ଅଧ୍ୟୟନ ଲେଖା ୨୩
‘ଯିହୋବାଙ୍କ ଅଗ୍ନିଶିଖାକୁ’ ଲିଭିବା ପାଇଁ ଦିଅନ୍ତୁ ନାହିଁ
‘[ପ୍ରେମର ଶିଖା] ଅଗ୍ନିଶିଖା, ଯିହୋବାଙ୍କ ଅଗ୍ନିଶିଖା ।’—ପଗୀ. ୮:୬.
ଗୀତ ୧୩୧ “ଯିସେ ପରମେଶ୍ୱାର ନେ ଏକ ବନ୍ଧନ ମେ ବାନ୍ଧା”
ଲେଖାର ଝଲକa
୧. ପ୍ରକୃତ ପ୍ରେମ ବିଷୟରେ ବାଇବଲରେ କʼଣ କୁହାଯାଇଛି ?
ପ୍ରେମର ଶିଖା ‘ଅଗ୍ନିଶିଖା, ଯିହୋବାଙ୍କ ଅଗ୍ନିଶିଖା । ଅପାର ଜଳରାଶି ପ୍ରେମକୁ ନିର୍ବାଣ କରି ନ ପାରେ, କିଅବା ବଢ଼ି ତାହା ବୁଡ଼ାଇ ନ ପାରେ ।’b (ପଗୀ. ୮:୬, ୭) ରାଜା ଶଲୋମନ ପ୍ରକୃତ ପ୍ରେମ ବିଷୟରେ କେତେ ଭଲଭାବେ ବୁଝାଇଛନ୍ତି ! ସ୍ୱାମୀ ସ୍ତ୍ରୀମାନେ, ଆପଣ ଭରସା ରଖନ୍ତୁ ଯେ ଆପଣ ପରସ୍ପରକୁ ପ୍ରକୃତ ପ୍ରେମ କରିପାରିବେ, ଯାହା କେବେ ବି ଶେଷ ହୁଏନି ।
୨. ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଥିବା ପ୍ରେମ ସବୁଦିନ ରହିବା ପାଇଁ ସେମାନେ କʼଣ କରିପାରିବେ ?
୨ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ସବୁଦିନ ପାଇଁ ପ୍ରେମ ରହିବ ନା ନାହିଁ ଏହା ତାଙ୍କ ଉପରେ ହିଁ ନିର୍ଭର କରେ । ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଭାବନ୍ତୁ ଆପଣ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ଜଳାଇଛନ୍ତି । ସେହି ନିଆଁ ତେବେ ହିଁ ସବୁଦିନ ଯାଏ ଜଳୁଥିବ, ଯେବେ ଆପଣ ସେଠାରେ କାଠ ଦେଉଥିବେ । ଯଦି ଆପଣ ଏପରି କରିବେନି ତାହେଲେ ଏହା ଧୀରେ ଧୀରେ ଲିଭିଯିବ । ସେହିପରି ସ୍ୱାମୀ ସ୍ତ୍ରୀଙ୍କ ପ୍ରେମର ନିଆଁ ମଧ୍ୟ ତେବେ ହିଁ ଲଗାତାର ଜଳୁଥିବ, ଯେବେ ସେମାନେ ନିଜ ବନ୍ଧନକୁ ଦୃଢ଼ କରୁଥିବେ । କିନ୍ତୁ ଅନେକଥର ଲାଗିପାରେ ଯେ ସେମାନଙ୍କ ପ୍ରେମ କମ୍ ହୋଇଯାଉଛି । ଏହା ଅନେକ କାରଣ ଯୋଗୁଁ ହୋଇପାରେ । ଯେପରି, ପଇସାର ଅଭାବ, କାହାରି ଦେହ ଯଦି ଭଲ ନାହିଁ କିମ୍ବା ଯଦି ପିଲାମାନଙ୍କ ଯତ୍ନ ନେବାରେ ସେମାନେ ଲାଗିରହନ୍ତି । ଯଦି ଆପଣ ବିବାହିତ ଅଟନ୍ତି, ତାହେଲେ ଆପଣ ‘ଯିହୋବାଙ୍କ ଅଗ୍ନିଶିଖା’ ଅର୍ଥାତ୍ ପକୃତ ପ୍ରେମର ନିଆଁ କିପରି ଜ୍ୱଳନ୍ତ ରଖିପାରିବେ ? ଏହି ଲେଖାରେ ଆମେ ଏପରି ୩ଟି ଉପାୟ ଉପରେ ଧ୍ୟାନ ଦେବା, ଯାହାଦ୍ୱାରା ସ୍ୱାମୀ ସ୍ତ୍ରୀ ନିଜ ବନ୍ଧନକୁ ଆହୁରି ଦୃଢ଼ କରିପାରିବେ ଓ ଖୁସି ରହିପାରିବେ ।c
ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ଜାରି ରଖନ୍ତୁ
ଯୋଷେଫ ଓ ମରୀୟମଙ୍କ ଭଳି, ସ୍ୱାମୀ ଓ ସ୍ତ୍ରୀ ଦୁଇଜଣଙ୍କ ସମ୍ପର୍କ ଯିହୋବାଙ୍କ ସହ ଦୃଢ଼ ହେବା ଦରକାର (ପାରାଗ୍ରାଫ ୩)
୩. ସ୍ୱାମୀ ସ୍ତ୍ରୀଙ୍କ ଯିହୋବାଙ୍କ ସହ ସମ୍ପର୍କ ଦୃଢ଼ ହେଲେ, ସେମାନଙ୍କ ପରସ୍ପରର ସମ୍ପର୍କ ମଧ୍ୟ କିପରି ଦୃଢ଼ ହୋଇପାରେ ? (ଉପଦେଶକ ୪:୧୨) (ଚିତ୍ର ମଧ୍ୟ ଦେଖନ୍ତୁ ।)
୩ ସ୍ୱାମୀ ସ୍ତ୍ରୀମାନେ, ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ବୈବାହିକ ଜୀବନରେ ‘ଯିହୋବାଙ୍କ ଅଗ୍ନିଶିଖା’ ଜ୍ୱଳନ୍ତ ରହୁ, ତେବେ ଆପଣମାନଙ୍କୁ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବାକୁ ହେବ । ଏହାଦ୍ୱାରା ଆପଣମାନଙ୍କ ପରସ୍ପରର ସମ୍ପର୍କ ମଧ୍ୟ ଦୃଢ଼ ହେବ । ତାହା କିପରି ? ଯେବେ ଜଣେ ସ୍ୱାମୀ ସ୍ତ୍ରୀ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ମହତ୍ତ୍ୱ ଦିଅନ୍ତି, ତେବେ ସେମାନେ ସହଜରେ ଯିହୋବାଙ୍କ ପରାମର୍ଶ ମାନିପାରନ୍ତି । ଏହା ସେମାନଙ୍କୁ ଏପରି ସମସ୍ୟାଗୁଡ଼ିକରୁ ବଞ୍ଚିବା ପାଇଁ ସାହାଯ୍ୟ କରିବ, ଯାହାଦ୍ୱାରା ତାଙ୍କ ପ୍ରେମ କମ୍ ହୋଇପାରେ ଓ ଯଦି ବି ଏପରି ସମସ୍ୟା ଆସେ, ତେବେ ସେମାନେ ତାହାକୁ ସମାଧାନ କରିପାରନ୍ତି । (ଉପଦେଶକ ୪:୧୨ ପଢ଼ନ୍ତୁ ।) ତାʼଛଡ଼ା ଯାହାର ଯିହୋବାଙ୍କ ସହ ସମ୍ପର୍କ ଭଲ ଥାଏ, ସେମାନେ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି । ସେମାନେ ଯିହୋବାଙ୍କ ଭଳି ଧୈର୍ଯ୍ୟ ଧରନ୍ତି, ଅନ୍ୟମାନଙ୍କୁ କ୍ଷମା କରନ୍ତି ଓ ସମସ୍ତଙ୍କ ସହ ପ୍ରେମର ସହ ବ୍ୟବହାର କରନ୍ତି । (ଏଫୀ. ୪:୩୨–୫:୧) ଏପରି କରିବା ଦ୍ୱାରା ସେମାନଙ୍କ ପ୍ରେମର ନିଆଁ ଜଳୁଥାଏ । ଭଉଣୀ ଲିନା ଯାହାଙ୍କ ବିବାହକୁ ୨୫ ବର୍ଷରୁ ବି ଅଧିକ ହୋଇଯାଇଛି । ସେ କହନ୍ତି, “ଯେଉଁ ବ୍ୟକ୍ତିର ଯିହୋବାଙ୍କ ସହ ଭଲ ସମ୍ପର୍କ ଥାଏ ତାକୁ ପ୍ରେମ ଓ ଆଦର କରିବା ସହଜ ହୋଇଥାଏ ।”
୪. ଯିହୋବା ଯୋଷେଫ ଓ ମରୀୟମଙ୍କୁ ହିଁ ମସୀହଙ୍କ ବାପାମାଆ ହେବା ପାଇଁ କାହିଁକି ବାଛିଲେ ?
