ଓ୍ଵାଚଟାଓ୍ଵର ଅନଲାଇନ୍ ଲାଇବ୍ରେରୀ
ଓ୍ଵାଚଟାଓ୍ଵର
ଅନଲାଇନ୍ ଲାଇବ୍ରେରୀ
ଓଡ଼ିଆ
  • ବାଇବଲ
  • ପ୍ରକାଶନ
  • ସଭା
  • w22 ଡିସେମ୍ବର ପୃଷ୍ଠା ୨-୭
  • ଆମେ ସବୁଦିନ ଯାଏ ବଞ୍ଚିପାରିବା !

ଏ ସମ୍ୱନ୍ଧରେ କୌଣସି ଭିଡିଓ ଉପଲବ୍ଧ ନାହିଁ ।

ଭିଡିଓ ଲୋଡିଙ୍ଗ୍ ହେବାରେ କିଛି ତ୍ରୁଟି ରହିଛି । ଆମେ ଦୁଃଖିତ ।

  • ଆମେ ସବୁଦିନ ଯାଏ ବଞ୍ଚିପାରିବା !
  • ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
  • ଉପଶୀର୍ଷକ
  • ଯିହୋବା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ
  • ମଣିଷମାନଙ୍କୁ ସବୁଦିନ ପର୍ଯ୍ୟନ୍ତ ବଞ୍ଚିରହିବା ପାଇଁ ସୃଷ୍ଟି କରାଯାଇଛି
  • ଯିହୋବାଙ୍କ ଉଦ୍ଦେଶ୍ୟ ବଦଳି ନାହିଁ
  • ଏକ ସୁନ୍ଦର ଭବିଷ୍ୟତ
ପ୍ରହରୀଦୁର୍ଗ ଯିହୋବାଙ୍କ ରାଜ୍ୟର ଘୋଷଣା କରେ (ଅଧ୍ୟୟନ)—୨୦୨୨
w22 ଡିସେମ୍ବର ପୃଷ୍ଠା ୨-୭

ଅଧ୍ୟୟନ ଲେଖା ୪୯

ଆମେ ସବୁଦିନ ଯାଏ ବଞ୍ଚିପାରିବା !

‘ଈଶ୍ୱରଙ୍କ ଅନୁଗ୍ରହଦାନ ଅନନ୍ତ ଜୀବନ ଅଟେ ।’—ରୋମୀ. ୬:୨୩.

ଗୀତ ୧୪୭ ହାମେସା କି ଜିନ୍ଦଗୀକା ୱାଦା

ଲେଖାର ଝଲକa

୧. ଯେବେ ଆମେ ଅନନ୍ତ ଜୀବନର ପ୍ରତିଜ୍ଞା ବିଷୟରେ ଭାବିବା, ତେବେ କʼଣ ହେବ ?

ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଯଦି ଆମେ ତାଙ୍କ ଆଜ୍ଞା ମାନିବା, ତେବେ ସେ ଆମକୁ “ଅନନ୍ତ ଜୀବନ” ଦେବେ । (ରୋମୀ. ୬:୨୩) ଟିକେ ଭାବନ୍ତୁ, ଯିହୋବା ଆମକୁ କେତେ ପ୍ରେମ କରନ୍ତି । ସେ ଚାହାନ୍ତିନି ଯେ ଆମେ ତାଙ୍କଠାରୁ ଦୂରେଇ ଯାଉ । ଯେବେ ଆମେ ଯିହୋବାଙ୍କ ଏହି ପ୍ରତିଜ୍ଞା ବିଷୟରେ ଭାବୁ, ତେବେ ଆମେ ତାଙ୍କୁ ଆହୁରି ପ୍ରେମ କରିବାକୁ ଲାଗୁ ।

୨. ଯଦି ଆମେ ଏହି କଥାକୁ ମନେରଖୁ ଯେ ଯିହୋବା ଆମକୁ ଅନନ୍ତ ଜୀବନ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ତେବେ ଆମେ କʼଣ କରିପାରିବା ?

୨ ଯେବେ ଆମେ ଏହି କଥାକୁ ମନେରଖୁ ଯେ ଯିହୋବା ଆମକୁ ଅନନ୍ତ ଜୀବନ ଦେବା ପାଇଁ ପ୍ରତିଜ୍ଞା କରିଛନ୍ତି, ତେବେ ଆମେ ସାହସର ସହ ପ୍ରତ୍ୟେକ ସମସ୍ୟା ଓ ଅତ୍ୟାଚାରକୁ ସହିପାରୁ । ଏପରିକି ଯେବେ ଲୋକେ ଆମକୁ ଜୀବନରୁ ମାରି ଦେବା ପାଇଁ ଧମକ ଦିଅନ୍ତି, ତେବେ ବି ଆମେ ଯିହୋବାଙ୍କ ସେବା କରିବା ଛାଡ଼ି ନ ଥାଉ । କାରଣ ଆମକୁ ଭରସା ଅଛି ଯେ ଯଦି ତାଙ୍କ ବିଶ୍ୱସ୍ତ ଲୋକମାନଙ୍କ ମୃତ୍ୟୁ ବି ହୋଇଯାଏ, ତେବେ ଯିହୋବା ସେମାନଙ୍କୁ ଜୀବିତ କରିବେ ଓ ତାʼପରେ ସେମାନଙ୍କୁ ଅନନ୍ତ ଜୀବନ ମିଳିବ । (ଯୋହ. ୫:୨୮, ୨୯; ୧ କରି. ୧୫:୫୫-୫୮; ଏବ୍ରୀ ୨:୧୫) କିନ୍ତୁ ଆମେ କାହିଁକି ଭରସା ରଖିପାରିବା ଯେ ଆମର ମୃତ୍ୟୁ ହେବ ନାହିଁ ଓ ଆମକୁ ଅନନ୍ତ ଜୀବନ ମିଳିବ ? ଆସନ୍ତୁ ଏହାର କିଛି କାରଣ ଉପରେ ଧ୍ୟାନ ଦେବା ।

ଯିହୋବା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ

୩. ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ଆମକୁ ଅନନ୍ତ ଜୀବନ ଦେଇପାରିବେ ? (ଗୀତସଂହିତା ୧୦୨:୧୨, ୨୪, ୨୭)

