭାଇଭଉଣୀ ୪୦ରୁ ବି ଅଧିକ ବର୍ଷ ଧରି ଯିହୋବାଙ୍କ ସେବା କରୁଥିଲେ । ଏହି ଭାଇଭଉଣୀମାନେ ଅନେକ ବର୍ଷ ଯାଏ କଟକଣା ଥିବା ଯୋଗୁଁ ଅତ୍ୟାଚାର ସହିଥିଲେ । ଏହା ସତ ଯେ ସେମାନଙ୍କ ପାଖରେ ବହୁତ କମ୍ ପଇସା ଥିଲା, କିନ୍ତୁ ସେମାନଙ୍କୁ ଆଶିଷର କୌଣସି ଅଭାବ ନ ଥିଲା ! ଯିହୋବାଙ୍କ ସହିତ ସେମାନଙ୍କର ବହୁତ ମଜବୁତ୍ ସମ୍ପର୍କ ଥିଲା । ନୂଆ ବୈଥେଲକୁ ବୁଲି ସେମାନେ ବହୁତ ଖୁସି ହେଉଥିଲେ ! ସେମାନେ ସମସ୍ତେ ଆଫ୍ରିକୀୟ ଶୈଳୀରେ ରାଜ୍ୟ ଗୀତ ଗାଉଥିଲେ ଓ ବୈଥେଲର ଚାରିଆଡ଼େ ଏହି ଗୀତ ଶୁଣାଯାଉଥିଲା । ମୁଁ ଆଜି ଯାଏ ଏପରି ଦୃଶ୍ୟ ଦେଖିନି । ସତରେ, ଯେଉଁମାନେ ସମସ୍ୟାରେ ମଧ୍ୟ ଯିହୋବାଙ୍କର ବିଶ୍ୱସ୍ତ ରହନ୍ତି, ସେମାନଙ୍କୁ ସେ ଅନେକ ଆଶିଷ ଦିଅନ୍ତି ।
ମାଲାବିରେ ଶାଖା କାର୍ଯ୍ୟାଳୟର ନିର୍ମାଣ ଛଡ଼ା ଅନେକ ରାଜ୍ୟ ଘରର ନିର୍ମାଣ ମଧ୍ୟ କରାଗଲା । ଆଉ ମୋତେ ଅନେକ ରାଜ୍ୟ ଘରର ସମର୍ପଣ ଭାଷଣ ଦେବା ପାଇଁ ସୁଯୋଗ ମିଳିଲା । ଯେଉଁ ଦେଶରେ ଭାଇଭଉଣୀମାନଙ୍କ ପାଖରେ ଅଧିକ ପଇସା ନ ଥିଲା, ସେଠାରେ କମ୍ ଜିନିଷରେ ଓ କମ୍ ସମୟରେ ରାଜ୍ୟ ଘର ତିଆରି କରିବା ପାଇଁ କିଛି ବ୍ୟବସ୍ଥା କରାଗଲା । ମାଲାବିରେ ଏହିପରି ଭାବେ ରାଜ୍ୟ ଘର ତିଆରି କରାଯାଉଥିଲା । ପୂର୍ବେ ସେଠାରେ ଇଉକାଲିପଟାସ୍ର ଗଛରୁ ରାଜ୍ୟ ଘର ତିଆରି କରାଯାଉଥିଲା । ତାʼ ଛାତ ଘାସ ପତ୍ରରେ ତିଆରି ହେଉଥିଲା ଆଉ ସେଠାରେ ବସିବା ପାଇଁ ମାଟିର ବେଞ୍ଚ୍ ରହୁଥିଲା । କିନ୍ତୁ ଏବେ ଭାଇମାନେ ଭାଟିରେ ଇଟା ତିଆରି କରିବାକୁ ଲାଗିଲେ । ସେମାନେ ବହୁତ ପରିଶ୍ରମ କଲେ ଓ ସୁନ୍ଦର ସୁନ୍ଦର ରାଜ୍ୟ ଘର ତିଆରି କଲେ । କିନ୍ତୁ ବସିବା ପାଇଁ ସେମାନଙ୍କୁ ବେଞ୍ଚ୍ ହିଁ ଭଲ ଲାଗୁଥିଲା । ସେମାନେ କହୁଥିଲେ, ‘ବେଞ୍ଚ୍ରେ ତ ଜାଗାର ଅଭାବ ହି ହୁଏନି !’