୪ ବାଇବଲର ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଯେବେ ଯିହୋବାଙ୍କୁ ପୃଥିବୀରେ ମସୀହଙ୍କ ବାପାମାଆ ବାଛିବାର ଥିଲା, ତେବେ ସେ ଦାଉଦଙ୍କ ବଂଶରୁ କାହାକୁ ବି ବାଛିପାରନ୍ତେ । କିନ୍ତୁ ସେ ଯୋଷେଫ ଓ ମରୀୟମଙ୍କୁ ହିଁ କାହିଁକି ବାଛିଲେ ? କାରଣ ସେ ଦୁଇଜଣଙ୍କ ଯିହୋବାଙ୍କ ସହ ଗୋଟିଏ ଭଲ ସମ୍ପର୍କ ଥିଲା ଓ ଯିହୋବା ଏହା ବି ଜାଣିଥିଲେ ଯେ ସେମାନେ ସ୍ୱାମୀ ସ୍ତ୍ରୀ ହେବା ପରେ ମଧ୍ୟ ତାଙ୍କୁ ହିଁ ଜୀବନରେ ପ୍ରଥମ ସ୍ଥାନ ଦେବେ । ସ୍ୱାମୀ ସ୍ତ୍ରୀମାନେ, ଆପଣ ଯୋଷେଫ ଓ ମରୀୟମଙ୍କଠାରୁ କʼଣ ଶିଖିପାରିବେ ?
୫. ସ୍ୱାମୀ ଯୋଷେଫଙ୍କଠାରୁ କʼଣ ଶିଖିପାରିବେ ?
୫ ଯେବେ ଯିହୋବା ଯୋଷେଫଙ୍କୁ କିଛି ପରାମର୍ଶ ଦେଲେ, ତେବେ ସେ ତାହାକୁ ତୁରନ୍ତ ପାଳନ କଲେ । ତେଣୁ ସେ ଜଣେ ଭଲ ସ୍ୱାମୀ ହୋଇପାରିଲେ । ବାଇବଲରେ ଏପରି ତିନୋଟି ଘଟଣା ବିଷୟରେ କୁହାଯାଇଛି ଯେବେ ଯିହୋବା ଯୋଷେଫଙ୍କୁ ପରିବାର ମାମଲାରେ ନିର୍ଦ୍ଦେଶଗୁଡ଼ିକ ଦେଲେ । ଏହା ସତ ଯେ ସେହି ନିର୍ଦ୍ଦେଶଗୁଡ଼ିକୁ ପାଳନ କରିବା ପାଇଁ ତାଙ୍କୁ ବଡ଼ ବଡ଼ ପରିବର୍ତ୍ତନ କରିବାର ଥିଲା, ତଥାପି ସେ ପ୍ରତ୍ୟେକ ଥର ସେହି ନିର୍ଦ୍ଦେଶଗୁଡ଼ିକୁ ମାନିଲେ । (ମାଥି. ୧:୨୦, ୨୪; ୨:୧୩-୧୫, ୧୯-୨୧) ଯିହୋବାଙ୍କ ପରାମର୍ଶଗୁଡ଼ିକୁ ମାନିବା ଦ୍ୱାରା ସେ ମରୀୟମଙ୍କୁ ସୁରକ୍ଷା ଦେଇପାରିଲେ, ତାଙ୍କୁ ସହଯୋଗ କରିପାରିଲେ ଓ ତାଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରିପାରିଲେ । ଭାବନ୍ତୁ, ମରୀୟମ ଯେବେ ଦେଖିଥିବେ ଯେ ଯୋଷେଫ କିପରି ଯିହୋବାଙ୍କ ନିର୍ଦ୍ଦେଶଗୁଡ଼ିକୁ ମାନୁଛନ୍ତି, ତେବେ ତାଙ୍କ ହୃଦୟରେ ଯୋଷେଫଙ୍କ ପାଇଁ ଆହୁରି ପ୍ରେମ ଓ ଆଦର ବଢ଼ିଯାଇଥିବ ! ସ୍ୱାମୀମାନେ, ଆପଣ ବି ପରିବାରର ଯତ୍ନ ନେବା ମାମଲାରେ ବାଇବଲରେ ଦିଆଯାଇଥିବା ପରାମର୍ଶ ମାନି ଯୋଷେଫଙ୍କ ଭଳି ହୋଇପାରିବେ ।d ହୁଏତ ଏପରି କରିବା ପାଇଁ ଆପଣଙ୍କୁ ବଡ଼ ବଡ଼ ପରିବର୍ତ୍ତନ କରିବାକୁ ପଡ଼ିପାରେ, କିନ୍ତୁ ଏପରି କରି ଆପଣ ଦେଖାଇବେ ଯେ ଆପଣ ନିଜ ସ୍ତ୍ରୀଙ୍କୁ ବହୁତ ପ୍ରେମ କରନ୍ତି । ଏପରି ଭାବେ ଆପଣ ଦୁଇଜଣଙ୍କ ସମ୍ପର୍କ ଦୃଢ଼ ହୋଇଯିବ । ବନୁଆତୁ ଦେଶରେ ରହୁଥିବା ଜଣେ ଭଉଣୀ ଯାହାଙ୍କ ବିବାହକୁ ୨୦ ବର୍ଷରୁ ବି ଅଧିକ ହୋଇଯାଇଛି । ସେ କହନ୍ତି, “ଯେବେ ମୋ ସ୍ୱାମୀ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତି ଯେ କୌଣସି ମାମଲା ବିଷୟରେ ଯିହୋବା କʼଣ ପରାମର୍ଶ ଦେଇଛନ୍ତି ଓ ତାʼପରେ ତାହାକୁ ପାଳନ କରନ୍ତି, ତେବେ ତାଙ୍କ ପ୍ରତି ମୋ ହୃଦୟରେ ସମ୍ମାନ ବଢ଼ିଯାଏ । ମୋତେ ଭରସା ହୋଇଯାଏ ଯେ ସେ ଯାହା ବି ନିଷ୍ପତ୍ତି ନେବେ, ତାହା ଠିକ୍ ଥିବ ଓ ତାʼପରେ ମୋତେ କୌଣସି ବି କଥା ପାଇଁ ଚିନ୍ତା ହୁଏନି ।”
୬. ସ୍ତ୍ରୀମାନେ ମରୀୟମଙ୍କଠାରୁ କʼଣ ଶିଖିପାରିବେ ?