୩ ବାଇବଲରେ ଲେଖାଅଛି ଯେ ଯିହୋବା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ । ସେ ଆମକୁ ଜୀବନ ଦେଇଛନ୍ତି, ତେଣୁ ଆମେ ଭରସା ରଖିପାରିବା ଯେ ସେ ଆମକୁ ଅନନ୍ତ ଜୀବନ ଦେଇପାରିବେ । (ଗୀତ. ୩୬:୯) ଯେପରି ଗୀତସଂହିତା ୯୦:୨ ପଦରେ ଲେଖାଅଛି, “ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ତୁମ୍ଭେ ପରମେଶ୍ୱର ଅଟ ।” ଗୀତସଂହିତା ୧୦୨ ଅଧ୍ୟାୟରେ ମଧ୍ୟ ଏପରି ହିଁ କଥା ଲେଖାଅଛି । (ଗୀତସଂହିତା ୧୦୨: ୧୨, ୨୪, ୨୭ ପଢ଼ନ୍ତୁ ।) ଆଉ ଭବିଷ୍ୟଦ୍‌ବକ୍ତା ହବକ୍‌କୂକ ମଧ୍ୟ ଈଶ୍ୱରଙ୍କ ବିଷୟରେ ଲେଖିଲେ, ‘ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୋର ଧର୍ମସ୍ୱରୂପ, ତୁମ୍ଭେ କି ଅନାଦି କାଳଠାରୁ ନୁହଁ ? ତୁମ୍ଭେ ବିନଷ୍ଟ ନୋହିବ ।’—ହବ. ୧:୧୨.

୪. ଯଦି ଆମକୁ ଏହା ବୁଝିବା କଷ୍ଟ ଲାଗେ ଯେ ଯିହୋବା ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ, ତେବେ କʼଣ ତାʼ ଅର୍ଥ ଏପରି ହେବା ସମ୍ଭବ ହିଁ ନୁହେଁ ? ବୁଝାନ୍ତୁ ।

୪ କʼଣ ଆପଣଙ୍କୁ ଏହା ବୁଝିବା କଷ୍ଟ ଲାଗେ ଯେ ଯିହୋବା ‘ଅନାଦିକାଳରୁ ଅନନ୍ତକାଳ ପର୍ଯ୍ୟନ୍ତ ରହିବେ’ ଓ ସେ ‘ଅନାଦି ଅନନ୍ତ ପରମେଶ୍ୱର ଅଟନ୍ତି ?’ (ଯିଶା. ୪୦:୨୮) ପ୍ରାଚୀନ କାଳରେ ମଧ୍ୟ କିଛି ଲୋକମାନଙ୍କୁ ଏହା ବୁଝିବା କଷ୍ଟ ଲାଗିଥିଲା । ଯେପରି ଥରେ ଇଲୀହୂ ପରମେଶ୍ୱରଙ୍କ ବିଷୟରେ କହିଲେ, “ପରମେଶ୍ୱର ମହାନ ଓ ଆମ୍ଭେମାନେ ତାହାଙ୍କୁ ଜାଣୁ ନାହୁଁ; ତାହାଙ୍କ ବର୍ଷର ସଂଖ୍ୟା ଅନନୁସନ୍ଧେୟ [‘ଗଣା ଯାଇପାରିବନି,’ NWT]।” (ଆୟୁ. ୩୬:୨୬) କିନ୍ତୁ ମନେରଖନ୍ତୁ ଯଦି ଆମେ କୌଣସି କଥାକୁ ବୁଝି ନ ପାରୁ, ତାʼ ଅର୍ଥ ଏହା ନୁହେଁ ଯେ ସେହି କଥା ଭୁଲ ଅଟେ । ଯେପରି ହୁଏତ ଆମେ ଭଲଭାବେ ବୁଝିପାରିବାନି ଯେ ସୂର୍ଯ୍ୟର କିରଣରୁ କିମ୍ବା ପାଣିରୁ ବିଜୁଳି କିପରି ତିଆରି ହୁଏ । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଏପରି ହେବା ସମ୍ଭବ ନୁହେଁ । ସେହିପରି ଆମେ ହୁଏତ ବେଳେବେଳେ ଭଲଭାବରେ ବୁଝିପାରିବାନି ଯେ ଯିହୋବାଙ୍କ ଆରମ୍ଭ ଓ ଶେଷ ନାହିଁ ଓ ସେ ସେହି ସମୟରୁ ଅସ୍ତିତ୍ୱରେ ଅଛନ୍ତି ଯେବେ ପୃଥିବୀ, ଆକାଶ, ସୂର୍ଯ୍ୟ ଓ ଚନ୍ଦ୍ର ନ ଥିଲା । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଏପରି ହେବା ସମ୍ଭବ ହିଁ ନୁହେଁ । (ରୋମୀ. ୧୧:୩୩-୩୬) ‘ସେ ଆପଣା ପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି ଓ ଆପଣା ବୁଦ୍ଧିରେ ସେ ଗଗନମଣ୍ଡଳ ବିସ୍ତାର କରିଅଛନ୍ତି ।’ (ଯିରି. ୫୧:୧୫; ପ୍ରେରି. ୧୭:୨୪) ଆମେ ଆଉ କେଉଁ କାରଣ ଯୋଗୁଁ ଭରସା ରଖିପାରିବା ଯେ ଆମକୁ ଅନନ୍ତ ଜୀବନ ମିଳିବ ? ଆସନ୍ତୁ ଜାଣିବା ।

ମଣିଷମାନଙ୍କୁ ସବୁଦିନ ପର୍ଯ୍ୟନ୍ତ ବଞ୍ଚିରହିବା ପାଇଁ ସୃଷ୍ଟି କରାଯାଇଛି

୫. ଯିହୋବା ଆଦମ ଓ ହବାକୁ କିପରି ଭାବେ ସୃଷ୍ଟି କରିଥିଲେ ?

