ପାଠ ୩
ଆଦମ ଓ ହବା ଈଶ୍ୱରଙ୍କ କଥା ମାନିଲେ ନାହିଁ
ଥରେ ହବା ଏକୁଟିଆ ଥିବା ସମୟରେ ଗୋଟିଏ ସାପ ତାʼ ସହିତ କଥା ହେଲା । ସାପ ପଚାରିଲା, ‘କʼଣ ଏହା ସତ, ବଗିଚାର କୌଣସି ଗଛର ଫଳ ଖାଇବାକୁ ଈଶ୍ୱର ତମମାନଙ୍କୁ ମନା କରିଛନ୍ତି ?’ ହବା କହିଲା, ‘କେବଳ ଗୋଟିଏ ଗଛକୁ ଛାଡ଼ି, ଆମେ ସବୁ ଗଛର ଫଳ ଖାଇପାରିବୁ । ସେହି ଫଳ ଖାଇଲେ ଆମେ ମରିବୁ ।’ ସାପ କହିଲା, ‘ନା, ତମେମାନେ ମରିବ ନାହିଁ ବରଂ ଈଶ୍ୱରଙ୍କ ଭଳି ହୋଇଯିବ ।’ କʼଣ ଏହା ସତ ଥିଲା ? ନା, ଏହା ମିଛ ଥିଲା । କିନ୍ତୁ ହବା ତାକୁ ସତ ଭାବି ସେହି ଫଳକୁ ଦେଖିବାକୁ ଲାଗିଲା । ଯେତେ ବେଶୀ ଦେଖିଲା ସେତେ ବେଶୀ ତାକୁ ତାହା ଖାଇବାକୁ ଇଚ୍ଛା ହେଲା । ସେ ଫଳକୁ ଖାଇଲା ଏବଂ ଆଦମକୁ ବି ଦେଲା । ଆଦମ ଜାଣିଥିଲା ଯେ ଈଶ୍ୱରଙ୍କ କଥା ନ ମାନିଲେ ସେମାନେ ମରିଯିବେ, ତଥାପି ସେ ଫଳ ଖାଇଲା ।
ସେହି ଦିନ ସନ୍ଧ୍ୟାରେ ଯିହୋବା ଆଦମ ଓ ହବାକୁ ପଚାରିଲେ ଯେ ସେମାନେ ତାଙ୍କ କଥା କାହିଁକି ଶୁଣିଲେ ନାହିଁ । ଆଦମ, ହବା ଉପରେ ଦୋଷ ଲଗାଇଲା ଏବଂ ହବା, ସାପ ଉପରେ । ଯିହୋବାଙ୍କ କଥା ନ ଶୁଣିବାରୁ ସେମାନଙ୍କୁ ବଗିଚାରୁ ବାହାର କରି ଦିଆଗଲା । ଯିହୋବା ଚାହୁଁ ନ ଥିଲେ ଯେ ସେମାନେ ବଗିଚାକୁ ପୁଣି ଫେରି ଆସନ୍ତୁ, ତେଣୁ ସେ ବଗିଚାର ରାସ୍ତାରେ ସ୍ୱର୍ଗଦୂତମାନଙ୍କୁ ଛିଡ଼ା କରି ଗୋଟିଏ ନିଆଁର ଖଣ୍ଡା ରଖିଲେ ।
ଯିହୋବା କହିଲେ ଯେ ଯିଏ ହବାକୁ ମିଛ କହିଥିଲା ତାକୁ ବି ଦଣ୍ଡ ମିଳିବ । କʼଣ ହବା ସହ ସତରେ ସାପ କଥା ହୋଇଥିଲା ? ନୁହେଁ । ଯିହୋବା ସାପଗୁଡ଼ିକୁ ଏପରି ସୃଷ୍ଟି କରି ନାହାନ୍ତି ଯେ ସେମାନେ କଥା ହୋଇପାରିବେ । ପ୍ରକୃତରେ ଜଣେ ଦୁଷ୍ଟ ସ୍ୱର୍ଗଦୂତ ହବାକୁ ଧୋକା ଦେବା ପାଇଁ ସାପ ଜରିଆରେ କଥା ହେଲା । ସେହି ସ୍ୱର୍ଗଦୂତକୁ ଶୟତାନ କୁହାଯାଏ । ଯିହୋବା ଖୁବ୍ ଶୀଘ୍ର ତାକୁ ବିନାଶ କରିଦେବେ, ଯାହାଦ୍ୱାରା ସେ ଲୋକମାନଙ୍କୁ ଧୋକା ଦେଇ ସେମାନଙ୍କୁ ଖରାପ କାମ କରିବା ପାଇଁ ପ୍ରଲୋଭିତ କରିପାରିବ ନାହିଁ ।
‘ଶୟତାନ ଆରମ୍ଭରୁ ହତ୍ୟାକାରୀ ଓ ସେ ସତ୍ୟରେ ରହେ ନାହିଁ, କାରଣ ତାହାଠାରେ ସତ୍ୟ ନାହିଁ ।’—ଯୋହନ ୮:୪୪