୬ ମରୀୟମଙ୍କ ଯିହୋବାଙ୍କ ସହ ଭଲ ସମ୍ପର୍କ ଥିଲା । ନିଜ ବିଶ୍ୱାସ ବଢ଼ାଇବା ପାଇଁ ସେ ଯୋଷେଫଙ୍କ ଉପରେ ନିର୍ଭର ନ ଥିଲେ, ବରଂ ସେ ନିଜେ ପରିଶ୍ରମ କଲେ । ତାଙ୍କୁ ଶାସ୍ତ୍ର ବିଷୟରେ ବହୁତ ଭଲଭାବେ ଜଣାଥିଲା । (ଲୂକ ୧:୪୬ ପଦର ଅଧ୍ୟୟନ ନୋଟ୍ ଦେଖନ୍ତୁ ।) ସେ ଯାହା ଶିଖାଉଥିଲେ, ତାʼଉପରେ ଗଭୀର ଭାବେ ଚିନ୍ତନ କରିବା ପାଇଁ ସମୟ ବାହାର କରୁଥିଲେ । (ଲୂକ ୨:୧୯, ୫୧) ଯିହୋବାଙ୍କ ସହ ଭଲ ସମ୍ପର୍କ ହେବା ଦ୍ୱାରା ସେ ଜଣେ ଭଲ ସ୍ତ୍ରୀ ହୋଇପାରିଲେ । ଆଜି ବହୁତ ବିବାହିତ ଭଉଣୀମାନେ ମଧ୍ୟ ମରୀୟମଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି । ଟିକେ ଭଉଣୀ ଏମିକୋଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ବିବାହ ପୂର୍ବେ ଉପାସନା ସହ ଜଡ଼ିତ କାମଗୁଡ଼ିକୁ କରିବା ପାଇଁ ମୋର ଭଲ ସେଡ୍ୟୁଲ ଥିଲା । କିନ୍ତୁ ବିବାହ ପରେ ମୋ ସ୍ୱାମୀ ଆମ ପାଇଁ ପ୍ରାର୍ଥନା କରୁଥିଲେ ଓ ପାରିବାରିକ ଉପାସନା କରିବା ପାଇଁ ନେତୃତ୍ୱ ନେଉଥିଲେ । ତେଣୁ ଏସବୁ କରିବା ପାଇଁ ମୁଁ ତାଙ୍କ ଉପରେ ହିଁ ନିର୍ଭର ହୋଇଯାଇଥିଲି । ତାʼପରେ ମୋତେ ଅନୁଭବ ହେଲା ଯେ ମୋତେ ନିଜେ ଆପଣା ଭାର ବହନ କରିବାକୁ ପଡ଼ିବ ଓ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ନିଜେ ବି କିଛି କରିବାକୁ ପଡ଼ିବ । ତେଣୁ ଏବେ ମୁଁ ନିଜ ଈଶ୍ୱରଙ୍କ ସହ ସମୟ ବିତାଇବା ପାଇଁ କିଛି ସମୟ ଅଲଗା ରଖେ ଓ ସେସମୟରେ ମୁଁ ପ୍ରାର୍ଥନା କରେ, ବାଇବଲ ପଢ଼େ ଓ ତାʼଉପରେ ଚିନ୍ତନ କରେ ।” (ଗାଲା. ୬:୫) ସ୍ତ୍ରୀମାନେ, ଯେବେ ଆପଣ ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ପାଇଁ ପରିଶ୍ରମ କରୁଥିବେ, ତେବେ ଆପଣଙ୍କ ସ୍ୱାମୀ ଆପଣଙ୍କୁ ଆହୁରି ପ୍ରେମ କରିବେ ଓ ଆପଣଙ୍କ ପ୍ରଶଂସା କରିବେ ।—ହିତୋ. ୩୧:୩୦.
୭. ସ୍ୱାମୀ ସ୍ତ୍ରୀ ମିଶି ଉପାସନା କରିବା ବିଷୟରେ ଯୋଷେଫ ଓ ମରୀମୟଙ୍କଠାରୁ କʼଣ ଶିଖିପାରିବେ ?
୭ ଯୋଷେଫ ଓ ମରୀୟମ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ସାଙ୍ଗରେ ମିଶି ବହୁତ କିଛି କଲେ । ସେମାନେ ଜାଣିଥିଲେ ଯେ ଗୋଟେ ପରିବାର ଭାବେ ଯିହୋବାଙ୍କ ଉପାସନା କରିବା ବହୁତ ଜରୁରୀ ଅଟେ । (ଲୂକ ୨:୨୨-୨୪, ୪୧; ୪:୧୬) ଯେବେ ସେମାନଙ୍କ ଆହୁରି ପିଲାମାନେ ହୋଇଗଲେ, ତେବେ ସେମାନଙ୍କ ପାଇଁ ଏପରି କରିବା ବହୁତ କଠିନ ହୋଇଥିବ । ତଥାପି ସେମାନେ ମିଶି ଯିହୋବାଙ୍କ ଉପାସନା କରିବା ଜାରି ରଖିଲେ । ଯୋଷେଫ ଓ ମରୀୟମ ସ୍ୱାମୀ ସ୍ତ୍ରୀମାନଙ୍କ ପାଇଁ ବଢ଼ିଆ ଉଦାହରଣ ଅଟନ୍ତି ! ଯଦି ତାଙ୍କ ଭଳି ଆପଣଙ୍କ ବି ପିଲାମାନେ ଅଛନ୍ତି, ତେବେ ସଭାରେ ଯିବା ଓ ପାରିବାରିକ ଉପାସନା କରିବା ପାଇଁ ସମୟ ବାହାର କରିବା ଆପଣଙ୍କ ପାଇଁ ବି ସହଜ ହେଉ ନ ଥିବ । ଆଉ ସ୍ୱାମୀ ସ୍ତ୍ରୀ ଭାବେ ମିଶି ଅଧ୍ୟୟନ କରିବା ଓ ପ୍ରାର୍ଥନା କରିବା ପାଇଁ ସମୟ ବାହାର କରିବା ତ ଆହୁରି କଠିନ ହୋଇଯାଉଥିବ । କିନ୍ତୁ ମନେରଖନ୍ତୁ, ଯେବେ ଆପଣ ସାଙ୍ଗରେ ମିଶି ତାଙ୍କ ଉପାସନା କରିବେ, ତେବେ ଆପଣ ଯିହୋବାଙ୍କ ଓ ପରସ୍ପରର ଆହୁରି ନିକଟତର ହୋଇଯିବେ । ତେଣୁ ଯିହୋବାଙ୍କ ଉପାସନାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତୁ ।
୮. ଯେଉଁ ସ୍ୱାମୀ ସ୍ତ୍ରୀଙ୍କ ବୈବାହିକ ଜୀବନରେ କିଛି ସମସ୍ୟା ଆସିଯାଇଛି, ସେମାନେ ପାରିବାରିକ ଉପାସନାରୁ ପୂରା ଲାଭ ପାଇବା ପାଇଁ କʼଣ କରିପାରିବେ ?