୫ ଯିହୋବା ଗଛଲତା ଓ ପଶୁମାନଙ୍କୁ ଏପରି ସୃଷ୍ଟି କରିଛନ୍ତି ଯେ ସେମାନେ କିଛି ଦିନ ଯାଏ ହିଁ ବଞ୍ଚିରହିବେ, କିନ୍ତୁ ସେ ମଣିଷମାନଙ୍କୁ ଏପରି ସୃଷ୍ଟି କରିଛନ୍ତି ଯେ ସେମାନେ ସବୁଦିନ ଯାଏ ବଞ୍ଚି ରହିପାରିବେ । ଆଉ ଯିହୋବା ଏହା ହିଁ ଚାହାନ୍ତି ଯେ ସେମାନଙ୍କର କେବେ ବି ମୃତ୍ୟୁ ନ ହେଉ । କିନ୍ତୁ ସେ ଆଦମକୁ ଏହା ବି କହିଥିଲେ, “ସଦସତ୍‌ ଜ୍ଞାନଦାୟକ ବୃକ୍ଷର ଫଳ ଭୋଜନ କରିବ ନାହିଁ, ଯେହେତୁ ଯେଉଁ ଦିନ ତାହା ଖାଇବ, ସେହି ଦିନ ନିତାନ୍ତ ମରିବ ।” (ଆଦି. ୨:୧୭) ଯଦି ଆଦମ ଓ ହବା ଯିହୋବାଙ୍କ ଆଜ୍ଞା ପାଳନ କରିଥାʼନ୍ତେ ଓ ସେହି ବୃକ୍ଷର ଫଳ ଖାଇ ନ ଥାʼନ୍ତେ, ତେବେ ସେମାନଙ୍କର କେବେ ବି ମୃତ୍ୟୁ ହୋଇ ନ ଥାʼନ୍ତା । ଆଉ ତାʼପରେ ଠିକ୍‌ ସମୟ ଆସିଲେ ଯିହୋବା ନିଶ୍ଚୟ ସେମାନଙ୍କୁ “ଅମୃତ ବୃକ୍ଷର” ଫଳ ଖାଇବାକୁ ଦିଅନ୍ତେ ଓ ସେମାନେ “ଅନନ୍ତଜୀବୀ” ହୋଇପାରʼନ୍ତେ ।b—ଆଦି. ୩:୨୨.

‘ଅନନ୍ତକାଳ ପାଇଁ’

ବାଇବଲର ଏବ୍ରୀ ଶାସ୍ତ୍ରରେ ଅନେକଥର “ଓହ-ଲାମ” ଶବ୍ଦ ଆସିଛି । ଏହି ଶବ୍ଦ ଏପରି କୌଣସି ଜିନିଷ ବିଷୟରେ କହିବା ପାଇଁ ବ୍ୟବହାର କରାଯାଇଛି, ଯାହା ଅନେକ ବର୍ଷରୁ ଅଛି କିମ୍ବା ଅନେକ ବର୍ଷ ଯାଏ ରହିବ କିମ୍ବା ଯାହାର ଆରମ୍ଭ କିମ୍ବା ଶେଷ ବିଷୟରେ ଆମକୁ ଜଣାନାହିଁ । (ଯିହୋ. ୨୪:୨; ଗୀତ. ୨୪:୭, ୯) ଏହା କୌଣସି ଏପରି ଜିନିଷ ପାଇଁ ମଧ୍ୟ ବ୍ୟବହାର କରାଯାଇପାରିବ, ଯାହାର କେବେ ବି ଶେଷ ହେବ ନାହିଁ । ତେଣୁ ଏହି ଶବ୍ଦ ଯିହୋବାଙ୍କ ବିଷୟରେ କହିବା ପାଇଁ ମଧ୍ୟ ବ୍ୟବହାର ହୋଇଛି । (ଗୀତ. ୧୦୨:୧୨, ୨୪, ୨୭) ନୂତନ ଜଗତ ଅନୁବାଦରେ ଏହି ଏବ୍ରୀ ଶବ୍ଦର ଅନୁବାଦ ‘ଅନନ୍ତ କାଳ ପାଇଁ,’ “ଅନନ୍ତକାଳ,” “ଅନାଦି ଅନନ୍ତ,” “ଚିରସ୍ଥାୟୀ” କିମ୍ବା “ପୂର୍ବ କାଳ” କରାଯାଇଛି । କୌଣସି ପଦରେ ଓହ-ଲାମ ଶବ୍ଦ ଜାଗାରେ ଏମଧ୍ୟରୁ କେଉଁ ଶବ୍ଦ ଦିଆଯିବ ତାହା ନିର୍ଦ୍ଧାରିତ କରିବା ସମୟରେ ଏହି କଥାର ଧ୍ୟାନ ରଖାଯାଏ ଯେ ସେଠାରେ କେଉଁ ବିଷୟରେ କୁହାଯାଉଛି ।

୬-୭. (କ) ଆମେ କାହିଁକି କହିପାରିବା ଯେ ମଣିଷମାନଙ୍କୁ ଏପରି ସୃଷ୍ଟି କରାଯାଇଛି ଯେ ସେମାନେ ସବୁଦିନ ଯାଏ ବଞ୍ଚି ରହିପାରିବେ ? (ଖ) ଏପରି କେଉଁ କାମଗୁଡ଼ିକ ଅଛି ଯାହା ଆପଣ ନୂଆ ଦୁନିଆରେ କରିବା ପାଇଁ ଚାହାନ୍ତି ? (ଚିତ୍ର ଦେଖନ୍ତୁ ।)

୬ କିଛି ବୈଜ୍ଞାନିକ ଅନୁମାନ କରିଛନ୍ତି ଯେ ସାଧାରଣତଃ ଆମେ ନିଜ ଜୀବନରେ ଯେତେ କଥା ମନେରଖୁ, ତାʼଠୁ ବି ବହୁତ ଅଧିକ କଥା ଆମ ମସ୍ତିଷ୍କ ମନେ ରଖିପାରେ । ୨୦୧୦ ମସିହାରେ ବିଜ୍ଞାନର ଗୋଟିଏ ପତ୍ରିକାରେ (ସାଇଣ୍ଟିଫିକ୍‌ ଆମେରିକନ୍‌ ମାଇଣ୍ଡ) କୁହାଯାଇଥିଲା ଯେ ବୈଜ୍ଞାନିକମାନେ ଅନୁମାନ କରିଛନ୍ତି ଯେ ଆମେ ନିଜ ମସ୍ତିଷ୍କରେ ପ୍ରାୟ ୨୫ ଲକ୍ଷ ଜିବି ଡାଟା ରଖିପାରିବା କିମ୍ବା ୩୦ ଲକ୍ଷ ଘଣ୍ଟା ଯାଏ (ଅର୍ଥାତ୍‌ ପ୍ରାୟ ୩୦୦ ବର୍ଷ ଯାଏ) ଟିଭିରେ ଦେଉଥିବା କଥାଗୁଡ଼ିକୁ ନିଜ ମସ୍ତିଷ୍କରେ ରଖିପାରିବା । କିନ୍ତୁ ଏହା କେବଳ ସେମାନଙ୍କର ଅନୁମାନ ଅଟେ । ହୁଏତ, ଆମ ମସ୍ତିଷ୍କ ଏହାଠୁ ବି ଅଧିକ କଥା ମନେ ରଖିପାରେ । ଏଥିରୁ ସ୍ପଷ୍ଟ ଜଣାପଡ଼େ ଯେ ଯିହୋବା ଆମ ମସ୍ତିଷ୍କକୁ ଏପରି ସୃଷ୍ଟି କରିଛନ୍ତି ଯେ ଆମେ ଅନେକଗୁଡ଼ିଏ କଥା ମନେ ରଖିପାରିବା । ଆମେ ୭୦-୮୦ ବର୍ଷରେ ଯେତେ କଥା ମନେ ରଖିପାରୁ, ତାʼଠୁ ବି ଅଧିକ ।—ଗୀତ. ୯୦:୧୦.

