ପାଠ ୨୪
ସେମାନେ ନିଜ ପ୍ରତିଜ୍ଞା ଭାଙ୍ଗିଦେଲେ
ଯିହୋବା ମୋଶାଙ୍କୁ କହିଲେ, ‘ତମେ ପାହାଡ଼ ଉପରକୁ ମୋ ପାଖକୁ ଆସ । ମୁଁ ନିଜ ନିୟମ ପ୍ରସ୍ତର ଫଳକରେ (ପଥରର ଦୁଇଟି ଫଳକ) ଲେଖିକି ତମକୁ ଦେବି ।’ ମୋଶା ପାହାଡ଼ ଉପରକୁ ଗଲେ ଏବଂ ସେଠାରେ ୪୦ ଦିନ ଓ ୪୦ ରାତି ରହିଲେ । ସେସମୟରେ ଯିହୋବା ପଥରର ଦୁଇଟି ଫଳକରେ ଦଶଟି ଆଜ୍ଞା ଲେଖିଲେ ଏବଂ ସେହି ଫଳକଗୁଡ଼ିକୁ ମୋଶାଙ୍କୁ ଦେଲେ ।
କିଛି ସମୟ ପରେ ଇସ୍ରାଏଲୀୟମାନଙ୍କୁ ଲାଗିଲା ଯେ ମୋଶା ସେମାନଙ୍କୁ ଛାଡ଼ି ଚାଲିଯାଇଛନ୍ତି । ତେଣୁ ସେମାନେ ହାରୋଣଙ୍କୁ କହିଲେ, ‘ଆମକୁ ବାଟ ଦେଖାଇବା ପାଇଁ କେହି ହେବା ଉଚିତ୍ । ଆମ ପାଇଁ ଏକ ଦେବତା ତିଆରି କର !’ ହାରୋଣ କହିଲେ, ‘ଠିକ୍ ଅଛି, ତମେ ସମସ୍ତେ ନିଜ ସୁନା ମୋତେ ଦିଅ ।’ ସେ ସୁନାକୁ ତରଳାଇ ସେଥିରୁ ଗୋଟିଏ ବାଛୁରୀର ମୂର୍ତ୍ତି ତିଆରି କଲେ । ଲୋକମାନେ କହିବାକୁ ଲାଗିଲେ, ‘ଏହି ବାଛୁରୀ ଆମ ଈଶ୍ୱର । ସେ ହିଁ ଆମକୁ ମିଶରରୁ ବାହାର କରି ଆଣିଥିଲେ !’ ସେମାନେ ସୁନାର ବାଛୁରୀର ପୂଜା କରିବାକୁ ଲାଗିଲେ ଏବଂ ପର୍ବ ପାଳନ କରିବାକୁ ଲାଗିଲେ । କʼଣ ଏପରି କରିବା ଭୁଲ ଥିଲା ? ହଁ, କାରଣ ଲୋକମାନେ ପ୍ରତିଜ୍ଞା କରିଥିଲେ ଯେ ସେମାନେ କେବଳ ଯିହୋବାଙ୍କୁ ଉପାସନା କରିବେ । କିନ୍ତୁ ଏବେ ସେମାନେ ସେହି ପ୍ରତିଜ୍ଞା ଭାଙ୍ଗିଦେଲେ ।
ଯିହୋବା ଏସବୁ ଦେଖୁଥିଲେ । ସେ ମୋଶାଙ୍କୁ କହିଲେ, ‘ତଳେ ଲୋକମାନଙ୍କ ପାଖକୁ ଯାଅ । ସେମାନେ ମୋ କଥା ମାନୁ ନାହାନ୍ତି ଏବଂ ସେମାନେ ଏକ ମିଥ୍ୟା ଦେବତାର ପୂଜା କରୁଛନ୍ତି ।’ ମୋଶା ଦୁଇଟି ଫଳକକୁ ହାତରେ ଧରି ପାହାଡ଼ରୁ ତଳକୁ ଆସିଲେ ।