୮ ହୋଇପାରେ, ଆପଣଙ୍କ ବୈବାହିକ ଜୀବନରେ ସମସ୍ୟା ଥିବ । ଏପରି ସମୟରେ ହୁଏତ ମିଶି ପାରିବାରିକ ଉପାସନା କରିବା ପାଇଁ ଆପଣଙ୍କୁ ଇଚ୍ଛା ହେବନି । ତଥାପି ସାଙ୍ଗରେ ମିଶି ଟିକେ କିଛି କରିବା ପାଇଁ ଚେଷ୍ଟା କରନ୍ତୁ । ଏପରି କିଛି କରନ୍ତୁ ଯେଉଁଥିରୁ ଆପଣ ଦୁଇଜଣଙ୍କୁ ମଜା ଆସିବ । ଯଦି ଆପଣ ଏପରି କରିବେ, ତାହେଲେ ଆପଣଙ୍କ ସମ୍ପର୍କ ଭଲ ହେବ ଓ ହୁଏତ ଆପଣମାନଙ୍କୁ ସାଙ୍ଗରେ ମିଶି ଯିହୋବାଙ୍କ ଉପାସନା କରିବା ପାଇଁ ଇଚ୍ଛା ହେବ ।
ଏକାସହ ମିଶି ସମୟ ବିତାନ୍ତୁ
୯. ସ୍ୱାମୀ ସ୍ତ୍ରୀମାନଙ୍କୁ ପରସ୍ପର ସହ ସମୟ କାହିଁକି ବିତାଇବା ଦରକାର ?
୯ ସ୍ୱାମୀ ସ୍ତ୍ରୀମାନେ, ଆପଣ ଏକାସହ ସମୟ ବିତାଇ ମଧ୍ୟ ନିଜ ପ୍ରେମର ନିଆଁ ଜଳାଇ ରଖିପାରିବେ । ସାଙ୍ଗରେ ମିଶି ସମୟ ବିତାଇ ଆପଣ ଜାଣିପାରିବେ ଯେ ଆପଣଙ୍କ ସାଥୀ କିପରି ଅନୁଭବ କରନ୍ତି ଓ କʼଣ ଭାବନ୍ତି । (ଆଦି. ୨:୨୪) ଟିକେ ଭାଇ ରୁସଲାନ୍ ଓ ଭଉଣୀ ଲିଲିଆଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ବିବାହକୁ ୧୫ ବର୍ଷରୁ ବି ଅଧିକ ହୋଇଯାଇଛି । ଧ୍ୟାନ ଦିଅନ୍ତୁ ଯେ ବିବାହର କିଛି ସମୟ ପରେ ସେମାନଙ୍କୁ କେଉଁ କଥାର ଅନୁଭବ ହେଲା । ଭଉଣୀ ଲିଲିଆ କହନ୍ତି, “ଆମେ ଦେଖିଲୁ ଯେ ଆମେ ପରସ୍ପରକୁ ସେତେ ସମୟ ଦେଇପାରୁ ନାହୁଁ ଯେତେ ଆମେ ଭାବିଥିଲୁ । ପୂରା ଦିନ ଚାକିରି ଓ ଘର କାମ କରିବାରେ ହିଁ ଚାଲିଯାଉଥିଲା । ଆଉ ଆଗକୁ ଯାଇ ଯେବେ ପିଲାମାନେ ହେଲେ, ତେବେ ଆମେ ଆହୁରି ବ୍ୟସ୍ତ ହୋଇଗଲୁ । ଆମେ ବୁଝିଗଲୁ ଯେ ଯଦି ଆମେ ପରସ୍ପରକୁ ସମୟ ଦେବାନି, ତାହେଲେ ଆମେ ହୁଏତ ପରସ୍ପରଠୁ ଦୂରେଇ ଯିବା ।”
୧୦. ସ୍ୱାମୀ ସ୍ତ୍ରୀ ଏଫିସୀୟ ୫:୧୫, ୧୬ ପଦରେ ଦିଆଯାଇଥିବା ପରାମର୍ଶକୁ ମାନିବା ପାଇଁ କʼଣ କରିପାରିବେ ?
୧୦ ସ୍ୱାମୀ ସ୍ତ୍ରୀ ପରସ୍ପର ସହ ସମୟ ବିତାଇବା ପାଇଁ କʼଣ କରିପାରିବେ ? ପୂର୍ବରୁ ନିର୍ଦ୍ଧାରିତ କରନ୍ତୁ ଯେ ଆପଣ କେବେ ପରସ୍ପର ସହ ସମୟ ବିତାଇବେ । (ଏଫିସୀୟ ୫:୧୫, ୧୬ ପଢ଼ନ୍ତୁ ।) ନାଇଜେରିଆରେ ରହୁଥିବା ଭାଇ ଉଜଣ୍ଡୁ କହନ୍ତି, “ଯେବେ ମୁଁ ଭାବେ ଯେ କେଉଁ କାମ କେବେ କରିବି, ତେବେ ମୁଁ ଏହା ବି ଭାବେ ଯେ ମୁଁ ନିଜ ସ୍ତ୍ରୀ ସହିତ କେତେବେଳେ ସମୟ ବିତାଇବି । ମୁଁ ଏହାକୁ କେବେ ବି ଛୋଟ କଥା ବୋଲି ଭାବେନି ।” (ଫିଲିପ୍. ୧:୧୦) ଧ୍ୟାନ ଦିଅନ୍ତୁ ଯେ ମୋଲ୍ଦୋୱାରେ ରହୁଥିବା ଭଉଣୀ ଏନଷ୍ଟାସିଆ କିପରି ନିଜ ସମୟର ଭଲ ବ୍ୟବହାର କରନ୍ତି । ତାଙ୍କ ସ୍ୱାମୀ ସର୍କିଟ ଅଧ୍ୟକ୍ଷ ଅଟନ୍ତି । ସେ କହନ୍ତି, “ମୋ ସ୍ୱାମୀ ଯେତେବେଳେ ସର୍କିଟର କାମ କରନ୍ତି, ତେବେ ମୁଁ ସେସବୁ କାମ କରିଦିଏ ଯାହା ମୋତେ ଏକୁଟିଆ କରିବାକୁ ପଡ଼େ । ଏପରି କରିବା ଦ୍ୱାରା ଆମେ ପରେ ସାଙ୍ଗରେ ମିଶି ସମୟ ବିତାଇପାରୁ ।” କିନ୍ତୁ ଅନ୍ୟ କାମଗୁଡ଼ିକ ଯୋଗୁଁ ଆପଣଙ୍କ ପାଇଁ ସାଙ୍ଗରେ ମିଶି ସମୟ ବିତାଇବା କଠିନ ହେଉଛି, ତେବେ ଆପଣ କʼଣ କରିପାରିବେ ?