୭ ବାଇବଲରେ ଲେଖାଅଛି, ଈଶ୍ୱର ଆମ “ହୃଦୟରେ ଅନନ୍ତ କାଳ” ପର୍ଯ୍ୟନ୍ତ ବଞ୍ଚିବାର ଇଚ୍ଛା ଦେଇଛନ୍ତି । (ଉପ. ୩:୧୧) ତେଣୁ ଆମେ ମରିବା ପାଇଁ ଚାହିଁ ନ ଥାଉ । ବାଇବଲରେ ଲେଖାଅଛି ଯେ ମୃତ୍ୟୁ ଆମ ଶତ୍ରୁ ଅଟେ । (୧ କରି. ୧୫:୨୬) ଭାବନ୍ତୁ ଯେବେ ଆମେ ବେମାର ହୋଇଯାଉ, ତେବେ ଆମେ କʼଣ କରୁ । କʼଣ ଆମେ ଘରେ ହିଁ ବସି ରହୁ ? ନା, ଆମେ ଠିକ୍‌ ହେବା ପାଇଁ ଡାକ୍ତର ପାଖକୁ ଯାଉ ଓ ଔଷଧ ନେଉ । ଆମେ ଜୀବିତ ରହିବା ପାଇଁ ଆମ ଦ୍ୱାରା ଯାହା ହୋଇପାରେ, ଆମେ ସେସବୁ କରୁ । ଆଉ ଯେବେ ଆମର କୌଣସି ସାଙ୍ଗ କିମ୍ବା ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଯାଏ ତେବେ ଆମକୁ ବହୁତ ଦୁଃଖ ଲାଗେ, ଯଦିଓ ସେ ଯୁବା ଥାʼନ୍ତୁ କିମ୍ବା ବୃଦ୍ଧ । (ଯୋହ. ୧୧:୩୨, ୩୩) ଯିହୋବା ଆମ ମନରେ ଅନନ୍ତ କାଳ ଯାଏ ବଞ୍ଚିବାର ଇଚ୍ଛା ଦେଇଛନ୍ତି ଓ ସେ ଆମକୁ ଏପରି ମଧ୍ୟ ସୃଷ୍ଟି କରିଛନ୍ତି ଯେ ଆମେ ସବୁଦିନ ଯାଏ ବଞ୍ଚିପାରିବା । ଏଥିରୁ ଜଣାପଡ଼େ ଯେ ଯିହୋବା ଚାହାନ୍ତି ଯେ ଆମକୁ ଅନନ୍ତ ଜୀବନ ମିଳୁ । କିନ୍ତୁ ଏକଥାକୁ ମାନିବାର ଆମ ପାଖରେ ଆହୁରି କʼଣ କାରଣ ଅଛି । ଆସନ୍ତୁ ଦେଖିବା ଯେ ଯିହୋବା ପୂର୍ବେ କʼଣ କରିଥିଲେ ଓ ଆଜି କʼଣ କରୁଛନ୍ତି, ଯେଉଁଥିରୁ ଜଣାପଡ଼େ ଯେ ସେ ଏବେ ବି ଚାହାନ୍ତି ଯେ ଆମେ ସବୁଦିନ ଯାଏ ଜୀବିତ ରହୁ ।

ଚିତ୍ରଗୁଡ଼ିକ: ଜଣେ ବୃଦ୍ଧ ଭାଇ ଚେୟାରରେ ବସିଛନ୍ତି । ତାଙ୍କ ଆଗରେ ଥିବା ଟେବୁଲରେ ଅନେକ ଔଷଧ ରଖାଯାଇଛି । ସେ ବାଇବଲ ପଢ଼ୁଛନ୍ତି ଓ ଭାବୁଛନ୍ତି ଯେବେ ସେ ନୂଆ ଦୁନିଆରେ ପୁଣି ଯୁବା ହେବେ, ତେବେ ସେ କʼଣ କʼଣ କରିବେ । ୧. ସେ ଡଙ୍ଗା ଚଳାଉଛନ୍ତି । ୨. ସେ ପେଣ୍ଟିଙ୍ଗ୍‌ କରୁଛନ୍ତି । ୩. ସେ ଗୋଟିଏ ଝରଣା ପାଖରେ ବୁଲୁଛନ୍ତି ।

ଆମକୁ ଏହା ଭାବି ବହୁତ ଭଲ ଲାଗେ ଯେ ଯେବେ ଆମକୁ ଅନନ୍ତ ଜୀବନ ମିଳିବ, ତେବେ ଆମେ କʼଣ କʼଣ କରିପାରିବା (ପାରାଗ୍ରାଫ ୭)c

ଯିହୋବାଙ୍କ ଉଦ୍ଦେଶ୍ୟ ବଦଳି ନାହିଁ

୮. ଯିଶାଇୟ ୫୫:୧୧ ପଦରୁ ଯିହୋବାଙ୍କ ଉଦ୍ଦେଶ୍ୟ ବିଷୟରେ କʼଣ ଜଣାପଡ଼େ ?

୮ ଆଦମ ଓ ହବା ପାପ କରିଥିଲେ, ତେଣୁ ସେମାନଙ୍କ ମୃତ୍ୟୁ ହୋଇଗଲା । ଆଉ ସେସମୟରୁ ନେଇ ଏବେ ଯାଏ ମଣିଷମାନଙ୍କର ମୃତ୍ୟୁ ହେଉଛି । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଯିହୋବାଙ୍କ ଉଦ୍ଦେଶ୍ୟ ବଦଳି ଯାଇଛି । (ଯିଶାଇୟ ୫୫:୧୧ ପଢ଼ନ୍ତୁ ।) ସେ ଆଜି ମଧ୍ୟ ଏହା ହିଁ ଚାହାନ୍ତି ଯେ ଆମକୁ ଅନନ୍ତ ଜୀବନ ମିଳୁ । ଆସନ୍ତୁ ଦେଖିବା ଯେ ପ୍ରାଚୀନ କାଳରେ ଯିହୋବା ନିଜ ଲୋକମାନଙ୍କୁ କʼଣ କହିଲେ ଓ ଏପରି କʼଣ କଲେ ଯେଉଁଥିରୁ ଜଣାପଡ଼େ ଯେ ସେ ନିଜ ଉଦ୍ଦେଶ୍ୟକୁ ନିଶ୍ଚୟ ପୂରା କରିବେ ।