ମୋତେ ଏହା ଦେଖି ବହୁତ ଖୁସି ଲାଗିଲା ଯେ ଭାଇଭଉଣୀମାନେ କିପରି ଯିହୋବାଙ୍କ ସେବାକୁ ପ୍ରଥମ ସ୍ଥାନ ଦେଉଛନ୍ତି ଆଉ ସେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି । ମୋତେ ବିଶେଷ କରି ସେଠାର ଯୁବା ଭାଇମାନଙ୍କୁ ଦେଖି ବହୁତ ଭଲ ଲାଗିଲା ଯେଉଁମାନେ ନିଜେ ଆଗକୁ ଆସି ଯିହୋବାଙ୍କ ସେବା କରୁଥିଲେ । ସେମାନଙ୍କୁ ସଂଗଠନରୁ ଯାହା ବି ଟ୍ରେନିଙ୍ଗ୍ ଦିଆଯାଉଥିଲା, ସେମାନେ ତାହାକୁ ତୁରନ୍ତ ମାନୁଥିଲେ । ଏହା ଯୋଗୁଁ ସେମାନେ ବୈଥେଲ ଓ ମଣ୍ଡଳୀଗୁଡ଼ିକରେ ଆହୁରି ଦାୟିତ୍ୱ ସମ୍ଭାଳିବା ପାଇଁ ଯୋଗ୍ୟ ହୋଇପାରିଲେ । ଅନେକ ଭାଇଙ୍କୁ ସର୍କିଟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା ଯେଉଁଥିରୁ ମଣ୍ଡଳୀଗୁଡ଼ିକୁ ବହୁତ ଲାଭ ହେଲା । ସେମାନଙ୍କ ମଧ୍ୟରୁ ଅନେକ ବିବାହିତ ଥିଲେ ଓ ସେମାନଙ୍କର ପରିବାର ଲୋକ ଓ ସମାଜର ଲୋକମାନେ ସେମାନଙ୍କୁ ପରିବାର ବଢ଼ାଇବା ପାଇଁ ଚାପ ପକାଉଥିଲେ । କିନ୍ତୁ ସେମାନେ ଯିହୋବାଙ୍କର ଆହୁରି ସେବା କରିବାକୁ ଚାହୁଁଥିଲେ, ତେଣୁ ସେମାନେ ନିଷ୍ପତ୍ତି ନେଲେ ଯେ ସେମାନେ ପିଲା କରିବେ ନାହିଁ ।
ଠିକ୍ ରାସ୍ତାରେ ଚାଲିବାରୁ ମିଳିଲା ଅନେକ ଖୁସି
ଏନ୍ଙ୍କ ସହ ବ୍ରିଟେନ୍ ବୈଥେଲରେ
ଆମକୁ ଆଫ୍ରିକାରେ ସେବା କରିବାର ୫୨ ବର୍ଷ ହୋଇଯାଇଥିଲା । ତାʼପରେ ମୋ ଦେହ ଖରାପ ହେବାକୁ ଲାଗିଲା । ତେଣୁ ଶାଖା ସମିତି ପ୍ରଶାସନ ଦଳକୁ ପଚାରିଲେ ଯେ କʼଣ ଆମେ ବ୍ରିଟେନ୍ ଫେରିପାରିବା । ପ୍ରଶାସନ ଦଳ ଏହାର ମଞ୍ଜୁରି ଦେଇ ଦେଲେ । ତେଣୁ ଆମେ ପୁଣି ଥରେ ବ୍ରିଟେନ୍ ଆସିଗଲୁ । ଆଫ୍ରିକା ଛାଡ଼ିବା ସମୟରେ ଆମକୁ ବହୁତ ଦୁଃଖ ଲାଗୁଥିଲା, କାରଣ ସେ ଜାଗାକୁ ଓ ସେଠାକାର ଲୋକଙ୍କୁ ଆମେ ବହୁତ ପ୍ରେମ କରୁଥିଲୁ । କିନ୍ତୁ ବ୍ରିଟେନ୍ ବୈଥେଲର ଭାଇଭଉଣୀମାନେ ଆମର ବହୁତ ଭଲଭାବେ ଯତ୍ନ ନେଉଛନ୍ତି ।
ମୁଁ ଯିହୋବା ଦେଖାଇଥିବା ରାସ୍ତାରେ ଚାଲିବା ପାଇଁ ନିଷ୍ପତ୍ତି ନେଲି ଓ ମୋତେ ଏହି କଥାର କିଛି ଅବଶୋଷ ନାହିଁ । ଯଦି ମୁଁ ନିଜ ବୁଦ୍ଧି ଉପରେ ଭରସା କରିଥାʼନ୍ତି ଓ ଦୁନିଆରେ ନିଜ କ୍ୟାରିଅର କରିଥାʼନ୍ତି, ତାହେଲେ କେଜାଣେ ମୋର କʼଣ ହୁଅନ୍ତା । କିନ୍ତୁ ଯିହୋବା ଜାଣୁଥିଲେ ଯେ ମୋତେ କେଉଁ ରାସ୍ତାରେ ଚାଲିବା ଉଚିତ୍ ଓ ସେ ମୋର ‘ପଥ ସରଳ କଲେ ।’ (ହିତୋ. ୩:୫, ୬) ଆରମ୍ଭରେ ଯେବେ ମୁଁ ଗୋଟିଏ ବଡ଼ କମ୍ପାନିରେ କାମ ଶିଖୁଥିଲି, ତେବେ ମୋତେ ବହୁତ ମଜା ଆସୁଥିଲା । କିନ୍ତୁ ଆମ ସଂଗଠନ ତ ତାʼଠୁ ବି ବଡ଼ ଅଟେ । ଆଉ ଯେବେ ମୁଁ ଯିହୋବାଙ୍କ ସେବାକୁ ନିଜ କ୍ୟାରିଅର କଲି, ତେବେ ମୁଁ ତାʼଠୁ ବି ଅଧିକ ଖୁସି ପାଇଲି ! ଯିହୋବା ଦେଖାଇଥିବା ରାସ୍ତାରେ ଚାଲିବାରୁ ମୋତେ ସବୁବେଳେ ଅନେକ ଆଶିଷ ମିଳିଛି !
a ମାଲାବିରେ ଯିହୋବାଙ୍କ ସାକ୍ଷୀମାନଙ୍କ ଇତିହାସ ବିଷୟରେ ୧୯୯୯ ଯିହୋବାଙ୍କ ସାକ୍ଷୀମାନଙ୍କର ବାର୍ଷିକ ବହିର ପୃଷ୍ଠା ୧୪୮-୨୨୩ରେ (ଇଂରାଜୀ) କୁହାଯାଇଛି ।
b ଆଜି ମାଲାବିରେ ୧,୦୦,୦୦୦ରୁ ବି ଅଧିକ ପ୍ରଚାରକ ଅଛନ୍ତି ।