ସ୍ୱାମୀ ସ୍ତ୍ରୀମାନେ, ଆପଣ କେଉଁ କେଉଁ କାମ ସାଙ୍ଗରେ ମିଶି କରିପାରିବେ ? (ପାରାଗ୍ରାଫ ୧୧-୧୨)
୧୧. ଅକ୍ୱିଲା ଓ ପ୍ରୀସ୍କା ସାଙ୍ଗରେ ମିଶି କʼଣ କʼଣ କଲେ ?
୧୧ ସ୍ୱାମୀ ସ୍ତ୍ରୀମାନେ, ଅକ୍ୱିଲା ଓ ପ୍ରୀସ୍କାଙ୍କଠାରୁ ମଧ୍ୟ ଅନେକ କଥା ଶିଖିପାରିବେ । ପ୍ରଥମ ଶତାବ୍ଦୀର ଭାଇଭଉଣୀମାନେ ସେମାନଙ୍କ ବହୁତ ଆଦର କରୁଥିଲେ । (ରୋମୀ. ୧୬:୩, ୪) ବାଇବଲରେ ସେମାନଙ୍କ ବୈବାହିକ ଜୀବନ ବିଷୟରେ ବେଶି କିଛି କୁହାଯାଇ ନାହିଁ । କିନ୍ତୁ ଆମେ ଏହାଜାଣୁ ଯେ ସେମାନେ ସାଙ୍ଗରେ ମିଶି କାମ କଲେ, ପ୍ରଚାର କାମ କଲେ ଓ ଅନ୍ୟମାନଙ୍କ ସାହାଯ୍ୟ ବି କଲେ । (ପ୍ରେରି. ୧୮:୨, ୩, ୨୪-୨୬) ଦେଖିବାକୁ ଗଲେ ବାଇବଲରେ ସବୁବେଳେ ଅକ୍ୱିଲା ଓ ପ୍ରୀସ୍କାଙ୍କ ନାମ ସାଙ୍ଗରେ ହିଁ ଆସେ ।
୧୨. ସ୍ୱାମୀ ସ୍ତ୍ରୀ ପରସ୍ପର ସହ ଆହୁରି ବେଶି ସମୟ ବିତାଇବା ପାଇଁ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୨ ସ୍ୱାମୀ ସ୍ତ୍ରୀମାନେ, ଆପଣ ଅକ୍ୱିଲା ଓ ପ୍ରୀସ୍କାଙ୍କଠାରୁ କʼଣ ଶିଖିପାରିବେ ? ଭାବନ୍ତୁ ଯେ ଆପଣ ଦୁଇଜଣଙ୍କୁ କେଉଁ କେଉଁ କାମ କରିବାକୁ ପଡ଼େ । କʼଣ ସେମଧ୍ୟରୁ କିଛି କାମ ଆପଣ ସାଙ୍ଗରେ ମିଶି କରିପାରିବେ ? ଅକ୍ୱିଲା ଓ ପ୍ରୀସ୍କା ସାଙ୍ଗରେ ମିଶି ପ୍ରଚାର କରୁଥିଲେ । କʼଣ ଆପଣ ପ୍ରାୟ ସାଙ୍ଗରେ ମିଶି ପ୍ରଚାର କରନ୍ତି ? ଅକ୍ୱିଲା ଓ ପ୍ରୀସ୍କା ସାଙ୍ଗରେ ମିଶି କାମ ବି କରୁଥିଲେ । ହୁଏତ ଆପଣ ଓ ଆପଣଙ୍କ ସାଥୀ ଏକାସହ ଚାକିରି କରୁ ନ ଥିବେ । କିନ୍ତୁ କʼଣ ଆପଣ ଘର କାମ ସାଙ୍ଗରେ ମିଶି କରିପାରିବେ ? (ଉପ. ୪:୯) ଯେବେ ସ୍ୱାମୀ ସ୍ତ୍ରୀ କୌଣସି କାମରେ ପରସ୍ପରକୁ ସାହାଯ୍ୟ କରନ୍ତି, ତେବେ ସେମାନଙ୍କ ପାଖରେ କଥା ହେବା ପାଇଁ ଭଲ ସୁଯୋଗ ଥାଏ ଓ ସେମାନେ ପରସ୍ପରର ଆହୁରି ନିକଟତର ଅନୁଭବ କରନ୍ତି । ଟିକେ ଭାଇ ରୋବର୍ଟ ଓ ଲିଣ୍ଡାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ବିବାହକୁ ୫୦ ବର୍ଷରୁ ବି ଅଧିକ ହୋଇଯାଇଛି । ଭାଇ ରୋବର୍ଟ କହନ୍ତି, “ସତ କହିଲେ ଆମ ପାଖରେ ଏତେ ସମୟ ନ ଥାଏ ଯେ ଆମେ ପରସ୍ପର ସହ ଆରାମରେ ବସି କଥା ହୋଇପାରିବା । କିନ୍ତୁ ମୁଁ ଯେବେ ବାସନ ମାଜେ, ତେବେ ମୋ ସ୍ତ୍ରୀ ପାଖରେ ଛିଡ଼ା ହୋଇ ସେହି ବାସନଗୁଡ଼ିକୁ କପଡ଼ାରେ ପୋଛନ୍ତି । କିମ୍ବା ମୁଁ ଯେବେ ବଗିଚାରେ କାମ କରେ ଓ ମୋ ସ୍ତ୍ରୀ ମୋତେ ସାହାଯ୍ୟ କରନ୍ତି, ତେବେ ମୋତେ ବହୁତ ଭଲ ଲାଗେ । ସାଙ୍ଗରେ ମିଶି କାମ କଲେ ଆମେ ପରସ୍ପରର ନିକଟତର ଅନୁଭବ କରୁ ଓ ପରସ୍ପର ପ୍ରତି ଆମ ପ୍ରେମ ଆହୁରି ବଢ଼ିଯାଏ ।”
୧୩. ପରସ୍ପରର ନିକଟତର ହେବା ପାଇଁ ସ୍ୱାମୀ ସ୍ତ୍ରୀଙ୍କୁ କʼଣ କରିବା ଉଚିତ୍ ?