୯. ଯିହୋବା କʼଣ ପ୍ରତିଜ୍ଞା କରିଛନ୍ତି ? (ଦାନିୟେଲ ୧୨:୨, ୧୩)

୯ ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ଯେଉଁ ଲୋକମାନଙ୍କ ମୃତ୍ୟୁ ହୋଇଯାଇଛି, ସେ ସେମାନଙ୍କୁ ଜୀବିତ କରିବେ ଓ ତାʼପରେ ସେମାନେ ସବୁଦିନ ଯାଏ ବଞ୍ଚି ରହିପାରିବେ । (ପ୍ରେରି. ୨୪:୧୫; ତୀତ. ୧:୧, ୨) ଆୟୁବଙ୍କୁ ମଧ୍ୟ ଏହି କଥାର ଭରସା ଥିଲା ଯେ ଯିହୋବା ସେହି ଲୋକମାନଙ୍କୁ ଜୀବିତ କରିବା ପାଇଁ ବହୁତ ଇଚ୍ଛୁକ, ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି । (ଆୟୁ. ୧୪:୧୪, ୧୫) ଭବିଷ୍ୟଦ୍‌ବକ୍ତା ଦାନିୟେଲ ମଧ୍ୟ ଜାଣିଥିଲେ ଯେ ଯେଉଁମାନେ ମରିଯାଇଛନ୍ତି, ସେମାନଙ୍କୁ ଈଶ୍ୱର ଜୀବିତ କରିବେ ଓ ସେମାନଙ୍କ ପାଖରେ ସବୁଦିନ ଯାଏ ବଞ୍ଚିବାର ସୁଯୋଗ ଥିବ । (ଗୀତ. ୩୭:୨୯; ଦାନିୟେଲ ୧୨:୨, ୧୩ ପଢ଼ନ୍ତୁ ।) ଯୀଶୁଙ୍କ ସମୟରେ ଯିହୁଦୀମାନେ ମଧ୍ୟ ଜାଣିଥିଲେ ଯେ ଯଦି ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହିବେ, ତେବେ ସେ ସେମାନଙ୍କୁ “ଅନନ୍ତ ଜୀବନ” ଦେବେ । (ଲୂକ ୧୦:୨୫; ୧୮:୧୮) ଯୀଶୁ ମଧ୍ୟ ଅନେକଥର ଲୋକମାନଙ୍କୁ କହିଥିଲେ ଯେ ଯିହୋବା ଲୋକମାନଙ୍କୁ ଜୀବିତ କରିବେ ଓ ସେମାନଙ୍କୁ ଅନନ୍ତ ଜୀବନ ଦେବେ । ଆଉ ଯେବେ ଯୀଶୁଙ୍କ ମୃତ୍ୟୁ ହେଲା, ତେବେ ଯିହୋବା ତାଙ୍କୁ ମଧ୍ୟ ଜୀବିତ କଲେ ।—ମାଥି. ୧୯:୨୯; ୨୨:୩୧, ୩୨; ଲୂକ ୧୮:୩୦; ଯୋହ. ୧୧:୨୫.

ଏଲୀୟ ସାରିଫତ୍‌ର ଜଣେ ବିଧବାର ପୁଅକୁ ଜୀବିତ କଲେ । ସେ ନିଜ ପୁଅକୁ ଦେଖି ବହୁତ ଖୁସି ହେଉଛନ୍ତି ।

ଏଲୀୟ ଜଣେ ପୁଅକୁ ଜୀବିତ କରିଥିଲେ । ଏଥିରୁ ଆପଣଙ୍କୁ କେଉଁ କଥାର ଭରସା ହୋଇଯାଏ ? (ପାରାଗ୍ରାଫ ୧୦)

୧୦. ପ୍ରାଚୀନ କାଳରେ ଅନେକ ଲୋକମାନଙ୍କୁ ଜୀବିତ କରାଗଲା, ଏଥିରୁ ଯିହୋବାଙ୍କ ବିଷୟରେ କʼଣ ଜଣାପଡ଼େ ? (ଚିତ୍ର ଦେଖନ୍ତୁ ।)

୧୦ ଯିହୋବା ଆମକୁ ଜୀବନ ଦେଇଛନ୍ତି । ତେଣୁ ଯଦି ଜଣେ ମଣିଷର ମୃତ୍ୟୁ ବି ହୋଇଯାଏ, ତେବେ ଯିହୋବା ସେମାନଙ୍କୁ ପୁଣିଥରେ ଜୀବିତ କରିପାରିବେ । ଯେବେ ସାରିଫତ୍‌ରେ ରହୁଥିବା ବିଧବାଙ୍କ ପୁଅର ମୃତ୍ୟୁ ହୋଇଗଲା, ତେବେ ଯିହୋବା ଭବିଷ୍ୟଦ୍‌ବକ୍ତା ଏଲୀୟଙ୍କୁ ସେହି ପୁଅଙ୍କୁ ଜୀବିତ କରିବା ପାଇଁ ଶକ୍ତି ଦେଲେ । (୧ ରାଜା. ୧୭:୨୧-୨୩) ସେ ଭବିଷ୍ୟଦ୍‌ବକ୍ତା ଇଲୀଶାୟଙ୍କୁ ମଧ୍ୟ ଶୁନେମୀୟା ସ୍ତ୍ରୀଙ୍କ ପୁଅକୁ ଜୀବିତ କରିବା ପାଇଁ ଶକ୍ତି ଦେଲେ । (୨ ରାଜା. ୪:୧୮-୨୦, ୩୪-୩୭) ବାଇବଲରେ ଏପରି ଅନେକ ଘଟଣା ଦିଆଯାଇଛି ଯେବେ ଯିହୋବାଙ୍କ ସାହାଯ୍ୟରେ ଲୋକମାନଙ୍କୁ ଜୀବିତ କରାଗଲା । ଏଥିରୁ ଜଣାପଡ଼େ ଯେ ଯିହୋବାଙ୍କ ପାଖରେ ମୃତ ଲୋକମାନଙ୍କୁ ଜୀବିତ କରିବା ପାଇଁ ଶକ୍ତି ଅଛି । ସେ ଏହି ଶକ୍ତି ଯୀଶୁଙ୍କୁ ମଧ୍ୟ ଦେଲେ । ତେଣୁ ସେ ଯେବେ ପୃଥିବୀରେ ଥିଲେ, ତେବେ ସେ ଲୋକମାନଙ୍କୁ ଜୀବିତ କରିପାରିଲେ । (ଯୋହ. ୧୧:୨୩-୨୫, ୪୩, ୪୪) ଯୀଶୁ ଏହା ବି ପ୍ରତିଜ୍ଞା କରିଥିଲେ, ‘ଯେଉଁମାନେ ସମାଧିସ୍ଥ ବା ସ୍ମାରକ କବରରେ ଅଛନ୍ତି ସେମାନେ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ବାହାର ହୋଇ ଆସିବେ ।’ ଆଜି ଯୀଶୁ ସ୍ୱର୍ଗରେ ଅଛନ୍ତି ଓ ତାଙ୍କୁ ‘ସ୍ୱର୍ଗ ଓ ପୃଥିବୀର ସମସ୍ତ ଅଧିକାର ଦିଆଯାଇଛି ।’ ତେଣୁ ସେ ନିଜ ପ୍ରତିଜ୍ଞା ପୂରା କରିପାରିବେ ଓ ଲୋକମାନଙ୍କୁ ପୁଣିଥରେ ଜୀବିତ କରି ସେମାନଙ୍କୁ ସବୁଦିନ ଯାଏ ବଞ୍ଚିବାର ସୁଯୋଗ ଦେଇପାରିବେ ।—ମାଥି. ୨୮:୧୮; ଯୋହ. ୫:୨୫-୨୯.