ଯେବେ ମୋଶା ଲୋକମାନଙ୍କ ପାଖକୁ ପହଞ୍ଚୁଥିଲେ ତେବେ ତାଙ୍କୁ ଗୀତ ଗାଇବାର ଶବ୍ଦ ଶୁଣାଗଲା । ସେ ଦେଖିଲେ ଯେ ସେମାନେ ନାଚୁଛନ୍ତି ଏବଂ ବାଛୁରୀ ଆଗରେ ନଇଁ ତାʼର ପୂଜା କରୁଛନ୍ତି । ମୋଶା ବହୁତ ରାଗିଗଲେ । ସେ ପଥର ଫଳକଗୁଡ଼ିକୁ ତଳେ ଜମିରେ ଫିଙ୍ଗି ଦେଲେ ଏବଂ ତାହା ପୂରାପୂରି ଭାଙ୍ଗିଗଲା । ସେ ତୁରନ୍ତ ସେହି ମୂର୍ତ୍ତିକୁ ନଷ୍ଟ କରି ଦେଲେ । ତାʼପରେ ସେ ହାରୋଣଙ୍କୁ ପଚାରିଲେ, ‘ଏହି ଲୋକମାନେ ତମକୁ ଏପରି କʼଣ କହିଲେ ଯେ ତମେ ସେମାନଙ୍କ କଥାରେ ପଡ଼ି ଏପରି ଖରାପ କାମ କଲ ?’ ହାରୋଣ କହିଲେ, ‘ମୋତେ ରାଗ ନାହିଁ । ତମେ ଜାଣିଛ ଯେ ଏହି ଲୋକମାନେ କିପରି ! ସେମାନଙ୍କୁ ଜଣେ ଦେବତା ଦରକାର ଥିଲା, ତେଣୁ ମୁଁ ସେମାନଙ୍କ ସୁନାକୁ ନିଆଁରେ ପକାଇଲି ଏବଂ ସେଥିରୁ ଏହି ବାଛୁରୀ ବାହାରି ଆସିଲା !’ ହାରୋଣଙ୍କୁ ଏପରି କରିବାର ନ ଥିଲା । ମୋଶା ପୁଣି ପାହାଡ଼ ଉପରକୁ ଗଲେ ଏବଂ ସେ ଯିହୋବାଙ୍କୁ ସେହି ଲୋକମାନଙ୍କୁ କ୍ଷମା କରିଦେବା ପାଇଁ ବିନତି କଲେ ।
ଯିହୋବା କେବଳ ସେହି ଲୋକମାନଙ୍କୁ କ୍ଷମା କଲେ, ଯେଉଁମାନେ ତାଙ୍କ କଥା ମାନିବା ପାଇଁ ପ୍ରସ୍ତୁତ ହେଲେ । କʼଣ ଆପଣ ଦେଖିଲେ, ଇସ୍ରାଏଲୀୟମାନଙ୍କ ପାଇଁ ଯିହୋବାଙ୍କ ଏବଂ ତାଙ୍କ ଦ୍ୱାରା ବଛାଯାଇଥିବା ମୋଶାଙ୍କ କଥା ମାନିବା କେତେ ଜରୁରୀ ଥିଲା ?
“ତୁମ୍ଭେ ପରମେଶ୍ୱରଙ୍କ ନିକଟରେ ମାନତ କଲେ, ତାହା ପରିଶୋଧ କରିବାକୁ ବିଳମ୍ବ କର ନାହିଁ; କାରଣ ମୂର୍ଖମାନଙ୍କଠାରେ ତାହାଙ୍କର ସନ୍ତୋଷ ନାହିଁ; ତୁମ୍ଭେ ଯାହା ମାନତ କର, ତାହା ପରିଶୋଧ କର ।”—ଉପଦେଶକ ୫:୪