୧୩ ସ୍ୱାମୀ ସ୍ତ୍ରୀମାନେ, ମନେରଖନ୍ତୁ ଯେ କେବଳ ସାଙ୍ଗରେ ରହିଲେ ଆପଣ ପରସ୍ପରର ନିକଟତର ହୋଇଯିବେନି । ବ୍ରାଜିଲରେ ରହୁଥିବା ଜଣେ ବିବାହିତ ଭଉଣୀ କହନ୍ତି, “ବେଳେବେଳେ ଲାଗିପାରେ ଯେ ଆମେ ଗୋଟେ ଘରେ ରହି ପରସ୍ପର ସହ ଭଲ ସମୟ ବିତାଉଛୁ । କିନ୍ତୁ ଏପରି ଭାବି ପ୍ରକୃତରେ ଆମେ ନିଜକୁ ହିଁ ଧୋକା ଦେଉଥିବା, କାରଣ ଆଜି ଆମ ଚାରିପାଖରେ ଏପରି ଜିନିଷଗୁଡ଼ିକ ଅଛି ଯାହା ଆମକୁ ଅତି ସହଜରେ ବ୍ୟସ୍ତ କରିଦିଏ ଓ ଆମେ ସାଙ୍ଗରେ ରହି ମଧ୍ୟ ସାଙ୍ଗରେ ନ ଥାଉ । ମୋତେ ଅନୁଭବ ହେଲା ଯେ କେବଳ ସାଙ୍ଗରେ ରହିବା ଯଥେଷ୍ଟ ନୁହେଁ । ମୋତେ ନିଜ ସ୍ୱାମୀଙ୍କ ଉପରେ ପୂରା ଧ୍ୟାନ ବି ଦେବାର ଅଛି ।” ଧ୍ୟାନ ଦିଅନ୍ତୁ ଯେ ଭାଇ ବ୍ରୁନୋ ଓ ତାଙ୍କ ସ୍ତ୍ରୀ ଟାଇଜ୍ ପରସ୍ପର ପ୍ରତି ଧ୍ୟାନ ଦେବା ପାଇଁ କʼଣ କରନ୍ତି । ଭାଇ କହନ୍ତି, “ଯେବେ ଆମେ ସାଙ୍ଗରେ ଥାଉ, ତେବେ ଆମେ ନିଜ ଫୋନ୍କୁ ଦୂରରେ ରଖିଦେଉ, ଯାହାଦ୍ୱାରା ଆମେ ପରସ୍ପର ସହ ଭଲ ସମୟ ବିତାଇପାରୁ ।”
୧୪. ଯଦି କେହି ସ୍ୱାମୀ ସ୍ତ୍ରୀଙ୍କୁ ପରସ୍ପର ସହ ସମୟ ବିତାଇବା ଭଲ ଲାଗେନି, ତେବେ ସେମାନେ କʼଣ କରିପାରିବେ ?
୧୪ ହୋଇପାରେ, ଆପଣଙ୍କୁ ପରସ୍ପର ସହ ସମୟ ବିତାଇବା ଭଲ ଲାଗେନି । ହୁଏତ ଆପଣଙ୍କ ପସନ୍ଦ ନାପସନ୍ଦ ଅଲଗା ଥିବ କିମ୍ବା ଆପଣ ପରସ୍ପରର କଥାରୁ ବିରକ୍ତ ହୋଇଯାନ୍ତି । ଏପରି ସମୟରେ ଆପଣ କʼଣ କରିପାରିବେ ? ପୁଣିଥରେ ସେହି ନିଆଁର ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ନିଆଁ ଜଳାଇବା ପରେ ତୁରନ୍ତ ସେଥିରୁ ଅଗ୍ନିଶିଖା ଆସେନି । ଆମକୁ ଧୀରେ ଧୀରେ ସେଠାରେ କାଠ ଦେବାକୁ ପଡ଼େ, ପ୍ରଥମେ ଛୋଟ ଛୋଟ କାଠ ଓ ତାʼପରେ ବଡ଼ ବଡ଼ କାଠ ଦିଆଯାଏ । ସେହିପରି ପ୍ରତିଦିନ ପରସ୍ପର ସହ ସମୟ ବିତାନ୍ତୁ । ଧ୍ୟାନ ରଖନ୍ତୁ ଯେ ଆପଣ ଏପରି କୌଣସି କାମ କରନ୍ତୁ ନାହିଁ, ଯାହାଦ୍ୱାରା ଆପଣଙ୍କ ସାଥୀଙ୍କୁ ରାଗ ଲାଗିବ । ବରଂ ଏପରି କିଛି କରିବା ପାଇଁ ଚେଷ୍ଟା କରନ୍ତୁ ଯାହାଦ୍ୱାରା ଆପଣ ଦୁଇଜଣଙ୍କୁ ମଜା ଲାଗିବ । (ଯାକୁ. ୩:୧୮) ଏପରି ଭାବେ ଆପଣ ଟିକେ ଟିକେ କରି ସମୟ ବିତାଇବା ଆରମ୍ଭ କରିବେ, ତେବେ ହୁଏତ ଆପଣଙ୍କ ପ୍ରେମର ଶିଖା ପୁଣିଥରେ ଜଳିବାକୁ ଲାଗିବ ।
ପରସ୍ପରର ଆଦର କରନ୍ତୁ
୧୫. ସ୍ୱାମୀ ସ୍ତ୍ରୀ ପରସ୍ପରର ଆଦର କରିବା କାହିଁକି ଜରୁରୀ ?
୧୫ ସ୍ୱାମୀ ସ୍ତ୍ରୀଙ୍କୁ ପରସ୍ପରର ଆଦର ବି କରିବା ଉଚିତ୍ । ଏହା ସେହି ପବନ ଭଳି ଅଟେ ଯାହାଦ୍ୱାରା ଲଗାତାର ନିଆଁ ଜଳୁଥାଏ । କିନ୍ତୁ ଯଦି ପବନ ଦିଆ ନ ଯାଏ, ତାହେଲେ ନିଆଁ ଶୀଘ୍ର ଲିଭିଯିବ । ସେହିପରି ଯଦି ସ୍ୱାମୀ ସ୍ତ୍ରୀ ପରସ୍ପରର ଆଦର କରିବେନି, ତାହେଲେ ସେମାନଙ୍କ ମଧ୍ୟରେ ପ୍ରେମ କମ୍ ହୋଇପାରେ । କିନ୍ତୁ ଯଦି ସେମାନେ ପରସ୍ପରର ଆଦର କରିବା ପାଇଁ ଚେଷ୍ଟା କରିବେ, ତେବେ ସେମାନଙ୍କ ମଧ୍ୟରେ ପ୍ରେମ ରହିବ । କିନ୍ତୁ ଗୋଟେ କଥାର ଧ୍ୟାନ ରଖନ୍ତୁ: ହୁଏତ ଆପଣଙ୍କୁ ଲାଗିବ ଯେ ଆପଣ ନିଜ ସାଥୀଙ୍କ ଆଦର କରୁଛନ୍ତି, କିନ୍ତୁ ଜରୁରୀ କଥା ଏହା ଯେ ଆପଣଙ୍କ ସାଥୀଙ୍କୁ ବି ଏହା ଅନୁଭବ ହେବା ଦରକାର ଯେ ଆପଣ ତାଙ୍କ ଆଦର କରନ୍ତି । ଭାଇ ଆରେଟ୍ ଓ ପେନିଙ୍କ ବିବାହକୁ ୨୫ ବର୍ଷରୁ ବି ଅଧିକ ହୋଇଯାଇଛି । ସେ କହନ୍ତି, “ଆମେ ପରସ୍ପରର ଆଦର କରୁ, ତେଣୁ ଆମ ଘର ପ୍ରେମରେ ଭରି ରହେ । ଆମେ ଖୋଲିକି ପରସ୍ପରକୁ ନିଜ କଥା କହିପାରୁ, କାରଣ ଆମେ ଜାଣୁ ଯେ ଆମେ ପରସ୍ପରର ମତକୁ ଆଦର କରିବା ।” ତାହେଲେ ଆପଣ କʼଣ କରିପାରିବେ, ଯେଉଁଥିରୁ ଆପଣଙ୍କ ସାଥୀଙ୍କୁ ଅନୁଭବ ହେବ ଯେ ଆପଣ ତାଙ୍କ ଆଦର କରନ୍ତି ? ଆସନ୍ତୁ ଅବ୍ରହାମ ଓ ସାରାଙ୍କ ଉଦାହରଣରୁ ଶିଖିବା ।
ଜଣେ ଖ୍ରୀଷ୍ଟିୟାନ ସ୍ୱାମୀଙ୍କୁ ନିଜ ସ୍ତ୍ରୀଙ୍କ ଧ୍ୟାନର ସହ ଶୁଣିବା ଉଚିତ୍; ଏପରି କରି ସେ ତାଙ୍କ ଆଦର କରୁଥିବେ (ପାରାଗ୍ରାଫ ୧୬)