୧୧. ମୁକ୍ତିର ମୂଲ୍ୟର ଆଧାରରେ ଆମକୁ କିପରି ଅନନ୍ତ ଜୀବନ ମିଳିପାରେ ?

୧୧ ଯୀଶୁଙ୍କୁ କାଠରେ ଲଟକାଇ ନିର୍ଦ୍ଦୟୀ ଭାବେ ମାରି ଦିଆଗଲା । ଯିହୋବା କାହିଁକି ତାଙ୍କୁ ଏପରି ଭାବେ ମରିବା ପାଇଁ ଦେଲେ ? ଏହାର ଉତ୍ତର ଆମକୁ ଯୀଶୁଙ୍କ ଏହି କଥାରୁ ମିଳେ, “ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେକେହି ତାହାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ ।” (ଯୋହ. ୩:୧୬) ଯିହୋବା ପୃଥିବୀ ପାଇଁ ଥିବା ନିଜ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ନିଜ ପୁତ୍ରଙ୍କୁ ବଳିଦାନ ହେବାକୁ ଦେଲେ । ଯୀଶୁଙ୍କ ବଳିଦାନର ଆଧାରରେ ଆମକୁ ନିଜ ପାପରୁ କ୍ଷମା ମିଳିପାରେ ଓ ଆଗକୁ ଯାଇ ଅନନ୍ତ ଜୀବନ ମିଳିପାରେ । (ମାଥି. ୨୦:୨୮) ଏହି ବ୍ୟବସ୍ଥା ବିଷୟରେ ପ୍ରେରିତ ପାଉଲ କହିଲେ, “ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍‌ଥାନ ଉପସ୍ଥିତ ହୋଇଅଛି । ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ ।”—୧ କରି. ୧୫:୨୧, ୨୨.

୧୨. ଯିହୋବା ନିଜ ଉଦ୍ଦେଶ୍ୟ କିପରି ପୂରା କରିବେ ?

୧୨ ଯୀଶୁ ନିଜ ଶିଷ୍ୟମାନଙ୍କୁ ଏବିଷୟରେ ପ୍ରାର୍ଥନା କରିବାକୁ କହିଲେ ଯେ ଈଶ୍ୱରଙ୍କ ରାଜ୍ୟ ଆସୁ ଓ ପୃଥିବୀରେ ତାଙ୍କ ଇଚ୍ଛା ପୂରା ହେଉ । (ମାଥି. ୬:୯, ୧୦) ପୃଥିବୀ ପାଇଁ ଯିହୋବାଙ୍କ ଉଦ୍ଦେଶ୍ୟ ହେଉଛି ଯେ ମଣିଷମାନେ ଏଥିରେ ସବୁଦିନ ଯାଏ ବଞ୍ଚନ୍ତୁ । ନିଜ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ଯିହୋବା ଯୀଶୁଙ୍କୁ ନିଜ ରାଜ୍ୟର ରାଜା ଭାବେ ବାଛିଛନ୍ତି । ଯୀଶୁଙ୍କ ସହ ମିଶି ଯିହୋବା ନିଜ ଉଦ୍ଦେଶ୍ୟକୁ ପୂରା କରିବା ପାଇଁ ପ୍ରଥମ ଶତାବ୍ଦୀରୁ ୧,୪୪,୦୦୦ ଜଣ ଲୋକଙ୍କୁ ମଧ୍ୟ ଏକାଠି କରିଆସୁଛନ୍ତି ।—ପ୍ରକା. ୫:୯, ୧୦.

୧୩. ଆଜି ଯିହୋବା କʼଣ କରୁଛନ୍ତି ଓ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ କʼଣ କରିବା ଉଚିତ୍‌ ?

୧୩ ଯିହୋବା ଚାହାନ୍ତି ଯେ ‘ମହା ଜନତାର’ ଲୋକମାନେ ସବୁଦିନ ପାଇଁ ତାଙ୍କ ରାଜ୍ୟରେ ବଞ୍ଚନ୍ତୁ । ତେଣୁ ସେ ଆଜି ସେମାନଙ୍କୁ ଏକାଠି କରୁଛନ୍ତି ଓ ସେମାନଙ୍କୁ ଶିଖାଉଛନ୍ତି । (ପ୍ରକା. ୭:୯, ୧୦; ଯାକୁ. ୨:୮) ଦୁନିଆରେ ଦେଖିବାକୁ ଗଲେ ଲୋକମାନଙ୍କ ମଧ୍ୟରେ ଏକତା ନାହିଁ । ସେମାନେ ପରସ୍ପରକୁ ଘୃଣା କରନ୍ତି ଓ ଅନେକ ଜାଗାରେ ଯୁଦ୍ଧ ହେଉଛି । କିନ୍ତୁ ‘ମହା ଜନତାର’ ଲୋକମାନେ ସମସ୍ତଙ୍କୁ ପ୍ରେମ କରନ୍ତି ଓ କୌଣସି ମଧ୍ୟ ରାଷ୍ଟ୍ର ବା ଜାତିର ଲୋକମାନଙ୍କୁ ଘୃଣା କରନ୍ତି ନାହିଁ । ସତେ ଯେପରି, ସେମାନେ “ଆପଣା ଆପଣା ଖଡ଼୍‌ଗ ଭାଙ୍ଗି ଲଙ୍ଗଳର ଫାଳ” କରୁଛନ୍ତି । (ମୀଖା ୪:୩) ଆଜି ଲୋକମାନେ ଯୁଦ୍ଧରେ ଭାଗ ନେଇ ଲୋକମାନଙ୍କୁ ହତ୍ୟା କରୁଛନ୍ତି । କିନ୍ତୁ ‘ମହା ଜନତାର’ ଲୋକମାନେ ଅନ୍ୟମାନଙ୍କୁ ସତ୍ୟ ଈଶ୍ୱର ଓ ତାଙ୍କ ଉଦ୍ଦେଶ୍ୟ ବିଷୟରେ ଶିଖାଉଛନ୍ତି, ଯାହାଦ୍ୱାରା ସେମାନେ “ପ୍ରକୃତ ଜୀବନ” ପାଇପାରିବେ ଓ ଏହି ପୃଥିବୀରେ ସବୁଦିନ ଯାଏ ବଞ୍ଚିପାରିବେ । (୧ ତୀମ. ୬:୧୯) ସେମାନେ ଈଶ୍ୱରଙ୍କ ରାଜ୍ୟକୁ ସହଯୋଗ କରନ୍ତି, ତେଣୁ ଅନେକଥର ସେମାନଙ୍କ ପରିବାର ଲୋକେ ସେମାନଙ୍କ ବିରୋଧ କରନ୍ତି । ଅନେକଥର ସେମାନଙ୍କୁ ପଇସାର ଅଭାବ ମଧ୍ୟ ହୁଏ । କିନ୍ତୁ ଯିହୋବା ସବୁବେଳେ ଏକଥାର ଧ୍ୟାନ ରଖନ୍ତି ଯେ ସେମାନଙ୍କ ଆବଶ୍ୟକତା ପୂରା ହେଉ । (ମାଥି. ୬:୨୫, ୩୦-୩୩; ଲୂକ ୧୮:୨୯, ୩୦) ଏସବୁ କଥାଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ଯେ ଈଶ୍ୱରଙ୍କ ରାଜ୍ୟ ଗୋଟିଏ ପ୍ରକୃତ ସରକାର ଅଟେ ଓ ଏହା ଜରିଆରେ ଯିହୋବା ଆଗକୁ ଯାଇ ନିଜ ଉଦ୍ଦେଶ୍ୟ ପୂରା କରିବେ ।

ଏକ ସୁନ୍ଦର ଭବିଷ୍ୟତ

୧୪-୧୫. ଯିହୋବା କିପରି ମୃତ୍ୟୁକୁ ସବୁଦିନ ପାଇଁ ବିନାଶ କରିଦେବେ ?

୧୪ ଯୀଶୁ ଆଜି ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟର ରାଜା ଅଟନ୍ତି ଓ ଖୁବ୍‌ ଶୀଘ୍ର ସେ ସେହି ସବୁ ପ୍ରତିଜ୍ଞାଗୁଡ଼ିକୁ ପୂରା କରିବେ ଯାହା ଈଶ୍ୱର ଆମ ପାଇଁ କରିଛନ୍ତି । (୨ କରି. ୧:୨୦) ୧୯୧୪ ମସିହାରୁ ଯୀଶୁ ନିଜ ଶତ୍ରୁମାନଙ୍କ ଉପରେ ଜୟ ହାସଲ କରୁଛନ୍ତି । (ଗୀତ. ୧୧୦:୧, ୨) ଆଉ ଖୁବ୍‌ ଶୀଘ୍ର ସେ ଓ ତାଙ୍କ ସହ ଶାସନ କରୁଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ସମସ୍ତ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବେ ଓ ନିଜ ‘ଜୟ ପୂରା କରିବେ ।’—ପ୍ରକା. ୬:୨.

୧୫ ଯେଉଁ ଲୋକମାନଙ୍କ ମୃତ୍ୟୁ ହୋଇଯାଇଛି, ଯୀଶୁ ସେମାନଙ୍କୁ ନିଜ ହଜାର ବର୍ଷର ଶାସନ ସମୟରେ ଜୀବିତ କରିବେ ଓ ସେସମୟରେ ଯେଉଁ ଲୋକମାନେ ଯିହୋବାଙ୍କ ଆଜ୍ଞା ପାଳନ କରିବେ, ସେମାନେ ଧିରେ ଧିରେ ପରିପୂର୍ଣ୍ଣ ହୋଇଯିବେ । ତାʼପରେ ଶେଷ ପରୀକ୍ଷା ହେବ । ସେସମୟରେ ଯେଉଁ ଲୋକମାନେ ଯିହୋବାଙ୍କ ବିଶ୍ୱସ୍ତ ରହିବେ, ସେମାନେ ‘ଦେଶାଧିକାର [“ପୃଥିବୀରେ ବାସ,” NWT] କରିବେ ଓ ସଦାକାଳ ତହିଁରେ ବାସ କରିବେ ।’ (ଗୀତ. ୩୭:୧୦, ୧୧, ୨୯) ସେସମୟରେ ପୃଥିବୀର ଚାରିଆଡ଼େ ଖୁସି ହିଁ ଖୁସି ରହିବ ଓ ଆମ “ଶେଷ ଶତ୍ରୁ” ମୃତ୍ୟୁକୁ ସବୁଦିନ ପାଇଁ ବିନାଶ କରି ଦିଆଯାଇଥିବ ।—୧ କରି. ୧୫:୨୬.

୧୬. ଯିହୋବାଙ୍କ ବିଶ୍ୱସ୍ତ ରହିବାର ସବୁଠାରୁ ବଡ଼ କାରଣ କʼଣ ହେବା ଉଚିତ୍‌ ?