୧୬. ସ୍ୱାମୀ ଅବ୍ରହାମଙ୍କଠାରୁ କʼଣ ଶିଖିପାରିବେ ? (୧ ପିତର ୩:୭) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ଅବ୍ରହାମ ସାରାଙ୍କ ବହୁତ ଆଦର କରୁଥିଲେ । ସେ ତାଙ୍କ ମତ ଜାଣିବା ପାଇଁ ଚେଷ୍ଟା କରୁଥିଲେ ଓ ତାଙ୍କ ଭାବନାର ମଧ୍ୟ ଧ୍ୟାନ ରଖୁଥିଲେ । ଥରେ ସାରା ବହୁତ ଚିନ୍ତିତ ଥିଲେ ଓ ସେ ଅବ୍ରହାମଙ୍କୁ ବହୁତ କିଛି କହିଦେଲେ, ଏପରିକି ତାଙ୍କ ଉପରେ ଆରୋପ ବି ଲଗାଇଲେ । ସେସମୟରେ କʼଣ ଅବ୍ରହାମ ମଧ୍ୟ ତାଙ୍କ ଉପରେ ରାଗିଗଲେ ? ନା, ସେ ଜାଣିଥିଲେ ଯେ ସାରା ସବୁବେଳେ ତାଙ୍କ ଅଧିନରେ ରହନ୍ତି ଓ ତାଙ୍କ ସହଯୋଗ କରନ୍ତି । ତେଣୁ ସେ ଧ୍ୟାନର ସହ ତାଙ୍କ କଥା ଶୁଣିଲେ ଓ ମାମଲାକୁ ସମାଧାନ କରିବା ପାଇଁ ଚେଷ୍ଟା କଲେ । (ଆଦି. ୧୬:୫, ୬) ସ୍ୱାମୀ ଅବ୍ରହାମଙ୍କଠାରୁ କʼଣ ଶିଖିପାରିବେ ? ସ୍ୱାମୀମାନେ, ଯିହୋବା ଆପଣଙ୍କୁ ନିଜ ପରିବାର ପାଇଁ ନିଷ୍ପତ୍ତି ନେବାର ଅଧିକାର ଦେଇଛନ୍ତି । (୧ କରି. ୧୧:୩) କିନ୍ତୁ କୌଣସି ନିଷ୍ପତ୍ତି ନେବା ପୂର୍ବେ ଭଲ ହେବ ଯେ ଆପଣ ନିଜ ସ୍ତ୍ରୀଙ୍କ ମତ ବି ପଚାରନ୍ତୁ, ବିଶେଷ କରି ସେସମୟରେ ଯେବେ ସେହି ନିଷ୍ପତ୍ତିର ପ୍ରଭାବ ତାଙ୍କ ଉପରେ ବି ହେବ । (୧ କରି. ୧୩:୪, ୫) ହୋଇପାରେ, ବେଳେବେଳେ ସ୍ତ୍ରୀ ବହୁତ ଚିନ୍ତିତ ଥିବେ ଓ ଆପଣଙ୍କୁ କହିବାକୁ ଚାହୁଁଥିବେ ଯେ ସେ କିପରି ଅନୁଭବ କରୁଛନ୍ତି । ଏପରି ସମୟରେ ତାଙ୍କ ଧ୍ୟାନର ସହ ଶୁଣନ୍ତୁ । ଏପରି କରି ଆପଣ ଦେଖାଇବେ ଯେ ଆପଣ ତାଙ୍କର ଆଦର କରନ୍ତି । (୧ ପିତର ୩:୭ ପଢ଼ନ୍ତୁ ।) ଭାଇ ଦିମିତ୍ରି ଓ ଭଉଣୀ ଏଞ୍ଜେଲାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ବିବାହକୁ ପ୍ରାୟ ୩୦ ବର୍ଷ ହୋଇଯାଇଛି । ଭଉଣୀ କହନ୍ତି ଯେ ତାଙ୍କୁ କାହିଁକି ଲାଗେ ଯେ ତାଙ୍କ ସ୍ୱାମୀ ତାଙ୍କ ଆଦର କରନ୍ତି । ସେ କହନ୍ତି, “ଯେବେ ମୁଁ ବହୁତ ଚିନ୍ତିତ ଥାଏ କିମ୍ବା ତାଙ୍କ ସହ କେବଳ କଥା ହେବା ପାଇଁ ଚାହେଁ, ତେବେ ଦିମିତ୍ରି ସବୁବେଳେ ଧ୍ୟାନର ସହ ମୋ କଥା ଶୁଣନ୍ତି । ଅନେକଥର ମୁଁ ଭାବୁକ ହୋଇଯାଏ, ତେବେ ବି ସେ ଧୈର୍ଯ୍ୟ ଧରନ୍ତି ।”
୧୭. ସ୍ତ୍ରୀମାନେ ସାରାଙ୍କ ଉଦାହରଣରୁ କʼଣ ଶିଖିପାରିବେ ? (୧ ପିତର ୩:୫, ୬)
୧୭ ଯେବେ ବି ଅବ୍ରହାମ କୌଣସି ନିଷ୍ପତ୍ତି ନେଉଥିଲେ, ସେଥିରେ ସାରା ତାଙ୍କୁ ସହଯୋଗ କରୁଥିଲେ । (ଆଦି. ୧୨:୫) ଏପରି ଭାବେ ସେ ଦେଖାଇଲେ ଯେ ସେ ତାଙ୍କ ଆଦର କରନ୍ତି । ଥରେ ଯେବେ ହଠାତ୍ ସେମାନଙ୍କ ଘରେ ଅତିଥି ଆସିଲେ, ତେବେ ଅବ୍ରହାମ ସେମାନଙ୍କ ଅତିଥି ସତ୍କାର କରିବା ପାଇଁ ଭାବିଲେ । ସେ ସାରାଙ୍କୁ କହିଲେ ଯେ ସେ ଯାହା ବି କରୁଛନ୍ତି, ତାହା ଛାଡ଼ି ଶୀଘ୍ର ଯାଇ ଅଟା ଦଳନ୍ତୁ ଓ ରୋଟୀ ତିଆରି କରନ୍ତୁ । (ଆଦି. ୧୮:୬) ସାରା ତାଙ୍କୁ ମନା କଲେନି ଓ ତୁରନ୍ତ ଯାଇ କାମରେ ଲାଗିଗଲେ । ସ୍ତ୍ରୀମାନେ, କʼଣ ଆପଣ ବି ସାରାଙ୍କ ଭଳି ନିଜ ସ୍ୱାମୀଙ୍କ ନିଷ୍ପତ୍ତିଗୁଡ଼ିକରେ ସହଯୋଗ କରିପାରିବେ ? ଯେବେ ଆପଣ ଏପରି କରିବେ, ତେବେ ଆପଣ ଦୁଇଜଣଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇଯିବ । (୧ ପିତର ୩:୫, ୬ ପଢ଼ନ୍ତୁ ।) ଭାଇ ଦିମିତ୍ରି, ଯାହାଙ୍କ ବିଷୟରେ ପୂର୍ବ ପାରାଗ୍ରାଫରେ ଚର୍ଚ୍ଚା କରାଯାଇଥିଲା, କହନ୍ତି ଯେ ତାଙ୍କୁ କେଉଁ କଥାରୁ ଲାଗିଲା ଯେ ତାଙ୍କ ସ୍ତ୍ରୀ ତାଙ୍କର ଆଦର କରନ୍ତି । ସେ କହନ୍ତି, “ମୋତେ ଏଞ୍ଜେଲାଙ୍କ ଏକଥା ଭଲ ଲାଗେ ଯେ ସେ ସବୁବେଳେ ମୋର ସହଯୋଗ କରନ୍ତି, ସେସମୟରେ ବି ଯେବେ କୌଣସି ସ୍ଥିତିରେ ଆମ ଦୁଇଜଣଙ୍କ ମତ ଏକା ନ ଥାଏ । ଆଉ ଯଦି କେବେ ଏପରି ଲାଗେ ଯେ ମୋ ନିଷ୍ପତ୍ତି ସେତେ ଭଲ ନ ଥିଲା, ତେବେ ବି ସେ ମୋର ଅପମାନ କରନ୍ତିନି ।” ସତରେ, ଯେଉଁ ବ୍ୟକ୍ତି ଆପଣଙ୍କ ଆଦର କରେ, ତାକୁ ପ୍ରେମ କରିବା ବହୁତ ସହଜ ହୋଇଯାଏ !