୧୬ ଏହି ଲେଖାରେ ଆମେ ବାଇବଲରୁ ତିନୋଟି କଥା ବିଷୟରେ ଜାଣିଲୁ, ଯେଉଁଥିରୁ ଆମକୁ ଭରସା ହୋଇଯାଏ ଯେ ଆମକୁ ଅନନ୍ତ ଜୀବନ ମିଳିପାରିବ । ଆମେ ସେସମୟର ବହୁତ ଆଗ୍ରହର ସହ ଅପେକ୍ଷା କରୁଛୁ ଯେବେ ଆମ ଏହି ଆଶା ପୂରା ହେବ । ନିଜ ଆଶା ବିଷୟରେ ଭାବିଲେ ଆମେ ସମସ୍ୟା ସତ୍ତ୍ୱେ ଯିହୋବାଙ୍କ ବିଶ୍ୱସ୍ତ ରହିପାରୁ । କିନ୍ତୁ ଆମେ କେବଳ ଅନନ୍ତ ଜୀବନ ପାଇବା ପାଇଁ ଯିହୋବାଙ୍କ ବିଶ୍ୱସ୍ତ ରହି ନ ଥାଉ । ଯିହୋବା ଓ ଯୀଶୁଙ୍କ ବିଶ୍ୱସ୍ତ ରହିବାର ସବୁଠାରୁ ବଡ଼ କାରଣ ହେଉଛି ଯେ ଆମେ ସେମାନଙ୍କୁ ବହୁତ ପ୍ରେମ କରୁ । (୨ କରି. ୫:୧୪, ୧୫) ଆଉ ଏହି କାରଣ ଯୋଗୁଁ ଆମେ ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରୁ ଓ ଉତ୍ସାହର ସହ ଲୋକମାନଙ୍କୁ ନିଜ ଆଶା ବିଷୟରେ କହୁ । (ରୋମୀ. ୧୦:୧୩-୧୫) ଯେବେ ଆମେ କେବଳ ନିଜ ବିଷୟରେ ଭାବିବା ନାହିଁ ଓ ଅନ୍ୟମାନଙ୍କୁ ଯିହୋବା ଓ ତାଙ୍କ ଉଦ୍ଦେଶ୍ୟ ବିଷୟରେ କହିବା, ତେବେ ଯିହୋବା ଆମଠାରୁ ଖୁସି ହେବେ ଓ ସେ ଚାହିଁବେ ଯେ ଆମେ ସବୁଦିନ ପାଇଁ ତାଙ୍କ ମିତ୍ର ହୋଇ ରହୁ ।—ଏବ୍ରୀ ୧୩:୧୬.

୧୭. ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ କʼଣ କରିବାକୁ ପଡ଼ିବ ? (ମାଥିଉ ୭:୧୩, ୧୪)

୧୭ ଆଜି ଯିହୋବା ପ୍ରତ୍ୟେକ ମଣିଷମାନଙ୍କୁ ଏହା ସୁଯୋଗ ଦେଉଛନ୍ତି ଯେ ସେମାନଙ୍କୁ ଅନନ୍ତ ଜୀବନ ମିଳୁ । କିନ୍ତୁ ଯଦି ଆମେ ଏହାକୁ ପାଇବାକୁ ଚାହୁଁ, ତେବେ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ଜୀବନ ଆଡ଼କୁ ନେଉଥିବା ରାସ୍ତାରେ ଚାଲିବା ଜାରି ରଖିବାକୁ ପଡ଼ିବ । (ମାଥିଉ ୭:୧୩, ୧୪ ପଢ଼ନ୍ତୁ ।) ନୂଆ ଦୁନିଆରେ ଯେବେ ଆମକୁ ଅନନ୍ତ ଜୀବନ ମିଳିବ, ସେସମୟରେ ଆମ ଜୀବନ କିପରି ଥିବ ? ଏହି ବିଷୟରେ ଆମେ ପରବର୍ତ୍ତୀ ଲେଖାରେ ଜାଣିବା ।

ଆପଣ କʼଣ ଉତ୍ତର ଦେବେ ?

  • ଆମେ କାହିଁକି କହିପାରିବା ଯେ ମଣିଷମାନଙ୍କୁ ଏପରି ସୃଷ୍ଟି କରାଯାଇଛି ଯେ ସେମାନେ ସବୁଦିନ ଯାଏ ବଞ୍ଚି ରହିପାରିବେ ?

  • ଆମେ କାହିଁକି କହିପାରିବା ଯେ ଯିହୋବା ଏବେ ବି ଚାହାନ୍ତି ଯେ ମନୁଷ୍ୟମାନଙ୍କୁ ଅନନ୍ତ ଜୀବନ ମିଳୁ ?

  • ଯଦି ଆମେ ସବୁଦିନ ଯାଏ ବଞ୍ଚି ରହିବାକୁ ଚାହୁଁ, ତେବେ ଏହାର ସବୁଠାରୁ ବଡ଼ କାରଣ କʼଣ ହେବା ଉଚିତ୍‌ ?

ଗୀତ ୧୪୧ କାରିସ୍ମା ହୈ ଜୀୱାନ

a ଯିହୋବା ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ଭବିଷ୍ୟତରେ ଆମେ ଏହି ପୃଥିବୀରେ ସବୁଦିନ ଯାଏ ବଞ୍ଚିପାରିବା । ସେସମୟରେ ଆମକୁ ମୃତ୍ୟୁର ଡର ନ ଥିବ । କʼଣ ଆପଣ ମଧ୍ୟ ସବୁଦିନ ଯାଏ ବଞ୍ଚିବା ପାଇଁ ଚାହାନ୍ତି ? ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ନିଜ ପ୍ରତିଜ୍ଞା ପୂରା କରିବେ ଓ ଆମେ ଏହି ପୃଥିବୀରେ ସବୁଦିନ ଯାଏ ବଞ୍ଚିପାରିବା । ଏହି ଲେଖାରେ ଆମେ ଏହାର କିଛି କାରଣ ଉପରେ ଧ୍ୟାନ ଦେବା ।

b ‘ଅନନ୍ତକାଳ ପାଇଁ’ ନାମକ ବକ୍ସ ଦେଖନ୍ତୁ ।

c ଚିତ୍ର ବିଷୟରେ: ଜଣେ ବୃଦ୍ଧ ଭାଇ ଭାବୁଛନ୍ତି ଯେ ଯେବେ ସେ ସବୁଦିନ ଯାଏ ବଞ୍ଚିବେ, ତେବେ ସେ କʼଣ କʼଣ କରିବେ ।

    ଓଡ଼ିଆ ପ୍ରକାଶନ (୧୯୯୮-୨୦୨୫)
    ଲଗ ଆଉଟ
    ଲଗ ଇନ
    • ଓଡ଼ିଆ
    • ଅନ୍ୟକୁ ପଠାନ୍ତୁ
    • ପ୍ରାଥମିକତା
    • Copyright © 2025 ୱାଚଟାୱର ବାଇବଲ ଏଣ୍ଡ ଟ୍ରାକ୍ଟ ସୋସାଇଟି ଅଫ ପେନସିଲଭାନିଆ
    • ବ୍ୟବହାରର ସର୍ତ୍ତାବଳୀ
    • ଗୋପନୀୟତାର ନୀତି
    • ଗୋପନୀୟତା ସେଟିଙ୍ଗ୍‌ସ
    • JW.ORG
    • ଲଗ ଇନ
    ଅନ୍ୟକୁ ପଠାନ୍ତୁ