୧୮. ଯେବେ ସ୍ୱାମୀ ସ୍ତ୍ରୀ ପରସ୍ପର ପାଇଁ ପ୍ରେମ ବଢ଼ାଇବାକୁ ପୂରା ଚେଷ୍ଟା କରନ୍ତି, ତେବେ ସେମାନଙ୍କୁ କʼଣ ଲାଭ ହୁଏ ?
୧୮ ଆଜି ଖ୍ରୀଷ୍ଟିୟାନ ସ୍ୱାମୀ ସ୍ତ୍ରୀମାନଙ୍କ ମଧ୍ୟରେ ଯେଉଁ ପ୍ରେମର ନିଆଁ ଜଳୁଛି, ଶୟତାନ ତାହାକୁ ଲିଭାଇବା ପାଇଁ ଚାହେଁ । ସେ ଜାଣେ ଯେ ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ କମ୍ ହୋଇଯିବ, ତେବେ ସେମାନେ ଯିହୋବାଙ୍କଠାରୁ ମଧ୍ୟ ଧୀରେ ଧୀରେ ଦୂରେଇ ଯିବେ । କିନ୍ତୁ ଆମେ ଜାଣୁ ଯେ ପ୍ରକୃତ ପ୍ରେମ କେବେ ବି ଶେଷ ହୁଏନି । ତେଣୁ ଚେଷ୍ଟା କରନ୍ତୁ ଯେ ଆପଣ ଦୁଇଜଣଙ୍କ ମଧ୍ୟରେ ସେହିପରି ପ୍ରେମ ରହୁ ଯେପରି ପରମ ଗୀତ ବହିରେ କୁହାଯାଇଛି । ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ନିଜ ବୈବାହିକ ଜୀବନରେ ଯିହୋବାଙ୍କୁ ପ୍ରଥମ ସ୍ଥାନ ଦେବେ, ପରସ୍ପର ସହ ସମୟ ବିତାଇବେ, ପରସ୍ପରକୁ ଆଦର କରିବେ ଓ ପରସ୍ପରର ଭାବନା ଓ ଆବଶ୍ୟକତାଗୁଡ଼ିକର ଧ୍ୟାନ ରଖିବେ । ସ୍ୱାମୀ ସ୍ତ୍ରୀମାନେ, ଯେବେ ଆପଣ ଏପରି କରିବେ ତେବେ ଆପଣ ଯିହୋବାଙ୍କ ମହିମା କରିପାରିବେ ଯେଉଁଥିରୁ ପ୍ରକୃତ ପ୍ରେମର ଆରମ୍ଭ ହୋଇଛି ଓ ଆପଣଙ୍କ ପ୍ରେମର ନିଆଁ ସବୁଦିନ ଯାଏ ଜଳୁଥିବ ।
ଗୀତ ୧୩୨ ଅବ୍ ହମ୍ ଏକ୍ ହୁଏ
a ବିବାହ ବନ୍ଧନ ଯିହୋବାଙ୍କ ତରଫରୁ ମିଳିଥିବା ଗୋଟିଏ ବଢ଼ିଆ ଉପହାର ଅଟେ । ଯେବେ ଜଣେ ପୁରୁଷ ଓ ସ୍ତ୍ରୀ ବିବାହ କରନ୍ତି, ତେବେ ସେମାନେ ଗୋଟିଏ ବିଶେଷ ସମ୍ପର୍କରେ ବାନ୍ଧି ହୋଇଯାନ୍ତି ଓ ପରସ୍ପର ପାଇଁ ନିଜ ପ୍ରେମ ଦେଖାଇପାରନ୍ତି । କିନ୍ତୁ ସମୟ ଗଡ଼ିବା ସହ ହୁଏତ ସେମାନଙ୍କ ମଧ୍ୟରେ ପ୍ରେମ କମ୍ ହୋଇପାରେ । ଯଦି ଆପଣ ବିବାହିତ, ତେବେ ଏହି ଲେଖାରୁ ଆପଣଙ୍କୁ ନିଜ ସାଥୀଙ୍କ ପାଇଁ ପ୍ରେମ ବଢ଼ାଇବା ଓ ବୈବାହିକ ଜୀବନରେ ଖୁସି ରହିବା ପାଇଁ ସାହାଯ୍ୟ ମିଳିବ ।
b ପ୍ରକୃତ ପ୍ରେମ କେବେ ଶେଷ ହୁଏନି, ଏହା ସବୁଦିନ ଯାଏ ରହେ । ବାଇବଲରେ ଏପରି ପ୍ରେମକୁ ‘ଯିହୋବାଙ୍କ ଅଗ୍ନିଶିଖା’ କୁହାଯାଇଛି, କାରଣ ଏହି ପ୍ରେମର ଆରମ୍ଭ ଯିହୋବାଙ୍କଠାରୁ ହିଁ ହୋଇଛି ।
c ଯଦି ଆପଣଙ୍କ ସାଥୀ ଯିହୋବାଙ୍କ ଉପାସନା କରନ୍ତିନି, ତେବେ ମଧ୍ୟ ଏହି ପରାମର୍ଶକୁ ପାଳନ କରି ଆପଣ ନିଜ ବନ୍ଧନକୁ ଦୃଢ଼ କରିପାରିବେ ।—୧ କରି. ୭:୧୨-୧୪; ୧ ପିତ. ୩:୧, ୨.
d jw.org ୱେବସାଇଟ୍ ଓ JW ଲାଇବ୍ରେରୀ ଆପ୍ରେ “ପରିବାର ପାଇଁ ସାହାଯ୍ୟ” (ହିନ୍ଦୀ) ନାମକ ସିରିଜ୍ରେ ଦିଆଯାଇଥିବା ଲେଖା ଦେଖନ୍ତୁ । ଏଥିରେ ବହୁତ ବଢ଼ିଆ ପରାମର୍ଶ ଦିଆଯାଇଛି ।